Unknown

 

 

 

 

 

 

 

 

ଜୟ ସୋମନାଥ

କେ. ଏମ୍. ମୁନ୍‌ସୀ

 

ଅନୁବାଦକ

ଶ୍ରୀ ସଚ୍ଚିଦାନନ୍ଦ କାନୁନ୍‌ଗୋ

 

ମୁଖବନ୍ଧ

 

ଭାରତୀୟ ସ୍ୱାଧୀନତା ପରବର୍ତ୍ତୀ ସାହିତ୍ୟ ପ୍ରକାଶ କ୍ଷେତ୍ରରେ ଯେଉଁ କେତେଗୋଟି ନୂତନ ଅନୁଷ୍ଠାନ ଉଲ୍ଲେଖଯୋଗ୍ୟ, ତାହା ମଧ୍ୟରେ ବମ୍ବେର “ଭାରତୀୟ ବିଦ୍ୟାଭବନ” ଅନ୍ୟତମ । ଶ୍ରୀ ରାଜଗୋପାଳାଚାରୀ ଓ ସ୍ୱର୍ଗତ କହ୍ନେୟାଲାଲ ମୁନ୍‌ସି ପ୍ରମୁଖ କୃତବିଦ୍ୟ ପୁରୁଷମାନେ ଏହାର ପ୍ରତିଷ୍ଠାତା । ଏଇ ଅନୁଷ୍ଠାନରୁ ତା’ର ଇଂରାଜୀ ମୁଖପତ୍ର “ଭବନ୍‌ସ ଜର୍ଣ୍ଣାଲ” ସମେତ ଶ୍ରୀ ରାଜଗୋପାଳାଚାରୀଙ୍କ ଇଂରାଜୀ ମହାଭାରତ ଓ ମୁନ୍‌ସିଙ୍କର “ତପସ୍ୱିନୀ” ଉପନ୍ୟାସ ପ୍ରମୁଖ ଏକାଧିକ ରଚନାର ଇଂରାଜୀ ଅନୁବାଦ ପ୍ରକାଶିତ ହୋଇଛି ।

ମୁନ୍‌ସିଙ୍କ “ଜୟ ସୋମନାଥ” ଐତିହାସିକ ଉପନ୍ୟାସର ଇଂରାଜୀ ଅନୁବାଦ ମଧ୍ୟ ଧାରାବାହିକ ଭାବରେ “ଭବନ୍‌ସ ଜର୍ଣ୍ଣାଲ୍”ରେ ପ୍ରକାଶିତ ହୁଏ । ଶ୍ରୀ ସଚ୍ଚିଦାନନ୍ଦ କାନୁନ୍‍ଗୋ ପାଠକ ଭାବରେ ସେଥିପ୍ରତି ଆକୃଷ୍ଟ ହୋଇ ତାହାର ଓଡ଼ିଆ ଅନୁବାଦ କରବାକୁ ଉତ୍ସାହିତ ହୁଅନ୍ତି; ଫଳରେ ଆଜି “ଜୟ ସୋମନାଥ” ବିଖ୍ୟାତ ଉପନ୍ୟାସର ଓଡ଼ିଆ ରୂପାନ୍ତର ପାଠକମାନଙ୍କ ସମକ୍ଷରେ ଉପସ୍ଥାପିତ ହୋଇପାରିଛି ।

ଦୂର ଅତୀତରେ ଆମେ ସବୁ ସ୍କୁଲ କଲେଜର ଛାତ୍ର ଥିବାବେଳେ ଭାରତ ଇତିହାସର ଗୋଟିଏ ପ୍ରଧାନ ବିଷୟ ଥଲା “ସୋମନାଥ ମନ୍ଦିର ଲୁଣ୍ଠନ” । କାରଣ ପରୀକ୍ଷାରେ ତାହା ଥିଲା ପ୍ରାୟ ଅବଶ୍ୟମ୍ଭାବୀ ପ୍ରଶ୍ନ । ଅତଏବ ସେ ବିଷୟଟି ଭଲରୂପେ ପଢ଼ିବାପାଇଁ ଇତିହାସ ଶିକ୍ଷକ ପରାମର୍ଶ ଦିଅନ୍ତି । ଅନେକ ସମୟରେ ଅବଶ୍ୟ ଶିକ୍ଷକଙ୍କ ପରାମର୍ଶ ଗ୍ରହଣ ନ କରିବାହିଁ କେତେକ ଛାତ୍ରଙ୍କର ଅଭ୍ୟାସ ହୋଇପଡ଼ିଥାଏ । ପୁଣି ଇତିହାସ ଏକ ନୀରସ ବିଷୟରୂପେ ପରିଗଣିତ ହୁଏ । ତଥାପି ତାହା ବାଧ୍ୟତାମୂଳକ । ସେତେବେଳେ ଭାରତବର୍ଷ ଥାଏ ଇଂରେଜମାନଙ୍କ ଅଧୀନରେ । ସେଇ ଇଂରେଜ ଶାସକମାନେ ମଧ୍ୟ ଭାରତ ଇତିହାସର ଲେଖକରୂପେ ପ୍ରସିଦ୍ଧ । ହଣ୍ଟର, ଭିନ୍‌ସେଣ୍ଟ ସ୍ମିଥ୍ ପ୍ରମୁଖ ଏହି କାରଣରୁ ସ୍ମରଣୀୟ । ହଣ୍ଟର ସାହେବଙ୍କ ‘ଓଡ଼ିଶା ଇତିହାସ’ (History of Orissa) ଏକ ପ୍ରାମାଣିକ ଗ୍ରନ୍ଥ । ଏହିରୂପେ ହଣ୍ଟରଙ୍କ ଲିଖିତ “Annals of Rural Bengal”ରେ ବର୍ଣ୍ଣିତ ସନ୍ନ୍ୟାସୀ ବିପ୍ଳବ (History of the Sannyasi Rebellion)କୁ ଭିତ୍ତିକରି ବଙ୍ଗର ପ୍ରଖ୍ୟାତ ସାହିତ୍ୟିକ କବି ବଙ୍କିମଚନ୍ଦ୍ରଙ୍କ “ଆନନ୍ଦମଠ” ଉପନ୍ୟାସ ଭିତ୍ତିରେ “ବନ୍ଦେ ମାତରମ୍” ଅମର ସଙ୍ଗୀତର ସୃଷ୍ଟି ହୁଏ । ପୁଣି ସେହି “ଆନନ୍ଦମଠ” ଉପନ୍ୟାସର ଆଂଶିକ ଇଂରାଜୀ ଅନୁବାଦ କରନ୍ତି ସ୍ୱୟଂ ଋଷି ଅରବିନ୍ଦ ।

ଭିନ୍‌ସେଣ୍ଟ ସ୍ମିଥ୍‌ଙ୍କ ଲିଖିତ ଆମ୍ଭମାନଙ୍କ ପାଠ୍ୟପୁସ୍ତକ ଭାରତ−ଇତିହାସରେ ବର୍ଣ୍ଣିତ ଗୋଟିଏ କଥା ଆଜି ବି ମୋର ମନେଅଛି । ସେ ଯାହା ଲେଖିଥିଲେ, ତାହାର ମର୍ମହେଲା- ଭାରତର ଭୌଗାଳିକ ପରିସ୍ଥିତି ଓ ଜଳବାୟୁର ବିଚିତ୍ର ବୈଷମ୍ୟ ବିଚାରରୁ, ପୁଣି ସେଠାରେ ଏତେ ପ୍ରକାର ଭାଷାଭାଷୀ ରହିଛନ୍ତି ଆଉ ଏତେସଂଖ୍ୟକ ଜାତି, ଧର୍ମ, ସମ୍ପ୍ରଦାୟ ତଥା ରାଜୁଡ଼ା ଓ ଜମିଦାରି ଶାସନ ଯୁଗ ଯୁଗ ଧରି ପ୍ରତିଷ୍ଠିତ ଯେ, କସ୍ମିନ୍‌କାଳେ ତାହା ଗୋଟିଏ ଅଖଣ୍ଡ ଦେଶ ଓ ଅଖଣ୍ଡ ଜାତି ହୋଇ ତିଷ୍ଠି ନ ପାରେ । ସେଇ ଦୃଷ୍ଟିଭଙ୍ଗିରୁହିଁ “ସୋମନାଥ ମନ୍ଦିର ଲୁଣ୍ଠନ” ଘଟଣାକୁ ଭିତ୍ତିକରି ଦେଶରେ ସାମ୍ପ୍ରଦାୟିକତାର ତିକ୍ତଭାବକୁ ଉଜ୍ଜୀବିତ କରିବା ଥିଲା ଇଂରେଜ ଐତିହାସିକମାନଙ୍କର ମୌଳିକ ଅଭିସନ୍ଧି । ସ୍ୱାଧୀନ ଧର୍ମନିରପେକ୍ଷ ଭାରତୀୟ ରାଷ୍ଟ୍ରରେ ଅବଶ୍ୟ ସୋମନାଥ ମନ୍ଦିର ପୁନଃ ନିର୍ମିତ ହୋଇଛି ।

“ଜୟ ସୋମନାଥ” ଉପନ୍ୟାସଟି ଐତିହାସିକ ତଥ୍ୟ ଉପରେ ପରିକଳ୍ପିତ ହେଲେହେଁ ତାହା ସାମ୍ପ୍ରଦାୟିକତାକୁ ଉଚ୍ଚ ସ୍ଥାନ ଦେଇନାହିଁ । ଅନୁବାଦର ଭାଷା ଓ ଅଭିବ୍ୟକ୍ତି ଯେପରି ସହଜ, ସରଳ, ସେ ବିଚାରରୁ ତାହା ମୌଳିକ ରଚନା ଭଳି ସୁଖପାଠ୍ୟ ହୋଇପାରିଛି । ଓଡ଼ିଆ ପାଠକ ସମାଜରେ “ଜୟ ସୋମନାଥ” ସମାଦୃତ ହେବ ବୋଲି ମୋର ଦୃଢ଼ ବିଶ୍ୱାସ । ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ, ସାକ୍ଷିଗୋପାଳ, ଅନନ୍ତବାସୁଦେବ କିମ୍ବା କେଦାରଗୌରୀ ମନ୍ଦିର ସହିତ ଅପୂର୍ବ ପ୍ରେମକାହାଣୀମାନ ଜଡ଼ିତ । ମାତ୍ର ସେଗୁଡ଼ିକ ପ୍ରାୟ କାଳ୍ପନିକ ବା ପୌରାଣିକ । ଅଥଚ “ଜୟ ସୋମନାଥ” ଏକ ଐତିହାସିକ ତଥ୍ୟ ଉପରେ ପ୍ରତିଷ୍ଠିତ । ଶ୍ରୀମାନ୍ ସଚ୍ଚିଦାନନ୍ଦ କେବଳ ଅନୁବାଦ ବିଚାରରୁ ଯେ “ଜୟ ସୋମନାଥ”ର ଭାଷାନ୍ତର କରିନାହାନ୍ତି, ତାହା ପାଠକମାତ୍ରେ ହୃଦୟଙ୍ଗମ କରିପାରିବେ ବୋଲି ମୋର ବିଶ୍ୱାସ । ଅନୁବାଦ ଯେଉଁଠାରେ ଅନୁବାଦବୋଲି ଜଣାପଡ଼େ, ସେଠାରେ ତାହା ନିଜର ସାର୍ଥକତା ହରାଇଥାଏ; ପାଠକର ଆଦର ଲାଭରେ ମଧ୍ୟ ତାହା ଅସର୍ମଥ ହୁଏ ସେଇ କାରଣରୁ । ବର୍ତ୍ତମାନ ଅନୁବାଦଟି ମୌଳିକ ରଚନା ଭଳି ସୁଖପାଠ୍ୟ ହୋଇପାରିଛି ଏହି କାରଣରୁ ଯେ ଅନୁବାଦକ ଏହାର ଇଂରାଜୀ ଅନୁବାଦ ପଢ଼ି ସ୍ୱତଃ ଅନୁପ୍ରାଣିତ ହୁଅନ୍ତି ଓ ସଙ୍ଗେ ସଙ୍ଗେ “ଭବନ୍‌ସ ଜର୍ଣ୍ଣାଲ”ର ପ୍ରତି ସଂଖ୍ୟାର ଇଂରାଜୀ ରୂପାନ୍ତର ପଢ଼ି ଓଡ଼ିଆରେ ତାହାର ଅନୁବାଦ ଲାଗି ପ୍ରେରଣା ଲାଭ କରନ୍ତି । ସେଥିଲାଗି ତାଙ୍କର ଏହି ସଫଳ ପ୍ରଚେଷ୍ଟା ସର୍ବଥା ଅଭିନନ୍ଦନୀୟ ।

 

ସ୍ୱପ୍ନପୁରୀ

କାଳିନ୍ଦୀଚରଣ ପାଣିଗ୍ରାହୀ

କଟକ, ୧୦−୯−୧୯୭୧

 

Image

 

ସୂଚୀପତ୍ର

 

୧.

ଯାତ୍ରୀବୃନ୍ଦ

୨.

ମନ୍ଦିରର ନର୍ତ୍ତକୀ

୩.

ବ୍ରହ୍ମଚାରୀର ହୃଦୟ

୪.

ଦେବକନ୍ୟା

୫.

ପ୍ରଭୁଙ୍କ କ୍ରୋଧ

୬.

ଶୁଭଦୃଷ୍ଟି

୭.

ଭୀମଦେବ

୮.

ଅଶୁଭ ଲକ୍ଷଣ

୯.

ବାପ ଓ ପୁଅ

୧୦.

ମରୁପଥ

୧୧.

ମରୁଝଡ଼

୧୨.

ସଜ୍ଜନ ଓ ଆକ୍ରମଣକାରୀ

୧୩.

ଗଜନୀର ହମୀର୍‍

୧୪.

ସାମନ୍ତଙ୍କ ବନ୍ଧୁମିଳନ

୧୫.

ମୁଲ୍‌ତାନର ମୁଖୀ

୧୬.

ନିସ୍ତବ୍‍ଧ ମରୁଭୂମି

୧୭.

ଭାମୋରିଆ ଦୁର୍ଗ

୧୮.

ବିପନ୍ନ ଘୋଘାଗଡ଼

୧୯.

ଘୋଘାବାପାଙ୍କ ଚରମ ତ୍ୟାଗ

୨୦.

ପ୍ରଭୁଙ୍କର ତୃତୀୟ ଚକ୍ଷୁ

୨୧.

ସାମନ୍ତ ଓ ସୁଲତାନ୍

୨୨.

ସତର୍କବାଣୀ

୨୩.

ଗୁରୁଦେବଙ୍କ ପ୍ରତିଜ୍ଞା

୨୪.

ତ୍ରିପୁରସୁନ୍ଦରୀଙ୍କ ମନ୍ଦିର

୨୫.

ଚୌଲାର ପ୍ରଭୁ ଅନ୍ୱେଷଣ

୨୬.

ସର୍ବଜ୍ଞଙ୍କର ହସ୍ତକ୍ଷେପ

୨୭.

ପାଟଣରେ ପ୍ରସ୍ତୁତି

୨୮.

ଯୋଦ୍ଧାମାନଙ୍କର ବିଚାର

୨୯.

ସାମନ୍ତଙ୍କ ପରାମର୍ଶ ସ୍ୱୀକୃତ

୩୦.

ପ୍ରଭାସରେ ଭୀମଦେବ

୩୧.

ଗୁରୁଦେବଙ୍କ ପ୍ରତିଜ୍ଞା

୩୨.

ଭୀମଦେବ ସେନାପତି ହେଲେ

୩୩.

ଶିବରାଶିଙ୍କ ନିଷ୍ପତ୍ତି

୩୪.

ଏକ ଆନନ୍ଦପୂର୍ଣ୍ଣ ମୁହୁର୍ତ୍ତ

୩୫.

ଅବରୋଧ ଆରମ୍ଭ ହେଲା

୩୬.

ପୂଜକମାଙ୍କର ବିଦ୍ରୋହ

୩୭.

ଧର୍ମ ଦ୍ରୋହ

୩୮.

କର୍ମତତ୍ପରତା

୩୯.

ଶିବରାଶି ଗୁରୁଙ୍କୁ ଅମାନ୍ୟ କଲେ

୪୦.

ଆକ୍ରମଣ

୪୧.

ଶିବରାଶିଙ୍କ ଗୁରୁ ଅବଜ୍ଞା

୪୨.

ଆନନ୍ଦର ମୁହୂର୍ତ୍ତ

୪୩.

ମର୍ମାହତ ସାମନ୍ତ ଚୌହାନ

୪୪.

ପ୍ରତିଶୋଧ ନେବାଲାଗି ଶିବରାଶିଙ୍କ ନିଷ୍ପତ୍ତି

୪୫.

ଦୁର୍ଗର ଦ୍ୱାରମାନଙ୍କରେ ଯୁଦ୍ଧ

୪୭.

ବିଶ୍ୱାସଘାତକ

୪୮.

ଦେବସ୍ଥାନରେ ବିଷାଦର ଛାୟା

୪୯.

ତ୍ରିବାର ପବିତ୍ର ମୂର୍ତ୍ତି

୫୦.

ଭ୍ରାନ୍ତ ଧାରଣା ଦୂର ହେଲା

୫୧.

ନିଃସଙ୍ଗ ହୃଦୟ

୫୨.

ଧ୍ୱଂସ ଭିତରୁ

୫୩.

“ଆଜି ରାତି, ହିଁ, ଆଜି ରାତି”

୫୪.

ଶେଷ ନୃତ୍ୟ

Image

 

ଯାତ୍ରୀବୃନ୍ଦ

 

ବିକ୍ରମ ଅବ୍ଦ ୧୦୮୨, ଖ୍ରୀଷ୍ଟାବ୍ଦ ୧୦୨୪, କାର୍ତ୍ତିକ ଶୁକ୍ଲ−ଏକାଦଶୀ । ବର୍ଷ ମଧ୍ୟରେ ପବିତ୍ରତମ ଦିବସ । ପ୍ରଭାସ କ୍ଷେତ୍ରସ୍ଥ ତ୍ରିଜଗତର ନାଥ ସୋମନାଥଙ୍କ ନିକଟକୁ ନଦୀର ବନ୍ୟାପରି ମୁଗ୍‍ଧ ଯାତ୍ରୀବୃନ୍ଦ ଅବିରାମ ଗତିରେ ଚାଲିଛନ୍ତି ।

 

କେତେକ ଦେଲୱାଡ଼ା, ଆଉ କେତେକ ଭେରାଭଲ ଏବଂ ଅନ୍ୟମାନେ ଜୁନାଗଡ଼ରୁ ଆସିଛନ୍ତି । କେତେକ ଭାରି ଖୁସି, ଆଉ କେତେକ ଦୁଃଖୀ । ଅନେକ ଅଛନ୍ତି ହୃଷ୍ଟପୁଷ୍ଟ ଏବଂ ଅନ୍ୟକେତେକ ଦୁର୍ବଳ ଓ ରୁଗ୍‍ଣ । କେତେକ ଛୋଟା କେମ୍ପା ମଧ୍ୟ ଆସିଛନ୍ତି । କିଏ ଘୋଡ଼ା ଚଢ଼ି, କିଏ ଚାଲିକରି, ଆଉ କିଏ ବା ରଥ ଓ ବଳଦ ଗାଡ଼ିରେ, କେହି ଖଟ ଉପରେ ଏବଂ ଅଳ୍ପ କେତେକ ହାତୀ ଉପରେ ଚଢ଼ି ଆସୁଛନ୍ତି । କେହି କେହି ଗାଉଛନ୍ତି ଭଜନ, ଆଉ କିଏ ବା ବଜାଉଛନ୍ତି ସାରଙ୍ଗୀ ବା ଅନ୍ୟାନ୍ୟ ବାଦ୍ୟଯନ୍ତ୍ର । ନାନାପ୍ରକାର ମଉଜ ମଜ୍‌ଲିସ ଗୀତ ମଧ୍ୟ ଚାଲିଛି ।

 

ସେମାନଙ୍କ ମଧ୍ୟରୁ ଧନୀମାନେ ଆପଣାର ଦେହରକ୍ଷୀ ତଥା ଅନ୍ୟଲୋକଙ୍କୁ ସାଙ୍ଗରେ ନେଇ ଆସିଛନ୍ତି । କେତେକ ପ୍ରଭୁ ସୋମନାଥଙ୍କ ଦର୍ଶନ ପାଇବା ଅଭିଳାଷରେ ଜୀବନଯାକର ସଞ୍ଚୟ ଖର୍ଚ୍ଚ କରୁଛନ୍ତି । କେତେକ ଏପରି ଗରିବ ଯେ ଭିକ ମାଗି ମାଗି ଆସୁଛନ୍ତି । ଅନେକ ଆସିଛନ୍ତି ସେମାନଙ୍କର ମନୋବାଞ୍ଛା ପୂରଣ ହୋଇଥିବାରୁ ଦେବତାଙ୍କୁ ଧନ୍ୟବାଦ ଦେବାପାଇଁ । କେହି କେହି ସାଂସାରିକ ଜଞ୍ଜାଳରୁ ଉଦ୍ଧାର ପାଇବା ଉଦ୍ଦେଶ୍ୟରେ, ଆଉ କିଏ ବା ନିଜର ବ୍ୟବସାୟ ଓ ସମ୍ପଦର ବିକାଶପାଇଁ ଦେବପୂଜା କରିବା ମାନସରେ ଆସିଛନ୍ତି । କେତେକ ମଧ୍ୟ ସୋମନାଥଙ୍କ ପାଖରେ ନିଜର ଅତୀତ ପାପର ପ୍ରାୟଶ୍ଚିତ୍ତ କରିବା ଉଦ୍ଦେଶ୍ୟରେ ଆସିଛନ୍ତି ।

 

ଏକମାତ୍ର ପ୍ରଭୁ ସୋମନାଥଙ୍କ ନିକଟରେ ନିଜ ଭକ୍ତି ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଉଦ୍ଦେଶ୍ୟରେ ଆସିଥିବା ଯାତ୍ରୀଙ୍କ ସଂଖ୍ୟା ହଜାର ହଜାର । ସେମାନେ ପ୍ରଭାସ ତୀର୍ଥର ପାଚେରି ବାହାରେ କିଏ ଗଛମୂଳରେ, କିଏ ଘରେ ବା କିଏ ଧର୍ମଶାଳାରେ ରହି ରୋଷେଇ କରିବାପାଇଁ ନିଜ ନିଜର ସ୍ଥାନ ଠିକ୍ କରିଛନ୍ତି । ସବୁ ଯାତ୍ରୀ ଏହି ଦେବାଳୟ ପ୍ରଭୁ ଶଙ୍କରଙ୍କ ସ୍ଥଳୀ ବୋଲି ବିଶ୍ୱାସ କରନ୍ତି । ମନ୍ଦିର ଉପରେ ଉଡ଼ୁଥିବା ହଜାର ହଜାର ପତାକା ସେମାନଙ୍କ ମନରେ ଅପୂର୍ବ ଆନନ୍ଦ ଦେଉଛି । ମନ୍ଦିରର ଶିଖରଦେଶର ସୁନାର ଗମ୍ୱୁଜ ଦେଖି ନିଜେ ମୋକ୍ଷପଥର ପଥିକ ହେବାକୁ ଯାଉଥିଲା ଭଳି ସେମାନଙ୍କ ମନରେ ଭାବ ଉଦୟ ହେଉଛି । ଯାତ୍ରୀମାନେ ଦଳ ଦଳ ହୋଇ ମନ୍ଦିରର ଦ୍ୱାରଦେଶରେ “ଜୟ ସୋମନାଥ” ଧ୍ୱନି ଦେଇ ସେମାନଙ୍କ ଆଗମନର ସଂକେତ ଜଣାଉଛନ୍ତି ।

 

ସୋମନାଥଙ୍କ ପୁଣ୍ୟପୀଠ କୌଣସି ଜନବସତି, ସହର ବା ନିର୍ଦ୍ଦିଷ୍ଟ ଦେଶରେ ସୀମାବଦ୍ଧ ନ ଥିଲା । ତାହାସତ୍ତ୍ୱେ ଶତାବ୍ଦୀର ଶ୍ରଦ୍ଧା ଏହାକୁ ଦେବଭୂମି ପରି ସମୃଦ୍ଧ ଓ ମୋକ୍ଷପ୍ରଦ ସ୍ଥଳୀରେ ପରିଣତ କରିଥିଲା ।

 

ପ୍ରଭାସ ସହର ଦୁର୍ଗର ଦ୍ୱାରଦେଶରେ ଏକ ଶ୍ମଶାନ । ଦୀର୍ଘକାୟ, ହୃଷ୍ଟପୁଷ୍ଟ ଏବଂ ଭୟଙ୍କର ଆକୃତିବିଶିଷ୍ଟ କାପାଳିକମାନଙ୍କର ଏହା ଲୀଳାଭୂମି । ସୋମାନଙ୍କ ଶରୀର ଭସ୍ମାବୃତ, ଗଳାରେ ମଣିଷ ହାଡ଼ର ମାଳ, ମଣିଷ ମାଂସ ଓ ମଦ ହେଉଛି ସେମାନଙ୍କ ଖାଦ୍ୟ ।

 

ପ୍ରଭାସ ଦୁର୍ଗର ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ବସାଘର ଓ ଧର୍ମାଶାଳାମାନ ଯାତ୍ରୀମାନଙ୍କର ଆଶ୍ରୟ ସ୍ଥଳ ।

 

ପ୍ରଧାନ ରାସ୍ତାର ବାମ ପାଖରେ ବାସ କରନ୍ତି ମନ୍ଦିରର ସେବକବୃନ୍ଦ ଏବଂ ଡାହାଣ ପାଖରେ ଦୁର୍ଗପାଳ ପ୍ରଭୃତି । ମନ୍ଦିରଆଡ଼କୁ ଅଗ୍ରସର ହେଲେ ରାସ୍ତାକଡ଼ରେ ଯାତ୍ରୀମାନଙ୍କୁ ପାଣି ଯୋଗାଇବାପାଇଁ ରହିଛି କୂଅ ଓ ବାମ୍ଫୀ, ତାହା ପରେ ବଜାର । ଏହିଠାରେ ଗୁଜରାତୀ ଦୋକାନୀମାନେ ବିଭିନ୍ନ ଅଞ୍ଚଳର କଂସା ଓ ତମ୍ୱା ବାସନ, ରେଶମ ତଥା ଅନ୍ୟାନ୍ୟ ଭଲ ବସ୍ତ୍ର ଓ ବିଭିନ୍ନ ପ୍ରକାରର ଅଳଙ୍କାର ଦୋକାନରେ ସଜାଇ ରଖିଛନ୍ତି । ଗୁଜରାତୀ ମହାଜନମାନେ ଚକା ପକାଇ ନିଜ ନିଜ ପେଟ ଆଉଁସି ଅଧିକ ସୁଧରେ କରଜ ଦେବା ଲାଗି ଟଙ୍କା ଧରି ବସିଛନ୍ତି । ବଜାରର ଦୁଇ ପାଖରେ ଉଚ୍ଚ ଜାତି ଲୋକଙ୍କର ଘର । ଟିକିଏ ଆଗକୁ ଗଲେ ଅନ୍ତର୍ଦୁଗ ଓ ତା’ ପାଖକୁ ବ୍ରାହ୍ମଣ ସାହି । ଏଠାରେ ପ୍ରାୟ ଦୁଇ ହଜାର ବ୍ରାହ୍ମଣ ବାଳକ ନିଜର ମୁକ୍ତି ଉଦ୍ଦେଶ୍ୟରେ ବେଦ ଓ ଶାସ୍ତ୍ରମାନ ଅଧ୍ୟୟନ କରନ୍ତି ଏବଂ ବିଭିନ୍ନ କର୍ମକର୍ମାଣି ଶିକ୍ଷା କରନ୍ତି ।

 

ଦୁର୍ଗର କାନ୍ଥ ୨୦ ହାତ ଉଚ୍ଚ ଏବଂ ୬ ହାତ ଚଉଡ଼ା । ଏହି ଦୁର୍ଗର ଦୁଇ ପାଖର ଦୋକାନମାନଙ୍କରେ ମନ୍ଦିରର ସମସ୍ତ ପୂଜା ଉପକରଣ ମିଳେ । ମଝିରେ ଶୁଭଦାତା ଗଣେଶଙ୍କର ମନ୍ଦିର । ଏହି ମନ୍ଦିରକୁ ରାଜା ଯଯାତି ସ୍ଥାପନ କରିଥିଲେ ବୋଲି ଶୁଣାଯାଏ ।

 

ମନ୍ଦିରର ଦୁଇ ପାଖରେ ସୁନ୍ଦର ଉଦ୍ୟାନ । ଏହି ଉଦ୍ୟାନକୁ ପାଣି ଯୋଗାଇବାପାଇଁ ହିରଣ୍ୟ ନଦୀରୁ ଦୁଇଟି ନାଳ ଆସିଛି ।

 

ଆଉ ଟିକିଏ ଆଗକୁ ଗଲେ ଡାହାଣ ପାଖରେ ପଡ଼େ ଭୈରବ ମନ୍ଦିର । ଏହି ମନ୍ଦିରରେ କାପାଳିକ ଏବଂ ଅନ୍ୟସାଧକମାନେ ମାଂସ ଓ ମଦ୍ୟ ଭୋଗ ଦେଇ ଈଶ୍ୱରଙ୍କୁ ଆରାଧନା କରନ୍ତି । ଆଶ୍ୱିନ କୃଷ୍ଣ−ଚତୁର୍ଦ୍ଦଶୀ ରାତିରେ ଏଠାରେ ନରବଳି ଦିଆଯାଏ ବୋଲି ଶୁଣାଯାଏ । ତେଣୁ କୌଣସି ଯାତ୍ରୀ ଏ ମନ୍ଦିର ନିକଟକୁ ଯିବାପାଇଁ ସାହସ କରେନାହିଁ । କିନ୍ତୁ କାଳେ ଦେବତା ଅସନ୍ତୁଷ୍ଟ ହେବେ ସେଥିପାଇଁ ଦୂରରୁ ପ୍ରଣାମ କରି ଫେରିଯାଏ ।

 

ବଗିଚା ଭିତରକୁ ଗଲେ ବାଁ ପାଖକୁ ପଡ଼େ ତ୍ରିପୁରସୁନ୍ଦରୀ ମନ୍ଦିର । ଏହି ମନ୍ଦିରର ଚାରିପାଖରେ କାଳୀ, କୁମାରୀ, କପାଳୀ, ଚାମୁଣ୍ଡା ଏବଂ ଅନ୍ୟାନ୍ୟ ଦେବୀମାନଙ୍କର ବିଭିନ୍ନ ମନ୍ଦିର ରହିଛି ।

 

ତ୍ରିପୁରସୁନ୍ଦରୀ ମନ୍ଦିର ଅତ୍ୟନ୍ତ ପ୍ରସିଦ୍ଧ । ଦେବୀ କେବଳ ସ୍ତ୍ରୀଲୋକମାନଙ୍କୁ ମୁକ୍ତି ଦିଅନ୍ତି, ଏହି ବିଶ୍ୱାସରେ ବହୁ ଭକ୍ତ ସ୍ତ୍ରୀଲୋକଙ୍କ ଭଳି ବେଶ ପକାଇ ଠାକୁରାଣୀଙ୍କୁ ପୂଜା କରନ୍ତି ।

 

ଆଶ୍ୱିନ ମାସର ପ୍ରଥମ ଦଶଦିନ ଠାକୁରାଣୀ ତ୍ରିପୁରସୁନ୍ଦରୀଙ୍କର ସବୁଠାରୁ ବଡ଼ ପର୍ବ । ମୁକ୍ତିପିପାସୁ ହଜାର ହଜାର ଭକ୍ତ ଜାତି-ବର୍ଣ୍ଣ-ନିର୍ବିଶେଷରେ ଏହି ସମୟରେ ଦେବୀଙ୍କ ନିକଟକୁ ଆସନ୍ତି ।

 

ଗଣେଶ ମନ୍ଦିର ସାମନାରେ ପ୍ରଧାନ ମନ୍ଦିରକୁ ରାସ୍ତା ପଡ଼ିଛି । ରାସ୍ତାର ଦୁଇପଟେ ସୁନ୍ଦର ଆଲୋକମାଳା । ପ୍ରତି ଖୁଣ୍ଟରେ ଗୋଟିଏ ଲେଖାଏ ବୃଷଭ । ମନ୍ଦିର ସମ୍ମୁଖରେ ବାଦ୍ୟକାରମାନେ ବସି ଦିନରାତି ପ୍ରତି ପ୍ରହରର ସଂକେତ ବାଦ୍ୟ ସାହାଯ୍ୟରେ ଦିଅନ୍ତି ।

 

ଏହି ଖୁଣ୍ଟମାନଙ୍କର ଦକ୍ଷିଣ ପାର୍ଶ୍ୱରେ ଟିକିଏ ଆଗକୁ ଗଲେ ଚନ୍ଦ୍ର−କୁଣ୍ତ । ଏହି କୁଣ୍ତରେ ସ୍ନାନ କଲେ ସମସ୍ତ ପ୍ରକାର ରୋଗ ଦୂର ହୋଇଯାଏ ବୋଲି ଲୋକଙ୍କର ବିଶ୍ୱାସ ।

 

ଏହାପରେ ଟିକିଏ ଆଗକୁ ପଡ଼ିବ ନୃତ୍ୟମଣ୍ତପ । ଏହି ବାଟଦେଇ ଗମ୍ଭୀରା ଭିତରକୁ ଯିବାକୁ ହୁଏ ।

 

ଏହି ମଣ୍ତପର ଦୁଇ କଡ଼ରେ କଳା ମୁଗୁନି ପଥରରେ ତିଆରି କାରୁକାର୍ଯ୍ୟବିଶିଷ୍ଟ ଦୁଇଟି ହାତୀର ମୂର୍ତ୍ତି । ସତେ ଯେପରି ପ୍ରଭୁ ସୋମନାଥଙ୍କୁ ପୂଜା କରିବା ନିମନ୍ତେ ଇନ୍ଦ୍ର ଆସୁଛନ୍ତି-ଠିକ୍ ସେହି ପ୍ରକାରର ପରିବେଶ ।

 

ନୃତ୍ୟ ମଣ୍ତପଟି ଅତି ବିରାଟ ଏବଂ ମନୋମୁଗ୍ଧକର । ଏକସମୟରେ ପାଞ୍ଚ ହଜାର ଭକ୍ତ ଏଥିରେ ଆରାଧନା କରିପାରନ୍ତି । ଏହାର ୪୮ଟି ଶଙ୍ଖମଲମଲ ସ୍ତମ୍ଭ । ପୃଥିବୀର ବିଭିନ୍ନ ଦେଶରୁ ଆସିଥିବା ଶିଳ୍ପୀମାନେ ଏହି ମଣ୍ତପ ନିର୍ମାଣ କରି ତଳୁ ଶିଖର ପର୍ଯ୍ୟନ୍ତ କାରୁକାର୍ଯ୍ୟରେ ମଣ୍ତି ଦେଇଛନ୍ତି । ‬‬‬‬‬‬‬‬

ମନ୍ଦିର ଭିତରକୁ ଯିବା ପ୍ରବେଶଦ୍ୱାରରେ ପିତଳନିର୍ମିତ ଗୋଟିଏ ବିରାଟ ବୃଷଭ ମୂର୍ତ୍ତି । ଭକ୍ତମାନେ ପ୍ରଥମେ ଏହି ଶିବବାହନକୁ ଛୁଇଁ ନିଜର ଭକ୍ତି ଜଣାନ୍ତି ।

 

ଭିତରେ ତ୍ରିଜଗତର ନାଥ ପ୍ରଭୁ ସୋମନାଥ ବିରାଜମାନ ।

Image

 

ମନ୍ଦିରର ନର୍ତ୍ତକୀ

 

ପ୍ରଭାସ ତୀର୍ଥରେ ପ୍ରଭୁ ସୋମନାଥଙ୍କର କିପରି ଆବିର୍ଭାବ ହେଲା, ତାହା ବର୍ଣ୍ଣନା କରି ମନ୍ଦିରର ସେବକମାନେ ଏହିପରିଭାବେ ଯାତ୍ରୀମାନଙ୍କୁ କହିଥାନ୍ତି ।

ସୃଷ୍ଟି ପ୍ରାରମ୍ଭରେ ଆଦିପୁରୁଷ ନାରାୟଣ ଓ ଆଦିପ୍ରକୃତି ନାରାୟଣୀଙ୍କର ପ୍ରଥମ ଆବିର୍ଭାବ ହେଲା । ନାରାୟଣୀଙ୍କର ନାଭିସ୍ଥଳରୁ ସହସ୍ରଦଳବିଶିଷ୍ଟ ଗୋଟିଏ ପଦ୍ମଫୁଲର ଉତ୍ପତ୍ତି ହେଲା ଏବଂ ତାହାର ପ୍ରତ୍ୟେକ ଦଳରୁ ଠିକ୍ ସୂର୍ଯ୍ୟଙ୍କ କିରଣ ଭଳି ଉଜ୍ଜ୍ୱଳ କିରଣ ବିଚ୍ଛୁରିତ ହେଲା ।

ଏହି ଆଲୋକରୁ ସୃଷ୍ଟି ହେଲେ ହିରଣ୍ୟଗର୍ଭ ବ୍ରହ୍ମା । ସୃଷ୍ଟି ପରେ ପରେ ସେ ନିଜକୁ ପ୍ରଶ୍ନ ପଚାରିଲେ, “ମୁଁ କାହାର ପୁଅ ?” ଏହି ପ୍ରଶ୍ନର ଉତ୍ତର ପାଇବାପାଇଁ ସେ ଯୁଗ ଯୁଗ ଧରି କମଳଦଣ୍ତର ଚତୁର୍ଦ୍ଦିଗରେ ପରିକ୍ରମା କରିବାକୁ ଲାଗିଲେ । ତେବେସୁଦ୍ଧା ସେ କୌଣସି ଉତ୍ତର ନ ପାଇବାରୁ ଅନିର୍ଦ୍ଦିଷ୍ଟ କାଳପାଇଁ ତପସ୍ୟା ଆରମ୍ଭ କଲେ । ଶେଷକୁ ବିଷ୍ଣୁ ଦର୍ଶନ ଦେଇ କହିଲେ, “ମୁଁ ଏହି ସଂସାରକୁ ସୃଷ୍ଟି କରିଛି ଏବଂ ମୁଁ ତୁମକୁ ଜନ୍ମ ଦେଇଛି ।”

ବ୍ରହ୍ମା ଏହି ଅପମାନ ସହ୍ୟ କରିପାରିଲେ ନାହିଁ । ବିଷ୍ଣୁଙ୍କ ସହିତ ଘୋର ଯୁଦ୍ଧ ଆରମ୍ଭ କଲେ । ଏହି ଯୁଦ୍ଧରୁ ଉତ୍ପତ୍ତି ହେଲେ ଜ୍ୟୋତିର୍ଲିଙ୍ଗ ।

ପରେ ବିଷ୍ଣୁ ବରାହ ଓ ବ୍ରହ୍ମା ହଂସରୂପ ଗ୍ରହଣ କରି ଜ୍ୟୋତିର୍ଲିଙ୍ଗଙ୍କର ଅବସ୍ଥିତି ନିରୂପଣ କରିବା ଉଦ୍ଦେଶ୍ୟରେ ସ୍ୱର୍ଗ ଓ ପାତାଳ ଉଭୟ ଦିଗକୁ ଗତି କଲେ ।

ଶେଷରେ ସତ୍ୟଯୁଗରେ ପ୍ରଭାସ କ୍ଷେତ୍ରରେ ଗୋଟିଏ ସ୍ୱର୍ଣ୍ଣ ମନ୍ଦିର ନିର୍ମାଣ କରି ସେହିଠାରେ ଜ୍ୟୋତିର୍ଲିଙ୍ଗଙ୍କର ସଂସ୍ଥାପନ ପାଇଁ ସ୍ଥାନ ନିରୂପଣ କରାଗଲା ।

ସୃଷ୍ଟିର ପ୍ରଥମ ଅବସ୍ଥାରେ ଚନ୍ଦ୍ର ବର୍ଷର ପ୍ରତ୍ୟେକ ରାତିରେ ଆଲୋକ ଦେଉଥିଲେ । କିନ୍ତୁ ସେ ତାଙ୍କର ସତେଇଶଟି ସ୍ତ୍ରୀଙ୍କ ପ୍ରତି ସମାନ ବ୍ୟବହାର ନ କରି ରୋହିଣୀଙ୍କୁ ଅତିମାତ୍ରାରେ ଭଲପାଉଥିଲେ ।

ଅନ୍ୟ ସ୍ତ୍ରୀମାନେ ଅନାଦୃତା ହୋଇ ସେମାନଙ୍କ ବାପା ଦକ୍ଷପ୍ରଜାପତିଙ୍କ ନିକଟରେ ଚନ୍ଦ୍ରଙ୍କ ବିରୁଦ୍ଧରେ ଅଭିଯୋଗ କଲେ । ଦକ୍ଷ ଏଥିରେ କ୍ରୁଦ୍ଧ ହୋଇ ଚନ୍ଦ୍ରଙ୍କୁ ଅଭିଶାପ ଦେଲେ, “ତୁ କ୍ଷୟରୋଗଗ୍ରସ୍ତ ହୁଅ ।” ଏହି ଅଭିଶାପ ଯୋଗୁ ସର୍ବତ୍ର ହାହାକାର ପଡ଼ିଗଲା ।

ଶ୍ୱଶୁରଙ୍କ ଅଭିଶାପରେ ଚନ୍ଦ୍ର ଆସ୍ତେ ଆସ୍ତେ କ୍ଷୟ ହେବାକୁ ଲାଗିଲେ । ସେ ଅନ୍ୟକିଛି ଉପାୟ ନ ଦେଖି ପ୍ରଭାସ ତୀର୍ଥରେ ପ୍ରତିଷ୍ଠିତ ଜ୍ୟୋତିର୍ଲିଙ୍ଗଙ୍କ ନିକଟକୁ ଆସି ଶଙ୍କରଙ୍କୁ ସନ୍ତୁଷ୍ଟ କରିବାପାଇଁ ଆରାଧନା କଲେ । ଆରାଧନାରେ ଶଙ୍କର ସନ୍ତୁଷ୍ଟ ହେଲେ । ଚନ୍ଦ୍ରଙ୍କର କ୍ଷୟ ନିବାରଣ କରି ମାସକ ମଧ୍ୟରୁ ପନ୍ଦର ଦିନ କ୍ଷୟ ହୋଇ ଅନ୍ୟ ପନ୍ଦର ଦିନ ବୃଦ୍ଧି ପାଇବେ ବୋଲି ସେ ବର ଦେଲେ । ଶଙ୍କରଙ୍କ ବରରେ ଦେବତା ଏବଂ ଋଷିବୃନ୍ଦ ସନ୍ତୋଷ ଲାଭ କଲେ ଏବଂ ଚନ୍ଦ୍ର କୃତଜ୍ଞତା ପ୍ରକାଶ କରି ଶଙ୍କରଙ୍କ ନିମନ୍ତେ ଚନ୍ଦ୍ରକୁଣ୍ତ ଓ ଗୋଟିଏ ସୁନାର ମନ୍ଦିର ତିଆରି କରିଦେଲେ-। ସେହିଦିନୁ ଜ୍ୟୋତିର୍ଲିଙ୍ଗଙ୍କର ନାମ ହେଲା ‘ସୋମନାଥ’ ବା ଚନ୍ଦ୍ରଙ୍କର ଦେବତା ।

ଏହାପରେ ହଜାର ହଜାର ବର୍ଷ ବିତିଗଲା । ଲଙ୍କାର ରାଜା ଦଶଶିର ରାବଣ ସମଗ୍ର ପୃଥିବୀକୁ ନିଜ ଅଧିକାରରେ ଆଣିବା ମାନସରେ ସୋମନାଥଙ୍କର ଆରାଧନା କଲେ । ସେ ପଦ୍ମଫୁଲରେ ପୂଜା ନ କରି ଗୋଟିଏ ପରେ ଗୋଟିଏ ନିଜର ମୁଣ୍ତ କାଟି ପ୍ରଭୁଙ୍କୁ ଅର୍ପଣ କଲେ । ରାବଣ ଶେଷ ମୁଣ୍ତକୁ କାଟିବାକୁ ଯିବା ସମୟରେ ପ୍ରଭୁ ସନ୍ତୋଷ ଲାଭ କରି ତାଙ୍କର ନଅଟିଯାକ କଟାମୁଣ୍ତକୁ ଫେରାଇ ଦେଲେ ଏବଂ ଅଭିଳାଷ ପୂର୍ଣ୍ଣ କରି ବର ଦେଲେ । ଏହା ଫଳରେ ସେ ପୃଥିବୀ ଅଧିକାର କଲେ । କୃତଜ୍ଞତାସ୍ୱରୂପ ରାବଣ ସୋମନାଥଙ୍କ ନିମିତ୍ତ ଗୋଟିଏ ରୁପାର ମନ୍ଦିର ତିଆରି କରିଦେଲେ ।

ପୁଣି ବହୁ ବର୍ଷ ଚାଲିଗଲା । ଯାଦବଶ୍ରେଷ୍ଠ ଶ୍ରୀକୃଷ୍ଣ ଥରେ ତାଙ୍କ ସ୍ତ୍ରୀମାନଙ୍କ ସହ ସୋମନାଥଙ୍କୁ ପୂଜା କରିବା ଉଦ୍ଦେଶ୍ୟରେ ଆସିଥିଲେ । ସୋମନାଥ ତାଙ୍କ ପୂଜାରେ ସନ୍ତୋଷ ଲାଭ କରି, “ପୁରୁଷୋତ୍ତମ ହୁଅ” ବୋଲି ତାଙ୍କୁ ବର ଦେଲେ । ଶ୍ରୀକୃଷ୍ଣ ନିଜର କୃତଜ୍ଞତାସ୍ୱରୂପ ଚନ୍ଦନକାଠର ମନ୍ଦିର ତିଆରି କରିଦେଲେ ।

ପୁଣି ବହୁକାଳ ପରେ-ବଲ୍ଲଭୀପୁରର ମାହେଶ୍ୱରୀ ରାଜା ତିଆରି କରିଦେଲେ ପଥରର ମନ୍ଦିର । ପ୍ରବାଦ ଅଛି, ଏହି ମନ୍ଦିର ତିଆରିବେଳେ ତ୍ରିଜଗତର ନାଥ ନିଜେ ଦର୍ଶନ ଦେଇଥିଲେ ଏବଂ ତାଙ୍କ ଆଗରେ ସ୍ୱର୍ଗର ନର୍ତ୍ତକୀମାନେ ନୃତ୍ୟ କରୁଥିଲେ ।

 

+

+

+

 

ଶିବଙ୍କ ଆଗରେ ନୃତ୍ୟମଣ୍ଡପରେ ମନ୍ଦିରର ନର୍ତ୍ତକୀମାନେ ବରାବର ନୃତ୍ୟ କରନ୍ତି । ମନ୍ଦିରର ଚାରିପାଖରେ ପ୍ରଦକ୍ଷିଣ ମାର୍ଗ ବୋଲି ଗୋଟିଏ ରାସ୍ତା ଅଛି । ସେ ବାଟେ ଯାତ୍ରୀମାନେ ବେଢ଼ା ପରିକ୍ରମା କରନ୍ତି । ଏହି ରାସ୍ତାରୁ ବାହାରକୁ ଯିବାପାଇଁ ତିନିଗୋଟି ଦ୍ୱାର । ଗୋଟିଏ ଦ୍ୱାର ଦେଇ ପାଶୁପତ ମଠକୁ ଯିବାକୁ ହୁଏ । ସେଠାରେ ଗଙ୍ଗ ସର୍ବଜ୍ଞ ତାଙ୍କ ଶିଷ୍ୟମାନଙ୍କ ସହ ରହନ୍ତି ।

ପ୍ରଭୁ ଶଙ୍କରଙ୍କ ସାକ୍ଷାତ୍ ଅବତାର ଲକୁଳେଶଙ୍କଦ୍ୱାରା ପ୍ରତିଷ୍ଠିତ ପାଶୁପତ ସମ୍ପ୍ରଦାୟର ଗୁରୁ ହେଉଛନ୍ତି ଗଙ୍ଗ ସର୍ବଜ୍ଞ ।

ଅଗାଧ ପାଣ୍ଡତ୍ୟଯୋଗୁଁ ତାଙ୍କୁ ସମସ୍ତେ ‘ସର୍ବଜ୍ଞ’ ବୋଲି କହନ୍ତି । ତାଙ୍କର ସୁନାମ ପୃଥିବୀବ୍ୟାପୀ । ଭକ୍ତମାନେ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ତାଙ୍କର ଗୁଣ କୀର୍ତ୍ତନ କରନ୍ତି । ପୃଥିବୀର ବିଭିନ୍ନ ଦେଶରୁ ଭକ୍ତଗଣ ତାଙ୍କ ଦର୍ଶନ ପାଇଁ ଆସନ୍ତି । ପ୍ରଭୁ ସୋମନାଥଙ୍କର ଆଜ୍ଞାଭଳି ତାଙ୍କର ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ । ଦେଶର ଧର୍ମଜୀବନରେ ସେ ଏପରି ଏକ ସ୍ଥାନ ଅଧିକାର କରିଥିଲେ, ଯାହାକି ଦେବତା ପକ୍ଷରେ ମଧ୍ୟ ଅସମ୍ଭବ ।

ଦ୍ଵିତୀୟ ଦ୍ୱାରରେ ଗଲେ ଗୋଟିଏ ଛକ ଏବଂ ସେଠାରୁ ଆଉ ଗୋଟିଏ ଦ୍ୱାରରେ ଗଲେ ସମୁଦ୍ରକୂଳରେ ପହଞ୍ଚିବାକୁ ହୁଏ ।

ପଶ୍ଚିମକୁ ଏହି ମାର୍ଗର ମଝିରେ ପ୍ରଭୁ ସୋମନାଥଙ୍କର ମନ୍ଦିର । ସେଠାରେ ଆଉ ଗୋଟିଏ ଦ୍ୱାର ଅଛି । ସେ ବାଟେ ଗଲେ ଚାରିପାଖରେ ପାଚିରି ଥିବା ଗୋଟିଏ ଅଗଣା । ସେହି ଅଗଣା ଚାରିପାଖ ବସ୍ତିରେ ପ୍ରାୟ ଚାରିଶତ ପର୍ଯ୍ୟନ୍ତ ମନ୍ଦିରର ନର୍ତ୍ତକୀ ବାସ କରନ୍ତି ।

ସେମାନଙ୍କ ମଧ୍ୟରୁ ଯେଉଁମାନେ ଗୁଜରାତର, ସେମାନେ ଭାବପ୍ରବଣ ହୋଇ ଯେଉଁ ଗୀତ ଗାଇ ଦେବତାଙ୍କୁ ପୂଜା କରନ୍ତି ତାହା ଅତି ମର୍ମସ୍ପର୍ଶୀ । ଆଉ କେତେକ ଉତ୍ତରାଞ୍ଚଳର-ସେମାନଙ୍କ ଭାଷା ଅଧିକାଂଶ ଲୋକ ବୁଝିପାରନ୍ତି ନାହିଁ । ସେମାନେ ପ୍ରଭୁଙ୍କର ସନ୍ତୋଷ ପାଇଁ ନିଜ ଅଞ୍ଚଳର ସୁଲଳିତ ସଙ୍ଗୀତ ଗାନ କରନ୍ତି ।

ଅନ୍ୟ କେତେକ ଆହୁରି ଉତ୍ତରାଞ୍ଚଳର । ସେମାନେ ଉଚ୍ଚ, ଗୌରାଙ୍ଗୀ ଓ ଉଜ୍ଜ୍ୱଳ । କିନ୍ତୁ ସେମାନଙ୍କ ସ୍ୱର କର୍କଶ । ସେମାନଙ୍କ ଗାନରେ ଅନ୍ୟମାନଙ୍କ ଭଳି ଲାଳିତ୍ୟ ନ ଥାଏ । ଅନ୍ୟମାନେ ଦାକ୍ଷିଣାତ୍ୟର । ସେମାନଙ୍କ ରଙ୍ଗ ଟିକିଏ ମଳିନ ଓ ନାକ ଛୋଟ । ସେମାନେ ଅତି ସୁନ୍ଦର ନାଚନ୍ତି ଓ ସେମାନଙ୍କ ଗୀତ ଅଧିକାଂଶ ବୁଝୁ ନ ଥିଲେ ମଧ୍ୟ ଶ୍ରୁତି−ମଧୁର ।

ଏହି ନାରୀମାନଙ୍କ ମଧ୍ୟରୁ ପ୍ରତ୍ୟେକେ ଦେବସମର୍ପିତା । ନୃତ୍ୟଗୀତଦ୍ୱାରା ଦେବତାଙ୍କର ଆରାଧନା କରିବା ସେମାନଙ୍କ ଜୀବନର ଧ୍ୟେୟ ।

ଦିନରାତି ସେମାନଙ୍କ କାର୍ଯ୍ୟ, ନିଜକୁ ସଜାଇ ଗୀତ ଓ ନାଚ ଶିଖାଇବା ଏବଂ ନିଜେ ଶିଖିବା । ସେମାନେ କେତେକ ପୁରୁଷମାନଙ୍କୁ ମଧ୍ୟ ବିଳାସକଳା ଶିଖାଇଥାନ୍ତି ।

ଅଗଣାରେ ଗୋଟିଏ ଅଲଗା ଘର । ଘରଟି ଛୋଟ ହୋଇଥିଲେ ସୁଦ୍ଧା ଅନ୍ୟ ଘରମାନଙ୍କଠାରୁ ସ୍ୱତନ୍ତ୍ର ବୋଲି ବାରିହୁଏ ।

ଏହି ଘରର ସାମନା ଅଗଣାରେ ଯୁବତୀଟିଏ ଗଛତଳେ ଖଟ ଉପରେ ଶୋଇଛି ମୁଣ୍ଡତଳେ ହାତ ରଖି, ଖଟ ଉପରେ ଗୋଡ଼ ଲମ୍ବାଇ । ମଧ୍ୟାହ୍ନ−ନିଦ୍ରା ପରେ ସେ ଉଠିଛି ।

ତାହାର ଆଲୁଳାୟିତ କୃଷ୍ଣକେଶ ତଳକୁ ଲମ୍ବି ପ୍ରାୟ ଆଣ୍ଠୁପର୍ଯ୍ୟନ୍ତ ପଡ଼ିଛି । ତା’ର ମୁଖମଣ୍ଡଳ ଓ ଗ୍ରୀବା ଏପରି ସୁନ୍ଦର ଯେ, ଦେଖିଲାକ୍ଷଣି ଲୋକେ ଆତ୍ମହରା ହେଉଛନ୍ତି ।

ପ୍ରକୃତରେ ତା’ର ବୟସ ଅଠର ବର୍ଷ । କିନ୍ତୁ ଠିକ୍ ପନ୍ଦର ବର୍ଷର ତନ୍ୱୀ ତରୁଣୀ ଭଳି ଦେଖାଯାଉଛି ସେ । କପାଳରେ ତା’ର ଚିନ୍ତାରେଖା ଦେଖା ଦେଇ ସଙ୍ଗେ ସଙ୍ଗେ ଉଭେଇ ଯାଉଛି । ତା’ ମାଆ ଏପର୍ଯ୍ୟନ୍ତ କାହିଁକି ଆସିଲା ନାହିଁ ? ସର୍ବଜ୍ଞ ତା’ ମାଆକୁ କାହିଁକି ଏପର୍ଯ୍ୟନ୍ତ ଅଟକାଇ ରଖିଛନ୍ତି ?

ସେ ମୁହଁ ବୁଲାଇ ଅସ୍ତଗାମୀ ସୂର୍ଯ୍ୟଙ୍କ ଆଡ଼କୁ ଚାହିଁଲା ଅସ୍ତଗାମୀ ସୂର୍ଯ୍ୟଙ୍କ କିରଣ ମନ୍ଦିରର ସୁନାକଳସ ଉପରେ ପଡ଼ି ଚକ୍−ଚକ୍ ଦେଖାଯାଉଛି-ଠିକ୍ ତରଳ ସୁନା ଭଳି । ଏହି ମନ୍ଦିରର ଚୂଡ଼ା ତିଆରି କରିବାପାଇଁ ଶିଳ୍ପୀ ତାହାର ସମସ୍ତ ଶିଳ୍ପକୌଶଳ ପ୍ରୟୋଗ କରି ସର୍ବଶ୍ରେଷ୍ଠ କରି ତୋଳିଛି । ଏହା ଏତେ ଉଚ୍ଚ ହୋଇଛି ଯେ, ସତେ ଯେପରି ଆକାଶକୁ ଲାଗିଥିବା ପରି ଦିଶୁଛି-

ଏହି ଯୁବତୀର ନାମ ଚୌଲା । ଧ୍ୟାନମଗ୍ନ ଭଳି ସେ ମୁହଁଟେକି ମନ୍ଦିରର ଚୂଡ଼ାରେ ଦୃଷ୍ଟି ନିବଦ୍ଧ କଲା । ତା’ ପକ୍ଷରେ ଏହା ହେଉଛି ପ୍ରଭୁ ସୋମନାଥଙ୍କର ବାସସ୍ଥାନ କୈଳାସ । ପିଲାଦିନୁ ସେମନ୍ଦିରର ବେଢ଼ା ପର୍ଯ୍ୟନ୍ତ ଯାଇଛି । ସମୁଦ୍ରର ଲହରୀରୁ ଆସୁଥିବା ସଙ୍ଗୀତ ସହିତ ନିଜକୁ ମିଳାଇ ଦେଇ ନାଚି ଆସୁଛି ।

 

ଚୌଲା ଭାବୁଛି-ଆଉ ଟିକିଏ ପରେ ସୂର୍ଯ୍ୟ ଅସ୍ତ ହେବେ । ଦେବ ମନ୍ଦିରରେ ଆରମ୍ଭ ହେବ ଆରତି । ତାହା ପରେ ଆସିବ ତା’ର ସେହି ଆକାଙ୍‍କ୍ଷିତ ମୁହୂର୍ତ୍ତ, ଯାହାପାଇଁ ସେ ପିଲାଦିନୁଁ ଅପେକ୍ଷା କରି ଆସିଛି । ତା’ର ମାଆ ତଥା ଗୋସେଇଁ ମାଆ ତାକୁ ପ୍ରସ୍ତୁତ କରି ଆଣିଛନ୍ତି ସେଇଥିପାଇଁ ।

ସେ ଆବାଲ୍ୟରୁ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ଆସିଛି ଯେପରି ବଡ଼ ହେଲେ ସେ ନିଜ ନୈପୁଣ୍ୟର ପୂର୍ଣ୍ଣ ପରିଚୟ ଦେଇପାରିବ । ସେହି ଉଦ୍ଦେଶ୍ୟରେହିଁ ସେ ବଞ୍ଚିଆସିଛି ।

ପ୍ରଭୁ ସୋମନାଥଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ତା’ ମାଆ ସମେତ ତିନିଶହ ମନ୍ଦିର ନର୍ତ୍ତକୀ ଅହରହ ଚେଷ୍ଟା କରନ୍ତି । ଚୌଲା ଭାବିଛି, ସେ ସୋମନାଥଙ୍କ ସମ୍ମୁଖରେ ଯେଉଁ ନୃତ୍ୟ କରିବ, ତାହା ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର । ତାହାର କଟି ଓ ଚରଣ ଯେପରି ସୁଠାମ, ଅନ୍ୟ କାହାରି ସେପରି ନୁହଁ । ପାଶୁପତ ସମ୍ପ୍ରଦାୟର ଗୁରୁ ଗଙ୍ଗସର୍ବଜ୍ଞ ନିଜେ ତାକୁ ଶିଖାଇଛନ୍ତି । ବହୁଥର ସେ ନାଚିବା ଅବସ୍ଥାରେ ତା’ ଗୋଡ଼ ଥକିଯିବାବେଳେ ପ୍ରଭୁ ସୋମନାଥ ସତେ ଯେପରି ତାକୁ ନାଚିବାକୁ ଶକ୍ତି ଦେଇଛନ୍ତି, ତାହା ସେ ଅନୁଭବ କରିଛି ।

ବହୁବାର ପ୍ରଭୁ ସୋମନାଥ ତାହାକୁ ସ୍ୱପ୍ନରେ ଦେଖାଦେଇ “ତୁ ମୋର ନର୍ତ୍ତକୀ” ବୋଲି କହିଥିବାର ସେ ଅନୁଭବ କରିଛି । ପ୍ରତି ମୁହୂର୍ତ୍ତରେ ସେ ତାଙ୍କ ସେବାରେ ମନପ୍ରାଣ ଢାଳିଦେଇଛି; ଜୀବନଟାଯାକ ତାଙ୍କ ସମ୍ମୁଖରେ ପ୍ରତିଦିନ ନୃତ୍ୟକରି ଏବଂ ତାଙ୍କ ଆଗରେ “ଜୟ ସୋମନାଥ” କହି ନାଚି ନାଚି ସୁ−ମୃତ୍ୟୁବରଣ ବ୍ୟତୀତ ଜୀବନରେ ତାହାର ଆଉ କୌଣସି ଅଭିଳାଷ ନାହିଁ । ଏହା ବ୍ୟତୀତ ସେ ଅନ୍ୟକିଛି ଭାବିବାକୁ ଅକ୍ଷମ ।

ବହୁଦିନୁ ମନ୍ଦିର ନୃତ୍ୟଶାଳାର ପ୍ରଥାନୁଯାୟୀ ଅଠର ବର୍ଷ ବୟସ୍କା ନର୍ତ୍ତକୀମାନଙ୍କ ମଧ୍ୟରୁ ଯେ ଅଷ୍ଟାଦଶ ନୃତ୍ୟ, ଦ୍ୱାଦଶ ଭଙ୍ଗୀ ଏବଂ ସପ୍ତସ୍ୱରରେ ସର୍ବଶ୍ରେଷ୍ଠ ବିବେଚିତ ହେବ, ସେ କାର୍ତ୍ତିକ ଏକାଦଶୀ ଦିନ ପ୍ରଭୁଙ୍କ ନିକଟରେ ନୃତ୍ୟ ପରିବେଷଣର ସୁଯୋଗ ପାଇବ । ସେହି ଶୁଭ ଦିନରେ କଳି ପ୍ରସ୍ଫୁଟିତ ହୋଇ ଫୁଲରେ ପରିଣତ ହେବାପରେ ଦେବତାଙ୍କ ନିଯୋଗରେ ଲାଗିବ ।

ସେହି ଶୁଭମୁହୂର୍ତ୍ତ ପରେ ତା’ର ଅବସ୍ଥା କ’ଣ ହେବ, ସେ କଥା ଚୌଲା ଭାବୁ ନାହିଁ ବା ସେଥିପ୍ରତି ତା’ର ଭ୍ରୂକ୍ଷେପ ନାହିଁ । ହୁଏତ ତା’ର ଭବିଷ୍ୟତ ହୋଇପାରେ ଅନ୍ଧକାରମୟ; କିନ୍ତୁ ଆଜି ସେ ନୃତ୍ୟକରିବ ଏବଂ ତା’ ନୃତ୍ୟରେ ପ୍ରଭୁ ସୋମନାଥ ସନ୍ତୁଷ୍ଟ ହେବେ । ତାଙ୍କର ସନ୍ତୋଷ ଲାଭପାଇଁ ସେ ତା’ ଜୀବନଯାକ କେତେ ମନେ ମନେ ପୂଜା କରିଛି ।

ତାଙ୍କର ସେ ଯେପରି ପ୍ରିୟପାତ୍ରୀ ହୋଇପାରିବ, ଯାହା ତାହାର ଏକମାତ୍ର ଆକାଂକ୍ଷା । ସେଥିପାଇଁ ତା’ର ଅଙ୍ଗପ୍ରତ୍ୟଙ୍ଗ ପ୍ରତ୍ୟେକଟିକୁ ସେ ନିଜର ଆୟତ୍ତାଧୀନ କରିଛି । ସେ ତା’ର ଖାଦ୍ୟ ଓ ଶୟନକୁ ଟିକିନିଖିଭାବେ ନିଜର ଆୟତ୍ତ କରିଛି । ତାକୁ ଯେପରି ଅନ୍ୟକେହି ପୁରୁଷ ସ୍ପର୍ଶ ନ କରେ ସେଥିପାଇଁ ସଜାଗ ରହି ଆସିଛି । ନିଜ ମନରେ ସେ ନିଶ୍ଚିତ, ତା’ ନୃତ୍ୟରେ ପ୍ରଭୁ ଏତେଖୁସି ହେବେ ଯେ, ସେ ଶିବରାତ୍ରି ଏକାଦଶୀରେ ଆଉ କାହାରି ନୃତ୍ୟ ନ ଦେଖି ତାହାର ନୃତ୍ୟହିଁ ଦେଖିବାକୁ ଚାହିଁବେ ।

ପୂର୍ବରୁ ସେ ଭଗବାନଙ୍କ ପୂଜା କରିବାପାଇଁ ନିର୍ଜନ ନୃତ୍ୟମଣ୍ଡପକୁ କେତେଥର ନ ଯାଇଛି । ପ୍ରତ୍ୟେକଥର ସେ ଏକମାତ୍ର ଗୁହାରି କରିଆସିଛି ଯେ ତାହାର କଳାରେ ସେ ଏପରି ଶ୍ରେଷ୍ଠତା ଲାଭକରୁ ଯାହା ଅନ୍ୟକେହି ଇତିପୂର୍ବରୁ ଲାଭ କରିପାରି ନାହାନ୍ତି ।

ଭଗବାନ ଯେ ତା’ର ମନୋବାଞ୍ଛା ପୂର୍ଣ୍ଣ କରିବେ ଏଥିରେ ଅବଶ୍ୟ ସେ ନିଶ୍ଚିତ । ଆଜି ରାତିରେ ନୃତ୍ୟ ସେ ପରିବେଷଣ କରିବ । ସେତେବେଳେ ତା’ର ସ୍ୱପ୍ନ ବାସ୍ତବରେ ପରିଣତ ହେବ-। ତା’ର ପ୍ରଭୁ ଭୋଳାଶଙ୍କର ତା’ ନୃତ୍ୟରେ ସନ୍ତୋଷ ଲାଭ କରିବେ ।

ପୁଣିଥରେ ସେ ଅନାଇଲା ମନ୍ଦିରର ଚୂଡ଼ାକୁ । ବହୁ ସମୟ ଧରି ସେ ପତାକାକୁ ଚାହିଁ ଆସିଅଛି । ମନ୍ଦିର ଶିଖରରେ ଏହି ପତାକାକୁ ସେ ଯେତେ ଦେଖୁଛି ତା’ର ମନରେ ସେତେ ଆନନ୍ଦର ଲହରୀ ଖେଳିଉଠୁଛି ।

ଯେ କୌଣସି ନାଚୁଥିବା ଜିନିଷ ଦେଖିଲେ ତା’ର ହୃଦୟ ନାଚିଉଠେ । ଉଡ଼ୁଥିବା ପତାକା, ତରଙ୍ଗାୟିତ ଲହରୀ, ମନ୍ଦ ସମୀର ଏବଂ ଇତସ୍ତତଃ ହେଉଥିବା ବୃକ୍ଷର ଶାଖାସମୂହ, ପ୍ରତ୍ୟେକ ଜିନିଷ ତା’ ମନରେ ଆନନ୍ଦ ଆଣିଦେଇଛି । ସେ ନିଜକୁ ସେମାନଙ୍କ ମଧ୍ୟରେ ଜଣେ ବୋଲି ଭାବିଛି । ପ୍ରତ୍ୟେକ ଅଙ୍ଗଭଙ୍ଗୀ ଓ ନୃତ୍ୟ ତା’ ପକ୍ଷରେ ଭଗବତ୍ ନୃତ୍ୟସ୍ୱରୂପ । ସେ ଏହି ସବୁକୁ ଭଗବତ୍ ସୃଷ୍ଟି ଓ ଧ୍ୱଂସ ବୋଲି ଭାବୁଛି ।

ଚୌଲା ଏହି ଦୁନିଆରେ ଦୁଇଜଣଙ୍କୁ ଜାଣେ । ଜଣେ ହେଉଛନ୍ତି ନର୍ତ୍ତକଶ୍ରେଷ୍ଠ ନଟରାଜ ଏବଂ ଆଉଜଣେ ସେ ନିଜେ, ତାଙ୍କର ବାଳନର୍ତ୍ତକୀ । ଦୁନିଆରେ ଆଉକେହି ଅଛନ୍ତି ବୋଲି ସେ ପ୍ରାୟ ଜାଣିନାହିଁ । ଯେବେ କିଛି ଥାଏ ତାହାହେଲେ ସେ ଅବାସ୍ତବ ।

“ଚୌଲା, ଉଠ୍ । ଏ ପର୍ଯ୍ୟନ୍ତ କାହିଁକି ଶୋଇଛୁ ?” ତା’ ମାଆ ଗଙ୍ଗାର ସ୍ୱର ଶୁଣାଗଲା ।

ଉଜ୍ଜ୍ୱଳ ହୋଇଗଲା ତା’ର ମୁହଁ । ସେ ମୁଁହ ବୁଲାଇ ଚାହିଁଲା । ତା’ ବେକ ଓ ହାତହଲାରେ ବୈଶିଷ୍ଟ୍ୟ ସ୍ପଷ୍ଟ ହୋଇଉଠିଲା ।

ପୁଣି ଗଙ୍ଗା କହିଲା, “ଆ, ଉଠ୍ । ତୋ ନୃତ୍ୟ ଦେଖିବାକୁ ଆଜି କିଏ ଆସିଛନ୍ତି ଜାଣିଛୁ-?”

 

“ତୁ ମୋ ଲୁଗା ଆଣିଛୁ ନାଁ ?”-ପଚାରିଲା ଚୌଲା ।

ଗଙ୍ଗା ହସି ହସି ଉତ୍ତର ଦେଲା, “ଦେଖ ।”

 

ଗଙ୍ଗାର ବୟସ ପଚାଶ ବର୍ଷ ପୂରିଗଲାଣି । କେଶ ଗୋଟିଏ ଗୋଟିଏ ଧଳା ହୋଇଥିବାରୁ ବୟସ ସ୍ପଷ୍ଟ ଜଣାପଡ଼ୁଛି । ଏତେ ବୟସ ହୋଇଥିଲେ ସୁଦ୍ଧା ତା’ର ଗତିରେ ଏବଂ ସ୍ୱରରେ ଲାଳିତ୍ୟ ରହିଛି । ମନ୍ଦିରର ନର୍ତ୍ତକୀଗଣଙ୍କ ମଧ୍ୟରେ ମୁଖ୍ୟ ହୋଇଥିବାରୁ ତାହାର ଚେହେରାରୁ ନିଜର କର୍ତ୍ତୃତ୍ୱର ଯଥେଷ୍ଟ ସଂକେତ ମିଳୁଛି ।

 

ଚୌଲାର ଆଖି ପରି ତା’ ଆଖିରେ ତେଜ ନ ଥିଲେ ସୁଦ୍ଧା ସେ ଆଖି ଦୁଇଟି ସୁନ୍ଦର ଏବଂ ଗାମ୍ଭୀର୍ଯ୍ୟପୂର୍ଣ୍ଣ । ଏ ବୟସରେ ମଧ୍ୟ ତା’ ଆଖିରୁ ଆହ୍ଲାଦର ସଂକେତ ମିଳେ ଏବଂ ଭାବପ୍ରବଣତା ପ୍ରତୀୟମାନ ହୁଏ ।

 

ମା’ ହାତରେ ଲୁଗା ଏବଂ ଗହଣା ଦେଖି ଚୌଲା ପାଖକୁ ଦୌଡ଼ିଗଲା-ସତେ ଯେପରି ତା’ର ଜୀବନ ସେଗୁଡ଼ିକ ଉପରେ ନିର୍ଭର କରେ । “ଏସବୁ କ’ଣ ମୋ ଲାଗି ଆଣିଛୁ ?” ଚୌଲା ପଚାରିଲା ।

 

ଗଙ୍ଗା କହିଲା, “ହଁ, ଏସବୁକୁ ତୋ’ପାଇଁ ‘ସେ’ ବିଭିନ୍ନ ଦେଶରୁ ଆଣିଛନ୍ତି ।”

 

ତା’ ମାଆ ବରାବର ଗଙ୍ଗସର୍ବଜ୍ଞଙ୍କୁ ନାଁ ଧରି ନ ଡାକି ସ୍ତ୍ରୀମାନେ ସ୍ୱାମୀଙ୍କୁ ଯେପରି ତୃତୀୟ ପୁରୁଷରେ ସମ୍ବୋଧନ କରନ୍ତି, ସେହିପରି ସମ୍ବୋଧନ କରେ । ଚୌଲା ତା’ର ମାଆର ଏହି ଅଭ୍ୟାସରେ ଆନନ୍ଦ ଅନୁଭବ କରେ ।

 

ଚୌଲା ଗମ୍ଭୀର ହୋଇ ପଚାରିଲା, “ସତେ ?”

“ହଁ, କିନ୍ତୁ ତୁ ଜାଣିଛୁ ଆଜି କିଏ ଆସିଛନ୍ତି ?”

“ନାଁ ତ, କିଏ ?” କହିଲା ଚୌଲା ।

“ଗୁଜରାତର ରାଜା ଭୀମଦେବ ।”

 

ବିଶେଷ କିଛି ଧ୍ୟାନ ନ ଦେଇ ହାର ପିନ୍ଧୁଥାଏ ଚୌଲା । ଏହି ଅବସ୍ଥାରେ ସେ ଉପର ଠାଉରିଆଭାବେ କହିଲା, “ସେ ଆସିଲେ ତ କ’ଣ ହେଲା ?”

 

ମା’ ଗେଲ ଗେଲ ସ୍ୱରରେ କହିଲା, “ଗୁଜରାତର ରାଜା ତୋ ଆଖି ଆଗରେ ତୁଚ୍ଛ ଜଣାପଡ଼ୁଛନ୍ତି, ନାଁ ?”

 

ଚୌଲା ଉତ୍ତର ଦେଲା, “ପ୍ରଭୁ ସୋମନାଥଙ୍କ ଛଡ଼ା ମୋ ପକ୍ଷରେ କେହି ବଡ଼ ନୁହେଁ ।”

ମାଆ ତା’ ଗାଲ ଚିପି କହିଲା, “ଆଉ ମୁଁ ବି କେହି ନୁହେଁ ।”

 

ଚୌଲା ମାଆ ହାତକୁ ଜାବୁଡ଼ି ଧରି କହିଲା, “ମା, ତୋ ଛଡ଼ା ମୁଁ ଆଉ ବଞ୍ଚିବି କିପରି-?”

 

ଚୌଲାର ଗୋସି ମା’ ଯେପରି ନର୍ତ୍ତକୀମାନଙ୍କ ମଧ୍ୟରେ ଥିଲା ମୁଖ୍ୟ, ମାଆ ମଧ୍ୟ ସେହିପରି ସ୍ଥାନ ଅଧିକାର କରିଛି ।

 

ଗଙ୍ଗା ଆଗରେ ନର୍ତ୍ତକୀମାନେ ସମ୍ଭ୍ରମରେ ଠିଆହୁଅନ୍ତି । ଗୀତ ଏବଂ ନୃତ୍ୟ ବିଷୟରେ ଏପରି କିଛି ନାହିଁ ଯାହାକି ତାକୁ ଅଜଣା । ଗାଇବା ସମୟରେ କେହି ଟିକିଏ ଭୁଲ କଲେ ସେ ଧରିପାରେ ଏବଂ ଯେ କେହି ଭୁଲ କଲେ ବି ସେ ତାକୁ ଦଣ୍ତ ଦେବାକୁ ପଛାଏ ନାହିଁ । ନର୍ତ୍ତକୀ ବସ୍ତିର ଘର ବିଭିନ୍ନ ନର୍ତ୍ତକୀଙ୍କ ମଧ୍ୟରେ ବାଣ୍ଟିବା, ଗହଣା ଓ ଲୁଗା ସେମାନଙ୍କୁ ଦେବା ଏବଂ ସେମାନଙ୍କୁ ବସ୍ତି ବାହାରକୁ ଯିବାପାଇଁ ଅନୁମତି ଦେବା-ସବୁ ତା’ର ଦାୟିତ୍ୱ । ସଂକ୍ଷେପରେ କହିବାକୁ ଗଲେ ନର୍ତ୍ତକୀମାନଙ୍କ ଜୀବନଯାପନ ସଂକ୍ରାନ୍ତ ସବୁ ବିଷୟ ତାହାର ନିୟନ୍ତ୍ରଣାଧୀନ ।

 

ଏହି ବୟସରେ ମଧ୍ୟ ଗଙ୍ଗା ପଚିଶ ବର୍ଷ ବୟସ୍କାଙ୍କ ଭଳି ନିଜର ଇଚ୍ଛାନୁସାରେ ଚଲାବୁଲା ଓ ସବୁ କାର୍ଯ୍ୟ କରିବାକୁ ସକ୍ଷମ । ସେ ଏପର୍ଯ୍ୟନ୍ତ ମଧ୍ୟ ନାଚେ ଓ ଏଭଳି ଭଲ ନାଚେ ଯେ, ତା’ ନାଚ ଦେଖି ଦର୍ଶକମାନେ ପ୍ରଶଂସାରେ ବାକ୍‌ଶକ୍ତି ହରାଇ ବସନ୍ତି ।

 

ପ୍ରବାଦ ଅଛି-ତା’ ନାଚରେ ପ୍ରଭୁ ସୋମନାଥ ଏପରି ପ୍ରସନ୍ନ ହୋଇଥିଲେ ଯେ, ତାକୁ ସଶରୀରେ ଦେଖାଦେଇଥିଲେ । କିନ୍ତୁ ଏ କଥା ଅନ୍ୟ ନର୍ତ୍ତକୀମାନେ ବିଶ୍ୱାସ କରନ୍ତି ନାହିଁ । ନୃତ୍ୟବିଦ୍ୟାରେ ତା’ ବୈଶିଷ୍ଟ୍ୟର କାରଣ ସମ୍ପର୍କରେ ଅପବାଦକାରୀମାନେ ନାନା ପ୍ରକାର କଥା କହନ୍ତି ।

 

ନର୍ତ୍ତକୀମାନଙ୍କ ମଧ୍ୟରୁ କେବଳ ତାହାରି ଗଙ୍ଗସର୍ବଜ୍ଞଙ୍କ ସହିତ କଥାବାର୍ତ୍ତା କରି ନିଜ ଇଚ୍ଛାନୁସାରେ ତାଙ୍କଠାରୁ କାର୍ଯ୍ୟ ହାସଲ କରାଇବାର ଶକ୍ତି ଅଛି । ଏହି ଦୁଇଜଣ ଯେତେବେଳେ ଯୁବକ ଯୁବତୀ ଥିଲେ, ସେମାନଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ବୟସ୍କ ଲୋକ ନାନାକଥା କହନ୍ତି । ଅବଶ୍ୟ ଏହାସବୁ ମନଗଢ଼ା କଥା । ଏଥିରେ କେତେଦୂର ସତ୍ୟତା ଅଛି, ତାହା କେହି କହିପାରନ୍ତି ନାହିଁ ।

 

କିନ୍ତୁ ଗୋଟିଏ ବିଷୟରେ କୌଣସି ସନ୍ଦେହ ନାହିଁ । ତାହା ହେଉଛି ପ୍ରତି ସୋମବାର ରାତିରେ ଗଙ୍ଗା ଯେତେବେଳେ ଦେବତାଙ୍କ ଆଗରେ ନାଚେ, ସମ୍ମାନାସ୍ପଦ ଗଙ୍ଗସର୍ବଜ୍ଞ ବରାବର ସେଠାରେ ଉପସ୍ଥିତ ରହନ୍ତି । ଚୌଲାର ଚେହେରାରେ ଗଙ୍ଗସର୍ବଜ୍ଞଙ୍କ ଚେହେରାର କେତେଦୂର ସାମଞ୍ଜସ୍ୟ ଅଛି ତାହା ଖୋଜି ବାହାର କରିବାପାଇଁ କୁତ୍ସାରଟନାକାରୀମାନେ ବର୍ଷ ବର୍ଷ ଧରି ଚେଷ୍ଟା କରିଆସିଥିଲେହେଁ ତାହାର କୌଣସି ସଠିକ୍ ସଂକେତ ଏପର୍ଯ୍ୟନ୍ତ ପାଇନାହାନ୍ତି ।

 

ଗଙ୍ଗା ଯେପରି ଭଲ ନର୍ତ୍ତକୀ ହୋଇପାରିବ ସେଥିପାଇଁ ତା’ ମାଆ ତା’ ଉପରେ ପିଲାଦିନୁ ଆଖି ରଖି ଯତ୍ନ କରି ଆସିଥିଲା । ଗଙ୍ଗା ସେହିପରି ଚୌଲା ଉପରେ ପିଲାଦିନୁ ଆଖି ରଖିଛି । ସେ ଜାଣିଥିବା ଏପରି କୌଣସି ବିଷୟ ନାହିଁ, ଯାହାକି ଚୌଲାକୁ ସେ ନ ଶିଖାଇଛି । କାରଣ ଚୌଲା ବୟସରେ ସେ ଯେତେ ସୁନ୍ଦରୀ ଥିଲା, ତା’ ତୁଳନାରେ ଚୌଲା ହୋଇଛି ଅଧିକ ସୁନ୍ଦରୀ ।

 

ଗଙ୍ଗସର୍ବଜ୍ଞଙ୍କର ପ୍ରଧାନ ଶିଷ୍ୟ ଶିବରାଶି ଯେପରି ଚୌଲାର ତାଲିମରେ ଅଧିକ ଧ୍ୟାନ ଦିଅନ୍ତି ସେଥିପାଇଁ ସେ ବ୍ୟବସ୍ଥା କରିଛି । ତା’ ନିଜର ଢଳନ୍ତା ସମୟକୁ ଚୌଲା କିପରି ନର୍ତ୍ତକୀ ବସ୍ତିର ଦାୟିତ୍ୱ ନେଇ ଶିବରାଶିଙ୍କ ହୃଦୟ କିଣିପାରେ ତାହାହିଁ ଥିଲା ତା’ର ଏକମାତ୍ର ଅଭିଳାଷ ।

 

ମାତ୍ର ଚୌଲାର ବାସ୍ତବଜ୍ଞାନ କମ୍ ବୋଲି ଜାଣି ଅନେକ ସମୟରେ ତା’ର ଅଭିଳାଷ ପୂର୍ଣ୍ଣ ହେବା ସମ୍ପର୍କରେ ସେ ନିଜ ମନରେ ଟିକିଏ ସନ୍ଦେହ କରେ । ଚୌଲା ଯେ ଖୁବ୍ ଭଲ ନାଚେ ଓ ଗାଏ ଏବଂ ପ୍ରଭୁ ସୋମନାଥଙ୍କ ପ୍ରତି ସେ ଯେ ଅତିଶୟ ଅନୁରକ୍ତା, ଏ ସମ୍ପର୍କରେ କୌଣସି ସନ୍ଦେହ ନାହିଁ । ପ୍ରତ୍ୟେକ ଦେବନର୍ତ୍ତକୀ କେବଳ ପ୍ରଭୁ ସୋମନାଥଙ୍କରହିଁ ଜୟଗାନ କରିବା ଉଚିତ, ଏ କଥା ଗଙ୍ଗା ସମସ୍ତଙ୍କୁ ବାରମ୍ୱାର ଶିକ୍ଷା ଦେଇଛି । କିନ୍ତୁ ଅନ୍ୟମାନଙ୍କୁ ଶିକ୍ଷା ଦେଇ ଆସିଥିବା ଏହି ବିଷୟ ପ୍ରକୃତ କାର୍ଯ୍ୟରେ ପରିଣତ କରିବା କେତେଦୂର କଷ୍ଟକର, ତାହା ସେ ନିଜେ ଜାଣେ । ଚୌଲା ବଡ଼ ହେଲେ ସଂସାରରେ ବାସ୍ତବବାଦୀ ହୋଇ ଚଳିପାରିବ କି ନାହିଁ, ସେ ବିଷୟରେ ତାହାର ଯଥେଷ୍ଟ ସନ୍ଦେହ ଅଛି ।

 

ଚୌଲାର ରୁଚି କେତେକାଂଶରେ ଗଙ୍ଗାର ରୁଚି ପରି । ଆଜି ସେ ପ୍ରଥମ ଥରପାଇଁ ପ୍ରଧାନ ପୂଜା ସମୟରେ ଦେବତାଙ୍କ ନିକଟରେ ନାଚିବ । ଏହି ନାଚପାଇଁ ସେ ଆଜିଯାଏ ତାକୁ ପ୍ରସ୍ତୁତ କରି ଆସିଛି ।

 

ଗତ ବର୍ଷ ଏହି ପୁଣ୍ୟ ଦିବସରେ ଚୌଲା ନାଚିବାକୁ ଗଙ୍ଗସର୍ବଜ୍ଞ ପ୍ରସ୍ତାବ କରିଥିଲେ । ଚୌଲା ଏବେ ପିଲା ଓ ତାହାର ଶିକ୍ଷା ଶେଷ ହୋଇନାହିଁ, ଏହି ଆଳ ଦେଖାଇ ଗଙ୍ଗା ତାହା ବନ୍ଦ କରାଇ ଦେଇଥିଲା ।

Image

 

ବ୍ରହ୍ମଚାରୀର ହୃଦୟ

 

ମନ୍ଦିରର ବାହାର କାନ୍ଥ ଓ ଦୁର୍ଗର କାନ୍ଥରେ ଥିବା ଦୀପସ୍ତମ୍ଭମାନଙ୍କରେ ଅସଂଖ୍ୟ ମାଟିଦୀପ ଜଳି ମନ୍ଦିରକୁ ଆଲୋକିତ କରୁଥିଲା ।

ପ୍ରଭୁ ସୋମନାଥଙ୍କ ଆରତି ସମୟ ହୋଇଆସୁଥିବାରୁ ହଜାର ହଜାର ଯାତ୍ରୀ ନୃତ୍ୟମଣ୍ତପରେ ଏକାଠି ହୋଇଥାନ୍ତି ।

ନୃତ୍ୟମଣ୍ତପର ସ୍ତମ୍ଭମାନଙ୍କ ଠଣାରେ ଶହ ଶହ ମାଟିଦୀପ ଜଳି ମଣ୍ତପଟି ଏପରି ଆଲୋକିତ ହୋଇଥିଲା ଯେ, କାନ୍ଥର କାରୁକାର୍ଯ୍ୟମାନ ସତେ ଯେପରି ସଜୀବ ହୋଇଉଠିଥାଏ । ଛାତରୁ ସୁନା ଜଞ୍ଜିରରେ ଓହଳିଥିବା ଘଣ୍ଟା ବାଜି ଆନନ୍ଦର ଧ୍ୱନି ଶୁଣାଉଥାଏ । ଦଳ ଦଳ ଯାତ୍ରୀ ହାତ ଯୋଡ଼ି “ଜୟ ସେମନାଥ” ଧ୍ୱନି କରି ଆସି ଗମ୍ଭୀରା ପାଖରେ ନତମସ୍ତକ ହେଉଥାନ୍ତି ।

ଗମ୍ଭୀରାରେ ବହୁ ଅଳଂକୃତ ସୋମନାଥଙ୍କ ମୂର୍ତ୍ତି ଫୁଲ ଏବଂ ବେଲପତ୍ରରେ ଆଚ୍ଛାଦିତ ହୋଇ ରହିଥାନ୍ତି । ଛାତ ଉପରୁ ସୁନା ଜଞ୍ଜିରରେ ଟଙ୍ଗା ହୋଇଥିବା ଅଭିଷେକ ପାତ୍ରରୁ ନିରବଚ୍ଛିନ୍ନ ଜଳଧାର ପଡ଼ୁଥାଏ । ଚତୁର୍ବେଦୀ ବ୍ରାହ୍ମଣମାନେ ମନ୍ତ୍ରପାଠ କରୁଥାନ୍ତି ।

ହଠାତ୍ ନାଟମନ୍ଦିରର ପ୍ରଧାନ ଦ୍ୱାରଦେଶରୁ ବିଭିନ୍ନ ବାଦ୍ୟଯନ୍ତ୍ର ସହ ସଙ୍ଗୀତର ଧ୍ୱନି ଶୁଣାଗଲା । ଏହି ଶବ୍ଦ ଶୁଣି ମଣ୍ତପର ସମବେତ ଯାତ୍ରୀଗଣ ଉତ୍‌କର୍ଣ୍ଣ ହୋଇଉଠିଲେ ଏବଂ ପନ୍ଦର ଜଣ ହୃଷ୍ଟପୁଷ୍ଟ ସାଧୁ ନାଟମନ୍ଦିରକୁ ଆସି ଗମ୍ଭୀରା ନିକଟକୁ ସିଧା ଚାଲିଗଲେ ।

 

ଏହି ସମବେତ ଜନତାକୁ ନୀରବ କରିବାପାଇଁ ଜଣେ ସାଧୁ ଉଚ୍ଚସ୍ୱରରେ ଶଙ୍ଖ ବଜାଇଲେ । ଏହି ଧ୍ୱନିରେ ସାରା ନୃତ୍ୟମଣ୍ତପ ପ୍ରକମ୍ପିତ ହେଲା । ପ୍ରତ୍ୟେକ ବ୍ୟକ୍ତି ନୀରବରେ ପ୍ରବେଶଦ୍ୱାର ଆଡ଼କୁ ଆଖି ପକାଇ ଅପେକ୍ଷାରେ ରହିଲେ ।

 

ବ୍ୟାଘ୍ରଚର୍ମ ପରିହିତ ବିଭୂତିଭୂଷିତ ଉଚ୍ଚ ଗୌରବର୍ଣ୍ଣର ଜଣେ ବୃଦ୍ଧ ନୃତ୍ୟମଣ୍ତପରେ ପ୍ରବେଶ କଲେ । ତାଙ୍କର ଈଷତ୍ ଶୁଭ୍ର ଦାଢ଼ି ବନ୍ଧା ହୋଇଥାଏ । ଶୁଭ୍ର ଉପବୀତ ପଡ଼ିଥାଏ ବାମ କାନ୍ଧରେ । ସେ ଆସିବା ସଙ୍ଗେ ସଙ୍ଗେ ସମସ୍ତେ ଠିଆହୋଇପଡ଼ିଲେ । କେତେକ ତାଙ୍କ ପାଦ ଛୁଇଁ ପ୍ରଣତି କଲେ । ଗଙ୍ଗସର୍ବଜ୍ଞଙ୍କର ଜୟଧ୍ୱନି ଶୁଣାଗଲା ।

 

ବୃଦ୍ଧଙ୍କର ଉଚ୍ଚ କପାଳରୁ ତାଙ୍କ ପାଣ୍ତିତ୍ୟର ସଂକେତ ମିଳିଥାଏ ଏବଂ ଚନ୍ଦନର ତିନିଧାରା କପାଳରେ ପଡ଼ିଥାଏ । ତାଙ୍କର ସଜଳ ଆଖି ଦୁଇଟି ସ୍ୱଚ୍ଛ ଓ ଗାମ୍ଭୀର୍ଯ୍ୟପୂର୍ଣ୍ଣ । ସେ ପହଞ୍ଚିବାକ୍ଷଣି ଚାରିଆଡ଼କୁ ଦୃଷ୍ଟି ନିକ୍ଷେପ କଲେ, ସତେ ଯେପରି ସେ କାହାକୁ ଖୋଜୁଛନ୍ତି ।

 

ପ୍ରଧାନ ସେବକ ଆସିବାକ୍ଷଣି ସମସ୍ତେ ଅନୁଭବ କଲେ ଯେପରି କି ଏହି ମଣ୍ତପରେ ଏପରି ଜଣେ କେହି ଅଛନ୍ତି, ଯାହାଙ୍କର ଜୀବନ ପ୍ରଭୁ ସୋମନାଥଙ୍କର ସେବାପାଇଁ ଉତ୍ସର୍ଗୀକୃତ ଏବଂ ପ୍ରଭୁ ଶଙ୍କରଙ୍କର ଅବତାର ଲକୁଳେଶଙ୍କ ବାର୍ତ୍ତା ପ୍ରଚାରପାଇଁ ସେ ଅବତୀର୍ଣ୍ଣ ହୋଇଛନ୍ତି ।

 

ସତେଇଶ ବର୍ଷପୂର୍ବେ ଯେତେବେଳେ ଗଙ୍ଗସର୍ବଜ୍ଞ ଏହି ସମ୍ପ୍ରଦାୟର ମୁଖ୍ୟପଦ ଗ୍ରହଣ କଲେ, ତାହା ଥିଲା ପାଶୁପତ ସମ୍ପ୍ରଦାୟର ଅବନତିର ସମୟ । ଆଜି ଦେଶର ଏ ମୁଣ୍ତରୁ ସେ ମୁଣ୍ତ ଯାଏଁ ପ୍ରତ୍ୟେକ ଶିକ୍ଷିତ, ଧନୀ ଓ ଶାସକ ତାଙ୍କୁ ଏହି ସମ୍ପ୍ରଦାୟର ମୁଖ୍ୟ ବୋଲି ଗ୍ରହଣ କରିବାପାଇଁ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରିବା ପରି ଅବସ୍ଥା ଦେଖାଦେଇଛି । ତାଙ୍କ ପ୍ରଭାବ ଫଳରେ ଦୁନିଆ ସାରା ଲୋକଙ୍କର ସୋମନାଥଙ୍କ ଉପରେ ପୁନର୍ବାର ବିଶ୍ୱାସ ସ୍ଥାପିତ ହୋଇପାରିଛି ।

 

ଗଙ୍ଗସର୍ବଜ୍ଞଙ୍କ ସହିତ ତିନିଜଣ ବ୍ୟକ୍ତି ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ତାଙ୍କର ମୁଖ୍ୟ ଶିଷ୍ୟ ଶିବରାଶି । ସେ ଠିକ୍ ଗୁରୁଙ୍କ ପରି ବେଶ ପରିଧାନ କରୁଥିଲେ ସୁଦ୍ଧା ତାଙ୍କ ମୁଖରେ ପାଣ୍ତିତ୍ୟ ଅପେକ୍ଷା ସାଂସାରିକତାର ଭାବ ବେଶି ସ୍ପଷ୍ଟ ହେଉଥିଲା ।

 

ଦ୍ୱିତୀୟ ବ୍ୟକ୍ତି ଖୁବ୍ ହୃଷ୍ଟପୁଷ୍ଟ, ଉଚ୍ଚ ଓ ତାଙ୍କର ବଡ଼ ବଡ଼ କଳା ଆଖିର ତେଜରେ ଦୀପଗୁଡ଼ିକ ଯେପରି ଅଧିକ ଆଲୋକିତ ହେଉଛି । ତାଙ୍କର ମୁଖମଣ୍ତଳରେ ସରଳତା, ନିର୍ଭୀକତା ଏବଂ ଶରଣବତ୍ସଳତା ପ୍ରକାଶ ପାଉଥିଲା । ସେ ଅତ୍ୟନ୍ତ କ୍ଳାନ୍ତ ଜଣାପଡ଼ୁଥିଲେ ସୁଦ୍ଧା ତାଙ୍କ ଚାଲିରୁ ସେ ଜଣେ ରାଜପରିବାରର ଲୋକ ବୋଲି ଧାରଣା ହୁଏ । ତାଙ୍କର ପଗଡ଼ି, ଝୁଲୁଥିବା ଲମ୍ୱା ତରବାରି ଏବଂ ବାମ ପାଖ କାନ୍ଧର ଧନୁ, ଏହି ଧାରଣାକୁ ଅଧିକ ନିଶ୍ଚିତ କରିଦେଉଥାଏ । ତାଙ୍କୁ ଦେଖିଲେ ଗୋଟିଏ ସିଂହ କୁଦାମାରିବା ଅବସ୍ଥାରେ ଥିବା ଭଳି ଜଣାଯାଏ ।

 

ତୃତୀୟ ଜଣକ ଅଳ୍ପବୟସ୍କ ହେଲେ ସୁଦ୍ଧା ଯଥେଷ୍ଟ ପ୍ରଭାବଶାଳୀ । ତାଙ୍କର ଚିକ୍‌କଣ ଚର୍ମ, ଉଜ୍ଜ୍ୱଳ ଆଖି ଏବଂ ଛୋଟ ସୁଗଠିତ ଆଙ୍ଗୁଠିରୁ ସେ ଉଚ୍ଚବଂଶୀୟ ବୋଲି ଧାରଣା ହୁଏ । କିନ୍ତୁ କଥାବାର୍ତ୍ତାରେ ଯେପରି ଶକ୍ତି ପ୍ରକଟିତ ହେଉଥାଏ, ତହିଁରେ ଉକ୍ତ ଧାରଣା ଭୁଲ ମନେହୁଏ । ତାଙ୍କ କମରବନ୍ଧରେ ତଲବାର ଝୁଲୁଥାଏ ସତ; କିନ୍ତୁ ଢଙ୍ଗରୁ ଜଣାଯାଉଥାଏ ଯେପରି ଅସ୍ତ୍ରଶସ୍ତ୍ର ଧାରଣ କରିବାକୁ ତାଙ୍କର ଆଗ୍ରହର ଅଭାବ ।

 

ଗଙ୍ଗସର୍ବଜ୍ଞ ଆସ୍ତେ ଆସ୍ତେ ଗମ୍ଭୀରାର ଦ୍ୱାରଦେଶକୁ ଗଲେ । ସମସ୍ତଙ୍କ ପ୍ରଣତିର ବିନିମୟରେ ସେ “ନମଃ ଶିବାୟ” କହି ଚାଲିଥାନ୍ତି । ସେ ଗମ୍ଭୀରା ନିକଟରେ ପହଞ୍ଚି ଦେବତାଙ୍କ ସମ୍ମୁଖରେ ଠିଆହୋଇ ଅର୍ଚ୍ଚନା କଲେ ।

 

ଯେଉଁ ଗଙ୍ଗସର୍ବଜ୍ଞଙ୍କୁ ପୂଜା କରିବା ସୁଯୋଗ ପାଇଲେ ରାଜାମାନେ ମଧ୍ୟ ନିଜକୁ ଭାଗ୍ୟଶାଳୀ ମନେକରନ୍ତି, ସେ ନିଜେ ପ୍ରଭୁଙ୍କ ଆଗରେ ନତମସ୍ତକ ହୋଇ ନୀରବରେ ଆରାଧନା କଲେ । ତାଙ୍କ ଆରାଧନା ସମୟରେ ଜଣାଯାଉଥାଏ ଯେପରି ତାଙ୍କ ହୃଦୟ ଭକ୍ତିରେ ପୂରିଯାଇଛି ଏବଂ ପାରିପାର୍ଶ୍ୱିକ ଅବସ୍ଥା ଭୁଲିଯାଇ ସେ କେବଳ ଭଗବତ୍ ଉପସ୍ଥିତହିଁ ଉପଲବ୍‌ଧି କରୁଛନ୍ତି । ତା’ପରେ ସେ ପାଖରେ ଠିଆହୋଇଥିବା ଜଣେ ବ୍ରାହ୍ମଣଙ୍କ ହାତରୁ ଆରତି ପାଇଁ ପ୍ରସ୍ତୁତ ଥିବା ଗୋଟିଏ ଥାଳି ନେଲେ ।

 

ଗତ ଚଉଦ ବର୍ଷ ଧରି ପ୍ରତିଦିନ ସନ୍ଧ୍ୟାବେଳେ ପ୍ରଭାସର ଏହି ତୀର୍ଥରେ ହଜାର ହଜାର ଭକ୍ତଙ୍କର ଘଣ୍ଟା ଏବଂ ମର୍ଦ୍ଦଳ ଧ୍ୱନି ମଧ୍ୟରେ ସେ ଦେବତାଙ୍କର ପୂଜା ଓ ଆଳତି ଏହିପରି କରିଆସିଛନ୍ତି ।

 

ଆରତି ଶେଷ କରିବା ପରେ ସେ “ଜୟ ପ୍ରଭୁ ସୋମନାଥଙ୍କର ଜୟ” ଧ୍ୱନି କଲେ । ତାଙ୍କ ଧ୍ୱନି ଅନୁସରଣରେ ସମବେତ ଯାତ୍ରୀମାନେ ପ୍ରତିଧ୍ୱନି କଲେ । ସଙ୍ଗେ ସଙ୍ଗେ ମଣ୍ଡପ ଭିତରେ ଓ ବାହାରେ ଯାତ୍ରୀବୃନ୍ଦ ମଧ୍ୟ ତାହାର ପୁନରାବୃତ୍ତି କଲେ । ମୁହୂର୍ତ୍ତକ ପାଇଁ ପ୍ରଭାସ ସହରଟି ଭକ୍ତ ମୁଖର “ପ୍ରଭୁ ସୋମନାଥଙ୍କର ଜୟ” ...ଏହି ଧ୍ୱନିରେ ମୁଖରିତ ହୋଇଗଲା ।

 

ଆରତି ଶେଷ ହେବା ପରେ ଗଙ୍ଗସର୍ବଜ୍ଞ ଗମ୍ଭୀରାରୁ ଆସି ସ୍ୱର୍ଣ୍ଣସିଂହାସନରେ ବସିଲେ । ପାଖରେ ବସିଲେ ଶିବରାଶି । ସାଙ୍ଗରେ ଆସିଥିବା ଅନ୍ୟ ଦୁଇଜଣ ବ୍ୟକ୍ତି ସୁନାଜରିର ସତରଞ୍ଜିରେ ବସିଲେ ।

 

ଗଙ୍ଗସର୍ବଜ୍ଞ ତାଙ୍କ ସାଙ୍ଗରେ ଆସିଥିବା ରାଜକୀୟ ପୋଷାକଧାରୀ ବ୍ୟକ୍ତିଙ୍କୁ ଲକ୍ଷ୍ୟକରି କହିଲେ, “ବାପ ଭୀମଦେବ ! ଶେଷରେ ଧାରାଧୀଶ ଗ୍ରାମ ଦାନ କଲେ ତ ?”

 

ଭୀମଦେବ ଗଙ୍ଗସର୍ବଜ୍ଞଙ୍କ ନିକଟକୁ ଯାଇ କହିଲେ, “କିନ୍ତୁ ମହାରାଜ ! ମନ୍ଦିରର ଜୀର୍ଣ୍ଣୋଦ୍ଧାର ମୁଁ କରିବି ।”

 

ଗଙ୍ଗସର୍ବଜ୍ଞ ଏହା ଶୁଣି ହସିକରି କହିଲେ, “ତମର ଯେପରି ଇଚ୍ଛା । ପ୍ରଭୁ ସୋମନାଥଙ୍କର କୃପା ଯାହା, ତାହାହିଁ ହେବ । ହଁ ବାପ, ପୁଣି କେବେ ଆସିବ ?”

 

ଭୀମଦେବ ଉତ୍ତର ଦେଲେ, “ଆସନ୍ତାବର୍ଷ ।” ନିଜର ପ୍ରଧାନମନ୍ତ୍ରୀଙ୍କୁ ଲକ୍ଷ୍ୟକରି କହିଲେ, “କ’ଣ ବିମଳ ?”

 

ରାଜାଙ୍କ ସାଙ୍ଗରେ ଆସିଥିବା ସୁପୁରୁଷ ଟିକିଏ ହସି କହିଲେ, “ଅବଶ୍ୟ ! ସେ ସମୟକୁ ଆଦୀଶ୍ୱରଙ୍କର ଯଦି ଇଚ୍ଛା ପୂର୍ଣ୍ଣ ହୁଏ, ତେବେ ମହାରାଜ ମାଳବ ଅଧିକାର କରିଥିବେ ।”

 

କିଛିକ୍ଷଣପାଇଁ ଗଙ୍ଗସର୍ବଜ୍ଞ ନୀରବ ହୋଇଗଲେ । ବିମଳ ଜୈନଧର୍ମର ଲୋକ । ସେହି ଧର୍ମର ଜଣେ ବିଶିଷ୍ଟ ମହାପୁରୁଷ ଆଦୀଶ୍ୱରଙ୍କ ନାମ ଓ ମାଳବ ସହିତ ସଂଘର୍ଷର ଚର୍ଚ୍ଚା ବୋଧହୁଏ ତାଙ୍କୁ ଭଲ ଲାଗିଲା ନାହିଁ । ବିଷୟ ପରିବର୍ତ୍ତନ କରିବା ଲାଗି ସର୍ବଜ୍ଞ ଆଦେଶ ଦେଲେ, “ଏବେ ନୃତ୍ୟ ଆରମ୍ଭ ହେଉ ।”

 

ଚାରିଆଡ଼େ ନୀରବତା ଦେଖାଦେଲା । ଦକ୍ଷିଣଦ୍ୱାରରୁ ନୃତ୍ୟମଣ୍ତପକୁ ଦଉଡ଼ି ବନ୍ଧା ହୋଇ ପଡ଼ିଥିବା ସ୍ୱତନ୍ତ୍ର ରାସ୍ତା ଆଡ଼କୁ ସମସ୍ତେ ଆଖି ପକାଇଲେ ।

 

ପ୍ରଥମେ ଦୁଇଜଣ ମଶାଲ ଧରି ଆସିଲେ ଏବଂ ତାଙ୍କ ପଛେ ପଛେ ମୂଲ୍ୟବାନ ପରିଧାନ ପିନ୍ଧି ବେଶଭୂଷା ହୋଇ ଆସିଲା ଗଙ୍ଗା । ତା’ ପଛରେ ଆସିଲା ଶୁଭ୍ରବସ୍ତ୍ର−ପରିହିତା ଗୋଟିଏ ଯୁବତୀ । ତା’ ପଛେ ପଛେ ଆସିଲେ ଛ’ ଜଣ ନର୍ତ୍ତକୀ । ଶେଷକୁ ଆସିଲେ ସଙ୍ଗୀତମଣ୍ତଳୀ । ସମସ୍ତେ ମଣ୍ତପର ମଧ୍ୟବର୍ତ୍ତୀ ସ୍ଥାନକୁ ଯାଇ ପ୍ରଭୁଙ୍କ ଆଡ଼କୁ ମୁହଁ କରି ସମ୍ଭ୍ରମେ ଠିଆହେଲେ ।

 

ଶୁଭ୍ରବସ୍ତ୍ର-ପରିହିତା ଯୁବତୀ ଉପରେ ଗଙ୍ଗସର୍ବଜ୍ଞଙ୍କ ଆଖି ପଡ଼ିବାମାତ୍ରେ ଭାବାତିଶଯ୍ୟରେ ତାଙ୍କର ଆଖି ବୁଜିହୋଇଗଲା ।

 

ଭୀମଦେବ ଚୁପ୍ ଚୁପ୍ କରି ଶିବରାଶିଙ୍କୁ ପଚାରିଲେ, “ଆଜି ନୂତନ ନର୍ତ୍ତକୀ ନାଚିବ ନାଁ-?” ଶିବରାଶି ସ୍ୱୀକୃତି ଜଣାଇଲେ ।

 

ମନ୍ତ୍ରୀ ବିମଳ ଆଗ୍ରହ ପ୍ରକାଶ କଲେ, “କିଏ ସେ ? ନାଁ କ’ଣ ?”

ଶିବରାଶି କୌଣସି ଜବାବ ଦେଲେ ନାହିଁ ।

 

ଗଙ୍ଗା ପ୍ରଭୁଙ୍କର ଯଶୋଗାନ କଲା । ତା’ର ବୟସ ଯଥେଷ୍ଟ, ତେବେବି ଏ ପର୍ଯ୍ୟନ୍ତ ସ୍ୱରର ମଧୁରତା ଅକ୍ଷୁର୍ଣ୍ଣ ରହିଛି । ଖାଲି ସେତିକି ନୁହେଁ, ସେହି ମଧୁରତା ଭିତରେ ଅଛି ପ୍ରକୃତ ଭକ୍ତିର ଆନୁଗତ୍ୟ । ପ୍ରଭୁ ଶଙ୍କରଙ୍କ ସ୍ତୁତିଗାନ କଲାବେଳେ ଗଙ୍ଗସର୍ବଜ୍ଞଙ୍କୁ ମଧ୍ୟ ପ୍ରସନ୍ନ କରାଇବା ତା’ର ଉଦ୍ଦେଶ୍ୟ । ଗାଇଲାବେଳେ ତା’ର ଆଖି ପ୍ରଭୁଙ୍କ ଉପରେ ଯେତେ ନ ଥିଲା, ସେତେ ଥିଲା ଗଙ୍ଗସର୍ବଜ୍ଞଙ୍କ ଉପରେ । ସେ ପ୍ରକୃତହିଁ ତାଙ୍କରି ଉଦ୍ଦେଶ୍ୟରେ ଗୀତ ବୋଲୁଥିବାରୁ ଗଙ୍ଗସର୍ବଜ୍ଞ ଆଖି ଦରବୁଜା କରି ତାହା ଶୁଣୁଥାନ୍ତି । ତାଙ୍କର ଅନ୍ୟାନ୍ୟ ଶାସ୍ତ୍ର ମଧ୍ୟରେ ସଙ୍ଗୀତଜ୍ଞାନ ଥିଲା ବେଶି-। ଏ ପର୍ଯ୍ୟନ୍ତ ଯେତେ ଗାୟିକାଙ୍କ ମୁଖରେ ଗୀତ ସେ ଶୁଣିଛନ୍ତି, ଗଙ୍ଗା ଅପେକ୍ଷା କେହି ଅଧିକ ଭଲଭାବେ ଗାଇବାକୁ ସମର୍ଥ ନୁହଁନ୍ତି-ଏହା ତାଙ୍କର ଦୃଢ଼ବିଶ୍ୱାସ ।

 

ସଙ୍ଗୀତ ଶେଷ ହେଲା । ସର୍ବଜ୍ଞ ତୁଷ୍ଟ ହେଲେ କି ନ ହେଲେ ଜାଣିବାପାଇଁ ଗଙ୍ଗାର ଦୃଷ୍ଟି ପ୍ରଥମେ ତାଙ୍କ ଉପରେ ପଡ଼ିଲା । ଆଖି ଟିକିଏ ଖୋଲି ପସନ୍ଦ କରିଥିବାର ସୂଚନା ଭଳି ଗଙ୍ଗସର୍ବଜ୍ଞ ସାମାନ୍ୟ ହସିଥିଲେ । ତା’ପରେ ଉଭୟଙ୍କ ଦୃଷ୍ଟି ଏକାସଙ୍ଗେ ପଡ଼ିଲା ସେହି ଯୁବତୀ ଉପରେ । ଗଙ୍ଗସର୍ବଜ୍ଞ ତାକୁ କ୍ଷୀଣ ସ୍ୱରରେ କହିଲେ, “ଏବେ ନୃତ୍ୟ ଆରମ୍ଭ କର ।”

 

ଏହା କହିବାକ୍ଷଣି ତାଙ୍କ ଆଖି ଆଗରେ ଭାସିଗଲା, ଊଣେଇଶବର୍ଷ ପୂର୍ବର ଗୋଟିଏ ସକାଳର ଘଟଣା । ସମୟର ବ୍ୟବଧାନ ଉଭେଇଗଲା । ଯେଉଁ ପୁଣ୍ୟ ଅବୁର୍ଦ୍ଦାଚଳ ପର୍ବତ ଶିଖରରେ ନିଜର ଆତ୍ମଶୁଦ୍ଧି ପାଇଁ ସେ ଛଅମାସ ଧରି କଠୋର ଉପାସନା କରିଥିଲେ, ତାହା ତାଙ୍କ ଆଖିଆଗରେ ନାଚିଲା । ସେହି ଉପାସନା ପରେ ପ୍ରଭାସକୁ ଫେରି ନିଜର ଶିଷ୍ୟମାନଙ୍କ ସହିତ ଯୋଗଦେଇ ସେ ଯେଉଁ ଆନନ୍ଦ ପାଇଥିଲେ, ତାହା ତାଙ୍କର ମନେପଡ଼ିଗଲା ।

ଅର୍ଦ୍ଧରାତ୍ରି ପରେ ସେଦିନ ଆଉ ତାଙ୍କୁ ନିଦ ଆସୁ ନ ଥାଏ । ତାଙ୍କୁ ଦୂରରୁ କେହି ଯେପରି ସତେ ଡାକୁଛି, ତାହାହିଁ ସେ ଅନୁଭବ କଲେ । ନିଜର ଭକ୍ତମାନଙ୍କୁ ସାଙ୍ଗରେ ନେଇ ଗୁମ୍ଫାର ବାହାରକୁ ଗଲେ ।

ସେ ସମୁଦ୍ରକୂଳରେ ପହଞ୍ଚି ଦେଖିଲେ ଯେ, ଲହରୀ ଭିତରୁ ଗୋଟିଏ ସୁନ୍ଦରୀ ଦେବୀ ଉଠିଆସୁଛନ୍ତି । ତାଙ୍କୁ ବୋଧହେଲା ଯେପରି ଏ ନାରୀମୂର୍ତ୍ତି ଅପାର୍ଥିବ ।

ଏହି ମୁହୂର୍ତ୍ତ ସେ କେବେହେଲେ ଭୁଲିପାରି ନାହାନ୍ତି । ସେ ପ୍ରଶ୍ନ କରିଥିଲେ, “ଏ କିଏ-?” ନାରୀ ଜଣକ ଉତ୍ତର ଦେଲେ, “ମୁ ପରା !”

ଗଙ୍ଗସର୍ବଜ୍ଞ ଚିହ୍ନିପାରିଲେ । ନର୍ତ୍ତକୀମାନଙ୍କର କର୍ତ୍ତ୍ରୀର କନ୍ୟା କୋକିଳଜିଣା କଣ୍ଠରେ ଶିବସ୍ତୁତିକୁ ଜ୍ୟୋତ୍ସ୍ନାମୟୀ ଅମୃତରେ ପରିଣତ କରିବାରେ ଦକ୍ଷା । ସେ ଜଣେ ମନ୍ଦିରର ନର୍ତ୍ତକୀ ମାତ୍ର; କିନ୍ତୁ ପ୍ରଭୁଙ୍କ ପାଖରେ ନୃତ୍ୟ କରିବା ତା’ର ଜୀବନର ପ୍ରଧାନ ଲକ୍ଷ୍ୟ ଓ ଶିବଭକ୍ତିରେ ଅଚଳ-

ତାହା ଆଗରେ ଗଙ୍ଗସର୍ବଜ୍ଞ ନିଜର ଭାବାବେଗ ସମ୍ଭାଳି ନ ପାରି “ବେଳାଭୂମିରେ ଏତେବେଳେ ?” ବୋଲି କହି ଅଟକିଗଲେ ।

ଉତ୍ତର ପାଇଲେ, “ବର୍ତ୍ତମାନ ସମୟ ନାହିଁ । ସ୍ନାନ ସାରି ପ୍ରଭୁଙ୍କ ଆଗରେ ନୃତ୍ୟ କରିବା ଲାଗି ପ୍ରସ୍ତୁତ ହେଉଛି ।”

ସର୍ବଜ୍ଞ ପଚାରିଲେ, “ଅସମୟରେ ଏକା ଦେବତାଙ୍କଠାରୁ କିଛି ବର ମାଗିବାକୁ ଇଚ୍ଛା ହୁଏନା ?”

ଗଙ୍ଗା ଲାଜରେ ମୁହଁ ତଳକୁ ପୋତିଦେଲା । ଊଣେଇଶ ବର୍ଷ ପରେ ମଧ୍ୟ ସର୍ବଜ୍ଞ ଏହି ଘଟଣା ପୂରାପୂରି ମନେରଖିଛନ୍ତି । ସେତେବେଳେ ସେ ଉତ୍ତର ଦେଇଥିଲା, “କେବଳ ପ୍ରଭୁଙ୍କର ଓ ଆପଣଙ୍କର ସେବା ।”

ହଠାତ୍ ତାଙ୍କ ବ୍ରହ୍ମଚାରୀ ହୃଦୟରେ ଏଭଳି ଗୋଟିଏ ଭାବ ଦେଖାଦେଲା, ଯାହା କି ସେ ନିଜେ ବୁଝିପାରିଲେ ନାହିଁ । ସତେ ଯେପରି ଗଙ୍ଗାକୁ ଗ୍ରହଣ କରିବାପାଇଁ ଭଗବାନ ତାଙ୍କୁ ଆଦେଶ ଦେଇଛନ୍ତି, ସେହିଭଳି ସେ ଅନୁଭବ କଲେ ।

ଆକାଶରେ ତାରକାମଣ୍ଡଳୀ ନିଷ୍ପ୍ରଭ ହୋଇ ଆସୁଥାନ୍ତି । ଲହରୀର ସୁମଧୁର ସଙ୍ଗୀତ ଅଧିକ ମାଦକ ହୋଇ ଆସୁଥାଏ ଓ ଉଷାର ମୃଦୁ ସମୀରଣ ଅଧିକ ଆମୋଦପ୍ରଦ ହୋଇଉଠିଥାଏ-। ଠିକ୍ ଏହି ସମୟରେ ଉଭୟେ ପରସ୍ପରର ହାତ ଉପରେ ହାତ ରଖିଲେ । ଗଙ୍ଗସର୍ବଜ୍ଞଙ୍କ ସ୍ମୃତିପଟରେ ଅବିକଳ ସେହି ଛବି ଭାସିଉଠିଲା ।

ଗଙ୍ଗସର୍ବଜ୍ଞ ଏହି ଦିବାସ୍ୱପ୍ନରୁ ଉଠି ନିଜର ସ୍ୱାଭାବିକ ସ୍ୱରରେ କହିଲେ, “ନୃତ୍ୟର ସମୟ ହୋଇଗଲାଣି ।” ଏହା କହିବା ପରେ ପରେ ତାଙ୍କର ଉଦ୍‌ବେଗ ବଢ଼ି ବଢ଼ି ଯାଉଥାଏ ।

ଯୁବତୀ ଚୌଲା ନିଜ ମୁହଁକୁ ଶୁଭ୍ର ପରିଧେୟରେ ଘୋଡ଼ାଇ ତଳକୁ ମୁହଁ ପୋତି ବସିଥାଏ । ଛାତି ତା’ର ସ୍ପନ୍ଦିତ ହେଲା, ଯାହା ପୂର୍ବରୁ ସେ କେବେ ଅନୁଭବ କରି ନ ଥିଲା । ଛାତିର ଶବ୍ଦ କାନରେ ମଧ୍ୟ ପ୍ରତିଧ୍ୱନିତ ହେଲା ।

ଗଙ୍ଗସର୍ବଜ୍ଞଙ୍କ ଆଦେଶ ଏବଂ ତାଙ୍କ ଆଦେଶ ପାଳନ କରିବା ଲାଗି ମାଆର ନିର୍ଦ୍ଦେଶ ଚୌଲାର ମନେପଡ଼ିଗଲା । ସେ ଠିଆହୋଇଯିବା ମାତ୍ରେ ତା’ର ପାଦ ଥରିଉଠିଲା । ପାଦ କେମିତି ପକାଇବ, ନୃତ୍ୟ ଓ ଅଭିନୟ କଳା ତା’ ମନ ଭିତରୁ ଉଭେଇଗଲା ଭଳି ଲାଗୁଥାଏ ।

Image

 

ଦେବକନ୍ୟା

 

ଚୌଲାର ମନ କିନ୍ତୁ ଶ୍ରଦ୍ଧାପୂର୍ଣ୍ଣ । ବିଶ୍ୱାସରେ ତା’ ହୃଦୟ ପୂରି ରହିଛି । ପ୍ରଭୁ ସୋମନାଥ ତା’ ଆଗରେ ଠିଆହୋଇଛନ୍ତି; ସେ ତାଙ୍କର ଅବମାନନା କରିବ ନାହିଁ ।

 

ପ୍ରଭୁଙ୍କ ମୂର୍ତ୍ତି ଉପରେ ତା’ ଆଖି ଲାଖିରହିଛି । ସେ ହେଉଛନ୍ତି ତା’ର ପ୍ରଭୁ, ନାଥ ଓ ସର୍ବସ୍ୱ । ତାଙ୍କୁ ସେ ପ୍ରଣାମ କଲା ।

 

ସତେ ଯେପରି ଗଙ୍ଗସର୍ବଜ୍ଞଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିବା ପାଇଁ ତା’ ମା ତାକୁ କହୁଛି, ସେହିପରି ତାକୁ ଲାଗିଲା ।

 

ତା ଗୋଡ଼ ଆଉ ଭୟରେ ଥରୁନାହିଁ । ସେ ଗଙ୍ଗସର୍ବଜ୍ଞଙ୍କ ନିକଟକୁ ଯାଇ ପ୍ରଣାମ କରି ତାଙ୍କର ଚରଣ ସ୍ପର୍ଶକଲା । ସେ ସାମାନ୍ୟ ହସିଦେଲେ । ଏହାହିଁ ହେଉଛି ତାଙ୍କର ଆଶୀର୍ବାଦ ।

 

ଗଙ୍ଗସର୍ବଜ୍ଞଙ୍କ ପଛରେ ଶିବରାଶି ଓ ତାଙ୍କ କଡ଼ରେ ଦୁଇଜଣ ଅଜଣା ଯୁବକ ବସିଥିବାର ଦେଖିଲା ଚୌଲା । ତାକୁ ଦେଖି ସେ ଯୁବକ ଦୁଇ ଜଣ ଆକୃଷ୍ଟ ହେଲା ପରି ଚୌଲା ବୋଧକଲା । ଶୁଭ୍ର ଉତ୍ତରୀୟ ଭିତରୁ, ସତେ ଯେପରି ଶ୍ୱେତପଦ୍ମରୁ ଦେବୀ ଉଠୁଛନ୍ତି, ସେହିପରି ସେ ମୁହୂର୍ତ୍ତକ ପାଇଁ ଠିଆହେଲା । ଲୋକଚକ୍ଷୁ ମୁଗ୍‍ଧ । ତା’ର ଛୋଟପାଦ ଦୁଇଟି ଘଣ୍ଟାଶବ୍ଦ ସାଙ୍ଗରେ ରୁଣୁଝୁଣୁ ହୋଇ ପଡ଼ିଲା । କାରୁକାର୍ଯ୍ୟ ପରିପୂର୍ଣ୍ଣ ମନ୍ଦିରର ଶିଖର ଭଳି ତା୩ର କ୍ଷୀଣ କଟୀ, କ୍ଷୀଣ ତନୁ, ଈଷତ୍ ଲାଲରେଖାପୂର୍ଣ୍ଣ ଗ୍ରୀବା ଏବଂ ଉଜ୍ଜ୍ୱଳ ମୁଖମଣ୍ତଳ ସବୁ ଏକ ତାଳରେ ନାଚିଉଠିଲା ।

 

ଚୌଲା-ତା’ର ମୁଖମଣ୍ଡଳରେ ଦେବୀର ଦୀପ୍ତି ନ ଥିଲେ ମଧ୍ୟ ବାଳିକାର ସୁକୁମାରତା ମଧ୍ୟ ନ ଥିଲା । ମୁହୂର୍ତ୍ତକ ପାଇଁ ସେ ନିଜକୁ ଭୁଲିଯାଇଛି । ତା’ ନାଚ ଦେଖିବାକୁ ଯେ ଏତେ ବିରାଟ ଜନସମାବେଶ, ତାହା ମଧ୍ୟ ତା’ର ଧାରଣା ନାହିଁ । ଯେଉଁ ପ୍ରଭୁଙ୍କୁ ନିଜର କରିବାପାଇଁ ସେ ଏକାଗ୍ର ଚିତ୍ତରେ ବର୍ଷ ବର୍ଷ ଧରି ସାଧନା କରିଆସିଛି, ତାଙ୍କ ଉପରେହିଁ ତା’ର ଆଖି । ସତେ ଯେପରି ପ୍ରଭୁ ତା’ର ନୃତ୍ୟ ଦେଖି ତାକୁ କୋଳାଗ୍ରତ କରିବାପାଇଁ ଅପେକ୍ଷା କରି ବସିଛନ୍ତି-ତା’ର ଗଭୀର ବିଶ୍ୱାସ ଥିଲା । ଏହି କଥା ଭାବୁ ଭାବୁ ତା’ର ପାଦରେ ଶକ୍ତିର ସଞ୍ଚାର ହେଲା । ବାଦ୍ୟ ଓ ସଙ୍ଗୀତ ଆରମ୍ଭ ହେଲା । ନାଚି ନାଚି ସେ ଗଲା ଗମ୍ଭୀରାର ପ୍ରବେଶଦ୍ୱାରକୁ ।

 

ସେ ଆଜି ମନ୍ଦିରର ସାଧାରଣ ନର୍ତ୍ତକୀ ଚୌଲା ନୁହେଁ, ପ୍ରଭୁଙ୍କର ଅର୍ଦ୍ଧାଙ୍ଗିନୀ, ଏ ମନ୍ଦିର ତୁଙ୍ଗ କୈଳାସ ଶିଖରୀ । ଏହା ତାହାର ପ୍ରଭୁଙ୍କର ମୂର୍ତ୍ତି ନୁହେଁ, ପ୍ରଭୁ ନିଜେ । ଅର୍ଦ୍ଧାଙ୍ଗିନୀ ପାର୍ବତୀ ନିଜେ ଠିଆହୋଇଛନ୍ତି ପ୍ରଭୁଙ୍କର ପୂଜା କରିବାଲାଗି ।

 

ପ୍ରଭୁ ଶଙ୍କରଙ୍କ ସମ୍ମୁଖରେ ପାର୍ବତୀଙ୍କ ନୃତ୍ୟମୁଦ୍ରାରେ ତା’ର ହସ୍ତ, ପଦ, କଟି ଓ ଗ୍ରୀବାରେ ମଧୁର ସଞ୍ଚାର ସୃଷ୍ଟି ହେଲା । ତା’ର ମୁଖମଣ୍ଡଳ ଭକ୍ତିପୂର୍ଣ୍ଣ, ଆଖି ଦୁଇଟି ଉଜ୍ଜ୍ୱଳ । ପ୍ରଥମେ ଠିଆହୋଇ, ବକ୍ଷପାତି ଓ ସର୍ବଶେଷରେ ଆଣ୍ଠୁମାଡ଼ି ସେ ଆପଣାର ଶ୍ରଦ୍ଧାଞ୍ଜଳି ଅର୍ପଣ କଲା । ଧୀରସ୍ଥିରଭାବେ ପ୍ରଭୁଙ୍କ ଉପରେ ସେ ଦେଲା ଫୁଲ । ତା’ର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗର ଭାବଭଙ୍ଗୀରୁ ପ୍ରଭୁଙ୍କ ସଙ୍ଗେ ମିଶିଯିବାପାଇଁ ତା’ର ଉତ୍କଣ୍ଠା ପ୍ରକାଶ ପାଉଥାଏ ।

 

ତା’ପରେ ସେ ନିଜର ପୂଜାପଦ୍ଧତି ବଦଳାଇଲା । ତା’ର ହାତ ଓ ଗୋଡ଼ର ଚାଳନା ସ୍ତବ୍‌ଧ ହୋଇ ଆସିଲା । ଆଖି ଓ ମୁହଁରେ ଅବସାଦ ଭାବ ଦେଖାଦେଲା । ସଙ୍ଗୀତ ଓ ଭାବଭଙ୍ଗୀ ନିସ୍ତେଜ ହୋଇ ଆସିଲା । ଛାତିରୁ ଆଗ୍ରହ ଓ ଉତ୍ସାହ କୁଆଡ଼େ ଉଭେଇଗଲା । ସର୍ବ ଅବୟବରେ ଅସହାୟ ଭାବ ଦେଖାଦେଲା-ସତେ ଯେପରି ସେ ବିଷାଦର ପ୍ରତୀକ !

 

ଚୌଲା ଅଭିନୟ ବନ୍ଦ କଲା । ସେ ନିଜକୁ ପାର୍ବତୀ ବୋଲି କଳ୍ପନା କରି ପ୍ରଭୁଙ୍କୁ ନିଜର କରିବାକୁ ତପସ୍ୟାରେ ଆବିଷ୍ଟା । ଯଦି ପ୍ରଭୁ ପ୍ରସନ୍ନ ନ ହୁଅନ୍ତି, ତେବେ ପ୍ରଭୁ ତାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

 

ହଠାତ୍ ପୂଜାରିଣୀର ଭାବ ବଦଳିଲା । କାମଦେବର ଆବିର୍ଭାବ ତା’ର ଭାବ ଓ ମୁଦ୍ରାରେ ପ୍ରକାଶ ପାଇଲା । ତା’ର ଭାବଭଙ୍ଗୀ ଚଞ୍ଚଳହୋଇ ଉଠିଲା ଓ ଆଶାୟୀ ଚରଣ ଦୁଇଟି ଆଗକୁ ପଡ଼ିଲା ।

 

ବକ୍ରଭଙ୍ଗୀରେ ଆଶାପୂର୍ଣ୍ଣ ନୟନ ନେଇ ଚୌଲା ମୂର୍ତ୍ତି ଉପରେ ଦୃଷ୍ଟି ପକାଇଲା । କିଛିଦୂର ପଛକୁ ହଟି ଦେଖିଲା କାମଦେବଙ୍କ ବାଣ ପ୍ରଭୁଙ୍କୁ ସ୍ପର୍ଶ କଲା । ସେ ବିନମ୍ର ଭଙ୍ଗୀରେ ଆସ୍ତେ ଆସ୍ତେ ପ୍ରଭୁଙ୍କ ନିକଟକୁ ଗଲା, ଯେପରିକି ପ୍ରଭୁ ତାକୁ ଏଇମାତ୍ର ଗ୍ରହଣ କରିବେ ।

 

ପ୍ରଭୁଙ୍କୁଠାରୁ ବିଚ୍ଛିନ୍ନା, ବିରହବିହ୍ୱଳା ପାର୍ବତୀଙ୍କ ସମସ୍ତ ଭାବଭଙ୍ଗୀ ପ୍ରଦର୍ଶନ କରି ସେ କିୟତ୍ ପଛକୁ ହଟିଗଲା । ତା’ର ବଦନରେ ଈଷତ୍ ହାସ୍ୟ ଓ ସନ୍ଦିଗ୍ଧ ଭାବ ଦେଖାଦେଲା । ସେ ଉତ୍ତରୀୟରେ ନିଜର ବକ୍ଷମଣ୍ଡଳ ଲୁଚାଇବାକୁ ଚେଷ୍ଟାକରି ପଛକୁ ହଟିଗଲା । ଗର୍ବ ଓ ବିଜୟର ଭାବ ତା’ର ନୃତ୍ୟ ମଧ୍ୟରେ ଶରୀରରେ ଦେଖାଦେଲା ।

 

ହଠାତ୍ ସେ ଆତଙ୍କିତ ହୋଇ ନୃତ୍ୟ ବନ୍ଦ କରିଦେଲା । ତା’ ପଛରେ ଥିବା ନର୍ତ୍ତକୀମାନେ ପ୍ରଭୁଙ୍କର ମନର ଭାବକୁ ରୂପ ଦେଇ ଗୀତ ଗାଇବାକୁ ଆରମ୍ଭ କଲେ ।

 

“ମୁଁ ଶକ୍ତିମାନ ଈଶ୍ୱର । କିନ୍ତୁ କାହିଁ ମୋର ଶକ୍ତି ? ପ୍ରେମ ମୋତେ ଅନ୍ଧ କରିଛି ଓ ମୋର ବ୍ୟବହାରରେ ବିଲକ୍ଷଣତା ଦେଖାଦେଇଛି ।”

 

“ମୁଁ ସାମାନ୍ୟ ଜଣେ ସ୍ତ୍ରୀର ପ୍ରେମରେ ଯେବେ ଏପରି ହୁଏ, ତେବେ ସାଧାରଣ ଲୋକ ନିଜର ଦୁର୍ବଳ ମୁହୂର୍ତ୍ତରେ କୌଣସି ଭୁଲ କାର୍ଯ୍ୟ କଲେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ଅଛିକି-?”

 

ଗଙ୍ଗସର୍ବଜ୍ଞ ନିଜକୁ ଭୁଲିଯାଇ ଏହି ଗୀତ ବୋଲିବାକୁ ଲାଗିଲେ-

 

“ଏହି ବିବେକବୁଦ୍ଧି ଜାଗ୍ରତ ହେବାମାତ୍ରେ ଭଗବାନ ଶଙ୍କର ସୁନ୍ଦରୀକୁ ନିଜର ଜାନୁ ଆସନରେ ବସିବାକୁ କ୍ଷାନ୍ତକଲେ । କାରଣ, ଈଶ୍ୱର ମୋହ ବଶବର୍ତ୍ତୀ ହେବା ଅସମ୍ଭବ ।”

 

ଭାବପ୍ରବଣତାର ଆବେଗବଶରୁ ସେ ଥରିଉଠିଲା । ତା’ର ନୂପୁରରୁ ଭୟମିଶ୍ରିତ ସମ୍ଭ୍ରମ ପ୍ରକାଶ ପାଇବାକୁ ଲାଗିଲା ।

 

ସଙ୍ଗୀତ ବଢ଼ିଚାଲିଲା । ପ୍ରଭୁଙ୍କ ତୃତୀୟ ନୟନରୁ ଅଗ୍ନି ବାହାରି କାମଦେବକୁ ଭସ୍ମୀଭୂତ କରିଦେଲା ।

 

ଚୌଲା ସ୍ତବ୍ଧ ହୋଇ ଆଖିରେ ହାତ ଦେଲା ।

 

ତା’ର ସହାୟକ କାମଦେବର ଏ ଅବସ୍ଥା ଦେଖି ସେ ହେଲା ବିମର୍ଷ । ତା’ର ମୁଖ ଏବଂ ଚାଲିଚଳନରେ ଦୈନ୍ୟ ପ୍ରକାଶ ପାଇଲା । ତାଙ୍କ ପାଇଁ ଲୁହ ଗଡ଼ାଇଲେ ମଧ୍ୟ କିଛି ଫଳ ହେଲା ନାହିଁ । ଆଉ ପ୍ରଭୁଙ୍କୁ ପାଇବ ନାହିଁ ବୋଲି ସେ ଜାଣିଲା ।

 

ବାଜା ବାଜିଉଠିଲା । ଚୌଲାର ଗୋଡ଼ ହଠାତ୍ ରହିଗଲା । ହାତ ମଧ୍ୟ ନିସ୍ପନ୍ଦ ହୋଇଗଲା । ଆଖିରେ ଢଳଢଳ ଲୁହ । ସେ ଅସ୍ୱସ୍ତି ବୋଧକଲା ।

 

ଚୌଲାରୂପୀ ପର୍ବତକନ୍ୟା ଧ୍ୟାନମଗ୍ନ ହେଲା । ତା’ ଭାବନା ନୃତ୍ୟଭଙ୍ଗୀରେ ପ୍ରକାଶ କରି ଏକଲୟରେ ପ୍ରଭୁଙ୍କ ଉପରେ ଆଖି ରଖିଲା । ଆସ୍ତେ ଆସ୍ତେ ତା’ର ଭାବ ହେଲା ଶକ୍ତ, ପଦକ୍ଷେପ ହେଲା ଦୃଢ଼ । କଠୋରତାର ଭାବ ତା’ ନୃତ୍ୟରେ ଫୁଟିଉଠିଲା ।

 

ଯୋଗୀମାନେ ଯେପରି ଆସନରେ ବସନ୍ତି, ସେହିପରି ସେ ବସିଲା । ନାସାଗ୍ରରେ ଚକ୍ଷୁ ନିବଦ୍ଧ କରି ବାଦ୍ୟ ବାଜିବା ସଙ୍ଗେ ସଙ୍ଗେ ସେ ଧ୍ୟାନମଗ୍ନ ହେଲା ।

 

ହଠାତ୍ ଯେପରି ତା’ର ଧ୍ୟାନ କିଏ ଭାଙ୍ଗିଦେଲା, ସେହିପରି ଭାବ ତା’ଠାରେ ଦେଖାଦେଲା । ଜଣେ ବୃଦ୍ଧ ବ୍ରାହ୍ମଣ ତା’ ନିକଟକୁ ଆସିଲେ । ନୃତ୍ୟ ସାହାଯ୍ୟରେ ସେ ତାଙ୍କୁ କଲା ସ୍ୱାଗତ । ମନେ ମନେ ତାଙ୍କର ଗୋଡ଼ ଧୋଇଦେଲା, ସାଷ୍ଟାଙ୍ଗ ପ୍ରଣିପାତ କରି ଅତିଥିଙ୍କୁ ସେ କଲା ସ୍ୱାଗତ । ଏକ ଧ୍ୟାନରେ ସେ ତାଙ୍କ କଥା ଶୁଣିଲା । ତା’ପରେ ଚାଲିଲା ସଙ୍ଗୀତର ଆବୃତ୍ତି-

 

“ପାର୍ବତୀ ! କେଡ଼େ ନିର୍ବୋଧ ତୁମେ ସତେ ! ଇନ୍ଦ୍ରଙ୍କ ପରି ଦେବତାଙ୍କୁ ଛାଡ଼ି ସଂସାର ବିଷୟରେ ଜ୍ଞାନ ନ ଥିବା ଜଣେ ଅଦ୍ଭୁତ ପୁରୁଷଙ୍କୁ ପ୍ରେମ କରୁଛ ?

 

“ତୁମ ପକ୍ଷରେ ଏପରି କରିବା ଉଚିତ କି ? କାହିଁ ତୁମର ପଦ୍ମପାଖୁଡ଼ା ପରି ସୁନ୍ଦର ନେତ୍ର ଓ ତାଙ୍କର ତିନୋଟି ବିରୂପ ଚକ୍ଷୁ !

 

“ତୁମ ମୁଖ ଏଡ଼େ ସୁନ୍ଦର ଯେ ଚନ୍ଦ୍ର ହିଂସା କରିବ; କିନ୍ତୁ ଶିବ ପଞ୍ଚମୁଖ ।

 

“ତୁମର କେଶବିନ୍ୟାସ ଏଡ଼େ ସୁନ୍ଦର, ସତେ ଯେପରି ଦିବ୍ୟ ନାଗୁଣୀ । ଶିବଙ୍କ କେଶ ଜଟାମଣ୍ତିତ ।

 

“ତୁମ ଶରୀରୁ ସୌରଭ ବିଚ୍ଛୁରିତ ହେଉଛି । ସେ ଶ୍ମଶାନର ଭସ୍ମ ବିଲେପିତ ।

 

“ତୁମେ ମୂଲ୍ୟବାନ୍ ପଟ୍ଟବସ୍ତ୍ରରେ ବିଭୂଷିତ । ଶିବ ହାତୀ ଚମଡ଼ାଆବୃତ ।

 

“ତୁମେ ସୁନ୍ଦର ସୁନ୍ଦର ଗହଣା ପିନ୍ଧ; ତାଙ୍କ ଦେହ ସର୍ପମଣ୍ତିତ ।”

 

ଏହି ସଙ୍ଗୀତ ବୋଲାଯାଉଥିବା ସମୟରେ ଚୌଲା ମୁହଁରେ ଅବଜ୍ଞାର ଭାବ ପ୍ରକାଶ ପାଉଥାଏ । ସଙ୍ଗୀତ ଏ ପର୍ଯ୍ୟନ୍ତ ଆସିଲାବେଳକୁ, ତା’ର ବଳାଗଣ୍ଠି ଖୁବ୍ ଅସ୍ଥିର ହୋଇଉଠିଲା । କ୍ରୋଧ ପ୍ରକାଶ କରି ଥରିଉଠିଲା ତା’ର ଛାତି ।

 

ବାଜା ଖୁବ୍ ଜୋରରେ ବାଜିଲା ।

 

କ୍ରୋଧରେ ଜର୍ଜରିତ ପାର୍ବତୀଙ୍କ ଆଖିରୁ ଅଗ୍ନିଶିଖା ବାହାରିଲା । ଯେଉଁ ଜାଗାରେ ଭକ୍ତ ବ୍ରାହ୍ମଣ ବସିବାର କଥା, ତା’ ଚାରିପାଖେ ସେ ରାଗରେ ଶୀଘ୍ର ଶୀଘ୍ର ପ୍ରଦକ୍ଷିଣ କଲେ । ସେ ଘୃଣାଭାବ ପ୍ରକାଶ କରି ବ୍ରାହ୍ମଣଙ୍କ ଆଡ଼କୁ ଦୃଷ୍ଟି ପକାଇଲା । ତାହାର ଚାଲିଚଳଣ, ଆଖି ଓ ମୁହଁ ସବୁଥିରୁ ତୁଚ୍ଛଜ୍ଞାନ ପ୍ରକାଶ ପାଉଥିଲା । ଶେଷଥର ସେ ବ୍ରାହ୍ମଣଙ୍କଆଡ଼େ ଦୃଷ୍ଟି ନିକ୍ଷେପ କଲା ।

 

ହଠାତ୍ ଚୌଲା ବିସ୍ମିତ ହୋଇ ଉପରକୁ ଚାହିଁଲା । ବ୍ରାହ୍ମଣ ସ୍ୱୟଂ ପ୍ରଭୁଙ୍କର ରୂପ ଗ୍ରହଣ କଲେ । ଆକାଶରେ ଘଡ଼ଘଡ଼ି ଶବ୍ଦ ହେବା ପରି ବାଜା ବାଜିଉଠିଲା । ମୁହୂର୍ତ୍ତକ ପାଇଁ ସଙ୍ଗୀତ ଗାନ ବନ୍ଦ ହୋଇଗଲା ।

 

ଚୌଲା ନିଜ ନୃତ୍ୟରେ ଏତେ ମଗ୍ନ ହୋଇଥିଲା ଯେ, ମନେହେଲା ଯେପରି ଲିଙ୍ଗରୁ ପ୍ରଭୁଙ୍କର ଆବିର୍ଭାବ ହେଲା । ନୃତ୍ୟରୁ ଶିରାପ୍ରଶିରାରେ ପ୍ରକାଶ ପାଉଥିବା ଆନନ୍ଦ ପ୍ରତୀୟମାନ ହେଲା । ଆଜି ତା’ର ହୃଦୟ ଆନନ୍ଦରେ ପୂରିଯାଇଛି । ଏହି ଆନନ୍ଦରେହିଁ ତା’ର ଜନ୍ମ ।

 

ଚୌଲା ଭୁଲିଗଲା ଯେ ସେ ନୃତ୍ୟ କରୁଛି । ସେ ବସ୍ତୁତଃ ଅନୁଭବ କଲା ଯେପରି ତା’ର ପ୍ରେମିକ ଆଗରେ ଠିଆହୋଇଛନ୍ତି । ତା’ର ଜୀବନର ଏକମାତ୍ର ଲକ୍ଷ୍ୟ ଆଜି ସଫଳ ହୋଇଛି । ନୃତ୍ୟ ବ୍ୟତୀତ ଅନ୍ୟସବୁ ସେ ଭୁଲିଗଲା । ସେ ଯେ ନାଚ ଏବଂ ତାଳ ଶିକ୍ଷା କରିଛି, ଏହା ମଧ୍ୟ ଭୁଲିଗଲା । ଆନନ୍ଦରେ ଗଦ୍‍ଗଦ୍‍ ହୋଇ ନିଶ୍ୱାସ ନେବାକୁ ମଧ୍ୟ କଷ୍ଟ ଅନୁଭବ କଲା । ଭାବପ୍ରବଣତା ଯୋଗୁଁ ତା’ର ଆଖି ବିସ୍ଫାରିତ ହୋଇଗଲା ।‬‬‬‬‬‬‬‬‬‬‬‬‬‬‬‬‬‬

 

ଚୌଲାର ପାଦ ଆଉ ତଳେ ନ ଲାଗି ଶୂନ୍ୟରେ ଚାଳିତ ହେଲା ପରି ବୋଧହେଲା । ହାତ ଲତା ପରି ତରଙ୍ଗାୟିତ ହେଲା ଓ ଆଖିରୁ ବାହାରିଲା ଦିବ୍ୟ ଜ୍ୟୋତି ।

 

ଆନନ୍ଦରେ ସେ ପ୍ରଭୁଙ୍କ ଚାରିପାଖରେ ପ୍ରଦକ୍ଷିଣ କଲା । ପ୍ରଭୁଙ୍କ ବାହନ ନନ୍ଦୀକୁ ସେ କଲା ଆଲିଙ୍ଗନ । ସତେ ଯେପରି ଯେ ପ୍ରଭୁଙ୍କୁ ଆଲିଙ୍ଗନ କରୁଥିବା ଭଳି ଏବଂ ପ୍ରଭୁ ତାକୁ ପ୍ରେମାଲିଙ୍ଗନ କଲାଭଳି ସେ ଅନୁଭବ କଲା । ସେ ମଧ୍ୟ ଅନୁଭବ କଲା ଲଜ୍ଜା ।

 

ନୃତ୍ୟର ଗତି ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସଙ୍ଗୀତର ମୂର୍ଚ୍ଛନା ବଢ଼ିବାକୁ ଲାଗିଲା । ତା’ର ହୃଦୟର ଚଞ୍ଚଳତା ଏବଂ ପାଦର ଗତି ମଧ୍ୟ ବଢ଼ିଲା । ସେ ଆଉ ନିଜକୁ ସଂଯତ କରିପାରିଲା ନାହଁ-। ତା’ର ନୃତ୍ୟ ପ୍ରେମସଙ୍ଗୀତରେ ପରିଣତ ହେଲା । ଆନନ୍ଦର ବନ୍ୟା ସେ ରୋଧ କରି ନ ପାରି ତଳେ ପଡ଼ିଗଲା ।

 

ବାଜା ବାଜିବା ବନ୍ଦ ହୋଇଗଲା । ଉପସ୍ଥିତ ଯାତ୍ରୀବୃନ୍ଦ ସ୍ତବ୍‌ଧ ହୋଇଗଲେ । ଗଙ୍ଗସର୍ବଜ୍ଞଙ୍କ ଆଖିରୁ ଆନନ୍ଦାଶ୍ରୁ ଗଡ଼ିଲା । ତା’ପରେ ଆଉ ଏକ ଦୃଶ୍ୟ, ଯାହାକି ଗତ ସତେଇଶ ବର୍ଷ ମଧ୍ୟରେ ଦେଖାଯାଇ ନ ଥିଲା । ବୃଦ୍ଧ ଗଙ୍ଗସର୍ବଜ୍ଞ ଆସ୍ତେ ଆସ୍ତେ ଚୌଲା ନିକଟକୁ ଯାଇ ତାକୁ ଉଠାଇଲେ । ତାକୁ ସାଙ୍ଗରେ ନେଇ ଗମ୍ଭୀରା ନିକଟକୁ ଯାଇ ପ୍ରଭୁ ଶିବଙ୍କୁ କହିଲେ, “ପ୍ରଭୁ, ଏହି ବାଳିକାକୁ ତୁମେ ଗ୍ରହଣ କର । ଯେ ପର୍ଯ୍ୟନ୍ତ ଚୌଲା ବଞ୍ଚିଥିବ ସେ ପର୍ଯ୍ୟନ୍ତ ତୁମ ପୁଣ୍ୟତିଥି ପ୍ରତି ଶିବରାତ୍ରିରେ ତୁମ ସମ୍ମୁଖରେ ରାତ୍ରିସାରା ନାଚିବ ।” ଏହା କହି ସେ ଚୌଲାକୁ ପ୍ରଭୁଙ୍କ ସମ୍ମୁଖରେ ଶୁଆଇଦେଲେ ।

 

ଚୌଲା ଆସ୍ତେ ଆସ୍ତେ ନିଜର ଆଖି ଫିଟାଇଲା । ଏହା ହେଉଛି ତା’ର ଜୀବନର ସର୍ବଶ୍ରେଷ୍ଠ ମୁହୂର୍ତ୍ତ । ତା’ ସମ୍ମୁଖରେ ଜଟାଧାରୀ ପ୍ରଭୁଙ୍କୁ ସାକ୍ଷାତ୍ କଲା ପରି ସେ ଅନୁଭବ କଲା ।

 

“ଇହଲୋକରେ ଓ ପରଲୋକରେ ମୁଁ ତୁମରି, ପ୍ରଭୁ !” କହି ଚୌଲା ପୁଣି ଅଜ୍ଞାନ ହୋଇଗଲା ।

Image

 

Unknown

ପ୍ରଭୁଙ୍କ କ୍ରୋଧ

 

ହଠାତ୍ ଯାତ୍ରୀମାନଙ୍କ ମଧ୍ୟରେ ଚହଳ ପଡ଼ିଗଲା । ପଛରେ ଥିବା କେହି ଲୋକ ଯେପରି ମାଡ଼ି−ଚକଟି ଆଗକୁ ଆସିବାକୁ ଚେଷ୍ଟାକରୁଛି । ଗଙ୍ଗସର୍ବଜ୍ଞ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କ ସମ୍ମୁଖରେ ଲୋକଙ୍କର ଏପରି ବିଶୃଙ୍ଖଳ ବ୍ୟବହାର ସେ କେବେହେଲେ ଦେଖିନଥିଲେ । ପୂଜା ଚାଲିଥିବା ସମୟରେ ମନ୍ଦିରର ଶାନ୍ତି ଭାଙ୍ଗିବାକୁ କିଏ ସାହସ କଲା ?

 

ଯାତ୍ରୀମାନଙ୍କ ମଧ୍ୟରୁ ଆବିର୍ଭୂତ ହେଲା ଜଣେ ଉନ୍ମତ୍ତ ବ୍ୟକ୍ତି । ଧୀର ଗମ୍ଭୀର ଭାବରେ “ମହାରାଜା ଭୀମଦେବଙ୍କର ଜୟ ହେଉ” ବୋଲି ସେ କହି ଉଠିଲେ ।

 

ମନ୍ଦିର ମଧ୍ୟରେ କିଏ ତାଙ୍କୁ ଏଭଳି ସ୍ୱାଗତ କରୁଛି ବୋଲି ଜାଣିବାପାଇଁ ବିସ୍ମିତ ହୋଇ ରାଜା ଭୀମଦେବ ନିଜ ଆସନରୁ ଉଠିପଡ଼ିଲେ ।

 

ଗଙ୍ଗସର୍ବଜ୍ଞ ହୁକୁମ୍‍ କଲେ, “ଯେ ହେଉ ପଛକେ ସେ ସମ୍ମୁଖକୁ ଆସୁ ।”

 

ସେହି ବ୍ୟକ୍ତି କ୍ଳାନ୍ତ ହେଲାଭଳି ଆଗକୁ ଆସିଲେ । ସେ ଗଙ୍ଗସର୍ବଜ୍ଞଙ୍କ ନିକଟକୁ ଯାଇ ଯଥାବିଧି ତାଙ୍କ ଗୋଡ଼ତଳେ ପଡ଼ି କହିଲେ, “ନମଃ ଶିବାୟ ।”

 

ଗଙ୍ଗସର୍ବଜ୍ଞ “ଶିବାୟ ନମଃ” କହି ପଚାରିଲେ, “ତୋର ପରିଚୟ ବାପ ?”

 

ଭୀମଦେବ କହିଲେ, “ଏ ତ ମୂଲା ରାଠୋର !”

 

ମୂଲା ଉଠିପଡ଼ି ଭୀମଦେବଙ୍କୁ ପ୍ରଣାମ କରି କହିଲେ, “ବାପୁ, ମେହେତାଜୀ ମୃତପ୍ରାୟ । ଆପଣ ଚଞ୍ଚଳ ଚାଲନ୍ତୁ ।”

 

ମନ୍ତ୍ରୀ ବିମଳ ମୂଲାକୁ ହଲାଇ ଦେଇ ପଚାରିଲେ, “ମେହେତାଜୀ ? ତା’ମାନେ ଦାମୋଦର ? ସେ କେଉଁଠାରେ ? ତୁମେ କେଉଁଠୁ ଆସିଛ ? ସେ ତ ସଫାଳଦକ୍ଷ ଯାଇଥିଲେ ।” କ୍ଳାନ୍ତ ଅନୁଭବ କରୁଥିଲେ ସୁଦ୍ଧା ମୂଲା ପ୍ରତିବାଦ କରି କହିଲେ, “ବାପୁ, ମୁଁ ଆପଣଙ୍କୁ ସତ କହୁଛି । ସେ ସଫାଳଦକ୍ଷରେ ନାହାନ୍ତି । ସେ ଏହି ପ୍ରଭାସର ଦ୍ୱାରଦେଶରେ ପ୍ରାୟ ମୃତାବସ୍ଥାରେ ଅଛନ୍ତି । ଆମେ ଦଶଦିନ ହେବ କିଛି ଖାଇନାହୁଁ କି ଶୋଇନାହୁଁ । ଆମର ଭାରବାହୀ ଗଧମାନଙ୍କ ମଧ୍ୟରୁ ଚାରୋଟି ସର୍ବୋତ୍କୃଷ୍ଟ ଜନ୍ତୁ କ୍ଳାନ୍ତ ହୋଇପଡ଼ିଛନ୍ତି । ମହାରାଜ, ସମୟ, ଥାଉଁ ଥାଉଁ ଆପଣ ଆସନ୍ତୁ-। ନ ହେଲେ ମେହେତାଜୀଙ୍କୁ ଆପଣ ଜୀବନରେ ଦେଖିପାରିବେ ନାହିଁ । ଗୋଳମାଳ ହୋଇଯିବ-।”

 

ଭୀମଦେବ ଆଶ୍ଚର୍ଯ୍ୟ ହୋଇଗଲେ । ମନ୍ତ୍ରୀ ଦାମୋଦର ମେହେତାଙ୍କୁ ସେ ସଫାଳଦକ୍ଷ ରାଜାଙ୍କ ସହିତ ସନ୍ଧି କରିବା ନିମନ୍ତେ କଥାବାର୍ତ୍ତା କରିବାକୁ ପଠାଇଥିଲେ । ମୂଲା ହେଉଛି ତାଙ୍କର ଗୁପ୍ତ ପତ୍ରବାହକ । ସେ ଏପରି ତରତର ହୋଇ ପ୍ରଭାସକୁ କାହିଁକି ଆସିଲା ଏବଂ ଦାମୋଦର ମେହେତାଙ୍କ ଅବସ୍ଥା ଏପରି ଖରାପ କାହିଁକି ହେଲା ?

“ବାପୁ ! ଚାଲ ।”

 

ମନ୍ତ୍ରୀ ବିମଳ ଅଧୀର ହୋଇ କହିଲେ, “ଆଚ୍ଛା ! ଚାଲ ।”

 

ଗଙ୍ଗସର୍ବଜ୍ଞଙ୍କ ଏତେବେଳକୁ ପ୍ରକୃତ ଘଟଣା ଠିକ୍‌ଭାବେ ବୁଝିଲେଣି । ସେ ଶିଷ୍ୟ ଶିବରାଶିଙ୍କୁ କହିଲେ, “ଏହା ବୋଧହୁଏ ଆମପ୍ରତି କୌଣସି ଭାବୀ ବିପଦର ସଂକେତ । ତୁମେ ସେମାନଙ୍କ ସହିତ ଯାଇ ଦାମୋଦରକୁ ମୋ ଘରକୁ ଆଣ । ମୁଁ ସାଙ୍ଗେ ସାଙ୍ଗେ ଯାଉଛି ।”

 

ଦୁଇଜଣ ସାଧୁଙ୍କ ସହ ଭୀମଦେବ, ବିମଳ ଓ ମୂଲାଙ୍କୁ ନେଇ ଶିବରାଶି ଦାମୋଦରଙ୍କୁ ଦେଖିବାକୁ ଗଲେ ।

 

ଗଙ୍ଗସର୍ବଜ୍ଞଙ୍କ ମନ ଚଞ୍ଚଳ ହୋଇଉଠିଲା । ପ୍ରଭୁ ସୋମନାଥଙ୍କ ଆଡ଼କୁ ଚାହିଁ ପ୍ରଶ୍ନ କଲେ, “ସୃଷ୍ଟିକର୍ତ୍ତା ପ୍ରଭୁ, ଏହାର ଅର୍ଥ କଅଣ?” ଏହାର କୌଣସି ଉତ୍ତର ନ ପାଇ ସେ ପ୍ରଭୁଙ୍କ ପାଦତଳେ ନିଜର ସମସ୍ତ ଚିନ୍ତା ସଭକ୍ତି ଉପସ୍ଥାପିତ କଲେ ।

 

କିଛି ସମୟ ପରେ ମେହେତାଜୀଙ୍କୁ ଖୋଜିବାକୁ ଯାଇଥିବା ଦଳ ଗଙ୍ଗସର୍ବଜ୍ଞଙ୍କ ଘରେ ଆସି ପହଞ୍ଚିଲେ । ସେତେବେଳକୁ ଦାମୋଦର ମେହେତା ଅଚେତ ଅବସ୍ଥାରେ ବିଛଣାରେ ପଡ଼ିଥାନ୍ତି । ତାଙ୍କୁ ପ୍ରାୟ ଚାଳିଶ ବର୍ଷ ବୟସ । ତାଙ୍କ ସୁନ୍ଦର ମୁହଁଟି ହଳଦିଆ ପଡ଼ି ଆଖିମାନ ଫୁଲିଗଲାଣି । ମନ୍ତ୍ରୀ ବିମଳ ତାଙ୍କ ମୁଣ୍ଡ ଆଉଁସି ଦେଉଥାନ୍ତି ଓ ସର୍ବଜ୍ଞଙ୍କର ଜଣେ ଶିଷ୍ୟ ତାଙ୍କ ଗୋଡ଼ରେ ତେଲ ମାଲିସ୍ କରୁଥାଆନ୍ତି । ଭୀମଦେବ ଦାମୋଦରଙ୍କ ପାଇଁ ଅସ୍ଥିର ହେଉଥାନ୍ତି ।

 

ଗଙ୍ଗସର୍ବଜ୍ଞ ଚକା ପକାଇ କିଛି ଦୂରରେ ବସିଲେ ଏବଂ ଶିବରାଶି ତାଙ୍କ ନିକଟରେ ବସିଲେ । ଘରର ଗୋଟିଏ କ’ଣରେ ଜଣେ ଶିଷ୍ୟ ଔଷଧ ତିଆରି କରୁଥାନ୍ତି ଏବଂ ଅନ୍ୟ ଗୋଟିଏ କ’ଣରେ ମୂଲା ଢୁଳାଉ ଥାଆନ୍ତି ।

 

ଭୀମଦେବ ବାରମ୍ବାର ପ୍ରଶ୍ନ କଲେ, “ଗୁରୁଦେବ ! ଦାମୋଦର ସୁସ୍ଥ ହୋଇଯିବେ ତ ?”

 

“ମୁଁ ତୁମକୁ ପ୍ରତିଶ୍ରୁତି ଦେଉଛି, ସେ ନିଶ୍ଚୟ ସୁସ୍ଥ ହୋଇଉଠିବେ ।” ଏହା କହି ଗଙ୍ଗସର୍ବଜ୍ଞ ଉଠି ଶିଷ୍ୟ ତିଆରି କରୁଥିବା ଔଷଧ ନେଇ ଦାମୋଦର ମେହେତାଙ୍କ ପାଟିରେ ଦେଲେ ।

 

ଅଳ୍ପ ସମୟ ମଧ୍ୟରେ ରୋଗଗ୍ରସ୍ତ ମେହେତାଙ୍କର ପାଟିରୁ ଗୋଟିଏ ଶବ୍ଦ ସେମାନେ ଶୁଣିଲେ । ଆସ୍ତେ ଆସ୍ତେ ସେ ଆଖି ଖୋଲି ଚାରିପାଖରେ ଥିବା ଲୋକଙ୍କୁ ଚିହ୍ନିଲେ । ସାଙ୍ଗେ ସାଙ୍ଗେ ଭୀମଦେବ ସସ୍ନେହରେ ଡାକିଲେ, “ଦାମୋଦର ! ”

 

ଏତେବେଳକୁ ଦାମୋଦର ଭୀମଦେବଙ୍କୁ ଚିହ୍ନିଲେଣି । ସେ ସାଙ୍ଗେ ସାଙ୍ଗେ ବସି, “ବାପୁ, ଅନ୍ନଦାତା ତୁମେ !” ବୋଲି କହି ଭୀମଦେବଙ୍କୁ କୁଣ୍ଢାଇ ପକାଇଲେ ।

 

ଭୀମଦେବ-‘‘ମେହେତା !”

 

ସର୍ବଜ୍ଞ ଆଦେଶ ଦେଲେ, “ଦାମୋଦରଙ୍କୁ ଗୋଟିଏ ତକିଆ ଦିଅ ।”

 

ସର୍ବଜ୍ଞଙ୍କୁ ଚିହ୍ନି ଦାମୋଦର ତାଙ୍କ ପାଦତଳେ ପଡ଼ିବାକୁ ଉଦ୍ୟତ ହେଲେ । ସର୍ବଜ୍ଞ ତାଙ୍କୁ ଉଠାଇ ଧୀରେ ସୁସ୍ଥେ ଗଦିକୁ ଆଉଜାଇ ଦେଇ ପାଖରେ ବସିଲେ ।

 

ସର୍ବଜ୍ଞ ପୁଣି କହିଲେ, “ଆମର ଉଦ୍‌ବେଗର ଆଉ କାରଣ ନାହିଁ । ତୁମେ ସମସ୍ତେ ଘଟଣା ଧୀରେ ସୁସ୍ଥେ କହ ?”

 

ଦାମୋଦର ଆନନ୍ଦରେ “ହେ ତାତ !” ବୋଲି କହିଲାବେଳକୁ ତାଙ୍କ ଗଳାରେ କଫ ଜମିଗଲା । ତାହା କମିଯିବାରୁ ସେ ପୁଣି କହିବା ଆରମ୍ଭ କଲେ ।

 

ଅତି କଷ୍ଟର ସହିତ ସେ କହିଲେ, “ବାପୁ ! ତୁମେ ଏଠାରେ କ’ଣ କରୁଛ ? ଶୀଘ୍ର ପାଟଣ ଯାଅ ।”

 

ଭୀମଦେବ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “କାହିଁକି ?”

 

ଦାମୋଦର କହିଲେ, “କାହିଁକି ? ଗଜନୀର ହମୀର୍‍ ଆମକୁ ଆକ୍ରମଣ କରିବାକୁ ଆସୁଛି ।”

 

ସର୍ବଜ୍ଞ ଓ ଭୀମଦେବ ଉଭୟେ ପାଟି କରି ଉଠିଲେ, “ତୁମେ କ’ଣ ସଜ୍ଞାନରେ ଏହା କହୁଛ ?”

 

ଦାମୋଦର କହିଲେ, “ତା’ର ସୈନ୍ୟବାହିନୀ ପଙ୍ଗପାଳଙ୍କ ଗତିରେ ମାଡ଼ିଆସୁଛନ୍ତି । ସେମାନେ କାଲିପରି ଏଠାରେ ପହଞ୍ଚିଯିବେ ।”

 

ସର୍ବଜ୍ଞ ପଚାରିଲେ, “ଏଠାରେ ?”

 

ଦାମୋଦର ଉତ୍ତର ଦେଲେ, “ହଁ, ସେ ଥାନେଶ୍ୱର ଲୁଟ୍ କରିସାରିଲାଣି; କନୌଜ ନଷ୍ଟଭ୍ରଷ୍ଟ କରିଦେଲାଣି । ବର୍ତ୍ତମାନ ସେ ପ୍ରଭୁ ସୋମନାଥଙ୍କ ବିଜେସ୍ଥଳୀ ନଷ୍ଟ କରିବାକୁ ଆସୁଛି । ପ୍ରଭୁ, ଗୁଜୁରାତକୁ ଏ ବିପଦରୁ ରକ୍ଷାକର ।”

 

“କେବେଠାରୁ ସେ ଗଜନୀ ଛାଡ଼ିଛି ବୋଲି ତୁମେ ଖବର ପାଇଛ ?” ପଚାରିଲେ ଭୀମଦେବ ।

 

ଦାମୋଦର ଉତ୍ତର ଦେଲେ, “ସେ ମାସେ ହେବ ଆସିଲାଣି । ମୁଁ ଖବର ପାଇବା ସାଙ୍ଗେ ସାଙ୍ଗେ ଆପଣଙ୍କ ନିକଟକୁ ଜଣାଇବାକୁ ଠିକ୍ କଲି । ଗତ ଦଶଦିନ ହେଲା ମୁଁ ଶୋଇନାହିଁ କି ବିଶ୍ରାମ ମଧ୍ୟ ନେଇନାହିଁ ।”

 

ଗଙ୍ଗସର୍ବଜ୍ଞ ଆଶ୍ଚର୍ଯ୍ୟ ହୋଇ କହିଲେ, “ଓ, ତାହାହେଲେ ପ୍ରଭୁଙ୍କ ନିବାସସ୍ଥଳୀ ନଷ୍ଟ କରିବାକୁ ସେ ଆସୁଛି ?

 

ଦାମୋଦର କହିଲେ, “ହଁ, ସଫାଳଦକ୍ଷ ରାଜ୍ୟ ଭିତର ଦେଇ ଯେପରି ତା’ର ସୈନ୍ୟବାହିନୀ ବିନା ବାଧାରେ ଆସନ୍ତି ସେଥିପାଇଁ ହମୀର୍‍ ଖବର ପଠାଇଛି ।”

 

ସର୍ବଜ୍ଞ-“ଏଠାରେ ପହଞ୍ଚିବାକୁ ତାକୁ କେତେ ଡେରି ଲାଗିବ ?”

 

ଦାମୋଦର-“କେମିତି କହିବି ? ନିଜର ବିରାଟ ସୈନ୍ୟବାହିନୀ ସହ ତାକୁ ମରୁଭୂମି ଅତିକ୍ରମ କରି ଆସିବାକୁ ହେବ । ଏ ପର୍ଯ୍ୟନ୍ତ ଅତିକ୍ରମ କରିନାହିଁ ।

 

ସର୍ବଜ୍ଞ ହସି କରି କହିଲେ, “ପ୍ରଭୁ ଶଙ୍କରଙ୍କର ଧ୍ୱଜା ମ୍ଳେଚ୍ଛ, ତଳକୁ ଖସାଇ ପାରିବ ବୋଲି କ’ଣ ଭାବୁଛ ଏହି ଦାମ୍ଭିକର ଭଗବତ୍ ଭୟ କ’ଣ ନାହିଁ ?”

 

ଦାମୋଦର-“ଗଜନୀର ହମୀର୍‍ ମୃତ୍ୟୁ−ଦେବତାଙ୍କଠାରୁ ମଧ୍ୟ ଅଧିକ ଭୟଙ୍କର !”

 

ସର୍ବଜ୍ଞ-“ହେଉ,ଆସୁ । ଯେଉଁ ପ୍ରଭୁ ଶଙ୍କର ନିଜ ତୃତୀୟ ନେତ୍ର ସାହାଯ୍ୟରେ କାମଦେବତାକୁ ନଷ୍ଟ କରିଛନ୍ତି, ସେ ଏପର୍ଯ୍ୟନ୍ତ ଶକ୍ତିଶାଳୀ ଅଛନ୍ତି । ଭୀମଦେବ, ଦାମୋଦର ଠିକ୍ କହୁଛି । ତୁମେ ଶୀଘ୍ର ପାଟଣ ଯାଇ ନିଜ ରାଜ୍ୟ ରକ୍ଷାକରିବାର ବ୍ୟବସ୍ଥା କର ।”

 

ଭୀମଦେବ-“ଗୁରୁଦେବ, ମୁଁ ରାଜି । ଗଜନୀର ସୈନ୍ୟବାହିନୀ ପାଟଣ ସୈନ୍ୟବାହିନୀର ମୁଖାମୁଖୀ ହେଲେ ଉଚିତ ଶିକ୍ଷା ପାଇବ । ମେହେତା, ଏହି ବିଦେଶୀ ଆକ୍ରମଣକାରୀର କେତେ ସୈନ୍ୟ ?”

 

ଦାମୋଦର-“କିଏ କହିପାରିବ ? ତାହାର ସୈନ୍ୟବାହିନୀରେ ଲକ୍ଷ ଲକ୍ଷ ଲୋକ ଅଛନ୍ତି ବୋଲି ଶୁଣାଯାଏ ।”

 

ଗଙ୍ଗସର୍ବଜ୍ଞ କହିଲେ-”ଯାହାକୁ ଭଗବାନ ସାହାଯ୍ୟ କରିବେ ତା’ର କିଏ ଅନିଷ୍ଟ କରିପାରେ ? ପ୍ରଭୁ ସୋମନାଥ ତୁମକୁ ସାହଯ୍ୟ କରନ୍ତୁ । ତୁମେ ଅଗ୍ରସର ହୁଅ ।”

 

ଭୀମଦେବ-“ଗୁରୁଦେବ ! ଗଜନୀର ହମୀର୍‍ ସହିତ ଯୁଦ୍ଧ କରିବାକୁ ସୁଯୋଗ ଦେଇଥିବାରୁ ମୁଁ ପ୍ରଭୁ ଶଙ୍କରଙ୍କ ନିକଟରେ କୃତଜ୍ଞ । ଭୀମର କଥାବଳୀ ଆପଣ ବର୍ତ୍ତମାନ ଦେଖିବେ । ବିମଳ, ଆସ ପ୍ରସ୍ତୁତ ହେବା ।”

 

ସର୍ବଜ୍ଞ-“ଶେଷରେ ସତ୍ୟରହିଁ ଜୟ ହେବ ବତ୍ସ ! ପ୍ରଭୁ ସୋମନାଥ ସବୁବେଳେ ତୁମ ପାଖରେ ରହିବେ ।”

 

ଯୁଦ୍ଧ ଅବଶ୍ୟମ୍ଭାବୀ ଜାଣି ଭୀମଦେବଙ୍କ ମନରେ ଆନନ୍ଦ ଦେଖାଦେଲା । ଯେଉଁ ବାପର ଏକମାତ୍ର କାମ୍ୟ ଥିଲା ପରସ୍ତ୍ରୀ ଏବଂ ଯେଉଁ ଭାଇର ସାମର୍ଥ୍ୟ ବା ନାମମାତ୍ର ବ୍ୟକ୍ତିତ୍ୱ ନ ଥିଲା, ସେ ଉଭୟଙ୍କୁ ପାଟଣ ଗାଦିଚ୍ୟୁତ କରିବାପାଇଁ ତାଙ୍କୁ କୌଣସି ଅସୁବିଧା ହୋଇନଥିଲା । ମାଳବ ଆକ୍ରମଣ କରିବାକୁ ସେ ପ୍ରସ୍ତୁତ ହେଉଥିଲେ ଏବଂ ବିଜୟୀ ହେବେ ବୋଲି ତାଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା । ତାଙ୍କର ଏକମାତ୍ର ଦୁଃଖ ଯେ, ତାଙ୍କ ସମକକ୍ଷ କୌଣସି ଶତ୍ରୁ ନାହାନ୍ତି ।

 

ଗଜନୀର ହମୀର୍‍ ଲବକୋଟ ରାଣାଙ୍କୁ ପରାଜିତ କରିବା ସଙ୍ଗେ ସଙ୍ଗେ ଥାନେଶ୍ୱରକୁ ଭସ୍ମୀଭୂତ କରି କନୌଜ ସୈନ୍ୟବାହିନୀକୁ ଧ୍ୱସ୍ତବିଧ୍ୱସ୍ତ କରିଥିବା ସମ୍ପର୍କରେ ସେ ବହୁତ ଶୁଣିଛନ୍ତି । ଭାରତଠାରୁ ଏତେ ଦୂରରେ ଥିବା ଗଜନୀର ଶାସକ ମରୁଭୂମି ଡେଇଁ ଗୁଜରାତ ଆକ୍ରମଣ କରିବ ବୋଲି କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ ।

 

ଭଗବାନ ତାଙ୍କୁ ଏପରି ସୁଯୋଗ ଦେଇଥିବାରୁ ଭୀମଦେବ ଆଜି ଖୁସି । ଭାରତର ପୁଣ୍ୟତମ ତୀର୍ଥଭୂମି ଧ୍ୱସ୍ତବିଧ୍ୱସ୍ତ କରିବାକୁ ଆସୁଥିବା ବିଦେଶୀକୁ ଯୁଦ୍ଧରେ ଯେବେ ହରାନ୍ତି, ତାହା ଅପେକ୍ଷା ଅଧିକ ସେବା କ’ଣ ବା ସେ ପ୍ରଭୁ ସୋମନାଥଙ୍କର କରିପାରିବେ ? ଅବଶ୍ୟମ୍ଭାବୀ ଯୁଦ୍ଧପାଇଁ ଭୀମଦେବ ଅତିମାତ୍ରାରେ ଉତ୍ସାହୀ ହୋଇଉଠିଲେ ।

Image

 

ଶୁଭଦୃଷ୍ଟି

 

ରାତି ଅଧ ବିତିଗଲାଣି । ପାଟଣ ଯିବାପାଇଁ ବିମଳ ସମସ୍ତ ଆୟୋଜନ ପ୍ରାୟ ଶେଷ କଲେଣି । ଯାତ୍ରାର ଶୁଭମୁହୂର୍ତ୍ତ ପାଇଁ ଆଉକିଛି ସମୟ ବାକି ଅଛି । ଭୀମଦେବ ନିଜେ ଅସ୍ତ୍ରଶସ୍ତ୍ର ସହ ପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି; ଅନ୍ୟମାନଙ୍କ ପାଇଁ ଅପେକ୍ଷା କରି ସେ ପିଞ୍ଜରାବଦ୍ଧ ସିଂହ ପରି ଅଧୈର୍ଯ୍ୟଭାବେ ଆଗକୁ-ପଛକୁ ଟହଲ ମାରୁଛନ୍ତି ।

 

ହଠାତ୍ ତାଙ୍କ ମନକୁ ଗୋଟିଏ ଚିନ୍ତା ଆସିଲା । ବାକି ସମୟତକ ମନ୍ଦିରକୁ ଯାଇ ପ୍ରଭୁ ସୋମନାଥଙ୍କୁ କାହିଁକି ଆରାଧନା ନ କରିବେ ?

 

ସେ ସର୍ବଜ୍ଞଙ୍କ ଘରୁ ଯାଇ ପହଞ୍ଚିଲେ ମନ୍ଦିରରେ । ସେତେବେଳକୁ ଲୋକଗହଳି ଭାଙ୍ଗିଲାଣି; କେବଳ ଦୁଇ ତିନିଜଣ ଭକ୍ତ ବସି ମନ୍ତ୍ର ପଢ଼ୁଛନ୍ତି । ଅଧିକାଂଶ ଦୀପ ଲିଭିଗଲାଣି । ସେ ପୂଜାମଣ୍ତପକୁ ଯାଇ ଦେଖନ୍ତି ସେଠାରେ କେହି ନାହାନ୍ତି । ଗଛ ଶାଖା ଭିତର ଦେଇ ଆଲୁଅ ଯେପରି ଉପରୁ ଆସି ବିନ୍ଦୁ ବିନ୍ଦୁ ହୋଇ ତଳେ ପଡ଼େ, ସେହିପରି ଦଣ୍ତାୟମାନ ସ୍ତମ୍ଭଗୁଡ଼ିକୁ ଅତିକ୍ରମ କରି ନାଟମନ୍ଦିରରେ ଚନ୍ଦ୍ର କିରଣ ପଡ଼ୁଛି ।

 

ଜୁଳୁଜୁଳୁ ହୋଇ ଅଳ୍ପ କେତୋଟି ତେଲଦୀପ ଜଳୁଥିବା ଗମ୍ଭୀରା ଭିତରକୁ ସେ ନୀରବରେ ଆସିଲାବେଳକୁ ଖମ୍ବର ଆଢ଼ୁଆଳରେ ଦଣ୍ତାୟମାନ ଜଣେ ବ୍ୟକ୍ତି ଉପରେ ତାଙ୍କର ଦୃଷ୍ଟି ପଡ଼ିଲା । ସେ ଆଶ୍ଚର୍ଯ୍ୟ ଓ ସ୍ଥିର ହୋଇଗଲେ ।

 

ଏହି ବ୍ୟକ୍ତିଟିର ଚେହେରା ଭୟଙ୍କର । ଦୀର୍ଘ ଧୂସର ଦେହ, ମସ୍ତକରେ ଦୀର୍ଘ କେଶ । ବେକରେ ମଣିଷ ମୁଣ୍ତମାଳ, ପାଦରେ ବଳୟ, ହାତରେ ଦୀର୍ଘ ଅସ୍ଥିଖଣ୍ତ । ଉପର ଓଷ୍ଠ ଆବରଣ ଅତିକ୍ରମ କରି ଲୋକଟାର ଭୟଙ୍କର ଦାନ୍ତଗୁଡ଼ାକ ପରିଷ୍କାର ଦେଖାଯାଉଛି ।

 

ଭୀମଦେବ ଏହି ଚେହେରା ଦେଖି ପ୍ରଥମେ ଭୟଭୀତ ହୋଇଗଲେ । ଭାବିଲେ, ଧ୍ୱଂସକାରୀ ରୂପରେ ପ୍ରଭୁ ସୋମନାଥଙ୍କ ବିଜେସ୍ଥଳୀ ରକ୍ଷାକରିବାପାଇଁ ଆସିଥିବା ଭୈରବ ନିଜେ ଦଣ୍ତାୟମାନ ! କିନ୍ତୁ ଦେଖି କ୍ଷଣକ ପରେ ବୁଝିଲେ ଏ ହେଉଛି ଭୈରବ ସମ୍ପ୍ରଦାୟର ଅନୁଗାମୀ ଜଣେ କାପାଳିକ । ଏ ଭୟଙ୍କର ରୂପ ଦେଖି ସେ ପଳାଇଯିବାକୁ ଉଦ୍ୟତ ହେଲେ, କିନ୍ତୁ ତାଙ୍କ ଗୋଡ଼ ଆଉ ଚଳିଲା ନାହିଁ ।

 

ଭୀମଦେବ ଲକ୍ଷ୍ୟକଲେ କାପାଳିକର ଲାଲ ଆଖି ଦୁଇଟି ଗମ୍ଭୀରାରେ ଥିବା କୌଣସି ନିର୍ଦ୍ଦିଷ୍ଟ ବସ୍ତୁ ଉପରେ ତୀକ୍ଷଣଭାବେ ପଡ଼ିଚି ।

 

ସେହି ବସ୍ତୁଟି କ’ଣ ତାହା ଜାଣିବାକୁ ସେଆଡ଼କୁ ସେ ଆଖି ପକାଇଲେ । ପ୍ରଥମେ ଭାବିଲେ, ହୁଏତ ତାହା ଏକ ଫୁଲଗଦା । ତାଙ୍କ ଆଖି ଆଉ ଟିକିଏ ଭଲଭାବେ ପଡ଼ିବାରୁ ଏହା ଏକ ମଣିଷ ଶରୀର ବୋଲି ଜଣାଗଲା । ସେ ଦେଖିଲେ ଏକ ସୁଗଠିତ ମଣିଷର କାନ୍ଧ ଓ ନରମ ହାତ । ହଠାତ୍ ତାଙ୍କ ମନକୁ ଆସିଲା-ଏ ତ ମନ୍ଦିରର ନର୍ତ୍ତକୀ ଚୌଲା ! ଭୂମିରେ ମସ୍ତକ ଲଗାଇ ସେ ପ୍ରାର୍ଥନା କରୁଛି ।

 

ଏପର୍ଯ୍ୟନ୍ତ ବି ସେ ସେହିପରି ସ୍ଥିର । ସେ କ’ଣ ମୃତା ? କାପାଳିକ ଚୌଲାକୁ କାହିଁକି ଏପରି ଅନାଇଛି ?

 

କିଛି ସମୟପରେ ଚୌଲା ମୁଣ୍ତ ଉଠାଇଲା । ତା’ ହେଲେ ସେ ଜୀବିତା ! କାପାଳିକ କ’ଣ ଏଠାକୁ ତାକୁ ଆଣିଥିଲା ? ସେ ଚୌଲାପାଇଁ ଏପର୍ଯ୍ୟନ୍ତ ଅପେକ୍ଷା କରିଛି ? ଚୌଲା ଉଠି ହାତଯୋଡ଼ି ପ୍ରାର୍ଥନା କରିବା ପର୍ଯ୍ୟନ୍ତ ଭୀମଦେବ ବା କାପାଳିକ କେହି ହଲ୍‍ଚଲ୍ ହୋଇନଥିଲେ-

 

ଚୌଲା ହଠାତ୍‍ ଉଠିପଡ଼ିଲା । ସେ ତାଳଲୟରେ କେତେଥର ଗୋଡ଼ ପକାଇବାପରେ ଆନନ୍ଦରେ ହସିଉଠିଲା । ତା’ପରେ ସସ୍ନେହରେ ସେ କହିଉଠିଲା, “ପ୍ରଭୁ ! ମୁଁ ତୁମର ।” ଏହା କହି ଆଖି ନଚାଇ ଆନନ୍ଦ ପ୍ରକାଶ କରି ହସିଲା ଏବଂ ଗମ୍ଭୀରା ଭିତରୁ ବାହାରି ଆସ୍ତେ ଆସ୍ତେ ଦକ୍ଷିଣଦ୍ୱାର ଦିଗକୁ ଗଲା ।

 

ଭୀମଦେବ ଟିକିଏ ପଛେଇ ଗଲେ । କାପାଳିକ ଚୌଲା ପଛେ ପଛେ ଖମ୍ବ ଆଢ଼ୁଆଳରେ ଲୁଚି ଲୁଚି ଗତି କଲା ।

 

ପ୍ରଭୁଙ୍କର ଆରାଧନା ଓ ଆଗତପ୍ରାୟ ଶତ୍ରୁ, ଉଭୟଙ୍କୁ ଭୀମଦେବ ଭୁଲିଗଲେ । ସେ ମଧ୍ୟ କାପାଳିକ ପଛେ ପଛେ ଗଲେ । କାପାଳିକ ଚୌଲା ପଛରେ ଚାଲିଛି କାହିଁକି ?

 

ତ୍ରିପୁରସୁନ୍ଦରୀଙ୍କ ନିକଟରେ ବଳିଦେବା ଏବଂ ଭୈରବଙ୍କୁ ନରରକ୍ତ ଦେବା ଉଦ୍ଦେଶ୍ୟରେ କାପାଳିକମାନେ ଅନେକ ସମୟରେ ଯୁବତୀ ବାଳିକାମାନଙ୍କୁ ଅପହରଣ କରିବାର ସେ ଶୁଣିଛନ୍ତି । କିନ୍ତୁ ପ୍ରଭୁ ସୋମନାଥଙ୍କର ସେ ନର୍ତ୍ତକୀ, ତାହାକୁ ଏପରି ଅପହରଣ କରିବାପାଇଁ ଚେଷ୍ଟାକରିବା ଯେ ଅସମ୍ଭବ !

 

ଚୌଲା ପଛେ ପଛେ କାପାଳିକ ଏବଂ ତା’ ପଛରେ ଭୀମଦେବ ଛପି ଛପି ଚାଲିଥାନ୍ତି । ସମୁଦ୍ରକୁ ଯିବା ଦ୍ୱାରଦେଶ ଅତିକ୍ରମ କରିବା ରାସ୍ତାରେ ଚୌଲା ଗଲା । ଭୀମଦେବ ଭାବିଲେ-ଏତେ ରାତିରେ ସେ କାହିଁକି ସମୁଦ୍ର ଆଡ଼କୁ ଯାଉଛି ? ମୁହୂର୍ତ୍ତକପାଇଁ ସେ ନିଜକୁ ଦୁଆର ଆଢ଼ୁଆଳରେ ଲୁଚାଇଦେଲେ ଏବଂ କାପାଳିକ ସମୁଦ୍ରକୁ ପଡ଼ିଥିବା ପାହାଚ ପାଖର ଏକ ଗଛଆଢ଼ୁଆଳରେ ଲୁଚିଗଲା ।

 

ଚୌଲା ପାହାଚଦେଇ ସମୁଦ୍ର ଭିତରକୁ ଗଲା ଏବଂ ମୁହୂର୍ତ୍ତକପାଇଁ ତଳ ପାହାଚରେ ଠିଆହେଲା । ତାହାପରେ ସେ ହଠାତ୍ ଦେହରୁ ପରିଧେୟ କାଢ଼ି ଦେଲା । ତାକୁ ଯେ ଦୁଇଜଣ ପୁରୁଷ ଦେଖୁଛନ୍ତି, ଏ ବିଷୟରେ ସେ ଟିକିଏ ସୁଦ୍ଧା ଜାଣି ନାହିଁ । ତାକୁ ଯେପରି ଅବସ୍ଥାରେ ଭଗବାନ ସଂସାରକୁ ପଠାଇଥିଲେ, ସେହି ଅବସ୍ଥା ଧାରଣ କରି ସେ ଦଣ୍ତାୟମାନ ହେବାରୁ ସମୁଦ୍ର ଲହରୀର ପୃଷ୍ଠଭୂମିରେ ଲକ୍ଷ୍ମୀ ସମୁଦ୍ରରୁ ଉଠୁଥିବା ଭଳି ଦେଖାଗଲା ।

 

ଚୌଲାର ଅପରୂପ ସୌନ୍ଦର୍ଯ୍ୟ ଭୀମଦେବଙ୍କୁ ପାଗଳ କରିଦେଲା ।

 

ଚୌଲା ସମୁଦ୍ର ପାଣିକୁ ଡେଇଁପଡ଼ି ତା’ ଭିତରେ ଖେଳିଲା । ସେ ତା’ର ମୁକୁଳା ବାଳକୁ ବାନ୍ଧିଦେଲା ଏବଂ ତା’ର କଅଁଳ ହାତପାପୁଲି କ୍ରମାନ୍ୱୟରେ ନିଜର ଗାଲ, ଛାତି ଏବଂ ତା’ପରେ ପେଟ ଉପରେ ଚାଳନ କଲା । ସେ ପାଣିରେ ବୁଡ଼ି କିଛି ସମୟ ଅଦୃଶ୍ୟ ରହି ତା’ପରେ ଭାସିଉଠିଲା ।

 

ଚନ୍ଦ୍ରଙ୍କର କିରଣ ସମୁଦ୍ର ତରଙ୍ଗ ଅତିକ୍ରମ କରି ତା’ ଦେହରେ ଛାପ ଛାପ ହୋଇ ପଡ଼ୁଥାଏ । ସମୁଦ୍ରରେ ସେ ଭାସିଉଠିବା ସମୟରେ ତା’ର ସୌନ୍ଦର୍ଯ୍ୟ ଦେଖି ମନେହେଲା, ସତେ ଯେପରି ଗୋଟିଏ ସୁନ୍ଦର ଶଙ୍ଖ ଭାସୁଥିବାରୁ ସମୁଦ୍ର ଦୁର୍ଦ୍ଧର୍ଷ ରୂପ ତ୍ୟାଗକରି ସ୍ନେହରେ ସ୍ଥିର ହୋଇଯାଇଛି ।

 

ଭୀମଦେବ ତାଙ୍କ ଜୀବନରେ ବହୁ ସୁନ୍ଦରୀ ଓ ଆକର୍ଷଣୀୟ ରମଣୀ ଦେଖିଛନ୍ତି ; କିନ୍ତୁ କୌଣସି ନାରୀର ସୌନ୍ଦର୍ଯ୍ୟରେ ସେ ଯେ ଏପରି ମୁଗ୍ଧ ହୋଇପାରିବେ, ଏହା କେବେହେଲେ କଳ୍ପନା କରିନଥିଲେ । ସେ ବୋଧହୁଏ ସ୍ୱପ୍ନ ଦେଖୁଛନ୍ତି । ଚନ୍ଦ୍ରକିରଣ, ତରଙ୍ଗ, ମୃଦୁ ସମୀର ଏବଂ ପ୍ରକୃତିର ଅପୂର୍ବ ନୈଶ ମାଧୁରୀ, ଏ ସବୁର ସମ୍ମିଶ୍ରଣରେ ସୃଷ୍ଟି ହୋଇଥାଏ ଗୋଟିଏ ଅଦ୍ଭୁତ ପୃଷ୍ଠଭୂମି ।

 

ଚୌଲା ସ୍ନାନ ସାରି କୂଳଆଡ଼କୁ ପହଁରି ପହଁରି ଯାଇ ସେଠାରେ ଥିବା ଅଳ୍ପ ପାଣିରେ କିଛି ସମୟ ଠିଆହେଲା । ତା’ପରେ ଆପଣାର ଅଙ୍ଗ−ପ୍ରତ୍ୟଙ୍ଗ ପୋଛାପୋଛି କରି ଓ ମୁକୁଳା ବାଳକୁ ଗଣ୍ଠିପକାଇ କୂଳକୁ ଆସିଲା । ଭୀମଦେବ ଏକନିଷ୍ଠଭାବେ ତନ୍ମୟ ହେଲାଭଳି ଠିଆ ହୋଇଥାନ୍ତି ।

 

ହଠାତ୍ ରୋମାଞ୍ଚକ ଦିଗ୍‌ବଳୟ ବଦଳିଗଲା । ଅନ୍ତରାଳରୁ ଆବିର୍ଭାବ ହେଲା କାପାଳିକ-। ସେ ଚୌଲା ନିକଟରେ ଯାଇ ଠିଆହେଲା-

 

ମୁହୂର୍ତ୍ତକ ଆଗର ଆନନ୍ଦ−ଉନ୍ମତ୍ତା ଚୌଲା, ଏହି ଭୟଙ୍କର ରୂପଧାରୀ କାପାଳିକକୁ ସମ୍ମୁଖରେ ଦଣ୍ଡାୟମାନ ଦେଖି, ଭୟରେ ଆର୍ତ୍ତନାଦ କରି ଉଠିଲା । ସମୁଦ୍ର ତରଙ୍ଗଧ୍ୱନିର ସଙ୍ଗୀତମୟ ବାତାବରଣ ବିଦୀର୍ଣ୍ଣ ହେଲା ।

 

ହଠାତ୍ କିଛି ଘଟିଗଲା ଭଳି ଭୀମଦେବଙ୍କର ସ୍ୱପ୍ନଭଙ୍ଗ ହେଲା । ଗୋଟିଏ କୁଦାମାରି ସେ ପହଞ୍ଚିଲେ କାପାଳିକ ନିକଟରେ । ସେ ତା’ ବେକ ଧରି ଗଳାକୁ ଜୋରରେ ଚିପିଧରିଲେ । ଚୌଲାକୁ ଧରିବା ଲାଗି ପ୍ରସାରିତ କାପାଳିକର ହାତ ଏବେ ନିଶ୍ଚେଷ୍ଟ ହୋଇ ରହିଲା ।

 

ଅଣନିଶ୍ୱାସୀ ହେବା ପୂର୍ବରୁ କାପାଳିକ ନିଜକୁ ମୁକ୍ତ କରିବାକୁ ଚେଷ୍ଟାକଲା; କିନ୍ତୁ ଭୀମଦେବ କ୍ରୋଧରେ ତାହାର ଗଳାକୁ ଆହୁରି ଜୋରରେ ଚିପିଧରିଲେ । କାପାଳିକ ତା’ର ସମସ୍ତ ବଳ ଖଟାଇ ତାଙ୍କ ହାତ ଫିଟାଇବାକୁ ଚେଷ୍ଟାକଲା । ଶେଷକୁ ସେ ଭୀମଦେବଙ୍କର ବାହୁକୁ ଧରିପକାଇଲା । ପରସ୍ପରକୁ ତଳେ ପକାଇବାପାଇଁ ଉଭୟଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଗଲା-। ଉଭୟେ ପାଣି ଭିତରକୁ ଗଡ଼ିଗଲେ ।

 

ଭୀମଦେବ କାପାଳିକର ମୁଣ୍ଡ ପାଣିରେ ମାଡ଼ିଦେବାପାଇଁ ପ୍ରବଳ ଚେଷ୍ଟା କଲେ । ପ୍ରତିରୋଧ କରିନପାରି କାପାଳିକ ସମୁଦ୍ରରେ ବୁଡ଼ିଗଲା ଏବଂ ତାହାର ପାପିଷ୍ଠ ଜୀବନର ଅବସାନ ହେଲା ।

Image

 

ଭୀମଦେବ

 

ଭୀମଦେବ ପାଣିରୁ ଉଠିଲେ । ସେ ଦେଖିଲେ ଚୌଲା ଭୂମିରେ ଅଜ୍ଞାନ ଅବସ୍ଥାରେ ପଡ଼ି ଶୁଷ୍କ ଶ୍ୱେତ ପୁଷ୍ପଟିଏ ପରି ଦେଖାଯାଉଛି ।

ମନ୍ତ୍ରମୁଗ୍‌ଧବତ୍ ଭୀମଦେବ ତା’ର କୋମଳ ଶୀତଳ ଦେହକୁ ନିଜ ଛାତିରେ ଆଉଜାଇ ନେଲେ । ଚୌଲା ପ୍ରତି ତାଙ୍କ ହୃଦୟରେ ସଞ୍ଚିତ ପ୍ରେମ ସେ ଅନୁଭବ କଲେ । ତାଙ୍କ ଦୃଷ୍ଟିରେ ସେହି ଅନଭିଜ୍ଞା ବାଳିକା ଏବଂ ତା’ର ଶରୀରର ଗଠନ ପ୍ରକୃତ ରୂପ ନେବାକୁ ଆରମ୍ଭ କରିଛି । ଜଗତର ସର୍ବଶ୍ରେଷ୍ଠ ବିନ୍ଧାଣୀ ସ୍ୱୟଂ ଭଗବାନ ତା’ର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ସତେ ଯେପରି ପୂର୍ଣ୍ଣାଙ୍ଗ କରିବାରେ ଲାଗିଛନ୍ତି ।

ଚୌଲାର ଅଙ୍ଗରେ ଶିହରଣ ଦେଖାଦେଲା । ଭୀମଦେବ ତାକୁ କୋଳକୁ ନେଇ ତା’ର ମୁହଁରେ ଚୁମ୍ବନର ରେଖା ଆଙ୍କିଦେଲେ ଓ ତା’ର ଶୀତଳ ଅଧର ସ୍ପର୍ଶରେ ନିଜେ ଉନ୍ମତ୍ତ ହେଲେ । ପଡ଼ିଥିବା ଲୁଗାରେ ସେ ଚୌଲାକୁ ଯଥାତଥା ଘୋଡ଼ାଇ ଦେଲେ ଏବଂ ନିଜ କୋଳରେ ତାହାର ମୁଣ୍ତ ରଖି ଚେତନା ଆଣିବାକୁ ଚେଷ୍ଟାକଲେ । କିଛିକ୍ଷଣ ପରେ ଚୌଲାର ଆଖି ଖୋଲିଲା ଓ ସଚେତ ହେବା ସଙ୍ଗେ ସଙ୍ଗେ କାପାଳିକ କଥା ଭାବି ସେ ଚମକି ଉଠିଲା । ତା’ର ଦେହରୁ ପରିଧାନ ପୁଣି ଖସିପଡ଼ିଲା ।

“ଭୟ କର ନା” କହି ଭୀମଦେବ ଆଶ୍ୱାସନା ଦେବାକୁ ଚେଷ୍ଟାକଲେ । ଚୌଲା ଉଲଗ୍ନା ଥିବା ଜାଣି ଅତିଶୟ ଲଜ୍ଜିତା ହେଲା । ସାଙ୍ଗେ ସାଙ୍ଗେ ତଳୁ ଲୁଗା ଉଠାଇ ଯଥାତଥା ଅଙ୍ଗ ଆବୃତ କରିବାକୁ ଚେଷ୍ଟାକଲା । ସେ ଚାରିଆଡ଼କୁ ଭୟରେ ଚାହିଁ ପଚାରିଲା, “ଆଉ ସେ କଳାମୁହାଁ ?”

ଭୀମଦେବ କହିଲେ, “ମୁଁ ସେ ବଦ୍‌ମାସକୁ ତା’ର ପୂର୍ବପୁରୁଷମାନଙ୍କ ନିକଟକୁ ପଠାଇଦେଇଛି ।”

 

ଚୌଲା–“ଆପଣ ତାକୁ..... ।” ଚୌଲାର କଣ୍ଠରୁଦ୍ଧ ହେଲା । “ଭଗବାନଙ୍କର ଜୟ ହେଉ-। କିନ୍ତୁ ଆପଣ...?”

 

ଭୀମଦେବ–ମୋତେ ତୁମେ ଏ ପର୍ଯ୍ୟନ୍ତ ଚିହ୍ନିପାରୁନାହଁ? ମୁଁ ପାଟଣର ଭୀମଦେବ ।

 

“ଭୀମଦେବ ମହାରାଜ”, ସମ୍ଭ୍ରମରେ ଚୌଲା ନିଜ ଶରୀରକୁ ଭଲଭାବେ ଲୁଚାଇବାକୁ ଅସଫଳ ପ୍ରଯତ୍ନ କଲା ।

 

ଭୀମଦେବ–ମୁଁ ତାକୁ ମାରିଦେଇ ନ ଥିଲେ ସେ ତୁମକୁ ନେଇ ଯାଇଥାନ୍ତା ।

 

ଚୌଲା–ଭଗବାନ୍ ! ମୋତେ ତା’ହେଲେ ଆପଣ ପାଣିରୁ ଉଠାଇ ଆଣିଛନ୍ତି ? ମୁଁ ...

 

ଭୀମଦେବ ହସି ହସି କହିଲେ, “ମୁଁ ଆଉ କରିଥାନ୍ତି କ’ଣ ? ଅଜ୍ଞାନ ଅବସ୍ଥାରେ କ’ଣ ତୁମ ଦେହରେ ବସ୍ତ୍ର ଥିଲା ?”

 

ଚୌଲା ଦେହରେ ଲୁଗା ନ ଥିବା ଯୋଗୁଁ ସେ ବ୍ୟସ୍ତ ହେଉଥିବା ଦେଖି ଭୀମଦେବ ହସିଉଠିଲେ ଓ ତାଙ୍କର ଖୋଲାଖୋଲି କଥାବାର୍ତ୍ତା ତଥା ସ୍ମିତହାସ ଚୌଲାକୁ ଆକୃଷ୍ଟ କଲା ।

 

ଚୌଲା–ପ୍ରଭୁ ! ଯାହା ଦେଖିଲେ ତାହା ଭୁଲିଯାଆନ୍ତୁ । ମୁଁ ସାଧାରଣ ନର୍ତ୍ତକୀ ନୁହେଁ-ପ୍ରଭୁ ଶିବଙ୍କର ନିର୍ମାଲ୍ୟ ।

 

ଭୀମଦେବ–ସେଇଥିପାଇଁ ଶିବଙ୍କୁ ଅର୍ପିତ ହୋଇଥିବା ଫୁଲ ମୁଁ ମୁଣ୍ଡରେ ମାରିଛି । ମୁଁ ଆଖି ଫେରାଇ ନେଉଛି, ତୁମେ ଭଲକରି ଲୁଗା ପିନ୍ଧ ।

 

ଭୀମଦେବ ହସି ହସି ମୁଁହ ସେ ପାଖକୁ କଲେ । ଚୌଲା ଅବିଳମ୍ବେ ବସ୍ତ୍ର ପରିଧାନ କଲା । ଏକଦିଗରେ କାପାଳିକର ଭୟ ଏବଂ ଅନ୍ୟଦିଗରେ ଲୁଗା ନ ଥିବାରୁ ଲଜ୍ଜା-ଏହି ଉଭୟ ଘଟଣାଯୋଗୁଁ ସେ ବିଶେଷ ବିଚଳିତ ହୋଇପଡ଼ିଥାଏ ।

 

ଭୀମଦେବ–ଏବେ ମୁହଁ ବୁଲାଇବି ତ ?

 

ଚୌଲା–ହଁ ।

 

ଭୀମଦେବ–ମୁଁ ଏଠି ଉପସ୍ଥିତ ଥିଲି ବୋଲି ରକ୍ଷା ହେଲା । ନ ହେଲେ….. ।

 

ଚୌଲା–ସେ ବଦମାସ୍ ମରିଛି । ବର୍ତ୍ତମାନ କ’ଣ ହେବ କେଜାଣି ? ସେ ଭୟଙ୍କର ଅଘୋରୀକୁ ଛୁଇଁବାକୁ ଆପଣ କିପରି ସାହସ କଲେ ? ଭଗବାନ ମୋତେ ରକ୍ଷାକରିଛନ୍ତି । ସେ ତାଙ୍କର ନର୍ତ୍ତକୀକୁ ଭୁଲିନାହାନ୍ତି ।

 

ଭୀମଦେବ ପୁଣି ହସିଲେ । ଚୌଲା ତାଙ୍କ ପାଖକୁ ଆସି କହିଲେ, “ଆପଣ ଅତ୍ୟନ୍ତ ସାହସୀ ।”

 

ଭୀମଦେବ–ତୁମେ କହୁଛ ତ !

 

ଚୌଲା–ମୁଁ ତେବେ ଯାଏ ! ଆଉ ଆପଣ କେତେ ସମୟ ଏଠାରେ ରହିବେ ?

 

ଭୀମଦେବ–ତୁମକୁ ରକ୍ଷା କରିବାପାଇଁ ଭଗବାନ ମୋତେ ଏଠାକୁ ପଠାଇଥିଲେ । ମୁଁ ମଧ୍ୟ ସାଙ୍ଗେ ସାଙ୍ଗେ ଯାଉଛି ।

 

ଚୌଲା–ଏତେ ରାତିରେ କୁଆଡ଼େ ?

 

ଭୀମଦେବ–ପାଟଣ ଯାଉଛି ।

 

ଚୌଲା ପ୍ରଥମଥର ପାଇଁ ହସି କହିଲା, “କିନ୍ତୁ ଆଜି ସକାଳେ ତ ଆସିଥିଲେ...ଏତେ ଚଞ୍ଚଳ କାହିଁକି ଫେରିବେ ?’’ ଚୌଲାର ହସ ଫଳରେ ତା’ର ସୌନ୍ଦର୍ଯ୍ୟ ହଜାରେ ଗୁଣ ବଢ଼ିଯାଇଥିବା ଭୀମଦେବ ଅନୁଭବ କଲେ ।

 

ଭୀମଦେବ–ତୁମେ ଯେବେ କାହାକୁ ନ କହିବ ବୋଲି ଜବାବ ଦେବ, ତା’ ହେଲେ ଗୋଟିଏ କଥା କହିବି ।

 

ଚୌଲା–ମୁଁ କାହାକୁ କହିବି ନାହିଁ ।

 

ଭୀମଦେବ–ଗଜନୀର ହମୀର୍‍ ଆମକୁ ଆକ୍ରମଣ କରିବାକୁ ଆସୁଛି । ମୁଁ ତା’ ସହିତ ଲଢ଼େଇ କରିବାକୁ ଯାଉଛି ।

 

ଚୌଲା–ପ୍ରଭୁ ଶିବ ଆପଣଙ୍କୁ ସାହାଯ୍ୟ କରନ୍ତୁ ଏବଂ ବିଜୟୀ ହୋଇ ଶୀଘ୍ର ଫେରନ୍ତୁ ।

 

ଭୀମଦେବ ପଚାରିଲେ–ମୋ’ପାଇଁ ଅପେକ୍ଷା କରିଥିବ ତ ?

 

ଚୌଲା କହିଲା–ଯେତେବେଳେ ଆପଣ ଫେରିବେ, ମୋତେ ଭୋଳାନାଥଙ୍କ ଚରଣରେହିଁ ପାଇବେ ।

 

ଏହି ଉତ୍ତର ତାଙ୍କ ଗାଲରେ ଚାପୁଡ଼ା ବସିବା ପରି ହେଲାଭଳି ଭୀମଦେବ ଭାବିଲେ । ତାଙ୍କୁ ଅପମାନ ହେଲା ଏବଂ ତାଙ୍କ ଗର୍ବ କ୍ଷୁର୍ଣ୍ଣ ହେଲା । ସେ ତାକୁ ପୁଣି ଚାହିଁଲେ; କିନ୍ତୁ ଚୌଲାର ଆଖିରେ କୌଣସି ଭାବପ୍ରବଣତା ନ ଥିଲା; ବରଂ ତା’ ପରିବର୍ତ୍ତେ ଥିଲା କୃତଜ୍ଞତାର ଭାବ; ସୁନ୍ଦର ହସ ଏବଂ ଭଗବତ୍ ଭାବ ।

 

ଭୀମଦେବ କହିଲେ–ବିମଳ ମୋତେ ଅପେକ୍ଷା କରିଥିବ । ଚାଲ, ମୁଁ ତୁମକୁ ଘରେ ଛାଡ଼ିଦେବି ।

 

ଚୌଲା ବୁଲିପଡ଼ିଲା ଏବଂ ସମୁଦ୍ରପାଣିକୁ ଦୃଷ୍ଟି ନିକ୍ଷେପ କରି ବିଦାୟ ନେଲାବେଳେ ଅଳ୍ପ ମୁହୂର୍ତ୍ତ ପୂର୍ବର ଘଟଣା ଭାବି ଶିହରୀ ଉଠିଲା ।

 

ନର୍ତ୍ତକୀ–ସାହିର ପ୍ରବେଶଦ୍ୱାରରେ ଚୌଲା ହାତଯୋଡ଼ି ଭୀମଦେବଙ୍କଠାରୁ ବିଦାୟ ନେଲା । ସେ ଅଦୃଶ୍ୟହେବା ପର୍ଯ୍ୟନ୍ତ ଭୀମଦେବ ଏକ ସ୍ଥାନରେ ଛିଡ଼ା ହୋଇ ରହିଥାଆନ୍ତି । ସେ ଆଜି ତାଙ୍କ ଜୀବନରେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିବା ସୁନ୍ଦରୀ ଦେଖିଛନ୍ତି । ନାରୀର ପଦତଳେ ଯିଏ ଜୀବନର ସର୍ବସ୍ୱ ଅର୍ପଣ କରିଥିଲେ ଏବଂ ସେଥିରେହିଁ ଜୀବନକୁ ସାର୍ଥକ କରିବେ ବୋଲି ଭାବିଥିଲେ, ତାଙ୍କୁ ଆଜି ସିଧା ରଣକ୍ଷେତ୍ରକୁ ଯାଇ ସେଠାରେ ଆକ୍ରମଣକାରୀର ସମ୍ମୁଖୀନ ହେବାକୁ ପଡ଼ିବ । ହୁଏତ ସେ ଜୀବନରେ ଫେରି ନ ପାରନ୍ତି । ସେ କଥାଭାବି ତାଙ୍କ ମନରେ ଦୁଃଖ ହେଲା ।

 

ସେ ଦେଉଳଆଡ଼କୁ ଦୃଷ୍ଟି ପକାଇ ଆସ୍ତେ ଆସ୍ତେ ଶିଖରର ପତାକାକୁ ଚାହିଁଲେ । ଭାବିଲେ, ପ୍ରଭୁ ମହାଦେବ ତାଙ୍କ ସଙ୍ଗେ ସଙ୍ଗେ ଅଛନ୍ତି ଓ ସର୍ବଜ୍ଞାତ ଗଙ୍ଗସର୍ବଜ୍ଞଙ୍କର ତାଙ୍କ ପ୍ରତି ଆଶୀର୍ବାଦ ରହିଛି । ଚୌଲା ନିଶ୍ଚୟ ତାଙ୍କପାଇଁ ଅପେକ୍ଷା କରିବ । ସେ ଯୁଦ୍ଧକ୍ଷେତ୍ରରୁ ଫେରି ତା’ ସହିତ ଦେଖାକରିବେ ।

 

ଆଉକିଛି ଅଧିକ ଭାବିବା ପୂର୍ବରୁ ସେ ମନ୍ଦିରଆଡ଼କୁ ଗଲେ । ସେଠାରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିସାରି ତାଙ୍କୁ ଅପେକ୍ଷା କରିଥିବା ବିମଳଙ୍କ ନିକଟକୁ ଗଲେ । ଯୁଦ୍ଧକ୍ଷେତ୍ରକୁ ବାହାରିବା ପୂର୍ବରୁ ଦାମୋଦରଙ୍କ ନିକଟରୁ ମଧ୍ୟ ବିଦାୟ ନେବାକୁ ଗଲେ ।

 

ଦାମୋଦର କହିଲେ, ”ମୁଁ ଭଲ ହୋଇଗଲେ ଆପଣଙ୍କ ନିକଟକୁ ଯାଇ ଯୋଗଦେବି । ଆକ୍ରମଣକାରୀକୁ ଆପଣ କିଛି କମ୍ ବୋଲି ଭାବନ୍ତୁ ନାହିଁ । ବନାଗ୍ନି ପରି ସେ ଭୀଷଣ । ତାକୁ ରୋକିବା ସହଜ ନୁହେଁ ।”

 

ଭୀମଦେବ–କିଛି ବ୍ୟସ୍ତ ହୁଅ ନାହିଁ । ମୁଁ ନିଶ୍ଚୟ ତାକୁ ପରାଜିତ କରିବି ।

 

ଦାମୋଦର–ଆପଣ ତାକୁ ପରାଜିତ କରିବେ ବୋଲି ମୁଁ ନିଶ୍ଚିତ ।

 

ଦାମୋଦରଙ୍କ ଶତ୍ରୁ ଆକ୍ରମଣ ଆଶଙ୍କା ବୃଥା ବୋଲି ବିମଳ ଭାବୁଥିଲେ । ସେ ପଚାରିଲେ, “ଶତ୍ରୁ ମରୁଭୂମି କିପରି ଅତିକ୍ରମ କରିବ, ମୋତେ ଆପଣ କହିଲେ ? ମୁଁ ଆମ ସୈନ୍ୟବାହିନୀକୁ ପରିଚାଳନା କରିବି । ମହାରାଜ ପାଟଣର ହାନିଲାଭ ବୁଝିପାରିବେ ।”

 

ଦାମୋଦର ମୁଣ୍ଡ ହଲାଇ କହିଲେ, “ତୁମେ ଏପରି ବେପରୁଆ ହୁଅ ନାହିଁ, ବିମଳ ! ସମସ୍ତ ଶକ୍ତି ଠୁଳ କରି ଶତ୍ରୁର ସମ୍ମୁଖୀନ ହୁଅ । ମହାରାଜ, ମୁଁ ଯାହା କହୁଛି ଶୁଣନ୍ତୁ ।”

 

ଭୀମଦେବ ପୁଣି ଦୃଢ଼ତାର ସହିତ ଦାମୋଦରଙ୍କୁ କହିଲେ, “ କିଛି ବ୍ୟସ୍ତ ହୁଅନା । ମୁଁ ସବୁପ୍ରକାରେ ପ୍ରସ୍ତୁତ ହେଉଛି ।”

 

ଗଙ୍ଗର୍ସବଜ୍ଞଙ୍କ ଆଶୀର୍ବାଦ ଲାଭ କରିସାରି ଭୀମଦେବ ବିମଳଙ୍କ ସହ ଯୁଦ୍ଧକ୍ଷେତ୍ରକୁ ଯାତ୍ରା କଲେ । ଓଟ ଉପରେ ଚଢ଼ି ପ୍ରଭୁ ସୋମନାଥଙ୍କ ଦୃଷ୍ଟିରୁ ଦୂରକୁ ଯିବାବେଳେ ସତେ ଯେପରି ଗୋଟିଏ ଅଦୃଶ୍ୟ ସୂତ୍ର ତାଙ୍କୁ ସେହି ଅସାଧାରଣ ନର୍ତ୍ତକୀ ସହ ବାନ୍ଧିଛି, ସେହିପରି ତାଙ୍କର ମନେହେଲା । କର୍ତ୍ତବ୍ୟ ଦୃଷ୍ଟିରୁ ଆଜି ଯୁଦ୍ଧକ୍ଷେତ୍ରକୁ ଯିବାକୁ ପଡ଼ୁଛି; କିନ୍ତୁ ଚୌଲା ପାଖରେହିଁ ତାଙ୍କର ହୃଦୟ ରହିଯାଇଛି ।

Image

 

ଅଶୁଭ ଲକ୍ଷଣ

 

ସବୁଦିନ ପରି ସେଦିନ ମନ୍ଦିରର ଜଣେ ସେବକ ଖୁବ୍ ଭୋରରୁ ଉଠି ସମୁଦ୍ରଘାଟ ଅଭିମୁଖେ ଗଲା । ଯାଉ ଯାଉ ବାଟରେ ମନେ ମନେ ଭଜନ ଗାଉଥାଏ ଏବଂ ଦାନ୍ତକାଠି ଚୋବାଉଥାଏ । ସେ ଆସ୍ତେ ଆସ୍ତେ ପାହାଚରେ ଯାଇ ଦାନ୍ତକାଠି ଖଣ୍ଡିକ ମୁହଁରୁ ପକାଇଦେଇ ପାଣିରେ ମୁହଁ ଧୋଇବାପାଇଁ ନଇଁପଡ଼ିଛି, ହଠାତ୍ କୂଳରେ ପଡ଼ିଥିବା ଗୋଟିଏ ଜିନିଷ ଉପରେ ତା’ର ଦୃଷ୍ଚି ପଡ଼ିଲା । ଭୟଭୀତ ହୋଇ ପ୍ରଭୁ ସୋମନାଥଙ୍କ ନାମ ଧରି ସେ ଜୀବନରକ୍ଷା ପାଇଁ ଦୌଡ଼ିଲା ।

 

ଦୁଇଜଣ ସ୍ତ୍ରୀଲୋକ ମୁଣ୍ଡରେ ଖାଲି ପାତ୍ର ରଖି ଗୀତ ଗାଇ ଗାଇ ପାଣି ପାଇଁ ଯାଉଥାନ୍ତି-। ସେମାନେ ତଳକୁ ଯାଇ ପାଣିରେ ଗୋଡ଼ ଦେଲାବେଳକୁ ଗୋଡ଼କୁ କ’ଣ ଗୋଟାଏ ଟାଣ ଜିନିଷ ଲାଗିଲା । ଉଭୟେ ଆଖି ପକେଇ ଏକ ଭୟଙ୍କର ଜିନିଷ ଦେଖି, ନେଇଥିବା ପାତ୍ର ପକାଇ ଦେଇ ପ୍ରାଣବିକଳରେ ପାଟିକରି ଦୌଡ଼ିଲେ ।

 

ଅଳ୍ପକ୍ଷଣ ପରେ ମନ୍ଦିର ଅଗଣାରେ ପାଟିଗୋଳ ଶୁଣାଗଲା । ସମସ୍ତଙ୍କ ମୁଁହରେ ଗୋଟିଏ କଥା । ଏପରି ଗୋଟିଏ ବିପଦ ଆସି ଦେଖାଦେବ, ଯାହାକି କେହି କଳ୍ପନା କରିନାହାନ୍ତି-

 

ଏପରି ଏକ ଘଟଣା ଘଟିଛି, ଯାହାକି କେବେ ଘଟିନଥିଲା । ଫଳରେ ଫୃଥିବୀରେ କଳ୍ପନାତୀତ ବିପଦ ଦେଖାଦେବାର ଲକ୍ଷଣ ଜଣାପଡ଼ୁଛି ଏବଂ ପ୍ରଭୁ କ୍ରୋଧାନ୍ୱିତ ହୋଇଥିବା ଏଥିରୁ ସ୍ପଷ୍ଟ ହେଉଛି ।

 

ଭୈରବଙ୍କର ଜଣେ ଶିଷ୍ୟର ଶବ ପାଣିରେ ଭାସୁଛି । ତା’ର ଭୟଙ୍କର ଚେହେରା, ବିକଟାଳ ଆଖି ଓ କଦାକାର ମୁହଁ ଦେଖିଲେ ମୃତ୍ୟୁର ମଧ୍ୟ ଭୟ ହେବ ।

 

ଏହି ଖବର ବିଜୁଳି ପରି ସମୁଦ୍ରକୂଳରୁ ଗଙ୍ଗସର୍ବଜ୍ଞଙ୍କ ବାସସ୍ଥାନ, ସେଠାରୁ ମନ୍ଦିର, ବିଦ୍ୟାଳୟ ଓ ନର୍ତ୍ତକୀମାନଙ୍କ ପଡ଼ାପର୍ଯ୍ୟନ୍ତ ସର୍ବତ୍ର ବ୍ୟାପିଗଲା ।

 

ଚାରିଆଡ଼େ ନାରୀ ଓ ପୁରୁଷମାନଙ୍କ ମଧ୍ୟରେ ଆତଙ୍କ ଦେଖାଦେଲା । ଏହି ବିପଦରୁ ରକ୍ଷା କରିବାପାଇଁ ସମସ୍ତେ ପ୍ରଭୁ ସୋମନାଥଙ୍କୁ ପ୍ରାର୍ଥନା କଲେ । ଭୟାତୁର ହୋଇସୁଦ୍ଧା ନିଜନିଜର କୌତୂହଳକୁ ଚାପି ନ ପାରି ଶବ ନିକଟକୁ ଲୋକଙ୍କର ଧାଡ଼ି ଲାଗିଲା ।

 

ଏହି ଘଟଣାଟି ଲୋକମୁଖରେ ପରିବର୍ଦ୍ଧିତ ହୋଇ ଶେଷରେ ସର୍ବତ୍ର ରଟିତ ହେଲା ଯେ, ସମୁଦ୍ରରେ ଗୋଟିଏ ଶବ ନ ପଡ଼ି ବହୁ ଶବ ପଡ଼ିଛି । ଏହି ଭୟଙ୍କର ଜନରବ ଯାତ୍ରୀମାନଙ୍କ ମଧ୍ୟରେ ପ୍ରଚାରିତ ହେବାରୁ ଆସନ୍ନ ବିପଦରୁ ରକ୍ଷା ପାଇବାପାଇଁ ସେମାନେ ପ୍ରାର୍ଥନା କଲେ । ମହିଳାମାନେ ନିଜ ନିଜ ପିଲାଙ୍କୁ ଏ ବିପଦରୁ ରକ୍ଷାକରିବା ନିମିତ୍ତ କିଏ କେତେପ୍ରକାର ବ୍ରତ ଓ ଉପବାସପାଇଁ ମାନସିକ କଲେ । ବୟସ୍କ ତଥା ଯୁବକ ସମସ୍ତଙ୍କ ମନରେ ଭୀତି ସଞ୍ଚାର ହେଲା । ନିଜ ନିଜକୁ ରକ୍ଷା କରିବାପାଇଁ ସମସ୍ତେ ଶିବଙ୍କୁ ପ୍ରାର୍ଥନା କଲେ ।

 

ଭକ୍ତମାନେ ମନ୍ଦିର ଭିତରକୁ ଯାଇ ସେମାନେ ଯେବେ କୌଣସି ପାପ କରିଥାନ୍ତି, ସେଥିନିମିତ୍ତ କ୍ଷମା କରିବାକୁ ପ୍ରଭୁଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ । ଯେଉଁମାନେ ସକାଳୁ ଗାଧୋଇ ପୂଜାପୂଜି କରିସାରିଥିଲେ, ସେମାନେ ପୁଣି ପୂଜା କଲେ ।

 

କେତେକ ଲୋକ ଅତିଶୟ ଭୀତ ହୋଇ ଦଳ ଦଳ ହୋଇ ଭଜନ ଗାନ କଲେ; କେହି କେହି ଭଜନ ସଙ୍ଗେ ବାଦ୍ୟଯନ୍ତ୍ରମାନ ବଜାଇଲେ । କାପାଳିକର ମୃତ୍ୟୁ ଫଳରେ ଦେଖାଦେଇଥିବା ବିପଦରୁ ଏକମାତ୍ର ପ୍ରଭୁ ସୋମନାଥ ରକ୍ଷା କରିପାରିବେ ବୋଲି ସମସ୍ତଙ୍କର ବିଶ୍ୱାସ ।

 

ବହୁ କଷ୍ଟରେ ଗଙ୍ଗସର୍ବଜ୍ଞଙ୍କ ପ୍ରଧାନ ଶିଷ୍ୟ ଶିବରାଶି ଘଡ଼ିଏ ଆଖି ବୁଜିଥିଲେ । କିନ୍ତୁ ଅଳ୍ପ ସମୟ ମଧ୍ୟରେ ଆଖପାଖରେ ଏପରି ଗୋଳମାଳ ହେଲା ଯେ ତାଙ୍କ ପକ୍ଷରେ ଶୋଇବା ଅସମ୍ଭବ ହୋଇପଡ଼ିଲା । ସେ ଉଠିବାପରେ ସବୁ ଘଟଣା ଶୁଣି ଶିବକବଚ ବୋଲିବାକୁ ଆରମ୍ଭ କରିଦେଲେ ।

 

ସେ ମନ୍ଦିରକୁ ଗଲାବେଳକୁ ଏତେ ଲୋକ ଭୟରେ ଏକାଠି ହୋଇଥିବା ଓ ସେମାନଙ୍କ ମୁହଁର ଅବସ୍ଥା ଦେଖି ବିସ୍ମିତ ହୋଇଗଲେ । ଲୋକଗହଳି ଆଡ଼େଇ ସେ ପାହାଚଦେଇ ସମୁଦ୍ରକୁ ଗଲେ । ଉଦୀୟମାନ ସୂର୍ଯ୍ୟର ତେଜରେ ମୃତ କାପାଳିକର ବୀଭତ୍ସ ମୁଖମଣ୍ତଳ ଓ ବିକଟାଳ ଆଖି ଦେଖି ସେ ନିଜେ ମଧ୍ୟ ଭୟଭୀତ ହୋଇଗଲେ ।

 

ଗୋଟାଏ ମହାବିପଦ ଆସିବା ସୁନିଶ୍ଚିତ ବୋଲି ସବୁଲୋକଙ୍କ ପରି ଶିବରାଶି ମଧ୍ୟ ବିଶ୍ୱାସ କଲେ । ପୂର୍ବଦିନ ସନ୍ଧ୍ୟାବେଳେ ଦାମୋଦର ଦେଇଥିବା ଖବରଦୃଷ୍ଟିରୁ ବିପଦ ନିଶ୍ଚିତ ବୋଲି ସେ ଧରିନେଲେ ।

 

ଏ ବିପଦରୁ ରକ୍ଷା କରିବାପାଇଁ ଅନ୍ୟମାନଙ୍କ ପରି ସେ ମଧ୍ୟ ଶିବଙ୍କର ଧ୍ୟାନ କଲେ । ଧ୍ୟାନ କରୁଥିବା ସମୟରେ ସେ ପଳାଇଯିବାକୁ ଭାବିଲେ । କିନ୍ତୁ ସେ ଯେବେ ଚାଲିଯାଆନ୍ତି, ତାହାହେଲେ ତାଙ୍କ ନିକଟରେ ବସିଥିବା ଭୟାତୁର ନରନାରୀଙ୍କର ଅବସ୍ଥା କ’ଣ ହେବ, ଏହି ଆଶଙ୍କା ତତ୍‌କ୍ଷଣାତ୍ ତାଙ୍କ ମନକୁ ଉଦ୍ବେଳିତ କଲା । ଧର୍ମଶାସ୍ତ୍ରରେ ତାଙ୍କର ଅଗାଧ ପାଣ୍ତିତ୍ୟ, ଗୁରୁଙ୍କ ପ୍ରତି ଏକନିଷ୍ଠ ଭକ୍ତି ଏବଂ ସରଳ ଜୀବନଯାପନହିଁ ତାଙ୍କୁ ଏ ବିପଦରୁ ରକ୍ଷାକଲା । ବିରାଟ ପାଶୁପତ ସମ୍ପ୍ରଦାୟର ମୁଖ୍ୟରୂପେ ସେ ଗଙ୍ଗସର୍ବଜ୍ଞଙ୍କ ଉତ୍ତରାଧିକାରୀ ହେବାର କଥା । ତେଣୁ ସେ ଏପରି ସମୟରେ କିପରି ପଳାଇବେ ?

 

ତାଙ୍କ ମନରେ କ୍ରମେ ସାହସର ସଞ୍ଚାର ହେବାରୁ ସେ ପଛକୁ ଚାହିଁ ନିକଟରେ ଠିଆ ହୋଇଥିବା ଶିଷ୍ୟକୁ କାପାଳିକମାନଙ୍କ ମୁଖ୍ୟ କଙ୍କ ଯୋଗେଶ୍ୱରଙ୍କର ମୃତ୍ୟୁ ହୋଇଛି ବୋଲି ତାଙ୍କ ଗୁରୁଦେବ ଓ କାପାଳିକମାନଙ୍କ ଶିବିରରେ ଖବର ଦେବାପାଇଁ ନିର୍ଦ୍ଦେଶ ଦେଲେ ।

 

କଙ୍କ ଯୋଗେଶ୍ୱରହିଁ ସର୍ବଶ୍ରେଷ୍ଠ କାପାଳିକ । ତାଙ୍କର ମୃତ୍ୟୁ ହୋଇଥିବା ଜାଣି ଏକତ୍ରିତ ହୋଇଥିବା ଲୋକେ ଅଧିକ ଭୟଭୀତ ହେଲେ । ଯୋଗେଶ୍ୱର ଏତେ ଶକ୍ତିଶାଳୀ ଥିଲେ ଯେ ଭୈରବ ନିଜେ ତାଙ୍କ ପାଖେ ପାଖେ ରହୁଥିଲେ ବୋଲି ଶୁଣାଯାଏ ।

 

ପ୍ରଭୁ ସୋମନାଥଙ୍କୁ ସାକ୍ଷାତ୍‍ଭାବେ ଦେଖିବାପାଇଁ ଯୋଗେଶ୍ୱର ଗୋଟିଏ ବିରାଟ ପୂଜା ଆରମ୍ଭ କରିଥିଲେ । ଏହି କାମନା ପୂରଣ ନ ହେଲେ ସେ ଏକଶହ ଆଠ ସୁନ୍ଦରୀ ଯୁବତୀଙ୍କର ରକ୍ତ ଭୈରବଙ୍କୁ ଅର୍ପଣ କରିବେ ବୋଲି ସ୍ଥିର କରିଥିବା କଥା ଶୁଣାଯାଏ ।

 

ରାତିଅଧରେ ଶ୍ମଶାନରେ ସେ ଏହି ପୂଜା କରୁଥିବା ବହୁ ଲୋକ ଜାଣନ୍ତି । ଏଭଳି ଜଣେ ମହାନ୍ ବ୍ୟକ୍ତିଙ୍କର ଏପରି ମୃତ୍ୟୃ ହେବାରୁ ସମସ୍ତଙ୍କ ମନରେ ଅଧିକ ଭୟ ଦେଖାଦେଲା ।

 

ଏହା ନିଜ ପରୀକ୍ଷାର ସମୟ ବୋଲି ଶିବରାଶି ଭାବିଲେ । ଅନ୍ୟମାନଙ୍କ ପରି ସେ ଭୟଭୀତ ବୋଲି ଯେବେ ଲୋକଙ୍କ ମନରେ ଧାରଣା ହୁଏ, ତାହାହେଲେ ପାଶୁପତ ସମ୍ପ୍ରଦାୟର ମୁଖ୍ୟରୂପେ ଗଙ୍ଗସର୍ବଜ୍ଞଙ୍କର ଉତ୍ତରାଧିକାରୀ ହେବାକୁ ସେ ଅଯୋଗ୍ୟ ବିବେଚିତ ହେବା ସ୍ୱାଭାବିକ-। ଏତେଦିନ ଗୁରୁଦେବଙ୍କ ପାଖରେ ରହି ନିଜକୁ କିପରି ସଂଯତ କରିବାକୁ ହୁଏ, ତାହା ସେ ବେଶ୍ ଜାଣିଥିଲେ । କଷ୍ଟସାଧ୍ୟ ହେଲେବି ନିଜର ଭାବପ୍ରବଣତାକୁ ସଂଯତ କରି ସେ ଲୋକମାନଙ୍କୁ ଆତଙ୍କିତ ନ ହେବାପାଇଁ ବୁଝାଇଲେ ।

 

ଜଣେ ବୃଦ୍ଧା ହାତଯୋଡ଼ି କହିଲା, “କ’ଣ ବିପଦ ପଡ଼ିବ ? କଙ୍କ ଯୋଗେଶ୍ୱର ଏଭଳି କୈଳାସବାସୀ ହୋଇଥିବାରୁ ଦୁନିଆରେ ବିପଦ ପଡ଼ିଯିବ ?”

 

ଶିବରାଶି କହିଲେ,“ଆପଣମାନେ ଏପରି କାହିଁକି ଭୟଭୀତ ହେଉଛନ୍ତି ? ପ୍ରଭୁ ସୋମନାଥଙ୍କ କୃପାରୁ ସବୁ ଠିକ୍ ହୋଇଯିବ ।”

 

ବୁଢ଼ୀ ପୁଣି ପଚାରିଲା, “କାହିଁକି ଏମିତି ହେଲା ? ପ୍ରଭୁଙ୍କର ପ୍ରକୋପ ନ ହେଲେ କ’ଣ ଏମିତି ହୁଅନ୍ତା ?”

 

ଶିବରାଶି ଅଜାଣତରେ ଗଜନୀର ହମୀର୍‍ଙ୍କ କଥା ଭାବି ଥରି ଉଠିଲେ । ସାଙ୍ଗେ ସାଙ୍ଗେ ନିଜକୁ ସଂଯତ କରି କହିଲେ, “ତୁମ୍ଭେମାନେ ଏପରି କାହିଁକି ଡରୁଛ ? ଯୋଗେଶ୍ୱର ମୋତେ ନିଜେ କହିଥିଲେ ଯେ, ସେ ପ୍ରଭୁ ସୋମନାଥଙ୍କ ଦର୍ଶନ ପାଇଲେ ଏହି ସଂସାର ଛାଡ଼ି ପ୍ରଭୁଙ୍କ ବାସସ୍ଥାନ କୈଳାସରେ ରହିବାକୁ ଯିବେ । ତେଣୁ ଏହା ପ୍ରଭୁଙ୍କର କ୍ରୋଧର ଲକ୍ଷଣ ନ ହୋଇ ଦୟାର ଲକ୍ଷଣ-।”

 

ସେ ସାହସର ସହିତ ପାହାଚର ତଳକୁ ଯାଇ ଯୋଗେଶ୍ୱରଙ୍କ ଶବ ପାଖରେ ଠିଆ ହୋଇ ଶିବସ୍ତୋତ୍ର ବୋଲିବାକୁ ଲାଗିଲେ । ତାଙ୍କ ଜୀବନ ଛାଡ଼ିଯିବା ଭଳି ପ୍ରତି ମୁହୂର୍ତ୍ତରେ ତାଙ୍କୁ ଲାଗୁଥିଲେ ସୁଦ୍ଧା କେବଳ ତାଙ୍କ ଗୁରୁ ଗଙ୍ଗସର୍ବଜ୍ଞ ଶୀଘ୍ର ଆସି ସେଠାରେ ପହଞ୍ଚିବେ; ଏହି ବିଶ୍ୱାସବଳରେହିଁ ସେ ସବୁ କରିଯାଉଥିଲେ ।

 

ମୁହୂର୍ତ୍ତକୁ ମୁହୂର୍ତ୍ତ ଲୋକସଂଖ୍ୟା ବଢ଼ୁଥାଏ । ଲୋକେ ଭୟରୁ ତ୍ରାହି ପାଇବାପାଇଁ ସମବେତ କଣ୍ଠରେ ଓ ବଡ଼ପାଟିରେ ଭଜନ ବୋଲୁଥାନ୍ତି । ଏହି ଉପାୟରେ ପ୍ରଭୁଙ୍କୁ ସନ୍ତୁଷ୍ଟ କରାଯାଇପାରିବ ବୋଲି ସେମାନଙ୍କର ବିଶ୍ୱାସ ।

 

ଶିବରାଶିଙ୍କ କଥା ଚାରିଆଡ଼େ ପ୍ରଚାରିତ ହେବାରୁ ତା’ର ପ୍ରଭାବ ପଡ଼ିଲା । ଏହା ଫଳରେ ଲୋକଙ୍କ ମଧ୍ୟରେ ସାହସ ବଢ଼ିଲା । କଙ୍କଙ୍କ ମୃତ୍ୟୁ ଫଳରେ କୌଣସି ବିପଦ ଦେଖାଦେବା ପରିବର୍ତ୍ତେ ଏହା ଭଗବତ୍ କୃପାର ଲକ୍ଷଣ ବୋଲି କ୍ରମେ ଲୋକଙ୍କର ଧାରଣା ହେଲା-

 

ଗଙ୍ଗ ସେ ସ୍ଥାନରେ ପହଞ୍ଚିଲାବେଳକୁ ଲୋକଙ୍କ ଭୟ ଦୂର ହୋଇଯାଇଥିଲା । ସେ ପହଞ୍ଚିବା ସମୟରେ ତାଙ୍କ ମୁହଁ ଥିଲା ପୂରାପୂରୀ ଗମ୍ଭୀର । ମୃତ୍ୟୁଦେବତା ମାର୍କଣ୍ତେୟଙ୍କୁ ନେବାକୁ ଆସିବାବେଳେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ନିମିତ୍ତ ମାର୍କଣ୍ତେୟ ମୁନି ଯେଉଁ ସ୍ତ୍ରୋତ୍ର ଗାନ କରିଥିଲେ, ସେ ଆସି ତାହା ଗାନ କଲେ ।

 

ଲୋକେ ତାଙ୍କୁ ଦେଖିବାରୁ ସେମାନଙ୍କ ମନରେ ସାହସ ବଢ଼ିଲା । ସେମାନେ ଏହି ଶ୍ଳୋକର ପୁନରାବୃତ୍ତି କଲେ-‘‘ଯାହାକୁ ପ୍ରଭୁ ଚନ୍ଦ୍ରଶେଖର ରକ୍ଷା କରିବେ, ତାହାର ମୃତ୍ୟୁ କ’ଣ କରିପାରିବ ?’’ ଏହା ବୋଲି ସର୍ବଜ୍ଞ ଯୋଗେଶ୍ୱରଙ୍କ ଶବ ଉପରେ ଫୁଲ ରଖି ଶବଟିକୁ ସଜାଡ଼ିଲେ-

 

ପରେ ପରେ କେତେକ କାପାଳିକ ଆସି ଅତି ଅଦ୍ଭୁତ ଏବଂ ଚମକପ୍ରଦ ଗାନମାନ ଗାଇ ଯୋଗେଶ୍ୱରଙ୍କ ଶବ ବୋହିନେଲେ ।

 

ସାଙ୍ଗେ ସାଙ୍ଗେ ଶବର ଶୋଭାଯାତ୍ରା ଚଲିଲା । ଶ୍ମଶାନ ପର୍ଯ୍ୟନ୍ତ ହଜାର ହଜାର ଲୋକ ଏହି ଶୋଭାଯାତ୍ରାରେ ଚାଲିଥାନ୍ତି । ଯୋଗେଶ୍ୱରଙ୍କ ଅନୁଗାମୀମାନେ ସେମାନଙ୍କ ସମ୍ପ୍ରଦାୟର ପ୍ରଥା ଅନୁସାରେ ଭୟାବହ ଶବଦାହ ଆରମ୍ଭ କରିବାରୁ କେବଳ ଗଙ୍ଗସର୍ବଜ୍ଞ ଏବଂ ତାଙ୍କ ଶିଷ୍ୟବର୍ଗଙ୍କ ଛଡ଼ା ସମସ୍ତେ ସେଠାରୁ ଚାଲିଗଲେ ।

 

ଯୋଗେଶ୍ୱରଙ୍କ ଶରୀର ପାଉଁଶ ହୋଇଗଲା ପରେ କାପାଳିକମାନେ ସ୍ମାରକସ୍ୱରୂପ ତାଙ୍କର ଅସ୍ଥି ସଂଗ୍ରହ କଲେ ।

Image

 

ବାପ ଓ ପୁଅ

 

ଗଙ୍ଗା ଘରକୁ ଫେରିଆସିଲାବେଳକୁ ଦିନ ଯଥେଷ୍ଟ ହୋଇଗଲାଣି । ଦେଖେ ତ ଚୌଲା ଶୋଇଛି ।

 

ଚୌଲାକୁ ରାତିସାରା ଭଲ ନିଦ ହୋଇନଥିଲା । ସେ ଗୋଟିକପରେ ଗୋଟିଏ ସ୍ୱପ୍ନ ଦେଖି କେତେବେଳେ ଖୁସି ହେଉଥିଲା ତ, କେତେବେଳେ ଡରିଯାଉଥଲା । ତା’ ପଛରେ ଭୈରବଙ୍କ ଶିଷ୍ୟମାନେ ଗୋଡ଼ାଉଛନ୍ତି… ଭୀମଦେବଙ୍କ ବାହା ଉପରେ ସେ ଭାରା ଦେଇଛି… ଗଣପତିଙ୍କ ବାହନ ମୂଷିକ ଉପରେ ଚଢ଼ିଛି... ତା’ପାଇଁ ଦେବତା ଓ ରାକ୍ଷସଙ୍କ ମଧ୍ୟରେ କନ୍ଦଳ ଲାଗିଛି... ପ୍ରଭୁ ଶଙ୍କରଙ୍କ କୋଳରେ ସେ ବସିଛି... ଶଙ୍କରଙ୍କ ସ୍ତ୍ରୀ ପାର୍ବତୀ ଆସି ରାଗିବାରୁ ସେ ଗୋଟିଏ ଗୋଡ଼ରେ ନାଚୁଛି... ଭୈରବଙ୍କର ଅଧରହୀନ ଭକ୍ତମାନେ ଯେପରି ତାକୁ ନେଇଯାଉଛନ୍ତି-। କି ଭୟଙ୍କର ଦୃଶ୍ୟ ! କାର୍ତ୍ତିକେୟଙ୍କ ବାହନ ମୟୂର ଉପରେ ଚଢ଼ି ଭୀମଦେବ ଆସି ତାକୁ ରକ୍ଷା କରୁଛନ୍ତି... ସେ ତାକୁ କୋଳାଗ୍ରତ କରିବାରୁ ଚୌଲା ଖୁସି ହେଉଛି... ମୟୂର ତା’ର ସବୁ ଲୁଗାପଟା ନେଇ ଉଡ଼ିଯାଉଛି ଇତ୍ୟାଦି ।

 

ପୂର୍ବରାତିର ଘଟଣାମାନ ମନେପକାଇ ଚୌଲା ଚମକି ଉଠିଲା । ପ୍ରଭୁ ସୋମନାଥଙ୍କ ସମ୍ମୁଖରେ ସେ କିପରି ନାଚିଥିଲା, ଜ୍ୟୋତ୍ସ୍ନା ରାତ୍ରିରେ କିପରି ସମୁଦ୍ରରେ ସ୍ନାନ କଲା, ଭୀମଦେବ କିପରି ତାକୁ ରକ୍ଷାକଲେ, ଏହିସବୁ କଥା ତା’ର ମନେପଡ଼ିଲା । ପ୍ରଭୁ ତାକୁ ମୃତ୍ୟୁମୁଖରୁ ରକ୍ଷା କରିଛନ୍ତି; ନ ହେଲେ ଭୀମଦେବ କାହିଁକି ବା ସେ ସମୟକୁ ଆସି ପହଞ୍ଚିଥାନ୍ତେ ! ସେ ପ୍ରଭୁଙ୍କର ଯେ ଆଶ୍ରିତା, ଏ ବିଷୟରେ ସେ ନିଶ୍ଚିତ । ସେ ଏହାସବୁ ଭାବି ହସୁଛି, ଠିକ୍ ଏହି ସମୟରେ ଗଙ୍ଗା ଆସି ପହଞ୍ଚିଲା ।

 

ଗଙ୍ଗା-‘‘ଦିନ ଦ୍ୱିପହର ଆସି ହେଲାଣି; ତୁ ଆହୁରି ଶୋଇଚୁ ?’’

 

ଚୌଲା-‘‘କ’ଣ ହେଲା । ମୁଁ କାଲି ରାତିଯାକ ଯେ ଶୋଇନାହିଁ ?’’

 

ଗଙ୍ଗା-‘‘ଏଣେ କ’ଣ ହେଲାଣି ତୁ ଜାଣିଲୁଣି ?’’

 

ଚୌଲା-‘‘ଶୋଇଥଲି ତ; ଜାଣିବି କିପରି ?’’

 

ଗଙ୍ଗା-‘‘କଙ୍କ ଯୋଗେଶ୍ୱର ମରିଯାଇଛି ।’’

 

ଚୌଲା-‘‘କିଏ ?’’

 

ଗଙ୍ଗା-‘‘କାପାଳିକମାନଙ୍କ ଗୁରୁ କଙ୍କ ଯୋଗେଶ୍ୱର । ସମୁଦ୍ରକୁ ପଡ଼ିଥିବା ପାହାଚରେ ତାଙ୍କ ଶବ ପଡ଼ିଥଲା । ତାଙ୍କର ସେ ଆଖି ଓ ଭୟଙ୍କର ମୁହଁର କି ଭୟାବହ ଦୃଶ୍ୟ !’’

 

ଗଙ୍ଗା ତା’ ଲୁଗା ବଦଳାଉଥାଏ ଓ କଥାଗୁଡ଼ାକ କହିଚାଲିଥାଏ ।

 

“ତୁ ଜାଣିଛୁ; ଶହେଆଠ ଝିଅଙ୍କ ରକ୍ତ ପ୍ରଭୁଙ୍କୁ ଦେବାପାଇଁ ସେ ପ୍ରତିଜ୍ଞା କରିଥିଲା ।”

 

ଏହା କହିଲାବେଳେ ତା’ ଆଖି ଚୌଲା ଉପରେ ପଡ଼ିଗଲା ଏବଂ ସେ ଅତିରିକ୍ତ ଭୟଭୀତ ହେଉଥିବାର ଦେଖି କହିଲା, “ତୁ କାହିଁକି ଡରଛୁ ? କ’ଣ ହେଲା ?”

 

ଚୌଲା ଡରି ଡରି କହିଲା, “ଝିଅଙ୍କ ରକ୍ତ ! ଭଗବାନ ! କି ଭୟଙ୍କର !” କହୁ କହୁ ସେ ବେହୋସ୍ ହୋଇଗଲା ।

 

ଜ୍ଞାନ ଫେରିଆସିବା ପରେ ତା’ ମନ ଆଉ ସ୍ଥିର ହୋଇପାରିଲା ନାହିଁ । ଆଖି ଆଗରେ ତିନିଜଣ ଲୋକ ଦଉଡ଼ାଦଉଡ଼ି କରୁଥିବା ଭଳି ତାକୁ ଦିଶିଲା । ସେ ତିନିଜଣ ହେଉଛନ୍ତି ଭୀମଦେବ, କାପାଳିକ ଏବଂ ଗଜନୀର ମୁସଲମାନ ଆକ୍ରମଣକାରୀ ହମୀର୍‍ । ଏହି ପରିସ୍ଥିତିରେ ସେ ଡରିଯାଇ ମାଆ ପାଖରେ ଯାଇ ବସିଲା ।

 

ଚୌଲା-‘‘ମାଆ, ବର୍ତ୍ତମାନ କ’ଣ ହେବ ?’’

 

ଗଙ୍ଗା-‘‘କ’ଣ ହେବ ବୋଲି ତୁ ଭାବୁଛୁ ?’’

 

ଚୌଲା-‘‘ଯୋଗେଶ୍ୱରଙ୍କ ମୃତ୍ୟୁ ଫଳରେ ସଂସାରକୁ ବିପଦ ମାଡ଼ିଆସିବ ବୋଲି ମୋର ଭୟ ହେଉଛି ।’’

 

ଗଙ୍ଗା-‘‘ବାଜେ କଥା । ମୁଁ ତ କାଲି ଜନ୍ମ ହୋଇନାହିଁ ! ମୋ ଜୀବନରେ ବଡ଼ ବିପଦ କେବେ ପଡ଼ିବାର ଯେପରି ଦେଖିନାହିଁ ।’’

 

ଚୌଲା ଚୁପ୍ ଚୁପ୍‍ କରି ତା’ ମାଆ କାନରେ କହିଲା, “ତୁ ଜାଣିଛୁ, ଗଜନୀର ହମୀର୍‍ ଆମକୁ ଆକ୍ରମଣ କରିବାକୁ ଆସୁଛି ।”

 

ଗଙ୍ଗା-‘‘ଗଜନୀର ହମୀର୍‍, ଏଡ଼େ ମରଦ କିଏ ମ ?’’

 

ଚୌଲା-‘‘ମୁଁ କେମିତି ଜାଣିବି ।’’

 

ଗଙ୍ଗା-‘‘ତେବେ ତା’ କଥା ତୁ କେଉଁଠୁ ଶୁଣିଲୁ ?’’

 

ଚୌଲା-‘‘ଯାହାଠୁ ଶୁଣିଲି, କ’ଣ ଠିକ୍ ନୁହେଁ ?’’

 

ଗଙ୍ଗା-‘‘ଖବରଟା ଅବଶ୍ୟ ଠିକ୍ । କିନ୍ତୁ ତୁ ତ କାଲି କିଛି ଜାଣିନଥିଲୁ ? ଏ ଗୁପ୍ତ ଖବର ଆଜି କେମିତି ଜାଣିଲୁ ? ତୋତେ କିଏ କହିଛି କହ ?’’

 

ଗଙ୍ଗା ତା’ର ଝିଅକୁ ଏତେ ଭଲପାଉଥିଲା ଯେ ସେ ତା’ର ମନର କଥା ନ କହିବା ଫଳରେ ତା’ ମନରେ ଭାରି କଷ୍ଟ ହେଲା । ତା’ର ଜୀବନର ଏକମାତ୍ର ଆଶା ଥିଲା ଚୌଲା ଶିବରାଶିଙ୍କୁ ପ୍ରେମ କରୁ ଏବଂ ଏହି ଉଦ୍ଦେଶ୍ୟ ପୂରଣ କରିବାପାଇଁ ସେ ସମସ୍ତ ପ୍ରକାର ଉଦ୍ୟମ କରିଆସିଛି । ତେଣୁ ଚୌଲାର ଅନ୍ୟ କାହାସହିତ ସମ୍ବନ୍ଧ ତା’ ପକ୍ଷରେ ଅସହ୍ୟ ।

 

ଗଙ୍ଗା ପୁଣି ବାରମ୍ବାର ପଚାରିଲା, “ତୁ ମୋତେ କହିବୁ ନାହିଁ ?”

 

ଚୌଲା ସ୍ୱଭାବତଃ ସରଳା ଓ ସ୍ପଷ୍ଟବାଦିନୀ । ସେ କଥା ଲୁଚାଇ ରଖିପାରେନାହିଁ । ବିଶେଷତଃ ମାଆକୁ ବା କିପରି ନ କହିବ । ସେ କହିଲା, “ଗଜନୀର ହମୀର୍‍ ଆମକୁ ଆକ୍ରମଣ କରିବ ବୋଲି ପାଟଣର ରାଜା ଭୀମଦେବ ମୋତେ କହୁଥିଲେ ।”

 

ପର୍ବଦିନ ଜହ୍ନରାତିରେ ସେ ସ୍ନାନ କରୁଥିବା ବେଳର ସମସ୍ତ କଥା ତା’ର ମନେପଡ଼ିଲା ଏବଂ ସେହିକଥା ଭାବି ତା’ ଦେହ ପୁଣି ଥରିଉଠିଲା ।

 

ଗଙ୍ଗା ଚୌଲାକୁ କୁଣ୍ଡେଇ ପକାଇ କହିଲା, “ପାଗଳି ! ତୁ ଭୀମଦେବଙ୍କୁ କେଉଁଠି ଦେଖାକଲୁ ?”

 

ଚୌଲା ତା’ର ସମସ୍ତ ଅଭିଜ୍ଞତା ବର୍ଣ୍ଣନା କରିବାକୁ ବ୍ୟଗ୍ର ହୋଇପଡ଼ିଲା । ନିଜ ମୁହଁ ମା’ କୋଳରେ ଲୁଚାଇ ପୂର୍ବଦିନ ରାତିରେ ଘଟିଥିବା ସମସ୍ତ ଘଟଣା, ଅର୍ଥାତ୍ ଯୋଗେଶ୍ୱରଙ୍କ ମୃତ୍ୟୁ ଏବଂ ଭୀମଦେବଙ୍କ ସହିତ ତା’ର ସାକ୍ଷାତ୍‍ ବିଶଦଭାବେ କହିଗଲା; କେବଳ ଭୀମଦେବ ତାକୁ ସମୁଦ୍ରରୁ ଉଠାଇ ଆଣିବାବେଳେ ତା’ ଦେହରେ କୌଣସି ଲୁଗା ନ ଥିବା କଥା କହିନଥିଲା ।

 

ଚୌଲାର କଥା ଶୁଣି ଗଙ୍ଗା ମନରେ ଅତିଶୟ ଭୟ ହେଲା । ଚୌଲାଯୋଗେ କଙ୍କ ଯୋଗେଶ୍ୱରଙ୍କର ଯେ ଅକାଳରେ ମୃତ୍ୟୁ ହେଲା, ଏହାଠାରୁ ବଳି ଦୁର୍ଭାଗ୍ୟ ଆଉ କ’ଣ ହୋଇପାରେ ? ତା’ ଛଡ଼ା, ଠିକ୍ ପରେ ପରେ ଭୀମଦେବଙ୍କୁ ଯେ ଗଜନୀର ହମୀର୍‍ ସହିତ ଯୁଦ୍ଧ କରିବାପାଇଁ ଯିବାକୁ ହେଲା, ଏହାର ଗୁରୁତ୍ୱ ନାହିଁକି ?

 

ଏହି ବିପଦରୁ ରକ୍ଷା ପାଇବାପାଇଁ ଗଙ୍ଗା ଗୋଟିଏ ଉପାୟ କଲା । ସେ ଚୌଲାକୁ ନେଇ ଗଙ୍ଗସର୍ବଜ୍ଞଙ୍କ ନିକଟକୁ ଚାଲିଗଲା ।

 

ସେତେବେଳକୁ ଗଙ୍ଗ ମଧ୍ୟାହ୍ନ ପୂଜା ଶେଷ କରି ଗାୟତ୍ରୀ ଜପ କରୁଥାନ୍ତି । ଆଜି ତାଙ୍କ ପକ୍ଷରେ ମନର ଏକାଗ୍ରତା ଆଣିବା ଏକପ୍ରକାର ଅସମ୍ଭବ ହୋଇଉଠିଛି । ଏପରି କି, ଜପ କରୁଥିବା ସମୟରେ ମନ ଭିତରେ ‘କ’ଣ ହେବାକୁ ଯାଉଛି’ ବୋଲି ପ୍ରଶ୍ନ ଉଠୁଥାଏ । ଠିକ୍ ଏହି ସମୟରେ ଚୌଲା ସହ ଗଙ୍ଗା ପଛ ପାଖକୁ ପ୍ରବେଶ କରି ତାଙ୍କ ଆଗରେ ଠିଆହେଲା ।

 

ଗଙ୍ଗସର୍ବଜ୍ଞଙ୍କ ଚନ୍ଦନର ତିନିଗାର ଶୋଭିତ କପାଳକୁ ଚୌଲା ଚାହିଁଲା । ଗଙ୍ଗସର୍ବଜ୍ଞ ସାଧାରଣ ମଣିଷ ବା ପ୍ରଭୁ ଶଙ୍କର ନିଜେ, ସେ ବୁଝିପାରିଲା ନାହିଁ । ସେ ବହୁ ସମୟରେ ପ୍ରଭୁ ସୋମନାଥଙ୍କୁ ସ୍ୱପ୍ନରେ ଦେଖିଛି । ସେ ଠିକ୍ ଗଙ୍ଗଙ୍କ ପରି ଦେଖାଯାନ୍ତି । ପ୍ରଭୁଙ୍କର ଚତ୍ମକାର ଦାଢ଼ି ଠିକ୍ ତାଙ୍କ ଦାଢ଼ି ପରି । ପ୍ରକୃତରେ ଗଙ୍ଗ ହେଉଛନ୍ତି ପ୍ରଭୁଙ୍କର ଅବତାର । ଯେବେ ତାହା ହୋଇଥାଏ, ସେ ହେଉଛି ଦେବଙ୍କର ଦେବ ମହାଦେବଙ୍କ ଝିଅ । କିନ୍ତୁ ଗଙ୍ଗ ନିଜେ ମହାଦେବ ଓ ପାର୍ବତୀଙ୍କର ଆରାଧନା କରନ୍ତି । ତେଣୁ ଏହା ହୋଇନଥିବ ବୋଲି ସେ ଭାବିଲା ।

 

ଗଙ୍ଗସର୍ବଜ୍ଞ ଆରାଧନା ଶେଷ କଲାବେଳକୁ ଆସି ପହଞ୍ଚିଲେ ଶିବରାଶି । ସେ ଗଙ୍ଗଙ୍କ ସାମନାରେ ପ୍ରଣାମ କରିବା ସମୟରେ ଆଖିକଣରେ ଚୌଲାକୁ ଦେଖିଲେ । ତାଙ୍କ ମୁହଁରେ ଆନନ୍ଦର ଆଭାସ ।

 

ସେ କହିଲେ, “ଗୁରୁଦେବ ! ଚୌହାନବଂଶର ମୁଖ୍ୟ ସଜ୍ଜନ ଏବଂ ତାଙ୍କ ପୁଅ ସାମନ୍ତ ଆପଣଙ୍କ ଦର୍ଶନାର୍ଥେ ଆସିଛନ୍ତି ।”

 

ଗଙ୍ଗସର୍ବଜ୍ଞ କହିଲେ, “ଆଚ୍ଛା, ଗଙ୍ଗା ମଧ୍ୟ କୌଣସି ଗୁରୁତର ବିଷୟରେ କଥାବାର୍ତ୍ତା କରିବାକୁ ଆସିଛି । ତା’ କାମ ଆଗେ ସାରିଦେବା...।”

 

ଗଙ୍ଗସର୍ବଜ୍ଞ ଚୌଲାକୁ ଚାହିଁ ସସ୍ନେହରେ କହିଲେ, “ଚୌଲା ମଧ୍ୟ ଅଭିଯୋଗ କରିବାକୁ ଆସିଛି । ଚୌଲା ! କାଲି ସନ୍ଧ୍ୟାରେ ତ ତୁ ଚତ୍ମକାର କରିଦେଲୁ ।”

 

ଗଙ୍ଗା ଓ ଚୌଲା ଉଭୟେ ତାଙ୍କ ଆଗକୁ ଆସି ଗୋଡ଼ତଳେ ପଡ଼ିଲେ । ଚୌଲା ଫୁସ୍‌ଫୁସ୍ କରି କହିଲା, “ଏ ତ ଆପଣଙ୍କର ଅତିଶୟ ଦୟା ।”

 

ଗଙ୍ଗସର୍ବଜ୍ଞ-‘‘ମୋ ଦୟାର ପ୍ରଶ୍ନ ନୁହେଁ । ଏହା ହେଉଛି ଭଗବତ୍ କୃପା । ଚୌଲା, ତୁ ଅଦ୍ଭୁତ ଦିଶୁଥିଲୁ । ତୁ ଯେ ଏତେ ଭଲ ନାଚୁ, ସେକଥା ମୁଁ ଜାଣିନଥିଲି । ଗଙ୍ଗା, ତୋର ସୂର୍ଯ୍ୟ ଅସ୍ତ ହେଲେଣି ।’’

 

ଗଙ୍ଗା-‘‘ମୋ ଝିଅ ମୋ ଜାଗା ନେବ ନା କ’ଣ ଶିବରାଶିଜୀ ?’’

 

ଶିବରାଶି ‘ହଁ’ ବୋଲି କହିବାକୁ ଯାଉ ଯାଉ ଗଙ୍ଗସର୍ବଜ୍ଞ ତାଙ୍କୁ କହିବାକୁ ନ ଦେଇ ନିଜେ କହିଲେ-

 

“ଗଙ୍ଗା, ହଁ ତୁ କହ, କାହିଁକି ଆସିଛୁ ?”

 

ଗଙ୍ଗା-‘‘କଥା କ’ଣ କି, ଏକରେ, ଚୌଲା ଆପଣଙ୍କୁ ନମସ୍କାର କରିବାକୁ ଆସିଛି ।’’

 

ଗଙ୍ଗସର୍ବଜ୍ଞ-ଆଉ……?

 

ଗଙ୍ଗା-‘‘ଅନ୍ୟ କଥାଟି ହେଉଛି, ଚୌଲା ମୋତେ ବର୍ତ୍ତମାନ ଗୋଟିଏ କଥା କହିଲା− ତାହା ହେଉଛି ଅତ୍ୟନ୍ତ ଭୟାବହ । ସେ ଓ ଚୌଲା ଚାରିଆଡ଼କୁ ଅନାଇବାରୁ ଗଙ୍ଗ ବୁଝିପାରି କହିଲେ- ଶିବରାଶି, ଦେଖ ବାବୁ, ଯେପରି କେହି ନ ଆସନ୍ତି।”

 

ଶିବରାଶି “ଗୁରୁଦେବଙ୍କ ଆଜ୍ଞା’’ ବୋଲି କହି ସମସ୍ତଙ୍କୁ ଭିତରେ ପ୍ରବେଶ ନିଷେଧ ଆଦେଶ ଦେଇ ଫେରିଆସିଲେ ।

 

ତା’ପରେ ଗଙ୍ଗା ସମସ୍ତ ଘଟଣା ସବିଶେଷଭାବେ ସର୍ବଜ୍ଞଙ୍କୁ କହିଲା । ସବୁକଥା ଶୁଣି ସର୍ବଜ୍ଞଙ୍କ ମୁହଁ ଗମ୍ଭୀର ହୋଇଉଠିଲା । ଶେଷକୁ ଭୀମଦେବଙ୍କଦ୍ୱାରା କଙ୍କ ଯୋଗେଶ୍ୱରଙ୍କ ମୃତ୍ୟୁକଥା ଶୁଣି ସେ ନିଜ ହାତରେ ଆଖି ମଳିଲେ ଓ ପ୍ରଭୁ ସୋମନାଥଙ୍କର ମନ୍ତ୍ର ଉଚ୍ଚାରଣ କଲେ-। ଶିବରାଶି ଶୁଣି ଶୁଣି ଅତିଶୟ ଭୀତତ୍ରସ୍ତ ହୋଇପଡ଼ିଥାନ୍ତି । ଗଙ୍ଗା ପୂରା ଘଟଣାଟି ବର୍ଣ୍ଣନା କରିସାରିବାବେଳକୁ ସମସ୍ତେ ଆବାକ୍ ହୋଇ ଚାହିଁଥାନ୍ତି ।

 

ବହୁ ସମୟ ପରେ ସର୍ବଜ୍ଞ ପ୍ରକୃତିସ୍ଥ ହୋଇ ଦୃଢ଼ସ୍ୱରରେ କହିଲେ, “ମଣିଷର ଭୟ ଓ ଆଶା, ମାୟା ମାତ୍ର ! ପ୍ରକୃତ ଘଟଣା ପ୍ରଭୁଙ୍କୁ ଗୋଚର । ଆମର ଏକମାତ୍ର କାର୍ଯ୍ୟ ହେଉଛି ତାଙ୍କର ସାହାଯ୍ୟ ପ୍ରାର୍ଥନା କରି ତାଙ୍କ ଇଚ୍ଛା ଅନୁସାରେ ଚଳିବା । ଗତ କୋଡ଼ିଏ ବର୍ଷଧରି ତାଙ୍କ ଇଚ୍ଛାନୁଯାୟୀ ମୋରି ଜରିଆରେ ଏହି ପୀଠ ବିସ୍ତୃତି ଲାଭ କରିଛି । ଯେ ପର୍ଯ୍ୟନ୍ତ ପ୍ରଭୁ ଶିବ ଆମକୁ ରକ୍ଷା କରୁଛନ୍ତି, ଆମର କିଏ କ୍ଷତି କରିପାରିବ !”

 

ତାହାପରେ ତାଙ୍କ ଆଖି ଉଜ୍ଜ୍ୱଳ ହୋଇଉଠିଲା; ସତେ ଯେପରି ନୂଆ ଶକ୍ତି ତାଙ୍କ ଦେହକୁ ଆସିଛି । ଦୃଢ଼ତାର ସହିତ ସର୍ବଜ୍ଞ କହିଲେ, “ଯାହାକୁ ପ୍ରଭୁ ରକ୍ଷା କରନ୍ତି, ତାହାର ଦୁନିଆରେ କିଏ କ’ଣ କରିପାରିବ ? ଗଜନୀର ପ୍ରଭୁଙ୍କ ଆସ୍ଥାନ ଉପରେ ଆଞ୍ଚ ଆଣିବାକୁ ଚେଷ୍ଟାକଲେ ସେ ନିଜେ ଧ୍ଵଂସ ହୋଇଯିବେ ।”

 

ତାହାପରେ ଗଙ୍ଗ କିଛିକ୍ଷଣ ଆକାଶକୁ ଚାହିଁ ନୀରବରେ ଧ୍ୟାନମଗ୍ନ ହେଲେ । ଅନ୍ୟମାନଙ୍କର ଗଙ୍ଗସର୍ବଜ୍ଞ ଓ ପ୍ରଭୁ ସୋମନାଥଙ୍କ ଉପରେ ପୂର୍ବପରି ବିଶ୍ୱାସ ଫେରିଆସିଲା ।

 

ଗଙ୍ଗସର୍ବଜ୍ଞ କହିଲେ, “ରାଶି, ସଜ୍ଜନ ଚୌହାନ ବାହାରେ ଅପେକ୍ଷା କରିଛନ୍ତି । ତାଙ୍କୁ ବୋଧହୁଏ ପ୍ରଭୁ ସୋମନାଥ ପଠାଇଛନ୍ତି । ଭିତରକୁ ଡ଼ାକ ।”

 

ସଜ୍ଜନ ଚୌହାନ ଦୀର୍ଘକାୟ, ସୁନ୍ଦର, ଦୀର୍ଘକେଶ, ଚାଳିଶ ବର୍ଷ ବୟସ୍କ ରାଜପୁତ । ତାଙ୍କ ପୁଅ କୋଡ଼ିଏ ବର୍ଷ ବୟସ୍କ ଜଣେ ଯୁବକ । ଚେହେରା ଠିକ୍ ବାପ ପରି । ଉଭୟେ ଏକାଭଳି ଅସ୍ତ୍ରଧାରଣ କରିଛନ୍ତି-ଗୋଟିଏ ଲେଖାଏଁ ଖଣ୍ତା ଓ ଢାଲ। । ବାପ ପୁଅ ଦୁହେଁ ଯାକ ‘ନମଃ ଶିବାୟ’ ବୋଲି କହି ସର୍ବଜ୍ଞଙ୍କୁ ପ୍ରଣାମ କଲେ ।

 

ଗଙ୍ଗସର୍ବଜ୍ଞ ନିଜର ରୀତି ଅନୁସାରେ ‘ଶିବାୟ ନମଃ’ କହି ପୂର୍ବଦିନ ସନ୍ଧ୍ୟାବେଳେ ସେମାନେ ଆସିଛନ୍ତିକି ବୋଲି ପଚାରିଲେ ।

 

ସଜ୍ଜନ-“ହଁ, ଗୁରୁଦେବ ! ଗତକାଲି ଆମେ ଆସିଛୁ । ଆମେ ଏଠାରେ ପହଞ୍ଚିବାବେଳକୁ ଟିକିଏ ଡେରି ହୋଇଗଲା । ସେତେବେଳକୁ ସନ୍ଧ୍ୟାବେଳର ପୂଜା ଆରମ୍ଭ ହୋଇଯାଇଥିଲା ଏବଂ ଆମେ ନୃତ୍ୟ ଦେଖିଲୁ ।” ଏହା କହି ସେ ଚୌଲା ଆଡ଼କୁ ଚାହିଁଲେ ।

 

ଗଙ୍ଗସର୍ବଜ୍ଞ-“ହଁ, ଚୌଲା ସୁନ୍ଦର ନାଚୁଥିଲା, ନାଁ ।

 

ସେ ଏହା କହିବାକ୍ଷଣି ଚୌଲାକୁ ଏକନିଷ୍ଠ ହୋଇ ଚାହିଁଥିବା ସଜ୍ଜନଙ୍କ ପୁଅ ସାମନ୍ତଙ୍କ ଉପରେ ତାଙ୍କ ଆଖି ପଡ଼ିଗଲା । ଚୌଲାର ସୌନ୍ଦର୍ଯ୍ୟରେ ସେ ସମ୍ପୂର୍ଣ୍ଣ ଆତ୍ମହରା ହୋଇପଡ଼ିଥିଲା ।

 

ସର୍ବଜ୍ଞ ସଜ୍ଜନଙ୍କ ସହିତ କଥାବାର୍ତ୍ତାରେ ଲାଗିଲେ ଏବଂ ଘୋଘାରାଣାଙ୍କ ସମ୍ପର୍କରେ ପଚାରିଲେ ।

 

ସଜ୍ଜନ କହିଲେ, “ସେ ଭଲ ଅଛନ୍ତି ଓ ଆପଣଙ୍କୁ ତାଙ୍କର ପ୍ରଣାମ ଜଣାଇ ଉପହାର ପଠାଇଛନ୍ତି ।” ସେ ତାଙ୍କ କମରବନ୍ଧରୁ ସୁନ୍ଦର ହୀରା ଖଣ୍ତିଏ କାଢ଼ି ଗଙ୍ଗସର୍ବଜ୍ଞଙ୍କ ସମ୍ମୁଖରେ ଧରିଲେ ।

 

ଗଙ୍ଗସର୍ବଜ୍ଞ-‘‘ଚୌହାନ ପରିବାରର ମୁଖ୍ୟ ଯେ ପ୍ରଭୁ ସୋମନାଥଙ୍କର ଏକନିଷ୍ଠ ଭକ୍ତ, ଏହା ଜାଣି ମୁଁ ଖୁସି ହେଲି ।’’

 

ସଜ୍ଜନ-‘‘ପ୍ରଭୁ ଶଙ୍କରଙ୍କର ଦୟା ।’’

 

ଗଙ୍ଗସର୍ବଜ୍ଞ-‘‘ସଜ୍ଜନ, ଘୋଘାରାଣାଙ୍କ ଉପରେ ପ୍ରଭୁ ପ୍ରସନ୍ନ । ତାଙ୍କ ସେବା ପ୍ରଭୁଙ୍କ ମନକୁ ପାଇଛି । ତୁମେ ଘରୁ କେବେ ଆସିଲ ?’’

 

ସଜ୍ଜନ-‘‘ଆମେ ଦୁଇମାସ ତଳେ ଘୋଘାଗଡ଼ ଛାଡ଼ିଲୁ । ସଫାଳଦକ୍ଷ, ଶ୍ରୀମାଲ ଓ ଚିତୋର ଦେଇ ଏଠାକୁ ଆସିଛୁ ।’’

 

ଗଙ୍ଗସର୍ବଜ୍ଞ-‘‘ଫେରିବାକୁ ତୁମକୁ କେତେଦିନ ଲାଗିବ ?’’

 

ସଜ୍ଜନ-‘‘ପ୍ରାୟ ପଚିଶ ଦିନ ।’’

 

ଗଙ୍ଗସର୍ବଜ୍ଞ-‘‘ନା, ତା’ ହେବ ନାହିଁ । ଜଲ୍‌ଦି, ପକ୍ଷୀ ପରି ସିଧା ଉଡ଼ିଗଲେ ଅତିକମ୍‍ରେ ଯେତେ ସମୟ ଲାଗିବ, ତାହା ମୁଁ ଜାଣିବାକୁ ଚାହେଁ । ତୁମେ ଯେତେଶୀଘ୍ର ପାର ସେଠାରେ ପହଞ୍ଚିବାକୁ ହେବ । ମୁଁ ଯେଉଁ କାର୍ଯ୍ୟର ଦାୟିତ୍ୱ ଦେବାକୁ ଯାଉଛି ତହିଁରେ ବିପଦ ଥିଲେ ସୁଦ୍ଧା ତାହା ହେଉଛି ଭଗବତ୍ କାର୍ଯ୍ୟ ।’’

Image

 

ମରୁପଥ

 

କିଛିକ୍ଷଣ ଭାବି ସଜ୍ଜନ କହିଲେ, “ଯେତେଚଞ୍ଚଳ ଗଲେ ମଧ୍ୟ ଘୋଘାଗଡ଼ରେ କୋଡ଼ିଏ ଦିନରୁ କମ୍ ସମୟରେ ପହଞ୍ଚି ପାରିବି ନାହିଁ ।”

 

ଗଙ୍ଗସର୍ବଜ୍ଞ ଉତ୍ତର ଦେଲେ, “ସଜ୍ଜନ ! ପନ୍ଦର ଦିନରେ ନୁହେଁ, ଦଶଦିନ, ନା ଦଶଦିନ ବି ନୁହେଁ, ଆଠଦିନରେ ପହଞ୍ଚ । ମୁଁ ତୁମକୁ ଓ ଘୋଘାରାଣାଙ୍କ ନାତିକୁ ଜାଣେ । ଆକାଶରେ ପକ୍ଷୀ ଯେପରି ସିଧା ଉଡ଼ନ୍ତି, ତୁମେ ଇଚ୍ଛାକଲେ ଓଟରେ ସେହିପରି ବେଗରେ ଯାଇପାରିବ ।”

 

ସଜ୍ଜନ-‘‘କୁଳବୃଦ୍ଧ ! ଆପଣଙ୍କର କ’ଣ ଆଜ୍ଞା ?’’

 

ଗଙ୍ଗ-‘‘ମୋ’ପରି ତୁଚ୍ଛ ଲୋକ କ’ଣ ଆଜ୍ଞା କରିପାରେ ? ମୁଁ କେବଳ ପ୍ରଭୁ ସୋମନାଥଙ୍କ ଆଦେଶବାହକ ମାତ୍ର ।’’

 

ସଜ୍ଜନ-‘‘ତାଙ୍କ ଆଦେଶ କ’ଣ ମୋତେ କହନ୍ତୁ । ଘୋଘାରାଣାଙ୍କ ପରିବାରର ଲୋକଙ୍କ ପକ୍ଷରେ ପ୍ରଭୁ ସୋମନାଥଙ୍କର ଆଦେଶ ଶିରୋଧାର୍ଯ୍ୟ ।’’

 

ଗଙ୍ଗ-‘‘ପ୍ରଭୁ ସୋମନାଥଙ୍କର ତୁମ ପରିବାର ଉପରେ ଯଥେଷ୍ଟ ଦୟା । ସଜ୍ଜନ ! ମନ୍ଦିରର ଘୋଡ଼ାଶାଳରେ ଥିବା ସବୁଠାରୁ ଉତ୍କୃଷ୍ଟ ଏବଂ ବେଗଗାମୀ ଓଟ ବାଛି ନିଅ । ତାହା ଉପରେ ତୁମେ ଦିନରାତି ଯାଇ ଯେତେଶୀଘ୍ର ପାର ଘୋଘାରାଣାଙ୍କୁ ପ୍ରଭୁଙ୍କର ବାର୍ତ୍ତା ଜଣାଅ ।’’

 

ସଜ୍ଜନ-‘‘ଗୁରୁଦେବ ! ପ୍ରଭୁଙ୍କର ବାର୍ତ୍ତା କ’ଣ ?’’

 

ଗଙ୍ଗ-‘‘ଗଜନୀର ମୁସଲମାନ ହମୀର୍‍ ସୋମନାଥ ଆକ୍ରମଣ କରି ପ୍ରଭୁଙ୍କର ମନ୍ଦିର ଧ୍ୱଂସ କରିବା ନିମିତ୍ତ ବଦ୍ଧପରିକର ହୋଇ ଆସୁଛି । ଘୋଘାରାଣାଙ୍କୁ ଜଣାଅ-ଦୀର୍ଘ ଅଶୀବର୍ଷର ନିଷ୍ଠା ଓ ଭକ୍ତିବଳରେ ପ୍ରଭୁ ତାଙ୍କୁ ଦେବଦୁର୍ଲଭ ଅଧିକାର ଦେଇଛନ୍ତି । ସୋମନାଥ ମନ୍ଦିରର ରକ୍ଷାକର୍ତ୍ତାରୂପେ ତାଙ୍କୁ ନିଯୁକ୍ତ କରାଯାଇଛି ।”

 

ସଜ୍ଜନ-‘‘ଆମର ଭାଗ୍ୟ !’’

 

ଗଙ୍ଗସର୍ବଜ୍ଞ ସତେ ଯେପରି ପ୍ରଭୁ ସୋମନାଥଙ୍କର ଆଦେଶ ଜଣାଉଥିବାରୁ ନିଜେ ଉତ୍ସାହିତ ହୋଇଛନ୍ତି । ତାଙ୍କ ଆଖି ଦୁଇଟି ଦେଦୀପ୍ୟମାନ ଦେଖାଯାଉଥାଏ ।

 

ଗଙ୍ଗ-‘‘ଯେ ପର୍ଯ୍ୟନ୍ତ ଘୋଘାରାଣାଙ୍କ ପରିବାରରେ ଜଣେସୁଦ୍ଧା ବୀର ବଞ୍ଚିଛି, ସେ ପର୍ଯ୍ୟନ୍ତ ଯେପରି ଆକ୍ରମଣକାରୀ ମରୁଭୂମିରେ ପ୍ରବେଶ କରିନପାରେ, ସେହି ଅନୁସାରେ କାର୍ଯ୍ୟ କରିବାକୁ ତାଙ୍କୁ କହ । ତାଙ୍କର ଜୀବନରେ ସେ ପ୍ରତ୍ୟେକ ଶତ୍ରୁକୁ ନିପାତ କରନ୍ତୁ, ଏହା ପ୍ରଭୁଙ୍କର ଇଚ୍ଛା । ପ୍ରଭୁ ତାଙ୍କୁ ବର ଦେଉଛନ୍ତି-ଯେ ପର୍ଯ୍ୟନ୍ତ ସୂର୍ଯ୍ୟ ଚନ୍ଦ୍ର ଅଛନ୍ତି, ସେ ପର୍ଯ୍ୟନ୍ତ ଘୋଘା ଚୌହାନ ପରିବାରର ଯଶକୀର୍ତ୍ତି ଅକ୍ଷୁର୍ଣ୍ଣ ରହିଥିବ ।’’

 

ଗଙ୍ଗସର୍ବଜ୍ଞଙ୍କ ନିକଟରେ ସଜ୍ଜନ ମସ୍ତକ ଅବନତ କରି ଠିଆହୋଇ ସବୁ ଶୁଣୁଥାନ୍ତି । ସେ ଭାବପ୍ରବଣତା ସହିତ ସୁଦୃଢ଼ ଭାବରେ କହିଲେ, “ଗୁରୁଦେବ ! ଆପଣଙ୍କର ଭୟ କରିବାର କୌଣସି କାରଣ ନାହିଁ । ଯେ ପର୍ଯ୍ୟନ୍ତ ସଂସାରରେ ଘୋଘାବାପାଙ୍କ ପୁଅ, ନାତି ଓ ଅଣନାତିମାନେ ଥିବେ, ସେ ପର୍ଯ୍ୟନ୍ତ କୌଣସି ଦୁର୍ବୃତ୍ତ ମରୁଭୂମି ଡେଇଁପାରିବ ନାହିଁ ।

 

ଗଙ୍ଗ-‘‘ସାବାସ୍ ଚୌହାନ ! ଯାଅ, ପ୍ରଭୁଙ୍କର ଆଦେଶ ଘୋଘାରାଣାଙ୍କୁ ଜଣାଇଦିଅ ।’’

 

ସଜ୍ଜନ-‘‘ମୁଁ ପନ୍ଦର ଦିନ ଭିତରେ ପହଞ୍ଚିବି । ଆପଣ ସାମନ୍ତକୁ ଟିକିଏ ଦେଖାଶୁଣା କରିବେ ।’’

 

ସାମନ୍ତ ବାପାଙ୍କ ଆଡ଼କୁ ଚାହିଁଲେ । ତାଙ୍କର ବୀରତ୍ୱପୂର୍ଣ୍ଣ ଚକ୍ଷୁରେ କ୍ରୋଧ ଓ ଖେଦର ଚିହ୍ନ । ପ୍ରତିବାଦ କରି ସେ କହିଲେ,“ବାପା ! ପ୍ରଭୁ ସୋମନାଥଙ୍କର ଆଦେଶ ଘୋଘା ଚୌହାନବଂଶର ପ୍ରତ୍ୟେକ ପୁତ୍ର ପ୍ରତି ପ୍ରଯୁଜ୍ୟ । ମୁଁ ଝିଅ ନୁହେଁ । ଆପଣଙ୍କ ସହିତ ମୁଁ ମଧ୍ୟ ଯିବି ।”

 

ସର୍ବଜ୍ଞ ସାମାନ୍ତଙ୍କ ପିଠିରେ ହାତମାରି କହିଲେ, “ସାବାସ୍ ! ଚୌହାନବଂଶର ଲକ୍ଷଣ ଦେଖ ! ମୋର ଯଦି ତୁମ ପାଖରେ ଏଠାରେ କିଛି କାମ ଥାଏ ?”

 

ସାମନ୍ତଙ୍କ ମୁହଁରେ ନିରାଶାର ଭାବ ଦେଖାଦେଲା । ସେ କହିଲେ, “ଗୁରୁଦେବ ! ଆପଣଙ୍କୁ ସାହାଯ୍ୟ କରିବାକୁ କ’ଣ କୌଣସି ରାଜପୁତ ଏଠାରେ ନାହାନ୍ତି ? ଘୋଘାଗଡ଼ର ଚୌହାନବଂଶର ପ୍ରତ୍ୟେକଙ୍କର କର୍ତ୍ତବ୍ୟ ହେଉଛି ଘୋଘାଗଡ଼ ରକ୍ଷାକରିବା; ଆବଶ୍ୟକ ହେଲେ ସେଥିଲାଗି ମରିବା । ତେଣୁ ମୁଁ ଯିବି ।”

 

ଗଙ୍ଗସର୍ବଜ୍ଞ ଉତ୍ସାହପୂର୍ଣ୍ଣ ହସ ହସି କହିଲେ, “ସଜ୍ଜନ, ତୁମ ପୁଅ ଅତିଶୟ ସାହସୀ । ତୁମେ ତାଙ୍କୁ ସାଙ୍ଗରେ ନିଅ । ଯେ ପର୍ଯ୍ୟନ୍ତ ତାହାପରି ଚୌହାନବଂଶୀୟ ଅଛନ୍ତି, ସେ ପର୍ଯ୍ୟନ୍ତ ଧର୍ମର ଜୟ ନିଶ୍ଚତ ।”

 

ଭକ୍ତିରେ ଗଦ୍‌ଗଦ୍ ହୋଇ ଧନ୍ୟବାଦ ଅର୍ପଣ କରି ସାମନ୍ତ ସର୍ବଜ୍ଞଙ୍କୁ ପ୍ରଣାମ କଲେ । ଗଙ୍ଗ ତାଙ୍କୁ ଛାତିରେ ଲଗାଇ କହିଲେ, “ଯେ ପର୍ଯ୍ୟନ୍ତ ତୁମପରି ବୀର ଥିବେ, ସେ ପର୍ଯ୍ୟନ୍ତ ଗୋ, ବ୍ରାହ୍ମଣ ଓ ଦେବତାଙ୍କର କେହି କିଛି କ୍ଷତି କରିପାରିବେ ନାହିଁ । ତୁମର ଜୟ ହେଉ ।”

 

ସଜ୍ଜନ-‘‘ଗୁରୁଦେବ ! ଶତ୍ରୁ ଯେଉଁଠି ମିଳିବ, ଆମେ ତାକୁ ଧ୍ୱଂସ କରିବୁ ଏବଂ ପ୍ରଭୁ ସୋମନାଥଙ୍କର ଜୟ ହେବ ।’’

 

ଗଙ୍ଗ-‘‘ବତ୍ସ ! ଯାଅ, ବିଜୟୀ ହୁଅ । ଶିବରାଶି, ସେମାନଙ୍କ ଯାତ୍ରାପାଇଁ ସବୁ ବନ୍ଦୋବସ୍ତ କର । ଆମର ସବୁଠାରୁ ଭଲ ଓଟ ତାଙ୍କୁ ଦିଅ ।’’

 

ସଜ୍ଜନ-‘‘ଗୁରୁଦେବ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ରାସ୍ତା ମରୁଭୂମି ଦେଇ ଯାଇଥିବାରୁ ତାହା ଅନ୍ୟମାନଙ୍କ ପାଇଁ କଷ୍ଟକର ହେଲେ ସୁଦ୍ଧା ଆମ ପାଇଁ ସାଧାରଣ ରାସ୍ତା ପରି ।’’

 

ଗଙ୍ଗ-‘‘ମୁଁ କ’ଣ ତାହା ଜାଣେ ନା ?’’

 

ସଜ୍ଜନ ଚୌହାନ ଏବଂ ସାମନ୍ତ ଗଙ୍ଗସର୍ବଜ୍ଞଙ୍କଠାରୁ ବିଦାୟ ନେଲେ । ସେମାନେ ଫେରିଯାଉଥିବା ସମୟରେ ସାମନ୍ତ ଆଉଥରେ ଚୌଲାକୁ ଅନାଇ ଦେଖିଲେ-ସତେ ଯେପରି ତା’ର ସେଇ ସୁନ୍ଦର ଆଖିଯୋଡ଼ିକ ତାଙ୍କୁ ଏକନିଷ୍ଠଭାବେ ଚାହିଁ ରହି ନିଜର ଶ୍ରଦ୍ଧାଞ୍ଜଳି ଓ ସଦିଚ୍ଛା ଜଣାଉଛି ।

 

ଏହା ଗଙ୍ଗସର୍ବଜ୍ଞଙ୍କ ଦୃଷ୍ଟିକୁ ଅଗୋଚର ରହିଲା ନାହିଁ । ସେ କହିଲେ, “ସଜ୍ଜନ ! ଉଭୟେ ପ୍ରଭୁ ସୋମନାଥଙ୍କୁ ଦର୍ଶନ କରି ଯାଅ । ଚୌଲା ନିଜେ ତୁମମାନଙ୍କୁ ପ୍ରସାଦ ଦେବ ।”

 

ଏହା ଶୁଣି ସାମନ୍ତଙ୍କ ଛାତି ଧଡ଼ପଡ଼ ହେଲା । ପୂର୍ବଦିବସ ସଂଧ୍ୟାରେ ପ୍ରଭୁ ସୋମନାଥଙ୍କ ନିକଟରେ ନାଚିଥିବା ସୁକୁମାରୀ ଦେବଦାସୀ ଚୌଲା ସେମାନଙ୍କୁ ପ୍ରସାଦ ଦେବ !

 

କିଛିକ୍ଷଣ ପରେ ପିତା ଓ ପୁତ୍ର ମନ୍ଦିରକୁ ଗଲେ । ଚୌଲା ସେମାନଙ୍କୁ ଅପେକ୍ଷା କରି ଠିଆ ହୋଇଥାଏ । ତାହା ହାତରୁ ସେମାନେ ସଭକ୍ତିରେ ପ୍ରସାଦ ଗ୍ରହଣ କଲେ । ଚୌଲା ସେମାନଙ୍କ ଆଖି ଓ କପାଳରେ ଚରଣାମୃତ ଓ ପ୍ରସାଦ−ପୁଷ୍ପ ସ୍ପର୍ଶ କରାଇଲା ।

 

ସାମନ୍ତଙ୍କ ପକ୍ଷରେ ଏହା ଗଭୀର ଆବେଗର ସମୟ ଥିଲା । ତାଙ୍କର ହୃଦୟ ସ୍ପନ୍ଦିତ ହେଉଥାଏ । ଚୌଲା ଉପରୁ ସେ ଆଖି ଫେରାଇ ପାରୁନଥାନ୍ତି ।

 

ଚୌଲା ତା’ର ସୁମଧୁର ସ୍ୱରରେ ତାଙ୍କୁ କହୁଥିବା ଶୁଣାଗଲା, “ପ୍ରଭୁ ସର୍ବଜ୍ଞ ଆପଣଙ୍କ ପାଇଁ ଉପହାର ଦେଇଥିଲେ; ମୁଁ ତ ଭୁଲିଯାଇଛି !” ସାମନ୍ତଙ୍କ ମୁଖରେ ଆନନ୍ଦର ଚିହ୍ନ ଦେଖାଦେଲା-। ଗୋଟିଏ ସୁନାପାତ୍ରରେ କିଛି ବିଭୂତି ଚୌଲା ଆଣିଦେଲା । ପ୍ରଭୁଙ୍କର ଏଭଳି କୃପା ଦେଖି ସଜ୍ଜନ ଅତ୍ୟନ୍ତ ଖୁସି ହେଲେ ଏବଂ ସେ ବିଭୂତିର ଚିତା ନିଜ ମସ୍ତକରେ ଲଗାଇଲେ । ସାମନ୍ତଙ୍କ ମନରେ କିନ୍ତୁ ଅନ୍ୟ ଭାବନା । ଯଦି ଶଙ୍କରଙ୍କର ସେବା−ଯଜ୍ଞରେ ନିଜକୁ ଆହୁତି ଦେବାକୁ ହେବ, ତେବେ ଚୌଲା ନିଜ ହାତରେ ତା’ ମସ୍ତକରେ ବିଭୂତି କାହିଁକି ନ ଦେବ ? ଆବେଗାଭିଭୂତ ହୋଇ ସାମନ୍ତ ନିଜ ମସ୍ତକ ଚୌଲା ଆଡ଼କୁ ବଢ଼ାଇଦେଲେ । ଚୌଲା ସାମନ୍ତଙ୍କ ଆଖିରେ ଶୌର୍ଯ୍ୟ ଓ ଭକ୍ତିର ଝଲକ ଦେଖୁଥାଏ । ତା’ଲାଗି ଏ ଯୁବକର ଉତ୍କଣ୍ଠା ମଧ୍ୟ ଅନୁଭବ କରୁଥାଏ । ତେଣୁ ବିନାଦ୍ୱିଧାରେ ସେ ସାମନ୍ତଙ୍କ କପାଳରେ ବିଭୂତି ଲଗାଇଦେଲା ।

 

ଚୌଲା କହିଲା, “ବିଜୟ ହାସଲ କରି ଶୀଘ୍ର ଫେରିଆସନ୍ତୁ ।”

 

“ନିଶ୍ଚୟ”-ସାମନ୍ତ ଗର୍ବ ଓ ବିଶ୍ୱାସର ସହିତ ଜବାବ ଦେଲେ ।

 

ଚୌଲାର ମୁଖର ସ୍ମୃତି ଯେପରି ହୃଦୟରେ ଚିରଦିନ ରହେ, ସେହି ଉଦ୍ଦେଶ୍ୟରେ ସାମନ୍ତ ଚୌଲାର ସୁନ୍ଦର ଆଖି ସମେତ ପୂରା ଶରୀରକୁ, ରାଜ୍ୟ ଜୟ କରିବାପାଇଁ ଯାଉଥିବା ବୀର ପରି ପୂର୍ଣ୍ଣ ଉତ୍ସାହ ଓ ଆତ୍ମବିଶ୍ୱାସରେ ଭଲଭାବେ ଦେଖିନେଲେ ।

 

ସଜ୍ଜନ ଓ ସାମନ୍ତ ଆଠଜଣ ଯୋଦ୍ଧାଙ୍କୁ ସାଙ୍ଗରେ ନେଇ ମରୁଭୂମିରେ ସବୁଠାରୁ ଯେଉଁ ରାସ୍ତା ନିକଟତମ, ସେହି ରାସ୍ତାରେ ଗଲେ । ମନ୍ଦିରର ସବୁଠାରୁ ଭଲ ମାଈ ଓଟ ଏବଂ ପଥପ୍ରଦର୍ଶକ ଭାବରେ ସର୍ବଶ୍ରେଷ୍ଠ ଓଟ−ସଇସମାନଙ୍କୁ ସାଙ୍ଗରେ ନେଲେ ।

 

ସୌରାଷ୍ଟ୍ରର ମାର୍ଗ ସମ୍ପର୍କରେ ସଜ୍ଜନଙ୍କର ଭଲ ଧାରଣା ଥିଲା । ତେଣୁ ମରୁଭୂମିରେ ପ୍ରବେଶ କଲେ ତାଙ୍କର ଆଉକିଛି ଚିନ୍ତା ରହେ ନାହିଁ-ସତେ ଯେପରି ସେ ସେଠାକାର ରାଜା ! ମରୁଭୂମିର ପ୍ରତ୍ୟେକ ଅଂଶ ସମ୍ପର୍କରେ ସେ ଭଲରୂପେ ଜାଣିଥିବାରୁ କଚ୍ଛ’ର ମରୁଭୂମି ଅତିକ୍ରମ କରି ଘୋଘାଗଡ଼ ଯିବା ତାଙ୍କ ପକ୍ଷରେ ପିଲାଖେଳ ପରି ମନେହେଉଥାଏ ।

 

ସେ ଥିଲେ ଜଣେ ଦକ୍ଷ ଉଷ୍ଟ୍ରାରୋହୀ । ଅହୋରାତ୍ର ସେ ଓଟ ଉପରେ ବସି ଯାଇପାରନ୍ତି; ଖୁବ୍‍ଶୀଘ୍ର ମଧ୍ୟ ଓଟକୁ ଦଉଡ଼ାଇ ପାରନ୍ତି । ସେ ଓଟମାନଙ୍କୁ ଭଲପାଆନ୍ତି ଓ ଓଟମାନେ ମଧ୍ୟ ତାଙ୍କୁ ଭଲପାଆନ୍ତି । ତାଙ୍କ ଦୃଷ୍ଟିରେ ସେମାନେ ପଶୁ ନୁହଁନ୍ତି । ସେମାନଙ୍କ ସାଙ୍ଗେ କଥାବାର୍ତ୍ତା କଲାଭଳି ସେ ସେମାନଙ୍କ ସୁଖଦୁଃଖ କଥା ମଧ୍ୟ ଭଲ ବୁଝିପାରନ୍ତି ।

 

ସେମାନେ ଦ୍ରୁତଭାବେ ଅଗ୍ରସର ହେଲେ । ସାମନ୍ତ ଓ ଅନ୍ୟମାନଙ୍କ ସହ ସଜ୍ଜନ ଚୌହାନ ପଥପ୍ରଦର୍ଶକମାନଙ୍କ ଆଗକୁ ମଧ୍ୟ ଚାଲିଗଲେ । ସୌରାଷ୍ଟ୍ରର ଜଙ୍ଗଲ ଅତିକ୍ରମ କରି ପଥପ୍ରଦର୍ଶକମାନେ ମରୁଭୂମିରେ ପ୍ରବେଶ କଲାବେଳକୁ ଖରାବେଳ ହୋଇଗଲାଣି । ସମୁଦ୍ର କୂଳରେ ଠିଆହେଲେ ସମୁଦ୍ର ଲହରୀ ଯେପରି ଦିଗ୍‌ବଳୟ ସାଙ୍ଗରେ ମିଶିଯାଉଥିବା ଭଳି ଦେଖାଯାଏ, ସେହିପରି ମରୁଭୂମିରେ ଦିଗନ୍ତବିସ୍ତାରୀ ବାଲୁକାସ୍ତୂପମାନ ଦିଗ୍‌ବଳୟ ସାଙ୍ଗରେ ମିଶିଯାଉଥିବା ଦୃଶ୍ୟ ସଜ୍ଜନ ଦେଖିବାକୁ ପାଇଲେ ।

 

ସୂର୍ଯ୍ୟଙ୍କର ତେଜ ପ୍ରଖର ହୋଇଥାଏ । ଆଖି ଖୋଲି ଠିଆହେବା ଅସମ୍ଭବ । ଏ ପାଖରୁ ମରୁଭୂମିବାଟେ ଯିବା ରାସ୍ତା କମ୍ ସତ, କିନ୍ତୁ ଅତ୍ୟନ୍ତ ବିପଦସଙ୍କୁଳ । ଏହି ବାଟେ ଯିବା ସଜ୍ଜନଙ୍କ ପକ୍ଷରେ ସହଜ ହେଲେହେଁ ତାଙ୍କ ପୁଅ ପକ୍ଷରେ କଷ୍ଟକର ହୋଇପାରେ । ଏଭଳି ବିପଦସଙ୍କୁଳ ରାସ୍ତାରେ ସେ ପିଲାଟିକୁ କାହିଁକି ନେବେ ?

 

ସଜ୍ଜନ କହିଲେ, “ପୁଅ, ଆମେ ଏଠାରେ ଦୁଇଦଳରେ ବିଭକ୍ତ ହେବା । ତୁ ଆବୁ ବାଟେ ଝାଲୋର ଯା । ମୁଁ ଏଇ ସିଧା ବାଟଦେଇ ଯିବି ।”

 

ସାମନ୍ତ ବାପାଙ୍କ ପ୍ରସ୍ତାବର ଉଦ୍ଦେଶ୍ୟ ବୁଝିପାରି ପଚାରିଲେ, “କ’ଣ କହିଲେ ? ମୁଁ ଆପଣଙ୍କ ସହ ଗଲେ କ୍ଷତି କ’ଣ ହେବ ?”

 

ସଜ୍ଜନ କହିଲେ, “ତୁ କାହିଁକି କଷ୍ଟ ପାଇବୁ ? ଆମେ ଦୁଇଦଳ ହୋଇ ଅଲଗା ଅଲଗା ବାଟରେ ଗଲେ ଭଲ । ମୁଁ ମଧ୍ୟ ଏ ବାଟେ କେବେ ହେଲେ ଯାଇ ନାହିଁ । ଆମର ଭମରିଆରେ ଦେଖାହେବ ।”

 

ସାମନ୍ତ କହିଲେ, “ବାପା, ସତକଥା କହନ୍ତୁ । ମୁଁ ଏ ବାଟେ ଗଲେ କଷ୍ଟ ସହ୍ୟ କରିପାରିବି ନାହିଁ ବୋଲି କ’ଣ ଆପଣ ଭାବୁଛନ୍ତି ?”

 

ସେ ପୁଅକୁ କୁଣ୍ଢାଇ ପକାଇ କହିଲେ, “ବାଜେ କଥା, ଘୋଘାବାପା ପରିବାରର କୌଣସି ବ୍ୟକ୍ତିର ସାହସ ସମ୍ପର୍କରେ ମୁଁ କେବେ କୌଣସି ପ୍ରଶ୍ନ କରିଛି ?”

 

ସଜ୍ଜନଙ୍କର ଏହି କମ୍ ବାଟରେ ଯିବାର ଉଦ୍ଦେଶ୍ୟ ହେଉଛି ଦୁଇଦିନ ଆଗରୁ ଘୋଘାଗଡ଼ରେ ପହଞ୍ଚିବା; କିନ୍ତୁ ବାଟ ଥିଲା ବିପଦସଙ୍କୁଳ । ସେ ବାଟରେ ଯେକୌଣସି ବିପଦର ସମ୍ମୁଖୀନ ହୋଇପାରନ୍ତି । ହୁଏତ ପୁଅ ସହିତ ଆଉ ଦେଖା ହୋଇନପାରେ । ତାଙ୍କ ହୃଦୟ ସନ୍ତାନବାତ୍ସଲ୍ୟରେ ପୂର୍ଣ୍ଣ ହେଲା । ଆଖିରୁ ଲୁହ ଧାର ଧାର ହୋଇ ବହିଲା ।

 

ସାମନ୍ତ କହିଲେ, “ବାପା ! ଆପଣଙ୍କ କଥା ମୁଁ ବୁଝିପାରୁଛି । ଘୋଘାଗଡ଼ରେ ଆପଣ ମୋ ଆଗରୁ ପହଞ୍ଚିବାକୁ ଚାହାନ୍ତି । କିନ୍ତୁ ଆପଣ ଦେଖିବେ, ମୁଁ ଆଗେ ପହଞ୍ଚିବି ।”

 

ସଜ୍ଜନ ଉତ୍ତର ଦେଲେ, “ତୁ ଯେବେ ମୋ’ଠାରୁ ନ ବଳିବୁ ଆଉ କିଏ ବଳିଯିବ ?”

 

ବାପାଙ୍କ ଆଖିରୁ ଲୁହ ବୋହୁଥିବା ଦେଖି ସାନନ୍ତ କହିଲେ, “ବାପା...!”

 

ସଜ୍ଜନ ଉତ୍ତର ଦେଲେ, “ନା, କିଛି ନୁହେଁ । ଏ ବାଲିର ତା’ପରେ ଆଖି ଝଲସିଯାଉଛି ।”

 

ସଜ୍ଜନ ପଥପ୍ରଦର୍ଶକକୁ ସାଙ୍ଗରେ ନେଇ ମରୁଭୂମିରେ ପ୍ରବେଶ କଲେ । ବାପ ସମୁଦ୍ରଠାରୁ ଅଧିକ ଭୟାବହ ମରୁଭୂମିରେ ପ୍ରବେଶ କରୁଥିବା ଦୃଶ୍ୟ ସାମନ୍ତ ଗର୍ବର ସହିତ ଲକ୍ଷ୍ୟ କରୁଥାନ୍ତି । କି ଚତ୍ମକାର ଭାବରେ ସେ ଓଟ ଉପରେ ଯାଉଛନ୍ତି ! ତାଙ୍କ ମସ୍ତକରେ ପଗଡ଼ି କିପରି ସୁନ୍ଦର ଦେଖାଯାଉଛି ! ଏଭଳି ଜଣେ ସର୍ବଗୁଣସମ୍ପନ୍ନ ବ୍ୟକ୍ତିଙ୍କ ପୁତ୍ର ହୋଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେକଲେ । ପନ୍ଦରଦିନ ପରେ-ସମ୍ଭବତଃ ବାରଦିନ ପରେ-ସେ ତାଙ୍କ ଜେଜେ, ଦାଦା ଏବଂ ଭାଇମାନଙ୍କୁ ଓ ଏପରିକି ବାପାଙ୍କ ସାଙ୍ଗରେ ଦେଖାକରିବେ ।

 

ସଜ୍ଜନ ଯିବାପରେ ବାକି ଚାରିଟି ମାଈ ଓଟଙ୍କୁ ସାଙ୍ଗରେ ନେଇ ଏବଂ ବାପା ଯାଉଥିବା ବାଟକୁ ଟିକିଏ ଚାହିଁ ସାମନ୍ତ ତାଙ୍କ ରାସ୍ତାରେ ଗଲେ ।

 

ସଜ୍ଜନ ଚୌହାନ ଯେଉଁ ଓଟ ଉପରେ ଚଢ଼ି ଗଲେ ତା’ର ନାଁ ପଦମଡ଼ୀ । ସମଗ୍ର ସୌରାଷ୍ଟ୍ରରେ ତା’ ସମକକ୍ଷ ଓଟ ନ ଥିଲା । ସେ ପବନବେଗରେ ଚାଲେ ଏବଂ ତା’ ଉପରେ ବସିଥିବା ଲୋକ ଯୁଆଡ଼େ ଯିବାକୁ ଚାହେଁ, ତା’ ସେ ଜାଣିପାରେ ବୋଲି ପ୍ରବାଦ ଅଛି । କିଛି ସମୟ ପରେ ସଜ୍ଜନଙ୍କର ତା’ ସହିତ ବନ୍ଧୁତା ହୋଇଗଲା । ସେ ତାକୁ ବାରମ୍ବାର ପଦମଡ଼ୀ ବୋହୂ ବୋଲି ସମ୍ବୋଧନ କରନ୍ତି ଓ ସେ ମଧ୍ୟ ସେହି ଅନୁସାରେ ଜବାବ ଦିଏ ।

 

ସଜ୍ଜନ କହିଲେ, “ପଦମଡ଼ୀ ! ପ୍ରଭୁ ସୋମନାଥ ଓ ଘୋଘାବାପାଙ୍କର ମାନସମ୍ମାନ ବର୍ତ୍ତମାନ ତୋ’ ଉପରେ ନିର୍ଭର କରୁଛି ।” ପଦମଡ଼ୀ ଏପରି ଭାବଭଙ୍ଗୀ ଦେଖାଇଲା ଯାହାଦ୍ୱାରା ସେ ତା’ ଦାୟିତ୍ୱ ଠିକ୍‌ଭାବେ ବୁଝିଥିବାର ଜଣାପଡ଼ିଲା ଏବଂ ସେ ଅଧିକ ବେଗରେ ଚାଲିବାକୁ ଲାଗିଲା । ସଜ୍ଜନ ପୁଣି କହିଲେ, “ପଦମଡ଼ୀ, ଶୀଘ୍ର ଶୀଘ୍ର ଚାଲ । ଘୋଘାବାପାଙ୍କ ପରିବାରର ସମସ୍ତ ସ୍ତ୍ରୀ ପୁରୁଷ ମୋତୀହାରରେ ତୋତେ ସ୍ୱାଗତ କରିବାକୁ ଚାହିଁଥିବେ ।” ପଦମଡ଼ୀ ମୁଣ୍ଡ ହଲାଇଲା ଏବଂ ଅଧିକ ଦ୍ରୁତଗତିରେ ଚାଲିଲା ।

 

ଅନ୍ଧାର ହେଲାବେଳକୁ ଗୋଟିଏ ଛୋଟ ମୁଣ୍ଡିଆ ଦେଖାଗଲା । ତାହା ଉପରେ କେତେକ ଛୋଟ ଛୋଟ ଗଛ ଓ ଗୋଟିଏ ବଡ଼ ତାଳଗଛ ଥିଲା । ଠିକ୍ ଏହା ପାଖରେ ଗୋଟିଏ ଭଙ୍ଗା ମନ୍ଦିରରେ ଉଡ଼ୁଥିଲା ଗୋଟିଏ ଧଳା ପତାକା ।

 

“ସାବାସ”-ସଜ୍ଜନ ଏହି ମୁଣ୍ଡିଆ ଦେଖି ଆନନ୍ଦରେ କହିଲେ । “ପଦମଡ଼ୀ, ଖୁବ୍ ଭଲ କାମ କରିଛୁ ! ତୁ ଦୀର୍ଘାୟୁ ହୁଅ । ବର୍ତ୍ତମାନ ଏଠି କିଛି ସମୟ ବିଶ୍ରାମ ନେବା ।” ଓଟ ଦୁଇଟି ମୁଣ୍ଡିଆ ଉପରେ ପହଞ୍ଚିବା ପରେ ଦେଖାଗଲା ଦୁଇଟି କୁଡ଼ିଆଘର । ଉକ୍ତ କୁଡ଼ିଆଘର ଆଗରେ କେତେକ ରଖୁଆଳ ଖଟରେ ବସି ଗପ କରୁଥାନ୍ତି । ସେମାନଙ୍କ ଓଟ ଗଛର ପତ୍ର ଚୋବାଉଛନ୍ତି ଏବଂ ନୂଆ ଆସୁଥିବା ଓଟମାନଙ୍କୁ ସ୍ୱଗାତ କରୁଛନ୍ତି ଚିତ୍କାର କରି ।

 

ସୂର୍ଯ୍ୟ ଅସ୍ତ ହୋଇ ରାତି ମାଡ଼ିଆସୁଛି । ଡେଙ୍ଗା ତାଳ ଗଛ ଉପରେ ଉଡ଼ୁଥିବା ପତାକା ମରୁଭୂମି ମଧ୍ୟରେ ପଥନିର୍ଦ୍ଦେଶନାର ସଂକେତ ଦେଉଛି ।

 

ସଜ୍ଜନ ଓଟ ଉପରୁ ଓହ୍ଲାଇ ଖାଇବାକୁ କିଛି ଅଛିକି ନାହିଁ ରଖୁଆଳମାନଙ୍କୁ ପଚାରିଲେ-। ସେମାନେ ଜବାବ ଦେଲେ ‘‘ହଁ ବାପୁ ଆମ ପାଖରେ ବାଜରା ରୁଟି ଓ କୂଅର ପାଣି ଅଛି ।

 

ଯେତେଶୀଘ୍ର ପାରନ୍ତି ଘୋଘାଗଡ଼ରେ ପହଞ୍ଚିବାକୁ ସଜ୍ଜନ ବ୍ୟଗ୍ର ହୋଇ ଉଠିଥାନ୍ତି । ସେ ଓଟ ଦୁଇଟିଙ୍କୁ ଖୁଆଇବାପାଇଁ ସଇସକୁ ନିର୍ଦ୍ଦେଶ ଦେଲେ ।

ଏତେବାଟ ଆସିଥିଲେ ସୁଦ୍ଧା ଓ ତା’ର ସଇସ କ୍ଲାନ୍ତ ଦେଖାଯାଉଥିଲେ ସୁଦ୍ଧା ପଦମଡ଼ୀ ବେଶ୍ ତାଜା ଦେଖାଯାଉଥିଲା । କିନ୍ତୁ ଅନ୍ୟ ଓଟଟି ଟିକିଏ କ୍ଳାନ୍ତ ହୋଇଯାଇଥିବା ପରି ମନେହେଉଥାଏ । ସଜ୍ଜନ ତା’ ଦେହରେ ହାତ ବୁଲାଇଲେ । ଜଣାପଡ଼ିଲା, ଯେପରି ତା’ର ତେଜ ମରିଯାଇଛି । ସେ ଓଟ ରଖୁଆଳମାନଙ୍କୁ ପଚାରିଲେ, “କୁଆଡ଼େ ଯିବ ଭାଇ ?”

ସେମାନେ ଉତ୍ତର ଦେଲେ, “ଆମେ କାଲି ହଲବଦ ଯିବୁ ।”

ସଜ୍ଜନ-‘‘ମୋ ଓଟ ନେଇ ତମ ଓଟରୁ ଗୋଟିଏ ଦେବ ?’’

ରଖୁଆଳ-‘‘ନାଁ ବାବା ! ତମେ ଯିବ କୁଆଡ଼େ ?’’

ସଜ୍ଜନ-‘‘ମୁଁ ଏଇ ମରୁଭୂମି ବାଟଦେଇ ସିଧା ଯିବି ।’’

ରଖୁଆଳ-‘‘ଏତେବେଳେ, ମରୁଭୂମିରେ କେମିତି ଯିବ ?’’

ସଜ୍ଜନ-‘‘ତମମାନଙ୍କ ଘର କେଉଁଠି ? କେଉଁଠୁ ଆସିଲ ?’’

ରଖୁଆଳ-‘‘ଆମର ଏହି ମନ୍ଦିରରେ ମାନସିକ ଥିଲା । ପୂଜା କରିବାପାଇଁ ଏଠାକୁ ଆସିଛୁ ।’’

ସଜ୍ଜନ-‘‘ମୋର ବି ମାନସିକ, ମୁଁ ବର୍ତ୍ତମାନ ସିଧା ମରୁଭୂମି ବାଟରେ ଯିବି ।’’

ରଖୁଆଳ-‘‘ବାପୁ, ଏହି ଠାକୁରାଣୀଙ୍କ ହୁକୁମ୍‍, ଏଠାରୁ ଆଗକୁ କେହି ଯାଇପାରିବେ ନାହିଁ । ଯେଉଁମାନେ ଆଗକୁ ଯିବାକୁ ଚେଷ୍ଟା କରିଛନ୍ତି, ସେମାନେ ଆଉ କେହି ଫେରିନାହାନ୍ତି । ବୁଢ଼ା ବୁଢ଼ା ଲୋକଙ୍କ କଥା ଅନୁସାରେ ଆଗକୁ ତିନି ଶହ ମାଇଲପର୍ଯ୍ୟନ୍ତ ଗଛଟିଏ ନାହିଁ ବା ପାଣି ମୁନ୍ଦିଏ ନାହିଁ ।’’

 

ସଜ୍ଜନ-‘‘ଏସବୁ ବିଷୟରେ ତୁମମାନଙ୍କର ବ୍ୟସ୍ତ ହେବାର କିଛି ନାହିଁ । ମୁଁ ତୁମକୁ କେବଳ ଗୋଟିଏ ଓଟ ମାଗୁଛି ।’’

 

ରଖୁଆଳ-‘‘ନା ବାବା, ଏ ସବୁ ଆମ ଘର ଓଟ । ଅମେ ଦେଇପାରିବୁ ନାହିଁ ।’’

 

ସଜ୍ଜନ-“ନ ଦେଲେ ମୋତେ ଯେଭଳି ହେଲେ ତମ ଓଟରୁ ଗୋଟେ ନେବାକୁ ପଡ଼ିବ ।” ସେ ତାଙ୍କ ଓଟ-ସଇସ ସୋନିଆକୁ ଡାକି ଚଞ୍ଚଳ ଖିଆ ସାରିବାକୁ କହିଲେ ।

 

ସଜ୍ଜନ କହିଲେ−‘‘ମୁଁ ପଦମଡ଼ୀକୁ ଗାଧୋଇ ଦେଇ ନିଜେ ଗାଧୋଇବି । ତୁ ତୋ ଓଟକୁ ଗାଧୋଇ ଦେ ।’’

 

ସୋନିଆ-‘‘ମୁଁ କାଲି ସକାଳେ ଗାଧୋଇଦେବି ।’’

 

ସଜ୍ଜନ-‘‘ତୁ କ’ଣ ପାଗଳ ହେଲୁ ? ଠିକ୍ ଜହ୍ନ ଉଠିବା ପରେ ପରେ ଆମେ ବାହାରିବା କଥା ।’’

 

ସୋନିଆ ଡରି ଡରି କହିଲା, “ଆଜ୍ଞା, ରାତିରେ ଏଠୁ ଠାକୁରାଣୀଙ୍କ ଇଚ୍ଛା ବିରୁଦ୍ଧରେ କିପରି ଯିବା ?”

 

ସଜ୍ଜନ- “ତୁ ଡରୁଛୁ କାହିଁକି ? ଆମେ ପରା ସୋମନାଥଙ୍କ ଆଜ୍ଞାରେ ଯାଉଛେ ।” ଏହା କହି ସଜ୍ଜନ ପଦମଡ଼ୀକୁ ଗାଧୋଇଦେବାପାଇଁ ପୋଖରୀକୁ ନେଲେ ।

 

ସୋନିଆ ବୁଲିପଡ଼ି ରଖୁଆଳମାନଙ୍କୁ ପଚାରିଲା, “ଆମେ ଏଠି ଗଲେ କ’ଣ ପଡ଼ିବ ?”

 

ଗୋଟିଏ ବୁଢ଼ା ରଖୁଆଳ କହିଲା, “ଛତୁ ପଡ଼ିବ । ତୋ ମାଲିକର ତ ମୁଣ୍ତ ଖରାପ ! ଏ ବାଟେ କେହି ଯିବାର ମୁଁ କେବେହେଲେ ଶୁଣିନାହିଁ ।” ଆଉ ଗୋଟିଏ ରଖୁଆଳ କହିଲା, “ଏପରିକି ଏ ବାଟେ କୌଣସି ପକ୍ଷୀ ଉଡ଼ିବାର କେହି ଦେଖିନାହାନ୍ତି ।”

 

ସୋନିଆ ତା’ ନୂଆ ସାଙ୍ଗମାନଙ୍କୁ ଡାକି କହିଲା, “ଚାଲ ଆମେ ଖାଇବା ।”

 

ଏହି ଦୁଇଜଣ ଯେବେ ଠାକୁରାଣୀଙ୍କ ଇଚ୍ଛା ବିରୁଦ୍ଧରେ ଆଗକୁ ଯାଆନ୍ତି ତା’ହେଲେ କ’ଣ ସବୁ ବିପଦ ପଡ଼ିବ ତାହା ବର୍ଣ୍ଣନା କରି ରଖୁଆଳମାନେ ସୋନିଆକୁ ଆଗକୁ ନ ଯିବାପାଇଁ ଡରାଇ ଦେଲେ ।

 

ସଜ୍ଜନ ଡରିବା ଲୋକ ନୁହଁନ୍ତି । ତାଙ୍କର ଗୋଟିଏ ପଣ, ଯେତେଶୀଘ୍ର ପାରନ୍ତି ଘୋଘାବାପାଙ୍କ ପାଖରେ ପହଞ୍ଚି ପ୍ରଭୁ ଶିବଙ୍କ ବାର୍ତ୍ତା ଜଣାଇବେ । ସେ ପ୍ରଥମେ ପଦମଡ଼ୀକୁ ଗାଧୋଇ ଦେଇ ନିଜେ ଗାଧୋଇଲେ । ନିଜ ଥଳିରେ କୂଅରୁ ପାଣି ଆଣି ପୂରାଇ ଓ ରଣଥମ୍ୱୀ ଠାକୁରାଣୀଙ୍କୁ ପୂଜାକରି ସେ ରଖୁଆଳମାନଙ୍କ ପାଖକୁ ଗଲେ ।

 

ସୁଧାର ଗାଈ ଯେପରି ଯାଏ, ଠିକ୍ ସେହିପରି ପଦମଡ଼ୀ ତାଙ୍କ ସାଙ୍ଗେ ସାଙ୍ଗେ ଗଲା । ସଜ୍ଜନ ତାକୁ ଏତେ ଭଲ ପାଉଥିଲେ ଯେ, ସେ ତାଙ୍କର ପୂରା ପୋଷା ମାନିଯାଇଥିଲା । ସୋନିଆ ମାଲିକଙ୍କୁ ଖାଇବାକୁ ଦେଲା । “ଗୋଟିଏ ନୂଆ ଓଟ ଦେବ କି ନାହିଁ” ବୋଲି ରଖୁଆଳମାନଙ୍କୁ ସଜ୍ଜନ ପୁଣି ପଚାରିବାରୁ ସେମାନେ ପୁଣି ନାହିଁ କଲେ ।

 

ସଜ୍ଜନ-‘‘ସୋନିଆ, ତା’ହେଲେ ଆମେ ଆମର ଯିବା ।’’

 

ସୋନିଆ-‘‘ମରୁଭୂମି ଠାକୁରାଣୀଙ୍କୁ ଡେଇଁକରି ଆମେ କିପରି ଯିବା ?’’

 

ସଜ୍ଜନ-‘‘ତୁ ବି ଡରିଗଲୁଣି ? ମୁଁ ପରା ତୋ ସାଙ୍ଗରେ ଅଛି !’’

 

ସୋନିଆ-‘‘ବାପୁ, ଠାକୁରାଣୀ କୋପ କଲେ ଆମକୁ କିଏ ରକ୍ଷା କରିବ ?’’

 

ସଜ୍ଜନ-‘‘କିନ୍ତୁ ମୁଁ ଜାଣେ ଯେ, ଠାକୁରାଣୀ ଆମ ଉପରେ ରାଗିବା ବଦଳରେ ଭାରି ଖୁସି ହେବେ ।’’

 

ସୋନିଆ ତା’ର ଅମାନିଆପଣ ଦେଖାଇ କହିଲା, “ଆପଣ ଯାହା କହୁଛନ୍ତି ସତ ହୋଇଥିବ; କିନ୍ତୁ ଆମେ ଏତେବେଳେ ଯିବା ନାହିଁ ।”

 

ସଜ୍ଜନ ଦୃଢ଼ଭାବ ପ୍ରକାଶ କରି କହିଲେ, “ଆମକୁ ଯିବାକୁହିଁ ହେବ । ତୁ ଓଟକୁ ଚଞ୍ଚଳ ଗାଧୋଇଦେ । ବର୍ତ୍ତମାନ ଜହ୍ନ ଉଠିଯିବ ।”

 

କିନ୍ତୁ ସୋନିଆ ଥା ଥା ମା ମା ହୋଇ ଠିଆହେଲା ।

 

ସଜ୍ଜନ ରାଗିଯାଇ ତାକୁ ଧକ୍କା ଦେବାକୁ ଉଦ୍ୟତ ହେଲେ ।

 

ସୋନିଆ ଆସ୍ତେ ଆସ୍ତେ ଓଟକୁ ଗାଧୋଇ ଦେବାକୁ ନେଲା ।

 

ସଜ୍ଜନ ଖାଇସାରି ଯିବାକୁ ବାହାରିଲେଣି । ସୋନିଆ ମଧ୍ୟ ଫେରିଲାଣି । ସଜ୍ଜନ ପୁଣିଥରେ ଯାଇ ରଖୁଆଳମାନଙ୍କୁ କହିଲେ, “ଗୋଟିଏ ଓଟ ଓ ଆଉ କିଛି ଟଙ୍କା ଦେଲେ ଓଟଟାଏ ଦେବକି ?” ଗୋଟିଏ ଟୋକା ରଖୁଆଳ ଲୋଭରେ ପଡ଼ିଯାଉଥିଲା । କିନ୍ତୁ ଜଣେ ବୟସ୍କ ଲୋକ ତାକୁ ଗାଳିଦେଇ କହିଲା, “ଯେଉଁ ଓଟକୁ ଏତେଦିନ ଯାଏ ଘରେ ପୋଷିଆସିଛୁ ତାକୁ ମାରିବାକୁ ଚାହୁଁ ?”

 

ସେମାନଙ୍କଠାରୁ ଓଟ ପାଇବାର କୌଣସି ଆଶା ନ ଦେଖି ସଜ୍ଜନ ସୋନିଆକୁ ବାହାରିବାକୁ କହିଲେ । ଯାତ୍ରାରମ୍ଭ ଟିକିଏ ଡେରି କରିବାପାଇଁ ସୋନିଆ ପୁଣି ଚେଷ୍ଟାକଲା; କିନ୍ତୁ ସଜ୍ଜନ ତା’ କଥା ଶୁଣିଲେ ନାହିଁ ।

 

ଏତେବେଳକୁ ଜହ୍ନ ଉଠିଲାଣି । ଜ୍ୟୋତ୍ସ୍ନା ରାତ୍ରିରେ ମରୁଭୂମିର ସୌନ୍ଦର୍ଯ୍ୟ ମନୋମୁଗ୍ଧକର ଏବଂ ଧୀର ପବନ ଯୋଗୁ ଜହ୍ନ ଆଲୁଅରେ ତାଳଗଛର ପତ୍ରଗୁଡ଼ାକ ଦୋହଲି ଭାରି ସୁନ୍ଦର ଦିଶୁଥାଏ ।

 

ସଜ୍ଜନ ପଦମଡ଼ୀ ଉପରେ ଚଢ଼ିଲେ । ସୋନିଆ ଅନିଚ୍ଛାସତ୍ତ୍ୱେ ତାଙ୍କ ପଛେ ପଛେ ଗଲା-

 

ଟୋକା ରଖୁଆଳ ଜଣେ କହିଉଠିଲା, “ବାପୁ, ଜଲ୍‌ଦି ଫେରି ଆସିବ, ଆଚ୍ଛା !”

 

“ଜୟ ସୋମନାଥ” କହି ସଜ୍ଜନ ଯାତ୍ରା ଅନୁକୂଳ କଲେ ।

Image

 

ମରୁଝଡ଼

 

ମରୁଭୂମିରେ ଉଜ୍ଜ୍ୱଳ ଚନ୍ଦ୍ରାଲୋକ ପଡ଼ିଛି । ବାଟ ଚିହ୍ନିଯିବାରେ କୌଣସି ଅସୁବିଧା ନାହିଁ-। ଶୀତଦିନ ଆରମ୍ଭ । ମନ୍ଦ ଶୀତଳ ପବନ ଅରାମ ଲାଗୁଛି ।

ପଦମଡ଼ୀର ମନ ମଧ୍ୟ ବେଶ୍ ଖୁସି ଅଛି । ଏହିସବୁ କାରଣରୁ ସଜ୍ଜନ ଭୋର ହେବାବେଳକୁ ଯଥେଷ୍ଟ ବାଟ ଯାଇପାରିବେ ବୋଲି ବିଚାରିଥିଲେ । କିନ୍ତୁ ରଖୁଆଳଙ୍କ କଥାରେ ବିଶ୍ୱାସ କରି ସୋନିଆ ଭୟରେ ଡରି ଥରି ତା’ ଓଟ ଉପରେ ବସିଥିଲା । ମରୁଭୂମିର ଏ ପାଖକୁ ସେ କେବେହେଲେ ଆସି ନ ଥିଲା । ତା’ ମନରେ ବଦ୍ଧଧାରଣା ଯେ, ମରୁଭୂମିର ଦେବୀ ଯେଉଁଠି ଆସ୍ଥାନ ପକାଇଛନ୍ତି ତାକୁ ପାରିହୋଇ ଯେ ଆଗକୁ ଯିବ, ତା’ପାଇଁ ବିପଦ ସୁନିଶ୍ଚିତ । ସତେ ଯେପରି ନିଜ ମୁନିବର ମନଜାଣି ତା’ ଓଟ ମଧ୍ୟ ଧୀରେ ଧୀରେ ଚାଲିଲା । ସଜ୍ଜନ ବାରମ୍ବାର ତାଗିଦ୍ କରୁଥିଲେ ସୁଦ୍ଧା ସୋନିଆ ତା’ ଓଟକୁ ଚଞ୍ଚଳ ଚଳାଇଲା ନାହିଁକି ଜବାବ ମଧ୍ୟ ଦେଲା ନାହିଁ-। ସଜ୍ଜନ ଏଥିରେ ରାଗିଗଲେ । ପଛକୁ ଯାଇ ସୋନିଆର ଓଟକୁ ତାଙ୍କ ନିଜ ବେତରେ ପିଟିଲେ; କିନ୍ତୁ କୌଣସି ଫଳ ହେଲା ନାହିଁ । ଓଟଟି ସୋନିଆର ଭାବ ଗ୍ରହଣ କଲାପରି ବସିପଡ଼ିଲା-

“ସୋନିଆ, ଓହ୍ଲା, ଚାହିଁଛୁ କ’ଣ ?” ଏହାକହି ସେ ପଦମଡ଼ୀଉପରୁ ଓହ୍ଲାଇ ସୋନିଆର ଓଟକୁ ଅତି ନିର୍ମମଭାବେ ପିଟିଲେ । ଏଭଳି ପିଟିଲେ ଯେ, ସେ ଅତି କଷ୍ଟରେ ଠିଆହେଲା । ସଜ୍ଜନ ପଦମଡ଼ୀ ଉପରେ ଚଢ଼ି ସୋନିଆ ଓଟକୁ ଅନାଇ ସେ ଯେପରି ଚଞ୍ଚଳ ଚଞ୍ଚଳ ଚାଲିବ ସେଥିପାଇଁ ଚେଷ୍ଟାକଲେ ।

କିଛି ଫଳ ନ ହେବାରୁ ସେ ବୁଝିଲେ ଯେ, ସୋନିଆ ଯୋଗୁଁ ତା’ ଓଟ ଅମାନିଆଁ ହେଉଛି । ସେ କେବଳ ତା’ ମୁନିବ କଥା ଅନୁସାରେହିଁ କାମ କରୁଛି ।

ସଜ୍ଜନ କହିଲେ-“ସୋନିଆ, ମୁଁ ତୋ ଓଟ ଉପରେ ବସୁଛି, ତୁ ପଦମଡ଼ୀ ଉପରେ ବସ-। ଦେଖିବି କେମିତି ନ ଚାଲିବ ।”

ସୋନିଆ କହିଲା, “ନା ବାପୁ, ଏବେ ଚାଲିବ ।” ପ୍ରକୃତରେ ତା’ ଓଟ ମଧ୍ୟ ବେଗେ ବେଗେ ଚାଲିଲା । ସଜ୍ଜନ ପଛରେ ଯାଉଥିଲେ । ଯେତେବେଳେ ଦେଖିଲେ ଯେ ସୋନିଆ ଓଟ ଭଲଭାବେ ଚାଲିଛି ସେ ପୁଣି ଆଗକୁ ଗଲେ ।

କିଛିକ୍ଷଣ ପରେ ସୋନିଆର ଓଟ ପୁଣି ଆସ୍ତେ ଆସ୍ତେ ଚାଲିଲା । ସଜ୍ଜନ ଏହା ଦେଖି ସୋନିଆକୁ ଚଞ୍ଚଳ ହେବାକୁ କହିଲେ । କିନ୍ତୁ ଏଥର ଦେଖିଲେ, ତା’ ଓଟ ଆଗକୁ ନ ଆସି ପଛକୁ ଯାଉଛି । ସେ ନିଜର ଧେର୍ଯ୍ୟ ପୂରାପୂରି ହରାଇ ସୋନିଆକୁ ନିଜ ବେତରେ ପାହାରେ ପିଟି କହିଲେ, “ବଦମାସ୍ ! ତୁ ମୋ ସାଙ୍ଗରେ ଯିବାକୁ ଚାହୁନାହୁଁ ?”

 

“ନାହିଁ ନାହିଁ” କହି ସୋନିଆ ତା’ ଓଟ ଉପରେ ବସିଲା ଓ ଆଗକୁ ନ ଯାଇ ତା’ ଓଟକୁ ଫେରାଇ ମରୁଭୂମି ଦେବୀଙ୍କ ମନ୍ଦିର ଆଡ଼କୁ ପଦମଡ଼ୀଠାରୁ ଅଧିକ ବେଗରେ ଦଉଡ଼ାଇଲା ।

 

ସୋନିଆ ଯେପରି ଚଞ୍ଚଳଭାବେ ଓଟ ଦୌଡ଼ାଇ ଦୃଷ୍ଟି ଅଗୋଚର ହେଉଥିଲା, ସଜ୍ଜନ ଅତି ଦୁଃଖର ସହିତ ତାକୁ ଚାହିଁଥାନ୍ତି । ସୋନିଆ ତା’ ଓଟକୁ ନେଇ ଏଭଳି ଚଞ୍ଚଳ ଚଞ୍ଚଳ ଗଲା ଯେ, ସଜ୍ଜନ ଆଉ ତାକୁ ଦେଖିପାରିଲେ ନାହିଁ ।

 

ସୋନିଆକୁ ଉଚିତ ଶାସ୍ତି ଦେବାପାଇଁ ସଜ୍ଜନଙ୍କର ପ୍ରବଳ ଇଚ୍ଛା ହେଉଥିଲେ ସୁଦ୍ଧା, ସେ ଯେଉଁ ଉଦ୍ଦେଶ୍ୟରେ ଯାଉଛନ୍ତି ତାହା ପ୍ରଥମ । ତେଣୁ ସେ ନିଜର ଇଚ୍ଛାକୁ ଚାପିରଖିଲେ ।

 

ସଜ୍ଜନ ଓଟକୁ କହିଲେ- “ପଦମଡ଼ୀ, ପ୍ରଭୁ ଶଙ୍କରଙ୍କ ଆଦେଶ ପାଳନ କରିବାର ଦାୟିତ୍ୱ ବର୍ତ୍ତମାନ ଆମ ଦୁହିଁଙ୍କ ଉପରେ ।”

 

କୃଷ୍ଣପକ୍ଷ ଚତୁର୍ଥୀ ରାତି । ଚନ୍ଦ୍ରଙ୍କର ଶୀତଳ ଉଜ୍ଜ୍ୱଳ କିରଣରେ ସମସ୍ତ ମରୁଭୂମି ଆଲୋକିତ ହୋଇଛି । ସମୁଦ୍ର ଲହରୀ ପରି ଚରିଆଡ଼େ ବାଲିଗଦା । ନିସ୍ତବ୍‌ଧ ରାତିର ସୁଲୁସୁଲିଆ ଶୀତଳ ମନ୍ଦ ପବନ ତାଙ୍କୁ ଅଧିକ ସକ୍ରିୟ ଓ ଚଞ୍ଚଳ କରୁଛି ।

 

ପଦମଡ଼ୀ ଗୋଡ଼ରେ ବନ୍ଧାହୋଇଥବା ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦରେ ସତେ ଯେପରି ସଙ୍ଗୀତ ବାଜି ଉଠୁଛି । ସଜ୍ଜନ ଚୌହାନଙ୍କ ହୃଦୟ ଆଜି ଆନନ୍ଦରେ ପୂରି ଉଠୁଛି । ଚୌହାନ ବଂଶର ଅଜେୟତା ସମ୍ପର୍କରେ ତାଙ୍କର କୌଣସି ସନ୍ଦେହ ନାହିଁ । ଘୋଘାବାପାଙ୍କ ପୁଅମାନେ ବହୁ ଯୁଦ୍ଧ କରି ଜୟ ଲାଭ କରିଛନ୍ତି । ଏହି ବିଦେଶୀ ମ୍ଳେଚ୍ଛ ଆକ୍ରମଣକାରୀ ହମୀର୍‍ ସେମାନଙ୍କ ବିରୁଦ୍ଧରେ କ’ଣ କରିପାରିବେ ?

 

ସଜ୍ଜନ ଓଟକୁ ଧ୍ରୁବତାରା ଆଡ଼କୁ ମୁହଁ କରି ରଖିଲେ । ପଦମଡ଼ୀ ତା’ର ଗତି ଟିକିଏ କମାଇ ଦେଲା । ସଜ୍ଜନ ତା’ ପିଠି ଉପରେ ଅଳ୍ପକ୍ଷଣପାଇଁ ଶୋଇପଡ଼ିଲେ । ରାତି ପାହିବା ସଙ୍ଗେ ସଙ୍ଗେ ଉଷା କାଳର ଶୀତଳ ପବନରେ ତାଙ୍କ ନିଦ ଭାଙ୍ଗିଯିବାରୁ ସେ ପଦମଡ଼ୀକୁ ଚଞ୍ଚଳ ଚଞ୍ଚଳ ଯିବାକୁ ନିର୍ଦ୍ଦେଶ ଦେଲେ । ସେ ଚାବୁକ୍ ଟିକିଏ ହଲାଇଲେ । ଓଟ ମୁନିବର ଆଦେଶ ପୂରାପୂରି ବୁଝିପାରିଲା ।

 

ଯେଉଁବାଟେ ସେ ଆସୁଥିଲେ ଓଟ ରଖୁଆଳମାନେ କହିଥିବା ପରି ନିରାଶଜନକ ନୁହେଁ ବୋଲି ଜଣାପଡ଼ିଲା । ଗୋଟିଏ ଜାଗାରେ କିଛି ଗଛ ଲତା ଥଲା । ସେ ଗୋଟିଏ ଗଛ ତଳେ କିଛି ସମୟ ବିଶ୍ରାମ ନେଲେ ।

 

ପଦମଡ଼ୀର ବାଟ ଚିହ୍ନିବା ଗୁଣ ଅଦ୍‌ଭୁତ । ବାଟରେ ଗୋଟିଏ ଗୋଟିଏ ଜାଗାରେ ପାଣି, ଘାସ ଓ ଗଛମାନ ଥିବାରୁ ସେଠାରେ ସେମାନେ କିଛି ସମୟ ବିଶ୍ରାମ ନେବାର ସୁବିଧା ପାଆନ୍ତି । ସଜ୍ଜନ ସାଙ୍ଗରେ ଆଣିଥିବା ଜଳପାତ୍ରରୁ ଜଳ ନିଜେ ପିଅନ୍ତି ଓ କିଛି ଜଳଖିଆ ଖାଆନ୍ତି । ପଦମଡ଼ୀ ମଧ୍ୟ ଗଛର ପତ୍ର ଓ ଘାସ ଖାଏ । ରାସ୍ତା ଠିକ୍ ଅଛି । ମରୁଭୂମିରେ ସିଧା ଆସିଲେ ଡକାୟତ ଭୟ ଅଛି ବୋଲି ସେ ଶୁଣିଥିଲେ । ମାତ୍ର ସେଥିରେ ତାଙ୍କର ବିଶ୍ୱାସ ନ ଥିଲା ।

 

ଚତୁର୍ଥ ଦିନର ଉପରବେଳା ସଜ୍ଜନ ଅନୁଭବ କଲେ ପଦମଡ଼ୀ ହାଲିଆ ହୋଇଯାଉଛି । ପବନ ଅତିଶୟ ତାତିଯାଇଛି । ଚାରିଆଡ଼େ ଉଷ୍ଣ ବାଲିଝଡ଼ । ବହୁ ସମୟରେ ସଜ୍ଜନଙ୍କ ଆଖିକୁ କିଛି ଦେଖାଯାଉନାହିଁ । ଗରମ ପବନରେ ତାଙ୍କ ଚମ ପୋଡ଼ିଗଲା ଭଳି ବୋଧହେଉଛି ।

 

ତାଙ୍କ ମନରେ ଦେଖାଦେଲା ଭୟ ଓ ସନ୍ଦେହ । ସେ କ’ଣ ଠିକ୍ ବାଟରେ ଯାଉଛନ୍ତି ? ଯେବେ ବାଟରେ ବିଶ୍ରାମ କରିବାକୁ କୌଣସି ଜାଗା ଓ ପାଣି ନ ପାନ୍ତି ତା’ ହେଲେ ହେବ କ’ଣ ! ଏହା ଭାବୁ ଭାବୁ ତାଙ୍କ ମନରେ ଚିନ୍ତା ଆସିଲା । ସେ ପ୍ରଭୁ ଶଙ୍କରଙ୍କ ଇଚ୍ଛାପୂରଣ ପାଇଁ ଯାଉଛନ୍ତି । ପ୍ରଭୁ ଚୌହାନ ବଂଶର ରକ୍ଷାକର୍ତ୍ତା । ପ୍ରଭୁଙ୍କର ବିଜେସ୍ଥଳୀ ଯେପରି ଆକ୍ରମଣକାରୀର ଶିକାର ନ ହୁଏ, ତାହାହିଁ ହେଉଛି ତାଙ୍କର ଏକମାତ୍ର ଲକ୍ଷ୍ୟ । ସେ ବାରମ୍ବାର ମନକୁ ସାନ୍ତ୍ୱନା ଦେଲେ-“ପ୍ରଭୁ ମୋର ରକ୍ଷାକର୍ତ୍ତା । ମୁଁ କାହିଁକି ଡରୁଛି !”

 

ପଦମଡ଼ୀ ପୁଣି ହାଲିଆ ହୋଇପଡ଼ିଲା । ସଜ୍ଜନ ତାକୁ ତାଜା ହେବାକୁ କହିଲେ, “ପଦମଡ଼ୀ ! ତୁ ହାରି ଯାଉଛୁ ।” କିନ୍ତୁ ଏଥର ପଦମଡ଼ୀର ପୂର୍ବ ତେଜ ଫେରିଲା ନାହିଁ । ସଜ୍ଜନ ଓଟ ଉପରୁ ଓହ୍ଲାଇ ପଡ଼ିଲେ । ତାକୁ ପିଇବାକୁ କିଛି ପାଣି ଦେଇ ତା’ ବେକ ଆଉଁସି ଦେଲେ ଓ ସୂର୍ଯ୍ୟ ଅସ୍ତ ହେବା ପର୍ଯ୍ୟନ୍ତ ତା’ ଆଖିକୁ ଯେପରି କଷ୍ଟ ନ ହୁଏ, ସେଥିଲାଗି ଛାୟା କଲେ ।

 

ପରେ ସନ୍ଧ୍ୟାବେଳେ ପଦମଡ଼ୀ କିଛି ବିଶ୍ରାମ ନେଇ ସତେଜ ହେଲା । ଶୀତଳ ସମୀରଣ ପ୍ରବାହିତ ହେବାରୁ ସଜ୍ଜନ ପୁଣି ଯାତ୍ରା ଆରମ୍ଭ କଲେ । ତାଙ୍କ ଯାତ୍ରା ସଫଳ ହେବ ବୋଲି ତାଙ୍କର ପୁଣି ଆତ୍ମବିଶ୍ୱାସ ଆସିଲା । ପଦମଡ଼ୀ ଅଧିକ ଦୂର ଯାଇପାରିଲା ନାହିଁ; କିନ୍ତୁ ପରେ ଚନ୍ଦ୍ର ଉଦୟ ହେବାରୁ ତା’ର ଗତି ବଢ଼ିଲା ।

 

+

+

+

 

ପଞ୍ଚମ ଦିନ ଦିବାଲୋକ ଆସିବା ସଙ୍ଗେ ସଙ୍ଗେ ଉଷ୍ଣ ପ୍ରବାହ ଆରମ୍ଭ ହୋଇଗଲା ଓ ଦିନ ବଢ଼ିବାରୁ ଅତିଶୟ ଭୟଙ୍କର ହେଲା । ସଜ୍ଜନଙ୍କ ଚାରିପାଖରେ ଗରମ ବାଲି ଉଡ଼ି ବୁଲିଲା । ସଜ୍ଜନ ବା ପଦମଡ଼ୀ କେହି ଆଖି ଖୋଲି ରଖିପାରିଲେ ନାହିଁ । ସେମାନଙ୍କ ପକ୍ଷରେ ଆଗକୁ ଯିବା ଅସମ୍ଭବ ହୋଇପଡ଼ିଲା । ସଜ୍ଜନ ତା’ ଉପରୁ ଓହ୍ଲାଇଯାଇ ପଦମଡ଼ୀକୁ ସେଠି ଶୁଆଇ ଦେଲେ ଏବଂ ତା’ ଆଖିରେ ଯେପରି ବାଲି ନ ପଡ଼େ ସେଥିପାଇଁ ତାଙ୍କ ନିଜ ଶରୀର ଆଢ଼ିଆଳ କରି, ନିଜ ମୁହଁକୁ ଓଟ ବେକରେ ଲୁଚାଇ ବସିଲେ ।

 

ସୂର୍ଯ୍ୟ ଅସ୍ତ ହୋଇ ବାଲିଝଡ଼ କମିଯିବା ପରେ ସେ ପୁଣି ଯାତ୍ରା ଆରମ୍ଭ କଲେ । ପ୍ରଥମଥର ପାଇଁ ସଜ୍ଜନଙ୍କ ହୃଦୟରେ ଦେଖାଦେଲା ଭୟ-ତାଙ୍କୁ ଯେବେ ବାଲିଝଡ଼ ଭିତର ଦେଇ ଯିବାକୁ ପଡ଼େ ତାହାହେଲେ କ’ଣ ହେବ ? ସେ କ’ଣ ପଥଭ୍ରଷ୍ଟ ହେଲେ ? ସେ ଯେବେ ଠିକ୍ ବାଟେ ଆସୁଥାନ୍ତେ ତା’ ହେଲେ ବିଶ୍ରାମ କରିବାକୁ ନିଶ୍ଚୟ କୋଉଠି ଜାଗା ଥାଆନ୍ତା ।

 

ସେଦିନ ରାତିରେ ପଦମଡ଼ୀ ଦବିଯାଇଥବା ପରି ଜଣାଗଲା । ସଜ୍ଜନ ମଧ୍ୟ ଅତି ମାତ୍ରାରେ କ୍ଳାନ୍ତି ଅନୁଭବ କରୁଥିଲେ । ତେଣୁ ବିଶ୍ରାମ କରିବାପାଇଁ ସେ ପଦମଡ଼ୀ ପାଖରେ ଶୋଇଗଲେ ।

 

ଭୋରବେଳକୁ ପଦମଡ଼ୀର ଅସ୍ଥିରତାରେ ସଜ୍ଜନଙ୍କ ନିଦ ଭାଙ୍ଗିଗଲା । ସେ ଠିଆ ହୋଇ କୁଦି ହେଉଥାଏ । ତା’ର ମନର ଭାବ ସଜ୍ଜନ ବୁଝିପାରିଲେ-ସେ ଯିବାକୁ ଚାହୁଁଛି । ସଜ୍ଜନ ତା’ ଉପରେ ବସିଯାଇ ଉତ୍ତର ଆଡ଼କୁ ଯିବାପାଇଁ ଚାବୁକ ହଲାଇଲେ । କିନ୍ତୁ ତାଙ୍କ ନିର୍ଦ୍ଦେଶ ପଦମଡ଼ୀ ଅମାନ୍ୟ କରିଦେଲା । ସେ ତାକୁ ଯିବାପାଇଁ ମଙ୍ଗାଇ ନ ପାରିବାରୁ ବେତରେ ପ୍ରହାର କଲେ । ପଦମଡ଼ୀ ଦୀର୍ଘଶ୍ୱାସ ଛାଡ଼ିଲା; କିନ୍ତୁ ତାଙ୍କ କଥା ନ ମାନି ପୂର୍ବମୁହାଁ ହୋଇ ଦଉଡ଼ିଲା । ସଜ୍ଜନ ଏବେ ବୁଝିପାରିଲେ ଯେ, ଉତ୍ତର ଦିଗରେ କୌଣସି ବିପଦ ଆଶଙ୍କା କରି ପଦମଡ଼ୀ ନିଜର ଗତି ବଦଳାଇଲା ।

 

ସଜ୍ଜନ ମନେ ମନେ ଭାବିଲେ, “ପ୍ରଭୁ ଶଙ୍କର, ମୋର ଭାଗ୍ୟ ଆଜି ତୁମରି ହାତରେ ।” ତାଙ୍କର ଏକମାତ୍ର ସନ୍ତୋଷ ଯେ, ସାଙ୍ଗରେ ପୁଅକୁ ଆଣି ନାହାନ୍ତି।

 

ପଦମଡ଼ୀ ଦୁଇଘଣ୍ଟା ଦଉଡ଼ିବା ପରେ ସେ ପୂର୍ବମୁହାଁ ଦୌଡ଼ିବାର କାରଣ ସଜ୍ଜନ ବୁଝିପାରିଲେ । ସେ ପଛକୁ ଚାହିଁ ଦେଖିଲେ, ତାଙ୍କ ପଛେ ପଛେ ଉତ୍ତର ଏବଂ ପଶ୍ଚିମ ଦିଗରୁ ବାଲି ଝଡ଼ ମାଡ଼ି ଆସୁଛି । ସଜ୍ଜନ କହିଲେ, ‘‘ପଦମଡ଼ୀ, ପ୍ରଭୁ ତୋତେ ଆୟୁଷ ଦିଅନ୍ତୁ । ତୁ ଆଜି ମୋ ଜୀବନ ରକ୍ଷା କଲୁ ।”

 

ବିପଦ ଏ ପର୍ଯ୍ୟନ୍ତ ଅତିକ୍ରାନ୍ତ ହୋଇନାହିଁ । ତେବେ ଝଡ଼ ବନ୍ଦ ହୋଇ ଆସୁଛି । ପଦମଡ଼ୀ ଖୁବ୍ ଚଞ୍ଚଳ ଚଞ୍ଚଳ ଗତି କରୁଛି । ପଦମଡ଼ୀକୁ ତା’ର ନିଜ ଇଚ୍ଛା ଅନୁସାରେ ଯିବାକୁ ସଜ୍ଜନ ଛାଡ଼ି ଦେଇଥିବାରୁ ଉଭୟେ ଭୟଙ୍କର ବାଲି ଝଡ଼ରୁ ରକ୍ଷାପାଇଗଲେ ।

 

ଆଜି ଯାତ୍ରାର ସପ୍ତମ ଦିବସ । ପଦମଡ଼ୀ ନୂଆ ବଳ ପାଇଥିବା ଭଳି ଦଉଡ଼ୁଛି । ସେମାନଙ୍କ ଭାଗ୍ୟରେ କ’ଣ ଅଛି, ପଦମଡ଼ୀ ହୁଏତ କିଛି ଜାଣେ ।

 

ହଠାତ୍ ପୁଣି ଅନ୍ଧାର ହୋଇ ଆସିଲା ଓ ବାଲିଝଡ଼ ମାଡ଼ି ଆସିଲା । ସଜ୍ଜନଙ୍କ ଛାତି ଦବି ଗଲା । ଆଗରେ ଅସରନ୍ତି ମରୁଭୂମି । ବିଚରା ପଦମଡ଼ୀ ଏପରି ଗତିରେ କେତେଦୂର ଯିବ ଓ ବାଲିଝଡ଼ କିପରି ପାର ହେବ ?

 

ମଧ୍ୟାହ୍ନ ହେଲାଣି । ଖାଇବା ଓ ପିଇବାପାଇଁ ମଧ୍ୟ ବିଶ୍ରାମ ନାହିଁ । ବିଶ୍ୱସ୍ତ ଓଟଟି ଅବିଶ୍ରାନ୍ତ ଦଉଡ଼ି ଚାଲିଛି । ଝଡ଼ ଭୀଷଣତର ହେବାକୁ ଲାଗିଲା । ପଦମଡ଼ୀ ଦକ୍ଷିଣମୁହାଁ ହେଲା । ବଞ୍ଚିବାର କୌଣସି ଉପାୟ ନ ଥିବା ପରି ମନେହେଲା ।

 

ହଠାତ୍ ଘୂର୍ଣ୍ଣିବାୟୁ ଆସି ସେମାନଙ୍କ ଚାରିପଟେ ଘୂରିବାକୁ ଲାଗିଲା । ସେମାନେ ବାଧ୍ୟ ହୋଇ ଅଟକି ଗଲେ । ପଦମଡ଼ୀ ଭୂଇଁରେ ଶୋଇପଡ଼ିଲା । ସଜ୍ଜନ ତା’ର ଆଖି, ନାକ ଓ ଦେହରୁ ବାଲି ଝାଡ଼ି ଦେଲେ । ତାଙ୍କୁ ଲାଗିଲା, ସତେ ଯେପରି ତାଙ୍କର ସବୁ ଶେଷ ହୋଇଗଲା-ଏ ବାଲିଝଡ଼ରୁ ରକ୍ଷା ପାଇବାର ଆଉ କିଛି ଉପାୟ ନାହିଁ ।

 

ଚାରିଆଡ଼େ ବାଲି ତାଙ୍କୁ ରୁନ୍ଧି ଦେଲା ପରି ବୋଧହେଲା । ବୋଧହୁଏ ଏଥର ତାଙ୍କୁ ତାଙ୍କର ଏକମାତ୍ର ବିଶ୍ୱସ୍ତ ସଙ୍ଗୀ ଓଟଟିକୁ ବିଦାୟ ଦେବାକୁ ପଡ଼ିବ । ସେ ପ୍ରଭୁ ସୋମନାଥଙ୍କୁ ଶେଷ ପ୍ରାର୍ଥନା ଜଣାଇଲେ ।

 

ହଠାତ୍ ଝଡ଼ ବନ୍ଦ ହୋଇଗଲା ଓ ବାଲି ସ୍ତମ୍ଭ ଉଭେଇଗଲା । ସଜ୍ଜନ ପାଟିକରି ଉଠିଲେ, “ପଦମଡ଼ୀ ରାଣୀ, ଆମେ ରକ୍ଷା ପାଇଗଲେ । ପ୍ରଭୁ ଶଙ୍କର ଆମକୁ ରକ୍ଷା କରିଛନ୍ତି ।”

 

କିନ୍ତୁ ଏହା କହିସାରିବା ପରମୁହୂର୍ତ୍ତରେ ଆଉ ଗୋଟିଏ ବାଲିଝଡ଼ ତାଙ୍କ ଆଡ଼କୁ ଆସୁଥିବାର ସେ ଦେଖିଲେ । ପଦମଡ଼ୀର ଦୂରଦୃଷ୍ଟି ଯୋଗୁ ସେମାନେ ବାଲି ଝଡ଼ର କେନ୍ଦ୍ରଠାରୁ ଦୂରରେ ରହିଛନ୍ତି । କିନ୍ତୁ ବର୍ତ୍ତମାନ ସେ ବୁଝିଲେ ଯେ, ଘୋଘାଗଡ଼କୁ ସିଧା ବାଟରେ ସେ ଯାଇପାରିବେ ନାହିଁ । ତାଙ୍କୁ ପରାଜୟ ସ୍ୱୀକାର କରି ସାଧାରଣ ବାଟରେ ଯିବାକୁ ହେବ ।

 

ସୂର୍ଯ୍ୟ ଅସ୍ତ ହୋଇଗଲେଣି । ଦ୍ୱିତୀୟ ଝଡ଼ ମଧ୍ୟ ସେମାନଙ୍କୁ ଛାଡ଼ି ଆଗକୁ ଗଲାଣି । ପରିଷ୍କାର ଆକାଶରେ ତାରା ପଡ଼ିଥିବା ଦେଖି ଆନନ୍ଦରେ ପଦମଡ଼ୀ ନାଚୁଛି । ସଜ୍ଜନ ତାଙ୍କୁ ଶୁଆଇ ସାଉଁଳାଇ କହିଲେ, “ପଦମଡ଼ୀ, ସାବାସ୍ ଝଅ ।” ରାତିର ସୁଶୀତଳ ପବନ ଫଳରେ ସେମାନଙ୍କ ସାହସ ଓ ଶକ୍ତି ବଢ଼ୁଛି । ସେମାନେ ଏତେ କ୍ଳାନ୍ତ ହୋଇଯାଇଥିଲେ ଯେ, ନିଜକୁ ରକ୍ଷା କରିବାର ଦାୟିତ୍ୱ ପ୍ରଭୁ ସୋମନାଥଙ୍କ ଉପରେ ଛାଡ଼ିଦେଇ ନିଘୋଡ଼ ନିଦରେ ଶୋଇପଡ଼ିଲେ ।

 

ଏପର୍ଯ୍ୟନ୍ତ ସଜ୍ଜନଙ୍କର ଧାରଣା ଥିଲା ଯେ, ଉତ୍ତର ଦିଗକୁ ଗଲେ ସେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ । ତାଙ୍କର ସମସ୍ତ ହିସାବକୁ ବାଲିଝଡ଼ ଧୂଳିସାତ୍ କରିଦେଲା । ସେ କେଉଁଠାରେ ଅଛନ୍ତି ବା ଘୋଘାଗଡ଼ କେଉଁ ଦିଗରେ ତାଙ୍କୁ କିଛି ଜଣାଗଲା ନାହିଁ । ସେ ଯେତେବେଳେ ଏଡ଼େବଡ଼ ଦାୟିତ୍ୱ ନେଇ ଯାଉଛନ୍ତି କାହିଁକି ଅଜଣା ବାଟରେ ଆସିବା ଭଳି ବୋକାମି କଲେ ! ସଫାଳଦକ୍ଷକୁ କେଉଁ ବାଟ ? ସୁରସାଗର କେଉଁଠାରେ ହୋଇପାରେ ? ଝାଲୋରକୁ କେଉଁ ବାଟ ?

 

ଏସବୁ ଦୁର୍ଯ୍ୟୋଗ ସତ୍ତ୍ୱେ ସଜ୍ଜନଙ୍କର ପ୍ରଭୁ ଶଙ୍କରଙ୍କ ଉପରେ ପୂର୍ବପରି ଦୃଢ଼ ବିଶ୍ୱାସ ରହିଥାଏ । ସମସ୍ତ ଦୁଃଖ ଦୁର୍ଦ୍ଦଶା ସତ୍ତ୍ୱେ ଶେଷକୁ ଯେ ଭଲ ହେବ ଏ ସମ୍ପର୍କରେ ତାଙ୍କର ସନ୍ଦେହ ନାହିଁ । ଘୋଘାବାପାଙ୍କୁ ମଧ୍ୟ ଏଭଳି ବହୁ ବିପଦର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏପର୍ଯ୍ୟନ୍ତ ସେ ବଞ୍ଚିରହିଛନ୍ତି । ଏ ବୁଢ଼ା ବୟସରେ ତାଙ୍କର ଏକମାତ୍ର ଆନନ୍ଦ ହେଉଛି, ତାଙ୍କ ଅତୀତ ଜୀବନର ବୀରତ୍ୱ କାହାଣୀମାନ ନିଜର ପରିବାରକୁ ଗୋପନରେ ବସି ଶୁଣାଇବା । ସଜ୍ଜନ ଭାବିଲେ, ସେ ମଧ୍ୟ ଦିନେ ନା ଦିନେ ତାଙ୍କର ଓ ପଦମଡ଼ୀର ଏ ଅସାଧାରଣ କାର୍ଯ୍ୟ ତାଙ୍କ ପିଲାମାନଙ୍କୁ ଶୁଣାଇବେ । କୌଣସି ଲୋକ ଯେ ଏପରି ବୀରତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରେ, ଏହା ପିଲାମାନେ ବିଶ୍ୱାସ କରିପାରିବେ ନାହିଁ । ସେ ଗର୍ବରେ ନିଜର ନିଶ ମୋଡ଼ିଲେ । ରାଜସ୍ଥାନର ଚାରଣ (ଭାଟ) ମାନେ ଯେପରି ଘୋଘାବାପାଙ୍କ ବୀରତ୍ୱର ପ୍ରଶଂସା ଗାନ କରନ୍ତି, ସେହିପରି ତାଙ୍କ ବୀରତ୍ୱର ମଧ୍ୟ ପ୍ରଶଂସା ଗାନ କରିବେ ।

Image

 

Unknown

ସଜ୍ଜନ ଓ ଆକ୍ରମଣକାରୀ

 

ଦିବାସ୍ୱପ୍ନ ଦେଖିଲା ପରି ସଜ୍ଜନ ଭାବି ଭାବି ଯାଉଛନ୍ତି- “ଏତେବେଳକୁ ସାମନ୍ତ ଝାଲେରରେ ପହଞ୍ଚି ସାରିବଣି । ପିତୃଭକ୍ତ ସାମନ୍ତ ବାପାଙ୍କ କାର୍ଯ୍ୟପାଇଁ ଯଥେଷ୍ଟ ଗର୍ବ ଅନୁଭବ କରିବ । ଯେତେବେଳେ ବାପ, ମା’ ଓ ପୁଅ ତିନି ହେଁ ଏକାଠି ବସି ଏ ସବୁ ବୀରତ୍ୱ କାହାଣୀ କଥାବାର୍ତ୍ତା ହେବେ, ତାହା କିପରି ଆନନ୍ଦପ୍ରଦ ମୁହୂର୍ତ୍ତ ନ ହେବ ! ସାମନ୍ତଙ୍କ ମା’ ହେଉଛନ୍ତି ପ୍ରକୃତରେ ଜଣେ ଚୌହାନବଂଶୀୟ ନାରୀ । ଏହାଠାରୁ କୌଣସି କମ୍ ଘଟଣାରେ ସେ ତୃପ୍ତି ଲାଭ କରିନଥାନ୍ତେ । ଆଉ ସାମନ୍ତ, ଘୋଘାବାପାଙ୍କର ସବୁଠାରୁ ବଳିଗେହ୍ଲା ନାତି ତ !”

 

ସଜ୍ଜନଙ୍କ ବୟସରେ ସେ ଠିକ୍ ତାଙ୍କ ପରି ଦେଖାଯାଉଥିଲେ ବୋଲି ଘୋଘାବାପା ଅନେକ ସମୟରେ କହନ୍ତି । ଘୋଘାବାପାଙ୍କ ବୟସରେ ଠିକ୍ ତାଙ୍କରି ପରି ଦେଖାଯିବେ ବୋଲି ଭାବି ସଜ୍ଜନ ମଧ୍ୟ ଖୁସି ହେଉଥାନ୍ତି । ଏହି ସବୁ କଥା ଭାବି ଭାବି ସଜ୍ଜନ ନିଜକୁ ଭୁଲିଯାଇ ପଦମଡ଼ୀ କେଉଁବାଟେ ଯାଉଛି ସେଥିପ୍ରତି ଲକ୍ଷ୍ୟ ଦେଇନଥାନ୍ତି । ପଦମଡ଼ୀ ନିଜ ଇଚ୍ଛା ଅନୁସାରେ ଚାଲିଥାଏ ।

 

ଏତେବେଳକୁ ମରୁଭୂମି ପଥ ଯଥେଷ୍ଟ ଆରାମ ବୋଧ ହେଉଥାଏ । ଅଷ୍ଟମ ଦିନ ସନ୍ଧ୍ୟାରେ ଗଛପତ୍ର ଥିବା ଗୋଟିଏ ପଥର ମୁଣ୍ଡିଆ ଦୂରରେ ଦୃଷ୍ଟିଗୋଚର ହେଲା । ପଦମଡ଼ୀକୁ ସେ ଦିଗକୁ ଯିବାପାଇଁ ସଜ୍ଜନ ନିର୍ଦ୍ଦେଶ ଦେବା ପୂର୍ବରୁ ସେ ନିଜେ ବୁଲିପଡ଼ି ସେ ଦିଗକୁ ଯାତ୍ରାକଲା-

 

ସେ ମୁଣ୍ଡିଆ ପାଖରେ ପହଞ୍ଚି ଦେଖିଲେ ଯେ, ମୁଣ୍ଡିଆ ଉପରେ କୌଣସି ଜନମାନବ ନ ଥିଲେ ସୁଦ୍ଧା ପ୍ରଚୁର ପାଣି ଥିବା ଗୋଟିଏ ଗଭୀର ବାମ୍ଫୀ ଅଛି । ସଜ୍ଜନଙ୍କ ପକ୍ଷରେ ଅବସାଦ ଦୂର କରିବାପାଇଁ ଏହାହିଁ ଯଥେଷ୍ଟ । ସେ ପାଣି କାଢ଼ି ନିଜେ ପିଇଲେ ଓ ପଦମଡ଼ୀ ଯେତେ ଚାହିଁଲା ତାକୁ ପିଆଇଲେ । ତା’ପରେ ସେ ନିଜେ ଗାଧୋଇଲେ ଓ ପଦମଡ଼ୀକୁ ଧୋଇ ଧାଇ ଦେଲେ । ବହୁଦିନ ଧରି ପଦମଡ଼ୀ କୌଣସି ସବୁଜ ଘାସପତ୍ର ଖାଇନଥିଲା । ଉଭୟେ ଖାଇ ସାରିବ ପରେ ଗୋଟିଏ ଗଛ ତଳେ ବିଶ୍ରାମ ନେବାପାଇଁ ଶୋଇଲେ । ଏଇ ଦୁଇବନ୍ଧୁ, ଜଣେ ମନୁଷ୍ୟ ଓ ଅନ୍ୟଟି ପଶୁକୁ ଆକାଶରେ ତାରାମାନେ ଦେଖୁଥାନ୍ତି । ସୂର୍ଯ୍ୟୋଦୟ ପରେ ସଜ୍ଜନ ନିଦରୁ ଉଠିଲେ । ସେ ନିଦରୁ ଉଠିବାର ଦେଖି ପଦମଡ଼ୀ ନିଜର ଆନନ୍ଦ ପ୍ରକାଶ କଲା । ସଜ୍ଜନ କହିଲେ, “ପଦମଡ଼ୀ, ଝିଅ, ! ଆମକୁ ଯଥେଷ୍ଟ ବାଟ ଯିବାକୁ ହେବ ।”

 

ସଜ୍ଜନ ତାଙ୍କ ଚମଡ଼ା ଥଳୀରେ ପାଣି ପୂରାଇ ଯାତ୍ରା ଆରମ୍ଭ କଲେ ଏବଂ ପୂର୍ବପରି ବାଟ ଚିହ୍ନି ଯିବାପାଇଁ ପଦମଡ଼ୀକୁ ଛାଡ଼ିଦେଲେ ।

 

ନବମ ଦିବସରେ କୌଣସି ଘଟଣା ନ ଥାଇ ଦିନଟି କଟିଗଲା । ରାତିରେ ସଜ୍ଜନଙ୍କର ମନେପଡ଼ିଲା ଯେ, ସେ ଉତ୍ତର ଦିଗକୁ ଯିବା ପରିବର୍ତ୍ତେ ପଶ୍ଚିମ ଦିଗକୁ ଯାଉଥିବାରୁ ଘୋଘାଗଡ଼ଠାରୁ ଦୂରେଇ ଯାଉଛନ୍ତି । ତହୁଁ ସେ ପଦମଡ଼ୀର ଆଖି ଉତ୍ତରଦିଗକୁ ବୁଲେଇବାକୁ ଚେଷ୍ଟା କରିବାରୁ ସେ ବୁଲିଲା ନାହିଁ । ସଜ୍ଜନ ତହୁଁ ପ୍ରଭୁ ଶଙ୍କରଙ୍କୁ ନୀରବ ପ୍ରାର୍ଥନା କରି ପଦମଡ଼ୀକୁ ନିଜ ଇଚ୍ଛା ଅନୁଯାୟୀ ଯିବାକୁ ଛାଡ଼ିଦେଲେ । ସେ ନିଜର ଅସହାୟତା ବୁଝିପାରି କିପରି ଗୋଟିଏ ଜଣାଶୁଣା ବାଟକୁ ଯିବେ ସେଥିପାଇଁ ଉଦ୍‍ବିଗ୍ନ ହୋଇଉଠିଲେ ।

 

ଦଶମ ଦିନ ସେ ଶ୍ୟାମଳ ବୃକ୍ଷ ପରିପୂର୍ଣ୍ଣ ଏକ ସ୍ଥାନରେ ଆସି ପହଞ୍ଚିଲେ । କୌଣସି ଜଣାଶୁଣା ପଥର ନିକଟବର୍ତ୍ତୀ ହେଲେ ବୋଲି ସଜ୍ଜନଙ୍କର ଏବେ ଧାରଣା ହେଲା ।

 

ବହୁଦିନ ଧରି ସେ ବ୍ୟସ୍ତ ହେବା ଛାଡ଼ିଦେଇଛନ୍ତି । ଗଜନୀର ନବାବ କେଉଁଠାରେ ଅଛି ତାହା କେବଳ ପ୍ରଭୁ ସୋମନାଥଙ୍କୁ ଜଣା । ଘୋଘାବାପାଙ୍କ ନିକଟରେ ସେ ପହଞ୍ଚିବା ସହଜ ହୋଇନଥିବ । ତାଙ୍କର ଅଭିଯାନ କଥା ସେ ମଧ୍ୟ ବାଟରେ ଅନ୍ୟ ରାଜାମାନଙ୍କୁ ଜଣାଇ ସୋମାନଙ୍କୁ ତାଗିଦ କରିଦେବେ । ପ୍ରଭୁ ସୋମନାଥଙ୍କ ବିରୁଦ୍ଧରେ ଯେ ଲଢ଼େଇ କରିବାକୁ ଆସୁଛି, କୌଣସି ବାଧା ନ ପାଇ ସେ କ’ଣ ଏତେ ସହଜରେ ମରୁଭୂମି ଅତିକ୍ରମ କରି ପାରିବ ।

 

ସଜ୍ଜନ ଏଗାରଦିନ ହେଲା ମରୁଭୂମିରେ ଚାଲିଛନ୍ତି ଏବଂ ଅଠରଦିନ ହେଲା ପ୍ରଭାସ ପାଟଣା ଛାଡ଼ିଲେଣି । କ୍ରମେ ଅଧିକରୁ ଅଧିକ ଗଛବୃକ୍ଷ ଦେଖାଗଲାଣି । ସଫାଳଦକ୍ଷ କ’ଣ ପାଖ ହେଲାଣି ?

 

ହଠାତ୍ ପଦମଡ଼ୀ ରଡ଼ି ଦେଲା । ସଜ୍ଜନ ବିସ୍ମିତ ହୋଇଚାରିଆଡ଼କୁ ଦୃଷ୍ଟି ନିକ୍ଷେପ କଲେ-। ଆକାଶରେ ତିନିଖଣ୍ଡ କଳାମେଘ ଦ୍ରୁତଗତିରେ ଆସୁଥିବାର ସେ ଦେଖିଲେ । ଅଳ୍ପ ସମୟ ପରେ ସେ ବୁଝିପାରିଲେ ଯେ, ସେ ଯାହାକୁ ମେଘ ବୋଲି ଭାବୁଛନ୍ତି ତାହା ପ୍ରକୃତରେ ଦଳ ବାନ୍ଧିଉଡ଼ୁଥିବା କଳା କଳା ପକ୍ଷୀ । ପକ୍ଷୀଗୁଡ଼ାକ ତାଙ୍କ ଉପର ଦେଇ ପୂର୍ବଦିଗକୁ ଉଡ଼ିଯିବାରୁ ସେ ଜାଣିଲେ ଯେ ଏଗୁଡ଼ାକ ଶାଗୁଣା ।

 

ଏହା ଦେଖି ସେ ଅତିଶୟ ଭୟଭୀତ ହୋଇଗଲେ । ତାଙ୍କ ଛାତି ଥରିଉଠିଲା । କୌଣସି ଭୀଷଣ ଯୁଦ୍ଧଭୂମରେ ଯୁଦ୍ଧ ପରଦିନ ଛଡ଼ା ଅନ୍ୟତ୍ର ସେ ଏତେ ଶାଗୁଣା କେବେ ଏକାଠି ଦେଖିନାହାନ୍ତି । ତେବେ ଏଠାରେ କ’ଣ ଯୁଦ୍ଧ ଲାଗିଥିଲା ? ଗଜନୀର ହମୀର୍‍ କ’ଣ ମୁଲତାନ ଓ ଘୋଘାଗଡ଼ ଅତିକ୍ରମ କରି ସଫାଳଦକ୍ଷଠାରେ ପହଞ୍ଚିଗଲାଣି ।

 

ବହୁ ସମୟ ଧରି ତାଙ୍କ ଉପରେ ଉଡ଼ୁଥିବା ଶାଗୁଣାମାନଙ୍କର ଶବ୍ଦ ଶୁଣି ସେ କହିଲେ, “ପଦମଡ଼ୀ, ଖୁବ୍ ଲଢ଼େଇ ଲାଗି ଯାଇଛି ।” ପଦମଡ଼ୀ ତାଙ୍କ କଥା ବୁଝୁଥିବା ପରି ମନେହେଲା । କାରଣ ଯେଉଁ ଦିଗକୁ ଶାଗୁଣା ଦଳ ଯାଉଥିଲେ ସେ ସେହି ଦିଗକୁ ଚାଲିଲା ।

 

ପଦମଡ଼ୀ କେତେ ବାଟ ଯିବା ପରେ ପୁଣି ଥରେ ରଡ଼ି କଲା । ତା’ ପିଠି ଆଉଁସି ଦେଇ ସଜ୍ଜନ କହିଲେ, “ପଦମଡ଼ୀ, କଥା କ’ଣ ? କାହିଁକି ଡରୁଛୁ ?” କିଛିକ୍ଷଣ ପରେ ସଜ୍ଜନ ତାହାର ଭୟର କାରଣ ବୁଝିପାରିଲେ । ତାଙ୍କ ନାକରେ ପଚା ଶବର ଦୁର୍ଗନ୍ଧ ଲାଗିଲା ।

 

ପଦମଡ଼ୀ ଗୋଟିଏ ଛୋଟ ମୁଣ୍ତିଆ ଉପରକୁ ଯାଇ ରହିଗଲା । ତା’ର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ଭୟରେ ଥରୁଥିବା ଜଣାଗଲା । କିଛି ଦୂରରେ ଥିବା ସମତଳ ଭୂମିରେ ପଲେ ଶାଗୁଣା ବସିଥିବା ଏବଂ ଆହୁରି ଦୂରରେ ଅନ୍ୟ ଶାଗୁଣାମାନେ ଦକ୍ଷିଣକୁ ଉଡ଼ୁଥିବା ବା ତଳକୁ ଓହ୍ଲେଇ ବସୁଥିବା ଦେଖାଗଲା ।

 

ଏସବୁର କାରଣ ଜାଣିବା ସଜ୍ଜନଙ୍କ ପକ୍ଷରେ କଷ୍ଟକର ହେଲା ନାହିଁ । ସେ ଅସ୍ୱସ୍ତି ଅନୁଭବ କଲେ । କେତେକ ଶବ ତାଙ୍କ ଆଗରେ ସଢ଼ି ପଡ଼ିଥାଏ ଏବଂ ଅନ୍ୟ କେତେକ ବାଲିରେ ଅଧା ପୋତି ହୋଇଥାଏ, ଯେପରିକି କୌଣସି ବିରାଟ ସୈନ୍ୟବାହିନୀ ମରୁଭୂମି ଅତିକ୍ରମ କରୁଥିବା ସମୟରେ ସୋମାନଙ୍କ ମୃତ୍ୟୁ ହୋଇଛି ।

 

ପଦମଡ଼ୀ ଆଉ ଆଗକୁ ଗଲାନାହିଁ । ସଜ୍ଜନ ବାଧ୍ୟ ହୋଇ ଓହ୍ଲେଇ ଆଗେ ଆଗେ ଚାଲିଲେ । ପଲ ପଲ ଶାଗୁଣାଙ୍କୁ ଘଉଡ଼େଇ ସେ ଯିବାକୁ ଚେଷ୍ଟା କଲେ । କେତେକ ଘୁଞ୍ଚିଲେ ନାହିଁ, ଆଉ କେତେକ ଉପରେ ଉଡ଼ିଲେ । ଏହିସବୁ ଶବ କାହର ତାହା ସଜ୍ଜନ ଜାଣିପାରିଲେ ନାହିଁ-। ଏହା ମଧ୍ୟରେ ହାତୀ, ଓଟ ଓ ଘୋଡ଼ାଙ୍କର ଶବ ମଧ୍ୟ ଥିଲା ।

 

ଏ ଶବଗୁଡ଼ାକ ଯୁଦ୍ଧରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କର ନୁହେଁ ବୋଲି ସେ ଜାଣିପାରିଲେ । ବୋଧହୁଏ କୌଣସି ସୈନ୍ୟବାହିନୀ ମରୁଭୂମି ଅତିକ୍ରମ କରୁଥିବା ସମୟରେ ପ୍ରଖର ସୂର୍ଯ୍ୟତାପ ଓ ବାଲି ଝଡ଼ ସହ୍ୟ କରିନପାରି ଏବଂ ପିଇବାକୁ ପାଣି ନ ପାଇ କେତେକ ମରିଯାଇଛନ୍ତି । ସେମାନଙ୍କ ଶବକୁ ପଛରେ ପକାଇଦେଇ ଅନ୍ୟମାନେ ହୁଏତ ଆଗକୁ ଅଗ୍ରସର ହୋଇଛନ୍ତି । ମରୁଭୂମି ଅତିକ୍ରମ କରୁଥିବା ସୈନ୍ୟବାହିନୀ କେଡ଼େ ବିଶାଳ ତାହା ସଜ୍ଜନ ଏଇଥିରୁ କଳ୍ପନା କରୁଥାନ୍ତି ।

 

ଦୁର୍ଗନ୍ଧ ଓ ନିଜର ଭୟକୁ ଖାତିର ନ କରି ସେ ଆଗକୁ ଯିବାକୁ ଠିକ୍ କଲେ । ଏଡ଼େ ବିରାଟ ସୈନ୍ୟବାହିନୀ କାହାର ହୋଇପାରେ ? ସଫାଳଦକ୍ଷ, ଝାଲେର ବା ଚିତୋର ରାଜାଙ୍କର ଏହି ସୈନ୍ୟବାହିନୀ ହୋଇନପାରେ ? ତା’ହେଲେ ଏହା କ’ଣ ଗଜନୀର ହମୀର୍‍ର ସୈନ୍ୟବାହିନୀ-? ଏହି ଭୟାବହ ଦୃଶ୍ୟ ଅଧିକ ସମୟ ଦେଖିନପାରି ସୈନ୍ୟବାହିନୀ ଯାଇଥିବା ରାସ୍ତାରେ ସେ ଆଗକୁ ଚାଲିଲେ । ପଦମଡ଼ୀ ମଧ୍ୟ ଏହି ଭୟାବହ ସ୍ଥାନ ତ୍ୟାଗକରି ଆଗକୁ ଚାଲିଲା-

 

ସନ୍ଧ୍ୟା ସମୟକୁ ସେ କିଛିଦୂରରେ ଗୋଟିଏ ଆଶ୍ରୟ ସ୍ଥଳ ଦେଖି ସେହି ଆଡ଼କୁ ଚାଲିଲେ । କେତେକ ଗଛ ଗହଳିରେ ଗୋଟିଏ ଛୋଟ ପଡ଼ା ଗାଁ । ସେ ତା’ ଭିତରକୁ ଯାଇ କୌଣସି ପଶୁ ବା ମଣିଷ ନ ଦେଖି ଭୟଭୀତ ହେଲେ । ଘରର ଦ୍ୱାରଗୁଡ଼ିକ ମେଲା । କେତେଗୁଡ଼ିଏ ଛାତ ପଡ଼ିଯାଇଛି । ଗ୍ରାମର ମନ୍ଦିରଟି ପୂରାପୂରି ଭାଙ୍ଗିଯାଇଛି । ପୋଖରୀର ପାଣି ପଙ୍କୁଆ ହୋଇଯାଇଥିବାରୁ ବହୁ ପଶୁ ଏଠାରେ ଧୁଆ ହୋଇଥିବା ସେ ଜାଣିଲେ । କୂଅରେ ମଧ୍ୟ ପାଣି ଯଥେଷ୍ଟ ନ ଥିଲା । ସର୍ବୋପରି ମରୁଭୂମିର ଏହି ଅଂଶ ସତେ ଯେପରି ବିରାଟ ଏକ ଶ୍ମଶାନରେ ପରିଣତ ହୋଇଛି ।

 

ଏହି ଭୟାବହ ଧ୍ୱଂସଲୀଳା କଳ୍ପନା କରି ସଜ୍ଜନଙ୍କ ପରି ସାହସୀ ଲୋକ ମଧ୍ୟ ଡରିଗଲେ-। ସେ ନୀରବରେ କୂଅରୁ ପାଣି କାଢ଼ି ନିଜେ ଗାଧୋଇଲେ ଓ ପଦମଡ଼ୀକୁ ଗାଧୋଇ ଦେଲେ । ସେ କିଛି ଖାଇପାରିଲେ ନାହିଁ; କିନ୍ତୁ ପଦମଡ଼ୀକୁ ପେଟପୂରା ଖାଇବାକୁ ଦେଲେ । ରାତି ହେବାରୁ ଏହି ସ୍ଥାନ ତାଙ୍କ ମନରେ ଅତିଶୟ ଭୟ ସୃଷ୍ଟି କଲା । ଭୀଷଣ ଅସ୍ୱସ୍ତି ମଧ୍ୟରେ ଏହି ସ୍ଥାନରେହିଁ ତାଙ୍କୁ ରାତ୍ରି ଯାପନ କରିବାକୁ ପଡ଼ିଥିଲା ।

 

ପରଦିନ ସେ ବାହାରିବାପାଇଁ ପ୍ରସ୍ତୁତ ହେଲେ । ହୁଏତ ସେ ଅନ୍ୟକୌଣସି ବାଟ ଦେଇ ଯାଇଥାନ୍ତେ; କିନ୍ତୁ ଏହି ସୈନ୍ୟବାହିନୀ କାହାର ତାହା ଜାଣିବାପାଇଁ ତାଙ୍କର ପ୍ରବଳ ଆଗ୍ରହ ହେବାରୁ ସେ ସୈନ୍ୟମାନେ ଯାଇଥିବା ରାସ୍ତାରେ ଗଲେ । ଘୋଘାଗଡ଼ ଓ ସଫାଳଦକ୍ଷର ଅବସ୍ଥା କ’ଣ ହୋଇଥିବ ଏହା ଭାବିବାକୁ ମଧ୍ୟ ସେ ଭୟ କଲେ ।

 

ସଜ୍ଜନ ଚାରି ପାଞ୍ଚ ଘଣ୍ଟା ଯିବା ପରେ ଗୋଟିଏ ବିରାଟ ବାଲିଝଡ଼ ମଧ୍ୟରୁ କେତେକ ଉଷ୍ଟାରୋହୀ ତାଙ୍କ ଆଡ଼କୁ ଦ୍ରୁତ ବେଗରେ ଆସୁଥବାର ସେ ଦେଖିଲେ । ପଦମଡ଼ୀ ପ୍ରଥମେ ଲାଙ୍ଗୁଡ଼ ଟେକି ଅନ୍ୟ ବାଟରେ ପଳାଇ ଯିବାକୁ ଚାହିଁଥିଲେ ସୁଦ୍ଧା ଏହି ଅବସରରେ ଉଷ୍ଟାରୋହୀମାନେ ତାଙ୍କ ନିକଟରେ ଆସି ପହଞ୍ଚିଗଲେ ।

 

ଏହି ଦଳରେ ସାତଗୋଟି ଓଟ ଥିଲେ । ପାଞ୍ଚଗୋଟି ଓଟ ଉପରେ ଦାଢ଼ି ଥିବା ପାଞ୍ଚଜଣ ଭୀଷଣାକୃତି ଲୋକ ବସି, ଚମଡ଼ାର ପୋଷାକ ପିନ୍ଧି ନୂତନ ପ୍ରକାରର ଅସ୍ତ୍ରଶସ୍ତ୍ର ଧାରଣ କରିଥାନ୍ତି । ଅନ୍ୟ ଦୁଇଟି ଓଟରୁ ଗୋଟିକରେ ବସିଛି ସେହି ଦଳର ନେତା ଓ ଅନ୍ୟଟିରେ ତା’ର ପଥନିର୍ଦ୍ଦେଶକ ଗୋଟିଏ ସ୍ଥାନୀୟ ଗାଈଆଳ । ନାୟକର ଚେହେରା ଡେଙ୍ଗା, ଗୋରା ଓ ଚେହେରାରୁ ହମୀର୍‍ର ସୈନ୍ୟବାହିନୀର ଜଣେ ଉଚ୍ଚପଦସ୍ଥ କର୍ମଚାରୀ ପରି ମନେହେଉଥାଏ ।

 

ନାୟକର ନିର୍ଦ୍ଦେଶମତେ ତା’ର ଦଳ ସଜ୍ଜନଙ୍କୁ ଘେରିଗଲେ ଓ ପଥନିର୍ଦ୍ଦେଶକ ତାଙ୍କୁ ନାନାପ୍ରକାର ପ୍ରଶ୍ନ କଲା, “ହେ, ତୁ ଏବାଟେ ବାଟ ଜାଣିଛୁ ?”

 

ଯେଭଳି ତାତ୍ସଲ୍ୟଭାବେ ତାଙ୍କୁ ପଚରା ଯାଉଥିଲା, ତହିଁରେ ସଜ୍ଜନ ଅପମାନିତ ବୋଧ କରୁଥିଲେ ସୁଦ୍ଧା ସେଥିପ୍ରତି ଭ୍ରୂକ୍ଷେପ ନ କରି ଗମ୍ଭୀରଭାବେ ଜବାବ ଦେଲେ, “ହଁ, କିନ୍ତୁ ତମେ କିଏ-?”

 

ଦଳର ନାୟକକୁ ପଥନିର୍ଦ୍ଦେଶକ ତାଙ୍କ ଜବାବ ଜଣାଇଦେବାରୁ ସେ ହସି ହସି କହିଲା, “ଆମେ କିଏ ମୁହୂର୍ତ୍ତକ ମଧ୍ୟରେ ତତେ ଜଣାପଡ଼ିବ । ଆଗ ଗୁଜୁରାତ ଯିବାକୁ ବାଟ ବତା ।”

 

ସଜ୍ଜନ-‘‘ଗୁଜୁରାତ କିଏ ଯିବ ?’’

 

ଉତ୍ତର-‘‘ଆମେ’’

 

ହଠାତ୍ ସଜ୍ଜନଙ୍କ ମୁଖ ଉଜ୍ଜ୍ୱଳ ଦେଖାଗଲା ।

 

ଏହି ମ୍ଳେଚ୍ଛ ସୈନ୍ୟବାହିନୀ ପ୍ରଭୁ ସୋମନାଥଙ୍କ ମନ୍ଦିର ଧ୍ୱଂସ କରିବା ଉଦ୍ଦେଶ୍ୟରେ ଗୁଜୁରାତ ଯିବାକୁ ଚାହୁଁଛି । ହୁଏତ ତାଙ୍କର (ସଜ୍ଜନଙ୍କର) ଯେପରି ଏମାନଙ୍କ ସହିତ ଭେଟ ହୁଏ ସେହି ଉଦ୍ଦେଶ୍ୟରେ ପ୍ରଭୁ ନିଜେ ଉକ୍ତ ସୈନ୍ୟବାହିନୀକୁ ଏଠାକୁ ଆଣିଛନ୍ତି । ସେ ମନେ ମନେ ହସିଲେ । ଗଜନୀର ହମୀର୍‍କୁ ଧ୍ୱଂସ କରିବା ନିମନ୍ତେ ପ୍ରଭୁ ଶଙ୍କର ତାଙ୍କୁ ଯେଉଁ ଆଦେଶ ଦେଇଥିଲେ ତାହା କାର୍ଯ୍ୟରେ ପରିଣତ କରିବାପାଇଁ ଏହାଠାରୁ ଅଧିକ ସୁଯୋଗ କ’ଣ ମିଳିପାରେ-?

 

ସଜ୍ଜନ ଉଚ୍ଚ ସ୍ୱରରେ ଉତ୍ତର ଦେଲେ, “ଭଲକଥା, ମୁଁ ତମମାନଙ୍କୁ ସେଠାକୁ ନେଇଯିବି-।”

 

ପ୍ରଶ୍ନ-‘‘ତୁ କ’ଣ ସତରେ ବାଟ ଜାଣୁ ?’’

 

ସଜ୍ଜନ-‘‘ହଁ, ମୁଁ ତ ଗୁଜୁରାତରୁ ଆସୁଛି ।’’

 

ପ୍ରଶ୍ନ-‘‘ପହଞ୍ଚିବାକୁ କେତେଦିନ ଲାଗିବ ?’’

 

ସଜ୍ଜନ-‘‘ବାର ଦିନରୁ ପନ୍ଦର ଦିନ ମଧ୍ୟରେ ।’’

 

ନାୟକ ଏହା ଶୁଣି ଖୁସି ହୋଇ ପ୍ରହରୀ ଜରିଆରେ ସଜ୍ଜନଙ୍କୁ ଆଦେଶ ଦେଲା, “ତା ହେଲେ ଆମ ସାଙ୍ଗରେ ଆସ ।”

 

‘ଚାଲ’ ବୋଲି ସଜ୍ଜନ ଉତ୍ତର ଦେଲେ ।

 

ସେ ବୁଝିଲେ ଯେ, ଏହି ସୈନ୍ୟବାହିନୀ ସହିତ ଯିବା ଛଡ଼ା ତାଙ୍କ ପକ୍ଷରେ ଅନ୍ୟ ଉପାୟ ନାହିଁ । ପ୍ରଭୁ ସୋମନାଥଙ୍କ ଆଦେଶ ଏକାକୀ ପୂରଣ କରିବା ନିମିତ୍ତ ଏହା ହେଉଛି ତାଙ୍କ ପକ୍ଷେ ସୁବର୍ଣ୍ଣ ସୁଯୋଗ । ଏହା ଭାବି ସେ ଆନନ୍ଦ ଅନୁଭବ କଲେ ।

 

କ୍ରମେ ସଜ୍ଜନ ଭଲଭାବେ ବୁଝିଲେ ଯେ ସେ ପଥ ନିର୍ଦ୍ଦେଶକ ହିସାବରେ ଯାଇ ସୁଦ୍ଧା ପ୍ରକୃତ ପକ୍ଷରେ ସେ ସେମାନଙ୍କର ବନ୍ଦୀ । ଦଳର ନେତା ତାଙ୍କ ଉପରେ କଡ଼ା ନଜର ରଖୁଛି, ଅବଶ୍ୟ ପଦମଡ଼ୀକୁ ଯଥେଷ୍ଟ ପାଣି ପିଇବାକୁ ଦିଆଯାଉଛି ଏବଂ ତାଙ୍କୁ ଖାଇବାକୁ ଡାକି ଯଥେଷ୍ଟ ଭଦ୍ରୋଚିତ କଥାବାର୍ତ୍ତା କରାଯାଉଛି । କିନ୍ତୁ ସଜ୍ଜନ କୌଣସି ବିଷୟ ଜାଣିବାକୁ ଚାହିଁଲେ ସେମାନେ ତାଙ୍କୁ ଉପରଠାଉରିଆ ଉତ୍ତର ଦେଉଛନ୍ତି ।

 

ସେମାନଙ୍କୁ ପ୍ରତାରିତ କରିବାପାଇଁ ସଜ୍ଜନ ଗୋଟିଏ ଉପାୟ ପାଞ୍ଚିଲେ । ସେମାନେ ଖାଇସାରିବା ପରେ ସଜ୍ଜନ ଉଠିପଡ଼ି କହିଲେ, “ମୁଁ ବର୍ତ୍ତମାନ ଯାଉଛି ।”

 

“କୁଆଡ଼େ ଯାଉଛ ?’’ ପଥ ନିର୍ଦ୍ଦେଶକ ପଚାରିଲା ।

 

ସଜ୍ଜନ ଉତ୍ତର ଦେଲେ, “ମୁଁ ଗଜନୀର ହମୀର୍‍ଙ୍କ ସହିତ ଦେଖା କରିବାକୁ ଯାଉଛି ।”

 

ସେମାନେ ପାଟିକରି ହସି ଉଠି କହିଲେ, “ତୁ ତାଙ୍କ ସହିତ କାହିଁକି ଦେଖା କରିବୁ ?”

 

ସଜ୍ଜନ ଉତ୍ତର ଦେଲେ, “ମୁଁ ସେ ସବୁ କଥା ତୁମମାନଙ୍କୁ କହିବି ନାହିଁ । କିନ୍ତୁ ମୁଁ ତାଙ୍କ ସହିତ ଦେଖାକଲେ ତାଙ୍କ କାର୍ଯ୍ୟ ସହଜ ହେବ ।”

 

ନାୟକ-‘‘ତୁ କିଏ ?’’

 

ସଜ୍ଜନ-‘‘ମୁଁ ଏହି ମରୁଭୂମିର ପଥପ୍ରଦର୍ଶକ । ମୋ କାମ ଯାତ୍ରୀମାନଙ୍କୁ ଠିକ୍ ବାଟ ଦେଖାଇବା ।’’

 

ପଥନିର୍ଦ୍ଦେଶକ ତାଙ୍କ କଥା ସେମାନଙ୍କୁ ବୁଝାଇବା ପରେ ସେମାନେ ନିଜ ଭିତରେ ପରାମର୍ଶ କରି ତାଙ୍କୁ ହମୀର୍‍ଙ୍କ ନିକଟକୁ ନେଇଯିବେ ବୋଲି କହିଲେ ।

 

ତାଙ୍କ ଯୋଜନା ସଫଳ ହେବାକୁ ଯାଉଥିବାରୁ ସଜ୍ଜନ ଆନନ୍ଦିତ ହେବା ସଙ୍ଗେ ସଙ୍ଗେ ତାଙ୍କ ଆଶଙ୍କା ମଧ୍ୟ ଦୃଢ଼ୀଭୂତ ହେଲା । ମୁଲତାନ, ନାଦୁଲ, ସଫାଳଦକ୍ଷ ଓ ଆଜମୀର ଦେଇ ହମୀର୍‍ ଆସିଥିବ । ଏହି ରାଜ୍ୟର ଶାସକମାନଙ୍କ ଅବସ୍ଥା କ’ଣ ହେଲା ? ସେମାନେ କ’ଣ ହାରିଯାଇ ପ୍ରାଣ ଦେଲେ ନାଁ ଆକ୍ରମଣକାରୀକୁ ସେମାନଙ୍କ ରାଜ୍ୟ ମଧ୍ୟ ଦେଇ ଯିବାକୁ ଛାଡ଼ିଦେଲେ-? ହମୀର୍‍ କ’ଣ ଘୋଘାଗଡ଼ ଅଧିକାର କଲା ? ଏ ସବୁର ଉତ୍ତର ସଜ୍ଜନ ଜାଣିବାକୁ ଚାହୁଁଥିଲେ ସୁଦ୍ଧା ପଚାରିବାକୁ ତାଙ୍କର ସାହସ ହେଲା ନାହିଁ ।

Image

 

ଗଜନୀର ହମୀର୍‍

 

ଏହି ଦଳ ଖୁବ୍ ଶୀଘ୍ର ଶୀଘ୍ର ଯାତ୍ରା କଲେ । ସନ୍ଧ୍ୟା ହୋଇଯିବାର ଯଥେଷ୍ଟ ପରେ ସେମାନେ ଗୋଟିଏ ବିରାଟ ଛାଉଣୀରେ ପହଞ୍ଚିଲେ । ଏହା ସାଧାରଣ ଛାଉଣୀ ନୁହେଁ- ଠିକ୍ ଗୋଟିଏ ବଡ଼ ସହର ପରି । ଏହିପରି ଛାଉଣୀ ସଜ୍ଜନ ପୂର୍ବରୁ କେବେ ଦେଖିନଥିଲେ । ଚାରିଆଡ଼େ ଦଳ ଦଳ ଲୋକ ପ୍ରବଳ ଶୀତରୁ ରକ୍ଷା ପାଇବାପାଇଁ ନିଆଁ ଚାରିପାଖେ ବସି ଶରୀରର ଉଷ୍ଣତା ରକ୍ଷା କରୁଥାନ୍ତି । ଛାଉଣୀର ଏ ମୁଣ୍ତରୁ ସେ ମୁଣ୍ତ ପର୍ଯ୍ୟନ୍ତ ହଜାର ହଜାର ଆଲୁଅ ଜଳୁଥିବାରୁ ଆଖିକୁ ଯେ ପର୍ଯ୍ୟନ୍ତ ଦେଖାଯାଉଥାଏ, ସେ ପର୍ଯ୍ୟନ୍ତ ଏହି ଛାଉଣୀ ଦିଶୁଥାଏ । ଅସୁମାରି ମଣିଷ, ହାତୀ, ଓଟ, ଘୋଡ଼ା ଏବଂ ଅନ୍ୟାନ୍ୟ ପଶୁ ଏହି ସୈନ୍ୟବାହିନୀରେ ଥିଲେ ।

 

ଏହି ଛାଉଣୀରେ ବିଭିନ୍ନ ଆକାର ଏବଂ ପ୍ରକାରର ପ୍ରାୟ ଦଶ ହଜାର ପତାକା ପବନରେ ଉଡ଼ୁଥାଏ ଏବଂ ହଜାର ହଜାର ତମ୍ବୁ ପଡ଼ିଥାଏ । ମଣିଷ ଏବଂ ପଶୁମାନଙ୍କର ମୁଖରୋଳ ବହୁଦୂର ପର୍ଯ୍ୟନ୍ତ ଶୁଣାଯାଉଥାଏ ।

 

ଏହାସବୁ ଦେଖି ସଜ୍ଜନଙ୍କ ମନରେ ଭୟ ହେଲା । ସୈନ୍ୟବାହିନୀ ଏତେବଡ଼ ହୋଇପାରେ ବୋଲି ତାଙ୍କର ଧାରଣା ନ ଥିଲା । ତା’ ଛଡ଼ା ଗଜନୀର ହମୀର୍‍ ଏଡ଼େ ବିରାଟ ସୈନ୍ୟବାହିନୀ ସହ ଏତେବାଟ ଆସି, ସ୍ଥାନେ ସ୍ଥାନେ ରହି ଶେଷକୁ ଯେ ପାଣି ନ ଥିବା ଏହି ବିରାଟ ମରୁଭୂମିରେ ପହଞ୍ଚିବ, ତାହା ସେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ ।

 

ମୁହୂର୍ତ୍ତକ ପାଇଁ ସଜ୍ଜନଙ୍କର ସାହସ ଓ ବିଶ୍ୱାସ ଉଭେଇ ଗଲେ ମଧ୍ୟ ପ୍ରଭୁ ସୋମନାଥଙ୍କର ଆଦେଶ ସ୍ମରଣ କରିବାପରେ ତାଙ୍କର ପୂର୍ବତେଜ ପୁଣି ଫେରିଆସିଲା । ପ୍ରଭୁ ଯେବେ ଆକ୍ରମଣକାରୀକୁ ଧ୍ୱଂସ କରିବାକୁ ଠିକ୍ କରିଛନ୍ତି ତାକୁ କେହି ରକ୍ଷା କରିପାରିବେ ନାହିଁ । ଦଶମୁଣ୍ଡ ଓ କୋଡ଼ିଏ ହାତ ବିଶିଷ୍ଟ ରାବଣ ପରି ବିରାଟ ବ୍ୟକ୍ତି ଯେତେବେଳେ ଧ୍ୱଂସ ପାଇଗଲା, ତା’ ତୁଳନାରେ ଗଜନୀର ହମୀର୍‍ ବା କି ଛାର ! ହୁଏତ ତାଙ୍କ ପରି ଜଣେ ନଗଣ୍ୟ ରାଜପୁତ ହାତରେ ହମୀର୍‍ର ଜୀବନ ଯିବା ଭଗବାନ ଚାହାନ୍ତି ।

 

ଏହି ଦଳର ନାୟକ ବୋଧହୁଏ ଜଣେ ଉଚ୍ଚପଦସ୍ଥ ସାମରିକ କର୍ମଚାରୀ । ତା’ର ଆଦେଶରେ ପ୍ରହରୀମାନେ ବାଟ ଛାଡ଼ି ଦେଲେ । ଛାଉଣୀର ସୈନ୍ୟମାନେ ତାଙ୍କୁ ଆସୁଥିବା ଦେଖି ନିଜ କପାଳରେ ଡାହାଣ ହାତ ମାରି ଓ ନତ ମସ୍ତକ ହୋଇ ସମ୍ମାନ ପ୍ରଦର୍ଶନ କଲେ ।

 

ଏଠାରେ ସଜ୍ଜନ ନିଜ ଆଖିରେ ବିଭିନ୍ନ ଦେଶର ସୈନ୍ୟ ଓ ଅଦ୍ଭୁତ ସାମରିକ ଅସ୍ତ୍ରମାନ ଦେଖିବାକୁ ପାଇଲେ । ଖାଇବା ଓ ପିଇବାର ଅଭାବ ନାହିଁ । ପ୍ରତ୍ୟେକେ ଆମୋଦ ପ୍ରମୋଦରେ ନିମଗ୍ନ ।

 

ସଜ୍ଜନ ଅତ୍ୟନ୍ତ ଅସ୍ୱସ୍ତି ଅନୁଭବ କଲେ । ରାଜସ୍ଥାନର ବୀର ଯୋଦ୍ଧାମାନେ କ’ଣ ଧ୍ୱଂସ ହୋଇଗଲେ ? ଘୋଘାଗଡ଼ର ଅବସ୍ଥା କ’ଣ ହେଲା । ଘୋଘାବାପା କେଉଁଠାରେ ? ଏ ସବୁ ପ୍ରଶ୍ନର ଉତ୍ତର ନ ପାଇ ସେ ଅତ୍ୟନ୍ତ ବ୍ୟସ୍ତ ହେଲେ ଏବଂ ତାଙ୍କର ନିଶ୍ୱାସ ବନ୍ଦ ହୋଇଗଲା ପରି ବୋଧ ହେଲା ।

 

ନାୟକ ତାଙ୍କୁ ଓଟରୁ ଓହ୍ଲାଇବାପାଇଁ ଆଦେଶ ଦେଲା । ସଜ୍ଜନ ସାଙ୍ଗେ ସାଙ୍ଗେ ଓହ୍ଲାଇପଡ଼ି କାଳେ ପଦମଡ଼ୀକୁ କିଏ ନେଇଯିବ ସେଥିପାଇଁ କହିଲେ, “ଏପରି ଓଟ ସଂସାରରେ ନାହିଁ । ଏହାର ବିନା ସାହାଯ୍ୟରେ ମୁଁ ବାଟ ଦେଖାଇ ପାରିବି ନାହିଁ ।”

 

“ତୁମ ଓଟ ତୁମକୁ ପରେ ଦିଆଯିବ ।” ନାୟକର ଏହି ଆଦେଶ ସଜ୍ଜନଙ୍କୁ ଜଣାଇ ଦିଆଗଲା ।

 

ସଙ୍ଗେ ସଙ୍ଗେ “ମୋ ସାଙ୍ଗରେ ଆସ” ବୋଲି ନାୟକ ସଜ୍ଜନଙ୍କୁ ନିର୍ଦ୍ଦେଶ ଦେଇ ତମ୍ୱୁ ଭିତରକୁ ପଶିଲା ।

 

ସେ ନାୟକର ପଛେ ପଛେ ଗଲେ । ତାଙ୍କ ପଛରେ ଦୁଇଜଣ ପ୍ରହରୀ ଯାଉଥାନ୍ତି । ଏହି ତିନିଜଣଙ୍କର ସଜ୍ଜନଙ୍କ ଉପରେ ଅତି କଡ଼ା ନଜର ଥାଏ । ସେ ଯେବେ ପଳେଇ ଯିବାକୁ ଚେଷ୍ଟା କରିଥାନ୍ତେ ବା କୌଣସି ଯୁକ୍ତିତର୍କ କରିଥାନ୍ତେ, ତା’ ହେଲେ ସାଙ୍ଗେ ସାଙ୍ଗେ ହୁଏତ ତାଙ୍କର ମୁଣ୍ତ କାଟ ହୋଇଥାନ୍ତା ।

 

ଅଳ୍ପ ସମୟ ପରେ ସେମାନେ ପଶୁ ଚମଡ଼ାରେ ତିଆରି ଗୋଟିଏ ବିରାଟ ତମ୍ୱୁକୁ ଆସିଲେ । ଏହାର ଚାରିପାଖେ ସୈନ୍ୟମାନେ ଖଣ୍ତା ଉଞ୍ଚାଇ ରଖି ପାଚେରି ଭଳି ଠିଆ ହୋଇଥାନ୍ତି-। ଏହି ମଣିଷ ପାଚେରି ପଛକୁ ଧନୁଶର ଧରି କିଛି ବାଟ ଅନ୍ତରରେ ଜଣେ ଜଣେ ସୈନ୍ୟ ଠିଆ ହୋଇଥାନ୍ତି । ଏହି ଦୁର୍ଗ ଭିତରକୁ ଯିବାପାଇଁ ସୁସଜ୍ଜିତ ସୈନ୍ୟଦଳ ଭିତର ଦେଇ ବାହାରୁ ଗୋଟିଏ ରାସ୍ତା ଥାଏ । ସଜ୍ଜନଙ୍କୁ ନେଇ ଉକ୍ତ କର୍ମଚାରୀ ସେଠାକୁ ଯିବାରୁ ପ୍ରତ୍ୟେକ ଲୋକ ନଇଁପଡ଼ି ତାଙ୍କୁ ଅଭିବାଦନ କଲେ ।

 

ସେମାନେ ତମ୍ବୁ ନିକଟରେ ପହଞ୍ଚିବାକ୍ଷଣି, ସେମାନଙ୍କ ଆସିଥିବା କଥା ପ୍ରହରୀ ଭିତରେ ଯାଇ ଖବର ଦେଲା । ସେମାନଙ୍କୁ ଭିତରକୁ ଛାଡ଼ିଦେବାପାଇଁ ଆସିଲା ହୁକୁମ୍‍ । ଦୁଇଜଣ ବିଶାଳକାୟ ହବ୍‌ଶୀ (ନିଗ୍ରୋ) ପ୍ରହରୀ ତମ୍ବୁର ଦ୍ୱାର ଖୋଲିଦେଲେ ।

 

ସେମାନେ ତମ୍ବୁରେ ପ୍ରବେଶ କରିବା ପରେ ଯେଉ ଆଡ଼ମ୍ବର ପୂର୍ଣ୍ଣ ପରିବେଶ ସଜ୍ଜନ ଦେଖିଲେ, ସେଥିରେ ଆଶ୍ଚର୍ଯ୍ୟ ହୋଇ ନିଜ ଆଖି ମଳିଲେ । ତିରିଶଜଣ ବ୍ୟକ୍ତି ଆଲୁଅ ଧରି ମୂର୍ତ୍ତିପରି ଠିଆ ହୋଇଥାନ୍ତି । ଠିକ୍ ପ୍ରବେଶଦ୍ୱାର ନିକଟରେ ଦୁଇଜଣ ବିଶାଳକାୟ ନିଗ୍ରୋ ତରବାରୀ ଧରି ଦଣ୍ଡାୟମାନ । ତମ୍ବୁ ମଝିରେ ଜଳୁଥିବା ତେଲ ଦୀପ ଯୋଗୁ ଭିତରର ଯାକଯମକ ବେଶ୍ ଦେଖାଯାଉଥିଲା ।

 

ତମ୍ବୁର ଅନ୍ୟ ପାଖରେ ପଡ଼ିଥିବା ବାଘ ଓ ହରିଣ ଚମଡ଼ାରେ ତିଆରି ଗୋଟିଏ ବିରାଟ ସତରଞ୍ଜି ଉପରେ ଜଣେ ବ୍ୟକ୍ତି ବସିଥାଏ । ସେ ପ୍ରବଳ ପ୍ରତାପୀ ବୋଲି ଜଣାଯାଉଥାଏ । ସେ ଗୋଟାଏ ବଡ଼ ତକିଆକୁ ଆଉଜି ବସିଥାଏ ଏବଂ ତା’ର ଲମ୍ବା ନାଲି ଦାଢ଼ି ତଳକୁ ଲମ୍ବିଥାଏ । ଭ୍ରୂଲତା ତଳେ ଦୁଇଟି ବଡ଼ ବଡ଼ କଳା ଭୟଙ୍କର ଆଖି । ବାଁ ହାତରେ ସେ ଧରିଥାଏ ଗୋଟିଏ ବଡ଼ ଖଣ୍ଡା ।

 

ସେ ଦେହରେ ଚମଡ଼ାର ପୋଷାକ ଓ ମୁଣ୍ଡରେ ମଣିମୁକ୍ତା ଖଚିତ ପଗଡ଼ି ପିନ୍ଧିଥାଏ । ତାହାର ଡାହାଣ ପାଖରେ ବସିଥିବା ଜଣେ ମଧ୍ୟମବୟସ୍କ ମୁସଲମାନର କାନରେ କଲମ ଖୋସା ହୋଇଥାଏ ଏବଂ ଛାତିରେ ଏକ ଦୁଆତ ଓହଳିଥାଏ । ତା’ ପାଖରେ ବସିଥାଏ ଜଣେ ଖର୍ବକାୟ ଶକ୍ତିଶାଳୀ ଯୋଦ୍ଧା ଓ ଜଣେ ଯୁବକ ସୈନ୍ୟ । ସେହି ଦୁଇଜଣ ରାଜପୁତ ପରି ଦେଖାଯାଉଥାନ୍ତି ।

 

ଏହି ବିରାଟକାୟ ବ୍ୟକ୍ତିର ବାଁ ପାଖକୁ ବସିଥାଏ ଆଉଜଣେ ମୁସଲମାନ ଯୋଦ୍ଧା । ସେ ଏକ ତକିଆକୁ ଆଉଜି ଥାଏ ଏବଂ ତା’ର ପୋଷାକପତ୍ରରୁ ସେ ଜଣେ ଉଚ୍ଚପଦସ୍ଥ ସାମରିକ କର୍ମଚାରୀ ଭଳି ଦେଖାଯାଉଥାଏ ।

 

ଆଗନ୍ତୁକମାନଙ୍କୁ ଦେଖି ନାଲିଦାଢ଼ିଆ ବ୍ୟକ୍ତିଟି ସିଧା ହୋଇ ବସିଲା ଏବଂ ଉଚ୍ଚ ସ୍ୱରରେ ନାୟକକୁ ନିକଟକୁ ଆସିବାକୁ ସଂକେତ ଦେଲା । ସଙ୍ଗେ ସଙ୍ଗେ ନାୟକ ତା’ ନିକଟକୁ ଯାଇ ନଇଁପଡ଼ି ସସମ୍ମାନ ଅଭିବାଦନ କଲା । ଏହି ନାୟକର ନାମ ସାଲାର ମାସୁଦ ଏବଂ ବସିଥିବା ନାଲିଦାଢ଼ିଆ ବ୍ୟକ୍ତି ଗଜନୀର ମହାପ୍ରତାପୀ ହମୀର୍‍ ମହମ୍ମଦ ବୋଲି ସଜ୍ଜନ ଜାଣିପାରିଲେ । ହମୀର୍‍ କନୌଜ, କାଲିକଟ, ନଗରକୋଟ ଓ ମଥୁରା ଭଳି ସହରମାନଙ୍କୁ ଧ୍ୱଂସ କରିଛି । ସଙ୍ଗେ ସଙ୍ଗେ ମଥୁରାର ପ୍ରତ୍ୟେକ ବ୍ରାହ୍ମଣକୁ ଧରି ନେଇ ଗଜନୀର ବଜାରରେ ବିକିଛି ଓ ମରୁଭୂମି ଅତିକ୍ରମ କରି ପ୍ରଭୁ ସୋମନାଥଙ୍କ ବିଜେସ୍ଥଳୀ ଧ୍ୱଂସ କରିବାକୁ ପଣ କରିଛି । ଏହା ଭାବି ସଜ୍ଜନଙ୍କ ରକ୍ତ ଗରମ ହୋଇଉଠିଲା ଏବଂ ତାଙ୍କର ମନ ହେଲା, ଯେବେ ଟିକିଏ ହେଲେ ସୁବିଧା ଥାଆନ୍ତା, ତା’ହେଲେ ସାଙ୍ଗେ ସାଙ୍ଗେ ଏହି ଦୁର୍ବୃତ୍ତର ମସ୍ତକ ଛିନ୍ନ କରି ଗଙ୍ଗସର୍ବଜ୍ଞଙ୍କ ଇଚ୍ଛା ପୂରଣ କରିଥାନ୍ତେ-

 

ମଝିରେ ବସିଥିବା ବ୍ୟକ୍ତି ସମ୍ପର୍କରେ ସଜ୍ଜନଙ୍କର ଅନୁମାନ ଠିକ୍ ବୋଲି ପ୍ରମାଣିତ ହେଲା । ଗଜନୀର ଶାସକ ୟାମିନୁଦୌଲା ମହମ୍ମଦ ନିଜାମୁଦ୍ଦିନ କଶିମ୍ ମହମ୍ମଦ ସାମାନ୍ୟ ଚଉଦବର୍ଷ ବୟସରେ ସମସ୍ତ ଏସିଆ ମହାଦେଶରେ ପ୍ରସିଦ୍ଧି ଲାଭ କରି ସାହସୀମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ବିବେଚିତ ହୋଇଛି । ଦରିଦ୍ର ଓ ଅଜ୍ଞାତବାଳକ ହିସାବରେ ଜୀବନ ଆରମ୍ଭ କରିଥିଲେ ସୁଦ୍ଧା, ସେ ଏମଧ୍ୟରେ ବିପୁଳ ସମ୍ପତ୍ତି ତଥା ଅସୀମ କ୍ଷମତାର ଅଧିକାରୀ ହୋଇପାରିଛି । ଖୁରାସନମାନଙ୍କ ଉପରେ ଆଧିପତ୍ୟ ଲାଭ କରି ନିଜ ଭାଇଠାରୁ ଗଜନୀର ଶାସନ ଦାୟିତ୍ୱ ମଧ୍ୟ ଅପହରଣ କରିଛି । ପ୍ରତିଜ୍ଞାର ଦୃଢ଼ତା ଏବଂ ଅସାଧାରଣ ସାହସଯୋଗୁ ସେ ଜୀବନରେ ବିପୁଳ ଯଶ ଲାଭ କରିପାରିଛି । ସେ ଯାହା ସଙ୍ଗରେ ଲଢ଼େଇ କରିଛି, ତାକୁ ଜୟ କରିବା ସଙ୍ଗେ ସଙ୍ଗେ ନିଜର ସମସ୍ତ ଲକ୍ଷ୍ୟ ସେ ପୂରଣ କରିଛି ।

 

ନିଜ ପିତାର ପଦାଙ୍କ ଅନୁସରଣ କରି ହମୀର୍‍ ଅସୀମ ଧନରତ୍ନରେ ପୂର୍ଣ୍ଣ ଭାରତବର୍ଷକୁ ଲୁଣ୍ଠନ କରି ଲାଗିଛି । ଲାହୋର ଆତ୍ମସମର୍ପଣ କଲା ଏବଂ ମୁଲତାନର ପତନ ହେଲା । ଗ୍ୱାଲିୟର ଏବଂ କନୌଜ, ଦିଲ୍ଲୀ ତଥା ସଫାଳଦକ୍ଷର ସୈନ୍ୟବାହିନୀ ପରାଜିତ ହେଲେ । ଧନସମ୍ପଦରେ ପରିପୂର୍ଣ୍ଣ ନଗରକୋଟ ସହର ମଧ୍ୟ ସେ ଲୁଣ୍ଠନ କଲା ।

 

ବିଜିତ ଦେଶମାନଙ୍କର ସମସ୍ତ ଦେବଦେବୀ ମୂର୍ତ୍ତିକୁ ଭାଙ୍ଗି ନିଜେ ଅମରତ୍ୱ ଲାଭ କରି ଇସ୍‌ଲାମ ଧର୍ମର ପଥ ପ୍ରଦର୍ଶକ ହେବାକୁ ସେ ଚାହିଁଛି । ମଥୁରାରେ ଥିବା ବହୁ ପୁରାତନ ମନ୍ଦିର ସେ ଧୂଳିସାତ୍ କରିଛି । ଦେବମୂର୍ତ୍ତିମାନଙ୍କର ସୁନା ମୁକୁଟମାନ ଲୁଣ୍ଠନ କରି ନିଜ ପ୍ରାସାଦର ନାରୀମାନଙ୍କୁ ପିନ୍ଧାଇଛି ।

 

ତା’ର ଅଭିଳାଷର ସୀମା ନ ଥିଲା । ତା’ର କାମ ନେଇ ତା’ର ହୃଦୟ ଥିଲା ଉଦାର ଓ କଳ୍ପନାପୂର୍ଣ୍ଣ । କୌଣସି ଶ୍ରେଷ୍ଠ କାର୍ଯ୍ୟ କରି ଚିରକାଳକୁ ନିଜର ନାମ ରଖିବାକୁ ସେ ଚାହିଁଥିଲା । ଇସ୍‌ଲାମ ଜଗତର ଖଲିଫାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଖଲିଫା ଓମାର କରିଥିବା କାର୍ଯ୍ୟ ସେ କରିବାକୁ ଚାହିଁଛି । ହମୀର୍‍ ତା’ର ଇରାନୀୟ ମାଆଠାରୁ କଳା ଓ ସଂସ୍କୃତି ପ୍ରତି ପ୍ରୀତି ଶିକ୍ଷା କରିଥିଲା । ସେ କବିତାକୁ ପସନ୍ଦ କରୁଥିଲା ଓ ଗଜନୀକୁ ପୃଥିବୀର ଶ୍ରେଷ୍ଠ ନଗରୀରେ ପରିଣତ କରିବାକୁ ଚାହିଁଥିଲା । ଅନ୍ୟମାନଙ୍କ ହୃଦୟ ଜୟ କରିବାପାଇଁ ତା’ର ଥିଲା ଅସୀମ ଶକ୍ତି । ସେ ନିଜେ ଜଣେ ଯୋଦ୍ଧା ହୋଇଥିବାରୁ ଅନ୍ୟମାନଙ୍କ ସାହସକୁ ସେ ବେଶ୍ ପସନ୍ଦ କରୁଥିଲା । ତାକୁ ବିରୋଧ କରୁନଥିବା ପର୍ଯ୍ୟନ୍ତ ତା’ ହୃଦୟରେ ସବୁ ଧର୍ମର ଲୋକଙ୍କ ପାଇଁ ସ୍ଥାନ ଥିଲା । ସେ ମୂର୍ତ୍ତିପୂଜା ସହ୍ୟ କରିପାରୁନଥିଲେ ସୁଦ୍ଧା ମୂର୍ତ୍ତିପୂଜକମାନଙ୍କର ସାହସକୁ ଯଥେଷ୍ଟ ସମ୍ମାନ କରୁଥିଲା; ଏପରିକି ରାଜପୁତମାନଙ୍କୁ ପରାଜିତ କରୁଥିଲେ ମଧ୍ୟ ସେମାନଙ୍କ ଅଦ୍ଭୁତ ବୀରତ୍ୱର ବିଶେଷ ପ୍ରଶଂସା କରୁଥିଲା ।

 

ତା’ର ବିରାଟ ସୈନ୍ୟବାହିନୀରେ କକେସସ୍‌ଠାରୁ ଗଙ୍ଗା ନଦୀର ଉପତ୍ୟକା ପର୍ଯ୍ୟନ୍ତ ସବୁ ଦେଶର ଯୋଦ୍ଧାମାନେ ଥିଲେ ।

 

ସେ ଶହ ଶହ ମାଇଲ ଅତିକ୍ରମ କରି ଆସିଛି କେବଳ ମରୁଭୂମିର ଅପରପଟେ ଥିବା ଦେବମୂର୍ତ୍ତିକୁ ଧ୍ୱଂସ କରି ମନ୍ଦିରର ଅଗାଧ ସମ୍ପତ୍ତି ନେବାପାଇଁ । ଛୋଟ ଛୋଟ ରାଜ୍ୟର ରାଜପୁତ ଶାସକମାନଙ୍କର ତା’ ଭଳି ତୀକ୍ଷଣ ବୁଦ୍ଧି ବା ସାମରିକ ନୈପୁଣ୍ୟ ନ ଥିଲା । ସେମାନଙ୍କର ସାହସ, ଦୃଢ଼ ପ୍ରତିଜ୍ଞା ଓ ବୀରତ୍ୱ ଥିଲେ ସୁଦ୍ଧା ଅଦୂରଦୃଷ୍ଟି ଏବଂ ଗର୍ବଯୋଗୁଁ ସେମାନେ ନିଜ ଶତ୍ରୁର ଶକ୍ତି ସମ୍ପର୍କରେ ଠିକ୍ କଳନା କରି ପାରୁନଥିଲେ । ସେମାନଙ୍କର ଯଥେଷ୍ଟ ସାମରିକ କୌଶଳ ଜ୍ଞାନ ଥିଲେ ସିଦ୍ଧା ସମୂହଭାବେ ଶତ୍ରୁ ବିରୁଦ୍ଧରେ ଲଢ଼ିବାପାଇଁ ସେମାନେ ଏକାଠି ହୋଇପାରୁନଥିଲେ । ପ୍ରତ୍ୟେକେ ନିଜ ନିଜର ରାଜ୍ୟ ରକ୍ଷାକରି ଆବଶ୍ୟକ ହେଲେ ମରିବାପାଇଁ ପ୍ରସ୍ତୁତ ଥିଲେ ମଧ୍ୟ, ନିଜ ରାଜ୍ୟସମୂହ ତଥା ଧର୍ମର ରକ୍ଷାପାଇଁ ସେମାନେ ଏକାଠି ହେଲେ ନିଜର ପ୍ରତିରୋଧ ଶକ୍ତି ଯେ ବଢ଼ିବ ତାହା ଉପଲବ୍‌ଧି କରିପାରୁନଥିଲେ ।

 

ସାଲାର ମାସୁଦ୍ ହମୀର୍‍ର ପାଦତଳେ ବସି ସେମାନଙ୍କ ଅଦ୍‍ଭୁତ ଭାଷାରେ ନିଜର କଥା ଉପସ୍ଥାପିତ କଲା । ସେ ସମ୍ପର୍କୀୟ ଆଲୋଚନା ପରେ ସାଧାରଣ କଥାବାର୍ତ୍ତା ହେଲା । ଏହି କଥାବାର୍ତ୍ତାରେ ବରାବର ହମୀର୍‍ର ଉଚ୍ଚ ସ୍ୱର ଶୁଭୁଥାଏ ।

 

କିଛି ସମୟ ପରେ କଲମ ଓ ଦୁଆତ ନେଇ ବସିଥିବା କର୍ମଚାରୀ ଆଲ୍‍ତାବି ଓ ତା’ ପାଖରେ ବସିଥିବା ରାଜପୁତ ସଜ୍ଜନଙ୍କ ପାଖକୁ ଗଲେ । ଏହି ରାଜପୁତକୁ ଦେଖି ସଜ୍ଜନ ତା’ର ଗଳା ଚିପି ହତ୍ୟା କରିବା ଇଚ୍ଛାକୁ ଅତି କଷ୍ଟରେ ଦମନ କରିନେଲେ । ପ୍ରଭୁ ଶଙ୍କରଙ୍କ ଆଦେଶ ପୂରଣ କରିବା ନିମନ୍ତେ ଯଦି କୌଣସି ସରଳ ଉପାୟ ଥାନ୍ତା, ତା’ ହେଲେ ସେ ନିଜର ଜୀବନ ବିନିମୟରେ ଏହି ଦେଶ ତଥା ଧର୍ମଦ୍ରୋହୀକୁ ହତ୍ୟା କରିଥାନ୍ତେ ।

 

ଏହି ରାଜପୁତର ନାମ ସମ୍ବେଦ ରାୟ ବୋଲି ସଜ୍ଜନ ଶୁଣିଲେ । ରାଜପୁତଟି ସଜ୍ଜନଙ୍କ ନିକଟକୁ ଆସିଲା । ପଛରେ ଆଲ୍‌ତାବି କଲମ ଧରି ଆସୁଥାଏ ।

 

ସମ୍ବେଦ ରାୟ ସଜ୍ଜନଙ୍କୁ ପଚାରିଲା-‘‘ତୁମ ଘର ?’’

 

ସଜ୍ଜନ-‘‘ଭାମୋରିଆ ।’’

 

ସମ୍ବେଦ ରାୟ-‘‘କୁଆଡ଼େ ଆସିଥିଲ ?’’

 

ସଜ୍ଜନ-‘‘ସଫାଳଦକ୍ଷ ଓ ଘୋଘାଗଡ଼ ମଝିକି ।’’

 

ସମ୍ବେଦ ରାୟ ଓ ଆଲ୍‍ତାବି ନିଜ ନିଜ ମଧ୍ୟରେ ଏଭଳି ଗୋଟିଏ ଭାଷାରେ କଥାବାର୍ତ୍ତା ହେଲେ, ଯାହାକି ସଜ୍ଜନ ବୁଝିପାରିଲେ ନାହିଁ । ଏ ସମୟରେ ସୁଲତାନର କିଛି ପ୍ରଶ୍ନର ଉତ୍ତର ମଧ୍ୟ ଆଲ୍‍ତାବି ଦେଲା ।

ସମ୍ବେଦ ରାୟ-‘‘କେଉଁଠୁ ଆସିଲ ?’’

ସଜ୍ଜନ-‘‘ଅନ୍‌ହିଲୱାଡ଼୍‍ରୁ ।’’

ସମ୍ବେଦ ରାୟ-‘‘କେବେ ବାହାରିଲ ?’’

ସଜ୍ଜନ-‘‘ପନ୍ଦରଦିନ ଆଗରୁ ।’’

ସମ୍ବେଦ ରାୟ ବିସ୍ମିତ ହୋଇ ପଚାରିଲେ-‘‘କେମିତି ଆସିଲ ?’’

ସଜ୍ଜନ-‘‘ମୁଁ ଏହି ମରୁଭୂମିର ସମସ୍ତ ରାସ୍ତା ଜାଣେ ।’’

ସମ୍ବେଦ ରାୟ-‘‘କେଉଁଗଡ଼ ଦେଇ ଆସିଲ ?’’

ସଜ୍ଜନ-‘‘ମୁଁ ଯଦି ଦୁର୍ଗମାନଙ୍କ ରାସ୍ତା ଦେଇ ଆସିଥାଆନ୍ତି, ମୋତେ ଦୁଇମାସ ଲାଗିଥାନ୍ତା । ମୁଁ ଅନ୍‌ହିଲୱାଡ଼୍‍ରୁ ସିଧାସଳଖ ଆସିଛି ।’’

ସମ୍ବେଦ ରାୟ-‘‘ବାଟରେ ବିଶ୍ରାମ ନେବାପାଇଁ ସ୍ଥାନ ଅଛି ?’’

ସଜ୍ଜନ-‘‘ସେ ଭଳି ସ୍ଥାନ ନ ଥିଲେ ମୁଁ ଏକା କିପରି ବଞ୍ଚିକରି ଆସିଥାନ୍ତି ?’’

ସମ୍ବେଦ-‘‘ଆମେ ବର୍ତ୍ତମାନ କେଉଁଠି ?’’

ସଜ୍ଜନ-‘‘ଆପଣମାନେ ପ୍ରଧାନ ରାସ୍ତାଠାରୁ ବହୁ ଦୂରରେ । ଆପଣମାନେ ଏ ବାଟେ କାହିଁକି ଆସିଲେ ମୁଁ ବୁଝିପାରୁନାହିଁ ।’’

 

ସମ୍ବେଦ-‘‘ପ୍ରଧାନ ରାସ୍ତା ଆଉ କେତେଦୂର ଅଛି ?’’

 

ସଜ୍ଜନ-‘‘ପ୍ରଧାନ ରାସ୍ତାରେ ପହଞ୍ଚିବାକୁ ଏହି ସୈନ୍ୟବାହିନୀକୁ ଆଠ ଦଶ ଦିନ ଲାଗିବ ଏବଂ ବାଟରେ ମେୱାଡ଼, ଝାଲୋର, ଗୁଜୁରାଟ ଓ ମାଳବ ଶାସକମାନଙ୍କର ସମ୍ମୁଖୀନ ହେବାକୁ ପଡ଼ିବ ।’’

 

ସମ୍ବେଦ-‘‘କେମିତି ଜାଣିଲ ?’’

 

ସଜ୍ଜନ-‘‘ମୁଁ ସବୁ ଜାଣେ । ବାଟରେ ଏକ ଲକ୍ଷରୁ ଅଧିକ ସୈନ୍ୟ ଏମାନଙ୍କୁ ପ୍ରତିରୋଧ କରିବାପାଇଁ ରହିଛନ୍ତି ।’’

 

ସମ୍ବେଦ-‘‘ତମେ ଆମକୁ ରାସ୍ତା ବତାଇ ଦେବ ?’’

 

ସଜ୍ଜନ-‘‘ମୋତେ ଯେବେ ମୋ ଓଟଟି ଫେରାଇ ଦେବ ତା’ ହେଲେ ମୁଁ ବାଟ ଦେଖାଇଦେବି ।’’

 

ସମ୍ବେଦ-‘‘ତମ ଓଟ କାହିଁ ?’’

 

ସଜ୍ଜନ ମାସୁଦକୁ ଦେଖାଇ କହିଲେ “ସେ ନେଇଛି” । ସମ୍ବେଦ ରାୟ ଓ ଆଲ୍‍ତାବି ସୁଲତାନ ନିକଟକୁ ଯାଇ ତିନିହେଁ ଏକତ୍ର ଗୋପନରେ କଥାବାର୍ତ୍ତା ହେଲେ ।

 

ଦ୍ଵିତୀୟ ଦିନ ସାଲାର ମାସୁଦ୍ ସଜ୍ଜନଙ୍କୁ ନିଜ ତମ୍ୱୁ ଭିତରେ ରଖିଲା । ପରଦିନ ପ୍ରଭାତରୁ ସୁଲତାନ ମହମ୍ମଦ ଛାଉଣୀ ଉଠାଇବାକୁ ଲାଗିଲା । ପ୍ରଧାନ ରାସ୍ତାରେ ରାଜପୁତ ସୈନ୍ୟମାନେ ଜଗି ରହିଥିବାରୁ ସେ ବାଟେ ନ ଯିବାକୁ ନିଷ୍ପତ୍ତି ହେଲା । ପ୍ରଧାନ ରାସ୍ତାରେ ପହଞ୍ଚିବାକୁ ପୂର୍ବଦିଗକୁ ଯିବାପାଇଁ ଯେଉଁ ନିଷ୍ପତ୍ତି ହୋଇଥିଲା ତାହା ବଦଳାଇ ସଜ୍ଜନଙ୍କର ବିଶ୍ୱାସୀ ଓଟ ପଦମଡ଼ୀ ପଛେ ପଛେ ସୈନ୍ୟବାହିନୀ ପଶ୍ଚିମ ଦିଗକୁ ଚାଲିଲେ ।

 

ଘୋଘା ଚୌହାନଙ୍କ ପୁଅ ପ୍ରଭୁ ସୋମନାଥଙ୍କ ନିର୍ଦ୍ଦେଶ ପାଳନ କରିଥିବାରୁ ନିଜକୁ ଭାଗ୍ୟବାନ ମଣିଲେ । ସେ ଶୀଘ୍ର ଶୀଘ୍ର ଆସିବାକୁ ସମସ୍ତଙ୍କୁ କହିଲେ । ମନେ ମନେ ଗୀତ ବୋଲି ବୋଲି ସଜ୍ଜନ ବାଟ କଢ଼ାଇ ଚାଲିଥାନ୍ତି ।

 

ସେ ଏପରି ଗୋଟିଏ ସିଧା ରାସ୍ତାରେ ଆକ୍ରମଣକାରୀର ସୈନ୍ୟବାହିନୀକୁ ନେବାକୁ ମନେ ମନେ ଠିକ୍ କଲେ, ଯେଉଁବାଟେ ଗଲେ ବାଲିଝଡ଼ରେ ପଡ଼ି ସେମାନଙ୍କର ମୃତ୍ୟୁ ହେବ ।

Image

 

ସାମନ୍ତଙ୍କ ବନ୍ଧୁମିଳନ

 

ଚୌଲାର ସ୍ମୃତିର ପ୍ରେରଣାରେ ପ୍ରମୋଦିତ ହୋଇ ସାମନ୍ତ ନିଜ ବାପାଙ୍କୁ ଟପିଯିବେ ବୋଲି ପ୍ରଥମରୁ ସ୍ଥିର କରିଥିଲେ । ସେଥିରେ ତାଙ୍କର ଟିକିଏ ହେଲେ ଅସୁବିଧା ହେବ ନାହିଁ ବୋଲି ତାଙ୍କ ମନରେ ଥିଲା ଦୃଢ଼ ବିଶ୍ୱାସ ।

 

ସେ ଦ୍ରୁତଗତିରେ ଯାଇ ଆବୁ ଓ ଇନ୍ଦ୍ରାବତୀ ଅତିକ୍ରମ କରି ଶ୍ରୀମାଲରେ କିଛି ସମୟ ବିଶ୍ରାମ କଲେ ଏବଂ ଘୋଘାବାପାଙ୍କ ସମ୍ପର୍କୀୟ ପାରମାର ଶାସକ ବାକ୍‌ପତି ରାଜାଙ୍କର ରାଜଧାନୀ ଝାଲୋର ଯିବାକୁ ପୁଣି ଯାତ୍ରା କଲେ । ଝାଲୋରର ପ୍ରବେଶଦ୍ୱାରରେ ପହଞ୍ଚି ସାମନ୍ତ ଦେଖିଲେ ଯେ ଦୁର୍ଗଦ୍ୱାରରେ ଥିବା ପ୍ରାନ୍ତରରେ ଗୋଟିଏ ଛାଉଣୀ ପଡ଼ିଛି । ସେ ଓଟରୁ ଓହ୍ଲାଇବା ସଙ୍ଗେ ସଙ୍ଗେ ଅସ୍ତ୍ରଶସ୍ତ୍ରସଜ୍ଜିତ ଜଣେ ସୁନ୍ଦର ଯୁବକ ତାଙ୍କୁ ସ୍ୱାଗତ କଲେ । ଯୁବକର ମୁହଁ ପରିଚିତ ପରି ତାଙ୍କର ମନେହେଉଥିଲା; କିନ୍ତୁ କେଉଁଠାରେ ଓ କେବେ ତାଙ୍କ ସହ ଦେଖାହୋଇଥିଲା ତାହା ମନେପଡ଼ୁ ନ ଥାଏ ।

 

ଯୁବକ ପଚାରିଲେ, “ଆପଣ କେଉଁଠାରୁ ଆସିଲେ ?” ସାମନ୍ତ ଉତ୍ତର ଦେଲେ, “ଆପଣ ଯେଉଁଠାରୁ ଆସିଛନ୍ତି ମୁଁ ସେହିଠାରୁ ଆସିଛି ।”

 

ଯୁବକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ପାଟଣରୁ ଆସିଲେ ?”

 

ସାମନ୍ତ–‘‘ନା, ପ୍ରଭାସରୁ । ଆପଣ ଗଙ୍ଗସର୍ବଜ୍ଞ ଏବଂ ପାଟଣର ରାଜା ଭୀମଦେବଙ୍କ ନିକଟରେ ବସି ନ ଥିଲେକି ?’’

 

ଯୁବକ-‘‘ଆଉ ତୁମେ ?’’

 

ଏତିକିରୁ ପ୍ରଖରବୁଦ୍ଧିସମ୍ପନ୍ନ ସାମନ୍ତ କାହିଁକି ଉକ୍ତ ଯୁବକ ଏଠାକୁ ଆସିଛନ୍ତି ତାହା ବୁଝିପାରି କହିଲେ, “ହଁ, ମୁଁ ଯେପରି ପ୍ରଭୁ ସୋମନାଥଙ୍କ ଆଦେଶରେ ଏଠାକୁ ଆସିଛି, ଆପଣ ବୋଧହୁଏ ସେହିପରି ଆସିଛନ୍ତି । ଆପଣଙ୍କ ନାମ କ’ଣ ?”

 

“ମୁଁ ରାଜା ଭୀମଦେବଙ୍କ ମନ୍ତ୍ରୀ ବିମଳ”-ଏହା କହି ସେ ସାମନ୍ତଙ୍କୁ ଅନ୍ୟ ସୈନ୍ୟମାନଙ୍କଠାରୁ ଦୂରକୁ ନେଇଗଲେ । ବିମଳ ପଚାରିଲେ, “ତୁମର ପରିଚୟ ?”

 

ସାମନ୍ତ–“ମୁଁ ଘୋଘାଗଡ଼ ରାଣାଙ୍କର ନାତି ସାମନ୍ତ । ମ୍ଳେଚ୍ଛ ଯୋଗୁଁ ଆପଣ ବୋଧହୁଏ ଏଠାକୁ ଆସିଛନ୍ତି ?” ବିମଳ ନିଜର ଆସିବା ଉଦ୍ଦେଶ୍ୟ ହଠାତ୍‍ ନ ଜଣାଇ କହିଲେ, “ଆଉ ତୁମେ-?”

 

ସାମନ୍ତ କହିଲେ, “ଆକ୍ରମଣକାରୀ ସମ୍ପର୍କରେ ଘୋଘାବାପାଙ୍କୁ ଜଣାଇବା ନିମନ୍ତେ ଗୁରୁଦେବଙ୍କ ଆଦେଶ ଅନୁଯାୟୀ ମୁଁ ଯାଉଛି । ଆପଣ କୁଆଡ଼େ ଯାଉଛନ୍ତି?”

 

ବିମଳ ଉତ୍ତର ଦେଲେ, “ତମ ସହିତ ଦେଖା ହୋଇ ଭଲ ହେଲା । ଝାଲୋରର ରାଜା ତୁମର ସମ୍ପର୍କୀୟ । ତୁମେ ଯେବେ ଆମକୁ ସାହାଯ୍ୟ କରିବ ତା’ହେଲେ ସେ ଆମ କଥା ଶୁଣିବେ-।”

 

ସାମନ୍ତ–‘‘ମୁଁ ତାଙ୍କୁ କ’ଣ କହିବାକୁ ଆପଣ ଚାହାନ୍ତି ?’’

 

ବିମଳ–‘‘ଝାଲୋରର ସୈନ୍ୟବାହିନୀ ଯେବେ ଆମକୁ ସାହାଯ୍ୟ କରନ୍ତି, ତା’ହେଲେ ପାଟଣର ସୈନ୍ୟବାହିନୀ ଏଠାକୁ ଆସିବେ ଓ ଉଭୟ ସୈନ୍ୟବାହିନୀ ମିଶି ଏହି ମରୁଭୂମିରେ ଗଜନୀର ନବାବକୁ ଶେଷ କରିଦେବା ସମ୍ଭବ ହେବ ।

 

ସାମନ୍ତ ହସିକରି କହିଲେ, “ବୁଝିଲ, ତାକୁ କେହି ନ ଅଟକାଇ ସେ ମରୁଭୂମିରେ ପହଞ୍ଚିଲେ ତ ! ମରୁଭୂମିର ଶାସକ ଘୋଘାବାପା ତାଙ୍କର ହଜାର ହଜାର ଦୁର୍ଗ ସହ, ସଫାଳଦକ୍ଷର ରାଜା, ନାଦୁଲ, କନୌଜ ଏବଂ ସୁରସାଗରର ଶାସକମାନେ ସମସ୍ତେ ହମୀର୍‍ ଯେଉଁଠାରୁ ଆସିଛି ତାକୁ ସେଠାକୁ ଫେରାଇ ଦେବାପାଇଁ ପ୍ରସ୍ତୁତ ହୋଇଅଛନ୍ତି ।”

 

ବିମଳ–‘‘ଏ ସବୁ ଅବଶ୍ୟ ସତ୍ୟ । କିନ୍ତୁ ଆମେ ଅଧିକ ମାତ୍ରାରେ ପ୍ରସ୍ତୁତ ହେବା ଭଲ । ଆମକୁ ଏହି ଦାୟିତ୍ୱ ପ୍ରଭୁ ସୋମନାଥ ଦେଇଛନ୍ତି ।’’

 

ସାମନ୍ତ–‘‘ଆପଣ କିଛି ବ୍ୟସ୍ତ ହୁଅନ୍ତୁ ନାହିଁ । ଘୋଘାବାପା ପ୍ରଭୁ ସୋମନାଥଙ୍କ ମାନସମ୍ମାନରେ କୌଣସି ଆଞ୍ଚ ଆଣିବେ ନାହିଁ ।’’

 

ବିମଳ ଉତ୍ସାହୀ ସାମନ୍ତଙ୍କୁ ନିରୁତ୍ସାହିତ କଲାଭଳି କିଛି ନ କହି କେବଳ କୂଟନୈତିକଭାବେ କହିଲେ, “ମୁଁ କ’ଣ ଜାଣିନାହିଁ ?”

 

ଉଭୟଙ୍କ ମଧ୍ୟରେ ଏହି ସବୁ କଥାବାର୍ତ୍ତା ହେଉଥିବା ସମୟରେ ଦୁର୍ଗର ଦ୍ୱାରଦେଶରେ କେତେକ ଲୋକ ଓଟ ଉପରେ ଦେଖାଦେଲେ । ସେମାନେ ଖୁବ୍‍ ଚଞ୍ଚଳ ଗତିରେ ଉତ୍ତର ଦିଗକୁ ଯାଉଥାନ୍ତି ।

ଦୃଷ୍ଟିରୁ ଅନ୍ତର ହେବା ପର୍ଯ୍ୟନ୍ତ ବିମଳ ସେମାନଙ୍କ ଉପରେ ଦୃଷ୍ଟି ନିବଦ୍ଧ କରି ରହିଲେ ।

ପରେ ସେଦିନ ସଂଧ୍ୟାବେଳେ ସାମନ୍ତ ଓ ବିମଳ ବାକ୍‌ପତି ରାଜଙ୍କ ସହିତ ଦେଖାକଲେ-। ସେ ଗୋଟିଏ ତକ୍ତପୋଷ ଉପରେ ଶୋଇଥାନ୍ତି ଓ ଜଣେ ଭୃତ୍ୟ ତାଙ୍କ ଗୋଡ଼ ଚିପିଦେଉଥାଏ । ଏହି ସତୁରିବର୍ଷ ବୟସ୍କ ଯୋଦ୍ଧା ଯେ ଅତି ଶକ୍ତିଶାଳୀ ଦେଖାଯାଉଥାନ୍ତି ସେତିକି ନୁହେଁ, ତାଙ୍କ ଆଖିରୁ ଯୁଦ୍ଧରେ ସଫଳ ବିଜୟର ଲକ୍ଷଣ ଦେଖିବାକୁ ମିଳୁଥାଏ ।

ବାକ୍‌ପତିରାଜ ସାମନ୍ତଙ୍କୁ ସ୍ନେହରେ ତାଙ୍କ ପାଖରେ ବସାଇ ତା’ ପିଠିରେ ହାତ ମାରୁଥାନ୍ତି । ମନ୍ତ୍ରୀ ଯେପରି ତଳେ ବସିବାର କଥା, ବିମଳକୁ ସେହିପରି ଟିକିଏ ତଳକୁ ବସାଇଥାନ୍ତି-। କେତେକ ସଭାସଦ୍‍ ମଧ୍ୟ ବସିଥାନ୍ତି ।

ବିମଳ କହିଲେ, “ଗଙ୍ଗସର୍ବଜ୍ଞ ଏବଂ ମୋର ମୁନିବ ପାଟଣର ରାଜାଙ୍କ ଆଦେଶରେ ମୁଁ ଆସିଛି । ସାମନ୍ତ ସିଂହ ମଧ୍ୟ ସେହି ଉଦ୍ଦେଶ୍ୟରେ ଆସିଛନ୍ତି । ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆମେ ଆପଣଙ୍କ ସହ କଥାବାର୍ତ୍ତା କରିବାକୁ ଚାହୁଁ ।”

ଉପସ୍ଥିତ ସଭାସଦ୍‌ମାନେ ସଂକେତ ବୁଝିପାରି ତତ୍‌କ୍ଷଣାତ୍ ବିଦାୟ ନେଲେ ।

ବାକ୍‌ପତିରାଜ–କେଉଁ ବିଷୟ କହିବାକୁ ଚାହୁଁଛ, କୁହ ?

ସାମନ୍ତ–‘‘ଗଜନୀର ହମୀର୍‍ ପ୍ରଭାସର ପ୍ରଭୁ ସୋମନାଥଙ୍କ ମନ୍ଦିର ଧ୍ୱଂସ କରିବାପାଇଁ ଆସୁଥିବା ଆପଣ ଜାଣିଥିବେ ।’’

 

ବୟସ୍କ ଶାସକ ବାକ୍‌ପତିରାଜ ଉଚ୍ଚସ୍ୱରରେ ହସି କହିଲେ, “ହଁ, ଜାଣେ ଏବଂ ଏହି ଦୁର୍ଗର ଅନ୍ୟ ସମସ୍ତେ ମଧ୍ୟ ଜାଣନ୍ତି ।”

 

ସାମନ୍ତ ତାଙ୍କ ହସ ଦେଖି ପଚାରିଲେ, “କିପରି ଜାଣିଲେ ?”

 

ବାକ୍‌ପତିରାଜ-‘‘ମୁଲତାନର ମୁଖୀ ଅଜୟପାଳ ମୁସଲମାନ ଶାସକଙ୍କଠାରୁ ବାର୍ତ୍ତା ଆଣି ଆସିଥିଲା ଏବଂ ଅଳ୍ପ ସମୟ ହେଲା ଏଠାରୁ ଫେରିଯାଇଛି ।’’

 

ସାମନ୍ତ ଏବଂ ବିମଳ ଉଭୟେ “କ’ଣ ବାର୍ତ୍ତା ଆଣିଥିଲେ” ବୋଲି ପଚାରିଲେ ।

 

ବାକ୍‌ପତିରାଜ-ତା’ ହେଲେ ମୁଁ କ’ଣ ଏ ଖବର ତୁମମାନଙ୍କୁ ଦେବି ? ଗଜନୀର ମ୍ଳେଚ୍ଛ ମୁଲତାନରୁ ମୋ’ ପ୍ରତି ତା’ର ଶ୍ରଦ୍ଧା ଜଣାଇଥିଲା ।

 

ଉଭୟେ ବିସ୍ମୟରେ କହିଉଠିଲେ-‘‘ଶ୍ରଦ୍ଧା !’’

 

ବାକ୍‌ପତିରାଜ ତାଙ୍କର ନିଶ ମୋଡ଼ି କହିଲେ, “ହଁ, ଝାଲୋରରେ କୌଣସି ବାଧା ନ ପାଇ ଯେପରି ଆଗକୁ ଯାଇପାରେ ସେଥିପାଇଁ ସେ ମୋ ସାହାଯ୍ୟ ଚାହିଁଛି । ସେ ସୋନଗିରିର ଚୌହାନମାନଙ୍କୁ ଭୟ କରୁଛି ।”

 

ବିମଳ ତଟସ୍ଥ ହୋଇ ପଚାରିଲେ, “ଆପଣ କ’ଣ ରାଜି ହେଲେ ?”

 

ବାକ୍‌ପତିରାଜ-‘‘ମୁଁ ତା’ର ଉପହାର ନେଇ ଭଣ୍ତାରରେ ରଖି ଦେଇଛି ।’’

 

ସାମନ୍ତ ନିଜର କ୍ରୋଧ ଅତି କଷ୍ଟର ସହିତ ସମ୍ଭାଳି ପଚାରିଲେ, “ଆପଣ ତାକୁ ସାହାଯ୍ୟ କରିବାପାଇଁ କ’ଣ ପ୍ରତିଶ୍ରୁତି ଦେଇଛନ୍ତି ?”

 

ବାକ୍‌ପତିରାଜ-‘‘ମୁଁ ତାକୁ ଜବାବ ଦେଇଛି, ଯଦି ଗୁଜୁରାତକୁ ଯିବାକୁ ଚାହଁ, ତା’ହେଲେ ଅବାଧରେ ଯାଅ; କିନ୍ତୁ ପାରମାର ରାଜ୍ୟରେ ପାଦ ଦିଅ ନାହିଁ । ପାଦ ଦେଲେ ଏଠୁ ଫେରିଯିବା ସନ୍ଦେହ ।’’

 

ସାମନ୍ତ କହିଲେ, “ମାମୁ, ମନ୍ତ୍ରୀ ବିମଳ ମଧ୍ୟ ସାହାଯ୍ୟ ଭିକ୍ଷା କରିବା ନିମନ୍ତେ ଆପଣଙ୍କର ନିକଟକୁ ଆସିଛନ୍ତି । ଆପଣ ଓ ଭୀମଦେବ ଏକାଠି ହେଲେ ମୁସଲମାନ ସୈନ୍ୟବାହିନୀର ଆଗକୁ ଯିବା କେବଳ ବନ୍ଦ ନ କରି ସେମାନଙ୍କୁ ଧ୍ୱଂସ ମଧ୍ୟ କରିପାରିବେ ।”

 

ବାକ୍‌ପତିରାଜ ମୁରୁକିହସା ଦେଇ କହିଲେ, “ଓଃ, ସେଥିପାଇଁ ଭୀମଦେବ ମୋ ସାହାଯ୍ୟ ଚାହେଁ ! ମାରୱାଡ଼ ଆକ୍ରମଣ କରିବା ନିମନ୍ତେ ଗତବର୍ଷ ମୁଁ ତାକୁ ହଜାରେ ଅଶ୍ୱାରୋହୀ ଏବଂ ଦୁଇଶହ ଉଷ୍ଟ୍ରାରୋହୀ ସୈନ୍ୟ ମାଗିଥିଲି । ସେ ଦେଲା ନାହିଁ । ମାରୱାଡ଼ର ଶାସକ ତା’ର ସମ୍ପର୍କୀୟବୋଲି ସେ ନିଜ ଇଚ୍ଛାନୁସାରେ ଯାହା କିଛି କରିପାରେ । ମୁଁ କାହିଁକି ତାକୁ ସାହାଯ୍ୟ ଦେବି-?”

 

ବିମଳ ନରମି ଯାଇ କହିଲେ, ”ମହାରାଜ, ପ୍ରଭୁ ସୋମନାଥଙ୍କ ମନ୍ଦିର ଧ୍ୱଂସ କରିବା ନିମନ୍ତେ ହମୀର୍‍ ଆସୁଛି । କେବଳ ପ୍ରଭୁଙ୍କ ମନ୍ଦିରର ସୁରକ୍ଷା ନିମନ୍ତେ ଆମେ ଆପଣଙ୍କ ସାହାଯ୍ୟ ଚାହୁଁ ।”

 

ବାକ୍‌ପତିରାଜ-‘‘ମଥୁରା ଧ୍ୱଂସ ହେବା ସମୟରେ ଭୀମଦେବ ତ କାହିଁ କିଛି ସାହାଯ୍ୟ କଲା ନାହିଁ ?’’

 

ବିମଳ–‘‘ମ୍ଳେଚ୍ଛ ଆକ୍ରମଣକାରୀ ସଫଳାଦକ୍ଷ, ନାଦୁଲ, ଝାଲୋର, ଆବୁ ଏବଂ ପାଟଣ ଭଳି ରାଜ୍ୟ ଭିତର ଦେଇ ବିନା ବାଧାରେ ପ୍ରଭାସ ଯିବା ଆପଣ କିପରି ସହ୍ୟ କରିବେ ?’’

 

ବାକ୍‌ପତିରାଜ-‘‘ଯେପର୍ଯ୍ୟନ୍ତ ପାରମାର ଅଛି, ସେପର୍ଯ୍ୟନ୍ତ କୌଣସି ମୁସଲମାନ ଝାଲୋରରେ ପାଦ ଦେଇପାରିବେ ନାହିଁ ।’’

 

ବିମଳ–‘‘ମହାରାଜ, ଆପଣ ଆମ ରାଜାଙ୍କୁ ସାହାଯ୍ୟ ନ କରିବା ଫଳରେ ସେ ଯଦି ପରାଜିତ ହୁଅନ୍ତି, ତାହାଲେ ଶେଷକୁ ହମୀର୍‍ ଆପଣଙ୍କୁ ମଧ୍ୟ ଧ୍ୱଂସ କରିବ ।’’

 

ବାକ୍‌ପତିରାଜ-‘‘ବାଜେ କଥା ! ଝାଲୋରର ସୈନ୍ୟବାହିନୀକୁ ପରାସ୍ତ କରିବା ଭଳି ଶତ୍ରୁ ଏପର୍ଯ୍ୟନ୍ତ ଜନ୍ମ ହୋଇନାହିଁ ।’’

 

ସାମନ୍ତ–‘‘ସେ ଯେବେ ସୋମନାଥ ମନ୍ଦିରକୁ ଧ୍ୱଂସ କରେ, ତାହା ପ୍ରତ୍ୟେକ କ୍ଷତ୍ରୀୟ ପକ୍ଷେ ଅପମାନଜନକ ହେବ ।’’

 

ବାକ୍‌ପତିରାଜ-‘‘ସୋମନାଥଙ୍କର ଭଲ ମନ୍ଦ ଦେଖିବା ଭୀମଦେବର ଦାୟିତ୍ୱ । ସୋମନାଥ ତ ତା’ର ମନ୍ଦିର ? ନିଜ ଇଷ୍ଟଦେବଙ୍କୁ ରକ୍ଷା କରିବାର ଶକ୍ତି କ’ଣ ତା’ର ନାହିଁ ?’’

 

ସାମନ୍ତ–‘‘ମାମୁ ! ବିଦେଶୀ ସୈନ୍ୟବାହିନୀ ଆମ ରାଜ୍ୟମାନଙ୍କ ମଧ୍ୟଦେଇ ଯାଇ ମନ୍ଦିରମାନ ଧ୍ୱଂସ କରିବ, ଆମେ କିପରି ସହ୍ୟ କରିପାରୁ ? ଯେଉଁ ଲୋକ ଗୋ−ବ୍ରାହ୍ମଣଙ୍କ ଶତ୍ରୁ ଏବଂ ଆମ ମନ୍ଦିରମାନ ଧ୍ୱଂସ କରିବା ଯାହାର କାର୍ଯ୍ୟ, ତାକୁ ରାଜ୍ୟ ମଧ୍ୟଦେଇ ଯିବାକୁ ଆମେ କିପରି ଛାଡ଼ିଦେବା ?’’

 

ବାକ୍‌ପତିରାଜ-‘‘ସେଥିପାଇଁ ମୋ ରାଜ୍ୟରେ ପାଦ ନ ଦେବାପାଇଁ ମୁଁ ତାକୁ କହିଛି ।’’

 

ବିମଳ–‘‘ତାହାର ଅର୍ଥ ଅନ୍ୟ ରାଜ୍ୟ ବାଟଦେଇ ଯିବେ ? ଲୋକ ହତ୍ୟା କରିବା ସଙ୍ଗେ ସଙ୍ଗେ ଯେଉଁ ମନ୍ଦିରମାନ ଧ୍ୱଂସ କରିବେ, ସେମାନେ ସବୁ ତ ଆପଣଙ୍କ ଲୋକ ଏବଂ ସେଗୁଡ଼ିକ ତ ଆପଣଙ୍କ ମନ୍ଦିର ?’’

 

ବାକ୍‌ପତିରାଜ-‘‘ବେଶ୍ ମିଠା କଥା କହି ଜାଣ ! କିନ୍ତୁ ମୁଁ ତୁମ କଥାରେ ଭୁଲିବା ଲୋକ ନୁହେଁ ।’’

 

ସାମନ୍ତ ରାଗିକରି କହିଲେ-ତା’ହେଲେ ମୁସଲମାନମାନେ ଆମ ମନ୍ଦିର ଧ୍ୱଂସ କରିବାକୁ ଆସିବାରେ ଆପଣ ବାଧା ଦେବେ ନାହିଁ ? ବାକ୍‌ପତିରାଜଙ୍କୁ ଏହା ବେଶ୍ ସୁନ୍ଦର ଦିଶିବ !

 

ବାକ୍‌ପତିରାଜ ତାତ୍ସଲ୍ୟର ସହିତ ଉତ୍ତର ଦେଲେ, “ତୁମେ ଜଣେ ସାମାନ୍ୟ ପିଲା । ମୁଁ ତୁମ ଘୋଘାବାପାପରି ବୋକା ହୋଇନାହିଁ ଯେ, ଅନ୍ୟମାନଙ୍କପାଇଁ ମୁଁ ଯୁଦ୍ଧ କରିବି ।”

 

ଅସହିଷ୍ଣୁ ହୋଇ ସାମନ୍ତ କହିଲେ, “ମାମୁ ! ଘୋଘାବାପା ଅନ୍ୟମାନଙ୍କୁ ସାହାଯ୍ୟ କରି ତାଙ୍କ ଜୀବନଟା କଟାଇଛନ୍ତି । ଅନ୍ୟମାନଙ୍କ ବିପଦ-ଆପଦ ସେ ନିଜର ବୋଲି ଭାବନ୍ତି ।”

 

ବିମଳ ବୁଢ଼ା ରାଜାଙ୍କୁ ଶାନ୍ତ କରିବା ଉଦ୍ଦେଶ୍ୟରେ କହିଲେ “ମହାରାଜ, ମୋ’ ମୁନିବ ଆପଣ ଚାହୁଁଥିବା ସମସ୍ତ ସାହାଯ୍ୟ ଦେବାକୁ ପ୍ରସ୍ତୁତ ।”

 

ବାକ୍‌ପତିରାଜ-‘‘ଆଉ ଏବେ କାହିଁକି ? ତାର ତ ମାଳବ ଏବଂ ଆବୁ ଦଖଲ କରିବା ଦରକାର !’’

 

ବିମଳ–‘‘ବର୍ତ୍ତମାନ ଅବସ୍ଥାର ପରିବର୍ତ୍ତନ ହୋଇଛି, ମହାରାଜ ! ଆପଣ ଆପଣଙ୍କର ସର୍ତ୍ତ ଦେଇପାରନ୍ତି । ସେ ପ୍ରଭୁ ସୋମନାଥଙ୍କ ମନ୍ଦିର ରକ୍ଷା କରିବାପାଇଁ ବ୍ୟଗ୍ର । ଆପଣ ଚାହୁଁଥିବା ଯେ କୌଣସି ସାହାଯ୍ୟ ଆପଣଙ୍କୁ ଦେବା ଛଡ଼ା ତାଙ୍କର ଅନ୍ୟ ପନ୍ଥା ନାହିଁ ।’’

 

ବାକ୍‌ପତିରାଜ-‘‘ଯେବେ ଆଗରୁ ଆସିଥାନ୍ତ ତା’ ହେଲେ ଭିନ୍ନ ପ୍ରକାର ହୋଇଥାନ୍ତା । ବାକ୍‌ପତିରାଜ ଯେଉଁ କଥା ଦିଏ, ତାହା ବଦଳାଇବା ଲୋକ ସେ ନୁହଁ । କିନ୍ତୁ ବଡ଼ ଡେରିରେ ଆସିଲ । ମୁସଲମାନମାନଙ୍କୁ ମୁଁ ଝାଲୋର ମଧ୍ୟଦେଇ ଯିବାକୁ ଦେବି ନାହିଁ ବା ତୁମ ରାଜାକୁ କୌଣସି ସାହାଯ୍ୟ କରିବି ନାହିଁ ।’’

 

ବିମଳ–‘‘ଆକ୍ରମଣକାରୀ ଯେବେ ପ୍ରଥମେ ଆମକୁ ପରାଜିତ କରି ତା’ପରେ ଆପଣଙ୍କ ରାଜ୍ୟକୁ ଆସେ, ଆପଣ କ’ଣ କରିବେ ?’’

 

ବାକ୍‍ପତିରାଜ-‘‘ମୁଁ ଖୁବ୍ ଜାଣେ । ଦେଖାଯାଉ ।’’

 

ବିମଳ ପଚାରିଲେ, “ଯେଉଁ ଲୋକ ପ୍ରଭାସ ପର୍ଯ୍ୟନ୍ତ ଲୋକଙ୍କୁ ଭୟଭୀତ କରିପାରିବ, ତାକୁ ଅନ୍ୟଶତ୍ରୁ ଅଟକାଇ ପାରିବ ବୋଲି ଆପଣ କ’ଣ ଭାବୁଛନ୍ତି ?”

 

ବାକ୍‍ପତିରାଜ ଉତ୍ତେଜିତ ହୋଇ କହିଲେ, “ଯୁବକ, ସମସ୍ତେ ତୁମ ଭୀମଦେବ ପରି ନୁହଁନ୍ତି । ତମେ ପାରମାରବଂଶର ବୀରତ୍ୱ ଦେଖିନାହଁ । ହମୀର୍‍ ଆଗ ମୋ ରାଜ୍ୟରେ ପଶୁ ।”

 

ସାମନ୍ତ ନିଜର କ୍ରୋଧ ସମ୍ଭାଳି ନ ପାରି କହିଲେ, “ମ୍ଳେଚ୍ଛକୁ ତଡ଼ିଦେବାରେହିଁ ଆମ ବୀରତ୍ୱର ପରିଚୟ !”

 

ବାକ୍‍ପତିରାଜ-‘‘ବେଶ୍‍ ବଢ଼ି ବଢ଼ି କଥା କହୁଛ, ସାମନ୍ତ ! ବାକ୍‍ପତିରାଜର ଧୈର୍ଯ୍ୟ ଓ ସାହସ କେତେ ଯାଇ ନିଜ ଘୋଘାବାପାଙ୍କୁ ପଚାର ।’’

 

ସାମନ୍ତ ସଙ୍ଗେ ସଙ୍ଗେ ଜବାବ ଦେଲେ, ”ଘୋଘାବାପାଙ୍କୁ ଆପଣ ପରାମର୍ଶ ଦେବାର କୌଣସି ଆବଶ୍ୟକତା ନାହିଁ । ସେ ଯେ ପର୍ଯ୍ୟନ୍ତ ବଞ୍ଚିଛନ୍ତି ସେ ପର୍ଯ୍ୟନ୍ତ ହମୀର୍‍ ମରୁଭୂମିରେ ପାଦ ଦେଇପାରିବ ନାହିଁ । ଆପଣ ଆପଣଙ୍କ ନିଜ କଥାରେ ଓ ଅନ୍ଧବିଶ୍ୱାସରେ ସନ୍ତୁଷ୍ଟ ରହି ଆନନ୍ଦ ଅନୁଭବ କରିପାରନ୍ତି । କିନ୍ତୁ ଏହା ଜାଣିରଖିଥାନ୍ତୁ, ଯେବେ ହମୀର୍‍କୁ ବିଦା କରାନଯାଏ ତାହାହେଲେ ସେ ଆପଣଙ୍କୁ ମଧ୍ୟ ଜୀବନରେ ରହିବାକୁ ଦେବେ ନାହିଁ ।”

 

ବାକ୍‍ପତିରାଜ କୌଣସି ଜବାବ ଦେବାପୂର୍ବରୁ ସାମନ୍ତ ସେ ଘରୁ ଚାଲିଗଲେ ।

 

ବାକ୍‍ପତିରାଜ ଗୁଣୁଗୁଣୁ କରି କହିଲେ, “ଘୋଘାବାପା ପରିବାରର ପ୍ରତ୍ୟେକେ ଉଦ୍ଧତ ଓ ଚିନ୍ତାହୀନ ।” ବିମଳକୁ ଚାହିଁ ସେ କହିଲେ, “ବିମଳ, ତୁମେ ଫେରିଯାଇ ତୁମ ମୁନିବକୁ କହ, ମୁଁ ମୋର ନିଷ୍ପତ୍ତି ବଦଳେଇ ପାରିବି ନାହିଁ ।”

 

ବିମଳ–‘‘କାଲି ସକାଳେ ମୁଁ ଆପଣଙ୍କୁ ପୁଣି ଥରେ ଦେଖାକରିବି ।’’

 

ବାକ୍‍ପତିରାଜ-‘‘କାଲି ତ ମୁଁ ମୋର ନିଷ୍ପତ୍ତି ପରିବର୍ତ୍ତନ କରିପାରିବି ନାହିଁ ।’’

 

ବିମଳ ହାତ ଯୋଡ଼ି ଠିଆହୋଇ, “ଯାହା ଆପଣଙ୍କ ଇଚ୍ଛା” କହି ନମସ୍କାର କରି ଚାଲିଗଲେ । ବାକ୍‍ପତିରାଜ ପୁଣି ତାଙ୍କର ତୈଳମର୍ଦକ ସେବକକୁ ଡକାଇଲେ ।

Image

 

ମୁଲ୍‌ତାନର ମୁଖୀ

 

ଝାଲୋର ଶାସକଙ୍କର ସ୍ୱାର୍ଥପରତା ଓ ନିଷ୍କ୍ରିୟତାରେ ସାମନ୍ତ ଅତିଶୟ କ୍ରୋଧାନ୍ୱିତ ହୋଇଥିଲେ । ସେ ତାଙ୍କ ବସାଘରକୁ ଯାଇ ସାଙ୍ଗେ ସାଙ୍ଗେ ଯାତ୍ରାପାଇଁ ପ୍ରସ୍ତୁତ ହେବାକୁ ବିରକ୍ତ ସ୍ୱରରେ ଲୋକମାନଙ୍କୁ ହୁକୁମ୍ ଦେଲେ ।

 

ଏହାର କିଛିକ୍ଷଣ ପରେ ବିମଳ ଆସି ପହଞ୍ଚିଲେ । ସେ ମଧ୍ୟ ଅତି ବିବ୍ରତ ଅବସ୍ଥାରେ ଥିଲେ । ତାହାଛଡ଼ା ସାମନ୍ତଙ୍କୁ ମନଦୁଃଖରେ ତଳେ ବସିଥିବା ଦେଖି ତାଙ୍କର ଦୁଃଖ ବୃଦ୍ଧି ପାଇଲା । ସସ୍ନେହରେ ସେ କହିଲେ, “ଚୌହାନ, ବିବ୍ରତ ହୁଅନା ।”

 

ସାମନ୍ତ ରାଗିଯାଇ କହିଲେ, “ବାକ୍‌ପତିରାଜ କେତେ ନୀଚ ହେଲାଣି ! ସାମାନ୍ୟ ଟଙ୍କା କେତେଟାପାଇଁ ଝାଲୋରର ଶାସକ ଯେ ଶତ୍ରୁକୁ ରାଜ୍ୟ ଭିତର ଦେଇ ଛାଡ଼ିଦେବ, ଏହା କିଏ ବା ବିଶ୍ୱାସ କରିବ ? ଲଜ୍ଜାରେ ଆମ ମୁଣ୍ତ ନୁଆଁଇବା ପାଇଁ ଏହାହିଁ ଯଥେଷ୍ଟ । ଯେବେ ଘୋଘାବାପା ଏଠି ଥାଆନ୍ତେ, ତା’ହେଲେ ସେ ତା’ର ମୁଣ୍ତ କାଟିଦେଇଥାନ୍ତେ ।”

 

ମନ୍ତ୍ରୀ ବିମଳ–‘‘ଭାଇ ! ଆମେ ଯେତେବେଳେ ତାଙ୍କ ଅତିଥି, ଏଭଳି କହିବା ଆମ ପକ୍ଷରେ ସୁନ୍ଦର ନୁହେଁ ।’’

 

ସାମନ୍ତ–‘‘ମୁଁ ଯାହା କହିଛି, ତାହା ତାଙ୍କ ମୁହଁରେ କହିବାକୁ ପ୍ରସ୍ତୁତ । ବାକ୍‌ପତିରାଜ ଆଉ କ’ଣ କହିଥାନ୍ତେ ? ଏହାପରେ ଯେବେ କେହି କୁହେ ଯେ, ସୂର୍ଯ୍ୟ ପଶ୍ଚିମରେ ଉଦୟ ହୁଅନ୍ତି, ତା’ ମୁଁ ବିଶ୍ୱାସ କରିବି ।’’

 

ବିମଳ–‘‘ଏଭଳି ଅଧୈର୍ଯ୍ୟ ହୁଅ ନାହିଁ । କାଲି ପୁଣି ତାଙ୍କୁ ରାଜି କରାଇବାକୁ ଚେଷ୍ଟା କରିବା ।’’

 

ସାମନ୍ତ–‘‘ତାଙ୍କୁ ପ୍ରବର୍ତ୍ତାଇବା ଅସମ୍ଭବ । ସେ ଆମ କଥା ଶୁଣିବେ ନାହିଁ । ସେ କେବଳ ଝାଲୋରର କଥା ଭାବୁଛନ୍ତି । ଧର୍ମ ନଷ୍ଟ ହେଲେ ବା ସୋମନାଥ ମନ୍ଦିର ଉପରେ ଉଡ଼ୁଥିବା ପତାକା ତଳକୁ ପଡ଼ିଲେ ତାଙ୍କର ଯାଏଆସେ କ’ଣ ? ହମୀର୍‍ର ଟଙ୍କା ଲୋଭରେ ସେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାରେ ବ୍ୟସ୍ତ । ନିଜ ପରିବାର ବା ଧର୍ମର ସମ୍ମାନ ପାଇଁ ସେ ଭ୍ରୂକ୍ଷେପ କରନ୍ତି ନାହିଁ ।’’

 

ବିମଳ–‘‘ଭାଇ ଚୌହାନ ! ଆମେ ଏଭଳି ବ୍ୟସ୍ତ ହେଲେ ଲାଭ କ’ଣ ?’’

 

ସାମନ୍ତ ଜୋର୍ ଦେଇ କହିଲେ, “ଘୋଘାବାପା କେବେହେଲେ ଶତ୍ରୁକୁ ମରୂଭୂମିରେ ପ୍ରବେଶ କରିବାକୁ ଦେବେ ନାହିଁ ।”

 

ବିମଳ ଭାବିଚିନ୍ତି ଜୋର୍‍ ଦେଇ କହିଲେ, “ଧରାଯାଉ ଶତ୍ରୁ ଯେବେ ଘୋଘାବାପାଙ୍କୁ ପରହୋଇ ଆସେ, ତା’ହେଲେ ମାରୱାଡ଼ ଦେଇ ଯିବା ଛଡ଼ା ଆଉ କି ବାଟ ଅଛି ?”

 

ସାମନ୍ତ–‘‘ସେ ମଧ୍ୟ କ’ଣ ତାକୁ ବାଟ ଛାଡ଼ିଦେବେ ନାହିଁ ?’’

 

ବିମଳ–‘‘ମୁଁ ଏଠାରୁ ମାରୱାଡ଼ ଯାଉଛି । ତୁମେ ମୋ ସାଙ୍ଗରେ ଯିବ ?’’

 

ସାମନ୍ତ–‘‘ନା, ଘୋଘାବାପାଙ୍କୁ ସାବଧାନ କରିବାପାଇଁ ପ୍ରଭୁ ସୋମନାଥ ଦେଇଥିବା ଆଦେଶ ମୁଁ ପାଳନ କରିବି ।’’

 

ବିମଳ–‘‘ମୁସଲମାନମାନଙ୍କର ଯେବେ ଘୋଘାଗଡ଼ ଯିବାର ଥାଏ ତା’ହେଲେ ସୋମାନେ ବହୁ ସମୟରୁ ପହଞ୍ଚି ସାରିବେଣି ।’’

 

ସାମନ୍ତ–‘‘ନା, ଆଜି ମୋତେ ନିଦ ହେବ ନାହିଁ । ବାକ୍‌ପତିରାଜଙ୍କ ସହିତ ଆମର ହୋଇଥିବା କଥାବାର୍ତ୍ତା ମୁଁ ବାରମ୍ୱାର ଭାବୁଛି ।’’

 

ବିମଳ–‘‘ତମେ କମ୍ ବୟସ୍କ । ବହୁ ସମୟରେ ଏପରି ନିରାଶ ହେବାକୁ ପଡ଼େ । ତହିଁରେ କ’ଣ ଏପରି ବିବ୍ରତ ହେବା ଉଚିତ ? ଆମକୁ ବାଟ ବାହାର କରିବାକୁ ହେବ । ତମେ ଆଜି ରାତିରେ ମୋ ସହିତ ଯିବ ?’’

 

“କେଉଁଠିକି” ବୋଲି ସାମନ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।

 

ବିମଳ ଗମ୍ଭୀର ହୋଇ କହିଲେ, “ମୁଲତାନର ମୁଖୀ ଯେପରି ମାରୱାଡ଼କୁ ନ ଯାଏ ତାହା ରୋକିବାକୁ ହେବ ।”

 

ସାମନ୍ତ–‘‘ବର୍ତ୍ତମାନ ସଙ୍ଗେ ସଙ୍ଗେ ? ତେବେ ଚାଲ । ବିମଳ, ତମେ ପ୍ରସ୍ତୁତ ହୁଅ । ମୋ ଲୋକଙ୍କୁ ଯିବାପାଇଁ ପ୍ରସ୍ତୁତ ହେବାକୁ ମୁଁ କହୁଛି ।”

 

“ମୁଁ ଏହା ଭିତରେ ଯାଇ ବାକ୍‌ପତିରାଜଙ୍କଠାରୁ ବିଦାୟ ନେଇ ଆସେ ।”-ଏହା କହି ବିମଳ ଚାଲିଗଲେ ।

 

ଏହି ଅବାଞ୍ଚ୍ଥିତ ଅତିଥିମାନେ କିପରି ଶୀଘ୍ର ଯିବେ ସେଥିପାଇଁ ବାକ୍‌ପତିରାଜ ବ୍ୟଗ୍ର ଥିଲେ । ଲୋକଦେଖାଣିଆ ଭଦ୍ରତା ଦେଖାଇ ସେମାନଙ୍କୁ ଆନ୍ତରିକତାହୀନ ଭାବରେ ଅଧିକ ସମୟ ରହିବାକୁ କହି ତେଣେ ସେମାନଙ୍କ ଯିବାଲାଗି ଦୁର୍ଗର ଦ୍ୱାର ଖୋଲିବାକୁ ଆଦେଶ ଦେଲେ ।

 

ମୁଲତାନର ମୁଖୀ ଅଜୟପାଳଙ୍କୁ ଯେପରି ସେମାନେ ଭେଟିପାରିବେ ସେଥିପାଇଁ ସାମନ୍ତ ଓ ବିମଳ ଦ୍ରୁତଗତିରେ ଯାତ୍ରାକଲେ । ସେମାନେ ଯେଉଁ ବାଟେ ଯାଉଥିଲେ ତାହା ଏକ ପ୍ରଧାନ ରାସ୍ତା ହୋଇଥିବାରୁ ରାତି-ଅନ୍ଧାରରେ ସୁଦ୍ଧା ବିଶେଷ ଅସୁବିଧା ହୋଇନଥିଲା ।

 

ବିମଳ ବିଷୟ ଉତ୍‌ଥାପନ କରି କହିଲେ, “ଦେଖ, ମୁଖୀ ଜଣେ ଅଭିଜ୍ଞ ଏବଂ କୌଶଳୀ ଲୋକ । ତାଙ୍କୁ ଫେରାଇଦେବା ବା ଆଗକୁ ଯିବାପାଇଁ ନ ଦେବା କଷ୍ଟକର । ତମେ ରାଜପରିବାରର ଲୋକ । ତାଙ୍କ ସାଙ୍ଗେ କଥାବାର୍ତ୍ତା ହେଲେ ସେ ତୁମକୁ ଚିହ୍ନିପାରିବେ ।”

 

ସାମନ୍ତ–‘‘ମୁଁ ପଦେହେଲେ କଥା କହିବି ନାହିଁ । ଆପଣ ଯେଭଳି ଭାବରେ ବାକ୍‌ପତିରାଜଙ୍କ ସହିତ ଚତୁରତା ସହକାରେ କାଥାବାର୍ତ୍ତା ହେଲେ, ତାହା ଦେଖି ମୁଁ ଅବାକ୍ । ଆପଣଙ୍କ ଭଳି ମନ୍ତ୍ରୀ ଯଦି ଘୋଘାବାପାଙ୍କର ଥାଆନ୍ତେ, ତାହାହେଲେ ଅତି ଚତ୍ମକାର ହୋଇଥାନ୍ତା-।’’

 

ବିମଳ–‘‘ଯେଉଁ ଗୁରୁଙ୍କଠାରୁ ମୁଁ ଶିକ୍ଷା ପାଇଛି, ତାଙ୍କୁ ତୁମେ ଏପର୍ଯ୍ୟନ୍ତ ଦେଖିନାହିଁ ।’’

 

ସାମନ୍ତ–‘‘ଆପଣଙ୍କର ଜଣେ ଗୁରୁ ମଧ୍ୟ ଅଛନ୍ତି ?’’

 

ବିମଳ–‘‘ମୋ ଗୁରୁ ଦାମୋଦର ମେହେତାଙ୍କ ସମ୍ମୁଖରେ ମୁଁ ଶିଶୁମାତ୍ର । ସେ କେବଳ ପାଟି ଫିଟାଇଲେ ଯେ କୌଣସି ଲୋକ ସେ ଚାହୁଁଥିବା କାର୍ଯ୍ୟ କରିବାକୁ ବାଧ୍ୟ ହୋଇଯିବ । ତୁମେ ବିଶ୍ୱାସ କରିବ-ଦଶ ବର୍ଷ ମଧ୍ୟରେ ସେ ରାଗିବାର ମୁଁ କେବେ ଦେଖି ନାହିଁ ।’’

 

ସାମନ୍ତ–‘‘ସତେ, ଅସମ୍ଭବ ! ଯେ ରାଗେ ନାହିଁ, ସେ ଜଣେ ଶକ୍ତ ଲୋକ ହୋଇପାରିବା ସମ୍ଭବ କି ?’’

 

ବିମଳ–‘‘ଦାମୋଦର ମେହେତା ଆମ ରାଜାଙ୍କୁ ବରାବର କହନ୍ତି, ‘କିପରି ରାଗିବାକୁ ହୁଏ ତାହା ଜାଣିଥିବା ଲୋକ ସବୁଠାରୁ ଭଲ ଶାସକ । କିନ୍ତୁ କେବେହେଲେ ରାଗୁ ନ ଥିବା ଲୋକ ସବୁଠାରୁ ଭଲ ମନ୍ତ୍ରୀ ।’’

 

ସାମନ୍ତ–‘‘ଆପଣ କେବେ ରାଗନ୍ତି ନାହିଁ ?’’

 

ବିମଳ–‘‘କେବେ କେବେ । ମୁଁ ବେଳେବେଳେ ରାଗୁଥିବାରୁ ମୋର ଗୁରୁଙ୍କ ସମକକ୍ଷ ବୋଲି କହିପାରିବି ନାହିଁ । ମୋ ପ୍ରକୃତି ଯଦି ମୋର ଗୁରୁଙ୍କ ପରି ହେଇଥାଆନ୍ତା, ତା’ ହେଲେ ବାକ୍‌ପତିରାଜ କ’ଣ ମନାକରିଥାନ୍ତେ ?-ଏହା କହି ବିମଳ ହସୁଥାନ୍ତି ଏବଂ ସାମନ୍ତ ନୂତନ ବନ୍ଧୁଙ୍କର କଥା ବିହ୍ୱଳଭାବେ ଠିଆ ହୋଇ ଶୁଣୁଥାନ୍ତି ।’’

 

ବାଟରେ ଗୋଟିଏ ଜାଗାରେ ଅଳ୍ପ କ୍ଷଣପାଇଁ ସେମାନେ ରହିଲେ ଓ ସେଠାରେ ପଚାରି ଜାଣିଲେ ଯେ, ମୁଖୀ ଅନ୍ୟ ଜାଗାରେ ରହିବାକୁ ସ୍ଥିର କରିଛନ୍ତି । ଏଥିରୁ ମୁଖୀ ଝାଲୋରଠାରୁ ଯଥେଷ୍ଟ ଦୂରରେ ନ ଥିବା ଅନୁମିତ ହେବାରୁ ବିମଳ ଖୁସି ହେଲେ ।

 

ସେମାନେ ପରବର୍ତ୍ତୀ ରହିବା ସ୍ଥାନରେ ପହଞ୍ଚିଲାବେଳକୁ ରାତି ଅଧିକ ହୋଇଯାଇଥିଲା-। ଅଳ୍ପ ଫର୍ଚ୍ଚା ଆଲୋକରେ ବିମଳ ଦେଖିଲେ କେତେକ ଓଟ ଖୁଣ୍ଟରେ ବନ୍ଧା ହୋଇଛନ୍ତି । ଏହା ଦେଖି ବିମଳ ଅଧିକ ପ୍ରୀତ ହୋଇଥିଲେ; କାରଣ ମୁଖୀଙ୍କ ବୁଦ୍ଧି ସହ ନିଜ ବୁଦ୍ଧିର ପରୀକ୍ଷା କରିବାକୁ ସେ ଏବେ ସୁଯୋଗ ପାଇଲେ । ବାଜି ଖୁବ୍‍ ବଡ଼ ଧରଣର । ତାଙ୍କ ବିଜୟର ଅର୍ଥ ହେବ ପାଟଣ ତଥା ପ୍ରଭୁ ସୋମନାଥଙ୍କର ବିଜୟ ।

 

କିନ୍ତୁ ଠିକ୍ ବିଶ୍ରାମ ନେବା ସ୍ଥାନରେ ସେ ପହଞ୍ଚିବାବେଳକୁ ମୁଖୀଙ୍କ ସୈନ୍ୟସାମନ୍ତ ସେଠାରୁ ଚାଲିଯିବାକୁ ଯୋଗାଡ଼ କରୁଥାନ୍ତି ।

 

ବିମଳ ଏହି ଦଳର ନେତାଙ୍କୁ କହିଲେ,”ମୁଲ୍‍ତାନର ମୁଖୀଙ୍କ ପାଇଁ ଝାଲୋରର ଶାସକଙ୍କଠାରୁ ମୁଁ ଗୋଟିଏ ବାର୍ତ୍ତା ଆଣିଛି । ଟିକିଏ ଅପେକ୍ଷା କରନ୍ତୁ ।”

 

ଏହି ସମୟରେ ଓଟରେ ଚଢ଼ିବାକୁ ଯାଉଥିବା ଜଣେ ବିଶାଳକାୟ ଯୋଦ୍ଧା ହଠାତ୍ ଆଗକୁ ଆସିଲେ । ତାଙ୍କ ଆଖିରେ ସନ୍ଦେହ । ସେ ଆସି ପଚାରିଲେ,”ତୁମେ କିଏ ? କେଉଁଠୁ ଆସିଛ ?”

 

ବିମଳ କହିଲେ, ‘‘ମୁଁ ବର୍ତ୍ତମାନ ଝାଲୋରରୁ ଆସିଛି । ମୋ ସାଙ୍ଗରେ ଏହି ଯୁବରାଜ ହେଉଛନ୍ତି ସାମନ୍ତ ସିଂହ ଚୌହାନ । ସେ ବାକ୍‌ପତିରାଜଙ୍କ ଭଣଜା । ମୁଁ କେତେକ କଥା ଆପଣଙ୍କୁ ଗୁପ୍ତରେ କହିବାକୁ ଚାହେଁ ।” ବିମଳ ଓଟ ଉପରୁ ଓହ୍ଲାଇଲେ ଓ ହାତଯୋଡ଼ି ସେହି ଯୋଦ୍ଧାଙ୍କୁ ନମସ୍କାର କରି କହିଲେ, ‘‘ମୋତେ ବୋଧହୁଏ ବିଶ୍ୱାସ କରୁନାହାନ୍ତି ।”

 

ମୁଖୀ ଗମ୍ଭୀରଭାବେ ସନ୍ଦିଗ୍ଧ ଆଖିରେ ଏଭଳି ଭଦ୍ରତାପୂର୍ଣ୍ଣ କଥାବାର୍ତ୍ତା କରୁଥିବା ଯୁବକଙ୍କୁ କିଛିକ୍ଷଣ ନିରୀକ୍ଷଣ କଲେ । ବିମଳ ତାଙ୍କୁ ଅନ୍ୟମାନଙ୍କଠାରୁ କିଛି ଦୂରକୁ ଡାକିନେଇ ଧୀର ଓ ମଧୁର ସ୍ୱରରେ କହିଲେ, ‘‘ମୁଁ ବର୍ତ୍ତମାନ ଝାଲୋରର ଶାସକଙ୍କ ପାଖରୁ ଆସିଲି । ଆପଣ ଆଗରୁ ତାଙ୍କୁ ଦେଖାକରି କେତେକ ଉପହାର ଦେଇଥିଲେ । ସେତେବେଳେ ସେ ତାଙ୍କ ରାଜ୍ୟଦେଇ ଯିବାପାଇଁ ଅନିଚ୍ଛା ପ୍ରକାଶ କରିଥିଲେ ସୁଦ୍ଧା ବର୍ତ୍ତମାନ ଯେବେ ଆପଣ ଯାଆନ୍ତି, ତାହେଲେ ସେ ଆପଣଙ୍କୁ କୌଣସି ବାଧା ଦେବେ ନାହିଁ । ଆପଣ ଏଥିରେ ସନ୍ତୁଷ୍ଟ ତ ? ମୁଁ ସତ କହୁନାହିଁ ବୋଲି ଯେବେ ଆପଣ ଭାବୁଥାନ୍ତି ତା’ହେଲେ ମୋ ସଙ୍ଗୀ ଚୌହାନ ଯୁବରାଜଙ୍କୁ ପଚାରିପାରନ୍ତି ।’’‬‬‬‬‬‬‬‬‬

 

ମୁଖୀଙ୍କ ସନ୍ଦେହ କେତେକାଂଶରେ ଦୂର ହୋଇଥିଲେ ସୁଦ୍ଧା, ପୁଣି ତାଙ୍କୁ ପଚାରିଲେ, ‘‘ବାକ୍‌ପତିରାଜ ତୁମକୁ କାହିଁକି ପଠାଇଛନ୍ତି ?”

 

ବିମଳ କହିଲେ, “ଅନ୍ୟ ଜଣଙ୍କଦ୍ୱାରା ତାହା ପ୍ରମାଣିତ ନ ହେଲେ ମାରଓ୍ୱାଡ୍‍ର ଶାସକ ରଣମୟ ରାଠୋର ଆପଣଙ୍କ କଥା ବିଶ୍ୱାସ କରିନପାରନ୍ତି ବୋଲି ବାକ୍‌ପତିରାଜ ଭାବୁଥିବାରୁ ସେ ଆମକୁ ପଠାଇଲେ । ଆମେ ତାଙ୍କୁ ବିଶ୍ୱାସ ଦେବାକୁ ଚାହୁଁ ଯେ, ଯୁଦ୍ଧ କରିବା ବାକ୍‌ପତିରାଜଙ୍କର ଇଚ୍ଛା ନୁହେଁ ।”

 

ମୁଖୀ ପୁଣି ସନ୍ଦେହ ପ୍ରକାଶ କରି ପଚାରିଲେ, “ବିଶ୍ୱାସ ଦେବାର ଆବଶ୍ୟକତା କଅଣ-?’’

 

“ଅନହିଲ୍‍ଓ୍ୱାଡ଼ ପାଟଣର ରାଜା ଭୀମଦେବ ଶତ୍ରୁକୁ ପ୍ରତିରୋଧ କରିବା ନିମିତ୍ତ ରାଠୋରଙ୍କୁ ଅନୁରୋଧ କରୁଛନ୍ତି ।”

 

ମୁଖୀ-‘‘ସତେ ?’’

 

ବିମଳ ବ୍ୟଗ୍ରତା ପ୍ରକାଶ ନ କରି କହିଲେ, ”ହଁ ଚାଲନ୍ତୁ, ସାଙ୍ଗ ହୋଇ ଯିବା । ରାଠୋର ଯେପରି ଭୀମଦେବଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରନ୍ତି ତାଙ୍କୁ ସେହିଭଳି ପରାମର୍ଶ ଦେବା ।

 

ମୁଖୀ ଶୁଷ୍କ କଣ୍ଠରେ ‘ହେଉ ଚାଲ’ ବୋଲି କହି ନିଜ ଓଟ ଉପରେ ଚଢ଼ିଲେ । ଉଭୟଙ୍କ ସୈନ୍ୟସାମନ୍ତ ଆଗକୁ ଚାଲିଲେ ।

 

ବିମଳଙ୍କ କଥାରେ ମୁଖୀଙ୍କର ଏ ପର୍ଯ୍ୟନ୍ତ ତଥାପି ସନ୍ଦେହ ରହିଥାଏ । ସେ ଭ୍ରୁ−କୁଞ୍ଚିତ କରି ତାଙ୍କ ଗତିବିଧି ପ୍ରତି ସତର୍କ ଆଖି ରଖିଥାନ୍ତି । ସେ ନିଜେ ବେଶି କଥା କହୁନଥାନ୍ତି, ବା ବିମଳଙ୍କୁ କଥା କହିବାକୁ ମଧ୍ୟ ଉତ୍ସାହିତ କରୁନଥାନ୍ତି ।

 

ବହୁ ସମୟ ନୀରବରେ କଟିଯିବା ପରେ ଓଟମାନଙ୍କର ପଦାଘାତ ରାତିର ନିସ୍ତବ୍ଧତା ଭାଙ୍ଗିଲା । ତାଙ୍କ ପୂର୍ବ କଥା ଅନୁସାରେ ସାମନ୍ତ ନୀରବ ଥାଆନ୍ତି । ବିମଳ ନିଜ ଓଟକୁ ମୁଖୀଙ୍କ ଓଟ ପାଖେ ପାଖେ ଚଲାଉଥାନ୍ତି । ଉଭୟେ ପରସ୍ପର ଉପରେ ପୂରା ଆଖି ରଖିଥାନ୍ତି । ସମୟ ଯେତେ ଅତିବାହିତ ହେଉଥାଏ, ବିମଳଙ୍କ ମନ ସେତିକି ଚଞ୍ଚଳ ହେଉଥାଏ । କ୍ରମେ ରାତି କଟିଆସିଲା ଓ ଆସ୍ତେ ଆସ୍ତେ ଉଷା ଉଙ୍କିମାରି ଦେଖାଦେଲେ । ସମୟ ଅତିବାହିତ ହେଉଥିବା ସଙ୍ଗେ ସଙ୍ଗେ ତାଙ୍କ ହାତରୁ ସୁଯୋଗ ସେହି ପରିମାଣରେ ଚାଲିଯାଉଛି ବୋଲି ବିମଳ ଭାବୁଥିବାରୁ ଆଉ ଅଧିକ ସମୟ ନୀରବ ରହିବା ଅନୁଚିତ ବୋଲି ସେ ଠିକ୍‍ କଲେ ।

 

ସକାଳୁଆ ଥଣ୍ଡା ପବନରେ ମୁଖୀ ଘୁମାଉଥିବାର ସେ ଦେଖିଲେ । କିଛି କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ । ହୁଏତ ବର୍ତ୍ତମାନ କିଛି କରିବେ; ନଚେତ୍ ଆଉ କିଛି କରିପାରିବେ ନାହିଁ । ସେ ତାଙ୍କ ଓଟକୁ ମୁଖୀଙ୍କ ଓଟ ପାଖରେ ରଖି ତାଙ୍କ ଲୋକମାନଙ୍କୁ ସଂକେତ ଦେବା ପରେ ପରେ ନିଜ ଖଣ୍ଡା ଧରି ମୁଖୀଙ୍କୁ ଆକ୍ରମଣ କଲେ ।

 

ମୁଖୀ ଯେ ଜମା ଶୋଇନଥିଲେ ଏହା ଜାଣି ବିମଳ ଆଶ୍ଚର୍ଯ୍ୟ ହୋଇଗଲେ । ମୁଖୀ ଉଠିପଡ଼ି ଏହି ଆକ୍ରମଣର ପ୍ରତିରୋଧ କରିବାପାଇଁ ନିଜ ଖଣ୍ଡାକୁ ବିମଳଙ୍କ ଛାତିକୁ ଉଞ୍ଚାଇଲେ । ନିଜକୁ ପ୍ରକୃତିସ୍ଥ କରି ମୁଖୀ ବିମଳଙ୍କ ଉପରେ ଚଢ଼ାଉ କରିବା ପୂର୍ବରୁ ବିମଳ ନିଜ ଓଟ ଉପରୁ ତଳକୁ ଡେଇଁ ପଡ଼ିଲେ । ମୁଖୀ ମଧ୍ୟ ତାଙ୍କ ଉପରକୁ କୁଦା ମାରିଲେ ।

 

ବିମଳ ଆକ୍ରମଣ କରିବାକୁ ନିଜ ଖଣ୍ଡା ବାହାର କରୁଥିବା ଦେଖି ତାଙ୍କ ସୈନ୍ୟମାନେ ମଧ୍ୟ ମୁଖୀଙ୍କ ଲୋକମାନଙ୍କ ଉପରେ ଆକ୍ରମଣ କଲେ । ଏହି କୁଦାକୁଦି ଏକ ବଡ଼ ଧରଣର ଯୁଦ୍ଧରେ ପରିଣତ ହେଲା ।

 

ଏହି ପରିସ୍ଥିତିରେ ସାମନ୍ତଙ୍କର ଅଚାନକ ହସ୍ତକ୍ଷେପ ଫଳରେ ବିମଳ ରକ୍ଷା ପାଇଗଲେ-। ମୁଖୀ ତାଙ୍କ ତରବାରିରେ ବିମଳଙ୍କ ଉପରେ ଚୋଟ ପକାଇବାବେଳକୁ ସାମନ୍ତ ମୁଖୀଙ୍କୁ ନିଜ ଛୁରାଦ୍ୱାରା ଆକ୍ରମଣ କଲେ । ମୁଖୀଙ୍କ ହାତରୁ ତରବାରିଟି ଖସିପଡ଼ିଲା ଏବଂ ସେ ଆହତ ହୋଇ ତଳେ ପଡ଼ିଗଲେ ।

 

ବିମଳ ଦେଖିଲେ ଯେ ମୁଖୀଙ୍କର ତିନିଜଣ ଲୋକ ତାଙ୍କୁ ଘେରାଉ କରିଛନ୍ତି । ମାତ୍ର ସୌଭାଗ୍ୟକୁ ତାଙ୍କୁ ସାହାଯ୍ୟ କରିବାପାଇଁ ସାମନ୍ତ ପ୍ରସ୍ତୁତ ହୋଇସାରିଥିଲେ । ଆହତ ମୁଖୀଙ୍କ ଚାରିପାଖେ ଭୀଷଣ ଯୁଦ୍ଧ ଲାଗିଲା । ବହୁ ଲୋକ ମଲେ, ଅନେକ କ୍ଷତବିକ୍ଷତ ହୋଇଗଲେ । ବିମଳ ଖୁବ୍ କୌଶଳ ଓ ଦକ୍ଷତାର ସହିତ ଯୁଦ୍ଧ କଲେ । ସାମନ୍ତଙ୍କର ଯୁଦ୍ଧକୌଶଳ ମଧ୍ୟ ଶତ୍ରୁଦଳରେ ଆତଙ୍କ ସୃଷ୍ଟି କଲା ।

 

ଚେତନା ଲାଭ କରି ଆହତ ମୁଖୀ ଆଖି ଫିଟାଇଲେ ଏବଂ ବିମଳ ତାଙ୍କର ଅତି ପାଖରେ ଯୁଦ୍ଧ କରୁଥିବା ଦେଖି ସେ ନିଜର ଶକ୍ତି ସଂଗ୍ରହ କରି ପାଖରେ ପଡ଼ିଥିବା ଖଣ୍ତାଟି ଉଠାଇ ବିମଳଙ୍କୁ ଆକ୍ରମଣ କରିବାପାଇଁ ଉଦ୍ୟତ ହେଲେ ।

 

ଭାଗ୍ୟବଶତଃ ସାମନ୍ତଙ୍କର ଦୁଷ୍ଟିରେ ଏହା ପଡ଼ିଗଲା । ସେ ଗର୍ଜନ କରି ମୁଖୀଙ୍କ ଉପରକୁ କୁଦାମାରି, ତାଙ୍କୁ ପୁଣି ଆକ୍ରମଣ କରି ହତ୍ୟା କଲେ । ସାମନ୍ତଙ୍କର ଗର୍ଜନ ଫଳରେ ସମସ୍ତଙ୍କ ଆଖି ମୁଖୀଙ୍କ ଉପରେ ପଡ଼ିଲା । ମୁଖୀ ମରିଯିବା ଦେଖି ତାଙ୍କର ସୈନ୍ୟମାନେ ନିରାଶ ହୋଇ ଛତ୍ରଭଙ୍ଗ ଦେଲେ ।

 

‘‘ସାବାସ୍‍ ଚୌହାନ, ସାବାସ୍‍ !’’ ତାଙ୍କ ଜୀବନ ଦୁଇଥର ରକ୍ଷା କରିଥିବାରୁ ବିମଳ ହର୍ଷଧ୍ୱନି କରି କହିଲେ । ସାମନ୍ତଙ୍କ ଆଖି ମୁଖୀ ଉପରେ ନିବିଡ଼ ଭାବରେ ନିବଦ୍ଧ ରହିଥାଏ । ସେ କହିଲେ, “ପ୍ରଭୁ ସୋମନାଥଙ୍କର ସମସ୍ତ ଶତ୍ରୁ ଏହିପରି ମରିବେ ।’’ ବିମଳ ବିଜେତାରୂପେ ନିଜର ଅଧିକାର ବଜାୟ ରଖିବାପାଇଁ ମୁଖୀଙ୍କ ଅଣ୍ଟାରୁ ହୀରାଖଚିତ ତରବାରିଟି ନେଇ ନିଜଅଣ୍ଟାରେ ବାନ୍ଧିଲେ ।

 

ବିମଳ ହସି ହସି କହିଲେ, ‘‘ଝାଲୋରର ବାକ୍‌ପତିରାଜର ଖବର ଆଉ କେହି ଆଗକୁ ନେଇପାରିବେ ନାହିଁ ।’’

 

ଏହି ଯୁଦ୍ଧରେ ମୁଖୀଙ୍କର ନଅଜଣ ଲୋକ ନିହତ ହୋଇଥିଲେ ଏବଂ ତିନିଜଣ ଧରାପଡ଼ିଥିଲେ । ସାମନ୍ତ ଓ ବିମଳଙ୍କ ପକ୍ଷରୁ, ସାତଜଣ ନିହତ ହୋଇଥିଲେ ଓ ଚାରିଜଣ ଆହତ ହୋଇଥିଲେ । ସାମନ୍ତ ଓ ବିମଳଙ୍କ ସମେତ ଚାରିଜଣଙ୍କର କିଛି କ୍ଷତି ହୋଇନଥିଲା ।

 

ସାମନ୍ତ ଆଗକୁ ଯିବାକୁ ବ୍ୟସ୍ତ ହେଲେ । ବିମଳ କହିଲେ, “ଚୌହାନ, ତୁମେ ଦୁଇଥର ମୋ ଜୀବନ ରକ୍ଷାକରିଛ । ତୁମେ ଯାହା କହିବ ମୁଁ ତାହା କରିବି । ଏପରି କିଛି କାର୍ଯ୍ୟ ନାହିଁ ଯାହାକି ମୁଁ ତୁମପାଇଁ ନ କରିବି ।”

 

ସାମନ୍ତ ସ୍ନେହପୂର୍ଣ୍ଣ କଣ୍ଠରେ କହିଲେ, “ମନ୍ତ୍ରୀ ବିମଳ, ତୁମେ ଆଜିଠାରୁ ମୋର ପ୍ରିୟ ବନ୍ଧୁ । ଘୋଘାଗଡ଼କୁ ନିଜ ଘର ବୋଲି ଭାବିବ ।”

 

ବିମଳ କହିଲେ, “ତୁମେ ଯେବେ ଗୁଜୁରାତ ଆସ ତା’ ହେଲେ ବିମଳକୁ ଭୁଲିବ ନାହିଁ ।”

 

ଆଲିଙ୍ଗନ ପରେ ଆପଣା ଆପଣାର ସ୍ଥାନାଭିମୁଖେ ଯାତ୍ରା କରିବାକୁ ସେମାନେ ପରସ୍ପରଠାରୁ ବିଦାୟ ନେଲେ ।

 

ବନ୍ଦୀଭାବେ ଧରାପଡ଼ିଥିବା ତିନିଜଣ ଲୋକଙ୍କୁ ବିମଳ ନିଜ ସାଙ୍ଗରେ ନେଲେ । ଗଜନୀର ହମୀର୍‍ର ସୈନ୍ୟବାହିନୀ ସମ୍ପର୍କରେ ସେମାନଙ୍କଠାରୁ ଯାହା ଖବର ମିଳିଲା, ତହିଁରେ ବିମଳ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ତାଙ୍କର ଆଶଙ୍କା ବଢ଼ିଲା । ହମୀର୍‍ର ସୈନ୍ୟବାହିନୀରେ ତିରିଶ ହଜାର ଅଶ୍ୱାରୋହୀ, ପଚାଶ ହଜାର ଧନୁର୍ଦ୍ଧାରୀ ସୈନ୍ୟ ଓ ତିନିଶହ ଗଜାରୋହୀ ଅଛନ୍ତି । ସେମାନଙ୍କ ପାଇଁ କେବଳ ପାଣି ବୁହାଇବା ନିମନ୍ତେ ତିରିଶ ହଜାର ଓଟ ଅଛନ୍ତି । ଏହାବ୍ୟତୀତ ହଜାର ହଜାର ପଦାତିକ ସୈନ୍ୟ ଅଛନ୍ତି-ସତେ ଯେପରି ସାରା ଦେଶଟା ଯୁଦ୍ଧଯାତ୍ରା କରୁଛି !

 

ଗଜନୀର ସୈନ୍ୟବାହିନୀ ସଂଖ୍ୟା ସମ୍ପର୍କରେ ତଥ୍ୟ ଶୁଣି ବିମଳ ସ୍ତମ୍ଭିତ ହୋଇଗଲେ । ପ୍ରଥମେ ସେ ଏହା ଅତିରଞ୍ଜିତ ଭାବି ହସି ଦେଇଥିଲେ; କିନ୍ତୁ ପରେ ଯାହା ଶୁଣିଲେ ତହିଁରେ ସେ ଅତିରିକ୍ତ ବିଚଳିତ ହୋଇପଡ଼ିଲେ ।

Image

 

ନିସ୍ତବ୍‍ଧ ମରୁଭୂମି

 

ସାମନ୍ତ ବିମଳଙ୍କୁ ବିଦାୟ ଦେଲାବେଳେ ତାଙ୍କ ମନ ଖୁବ୍ ଉତ୍‍ଫୁଲ୍ଲ ଥାଏ । ଗଜନୀର ହମୀର୍‍ ବିରୁଦ୍ଧରେ ସେ ପ୍ରଥମ ବିଜୟ ହାସଲ କରିଛନ୍ତି । ସେହିକଥା ସ୍ମରଣ କରି ସେ ମନେମନେ “ଏହା ଗୋଟିଏ ଶୁଭ ଲକ୍ଷଣ” ବୋଲି ଭାବୁଥାନ୍ତି । ତାଙ୍କ ନିଜର ଦୁଇଜଣ ସହଚରଙ୍କ ମଧ୍ୟରୁ ଜଣେ ଟିକିଏ ଜଖମ ହୋଇଥିଲା । ମାତ୍ର ସେ ନିଜେ ଘୋଘାଗଡ଼ରେ ଶୀଘ୍ର ପହଞ୍ଚିବାକୁ ଚାହୁଁଥିବାରୁ ଆହତ ସୈନ୍ୟ ଓ ବନ୍ଦୀମାନଙ୍କୁ ବିମଳଙ୍କ ପାଖରେ ଛାଡ଼ି ଆସିଥିଲେ ।

 

ବାଟରେ ବିଶ୍ରାମ ନେବାପାଇଁ ଅନେକ ସ୍ଥାନ ଥିବାରୁ ସେ କୌଣସି ହଇରାଣ ନ ହୋଇ ଯଥେଷ୍ଟ ଦୂର ଆଗେଇ ଗଲେ । ତିନିଦିନ ପର୍ଯ୍ୟନ୍ତ ନିର୍ଜନ ବାଟରେ ଯିବାପରେ ଚତୁର୍ଥଦିନ କେତେକ ବାଟୋଇଙ୍କ ସହିତ ତାଙ୍କର ଦେଖାହେଲା । ସେମାନଙ୍କ ମଧ୍ୟରୁ କେତେକ ଘୋଡ଼ା ଓ ଓଟରେ ଏବଂ ଅନ୍ୟମାନେ ଚାଲିଚାଲି ଯାଉଥାନ୍ତି । ସାମନ୍ତ ପଚାରି ଜାଣିଲେ ହମୀର୍‍ଙ୍କ ଭୟରେ ସେମାନେ ଘରଦ୍ୱାର ଛାଡ଼ି ମାରଓ୍ୱାଡ ପଳାଇଯାଉଛନ୍ତି ।

 

ତନ୍ନ ତନ୍ନ କରି ପଚାରିବାରୁ ଏହି ପଳାତକମାନେ ଭିନ୍ନ ଭିନ୍ନ ପ୍ରକାର ଖବର ଦେଲେ । କେତେକ କହିଲେ, ମୁସଲମାନ ଆକ୍ରମଣକାରୀମାନେ ସଫାଳଦକ୍ଷରେ ପହଞ୍ଚି ଗଲେଣି । ଆଉ କେତେକ କହିଲେ, ପହଞ୍ଚିବାପାଇଁ ଦୁଇଦିନ ଲାଗିବା ଭଳି ଦୂର ବାଟରେ ଅଛନ୍ତି । ଆଉ କେତେକ ହମୀର୍‍ର ଓଟମାନେ ପବନରେ ଉଡ଼ନ୍ତି ବୋଲି କହିଲେ । ଆକ୍ରମଣକାରୀର ଆଦେଶରେ ମରୁଭୂମିରୁ ନୂଆ ପାଣି ବାହାରୁଛି ବୋଲି କେତେକ ମଧ୍ୟ କହିଲେ । କିଏ କେତେ ମନଗଢ଼ା କଥା କହିଲେ । କିନ୍ତୁ ଏସବୁ କଥାରୁ ଗୋଟିଏ କଥା ଜଣାଗଲା ଯେ, ଆକ୍ରମଣକାରୀ ପ୍ରତିଦିନ ନିକଟରୁ ନିକଟତର ହୋଇ ଆସୁଛି ଏବଂ ସେହି ଭୟରେ ଲୋକେ ଘରଦ୍ୱାର ଛାଡ଼ି ପଳାଇଯାଉଛନ୍ତି ।

 

ପୁଣି ଦୁଇଦିନ ବାଟ ଯିବା ପରେ ପଳାତକ ଶରଣାର୍ଥୀଙ୍କ ସଂଖ୍ୟା ବଢ଼ୁଥିବା ସାମନ୍ତ ଲକ୍ଷ୍ୟ କଲେ-ସତେ ଯେପରି ପ୍ରତି ଗାଁର ପୁରୁଷ, ସ୍ତ୍ରୀ, ପିଲାପିଲି, ଘୋଡ଼ା, ଓଟ ଓ ଛେଳି ପ୍ରଭୃତି ଯାହା ପାରୁଛନ୍ତି ଧରି ପଳେଇ ଆସୁଛନ୍ତି ।

 

ସାମନ୍ତ ଯେତେ ଆଗକୁ ଆଗକୁ ଗଲେ ଆକ୍ରମଣକାରୀ ସମ୍ପର୍କରେ ସତେ ଭୟାବହ କଥାମାନ ଶୁଣାଗଲା । ହମୀର୍‍ ଦେଖିବାକୁ ଭୟଙ୍କର-ତା’ର ତିନି ଆଖି, ଆଠ ହାତ ଓ ଛ’ହାତର ଗୋଟିଏ ଖଣ୍ତା ଅଛି । ଆଉ କେତେକ ହମୀର୍‍ର ସୈନ୍ୟବାହିନୀର ଭୟାବହ ବିବରଣୀମାନ ଦେଲେ । କେତେକ କହିଲେ ଯେ, ତା’ର ଉଡ଼ନ୍ତା ଘୋଡ଼ା ଓ ହାତୀ ଅଛନ୍ତି-ଦୁଇମୁହଁ । ମଣିଷଖିଆ ରାକ୍ଷସ ତା’ ପାଖରେ ଅଛନ୍ତି–ହମୀର୍‍ ଯାଉଥିବା ସମୟରେ ଆକାଶ ପୂରା ଅନ୍ଧାର ହୋଇଯାଏ-ଖଣ୍ତା ବାହାର କରିବାବେଳେ ବିଜୁଳି ଖେଳିଯାଏ ଇତ୍ୟାଦି ।

 

ଏହିସବୁ ବିଭିନ୍ନ ଭୟାବହ ମନଗଢ଼ା କଥା କେତେଦୂର ସତ୍ୟ ତାହା ଜାଣିବାପାଇଁ ସାମନ୍ତ ଚେଷ୍ଟା କଲେ । ସେ ଗୋଟିଏ କଥା ସ୍ଥିର କଲେ ଯେ ଯଦିଓ କେହି କିଛି ପ୍ରକୃତ କଥା ଜାଣିନାହାନ୍ତି, ତଥାପି ଗୋଟିଏ କଥା ଠିକ୍ ଯେ ଆକ୍ରମଣକାରୀ ସଫାଳଦକ୍ଷ (ଆଜମିର) ଅତିକ୍ରମ କରିଗଲାଣି-ଏ ବିଷୟ ସମସ୍ତେ କହୁଛନ୍ତି । ଯେବେ ଏହା ସତ୍ୟ ହୋଇଥାଏ, ତା’ହେଲେ ହୁଏତ ଘୋଘାଗଡ଼ ଦଖଲ କରିଗଲାଣି ବା ତାହା ଟପି ଆଗକୁ ଗଲାଣି । ଘୋଘାଗଡ଼ ଅବସ୍ଥା କ’ଣ ହୋଇଥିବ ତାହା ଭାବି ସାମନ୍ତ ବିଚଳିତ ହୋଇଗଲେ । ଦେଖା ହୋଇଥିବା ଶରଣାର୍ଥୀମାନେ ମଧ୍ୟ ଏପରି କେତେକ ଖବର ଦେଇଛନ୍ତି, ଯାହା ଫଳରେ କି ତାଙ୍କର ଉଦବେଗ ବୃଦ୍ଧି ପାଇଲା ।

ଆଠଦିନ ଧରି ଶରଣାର୍ଥୀଙ୍କ ସ୍ରୋତ ଚାଲୁଥିବାର ସେ ଦେଖିଲେ । ନବମ ଦିନ ଏହି ସ୍ରୋତ ଟିକିଏ କମିବା ଜଣାଗଲା ଓ ଏକାଦଶ ଦିନ ଜଣେ ଲୋକ ସୁଦ୍ଧା ଦେଖିବାକୁ ମିଳିଲା ନାହିଁ । ଚାରିଆଡ଼ ଜନଶୂନ୍ୟ, ଏପରିକି ବାଟରେ ଥିବା ବିଶ୍ରାମଘରମାନଙ୍କରେ ଜଣେ ଲୋକ ସୁଦ୍ଧା ଦେଖିବାକୁ ମିଳିଲା ନାହିଁ । ଗାଁମାନ ଭୟାବହ ଲାଗୁଥାଏ ।

ଘୋଘାଗଡ଼ର ଅବସ୍ଥା କ’ଣ ହୋଇଥିବ ତାହା ଅଧିକ କଳ୍ପନା ନ କରି ସାମନ୍ତ ଆଗକୁ ଦ୍ରୁତଗତିରେ ଚାଲିଲେ ଓ ମୃତ୍ୟୁଦେବତା ନିଜେ ଆସିଲେ ମଧ୍ୟ ତାଙ୍କର ମୁହାଁମୁହିଁ ହେବାକୁ ସେ ପ୍ରସ୍ତୁତ ହେଲେ । ସେ ତ ଚୌହାନ ବଂଶର ପିଲା ।

ଦୁଇଦିନ ଧରି ଜନହୀନ ଗାଁମାନଙ୍କ ବାଟ ଦେଇ ସେ ଚାଲିଲେ । ଠିକ୍‍ ଶ୍ମଶାନପରି ଗାଁମାନ ଦେଖାଯାଉଥାଏ । ପଞ୍ଚଦଶ ଦିବସରେ ତାଙ୍କ ସାଙ୍ଗରେ ଥିବା ଆହତ ଲୋକର ଅସୁସ୍ଥତା ଅତିରିକ୍ତ ବଢ଼ିଯିବାରୁ ତାକୁ ସାଙ୍ଗରେ ନେବା ଅସମ୍ଭବ ହୋଇପଡିଲା । ତେଣୁ ସାମନ୍ତ ତାକୁ ବାଟରେ ଛାଡ଼ି ସାଙ୍ଗରେ ଆସୁଥିବା ଅନ୍ୟ ଲୋକକୁ ମଧ୍ୟ ତା’ର ଦେଖାଶୁଣା କରିବାପାଇଁ ଛାଡ଼ି ଦେଇ ଚାଲିଲେ । ସଙ୍ଗୀ ଦୁଇଜଣ ତାଙ୍କୁ ଏକାକୀ ନ ଯିବାକୁ କହିବା ସତ୍ତ୍ୱେ ସେ ଆଗକୁ ଚାଲିଲେ । ମନରେ ତାଙ୍କର ଅଜଣା ଆଶଙ୍କା । ଅନିଶ୍ଚିତ ଅବସ୍ଥାରେ ବାଟରେ ଅଟକିବା ଅପେକ୍ଷା ସଂକଟପୂର୍ଣ୍ଣ କ୍ଷେତ୍ରରେ ଶୀଘ୍ର ପହଞ୍ଚିବା ଦରକାର ବୋଲି ସେ ସ୍ଥିର କଲେ । ଦୁଇଦିନ ଭିତରେ ସେ ଭାମୋରିଆରେ ପହଞ୍ଚିଯିବେ ବୋଲି ଭାବିଲେ । ସେଠାରେ ତାଙ୍କ ବାପା ଅପେକ୍ଷା କରିଥିବେ । ସାମନ୍ତ ପହଞ୍ଚିଗଲେ । ଉଭୟେ ଯେତେଶୀଘ୍ର ପାରନ୍ତି ସାଙ୍ଗ ହୋଇ ଘୋଘାଗଡ଼ ଯିବେ ।

ପଛରେ ରହିଯାଇଥିବା ଆହତ ଲୋକେ କାଳେ ଆସି ମିଶିଯିବେ, ସେହି ଆଶାରେ ସାମନ୍ତ ପ୍ରଥମ ଦୁଇଦିନ ଆସ୍ତେ ଆସ୍ତେ ଚାଲିଲେ । ପ୍ରତିମୁହୂର୍ତ୍ତରେ ଓଟର ପାଦ ଧ୍ୱନି ଶୁଭୁଥାଏ ବା ଶୁଣିବା ପରି ତାଙ୍କର ମନେହେଉଥାଏ । କିନ୍ତୁ ଚାରିଆଡ଼କୁ ଚାହିଁ ସେ କିଛି ଦେଖିପାରୁନଥାନ୍ତି ।

ଭୟଙ୍କର ନିସ୍ତବ୍ଧତା । ଜନଶୂନ୍ୟ କୁଡ଼ିଆ ବା ଯୁଦ୍ଧ ଭୂମିରେ ପ୍ରାଣତ୍ୟାଗ କରିଥିବା ବୀରମାନଙ୍କ ଉଦ୍ଦେଶ୍ୟରେ ତିଆରି କରାଯାଇଥିବା ସ୍ମାରକ ଛଡ଼ା ଆଉକିଛି ଦେଖିବାକୁ ମିଳୁନଥାଏ-

ଏହି ରାସ୍ତା ଦେଇ ସୋମନାଥଙ୍କ ପାଖକୁ ଯିବାବେଳେ ରାସ୍ତାରେ ବହୁ ଜନସମାଗମ ହୋଇଥାଏ ଓ ଯାତ୍ରୀମାନେ ଦଳ ଦଳ ହୋଇ ଚାଲିଥାନ୍ତି । ରାସ୍ତାର ଦୁଇ ପାଖରେ ଥିବା ଗାଁମାନଙ୍କରୁ କୁକୁରର ରାବ ଶୁଣାଯାଏ । ବାଟରେ ଥିବା ଆଶ୍ରୟ ଗୃହମାନଙ୍କରେ ଦଳ ଦଳ ଗାୟାଳ ବସି ନାନା ପ୍ରକାର କଥାବାର୍ତ୍ତା ହେଉଥାନ୍ତି । କିନ୍ତୁ ଆଜି ମଣିଷ କଥା ଦୂରେଥାଉ, ଜନ୍ତୁଟିଏ ସୁଦ୍ଧା ଦେଖିବାକୁ ମିଳୁ ନାହିଁ ।

ରାସ୍ତାର ଏହି ନିର୍ଜ୍ଜନତା ଯୋଗୁ ସାମନ୍ତଙ୍କୁ ମାଡ଼ିପଡ଼ିଲା ଭଳି ଲାଗୁଥାଏ, ଛାତି ଅଧିକରୁ ଅଧିକ ଧଡ଼ପଡ଼ ହେଉଥାଏ । ଏକାକୀ ଯାତ୍ରା କରିବାରେ ପୂର୍ବେ ତାଙ୍କୁ ଏପରି କେବେ ଭୟ ଲାଗୁନଥିଲା । କିନ୍ତୁ ଏହି ନିର୍ଜ୍ଜନତାରୁ ରକ୍ଷା ପାଇବାପାଇଁ ସେ ନିଜେ ପାଟି କରିବାକୁ ଭାବିଲେ । କିନ୍ତୁ ନିଜ ସ୍ପଷ୍ଟ ଶବ୍ଦର ପ୍ରତିଧ୍ୱନି କେବଳ ତାଙ୍କ ନିକଟକୁ ଫେରି ଆସିଲା । ତାଙ୍କର ଛାତି ଦବିଗଲା-। ଚାରିଆଡ଼େ ଭୀଷଣ ନିର୍ଜ୍ଜନତା । ନୀରବରେ ପ୍ରଭୁ ସୋମନାଥଙ୍କୁ ପ୍ରାର୍ଥନା କରି କରି ସାମନ୍ତ ଆଗକୁ ଚାଲିଲେ ।

ବାଟରେ ଗୋଟିଏ ବଡ଼ ବିଶ୍ରାମଘରେ ପହଞ୍ଚିବାରୁ ସେଠାରେ ନିଶ୍ଚୟ କାହା ସାଙ୍ଗରେ ଦେଖାହେବ ବୋଲି ସେ ଆଶା କରୁଥିଲେ । ଭାମୋରିଆ ଆଉ ବେଶି ବାଟ ନାହିଁ । ହୁଏତ ତା’ ବାପା ସେଇ ବାଟ ଦେଇ ଯାଇଥିବେ । ବାପା ଯେବେ ସେଠାରେ ଆଗରୁ ପହଞ୍ଚି ଘୋଘାଗଡ଼ ଯାଇଥିବେ ତାହାହେଲେ କ’ଣ ହେବ ? ବାପା ବାଜିରେ ଜିତିବେ ଓ ସେ ହାରିବ । ଯାହାହେଉ ପଛକେ, ବନ୍ଧୁ ବାନ୍ଧବ ଓ ସାଙ୍ଗ ସାଥୀମାନେ ତାଙ୍କୁ ଉତ୍କଣ୍ଠିତ ଚିତ୍ତରେ ଅପେକ୍ଷା କରି ରହିଥିବେ । ମରୁଭୂମି ଦେଇ ସେ ଯେପରି ସାହସରେ ଆସିଛନ୍ତି ତାଙ୍କଠାରୁ ତାହା ଶୁଣି ସମସ୍ତେ ଗର୍ବ ଅନୁଭବ କରିବେ ।

ଗଜନୀର ହମୀର୍‍ଙ୍କ ଭୟରେ ଲୋକେ ପଳାଇ ଆସୁଥିବାର ସେ ଦେଖିଛନ୍ତି । କିନ୍ତୁ ହମୀର୍‍ ଅଛି କେଉଁଠି ? ଏସବୁ ଲୋକ କ’ଣ ବୋକା ? ସେମାନେ ବୁଝୁନାହାନ୍ତି ଯେ ଘୋଘାବାପାଙ୍କ ସହିତ ଯୁଦ୍ଧ ନ କରି ଆକ୍ରମଣକାରୀ କିପରି ଏତେ ବାଟ ଯିବ ?

ଏହିପରି ଚିନ୍ତା ଭିତରେ ସେ ଉପରବେଳାଟି ଏକ ବିଶ୍ରାମ ସ୍ଥଳରେ କଟାଇଲେ । ଦୁଷ୍ଟ ରାକ୍ଷସ ବହୁ ବିରାଟ ସହର ନଷ୍ଟ କରିଦେବା କାହାଣୀ ସେ ପିଲାଦିନେ ଶୁଣିଥିଲେ । ସେ ବିଶ୍ରାମ ନେଇଥିବା ନିର୍ଜ୍ଜନ ଘର ତାଙ୍କୁ ପିଲାଦିନର ସେହି କଥା ମନେ ପକାଇ ଦେଲା ।

କୂଅରେ ପାଣି ଥିଲା, କିନ୍ତୁ ପାଖରେ ପଡ଼ିଥିବା ବାଲ୍‍ଟି ଅନେକ ଦିନ ଧରି କେହି ବ୍ୟବହାର କରିନାହାନ୍ତି । ମନ୍ଦିରରେ ଥିବା ମୂର୍ତ୍ତିଟି ବହୁଦିନ ଧରି ଅପୂଜା ପଡ଼ି ରହିଛନ୍ତି । ନିକଟରେ ପରିଷ୍କାର ତିନୋଟି କୁଡ଼ିଆ ଘର ଥିଲେ ସୁଦ୍ଧା ରହିବାକୁ ଗୋଟିଏ ହେଲେ ଲୋକ ନ ଥିଲେ ।

କିଛିସମୟ ପରେ ତାଙ୍କ ମନରୁ ଭୟ ଦୂର ହେଲା ଏବଂ ଏହି କାପୁରୁଷତାପାଇଁ ନିଜ ଉପରେ ସେ ରାଗିଲେ । ସେ ଘୋଘାବାପାଙ୍କର ନାତି ଓ ଚୌହାନ ବଂଶରେ ତାଙ୍କର ଜନ୍ମ; ପ୍ରଭୁ ସୋମନାଥଙ୍କର ମଧ୍ୟ ବାର୍ତ୍ତାବହ । ତାଙ୍କର ଧୈର୍ଯ୍ୟହରା ହେବା ଉଚିତ ନୁହେଁ । ସେ ରାଗରେ ନିଜର ଓଠ କାମୁଡ଼ି ଆଗକୁ ଯିବାକୁ ପ୍ରସ୍ତୁତ ହେଲେ । ଏହି ସ୍ଥାନ ଓ ଘୋଘାଗଡ଼ ମଧ୍ୟରେ ହମୀର୍‍ର ହଜାର ହଜାର ସୈନ୍ୟ ଥିଲେ ସୁଦ୍ଧା ତହିଁରେ କିଛି ଯାଏ ଆସେ ନାହିଁ । ତାଙ୍କୁ ଯେକୌଣସିମତେ ଘୋଘାଗଡ଼ରେ ପହଞ୍ଚିବାକୁହିଁ ହେବ ।

ଅନତିଦୂର ଅତିକ୍ରମ କରିବା ପରେ ଦୂରରେ ଧୂଳି ଉଡ଼ୁଥିବାର ସେ ଦେଖିଲେ । ଏହାର ଅର୍ଥ କେହି ବାଟୋଇ ଆସୁଛି । କେତେଦିନ ହେଲା ସେ କୌଣସି ଲୋକ ଦେଖିନାହାନ୍ତି । ଯଦି ଆଗନ୍ତୁକଟି ଶତ୍ରୁ ହୋଇଥାଏ, ତହିଁରେ କ୍ଷତି କ’ଣ ? ଶତ୍ରୁ ହେଲେବି ତ ସେ ମଣିଷ; ତେଣୁ ସେ ସ୍ୱାଗତଯୋଗ୍ୟ । ଆଗନ୍ତୁକ ଯଦି ଶତ୍ରୁରୂପେ ଆଘାତ କରେ ତେବେ ସେ ପ୍ରତିଆଘାତ ପାଇବ । ସାମନ୍ତ ନିଜର ଧନୁଶର ଦେଖିନେଲେ, ଖଣ୍ଡା ଢିଲା କରି ପରଖିନେଲେ ଓ ଅଣ୍ଟାରେ ଥିବା ଛୁରିଟି ଠିକ୍ ଅଛି କି ନାହିଁ ଦେଖିଲେ । ଧୂଳି ଉଡ଼ିବା ସ୍ଥାନ ନିକଟ ହୋଇ ଆସିଲା । ଦୁଇଜଣ ଲୋକ ଓଟରେ ଆସୁଥିବାର ଦେଖି ସାମନ୍ତ ଅତିଶୟ ଖୁସି ହେଲେ । ସେ ଦୁହେଁ ଶୀଘ୍ର ଶୀଘ୍ର ଆସୁଥିଲେ । ତୃଷାର୍ତ୍ତ ଜଳାଶୟ ଦେଖିଲେ ଯେପରି ତାହା ନିକଟକୁ ଦଉଡ଼େ, ସେ ସେହିପରି ସେମାନଙ୍କ ନିକଟକୁ ଦଉଡ଼ିଗଲେ । ସାମନ୍ତ ଡାକିବାରୁ ସେମାନେ ଜବାବ ଦେଲେ । ସେମାନଙ୍କ ସ୍ୱର ଶୁଣି ଆନନ୍ଦରେ ସାମନ୍ତଙ୍କର ପେଟ ପୂରି ଉଠିଲା । ସେ ନିଜ ପୂର୍ବ ଧୈର୍ଯ୍ୟ ଫେରିପାଇ ସାମୟିକ ଦୁର୍ବଳତାପାଇଁ ହସି ଆଗକୁ ଚାଲିଲେ ।

Image

 

ଭାମୋରିଆ ଦୁର୍ଗ

 

ଆଗନ୍ତୁକ ଦୁଇଜଣ ସଶସ୍ତ୍ର ରାଜପୁତ ଯୋଦ୍ଧା-ଜଣେ ମଧ୍ୟମ ବୟସ୍କ ଏବଂ ଆଉ ଜଣେ ଯୁବକ । ସାମନ୍ତଙ୍କୁ ଦେଖି ବୟସ୍କ ଲୋକ ଜଣକ ବଡ଼ପାଟିରେ ପଚାରିଲା, “ତମେ କିଏ?” ତା’ର ସଙ୍ଗୀ ଯୁବକଟି ତରବାରିକୁ କୋଷମୁକ୍ତ କରି ହାତରେ ଧରିଲା ।

 

ସାମନ୍ତ ଚିରାଚରିତ ପ୍ରଥା ଅନୁଯାୟୀ ଉଚ୍ଚସ୍ୱରରେ “ଜୟ ସୋମନାଥ” କହି ସମ୍ବୋଧନ କରିବା ସଙ୍ଗେ ସଙ୍ଗେ ନିଜ ତରବାରି କାଢ଼ି ପ୍ରସ୍ତୁତ କରି ରଖିଲେ ।

 

ବୟସ୍କ ବ୍ୟକ୍ତି ପଚାରିଲେ-‘‘କୁଆଡ଼େ ଯାଉଛ ?’’

 

ସାମନ୍ତ–‘‘ଘୋଘାଗଡ଼ ।’’

 

ଏତେବେଳକୁ ସେ ଦୁହେଁ ସାମନ୍ତଙ୍କ ପାଖାପାଖି ହୋଇଗଲେଣି ।

 

ବୟସ୍କ ବ୍ୟକ୍ତିଟି ପୁଣି ପଚାରିଲା-‘‘ତମେ ବର୍ତ୍ତମାନ କେଉଁଠୁ ଆସୁଛ ? ଝାଲୋରରୁ ?’’

 

ଏପରି ପ୍ରଶ୍ନରେ ସାମନ୍ତ ବିରକ୍ତ ହୋଇ କହିଲେ, “ଆପଣମାନେ ଏପରି ପ୍ରଶ୍ନ ବାରମ୍ବାର କାହିଁକି ପଚାରୁଛନ୍ତି ?”

 

ସାମନ୍ତଙ୍କ ପଗଡ଼ି ବନ୍ଧାରୁ ଆଗନ୍ତୁକ ଦୁହେଁ ତାଙ୍କୁ ଚିହ୍ନିଲେଣି । ସେମାନେ ପୁଣି ପଚାରିଲେ, “ଚୌହାନ, ତମେ ରାସ୍ତାରେ ହମୀର୍‍ର ସୈନ୍ୟବାହିନୀ ବିଷୟରେ କିଛି ଖବର ପାଇଛ କି ?”

 

ସାମନ୍ତ ଏଥିରେ ଆଶ୍ଚର୍ଯ୍ୟ ହୋଇ କହିଲେ, “ନାହିଁତ ! ଆପଣ ଦୁହେଁ କିଏ?”

 

“ଆମେ ଘୋର ବିଟାଲିରୁ ଆସିଛୁ । ତମେ କହୁଛ ଯେ ମ୍ଳେଚ୍ଛମାନଙ୍କୁ ବାଟରେ ଦେଖିନାହଁ-ବଡ଼ ଆଶ୍ଚର୍ଯ୍ୟ କଥା ? କୁଆଡ଼େ ଗଲେ ସେମାନେ ?”

 

ସାମନ୍ତ–‘‘ମୁଁ ଜାଣିବି କିପରି ? ମୁଁ କେବଳ ବାଟରେ ଜନହୀନ ଗ୍ରାମ ଓ ପରିତ୍ୟକ୍ତ ଘରମାନ ଦେଖି ଦେଖି ଆସିଲି ।’’

 

ବୟସ୍କ ଜଣଙ୍କ ପଚାରିଲେ, “ତେବେ ହମୀର୍‍ ଗଲା କୁଆଡେ ?”

 

ସାମନ୍ତ ପଚାରିଲେ, “ଆପଣମାନେ ହମୀର୍‍କୁ କେଉଁଠି ଭେଟିଥିଲେ ?”

 

ବୟସ୍କ ରାଜପୁତ ଜଣକ ନିର୍ମମ ହସ ହସି କହିଲେ, “ଆମେମାନେ କେଉଁଠି ଭେଟିନାହୁଁ-।”

 

ସାମନ୍ତ ପଚାରିଲେ, “ସେ କ’ଣ ତେବେ ମୁଲତାନ ପାର ହୋଇ ନାହିଁ ?”

 

ଆଗନ୍ତୁକ ଦୁଇଜଣ ପୁଣି ନିର୍ମମ ଭାବରେ ହସିଲେ । ଏହା ଦେଖି ସାମନ୍ତ କିଛି ବୁଝିନପାରି ଅଧିକ ବ୍ୟସ୍ତ ହେଲେ । ବୟସ୍କ ରାଜପୁତ ଜଣକ ସାମନ୍ତ ପାଖକୁ ଆସି ସସ୍ନେହରେ ମଧୁର ସ୍ୱରରେ କହିଲା, “ଭାଇ, ତୁମେ କାହିଁକି ଘୋଘାଗଡ଼ ଯାଉଛ ?”

 

ସାମନ୍ତ ସଗର୍ବ କହିଲେ, ‘‘ମୁଁ କାହିଁକି ଯାଉଛି? ସେଠି ମୋର ଘର ଓ ମୁଁ ଘୋଘାବାପାଙ୍କ ନାତି । ମୁଁ ସେଠାକୁ ଯିବିନାହିଁ ତ ଆଉ କେଉଁଠାକୁ ଯିବି ?”

 

ଯାତ୍ରୀ ଦୁଇଜଣ ପରସ୍ପରକୁ ନିବିଡ଼ ଭାବରେ ଚାହିଁଲେ । ବୟସ୍କ ରାଜପୁତ ଜଣକ ନିଜ ଓଟକୁ ଆଣି ସାମନ୍ତଙ୍କ ଓଟ ପାଖରେ ଲଗାଇ ସ୍ନେହରେ ତାଙ୍କ ପିଠି ଆଉଁସି କହିଲା, “ଚୌହାନ, ତମେ ଘୋଘାଗଡ଼ କେବେ ଛାଡ଼ିଲ ?”

 

ସାମନ୍ତ ଉତ୍ତର ଦେଲେ, “କାହିଁକି ? ମୁଁ ତ ସେଠାରୁ ଆସିବା ପ୍ରାୟ ତିନିମାସ ହେବ ।”

 

ବୟସ୍କ ବ୍ୟକ୍ତି-‘‘ବାପ, ଏହି ତିନିମାସ ମଧ୍ୟରେ ଭୟାବହ କାଣ୍ଡମାନ ଘଟିଗଲାଣି । ତମେ ଆମ ସାଙ୍ଗରେ ଚାଲ ।’’

 

ଏହି ରାଜପୁତ ଦୁଇଜଣଙ୍କ ମୁହଁର ଭାବଭଙ୍ଗୀ ଓ କଥା ଶୁଣି ସାମନ୍ତଙ୍କ ମନରେ ପୁଣି ଭୟର ସଞ୍ଚାର ହେଲା । ସାମନ୍ତ ପଚାରିଲେ, ‘‘କାହିଁକି ? କ’ଣ ହୋଇଛି ? ଆପଣମାନେ କିଏ ?”

 

ବୟସ୍କ ବ୍ୟକ୍ତି-‘‘ଯାହା ହୋଇଛି ତମେ ନ ଜାଣିବା ଭଲ । ତମେ ଏବେ ଆଗକୁ ନ ଯାଇ ପଛକୁ ଯାଅ । ଚୌହାନ, ଏ ତିନିମାସ ଭିତରେ ଦୁନିଆ ଓଲଟପାଲଟ ହୋଇଯାଇଛି ।’’

 

ସାମନ୍ତ–‘‘ଆପଣ ମୋତେ ଏଭଳି କାହିଁକି କହୁଛନ୍ତି ? ପ୍ରକୃତରେ କ’ଣ ହୋଇଛି ?’’

 

ବୟସ୍କ ରାଜପୁତ ଯାତ୍ରୀଙ୍କର ଆଖିରେ ଲୁହ ଦେଖାଦେଲା । ସେ କହିବାକୁ ଲାଗିଲା-‘‘କ’ଣ ନ ହେଲା, ବାପ ! ଆମର ସବୁ ଆଶା ଧୂଳିସାତ୍ ହୋଇଯାଇଛି । ଚୌହାନବଂଶର ସବୁଠାରୁ ବଡ଼ ବୀର ବାଲମଦେବଙ୍କୁ ହତ୍ୟା କରାହୋଇଛି । ତାଙ୍କ ସହିତ ପଚାଶ ହଜାର ଯୁବକ ଓ ସାହସୀ ଯୋଦ୍ଧା ମରିଛନ୍ତି । ସଫାଳଦକ୍ଷ ଶ୍ମଶାନରେ ପରିଣତ ହୋଇଛି । ରାଜା ଶାରଙ୍ଗଦେବ ଓ ରାଓ ଲକ୍ଷ୍ମଣ ଘୋର ବିଟାଲିକୁ ପଳାଇଯାଇଛନ୍ତି । ମ୍ଳେଚ୍ଛ ଜିଣିଯାଇଛି । ରାଜପୁତ ସୈନ୍ୟବାହିନୀ ନଷ୍ଟ ହୋଇଯାଇଛି ।’’

 

ସାମନ୍ତ–‘‘ମ୍ଳେଚ୍ଛ ଏବେ କେଉଁଠି ? ମୁଁ ଝାଲୋରରୁ ବର୍ତ୍ତମାନ ଆସୁଥିବାରୁ ଦୃଢ଼ଭାବେ କହିପାରେ ଯେ, ସେ ଏ ବାଟେ ଯାଇନାହିଁ ।’’

 

ବୟସ୍କ ବ୍ୟକ୍ତିଟି ତା’ର ସଙ୍ଗୀ ଯୁବକ ଆଡ଼କୁ ଚାହିଁ କହିଲା, “ତା’ହେଲେ ହମୀର୍‍ ଆମକୁ ଠକିଦେଲା ।” ତା’ପରେ ସେ ସାମନ୍ତଙ୍କ ଆଡ଼କୁ ଚାହିଁ କହିଲା, “ପୁଅ, ଆମେ କହୁଛୁ, ତୁମେ ଆମ ସାଙ୍ଗରେ ଆସ । ଶାରଙ୍ଗଦେବ ବାପୁ ତୁମକୁ ଦେଖିଲେ ଆଦର କରିବେ ।”

 

ସାମନ୍ତ–‘‘ନା, ମୁଁ ଯେତେଶୀଘ୍ର ପାରେ ଘୋଘାବାପାଙ୍କ ନିକଟକୁ ଯିବି । ଆପଣଙ୍କ ଅନୁରୋଧ ରକ୍ଷା କରିନପାରି ଦୁଃଖିତ ।

 

ଏବେ ଯୁବକ ଜଣକ ସାମନ୍ତଙ୍କୁ ରାଜି କରିବାପାଇଁ କହିଲା-‘‘ଆମ କଥା ମାନି ଆମ ସାଙ୍ଗରେ ଆସ ।’’

 

ସାମନ୍ତ–‘‘କାହିଁକି ? ଘୋଘାଗଡ଼ ସିଧା ଯିବାପାଇଁ ମୁଁ ଆଦେଶ ପାଇଛି । ତାହା ଅମାନ୍ୟ କରିବି କିପରି ? ରାତି ହେବା ଆଗରୁ ମୁଁ ଭାମୋରିଆରେ ପହଞ୍ଚିବି ।’’

 

ଯୁବକ-‘‘ନାଇଁ ଭାଇ, ଆଗକୁ କେବେ ଯାଅ ନାହିଁ ।’’

 

ସାମନ୍ତ–‘‘ମୁଁ ନିଶ୍ଚୟ ଯିବି ।’’

 

ଯୁବକ-‘‘କାହା ଆଦେଶରେ ଯାଉଛ ?’’

 

ସାମନ୍ତ–‘‘କାହା ଆଦେଶ ! ପ୍ରଭୁ ସୋମନାଥଙ୍କର ଆଦେଶ ।’’

 

ଏବେ ସେହି ବୟସ୍କ ବ୍ୟକ୍ତିଟି ସାମନ୍ତଙ୍କ ଓଟକୁ ଅଟକାଇ “କ’ଣ ଆଦେଶ ?’’ ବୋଲି ପଚାରିଲା । ସାମନ୍ତଙ୍କ ମନରେ ଏହି ଦୁଇଜଣ ରାଜପୁତଙ୍କ ପ୍ରତି ସନ୍ଦେହ ଜାତ ହେଲା । ସେମାନେ କାହିଁକି ତାଙ୍କୁ ଅଟକାଉଛନ୍ତି ? ଏହା କ’ଣ କିଛି ଷଡ଼ଯନ୍ତ୍ର ? ମୁସଲମାନ ଆକ୍ରମଣକାରୀ କ’ଣ ସେମାନଙ୍କୁ ପଠାଇଛି ?

 

ସାମନ୍ତ ନିଜ ଓଟକୁ ଆଗକୁ ଚଲାଇ ନେଇ କେବଳ ଏତିକି କହିଲେ, “ମୋର ଯାହା କହିବାର କଥା ତାହା ଘୋଘାବାପାଙ୍କୁ କେବଳ କହିବି । ଅନ୍ୟ କାହାକୁ ନୁହେଁ ।” ତାଙ୍କ ମନ ଅତିମାତ୍ରାରେ ବ୍ୟଗ୍ର ଓ ଅଧୀର ହେଲା । ଘୋଘାଗଡ଼ ଆଉ ଅଳ୍ପ ବାଟ । ଏପରି ଅବସ୍ଥାରେ ଆଉ ସେ ଫେରିବେ ବା କିପରି ?

 

ବୟସ୍କ ରାଜପୁତଟିର ଆଖି ଲୁହରେ ଛଳଛଳ ହୋଇଗଲା । ତାଙ୍କର ସେହି ଯୁବକ ସାଥୀକୁ ଚାହିଁଲା ବେଳକୁ ତା’ର ଆଖି ମଧ୍ୟ ସେହିପରି ଲୁହରେ ପୂରିଛି । ସାମନ୍ତ ଉତ୍ସାହର ସହିତ ଓଟରେ ଆଗକୁ ଅଗ୍ରସର ହେବା ପରେ ବହୁ ସମୟ ଧରି ଦୁଃଖ-ମନରେ ତାଙ୍କୁ ଚାହିଁରହିଲେ ସେ ଦୁଇଜଣ ।

 

ଭାମୋରିଆ ପାଖେଇ ଆସିବା ପର୍ଯ୍ୟନ୍ତ ସାମନ୍ତ ଆଉ କାହାରିକୁ ଦେଖିଲେ ନାହିଁ । ନାନା ଚିନ୍ତା ତାଙ୍କ ମନକୁ ଆକ୍ରାନ୍ତ କଲା । ବୋଧହୁଏ ହମୀର୍‍ ମୁଲ୍‌ତାନ ଦଖଲ କରିଗଲାଣି ଓ ସଫାଳଦକ୍ଷର ପତନ ହୋଇଛି । ଚୌହାନବଂଶର ବଡ଼ ଯୋଦ୍ଧା ବାଲମଦେବଙ୍କର ମୃତ୍ୟୁ ହୋଇଛି-। ହମୀର୍‍ ଘୋର ବିଟାଳ ନ ଯାଇ ମରୁଭୂମିବାଟେ କେଉଁ ଜାଗାକୁ ଯାଇଛି କେହି ଜାଣନ୍ତି ନାହିଁ । ବାଟକଡ଼ର ଗାଁମାନଙ୍କରୁ ଲୋକେ ପଳାଇ ଯାଇଥିବାରୁ ଘରସବୁ ଶୂନ୍‌ଶାନ ।

 

ଘୋଘାଗଡ଼ ଅବସ୍ଥା କ’ଣ ହୋଇଥିବ ? ତାହା ତ ମୁଲତାନରୁ ସଫାଳଦକ୍ଷକୁ ଯିବା ବାଟରେ । ମୁସଲମାନମାନେ କ’ଣ ଘୋଘାଗଡ଼ ଦଖଲ କରିଯାଇଛନ୍ତି ! ଆକ୍ରମଣକାରୀ ଘୋଘାଗଡ଼ ଛାଡ଼ି ସିଧା ସଫାଳଦକ୍ଷ ଯାଇଥିବ । ଘୋଘାବାପାଙ୍କ ଅବସ୍ଥା କ’ଣ ହୋଇଥିବ ? ଏହିସବୁ ଚିନ୍ତା ମନକୁ ଆସି ସାମନ୍ତଙ୍କ ମନ ଅସ୍ଥିର ହେଲା । ଆକାଶକୁ ଚାହିଁ ପ୍ରଭୁ ସୋମାନଥଙ୍କୁ ସେ ପ୍ରାର୍ଥନା କଲେ । ତାଙ୍କର ବିଶ୍ୱାସ ସେମାନେ ଯେତେବେଳେ ଦେବଦେବ ମହାଦେବଙ୍କର ଆଜ୍ଞା ପାଳନ କରୁଛନ୍ତି ସେତେବେଳେ ତାଙ୍କର ଓ ତାଙ୍କ ପରିବାରର କ’ଣ କ୍ଷତି ହୋଇପାରେ !

 

ତାଙ୍କର ପ୍ରଥମ ଆଗ୍ରହ, ଉତ୍ସାହ ଓ ଆଶା ଧୂଳିସାତ୍ ହୋଇ ଦେଖାଦେଲା ନୈରାଶ୍ୟ । ଭାମୋରିଆ ଦୁର୍ଗ ଦୃଷ୍ଟିରେ ପଡ଼ିବାକ୍ଷଣି ତାଙ୍କର ହୃଦୟରେ ପୁଣି ଆଶାର ସଞ୍ଚାର ହେଲା; କିନ୍ତୁ ଏହି ଆଶା କ୍ଷଣକ ଲାଗି । ଦୁର୍ଗ ଉପରେ ପଞ୍ଝା ପଞ୍ଝା ଶାଗୁଣା ଉଡ଼ୁଥିବାର ଦେଖି ମନ ଭୟଭୀତ ହେଲା-

 

ମରୁ ପ୍ରାନ୍ତର ମଝିରେ ଓ ସମତଳ ପତ୍ତନରୁ ୬୦୦ ଫୁଟ ଉପରେ ବିରାଟ ଶୂନ୍ୟତା ଭିତରେ ଭାମୋରିଆ ଦୁର୍ଗ ତା’ର ଚାରିପାଖରେ ଦେଖାଦେଇଥିବା ନିସ୍ତବ୍ଧତା ମନରେ ଭୟ ସଞ୍ଚାର କରୁଥାଏ । ଏପରିକି ଶାଗୁଣମାନେ ମଧ୍ୟ ଏହି ଜନମାନବହୀନ ଅଞ୍ଚଳ ଛାଡ଼ି ଅନ୍ୟଆଡ଼େ ଉଡ଼ି ଯିବାକୁ ଠିକ୍ କରିଥିବାପରି ଜଣାପଡ଼ୁଥାଏ ।

 

ଭାମୋରିଆ ଘୋଘାଗଡ଼ର ବାହାରେ ଥିବା ଗୋଟିଏ ଥାନା । ଜଣେ ସେନାପତି ଓ କେତେକ ରାଜପୁତ ସୈନ୍ୟ ସେଠାରେ ଥିଲେ । ତାଙ୍କ ଛଡ଼ା ଥିଲେ ଆଉ କେତେକ ଓଟ ରଖୁଆଳ-। ଘୋଘାବାପା ସେଠାକୁ ଗଲେ ତାଙ୍କ ରହିବାପାଇଁ ଥିଲା ଗୋଟିଏ ଛୋଟ ପ୍ରାସାଦ ଏବଂ ପ୍ରଭୁ ସେମନାଥଙ୍କର ଗୋଟିଏ ଛୋଟ ମନ୍ଦିର । ସେ ବାଟେ ଯାଉଥିବା ଯାତ୍ରୀମାନେ ଘୋଘାବାପାଙ୍କର ଆତିଥ୍ୟ ବରାବର ଉପଭୋଗ କରୁଥିଲେ । ତେଣୁ ସେଠାରେ ସବୁବେଳେ ଲୋକଗହଳି ହୋଇଥାଏ ।

 

କିନ୍ତୁ ଆଜି ଏହାର ଦ୍ୱାର ଖୋଲା । ଭିତରେ ବିରାଟ ନୀରବତା । ଗଡ଼ର ଦ୍ୱାରଦେଶରେ ଗୋଟିଏ ହେଲେ ଯାତ୍ରୀ କି ଗୋଟିଏ ଓଟ ଦେଖାଯାଉ ନାହିଁ ।

 

ଲୁହଭରା ଆଖିରେ ସାମନ୍ତ ଦୁର୍ଗର ଚାରିଆଡ଼କୁ ଦୃଷ୍ଟିନିକ୍ଷେପ କଲେ । ଅହୋରାତ୍ର ଦୁର୍ଗ ଉପରେ ଉଡ଼ୁଥିବା ପ୍ରଭୁ ସୋମନାଥଙ୍କର ଧ୍ୱଜା ଆଉ ଉଡ଼ୁ ନାହିଁ । ସାମନ୍ତ ଭୟରେ ଅଜ୍ଞାନ ହେଲା ପରି ବୋଧ କଲେ । ତା’ପରେ ନିଜର ଲୁହ ପୋଛି ଦେଇ ଚାରିଆଡ଼କୁ ପୁଣି ନିରୀକ୍ଷଣ କଲେ । ଭାମୋରିଆର ପୂର୍ବ ବିଭବ ଆଉ ନାହିଁ । ଆଜି ଏହାର ଅବସ୍ଥା ଠିକ୍‍ ଏକ ନିରାଭରଣା ବିଧବା ପରି-। ସେ ଦୁଃଖ-ମନରେ ଓଟକୁ ଦୁର୍ଗର ଦ୍ୱାରଦେଶକୁ ନେଲେ ।

 

ଦୁର୍ଗ ଆଜି ଶ୍ମଶାନ ପରି ନୀରବ । ସେ ଏବଂ ତାଙ୍କ ଓଟ ସେ ସ୍ଥାନରେ ଏହି ଦୁଇଟି ମାତ୍ର ଜୀବନ୍ତ ପ୍ରାଣୀ । ସତେ ଯେପରି ଏହା ଏକ ଭୟଙ୍କର ଗୁହାରେ ପରିଣତ ହୋଇଅଛି । ଦୁର୍ଗର କାନ୍ଥ ପୂର୍ବ ପରି ଠିଆ ରହିଥିଲେହେଁ ଗୋଟିଏ ସୁଦ୍ଧା ମଣିଷ ନାହାନ୍ତି । ତାଙ୍କ ଓଟ ଚଞ୍ଚଳ ଗତିରେ ଦୁର୍ଗ ଉପରକୁ ଉଠିଲା; କିନ୍ତୁ ତା’ର ନିଃଶ୍ୱାସ ଛଡ଼ା ଆଉ କୌଣସି ଶବ୍ଦ ଶୁଣିବାକୁ ମିଳୁ ନ ଥାଏ ।

 

ଦୁର୍ଗର ଗୋଟିଏ ଦ୍ୱାର ଭଙ୍ଗା ହୋଇଥିବା ସାମନ୍ତ ଦେଖିପାରିଲେ । ସେହିବାଟେ ଭିତରକୁ ଯାଇ ସେ ଦେଖିଲେ ଯେ ସବୁ ଶୂନ୍‍ଶାନ୍ ଓ ଖାଲି; ଗୋଟିଏ ଚେମେଣି ମାତ୍ର ଉଡ଼ୁଥାଏ । ପ୍ରତ୍ୟେକ ଜିନିଷ ଯେପରି ରହିବାର କଥା ସେହିପରି ଅଛି, କେବଳ ମଣିଷଟିଏ ଆଖ ପାଖରେ ନାହିଁ । ସାମନ୍ତ ଓଟରୁ ଓହ୍ଲାଇ ଭିତରକୁ ଗଲେ ।

 

ସେନାପତିଙ୍କ ଘର ଖୋଲା ପଡ଼ିଛି । ସେ ଦ୍ୱାରଦେଶରେ ପହଞ୍ଚି ଚମକି ପଡ଼ିଲେ । ସମ୍ପୂର୍ଣ୍ଣ ନିସ୍ତବ୍ଧତା ଭିତରୁ ଗୋଟିଏ ଶବ୍ଦ ଶୁଣାଗଲା । ଗୋଟିଏ ମୂଷା ଚଳପ୍ରଚଳ ହେଉଛି । ମଣିଷ ଦେଖି ସେ ମୂଷାଟି ମଧ୍ୟ ତା’ର ଗାତରେ ପଶିଗଲା । ସେନାପତିଙ୍କୁ ଡାକିବାକୁ ସାମନ୍ତଙ୍କର ଚେତନା ନ ଥାଏ । କିଏ କାଳେ ପଛରୁ ଆସୁଥିବ ଏହି ଆଶଙ୍କା କରି ସେ ବରାବର ପଛକୁ ଚାହୁଥାନ୍ତି ଓ ନିଜ ପାଦଶବ୍ଦରେ ସେ ନିଜେ ଚମକି ଉଠୁଥାନ୍ତି । ଛାତି ଯେପରି ପଡ଼ୁଛି ଉଠୁଛି, ସେ ସେହିପରି ଅନୁଭବ କଲେ । ଗୋଟିଏ ଗଛରେ ପତ୍ର ହଲିଉଠିଲା । ନିଜ ଅଜାଣତରେ ସେ ଡାକି ଉଠିଲେ-“କିଏ?’’ ନିସ୍ତବ୍ଧ ପ୍ରାସାଦ ଭିତରୁ ପ୍ରତିଧ୍ୱନି ଆସିଲା “କିଏ?’’

 

ତାଙ୍କର ବାପା ଏଠାରେ ଅପେଷା କରିବେ ବୋଲି କହିଥିଲେ । ତେଣୁ ସାମନ୍ତ ବାପାଙ୍କ କଥା ମନେପକାଇ ଲୁହଭରା ଆଖିରେ ଭଗ୍ନ ଦୁର୍ଗର ଚାରିଆଡ଼କୁ ଚାହିଁ “ବାପା, ବାପା’’ ବୋଲି ପାଟି କରି ଉଠିଲେ । ଏ ଡାକର ପ୍ରତିଧ୍ୱନି ମାତ୍ର ଶୁଣାଯାଇ ନିସ୍ତବ୍ଧତା ଭିତରେ ମିଳେଇଗଲା । ଓଟକୁ ଛାଡ଼ିଦେଇ ସାମନ୍ତ ମନ୍ଦିର ଭିତରକୁ ଗଲେ । ମନ୍ଦିରର ଧ୍ୱଜା-ସ୍ତମ୍ଭ କେହି ଭାଙ୍ଗି ଥିବାର ଦେଖି କ୍ରୋଧ ତଥା ଭୟରେ ସେ ଥରିଉଠିଲେ । ମନ୍ଦିର ଉପରେ ଥିବା ସୁନାର ଗମ୍ୱୁଜଟି ଭାଙ୍ଗିଯାଇଛି । ମନ୍ଦିର ଭିତରେ ଥିବା ମୁଗୁନି ପଥରର ସୁନ୍ଦର ବୃଷଭ ମୂର୍ତ୍ତିଟି ମଧ୍ୟ ଭଙ୍ଗା ହୋଇଛି ।

 

ସାରା ଦୁନିଆଟା ନଷ୍ଟ ହୋଇଗଲା ଭଳି ସାମନ୍ତ ଅନୁଭବ କଲେ । ଭୟ ଓ ଆଶଙ୍କାରେ ତାଙ୍କର ଆଖି ରକ୍ତାଭ ହୋଇଉଠିଲା ଓ ସେ ନିଶ୍ୱାସ ରୁଦ୍ଧ ହେଲା ଭଳି ଅନୁଭବ କଲେ ।

 

ତାଙ୍କର ମନେହେଲା ସେ ଯେପରି ଚେତନାହୀନ ହୋଇଯିବେ । ସାମନ୍ତ ମନ୍ଦିର ଭିତରକୁ ଯାଇ ନିରାଶ୍ରୟଭାବେ ପ୍ରଭୁ ସୋମନାଥଙ୍କୁ ଡାକିଲେ ଓ “ଶମ୍ଭୁ,ଶମ୍ଭୁ, ଶମ୍ଭୁ’’ ବେ।ଲି ଚିତ୍କାର କଲେ । ପ୍ରତ୍ୟୁତ୍ତରରେ କେବଳ ପ୍ରତିଧ୍ୱନି ଶୁଣାଗଲା “ଶମ୍ଭୁ,ଶମ୍ଭୁ, ଶମ୍ଭୁ ।’’ ସେ ଭଗବାନଙ୍କ ମୂର୍ତ୍ତି ନିକଟକୁ ଗଲେ । ଆଖିରେ ଲୁହ ଏପରି ପୂରିଗଲା ଯେ, ସେ କିଛି ଦେଖିପାରିଲେ ନାହିଁ । ବଂଶର ଇଷ୍ଟ-ଦେବତାଙ୍କ ଶରଣାପନ୍ନ ହୋଇ ସାନ୍ତ୍ୱନା ଲାଭ ଲାଗି ସାମନ୍ତ ପ୍ରାର୍ଥନା କଲେ ଓ ଉଚ୍ଚ ସ୍ୱରରେ କାନ୍ଦି କାନ୍ଦି ବହୁ ସମୟ ପର୍ଯ୍ୟନ୍ତ ତଳେ ପଡ଼ିରହିଲେ । କିଛି ସମୟ ପରେ ସେ ପୁଣି ଉଠି ଠିଆହେଲେ ।

 

ମନ୍ଦିର ଭିତରେ ଘନ ଅନ୍ଧକାର । ସେହି ଅନ୍ଧକାର ଭିତରେ ଚାରିଆଡ଼କୁ ଦୃଷ୍ଟି ପକାଇ ସାମନ୍ତ ଭୟଭୀତ ହୋଇ ପାଟି କରିଉଠିଲେ । ସୋମନାଥଙ୍କ ମୂର୍ତ୍ତି ଖଣ୍ତ ଖଣ୍ତ ହୋଇ ଭଙ୍ଗା ହୋଇଥିବାର ଦେଖି ସେ ପାଗଳ ପରି ଏପାଖ ସେପାଖ ହେଲେ ଓ ଚେତନାହୀନ ହେଲା ପରି ସେ ପଡ଼ିଗଲେ । କାନ୍ଥରେ ଭରା ଦେଇ ସାମନ୍ତ ଉଠିବାକୁ ଚେଷ୍ଟାକଲେ; କିନ୍ତୁ ପୁଣିଥରେ ପଡ଼ିଗଲେ । ପଡ଼ିଗଲାବେଳେ ସେ ଅନୁଭବ କଲେ ଯେପରି ଜଣେ ବୃଦ୍ଧ ଭଙ୍ଗା ମୂର୍ତ୍ତିଟିର ପଛରେ ହାତରେ ଏକ ଦୀପ ଧରି ଠିଆହୋଇଛନ୍ତି । ଏହି ବୃଦ୍ଧଙ୍କୁ ପୂର୍ବରୁ କେଉଁଠାରେ ଦେଖିଥିଲା ପରି ତାଙ୍କର ମନେପଡ଼ୁଥିଲେ ସୁଦ୍ଧା କେଉଁଠାରେ ଓ କେଉଁ ଅବସ୍ଥାରେ ଦେଖିଛନ୍ତି, ସେତେବେଳର ମାନସିକ ଅବସ୍ଥାରେ ସେ ଠିକ୍ ମନେପକାଇ ପାରିଲେ ନାହିଁ । ଗୋଟିଏ ବାଦୁଡ଼ି ତାଙ୍କ ଦେହରେ ବାଜି ଉଡ଼ି ଚାଲିଗଲା । ସେ ଚିତ୍କାର କରି ପୁଣି ଥରେ ସଂଜ୍ଞାହୀନ ହୋଇ ପଡ଼ିଗଲେ ।

Image

 

ବିପନ୍ନ ଘୋଘାଗଡ଼

 

ସାମନ୍ତ ଏହି ଅବସନ୍ନ ଅବସ୍ଥାରେ କଳ୍ପନାରେ ଦେଖିଲେ, ଗୋଟିଏ ସୁନ୍ଦରୀ ଯୁବତୀ ଈଷତ୍‍ ହାସ୍ୟସହକାରେ ତାଙ୍କର କପାଳରେ ପବିତ୍ର ଚିତାଭସ୍ମ ଲଗାଇଦେଉଛି ଓ ତାହାର ମଧୁର କଣ୍ଠରେ କହୁଛି, “ହେ ମୋର ସାହସୀବନ୍ଧୁ ଶୀଘ୍ର ଫେରିଆସ ।’’

 

ସାମନ୍ତ ଚେତନା ଲାଭ କରି ଅନୁଭବ କଲେ ତାଙ୍କର ମୁଣ୍ତ ଏପର୍ଯ୍ୟନ୍ତ ବଥାଉଛି, ଯଦିଓ ବ୍ୟଥା ଆଗପରି ସେତେ ନାହିଁ । ସେ ଅନୁଭବ କଲେ, କିଏ ତାଙ୍କୁ କ’ଣ ପିଆଇବାକୁ ଚେଷ୍ଟା କରୁଛି-। ଏହା କାହାର ହାତ ? ତାଙ୍କର ମୁଣ୍ତ ବଥାଉଥିବା ବେଳେ ତାହା ଛଡ଼ା ଆଉ କିଏ ଶାନ୍ତି ଦେବାକୁ ଚେଷ୍ଟା କରିବ? ସେ ଜୋରରେ ହାତଟିକୁ ଧରିନେଲେ ଓ ଭାବିଲେ ଯେ ପର୍ଯ୍ୟନ୍ତ ସେ ବଞ୍ଚିଛନ୍ତି, ଏହି ହାତ ଆଉ ଛାଡ଼ିବେ ନାହିଁ ।

 

ଜଣେ କିଏ ତାଙ୍କର କପାଳକୁ ଆଉଁସି ଦେବାପରି ମନେହେଲା । ସେ ଆଖି ଖୋଲି ଦେଖିବାକୁ ଚେଷ୍ଟାକଲେ; କିନ୍ତୁ ପାରିଲେ ନାହିଁ । ସାମନ୍ତ ପୁଣିଥରେ ସେହି ସୁନ୍ଦର ଉଜ୍ଜ୍ୱଳ ମୁଖଟିକୁ ଦେଖିବାକୁ ଚେଷ୍ଟା କଲେ । କିନ୍ତୁ ଦେଖିଲେ ତାଙ୍କର ଶୁଶ୍ରୂଷାକାରୀ ଜଣେ ଶୁକ୍ଳ-ଶ୍ମଶ୍ରୁ ବୃଦ୍ଧ । କେହି ଜଣେ ପରିଚିତ ବ୍ୟକ୍ତି ପରି ମନେହେଉଥାନ୍ତି । ବୃଦ୍ଧ ସ୍ନେହଭରା ଆଖିରେ ତାଙ୍କୁ ଚାହିଁଥାନ୍ତି । ଉଭୟଙ୍କ ଆଖିରେ ଲୁହ ।

 

ସାମନ୍ତ ବହୁ କଷ୍ଟରେ ଆଖି ଖୋଲି ଅନାଇ ବୃଦ୍ଧଙ୍କୁ ଚିହ୍ନିପାରିଲେ । ଏ ହେଉଛନ୍ତି ରାଜପରିବାରର ପୁରୋହିତ; ଯାହାଙ୍କଠାରୁ ସେ ଲେଖାପଢ଼ା ତଥା କୌଳିକ ବିଧିମାନ ଶିକ୍ଷା ପାଇଥିଲେ । “ନନ୍ଦୀଦତ୍ତ, ରାଜଗୁରୁ !” ଏହି ସମ୍ୱୋଧନ କରି ସାମନ୍ତ ବସିବାକୁ ଚେଷ୍ଟା କଲେ; କିନ୍ତୁ ଛାତିରେ ଭୀଷଣ କଷ୍ଟ । ନନ୍ଦୀଦତ୍ତ ତାଙ୍କୁ ଧରି ବସାଇବା ପରେ ସେ ଚାରିଆଡ଼କୁ ଭୟରେ ଚାହିଁଲେ ।

 

ସାମନ୍ତ ଚେତନା ଲାଭକରି ଭାବିଲେ-ସେ ବସିଥିବା ସ୍ଥାନଟି କ’ଣ ଭାମୋରିଆ ଦୁର୍ଗ ? ଏ କ’ଣ ସେହି ଶିବ ମନ୍ଦିର ? ଏ କ’ଣ ସେହି ସ୍ଥାନ ଯେଉଁଠାରେ ମୂର୍ତ୍ତମାନ ଖଣ୍ତବିଖଣ୍ତ ହୋଇଥିବା ସେ ଦେଖିଥିଲେ ? ବୃଦ୍ଧ ରାଜଗୁରୁ ତାଙ୍କୁ ଏକଧ୍ୟାନରେ ଚାହିଁଥାନ୍ତି । ତାଙ୍କ ଛଡ଼ା ତ ସେଠାରେ ସବୁ ନିର୍ଜୀବ ।

 

ବୃଦ୍ଧ ରାଜଗୁରୁ କହିଲେ, “ବତ୍ସ ! ସ୍ଥିର ହୁଅ । ବହୁ ଘଟଣା ଘଟିଯାଇଛି ଏବଂ ଆଗରେ ଅନେକ ଗୁରୁଦାୟିତ୍ୱ । ଅଧୈର୍ଯ୍ୟ ହୁଅ ନାହିଁ ।’’

 

ସାମନ୍ତ–‘‘ରାଜଗୁରୁ, କ’ଣ ସବୁ ଘଟିଛି ମୋତେ କୁହନ୍ତୁ । ଦୁର୍ଗ ଓ ଶିବମନ୍ଦିରର ଆଜି ଏ ଅବସ୍ଥା କାହିଁକି ? ସବୁ କାହିଁକି ଭାଙ୍ଗିରୁଜି ଯାଇଛି ? କୁହନ୍ତୁ, ଘୋଘାବାପାଙ୍କ ବାଣୀ କ’ଣ ଆଉ ଶୁଣିବାକୁ ପାଇବି ନାହିଁ ?’’

 

ନନ୍ଦୀଦତ୍ତ-‘‘ବତ୍ସ ! ଧୈର୍ଯ୍ୟ ଧରିବା ଛଡ଼ା ଅନ୍ୟ ଉପାୟ ନାହିଁ । ସୃଷ୍ଟିରେ ପ୍ରଳୟ କାଳ ଆସି ପହଞ୍ଚିଛି । ଏ ବିନଷ୍ଟ ସୃଷ୍ଟିରେ କେବଳ ଆମେ ଦୁହେଁ ।’’

 

ସାମନ୍ତ–‘‘ଘୋଘାବାପା କେଉଁଠାରେ ଅଛନ୍ତି ମୋତେ କହନ୍ତୁ ।’’

 

ନନ୍ଦୀଦତ୍ତ-‘‘ମୋର ମୁନିବ ବୀର ଘୋଘାବାପା ବର୍ତ୍ତମାନ ସ୍ୱର୍ଗରେ ।’’

 

ସାମନ୍ତ–‘‘ଆଉ ଅନ୍ୟମାନେ ? ଆଜି ଏ ଦୁର୍ଗ କାହିଁକି ଏପରି ଶୂନ୍‍ଶାନ୍‍ ? ଶୀଘ୍ର କହନ୍ତୁ ରାଜଗୁରୁ !’’

 

ନନ୍ଦୀଦତ୍ତ-‘‘କହିବି ? ଶୁଣିବାକୁ ଧୈର୍ଯ୍ୟ ଅଛି ବାପ ?’’

 

ସାମନ୍ତ–‘‘କହନ୍ତୁ ରାଜଗୁରୁ ! କ’ଣ ସବୁ ହେଲା ମୁଁ ଶୁଣିବାକୁ ବ୍ୟଗ୍ର ।’’

 

ନନ୍ଦୀଦତ୍ତ-‘‘ତା’ ହେଲେ ଶୁଣ-ଏଭଳି କଥା ଶୁଣିବାକୁ ପଡ଼ିବ ଯାହାକି କଳ୍ପନା କରିନଥିବ-। କିନ୍ତୁ ତା’ ପୂର୍ବରୁ ପ୍ରଥମେ ଏହି ଔଷଧ ଖାଇଦିଅ । ଏଥିରେ ଶାନ୍ତି ମିଳିବ । ନିଅ, ପିଇଦିଅ ବାପ-!’’

 

ନନ୍ଦୀଦତ୍ତଙ୍କ ନିର୍ଦ୍ଦେଶମତେ ସାମନ୍ତ ଔଷଧ ଖାଇଲେ । ସେ ଔଷଧତକ ଖାଇସାରିବା ପର୍ଯ୍ୟନ୍ତ ନନ୍ଦୀଦତ୍ତ ସ୍ନେହରେ ତାଙ୍କୁ ଚାହିଁଥାଆନ୍ତି । ତା’ପରେ ସେ ସୁବିସ୍ତୃତଭାବେ ଅତୀତ ଘଟଣା କହିବାକୁ ଆରମ୍ଭ କଲେ ।

 

‘’ସାମନ୍ତ ! ଯାହାସବୁ ଘଟିଯାଇଛି ତାହା କହିଲାବେଳକୁ ମୋ ଛାତି ଫାଟିଯାଉଛି; କିନ୍ତୁ ତା’ସତ୍ତ୍ୱେ ମୁଁ କହିବି । ବୋଧହୁଏ ଏଭଳି ଘଟଣା ପୂର୍ବରୁ କେବେ ଶୁଣାନଥିଲା ବା କୌଣସି ଗ୍ରନ୍ଥରେ ଲେଖାଯାଇନାହିଁ । ସୂର୍ଯ୍ୟବଂଶର ଗୌରବ ସବୁବେଳେ ସମ୍ପୂର୍ଣ୍ଣ ଅକ୍ଷୁର୍ଣ୍ଣ ରହିଆସିଛି । କିନ୍ତୁ ଘୋଘାବାପାଙ୍କ ବୀରତ୍ୱ ଆଗରେ ତାହା କିଛି ନୁହେଁ । ମୋର ଦୁର୍ଭାଗ୍ୟ ଯେ, ଏହି ହୃଦୟ-ବିଦାରକ ଘଟଣା ନିଜ ଆଖିରେ ଦେଖିଲି ଓ ତୁମକୁ କହିବାକୁ ବଞ୍ଚିଛି ।’’

 

ସାମନ୍ତ ଅଧୈର୍ଯ୍ୟ ହୋଇ ପୁଣି କହିଲେ, ‘‘ରାଜଗୁରୁ, ମୁଁ ଯିବାପରଠାରୁ ଯାହା ସବୁ ଘଟିଛି କୁହନ୍ତୁ ।’’

 

ନନ୍ଦୀଦତ୍ତ-‘‘ତୁମକୁ ଓ ତୁମର ବାପାଙ୍କୁ ବିଦାୟ ଦେବାକୁ ମୁଁ ଆସିଥିଲି, ମନେଅଛି ? ତୁମକୁ ବିଦାକରି ଫେରିଯିବା ପରେ ଘୋଘାବାପାଙ୍କର ଓ ମୋର ବହୁ ସମୟ ଧରି ତୁମ ଦୁହିଙ୍କ ବିଷୟରେ କଥାବାର୍ତ୍ତା ହେଲା । ତୁମେ ଦୁହେଁ ଯେ ପରିବାରର ଯଶ ବଜାୟ ରଖିବ ଏ ବିଷୟରେ ବାପାଙ୍କରପୂର୍ଣ୍ଣ ବିଶ୍ୱାସ ଥିଲା ।’’

 

ସାମନ୍ତ–‘‘ତାହାପରେ ?’’

 

ନନ୍ଦୀଦତ୍ତ-“କିଛିଦିନ ପରେ ଆମେ ଶୁଣିଲୁ ପ୍ରଭୁ ସୋମନାଥଙ୍କ ମନ୍ଦିର ଧ୍ୱଂସ କରିବାକୁ ଗଜନୀର ହମୀର୍‍ ବିରାଟ ସୈନ୍ୟବାହିନୀ ସହ ଆସୁଛି । ଏକଥା ଶୁଣି ଆମେ ଭାରି ହସିଲୁ...।” ଏତିକି କହିସାରି ରାଜଗୁରୁ ନିଶ୍ୱାସ ନେଇ ପୁଣି କହିଲେ, “ଏ ଖବର ଶୁଣି ଘୋଘାବାପା ତାଙ୍କ ନିଶ ମୋଡ଼ି, ବେଖାତିର ହସ ହସି କହିଲେ, ‘ହଁ ଆ ବେଟା, ଆସିଲେ ଲେହକୋଟରେ ଭୀମପାଳ ଅଛି ସ୍ୱାଗତ କରିବାକୁ । ମୁଲତାନରେ ଅଜୟ ସିଂହ ବସିଛି ତୋ କଥା ବୁଝିବ । ମରୁଭୂମି ଦ୍ୱାରରେ ମୁଁ, ସଫାଳଦକ୍ଷରେ ମୋ ମାଉସୀପୁଅ ଭାଇ ବାଲମଦେବ ଅଛି । ଏହାସତ୍ତ୍ୱେ ଯେବେ ତୁ ଆସିବାକୁ ସାହସ କରିବୁ, ତେବେ ବେଶ୍ ସ୍ୱାଦ ଚଖାଇବି ।’’

 

ସାମନ୍ତ–‘‘ତା’ପରେ ?’’

 

ନନ୍ଦୀଦତ୍ତ-‘‘ଅଳ୍ପ କେତେଦିନ ଭିତରେ ପ୍ରଥମ ଦୁଃସମ୍ୱାଦ ଆସିଲା ଯେ ଜୟପାଳର ପୁଅ କାପୁରୁଷ ଭୀମପାଳ ନିଜକୁ ମ୍ଳେଚ୍ଛ ପାଖରେ ବିକି, ବିନା ବାଧାରେ ତା’ର ରାଜ୍ୟ ଅତିକ୍ରମ କରିବାକୁ ହମୀର୍‍କୁ ବାଟ ଛାଡ଼ିଦେଲା ଓ ନିଜକୁ ରକ୍ଷା କରିବାକୁ ଯାଇ ଅନ୍ୟ ସମସ୍ତଙ୍କୁ ବିପଦରେ ପକାଇ ଦେଲା ।’’ବୃଦ୍ଧ ଆସ୍ତେ ଆସ୍ତେ ମୁଣ୍ତ ହଲାଇଲେ । ସାମନ୍ତ କିଛି କହିଲେ ନାହିଁ; କାରଣ ଏହିପରି କାପୁରୁଷତା ଅନ୍ୟ ଘଟଣାରୁ ସେ ଜାଣିଛନ୍ତି ।

 

ନନ୍ଦୀଦତ୍ତ କହିବାକୁ ଲାଗିଲେ-“ମୁଲତାନରେ ମଧ୍ୟ ଆକ୍ରମଣକାରୀକୁ ସ୍ୱାଗତ କରାଗଲା-। ସୂର୍ଯ୍ୟ ଓ ଚନ୍ଦ୍ର ବଂଶୀୟମାନେ ନିର୍ଲଜ୍ଜଭାବେ ଆକ୍ରମଣକାରୀର ଶରଣ ପଶିଲେ । ଗଜନୀର ହମୀର୍‍ ମୁଲତାନରେ କିଛିଦିନ ବିଶ୍ରାମ ନେଇ ବେଶ୍‍ ଆମୋଦ-ପ୍ରମୋଦ କଲା । ରାଜପୁତମାନେ ନିଜର କର୍ତ୍ତବ୍ୟ, ଦେବତା ଓ ଗୋ-ବ୍ରାହ୍ମଣଙ୍କୁ ରକ୍ଷା କରିବା ଭୁଲିଯାଇ ଶତ୍ରୁ ସଙ୍ଗେ ଯୋଗ ଦେଲେ । ତା’ପରେ ଆକ୍ରମଣକାରୀ ହମୀର୍‍ ଘୋଘାବାପାଙ୍କ ନିକଟକୁ ଖବର ଦେଲା ।”

 

ସାମନ୍ତ–‘‘କ’ଣ ଖବର ଦେଲା ?’’

 

ନନ୍ଦୀଦତ୍ତ-‘‘ଖବର ଆସି ପହଞ୍ଚିଲାବେଳକୁ ଆମେ ସମସ୍ତେ ରାଜାଙ୍କ ନବରରେ ଥିଲୁ । ଆକ୍ରମଣକାରୀ ମୁଲତାନରେ ପହଞ୍ଚିବା ଦିନଠାରୁ ଘୋଘାବାପା ନୀରବ ରହି କାହା ସହିତ କିଛି କଥାବାର୍ତ୍ତା କରୁନଥାନ୍ତି । ସେ ଯେତେବେଳେ ରାଗିଯାନ୍ତି କିପରି ଦିଶନ୍ତି ତାହା ତୁମେ ଜାଣିଛ । ତାଙ୍କ ଆଖି ଦୁଇଟି କ୍ରୋଧରେ ଲାଲ ଟହଟହ ଦିଶୁଥିଲେ ସୁଦ୍ଧା ସେ ମୁହଁ ବନ୍ଦ କରି ରହିଥାନ୍ତି । ତାଙ୍କର ଏପରି କ୍ରୋଧ-ମୁହୂର୍ତ୍ତରେ ମୋ ଛଡ଼ା ତାଙ୍କ ସହିତ ଆଉ କେହି କଥାବାର୍ତ୍ତା କରିବାକୁ ସାହସ କରନ୍ତି ନାହିଁ । ସେ ଏଥର ଏପରି ରାଗିଥିଲେ ଯେ ମୁଁ ମଧ୍ୟ ତାଙ୍କ ସଙ୍ଗେ କଥାବାର୍ତ୍ତା କରିବାକୁ ସାହସ କଲି ନାହିଁ ।’’

 

ସାମନ୍ତ–‘‘ଏହି ଖବର ଆସିବାବେଳେ କ’ଣ ହେଲା ମୋତେ କହନ୍ତୁ ।’’

 

ନନ୍ଦୀଦତ୍ତ–‘‘ଦୁଇଜଣ ଲୋକ ଆସିଥାନ୍ତି । ଜଣେ ଉଚ୍ଚ କ୍ଷମତାଶାଳୀ ଓ ଉଦ୍ଧତ-ତା’ ନାଁ ହେଉଛି ସାଲାର ମାସୁଦ ଓ ଅନ୍ୟ ବ୍ୟକ୍ତିଟି ନିଜ ଧର୍ମ ତଥା ଦେଶପ୍ରତି ବିଶ୍ୱାସଘାତକତା କରିଥିବା ଜଣେ ମଧ୍ୟମ ବୟସ୍କ ଲୋକ ।’’

 

ସାମନ୍ତ–‘‘ସେ କ’ଣ ରାଜପୁତ ?’’

 

ନନ୍ଦୀଦତ୍ତ-‘‘ନାଁ, ସେ ଜାତିରେ ନାପିତ । ହମୀର୍‍ ପାଖରେ ରହି କିଛି ସମ୍ମାନ ପାଇଛି । ସେ ଦୋଭାଷୀର କାର୍ଯ୍ୟ କରେ । ତା’ର ନାମ ଥିଲା ତିଳକ । ସେ ସିଧା ଆମ ପାଖକୁ ଆସି ହୀରା-ନୀଳାରେ ପୂର୍ଣ୍ଣ ଗୋଟିଏ ବଡ଼ ସୁସଜ୍ଜିତ ଡାଲା ଘୋଘାବାପାଙ୍କ ଆଗରେ ରଖିଲା । ବହୁ ସମୟ ପର୍ଯ୍ୟନ୍ତ ଘୋଘାବାପା କିଛି କଥା କହିନପାରି ତାକୁ ଚାହିଁ ରହିଲେ । ଏହି ଡାଲା ଆଣିବାର ଉଦ୍ଦେଶ୍ୟ କ’ଣ ବୋଲି ମୁଁ ତିଳକକୁ ପଚାରିଲି । ଦୁଇହାତ ଯୋଡ଼ି ତିଳକ ଆସ୍ତେ ଆସ୍ତେ କହିଲା, “ଘୋଘାରାଣା, ଗଜନୀର ସୁଲତାନ ୟାମିନୁଦ୍ଦୂଲ୍ଲା ଆପଣଙ୍କ ସମ୍ମାନାର୍ଥେ ଏହି ଉପହାର ପଠାଇଛନ୍ତି-।” ଏହା ଶୁଣି ଘୋଘାବାପାଙ୍କ ନିଶ ଟାଙ୍କୁରି ଉଠିଲା; କିନ୍ତୁ ତାଙ୍କ ମୁହଁରୁ ପଦେ ସୁଦ୍ଧା କଥା ବାହାରିଲା ନାହିଁ ।’’

 

ତାଙ୍କ ଆସିବାର ଉଦ୍ଦେଶ୍ୟ କ’ଣ ମୁଁ ପଚାରିଲି । ତହୁଁ ତିଳକ ହାତଯୋଡ଼ି ଆସ୍ତେ ଆସ୍ତେ କହିଲା, “ଏହି ମରୁଭୂମି ଦେଇ ପ୍ରଭାସକୁ ଯିବାଲାଗି ତାଙ୍କୁ ଅନୁମତି ଦିଆଯିବାପାଇଁ ଗଜନୀର ହମୀର୍‍ ଘୋଘାଗଡ଼ ଶାସକଙ୍କୁ ଅନୁରୋଧ କରିଛନ୍ତି ।”

 

ଲୋକଟି ତାହାର କଥା ସାରିଛି କି ନାହିଁ ଘୋଘାବାପା ନିଜ ନିଶରେ ହାତ ଦେଲେ । ତାଙ୍କର ଆଖି ଲାଲ ହୋଇଗଲା-ସତେ ଯେପରି ଅଗ୍ନିଶିଖା ବାହାରିବ, ସେହିପରି ମୋତେ ଲାଗିଲା-। ଅଶୀ ବର୍ଷ ଧରି ଯେଉଁ ଲୋକ କାହାରି ଆଗରେ ମୁଣ୍ତ ନୁଆଇଁ ନାହିଁ, ସେ ଆଜି ଜଣେ ବିଦେଶୀ ଆଗରେ କିପରି ବା ମୁଣ୍ତ ନୁଆଇଁବ?

 

ବାପା ତାଙ୍କର ନିଶ ମୋଡ଼ୁଥାନ୍ତି ଏବଂ ତିଳକ ଉତ୍ତର ପାଇବା ଆଶାରେ ହାତ ଯୋଡ଼ି ଠିଆ ହୋଇଥାଏ । କିଛି ସମୟ ପାଇଁ ସମସ୍ତେ ନୀରବ ରହିଲେ-କେହି ପାଟି ଫିଟାଇ ପଦେ ହେଲେ କିଛି କହିଲେ ନାହିଁ । ଠିକ୍‍ ଝଡ଼ ହେବା ପୂର୍ବରୁ ଯେପରି ଘଡ଼ଘଡ଼ି ମାରେ, ସେହିପରି ସ୍ୱରରେ ଘୋଘାବାପା କହିଲେ, “ପ୍ରଭୁ ସୋମନାଥଙ୍କୁ ଧ୍ୱଂସ କରିବାପାଇଁ ତୋ ହମୀର୍‍ ମୋ ରାଜ୍ୟ ଭିତର ଦେଇ ଯିବାକୁ ଅନୁମତି ଚାହେଁ ଏବଂ ସେଥିପାଇଁ ମୋତେ ଏହି ସବୁ ଜିନିଷ ଲାଞ୍ଚସ୍ୱରୂପ ପଠାଇଛି, ନା ?”

 

ସାଲାର ମାସୁଦ ତା’ର ନିଶ ମୋଡ଼ୁଥାଏ । ତିଳକ ଜବାବ ଦେଲା, “ହଁ ବାପା !”

 

ତା’ପରେ ଘଡ଼ଘଡ଼ି ମାରିଲା ପରି ଘୋଘାବାପା ପାଟିକରି ଉଠିଲେ, “ଯା, ତୋ ମୁନିବକୁ କହିବୁ, ଯେ ପର୍ଯ୍ୟନ୍ତ ଘୋଘାବାପା ଶରୀରରେ ବିନ୍ଦୁଏମାତ୍ର ରକ୍ତ ଥିବ, ସେ ପର୍ଯ୍ୟନ୍ତ ସେ ଏହି ମରୁଭୂମି ଦେଇ ଯିବାକୁ ତାକୁ ଅନୁମତି ଦେବ ନାହିଁ ।” ଏହା କହି ତାଙ୍କ ଆଗରେ ଥୁଆ ହୋଇଥିବା ହୀରା, ନୀଳା ପ୍ରଭୃତିର ଡାଲାକୁ ସେ ପଦାଘାତ କଲେ ।

 

ସାମନ୍ତ–‘‘ଠିକ୍‍ କରିଛନ୍ତି ।’’

 

ନନ୍ଦୀଦତ୍ତ-‘‘ସେତେବେଳେ ଘୋଘାବାପାଙ୍କ ଚେହେରା ସୃଷ୍ଟିର ସଂହାରକର୍ତ୍ତା ଶିବଙ୍କ ପରି ଠିକ୍‍ ଦିଶୁଥାଏ । ତାଙ୍କ ଆଖି ଦୁଇଟି ରକ୍ତ ପରି ଲାଲ । ମୁହଁ ଠିକ୍‍ ପଥର ପରି ଶକ୍ତ ଦିଶୁଥାଏ ଏବଂ ହାତରେ ଯୁଦ୍ଧୋନ୍ମତ୍ତ ପରଶୁରାମଙ୍କ ପରି ଶକ୍ତି ପରିପୂର୍ଣ୍ଣ ହୋଇଯାଇଥାଏ । ସେ ଆଉ ପଦେ ସୁଦ୍ଧା କଥା ନ କହି ସଭା ଛାଡ଼ି ଚାଲିଗଲେ । ପ୍ରହରୀମାନେ ପରସ୍ପରକୁ ଚାହିଁ ଅସ୍ୱସ୍ତି ଅନୁଭବ କଲେ ।’’

 

ପନ୍ଦରଦିନ ଯାଏ ଆଗତପ୍ରାୟ ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ ହେଲୁ । ଦୁର୍ଗକୁ ମରାମତି କରି ନିଜ ନିଜର ଅସ୍ତ୍ରଶସ୍ତ୍ର ପଜାଇ ପ୍ରସ୍ତୁତ କଲୁ । ଭାଟମାନେ ଆମର ଅତୀତ ଗୌରବ ବର୍ଣ୍ଣନା କରି ଗୀତ ଗାଇ ବୁଲିଲେ ଏବଂ ଆମେ ତାହା ଶୁଣିଲୁ । ଯୋଦ୍ଧାମାନେ ଯୁଦ୍ଧଭୂମିକୁ ଯିବାକୁ ପ୍ରସ୍ତୁତ ହୋଇଗଲେ । ଯୁବତୀମାନେ ନିଜ ନିଜର ସ୍ୱାମୀମାନଙ୍କୁ ବୀରତ୍ୱର ସହିତ ଯୁଦ୍ଧ କରିବାପାଇଁ ଉତ୍ସାହିତ କରିବା ଦିଗରେ ପରସ୍ପର ସହ ପ୍ରତିଯୋଗିତା କଲେ । ଯୁଦ୍ଧରେ ବିଜୟ ଲାଭପାଇଁ ମୁଁ ମନ୍ଦିରରେ ପ୍ରାର୍ଥନା କଲି ।

 

ଦିନେ ଆମେ ମୁଲତାନ ଆଡ଼କୁ ଚାହିଁ ଦୁର୍ଗ ଉପରେ ଠିଆ ହୋଇଛୁ ଠିକ୍‍ ଏହି ସମୟରେ ଗଜନୀର ହମୀର୍‍ର ବିରାଟ ସୈନ୍ୟବାହିନୀ ଆସୁଥିବା ଦୂର ଦିଗ୍‍ବଳୟରେ ଦେଖାଗଲା-। ମୁଁ ଏହା ଦେଖି ଡରିଗଲି । ଏତେବଡ଼ ସୈନ୍ୟବାହିନୀ କାହାରି ଥିବା ମୁଁ କଳ୍ପନା କରିନଥିଲି । ମୁଁ ଘୋଘାବାପାଙ୍କୁ ଚାହିଁଲି । ତାଙ୍କ ଆଖି ଲାଲ ହୋଇଗଲା । ତାଙ୍କ ଡାହାଣ ହାତ ଖଣ୍ତା ଉପରେ ଯାଇ ପଡ଼ିଲା । ମୁଁ କହିଲି, “ବାପା, ହମୀର୍‍ର ସୈନ୍ୟବାହିନୀ ଏତେବଡ଼ ବୋଲି ମୁଁ ଭାବିନଥିଲି ।”

 

ଘୋଘାବାପା ବଡ଼ ହସଟାଏ ହସି କହିଲେ, “ନନ୍ଦୀଦତ୍ତ, ଯେ ପର୍ଯ୍ୟନ୍ତ ପ୍ରଭୁ ଆମକୁ ସାହାଯ୍ୟ କରୁଛନ୍ତି ଆମର କିଏ କ’ଣ କରିପାରିବ !” ଶତ୍ରୁ ସୈନ୍ୟ ଆସୁଥିବା ଦିଗକୁ ଅନାଇ ମୋ ହାତ ଧରି ସେ କହିଲେ, “ବ୍ରାହ୍ମଣ ଦେବତା, ତୁମେ ହେଉଛ ଆମର କୁଳ ପୁରୋହିତ । ତୁମ କଲ୍ୟାଣରୁ ଆମ ପରିବାରର ଉନ୍ନତି ହୋଇଛି । ଗୋଟିଏ କାମପାଇଁ ମୋତେ ଜବାବ ଦିଅ ।”

 

ମୁଁ ପ୍ରତିଶ୍ରୁତି ଦେଲି । ତା’ପରେ ଘୋଘାବାପା ମୋତେ ଆସ୍ତେ ଆସ୍ତେ କହିଲେ, “ଯାହାକିଛି ହେଉ ପଛକେ ନିଜର ନିଷ୍ପତ୍ତି ମୁଁ ବଦଳାଇବି ନାହିଁ । ହମୀର୍‍କୁ ମୋ ରାଜ୍ୟ ଦେଇ ଯିବାକୁ ଚକେ ସୁଦ୍ଧା ଜମି ଛାଡ଼ିବି ନାହିଁ । ମୋର ଯେବେ ମୃତ୍ୟୁ ହୁଏ, ତା’ ହେଲେ ମୋର ଦାହର ବ୍ୟବସ୍ଥା କରିବ ଏବଂ ମୋର ପୁଅ ସଜ୍ଜନ ଓ ନାତି ସାମନ୍ତକୁ ଗୟାରେ ମୋର ପିଣ୍ତ ଦେବାପାଇଁ କହିବ ।”

 

ମୁଁ ଜବାବ ଦେବାକୁ କୁଣ୍ଠାବୋଧ କଲି । ଯାହାଙ୍କ ପାଖରେ ମୁଁ ଜୀବନବ୍ୟାପୀ ସେବା କରିଛି ତାଙ୍କର ଯେବେ ମୃତ୍ୟୁ ହୁଏ, ମୁଁ ବା କାହିଁକି ବଞ୍ଚିରହିବି ? କିନ୍ତୁ ମୁଁ ଘୋଘାବାପାଙ୍କ କଥା ଅମାନ୍ୟ କରିପାରିଲି ନାହିଁ । ତେଣୁ ସେ ଚାହୁଁଥିବା ପ୍ରତିଶ୍ରୁତି ମୁଁ ତାଙ୍କୁ ଦେଲି । ସେ ଆନନ୍ଦ ମନରେ ନାଚି ନାଚି ସୈନ୍ୟସଜ୍ଜା କରିବାକୁ ଚାଲିଲେ ।

 

“ତା’ପରେ କ’ଣ ହେଲା ?”-ସାମନ୍ତ ପଚାରିଲେ ।

 

ନନ୍ଦୀଦତ୍ତ-‘‘ବିଧିର ବିଧାନକୁ କିଏ ରୋଧ କରିପାରିବ ? ଦୁର୍ଗ ମଧ୍ୟରେ ଆଠଶହ ରାଜପୁତ, ଅନ୍ୟମାନେ ତିନିଶହ ଏବଂ ସାତଶହ ନାରୀ ଥିଲେ । ଏହାଙ୍କ ବିରୋଧରେ ସହସ୍ର ସହସ୍ର ଶତ୍ରୁସୈନ୍ୟ । ହମୀର୍‍ ପୁଣିଥରେ ଘୋଘାବାପାଙ୍କ ନିକଟକୁ ମଧ୍ୟସ୍ଥ ପଠାଇଲା । ମଧ୍ୟସ୍ଥ ଯୁକ୍ତି କଲା, “ତୁମେ ଜାଣି ଜାଣି କାହିଁକି ଯମ ମୁହଁକୁ ଟାଣି ହୋଇଯାଉଛ ।” କିନ୍ତୁ ଘୋଘାବାପା ନିଜର ପ୍ରତିଜ୍ଞା ଭଙ୍ଗ କରିବା ବ୍ୟକ୍ତି ନୁହଁନ୍ତି । ସେ ଉତ୍ତର କଲେ, ‘‘ମୁଁ ଜନ୍ମ ହେବା ମୁହୂର୍ତ୍ତରୁ ମୃତ୍ୟୁପାଇଁ ପ୍ରସ୍ତୁତ ଅଛି । ଯଦି ତୁମର ସାହସ ଅଛି ଯୁଦ୍ଧକୁ ଡେଇଁପଡ଼ ।”

 

ତା’ପରେ ଦୁର୍ଗଦ୍ୱାର ଅବରୁଦ୍ଧ କରିଦିଆଗଲା । ତଳ ସମଭୂମିରେ ରହି ହମୀର୍‍ ନିଜର କର୍ତ୍ତବ୍ୟ ଆଲୋଚନା କଲା । ସମଗ୍ର ଶତ୍ରୁସେନା ଘୋଘାବାପାଙ୍କ ଦୁଃସାହସିକ ନିଷ୍ପତ୍ତିରେ ସ୍ତମ୍ଭୀଭୂତ ହୋଇଗଲେ । କ୍ରମେ ସନ୍ଧ୍ୟା ହେଲା ଏବଂ ହମୀର୍‍ ଏହାପରେ କ’ଣ କରିବ, ସମସ୍ତେ ଭାବିଲେ । ଘୋଘାବାପାଙ୍କୁ ସମ୍ମୁଖ ରଣରେ ଭେଟିବାକୁ କାହାରି ଧୈର୍ଯ୍ୟ ନ ଥିଲା । କୌଣସି ହାତୀ ବା ଘୋଡ଼ା ସମତଳରୁ ଦୁର୍ଗ ପାର୍ଶ୍ୱରେ ଉପରକୁ ଉଠିପାରିବେ ନାହିଁ, କିମ୍ୱା ଦୁର୍ଗର ଉଚ୍ଚ ପ୍ରାଚୀର ଅତିକ୍ରମ କରି ସୈନ୍ୟମାନେ ଶରବର୍ଷଣ କରିପାରିବେ ନାହିଁ । ଆମେ ଦେଖିଲୁ, ହମୀର୍‍ ମହା ଅଡ଼ୁଆରେ ପଡ଼ିଛି । ଏପରି ଅବସ୍ଥାରେ ଘୋଘାଗଡ଼ ଜୟ କରିବାକୁ ବହୁବର୍ଷ ଲାଗିଯିବ; ଫଳରେ ସୋମନାଥ ମନ୍ଦିର ଆକ୍ରମଣ ସମ୍ଭବ ହେବ ନାହିଁ । ରାତିସାରା ଶିବିରରେ ନାନା ଆନ୍ଦୋଳନ ଚାଲିଥିଲା ଭଳି ମନେହେଲା । ପାହାନ୍ତିଆବେଳକୁ ହମୀର୍‍ର ସେ ବିଶାଳ ସେନା ଦୁର୍ଗ ପାର୍ଶ୍ୱଦେଇ ମରୁଭୂମି ଅଭିମୁଖେ ଗତି କରିବା ଦେଖାଗଲା । ହମୀର୍‍ ପରାଜୟ ସ୍ୱୀକାର କରିଅଛି । ଘୋଘାଗଡ଼ ପୂର୍ବବତ୍‍ ଅଜେୟ ହୋଇ ରହିଲା ।

 

ଦୁର୍ଗ ଭିତରେ ସମସ୍ତେ ଯେଉଁ ‘ହର ହର ମହାଦେବ’ ଶବ୍ଦ ଉଚ୍ଚାରଣ କଲେ, ସେହି ଶବ୍ଦ ବୋଧହୁଏ ମୁସଲମାନ ସୈନ୍ୟବାହିନୀକୁ ଭୟଭୀତ କଲା ।

 

ଘୋଘାବାପାଙ୍କ କ୍ରୋଧର ଆଉ ସୀମା ରହିଲା ନାହିଁ । ସେ ତାଙ୍କ ନିଶ ମୋଡ଼ି ଓ ଖଣ୍ତା ଧରି କହିଲେ, “କାପୁରୁଷଗୁଡ଼ାକ ! ତୁମେ ଏପରି ରକ୍ଷା ପାଇଯିବାକୁ ଚାହଁ ?”

 

ସେ କାହିଁକି ରାଗିଲେ ଆମେ ଜାଣିପାରିଲୁ । ସେ ହମୀର୍‍ର ସୈନ୍ୟବାହିନୀକୁ ଆକ୍ରମଣ କରି ତାହାକୁ ଧ୍ୱଂସ କରିବାକୁ ଚାହୁଁଥିଲେ । ମହିଳାମାନେ ଭୟଭୀତ ହୋଇଗଲେ ଓ ଚୌହାନ ଯୋଦ୍ଧାଗଣ ଚକିତ ହୋଇଗଲେ । ଆମେ ମନେ ମନେ ଭାବିଲୁ, ଆମ ସଂଖ୍ୟା ଖୁବ୍ ଅଳ୍ପ ଓ ଆମ ସଂଖ୍ୟାର ହଜାର ଗୁଣ ଅଧିକ ମୁସଲମାନ ସୈନ୍ୟବାହିନୀ । ତଥାପି ପ୍ରଭୁ ମହାଦେବ ଆମକୁ ରକ୍ଷା କରିଛନ୍ତି । ଆମେ କାହିଁକି ମୃତ୍ୟୁ ବରଣ କରିବୁ ? ମୁଁ କିଛି ଉପାୟ ଭାବିନପାରି ତାଙ୍କ ଭକ୍ତମାନଙ୍କୁ ରକ୍ଷା କରିବାପାଇଁ ପ୍ରଭୁ ଶିବଙ୍କ ନିକଟରେ ପ୍ରାର୍ଥନାରତ ହେଲି ।

Image

 

Unknown

ଘୋଘାବାପାଙ୍କ ଚରମ ତ୍ୟାଗ

 

ଘୋଘାବାପାଙ୍କ ପରିବାରର ପୁରୋହିତ ନନ୍ଦୀଦତ୍ତ କହିଚାଲିଲେ-ସତେ ଯେପରି ପ୍ରଭୁ ସୋମନାଥ ତାଙ୍କୁ ସାହସ ଦେଇଛନ୍ତି, ସେହିପରି ଭାବେ ଘୋଘାବାପା କହିଲେ, “ନବେ ବର୍ଷ ଧରି ମୁଁ ପ୍ରଭୁ ସୋମନାଥଙ୍କର ସେବା କରି ଆସିଛି । ସତୁରି ବର୍ଷ ଧରି ଏହି ମରୁଭୂମି ଶାସନ କରି ଆସିଛି । ଚଢ଼େଇଟିଏ ସୁଦ୍ଧା ମୋ’ ବିନା ଅନୁମତିରେ ମୋ ରାଜ୍ୟରେ ଉଡ଼ିବାକୁ ସାହସ କରେ ନାହିଁ । ମୋ ସାମନାରେ ପ୍ରଭୁ ସୋମନାଥଙ୍କୁ ଧ୍ୱଂସ କରିବାକୁ ଏହି ଅଧମକୁ ସୁଯୋଗ ଦେବି ବୋଲି କ’ଣ ତୁମେମାନେ ଭାବିଛ ? ତୁମେସବୁ ବଂଶର ବିରାଟ ଐତିହ୍ୟ ପ୍ରତି କଳଙ୍କ । ତୁମେମାନେ ଏଠି ନିଷ୍କ୍ରିୟ ରହି କାପୁରୁଷତାର ପ୍ରମାଣ ଦେଇପାର । ମୁଁ ଜୀବନବ୍ୟାପୀ ପ୍ରଭୁ ସୋମନାଥଙ୍କର ଜୟଗାନ କରିଆସିଅଛି ଏବଂ ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କର ଜୟଗାନ କରୁଥିବି ।”

 

ଦୁର୍ଗର ସେନାପତି ହାତଯୋଡ଼ି କହିଲେ, “ବାପା ! ଶତ୍ରୁର ଏତେସୈନ୍ୟ ଅଛନ୍ତି ଯେ, ମୁହୂର୍ତ୍ତକ ମଧ୍ୟରେ ସେ ଆମକୁ ଧ୍ୱଂସ କରିଦେବ ।”

 

ସେନାପତିଙ୍କ କଥା ପୂରାପୂରି ସତ୍ୟ ଥିଲା । କିନ୍ତୁ ଏହା ଶୁଣି ଘୋଘାବାପା କଲେ କ’ଣ-? ସେ ଏପରିଭାବେ ସିଧା ହୋଇ ଠିଆହେଲେ ଯେପରି କି କାହାକୁ ମାରିବେ-ସେହିପରି ମୋତେ ଲାଗିଲା । ସିଂହ ପରି ଗର୍ଜିଉଠି କହିଲେ, “ବୋକା ! ଶତ୍ରୁର ସୈନ୍ୟ ଅଧିକ, ଆଉ ଆମର ଅଳ୍ପ-ଏହା କେବଳ କାପୁରୁଷ କହେ । ହମୀର୍‍ ଆଜି ମୋତେ ଲୁଚି ପଳାଇଯାଉଛି । ଯେଉଁ ଦାୟିତ୍ୱ ଆମକୁ ପ୍ରଭୁ ସୋମନାଥ ଦେଇଛନ୍ତି, ତାହା ଆଜି ଯଦି ଆମେ ପାଳନ ନ କରୁ ତା’ ହେଲେ ତୁମର ବା ମୋର ବଞ୍ଚିବାର କି ଅଧିକାର ଅଛି ? ଭଗବାନ ଆମକୁ ଏଠାକୁ ପଠାଇଛନ୍ତି ଏବଂ ସେ ଆମକୁ ଡାକୁଛନ୍ତି–ପ୍ରସ୍ତୁତ ହୁଅ !”

 

ଏହିପରି କହି ଘୋଘାବାପା ନିଜର ଖଣ୍ତା ବାହାର କରିବାରୁ ଅନ୍ଧାରରେ ଆଲୁଅ ଜଳିଲା ପରି ଦେଖାଗଲା । ଘୋଘାବାପାଙ୍କୁ ଜବାବ ଦେବାକୁ କାହାରି ସାହସ ହେଲା ନାହିଁ । ଦୁର୍ଗର ପ୍ରତ୍ୟେକ ବ୍ୟକ୍ତି ଯୁଦ୍ଧପାଇଁ ପ୍ରସ୍ତୁତ ହୋଇ ରହିଲେ । ନାରୀମାନେ ସମବେତ କଣ୍ଠରେ ବିଜୟ ଆହ୍ୱାନ ଦେଲେ । ମୁଁ ଶିବଙ୍କ ନାମ ଉଚ୍ଚାରଣ କରି ସମସ୍ତଙ୍କୁ ରକ୍ଷା କରିବା ନିମିତ୍ତ ପ୍ରାର୍ଥନା କଲି ।

 

ବାଜା ବାଜି ଉଠିଲା ଏବଂ ସମସ୍ତେ ସକ୍ରିୟ ହୋଇ ଉଠିଲେ । ଯୋଦ୍ଧାମାନଙ୍କୁ ଅସ୍ତ୍ର ଧାରଣପାଇଁ ଆହ୍ୱାନ ଦିଆଗଲା । ଘୋଡ଼ା ଓ ଓଟମାନେ ଯେପରି ଆନନ୍ଦରେ ନାଚିଲେ ! ସାମନ୍ତ, ସେହିଦୃଶ୍ୟ କେବଳହିଁ ଦେବତାମାନଙ୍କର ଦେଖିବା କଥା । ମୋ ଆଖିରେ ଆନନ୍ଦାଶ୍ରୁ ଆସିଲା ଏବଂ ତହିଁରେ ମୁଁ ଦେଖିଲି ସତେ ଯେପରି ଉଭୟ ଶିବ ଓ ପାର୍ବତୀ ସ୍ୱର୍ଗରୁ ପୁଷ୍ପବର୍ଷଣ କରୁଛନ୍ତି ।

 

ଘୋଘାବାପା ତାଙ୍କର ସର୍ବୋତ୍‍କୃଷ୍ଟ ପୋଷାକ ପରିଧାନ କରି ମୁଣ୍ତରେ ନାରଙ୍ଗୀ ରଙ୍ଗର ପଗଡ଼ି ବାନ୍ଧିଲେ ଏବଂ ବେକରେ ଗୋଟିଏ ଲାଲ ଫୁଲମାଳ ପକାଇଲେ । ପ୍ରତ୍ୟେକ ଚୌହାନ ବୀର ଆପଣାର ସାମରିକ ପୋଷାକ ପିନ୍ଧିଲେ । ମୁଁ ଭଗବାନଙ୍କ ନିକଟରେ ଆରାଧନା କରି ଯୁଦ୍ଧଭୂମିକୁ ଯାତ୍ରା କରୁଥିବା ପ୍ରତ୍ୟେକ ବୀରଙ୍କ ମୁଣ୍ତରେ ସିନ୍ଦୂରଟୋପା ଦେଇ ସେମାନଙ୍କୁ ଆଶୀର୍ବାଦ ଦେବା ସଙ୍ଗେ ସଙ୍ଗେ ଘୋଘାବାପାଙ୍କର ଜୟ କାମନା କଲି ।

 

ସେମାନେ ଦୁର୍ଗର ଦ୍ୱାରଦେଶରେ ପହଞ୍ଚିବା ପରେ ବାପା ମୋତେ ଡାକି ସମସ୍ତେ ଶୁଣିବା ଭଳି ବଡ଼ ପାଟିକରି କହିଲେ, “ନନ୍ଦୀଦତ୍ତ ! ମୁଁ ଯେତେବେଳେ ସିଂହାସନ ଆରୋହଣ କଲି ସେତେବେଳେ ତୁମ ବାପା ମୋ ମୁଣ୍ତରେ ଦେଇଥିଲେ ଶୁଭ ଟିକା । ଆଜି ମୋର ସ୍ୱର୍ଗଯାତ୍ରା ସମୟରେ ତୁମେ ତାହା ଦେଇଛ । ଗୋଟିଏ କଥା ତୁମେ ମୋତେ ଜବାବ ଦିଅ । ତା’ ହେଉଛି-ଚୌହାନ ବୀରମାନଙ୍କର ଯେତେବେଳେ ମୃତ୍ୟୁ ହେବ, ସେମାନଙ୍କ ସ୍ତ୍ରୀମାନେ ଯେପରି ଅଗ୍ନିଦେବତାଙ୍କ ଗର୍ଭରେ ଝାସ ଦେଇ ନିଶ୍ଚିତଭାବେ ସତୀ ହୁଅନ୍ତି ।”

 

ତା’ପରେ ପ୍ରାସାଦର ପ୍ରସାରିତ ଦ୍ୱାରଦେଶମାନଙ୍କରେ ସମବେତ ନାରୀମାନଙ୍କୁ ଲକ୍ଷ୍ୟକରି ସେ କହିଲେ, “କନ୍ୟାଗଣ, ମୋ ସହିତ ପ୍ରଭୁଙ୍କର ଆବାସ ସ୍ଥଳ କୈଳାସକୁ ଗମନ କରିବାପାଇଁ ସାହସ ଧରି ରହ ।”

 

ସତେ ଯେପରି କୌଣସି ବିବାହ ଉତ୍ସବକୁ ନିମନ୍ତ୍ରଣ କରୁଛନ୍ତି-ସେହିପରି ଆନନ୍ଦ ମନରେ ସେ ସମସ୍ତଙ୍କୁ ଏହା କହିଲେ । ନାରୀମାନଙ୍କର ସୁନ୍ଦର ମୁହଁରେ ଏହି ନିମନ୍ତ୍ରଣ ଗ୍ରହଣ କରିବାର ଆନନ୍ଦ ସ୍ପଷ୍ଟରୂପେ ଦେଖାଦେଲା । ପ୍ରତ୍ୟେକଙ୍କ ଆଖି ଆନନ୍ଦାଶ୍ରୁରେ ଭରିଗଲା । ସାହସୀ ଯୋଦ୍ଧାବୃନ୍ଦ ‘ଜୟ ସୋମନାଥ’ ଧ୍ୱନି ଉଚ୍ଚାରଣ କରି ଆଗକୁ ଚାଲିଲେ ।

 

ଚୌହାନ ଯୋଦ୍ଧାଗଣ ଯେପରି ଶୀଘ୍ର ବାହାରକୁ ଯାଆନ୍ତି, ସେଥିପାଇଁ ଦୁର୍ଗର ଦ୍ୱାର ପୂରା ଖୋଲି ଦିଆଗଲା । ଉଦୀୟମାନ ସୂର୍ଯ୍ୟଙ୍କର ସୁନେଲି କିରଣ ସେମାନଙ୍କ ପଗଡ଼ି ଉପରେ ପଡ଼ି ଦାଉ ଦାଉ ଦେଖାଯାଉଥାଏ । ଏହିପରି ଅବସ୍ଥାରେ ସେମାନେ ନିଜ ନିଜଘୋଡ଼ା ଓ ଓଟ ଚଢ଼ି ଯାତ୍ରା ଆରମ୍ଭ କଲେ । ବୁଢ଼ାଦିନେ ମୋ ନିଜ ଆଖିରେ ଏହି ବିଜୟ ତଥା ମୃତ୍ୟୁଯାତ୍ରାର ଦୃଶ୍ୟ ଦେଖିଛି । ନିଜର ସମ୍ମାନପାଇଁ ମରୁଭୂମିର ଶାସକ ସାହସୀ ଘୋଘାବାପା ନିଜର ବଂଶକୁ ରଣଯଜ୍ଞରେ ଆହୁତି ଦେବାକୁ ନିଷ୍ପତ୍ତି କରି ଠିକ୍ କରିଛନ୍ତି ବୋଲି ମୁଁ ମନେ ମନେ ଭାବିଲି ।

 

ସତେ ଯେପରି ଦେବତାମାନେ ଏହି ବୀର ଯୋଦ୍ଧାମାନଙ୍କ ଉପରେ ପୁଷ୍ପ ଓ ଆଶୀର୍ବାଦ ବର୍ଷଣ କରୁଛନ୍ତି, ଠିକ୍‍ ସେହିପରି ଦୃଶ୍ୟ ଦେଖାଯାଉଥାଏ । ଏ ଅବସ୍ଥାରେ ସୈନ୍ୟବାହିନୀ ପରିଚାଳନା କରୁଥିବା ଘୋଘାବାପା ବୁଲିପଡ଼ି ମୋତେ ଚାହିଁଲେ ।

 

ହମୀର୍‍ର ବିରାଟ ସୈନ୍ୟବାହିନୀ ଏହି ଦୃଶ୍ୟକୁ ବିସ୍ମିତଭାବେ ଦେଖୁଥାନ୍ତି । ଘୋଘାବାପା ସେମାନଙ୍କ ପଛରେ କାହିଁକି ଲାଗିଛନ୍ତି, ତାହା ସେମାନେ ପ୍ରଥମେ ବୁଝିପାରୁନଥିଲେ ସୁଦ୍ଧା ଅଳ୍ପ ସମୟ ପରେ ଜାଣିପାରିଲେ ଯେ, ଚୌହାନ ବୀରମାନେ ସେମାନଙ୍କୁ ହୁଏତ ମାରିବାକୁ କିମ୍ୱା ସେମାନଙ୍କ ହାତରେ ନିଜେ ମରିବାକୁ ପଣ କରି ଆସୁଛନ୍ତି । ଶତ୍ରୁମାନେ ‘ଆଲ୍ଲା ହୋ ଆକବର’ ଧ୍ୱନି କରି ଯୁଦ୍ଧପାଇଁ ପ୍ରସ୍ତୁତ ହୋଇଗଲେ ।

 

ସବୁଜ ରଙ୍ଗ ପଗଡ଼ି ପିନ୍ଧି ନାଲିଦାଢ଼ିଆ ହମୀର୍‍ ନିଜର ହାତୀ ଉପରେ ଚିହ୍ନି ହୋଇ ପଡ଼ୁଥାଏ । ଘୋଘାବାପା ଯୁଦ୍ଧ ଡାକରା ଦେଇ ଶତ୍ରୁଆଡ଼କୁ ଅଗ୍ରସର ହେବା ସମୟରେ ଆଗରେ ଯେ ପଡ଼ିଲା, ତାକୁ ମାରି ଚାଲିଲେ । ସେ ଯେଉଁ ଦିଗକୁ ଗଲେ ସେ ଦିଗରେ ଆତଙ୍କର ଚହଳ ପଡ଼ିଗଲା । କିନ୍ତୁ କେତେକାଳ ? ଘୋଘାବାପା ଦୁର୍ବଳ ହୋଇପଡ଼ିଲେ ।

 

ଏହା କହୁ କହୁ ନନ୍ଦୀଦତ୍ତ କୋହ ଉଠାଇ କାନ୍ଦିବାକୁ ଆରମ୍ଭ କଲେ । ସାମନ୍ତ ମଧ୍ୟ ଏହା ଶୁଣି ଉତ୍ତେଜନାରେ ଥରିଗଲେ ।

 

ନନ୍ଦୀଦତ୍ତ ପୁଣି କହିବାକୁ ଲାଗିଲେ-‘‘ସେ ପଡ଼ିଯିବା ସଙ୍ଗେ ସଙ୍ଗେ ଶତ୍ରୁପକ୍ଷର ଏକାଧିକ ଖଣ୍ତାଚୋଟ ତାଙ୍କ ଶରୀରରେ ପଡ଼ିଲା । ଏହା ଦେଖି ମୁଁ ନିଜର ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ କରିବାକୁ ବାହାରିଲି । ପ୍ରଭୁ ସୋମନାଥଙ୍କ ମନ୍ଦିରରେ ସମସ୍ତେ ଏକାଠି ହୋଇଥିବାରୁ ମୁଁ ସିଧା ସେଠାକୁ ଗଲି ! ସମବେତ ଲୋକଙ୍କ ମଧ୍ୟରେ ଥିଲେ ଭୟଭୀତ ସାହୁକାର ଏବଂ ଚାକରଦଳ । ଗୁପ୍ତ ପଛଦ୍ୱାର ବାଟେ ସେମାନେ ଯେପରି ଚାଲିଯାନ୍ତି, ତାହାର ବ୍ୟବସ୍ଥା କଲି । ମୋର ନିଜ ପୁଅ-ସେ ଅସ୍ତ୍ର ଧରିବା ଜାଣି ନ ଥିଲେ ସୁଦ୍ଧା ଘୋଘାବାପାଙ୍କ ସହିତ ତାକୁ ଯୁଦ୍ଧକ୍ଷେତ୍ରକୁ ପଠାଇଥିଲି । ଶିଷ୍ୟମାନେ ବଞ୍ଚିଥିବାବେଳେ ଗୁରୁଙ୍କର କାମ ହେଉଛି ସେମାନଙ୍କୁ ସ୍ୱର୍ଗଲାଭର ରାସ୍ତା ବତାଇବା । ସେମାନଙ୍କ ମୃତ୍ୟୁ ସମୟରେ ସେମାନଙ୍କୁ ସାହାଯ୍ୟ ଦେବା କ’ଣ ତାଙ୍କର କାମ ନୁହେଁ ?’’

 

ବର୍ତ୍ତମାନ ମୁଁ ଦୁର୍ଗରେ ଏକମାତ୍ର ଜୀବିତ ମଣିଷ । ଯେତେ ଅପ୍ରିୟ ହେଲେ ସୁଦ୍ଧା ନିଜର କର୍ତ୍ତବ୍ୟ ମୁଁ କଲି । ମୋ ହୃଦୟକୁ ପଥର ପରି ଟାଣ କରିଦେଲି । ଏହି ଭୟାବହ ଦୃଶ୍ୟ ଦେଖିବାକୁ ବଞ୍ଚିରହିବା ମୋ ଭାଗ୍ୟରେ ଥିଲା ।

 

ସେ ଭୟାବହ ଦୃଶ୍ୟ ମନେପଡ଼ି ନନ୍ଦୀଦତ୍ତଙ୍କର ପୁଣି କୋହ ଉଠିଲା । ସାମନ୍ତ ଦୁଃଖରେ ଅଭିଭୂତ ହୋଇପଡ଼ିଲେ । ଧାର ଧାର ହୋଇ ଲୁହ ତାଙ୍କ ଆଖିରୁ ବୋହିବାକୁ ଲାଗିଲା ।

 

କିଛି ସମୟ ପରେ ନନ୍ଦୀଦତ୍ତ ପ୍ରକୃତିସ୍ଥ ହୋଇ କହିଲେ, “ବତ୍ସ, ଅସ୍ଥିର ହାତରେ ମୁଁ ମୋର କର୍ତ୍ତବ୍ୟ କରି ଚାଲିଥାଏ । ନିଆଁ ଜାଳିବାପାଇଁ ମନ୍ଦିର ଅଗଣାରେ ଚନ୍ଦନକାଠ ଗଦା ହୋଇଥିଲା । ଯେଉଁ ଯୁବତୀ ସ୍ତ୍ରୀମାନଙ୍କ ବିବାହରେ ମୁଁ ପୌରୋହିତ୍ୟ କରିଥିଲି, ଯେଉଁମାନଙ୍କ ପିଲାମାନଙ୍କୁ ମୁଁ ନିଜେ ପାଠ ପଢ଼ାଇଛି, ସେମାନେ ଆପଣାର ସର୍ବଶ୍ରେଷ୍ଠ ବସ୍ତ୍ର ପିନ୍ଧି ଓ ବେଶ ହୋଇ ଆସି ମୋ ପାଦ ଛୁଇଁଲେ । ମୋ ଆଖି ଦୁଇଟି ଲୁହରେ ଅନ୍ଧ ହୋଇଯାଇଥାଏ । ମୁଁ ସେମାନଙ୍କୁ ଦେଖିପାରୁନଥିଲେ ବି ସେମାନଙ୍କ ମୁଣ୍ତ ଓ ଗାଲରେ ସିନ୍ଦୂରଟିକା ଦେଲି ।

 

ସେମାନେ କୁଳଦେବତା ସୂର୍ଯ୍ୟଙ୍କୁ ଆରାଧନା କରି ହସି ହସି ନିଆଁ ଭିତରେ ପଶିଲେ । ଏହି ବୀରାଙ୍ଗନା ନାରୀମାନେ ଆନନ୍ଦମନରେ ସତୀତ୍ୱ ବରଣ କଲେ । ଭଗବାନ, ସେମାନଙ୍କ ଗୁରୁ ଓ ପିତୃତୁଲ୍ୟ ହୋଇ ଏହି କାର୍ଯ୍ୟ କରିବା ମୋ ଭାଗ୍ୟରେ ଥିଲା । ମୁଁ ଶମ୍ଭୁଙ୍କ ନାମ ବାରମ୍ବାର ଉଚ୍ଚାରଣ କରି ନିଜର କର୍ତ୍ତବ୍ୟ ଶେଷ କରିବା ପର୍ଯ୍ୟନ୍ତ ମୋତେ ଶକ୍ତି ଓ ସାହସ ଦେବା ନିମିତ୍ତ ପ୍ରାର୍ଥନା କଲି । ମୁହୂର୍ତ୍ତକ ମଧ୍ୟରେ ସେହି ବୀରତ୍ୱ ଓ ସୌନ୍ଦର୍ଯ୍ୟ ଯାହାକିଛି ଥିଲା ତାହା ପାଉଁଶରେ ପରିଣତ ହେଲା । ଏହି ଦୃଶ୍ୟ ଆଉ ସହ୍ୟ କରିନପାରି ମନ୍ଦିରକୁ ଯାଇ ପ୍ରଭୁ ସୋମନାଥଙ୍କ ପାଦତଳେ ପଡ଼ିଗଲି । ଇଚ୍ଛା ହେଲା,ସେଇଠାରେ ହେଲେ ମରିଯାଇଥାନ୍ତି ! କିନ୍ତୁ ଘୋଘାବାପା ମୋ’ଠାରୁ ଗୋଟିଏ ପ୍ରତିଶ୍ରୁତି ନେଇଥିଲେ । ତଦନୁଯାୟୀ ମୁଁ ତୁମକୁ ଓ ତୁମ ବାପାଙ୍କୁ ସବୁ ଘଟଣା ଜଣାଇବା ନିମନ୍ତେ ବଞ୍ଚିଛି । ଭଗବାନ, ମୋତେ କାହିଁକି ତୁମ ପାଖକୁ ସେହି ମୁହୂର୍ତ୍ତରେ ନ ନେଇ ଏହି ପ୍ରତିଶ୍ରୁତି ପାଳନ କରିବାକୁ ରକ୍ଷା କଲ ?

 

ନନ୍ଦୀଦତ୍ତ ଆଉ କଥା କହିପାରିଲେ ନାହିଁ । କିଛି ସମୟ ପରେ ନିଜକୁ ଆୟତ୍ତ କରି ପୁଣି କହିବାକୁ ଲାଗିଲେ-ସାମନ୍ତ ! ତା’ପରେ ମୁଁ ଦୁର୍ଗ ଉପରକୁ ଯାଇ ଦେଖେ ତ ତଳେ ଘୋଘାବାପାଙ୍କର ବୀରମାନଙ୍କ ମଧ୍ୟରୁ ଜଣେ ସୁଦ୍ଧା ଜୀବନରେ ନାହାନ୍ତି । ସେମାନଙ୍କ ମଧ୍ୟରୁ ପ୍ରତ୍ୟେକେ ପ୍ରାଣ ବିସର୍ଜନ କରିବାପୂର୍ବରୁ ନିଜ ନିଜର ପରମ ବୀରତ୍ୱର ନିଦର୍ଶନ ଦେଖାଇଛନ୍ତି । ହମୀର୍‍ଙ୍କର ଦଳେ ସୈନ୍ୟ ଦୁର୍ଗ ଦଖଲ କରିବାକୁ ପ୍ରସ୍ତୁତ ହୋଇଥାନ୍ତି । ମୋର ଶେଷ ସମୟ ଆସିଲା ବୋଲି ମୁଁ ଭାବିଲି ! କିନ୍ତୁ ହଠାତ୍‍ ମୋର ମନେପଡ଼ିଲା ଯେ, ବାହାରକୁ ଯିବାପାଇଁ ଗୋଟିଏ ଗୁପ୍ତ ବାଟ ଅଛି । ମୁଁ ସେହି ବାଟେ ଯାଇ ଗୋପନରେ ଲୁଚି ରହିଲି ।

 

ଶତ୍ରୁ ସୈନ୍ୟମାନେ ‘ଆଲ୍ଲା ହୋ ଆକବର’ ଧ୍ୱନି ଦେଇ ଆସିଲେ । ସେମାନେ ବୋଧହୁଏ ଦୁର୍ଗରେ କେହି ଲୋକ ଅଛନ୍ତି ବୋଲି ଭାବୁଥିବାରୁ ସାବଧାନ ହୋଇ ଆସ୍ତେ ଆସ୍ତେ ଆସୁଥାନ୍ତି । କିନ୍ତୁ ଦୁର୍ଗ ଶୂନ୍ୟ ପଡ଼ିଥିବା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସୈନ୍ୟମାନେ ଦୁର୍ଗ ଭିତରେ ଚାରିଆଡ଼େ ଖେଳିଯାଇ ଶେଷକୁ ମନ୍ଦିର ଅଗଣାକୁ ଗଲେ । ମୁଁ ଏକ ଛୋଟ ରନ୍ଧ୍ରବାଟେ ସବୁ ଦେଖୁଥାଏ । ସେମାନେ ଜଳୁଥିବା ନିଆଁକୁ ଏବଂ ସାତଶହ ବୀରା ରମଣୀଙ୍କ ଶବକୁ ଦେଖିଲେ । ଏହି ଦୃଶ୍ୟ ଏତେ ହୃଦୟବିଦାରକ ଥିଲା ଯେ, ସେମାନେ ତାହା ଦେଖିନପାରି ପଳାଇଗଲେ । କିନ୍ତୁ ତାଙ୍କ ଭିତରୁ ଦୁଇଜଣ ସାହସ ଧରି ଆଗକୁ ଗଲେ । ସେ ଦୁହେଁ ମନ୍ଦିରକୁ ଯାଇ ଠାକୁରଙ୍କ ମୂର୍ତ୍ତିଟି ଭାଙ୍ଗିଦେଲେ । ପ୍ରଭୁ ଶଙ୍କର ! ମୋର ପ୍ରଭୁ ! ଏହି ଦୃଶ୍ୟ ଦେଖିବାପାଇଁ ମୋତେ ବଞ୍ଚାଇଥିଲ ? ନନ୍ଦୀଦତ୍ତ କାନ୍ଦି କାନ୍ଦି ଭାଙ୍ଗିପଡ଼ିଲେ ।

 

ଶେଷରେ ସେମାନେ ଚାଲିଗଲେ ଏବଂ ଶତ୍ରୁର ସୈନ୍ୟବାହିନୀ ମଧ୍ୟ ଆଗକୁ ଚାଲିଲା । ମୋର ଆଉ କିଛି କାମ ବାକି ଥିବାରୁ ମୁଁ ଭୟରେ ଥରି ଥରି ବାହାରକୁ ଆସିଲି । ବତ୍ସ ସାମନ୍ତ, ଆମର ପ୍ରିୟ ଘୋଘାଗଡ଼ ହୋଇଗଲା ଠିକ୍‍ ଏକ ଶ୍ମଶାନ ପରି । ଆମର ଯାହାକିଛି ପ୍ରିୟବସ୍ତୁ ଥିଲା, ତାହା ସବୁ ପାଉଁଶ ହୋଇଗଲା । ତେବେ ଘୋଘାବାପାଙ୍କ ଶବର ଯେପରି ଉଚିତ ସତ୍କାର ହୁଏ ତାହା ଦେଖିବା ଥିଲା ମୋର କର୍ତ୍ତବ୍ୟ । ସେ ନିଜର କର୍ତ୍ତବ୍ୟ ପାଳନ କରି ଭଗବାନଙ୍କ ପାଇଁ ନିଜର ଜୀବନ ବଳି ଦେଇଛନ୍ତି । ବର୍ତ୍ତମାନ ମୋର କର୍ତ୍ତବ୍ୟ ତାଙ୍କର ଶବ ସଂସ୍କାର କରିବା ।

 

ଲୁଚିଥିବା ଜାଗାରୁ ବାହାରି ମୁଁ ଆସ୍ତେ ଆସ୍ତେ ଦୁର୍ଗ ଭିତରକୁ ଗଲି । ଶହ ଶହ ଶାଗୁଣା ଶବରାଶି ଉପରେ ଉଡ଼ୁଥାନ୍ତି । ବୀର ରାଜପୁତମାନେ କିପରି ମୃତ୍ୟୁ ବରଣ କରିଛନ୍ତି ମୁଁ ତାହା ଜାଣିଲି । ପ୍ରତ୍ୟେକ ରାଜପୁତ ନିଜେ ମରିବା ପୂର୍ବରୁ ବହୁସଂଖ୍ୟକ ଶତ୍ରୁ ସୈନ୍ୟ ମାରିଥିଲେ । ବହୁ ଖୋଜାଖୋଜି କରି ଘୋଘାବାପାଙ୍କ ଶବ ପାଇଲି ଓ ଦୁର୍ଗରୁ ଚନ୍ଦନକାଠ ନେଇ ଘୋଘାବାପାଙ୍କୁ ଦାହ କଲି; ମାତ୍ର ସେଠାରେ ବେଶି ସମୟ ରହିପାରିଲି ନାହିଁ ।

 

ଏହି ହୃଦୟବିଦାରକ ପରିବେଶରେ ମୁଁ ଥିଲି ଏକମାତ୍ର ଜୀବିତ ବ୍ୟକ୍ତି । ମୋର ମରିବା ଯୋଗ ନ ଥିଲା । ମୁଁ ସେଠାରୁ ପ୍ରାଣବିକଳରେ ପଳାଇଗଲି । ବାଟରେ କେତେକ ଶରଣାର୍ଥୀ ଗରିବ ବ୍ରାହ୍ମଣବୋଲି ଦୟାକରି ଭାମୋରିଆକୁ ନେଇ ଆସିଲେ ।

 

ସାମନ୍ତ ପଚାରିଲେ, “ଆଉ ଯବନ ସେନା ?”

 

ନନ୍ଦୀଦତ୍ତ–‘‘ଯବନ ସେନା ଭାମୋରିଆକୁ ନ ଆସି ପ୍ରଧାନ ରାସ୍ତାରେ ସିଧା ସଫାଳଦକ୍ଷ ଗଲେ । ହୁଏତ ତାଙ୍କ ଭିତରୁ ଅଳ୍ପ କେତେକ ଏଠାକୁ ଆସିଥିବେ । କାହିଁକି ନା ତାଙ୍କ ଛଡ଼ା ଅନ୍ୟକେହି ଏହି ମନ୍ଦିର ଧ୍ୱଂସ କରିନାହାନ୍ତି । ତୁମେ ଓ ତୁମ ବାପା ଏଠାକୁ ନିଶ୍ଚୟ ଆସିବ ବୋଲି ଜାଣିଥିବାରୁ ମୁଁ ଏହିଠାରେ ଅପେକ୍ଷା କରି ରହିବାକୁ ଠିକ୍‍ କଲି ।

 

ସାମନ୍ତ କାନ୍ଦି କାନ୍ଦି କହିଲେ, “ତା’ହେଲେ ଘୋଘାବାପାଙ୍କ ପରିବାରର ଆମେ ଦୁଇଜଣ ମାତ୍ର ବଞ୍ଚିଛୁ ।”

 

ନନ୍ଦୀଦତ୍ତ ଦୁଃଖରେ କହିଲେ, “ହଁ ବାପା, ତୁମେ ଦୁଇଜଣ ମାତ୍ର ବଞ୍ଚିଛ ।”

 

ବୃଦ୍ଧ ଓ ଯୁବକ ଉଭୟେ କୁଣ୍ଢାକୁଣ୍ଢି ହୋଇ କାନ୍ଦିଲେ ।

 

ସାମନ୍ତ ରାତିଯାକ ଦରଭଙ୍ଗା ମନ୍ଦିର ଆଗରେ ଏ ପାଖ ସେ ପାଖ ବୁଲୁଥାନ୍ତି । ନିଜ ବାପାଙ୍କ ପ୍ରତି ସ୍ନେହ, ହୃଦୟର ଦୁଃଖ, ଶତ୍ରୁ ଉପରେ ରାଗ ଏବଂ ପ୍ରତିଶୋଧ ନେବାପାଇଁ ଏକାନ୍ତ ଇଛା, ତାଙ୍କର ଆତ୍ମାକୁ ଆନ୍ଦୋଳିତ କରୁଥାଏ ।

 

ଶେଷକୁ ପ୍ରଭୁ ସୋମନାଥ ଏହି ଦୁଃଖୀ ଯୁବକକୁ ଦୟାକଲେ । ସାଙ୍ଗେ ସାଙ୍ଗେ ତାଙ୍କ ବାଚାଳତା ଦୂର ହୋଇଗଲା । ସକାଳ ହେଲାବେଳକୁ ରାତିସାରା ଉଜାଗର ଥିବା ସାମନ୍ତଙ୍କ ମନରେ ସାହସ ଆସିଲା ।

 

ନନ୍ଦୀଦତ୍ତ ତାଙ୍କ ନିକଟକୁ ଆସ୍ତେ ଆସ୍ତେ ଯାଇ ସେ କ’ଣ ଭାବୁଛନ୍ତି ପଚାରିଲେ । ରାତିକ ଭିତରେ ଯଥେଷ୍ଟ ପରିପକ୍ୱତା ହାସଲ କରି ଯୁବକ ନିରାନନ୍ଦ ଓ ଶୁଷ୍କ ହାସ୍ୟ ମୁଖରେ କହିଲେ, “ମୁଁ ଆଉ କାହା ବିଷୟ ଭାବିବି ? ବାପାଙ୍କୁ ଖୋଜିବାକୁ ଯିବାପାଇଁ ଭାବୁଛି । ଆପଣ ବର୍ତ୍ତମାନ କ’ଣ କରିବାକୁ ଭାବୁଛନ୍ତି ?”

 

ନନ୍ଦୀଦତ୍ତ-‘‘ତୁମେ ଯଦି ନେଇଯିବ, ତା’ହେଲେ ତୁମ ସାଙ୍ଗରେ ଯିବାକୁ ଚାହେଁ । ତୁମପାଇଁ ମୋର ବଞ୍ଚିବା ସାର୍ଥକ ହୋଇଛି । ଯେବେ ଭଗବାନ ଦୟା କରନ୍ତି, ତା’ହେଲେ ମୋର ଏକମାତ୍ର କାମନା ହେଉଛି ପ୍ରଭାସ ଯାଇ ମୋର ଜୀବନର ଅବଶିଷ୍ଟ ସମୟ ପ୍ରଭୁ ସୋମନାଥଙ୍କ ଆରାଧନାରେ କଟାଇବି ।’’

 

ସାମନ୍ତ–‘‘ମୋ ସାଙ୍ଗରେ ଆସନ୍ତୁ । ଆମ ଉଭୟଙ୍କର ଲକ୍ଷ୍ୟ ଏକ । ସୋମନାଥଙ୍କ ନିକଟରେ ପହଞ୍ଚିବାପୂର୍ବରୁ ବାଟରେ ନିଶ୍ଚୟ ହମୀର୍‍ ସହିତ ଦେଖାହେବ । ସେତେବେଳେ ପ୍ରଶ୍ନ ଉଠିବ, ସେ ବା ମୁଁ, କିଏ ବଞ୍ଚିବ ?’’

 

ଘଣ୍ଟାଏ ଦୁଇଘଣ୍ଟା ମଧ୍ୟରେ ସଜ୍ଜନ ଚୌହାନ ଓ ହମୀର୍‍ର ସୈନ୍ୟବାହିନୀ ଉଭୟଙ୍କ ଅନ୍ୱେଷଣରେ ଯିବା ନିମନ୍ତେ ସେମାନେ ପ୍ରସ୍ତୁତ ହୋଇଗଲେ । ସାମନ୍ତ ଯେଉଁବାଟେ ଭାମୋରିଆ ଆସିଥିଲେ, ସେ ବାଟେ ସେମାନେ ଗଲେ ନାହିଁ । ସାମନ୍ତଙ୍କର ମନେପଡ଼ିଲା ରଣଥମ୍ବି ଠାକୁରାଣୀଙ୍କ ମନ୍ଦିରଠାରୁ ଭାମୋରିଆ ଯିବାପାଇଁ ଆଉ ଗୋଟିଏ ସିଧା ରାସ୍ତା ଥିବା କଥା ବାପା କହୁଥିଲେ । ସେ ସେହି ବାଟେ ଯିବାକୁ ଠିକ୍‍ କଲେ ।

 

ନନ୍ଦୀଦତ୍ତ ମଧ୍ୟ ସେହିବାଟେ ଯିବାକୁ ରାଜି ହେଲେ । ତାଙ୍କର ମଧ୍ୟ ମନେପଡ଼ିଲା ଯେ, ସେ ଯୁବକ ଥିବା ସମୟରେ ଥରେ ଘୋଘାବାପା ତାଙ୍କ ବାପାଙ୍କ ସହିତ ସେହି ବାଟେ ସୋମନାଥ ଦର୍ଶନକୁ ଯାଇଥିଲେ ।

 

ସଜ୍ଜନ କେଉଁଠି ଅଛନ୍ତି-ସେ କାହିଁକି ଏ ପର୍ଯ୍ୟନ୍ତ ପହଁଞ୍ଚି ନାହାନ୍ତି-ଏହି କଥା ଭାବୁ ଭାବୁ ଉଭୟଙ୍କର ମନରେ ଗୋଟିଏ ମାତ୍ର ଭୀତିପ୍ରଦ ଉତ୍ତର ଦେଖାଦେଲା ।

 

ପ୍ରଭୁଙ୍କର ତୃତୀୟ ଚକ୍ଷୁ

 

ସଜ୍ଜନ ଚୌହାନଙ୍କର ବାଟ ଦେଖାଇବା ଅନୁଯାୟୀ ହମୀର୍‍ ମହମ୍ମଦର ସୈନ୍ୟବାହିନୀ ପଶ୍ଚିମଦିଗକୁ ଚାଲିଥାଏ । ଦିନ ପରେ ଦିନ ଚାଲି ଚାଲି ଚତୁର୍ଥ ଦିନ ହେବାରୁ ସାଙ୍ଗରେ ଯାଉଥିବା ସୈନ୍ୟମାନେ ପ୍ରତିବାଦ କଲେ । ସେମାନେ କହିଲେ ଯେ, ଏହି ବାଟ ଠିକ୍‍ ବାଟ ନୁହେଁ ଏବଂ ଏହି ବାଟେ ଗଲେ ମରୁଭୂମି ମଧ୍ୟରେ ପହଞ୍ଚିବାକୁ ପଡ଼ିବ, ଯେଉଁଠାରୁ କି ପୂର୍ବରୁ କେହି ଫେରିବା କଥା ଜଣାନାହିଁ ।

 

ଏହି ପ୍ରତିବାଦ ସାଲାର ମାସୁଦଙ୍କ କାନରେ ପଡ଼ିଲା । ସେ ସାଙ୍ଗେ ସାଙ୍ଗେ ସଜ୍ଜନଙ୍କୁ ଡାକି କୈଫିୟତ୍‍ ମାଗିଲେ । ସଜ୍ଜନ ଦୃଢ଼ତାର ସହ କହିଲେ-ସେ ଯେଉଁ ବାଟେ ନେଉଛନ୍ତି ତାହା ଠିକ୍‍ ବାଟ ଏବଂ ଯେବେ ସେମାନେ ତାଙ୍କ ସହିତ ଯିବାକୁ ନ ଚାହାନ୍ତି ତେବେ ନିଜ ଇଚ୍ଛାମୁତାବକ ରାସ୍ତାରେ ଯାଇପାରନ୍ତି ।

 

ସଜ୍ଜନଙ୍କର ଦୃଢ଼ତା ଦେଖି ମାସୁଦ ପୂରାପୂରି ତାଙ୍କ ଉପରେ ନିର୍ଭର କରିବା ବ୍ୟତୀତ ତା’ର ଅନ୍ୟବାଟ ନ ଥିଲା ।

 

ପଞ୍ଚମଦିନ ସୂର୍ଯ୍ୟଙ୍କର ଉତ୍ତାପ ଅସହ୍ୟ ହେଲା । ଘୋଡ଼ାମାନେ ପ୍ରାୟ ହାଲିଆ ହୋଇଗଲେ । ସୈନ୍ୟବାହିନୀର ସର୍ବାଧିକ ବଳଶାଳୀ ଲୋକମାନେ ମଧ୍ୟ କ୍ଳାନ୍ତି ଅନୁଭବ କଲେ । ସୈନ୍ୟବାହିନୀର ଏପରି ଅସନ୍ତୋଷ ଦେଖାଦେଲା ଯାହା ଫଳରେ ପରିସ୍ଥିତିକୁ ଉପେକ୍ଷା କରିବା ସୁଲତାନଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ । ତେଣୁ ସଜ୍ଜନଙ୍କୁ ତାଙ୍କ ନିକଟରେ ହାଜର କରିବା ନିମନ୍ତେ ସେ ହୁକୁମ୍‍ ଦେଲେ । ସଜ୍ଜନ ପୂର୍ବପରି ସେ ବତାଉଥିବା ବାଟ ଠିକ୍‍ ବୋଲି ଦୃଢ଼ତାର ସହିତ କହିଲେ । ତାଙ୍କୁ ଜେରା କରିବାପାଇଁ ଅଭିଜ୍ଞ ପଥପ୍ରଦର୍ଶକମାନଙ୍କୁ ଅଣାଯିବାରୁ ମରୁଭୂମି ବାଟ ସମ୍ପର୍କରେ ସଜ୍ଜନଙ୍କ ଜ୍ଞାନ ସେମାନଙ୍କଠାରୁ ଯଥେଷ୍ଟ ଅଧିକ ବୋଲି ସେମାନେ ସ୍ୱୀକାର କଲେ ।

 

ଷଷ୍ଠ ଦିବସରେ ସଜ୍ଜନଙ୍କ ଉପରୁ ପ୍ରତ୍ୟେକ ଲୋକର ବିଶ୍ୱାସ ତୁଟିଗଲା; ଏପରିକି ଓଟମାନେ ମଧ୍ୟ ଆଗକୁ ଯିବାକୁ ମଙ୍ଗିଲେ ନାହିଁ । ସୈନ୍ୟବାହିନୀ ସାଙ୍ଗରେ ଥିବା ପେଶାଦାର ପଥପ୍ରଦର୍ଶକମାନେ ଜୋରଦେଇ କହିଲେ ଯେ ସେମାନେ ପୂର୍ବରୁ ଯାହା କହୁଥିଲେ ତାହା ଠିକ୍‍ । ଏ ବାଟଦେଇ ଗଲେ ଯେଉଁ ଅଞ୍ଚଳରେ ପହଞ୍ଚିବାକୁ ହେବ ସେଠାରେ କେବଳ ଧୂଳିଝଡ଼ ହୁଏ । ସୈନ୍ୟବାହିନୀ ମଧ୍ୟରେ ହତାଶା ଓ ଅସନ୍ତୋଷ ଦେଖାଦେଲା । ଉତ୍ତରରୁ ଆସୁଥିବା ସୈନ୍ୟମାନେ ଆଗକୁ ଯିବାକୁ ଚାହିଁଲେ ନାହିଁ । ସତେ ଯେପରି ସୈନ୍ୟବାହିନୀ ମଧ୍ୟରେ ବିଦ୍ରୋହ ହେବ, ସେହିଭଳି ଜଣାଗଲା ।

 

ଏସବୁ ସତ୍ତ୍ୱେ ନିଜର ଦ୍ରୁତଗାମୀ ଓଟ ପଦମଡ଼ୀ ନିକଟରେ ସଜ୍ଜନ ଦୃଢ଼, ଶାନ୍ତ ତଥା ସ୍ଥିରଭାବେ ଠିଆ ହୋଇଥାନ୍ତି । ସେମାନେ ଯାଉଥିବା ରାସ୍ତା ଯେ ଅନ୍‍ହିଲଓ୍ୱାଡକୁ ଠିକ୍‍ ରାସ୍ତା, ଏ ସମ୍ପର୍କରେ ତାଙ୍କର କୌଣସି ସନ୍ଦେହ ନାହିଁ । କିନ୍ତୁ ଏବେ ସାଲାର ମାସୁଦଙ୍କ ଛଡ଼ା ଅନ୍ୟକେହି ତାଙ୍କୁ ବିଶ୍ୱାସ କରୁନାହାନ୍ତି । ସନ୍ଧ୍ୟାବେଳେ ଖୁବ୍‍ ପବନ ହେବାରୁ ଦିଗ୍‍ବଳୟରେ ବାଲିସ୍ତୂପ ଆକାରରେ ଜମା ହେଲା । ହାତୀମାନେ ଆଗକୁ ଯାଇ ନ ପାରି ବସିପଡ଼ିଲେ । ଭଲ ଭଲ ଘୋଡ଼ାମାନଙ୍କର ମଧ୍ୟ ସେହି ଦଶା ହେଲା । ଓଟମାନେ ଫେରିବାକୁ ଚାହିଁଲେ ଓ ମଣିଷମାନେ “ପାଣି ପାଣି” ବୋଲି ଚିତ୍କାର କଲେ ।

 

ଶେଷକୁ ସୁଲତାନ୍‍ ଯାତ୍ରା ବନ୍ଦ କରିବାକୁ ହୁକୁମ୍‍ ଦେଲେ । ସଜ୍ଜନ ଏବଂ କେତେକ ପଥପ୍ରଦର୍ଶକ ସାଙ୍ଗରେ ନେଇ ଦିନକରେ ଅତିକ୍ରମ କରିବା ଭଳି ବାଟ ଆଗକୁ ଯିବା ନିମନ୍ତେ ସେ ମାସୁଦଙ୍କୁ କହିଲେ । ତାଙ୍କ ପଛେ ପଛେ ସୈନ୍ୟବାହିନୀ ତିନି ଦଳରେ ବିଭକ୍ତ ହୋଇ ପଛକୁ ପଛ ଯିବା କଥା ସ୍ଥିର ହେଲା । ଶେଷ ଦଳ ସହିତ ହାତୀ ଓ ଘୋଡ଼ା ଯିବେ । ଏହି ବ୍ୟବସ୍ଥା ସଜ୍ଜନଙ୍କ ମନକୁ ପାଉନଥିଲେ ସୁଦ୍ଧା, ତାଙ୍କର କିଛି କରିବାର ଉପାୟ ନ ଥିଲା । ପଶ୍ଚିମ ଆକାଶରେ ବୋଝେଇ ହୋଇ ରହିଥବା ବାଦଲକୁ ଅନାଇ ସେ ପ୍ରାର୍ଥନା କଲେ, “ପ୍ରଭୁ ସୋମନାଥ, ତୁମର ବାଲିଝଡ଼ କାହିଁ ? ଏହି ମୁହୂର୍ତ୍ତରେ କାହିଁକି ପଠାଉ ନାହଁ ?”

 

ସାଲାର ମାସୁଦ୍‍ ଏବଂ ସଜ୍ଜନ ସେମାନଙ୍କ ଗନ୍ତବ୍ୟ ପଥରେ ଚାଲିଲେ । ଘଣ୍ଟାଏ ସମୟ ଚାଲିଛନ୍ତି କି ନାହିଁ, ଦେଖାଦେଲା ବିପଜ୍ଜନକ ବାଲିଝଡ଼ । ବହୁ କଷ୍ଟରେ ଓଟମାନଙ୍କୁ ଆୟତ୍ତ କରି ସେମାନେ ଆପଣାକୁ ଅଣନିଶ୍ୱାସୀ ହେବାରୁ ରକ୍ଷାକଲେ । ବର୍ତ୍ତମାନ ସାଲାର ମାସୁଦ ବୁଝିଲେ ଯେ ଅନ୍ୟ ପଥପ୍ରଦର୍ଶକମାନେ କହୁଥିବା କଥା ଠିକ୍‍ । ତଥାପି ସଜ୍ଜନ ନିଜ କଥାରେ ଦୃଢ଼ ଥିଲେ; କିନ୍ତୁ ମାସୁଦଙ୍କର ବିଶ୍ୱାସ ଦୁର୍ବଳ ହେବାକୁ ଆରମ୍ଭ କଲା ।

 

ପଦମଡ଼ୀ ମଧ୍ୟ ଅବସ୍ଥା ବୁଝୁଥିବା ପରି ଜଣାଗଲା । ଅନ୍ୟ ଓଟମାନେ ଯିବାକୁ ଅମଙ୍ଗ ହେଉଥିବାବେଳେ ସେ ପୂରା ଦମରେ ଆଗକୁ ଚାଲିଲା । ଏହା ଫଳରେ ସଜ୍ଜନଙ୍କୁ ଅନ୍ୟପଥ-ପରିଚାଳକମାନଙ୍କ ସହିତ ଯୁକ୍ତି କରିବାକୁ ସୁବିଧା ମିଳିଗଲା-ଯେବେ ପଦମଡ଼ୀ ଆଗକୁ ଯାଇପାରେ ତା’ହେଲେ ସେମାନଙ୍କ ଓଟସବୁ ଯିବାରେ ଭୟ କ’ଣ ?

 

ପଶ୍ଚିମ ଦିଗରୁ ଅଧିକରୁ ଅଧିକ ମାତ୍ରାରେ ଭୟଙ୍କରଭାବେ ବାଲିଝଡ଼ ମାଡ଼ିଆସୁଥାଏ । ମାସୁଦ୍‍ ବଡ଼ ବଡ଼ ଆଖିରେ ସଜ୍ଜନଙ୍କୁ ଚାହିଁସୁଦ୍ଧା ଧୈର୍ଯ୍ୟ ହରାଇ ନ ଥାନ୍ତି । “ମୁଁ ସାମନାରେ କ’ଣ ଦେଖୁଛି ତୁମେ ଜାଣିପାରୁଛ ?”-ମାସୁଦ ପଚାରିବାରୁ ସଜ୍ଜନ ଗମ୍ଭୀରଭାବେ ଉତ୍ତର ଦେଲେ, “ହଁ, ବାଲିଝଡ଼, ଅଳ୍ପ ସମୟ ପରେ ଶେଷ ହୋଇଯିବ ।”

 

କ୍ରମେ ଆହୁରି ଅଧିକ ଜୋରରେ ଗରମ ପବନ ବହିଲା । ସେମାନଙ୍କ ଉପରେ ବାଲିକଣା ଆସି ଗଦାହେଲା । ଏହା ଦେଖି ମାସୁଦ୍‍ ନିଶ୍ଚିତଭାବେ ବୁଝିଲା ଯେ, ତାଙ୍କୁ ସଜ୍ଜନ ଠକିଛନ୍ତି ।

 

ତହୁଁ ମାସୁଦ୍‍ ନିଜର ଖଣ୍ଡା କାଢ଼ି ସଜ୍ଜନଙ୍କ ଉପରକୁ ଉଞ୍ଚାଇ ଉଚ୍ଚ ସ୍ୱରରେ କହିଲା “ବଦମାସ୍‍, ତୁ କିଏ ?”

 

ସଜ୍ଜନ୍ନ ହସି ହସି ଜବାବ୍‍ ଦେଲେ, “ମୁଁ କିଏ ? କାହିଁକି ? ମ୍ଳେଚ୍ଛ, ମୁଁ ଏହି ମରୁଭୂମିର ଶାସକ ଘୋଘାବାପାଙ୍କ ପୁଅ । ଏଇ ଦେଖ, ସେଠି ପ୍ରଭୁ ସୋମନାଥଙ୍କର ତୃତୀୟ ଆଖି ସମସ୍ତ ଧ୍ୱଂସ କରିବାକୁ ମେଲା ହୋଇଛି ।” ଏହା କହି ସେ ଦୂରର ବାଲିଝଡ଼କୁ ଦେଖାଇଦେଲେ ।

 

ସଜ୍ଜନ କହୁଥିବା ବିଷୟ ମାସୁଦ୍‍ର ପାଖରେ ଥିବା ପଥପରିଚାଳକ ଭାଷାନ୍ତର କରି ବୁଝାଇଦେଲା । ଏହା ଶୁଣି ମାସୁଦ୍‍ର ରାଗ ସୀମା ଟପିଲେ ସୁଦ୍ଧା, ତା’ର ଓଟ ଆଗକୁ ନ ଯାଇ ପଛକୁ ଫେରୁଥିବାରୁ, ସେ କିଛି କରିପାରିଲା ନାହିଁ । ତା’ ଦେଖାଦେଖି ଅନ୍ୟ ଓଟମାନେ ମଧ୍ୟ ପଛକୁ ଫେରିଲେ ।

 

ସଜ୍ଜନଙ୍କ ଦୃଢ଼ ଆଦେଶରେ ପଦମଡ଼ୀ ନିର୍ଭୟରେ ଝଡ଼କୁ ସମ୍ମୁଖ କରି ଠିଆହୋଇଥାଏ-। ସଜ୍ଜନ ମଧ୍ୟ ଓଟମାନଙ୍କୁ ଅନାଇ ରହିଥାନ୍ତି । ଏହାପରେ କ’ଣ କରିବେ ତାହା ନିଷ୍ପତ୍ତି କରିବାକୁ ସେ ସମୟ ପାଇଲେ ନାହିଁ । ଯେଉଁଆଡ଼କୁ ଅନାଉଥାନ୍ତି ମୃତ୍ୟୁର ସମ୍ମୁଖୀନ ହେଲା ଭଳି ତାଙ୍କୁ ଲାଗୁଥାଏ । ସେ ଯେବେ ମାସୁଦ୍‍ର ପଛେ ପଛେ ଯାଆନ୍ତି ତା’ହେଲେ ତାଙ୍କୁ ମାରିଦିଆଯିବ, ଯେବେ ଝଡ଼ ଭିତରକୁ ଯାଆନ୍ତି, ତା’ ହେଲେ ମଧ୍ୟ ମୃତ୍ୟୁ ଅବଶ୍ୟମ୍ଭାବୀ । ପଦମଡ଼ୀ ଯେପରି ଅସ୍ଥିର ହୋଇ ଚିତ୍କାର କଲା ତହିଁରୁ ସେ ବୁଝିପାରିଲେ ଯେ, ପ୍ରାୟ ତିନିଶହ ହାତ ଉଚ୍ଚରେ ଝଡ଼ ଆସୁଛି ଓ ଯେବେ ଯାଆନ୍ତି ତା’ହେଲେ ଉଭୟେ ଝଡ଼ ଭିତରେ ପଡ଼ି ଶେଷ ହୋଇଯିବେ । ପଦମଡ଼ୀ ଅସ୍ଥିର ହୋଇ ଚାରିଗୋଡ଼ରେ ଡେଇଁବାକୁ ଲାଗିଲା ।

 

ଏହି ବିପଦ ସମୟରେ ସଜ୍ଜନଙ୍କ ମନରେ ନାନାପ୍ରକାର କଳ୍ପନା ରୂପ ନେଲା । ତାଙ୍କର ନବେ ବର୍ଷ ବୟସ୍କ ବାପା ଘୋଘାବାପା ନିଜ ପୁଅର ଅଦ୍ଭୁତ ସାହସର ପରିଚୟ ପାଇ ଆନନ୍ଦରେ ଠିଆହୋଇଛନ୍ତି । ତାଙ୍କ ସ୍ତ୍ରୀ ତାଙ୍କର ଆଗମନ ପାଇଁ ଅପେକ୍ଷା କରିରହିଛି । ଯେଉଁ ପୁଅ ସାମନ୍ତକୁ ସେ ଜୀବନ ଅପେକ୍ଷା ଅଧିକ ଭଲ ପାଆନ୍ତି, ସେ ତାଙ୍କର ନିରାପତ୍ତା ପାଇଁ ଉଦ୍‍ବିଗ୍ନ ହୋଇ ଅପେକ୍ଷା କରି ରହିଛି । ପ୍ରଭୁ ସୋମନାଥଙ୍କ ମନ୍ଦିରରେ ଗଙ୍ଗସର୍ବଜ୍ଞ ଘଟଣା ଜାଣିବାପାଇଁ ଚିନ୍ତିତଭାବେ ଅପେକ୍ଷା କରି ରହିଛନ୍ତି ଓ ସର୍ବୋପରି ପ୍ରଭୁ ସୋମନାଥଙ୍କ ରକ୍ଷାପାଇଁ ସେ ନିଜର ଜୀବନ ଦେବାକୁ ପ୍ରସ୍ତୁତ ହୋଇଛନ୍ତି ।

 

ପ୍ରଭୁ ସୋମନାଥ ତାଙ୍କର ବିରାଟ ମନ୍ଦିରରେ ବିଜେ କରିଛନ୍ତି । ଏହିସବୁ ଦୃଶ୍ୟ ତାଙ୍କ ଆଖିଆଗରେ ସତ ଭଳି ନାଚିଉଠୁଥିଲା ।

 

ଏହିସବୁ କଥା କଳ୍ପନା କରି ତାଙ୍କ ହୃଦୟ ଗର୍ବରେ ଫୁଲିଉଠିଲା । ଯାହା ଏପର୍ଯ୍ୟନ୍ତ କେହି କରିନାହାନ୍ତି, ସେ ତାହା ଏକାକୀ କରିପାରିଲେ । ତାଙ୍କ ଯୋଗୁ ହମୀର୍‍ର ସୈନ୍ୟବାହିନୀର ବହୁସଂଖ୍ୟକ ସୈନ୍ୟ ଆଜି ଧ୍ୱଂସ ହେବେ । ତାଙ୍କର ଏହି ବୀରତ୍ୱ କାହାଣୀ କାନରେ ପଡ଼ିଲେ ସମସ୍ତେ ଉଚ୍ଚ ପ୍ରଶଂସା କରିବେ । ଏହି ବୀରତ୍ୱର କାହାଣୀ ଦେଶସାରା ବ୍ୟାପ୍ତ ହେବ ଏବଂ ଦୁନିଆରେ ସାହସ ଓ ବୀରତ୍ୱର ଆଲୋଚନାବେଳେ ଲୋକେ ତାଙ୍କର ଉପମାହିଁ ଦେବେ ।

 

ଆଗତ ପ୍ରାୟ ବାଲିଝଡ଼ ସଜ୍ଜନଙ୍କ ମନରେ ନାନା ପ୍ରକାର ରେଖାପାତ କରିବାକୁ ଆରମ୍ଭ କଲା । ପଦମଡ଼ୀ ଅଧୈର୍ଯ୍ୟ ହୋଇଉଠିଛି । ସେମାନେ ବଞ୍ଚିବେ ନା ମରିବେ ? ହମୀର୍‍ର ଲମ୍ବା ଦାଢ଼ି ଓ ସବୁଜ ପଗଡ଼ି ସହ ଭୟଙ୍କର ମୁହଁ, ବାଲିଝଡ଼ରେ ଅଣନିଶ୍ୱାସୀ ହୋଇଯାଉଥିବା ତା’ର ବିରାଟ ସୈନ୍ୟବାହିନୀ ଖାଦ୍ୟ ନ ପାଇ ମରିଯାଉଥିବା ଏବଂ ସେମାନଙ୍କ ଉପରେ ଶାଗୁଣା ଉଡ଼ୁଥିବାର କାଳ୍ପନିକ ଚିତ୍ର ସେ ଦେଖିଲେ ।

 

ଏହିସବୁ ଦିବାସ୍ୱପ୍ନ ଶେଷ କରି ଈଷତ୍‍ ହାସ୍ୟ ସହ ସେ ତଳକୁ ମୁହଁ ପୋତି ଓ ପଦମଡ଼ୀକୁ ଗେଲ କରି ସ୍ନେହଭରା ସ୍ୱରରେ କହିଲେ, “ପଦମଡ଼ୀ ବୋହୂ, ପଛକୁ ଫେର ମା’ ମୋର ! ତ୍ରିଜଗତର ପ୍ରଭୁ ସୋମନାଥଙ୍କର ତୁ ତୃତୀୟ ଆଖି ହୁଅ ।” ଏହା କହି ସେ ବାଲିଝଡ଼ ଆସୁଥିବା ଦିଗରୁ ପଦମଡ଼ୀର ମୁହଁକୁ ଫେରାଇଲେ ଏବଂ ଶେଷ ମୁହୂର୍ତ୍ତରେ ଝଡ଼କୁ ଅତିକ୍ରମ କରିବାକୁ ଠିକ୍‍ କଲେ ।

 

ମାସୁଦ୍‍ର ସୈନ୍ୟବାହିନୀର ଦୁଇଟି ଓଟ ପଡ଼ିଗଲେ ସୁଦ୍ଧା ସେଇ ଦୁଇଟି ଦୁର୍ଭାଗା ଉଷ୍ଟ୍ରାରୋହୀଙ୍କ ତତ୍ତ୍ୱ ନେବାକୁ ତା’ର ସମୟ ନ ଥିଲା । ତା’ର ଏକମାତ୍ର ଧ୍ୟାନ କିପରି ଯେତେଶୀଘ୍ର ପାରେ ସୈନ୍ୟବାହିନୀକୁ ଝଡ଼ମୁହଁରୁ ରକ୍ଷାକରିବ । ସାଙ୍ଗେ ସାଙ୍ଗେ ସୈନ୍ୟବାହିନୀର ମୁଖ୍ୟ ଅଂଶ ସଙ୍ଗେ ସମ୍ପର୍କ ପ୍ରତିଷ୍ଠା କରି ପଛକୁ ଫେରିଯିବା ପାଇଁ ସେ ନିର୍ଦ୍ଦେଶ ଦେଲା ଓ ବାହିନୀର ଦ୍ୱିତୀୟ ଅଂଶକୁ ଖବର ଦେବା ପୂର୍ବରୁ ଓଟ ବଦଳାଇବା ପାଇଁ ସେ କିଛି ସମୟ ନେଲା ।

 

ସୁଲତାନ ନିଜେ ସୈନ୍ୟବାହିନୀର ଦ୍ୱିତୀୟ ଦଳରେ ଥିଲା । ମାସୁଦ ଯଥାଶୀଘ୍ର ତାକୁ ପ୍ରକୃତ ଅବସ୍ଥା ବୁଝାଇଦେଲା । ଏବେ ଫେରିଯିବା ଛଡ଼ା ଅନ୍ୟଉପାୟ ନ ଥିଲା । ସୁଲତାନ ନିଜେ ଜଣେ ଦକ୍ଷ ସେନାପତି । ଆସନ୍ନ ବିପଦ ବୁଝିବାରେ ତା’ର କୌଣସି ବିଳମ୍ବ ହେଲାନାହିଁ ଏବଂ ସଙ୍ଗେ ସଙ୍ଗେ ସୈନ୍ୟବାହିନୀ ଫେରିଯିବା ପାଇଁ ବ୍ୟବସ୍ଥା କରାଗଲା । ସୈନ୍ୟମାନେ ଯେପରି ଉତ୍ସାହିତ ହେବେ, ସେଥିପାଇଁ ସେ ନିଜେ ମଧ୍ୟ ତାଙ୍କ ସଙ୍ଗେ ଗଲା ।

 

ସୈନ୍ୟବାହିନୀର ଦ୍ୱିତୀୟ ଦଳଟି ଏକପ୍ରକାର ଶୃଙ୍ଖଳିତଭାବେ ପଛକୁ ଫେରିଲା । ତୃତୀୟ ଦଳକୁ ମଧ୍ୟ ସାଙ୍ଗେ ସାଙ୍ଗେ ପଛକୁ ଶୃଙ୍ଖଳିତଭାବେ ଫେରିଯିବା ପାଇଁ ଆଦେଶ ଦିଆଗଲା-

 

କେବଳ ପ୍ରଥମ ଦଳରେ ପୂରାପୂରି ବିଶୃଙ୍ଖଳା ଦେଖାଦେଲା । ସୁଲତାନ ଏବଂ ମାସୁଦ୍‍ ଶୃଙ୍ଖଳା ପ୍ରତିଷ୍ଠା କରିବାକୁ ଯେତେ ଚେଷ୍ଟାକଲେ ସୁଦ୍ଧା ସେମାନଙ୍କ କଥା ଶୁଣିବା ଅବସ୍ଥାରେ କେହି ନ ଥିଲେ । ବାଲିଝଡ଼ ଦ୍ରୁତଗତିରେ ସେମାନଙ୍କ ପାଖକୁ ମାଡ଼ିଆସୁଥାଏ । ସୁଲତାନ ନିଜକୁ ଆସନ୍ନ ବିପଦରୁ ରକ୍ଷା କରିବାପାଇଁ ପ୍ରଥମ ଦଳକୁ ଶୃଙ୍ଖଳିତ କରିବାର ଚେଷ୍ଟା ତ୍ୟାଗକରି ଦ୍ୱିତୀୟ ଦଳକୁ ଫେରିଗଲା ।

 

ସେମାନେ ଯାଉଥିବା ସମୟରେ ଝଡ଼ ତାଙ୍କ ପଛେ ପଛେ ଆସୁଛି କି ନାହିଁ ତାହା ଜାଣିବାପାଇଁ ସେମାନେ ପଛକୁ ନ ଚାହିଁ ରହିପାରିଲେ ନାହିଁ । ଉଜ୍ଜ୍ୱଳ ବାଲିକଣାର ପରଦା ପରି ଗୋଟିଏ ଦୃଶ୍ୟରେ ସୂର୍ଯ୍ୟଦେବତାଙ୍କ ଭଳି ଗୋଟିଏ ଭୟାବହ ମୂର୍ତ୍ତି ସୁନାରଙ୍ଗର ଓଟରେ ଚଢ଼ି ସେମାନଙ୍କ ନିକଟକୁ ଆସୁଥିବା ସେମାନେ ଦେଖିପାରିଲେ । ଓଟ ଉପରେ ଚଢ଼ିଥିବା ବ୍ୟକ୍ତିଟି ଖୋଲା ତରବାରି ଚମକାଇ ଭୟଙ୍କର ବେଗରେ ମାଡ଼ିଆସୁଥାଏ । ହିନ୍ଦୁମାନେ “ସୂର୍ଯ୍ୟନାରାୟଣ” ଓ ମୁସଲମାନମାନେ “ସୈତାନ୍‍” ବୋଲି ଧ୍ୱନି ଦେଲେ ଏବଂ ସମସ୍ତେ ଏହି ଧ୍ୱଂସରୁ ରକ୍ଷା କରିବା ନିମନ୍ତେ ତଳକୁ ମୁହଁ ପୋତି ପ୍ରାର୍ଥନା କଲେ ।

 

ବାଲିଝଡ଼ର ଦେବତା ସଦୃଶ ଦେଖାଯାଉଥିବା ଏହି ମୂର୍ତ୍ତି କାହାରିକୁ ଅପେକ୍ଷା ନ କରି ବାରମ୍ବାର “ଜୟ ସୋମନାଥ” ଧ୍ୱନି ଦେଇ ଦ୍ରୁତଗତିରେ ଆସୁଥାଏ । ଏକ ମୁଣ୍ତିଆ ଉପରେ ଠିଆହୋଇ ସୁଲତାନ ମହମ୍ମଦ ଏହାକୁ ଦେଖି ଚିତ୍କାର କରି କହିଲା, “କିଏ ଏ ? ସୈତାନ୍‍ ?” ମାସୁଦ୍‍ ଜବାବ ଦେଲା, “ନାଁ ଆଜ୍ଞା ! ସେ ଘୋଘାବାପାର ପୁଅ ।”

 

ଗଜନୀର ହମୀର୍‍ ନିଜେ ଜଣେ ଯୋଦ୍ଧା । ତେଣୁ ଏହା ଶୁଣି ପ୍ରଶଂସାରେ ସେ ବାକ୍‍ଶକ୍ତିହୀନ ହୋଇଗଲା । ତା’ର ବିରାଟ ସୈନ୍ୟବାହିନୀର ଗୋଟିଏ ପୂରା ଦଳ ଝଡ଼ରେ ଧ୍ୱଂସ ହୋଇଥିବାର ସେ ନିଜେ ଦେଖିଲା । ସେ ଏକ ନିଶ୍ୱାସ ପକାଇ କହିଲା, “ଆଲ୍ଲାଙ୍କ ଦୟାରୁ ମୋ ସୈନ୍ୟବାହିନୀକୁ ତିନି ଦଳରେ ବିଭକ୍ତ କରିଥିବାରୁ ଅନ୍ତତଃ ଦୁଇଟି ଦଳ ରକ୍ଷା ପାଇଗଲେ ।” ହମୀର୍‍ ଏହା କହି ତା’ର ଓଟରୁ ଓହ୍ଲାଇପଡ଼ି ଆଣ୍ଠୁ ପକାଇ ଭଗବତ୍‍ ଦୟାପାଇଁ ପ୍ରାର୍ଥନା କଲା ।

 

ଝଡ଼ କମିଯାଇ ସବୁ ଶାନ୍ତ ହୋଇଯିବା ପରେ ସତେ ଯେପରି କିଛି ବିପଦ ଘଟି ନ ଥିଲା, ସେହିପରି ଜଣାଗଲା । ଚାରିଆଡ଼େ ସ୍ତୂପ ଆକାରରେ ବାଲି ଗଦା ହୋଇଥାଏ ଏବଂ ଏହି ବାଲିଗଦା ତଳେ ପୋତି ହୋଇ ପଡ଼ିଥିବା ଶହ ଶହ ସୈନ୍ୟଙ୍କ ମଧ୍ୟରେ ଥିଲା ସଜ୍ଜନ ଓ ତାଙ୍କ ପ୍ରିୟ ପଦମଡ଼ୀର ଶବ । ସଜ୍ଜନ ପଦମଡ଼ୀର ବେକକୁ କୁଣ୍ଢାଇ ଧରି ମରି ପଡ଼ିଥାନ୍ତି ।

Image

 

ସାମନ୍ତ ଓ ସୁଲତାନ୍

 

ସୁଲତାନର ଅଦ୍ଭୁତ ବ୍ୟକ୍ତିତ୍ୱ ଫଳରେ ସଙ୍ଗେ ସଙ୍ଗେ ସୈନ୍ୟବାହିନୀ ପୁନର୍ଗଠିତ ହୋଇ ଶୃଙ୍ଖଳିତରୂପେ ଆଗକୁ ଚାଲିଲା । ପ୍ରତିଦିନ କିଛି କିଛି ବାଟ ଯାଇ ପାଖରେ ଥିବା ପାଣି ଓ ଖାଦ୍ୟଦ୍ରବ୍ୟ ଅତି ସଂଯତଭାବେ ଅଳ୍ପ ଅଳ୍ପ ଖର୍ଚ୍ଚ କରି, ଦିନରାତି ପ୍ରାର୍ଥନା କରି, ଖୁରାସାନୀ ସୈନ୍ୟବାହିନୀର ସାହାଯ୍ୟ ନେଇ ଓ ଅନ୍ୟାନ୍ୟ ନାନା ଉପାୟରେ ସୈନ୍ୟବାହିନୀ ମଧ୍ୟରେ ଶୃଙ୍ଖଳା ପ୍ରତିଷ୍ଠା କରାଗଲା ।

 

ଏହି ସଙ୍କଟ ତଥା ବିପଜ୍ଜନକ ସମୟରେ ସୁଲତାନ ମହମ୍ମଦର ବାସ୍ତବ ବ୍ୟକ୍ତିତ୍ୱର ମହନୀୟତା ପ୍ରକାଶ ପାଇଲା । କୌଣସି ବିପଦ ତା’ ମନରେ ଅବସାଦ ଆଣି ନ ଥିଲା । ଯେତେବଡ଼ ପ୍ରତିକୂଳ ଅବସ୍ଥା ଦେଖାଦେଲେ ସୁଦ୍ଧା ତାହାର ଆତ୍ମବିଶ୍ୱାସ ଥିଲା ଅକ୍ଷୁର୍ଣ୍ଣ । ତାହାର ଲକ୍ଷ୍ୟ ବିଚ୍ୟୁତି ଘଟିବାପାଇଁ ଯଥେଷ୍ଟ ଘଟଣା ଘଟିଥିଲେ ସୁଦ୍ଧା, ସେ ତାହା ଅପରିବର୍ତ୍ତିତ ରଖିଥିଲା ।

 

ସୁଲତାନ କୌଣସି ପ୍ରକାର ବିଶ୍ରାମ ନ ନେଇ ଦିନରାତି ସୈନ୍ୟବାହିନୀ ମଧ୍ୟରେ ବୁଲି, କେଉଁଠାରେ ଥଟ୍ଟା ପରିହାସ ବା ବ୍ୟଙ୍ଗୋକ୍ତି କରି, କେଉଁଠି ଧର୍ମ ପ୍ରସଙ୍ଗ ଆଲୋଚନା କରି ଏବଂ ଅନ୍ୟ କୌଣସିଠାରେ କ୍ରୋଧ ପ୍ରକାଶ କରି ସୈନ୍ୟବାହିନୀ ମଧ୍ୟରେ ଉତ୍ସାହ ସୃଷ୍ଟି କରୁଥିଲା । ସେ ଯେଉଁଠାକୁ ଯାଉଥିଲା, ସେଠାରେ ଉତ୍ସାହ ଖେଳି ଯାଉଥିଲା ।

 

କେବଳ ହିନ୍ଦୁ ସୈନ୍ୟମାନଙ୍କ ମଧ୍ୟରେ ଉତ୍ସାହ ନ ଥିଲା । ସେମାନେ ପରସ୍ପରକୁ ପଚାରୁଥିଲେ-ଯେତେବେଳେ ସୂର୍ଯ୍ୟଦେବତା ନିଜେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଅଛନ୍ତି, ସେତେବେଳେ ମଣିଷ ବା କ’ଣ କରିପାରିବ ? ସେମାନଙ୍କ ମଧ୍ୟରୁ କେତେକ ମହମ୍ମଦର ଲୁଣ୍ଠନ ଦ୍ରବ୍ୟରୁ ଭାଗ ପାଇବା ଆଶାରେ ଏବଂ ଅନ୍ୟମାନେ କାପୁରୁଷ ହିନ୍ଦୁ ଶାସକମାନଙ୍କର ଆଦେଶରେ ଏ ସୈନ୍ୟବାହିନୀରେ ଯୋଗ ଦେଇଥିଲେ । କିନ୍ତୁ ଏବେ ସେମାନେ ବୁଝୁଥିଲେ ଯେ, ଯାହାର ସୈନ୍ୟବାହିନୀରେ ସେମାନେ ଯୋଗ ଦେଇଛନ୍ତି, ସେ କୌଣସି ମଣିଷ ସହିତ ଯୁଦ୍ଧ ନ କରି ଯୁଦ୍ଧ କରିବ ଭଗବାନଙ୍କ ସହିତ । ତେଣୁ ସେମାନଙ୍କ କର୍ତ୍ତବ୍ୟ ଭିନ୍ନ ବୋଲି ବୁଝିପାରି ସେମାନଙ୍କ ମଧ୍ୟରେ ଅଧିକରୁ ଅଧିକ ଅସନ୍ତୋଷ ପ୍ରକାଶ ପାଉଥିଲା । ତେବେ କେବଳ ଅସନ୍ତୁଷ୍ଟ ହେବା ବ୍ୟତୀତ ସେମାନଙ୍କ ପକ୍ଷରେ ଅନ୍ୟ ଉପାୟ କିଛି ନ ଥିଲା ।

 

ପରଦିନ ସେନାପତିମାନେ ସୁଲତାନଙ୍କ ସହିତ ଦେଖାକରି ପ୍ରତ୍ୟେକେ କିଛି ନା କିଛି ଅଭିଯୋଗ କଲେ । ହାତୀମାନେ ଆଗକୁ ଚାଲିପାରୁନାହାନ୍ତି, ଦାନା ଓ ପାଣି ଅଭାବରେ ଘୋଡ଼ାମାନେ ମରିବାକୁ ବସିଲେଣି, ହିନ୍ଦୁମାନଙ୍କର ଏଥିରେ ଆନ୍ତରିକତା ନାହିଁ, ମୁସଲମାନମାନଙ୍କର ଆଉ ପୂର୍ବପରି ଆଗ୍ରହ ଓ ଉତ୍ସାହ ନାହିଁ, ପଥନିର୍ଦ୍ଦେଶକମାନେ ଆଗକୁ ରାସ୍ତା ବତାଇ ପାରୁନାହାନ୍ତି, ଆଗକୁ ଗୋଟିଏ ସନ୍ଧିସ୍ଥାନରେ ରାଜପୁତ ସୈନ୍ୟବାହିନୀ ଜଗି ରହିଛନ୍ତି-ଏହିପରି ନାନା କଥା ସେମାନେ କହିଲେ ।

 

ସୁଲତାନ ଗଦିକୁ ଆଉଜି ବସି ପ୍ରତ୍ୟେକଙ୍କ କଥା ଶୁଣୁଥାଏ । ପ୍ରତ୍ୟେକ ଲୋକ ନିଜ ନିଜର କଥା କହୁଥିବାବେଳେ ସେ ତା’ର ବଡ଼ ବଡ଼ ଆଖିର ଭ୍ରୂଲତା ଉପରକୁ କରି କଟାକ୍ଷରେ ଅନାଇ ସବୁ ଶୁଣୁଥାଏ । କେବଳ ମାସୁଦ୍‍ର ଏ ପର୍ଯ୍ୟନ୍ତ ପୂର୍ବପରି ଆଗ୍ରହ ଓ ଉତ୍ସାହ ଅଛି ଏବଂ ପ୍ରତ୍ୟେକ ଅଭିଯୋଗର ଉତ୍ତରରେ କୋରାନ୍‍ରୁ ଆବଶ୍ୟକୀୟ ପଙ୍‍କ୍ତି ଉଦ୍ଧାର କରି ସେ ରୋକ୍‍ଠୋକ୍‍ ଜବାବ ଦେଉଥାଏ ।

 

ଠିକ୍‍ ଏତିକିବେଳେ ମୁଲତାନର ମୁଖୀଙ୍କଠାରୁ ବାର୍ତ୍ତା ନେଇ ଦୁଇଜଣ ବ୍ୟକ୍ତି ଆସିଛନ୍ତି ବୋଲି ଗୋଟିଏ ପ୍ରହରୀ ଖବର ଦେଲା । ତମ୍ବୁ ଭିତରେ ଥିବା ପ୍ରତ୍ୟେକ ଲୋକ ଉପରେ ଏହା ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ସୃଷ୍ଟି କଲା । ଆଶାବାଦୀମାନେ ଏହାକୁ ଶୁଭ ସମ୍ବାଦ ବିଚାରିଲେ । ବିପଦ ଆଶଙ୍କା କରୁଥିବା ବ୍ୟକ୍ତିମାନେ ଏଥିରେ ବିପଦର ସଂକେତ ଦେଖିଲେ । ସୁଲତାନ ସଙ୍ଗେ ସଙ୍ଗେ ବସିପଡ଼ି ସେମାନଙ୍କୁ ଆସିବାପାଇଁ ହୁକୁମ୍‍ ଦେଲେ । ମାସୁଦ୍‍ ଆନନ୍ଦ ଉତ୍ସାହରେ ନବାଗତମାନଙ୍କୁ ସ୍ୱାଗତ କରିବାକୁ ଗଲା ।

 

ଅଳ୍ପ ସମୟ ମଧ୍ୟରେ ସାମନ୍ତ ଓ ନନ୍ଦୀଦତ୍ତଙ୍କ ସହ ମାସୁଦ୍‍ ଫେରିଆସିଲା । ଗୁଜୁରାତ ଯିବାପାଇଁ କେଉଁ ବାଟ ସିଧା ତାହା ଖୋଜି ଖୋଜି ସେ ଦୁହେଁ ଏଠାରେ ଆସି ପହଞ୍ଚିଛନ୍ତି । ଏହି ବିରାଟ ଛାଉଣୀ ଦେଖି ଲୁଚି ପଳାଇ ଯିବାପାଇଁ ନନ୍ଦୀଦତ୍ତ ସାମନ୍ତଙ୍କୁ ପରାମର୍ଶ ଦେଇଥିଲେ; କିନ୍ତୁ ସାମନ୍ତ ତାଙ୍କ କଥା ନ ମାନି ଦୃଢ଼ତା ସହ ସିଧାସଳଖ ଛାଉଣୀକୁ ଯାଇ ସୁଲତାନକୁ ଦେଖାକରିବା ନିମିତ୍ତ ପ୍ରହରୀକୁ କହିଲେ ।

 

ପ୍ରହରୀମାନଙ୍କର ସନ୍ଦେହ ହେଲା, କାରଣ ଜଣେ ହିନ୍ଦୁ ପଥଚାରୀ ସିଧାସଳଖ ସୁଲତାନ ସଙ୍ଗରେ ଦେଖାସାକ୍ଷାତ ଚାହିଁବା ସେମାନେ କେବେ ଶୁଣି ନ ଥିଲେ । କିନ୍ତୁ ମୁଲତାନର ମୁଖୀଙ୍କଠାରୁ ବାର୍ତ୍ତା ନେଇ ଝାଲୋରରୁ ସେ ଆସିଛନ୍ତି ବୋଲି ସାମନ୍ତ କହିଲେ । ଏ କଥା ପ୍ରହରୀ ନାୟକକୁ ଓ ନାୟକ ତା’ ଉପରିସ୍ଥ ବ୍ୟକ୍ତିକୁ କହିବା ଫଳରେ ଅନୁମତି ପାଇଁ ସାମନ୍ତ ସେଠାରେ ଉପସ୍ଥିତ ହୋଇଥାନ୍ତି ।

 

ଏକୋଇଶ ବର୍ଷ ବୟସ୍କ ସାମନ୍ତ ଏ ସମୟରେ ଭୟଙ୍କର ଦେଖା ଯାଉଥାନ୍ତି । ତାଙ୍କର ଆଖି ସ୍ଥିର ଓ ମତ୍ତ । ତାଙ୍କ ମୁଖର କୋମଳତା ନଷ୍ଟ ହୋଇ କପାଳରେ ରେଖା ପଡ଼ିଯାଇଥାଏ । ବୃଦ୍ଧ ନନ୍ଦୀଦତ୍ତ ସାମନ୍ତଙ୍କ ପାଖ ଛାଡ଼ିବେ ନାହିଁ ବୋଲି ପଣ କରିଥିବାରୁ ଦୃଢ଼ମନା ହୋଇ ତାଙ୍କ ସଙ୍ଗେ ଅବିଚ୍ଛେଦ୍ୟ ସାଥୀରୂପେ ରହିଥାନ୍ତି ।

 

ସେ ଦୁହେଁ ସୁଲତାନ ନିକଟରେ ଆସି ପହଞ୍ଚିବାମାତ୍ରେ କ’ଣ ସମ୍ବାଦ ଆସିଛି ଜାଣିବା ନିମନ୍ତେ ସମସ୍ତଙ୍କ ମନରେ ଉଦବେଗ ଦେଖାଦେଲା । ସୁଲତାନ ଆଗନ୍ତୁକ ଦୁହିଁଙ୍କୁ ସିଧା ତା’ ନିକଟକୁ ଆଣିବା ନିମନ୍ତେ ଉଚ୍ଚ ସ୍ୱରରେ ମାସୁଦ୍‍କୁ ନିର୍ଦ୍ଦେଶ ଦେଲା । ସେମାନେ କେଉଁଠାରୁ ଆସିଛନ୍ତି ବୁଝିବାପାଇଁ ଦୋଭାଷୀ ତିଳକ୍‍କୁ ଆଦେଶ ଦିଆଗଲା । ସୁଲତାନର ପ୍ରଶ୍ନ ଅନୁସାରେ ତିଳକ ପଚାରି ଚାଲିଥାଏ ।

 

“କେଉଁଠୁ ଆସିଲ ?”

 

“ଝାଲୋର ଓ ମାରୱାଡ଼ ରାସ୍ତାରୁ ।”

 

“କିଏ ପଠାଇଛି ?”

 

“ମୁଲତାନର ମୁଖୀ ।”

 

“କି ବାର୍ତ୍ତା ଆଣିଛ ?”

 

ସାମନ୍ତ ଦୃଢ଼ତା ଓ ନମ୍ରତାର ସହିତ କହିଲେ, “ଆଣିଥିବା ବାର୍ତ୍ତା କେବଳ ହମୀର୍‍ଙ୍କୁ ଜଣାଇବାକୁ ମୋତେ କୁହାଯାଇଛି ।”

“ମୁଖୀ କେଉଁଠି ?”

“ଏତେ ଲୋକଙ୍କ ଉପସ୍ଥିତିରେ ଏହାର ଉତ୍ତର ଦେବି ?”

“ହଁ, ଏହା ହେଉଛି ସୁଲତାନଙ୍କର ଆଦେଶ; ଭଗବାନ ତାଙ୍କୁ ରକ୍ଷା କରନ୍ତୁ ।”

“ମୁଖୀ ଏହି ସଂସାରରୁ ବିଦାୟ ନେଲେଣି ।”

ଏକାଧିକ ସର୍ଦ୍ଦାର ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “କେବେ ?”

ସୁଲତାନ ସାଙ୍ଗେ ସାଙ୍ଗେ ଠିଆ ହୋଇପଡ଼ି ପଚାରିଲେ, “କେଉଁଠି ? କିଏ ମାରିଲା ତାକୁ ?”

ସାମନ୍ତ ସଙ୍ଗେ ସଙ୍ଗେ ଜବାବ ଦେଲେ, “କେତେକ ରାଜପୁତ-ପ୍ରାୟ କୋଡ଼ିଏ ଦିନ ପୂର୍ବେ ଝାଲୋରରୁ ଆସୁଥିବା ରାସ୍ତାରେ ତାଙ୍କୁ ମାରି ଦିଆହୋଇଛି ।”

ପରବର୍ତ୍ତୀ ପ୍ରଶ୍ନ ହେଲା, “ତୁମେ ସତ କହୁଛ ବୋଲି ଆମେ କିପରି ଜାଣିବୁ ?”

ସାମନ୍ତ ତତ୍‌କ୍ଷଣାତ୍‍ ନିଜ ଖୋଳରୁ ହୀରକଖଚିତ ଖଣ୍ତାଟି ବାହାର କରି ମାସୁଦ୍‍କୁ ଦେଖାଇ କହିଲେ, “ଆପଣ ଯେବେ ପ୍ରମାଣ ଚାହାନ୍ତି ତାଙ୍କ ଖଣ୍ତା ଦେଖନ୍ତୁ ।”

ମାସୁଦ୍‍ ଖଣ୍ତାଟିକୁ ନେଇ ତିଳକ ନିକଟକୁ ଯାଇ ଭଲରୂପେ ଦେଖିଲା । ଏହା ଯେ ମୁଖୀକୁ ଉପହାରସ୍ୱରୂପ ସୁଲତାନ ଦେଇଥିବା ଖଣ୍ତା, ଏ ବିଷୟରେ କୌଣସି ସନ୍ଦେହର ଅବକାଶ ନ ଥିଲା । ଏହି ପ୍ରମାଣ ପାଇ ସୁଲତାନ ତଥା ଅନ୍ୟମାନେ ନିର୍ବାକ୍‍ ହୋଇଗଲେ । ସେମାନେ ସାମନ୍ତର ନିର୍ଭୀକ ତଥା ଶାନ୍ତ ମୁଖମଣ୍ତଳକୁ ଅନାଇ ରହିଲେ । କାହାରି ମୁହଁରୁ ପଦେସୁଦ୍ଧା କଥା ବାହାରିଲା ନାହିଁ ।

 

ସୁଲତାନର ନିର୍ଦ୍ଦେଶ କ୍ରମେ ତିଳକ ପଚାରିଲା, “ତମେ କିଏ ?”

 

ସାମନ୍ତ–‘‘ମୁଁ ଜଣେ ରାଜପୁତ ।’’

 

ତିଳକ-‘‘ସେ କ’ଣ ଖବର ଦେଇଛନ୍ତି ?’’

 

ସାମନ୍ତ–‘‘ଏ ସମସ୍ତଙ୍କ ଉପସ୍ଥିତିରେ ଉକ୍ତ ଖବର ମୁଁ କହିବା ଆପଣ ଚାହାଁନ୍ତି ।”

 

ସୁଲତାନ ଅଧୀରତା ପ୍ରକାଶ କରି କହିଲେ, “ହଁ, ହଁ, ହଁ, ଆଲ୍ଲାଙ୍କ ରାଣ-କୁହ ।”

 

ସାମନ୍ତ ସୁଲତାନକୁ ଏକଲୟରେ ଚାହିଁ ଆସ୍ତେ ଆସ୍ତେ ଅଥଚ ଦୃଢ଼ଭାବରେ କହିଲେ, “ଆପଣ ମୁଖୀଙ୍କୁ ମାରୱାଡ଼ ତଥା ଝାଲୋରର ଶାସକମାନଙ୍କୁ କରଗତ କରିବାକୁ ପଠାଇଥିଲେ ।” ଏହି ଯୁବକ ଯେଭଳି ଦାମ୍ଭିକତା ପ୍ରକାଶ କରି କଥା କହୁଥାଏ, ତହିଁରେ ସମସ୍ତେ ଅବାକ୍‍ ହୋଇଗଲେ । ଏଥିପ୍ରତି ସୁଲତାନ୍‍ଙ୍କର କ’ଣ ପ୍ରତିକ୍ରିୟା ହେଉଛି ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି । ସାମନ୍ତ ମୃତ୍ୟୁକୁ ଭୟ କରୁନଥିବାରୁ ତାଙ୍କର ଆଉ କୌଣସି ପ୍ରକାର ଭୟର କାରଣ ନ ଥାଏ ।

 

ସୁଲତାନ କ୍ରୋଧାନ୍ୱିତ ହୋଇ କହିଲା, “କ’ଣ ହେଲା ?”

 

ସାମନ୍ତ ଆସ୍ତେ ଆସ୍ତେ ଏବଂ ପରିଷ୍କାରଭାବେ କହିଲେ, “ଝାଲୋର ଓ ମାରୱାଡ଼ର ଶାସକଦ୍ୱୟ ତୁମର ଶିକାର ହେବାକୁ ଅସ୍ୱୀକାର କଲେ । ଖାଲି ସେତିକି ନୁହେଁ, ଏହି ଦୁଇ ରାଜ୍ୟର ସୈନ୍ୟବାହିନୀ ଗୁଜୁରାତର ଅନ୍ୟଶାସକମାନଙ୍କ ସହିତ ଯୋଗଦେଇ ଆପଣଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ଅପେକ୍ଷା କରି ରହିଛନ୍ତି ।” ସେ କହୁଥିବା ପ୍ରତ୍ୟେକ ଶବ୍ଦ ଉପସ୍ଥିତ ଶ୍ରୋତ୍ରୁମଣ୍ତଳୀଙ୍କ ପକ୍ଷରେ ଠିକ୍‍ ଗୋଟିଏ ଗୋଟିଏ ଗୁଳି ପରି ବୋଧ ହେଉଥଲା ।

 

ପ୍ରଥମ ଥର ପାଇଁ ସୁଲତାନ ଅସହିଷ୍ଣୁ ହୋଇପଡ଼ିଲା । ତା’ ଚାରି ପାଖରେ ଘେରି ବସିଥିବା ଦର୍ଶକମଣ୍ତଳୀଙ୍କ ମୁଖ ନିଷ୍ପ୍ରଭ ହୋଇଗଲା । ସାମନ୍ତ କହୁଥିବା ସମୟରେ ସୁଲତାନଙ୍କ ଆଖି ବୁଜି ହୋଇଗଲା । ସାମନ୍ତ କହିଲାଗିଲେ, “ଆପଣ ଯେଉଁଠାରୁ ଆସିଛନ୍ତି, ଯେତେଶୀଘ୍ର ପାରନ୍ତି ସେଠାକୁ ଫେରିଯିବାକୁ ଆପଣଙ୍କୁ କହିବା ନିମନ୍ତେ ମରିବା ପୂର୍ବରୁ ମୁଖୀ ମୋ ହାତରେ ଖବର ଦେଇଛନ୍ତି ।”

 

କିଛି ସମୟ ପାଇଁ ସମସ୍ତେ ପୂରାପୂରି ଚୁପ୍‍ଚାପ୍‍ ହୋଇଗଲେ, ସତେ ଯେପରି କୌଣସି ଆକସ୍ମିକ ବିପଦ ଘଟିଯାଇଛି । କେବଳ ସାମନ୍ତଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ଚେହେରା ନିର୍ଜୀବ ଦେଖାଗଲା । ନୀରବତା ଭାଙ୍ଗି ପ୍ରଥମେ ସୁଲତାନ ବାକ୍ୟ ଉଚ୍ଚାରଣ କରି କହିଲା, “ହେ ଆଲ୍ଲା !”

 

ସାମନ୍ତ ସୁଯୋଗ ପାଇଲେ । ତାଙ୍କର ପ୍ରକୃତ ଉଦ୍ଦେଶ୍ୟ କ’ଣ ତାହା ଅନ୍ୟମାନେ ହୃଦୟଙ୍ଗମ କରିବା ପୂର୍ବରୁ ସେ ନିକଟରେ ଠିଆହୋଇଥିବା ମାସୁଦ୍‍ ଓ ତିଳକ୍‍କୁ ପଛ କରି ନିଜର ଖଣ୍ତା ବାହାର କରି ସୁଲତାନର ବେକକୁ ଲକ୍ଷ୍ୟ କରି ଆଘାତ କଲେ । ସମସ୍ତେ ଚିତ୍କାର କରି ଠିଆହୋଇଗଲେ ।

 

ସୁଲତାନ ପଲକମାତ୍ରେ ନିଜର ଡାହାଣ ହାତ ବଢ଼ାଇ ସାମନ୍ତଙ୍କର ଡାହାଣ ହାତ ଗଣ୍ଠିକୁ ଏପରି ଜୋରରେ ଧରିନେଲା ଯେ ସାମନ୍ତଙ୍କର ଖଣ୍ତା ତା’ ବେକରେ ଯେଉଁଠି ଛୁଇଁଥିଲା ସେଠାରେ ସେହିପରି ଅଟକିଗଲା ଏବଂ ବାମ ହାତରେ ଗୋଟିଏ ପିଲାକୁ ଉଠାଇଲା ଭଳି ସାମନ୍ତକୁ ଉଠାଇ, ତାଙ୍କ ଡାହାଣ ହାତ ମୋଡ଼ି ଧରିଲା । ସୁଲତାନ କ୍ରୋଧରେ ଗର୍ଜ୍ଜି ଉଠିଲା, “ମହମ୍ମଦକୁ ମାରିବା ପିଲାଖେଳ ନୁହେଁ । ଆଲ୍ଲାଙ୍କର ଜୟ ହେଉ ।” ତା’ପରେ ସେ ସାମନ୍ତଙ୍କର ଡାହାଣ ହାତକୁ ଆହୁରି ଜୋରରେ ମୋଡ଼ିଦେବାରୁ ତାଙ୍କ ହାତରୁ ଖଣ୍ତାଟି ଖସିପଡ଼ିଲା ।

 

ହମୀର୍‍ ହସି ହସି ସାମନ୍ତକୁ ମୁଣ୍ତ ଉପରକୁ ଉଠାଇ ଗୋଟିଏ ପୁଡ଼ିଆପରି ତଳେ ପକାଇଦେଲା । କ୍ଷଣକ ମଧ୍ୟରେ ସୁଲତାନ ନିଜ ବୀରତ୍ୱର ଅଦ୍ଭୁତ ପରିଚୟ ଦେଲା । ସାମନ୍ତ ଠିଆହେବାକୁ ଚେଷ୍ଟାକଲେ; କିନ୍ତୁ ତାଙ୍କୁ ଆଘାତ କରିବାପାଇଁ ଏକାଧିକ ଖଣ୍ତା ପ୍ରସ୍ତୁତ ହୋଇ ରହିଥିଲା । “ଖବରଦାର” ସୁଲତାନ ହୁକୁମ୍‍ ଦେଲା “ତରବାରି ବନ୍ଦ କର” । ତା’ର ଆଜ୍ଞା ସଙ୍ଗେ ସଙ୍ଗେ ପାଳିତ ହେଲା ।

 

ସାମନ୍ତ ଠିଆ ହେଲେ । ତାଙ୍କ ମୁହଁରେ ଭୟର କୌଣସି ଲକ୍ଷଣ ନ ଥିଲା । ଏ ପରିସ୍ଥିତିରେ ସେ ଯେଭଳି ଧୀର ସ୍ଥିର ଭାବରେ ଠିଆ ହେଲେ ତାହା ସମସ୍ତଙ୍କୁ ବିସ୍ମିତ କଲା । ସେ ଓ ସୁଲତାନ ଉଭୟେ ପରସ୍ପରକୁ ଚାହାଁଚାହିଁ ହେଲେ । ସୁଲତାନ ପ୍ରଶଂସାମୁଗ୍ଧ ଦୃଷ୍ଟିରେ ସାମନ୍ତଙ୍କୁ ଦେଖୁଥାଏ ।

 

ସୁଲତାନ କହିଲା, “କେହି ତାକୁ ଛୁଇଁବେ ନାହିଁ । ଭଗବାନହିଁ ବଡ଼ଲୋକ । ସେ ତାଙ୍କ ଭକ୍ତକୁ ଏପରି ରକ୍ଷା କରନ୍ତି ।”

 

ତିଳକ କପାଳରେ ହାତ ପିଟି କହିଲା, “ଜାହାଁପନାଁ, ଏହି ବୁଢ଼ା କିଏ ମୁଁ ବର୍ତ୍ତମାନ ବୁଝିଲି । ସେ ହେଉଛି ଘୋଘାରାଣାଙ୍କ ପରିବାରର ପୁରୋହିତ । ମୁଁ ତାକୁ ପ୍ରଥମେ ଯେଉଁଠି ଦେଖିଥିଲି ତାହା ବର୍ତ୍ତମାନ ମୋର ମନେପଡ଼ୁଛି । ମୁଁ ପ୍ରଥମେ ଘୋଘାଗଡ଼ ଯିବା ସମୟରେ ତାକୁ ସେଠାରେ ଦେଖିଥିଲି ।”

 

ନନ୍ଦୀଦତ୍ତ ଉପରକୁ ଚାହିଁଲେ । ସେ ଶିବିରରେ ପ୍ରବେଶ କରିବା ସଙ୍ଗେ ସଙ୍ଗେ ତିଳକ୍‍କୁ ଚିହ୍ନିଥିଲେ । ମାସୁଦ୍‍ ଆଶ୍ଚର୍ଯ୍ୟ ହୋଇ କହିଲା, “ଘୋଘାରାଣା ? ତା’ର ଜଣେ ପୁଅ ଯୋଗୁ ଗତ ଦୁଇଦିନ ତଳେ ଆମର ହଜାର ହଜାର ସୈନ୍ୟଙ୍କର ମୃତ୍ୟୁ ହୋଇଛି ।”

 

ଶତ୍ରୁ ପକ୍ଷର ବିଦେଶୀ ଭାଷା ସେ ବୁଝିପାରୁନଥିଲେ ସୁଦ୍ଧା ଘୋଘାରାଣାଙ୍କ ନାମ ବାରମ୍ୱାର ଶୁଣୁଥିବା ହେତୁ ସାମନ୍ତ ମୋଟାମୋଟି କଥାଟା ବୁଝୁଥିଲେ । ସେ ଗର୍ବିତ ହୋଇ କହିଲେ, “ଘୋଘାବାପା ! ହଁ, ମୁଁ ତାଙ୍କ ନାତି । ତମେମାନେ ମୋର ସାରା ବଂଶ ନାଶ କରିଛ ଏବଂ ମୁଁ ଏକମାତ୍ର ଜୀବିତ ରହିଛି । ବର୍ବର ଯବନ, ଖଣ୍ତା ଚଳାଅ-ମୁଁ ଶୀଘ୍ର ମୋ ପିତୃଲୋକରେ ଯେପରି ପହଞ୍ଚିବି ।” ସାମନ୍ତର ଭାଷା ବୁଝିପାରୁଥିବା ଲୋକେ ଏହି ଯୁବକର ସାହସପୂର୍ଣ୍ଣ କଥା, ଦୃଢ଼ତା ଏବଂ ରୂପସୌନ୍ଦର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସୁଲତାନର ଆଦେଶ ପାଇବାମାତ୍ରେ ଯେପରି ସାମନ୍ତକୁ ହତ୍ୟା କରିବ, ସେଥିପାଇଁ ମାସୁଦ୍‍ ଖଣ୍ତା ଧରି ପ୍ରସ୍ତୁତ ହୋଇ ରହିଲା । ତିଳକ ସାମନ୍ତର କଥା ଅନୁବାଦ କରି ସୁଲତାନକୁ ବୁଝାଇଦେଲା ।

 

ସୁଲତାନ ଆଜି ଯେଉଁ ପଦବୀର ଅଧିକାରୀ ତାହା କେବଳ ନିଜ ଜନ୍ମ ଯୋଗୁଁ ନୁହେଁ । ତାହାଠାରେ ଠିକ୍‍ ମୁହୂର୍ତ୍ତରେ ବିଚାର କରି ଉଚିତ କାର୍ଯ୍ୟ କରିବା, ଲୋକଙ୍କ ହୃଦୟ ଜିଣିବା ଏବଂ ପ୍ରୟୋଜନବେଳେ ଉଦାରତା ସ୍ଥାପନ କରିବାର ଅଦ୍ଭୁତ ଭଗବତ୍‍ଦତ୍ତ ଶକ୍ତି ଥିଲା । ଏହାହିଁ ହେଉଛି ସେହିପରି ଗୋଟିଏ ମୁହୂର୍ତ୍ତ । ହସି ହସି ଏବଂ ପ୍ରଶଂସାମୁଗ୍ଧ ଦୃଷ୍ଟି ଘେନି ସେ ଆଗକୁ ଆସିଲା । ସେ ଗୋଟିଏ ହାତରେ ସଂକେତ ଦେଇ ମାସୁଦ୍‍ ଓ ତିଳକ୍‍କୁ ଦୂରକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଲା ଓ ଅନ୍ୟ ହାତଟି ରଖିଲା ସାମନ୍ତର କାନ୍ଧ ଉପରେ ।

 

ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଏହି ଦୃଶ୍ୟ ଦେଖୁଥାନ୍ତି । ହମୀର୍‍ କହିଲା, “ତିଳକ ତାକୁ କହ ଘୋଘାରାଣା, ତା’ର ପୁଅ ଏବଂ ତା’ର ପରିବାର ଅବ୍‍ଦୁଲ କାଶୀମ ମହମ୍ମଦର ନାମକୁ ମଧ୍ୟ ନିଜର ଶୌର୍ଯ୍ୟଦ୍ୱାରା ଧୂମାଚ୍ଛାଦିତ କରି ଦେଇଛନ୍ତି । ମୁଁ ଘୋଘାରାଣାର ବନ୍ଧୁତା କାମନା କରିଥିଲେ ସୁଦ୍ଧା, ସେ ମୋର ହଜାର ହଜାର ସୈନ୍ୟ ନିହତ କରିଛି । ଦୁଇଦିନ ଆଗରୁ ତା’ର ପୁଅ ମୋ ସୈନ୍ୟବାହିନୀକୁ ପୂରାପୂରି ଧ୍ୱସ୍ତବିଧ୍ୱସ୍ତ କରିଦେଇଛି ଏବଂ ଆଜି ଅଦ୍ଭୁତ ସାହସର ପରିଚୟ ଦେଇ ସେ ମୋତେ ମାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ମାରିପାରି ନାହିଁ ।

 

ତିଳକ ଏହା ସାମନ୍ତଙ୍କୁ ବୁଝାଇ କହିବାରୁ ସେ ଉଦ୍‍ବିଗ୍ନ ହୋଇ ପଚାରିଲେ, “ଘୋଘାରାଣାଙ୍କ ପୁଅ କାହାନ୍ତି ? ସେ ମୋର ବାପା !” ଏ ପର୍ଯ୍ୟନ୍ତ ଧୀର ସ୍ଥିର ହୋଇ ଠିଆରହିଥିବା ସାମନ୍ତ ବର୍ତ୍ତମାନ ଭାବପ୍ରବଣତାରେ ଥରିବାକୁ ଲାଗିଲେ ।

 

ସୁଲତାନ ପୁଣି କହିଲା, “ଯାହା ସବୁ ଘଟିଛି ତାକୁ କୁହ । ମୁଁ ମୋ ଜୀବନରେ ଏପରି ବୀର ଦେଖି ନ ଥିଲି । ଏକାକୀ ଆମକୁ ସେ ଭୁଲ ବାଟରେ ଚଳାଇ ମରୁଭୂମି ଭିତରକୁ ନେଇଗଲା-। ମରି ପଡ଼ିଥିବା ମୋର ୧୦ ହଜାର ସୈନ୍ୟଙ୍କର ଶବ ଭିତରେ ତା’ର ଶବ ପଡ଼ିଛି ।” ଏହା ଶୁଣି ନନ୍ଦୀଦତ୍ତଙ୍କ ଆଖିରୁ ଆନନ୍ଦରେ ଲୁହ ଗଡ଼ିଲା ଏବଂ ସେ ଚୁପ୍‍ ଚୁପ୍‍ କରି କହିଲେ, “ଠିକ୍‍ କରିଛି, ଠିକ୍‍ କରିଛି ।”

 

ସାମନ୍ତ ନିଜକୁ ସମ୍ଭାଳି କହିଲେ, “ତୁମେ ମୋର ଜେଜେଙ୍କୁ, ବାପାଙ୍କୁ ତଥା ଆତ୍ମୀୟମାନଙ୍କୁ ମାରିଛ । ମୋତେ କେତେବେଳେ ମାରିବ କୁହ ?”

 

ସୁଲତାନ କହିଲା, “ମହମ୍ମଦ ନିଜେ ସାହସୀ ହୋଇଥିବାରୁ ସେ ସାହସକୁ ପସନ୍ଦ କରେ-। ଯା, ମୁଁ ତୋତେ ଖଲାସ କରି ଦେଲି । କିନ୍ତୁ ମନେରଖ ଯୁବକ, ଭଗବାନ ମୋର ପକ୍ଷରେ-।”

 

ମହମ୍ମଦର କଥାର ଅର୍ଥ ବୁଝିବା ପରେ ଘୋଘାବାପାଙ୍କ ବଂଶଧର ରାଗରେ ପାଟିକରି କହି ଉଠିଲା, “ହମୀର୍‍, ତ୍ରିଜଗତର ନାଥ ତୁମକୁ ଧ୍ୱଂସ କରିବାକୁ ବଦ୍ଧପରିକର । ତୁମର ଏହି ଆସ୍ଫାଳନର ମୂଲ୍ୟ କ’ଣ ?”

 

ଏହା ଶୁଣି ସୁଲତାନ ହସି ହସି କହିଲା, “ମାସୁଦ୍‍, ଏହି ଯୁବକ ଓ ବୃଦ୍ଧକୁ ନେଇ ଯାଅ । ତାଙ୍କୁ ସବୁଠାରୁ ଭଲ ଦୁଇଟି ଓଟ ଓ ୧୦ ଦିନର ଖାଦ୍ୟ ତଥା ପାଣି ଦେଇ ବିଦାକର । ସେମାନେ ତାଙ୍କ ଇଚ୍ଛାନୁସାରେ ଯୁଆଡ଼େ ଯାଆନ୍ତୁ ।” ଉପସ୍ଥିତ ସୈନ୍ୟବାହିନୀ ପ୍ରତି ଲକ୍ଷ୍ୟ କରି ସେ କହିଲା, “ଯେ ପର୍ଯ୍ୟନ୍ତ ଆଲ୍ଲା ମୋ ପକ୍ଷରେ ଅଛନ୍ତି, ମୁଁ ଏଭଳି ସାହସୀ ଶତ୍ରୁକୁ ବରାବର ସ୍ୱାଗତ କରୁଥିବି-।” ତା’ପରେ ସେ ମାସୁଦ୍‍କୁ ତାଗିଦ୍‍ କରି କହିଲା, “ମାସୁଦ୍‍, ଯେବେ କେହି ଲୋକ ଏହି ଯୁବକକୁ ଆଘାତ କରିବାକୁ ସାହସ କରେ, ତାକୁ ସାଙ୍ଗେ ସାଙ୍ଗେ ମାରି ଦିଆଯିବ ।” ମହମ୍ମଦର ଉଦାରତାର ଏହା ଥିଲା ଶ୍ରେଷ୍ଠ ନିଦର୍ଶନ ।

 

ସାମନ୍ତ ଓ ନନ୍ଦୀଦତ୍ତଙ୍କ ସହ ମାସୁଦ୍‍ ଗଲା । ସୁଲତାନ ପୁଣିଥରେ ତା’ର କର୍ମଚାରୀମାନଙ୍କ ଆଡ଼କୁ ଅନାଇ, ଏହି ଶୁଭ ମୁହୂର୍ତ୍ତର ସୁଯୋଗ ନ ହରାଇ ସ୍ନେହରେ କହିଲା, “ବନ୍ଧୁଗଣ, ଆଲ୍ଲା ପୁଣିଥରେ ମୋର ଜୀବନ ରକ୍ଷା କରିଛନ୍ତି । ଏଥିରୁ ଜଣାଯାଉଛି ଯେ ଆମର ସବୁବେଳେ ଜୟ ହେବ । ଶତ୍ରୁର ସୈନ୍ୟମାନେ ଆମ ସୈନ୍ୟବାହିନୀ ପଛରେ ଲାଗିଛନ୍ତି । ଏହି ଯୁବକ ଯେବେ ସତ୍ୟ କହୁଥାଏ, ତା’ହେଲେ ଝାଲୋର, ମାରୱାଡ଼ ଏବଂ ଗୁଜୁରାତର ସୈନ୍ୟମାନେ ଆମର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେଉଛନ୍ତି । ଆଗକୁ ଯାଇ ମୂର୍ତ୍ତିପୂଜକମାନଙ୍କର ମୂର୍ତ୍ତିମାନ ଧ୍ୱଂସକରି ସେମାନଙ୍କ ଧନସମ୍ପଦ ଠୁଳ କରିବାକୁ ମୁଁ ବଦ୍ଧପରିକର । ଯେବେ ତୁମମାନଙ୍କ ମଧ୍ୟରୁ କେହି ମୋ ସାଙ୍ଗରେ ନ ଆସ, ତା’ ହେଲେ ମଧ୍ୟ ମୁଁ ଆଗକୁ ଯିବାକୁ ପ୍ରସ୍ତୁତ ଅଛି । ନ ହେଲେ ଇଚ୍ଛା ଅନୁଯାୟୀ ଅନ୍ୟମାନେ ଯାଅ । ତୁମେମାନେ କ’ଣ କହୁଛ ?”

 

ଏହି କିଛି ସମୟ ମଧ୍ୟରେ ଅବସ୍ଥା ପୂରାପୂରି ବଦଳି ଗଲା । ଏହି ପ୍ରଶ୍ନର ଯାହା ଉତ୍ତର ହେବାର କଥା, ସମସ୍ତେ ସୁଲତାନର ଗୋଡ଼ ଛୁଇଁ ଉତ୍ସାହର ସହିତ ତାହା ଜଣାଇ ଦେଲେ । ପରିସ୍ଥିତିର ଏହି ଅଦ୍ଭୁତ ପରିବର୍ତ୍ତନରେ ସୁଲତାନର ମୁହଁରେ ଆନନ୍ଦର ଢେଉ ଖେଳିଗଲା ।

Image

 

ସତର୍କବାଣୀ

 

ଦୁର୍ଗରକ୍ଷକ ଅର୍ଜନ ଗାନ୍ଧଭି ତା’ ଖଟରେ ଖୋଲାରେ ଶୋଇଛି । ସେ ଏପରି ଘୁଙ୍ଗୁଡ଼ି ମାରୁଛି ଯେ, ସେ ଉପସ୍ଥିତ ଥିବାର ସଂକେତ ଦୁର୍ଗବାସୀମାନେ ସହଜରେ ପାଇପାରୁଛନ୍ତି । ରାତି ଅଧ ହେଲାଣି । ନିଲମ୍‍ ଦୁର୍ଗରେ ଯେଉଁ କେତେକ ସ୍ତ୍ରୀ ଓ ପୁରୁଷ ଅଛନ୍ତି, ସେମାନେ ସମସ୍ତେ ଶୋଇଯାଇଛନ୍ତି ।

 

ପାଟଣ-ଶାସକଙ୍କ ରାଜ୍ୟସୀମାରେ ଅବସ୍ଥିତ ନିଲମ୍‍ଗଡ଼ । ଏହାର ଚାରିପାଖରେ ଘୋର ଜଙ୍ଗଲ ବେଢ଼ିରହିଛି । ସେହି ଜଙ୍ଗଲ ଭିତରଦେଇ ଆସୁଥିବା ପବନରୁ ନିତି ରାତିରେ ଏକ ଅଦ୍ଭୁତ ଶବ୍ଦ ବାହାରେ; ଜଣାପଡ଼େ ଯେପରି କେତେକ ଲୋକ ଏକ ସଙ୍ଗରେ କାନ୍ଦିଉଠୁଛନ୍ତି । ବହୁବର୍ଷ ଧରି ଏହି ଅଦ୍ଭୁତ ଶବ୍ଦ ପ୍ରତ୍ୟେକ ରାତିରେ ଅର୍ଜନ ଗାନ୍ଧଭିର ଘୁଙ୍ଗୁଡ଼ି ସହିତ ମିଶି ଗୋଟିଏ ପ୍ରକାର ଅଦ୍ଭୁତ ଶବ୍ଦ ସୃଷ୍ଟି କରିଥାଏ ।

 

ଜଙ୍ଗଲରୁ ବୋହି ଆସୁଥିବା ପବନ ଏବଂ ଘୁଙ୍ଗୁଡ଼ିର ମିଶ୍ରଣରେ ସୃଷ୍ଟି ହୋଇଥିବା ଶବ୍ଦ ସାଙ୍ଗକୁ ଆଜି ପଶୁମାନଙ୍କ ଖୁରାଶବ୍ଦ ଅଧିକା ଶୁଭୁଛି । ଗାନ୍ଧଭି ଏହି ଶବ୍ଦ ଶୁଣି ହଠାତ୍‍ ଉଠିପଡ଼ିଲା । କି ଅଦ୍ଭୁତ ! ଦୁର୍ଗରୁ ଅଳ୍ପ କେତେକ୍ରୋଶ ଦୂରରେ ଗୋଟିଏ ବିଶ୍ରାମଘର ଅଛି ଏବଂ ଏହାର ସୁଖ-ସ୍ୱାଚ୍ଛନ୍ଦ୍ୟ ଛାଡ଼ି କେହି ଏ ପର୍ଯ୍ୟନ୍ତ ରାତିଅଧରେ ଏହି ବିପଜ୍ଜନକ ଜଙ୍ଗଲ ଦେଇ ଆସିବାକୁ ସାହସ କରନ୍ତି ନାହିଁ; ପୁଣି ଏତେ ଶୀଘ୍ର ଶୀଘ୍ର ! କିଏ ଆସୁଛି ?

 

ଅର୍ଜନ ଗାନ୍ଧଭି ଉଠିପଡ଼ି ଏକମନରେ ସେହି ଶବ୍ଦ ଶୁଣିଲା । ଏହା ତ ଓଟ ଖୁରାର ଶବ୍ଦ-! ଗୋଟିଏ ବା ଦୁଇଟି ନୁହେଁ, ତିନୋଟି ଓଟ ପାଖାପାଖି ରହି ଦୁର୍ଗଆଡ଼କୁ ଆସୁଛନ୍ତି । ଗାନ୍ଧଭି ଖଣ୍ତା କାଢ଼ିଲା ଓ ନିଜର ଧନୁଶର ପ୍ରସ୍ତୁତ କଲା । ତା’ କାନକୁ କେବଳ ଓଟ ଖୁରାର ଶବ୍ଦ ଶୁଭୁଥିଲା-

 

ମରୁଭୂମି ଦିଗରୁ କିଏ ଆସୁଛି ଦେଖିବାପାଇଁ ଗାନ୍ଧଭି ଗଲା ଦୁର୍ଗ ଉପରକୁ । ମିଞ୍ଜି ମିଞ୍ଜି ତାରା ଆଲୁଅରେ ସେ କିଛି ଦେଖିପାରୁନଥିଲେ ସୁଦ୍ଧା ଓଟ ଆସୁଥିବା ଶବ୍ଦ ଅଧିକରୁ ଅଧିକ ସ୍ପଷ୍ଟରୂପେ ତାକୁ ଶୁଭୁଥିଲା ।

 

ବୃଦ୍ଧ ଦୁର୍ଗରକ୍ଷକକୁ ଅନ୍ଧକାରରେ ଭଲ ଦିଶୁ ନ ଥିଲେ ସୁଦ୍ଧା ସେହି ମିଞ୍ଜି ମିଞ୍ଜି ତାରା ଆଲୁଅରେ ସେ ତୀକ୍ଷଣଭାବେ ଅନାଇଲା ଏବଂ ଭୂତ ଭଳି ତିନୋଟି ଛାଇ ଅଧିକରୁ ଅଧିକ ନିକଟକୁ ଆସୁଥିବାର ସେ ଦେଖିଲା । ଏହା ଦେଖି ତା’ର ମନରେ ଭୟ ଜାତ ହେଲା । ସେ ଅନ୍ୟ ଲୋକମାନଙ୍କୁ ଉଠାଇଲା । ସେତେବେଳକୁ ଭୂତ ବୋଲି ତା’ର ମନରେ ଭ୍ରମ ଜାତ କରୁଥିବା ଓଟମାନେ ଦୁର୍ଗ ପାଖରେ ଆସି ପହଞ୍ଚିଲେଣି । ସୋମାନଙ୍କର ମୁହାଁମୁହିଁ ହେବାକୁ ଆଠଜଣ ଲୋକ ଧନୁଶର ସହ ପ୍ରସ୍ତୁତ ରହିଥଲେ ସୁଦ୍ଧା ସେମାନଙ୍କ ହାତ ଥରୁଥିଲା ।

 

ଅର୍ଜନ ପଚାରିଲା, “କିଏ ?”

 

ଗମ୍ଭୀର ସ୍ୱରରେ ଉତ୍ତର ମିଳିଲା, “ମୁଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ପ୍ରଭାସ ପାଟଣ ଯାଉଛି ।”

 

ଅର୍ଜନ-“ପରିଚୟ ?”

 

ଆଗନ୍ତୁକ ଅଧୀରତାସହ ହୁକୁମ୍‍ ଦେବା ଭଳି କହିଲା, “ମୁଁ ଜଣେ ଚୌହାନ । ଶୀଘ୍ର ଦ୍ୱାର ଖୋଲି ମୋତେ ଭଲ ନୂଆ ଓଟ ଦିଅ । ଗାନ୍ଧଭି ଦରଜା ଖୋଲିଦେବାପାଇଁ କହିଲା । ନବାଗତ ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରଥମ ବ୍ୟକ୍ତି ତା’ ଓଟ ଉପରୁ ଓହ୍ଲାଇ ଦୁର୍ଗ ଭିତରକୁ ଆସିଲା । ଅର୍ଜନ ଗାନ୍ଧଭିର ଭୟ ଓ ଆଶଙ୍କା ଏ ପର୍ଯ୍ୟନ୍ତ ପୂରାପୂରି ଲୋପ ପାଇନାହିଁ । ଆସିଥିବା ବ୍ୟକ୍ତି ତଥା ତାଙ୍କ ଓଟମାନେ ଭୂତ ବୋଲି ସେ ଏ ପର୍ଯ୍ୟନ୍ତ ସୁଦ୍ଧା ଭାବୁଛି ।

 

ତା’ର ମନକୁ ଆଉ କୌଣସି ଗୁରୁତର କଥା ପଚାରିବାକୁ ନ ଆସିବାରୁ ସେ ହଠାତ୍‍ ପଚାରିଲା, “ଏ ଅସମୟରେ ଏତେ ତରତରରେ କାହିଁକି ଆସିଲ ?” ଶ୍ମଶାନରୁ ଉଠି ଆସିଥିଲା ଭଳି ବିବର୍ଣ୍ଣ ଓ ବିଷାଦଗ୍ରସ୍ତ ଜଣେ ଯୁବକ ତା’ ଆଗରେ ଠିଆ ହୋଇଥିବାର ସେ ଦେଖିଲା । ତା’ର ଆଖିଯୋଡ଼ିକ ପଶିଯାଇଥିଲେ ସୁଦ୍ଧା ଖୁବ୍‍ ଉଜ୍ଜ୍ୱଳ ଦେଖାଯାଉଛି । ଅର୍ଜନ ପୁଣି ଶୁଣିଲା, “ତିନୋଟି ଓଟ ଚଞ୍ଚଳ ଦିଅ । ମୁଁ ପ୍ରଭାସ ପାଟଣ ଯିବା ଦରକାର । ଆଉ ତମେ ଯେତେଶୀଘ୍ର ପାର ଗଡ଼ ଛାଡ଼ି ଚାଲିଯାଅ ।”

 

ଗାନ୍ଧଭି ହସି ହସି କହିଲା, “ମୁଁ ଗଡ଼ ଛାଡ଼ି ଚାଲିଯିବି ! ମୁଁ କ’ଣ ହାତରେ ଚୁଡ଼ି ପିନ୍ଧିଛି ? ଗଜନୀର ହମୀର୍‍ ଆସୁଛି ବୋଲି ଭୟରେ ?”

 

ଯୁବକ ଉତ୍ତର ଦେଲା-‘‘ଏଭଳି ବୋକାମି କର ନାହିଁ । ଗଜନୀର ହମୀର୍‍ କିଏ ଜାଣିଛ-? ସେ ଦାବାନଳ ପରି ଦଶ ଦିନ ଭିତରେ ଏଠାରେ ପହଞ୍ଚିଯିବ, ଆଉ ସବୁ ପୋଡ଼ି ଧ୍ୱଂସ କରିଦେବ । ମୋ କଥା ମାନି ଯେତେଶୀଘ୍ର ପାର ଜଙ୍ଗଲକୁ ପଳାଅ ।”

 

ବେଖାତିରଭାବେ ଗାନ୍ଧଭି ଜବାବ ଦେଲା, “ବାବୁ, ଆମେ ପୁରୁଣା ଦୁର୍ଗପାଳ । ଆଜିକାଲିର ତୁମ ଟୋକାଙ୍କ ଭଳି କାପୁରୁଷ ନୁହଁ ।”

 

ଯୁବକ ହସିଲା । ତା’ର ହସରେ ପୂରିରହିଥିଲା କର୍କଶତା ଏବଂ ଭୟଙ୍କରତା । ଏ ପର୍ଯ୍ୟନ୍ତ ଅର୍ଜନ ଏକ ଭୂତ ସହିତ କି ମଣିଷ ସହିତ କଥାବାର୍ତ୍ତା କରୁଛି ନିଶ୍ଚିତଭାବେ ଜାଣିନଥିବାରୁ, ସେ ଯୁବକର ହସରେ ଥରିଉଠିଲା ।

 

ଯୁବକ କହିଲା, “କାପୁରୁଷ ? ମୁଁ ?” ସେ ପୁଣି ହସି କହିଲା-‘’ତୁମେ ଘୋଘାବାପାଙ୍କ ନାମ ଶୁଣିଛ ?’’

 

ଅର୍ଜନ ଗାନ୍ଧଭି ଘୋଘାବାପାଙ୍କର ଅନୁରକ୍ତ ଥିଲା । ନିଜ ମୁନିବଙ୍କ ରାଜ୍ୟର ଦୂରତମ ସୀମାନ୍ତର ଜଗୁଆଳି ହିସାବରେ ତା’ର ଜୀବନଟାଯାକ ସେ ମରୁଭୂମିର ଶାସକ ଘୋଘାବାପାଙ୍କର ଗୌରବମୟ ଅଧ୍ୟାୟମାନ ସ୍ମରଣ କରି କଟାଇଛି । ବହୁ ବର୍ଷପୂର୍ବେ ମୁଲରାଜଦେବଙ୍କ ରାଜତ୍ୱ ସମୟରେ ସେ ଘୋଘାବାପାଙ୍କ ସହିତ ଦେଖାକରିଥିବାରୁ ତାଙ୍କ ସହିତ ତା’ର ବ୍ୟକ୍ତିଗତ ସମ୍ପର୍କ ଅଛି ବୋଲି ସେ ଦାବି କରେ ।

 

ହଠାତ୍‍ ଗାନ୍ଧଭିର ସ୍ମରଣଶକ୍ତି ପରିଷ୍କାର ହୋଇଗଲା । ପଚାଶ ବର୍ଷପୂର୍ବେ ସେ ଯୁବକ ଥିବା ସମୟରେ ଘୋଘାବାପାଙ୍କୁ ଦେଖିଥିଲା ଏବଂ ଆଜି ତା’ ଆଗରେ ଯେଉଁ ବ୍ୟକ୍ତି ଠିଆହୋଇଛି, ତା’ର ଚେହେରା ଠିକ୍‍ ଘୋଘାବାପାଙ୍କ ଚେହେରା ସହିତ ମିଶିଯାଉଛି । ବିଚରା ଗାନ୍ଧଭି ଭୟରେ ଥରିଉଠିଲା । ଏହାର ତ ଠିକ୍‍ ସେହିପରି କପାଳ, ଆଖି ଓ ନିଶ; ଏ ନିଶ୍ଚୟ ଘୋଘାବାପାଙ୍କର ଭୂତ ହୋଇଥିବ । ତେଣୁ ସେ ହାତଯୋଡ଼ି ପାଟିକରି କହିଉଠିଲା, “ଘୋଘାବାପା ! ତୁମେ ଘୋଘାବାପା-!’’

 

ଯୁବକ ଠିଆହୋଇ ଦୂରକୁ ଚାହିଁରହି ଦୁଃଖରେ ହସୁଥାଏ ।

 

ସେ କହିଉଠିଲା, “ଘୋଘାବାପା ଏବେ ସ୍ୱର୍ଗରେ । ଗଜନୀର ହମୀର୍‍ ହାତରେ ତାଙ୍କର ମୃତ୍ୟୁ ହୋଇଛି ଏବଂ ସେହି ପ୍ରଳୟ-ସୃଷ୍ଟିକାରୀ ହମୀର୍‍ ବାଟରେ ଯାହା ପାଉଛି, ତାହା ଧ୍ୱଂସକରି ଏଠାକୁ ଆସୁଛି । ତାହାର ଉଦ୍ଦେଶ୍ୟ ହେଲା ପ୍ରଭୁ ସୋମନାଥଙ୍କ ମନ୍ଦିର ଧ୍ୱଂସ କରିବା । ତା’ର ପଥରୋଧ କରିବାକୁ ଚେଷ୍ଟାକଲେ, ତୁମେ ସବୁ ମଧ୍ୟ ମରିବ । ତେଣୁ ମୋ କଥା ମାନି ଜଙ୍ଗଲକୁ ପଳାଇଯାଅ ଏବଂ ସେହିଠାରୁ ତାକୁ ହଇରାଣ କର । ତୁମେମାନେ ବଞ୍ଚିରହିଲେହିଁ ତାହା କରିପାରିବ ।’’

 

ଗାନ୍ଧଭି-‘‘ବାପା ! ଆପଣ କୁଆଡ଼େ ଯାଉଛନ୍ତି ?’’

 

ସାମନ୍ତ–‘‘ମୁଁ ଯାଉଛି ପ୍ରଭୁ ସୋମନାଥଙ୍କ ସୁରକ୍ଷାର ବ୍ୟବସ୍ଥା କରିବାକୁ । ଜଲ୍‍ଦି ସ୍ଥାନ ତ୍ୟାଗ କର ।’’

 

ଘୋଘାବାପାଙ୍କ ଭୂତ ସହିତ ଯେ ସେ କଥାବାର୍ତ୍ତା କରୁଛି, ଏହା ଗାନ୍ଧଭିର ପୂରା ବିଶ୍ୱାସ ହୋଇଗଲା । ଯୁବକ କଥାର ପ୍ରତିବାଦ କରିବାକୁ ତା’ର ସାହସ ହେଲା ନାହିଁ । ଗାନ୍ଧଭି ଯୁବକକୁ ନୂଆ ଓଟ ଦେବାର ବ୍ୟବସ୍ଥା କଲା ଏବଂ ଯୁବକ ସାଙ୍ଗେ ସାଙ୍ଗେ ତା’ର ସାଥୀମାନଙ୍କୁ ନେଇ ଅନ୍ଧାର ରାତିରେ ଅନ୍ତର୍ଦ୍ଧାନ ହୋଇଗଲା । ଅର୍ଜନ ଗାନ୍ଧଭି ବହୁ ସମୟ ପର୍ଯ୍ୟନ୍ତ ସେଠାରେ ଠିଆହୋଇ ଯୁବକ ଚାଲିଯାଇଥିବା ଦିଗକୁ ଚାହିଁରହିଥାଏ ଏବଂ ତା’ର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ଭୟରେ ଥରୁଥାଏ ।

 

ଗାନ୍ଧଭିର ପୁଅ ପଚାରିଲା, “ବାପା, ସେ କିଏ ?”

 

ଗାନ୍ଧଭି ଉତ୍ତର ଦେଲା, “ପୁଅ, ଘୋଘାବାପା ! ଘୋଘାବାପା ପ୍ରଭୁ ସୋମନାଥଙ୍କୁ ରକ୍ଷା କରିବାକୁ ଆସିଛନ୍ତି ।”

 

ପୁଅ-‘‘ଘୋଘାବାପା ?’’

 

ଗାନ୍ଧଭି-‘‘ହଁ, ଠିକ୍ ପଚାଶ ବର୍ଷପୂର୍ବେ ସେ ଯେପରି ଦେଖାଯାଉଥିଲେ, ବର୍ତ୍ତମାନ ମଧ୍ୟ ଠିକ୍ ସେହିପରି ଦେଖାଯାଉଛନ୍ତି ।’’

 

ପୁଅ ବାପର ମୁହଁକୁ ଉଦବେଗର ସହିତ ଅନାଇରହିଲା । ବାପା ତା’ର ପାଗଳ ହୋଇନାହିଁ ତ ? ପୁଅର ମୁହଁଦେଖି ଅର୍ଜନ ତା’ର ମନୋଭାବ ଠିକ୍‍ରୂପେ ବୁଝିପାରିଲା । ସେ କହିଲା, “ଘୋଘାବାପା ସ୍ୱର୍ଗରୁ ଆସିଛନ୍ତି । ଆ, ଚାଲି ଯିବା । ଆମକୁ ପ୍ରଭୁ ସୋମନାଥ ନିଜେ ତାଗିଦ୍‍ କରିଦେଲେଣି ।”

 

ମାରୱାଡ଼ ଏବଂ ପାଟଣ ଦେଇ ଯାଇଥିବା ବଡ଼ ରାସ୍ତାରେ ହମୀର୍‍ର ସୈନ୍ୟବାହିନୀ ଦ୍ରୁତଗତିରେ ଆଗକୁ ମାଡ଼ିଆସୁଥିବା ଖବର ଗାଁଏ ଗାଁଏ ବ୍ୟାପିଗଲା ।

 

ଗଜନୀର ହମୀର୍‍ ସାଙ୍ଗେ ସାଙ୍ଗେ ଆସି ଗାଁଏ-ଗାଁଏ ଆକ୍ରମଣ କରିବ ବୋଲି ଶୁଣାଗଲା । ମାରୱାଡ଼ ଅଞ୍ଚଳରୁ ଆସୁଥିବା ପଥିକମାନେ ହମୀର୍‍ର ସୈନ୍ୟବାହିନୀ ସମ୍ପର୍କରେ ନାନାପ୍ରକାର କଥା ପ୍ରଚାର କଲେ । ହମୀର୍‍ ପ୍ରକୃତରେ ଆସିବ ବୋଲି କେତେକ ଲୋକ ବିଶ୍ୱାସ କଲେ ଏବଂ ଅନ୍ୟକେତେକ ‘ପ୍ରଭୁ ସୋମନାଥଙ୍କୁ ଆକ୍ରମଣ କରିବାପାଇଁ କିଏ ସାହସ କରିବ’ ବୋଲି କହି ଏ କଥାକୁ ହସରେ ଉଡ଼ାଇଦେଲେ ।

 

ବର୍ତ୍ତମାନ ଅର୍ଜନ ଗାନ୍ଧଭିର ଲୋକେ ନୂଆ କଥାମାନ ପ୍ରଚାର କରିବାରେ ଲାଗିଲେ । ଯେଉଁମାନେ ଶୀଘ୍ର ଚାଲି ନ ଯାଆନ୍ତି, ହମୀର୍‍ର ସୈନ୍ୟବାହିନୀ ଆସି ତାଙ୍କୁ ଧ୍ୱଂସ କରିଦେବେ ବୋଲି ଘୋଘାବାପାଙ୍କ ଭୂତ ଆସି ଅର୍ଜନ ଗାନ୍ଧଭିକୁ ତାଗିଦ୍‍ କରିଦେଇଥିବା କଥା ପ୍ରଚାରିତ ହେଲା-

 

ଦଳେ ବରଯାତ୍ରୀଙ୍କ ମଧ୍ୟରେ ଗାନ୍ଧଭି ସହିତ ଦେଖାହେଲା ବେଳେ, ତା’ ନିଜ ମୁହଁରୁ ଏହି କଥା ଶୁଣିଥିବା କେହି କେହି ପ୍ରଚାର କଲେ । ମୁଲରାଜଙ୍କ ରାଜତ୍ୱ ସମୟରେ ଗାନ୍ଧଭିର ଘୋଘାବାପାଙ୍କ ସହିତ ଦେଖା ହୋଇଥିଲା । ଏହା ପଚାଶବର୍ଷ ପୂର୍ବର ଘଟଣା ଏବଂ ତାଙ୍କର ସେତେବେଳର ଚେହେରା ସହିତ ଏହି ଭୂତର ଚେହେରା ଅବିକଳ ମିଳିଯାଉଥିଲା । ତାଙ୍କ ଆଖି ଦୁଇଟି ଭୟଙ୍କର ଦିଶୁଥିଲା ଏବଂ ଚମ ପାଉଁଶିଆ ବର୍ଣ୍ଣ ହୋଇଯାଇଥିଲା । ତାଙ୍କ ବେକରେ ଗୋଟିଏ କଟା ଘା’ର ଚିହ୍ନ ଥିଲା । ଦେଖିବା ସାଙ୍ଗେ ସାଙ୍ଗେ ଗାନ୍ଧଭି ତାଙ୍କୁ ଚିହ୍ନିଥିଲା । ଘୋଘାବାପା ଥିଲେ ମରୁଭୂମିର ଶାସକ । ତାଙ୍କୁ ଯେବେ ମାରିଦିଆଯାଇଛି ତା’ ହେଲେ ହମୀର୍‍ ଆଉ ଦୂରରେ ନାହିଁ । ସେ ସାଙ୍ଗେ ସାଙ୍ଗେ ଗୁଜୁରାତରେ ପହଞ୍ଚିଯିବ । କ’ଣ କରାଯିବ ?

 

ଆଖପାଖ ଗାଁର ମୁଖିଆମାନେ ସେମାନଙ୍କ ଘର ପାଖଦେଇ ଓଟ ଯାଇଥିବାର ଦେଖିଛନ୍ତି ବୋଲି କହିଲେ । ସବୁଠାରୁ ଭଲ ଏକ ଓଟରେ ଘୋଘାବାପା ବସିଥିଲେ ଓ ଗମ୍ଭୀର ସ୍ୱରରେ କହୁଥିଲେ, “ଗଜନୀର ହମୀର୍‍ ଆସୁଛି-ସମସ୍ତଙ୍କୁ ଜୀବନରେ ମାରିଦେବ-ଯାଅ, ଗାଁର ସମସ୍ତଙ୍କୁ ନେଇ ଜଙ୍ଗଲକୁ ଚାଲିଯାଅ-ଯେବେ ସାହସ ଥାଏ, ତା’ହେଲେ ସେଇଠୁ ତାକୁ ହଇରାଣ କର ।”

ଆଉ ଗୋଟିଏ ଗାଁର ଜଣେ ସ୍ତ୍ରୀଲୋକ, ଗାଁମୁଣ୍ଡ କୂଅରୁ ପାଣିମାଠିଆ ନେଇ ଘରକୁ ଆସୁଥିବାବେଳେ ଘୋଘାବାପାଙ୍କୁ ଦେଖିଛି ଏବଂ ସେ ତା’ଠାରୁ ପାଣି ମାଗି ପିଇଛନ୍ତି ବୋଲି କହି ବୁଲିଲା । ତାଙ୍କ ଆଖିରେ ପଲକ ପଡ଼ୁନଥିବାରୁ ସେ ଡରିଗଲା । ମଲା ମଣିଷର ଆଖିରେ କ’ଣ ପଲକ ପଡ଼େ ? ସେ ତା’ଠାରୁ ମାଠିଆକଯାକ ପାଣି ପିଇଥିଲେ ସୁଦ୍ଧା ତାଙ୍କ ଶୋଷ ମଲା ନାହିଁ । ହମୀର୍‍ ତାଙ୍କୁ ମାରିଦେଇଥିଲା । ମଲା ମଣିଷର ଶୋଷ କ’ଣ କେବେ ମେଣ୍ଟେ ? ଘୋଘାବାପା ତାକୁ କହିଲେ, “ମାଉସୀ, ଗଜନୀର ହମୀର୍‍ ଆସୁଛି । ଗାଁବାଲାଙ୍କୁ ଜଙ୍ଗଲକୁ ପଳାଇବା ପାଇଁ କୁହ-।”

ଏକା ଗପ, ଏକା ଖବର ନାନାପ୍ରକାରେ ପ୍ରଚାରିତ ହେଲା । ଘୋଘାବାପାଙ୍କ ଛାତିରୁ ଠିକ୍‍ ଫୁଆରାରୁ ପାଣି ଝରିଲା ଭଳି ରକ୍ତ ଝରୁଥିବାର ନିଜ ଆଖିରେ ଦେଖିଛନ୍ତି ବୋଲି କେହି କେହି କହିଲେ । ତାଙ୍କ ଓଟ ଗୋଡ଼ରୁ ନିଆଁ ବାହାରୁଥବା ଦେଖିଛି ବୋଲି ଆଉ କେହି କହିଲା । ଘୋଘାବାପା ଏବଂ ତାଙ୍କ ଲୋକମାନଙ୍କୁ ସେମାନେ ଖାଇବାକୁ ଦେଇଥିଲେ ସୁଦ୍ଧା ସେମାନେ ଖାଇନଥିବା କଥା ଆଉ କେତେକ ଲୋକ କହିଲେ । ଭୂତ ବା କିପରି ଖାଇବ ? ଏହିପରି ନାନାକଥା ପ୍ରଚାର ଫଳରେ ଲୋକମାନଙ୍କ ମନରେ ଭୟ ସଞ୍ଚାର ହେଲା । ସେମାନେ ନିଜେ ନିଜର ଜିନିଷ ଯେତେ ପାରନ୍ତି ସାଙ୍ଗରେ ନେଇ ପାଖ ଜଙ୍ଗଲମାନଙ୍କୁ ପଳାଇଗଲେ । ଲୋକେ କେବଳ ଘୋଘାବାପା ଏବଂ ତାଙ୍କ ବିଚିତ୍ର ଓଟ ବିଷୟରେ କଥାବାର୍ତ୍ତା ହେଲେ । ଦୂରରେ ଧୂଳି ଉଡ଼ିବା ଯେବେ କେହି ଦେଖିଲା, ତେବେ ଘୋଘାବାପା ଓ ତାଙ୍କ ଦଳର ଭୂତମାନେ ଯିବା ଆସିବା କରୁଛନ୍ତି ବୋଲି ଭାବିଲା । ଏହିପରି ଘୋଘାବାପାଙ୍କ ସମ୍ବନ୍ଧରେ ନାନାପ୍ରକାର କିମ୍ବଦନ୍ତୀ ସୃଷ୍ଟି ହେଲା ।

ପ୍ରଭାସ ପାଟଣରେ ଗଙ୍ଗସର୍ବଜ୍ଞ ନିଜର ପୂଜାପାଠ ସାରି ପ୍ରଭୁ ସୋମନାଥଙ୍କୁ ବେଲପତ୍ର ଚଢ଼ାଇବାକୁ ମନ୍ଦିରକୁ ବାହାରିଛନ୍ତି । ତାଙ୍କର ସୌମ୍ୟ ମୁଖମଣ୍ଡଳ ସବୁଦିନ ପରି ଶାନ୍ତ ଓ ସୁସ୍ଥ ଦେଖାଯାଉଛି । ସେ ଗୋଟିଏ ହାତରେ ଧରିଛନ୍ତି ପୂଜା-ଉପଚାର ପାତ୍ର ଏବଂ ଅନ୍ୟ ହାତରେ ଧରିଛନ୍ତି ନିଜେ ତୋଳିଥିବା ବେଲପତ୍ର ।

ଗଜନୀର ବିରାଟ ସୈନ୍ୟବାହିନୀ ସମ୍ପର୍କୀୟ ଜନରବ ପ୍ରଭାସ ପାଟଣରେ ପ୍ରଚାରିତ ହୋଇଥିଲେ ସୁଦ୍ଧା କାହାରି ମନରେ ଆତଙ୍କ ସୃଷ୍ଟି ହୋଇନାହିଁ । ବହୁ ଲୋକ ଥାଆନ୍ତି, ଯେଉଁମାନେ ଜନରବ ସୃଷ୍ଟି କରିବାରେ ଆନନ୍ଦ ପାଆନ୍ତି । ଏହିଭଳି ଲୋକମାନେ ପ୍ରଚାର କଲେ-ମୁଲତାନରେ ହମୀର୍‍କୁ ମାରିଦିଆଯାଇଛି-ସେ ବାଟବଣା ହୋଇଛି । ଯେ ପର୍ଯ୍ୟନ୍ତ ପ୍ରଭୁ ସୋମନାଥ ଅଛନ୍ତି, ସୌରାଷ୍ଟ୍ର ଆସିବାକୁ କିଏ ସାହସ କରିବ ? ତା’ଛଡା ମ୍ଳେଚ୍ଛ ଆକ୍ରମଣ କରିବାକୁ ଚେଷ୍ଟାକଲେ ଭୀମଦେବ ସୋଲାଙ୍କି ତାହାକୁ ଖଣ୍ଡ ଖଣ୍ଡ କରି କାଟିଦେବେ ନାହିଁ ? ତା’ହେଲେ ଆଉ ଭୟ କ’ଣ-?

ଦାମୋଦର ପୂର୍ବରୁ ଦେଇଥିବା ଖବର ମୁହୂର୍ତ୍ତକପାଇଁ ସର୍ବଜ୍ଞଙ୍କ ମନରେ ଉଦବେଗ ସୃଷ୍ଟି କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସେ କୌଣସି ନିର୍ଦ୍ଦିଷ୍ଟ ଖବର ପାଇନଥିବାରୁ ଉଦବେଗର କୌଣସି କାରଣ ନାହିଁ ବୋଲି ଭାବୁଛନ୍ତି । ମରୁଭୂମି ମଧ୍ୟରେ ହମୀର୍‍ର ସୈନ୍ୟବାହିନୀ ବିଲୁପ୍ତ ହୋଇଥିବା ଜନରବ ମଧ୍ୟ ସୃଷ୍ଟି ହୋଇଛି । ଯେଉଁ ଲୋକ ଭଗବାନଙ୍କ ସହିତ ଲଢ଼ିବାକୁ ଆସୁଛି, ତା’ର ବା ଆଉ କ’ଣ ଦଶା ହୋଇପାରେ ?

ମନ୍ଦିର ତଥା ପ୍ରଭାସ ଆଖପାଖ ଅଞ୍ଚଳରେ ସ୍ୱାଭାବିକ ଶାନ୍ତିପୂର୍ଣ୍ଣ ଅବସ୍ଥା ପୂର୍ବପରି ଚାଲୁ ରଖିବାପାଇଁ ସର୍ବଜ୍ଞ ଦୃଢ଼ପ୍ରତିଜ୍ଞ ହୋଇଛନ୍ତି । ବିଶ୍ୱ ସୃଷ୍ଟି ସମୟରେ ଯେଉଁ ଦେବତାର ଉତ୍ପତ୍ତି, ପ୍ରଳୟକାଳରେହିଁ ତା’ର ବିଲୟ ହେବ । ଏହି ଶାନ୍ତି ଓ ଶକ୍ତିର ଅବିନଶ୍ୱରତାକୁ କୌଣସି ମ୍ଳେଚ୍ଛ କ୍ଷଣିକ ଆକ୍ରମଣରେ ନଷ୍ଟ କରିପାରିବ ନାହିଁ ।

ମନ୍ଦିରରେ ସବୁଦିନ ପରି ପ୍ରାର୍ଥନା ଠିକ୍‍ ସମୟରେ ଚାଲିଛି । ନର୍ତ୍ତକୀମାନେ ନୃତ୍ୟ କରୁଛନ୍ତି ଏବଂ ସବୁଦିନ ପରି ଆରତି ହେଉଛି । ସୂର୍ଯ୍ୟ ଉଦୟ ଏବଂ ଅସ୍ତ ହେଉଥିବା ସମୟରେ ଆରାଧନା କରିବାକୁ ବହୁସଂଖ୍ୟକ ଭକ୍ତ ଆସୁଛନ୍ତି ଏବଂ ପ୍ରଭୁ ସୋମନାଥଙ୍କ ଧ୍ୱଜା ମନ୍ଦିର ଉପରେ ସଗର୍ବେ ଉଡ଼ୁଛି !

ଗଙ୍ଗସର୍ବଜ୍ଞ ମନ୍ଦିରକୁ ଯିବାପାଇଁ କଠାଉ ମାଡ଼ି ଘରୁ ଗୋଟିଏ ପାହାଚ ଓହ୍ଲେଇଛନ୍ତି, ଜଣେ ଶିଷ୍ୟା ଆସି ଖବର ଦେଲା, “ଗୁରୁଦେବ, ଜଣେ ଆଗନ୍ତୁକ ।”

ଗଙ୍ଗସର୍ବଜ୍ଞ ଅନୁମତି ଦେବାପୂର୍ବରୁ ପ୍ରେତ ପରି ବିବର୍ଣ୍ଣ ଓ ବଡ଼ ବଡ଼ ସ୍ଥିର ଚକ୍ଷୁ ନେଇ ଆଗନ୍ତୁକ ଘର ଭିତରକୁ ପଶିଆସି ଗଙ୍ଗସର୍ବଜ୍ଞଙ୍କ ଗୋଡ଼ ତଳେ ପଡ଼ିଗଲେ । ଏକ ଦୀର୍ଘନିଶ୍ୱାସ ନେଇ ଆଗନ୍ତୁକ କହିଲା, “ନମଃ ଶିବାୟ ।”

Image

 

ଗୁରୁଦେବଙ୍କ ପ୍ରତିଜ୍ଞା

 

ସର୍ବଜ୍ଞ ଆଶୀର୍ବାଦ କରି କହିଲେ, “ଶିବାୟ ନମଃ । ଉଠ ବାପା । କିଏ ?”

 

ଆଗନ୍ତୁକ ଠିଆହେଲେ । ତାଙ୍କର କପାଳରେ ଆତୁରତାସୂଚକ ରେଖାମାନ ପଡ଼ିଥାଏ । ଆଖିରୁ ଲୁହ ଧାର ଧାର ହୋଇ ବୋହିଯାଉଥାଏ । ସେ ଧୀର ସ୍ୱରରେ କହିଲେ, “ଗୁରୁଦେବ ! ମୋତେ ଚିହ୍ନିପାରୁନାହାନ୍ତି ?”

 

ସର୍ବଜ୍ଞ ଆଗନ୍ତୁକକୁ ଚିହ୍ନିପାରିଲେ । ପୂଜାପାଇଁ ଆଣିଥିବା ଫୁଲଚାଙ୍ଗୁଡ଼ିଟି ପାଖର ଜଣେ ଶିଷ୍ୟ ହାତକୁ ଦେଇ ସର୍ବଜ୍ଞ ଆଶ୍ଚର୍ଯ୍ୟ ହୋଇ କହିଲେ, “କିଏ ? ସଜ୍ଜନ ଚୌହାନର ପୁଅ ! ଏଠିକି କେଉଁଠୁ ଆସିଲୁ ?”

 

ସାମନ୍ତ ନିଜର ଦୁଃଖ ଚାପିବାକୁ ଚେଷ୍ଟାକରି କମ୍ପିତ ଅଧରରେ କହିଲେ, “ହଁ ଗୁରୁଦେବ-! ମୁଁ ସଜ୍ଜନ ଚୌହାନଙ୍କ ପୁଅ ।”

 

ଗଙ୍ଗ ସର୍ବଜ୍ଞ ଯୁବକର କାନ୍ଧରେ ସ୍ନେହରେ ନିଜ ହାତରଖି ତାକୁ ଘର ଭିତରକୁ ନେଇଗଲେ ଏବଂ ଅନ୍ୟ କୌଣସି ଲୋକକୁ ଭିତରକୁ ନ ଛାଡ଼ିବାପାଇଁ ଶିଷ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ । ଘର ଭିତରେ ସାମନ୍ତଙ୍କୁ ବସାଇ ଓ ନିଜେ ତାଙ୍କ ଆଗରେ ବସି ସେ ପଚାରିଲେ, “ବାପ, ସଜ୍ଜନ ଚୌହାନ କାହାନ୍ତି ? ଘୋଘାରାଣା କିପରି ଅଛନ୍ତି ? ତୁ କାହିଁକି ଫେରିଆସିଲୁ ?” ସେ ଅତ୍ୟନ୍ତ ଉତ୍କଣ୍ଠାର ସହିତ ଏହିପରି ନାନା ପ୍ରଶ୍ନ ପଚାରିଲେ ।

 

ସାମନ୍ତ ଏହିସବୁ ପ୍ରଶ୍ନର ଉତ୍ତର ଭଗ୍ନସ୍ୱରରେ ଦେବାକୁ ଚେଷ୍ଟାକଲେ । ସେ ବହୁ କଷ୍ଟରେ କହିଲେ, “ଗୁରୁଦେବ ! ଆପଣ କହିଥିଲେ, ଯେ ପର୍ଯ୍ୟନ୍ତ ଘୋଘାରାଣା ପରିବାରର ଜଣେ ସୁଦ୍ଧା ଲୋକ ଜୀବିତ ଥିବା, ତା’ର କର୍ତ୍ତବ୍ୟ ହେଉଛି ଶତ୍ରୁକୁ ବିନାଶ କରିବା । ଗୁରୁଦେବ, ମୋ ଛଡ଼ା ସମସ୍ତେ ଏହି ପ୍ରତିଜ୍ଞା ପାଳନ କରିଛନ୍ତି ।” ଏହା କହିବା ସଙ୍ଗେ ସଙ୍ଗେ ସାମନ୍ତ ଶିଶୁଭଳି କଇଁକଇଁ ହୋଇ କାନ୍ଦିଉଠିଲେ ।

 

ଗଙ୍ଗ ସର୍ବଜ୍ଞଙ୍କର ଉଦବେଗ ବଢ଼ିଗଲା । ସେ ପଚାରିଲେ, “କିପରି ?”

 

ସାମନ୍ତ କହିଲେ, “ଘୋଘାବାପା ଏବଂ ପରିବାରର ଅନ୍ୟ ସମସ୍ତଙ୍କର ଘୋଘାଗଡ଼ ଯୁଦ୍ଧରେ ମୃତ୍ୟୁ ହୋଇଛି ଏବଂ ପରିବାରର ବୀରାଙ୍ଗନାମାନେ ଅଗ୍ନିରେ ଝାସ ଦେଇଛନ୍ତି ।” କିଛି ସମୟ ନୀରବ ରହି ସାମନ୍ତ ବାକ୍‍ଶକ୍ତି ଫେରିପାଇ କହିଲେ, “ହମୀର୍‍ର ଦଶହଜାର ସୈନ୍ୟଙ୍କୁ ମରୁଭୂମିରେ ମାରି ଅବଶେଷରେ ସେହି ମରୁଭୂମିରେ ବାପାଙ୍କର ମୃତ୍ୟୁ ହୋଇଛି ।” ସାମନ୍ତ ପୁଣି କଇଁ କଇଁ ହୋଇ କାନ୍ଦିଉଠିଲେ ଓ ତାଙ୍କର ବାକ୍‍ରୁଦ୍ଧ ହୋଇଗଲା ।

 

ସର୍ବଜ୍ଞ ତାଙ୍କୁ ସ୍ନେହରେ କୁଣ୍ଢାଇ ପକାଇ କହିଲେ, “ବାପ, କାନ୍ଦନା ! ଯେଉଁମାନେ ଭଗବତ୍‍ ନିର୍ଦ୍ଦେଶ କାର୍ଯ୍ୟକାରୀ କରୁ କରୁ ମୃତ୍ୟୁବରଣ କରନ୍ତି, ସେମାନେ ପରବର୍ତ୍ତୀ ଜୀବନରେ ସୁଖୀ ହୁଅନ୍ତି ।”

 

କିଛି ସମୟ ପରେ ସାମନ୍ତ ପୁଣି କହିଲେ, “ମୁଁ ଗଜନୀର ହମୀର୍‍ର ପ୍ରାଣ ନେବା ଲାଗି ତା’ର ଛାଉଣୀକୁ ଯାଇଥିଲି । ଚେଷ୍ଟା କରିଥିଲି; କିନ୍ତୁ ବିଫଳ ହେଲି । ମୋ ପରିବାରରେ ଜୀବିତ ମୁଁ ଏକମାତ୍ର ଦୁର୍ଭାଗା । ହମୀର୍‍ ମତେ ନ ମାରି ଛାଡ଼ିଦେଲା ।”

 

ସର୍ବଜ୍ଞ କହିଲେ, “ବାପ, ଯେ ପର୍ଯ୍ୟନ୍ତ ପ୍ରଭୁ ସୋମନାଥ ତୋତେ ରକ୍ଷା କରିବାକୁ ଚାହାନ୍ତି, କେହି ତୋତେ ମାରିପାରିବେ ନାହିଁ । ତୁ ନିଜକୁ ସଂଯତ କରି ସ୍ଥିର ହୁଅ । ଟିକିଏ ବିଶ୍ରାମ ନେଇ ମୋତେ ସବୁ କହ । ନେ, ପାଣି ପିଇ ।”

 

ସାମନ୍ତ ବହୁ କଷ୍ଟରେ ନିଜର କାନ୍ଦ ବନ୍ଦ କଲେ ଓ ସେ ପ୍ରଭାସ ପାଟଣରୁ ତାଙ୍କ ବାପାଙ୍କ ସହିତ ଯିବା ପରଠାରୁ ଘଟିଥିବା ସମସ୍ତ ଘଟଣା ବର୍ଣ୍ଣନା କଲେ । ଗଙ୍ଗସର୍ବଜ୍ଞ ବିହ୍ୱଳିତ ହୋଇ ମଝିରେ ମଝିରେ ବରାବର କହୁଥାନ୍ତି, ‘ନମଃ ଶିବାୟ’ । ଶେଷକୁ ସେ ପଚାରିଲେ, “ଗଜନୀର ହମୀର୍‍ କେଉଁଠି ପହଞ୍ଚିଲାଣି ?”

 

ସାମନ୍ତ–‘‘ଗୁରୁଦେବ, ପାଞ୍ଚ ସାତ ଦିନ ମଧ୍ୟରେ ସେ ଆବୁ ନିକଟରେ ପହଞ୍ଚିଯିବ ବୋଲି ମୁଁ ଭାବୁଛି । ହୁଏତ ଆଉ କିଛି ବେଶି ଦିନ ଲାଗିପାରେ ।’’

 

ସର୍ବଜ୍ଞ ନିଜ ମନକୁ ଖୁସି କରାଇବାପାଇଁ କହିଲେ, “ପାଟଣରେ ଭୀମଦେବ ସୋଲାଙ୍କି ତାକୁ ଜଗିବସିଛି । ତାକୁ ପାରହୋଇ ଆସିବା ହମୀର୍‍ ପକ୍ଷରେ ସହଜ ହେବ ନାହିଁ ।”

 

ସାମନ୍ତ–‘‘ଗୁରୁଦେବ, ଏହା ଉପରେ ନିର୍ଭର କରି ନିଶ୍ଚିନ୍ତ ହୋଇ ରହିବା ବିଜ୍ଞତାର କାର୍ଯ୍ୟ ନୁହେଁ ।’’

 

ସର୍ବଜ୍ଞ-‘‘କାହିଁକି ?’’

 

ସାମନ୍ତ–‘‘ଗୁରୁଦେବ, ହମୀର୍‍ ଓ ତା’ର ସୈନ୍ୟବାହିନୀ ସମ୍ପର୍କରେ ଖୁବ୍‍ କମ୍‍ ଲୋକଙ୍କର ଧାରଣା ଅଛି । ସେ ବଦ୍‍ମାସ ଲୋକ ହୋଇପାରେ; କିନ୍ତୁ ନିଜ ଇଚ୍ଛା ମୁତାବକ ଲୋକଙ୍କଠାରୁ କାମ କରାଇନେବାର ଅଦ୍ଭୁତ ଶକ୍ତି ତା’ର ଅଛି । ଯୁଦ୍ଧକୌଶଳ ସମ୍ପର୍କରେ ତା’ର ଜ୍ଞାନ ଅଦ୍ଭୁତ ଏବଂ ତା’ର ସୈନ୍ୟବାହିନୀ ପୃଥିବୀର ଏହି ଭାଗରେ ଥିବା ଯେକୌଣସି ସୈନ୍ୟବାହିନୀଠାରୁ ବୃହତ୍ତର । କ୍ଷଣକ ମଧ୍ୟରେ ସେ ପାଟଣକୁ ଧୂଳିସାତ୍‍ କରିଦେବ ।’’

 

ସର୍ବଜ୍ଞ-‘‘ବାପ, ତୋ’ର ଭଗବାନ ପିନାକପାଣିଙ୍କ ଉପରେ ବିଶ୍ୱାସ ନାହିଁ ?’’

 

ସାମନ୍ତ ଜବାବ ଦେଲେ, “ବିଶ୍ୱାସ ଅଛି ପ୍ରଭୁ ! କିନ୍ତୁ ଆମେ ଯେଉଁ ଲୋକମାନଙ୍କୁ ବୁଦ୍ଧିମାନ ବୋଲି ଭାବୁଛୁ ସେମାନଙ୍କ ବୁଦ୍ଧି ଉପରେ ମୋର ବିଶ୍ୱାସ ନାହିଁ । ଯେତେବେଳେ ପ୍ରଥମେ ହମୀର୍‍ର ଆକ୍ରମଣ କଥା ଶୁଣାଗଲା ସମସ୍ତେ କହିଲେ, ‘ଆମେ ତାକୁ ମୁହୂର୍ତ୍ତକ ମଧ୍ୟରେ ଧ୍ୱଂସ କରିଦେବୁ । ବାକ୍‍ପତିରାଜ ଏହାହିଁ କହିଥିଲେ । ଘୋଘାବାପା ମଧ୍ୟ ଏହି କଥା କହି ସର୍ବନାଶ ବରଣ କଲେ । ବାଲମଦେବଙ୍କର ମଧ୍ୟ ସେହି ଅବସ୍ଥା ହୋଇ ଯେ ଧ୍ୱଂସ ହୋଇଛନ୍ତି । ମୁଁ ହମୀର୍‍ର ସୈନ୍ୟବାହିନୀ ମଧ୍ୟରେ ଚଲାବୁଲା କରି ସେମାନଙ୍କ ସହିତ କଥାବାର୍ତ୍ତା କରିଛି । ହମୀର୍‍ ସହିତ ମଧ୍ୟ କଥାବାର୍ତ୍ତା କରି ତା’ର ଶାରୀରିକ ଶକ୍ତି ଜାଣିବା ସଙ୍ଗେ ସଙ୍ଗେ ନେତୃତ୍ୱ ଦେବାରେ ସେ କିପରି ଦକ୍ଷ, ସେ ସମ୍ପର୍କରେ ମୋର ଧାରଣା ଅଛି । ସେ ଜଣେ ଅତୁଳନୀୟ ସାମରିକ ସେନାପତି ।”

 

ସର୍ବଜ୍ଞ-‘‘ତାହାହେଲେ ପ୍ରଭୁ ଶଙ୍କର ତା’ କଥା ବୁଝିବେ ।’’

 

ସାମନ୍ତ–‘‘ପ୍ରଭୁ ଶଙ୍କର ତା’ କଥା ବୁଝିପାରନ୍ତି; କିନ୍ତୁ ଭୀମଦେବଙ୍କଦ୍ୱାରା ନୁହେଁ ।’’

 

ସର୍ବଜ୍ଞ-‘‘ତେବେ ତୁ କ’ଣ କହୁଛୁ ?’’

 

ସାମନ୍ତ–‘‘ମୁଁ ଯେଉଁ ବାଟଦେଇ ଆସିଲି, ବରାବର ଲୋକଙ୍କୁ ପରାମର୍ଶ ଦେଇଆସିଛି, ତୁମେମାନେ ନିଜକୁ ଯେବେ ରକ୍ଷା କରିବାକୁ ଚାହଁ, ତା’ହେଲେ ହମୀର୍‍କୁ ବାଟ ଛାଡ଼ିଦେଇ ଲୁଚି ରହି ତାକୁ ହଇରାଣ କର । ଆପଣଙ୍କୁ ଏବଂ ଭୀମଦେବଙ୍କୁ ମଧ୍ୟ ସେହି ପରାମର୍ଶ ଦେଉଛି । ଭୀମଦେବ ପାଟଣ ଛାଡ଼ି ସୌରାଷ୍ଟ୍ରକୁ ଆସନ୍ତୁ । ହମୀର୍‍ର ସୈନ୍ୟବାହିନୀ ଯେତେବେଳେ ଚାଲି ଚାଲି ଥକାହୋଇଯିବେ ସେତିକିବେଳେ ତାକୁ ଧ୍ୱଂସ କରାଯାଉ । ଏହାଛଡ଼ା ଅନ୍ୟ ଉପାୟ ନାହିଁ ।

 

ସର୍ବଜ୍ଞ-‘‘କିନ୍ତୁ ହମୀର୍‍ ଯଦି ପ୍ରଭାସ ଆସେ, ତେବେ ଆମେ କଅଣ କରିବା ?’’

 

ସାମନ୍ତ–‘‘ତାହାହିଁ ଆପଣଙ୍କୁ କହିବା ନିମନ୍ତେ ଏଠାକୁ ଏତେଶୀଘ୍ର ଆସିଛି । ଯେତେ ଚଞ୍ଚଳ ପାରନ୍ତି ଆପଣ ପ୍ରଭାସ ଛାଡ଼ି ଚାଲିଯାନ୍ତୁ । ଜନମାନବଶୂନ୍ୟ ମରୁଭୂମିପ୍ରାୟ ପ୍ରଭାସରେ ପ୍ରବେଶ କରି ହମୀର୍‍ କ’ଣ କରିବାକୁ ଚାହେଁ କରୁ ।’’

 

କିଛିକ୍ଷଣପାଇଁ ଗଙ୍ଗସର୍ବଜ୍ଞ ଆଖି ବୁଜି ଓ ଗୋଟିଏ ଦୀର୍ଘ ନିଶ୍ୱାସ ନେଇ କହିଲେ, “ବାପ, ଯେହେତୁ ଆମେ ହମୀର୍‍ ସହିତ ମୁହାଁମୁହିଁ ଯୁଦ୍ଧ କରିପାରିବା ନାହିଁ, ଆମେ ତାକୁ ଆସିବାକୁ ଛାଡ଼ିଦେଇ ତାହାପରେ ଘେରିଯାଇ ତାକୁ ଧ୍ୱଂସ କରିବାକୁ ତୁ କହୁଛୁ !”

 

ସାମନ୍ତ–‘‘ହଁ, ତାହାହିଁ ମୋର କହିବା କଥା ।

 

ସର୍ବଜ୍ଞ-‘‘ତାହାହେଲେ ମୁଁ ପ୍ରଭାସ ଛାଡ଼ି ଅନ୍ୟକୌଣସି ସ୍ଥାନକୁ ଚାଲିଯିବି ? ପ୍ରଭୁ ସୋମନାଥଙ୍କୁ ଲୁଚାଇଦେବି ?’’

 

ସାମନ୍ତ–‘‘ଏହାଛଡ଼ା ଅନ୍ୟଉପାୟ ନାହିଁ ।’’

 

ସର୍ବଜ୍ଞ କହିଲେ, “ଯେଉଁ ଲିଙ୍ଗ ବିଶ୍ୱ ସୃଷ୍ଟିର ପ୍ରାକ୍‍ କାଳରୁ ପ୍ରକଟିତ ହୋଇଛନ୍ତି, ଯେ ସତ୍ୟ ଓ ସୁନ୍ଦର, ଯେ ଶତ ଶତ ଦାବାନଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ପଞ୍ଚଭୂତ ଯାହାଙ୍କର ବୃଦ୍ଧି ବା ହ୍ରାସ କରିପାରିବେ ନାହିଁ, ଯେ ଅଶାନ୍ତ ସମୁଦ୍ରର ପଟ୍ଟଭୂମିରେ ଅସଂଖ୍ୟ ଜ୍ୟୋତିର ଆଭା ଘେନି ବିରାଜିତ, ତାଙ୍କୁ ସ୍ଥାନାନ୍ତର କରିବାର ପାପ ମୁଁ କରିବି ?” ଗଙ୍ଗସର୍ବଙ୍ଗ ଏହା କହୁଥିବା ସମୟରେ ସତେ ଯେପରି ସେ ଶିବପୁରାଣ ଆବୃତି କରୁଛନ୍ତି ସେହିପରି ମନେହେଉଥାଏ । ସାମନ୍ତ ଗଙ୍ଗଙ୍କର ଚିନ୍ତାଧାରା ଭଲରୂପେ ବୁଝିପାରୁନଥିବାରୁ ତାଙ୍କୁ ବିସ୍ମୟରେ ଅନାଇ ରହିଥାନ୍ତି ।

 

ଗଙ୍ଗସର୍ବଜ୍ଞ ପୁଣି କହିବାରେ ଲାଗିଲେ, “ଶଙ୍କରଙ୍କ ଅବତାର ଲକୁଳେଶ ପ୍ରଭୁଙ୍କର ମୁଁ ଯେତେବେଳେ ପ୍ରତିନିଧି ଏବଂ ପ୍ରଭୁ ସୋମନାଥଙ୍କ କୃପାରୁ ମୁଁ ଯେତେବେଳେ ଶିକ୍ଷା ଓ ଜ୍ଞାନ ଲାଭ କରିଛି, ସେତେବେଳେ ମୁଁ ସ୍ୱୟଂ ଏହି ମନ୍ଦିରରୁ ତାଙ୍କୁ ସ୍ଥାନାନ୍ତରିତ କରି ନେଇଯିବି ? ଏଥିରେ ତାଙ୍କର ସେବା ହେବ ?”

 

ସାମନ୍ତ କ’ଣ କହିବାକୁ ଆରମ୍ଭ କରି “ଗୁରୁଦେବ !” ଏତିକି ଉଚ୍ଚାରଣ କରିଛନ୍ତି, ସର୍ବଜ୍ଞ ନିଜର ଆଙ୍ଗୁଠି ଦେଖାଇ ନୀରବ ରହିବାକୁ ସଂକେତ ଦେଲେ । କିଛି ସମୟପାଇଁ ସେ ଆଖି ବୁଜି ଚିନ୍ତାମଗ୍ନ ରହିଲେ । ସାମନ୍ତ ତାଙ୍କୁ ନୀରବରେ ଅନାଇଥାନ୍ତି । ସେ ଯେତେବେଳେ ନିଜ ଆଖି ଖୋଲିଲେ ତହିଁରୁ ଗୋଟିଏ ଅଦ୍ଭୁତ ଜ୍ୟୋତି ଦେଖାଦେଲା । ସର୍ବଜ୍ଞ କହିଲେ, “ବାପ, ପ୍ରଭୁ ସୋମନାଥଙ୍କର ଏହି ଜ୍ୟୋତିର୍ଲିଙ୍ଗକୁ କୌଣସି ଅବସ୍ଥାରେ ସ୍ଥାନାନ୍ତରିତ କରାଯାଇନପାରେ । ଲିଙ୍ଗ ଯେଉଁଠି ରହିବେ, ମୁଁ ମଧ୍ୟ ସେଇଠି ରହିବି-ହମୀର୍‍ ଯାହା କରିବ କରୁ ।”

 

ଏ କଥା ଶୁଣି ସାମନ୍ତ ଥରିଉଠିଲେ । ନିଜ ଆଖିରେ ପବିତ୍ର ଲିଙ୍ଗ ଖଣ୍ଡ ଖଣ୍ଡ ହେବାର ଦେଖିବା ତାଙ୍କ ପକ୍ଷରେ ଅସହ୍ୟ । କିନ୍ତୁ ଭବିଷ୍ୟତ୍‍ ବିଷୟରେ ତାଙ୍କର ନୈରାଶ୍ୟ ଏହି ମହାପୁରୁଷଙ୍କର ନିଷ୍ପତ୍ତି ସମ୍ମୁଖରେ ଉଭେଇଗଲା । ଏହାସତ୍ତ୍ୱେ ପ୍ରତିବାଦ କରିବା ନିଜର କର୍ତ୍ତବ୍ୟ ବୋଲି ସେ ଭାବିଲେ ।

 

ଗଙ୍ଗ ତାକୁ ଆଉ ଅଧିକା କହିବାକୁ ନ ଦେଇ ନିଜେ କହିବାକୁ ଲାଗିଲେ, “କୌଣସି ସନ୍ଦେହ ବା ଯୁକ୍ତିର ଆଉ ଅବକାଶ ନାହିଁ । ଯେବେ ପ୍ରଭୁ ଏବଂ ଯବନ ମଧ୍ୟରେ କୌଣସି ମା’ର ପୁଅ ଠିଆହେବାକୁ ନ ବାହାରେ, ତା’ହେଲେ ଏହି ବ୍ରାହ୍ମଣ ଏକାକୀ ଠିଆହେବ-ଯାହା ହେବାର ହେଉ । ପିନାକପାଣିଙ୍କର ବିରାଟ ଶକ୍ତି ସମ୍ମୁଖରେ ଠିଆହେବାକୁ କାହାରି ସାହାସ ଅଛି ? କିଏ କହିପାରିବ, ହୁଏତ ଅତୀତର ମୁନି ଋଷିମାନଙ୍କର ପଦାଙ୍କ ଅନୁସରଣ କରି ଆକ୍ରମଣକାରୀମାନଙ୍କୁ ପ୍ରତିରୋଧ କରିବା ଏହି କ୍ଷୀଣକାୟ ବୃଦ୍ଧ ଭାଗ୍ୟରେ ଲେଖାଅଛି ।”

 

ଏହି ଯେଉଁ ଦୃଢ଼ ପ୍ରତିଜ୍ଞା, ସାମନ୍ତ ତାହାର ବା କ’ଣ ଉତ୍ତର ଦେବେ ? କିନ୍ତୁ ଜଣେ ଯୋଦ୍ଧା ହିସାବରେ ସେ କହିଲେ, “ଅନ୍ତତଃ ଭୀମଦେବଙ୍କର ସୈନ୍ୟବାହିନୀକୁ ଡାକିବାର ବ୍ୟବସ୍ଥା କରନ୍ତୁ । ହମୀର୍‍ ସେମାନଙ୍କୁ ପାଟଣରେ ମୁହୂର୍ତ୍ତକ ମଧ୍ୟରେ ଧ୍ୱଂସ କରିଦେବାର ଯଥେଷ୍ଟ ସମ୍ଭାବନା ଥିବାରୁ ସେଠିକା ଅପେକ୍ଷା ସେମାନେ ପ୍ରଭାସରେ ସଫଳ ପ୍ରତିରୋଧ କରିପାରିବେ ।”

 

ସର୍ବଜ୍ଞ-‘‘ଯୁଦ୍ଧ କିପରି ହେବ ସେ ବିଷୟରେ ହସ୍ତକ୍ଷେପ କରିବା ମୋର କାର୍ଯ୍ୟ ନୁହେଁ । କିନ୍ତୁ ମୁଁ ତୋତେ ଗୋଟିଏ ଚିଠି ଦେବି । କାଲି ସକାଳେ ତୁ ତାହା ନେଇ ପାଟଣ ଯାଆ । ସେଠାରେ ଭୀମଦେବ ଓ ଦାମୋଦର ମେହେତାଙ୍କ ସହ ପରାମର୍ଶ କରି ସେମାନେ କ’ଣ କହୁଛନ୍ତି, ଦେଖ ।’’

 

ସାମନ୍ତ–‘‘ଠିକ୍‍ କଥା । ମୁଁ ଆଜି ରାତି ଏଠାରେ ବିଶ୍ରାମ ନେଇ କାଲି ଖୁବ୍‍ ଭୋରରୁ ବାହାରିବି ।’’

 

ସର୍ବଜ୍ଞ-‘‘ଭଲ କଥା; କିନ୍ତୁ ତୁ ଯିବା ପୂର୍ବରୁ ମୋ ସହିତ ଦେଖାକରିବୁ । ସୋମନାଥଙ୍କ ନିକଟରେ ଉପାସନା କରିବାପୂର୍ବରୁ ମୋତେ ପୁଣି ସ୍ନାନ କରିବାକୁ ପଡ଼ିବ-ମୁଁ ଯାଏ ।’’

 

ଗତ ଚାରିମାସ ମଧ୍ୟରେ ସାମନ୍ତ ବହୁ କଷ୍ଟ ଓ ନିର୍ଯାତନା ଭୋଗ କରିବା ସଙ୍ଗେ ସଙ୍ଗେ ଯଥେଷ୍ଟ ଧ୍ୱଂସଲୀଳା ଦେଖିଛି । ନିଜ ପରିବାରର ସମ୍ମାନସ୍ପଦ ସ୍ତ୍ରୀ ପୁରୁଷ ଓ ଭାଇଭଉଣୀଙ୍କର ମୃତ ଶରୀରକୁ ଶାଗୁଣାମାନେ ଖାଇବା ସେ ନିଜେ ଦେଖିଛି । ତା’ର ପୂଜ୍ୟ ବାପାଙ୍କର ଯେପରି ବୀରୋଚିତ ମୃତ୍ୟୁ ହେଲା, ଯାହାକି ଦେବତାମାନେ ସୁଦ୍ଧା ଇର୍ଷା କରିବେ, ତାହା ସେ ଶୁଣିଛି । ଘୋଘାବାପାଙ୍କ ଗୌରବମୟ ପରିବାରର ଏକମାତ୍ର ପ୍ରତିନିଧିରୂପେ ସେ ଜୀବିତ ଅଛି । ତା’ର ଘର, ବନ୍ଧୁବାନ୍ଧବ ବା ଆଶ୍ରୟ ନେବାକୁ ସ୍ଥାନ, ଆଜି ଦୁନିଆରେ ତା’ର କିଛି ନାହିଁ । କେବଳ ପ୍ରଭୁ ସୋମନାଥଙ୍କର ଆଦେଶ କାର୍ଯ୍ୟକାରୀ କରିବାକୁ ସେ ବଞ୍ଚିଛି । ଜୀବନରେ ତା’ର ଏକମାତ୍ର କାମନା ଶତ୍ରୁକୁ ଧ୍ୱଂସ କରିବା । ଅନ୍ୟ ସମସ୍ତଙ୍କ ମୃତ୍ୟୁସତ୍ତ୍ୱେ ସେ ଯେ ଜୀବିତ ଅଛି-ତାହାର ଅନ୍ୟ କ’ଣ ଲକ୍ଷ୍ୟ ଥାଇପାରେ ?

 

ସର୍ବଜ୍ଞଙ୍କଠାରୁ ବିଦାୟ ନେବା ସମୟରେ ସାମନ୍ତଙ୍କ ମନରେ ଏହିସବୁ ଚିନ୍ତା ଖେଳୁଥିଲା-। ଗଙ୍ଗଙ୍କର ଦୃଢ଼ତା ଏବଂ ଆତ୍ମବିଶ୍ୱାସ ଦେଖି ତାଙ୍କର ବିଶ୍ୱାସ ଯଥେଷ୍ଟ ବଢ଼ିଥାଏ । ଆବୁ ଏବଂ ପ୍ରଭାସ ମଧ୍ୟରେ କ’ଣ ହେବ ନ ହେବ, ସେ କଥା କିଏ କହିପାରିବ ? ସର୍ବଶକ୍ତିମାନ୍‍ ସର୍ବଜ୍ଞ, ଯାହାଙ୍କର ଅତୀତ ଓ ଭବିଷ୍ୟତ ସମ୍ପର୍କରେ ଯଥେଷ୍ଟ ଜ୍ଞାନ ଅଛି, ତାଙ୍କର ଦୃଷ୍ଟିକୋଣ ଓ ବିଚାର ଭୁଲ ବୋଲି କିଏ ବା କହିବ ?

 

ସାମନ୍ତ ମନ୍ଦିର ଦିଗକୁ ଚାହିଁବା ସଙ୍ଗେ ସଙ୍ଗେ ତାଙ୍କ ମନରେ ନୂତନ ଚିନ୍ତାଧାରା ଖେଳିଗଲା । କିଛିଦିନ ତଳେ ପିତାଙ୍କ ଗହଣରେ ତା’ର ପ୍ରଥମବାର ସୋମନାଥ ଦର୍ଶନ ଓ ଦେବଦର୍ଶନ ପରେ ଏକ ତରୁଣୀ ନର୍ତ୍ତକୀ ତା’ର ମସ୍ତକରେ ଓ ପିତାଙ୍କର ମସ୍ତକରେ ବିଜୟ ବିଭୂତି ଦେଇ “ବିଜୟୀ ହୋଇ ଫେରିଆସ” ବୋଲି କାମନା କରିବା ତାଙ୍କର ସ୍ମୃତିରେ ଜାଗରିତ ହେଲା । ଯେତେବେଳେ ସେ ହମୀର୍‍କୁ ମାରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ଏହି କଥା ତାଙ୍କର ବରାବର ମନେପଡ଼ୁଥିଲା । ସମ୍ଭବତଃ ପ୍ରଭୁ ସୋମନାଥଙ୍କ ମନ୍ଦିରରେ ପ୍ରବେଶ କରିବା ତାଙ୍କର ଭାଗ୍ୟରେ ଆଉ ଘଟି ନ ପାରେ । ଯେତେବେଳେ ଭାଗ୍ୟବଶତଃ ସେ ଏତେବାଟ ଆସିଛନ୍ତି, କାହିଁକି ବା କ୍ଷଣିକ ଆନନ୍ଦ ଉପଭୋଗ କରିବାର ସୁଯୋଗ ହରାଇବେ ?

 

ଚାରିଦିଗକୁ ଅନାଇ ସେ ଆସ୍ତେ ଆସ୍ତେ ମନ୍ଦିର ଭିତରକୁ ଗଲେ । ସେ ଆଶା କରୁଥିଲେ ଯେ, ଏହି ନିକଟରେ ପୂର୍ବ ପରିଚିତ ସେହି ଆକର୍ଷଣୀୟ ହସ ଶୁଣିବେ ଏବଂ ଅନିର୍ବଚନୀୟ ରୂପ ଦେଖିବେ; କିନ୍ତୁ ତାଙ୍କର ଆଶା ପୂର୍ଣ୍ଣ ହୋଇପାରିଲା ନାହିଁ । ଭଗ୍ନହୃଦୟରେ ସେ ପ୍ରଭୁ ସୋମନାଥଙ୍କ ସମ୍ମୁଖରେ ପ୍ରଣତି କଲେ । ସେ ପ୍ରାର୍ଥନା କରୁଥିବା ସମୟରେ ତାଙ୍କର ଦୁଇ ଆଖିରୁ ଲୁହ ବୋହୁଥାଏ । ଗତ କେତେଦିନ ହେଲା ସେ ଯେଉଁ ଦୁଃଖ କଷ୍ଟ ସହ୍ୟ କରୁଛନ୍ତି, ତାହା ମନେପଡ଼ୁଥାଏ ।

 

ଯାହାସବୁ ଘଟିଯାଇଛି, ତାହା ବିଶଦ୍‍ଭାବେ ସର୍ବଜ୍ଞଙ୍କ ନିକଟରେ କହିବା ପରେ ଧୈର୍ଯ୍ୟ ଚାଲିଯାଇଥିବା ପରି ସାମନ୍ତଙ୍କର ମନେହେଲା । ଗତ କିଛିଦିନ ଧରି ସେ ଯେପରି ଅପନ୍ତରା ଭୂଇଁରେ ନିଃସହାୟ ଓ ନିରୁପାୟଭାବେ ବୁଲୁଛନ୍ତି, ତାହା ମନେପଡ଼ିଲା । ସାମନ୍ତ ବିରାଟ ନାଟମନ୍ଦିରର ଗୋଟିଏ ନିଭୃତ କୋଣରେ ବସି ଓ ଆଣ୍ଠୁ ଉପରେ ମୁଣ୍ଡ ଥୋଇ ମନଇଚ୍ଛା କାନ୍ଦିବାକୁ ଲାଗିଲେ ।

 

ଏହି ସମୟରେ ତାଙ୍କ ମନକୁ ଗୋଟିକ ପରେ ଗୋଟିଏ ଆତ୍ମୀୟଙ୍କ କଥା ଆସିଲା-ବୁଢ଼ା ବାପା ଘୋଘାବାପା ଏବଂ ତାଙ୍କର ଅସାଧାରଣ ବୀରତ୍ୱ-ଏକାକୀ ହମୀର୍‍କୁ ପାରୁପର୍ଯ୍ୟନ୍ତ ପ୍ରତିରୋଧ କରିଥିବା ତା’ର ବାପା-ଚିତାନଳରେ ଦେହ ଆହୁତି ଦେଇଥିବା ତା’ର ଦେବୀତୁଲ୍ୟ ଦେଦୀପ୍ୟମାନା ମା’-ଫୁଲପରି କୋମଳ ତା’ର ଚାରି ବର୍ଷର ଭଉଣୀ, ଯାହାର ଆଧାପୋଡ଼ା କଅଁଳ ଗୋଡ଼ ସେ ଚିହ୍ନିପାରିଥିଲେ । ଏ ଦାରୁଣ ଦୃଶ୍ୟ ଦେଖିବାକୁ ତାଙ୍କ ଭାଗ୍ୟରେ ଥିଲା ! ତାଙ୍କ ଆଖିରୁ ଅନବରତ ଲୁହ ଗଡ଼ୁଥାଏ ଏବଂ ସେ ନିଜକୁ ପୂରାପୂରି ଭୁଲିଯାଇଥାନ୍ତି । ସମୟ କେତେ ହେଲାଣି, ତାଙ୍କୁ ଜଣାନାହିଁ ।

 

ଜଣେ ସ୍ତ୍ରୀଲୋକର ମଧୁର ସ୍ୱର ଶୁଣି ସେ ଉଠିପଡ଼ିଲେ । ସେ ଦେଖିଲେ, ଜଣେ ପଚିଶ ବର୍ଷ ବର୍ଷୀୟା ନର୍ତ୍ତକୀ ତାଙ୍କ ଆଡ଼କୁ ଦୟାପୂର୍ଣ୍ଣ ଦୃଷ୍ଟିରେ ଚାହିଁ ରହିଛି । ନର୍ତ୍ତକୀ ସହାନୁଭୂତି ପ୍ରକାଶ କଲା ଭଳି କହିଲା, “ନାୟକ ! ତୁମେ କାହିଁକି କାନ୍ଦୁଛ ? ପ୍ରଭୁ ସୋମନାଥ ଯାହା କରନ୍ତି ତାହା ଆମ ମଙ୍ଗଳ ପାଇଁ ।”

 

ଏହି ନର୍ତ୍ତକୀର ମୁହଁ ଦେଖି ସାମନ୍ତଙ୍କ ମନରେ ଛାନିଆ ପଶିଗଲା । ଆଗରେ ଆଉ ଏକ ନର୍ତ୍ତକୀ ଥଲା । ତାହାରି ପରି ଏ ମଧ୍ୟ ଗୋଟିଏ ନର୍ତ୍ତକୀ । କିନ୍ତୁ ଏହି ଯୁବତୀର ଆଖିରେ କାମନାଭିଳାଷ ଦେଖାଯାଉଥିବା ସ୍ଥଳେ ଅନ୍ୟଟିର ମୁହଁ ନିର୍ଦ୍ଦୋଷ ଜଣାଯାଉଥିଲା । ଯୁବତୀ ଅସଂଯତଭାବେ ନିଜର ଆଖିକୁ ନଚାଇ କହିଲା, “ବୀର, କାନ୍ଦିଲେ କିଛି ହୁଏ ନାହିଁ । ମୋ ସାଙ୍ଗରେ ଆସ । ମୁଁ ତୁମକୁ ହସାଇବି ।”

 

ସାମନ୍ତ କହିଲେ “ଭଉଣୀ, ତୁମେ ଭାବୁଛ ମୋତେ ହସାଇବବୋଲି-କିନ୍ତୁ ମୋ ଆଖିରୁ ଯେଉଁ ଲୁହ ବୋହୁଛି ତାହା ବନ୍ଦ କରିବାକୁ ଦୁନିଆରେ କେହି ନାହାନ୍ତି ।”

 

ନର୍ତ୍ତକୀ ପୁଣିଥରେ ତା’ର ଆକର୍ଷଣୀୟ ଆଖିଦ୍ୱାରା ସାମନ୍ତଙ୍କୁ ନିଜର କରିବାପାଇଁ ଚେଷ୍ଟାକରି କହିଲା, “ତୁମେ ଭୁଲ କରୁଛ । ଯେବେ ତ୍ରିପୁରସୁନ୍ଦରୀ ତୁମକୁ ଦୟା କରନ୍ତି ତାହାହେଲେ କାନ୍ଦିବା ତୁମ ପକ୍ଷରେ ଅସମ୍ଭବ ହେବ । ଉଠ, ମୋ ସହିତ ଆସ ।”

 

ସାମନ୍ତ ଠିଆହୋଇ ପଚାରିଲେ, “ମୋତେ କେଉଁଠିକି ଯିବାକୁ କହୁଛ ?” ସେ ଭାବିଲେ-ଅବଶ୍ୟ ସର୍ବଜ୍ଞଙ୍କ ଲୋକମାନେ ତାଙ୍କୁ ଅପେକ୍ଷା କରିଥିବେ, କିନ୍ତୁ ନିଜ ହୃଦୟର ଦୁଃଖଭାର କମାଇବା ତାଙ୍କର ଦରକାର । ନର୍ତ୍ତକୀ ନଇଁପଡ଼ି କହିଲା, “ଆଜି ହେଉଛି ତ୍ରିପୁରସୁନ୍ଦରୀଙ୍କ ଯାତ୍ରା । ଆସ, ମୋ ସାଙ୍ଗରେ ଆଉ କେହି ନାହାନ୍ତି । ତୁମେ ନିଜର ସମସ୍ତ ପାପ ଧୋଇପାରିବ ।”

 

ସାମନ୍ତ ଧୀରେ କହିଲେ, “ତ୍ରିପୁରସୁନ୍ଦରୀଙ୍କ ଯାତ୍ରା ?” ସେ ପୂର୍ବରୁ ଜାଣିଛନ୍ତି ଯେ, ମନ୍ଦିରର ଗୋଟିଏ କୋଣରେ ଶଙ୍କର-ରମଣୀ ସର୍ବଶକ୍ତିମୟୀ ଦେବୀ ପୂଜା ପାଉଛନ୍ତି ଏବଂ ତାଙ୍କର ଯାତ୍ରା ଅଦ୍ଭୁତଭାବେ ପାଳନ କରାହୁଏ । ସେହି ଯାତ୍ରା କିପରିଭାବେ ପାଳନ କରାହୁଏ, ତାହା କେହି ଜାଣନ୍ତି ନାହିଁ । ତାହା ଜାଣିବାକୁ ମଧ୍ୟ ତାଙ୍କର ଆଜି ଇଚ୍ଛା ନାହିଁ । ତେଣୁ ସାମନ୍ତ କହିଲେ, “ମୋର ସେ ଦୀକ୍ଷା ନାହିଁ । ମୁଁ କେମିତି ଯିବି ?”

 

ନର୍ତ୍ତକୀ-“ତମେ ସେଥିପାଇଁ ଯୋଗ୍ୟ, ଏଥିରେ କୌଣସି ସନ୍ଦେହ ନାହିଁ । କାଲି ରାତିରେ ଦେବୀ ସ୍ୱପ୍ନରେ ମୋ ନିକଟକୁ ଆସିଥିଲେ, ଏବଂ…… ।”

 

ସାମନ୍ତ–‘‘କ’ଣ କହିଲେ ?’’

 

ନର୍ତ୍ତକୀ-‘‘ଗତରାତିରେ ତ୍ରିପୁରସୁନ୍ଦରୀ ନିଜେ ମୋତେ କହିଲେ, ପ୍ରଭୁଙ୍କର ଜଗମୋହନରେ ଗୋଟିଏ ଯୋଦ୍ଧା ବସି କାନ୍ଦୁଛି-ତାକୁ ଘେନିଆସ । ସେ ମୋର ଏବଂ ପ୍ରଭୁଙ୍କର ବିଜେସ୍ଥଳୀ ରକ୍ଷା କରିବ ।’’

 

ସାମନ୍ତ–‘‘ତୁମେ କ’ଣ ସତ କହୁଛ ?’’

 

ନର୍ତ୍ତକୀ-‘‘ହଁ, ତୁମକୁ ନେବାପାଇଁ ମୋତେ ଆଦେଶ ହୋଇଛି ।’’

 

ଏ ନର୍ତ୍ତକୀ କ’ଣ ସତ କହୁଛି ? ପ୍ରଭୁଙ୍କର ଅର୍ଦ୍ଧାଙ୍ଗିନୀ ପାର୍ବତୀ ପ୍ରକୃତରେ କ’ଣ ସାମନ୍ତ ତାଙ୍କ ମନ୍ଦିର ରକ୍ଷା କରିବେ ବୋଲି ଭାବୁଛନ୍ତି ? ସତେ କ’ଣ ଶେଷକୁ ଗଜନୀର ହମୀର୍‍କୁ ସେ ମାରିବେ ? ତାଙ୍କର ମନ ସମ୍ପୂର୍ଣ୍ଣ ବିଷାଦଗ୍ରସ୍ତ ଥଲେ ସୁଦ୍ଧା ସେ ଯେ ଏହି ବିରାଟ ମନ୍ଦିରର ରକ୍ଷାକର୍ତ୍ତା ହେବେ, ଏ କଥା ଭାବି ତାଙ୍କ ମନରେ ସାମାନ୍ୟ ଉତ୍ସାହ ଦେଖାଦେଲା ।

 

ସାମନ୍ତ ପଚାରିଲେ, “ତୁମେ କିଏ ?”

 

ନର୍ତ୍ତକୀ କହିଲା, “ମୋ ନାଁ କୁଣ୍ତଳା ଦେବଦାସୀ । ମୋ ସାଙ୍ଗେ ଆସ ।”

Image

 

ତ୍ରିପୁରସୁନ୍ଦରୀଙ୍କ ମନ୍ଦିର

 

ସାମନ୍ତ ଆସ୍ତେ ଆସ୍ତେ ପ୍ରକୃତିସ୍ଥ ହେଲେ ଓ ଉଠିପଡ଼ି ନର୍ତ୍ତକୀ ପଛେ ପଛେ ଗଲେ । ସେ ଏହି ନର୍ତ୍ତକୀର ଶରୀରର ମାଦକତା ଦେଖୁଥାନ୍ତି । ପ୍ରଭୁ ଶଙ୍କରଙ୍କ ଆରାଧନାରେ ନିଜକୁ ନିମଗ୍ନ କରିଥିବା ଶୁଦ୍ଧପୂତ ସେହି ଛୋଟନର୍ତ୍ତକୀ ବାଳିକାଟିଠାରୁ ଏ କେତେ ଭିନ୍ନ ! ଏହି ସ୍ତ୍ରୀଲୋକଟି ସଂସାରିକ ଭୋଗବିଳାସରେ ମଗ୍ନ ଏକ ଦେବଦାସୀ, ଏହା ସେ ହୃଦୟଙ୍ଗମ କଲେ ।

 

ଗଙ୍ଗସର୍ବଜ୍ଞଙ୍କ ସହିତ କଥାବାର୍ତ୍ତା ହେବାପରଠାରୁ ସାମନ୍ତଙ୍କ ମନରେ ନୂତନ ଆଶା ଓ ଉତ୍ସାହ ଦେଖାଦେଇଥାଏ ।

 

ପ୍ରଭୁ ସୋମନାଥଙ୍କର ପୀଠସ୍ଥଳୀ ରକ୍ଷା କରିବାପାଇଁ ସେ ହୁଏତ ଆୟୁଧ ହେବେ–ଏହି ଚିନ୍ତା ତାଙ୍କ ମନରେ ନୂତନ ଉତ୍ସାହ ଓ ପ୍ରେରଣା ଆଣିଲା । ଏହି ନର୍ତ୍ତକୀ ଯୁବତୀଟି କ’ଣ ସତ କହୁଛି ନାଁ, ତା’ ମନଗଢ଼ା କଥା କହୁଛି ! ତା’ ନ ହେଲେ ଘୋଘାବାପାଙ୍କର ବିରାଟ ପରିବାର ମଧ୍ୟରୁ ସେ ଏକା ବଞ୍ଚିରହିଛନ୍ତି କାହିଁକି ?

 

ସାମନ୍ତ ନର୍ତ୍ତକୀର ପଛେ ପଛେ ଗଲେ । ସେ ତାଙ୍କୁ ଏକ ଦ୍ୱାର ବାଟରେ ନର୍ତ୍ତକୀମାନେ ରହୁଥିବା ଘରର ଅଗଣାକୁ ନେଇଗଲା । ଏହି ନୂଆ ଅପରିଚିତ ପରିବେଶରେ ସାମନ୍ତ ମୁହୂର୍ତ୍ତକପାଇଁ ନିଜର ଦୁଃଖ ଏବଂ ନୈରାଶ୍ୟ ଭୁଲିଗଲେ; ସର୍ବୋପରି ଜଗତର ନାଥଙ୍କ ଅର୍ଦ୍ଧାଙ୍ଗିନୀ ପାର୍ବତୀଙ୍କର ଆଦେଶରେ ସେ ଯାଉଛନ୍ତି ତ୍ରିପୁରସୁନ୍ଦରୀଙ୍କ ମନ୍ଦିରକୁ ।

 

କୁଣ୍ତଳା ଗୋଟିଏ ଛୋଟ ଦରଜାରେ ଧକ୍କା ମାରିବାରୁ କିଛି ସମୟ ପରେ ତାହା ଫିଟିଲା-। ଭିତରୁ ପ୍ରଶ୍ନ ହେଲା, “କିଏ ?”

 

କୁଣ୍ତଳା ନିଜର ପରିଚୟ ଦେଲା ।

 

ଅର୍ଦ୍ଧନିଦ୍ରିତ ଅବସ୍ଥାରେ କେହି ପ୍ରଶ୍ନ କଲା, “ତୁ ସେ ଲୋକକୁ ପାଇଲୁ ?”

 

କୁଣ୍ତଳା-‘‘ହଁ ।’’

 

ଭିତରୁ-‘‘ତାକୁ ଭିତରକୁ ଆଣ ।’’

 

ଦ୍ୱାରଟି ଆଉ ଟିକିଏ ବେଶୀ ଖୋଲିଲା । କୁଣ୍ତଳା ଏବଂ ସାମନ୍ତ ଘର ଭିତରକୁ ଗଲେ । ସେଠାରେ ବିଭୂତି ବୋଳିହୋଇଥିବା ତିନିଜଣ ସାଧୁ ବସିଥିଲେ । ସେମାନଙ୍କ ଆଖିଗୁଡ଼ାକ ଲାଲ ଦିଶୁଥାଏ ଏବଂ ସେମାନେ ଅସ୍ପଷ୍ଟ ସ୍ୱରରେ କ’ଣ ମନ୍ତ୍ର ଉଚ୍ଚାରଣ କରୁଥାନ୍ତି । ଦ୍ୱାର ଖୋଲିଥିବା ସାଧୁଜଣକ ଗୋଟିଏ ଆଲୁଅ ଧରି ସାମନ୍ତଙ୍କ ଆଗରେ ଠିଆହୋଇ ପଚାରିଲା, “ତୁମେ କିଏ ?”

 

ସାମନ୍ତ–‘‘ମୁଁ ଜଣେ ଚୌହାନ ।’’

 

ସାଧୁ–‘‘ତମେ ଦେବୀ ମହାଶକ୍ତିଙ୍କର ଭକ୍ତ ?’’

 

ସାମନ୍ତ–‘‘ମୁଁ ପ୍ରଭୁ ସୋମନାଥ ଏବଂ ତାଙ୍କ ଅର୍ଦ୍ଧାଙ୍ଗିନୀ ଦେବୀ ପାର୍ବତୀ ଉଭୟଙ୍କର ଭକ୍ତ ।’’

 

କୁଣ୍ଡଳା–‘‘ମୁଁ ପରା ତାଙ୍କୁ ସ୍ୱପ୍ନରେ ଦେଖିଥିଲି !’’

 

ଅନ୍ୟଜଣେ ସାଧୁ ପଚାରିଲା-‘‘ତୁମ ହୃଦୟରେ ସାହସ ଅଛି ?’’

 

ସାମନ୍ତ–‘‘କ’ଣ ପାଇଁ ସାହସ ?’’

 

ସାଧୁ–‘‘ଶକ୍ତିଦେବୀଙ୍କର ଆରାଧନା କରିବା ଲାଗି ପ୍ରତିଜ୍ଞା କରିବାକୁ ସାହସ ।’’

 

ସାମନ୍ତ ଚାରିଆଡ଼କୁ ଅନାଇଲେ । କୁଣ୍ତଳା ତାଙ୍କୁ ଛାଡ଼ି ଦେଇ ଯାଇ ନିଜର ଲୁଗା ବଦଳାଇବାରେ ବ୍ୟସ୍ତ । ସାମନ୍ତ ଆଲୁଅରେ ଦେଖିଲେ ଯେ, ଘରର ଅନ୍ୟ ପାଖରେ ଛାଇ ସବୁ ଏପାଖ ସେପାଖ ହେଉଛନ୍ତି । ସେଗୁଡ଼ିକର ଆକୃତି ମଣିଷ ପରି ।

 

ତ୍ରିପୁରସୁନ୍ଦରୀଙ୍କୁ ତାନ୍ତ୍ରିକ ନିୟମରେ ଯେଉଁମାନେ ପୂଜା କରନ୍ତି, ସେମାନଙ୍କ ସମ୍ପର୍କରେ ଶୁଣିଥିବା ବିଚିତ୍ର କଥାମାନ ସାମନ୍ତଙ୍କର ମନେପଡ଼ିଲା । ଯେଉଁ ଭୟାବହ ତାନ୍ତ୍ରିକ ଉପାୟରେ ଶକ୍ତିପୂଜା କରାଯାଏ, ସେଥିରେ କ’ଣ ତାଙ୍କୁ ଦୀକ୍ଷିତ ହେବାକୁ ପଡ଼ିବ ? ଦୁରାଚାରୀ ହମୀର୍‍ କବଳରୁ ପ୍ରଭାସକୁ ରକ୍ଷାକରିବା ନିଜର କର୍ତ୍ତବ୍ୟ ହୋଇଥିବାବେଳେ, ସେ କାହିଁକି ଏ ଭୟାବହ ତାନ୍ତ୍ରିକ ମନ୍ଦିରକୁ ଆସିଲେ-ଏହି କଥା ଭାବି ସାମନ୍ତ ଅନୁତପ୍ତ ହେଲେ ।

 

ସାଧୁ ପୁଣି ପଚାରିଲା-‘‘କୁହ, ସାହସ ଅଛି ?’’

 

ସାମନ୍ତ ଉତ୍ତର ଦେଲେ-‘‘ସାହସ ! ମୋର ସାହସ ନାହିଁ ।’’

 

ତିନିଜଣଯାକ ସାଧୁ ତାଙ୍କ ନିକଟକୁ ଯାଇ କହିଲେ, “କ’ଣ କହିଲୁ ?”

 

ସାମନ୍ତ–‘‘ତାନ୍ତ୍ରିକ ନୀତିରେ ତ୍ରିପୁରସୁନ୍ଦରୀଙ୍କ ଦୀକ୍ଷା ନେବାକୁ ମୁଁ ଯୋଗ୍ୟ ନୁହଁ ।’’

 

ଜଣେ ସାଧୁ ସାମନ୍ତଙ୍କର ତଣ୍ଟି ଚିପିଧରି କହିଲା, “ତୁ ପାପୀ, ଦୁରାଚାରୀ; ଏଠାକୁ ଆସିଲୁ କାହିଁକି ? ମହାମାୟାଙ୍କର କୋପ ହେଲେ......”

 

ସାମନ୍ତ–‘‘ମୁଁ ମୋ ଇଚ୍ଛାରେ ଏଠାକୁ ଆସିନାହିଁ । ମୋତେ କୁଣ୍ତଳା ଏଠାକୁ ଆଣିଛି । ଏଠାରେ ରହିବାକୁ ମୋର ଇଚ୍ଛା ନାହିଁ । ମୁଁ ଯାଉଛି ।’’

 

ଆଉ ଜଣେ ସାଧୁ ତାଙ୍କର ହାତ ଭିଡ଼ିଧରି କହିଲା, “ଯାଉଛି ? କୁଆଡ଼େ ଯିବୁ ? ମହାମାୟାଙ୍କ ମନ୍ଦିର ଅପବିତ୍ର କରି ପଳାଇଯିବାକୁ ବସିଛୁ ?”

 

ସାମନ୍ତ ସାଧୁମାନଙ୍କ କବଳରୁ ରକ୍ଷା ପାଇବାକୁ ବୃଥା ଚେଷ୍ଟାକରି କହିଲେ, “ମୁଁ ଯାଏ-ମୋତେ ଛାଡ଼ ।” ଏହି ଅବସ୍ଥା ଦେଖି ତୃତୀୟ ସାଧୁଟି ତାଙ୍କ ଆଡ଼କୁ ଦଉଡ଼ିଯାଇ ସାମନ୍ତଙ୍କ ଅନ୍ୟ ହାତଟି ଧରିନେଇ କହିଲା, “ବାଃ ! ଯାଉଥା ।” ସମସ୍ତେ ତାଚ୍ଛଲ୍ୟଭାବେ ହସିଉଠିଲେ ।

 

ସାମନ୍ତ କୁଣ୍ତଳା ଆଡ଼କୁ ଅନାଇ ପାଟିକରି ରାଗରେ କହିଲେ, “କୁଣ୍ତଳା ! ତୁ କାହିଁକି ମୋତେ ଆଣିଲୁ ? ମୋତେ ଛାଡ଼ । ମୁଁ ଯାଏ ।”

 

କୁଣ୍ତଳା ମଧ୍ୟ ରାଗିଯାଇ ବଡ଼ ପାଟିରେ କହିଲା, “ପଶୁ, ବର୍ବର ! ମୋ ସ୍ୱପ୍ନ ମିଛ ହେବ ବୋଲି ମୁଁ କେମିତି ଜାଣନ୍ତି ? ମହାମାୟା ମୋ ଉପରେ ଖୁସି ହେବେ ବୋଲି ମୁଁ ଜାଣିଥିଲି । କିନ୍ତୁ ତୁ ତ ଗୋଟାଏ କପଟୀ-ଏବେ ମର । ମହାମାୟାଙ୍କ ମନ୍ଦିର ଅପବିତ୍ର କରି ଏ ପର୍ଯ୍ୟନ୍ତ କେହି ପଳାଇ ଯାଇପାରିନାହିଁ ।”

 

ସାଧୁମାନେ ସାମନ୍ତଙ୍କୁ ଗୋଟିଏ ଖୁଣ୍ଟରେ ବାନ୍ଧିଦେଲେ । ପଳାଇଯିବାପାଇଁ ସେ ଆଉ କୌଣସି ଉଦ୍ୟମ କଲେନାହିଁ । ଜୀବନ ପ୍ରତି ମଧ୍ୟ ତାଙ୍କର ମମତା ନ ଥିଲା ।

 

ସାମନ୍ତ ନିରୁପାୟଭାବେ ସାଧୁମାନଙ୍କୁ କହିଲେ, “ମୋତେ ଆପଣମାନେ ଟିକିଏ ଦୟା କରିବେ ? କେହି ଜଣେ ଯାଇ ଗୁରୁଦେବ ସର୍ବଜ୍ଞଙ୍କୁ ଏତିକି ଜଣାଇ ଦେବା ଆବଶ୍ୟକ ଯେ, ସେ ମୋ’ପାଇଁ ଆଉ ଅପେକ୍ଷା କରିବେ ନାହିଁ ।” ସାଧୁମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ କହିଲେ, “ସର୍ବଜ୍ଞ !”

 

ସାମନ୍ତ କହିଲେ-“ହଁ, ସେ ମୋ’ପାଇଁ ଅପେକ୍ଷା କରିଛନ୍ତି ।”

 

ସତେଯେପରି ସେ ସବୁ ବୁଝିପାରିଛି, ସେଇଭଳି ସଂକେତ ପ୍ରକାଶ କରି ଜଣେ ସାଧୁ ସାମନ୍ତଙ୍କୁ ଧ୍ୟାନପୂର୍ବକ ଅନାଇଲା । କ୍ରୋଧପୂର୍ଣ୍ଣ ସ୍ୱରରେ ତାଙ୍କୁ ଡରାଇ କହିଲା, “ଆଚ୍ଛା, ତା’ ହେଲେ ସେ ଅପେକ୍ଷା କରିଥାନ୍ତୁ ।” ଏହା କହିସାରି ତଳେପଡ଼ିଥିବା ତ୍ରିଶୂଳଟା ଉଠାଇ ସାମନ୍ତଙ୍କ ଗଳାରେ ନେଇ ଲଗାଇଲା ।

 

ନିଜର ଶେଷ ସମୟ ଆସିଗଲା ବୋଲି ସାମନ୍ତ ଭାବିଲେ । ତାଙ୍କର ମଧ୍ୟ ବଞ୍ଚିବାକୁ ଇଚ୍ଛା ନ ଥିଲା । ତେଣୁ ସେ ଆଖି ବନ୍ଦ କରି ତାଙ୍କର ଆରଧ୍ୟ ଘୋଘାବାପା ଓ ପ୍ରଭୁ ସୋମନାଥଙ୍କୁ ସ୍ମରଣ କଲେ । ସତେ ଯେପରି ଅନ୍ୟ ଦୁନିଆରେ ସେ ତାଙ୍କର ଜେଜେ, ବାପା ଏବଂ ମା’ଙ୍କ ସହିତ ଅଳ୍ପ ସମୟପରେ ଦେଖାକରିବେ, ତାଙ୍କର ସେହିପରି ଧାରଣା ହେଲା ।

 

ସେତିକିବେଳେ କୁଣ୍ତଳା ଭୟରେ ଥରି ଥରି କହୁଥିବାର ତାଙ୍କ କାନରେ ପଡ଼ିଲା, “ନା, ନା, ଆଜି ଏଠାରେ ବିନ୍ଦୁ ମାତ୍ର ମଣିଷରକ୍ତ ପଡ଼ିବ ନାହିଁ ।’’ ସାମନ୍ତଙ୍କୁ ମାରିବାପାଇଁ ତ୍ରିଶୂଳ ଉଞ୍ଚାଇଥିବା ସାଧୁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ ପଛେଇଗଲା । ସେ ବୁଝିଲା ଯେ, ଏହି ପର୍ବ ଦିନରେ ଯେବେ ମହାଶକ୍ତିଙ୍କ ମନ୍ଦିରରେ ମଣିଷରକ୍ତ ପଡ଼େ ତାହାହେଲେ ସେମାନେ ନିଜେ ଧ୍ୱଂସ ହୋଇଯିବେ ।

 

ଜଣେ ସାଧୁ ଦାନ୍ତ ଚିପି ଚୁପ୍‍ ଚୁପ୍‍ କରି ଅନ୍ୟମାନଙ୍କୁ କହିଲା, “ସର୍ବଜ୍ଞ ତାକୁ ଏଠାକୁ ପଠାଇଛନ୍ତି !”

 

କୁଣ୍ତଳା କହିଲା-‘‘ମୁଁ ତାକୁ ବୁଝାଇବି ।’’

 

ଆଉ ଜଣେ ସାଧୁ କହିଲା-‘‘ନା, ତୋର ସ୍ୱପ୍ନ ମିଛ ।’’

 

ପୁଣି ଜଣେ ସାଧୁ କହିଲା-‘‘କ’ଣ କରିବାକୁ ହେବ, ରାଶିଜୀଙ୍କୁ କାହିଁକି ପଚାରୁ ନାହଁ ?’’

 

ତିନିଜଣଯାକ ସାଧୁ ନିଜ ନିଜ ଭିତରେ କ’ଣ ଚୁପ୍‍ ଚୁପ୍‍ କଥାବାର୍ତ୍ତା କଲେ ଏବଂ ସେମାନଙ୍କ ମଧ୍ୟରୁ ଦୁଇଜଣ ସାଧୁ ଓ କୁଣ୍ତଳା ଆଉ ଗୋଟିଏ ଘରକୁ ଚାଲିଗଲେ । ନିଜର ଆସନ୍ନ ମୃତ୍ୟୁକାଳରେ ମଧ୍ୟ କ’ଣ ହେଉଛି ଜାଣିବାକୁ ସାମନ୍ତଙ୍କର ଅତିରିକ୍ତ ଆଗ୍ରହ ବଢ଼ିଲା । କୁଣ୍ତଳା ଏବଂ ଦୁଇଜଣ ସାଧୁ ପ୍ରବେଶ କରିଥିବା ଘରେ କ’ଣ ହେଉଛି ତାହା ସେ ଭାବିବାକୁ ଲାଗିଲେ । ତ୍ରିପୁରସୁନ୍ଦରୀଙ୍କ ମନ୍ଦିରରେ ସେମାନେ କିଭଳି ଅସଭ୍ୟ ଓ ଭୟଙ୍କର କାର୍ଯ୍ୟମାନ କରୁଥିବେ ? ଏହି ପାଷଣ୍ତମାନେ ବୁଝୁନାହାନ୍ତି ଯେ, ମୃତ୍ୟୁ ଦେବତାଠାରୁ ଅଧିକ ଭୟଙ୍କର, ଅସୁର ପ୍ରକୃତିର ହମୀର୍‍ ସୋମନାଥଙ୍କୁ ଆକ୍ରମଣ କରିବାପାଇଁ ପ୍ରତି ମୁହୂର୍ତ୍ତରେ ନିକଟରୁ ନିକଟତର ହେଉଛି ଏବଂ ଏହି ଆକ୍ରମଣକାରୀର ଅଗ୍ରଗତିରେ ବାଧା ଜନ୍ମାଉଥିବା ଏକମାତ୍ର ଲୋକକୁ ସେମାନେ ମାରିବାକୁ ପ୍ରସ୍ତୁତ । ନିଜ ଅଜାଣତରେ ଏମାନେ ସଂସାରଟାକୁ ଧ୍ୱଂସ ନିକଟକୁ ନେଉଛନ୍ତି ।

 

କୁଣ୍ତଳା କ୍ରୋଧାନ୍ୱିତ ହୋଇ ନିଜକୁ ଅସହାୟ ମନେକଲା । ନୃତ୍ୟ କରୁଥିବା ଯୁବତୀମାନଙ୍କ ମଧ୍ୟରେ ସେ ସର୍ବାପେଷା ଅଧିକ ଆକର୍ଷଣୀୟା ଏବଂ ତା’ର ଆକାଙ୍‍କ୍ଷା ଅତି ଉଚ୍ଚ । ନୂତନ ଗୁରୁଦେବଙ୍କର ପ୍ରେୟସୀ ହିସାବରେ ସେ ଯେ ଦିନେ ମନ୍ଦିରରେ ସର୍ବଶ୍ରେଷ୍ଠ ଆସନ ଲାଭ କରିବ, ଏହା ତା’ର ଆକାଙ୍‍କ୍ଷା । ପ୍ରତି ତିନିମାସରେ ଥରେ ଅନୁଷ୍ଠିତ ହେଉଥିବା ଉତ୍ସବରେ ମହାଶକ୍ତି ତା’ ଶରୀରରେ ଆଶ୍ରୟ ନେବା ଏବଂ ତାକୁ ଜୀବନ୍ତ ତ୍ରିପୁରସୁନ୍ଦରୀ ଭାବି ପୂଜା କରାଯାଉଥିବା ସେ ବାରମ୍ୱାର ସ୍ୱପ୍ନ ଦେଖିଛି । କିନ୍ତୁ ଗଲା ବର୍ଷେ ହେଲା ଅନ୍ତତଃ, ଠାକୁରାଣୀ ତା’ ମଧ୍ୟରେ ନିଜକୁ ପ୍ରକାଶ କରିନାହାନ୍ତି । ଗତ ରାତିରେ ପ୍ରଥମ ଥରପାଇଁ ସେ ଠାକୁରାଣୀଙ୍କୁ ସ୍ୱପ୍ନ ଦେଖିଥିଲା । ନିର୍ଦ୍ଦିଷ୍ଟ ଜାଗାରେ ଗୋଟିଏ ଲୋକ ଥିବାର ସେ ସ୍ୱପ୍ନରେ ଜାଣିଥିଲେ ସୁଦ୍ଧା ତାହା ମିଥ୍ୟାରେ ପରିଣତ ହୋଇଛି ।

 

କୁଣ୍ତଳାର ଦ୍ୱିତୀୟ ଆକାଙ୍‌କ୍ଷା ଥିଲା ଶିବରାଶିଙ୍କୁ ଆପଣାର କରିବା । ସର୍ବଜ୍ଞଙ୍କର ମୁଖ୍ୟ ଶିଷ୍ୟ ହିସାବରେ ଶିବରାଶି ଦିନେ ନିଶ୍ଚୟ ଗୁରୁଦେବଙ୍କର ସ୍ଥାନ ଅଧିକାର କରିବେ ଏବଂ ସେ ଯେବେ କୁଣ୍ତଳାକୁ ଭଲପାନ୍ତି ତାହାହେଲେ ତା’ର ସମ୍ମାନ ବଢ଼ିବ । ଶିବରାଶିଙ୍କୁ ଆକୃଷ୍ଟ କରିବା ବିଶେଷ କଷ୍ଟକର ନୁହେଁ; କିନ୍ତୁ ତାଙ୍କୁ ନିଜର କରିବା ଅସମ୍ଭବ । ଶିବରାଶିଙ୍କର ଯେ ଆତ୍ମସଂଯମ ନାହିଁ, ଏହା ସତ୍ୟ । ମାତ୍ର ଦୁର୍ଭାଗ୍ୟବଶତଃ ସେ ଚୌଲାର ପ୍ରେମରେ ପଡ଼ିଛନ୍ତି । ତେବେ ସୁଦ୍ଧା କୁଣ୍ତଳାର କ୍ଷୀଣ ଆଶା ରହିଛି । ଯେବେ ଠାକୁରାଣୀଙ୍କର ଉତ୍ସବ ଦିନ ମହାଶକ୍ତି ତାହା ଦେହରେ ପ୍ରକାଶ ପାଆନ୍ତି, ତାହାହେଲେ ଶିବରାଶି ନିଶ୍ଚୟ ତା’ର ପୂଜା କରିବେ ଓ ତାଙ୍କ ମନ ଚୌଲାକୁ ଛାଡ଼ି ତାହା ପ୍ରତି ଆକୃଷ୍ଟ ହେବ ।

 

ତ୍ରିପୁରସୁନ୍ଦରୀଙ୍କ ଉତ୍ସବ କିଛି ସାଧାରଣ କଥା ନୁହେଁ; ଠାକୁରାଣୀ ନିଜେ କୌଣସି କୌଣସି ଜୀବନ୍ତ ସ୍ତ୍ରୀଲୋକ ମାଧ୍ୟମରେ ପ୍ରକାଶ ପାଆନ୍ତି ଏବଂ ସେ ସ୍ତ୍ରୀଲୋକକୁ ଶାସ୍ତ୍ରୀୟ ରୀତିରେ ପୂଜା କରାଯାଏ । ଉତ୍ସବ ଦିନ ନିକଟ ହୋଇଆସୁଥିବାରୁ କୁଣ୍ତଳା ଅଧିକରୁ ଅଧିକ ମାତ୍ରାରେ ଅଧୈର୍ଯ୍ୟ ହୋଇଉଠିଲା । ଏ କଥା ଅବଶ୍ୟ ଠିକ୍‍ ଯେ ତା’ର ସ୍ୱପ୍ନ ମିଥ୍ୟାରେ ପରିଣତ ହୋଇଛି ଏବଂ ଜଣେ ରାଜପୁତ ମନ୍ଦିରରେ ପ୍ରବେଶ କରି ତାହା ଅପବିତ୍ର କରିଛି । କିନ୍ତୁ ଠାକୁରାଣୀ ମହାଶକ୍ତି ଦେହରେ ପ୍ରବେଶ କରିଥିଲେ ସେ ଯେପରି ବୋଧ କରୁଥାନ୍ତା, ତାହା ବୋଧ କରୁନାହିଁ । ତେବେ ଏଥର ମଧ୍ୟ ସେ ନିରାଶ ହେବ ? ସେ ଯଥେଷ୍ଟ ମଦ୍ୟ ପିଇଥିଲେ ସୁଦ୍ଧା ତାହା ଉପରେ ନିଶାର କୌଣସି ପ୍ରଭାବ ପଡ଼ିନାହିଁ । ଏହା ଦେଖି ସବୁ ସରିଗଲା ବୋଲି ତା’ର ଦୃଢ଼ ଆଶଙ୍କା ହେଲା ।

 

କୁଣ୍ତଳା ମନ୍ଦିର ଭିତରକୁ ଯାଇଛିକି ନାହିଁ, ଯେଉଁ ଦୁଆର ବାଟେ ସେ ସାମନ୍ତଙ୍କୁ ଭିତରକୁ ଆଣିଥିଲା, ସେଠାରେ କେହି ଧକ୍କା ମାରୁଥିବାର ଶୁଣିଲା । ସେ ବୁଲିପଡ଼ି ଦେଖିଲା ଶିବରାଶି ଓ ସିଦ୍ଧେଶ୍ୱର ଭିତରକୁ ଆସୁଛନ୍ତି । ଠାକୁରାଣୀ ମହାମାୟାଙ୍କ ଉପରେ ସେ ଆଉ କେତେ ନିର୍ଭର କରିବ ? ସେ ତ ନିଜେ ମହାମାୟା ! ନିରାଶ ଅନୁଭବ କରି ସେ ନିଜ ହାତରେ ତା’ର ମୁଣ୍ତକୁ ପିଟିଲା ଏବଂ ସାଧୁମାନେ ତାକୁ ହାତ ବଢ଼େଇ ଅଟକାଇବା ପୂର୍ବରୁ ଅଚେତ ହେଲା ଭଳି ତଳେ ପଡ଼ିଗଲା । କୁଣ୍ତଳା ମଧ୍ୟରେ ଠାକୁରାଣୀ ପ୍ରବେଶ କରୁଛନ୍ତି ବୋଲି ଭାବି ସାଧୁମାନେ ପାଟିକରି ତା’ ନିକଟକୁ ଗଲେ ।

 

ଶିବରାଶି ରାଗରେ ନିଜ ଗୋଡ଼ ତଳେ ବାଡ଼େଇଲେ । ତାଙ୍କ ଜୀବନରେ ଏଇ ପ୍ରଥମ ଥରପାଇଁ ଗୁରୁଦେବଙ୍କ କଥା ମାନିବା ଅସମ୍ଭବ ମନେହେଉଥାଏ । ସେଦିନ ଗୁରୁଦେବ ଯାହା କଲେ, ତାହା ତାଙ୍କ ମନରେ ଗଭୀର ରେଖାପାତ କରିଥାଏ । ପାଶୁପତ ସମ୍ପ୍ରଦାୟର ଲକୁଳେଶ ଉପସମ୍ପ୍ରଦାୟର ଗୁରୁ ଏବଂ ପାଣ୍ତିତ୍ୟ ଓ ପବିତ୍ରତା ପାଇଁ ସ୍ୱନାମଧନ୍ୟ ଗଙ୍ଗସର୍ବଜ୍ଞ ନିଜେ ସେ ଦିନ ବର୍ଜନୀୟ କର୍ମ କରି ପବିତ୍ରତା ନଷ୍ଟ କରିଛନ୍ତି । ସେଦିନ ସକାଳେ ଚୌଲା ମଧ୍ୟରେ ତ୍ରିପୁରସୁନ୍ଦରୀ ନିଜକୁ ପ୍ରକାଶ କରିଥିଲେ । ତେଣୁ ଏହି ଉତ୍ସବରେ ପୂଜିତ ହେବାପାଇଁ ଚୌଲା ସବୁ ଦୃଷ୍ଟିରୁ ଯୋଗ୍ୟା । ତଥାପି ସେ ପୂଜିତ ହେବ ନାହିଁ ବୋଲି ଗଙ୍ଗସର୍ବଜ୍ଞ ଆଦେଶ ଦେଇଛନ୍ତି । ଏହା ସତ୍ୟ ଯେ, ଚୌଲା କମ୍‍ ବୟସ୍କା ଏବଂ ତା’ର ଅଭିଜ୍ଞତା ନାହିଁ । ତ୍ରିପୁରସୁନ୍ଦରୀଙ୍କୁ ଯେଉଁପରି ଭାବରେ ପୂଜା ହୁଏ, ତାକୁ ସେ ସବୁବେଳେ ଭୟ କରି ଆସିଛି । ଚୌଲା ପିଲା ଏବଂ ଉତ୍ସବରେ ଯୋଗଦେବାକୁ ତା’ର ଯୋଗ୍ୟତା ନାହିଁ ବୋଲି କହି ତାକୁ ମନ୍ଦିରକୁ ଆଣିବାପାଇଁ ତା’ ମାଆ ଗଙ୍ଗା ବରାବର ପ୍ରତିରୋଧ କରିଆସିଛି । ବର୍ତ୍ତମାନ ପ୍ରଭୁ ସୋମନାଥଙ୍କ ସମ୍ମୁଖରେ ନୃତ୍ୟ କରିବାର ଅଧିକାର ସେ ପାଇଥିବାରୁ ତାକୁ ଆଉ ପିଲା ବୋଲି କହିହେବ ନାହିଁ ।

 

ତାହାଛଡ଼ା ଆଜି ମହାଶକ୍ତି ଦେବୀ ନିଜେ ତା’ ମାଧ୍ୟମରେ ନିଜକୁ ପ୍ରକାଶ କରିଛନ୍ତି; ଯେଉଁ ସୁଯୋଗ ପାଇଁ ମନ୍ଦିରର ପ୍ରତ୍ୟେକ ନର୍ତ୍ତକୀ ନିଜର ଜୀବନ ସୁଦ୍ଧା ଦେବାକୁ ପ୍ରସ୍ତୁତ । ଆଜି ସକାଳୁ ଚୌଲା ନିଜ ଉପରେ ତାହାର ସଂଯମ ହରାଇଛି ଏବଂ ପ୍ରଭୁ ଶଙ୍କରଙ୍କର ଅର୍ଦ୍ଧାଙ୍ଗିନୀ ପରି ବ୍ୟବହାର କରୁଛି । ତାହାର ଉପଯୁକ୍ତତା ସମ୍ପର୍କରେ ଆଉ କୌଣସି ସନ୍ଦେହ ନାହିଁ ଏବଂଠାକୁରାଣୀ ତ୍ରିପୁରସୁନ୍ଦରୀଙ୍କ ପରି ତାହାର ଯେପରି ପୂଜା ହୁଏ ସେଥିପାଇଁ ଶିବରାଶି ତତ୍ପର ।

 

ଚୌଲାର ବର୍ତ୍ତମାନ ବ୍ୟବହାର ଶିବରାଶି ବୁଝିପାରୁନାହାନ୍ତି । ପ୍ରଭୁ ସୋମନାଥଙ୍କ ନିକଟରେ ନୃତ୍ୟ କରିବା ପରଠାରୁ ତାହାର ପୂରାପୂରି ପରିବର୍ତ୍ତନ ହୋଇଯାଇଛି । ଶିବରାଶିଙ୍କର ତାହା ସହିତ ଯେତେବେଳେ ଦେଖାହେଉଛି-ସତେ ଯେପରି ସେ ଏ ଦୁନିଆରେ ନାହିଁ, ଚୌଲାକୁ ସେହିପରି ଚିନ୍ତାମଗ୍ନ ଥିବା ଶିବରାଶି ଦେଖୁଛନ୍ତି-ସତେ ଯେପରି ସେ କୌଣସି ଦୁଷ୍ପ୍ରାପ୍ୟ ବସ୍ତୁର ଅନୁସନ୍ଧାନରେ ଅଛି, ସେହିପରି ତା’ ଆଖିରୁ ଜଣାପଡ଼ୁଛି । ସଂସାର ପ୍ରତି ପୂରା ବୈରାଗ୍ୟ ଆସିଥିବା ଭଳି ତା’ର କଥା ଏବଂ କାର୍ଯ୍ୟ ସଂକେତ ଦେଉଛି ।

 

ଶିବରାଶିଙ୍କ ପକ୍ଷରେ ଚୌଲା ସହିତ ଏବେ ସାଧାରଣ ସମ୍ପର୍କ ରକ୍ଷାକରିବା ମଧ୍ୟ କଷ୍ଟକର ହୋଇପଡ଼ିଛି । ଚୌଲାକୁ ପାଇବା ଯେତେ କଷ୍ଟକର ବୋଧ ହେଉଥାଏ, ଶିବରାଶିଙ୍କର ତାହା ପ୍ରତି ଆକର୍ଷଣ ସେହି ପରିମାଣରେ ବଢ଼ୁଥାଏ । ଗଙ୍ଗା ମଧ୍ୟ ତା’ର ନିଜ ଝିଅକୁ ବୁଝିପାରୁନାହିଁ-। ଚୌଲା ଶିବରାଶିଙ୍କର ପ୍ରେୟସୀ ହେଉ, ଏହା ଗଙ୍ଗାର ଇଚ୍ଛା ଥିଲା । କିନ୍ତୁ ଝିଅ ଯାହା ନ ଚାହୁଁଛି, ତାହା କରିବାପାଇଁ ତାକୁ ବାଧ୍ୟ କରିବା ଅସମ୍ଭବ ବୋଲି ମଧ୍ୟ ସେ ବୁଝୁଛି । ଚୌଲାର ଦୃଷ୍ଟିରେ କୌଣସି କାମଭାବ ନାହିଁ । ପ୍ରଭୁ ସୋମନାଥଙ୍କ ଆରାଧନାରେ ସେ ନିଜକୁ ଭୁଲିଯାଇଛି ।

 

ଚୌଲାକୁ ପ୍ରଭୁଙ୍କର ଅର୍ଦ୍ଧାଙ୍ଗିନୀରୂପେ ଯେତେବେଳେ ପୂଜା କରାଯିବ ସେତେବେଳେ ଚୌଲା ଓ ତା’ର ଦୁନିଆ ମଧ୍ୟରେ ଉଠିଥିବା ପାଚେରି ଭୁଷୁଡ଼ି ପଡ଼ିବ-ଏହି କଳ୍ପିତ ଆଶା ଘେନି ଶିବରାଶି ଗତ ଦୁଇଦିନ କାଟିଥାନ୍ତି । କିନ୍ତୁ ଚୌଲାକୁ ପୂଜା କରାଯିବ ନାହିଁ ବୋଲି ଯେତେବେଳେ ପରମ୍ପରାର ବ୍ୟତିକ୍ରମ କରି ଗୁରୁଦେବ ଦୃଢ଼ ନିଷ୍ପତ୍ତି କଲେ, ଶିବରାଶିଙ୍କର ଏହି ଆଶା ଧୂଳିସାତ୍‍ ହେଲା ।

 

ଶିବରାଶି ଥିଲେ ଜଣେ ବିଜ୍ଞ ତଥା ଧାର୍ମିକ ବ୍ୟକ୍ତି । ଗୁରୁଦେବଙ୍କ ପ୍ରତି ତାଙ୍କର ପ୍ରଗାଢ଼ ଭକ୍ତି ଥିଲା; କିନ୍ତୁ ଗୁରୁଦେବଙ୍କର ଧାର୍ମିକ ପରମ୍ପରାରୁ ବିଚ୍ୟୁତି ସେ ଭୁଲିପାରିଲେ ନାହିଁ । ତାଙ୍କ ମଧ୍ୟରେ ଧର୍ମାନ୍ଧତା ଦେଖାଦେଲା ଏବଂ ଏହି ନୈରାଶ୍ୟ ଠିକ୍‍ ନିଆଁରେ ଘିଅ ପକାଇଲା ପରି କାର୍ଯ୍ୟ କଲା ।

 

ସେ ମନ୍ଦିରକୁ ଆସିଲାବେଳକୁ ତାଙ୍କ ମନରେ ଏହି ଭାବ କାର୍ଯ୍ୟ କରୁଥିଲା । ଦେବୀଙ୍କୁ ପୂଜା କରିବାର ଯେଉଁ ପରମ୍ପରା ଚଳିଆସୁଛି, ତାକୁ ଭାଙ୍ଗିବାପାଇଁ ଗୁରୁଙ୍କର କି ଅଧିକାର ଅଛି ? ସେ ହେଉଛନ୍ତି ଧର୍ମର ରକ୍ଷାକର୍ତ୍ତା । ତାଙ୍କର ଧର୍ମ ନଷ୍ଟ କରିବାର କି ଅଧିକାର ଅଛି ? ଶିବରାଶିଙ୍କ ପକ୍ଷରେ ଗୁରୁଙ୍କର ଏପରି ଅନ୍ୟାୟ କାର୍ଯ୍ୟର ପ୍ରତିବାଦ ନ କରି ଚୁପ୍‍ ରହିବା କ’ଣ ଠିକ୍‍ ହେବ ? ତେବେ ଆବହମାନ କାଳରୁ ଚଳିଆସୁଥିବା ମହାନ୍‍ ଶାସ୍ତ୍ରମାନ କ’ଣ ଭୁଲ ଓ ଗୁରୁଦେବ ଯାହା କହୁଛନ୍ତି ତାହା ଠିକ୍‍? ମନ୍ଦିରର ଶ୍ରେଷ୍ଠ ସେବକଭାବେ ତାଙ୍କର କ’ଣ କୌଣସି କର୍ତ୍ତବ୍ୟ ନାହିଁ ?

 

ଶିବରାଶିଙ୍କୁ ଦେଖି ସାଧୁମାନେ ଅଚେତ ପରି ଅବସ୍ଥାରେ ଥିବା କୁଣ୍ତଳାକୁ ଆଣିଲେ । ଜଣେ ସାଧୁ କହିଲା, “ଆଚାର୍ଯ୍ୟ ! ଠାକୁରାଣୀ ମହମାୟା କୁଣ୍ତଳା ଶରୀରରେ ପ୍ରବେଶ କରିଛନ୍ତି ।”

 

କ୍ରୋଧାନ୍ୱିତ ବ୍ୟାଘ୍ରପରି ଗର୍ଜ୍ଜନ କରି ଶିବରାଶି କହିଲେ, “ତାକୁ ତଳେ ରଖ । ସେ ବାହାନା କରୁଛି । ମହାମାୟା ଚୌଲା ଶରୀରରେ ପ୍ରବେଶ କରିଛନ୍ତି ।”

 

ସାଧୁମାନେ ଆଶ୍ଚର୍ଯ୍ୟ ହୋଇ କୁଣ୍ତଳାକୁ ତଳେ ପକାଇଦେଲେ । ଶିବରାଶି ମଧ୍ୟ ନିଜର ରାଗ କାହା ଉପରେ ସାରିବାକୁ ଚାହୁଁଥିଲେ । ନିଜ ଗୋଡ଼ରେ କୁଣ୍ତଳାକୁ ହଲାଇ ଦେଇ ସେ ହୁକୁମ୍‍ ଦେଲେ, “ଉଠ୍‍; ଯେବେ ତୁ ନ ଉଠୁ ତାହାହେଲେ ମୁଁ ତୋର ବିଷ ଝାଡ଼ିଦେବି ।”

 

ଶିବରାଶିଙ୍କର ରାଗରେ ଡରିଯାଇ କୁଣ୍ତଳା ତଳୁ ଉଠି କହିଲା, “ଜଗନ୍‍ମାତାଙ୍କର ଜୟ ହେଉ !”

 

ଶିବରାଶି କହିଲେ, “ସେ କେବଳ ବାହାନା କରୁଛି ବୋଲି ମୁଁ କହୁ ନ ଥିଲି ? ମୁଁ ଜାଣେ ଜଗଦ୍ଧାତ୍ରୀ ଚୌଲା ଶରୀରରେ ପ୍ରବେଶ କରିଛନ୍ତି ।” ସାଧୁମାନେ କୁଣ୍ତଳାକୁ ଛାଡ଼ି ଶିବରାଶିଙ୍କ ନିକଟକୁ ଗଲେ । ତା’ର ଶେଷ ଉଦ୍ୟମ ବିଫଳ ହୋଇଛି ବୋଲି କୁଣ୍ତଳା ବୁଝିଲା । ସେ ବସିପଡ଼ି ଆଶ୍ଚର୍ଯ୍ୟ ହୋଇ ଏଣେତେଣେ ନିରାଶ ଭାବରେ ଅନାଇଲା । ତାହାର ସେ ଅସହାୟ ଅବସ୍ଥା ଦେଖି ଖୁଣ୍ଟରେ ବନ୍ଧାହୋଇଥିବା ସାମନ୍ତ ବି ନ ହସି ରହିପାରିଲେ ନାହିଁ ।

Image

 

ଚୌଲାର ପ୍ରଭୁ ଅନ୍ୱେଷଣ

 

ଠିକ୍ ଏହି ସମୟରେ ପ୍ରାୟ ନଗ୍ନ ବାର ଜଣରୁ ଅଧିକ ସାଧୁ ଆସି ପହଞ୍ଚିଲେ । ସେମାନଙ୍କ ଆଖି ଓ ମୁହଁରେ ଜ୍ୱଳନ୍ତ କ୍ରୋଧର ଚିହ୍ନ । ଜଣେ ବୁଢ଼ା ସାଧୁ କହିଲା, “ରାଶିଜୀ, ଏ କ’ଣ ହେଉଛି ? ଆବହମାନ କାଳରୁ ମହାମାୟାଙ୍କ ନିକଟରେ ଯେଉଁ ପୂଜା ଓ ଆରାଧନା ହୋଇଆସିଛି, ତାକୁ ବନ୍ଦ କରିବା ବିଷୟ ଆପଣ କିପରି ଭାବୁଛନ୍ତି ? ଏ ସଂସାର ଧ୍ୱଂସ ହେବା କ’ଣ ଆପଣ ଚାହାନ୍ତି ?”

 

ସାଧୁମାନେ ଏପରି ଚିତ୍କାର କରୁଥିବା ସମୟରେ ଦୁଆରର ଅନ୍ୟ ପାଖରେ କେତେକ ଲୋକ ଯାଉଥିବାର ସାମନ୍ତ ଦେଖିଲେ । ତାଙ୍କ ଆଗରେ ଏକ ନାଟକ ହେଉଛି ବା ସେ ସ୍ୱପ୍ନ ଦେଖୁଛନ୍ତି ବୋଲି ଭାବିଲେ ।

 

ଏହା ମଧ୍ୟରେ ଶିବରାଶିଙ୍କର କ୍ରୋଧ ବଢ଼ୁଥାଏ । ସେ କହିଲେ, “ଏହାହିଁ ମୁଁ କହିଆସୁଛି-। କୁଣ୍ତଳା ଗୋଟିଏ ଧୋକାବାଜ୍‍ । ମହାମାୟା ତା’ ଦେହରେ ପ୍ରବେଶ ନ କରି ପ୍ରବେଶ କରିଛନ୍ତି ଚୌଲା ଦେହରେ । କିନ୍ତୁ ଗୁରୁଦେବ ଚୌଲାର ପୂଜା କରିବାକୁ ବାରଣ କରିଛନ୍ତି ।”

 

କିଛିକ୍ଷଣ ନୀରବରେ କଟିଲା । ଶିବରାଶିଙ୍କ କଥାର ପୂରା ମର୍ମ ବୁଝିବାକୁ ସମସ୍ତେ ଚେଷ୍ଟା କରୁଥାନ୍ତି । ସାଧୁମାନଙ୍କ ମଧ୍ୟରେ ଥିବା ସବୁଠାରୁ ବୟସ୍କ ସାଧୁ ଆଖିରେ କ୍ରୋଧର ଚିହ୍ନ ପ୍ରକାଶ କରି କହିଲା, “ଆଜି ପରା ଦିନରେ ଠାକୁରାଣୀ ତ୍ରିପୁରସୁନ୍ଦରୀଙ୍କୁ ଅପୂଜା ରଖିବାକୁ କିଏ ସାହସ କରୁଛି ? ଯେ ଏପରି କରିପାରେ ସେ ଗୁରୁ ହେବାକୁ ଯୋଗ୍ୟ ନୁହେଁ ।”

 

ସିଦ୍ଧେଶ୍ୱର ଅର୍ଥ ବୁଝିବା ପରି ଭାବପ୍ରକାଶ କରି କହିଲା, “ଆପଣ କହୁଥିବା କଥା ଠିକ୍‍-।” ସେ ଶିବରାଶିଙ୍କୁ ଅନାଇ ତାଙ୍କ ମନରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ଭଲ ରକମ ବୁଝିପାରିଲା । ସେ ପୁଣି କହିଲା; “ଶିବରାଶି କ’ଣ ବା କରିବେ ? ଏକ ଦିଗରେ ଗୁରୁଙ୍କ ପ୍ରତି ଭକ୍ତି ଓ ଅନ୍ୟ ଦିଗରେ ପବିତ୍ର ପରମ୍ପରା ଓ ଚୌଲା ପ୍ରତି ପ୍ରେମ, ଏହି ଉଭୟ ସମସ୍ୟା ଭିତରେ ତାଙ୍କୁ ନିଷ୍ପତ୍ତି କରିବାକୁ ପଡ଼ିବ ।”

 

ବୃଦ୍ଧ ହାତଯୋଡ଼ି ପୁଣି କହିଲା, “ରାଶିଜୀ, ଆପଣ ଯେବେ ନୀତି ରକ୍ଷା ନ କରିବେ, ଆଉ କିଏ ରକ୍ଷା କରିବ ? ଆବହମାନ କାଳରୁ ଚଳିଆସୁଥିବା ନୀତିରେ କୌଣସିପ୍ରକାର ବିଘ୍ନ ଦେଖାଦେବା ମୋ ପକ୍ଷରେ ଅସହ୍ୟ ।”

 

ସିଦ୍ଧେଶ୍ୱର ଆସ୍ତେ ଆସ୍ତେ କହିଲା, “ମହାମାୟା ତ୍ରିପୁରସୁନ୍ଦରୀଙ୍କୁ ପୂଜା କରିବାକୁହିଁ ହେବ ।” ସର୍ବଜ୍ଞଙ୍କୁ ବିଦାକରି ତାଙ୍କ ସ୍ଥାନରେ ଶିବରାଶିଙ୍କୁ ଅଭିଷିକ୍ତ କରିବା ନିମନ୍ତେ ଏହା ପ୍ରକୃଷ୍ଟ ସମୟ ବୋଲି ସେ ଜାଣିଥିଲା । ତେଣୁ ସାଧୁମାନଙ୍କ ସମର୍ଥନ ପାଇବା ନିତାନ୍ତ ଦରକାର ବୋଲି ସେ ବୁଝିଥିଲା ।

 

ଶେଷରେ ଶିବରାଶି ନିଜର ମନ ସ୍ଥିର କରି କହିଲେ, “ଦେବୀ ମହାଶକ୍ତିଙ୍କୁ ଅପୂଜା ରଖା ଯାଇ ନ ପାରେ । ସିଦ୍ଧେଶ୍ୱର, ମୋ ସହିତ ଆସ । ଆମେ ଚୌଲାକୁ ଆଣିବା ।” ଏହା ଶୁଣି ‘ତ୍ରିପୁରସୁନ୍ଦରୀଙ୍କର ଜୟ’ ବୋଲି ସାଧୁମାନେ ଆନନ୍ଦ ଧ୍ୱନି ଦେଲେ । ସାମନ୍ତଙ୍କର ଦେହ ଓ ମନ ଉପରେ ଏ ନିଷ୍ପତ୍ତିର ପ୍ରତିକ୍ରିୟା ଦେଖାଦେଲା । ପୁଣି ଥରେ ଚୌଲାକୁ ଦେଖିବେ ବୋଲି ଭାବି ତାଙ୍କର ଶରୀର ଉତ୍ତେଜନାରେ ଥରିଲା । ସେ ନିଜର ବନ୍ଧନକୁ ପରୀକ୍ଷା କରି ଦେଖିଲେ ତାହା ବଳପ୍ରୟୋଗରେ ଖୋଲିବା ଅସମ୍ଭବ । ତେଣୁ ଏକ ଦୀର୍ଘନିଶ୍ୱାସ ପକାଇ ଯେଉଁ ଦ୍ୱାରବାଟେ ଚୌଲା ଆସିବାର କଥା, ସେହି ଦିଗକୁ ସାମନ୍ତ ଏକଦୃଷ୍ଟିରେ ଚାହିଁ ରହିଲେ । ନିଜର ପରିବାର ଧ୍ୱଂସ ହେବା ସେ ଆଖିରେ ଦେଖିଛନ୍ତି । ଯେବେ କୌଣସି ଆକର୍ଷଣ ତାଙ୍କୁ ବଞ୍ଚାଇ ରଖିଥାଏ, ତାହା ହେଉଛି ତାଙ୍କର ସ୍ୱପ୍ନର ଦେବୀ ଚୌଲା ଏବଂ ତାକୁ ମଧ୍ୟ କଳୁଷିତରୂପେ ଦେଖିବା ତାଙ୍କ ଭଗ୍ୟରେ ଅଛି ! ଏହି କଥା ଭାବି ସାମନ୍ତଙ୍କର ମୁଣ୍ତ ବୁଲେଇଗଲା ।

 

+

+

+

 

ଚୌଲା ଅର୍ଦ୍ଧ-ମୂର୍ଚ୍ଛିତ ଅବସ୍ଥାରେ ଥାଏ । ତା’ର ଚକ୍ଷୁ ନିମିଳିତ, ମୁଖରେ ଉଦବେଗର ଭାବ । ଦରଫୁଟା ଗୋଲାପୀ ରଙ୍ଗର ଓଠରେ ସେ ଧୀରେ ଧୀରେ “ମୋର ପ୍ରଭୁ ଶମ୍ଭୁ, ମୋର ନାଥ” ବୋଲି କହୁଥିବା ଶୁଣାଯାଉଥାଏ । ଆଜି କ୍ଷଣ କ୍ଷଣକେ ସେ ମୂର୍ଚ୍ଛିତ ହୋଇଯାଉଛି । ସେତେବେଳେ ତା’ର କଳ୍ପନା ଚକ୍ଷୁରେ ସେ ଦେଖୁଛି, ସେ ନିଜେ ପ୍ରଭୁଙ୍କର ଅର୍ଦ୍ଧାଙ୍ଗିନୀ ପାର୍ବତୀ ଓ ତା’ର ଆବାସସ୍ଥଳ କୈଳାସ ପର୍ବତ ।

 

ତା‘ର ମା’ ଗଙ୍ଗା ଉଦ୍‌ବିଗ୍ନ ମନରେ ପାଖରେ ବସିଥାଏ । ଚୌଲା ପାଗଳୀ ହୋଇ ଗଲାଣି ବୋଲି ସେ ପ୍ରଥମେ ଭାବୁଥିଲା । କିନ୍ତୁ ତାହାଠାରେ ପାଗଳାମୀର କୌଣସି ଲକ୍ଷଣ ନାହିଁ ବୋଲି ସର୍ବଜ୍ଞ ତାକୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ସେ (ଚୌଲା) ନିଜକୁ ଭଗବାନଙ୍କ ନିକଟରେ ପୂର୍ଣ୍ଣମାତ୍ରାରେ ସମର୍ପଣ କରିଛି ।

 

ଶିବରାଶି ଏବଂ ସିଦ୍ଧେଶ୍ୱର ହଠାତ୍‍ ଆସି ପହଞ୍ଚିବା ଦେଖି ଗଙ୍ଗା ଆଶ୍ଚର୍ଯ୍ୟ ହୋଇଗଲା-। ଦୁହେଁ ଅତ୍ୟନ୍ତ ବ୍ୟଗ୍ର ଓ ଉତ୍ତେଜିତ ଥିବା ଜଣାପଡ଼ୁଥାଏ ।

 

ଗଙ୍ଗା ଭୟଭୀତା ହୋଇ ପଚାରିଲା, “କ’ଣ ହୋଇଛି ?” ଶିବରାଶି କୌଣସି ଉତ୍ତର ଦେବାପୂର୍ବରୁ ଦୂରରୁ ଶଙ୍ଖଧ୍ୱନି ଶୁଭିଲା । ଏହି ଶବ୍ଦ ଶୁଣିଲାମାତ୍ରେ ଚୌଲା ବସିପଡ଼ି ଚାରିପାଖକୁ ଅନାଇ କହିଲା, “ମାଆ, ମୋର ପ୍ରଭୁ ମୋତେ ଡାକୁଛନ୍ତି । ତାଙ୍କ ନିକଟକୁ ମୋତେ ନେଇ ଯା । ପ୍ରଭୁ, ବର୍ତ୍ତମାନ ମୁଁ ଯାଉଛି ନାଥ ।”

 

ଶିବରାଶି ହସିଲେ । ଚୌଲାର ଶରୀରରେ ଯେ ଦେବୀ ମହାମାୟା ପ୍ରକୃତରେ ପ୍ରବେଶ କରିଛନ୍ତି, ଏଥିରେ ସେ ନିଶ୍ଚିତ ହେଲେ । ଯେଉଁ ସୁଯୋଗପାଇଁ ସେ ଅପେକ୍ଷା କରି ରହିଥିଲେ ତାହା ବର୍ତ୍ତମାନ ପହଞ୍ଚିଛି ।

 

ସେ କହିଲେ, “ଚୌଲା ! ହଁ, ତୋତେ ପ୍ରଭୁ ସୋମନାଥ ଡାକୁଛନ୍ତି । ମୁଁ ତୋତେ ନେବାପାଇଁ ଆସିଛି ।”

 

ଚୌଲା ତରତର ହୋଇ ଉଠିପଡ଼ି ଅଭିସାରିକା ଭଙ୍ଗିରେ ତାଙ୍କ ନିକଟକୁ ଆସି କହିଲା, “ରାଶିଜୀ, ଆପଣ କ’ଣ ସତ କହୁଛନ୍ତି ? ମୋତେ ତାଙ୍କ ନିକଟକୁ ନିଅନ୍ତୁ । ମୋର ସ୍ୱାମୀ ଦେବତା ପ୍ରଭୁ ଶମ୍ଭୁଙ୍କୁ ମୋତେ ଦେଖାନ୍ତୁ ।” ତା’ର ଅର୍ଦ୍ଧସ୍ଫୁଟ ଅଧରରୁ ମିଳନ ଲାଳସା ପ୍ରକାଶ ପାଉଥିଲା । ଶିବରାଶି ଚୌଲାର କାନ୍ଧ ଉପରେ ହାତ ପକାଇ ତାକୁ ଦ୍ୱାରଆଡ଼କୁ ନେଲେ ।

 

ଗଙ୍ଗା ପଚାରିଲା, “ରାଶିଜୀ, କ’ଣ କରୁଛନ୍ତି ? ଚୌଲାକୁ କୁଆଡ଼େ ନେଉଛନ୍ତି ?”

 

ଶିବରାଶି ଆଦେଶ ଦେଲେ “ସିଦ୍ଧେଶ୍ୱର, ଗଙ୍ଗାକୁ ଏଠାରେ ରଖ । ତାକୁ ମନ୍ଦିରକୁ ନେବାର କୌଣସି ଆବଶ୍ୟକତା ନାହିଁ ।” ସିଦ୍ଧେଶ୍ୱର ଗଙ୍ଗାକୁ ଘର ଭିତରେ ରଖି ବାହାରୁ ଶିକୁଳି ବନ୍ଦ କଲା ।

 

ମନ୍ଦିରର ଗୁପ୍ତଦ୍ୱାର ଦେଇ ଚୌଲା ଆସିବା ଦେଖି ସାମନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । ସାମନ୍ତ ଭାବିଥିଲେ ଶିବରାଶି ବଳପ୍ରୟୋଗ କରି ଚୌଲାକୁ ଆଣିବେ ଏବଂ ସେ ଆସିବାକୁ ରାଜି ହେଉନଥିବ । ତାହା ପରିବର୍ତ୍ତେ ଗୋଟିଏ ନବ ଯୁବତୀ ଏକ ପ୍ରେମିକାର ଆନନ୍ଦ ଉଲ୍ଲାସ ଅନୁଭବ କରି ଉତ୍କଣ୍ଠିତ ଆବେଗରେ ଆସୁଥିବା ସେ ଦେଖିବାକୁ ପାଇଲେ । ତା’ର ଆଖି ଦୁଇଟିରେ ଉତ୍କଣ୍ଠା ପୂରିରହିଥିଲା ଓ ବନ୍ଦ ହୋଇ ରହିଥିବା ଓଠରେ ବ୍ୟାକୁଳତା ପ୍ରକାଶ ପାଉଥିଲା । ତା’ର ପାଦରେ ହରିଣୀର ଚଞ୍ଚଳତା । ସରୋବରରେ ବାୟୁ-ସଞ୍ଚାଳିତ ପଦ୍ମ ଫୁଲ ପରି ସେ ଝୁଲି ଝୁଲି ଆସୁଥାଏ ଓ ତା’ର ମୁଁହରେ ପ୍ରେମର ଲହରୀ ଖେଳୁଥିଲା ପରି ବୋଧ ହେଉଥାଏ । ସାମନ୍ତ ଗତଥର ଦେଖିଥିବା ଅପେକ୍ଷା ଚୌଲା ହଜାର ଗୁଣ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଛି । ଏହି ଦିବ୍ୟ ସୌନ୍ଦର୍ଯ୍ୟ ଦର୍ଶନରେ ସାମନ୍ତ କ୍ଷଣକ ପାଇଁ ନିଜକୁ ଭୁଲିଗଲେ । ସେ କେଉଁଠାରେ ଓ କିପରି ଅବସ୍ଥାରେ ଅଛନ୍ତି ତାହା ବୁଝିପାରିଲେ ନାହିଁ ।

 

ଚାରିଆଡ଼କୁ ଅନାଇ ଚୌଲା ପଚାରିଲା, “ମୋର ପ୍ରଭୁ ଶମ୍ଭୁ ଏ ମନ୍ଦିରରେ ଅଛନ୍ତି ?” ତାହାର ଆଖି ଉଜ୍ଜ୍ୱଳ ଦେଖାଯାଉଥିଲେ ସୁଦ୍ଧା ସେ ତା’ ନିକଟରେ ଥିବା ଜିନିଷମାନ ଯେପରି ଚିହ୍ନି ପାରୁନଥିଲା ।

 

ଶିବରାଶି ଉତ୍ତର ଦେଲେ, “ହଁ, ତୋ’ପାଇଁ ସେ ଅପେକ୍ଷା କରିଛନ୍ତି ।”

 

ସାକ୍ଷାତ୍‍ ତ୍ରିପୁରସୁନ୍ଦରୀ ଆସୁଥିବା ଦେଖି ମନ୍ଦିର କାନ୍ଥକୁ ଆଉଜି ମଶାଲ ଧରି ଠିଆହୋଇଥିବା ସାଧୁମାନଙ୍କର ଆଖି ବୁଜି ହୋଇଗଲା ଏବଂ ସେମାନେ ସ୍ତୁତିମାନ ଉଚ୍ଚାରଣ କଲେ । ଭିତର ମନ୍ଦିରର ଦ୍ୱାରଦେଶରେ ଚୌଲା ପ୍ରବେଶ କଲା-ଯେପରି ଗୋଟିଏ ଉଜ୍ଜ୍ୱଳ ଆଲୋକଶିଖା ଜଳିବା ପରେ ପରେ ଉଭେଇଗଲା । ଶିବରାଶି ଏବଂ ସାଧୁମାନେ ତା’ ପଛେ ପଛେ ଗଲେ । ମୁହୂର୍ତ୍ତକ ପାଇଁ ପ୍ରଭୁ ଶିବଙ୍କ ପ୍ରତି ଭକ୍ତି ସେମାନଙ୍କ ମନରେ ମଳିନତାକୁ ଧୋଇଦେଇଥିଲା-

 

ଚୌଲା ଅଧୀର ହୋଇ ମନ୍ଦିର ଗମ୍ଭୀରା ଭିତରେ ପ୍ରବେଶ କଲା । ତାକୁ ପୂଜା କରିବାପାଇଁ ଅନ୍ଧାରରେ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥିବା ସ୍ତ୍ରୀ ପୁରୁଷମାନଙ୍କୁ ସେ ଦେଖିପାରିଲା ନାହିଁ । ତା’ର ବେଶ ମହାମାୟାଙ୍କ ପୂଜାବିଧିର ଅନୁକୂଳ ନ ଥିଲା ବା ତା’ ଦେହରେ ଉଚିତ ଲେପନ ଦିଆଯାଇନଥିଲା । ଆବଶ୍ୟକୀୟ ମନ୍ତ୍ରରେ ପବିତ୍ର କରାଯାଇଥିବା ପ୍ରପାନ ମଧ୍ୟ ସେ ପିଇ ନ ଥିଲା । ଚୌଲାକୁ ଯେ ପୂଜା ଗ୍ରହଣ କରିବାପାଇଁ ପ୍ରସ୍ତୁତ ହେବାକୁ ହେବ, ଏ ବିଷୟ ତାକୁ କେହି ଆଗରୁ କହିନଥିଲେ । ଶକ୍ତିମୟୀ ତ୍ରିପୁରସୁନ୍ଦରୀ ନିଜ ପ୍ରେମଯୋଗୁ ପ୍ରଭୁ ଶଙ୍କରଙ୍କୁ ଦେଖାକରିବାକୁ ଦ୍ରୁତ ବେଗରେ ଯାଉଥିବାହିଁ ଅନ୍ୟମାନେ ମନେକଲେ । ମନ୍ଦିରର ବୃଦ୍ଧ ପୂଜାରୀ ବହୁବର୍ଷ ଧରି ଦେଖିଆସିଛି ତିନିମାସରେ ଥରେ ତ୍ରିପୁରସୁନ୍ଦରୀ ଜଣେ ସ୍ତ୍ରୀଲୋକ ଶରୀରରେ ପ୍ରବେଶ କରନ୍ତି । କିନ୍ତୁ ତାହାର ଏଭଳି ଅଭିଜ୍ଞତା କେବେହେଲେ ହୋଇନଥିଲା । ଆଜିକାର ଘଟଣା ତାକୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି । “ମହାମାୟାଙ୍କର ଜୟ ହେଉ” କେବଳ ଏତିକି ଉଚ୍ଚାରଣ କରିବା ଛଡ଼ା ସେ ଅନ୍ୟ କୌଣସି ପ୍ରକାର ବନ୍ଦନା କରିପାରିଲା ନାହିଁ ।

 

ଏହି ଅବସ୍ଥାର ପୂରା ସୁଯୋଗ ନେବାପାଇଁ ଶିବରାଶି ପ୍ରସ୍ତୁତ ଥିଲେ । ପ୍ରଭୁ ଶଙ୍କରଙ୍କୁ ଯେପରି ଆରାଧନା କରିବାର କଥା, ସେ ଗୁରୁ ଗଙ୍ଗସର୍ବଜ୍ଞଙ୍କୁ ସେହିପରି ଆରାଧନା କରିଆସିଛନ୍ତି-। ତା’ହେଲେ ଚୌଲା କାହିଁକି ଶିବରାଶିଙ୍କୁ ସେହିପରି ଆରାଧନା ନ କରିବ ? ଶିବରାଶି ଯାଇ ଗମ୍ଭୀରା ଦ୍ୱାରଦେଶରେ ଠିଆହେଲେ ଓ ସଜ୍ଞାନ ବା ଅଜ୍ଞାନରେ ଗୋଟିଏ ତ୍ରିଶୂଳ ଧରି ବୁଲାଇବାକୁ ଲାଗିଲେ । ଚୌଲା ଦ୍ରୁତ ଗତିରେ ଆସି ଆଗରେ ଠିଆ ହୋଇଥିବା ଶିବରାଶିଙ୍କୁ ଅଧୀର ହୋଇ ପଚାରିଲା, “ଶିବରାଶି, ମୋର ପ୍ରଭୁ ନାହାନ୍ତି ?”

 

ଶିବରାଶି ହାତ ମେଲାଇ ଦେଇ ସେ ନିଜେ ପ୍ରଭୁ ଶମ୍ଭୁଙ୍କ ପ୍ରତିନିଧିରୂପେ କହିଲେ, “ଏଇ ତ !” କିନ୍ତୁ ତାଙ୍କ କଥା ଚୌଲା ବୁଝିପାରିଲା ନାହିଁ । ସେ ଶିବରାଶିଙ୍କୁ ଅତିକ୍ରମ କରି ମନ୍ଦିର ଭିତରକୁ ଗଲା । “ହେ ମୋର ପ୍ରଭୁ; ମୁଁ ଆସିଛି ସ୍ୱାମୀ !” କହି ମନ୍ଦିରରେ ଥିବା ଶଙ୍କରଙ୍କର ଲିଙ୍ଗକୁ କୁଣ୍ଢାଇ ପ୍ରେମ ପ୍ରକାଶ କରିବାରେ ଲାଗିଲା । ମନ୍ଦିରର ଦ୍ୱାରଦେଶରେ ଥିବା ନରନାରୀମାନେ ଏହି ଅଦ୍ଭୁତ ଆଧ୍ୟାତ୍ମିକ ପ୍ରେମ ଦେଖୁଥିଲେ ।

 

ସଙ୍ଗେ ସଙ୍ଗେ ଚୌଲା ଅଜ୍ଞାନ ହୋଇ ପଡ଼ିଗଲା । ସେ ଆବଶ୍ୟକୀୟ ବିଧି ନ କରି ପବିତ୍ର ଲିଙ୍ଗ ଛୁଇଁଛି ବୋଲି ଭକ୍ତମାନେ ଭାବିଲେ । ସେ ମହାମାୟାଙ୍କର ପୂଜା କରିନାହିଁ । ତ୍ରିପୁରସୁନ୍ଦରୀଙ୍କ ଆରାଧନାର ବିଧିବିଧାନ କରାଯାଇନାହିଁ । ମୁହୂର୍ତ୍ତକ ପାଇଁ ପବିତ୍ର ଆଧ୍ୟାତ୍ମିକତା ବଳରେ ଚୌଲା ସମସ୍ତଙ୍କର ବୀଭତ୍ସ ପ୍ରେମକୁ ଦୂର କରିଦେଇଥିଲା । କିନ୍ତୁ କିଛିକ୍ଷଣ ପରେ ସେହି ଶୁଦ୍ଧପୂତ ଭକ୍ତିର ପ୍ରହେଳିକା ଉଭେଇଗଲା ଓ ତା’ ସଙ୍ଗେ ସଙ୍ଗେ ନୂତନ ରୀତି ପ୍ରତି କାତର ଦୃଷ୍ଟିରେ ଭକ୍ତମାନେ ଚାହାଁଚାହିଁ ହେଲେ । ଶିବରାଶି ନିଜ ଗୁରୁଙ୍କୁ ଅବଜ୍ଞା କରି ସୁଦ୍ଧା ନିଜ ଲକ୍ଷ୍ୟ ଲାଭ କରିପାରିଲେ ନାହିଁ । ବର୍ତ୍ତମାନ ସେ କ’ଣ କରିବେ ବୁଝିପାରୁନାହାନ୍ତି । ପୂଜାବିଧି ପୂର୍ଣ୍ଣ କରିବାକୁ ହେବ ବୋଲି ସାଧୁମାନେ ଜିଦ୍‍ କଲେ । ମହାମାୟାଙ୍କ ମନ୍ଦିରକୁ ଅପବିତ୍ର କରି ଛାଡ଼ି ଦିଆଯାଇ ପାରିବ ନାହିଁ ।

 

କୁଣ୍ତଳାର ସ୍ୱର ଶୁଣାଗଲା, “ସେ ଜଗଦମ୍ବା ଏଭଳି ଆସନ୍ତି ନାହିଁ । ଚୌଲାର ଏ ଗୋଟିଏ ଛଳନା ।”

 

ଅଜ୍ଞାନ ହୋଇ ପଡ଼ିଥିବା ଚୌଲାକୁ ନେଇ ମହାମାୟାଙ୍କର ବାକିଥିବା ପୂଜାବିଧି ଶେଷ କରାଯିବ ବୋଲି କେହି ଜଣେ ପ୍ରସ୍ତାବ କଲେ । ବିଭିନ୍ନ ମତ ଶୁଣାଗଲା । ରସିକ ନରନାରୀମାନେ କାମୋଦ୍ଦୀପକ ବିଧି ବ୍ୟବସ୍ଥା ଦେଖିବାକୁ ଅଧୀର ହୋଇ ପଡ଼ିଲେ ।

Image

 

ସର୍ବଜ୍ଞଙ୍କର ହସ୍ତକ୍ଷେପ

 

ଗଙ୍ଗସର୍ବଜ୍ଞ ପ୍ରାଣାୟାମରେ ବସିଥିଲେ । କିନ୍ତୁ ଚତୁଃପାର୍ଶ୍ୱର ଘଟଣାରୁ ନିଜ ମନକୁ ସେ ଅଲଗା କରିପାରୁନଥାନ୍ତି । ନିଜର ମନ ଓ ଚିନ୍ତାକୁ ସଂଯତ କରିବା ତାଙ୍କ ପକ୍ଷେ ବର୍ତ୍ତମାନ କଷ୍ଟକର-। ହମୀର୍‍ର ଆସନ୍ନ ଆକ୍ରମଣ ତାଙ୍କ ମନକୁ ଘାରୁଥାଏ । ସହସା ଚୌଲାକୁ ଯେପରି କେହି ଆକ୍ରମଣ କରୁଥିବାରୁ ସେ କାନ୍ଦୁଛି, ଠିକ୍‍ ସେହିପରି ତାଙ୍କୁ ବୋଧ ହେଲା । ପ୍ରଭୁ ଶିବଙ୍କୁ ନିଜର ସର୍ବସ୍ୱ ଅର୍ପଣ କରିଥିବା ଚୌଲା ଉପରେ ସତେ ଯେପରି କିଏ ଅମାନୁଷିକ ଅତ୍ୟାଚାର କରୁଛି !

 

ସର୍ବଜ୍ଞ ନିଜକୁ ସମ୍ଭାଳି ପାରିଲେ ନାହିଁ । ଆରାଧନା କରିବାର ଉଦ୍ୟମ ଛାଡ଼ି ସେ ଠିଆ ହେଲେ । ମୃଗ ଯେପରି ଚଞ୍ଚଳ ନୟନରେ ଚାରିଦିଗକୁ ଚାହିଁ ଶିକାରୀର ସ୍ଥିତି ଲକ୍ଷ୍ୟ କରେ ଓ ବଞ୍ଚିବାର ଉପାୟ ଖୋଜେ, ସେହିପରି ସେ ଚାରିଆଡ଼କୁ ଚାହିଁଲେ । ତା’ପରେ ନର୍ତ୍ତକୀ ବସ୍ତି ଆଡ଼କୁ ସିଧା ଗଲେ । ଗୁରୁଦେବ ନିଜେ ଏପରି ଦ୍ରୁତ ଗତିରେ ମନ୍ଦିର ଅତିକ୍ରମ କରି ଯାଉଥିବା ଦେଖି ନିକଟରେ ଠିଆ ହୋଇଥିବା ଜଣେ ଦୁଇଜଣ ଶିଷ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । କିନ୍ତୁ ଏହାର କାରଣ ଜାଣିବା ଆଗ୍ରହ ସେମାନଙ୍କର ନ ଥିଲା ।

 

ସର୍ବଜ୍ଞ ଗଙ୍ଗାର ଘର ପାଖରେ ଯାଇ ପହଞ୍ଚିଲେ ଓ ବାହାରୁ ଶିକୁଳି ପଡ଼ିଥିବା ଦେଖି ଫେରି ଆସୁଥିଲେ । ଠିକ୍‍ ଏହି ସମୟରେ ଗଙ୍ଗା ଘର ଭିତରେ କାନ୍ଦୁଥିବାର ଶୁଣିପାରି ଶିକୁଳି ଫିଟାଇ ଭିତରକୁ ଗଲେ । ନିଜ ହାତରେ ମୁଁହ ଘୋଡ଼ାଇ ଗଙ୍ଗା ଅତି ବିକଳରେ କାନ୍ଦୁ ଥାଏ ।

 

ସର୍ବଜ୍ଞ ପଚାରିଲେ-“ଗଙ୍ଗା, କ’ଣ ହୋଇଛି? କାନ୍ଦୁଛୁ କାହିଁକି ?’’

 

“ଗୁରୁଦେବ” କାନ୍ଦି କାନ୍ଦି ଗଙ୍ଗା କହିଲା, “ରାଶିଜୀ ବର୍ତ୍ତମାନ ସେ ପାଗଳୀକୁ ତ୍ରିପୁରସୁନ୍ଦରୀଙ୍କ ମନ୍ଦିରକୁ ନେଇଗଲେ । ମୋର ଝିଅର କି ଅବସ୍ଥା ହେବ ?”

 

ମୁହୂର୍ତ୍ତକ ପାଇଁ ଗଙ୍ଗସର୍ବଜ୍ଞ ନିଜର ସ୍ଥିର ବୁଦ୍ଧି ହରାଇ ବସିଲେ । ବହୁଦିନ ଧରି ସେ ପ୍ରାୟଶ୍ଚିତ ଓ ଉପାସନା କରି ନିଜ ମନରୁ ସମସ୍ତ ଆବିଳତା ନାଶ କରି ନିଜର ଦୃଷ୍ଟିଭଙ୍ଗୀକୁ ପବିତ୍ର କରି ଆସିଥିଲେ । ସେ ଯୁବକ ଥିବା ସମୟରୁ ତାଙ୍କର ଦୃଢ଼ ଧାରଣା ହୋଇଛି ଯେ, ତ୍ରିପୁରସୁନ୍ଦରୀଙ୍କ ପୂଜା ବିଧିରେ କେତେକ କାମଜନିତ ତଥା ହିଂସାତ୍ମକ ଭାବ ସ୍ଥାନ ପାଇଛି । ସେ ଏହି ରୀତି ନୀତିକୁ ଶୁଦ୍ଧ ପୂତ କରିବାକୁ ବହୁବର୍ଷ ଧରି ଚେଷ୍ଟାକରି ଆସିଛନ୍ତି । ତାହା ଫଳରେ ଏତିକି ପରିବର୍ତ୍ତନ କରିପାରିଛନ୍ତି ଯେ, କୌଣସି ପୁରୁଷ ବା ନାରୀ ତା’ର ପୂର୍ଣ୍ଣ ସମ୍ମତି ବିନା ଏ ପୂଜାରେ ଯୋଗ ଦେଇପାରିବ ନାହିଁ ଏବଂ ସେ ନିଜେ ବା ଶିବରାଶିଙ୍କ ଛଡ଼ା ଅନ୍ୟକେହି ଏହି ଉତ୍ସବରେ ପୌରହିତ୍ୟ କରିପାରିବେନାହିଁ । ଏହି ନିୟମମାନ ସେ ଦୃଢ଼ଭାବେ କାର୍ଯ୍ୟକାରୀ କରି ଆସିଛନ୍ତି । କିନ୍ତୁ ଗତ କେତେବର୍ଷ ହେବ ସର୍ବଜ୍ଞ ନିଜେ ଏ ଉତ୍ସବମାନଙ୍କରେ ପୌରହିତ୍ୟ ନ କରି ଏ ଗୁରୁଦାୟତ୍ୱ ଶିବରାଶିଙ୍କ ଉପରେ ଦେବା ସଙ୍ଗେ ସଙ୍ଗେ ତାଙ୍କୁ ଯେଉଁସବୁ ବିପଦର ସମ୍ମୁଖୀନ ହେବାକୁ ପଡ଼ିବ ସେ ସମ୍ପର୍କରେ ସାବଧାନ କରି ଦେଇଥିଲେ ।

 

ଶୈବ ସମ୍ପ୍ରଦାୟର ଲକୁଳେଶ ଶାଖାରେ ପ୍ରଚଳିତ ବହୁ ରୀତି ନୀତିରେ ଯେ ଯଥେଷ୍ଟ ସଂସ୍କାର ଅଣାଯିବା ପ୍ରୟୋଜନ ସେ ସମ୍ୱନ୍ଧରେ ସର୍ବଜ୍ଞଙ୍କର ଦୃଢ଼ ବିଶ୍ୱାସ ଜାତ ହୋଇଥିଲା । ତାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଯେଉଁମାନେ ମୂର୍ଖ ଏବଂ ସାଧାରଣ ପୂଜାରୀ, ସେମାନେ ତାଙ୍କର ଏହି ସାଧୁ ଉଦ୍ୟମର ଉଦ୍ଦେଶ୍ୟ ବୁଝିପାରୁନାହାନ୍ତି ବୋଲି ସେ ମଧ୍ୟ ଜାଣନ୍ତି । ସର୍ବୋପରି ତାଙ୍କର ଏହି ଉଦ୍ୟମରେ ପ୍ରଧାନ ଶିଷ୍ୟ ଶିବରାଶି ଉତ୍ସାହୀ ନୁହଁନ୍ତି ବୋଲି ଜାଣି ସେ ନିରାଶ ହୋଇଛନ୍ତି ।

 

ଚୌଲା ପରି ନିରୀହା ବାଳିକା ସେହି ରୀତି ନୀତିରେ ଦୀକ୍ଷିତ ହେବା ଉଚିତ ନୁହେଁ ଏ କଥା ସେ ଦୃଢ଼ ଭାବରେ ନିଷ୍ପତ୍ତି କରି ଏହା ଗଙ୍ଗା ଏବଂ ଶିବରାଶି ଉଭୟଙ୍କୁ ଜଣାଇଦେଇଥିଲେ । ଏହି ସମ୍ପର୍କରେ ତାଙ୍କର ପ୍ରଧାନ ଶିଷ୍ୟ ତାଙ୍କ ସହିତ ଏକମତ ନୁହେଁ ବୋଲି ସେ ଜାଣିଥିଲେ ଏବଂ ମହାମାୟା ଚୌଲାର ଶରୀରରେ ପ୍ରବେଶ କରିଛନ୍ତି ବୋଲି ଯେତେବେଳେ ଶିବରାଶି ଆସି ତାଙ୍କୁ ଜଣାଇଲେ, ଚୌଲାକୁ ଉତ୍ସବକୁ ନିଆଯିବ ନାହିଁ ବୋଲି ସର୍ବଜ୍ଞ ତାଙ୍କୁ ଦୃଢ଼ଭାବେ ଜଣାଇଥିଲେ ।

 

ରାଶିଙ୍କ ମୁହଁରେ କାମପ୍ରଣୋଦିତ ଭାବ ସର୍ବଜ୍ଞ ବରାବର ଲକ୍ଷ୍ୟକରି ଆସିଛନ୍ତି । ଶିବରାଶିଙ୍କର ଏହି ଅଧୋଗତି ସେ ଦୁଃଖର ସହ ଦେଖିଥିଲେ; କିନ୍ତୁ କୌଣସି ପ୍ରତିକାର କରିନଥିଲେ । ତେଣୁ ବର୍ତ୍ତମାନ ଗଙ୍ଗାଠାରୁ ସବୁ ଘଟଣା ଶୁଣି ସେ ହଠାତ୍‍ ଅତିଶୟ ରାଗିଗଲେ ଓ ପରେ ସଙ୍ଗେ ସଙ୍ଗେ ନିଜକୁ ସଂଯତ କରିନେଇ ତାଙ୍କର ନିଷ୍ପତ୍ତି କାର୍ଯ୍ୟକାରୀ କରିବାପାଇଁ ପ୍ରକୃଷ୍ଟ ସମୟ ଆସିଛି ବୋଲି ଠିକ୍‍ କଲେ ।

 

ସେ କହିଲେ, “ଗଙ୍ଗା ,ମୋ ସହିତ ଆଲୁଅ ଧରି ଆସେ ।”

 

ମନ୍ଦିରର ଗୁପ୍ତ ଦ୍ୱାରରେ ସେମାନେ ପହଞ୍ଚିବାକ୍ଷଣି ସେଠାରେ ପହରା ଦେଉଥିବା ସାଧୁ ଜଣକର ମନରେ ଭୟ ଦେଖାଦେଲା । ସେ ‘ଗୁରୁଦେବ’ ବୋଲି ପାଟିକରି ଉଠିଲା ।

 

“ହଁ, ଏଠାରେ ରୁହ” ବୋଲି ତାକୁ ହୁକୁମ୍‍ ଦେଲେ ସର୍ବଜ୍ଞ ।

 

ଗଙ୍ଗା ଆଲୁଅ ଧରି ଆଗରେ ଚାଲିଥାଏ । ସାମନ୍ତ ଖୁଣ୍ଟରେ ବନ୍ଧା ହୋଇଥିବା କ୍ଷୀଣ ଆଲୋକରେ ଦେଖି ସର୍ବଜ୍ଞ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ସାମନ୍ତ, ତୁ ଏଠି ?”

 

ସାମନ୍ତ କର୍କଶ ହସ ହସି କହିଲା, “ଗୁରୁଦେବ, ତ୍ରିପୁରସୁନ୍ଦରୀଙ୍କୁ ପୂଜା କରିବାପାଇଁ ମୋତେ ବାଧ୍ୟ କରାଯାଉଛି । ମୁଁ ତାହା କରିବାକୁ ଅସ୍ୱୀକାର କରିବାରୁ ମୋତେ ବନ୍ଧାଯାଇଛି । ଜଣେ ସାଧୁ ମୋତେ ମାରିଦେବାକୁ ନିଷ୍ପତ୍ତି କରିଛି ଓ ମୁଁ ତାକୁ ଅପେକ୍ଷା କରି ରହିଛି ।”

 

ଗଙ୍ଗସର୍ବଜ୍ଞ ରାଗିଯାଇ କହି ଉଠିଲେ, “ଯାହା ଉପରେ ପ୍ରଭାସର ଭବିଷ୍ୟତ ରକ୍ଷା ପୂରାପୂରି ନିର୍ଭର କରୁଛି ତାକୁ ମରାଯିବାପାଇଁ ନିଷ୍ପତ୍ତି କରାଯାଇଛି ! ତା’ହେଲେ ପ୍ରଭାସର ଧ୍ୱଂସ ଅତି ନିକଟ ।” ଏହା କହି ନିକଟରେ ଠିଆହୋଇଥିବା ସାଧୁଙ୍କୁ “ଖୋଲିଦିଅ” ବୋଲି ହୁକୁମ୍‍ ଦେଲେ-

 

ତାଙ୍କ ହୁକୁମ୍‍ ଅନୁସାରେ ସାମନ୍ତଙ୍କୁ ମୁକ୍ତ କରାଗଲା ।

 

ସର୍ବଜ୍ଞ ପଚାରିଲେ-‘‘ଚୌଲାକୁ ଦେଖିଛୁ ?’’

 

ସାମନ୍ତ–‘‘ହଁ, କିଛି ସମୟ ପୂର୍ବେ ରାଶିଜୀଙ୍କ ସହିତ ଆସି ଭିତରକୁ ଯାଇଛି ।’’

 

ସର୍ବଜ୍ଞ ପଚାରିଲେ-‘‘କ’ଣ ସ୍ୱଇଚ୍ଛାରେ ଯାଇଛି ?’’

 

ସାମନ୍ତ–‘‘ହଁ, ହସି ନାଚି ଆନନ୍ଦ ମନରେ ଥିଲାପରି ଜଣାଯାଉଥିଲା ।’’

 

ଗଙ୍ଗା ଏକମତ ହୋଇ କହିଲା-‘‘ହଁ, ପ୍ରଭୁ ଶମ୍ଭୁ ତାକୁ ଅପେକ୍ଷା କରିଛନ୍ତି ବୋଲି ଶିବରାଶି ତାକୁ କହିଲେ । ସେଥିଲାଗି ସେ ଦଉଡ଼ି ଆସିଛି । ପ୍ରଭୁ ଶଙ୍କରଙ୍କ ଆରାଧନାରେ ଆଜି ସେ ନିଜକୁ ଭୁଲିଯାଇଛି ।’’

 

ଗୁରୁଦେବ ପୁଣି କହି ଉଠିଲେ, “ସେ କ’ଣ ସ୍ୱଇଚ୍ଛାରେ ଯାଇଛି ?” ଚୌଲା ଯେବେ ତା’ର ସ୍ୱଇଚ୍ଛାରେ ଯାଇଥିବ, ତା’ହେଲେ ସେ ସେଥିରେ ଆପତ୍ତି କରିବେ କାହିଁକି-ଏହି ଚିନ୍ତା ତାଙ୍କ ମନରେ ଘାରିହେଲା ।

 

ଗଙ୍ଗା ପୁଣି କହିଲା, “ନାଁ, ସେ ଅର୍ଥରେ ନୁହେଁ । ସେ କେବେହେଲେ ସ୍ୱଇଚ୍ଛାରେ ଏହି ସବୁ ରୀତିନୀତି ଗ୍ରହଣ କରିନଥିବ ।”

 

ସାମନ୍ତ କହିଉଠିଲେ, “ବଡ଼ ଅଦ୍ଭୁତ ଲୋକ ଏମାନେ ।’’ ଏହା କହିବା କ୍ଷଣି ଉଦ୍ଦାମ ବାସନାରେ ଭୟଙ୍କର ହୋଇଥିବା କୁଣ୍ତଳାର କଥା ତାଙ୍କ ମନକୁ ଆସିଲା ଏବଂ ସେ ଅସ୍ୱସ୍ତି ଅନୁଭବ କଲେ ।

 

ସର୍ବଜ୍ଞ ମନ୍ଦିର ଆଡ଼କୁ ଗଲେ ଏବଂ ତାଙ୍କ ପଛେ ପଛେ ସାମନ୍ତ ଓ ଗଙ୍ଗା ଗଲେ । ତ୍ରିପୁରସୁନ୍ଦରୀଙ୍କ ମନ୍ଦିରର ପ୍ରବେଶଦ୍ୱାରରେ ପହଞ୍ଚି ସେମାନେ ଯେଉଁ ଦୃଶ୍ୟ ଦେଖିଲେ, ତହିଁରେ ସାମନ୍ତ ଅତ୍ୟନ୍ତ ଭୟଭୀତ ହୋଇଗଲେ । କ୍ଷୀଣ ଆଲୋକରେ ବହୁ ସଂଖ୍ୟକ ପୁରୁଷ ଓ ସ୍ତ୍ରୀ ତାଳିମାରି ଦେବୀଙ୍କ ସ୍ତୁତିମୂଳକ ଗୀତମାନ ଗାଉଛନ୍ତି ଏବଂ ସେମାନେ ଯେତେବେଳେ ତାଳି ମାରି ଚାରିପାଖେ ପରିକ୍ରମା କରୁଛନ୍ତି, ସେତେବେଳେ ସେମାନେ ମଣିଷ କି ଭୂତ ପ୍ରେତ ତାହା ଜାଣି ହେଉନାହିଁ ।

 

ନିଜର ଜ୍ଞାତି କୁଟୁମ୍ୱଙ୍କ ମଡ଼ାଉପରେ ମରୁଭୂମିର ଶାଗୁଣା ଉଡ଼ୁଥିବା ଦୃଶ୍ୟ ଦେଖିଲାବେଳେ ସାମନ୍ତଙ୍କୁ ଯେଭଳି ଭୟ ଲାଗିଥିଲା, ଆଜିର ଏ ଦୃଶ୍ୟ ତାଙ୍କ ମନରେ ତତୋଽଧିକ ଭୟ ଜାତ କଲା ।

 

ଏମାନେ ତିନି ଚାରିଜଣ ହୋଇ ଗୋଟିଏ ଲେଖାଏଁ ଦଳରେ ଚାରିପାଖେ ବୁଲୁଥାନ୍ତି ଏବଂ ତାଙ୍କ ଭିତରୁ ଜଣେ ଆଲୁଅ ଧରିଥାଏ । ହଠାତ୍‍ ଏହି ଗୀତ ଶବ୍ଦ ଛଡ଼ା ଗୋଟିଏ ଅଦ୍ଭୁତ ଶବ୍ଦ ଶୁଭିଲା ଏବଂ ତା’ପରେ ଆଉଥରେ ସେହିଭଳି ଶବ୍ଦ ଓ ତା’ପରେ ତୃତୀୟଥର ପାଇଁ ସେହି ଶବ୍ଦ କର୍ଣ୍ଣଗୋଚର ହେଲା । ଏହି ଶବ୍ଦ କିଏ କରୁଛି ତାହା ସର୍ବଜ୍ଞ ତଥା ଗଙ୍ଗା ସାଙ୍ଗେ ସାଙ୍ଗେ ବୁଝିଲେ । ସାମନ୍ତ ମଧ୍ୟ ନିଜ ମନରେ ଅନୁମାନ କରିପାରିଲେ ।

 

ଯେଉଁଠାରୁ ଏହି ଶବ୍ଦ ଆସୁଥିଲା, ସର୍ବଜ୍ଞ ସେହି ଦିଗକୁ ଧାଇଁଗଲେ ଏବଂ ଗଙ୍ଗାର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଭୟରେ ଥରୁଥିଲେ ସୁଦ୍ଧା ସେ ମଧ୍ୟ ତାଙ୍କ ପଛେ ପଛେ ଗଲା ।

 

ସାମନ୍ତ ଆଉ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ । ଖୋଳ ଭିତରୁ ନିଜର ଖଣ୍ତା ବାହାର କରି ସେହି ବୀଭତ୍ସ ରସର ରସିକମାନଙ୍କ ଆଡ଼କୁ ଲକ୍ଷ୍ୟକରି ତାହା ବୁଲାଇଲେ । ହଠାତ୍‍ ଏହି ମୃତ୍ୟୁ ବିଭୀଷିକାର ଆଗମନ ଦେଖି ସମସ୍ତେ ଭୟରେ ଛିନ୍‍ଛତ୍ର ହୋଇଗଲେ । ଜଣେ ବଳିଷ୍ଠା ସ୍ତ୍ରୀ ଚୌଲାକୁ ଭିଡ଼ି ଧରିଥାଏ ଓ ଚୌଲା ମୁକ୍ତ ହେବାକୁ ଚେଷ୍ଟା କରୁଥାଏ । ଚୌଲା ସେହିମାତ୍ର ନିଜର ସ୍ୱାଭାବିକ ଅବସ୍ଥାକୁ ଆସିଥାଏ ଏବଂ ତା’ ଚାରିପାଖରେ ଭୟଙ୍କର ପରିସ୍ଥିତି ଦେଖି ଚିତ୍କାର କରୁଥାଏ । ତାକୁ ଦେବୀଙ୍କର ଅବତାର ଭାବି ଶିବରାଶି ପୂଜା କରୁଥାନ୍ତି ।

 

ସାମନ୍ତ ସ୍ତ୍ରୀଲୋକମାନଙ୍କୁ ଆଡ଼େଇ ଚୌଲା ପାଖକୁ ଗଲେ ।

 

ସର୍ବଜ୍ଞ ରାଗିଯାଇ କହିଲେ, “ରାଶିଜୀ, ଏ କ’ଣ ହେଉଛି ?” ରାଶିଜୀ ସ୍ତମ୍ଭିତ ହୋଇଗଲେ । ଏକ ଦିଗରେ ସାମନ୍ତ ନିଜର ଖଣ୍ତାଧରି ଠିଆ ହୋଇଥାନ୍ତି ଓ ଅନ୍ୟ ଦିଗରେ ଗୁରୁଦେବ ଯଥେଚ୍ଛାଭାବରେ ଗାଳି ଦେଇ ଯାଉଥାନ୍ତି । ଏହାଦେଖି ତାଙ୍କ ହାତ ଏପରି ଥରି ଉଠିଲା ଯେ, ଆରତି ସାମଗ୍ରୀ ତଳେ ପଡ଼ିଗଲା । ଏକତ୍ର ହୋଇଥିବା ସ୍ତ୍ରୀ ପୁରୁଷମାନେ ଚାରିଦିଗରୁ “ଗୁରୁଦେବ ! ଗୁରୁଦେବ ! ଗୁରୁଦେବ !” ବୋଲି ପାଟି କରି ଉଠିଲେ ।

 

ସର୍ବଜ୍ଞ ଉଚ୍ଚସ୍ୱରରେ ଅତି ଦୁଃଖରେ କହିଲେ, “ରାଶି, ଚୌଲାକୁ ତା’ ଇଚ୍ଛା ବିରୁଦ୍ଧରେ ଆଣିବାଦ୍ୱାରା ତୁମେ ଏହି ପୂଜାର ଗୋଟିଏ ପ୍ରଧାନ ନୀତି ବିରୁଦ୍ଧ କାର୍ଯ୍ୟ କରିଛ ।

 

ରାଶିଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଅତି ସାହସର ସହିତ ସିଦ୍ଧେଶ୍ୱର କହିଲା, “ନାଁ, ଏ କଥା ଠିକ୍‍ ନୁହେଁ । ସେ ନିଜର ଇଚ୍ଛାନୁଯାୟୀ ଏଠାକୁ ଆସିଛି ।”

 

ସର୍ବଜ୍ଞ କହିଲେ, “ସେ ଯେଉଁଭଳିଭାବେ ପାଟି କରୁଥିଲା, ତହିଁରୁ ସେ ଯେ ନିଜର ଇଚ୍ଛାନୁଯାୟୀ ଆସିନାହିଁ, ଏହାର ସଂକେତ କ’ଣ ମିଳୁନଥିଲା ସିଦ୍ଧେଶ୍ୱର ? ଲକୁଳେଶ ସମ୍ପ୍ରଦାୟ ପକ୍ଷେ ତୁମେ ନିନ୍ଦନୀୟ । ରାଶି, ବର୍ତ୍ତମାନ ଯାଅ । ଏହାର ଉଚିତ ପ୍ରାୟଶ୍ଚିତ ତୁମକୁ କିପରି କରିବାକୁ ହେବ ତାହା ମୁଁ କାଲି କହିବି ।”

 

ସିଦ୍ଧେଶ୍ୱର ପୁଣି କହିଲେ, “ନାହିଁ ଆଜ୍ଞା, ଏ ଚୌଲା ନିଜ ଇଚ୍ଛାରେ ଆସିଛି ।’’

 

ବୃଦ୍ଧ ପୂଜକ ଜଣକ ଏକମତ ହୋଇ କହିଲା, ‘ହଁ, ଠିକ୍‍ କଥା ।” ଦୁଇ ତିନି ଜଣ ପୂଜକ ଆସି ବୃଦ୍ଧ ପୂଜକ ପାଖରେ ଠିଆହେଲେ । ସର୍ବଜ୍ଞଙ୍କ କାର୍ଯ୍ୟକୁ ବିରୋଧ କରୁଥିବା ଭାବ ସେମାନଙ୍କ ମୁହଁରୁ ପ୍ରକାଶ ପାଉଥାଏ । ସେମାନେ ହାତରେ ଲୁହାର ବଡ଼ ବଡ଼ ବର୍ଚ୍ଛା ଧରିଥାନ୍ତି ଏବଂ ସର୍ବଜ୍ଞଙ୍କୁ ଭୟ ଦେଖାଇବା ସେମାନଙ୍କର ଉଦ୍ଦେଶ୍ୟ ବୋଲି ଜଣାପଡ଼ୁଥାଏ ।

 

ଧୀରସ୍ଥିରଭାବେ ଓ ଦୁଃଖପୂର୍ଣ୍ଣ ମନରେ ସର୍ବଜ୍ଞ ସେମାନଙ୍କୁ ଅନାଇ କହିଲେ, “ଏହି ମନ୍ଦିରକୁ ନଷ୍ଟ କରିବାକୁ ତୁମେମାନେ ଏକାଠି ହୋଇଛ । ଯେବେ ତୁମମାନଙ୍କର ଆଖି ଅଛି, ତା’ ହେଲେ କିଭଳି ଲଜ୍ଜା ଓ ଭୟରେ ଚୌଲା ତୁମମାନଙ୍କୁ ଚାହିଁଛି ତାହା ଲକ୍ଷ୍ୟକର । ଏହା ହେଉଛି ମହାମାୟାଙ୍କ ମନ୍ଦିର-ମିଥ୍ୟାବାଦୀ ଓ ଅତ୍ୟାଚାରୀମାନଙ୍କର ଏ ମନ୍ଦିର ନୁହେଁ । ତୁମେମାନେ ପୂରା ମାତ୍ରାରେ ନିଜକୁ ପବିତ୍ର ନ କରିବା ପର୍ଯ୍ୟନ୍ତ ଏହି ମନ୍ଦିର ଆଜିଠାରୁ ବନ୍ଦ ରହିବ ।”

 

ଜଣେ ବୃଦ୍ଧ ସାଧୁ ଧମକାଇ କହିଲା, “ଏହି ମନ୍ଦିର ବନ୍ଦ କରିଦିଆଯିବ ? ଏହାକୁ ବନ୍ଦ କରିବାକୁ କାହାର ସାହସ ଅଛି ?” ଏହା କହିବା ସଙ୍ଗେ ସଙ୍ଗେ ସେ ହାତରେ ତ୍ରିଶୂଳ ଧରିଥାଏ ବୋଲି ଦେଖାଇ ଦେଉଥାଏ ।

 

ଗୁରୁଦେବ କ୍ଷୋଭରେ ହସି କହିଲେ, “ତୁମେ ପଚାରୁଛ କିଏ ବନ୍ଦ କରିବ ? ମୁଁ ବନ୍ଦ କରିବି । ପ୍ରଭୁ ଲକୁଳେଶ ସମ୍ପ୍ରଦାୟର ମୁଖ୍ୟ ହିସାବରେ ମୁଁ ଏହା କରିବି ।”

 

ବୃଦ୍ଧ ପୂଜକ ସର୍ବଜ୍ଞଙ୍କୁ ମାରିବାକୁ ଉଦ୍ୟତ ହୋଇ ହାତ ଉଠାଇ ପାଟିକରି କହିଲା, “ଆପଣଙ୍କର ସାହାସ ଅଛି ?” ସାମନ୍ତ ଆଗକୁ ଡେଇଁପଡ଼ି ବୃଦ୍ଧର ହାତ ଧରି ପକାଇଲେ ।

 

ଗୁରୁଦେବ ପ୍ରକୃତିସ୍ଥ ହୋଇ କହିଲେ, “ସାମନ୍ତ, ତାକୁ ଛାଡ଼ିଦେ । ହରଦତ୍ତ, ତୁ ମୋତେ ମାରିବାକୁ ଚାହୁଁ ? ତା’ହେଲେ ମାର-ମୁଁ ମୁଣ୍ତ ଦେଖାଇ ଦେଉଛି । ତୋ’ର ଅଧୋଗତି ପୂର୍ଣ୍ଣହେଉ ।” ଏହା କହି ଗୁରୁଦେବ ମୁଣ୍ଡ ନୁଆଁଇଲେ ।

 

ବୃଦ୍ଧ ପୂଜକ କ’ଣ କରିବ ବୁଝିପାରିଲା ନାହିଁ । ତା’ର ଅଜାଣତରେ ତା’ ହାତରୁ ତ୍ରିଶୂଳଟି ତଳେ ପଡ଼ିଗଲା ଓ ସେ ମଧ୍ୟ ତଳେ ପଡ଼ିଯାଇ ମୂର୍ଚ୍ଛିତ ହୋଇଗଲା । ସର୍ବଜ୍ଞ ଆସ୍ତେ ଆସ୍ତେ ଯାଇ ଶତାବ୍ଦୀବ୍ୟାପୀ ତ୍ରିପୁରସୁନ୍ଦରୀଙ୍କ ମନ୍ଦିରର ଯେଉଁ ଦ୍ୱାର କେବେ ବନ୍ଦ ହୋଇନଥିଲା, ତାହା ବନ୍ଦ କରିଦେଲେ ।

 

ଗୁରୁଦେବ କହିଲେ, “ତୁମ ସମସ୍ତଙ୍କର ସମବେତ ପାପ ଯୋଗୁ ପ୍ରଭୁ ଶଙ୍କରଙ୍କ ତୃତୀୟ ଆଖି ଖୋଲିଛି । ଏହି ମନ୍ଦିର ଧ୍ୱଂସ କରିବାକୁ ରାକ୍ଷସ ଭଳି ହମୀର୍‍ ଏଠାକୁ ଧାଇଁଆସୁଛି । ତୁମେମାନେ ନିଜକୁ ଶୁଦ୍ଧ ପୂତ ନ କରିବା ପର୍ଯ୍ୟନ୍ତ ଓ ଆକ୍ରମଣ ବିପଦ ଦୂର ନ ହେବା ପର୍ଯ୍ୟନ୍ତ ମୁଁ ଦେବୀ ମହାମାୟାଙ୍କ ଅର୍ଚ୍ଚନା ବନ୍ଦ କରୁଛି ।”

 

ସର୍ବଜ୍ଞଙ୍କର ଶକ୍ତିଶାଳୀ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ସମ୍ମୁଖରେ ଉପସ୍ଥିତ ସମସ୍ତେ ସମ୍ପୂର୍ଣ୍ଣ ନଇଁ ପଡ଼ିଲେ ଓ ସମସ୍ତେ ଆସ୍ତେ ଆସ୍ତେ ସେଠାରୁ ଚାଲିଗଲେ ।

 

କିଛି ସମୟପାଇଁ ସର୍ବଜ୍ଞ ଏକୁଟିଆ ନିର୍ବେଦ ହୋଇ ଠିଆହେଲେ । ଚୌଲା ତା’ ମା’ କୋଳରେ ମୁଣ୍ଡ ରଖି ଅତ୍ୟନ୍ତ ଅଧୀର ହୋଇ କାନ୍ଦିଲା । କିଛି ସମୟପୂର୍ବରୁ ସେ କ’ଣ କରିଛି, ତାହା ସହଜରେ ଭୁଲିପାରିଲା ନାହିଁ ।

 

ସର୍ବଜ୍ଞ ଆଦେଶ ଦେଲେ, “ଗଙ୍ଗା, ତୁ ଚୌଲାକୁ ଘରକୁ ନେଇ ଯା । ଏହି ମହାପୀଠର ଅବସ୍ଥା କ’ଣ ହେବ ତାହା ମୁଁ ଜାଣିନାହିଁ ।” କାନ୍ଥକୁ ଆଉଜି ପାଖରେ ବସିଥିବା ସାମନ୍ତଙ୍କୁ ସେ କହିଲେ, “ବତ୍ସ ସାମନ୍ତ, ଡେରି ହୋଇଯାଉଛି । ତୁମେ ଯିବାକୁ ପ୍ରସ୍ତୁତ ହୁଅ ।”

 

“ଆପଣଙ୍କର ଯେ ଆଜ୍ଞା,” ବୋଲି ସାମନ୍ତ ଉତ୍ତର ଦେଲେ ।

 

ସର୍ବଜ୍ଞ-“ଗଙ୍ଗା, ତୁ ଏହି ଚୌହାନକୁ ଜାଣୁ ? ଚୌଲା ଏହାର ଓ ଏହାର ବାପାଙ୍କ କପାଳରେ ବିଭୂତି ଟିକା ଦେଇଥିଲା । ଚୌଲା, ତୋର ମନେଅଛି ?”

 

ଚୌଲା ପ୍ରକୃତିସ୍ଥ ହେଲାଣି । ସାମନ୍ତ ଓ ଚୌଲା ଉଭୟେ ପରସ୍ପରକୁ ଚାହାଁ ଚାହିଁ ହେଲେ ।

 

ସର୍ବଜ୍ଞ କହିଲେ, “ଗଙ୍ଗା, ସାମନ୍ତ ଚୌହାନ ମହାନ୍‍ ବୀର । ଗତ ପନ୍ଦରଦିନ ହେବ ତାକୁ ଭୀଷଣ ବିପଦଦେଇ ଗତି କରିବାକୁ ପଡ଼ିଛି । ତା’ର ବିରାଟ ପରିବାର ମଧ୍ୟରୁ ପ୍ରଭୁ ସୋମନାଥଙ୍କର ପୂଜା କରିବାପାଇଁ ସେ ଆଜି ଏକମାତ୍ର ଜୀବିତ । ତାକୁ ତୋ ଘରକୁ ନେଇ କିଛି ଖାଇବାକୁ ଦେ । ବହୁଦିନ ହେଲା ସେ କିଛି ଖାଇନାହିଁ । ତା’ ଉପରେ ଆମ ସମସ୍ତଙ୍କର ନିରାପତ୍ତା ନିର୍ଭର କରେ ।” ସେ ଏହା କହିସାରି ମୁଣ୍ତ ନୁଆଁଇ ଆଗ ରାସ୍ତାକୁ ଚାହିଁ ଚାହିଁ ଚାଲିଗଲେ ।

 

ଚୌଲା କ’ଣ କରିବ ଠିକ୍‍ କରିନପାରି ଲଜ୍ଜିତଭାବେ ଠିଆହେଲା । କିଛିକ୍ଷଣପୂର୍ବେ ସାମନ୍ତ ତାକୁ ଯେଉଁ ଅବସ୍ଥାରେ ଦେଖିଛନ୍ତି ତାହା ମନେପଡ଼ି, ପୃଥିବୀ ଫାଟିଯାଆନ୍ତା କି ସେ ତାହା ଭିତରେ ପଶିଯାଆନ୍ତା ବୋଲି ତା’ର ମନରେ ଭାବ ଉଦୟ ହେଲା । ଅଭିଜ୍ଞା ଗଙ୍ଗା କନ୍ୟାକୁ ସ୍ନେହରେ କୁଣ୍ଢାଇଧରି କହିଲା, “ଚୌହାନ, ଆମକୁ କୁହ କ’ଣ ସବୁ ହୋଇଛି ।”

 

ଚୌଲା ସହିତ ଗତଥର ଦେଖାହେବା ପରଠାରୁ ତା’ ନିଜର ଏବଂ ତା’ର ପରିବାରର ଯେଉଁ ଦୁର୍ଦ୍ଦଶାମାନ ଘଟିଯାଇଛି, ତାହା ଏଇ ଦୁଇଜଣ ସ୍ତ୍ରୀଲୋକଙ୍କ ଆଗରେ ବର୍ଣ୍ଣନା କରି ସେଦିନ ରାତିରେ ସାମନ୍ତଙ୍କ କେତୋଟି ଘଣ୍ଟା ସୁଖରେ କଟିଗଲା । ଏହି ବୀର ପୁରୁଷଠାରୁ ଆତ୍ମତ୍ୟାଗର ବର୍ଣ୍ଣନା ଶୁଣି ଚୌଲା ମନରେ ଏକ ମହାନ୍‍ ଉତ୍ସାହ ଅନୁଭବ କଲା ।

Image

 

Unknown

ପାଟଣରେ ପ୍ରସ୍ତୁତି

 

ଦୁଇଶହ ବର୍ଷପୂର୍ବେ ଉତ୍ତର ଗୁଜୁରାତ (ଚାଲୁକ୍ୟ)ର ସରସ୍ୱତୀ ନଦୀ ଉପତ୍ୟକାସ୍ଥ ଅନେକ ଦୁର୍ଗପରି ଅନହିଲଓ୍ୱାଡ୍‍-ପାଟଣ ମଧ୍ୟ ବଣ-ପାହାଡ଼ ଭିତରେ ଗୋଟିଏ କ୍ଷୁଦ୍ର ଦୁର୍ଗ ଥିଲା । ଅନହିଲଓ୍ୱାଡ୍‍ର ଚାଓ୍ୱାଡ଼ା ରାଜାମାନେ ପ୍ରତିବର୍ଷ ଅଳ୍ପ ଅଳ୍ପ ସୈନ୍ୟ ନେଇ ବାହାରକୁ ଆସି ନିକଟସ୍ଥ ଦୁର୍ଗପତିମାନଙ୍କୁ ହଇରାଣ କରନ୍ତି ଓ ଗ୍ରାମମାନଙ୍କରେ ନିଜର ଆଧିପତ୍ୟ ପ୍ରତିଷ୍ଠା କରି ଭିଲ୍‍ମାନଙ୍କୁ ଜଙ୍ଗଲକୁ ତଡ଼ିଦିଅନ୍ତି । କେତେକ ଥର ଅଭିଯାନରେ ସଫଳତା ଲାଭ କରି ନିଜର ରାଜ୍ୟ ମଧ୍ୟ ବିସ୍ତାର କରିଛନ୍ତି । କେବେ କେବେ ବା ସେମାନଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

 

ସମୟ ଥିଲା ଯେତେବେଳେ ପଡ଼ୋଶୀ ଶକ୍ତିର ଭୟରେ ସେମାନେ ନିଜ ଗୃହରୁ ବାହାରୁନଥିଲେ । ପରେ ସେମାନେ ଏତେ ପରାକ୍ରମୀ ହୋଇଥିଲେ ଯେ, ଦକ୍ଷିଣ ଗୁଜୁରାତ ଅନ୍ତର୍ଗତ ସୁଦୂର ଲାଟ ତଥା ସୌରାଷ୍ଟ୍ରରେ ଆଧିପତ୍ୟ ବିସ୍ତାର କରିଥିଲେ ।

 

କିନ୍ତୁ ଅନହିଲଓ୍ୱାଡ୍‍ର ଭବିଷ୍ୟତ ଭାଗ୍ୟ ସ୍ୱର୍ଣ୍ଣାକ୍ଷରରେ ଲେଖାହୋଇଥିଲା ୯୪୨ ଖ୍ରୀଷ୍ଟାବ୍ଦରେ, ଯେତେବେଳେ ଚାଲୁକ୍ୟବଂଶର ମୁଲରାଜଦେବ ଏହାର ସିଂହାସନ ଆରୋହଣ କଲେ । ସେ ସମୟରୁ ଅନହିଲଓ୍ୱାଡ୍‍ ପାଟଣର ବିରାଟ ପରିବର୍ତ୍ତନ ଘଟିବାକୁ ଆରମ୍ଭ କଲା । ଆଖପାଖ ଅଞ୍ଚଳର ଜଙ୍ଗଲମାନ କଟାଗଲା ଏବଂ ଉର୍ବର ଜମିମାନଙ୍କରେ ସୁପରିକଳ୍ପିତ ଗ୍ରାମମାନ ପ୍ରତିଷ୍ଠା କରାଯାଇ, ସେ ସବୁର ସୁରକ୍ଷା ଦାୟିତ୍ୱ ଶାସକ ଗ୍ରହଣ କଲେ । ଶ୍ରୀମାଲ, କନୌଜ, ଉଜ୍ଜୟିନୀ ଏବଂ ଭୃଗୁକଚ୍ଛ ପ୍ରଭୃତି ସ୍ଥାନମାନଙ୍କରୁ ଆଗତ ଉଚ୍ଚ ଜାତିର ଲୋକମାନେ ଏହି ନୂତନ ପ୍ରତିଷ୍ଠିତ ଗ୍ରାମମାନଙ୍କରେ ବସତି ସ୍ଥାପନ କଲେ । ଏପରି କି ଗୁଜୁରାତର ବୀର ଯୋଦ୍ଧାମାନେ ମଧ୍ୟ ପାଟଣର ପ୍ରତାପଶାଳୀ ଶାସକଙ୍କ ଅଧୀନରେ ଚାକିରି କଲେ ।

 

ନିଜର ଅପୂର୍ବ କୂଟନୈତିକ ବୁଦ୍ଧି ତଥା ଅସୀମ ବୀରତ୍ୱ ଫଳରେ ମୁଲରାଜଦେବ ରାଜ୍ୟ ବିସ୍ତୃତ କରିବା ସଙ୍ଗେ ସଙ୍ଗେ ଅନହିଲଓ୍ୱାଡ୍‍କୁ ଶକ୍ତିଶାଳୀ ରାଜ୍ୟରୂପେ ପରିଣତ କରିଥିଲେ । ଗୋଟିଏ ଛୋଟ ଦୁର୍ଗ ସ୍ଥାନରେ ଠିଆହେଲା ଏକ ବିରାଟ ସମୃଦ୍ଧିଶାଳୀ ସହର । ଖମ୍ବାତ, ଉରୁଚ ଓ ମାଙ୍ଗାଲୋରର ବଣିକମାନେ ସେଠାରେ ନିଜ ନିଜର ବ୍ୟବସାୟ କେନ୍ଦ୍ର ପ୍ରତିଷ୍ଠା କଲେ । ଦେଶର ଦୂରଦୂରାନ୍ତ ଅଞ୍ଚଳରୁ ବିଦ୍ୱାନ୍‍ ବ୍ରାହ୍ମଣମାନେ ଆକୃଷ୍ଟ ହୋଇ ଏଠାରେ ଶିକ୍ଷା ଏବଂ ସଂସ୍କୃତିର କେନ୍ଦ୍ରମାନ ସ୍ଥାପନ କଲେ । ମାଟିର ଛୋଟ ଛୋଟ କୁଡ଼ିଆ ପରିବର୍ତ୍ତେ ଇଟା ତିଆରି ଘରମାନ ଦେଖାଦେଲା । ସୁନ୍ଦର ମନ୍ଦିରମାନଙ୍କର ସମୁଚ୍ଚ ଶିଖର ଧର୍ମ ଓ ଆର୍ଥିକ ସମୃଦ୍ଧିର ସାକ୍ଷ୍ୟ ଦେବାକୁ ଲାଗିଲେ । ଏହି ବିସ୍ତୃତି ତଥା ଉନ୍ନୟନର ଚତୁଃପାର୍ଶ୍ୱରେ ଗୋଟିଏ ସୁନ୍ଦର ଏବଂ ବିରାଟ ଦୁର୍ଗ ତିଆରି ହେଲା । ଯେଉଁ ଅନହିଲଓ୍ୱାଡ୍‍ ଏକଦା ଗୋଟିଏ ଛୋଟ ଦୁର୍ଗ ମାତ୍ର ଥିଲା, ତାହା କ୍ରମେ ପାଟଣ ସହରରେ ପରିଣତ ହେଲା ।

 

ମୁଲରାଜଙ୍କ ଶାସନ ସବୁ ଦିଗରେ ବିକାଶ ଲାଭ କଲା । ଜୁନାଗଡ଼, କଚ୍ଛ ଓ ଲାଟର ଶାସକମାନେ ତାଙ୍କର ଶରଣ ପଶିଲେ । ଶାସକମାନଙ୍କ ମଧ୍ୟରେ ପାଟଣର ଶାସକ ମୁଖ୍ୟ ସ୍ଥାନ ଗ୍ରହଣ କଲେ । ଝାଲୋର, ମାରଓ୍ୱାଡ ଏବଂ ଥାନକର ଶାସକମାନେ ତାଙ୍କର ସହାୟତା ଲୋଡ଼ିଲେ । ଉଜ୍ଜୟିନୀର ଶକ୍ତିଶାଳୀ ଚକ୍ରବର୍ତ୍ତୀ ରାଜାମାନେ ଏହି ପ୍ରଭାବଶାଳୀ ଶାସକଙ୍କୁ ଧ୍ୱଂସକରିବା ନିମନ୍ତେ ବହୁବାର ଉଦ୍ୟମ କରି ସୁଦ୍ଧା ବିଫଳ ହେଲେ । ମୁଲରାଜଙ୍କ ମୃତ୍ୟୁ ସମୟକୁ ପାଟଣ ଗୋଟିଏ ଶକ୍ତିଶାଳୀ ରାଜ୍ୟରେ ପରିଣତ ହୋଇଥିଲା ।

 

ପ୍ରଭୁ ସୋମନାଥ ଥିଲେ ମୁଲରାଜଙ୍କ ପରିବାରର ଆରାଧ୍ୟଦେବତା । ତାଙ୍କର ବଂଶଧରମାନଙ୍କ ଉପରେ ପ୍ରଭୁଙ୍କର ଅସୀମ କୃପା ଥିଲା । ତାଙ୍କ ପୁଅ ଚାମୁଣ୍ତା ଏବଂ ନାତି ଦୁର୍ଲ୍ଲଭ ସିଂହ ଦୁର୍ବଳ ତଥା ଅଯୋଗ୍ୟ ଥିବାରୁ ତାଙ୍କ ପରେ ମନ୍ଦିରର ପ୍ରଧାନ ସେବକ ଗଙ୍ଗସର୍ବଜ୍ଞଙ୍କର ଶିଷ୍ୟ ଭୀମଦେବ ସିଂହାସନରେ ବସିଲେ ।

 

ଗଜନୀର ହମୀର୍‍ ପ୍ରଭାସର ପ୍ରଭୁ ସୋମନାଥଙ୍କ ମନ୍ଦିର ଧ୍ୱଂସ କରିବା ଉଦ୍ଦେଶ୍ୟରେ ଅଗ୍ରଗତି କରୁଥିବା ସମୟରେ ପ୍ରଭୁଙ୍କ ଦୟାରୁ ଆଜି ଭୀମଦେବଙ୍କ ଭଳି ଜଣେ ଶକ୍ତିଶାଳୀ ବ୍ୟକ୍ତି ଅନହିଲଓ୍ୱାଡ୍‍ର ଶାସନଗାଦିରେ ଅଧିଷ୍ଠିତ । ବିଦେଶୀକୁ ଧ୍ୱଂସ କରିବାପାଇଁ ସେ ପ୍ରତିଜ୍ଞାବଦ୍ଧ । ଲୌହକୋଟର ରାଜା ଓ କ୍ଷମତାଶାଳୀ ବାଲମଦେବ ଯାହା କରିପାରିନାହାନ୍ତି, ତାହା କରିବା ନିମିତ୍ତ ଭୀମଦେବ ପ୍ରସ୍ତୁତ ହେଉଛନ୍ତି । ସେ ଏହି ଯେଉଁ ଆହ୍ୱାନ ଗ୍ରହଣ କରିଛନ୍ତି, ସେଥିପାଇଁ ନିକଟବର୍ତ୍ତୀ କଚ୍ଛ, ସୌରାଠ, ଗୁଜୁରାତ, ଲାଟ ଓ କୋଙ୍କଣ ଭଳି ରାଜ୍ୟମାନଙ୍କର ଯୋଦ୍ଧାଙ୍କ ମୁହଁରେ ତାଙ୍କର ଭୂୟସୀ ପ୍ରଶଂସା ଧ୍ୱନିତ ହେଉଛି ।

 

ଅନହିଲଓ୍ୱାଡ୍‍ ପାଟଣ ଆଜି ସମସ୍ତଙ୍କୁ ଏକତ୍ର କରିବାର କେନ୍ଦ୍ରରେ ପରିଣତ ହୋଇଛି । ଏହାର ନେତୃତ୍ୱରେ ଶତ୍ରୁକୁ ଧ୍ୱଂସ କରିବାପାଇଁ ଲଢ଼େଇ କରିବା ନିମିତ୍ତ ବିଭିନ୍ନ ରାଜ୍ୟର ଲୋକମାନେ ପରସ୍ପର ସହିତ ପ୍ରତିଯୋଗିତା କରୁଛନ୍ତି । ଯେଉଁ ଶାସକମାନେ ଅତୀତରେ ପରସ୍ପରର ଶତ୍ରୁଭାବେ ଥିଲେ, ସେମାନେ ଆଜି ପାଟଣର ବୀର ଶାସକଙ୍କ ଆଦେଶ ପାଳନ କରିବାରେ ଗର୍ବ ଅନୁଭବ କରୁଛନ୍ତି । ଭୃଗୁକଚ୍ଛରୁ ଆସିଛନ୍ତି ଦଦ୍ଦା ଚାଲୁକ୍ୟ । ବହୁଦିନର ବୈର ଭୁଲିଯାଇ ଜୁନାଗଡ଼ରୁ ଆସିଛନ୍ତି ରତ୍ନାଦିତ୍ୟ, କଚ୍ଛରୁ ଲାଖାନି ଏବଂ ଆବୁରୁ ଆସିଛନ୍ତି ତ୍ରିଲୋଚନପାଲ ପରମାର ।

 

ଦ୍ୱାରିକାରୁ ବାଂଶଓ୍ୱାଡ଼ା ଏବଂ ଦାମନରୁ ଆବୁ ପର୍ଯ୍ୟନ୍ତ ସମସ୍ତ ଶାସକଙ୍କର ଆଜି ଏକମାତ୍ର କାର୍ଯ୍ୟ ଓ କାମନା ପ୍ରଭୁ ସୋମନାଥଙ୍କୁ ରକ୍ଷା କରିବାପାଇଁ ସମବେତ ଉଦ୍ୟମ କରିବା । ତିନିଟି ବିଷୟ ଆଜି ଗୁଜରାତର ଏକତା ଓ ପାଟଣର ମହତ୍ତ୍ୱ ପ୍ରତିଷ୍ଠା କରିଛି । ତାହା ହେଉଛି ସାହସୀ ନେତା ଭୀମଦେବଙ୍କର ନେତୃତ୍ୱ ଗ୍ରହଣ କରିବା ନିମନ୍ତେ ଅନ୍ୟମାନଙ୍କର ଅକୁଣ୍ଠିତ ନିଷ୍ପତ୍ତି, ପ୍ରଭୁ ସୋମନାଥଙ୍କ ପ୍ରତି ଏକାନ୍ତ ଭକ୍ତି ଏବଂ ଆକ୍ରମଣକାରୀକୁ ବିତାଡ଼ିତ କରିବାପାଇଁ ଦୃଢ଼ପ୍ରତିଜ୍ଞା-

 

ଉଦୀୟମାନ ବୀରମାନଙ୍କ ମଧ୍ୟରେ ଭୀମଦେବ ଥିଲେ ସର୍ବଶ୍ରେଷ୍ଠ । ସେ ଥିଲେ ଆଜନ୍ମ ନେତା । ଅବସ୍ଥା ଅନୁଯାୟୀ ସେ ସାହସିକତାକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ କାପୁରୁଷତାକୁ ନିର୍ମମଭାବେ ନିନ୍ଦା କରୁଥିଲେ । ତାଙ୍କର ତେଜିୟାନ ଆଖିରୁ ଉତ୍ସାହର ନିଦର୍ଶନ ମିଳୁଥିଲା । ସମୟ ସମୟରେ ସେ ନିଜର ସୈନ୍ୟମାନଙ୍କ ସଙ୍ଗେ ଏକାକୀ ବୁଲାବୁଲି କରି ସେମାନଙ୍କୁ ଉତ୍ସାହିତ କରୁଥିଲେ । ଶକ୍ତିଶାଳୀ ଶତ୍ରୁ ବିରୁଦ୍ଧରେ କିଭଳି ଅଗ୍ରସର ହେବାକୁ ହେବ, ସେ ତାହାର ଯୋଜନା କରିବାରେ ସମୟ ବିତାଉଥିଲେ । ବିଦେଶୀ ଆକ୍ରମଣକାରୀ ସହିତ ଯୁଦ୍ଧ କରିବା ନିମନ୍ତେ ପ୍ରତ୍ୟେକ ସବଳ ଲୋକ ତାଙ୍କ ସୈନ୍ୟବାହିନୀରେ ଯୋଗଦେବା ଆବଶ୍ୟକ ବୋଲି ତାଙ୍କର ବାର୍ତ୍ତା ଗାଏଁ-ଗାଏଁ ପ୍ରଚାରିତ ହୋଇଥିଲା । ଫଳରେ ପ୍ରତିଦିନ ବହୁ ଲୋକ ସୈନ୍ୟବାହିନୀରେ ଯୋଗ ଦେଉଥାନ୍ତି । ସେମାନେ ଯେପରି ଯଥାର୍ଥ ତାଲିମ ପାଆନ୍ତି, ସେମାନଙ୍କୁ ଯେପରି ଅସ୍ତ୍ରଶସ୍ତ୍ର ଦିଆଯିବା ସଙ୍ଗେ ସଙ୍ଗେ ଠିକ୍‍ ଭାବରେ ଦଳବଦ୍ଧ କରାଯାଏ ଏବଂ ସେମାନଙ୍କର ସମସ୍ତ ସୁବିଧା ପ୍ରତି ଯେପରି ଦୃଷ୍ଟି ଦିଆଯାଏ, ସେଥିପାଇଁ ଭୀମଦେବ ଓ ତାଙ୍କ ମନ୍ତ୍ରୀ ବିମଳ ଦିନରାତି ପରିଶ୍ରମ କରୁଥାନ୍ତି ।

 

ଭୀମଦେବ ପ୍ରତି ଗ୍ରାମରେ ଉତ୍ସାହର ସହିତ ଯୁଦ୍ଧ ଆୟୋଜନ କରୁଥାନ୍ତି । ସେତେବେଳେ ଯୁଦ୍ଧ ଛଡ଼ା ଲୋକେ ଆଉକିଛି କଥାବାର୍ତ୍ତା ହେଉନଥିଲେ । ନିଜର ମାତୃଭୂମି ତଥା ଦେବସ୍ଥାନ ରକ୍ଷା ନିମିତ୍ତ ଯୁବକମାନେ ଉତ୍ସାହିତ ହୋଇ ଘରଦ୍ୱାର ଛାଡ଼ି ଆସୁଥିଲେ ଏବଂ ସ୍ତ୍ରୀଲୋକମାନେ ହସ ହସ ହୃଦୟରେ ଏହି ବୀର ଯୁବକମାନଙ୍କୁ ବିଦାୟ ଦେଉଥିଲେ । ଭୀମଦେବଙ୍କ ନେତୃତ୍ୱରେ ଯୁଦ୍ଧ କରି ଶତ୍ରୁକୁ ତଡ଼ିଦେବାପାଇଁ ପ୍ରତ୍ୟେକେ ମନେ ମନେ ଦୃଢ଼ଭାବେ ସ୍ଥିର କରିଥିଲେ । ଲୋକଙ୍କର ଏହି ଉତ୍ସାହ ଉଦ୍ଦୀପନା ମଧ୍ୟରେ ଭୀମଦେବ ହସ ହସ ମୁହଁରେ ଏବଂ ଆତ୍ମବିଶ୍ୱାସଭରା ହୃଦୟରେ ଯୁଦ୍ଧ ଆୟୋଜନରେ ଲାଗିପଡ଼ିଥାନ୍ତି ।

 

ପାଟଣ ରାଜପ୍ରାସାଦର ଗୋଟିଏ ଛୋଟ କୋଠରିରେ ଭୀମଦେବଙ୍କ ବିଚକ୍ଷଣ ମନ୍ତ୍ରୀ ଦାମୋଦର ମେହେତା ବସି କ’ଣ କିପରି କରିବାକୁ ହେବ, ତାହା ଠିକ୍‍ କରୁଛନ୍ତି । ଗତ କିଛିଦିନ ହେବ ସେ ଶୋଇବାକୁ ମୁହୂର୍ତ୍ତେ ସୁଦ୍ଧା ସମୟ ପାଇନାହାନ୍ତି । ହମୀର୍‍ ଅଗ୍ରସର ହେଉଥିବା ସମ୍ୱାଦ ପାଇବା ସଙ୍ଗେ ସଙ୍ଗେ ତାଙ୍କର ଉତ୍କଣ୍ଠା ବଢ଼ିଛି । ସେ ସ୍ତ୍ରୀ, ବୃଦ୍ଧ ଓ ପିଲାମାନଙ୍କୁ ପାଟଣରୁ ପାବାଗଡ଼ ପଠାଇଦେଲେ ଏବଂ ବ୍ୟବସାୟୀମାନଙ୍କୁ ଭୃଗୁକଚ୍ଛ (ବ୍ରୋଚ) ବା ଖମ୍ୱାତ୍ (କାମ୍ୱେ) ଚାଲିଯିବାପାଇଁ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ଯେଉଁମାନେ ଯୁଦ୍ଧ କରିନପାରିବେ ସେମାନଙ୍କୁ ଦୂରଦୂରାନ୍ତ ଜାଗାକୁ ପଠାଇବାର ବ୍ୟବସ୍ଥା କଲେ । ହମୀର୍‍ ରାଜଧାନୀ ଆକ୍ରମଣ କଲେ ଯେପରି ବହୁଦିନ ପର୍ଯ୍ୟନ୍ତ ଶତ୍ରୁର ପ୍ରତିରୋଧ କରିପାରିବେ ସେଥିପାଇଁ ଖାଦ୍ୟ ଓ ପାଣି ସଞ୍ଚିତ କରି ରଖିବାର ବ୍ୟବସ୍ଥା କଲେ । ଖମ୍ୱାତ୍ ବନ୍ଦରରେ ଥିବା ବାଣିଜ୍ୟ-ଜାହାଜମାନଙ୍କୁ ସେ ଯୁଦ୍ଧଜାହାଜରେ ପରିଣତ କଲେ । ଆଖପାଖ ରାଜ୍ୟମାନଙ୍କୁ ଯାଇ ପ୍ରତ୍ୟେକଙ୍କ ସହିତ ବନ୍ଧୁତାମୂଳକ ସନ୍ଧି ସ୍ଥାପନ କରି ସେମାନଙ୍କ ସୈନ୍ୟବାହିନୀ ଯେପରି ଏହି ଅଭିଯାନରେ ପାଟଣ ସୈନ୍ୟବାହିନୀ ସହିତ ଯୋଗଦିଅନ୍ତି ତାହାର ବ୍ୟବସ୍ଥା କଲେ ।

 

ସେ କେବଳ ଏତିକି ଆୟୋଜନ କରି ନିଶ୍ଚିନ୍ତ ହେଲେ ନାହିଁ । ଗୁଜରାତର ପ୍ରତ୍ୟେକ ଗାଁରେ ଯେପରି ଶାନ୍ତି-ଶୃଙ୍ଖଳା ଠିକ୍‍ ରହେ, ତାହା ଦେଖିବାର ଦାୟିତ୍ୱ ସେ ନିଜେ ନେଲେ । କାଳେ ଶତ୍ରୁକବଳରେ ପଡ଼ୁଥିବା ନିରୀହ ଲୋକମାନଙ୍କ ଉପରେ ହମୀର୍‍ ଅତ୍ୟାଚାର କରିବ, ସେଥିପାଇଁ ଆକ୍ରମଣକାରୀ ଆସୁଥିବା ରାସ୍ତାର ଆଖପାଖ ଗାଁମାନଙ୍କରୁ ସ୍ତ୍ରୀ ତଥା ପିଲାଛୁଆଙ୍କୁ ଦୂରଦୂରାନ୍ତରେ ଥିବା ସୁରକ୍ଷିତ ଅଞ୍ଚଳକୁ ପଠାଇଦେଲେ । ଏହି ସବୁ କାର୍ଯ୍ୟ ସେ ସହାସ ବଦନରେ ଓ ମଧୁର ବାକ୍ୟରେ କରୁଥିଲେ ।

 

ଦାମୋଦର ମେହେତା କେବେ ରାଗିବାର ସେ ଦେଖିନଥିବା କଥା ମନ୍ତ୍ରୀ ବିମଳ ଯାହା କହିଥିଲେ, ତାହା ଅକ୍ଷରେ ଅକ୍ଷରେ ସତ୍ୟ । ଏହାଛଡ଼ା ମେହେତାଙ୍କର ସବୁଠାରୁ ବଡ଼ ଗୁଣ ଥିଲା, ପ୍ରତ୍ୟେକ ଜଟିଳ ସମସ୍ୟାର ସେ ସମାଧାନ କରିପାରୁଥିଲେ ।

 

ଏହିପରି ଭାବରେ ହମୀର୍‍ର ସମ୍ମୁଖୀନ ହେବାପାଇଁ ଗୁଜୁରାତ ପ୍ରସ୍ତୁତ ହେଉଥାଏ ।

 

ଗତ ତିନିଦିନ ଧରି ପ୍ରତ୍ୟେକ ସୈନ୍ୟ ଗୋଟିଏ ବିଷୟରେ କଥାବାର୍ତ୍ତା ହେଉଥିଲେ ଏବଂ ତାହା ଫଳରେ ଗୋଟିଏ ପ୍ରକାର ନୈରାଶ୍ୟ ଭାବ ଖେଳିଯାଇଥିଲା । ସେହି ବିଷୟଟି ହେଉଛି, ମରୁଭୂମିର ଶାସକ ଘୋଘାବାପାଙ୍କୁ ହମୀର୍‍ ମାରିଦେଇଛି ଏବଂ ପ୍ରଭୁ ସୋମନାଥଙ୍କୁ ରକ୍ଷା କରିବାପାଇଁ ତାଙ୍କ ଭୂତ ଗୁଜୁରାତକୁ ଆସିଛି । କେତେକ ଏହି ଭୂତକୁ ଦେଖିଛନ୍ତି ଏବଂ ଆଉ କେତେକ ତାହା ସହିତ କଥାବାର୍ତ୍ତା ମଧ୍ୟ କରିଛନ୍ତି ବୋଲି କହୁଥାନ୍ତି । ହମୀର୍‍ ଖୁବ୍‍ ଶକ୍ତିଶାଳୀ । ତା’ ସହିତ ସମ୍ମୁଖ ପ୍ରତିରୋଧରେ କେହି ସମକକ୍ଷ ହେବା ସମ୍ଭବପର ନୁହେଁ । ତେଣୁ ସମସ୍ତେ ଜଙ୍ଗଲକୁ ଚାଲିଯାଇ ଓ ଲୁଚି ରହି ଶତ୍ରୁର ପ୍ରତିରୋଧ କରିବାପାଇଁ ଭୂତ ପ୍ରତ୍ୟେକଙ୍କୁ ପରାମର୍ଶ ଦେଉଥିଲା ବୋଲି ଲୋକେ କହୁଥିଲେ । ଏହିସବୁ କଥାବାର୍ତ୍ତା ଫଳରେ ସାହାସୀ ଲୋକମାନଙ୍କ ହୃଦୟରେ ସୁଦ୍ଧା ଦୁର୍ବଳତା ଦେଖାଦେଇଥିଲା । ଏହିସବୁ ଭୟାବହ କପୋଳକଳ୍ପିତ ଗପ ମଧ୍ୟରେ ଗୋଟିଏ ଗପ ହେଲା-ଭୂତ ସହିତ ସେଦିନ ରାତିରେ ହୋଇଥିବା ଅର୍ଜନ ଗାନ୍ଧଭିର ଆଳାପ । ଗାନ୍ଧଭି ପାଟଣରେ ପହଞ୍ଚି ସମସ୍ତ ଘଟଣା ଭୀମଦେବଙ୍କ ଆଗରେ ବର୍ଣ୍ଣନ କରିବାରୁ ସେ ଏହା ଶୁଣି କଥାଟା ହସରେ ଉଡ଼େଇଦେଲେ । କିନ୍ତୁ ଭୀମଦେବ ହସରେ ଉଡ଼େଇଦେଲେ ବୋଲି ଏହାକୁ ମିଥ୍ୟା କହିହେବ ନାହିଁ । ତେଣୁ ବହୁ ଲୋକ ମନେମନେ ସନ୍ଦେହ ପୋଷଣ କରୁଥାନ୍ତି ।

 

ସବୁଆଡ଼ର ଲୋକେ ଘୋଘାବାପାଙ୍କ ଭୂତ ସମ୍ପର୍କରେ କଥାବାର୍ତ୍ତା ହେଉଥାନ୍ତି । କେତେକ କହୁଥାନ୍ତି, ଏହା ଠିକ୍‍ ଘୋଘାବାପାଙ୍କ ଯୁବକ ବେଳର ଚେହେରା । ଆଖି ଦୁଇଟି ଅତ୍ୟନ୍ତ ଭୟଙ୍କର ଏବଂ ଦେହର ଚର୍ମ ଶୁଷ୍କ । ତା’ର ବେକରେ ଆଘାତ ଲାଗିଥିବାରୁ ରକ୍ତ ବହୁଥିଲା । ଏଭଳି ନାନା କଥା ଏତେ ଲୋକେ କହୁଥାନ୍ତି ଯେ, ସତେ ଯେପରି ପାଟଣର ସମସ୍ତେ ସେହି ଭୂତକୁ ଦେଖିଛନ୍ତି ।

 

ଭୀମଦେବଙ୍କ ସୈନ୍ୟବାହିନୀ ପାଟଣର ଚାରିପାଖରେ ଜଗି ଶିବିର ପକାଇଥାନ୍ତି ଏବଂ ସେମାନଙ୍କ ସଂଖ୍ୟା ପ୍ରତିଦିନ ବଢ଼ିଚାଲିଥାଏ । ଦିନେ ସନ୍ଧ୍ୟାବେଳେ ଏହି ଛାଉଣୀର ବାହାରେ କେତେକ ପ୍ରହରୀ ବସି ଗପ କରୁଥାନ୍ତି ଏବଂ ସେମାନଙ୍କ ଗପର ବିଷୟ ବସ୍ତୁ ଥାଏ ଘୋଘାବାପାଙ୍କ ଭୂତ କଥା । ହଠାତ୍‍ କିଛି ଦୂରରେ ସେମାନେ ଧୂଳି ଉଡ଼ିବାର ଦେଖିଲେ । ଏହାଦେଖି ପ୍ରହରୀମାନେ ସାବଧାନ ହୋଇଗଲେ ଏବଂ ଅସ୍ତ୍ରଶସ୍ତ୍ର ଧରି ପ୍ରସ୍ତୁତ ହୋଇଗଲେ । ଚାରିଗୋଟି ଓଟ ଅତ୍ୟନ୍ତ ବେଗରେ ସେମାନଙ୍କ ଆଡ଼କୁ ଆସୁଥିବାର ସେମାନେ ଦେଖିପାରିଲେ । ଜଣେ ପ୍ରହରୀ ଶିବିରର ଅନ୍ୟ ପ୍ରହରୀମାନଙ୍କୁ ସଚେତ କରିଦେଲା । ଆଉଜଣେ ଗୋଟିଏ ଯୁବକ ବସିଥିବା ପ୍ରଥମ ଓଟର ନିକଟକୁ ଗଲା ଓ ଆରୋହୀକୁ ଦେଖି ସେ ପ୍ରହରୀ ଭୟଭୀତ ହୋଇଗଲା-। ଯେଉଁ ଭୂତ ବିଷୟରେ କିଛିକ୍ଷଣ ପୂର୍ବରୁ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହେଉଥିଲା, ଏ ତ ସେହି-! ସେହିପରି ଭୟଙ୍କର ଆଖି ଦୁଇଟି, ଶୁଖିଲା ଚମ ଏବଂ କାନ୍ଧରେ ଆଘାତ ଫଳରେ ହେଇଥିବା ଘା-। ଭୟରେ ଥରି ଥରି ପ୍ରହରୀଟି ପଚାରିଲା, “ଆପଣ କିଏ ?”

 

ଓଟରେ ବସିଥିବା ଯୁବକ ଜଣକ ଜବାବ ଦେଲା “ମୁଁ ଚୌହାନ । ମହାରାଜା ଭୀମଦେବଙ୍କ ସହିତ ଦେଖା କରିବାକୁ ପ୍ରଭାସରୁ ଆସିଛି ।’’

 

ପ୍ରହରୀ ଜଣକ ନିଜର ଅଜାଣତରେ କହିପକାଇଲା-“ଘୋଘାବାପା !” ମାତ୍ର ଯୁବକ ହସିଲା ନାହିଁ । ଭୂତ କ’ଣ ହସେ ? ଯଦି ସେ ଘୋଘାବାପା ନୁହଁନ୍ତି ତା’ ହେଲେ ନାହିଁ ନ କଲେ କାହିଁକି ? ସତ କଥାକୁ କ’ଣ କିଏ ମନାକରେ ? ଉଷ୍ଟ୍ରାରୋହୀ ଯୁବକ ଆଗକୁ ମାଡ଼ିଚାଲିଲା । ଦ୍ୱିତୀୟ ଏବଂ ତୃତୀୟ ପ୍ରହରୀର ମନରେ ମଧ୍ୟ ଏହିଭଳି ପ୍ରତିକ୍ରିୟା ସୃଷ୍ଟି ହେଲା । ଯୁବକ କୌଣସି କଥା ନ ଶୁଣି ବା ଅନୁମତିକୁ ଅପେକ୍ଷା ନ କରି ନିର୍ଭୟରେ ଦୁର୍ଗ ଅଭିମୁଖେ ଯେଭଳି ଗତି କଲା, ତାହା ଫଳରେ ଏହି କଥା ସୈନ୍ୟଛାଉଣୀର ଚାରିଆଡ଼େ ବ୍ୟାପିଗଲା ।

 

ନିଜ ଓଟ ସହ ଆଗେଇ ଯାଇ ଯୁବକ ଦୁର୍ଗର ଦ୍ୱାରଦେଶରେ ପହଞ୍ଚି ସେଠାରେ ବହୁସଂଖ୍ୟକ ସୈନ୍ୟ ଜମା ହୋଇଥିବାର ଦେଖିଲା । ଅନ୍ଧାର ହୋଇଗଲାଣି । ଯୁବକ ତା’ର ଓଟକୁ ଆଣ୍ଠେଇ ଦେଇ ଓଟପିଠିରୁ ଓହ୍ଲେଇଲା ଏବଂ ତା’ର ସାଙ୍ଗରେ ପଛେ ପଛେ ଆସୁଥିବା ବ୍ରାହ୍ମଣ ଜଣକ ମଧ୍ୟ ଓହ୍ଲେଇଲେ । ସୈନ୍ୟମାନେ ଉଭୟଙ୍କୁ ସାଙ୍ଗେ ସାଙ୍ଗେ ଘେରିଗଲେ ।

 

ଯୁବକ କହିଲା, “ମୁଁ ମହାରାଜା ଭୀମଦେବଙ୍କ ସହିତ ଦେଖା କରିବାକୁ ଚାହେଁ । ପ୍ରଭାସରୁ ବାର୍ତ୍ତା ଆଣିଛି ।” ବୃଦ୍ଧ ଦୁର୍ଗପାଳ ଦୁର୍ଗ ଭିତରୁ ଆସି ସୈନ୍ୟମାନଙ୍କୁ ଦୂର କରିଦେଲା । ତାହା ସଙ୍ଗେ ଜଣେ ମଶାଲଧାରୀ ଆସିଥିଲା । ଭିତରୁ ଆସୁଥିବା ବୃଦ୍ଧ ଯେପରି ଯୁବକଙ୍କୁ ଦେଖି ଚିହ୍ନିପାରିବ, ସେଥିପାଇଁ ରୁଣ୍ତ ହୋଇଥିବା ସୈନ୍ୟମାନେ ଆଡ଼େଇ ଗଲେ । ମଶାଲ ଆଲୁଅରେ ଯୁବକଙ୍କୁ ଦେଖି ବୃଦ୍ଧ ଆଶ୍ଚର୍ଯ୍ୟ ହେଇଗଲା ଓ ତା’ର ଆଖି ଖୋସିହୋଇଗଲା । ହାତରେ ଆଖିକୁ ମକଚି ଓ ପୁଣିଥରେ ଚାହିଁ ସେ କହିଲା, “ବାପରେ, ଏ ତ ଘୋଘାବାପା !” ସେ ପାଟିକରି ଦୁର୍ଗ ଭିତରକୁ ଫେରିବାକୁ ଲାଗିଲା । ଏହାଦେଖି ସୈନ୍ୟମାନେ ମଧ୍ୟ ପଛାଇଗଲେ ।

 

ଯୁବକ ଦୃଢ଼ତାର ସହିତ କହିଲା, “ଅର୍ଜ୍ଜନ ଗାନ୍ଧଭି, ମୁଁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ମହାରାଜ ଭୀମଦେବଙ୍କୁ ଦେଖାକରିବାକୁ ଚାହେଁ । ଯାଇ ତାଙ୍କୁ କୁହ ।”

 

ସାମନ୍ତ ଏବଂ ତାଙ୍କ ସାଙ୍ଗରେ ଆସିଥିବା ବୃଦ୍ଧଙ୍କୁ ଅନ୍ଧାରରେ ଛାଡ଼ିଦେଇ ବୃଦ୍ଧ ଅର୍ଜ୍ଜନ ଗାନ୍ଧଭି ଏବଂ ଆଲୁଅ ଧରି ଆସିଥିବା ଲୋକଟି ଆସ୍ତେ ଆସ୍ତେ ଦୁର୍ଗ ଭିତରକୁ ଚାଲିଗଲେ । ଘୋଘାବାପାଙ୍କ ଭୂତ ପାଖରେ କିଏ ଠିଆ ହୁଅନ୍ତା ? ସୈନ୍ୟମାନେ ମଧ୍ୟ ପଳାଇଗଲେ । ଅର୍ଜ୍ଜନ ଗାନ୍ଧଭି ଚାଲିଯାଇଥିବା ରାସ୍ତାରେ ଯୁବକ ନିଃସଂକୋଚରେ ଆସ୍ତେ ଆସ୍ତେ ଅଗ୍ରସର ହେଲେ ।

Image

 

ଯୋଦ୍ଧାମାନଙ୍କର ବିଚାର

 

ସେଦିନ ସଂଧ୍ୟାବେଳେ ପାଟଣ ରାଜପ୍ରାସାଦର ବିରାଟ ସଭାମଣ୍ତପରେ ମିତ୍ର ଶାସକମାନଙ୍କର ସମବେତ ସମ୍ମିଳନୀ ବସିଥାଏ । ତହିଁରେ ପୌରୋହିତ୍ୟ କରୁଥାନ୍ତି ଭୀମଦେବ । ସେ ଦମ୍ଭରେ ତାଙ୍କ ନିଶ ମୋଡ଼ୁଥାନ୍ତି । ତାଙ୍କ ଡାହାଣରେ ବସିଥାନ୍ତି ମଧ୍ୟମ ବୟସ୍କ ଓ ସୁଗଠିତ ବପୁ ଜୁନାଗଡ଼ର ଶାସକ ରତ୍ନାଦିତ୍ୟ । ମୁଲରାଜ ରତ୍ନାଦିତ୍ୟଙ୍କ ପିତାମହଙ୍କୁ ପରାସ୍ତ କରି ଦିନେ ଜୁନାଗଡ଼କୁ ଚାଲୁକ୍ୟର ଅନ୍ତର୍ଭୁକ୍ତ କରିଥିଲେ । ସେଦିନୁ ଦୁଇରାଜ୍ୟ ଭିତରେ ଚାଲିଆସିଥିବା ବୈରୀଭାବ ଭୁଲି ସେ ଆଜି ଆସିଛନ୍ତି । ତାଙ୍କ ପାଖକୁ କଚ୍ଛର ବୃଦ୍ଧ ବୀର କାମାଲଖାନୀ ବସିଥାନ୍ତି । ମୁଖର ଶୁଭ୍ରଶ୍ମଶ୍ରୁ ଭିତରେ କ୍ଷତଦାଗ ତାଙ୍କ ବୀରତ୍ୱର ପରିଚୟ ଦେଉଛି । ତାଙ୍କର ଗୋଟିଏ ମାତ୍ର ଚକ୍ଷୁ ଥାଏ । ତଥାପି ସେହି ଗୋଟିକ ଚକ୍ଷୁ ସାହାଯ୍ୟରେ ସେ ଦୁଇ ଚକ୍ଷୁଥିବା ଲୋକମାନଙ୍କଠାରୁ ଅଧିକ ଦୃଷ୍ଟିସମ୍ପନ୍ନ ଦେଖାଯାଉଥାନ୍ତି ।

 

ଭୀମଦେବଙ୍କ ବାମ ପାଖରେ ବସିଥାନ୍ତି ଭରୂଚ ରାଜପରିବାରର ଦଦ୍ଦା । ପାଟଣ ରାଜଶକ୍ତିକୁ ସେ ଅତିମାତ୍ରାରେ ଭୟ କରୁଥିବାରୁ ଭୀତତ୍ରସ୍ତ ହୋଇ ଆସିଛନ୍ତି ଏବଂ କିପରି ଚଞ୍ଚଳ ଫେରିଯିବେ, ତାହା ହେଉଛି ତାଙ୍କର ଚିନ୍ତା । ତାଙ୍କ ପାଖକୁ ଭୀମଦେବଙ୍କର ପରମଭକ୍ତ, ଅଠର ବର୍ଷ ବୟସ୍କ ଯୁବକ ତ୍ରିଲୋଚନ ପାଲ ନିଜର ଆରାଧ୍ୟ ବ୍ୟକ୍ତିଙ୍କୁ ଚାହିଁ ବସିଛନ୍ତି । ଭୀମଦେବଙ୍କର ଦୁଇମନ୍ତ୍ରୀ ଦାମୋଦର ମେହେତା ଓ ବିମଳ ତାଙ୍କ ଆଗରେ ବସିଛନ୍ତି । ସେମାନଙ୍କ ଚାରିପାଖରେ ଅନ୍ୟାନ୍ୟ ମନ୍ତ୍ରୀ ତଥା ବିଭିନ୍ନ ରାଜାମାନଙ୍କର ସେନାପତିମାନେ ବସିଛନ୍ତି ।

 

ଆଲେଚ୍ୟ ବିଷୟ ହେଲା, ସେମାନେ ଆଗକୁ ଅଗ୍ରସର ହୋଇ ହମୀର୍‍ର ମୁହାଁମୁହିଁ ହେବେ, ନା ଯେଉଁଠାରେ ଅଛନ୍ତି ସେହିଠାରେ ରହି ହମୀର୍‍ ଆସିଲେ ତା’ର ପ୍ରତିରୋଧ କରିବେ ।

 

ଭୀମଦେବ କହିଲେ, “ନିଜ ପକ୍ଷରୁ ଆକ୍ରମଣ କରିବା ବିଜ୍ଞତାର କାର୍ଯ୍ୟ ବୋଲି ମୋର ସୁଚିନ୍ତିତ ମତ । ଆମ ସୈନ୍ୟବାହିନୀର ସମ୍ମୁଖୀନ ହେବା ଶତ୍ରୁ ପକ୍ଷରେ କଷ୍ଟକର ହେବ ।”

 

ଦାମୋଦର ମେହେତା ମୁଣ୍ତ ହଲାଇ ହସି କହିଲେ, “ମହାରାଜ, ବହୁ ଶକ୍ତିଶାଳୀ ଶାସକଙ୍କୁ ପରାଜିତ କରି ଯେଉଁ ଆକ୍ରମଣକାରୀ ଅଗ୍ରସର ହୋଇ ଆସୁଛି, ତାହାର ଶକ୍ତିକୁ ଅବହେଳା କରିବା ଆମ ପକ୍ଷରେ ଅନୁଚିତ ହେବ ।”

 

ଭୀମଦେବ ଜୋର୍‍ ଦେଇ କହିଲେ, “ଆମ ସୈନ୍ୟବାହିନୀର ବିଶାଳତା ତୁମେ ବୋଧହୁଏ କଳିନାହଁ । ତାହାଛଡ଼ା, ଶତ୍ରୁ ଏଠାକୁ ଆସିବାବେଳକୁ ଆମ ସୈନ୍ୟବାହିନୀର ସଂଖ୍ୟ ଆହୁରି ଅଧିକ ବଢ଼ିଯିବ । ଅନ୍ୟ ଦିଗରେ ଶତ୍ରୁର ସୈନ୍ୟବାହିନୀ କ୍ଳାନ୍ତ ହୋଇଥିବା ସ୍ଥଳେ, ଆମ ସୈନ୍ୟବାହିନୀ ସମ୍ପୂର୍ଣ୍ଣ ସତେଜ ଥିବେ ।”

ଜୁନାଗଡ଼ର ଶାସକ ରତ୍ନାଦିତ୍ୟ ଭୀମଦେବଙ୍କୁ ସମର୍ଥନ କରି କହିଲେ, “ତାହାଛଡ଼ା ଶତ୍ରୁ ପକ୍ଷରେ ଏ ଦେଶ ମଧ୍ୟ ଅପରିଚିତ ।”

ଦାମୋଦର କହିଲେ, “ମରୁଭୂମି ଯେ ଶତ୍ରୁ ପକ୍ଷରେ ଦିନେ ଅଜଣା ଥିଲା ଏ କଥା ଆମେ ଭୁଲିଯିବା ଉଚିତ ନୁହେଁ । ଆମେ ଯଦି ଆଗକୁ ଅଗ୍ରସର ହୋଇ ପରାଜିତ ହେଉ, ତାହାହେଲେ ପ୍ରଭାସ ମଧ୍ୟରେ ଆଉ କେହି ରହିବେ ନାହିଁ ।

ବରଂ ଅନ୍ୟ ଦିଗରେ ଆମେ ଯେବେ ପାଟଣକୁ ଆକ୍ରମଣ କରିବାପାଇଁ ଶତ୍ରୁକୁ ବାଧ୍ୟ କରିବା ଭଳି ଅବସ୍ଥା ସୁଷ୍ଟି କରୁ, ତାହାହେଲେ ଅଧିକ ଅଗ୍ରସର ହେବାପାଇଁ ତାକୁ ଛଅ ମାସରୁ ବେଶି ସମୟ ଲାଗିବ ।”

ତ୍ରିଲୋଚନ ପାଲ ଏହି ମତକୁ ସମର୍ଥନ କରି କହିଲେ, “ଏହାଦ୍ୱାରା ଶତ୍ରୁ ଓ ତା’ର ସୈନ୍ୟବାହିନୀକୁ ଆହୁରି କ୍ଲାନ୍ତ କରିଦିଆଯିବ ।”

ଭୀମଦେବ ପ୍ରତିବାଦ କରି ଦୃଢ଼ତାର ସହିତ କହିଲେ, “ନା, ପାଟଣର ପାଚେରି ସେପଟେ ଯାହା ଘଟିବ, ଯଦି ଏପରି ବିରାଟ ସୈନ୍ୟବାହିନୀ ଥାଇ ଆମେ ସେଥିପ୍ରତି ଆଖି ବୁଜିଦେଉ, ତା’ ହେଲେ ଆମ ନାମରେ କଳଙ୍କ ଲାଗିବ ।” ଉତ୍ସାହରେ ଉଠିପଡ଼ି ଓ ସିଧାଭାବେ ଠିଆହୋଇ ସେ କହିଲେ, “ହମୀର୍‍କୁ ସିଧା ଆକ୍ରମଣ କରି ତା’ର ସୈନ୍ୟବାହିନୀକୁ ଧ୍ୱଂସ କରିବାକୁ ମୁଁ ଚାହେଁ । ଆକ୍ରମଣକାରୀକୁ ଧ୍ୱଂସ କରିବା ଉଦ୍ଦେଶ୍ୟରେ ପ୍ରଭୁ ସୋମନାଥ ମୋତେ ଜନ୍ମ ଦେଇଛନ୍ତି ବୋଲି ମୁଁ ଭାବେ, ମେହେତାଜୀ ! ଆମେ ଆଗକୁ ଅଗ୍ରସର ହେବା; ଆମକୁ କିଏ ବାଧା ଦେବାକୁ ସାହସ କରୁଛି ଦେଖିବା । ଗୁଜରାତର ସମବେତ ଉଦ୍ୟମରେ ଶତ୍ରୁକୁ ଜବତ୍‍ କରିବାରେ ଆମେ ସଫଳ ହେବା । ଆମର ଏହି ସବଳ ନୀତିକୁ ନାପସନ୍ଦ କରୁଥିବା ଲୋକେ ନିଜେ ନିଜେ ଘରକୁ ଫେରିଯାନ୍ତୁ । ବାକି ଯେତକ ଆମେ ରହିବୁ, ସେମାନେ ହମୀର୍‍କୁ ପରାଜିତ କରି ଅମର ହେବୁ ।” ଭୀମଦେବ ଏହା କହୁଥିବାବେଳା ତାଙ୍କର ଆଖି ଦୁଇଟି ଉଜ୍ଜ୍ୱଳ ଦେଖାଯାଉଥାଏ ଏବଂ ନିଜ ଉପରେ ଆତ୍ମବିଶ୍ୱାସ ବଢ଼ୁଥିବା ପରି ଜଣାଯାଉଥାଏ ।

ଏକାଧିକ ଯୋଦ୍ଧା “ଧନ୍ୟ ଧନ୍ୟ” ବୋଲି ଶବ୍ଦ କଲେ । ଭୀମଦେବଙ୍କ କଥାରେ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଲା ଏବଂ ଯୁଦ୍ଧ କରିବାପାଇଁ ବ୍ୟଗ୍ରତା ପ୍ରକାଶ ପାଇଲା ।

ଜୁନାଗଡ଼ର ରତ୍ନାଦିତ୍ୟ ଦାମୋଦର ମେହେତାଙ୍କୁ ଲକ୍ଷ୍ୟକରି ପଚାରିଲେ, “ମରୁଭୂମି ଅତିକ୍ରମ କରି କ୍ଳାନ୍ତ ହୋଇ ଆସିଥିବା ହମୀର୍‍ର କ’ଣ କିଛି କରିବାକୁ ଶକ୍ତି ଥିବ ବୋଲି ଆପଣ ଭାବୁଛନ୍ତି ?” ଭୀମଦେବଙ୍କ ମନ୍ତ୍ରୀ ଅଯଥା ଆପତ୍ତି ଉଠାଇଛନ୍ତି ବୋଲି ଅଧିକାଂଶ ଭାବିଲେ ।

ଦାମୋଦର ପୁଣି ଦୃଢ଼ତାର ସହିତ କହିଲେ, “ଯେଉଁ ଲୋକ ଏତେ କଷ୍ଟ ସହ୍ୟକରି ମରୁଭୂମି ଅତିକ୍ରମ କରି ଆସିଛି, ଏହି ଶସ୍ୟଶ୍ୟାମଳା ଭୂମିରେ ଚାଲିବାପାଇଁ ସେ କ୍ଳାନ୍ତି ଅନୁଭବ କରିବ ବୋଲି ଆପଣ ଭାବୁଛନ୍ତି ?”

ଭୀମଦେବ କହିଲେ, “ସେ ଯେବେ କ୍ଳାନ୍ତ ନ ହୋଇଥାଏ, ତାହାହେଲେ ଆମେ ତାହା କରିଦେବା । ମେହେତାଜୀ, ତୁମେ ପାଟଣରେ ରହ । ଆମର ଯାହା ଦରକାର ହେଉଥିବ ତୁମେ ପଠାଉଥିବ । ପ୍ରଭୁ ସୋମନାଥଙ୍କ ଶତ୍ରୁକୁ ଧ୍ୱଂସ କରି ଆମେ ଏହି ପବିତ୍ର ଭୂମିକୁ ଉଦ୍ଧାର କରିବୁ-ଏ ବିଷୟରେ ମୋର ପୂରା ବିଶ୍ୱାସ ଅଛି । ଯେ ପର୍ଯ୍ୟନ୍ତ ପ୍ରଭୁ ସୋମନାଥ ଆମ ସପକ୍ଷରେ ଅଛନ୍ତି, ହମୀର୍‍ ଆମର କ’ଣ ବା କରିବ ?”

ସମସ୍ତେ ଉତ୍ସାହିତ ହୋଇ କହିଲେ, “ମହାରାଜ ! ଆପଣ ଠିକ୍‍ କଥା କହିଛନ୍ତି ।”

“ଆମେ କ’ଣ ନିଜ ହାତରେ ଚୁଡ଼ି ପିନ୍ଧିଲୁଣି ?” ଏହା କହିବାକ୍ଷଣି ବୁଢ଼ା କାମାଲଖାନୀଙ୍କର ଆଖି ଉଜ୍ଜ୍ୱଳ ହୋଇଗଲା । ଭୀମଦେବ ତାଙ୍କ ଆସନରୁ କୁଦିପଡ଼ି କହିଲେ, “ଆମ ବିଷୟରେ ଏ ଭଳି କଥା କିଏ କହିବ ?”

ସତେ ଯେପରି ଏହି ପ୍ରଶ୍ନର ଉତ୍ତର ଦେଇଛି, ସେହିପରିଭାବେ ଭିତରକୁ ଆସି ଗୋଟାସାରା ଥରି ଥରି ଅର୍ଜ୍ଜନ ଗାନ୍ଧଭି କହିଲା, “ଅନ୍ନଦାତା, ଘୋଘାବାପା !” ତା’ର ପଗଡ଼ି ଫିଟି ପଡ଼ିଥାଏ, ଆଖିରେ ଭୟର ଚିହ୍ନ । ଭୟରେ ତା’ର ହାତ ଯୋଡ଼ିକ ଠିକ୍‍ ବରଡ଼ାପତ୍ର ପରି ଥରିବାକୁ ଲାଗିଲା । ସମସ୍ତେ ଏକ ଲୟରେ ତା’ ଆଡ଼କୁ ଚାହିଁଲେ ।

ଭୀମଦେବ ରାଗିଯାଇ ପଚାରିଲେ, “ଗାନ୍ଧଭୀ, କ’ଣ ଖବର ? କ’ଣ ହେଲା ?”

ଅର୍ଜ୍ଜନ ନିଜ ଆଖି ଘୋଡ଼ାଇ କହିଲା, “ଅନ୍ନଦାତା ! ଘୋଘାବାପା ଆସିଛନ୍ତି ।” ଉପସ୍ଥିତ ଭଦ୍ରବ୍ୟକ୍ତିମାନେ ଆଶ୍ଚର୍ଯ୍ୟ ହୋଇ ଠିଆ ହେଲେ । ଏକମାତ୍ର ଭୀମଦେବ ବିବ୍ରତ ନ ହୋଇ ସ୍ଥିର ଭାବରେ ରହିଥାନ୍ତି ।

ସେ କହିଲେ, “ଗାନ୍ଧଭି ! ସେ ଯେ ହେଉନା କାହିଁକି, ତାକୁ ଆସିବାକୁ ଦିଅ । ମୁଁ ମୃତ୍ୟୁ ଦେବତାକୁ ମଧ୍ୟ ଦେଖା କରିବାକୁ ଭୟ କରେ ନାହିଁ ।”

ସାମନ୍ତ ସଭାମଣ୍ତପ ଭିତରକୁ ପ୍ରବେଶ କରିବା ସମୟରେ କ୍ଳାନ୍ତ ଦିଶୁଥିଲେ ସୁଦ୍ଧା ସେ ନିଜକୁ ସମ୍ଭାଳି ନେଇ ଦୃଢ଼ତାର ସହିତ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅନାଇଲେ । ତାଙ୍କର ଚେହେରା ସଙ୍ଗେ ଘୋଘାବାପାଙ୍କ ଚେହେରାର ଯେ ଯଥେଷ୍ଟ ସାମଞ୍ଜସ୍ୟ ରହିଛି, ଏହା ନିଃସନ୍ଦେହସେହିପରି-। ସେହିପରି ଆଖି, ଚର୍ମ ଓ ସେହି କ୍ଷତଚିହ୍ନ ।

 

ଭୀମଦେବଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ସାମନ୍ତ କହିଲେ, “ମହାରାଜ ! ମୁଁ ଘୋଘାବାପାଙ୍କ ନାତି ସାମନ୍ତ । ମହାରାଜ ଭୀମଦେବଙ୍କର ଜୟ ହେଉ । ଜୟ ସୋମନାଥ ।”

 

ବିମଳ ତାଙ୍କୁ ସାଙ୍ଗେ ସାଙ୍ଗେ ଚିହ୍ନିପାରି ଅନ୍ୟମାନେ ପ୍ରକୃତିସ୍ଥ ହେବା ଆଗରୁ କହିଲେ, “ଆସ ବୀର ଚୌହାନ !”

 

ଭୀମଦେବ ଟିକିଏ ଆଗେଇ ଯାଇ ଓ ସାମନ୍ତଙ୍କୁ କୁଣ୍ଢାଇ କହିଲେ, “ବୀର ଚୌହାନ, ତୁମ ପରିବାର ରାଜପୁତ ଜାତିର ଏକସ୍ତରୀ ପୁରୁଷକୁ ଉଦ୍ଧାର କରିଦେଇଛନ୍ତି । ଆସ ବନ୍ଧୁ !”

 

ସାମନ୍ତ ଭୀମଦେବଙ୍କ ଆଲିଙ୍ଗନରୁ ଭଦ୍ରତାପୂର୍ଣ୍ଣ ଭାବରେ ଅଥଚ ଦୃଢ଼ତା ସହିତ ନିଜକୁ ଅଲଗା କରି ଓ ମୁଁହରେ କୌଣସି ଭାବପ୍ରବଣତା ପ୍ରକାଶ ନ କରି କିଛିଦୂରରେ ଯାଇ ଠିଆହେଲେ-। ସେମାନଙ୍କ ସମ୍ମୁଖରେ କୌଣସି ଭୂତ ନୁହେଁ, ଜଣେ ଜୀବନ୍ତ ବ୍ୟକ୍ତି ଆସି ବର୍ତ୍ତମାନ ଠିଆ ହୋଇଛନ୍ତି ଏହା ବୁଝିବାକୁ ଅନ୍ୟମାନଙ୍କୁ ବେଶି ସମୟ ଲାଗିଲା ନାହିଁ । କେବଳ ଅର୍ଜନ ଗାନ୍ଧଭି ଏହା ବିଶ୍ୱାସ କରିପାରିଲା ନାହିଁ ।

 

“ବତ୍ସ ଚୌହାନ !” କହି ଭୀମଦେବ ଆଉଥରେ ସାମନ୍ତଙ୍କର ହାତଧରି ତାଙ୍କ ନିକଟରେ ବସାଇଲେ । ସାମନ୍ତ ସଭକ୍ତି ତାଙ୍କ କଥା ମାନି ଓ ଦୁଇଗୋଡ଼ ଲୁଚାଇ ତାଙ୍କ ନିକଟରେ ବସିଲେ । ଭୀମଦେବ ପଚାରିଲେ, “କେଉଁଠାରୁ ଆସିଲ ? କିଛି ଖବର ନେଇ ଆସିଛ ?”

 

ସାମନ୍ତ–“ମୁଁ ଗୁରୁଦେବ ଗଙ୍ଗ ସର୍ବଜ୍ଞଙ୍କଠାରୁ ଖବର ନେଇ ଆସିଛି ।”

 

ଦାମୋଦର ମେହେତା ପଚାରିଲେ, “ତା’ହେଲେ ଆପଣ ପ୍ରଭାସରୁ ଆସିଛନ୍ତି ? ସେଠାକୁ ଆପଣ ଗଲେ କେବେ ?”

 

ସାମନ୍ତ କହିଲେ, “ହମୀର୍‍ଠାରୁ ମୁକ୍ତି ପାଇବା ସଙ୍ଗେ ସଙ୍ଗେ ମୁଁ ସିଧା ପ୍ରଭାସ ଗଲି । ଆମ ପରିବାରର ପୁରୋହିତ ନନ୍ଦୀଦତ୍ତ ବାହାରେ ଠିଆ ହୋଇଛନ୍ତି ।”

 

ଦାମୋଦର ମେହେତା ବିବ୍ରତ ହୋଇ କହିଲେ, “ନନ୍ଦୀଦତ୍ତ ! ଆପଣ ତାଙ୍କୁ ବାହାରେ ଛାଡ଼ିଦେଇ ଆସିଛନ୍ତି ? ମୁଁ ଯାଇ ତାଙ୍କୁ ଭିତରକୁ ଆଣେ ।” ସେ ବାହାରକୁ ଯାଇ ଘୋଘାବାପାଙ୍କ ପରିବାରର କୁଳ-ପୁରୋହିତଙ୍କୁ ଯେଭଳି ସମ୍ମାନ ତଥା ସୌଜନ୍ୟ ଦେଖାଇବା କଥା ସେହିଭଳି ବ୍ୟବହାର ସହ ଭିତରକୁ ଆଣିଲେ । ବୃଦ୍ଧଙ୍କ ଆଖିରୁ ଧାର ଧାର ହୋଇ ଲୁହ ବୋହିଯାଉଥାଏ ।

 

ସେ ଆସିବାକ୍ଷଣି “ଆମ ସଭାକୁ ଆପଣଙ୍କୁ ସ୍ୱାଗତ କରୁଛି”ବୋଲି ଭୀମଦେବ କହିଲେ-। ତା’ପରେ ଉପସ୍ଥିତ ସମସ୍ତେ ବସିପଡ଼ିଲେ ଏବଂ ଭୀମଦେବଙ୍କ ପ୍ରଶ୍ନର ଉତ୍ତରରେ ଘୋଘାବାପାଙ୍କ ବଂଶ ଯେପରି ଲୋପ ପାଇଲା, ସେ ବିଷୟ ନନ୍ଦୀଦତ୍ତ ସଂକ୍ଷେପରେ ବର୍ଣ୍ଣନା କଲେ ।

 

ଅବସ୍ଥା ଦୃଷ୍ଟିରୁ ଯାହା ଜରୁରୀ ତାହା ଯେପରି ପୁଣି ଶୀଘ୍ର ସଭାରେ ଆଲୋଚନା କରାଯାଏ, ସେଥିପାଇଁ ଦାମୋଦର ମେହେତା ବ୍ୟଗ୍ରତା ସହିତ କହିଲେ “ଆପଣ ଯେତେବେଳେ ଆସିଲେ ସେତେବେଳେ ହମୀର୍‍ର ସୈନ୍ୟଛାଉଣି କେଉଁଠାରେ ଥିଲା ଏବଂ ଆପଣ କେବେ ସେ ସ୍ଥାନ ଛାଡ଼ିଲେ ?”

 

ସାମନ୍ତ କହିଲେ, “ମାରଓ୍ୱାଡ଼ ସୀମାନ୍ତରୁ ଅଳ୍ପ ଦୂରରେ ମରୁଭୂମିରେ ତା’ର ଛାଉଣୀ ଥିବା ମୁଁ ଦେଖିଥିଲି । ଗୁରୁଦେବଙ୍କୁ ତାଗିଦ୍‍ କରିଦେବା ଉଦ୍ଦେଶ୍ୟରେ ସେଠାରୁ ମୁଁ ଅତିଶୀଘ୍ର ପ୍ରଭାସ ଗଲି ଓ ସେଠୁ ପାଟଣକୁ ମୋ ଓଟ ଯେତେଶୀଘ୍ର ମୋତେ ଆଣିପାରେ ସେତେଶୀଘ୍ର ଆସିଛି ।”

 

–“ହମୀର୍‍ ଏଠାରୁ କେତେ ଦୂରରେ ଥିବ ବୋଲି ଆପଣ ଭାବୁଛନ୍ତି ?”

 

ସାମନ୍ତ–‘‘ପନ୍ଦର ଦିନର ବାଟ ହେବ ବୋଲି ଭାବୁଛି ।’’

 

ଭୀମଦେବ ପଚାରିଲେ, “ଆପଣମାନେ ହମୀର୍‍ର ସୈନ୍ୟବାହିନୀ ଦେଖିଛନ୍ତି ?”

 

ସାମନ୍ତ ମ୍ଳାନ ବଦନରେ କହିଲେ, “ଦେଖିଛି ? ମୁଁ ତା’ର ସୈନ୍ୟବାହିନୀ ମଧ୍ୟରେ ରହିଛି ଓ ତା’ର ଶକ୍ତି କଳିଛି । ହମୀର୍‍ର ନିଜ ଶକ୍ତି କେତେ ତାହା ମଧ୍ୟ ଜାଣିଛି । ମୁଁ ସେହି ବିଷୟ ଗୁରୁଦେବଙ୍କୁ ଜଣାଇବାରୁ ସେ ମୋର ଅନୁଭୂତି ଆପଣଙ୍କୁ ଜଣାଇବାପାଇଁ ଆଦେଶ ଦେଲେ; କାରଣ ଆପଣ ହେଉଛନ୍ତି ପ୍ରଭୁ ସୋମନାଥଙ୍କର ଦକ୍ଷିଣହସ୍ତ ।”

 

ଭୀମଦେବ କହିଲେ, “ଗୁରୁଦେବଙ୍କର ଆଜ୍ଞା ମୋର ଶିରୋଧାର୍ଯ୍ୟ । ଚୌହାନ ବୀର, ତୁମର ଯାହା କହିବାର ଅଛି ନିଃସଂକୋଚରେ କୁହ ।”

 

ସାମନ୍ତ–‘‘ପ୍ରଥମ କଥା ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ, ଆପଣ ଯେବେ ହମୀର୍‍ ସହିତ ସମ୍ମୁଖ ଯୁଦ୍ଧ କରିବା କଥା ଭାବୁଥାନ୍ତି, ତାହାହେଲେ ସେ ବିଚାର ଛାଡ଼ନ୍ତୁ ।’’

 

ସାମନ୍ତ ଏହା ଧୀରେ କହିଥିଲେ ମଧ୍ୟ ଉପସ୍ଥିତ ସଭାସଦ୍‍ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ସେମାନେ କିଛିକ୍ଷଣ ପୂର୍ବରୁ ଯାହା କରିବେ ବୋଲି ଭାବୁଥିଲେ, ସାମନ୍ତ ଠିକ୍‍ ତାର ଓଲଟା ପରାମର୍ଶ ଦେଉଛନ୍ତି ।

 

ଭୀମଦେବ ରାଗିକରି କହିଲେ, “ତୁମ କହିବାର ଅର୍ଥ, ମୁଁ ପାଟଣର ଚାଲୁକ୍ୟବଂଶଜ ହୋଇ ମଧ୍ୟ ଶତ୍ରୁ ସହିତ ମୁହାଁମୁହିଁ ଲଢ଼ିବି ନାହିଁ ?” ସତେ ଯେପରି ସାମନ୍ତଙ୍କୁ ଭସ୍ମ କରିଦେବେ-ଠିକ୍‍ ସେହିପରି ତାଙ୍କ ଆଖି ଯୋଡ଼ିକ ଲାଲ୍‍ ହୋଇଉଠିଲା ।

 

ସାମନ୍ତ ବିବ୍ରତ ନ ହୋଇ ଧୀର ସ୍ଥିରଭାବେ ବସିରହିଥାନ୍ତି । ତାଙ୍କ ମୁହଁରେ ବ୍ୟଙ୍ଗ ହାସ୍ୟ । ଗତ ଅଳ୍ପଦିନ ମଧ୍ୟରେ ଲବ୍ଧ ଅଭିଜ୍ଞତା ସାମନ୍ତଙ୍କୁ ଯୌବନରେ ମଧ୍ୟ ବୃଦ୍ଧତ୍ୱ ଆଣିଦେଇଥିଲା ।

 

ସାମନ୍ତ କହିଲେ, “ମହାରାଜ ! ମୋତେ କ୍ଷମା ଦିଅନ୍ତୁ । ମୁଁ ଏଭଳି ଦମ୍ଭୋକ୍ତି ଶୁଣି ଶୁଣି ବଧିର ହେଲିଣି ।” ତାଙ୍କର ଏହି ଧୀର ଓ ହସ ହସ କଥା ସମସ୍ତେ ଏକଲୟରେ ଶୁଣୁଥାନ୍ତି । ସେ ପୁଣି କହିଲେ, “ଚାଲୁକ୍ୟରାଜ ! ମୁଁ ଭାବୁଛି ଆମର ଦୂରଦୃଷ୍ଟିର ଅଭାବ ତଥା ଏକତା ନ ଥିବା ଯୋଗୁଁ ହିନ୍ଦୁ ଶାସକମାନଙ୍କୁ ପରାଜିତ କରିବା ଉଦ୍ଦେଶ୍ୟରେ ପ୍ରଭୁ ପିନାକପାଣି ଏହି ହମୀର୍‍କୁ ପଠାଇଛନ୍ତି ।”

 

ଉପସ୍ଥିତ ରାଜନ୍ୟମଣ୍ତଳୀ କ୍ରୋଧ ତଥା ଆଶ୍ଚର୍ଯ୍ୟାନ୍ୱିତଭାବେ ଏହି ଯୁବକର ଦମ୍ଭୋକ୍ତି ନୀରବରେ ଶୁଣୁଥାନ୍ତି । ଭୀମଦେବଙ୍କ ଡାହାଣହାତ ତାଙ୍କ ଅଜାଣତରେ ନିଜ ତରବାରି ଉପରକୁ ଚାଲିଗଲା ଏବଂ ଏହି ଘଟଣା ସାମନ୍ତଙ୍କ ଆଖିରେ ଅଗୋଚର ରହିଲା ନାହିଁ । ତାଙ୍କର ଅଧୀରତା ସାମନ୍ତ ଜାଣିପାରିଛନ୍ତି ବୋଲି ହୃଦୟଙ୍ଗମ କରିବାରୁ ଭୀମଦେବ ସାଙ୍ଗେ ସାଙ୍ଗେ ତରବାରି ଉପରୁ ହାତ କାଢ଼ିନେଲେ ।

 

ସାମନ୍ତ କହିଲେ, “ଚାଲୁକ୍ୟରାଜ, ହମୀ୍‍ରକୁ ପରାଜିତ କରିବା ଆମ ପକ୍ଷରେ ସହଜ କଥା ବୋଲି ଭାବିବା ଆମର ଔଦ୍ଧତ୍ୟର ପରିଚାୟକ ହେବ ।”

 

ଅଜଗର ମୁହଁରେ ଯେପରି ଅନ୍ୟ ବନଚର ପ୍ରାଣୀମାନେ ନିଃସହାୟ ହୋଇପଡ଼ନ୍ତି, ଆମ୍ଭେମାନେ ସମ୍ମୁଖ-ଯୁଦ୍ଧରେ ହମୀର୍‍ ହାତରେ ପଡ଼ି ସେହିପରି ନିଜର ସର୍ବନାଶ କରିବା । ଏହି ଧରଣର ଆତ୍ମଗର୍ବ ଫଳରେ ଘୋଘାବାପାଙ୍କର ସାରା ବଂଶ ଲୋପ ପାଇଲା ଓ ବାଲମଦେବ ନିଜର ପଚାଶ ହଜାର ସୈନ୍ୟଙ୍କୁ ଧ୍ୱଂସମୁଖରେ ପକାଇଲେ । ଆପଣ ମଧ୍ୟ ସେହିପରି ଭାବୁଛନ୍ତି ।”

 

ରାୟ ରତ୍ନାଦିତ୍ୟ ପରିହାସ କରି କହିଲେ, “ତା’ହେଲେ ଆପଣ କ’ଣ କହୁଛନ୍ତି ଯେ ଆମେ ସମସ୍ତେ ଏଠାରୁ ଯେଝା ଘରକୁ ଫେରିଯିବା ?”

 

ସାମନ୍ତ କହିଲେ, “ନା, ଆପଣ ଯାହା ଠିକ୍‍ ଭାବୁଛନ୍ତି ତାହା କରନ୍ତୁ, କିନ୍ତୁ କିଛି କରିବା ପୂର୍ବରୁ ହମୀର୍‍ ଓ ତା’ର ସୈନ୍ୟବାହିନୀର ଶକ୍ତି ସମ୍ପର୍କରେ ଠିକ୍‍ଭାବେ ଶୁଣିନିଅନ୍ତୁ । ମୋର ବକ୍ତବ୍ୟ ହୁଏତ ଆପଣମାନଙ୍କୁ ଭଲ ଲାଗିନପାରେ; କିନ୍ତୁ ମୁଁ କିଛି ବାହୁଲ୍ୟ କରି କହୁନାହିଁ । ଆପଣ ଯେତେ ସୈନ୍ୟ ସଂଗ୍ରହ କରିଛନ୍ତି ସେମାନେ ହମୀର୍‍ର ସୈନ୍ୟବାହିନୀ ଆଗରେ ଅର୍ଦ୍ଧ-ମୁହୂର୍ତ୍ତ ମଧ୍ୟ ଠିଆ ହୋଇପାରିବେ ନାହିଁ ।”

 

ଏହି କଥାବାର୍ତ୍ତା ସମୟରେ ଭୀମଦେବ ସାମନ୍ତଙ୍କ ଉପରେ ତୀକ୍ଷ୍‍ଣ ଦୃଷ୍ଟି ରଖିଥାନ୍ତି । ସାମନ୍ତ ବନ୍ଧୁ ବା ଶତ୍ରୁ, ସେ ଏ ପର୍ଯ୍ୟନ୍ତ ତାହା ଠିକ୍‍ କରି ପାରିନଥାନ୍ତି । ହୁଏତ ଏହି ଯୁବକ କଥାବାର୍ତ୍ତା କରୁଥିବା ସମୟରେ ସେ ବାଧା ଦେଇଥାନ୍ତେ; କିନ୍ତୁ ସେ ଦେଖିଲେ ଯେ, ସାମନ୍ତଙ୍କ ବକ୍ତବ୍ୟକୁ ଦାମୋଦର ମେହେତା ମଧ୍ୟ ମୁଣ୍ତ ହଲାଇ ସମର୍ଥନ କରୁଛନ୍ତି ।

 

ସାମନ୍ତ ପୁଣି କହିଲେ, “ମହାରାଜ, ଆପଣଙ୍କର ଯେବେ ହମୀର୍‍ର ସୈନ୍ୟବାହିନୀ ତଥା ତା’ର ସଙ୍ଗଠନଶକ୍ତି ସମ୍ପର୍କରେ ପ୍ରକୃତ ଧାରଣା ଥାନ୍ତା, ତାହାହେଲେ ଆପଣ ମଧ୍ୟ ଏଇଆ କହନ୍ତେ । ଆପଣଙ୍କର ବର୍ତ୍ତମାନ ଯେତେ ସୈନ୍ୟ ଅଛନ୍ତି ତାହାର ଦଶଗୁଣ ସୈନ୍ୟ ନେଇ ମଧ୍ୟ ଆପଣ ହମୀର୍‍କୁ ପରାଜିତ କରିପାରିବେ ନାହିଁ, ଏହା ଜାଣିରଖନ୍ତୁ ।”

 

ଭୀମଦେବ ନିଜକୁ ଆଉ ସମ୍ଭାଳି ନ ପାରି କହିଲେ, “ଆମେ ଏପରି ଡରିଯିବୁ ନାହିଁ । ଆମର ସଂଖ୍ୟା ଅଳ୍ପ ଏବଂ ଶତ୍ରୁ ସଂଖ୍ୟା ଅଧିକ, ଏହା କେବଳ କାପୁରୁଷ ଲୋକ କହିପାରେ ।”

 

ମୁହୂର୍ତ୍ତକ ପାଇଁ ସାମନ୍ତଙ୍କ ମୁହଁରେ କ୍ରୋଧଭାବ ଦେଖାଦେଇଥିଲେ ସୁଦ୍ଧା ସେ ନିଜକୁ ସମ୍ଭାଳି ନେଲେ । ତା’ପରେ ତାଙ୍କ ମୁହଁରେ ଅଦ୍ଭୁତ ଦୃଢ଼ତା ଏବଂ ଆଖିରେ ଅପାର୍ଥିବ ଉଜ୍ଜ୍ୱଳତା ଦେଖାଦେଲା । ସେ ସିଧାହୋଇ ଠିଆ ହେଲେ । ଭୀମଦେବଙ୍କ ପ୍ରତି ସମ୍ମାନର ନିଦର୍ଶନସ୍ୱରୂପ ହାତ ଯୋଡ଼ିଦେଲେ । ତା’ପରେ ତାଙ୍କ ମୁହଁରୁ ଏକ କ୍ରୁଦ୍ଧ ସର୍ପର ବିଷ ଉଦ୍‍ଗୀରଣ ପରି ବାକ୍ୟ ବାହାରିଲା ।

 

ସେ କହିଲେ, “ଭୀମଦେବ ମହାରାଜ, ଆପଣଙ୍କ ଛଡ଼ା ଅନ୍ୟକେହି ମୋତେ କାପୁରୁଷ କହିଥିଲେ ମୁଁ ତା’ର ପ୍ରାଣ ନେଇଥାନ୍ତି; କିନ୍ତୁ ମୁଁ ଆପଣଙ୍କ ସହିତ କଳହ କରିବାପାଇଁ ଆସିନାହିଁ । ପ୍ରଭୁ ସୋମନାଥଙ୍କ ରକ୍ଷା ଉଦ୍ଦେଶ୍ୟରେ ଯତ୍‍ପରୋନାସ୍ତି ଚେଷ୍ଟା କରିବାକୁ ମୁଁ ଆସିଛି । ନିଜ ରାଜ୍ୟ ତଥା ଶାସନ ବଜାୟ ରଖିବାରେ ଆପଣଙ୍କ ସ୍ୱାର୍ଥ ନିହିତ; କିନ୍ତୁ ହମୀର୍‍ର ମୃତ୍ୟୁଛଡ଼ା ମୋର ଆଉ କୌଣସି ଆକାଙ୍‍କ୍ଷା ନାହିଁ । ଆପଣ ହମୀର୍‍ର ନାମ କେବଳ ଶୁଣିଛନ୍ତି; କିନ୍ତୁ ମୋର ପିତାମହ ଘୋଘାବାପା ହମୀର୍‍ର ଗତିରୋଧ କରିବାକୁ ଯାଇ ନିଜର ସାରା ବଂଶକୁ ଆହୁତି ଦେଇଛନ୍ତି । ହମୀର୍‍କୁ ଦୁର୍ଗମ ମରୁଭୂମି ଭିତରେ ପଥ ଭୁଲାଇ ତା’ର ସୈନ୍ୟବାହିନୀ, ଅସ୍ତ୍ରଶସ୍ତ୍ର ତଥା ସମୟ ନଷ୍ଟ କରାଇ ମୋର ପିତା ଅଦ୍ଭୁତ ବୀରତ୍ୱର ପରାକାଷ୍ଠା ଦେଖାଇଛନ୍ତି । ମୁଁ ନିଜେ ତା’ର ଛାଉଣୀକୁ ଯାଇ ମୋର ଏଇ ତରବାରିରେ ତା’ର ଜୀବନ ନେବାକୁ ଚେଷ୍ଟା କରିଥିଲି । ମୁଁ ଯଦି ତହିଁରେ ସଫଳ ହୋଇଥାନ୍ତି, ତାହାହେଲେ ଲକ୍ଷ ଲକ୍ଷ ରାଜପୁତ ଯୋଦ୍ଧା ଯାହା ଆଜିସୁଦ୍ଧା କରିପାରିନାହାନ୍ତି, ମୁଁ ଏକାକୀ ତାହା କରିପାରିଥାନ୍ତି ।” ସେ ପୁଣି କିଛି କହିବାକୁ ଚେଷ୍ଟା କଲେ, କିନ୍ତୁ ତାଙ୍କର ସ୍ୱର ଶୋକାକୁଳ ହୋଇଆସିଲା । ତଥାପି ସେ କହିଲେ, ‘‘କିନ୍ତୁ ସେତେବେଳେ ହମୀର୍‍ର ମୃତ୍ୟୁ ହେବା ବୋଧହୁଏ ପ୍ରଭୁ ସୋମନାଥଙ୍କର ଇଚ୍ଛା ନ ଥିଲା । ମୁଁ ଓ ମୋ ପରିବାର ଯାହା କରିଛୁ, ମହାରାଜ ଭୀମଦେବ, ଆପଣ ଯେବେ ସେତିକି କରିପାରନ୍ତି, ତାହାହେଲେ ପ୍ରଭୁ ସୋମନାଥ ଆପଣଙ୍କୁ ନିଶ୍ଚୟ ଯଶ ଦେବେ ।”

 

ସାମନ୍ତ କହିସାରି ଓ ପ୍ରଣାମ କରି ସଭାସ୍ଥଳରୁ ଚାଲିଯିବାକୁ ବସିଲେ; କିନ୍ତୁ ଦାମୋଦର ମେହେତା ଠିଆହୋଇଯାଇ ତାଙ୍କୁ ଅଟକାଇ କହିଲେ, “ବୀର ଚୌହାନ ! ମହାରାଜ ଭୀମଦେବ ଘୋଘାଗଡ଼ର ଚୌହାନଙ୍କୁ କାପୁରୁଷ କହିବା ପୂର୍ବରୁ ବରଂ ଜିଭ କାଟିଦେବେ । ଘୋଘାବାପାଙ୍କ ବଂଶୀୟ ଯେ କୌଣସି ବ୍ୟକ୍ତିର ସ୍ଥାନ ସୂର୍ଯ୍ୟ ଚନ୍ଦ୍ରଙ୍କ ସିଂହାସନ ପାଖରେ ।”

 

ଭୀମଦେବ ପ୍ରକୃତ ଅବସ୍ଥା ହୃଦୟଙ୍ଗମ କରି ସାମନ୍ତଙ୍କୁ କୁଣ୍ଢାଇ ପକାଇ କହିଲେ, “ଚୌହାନ, କିଛିକ୍ଷଣପୂର୍ବରୁ ମୁଁ କହିଥିବା ବିଷୟପାଇଁ ମୋତେ କ୍ଷମାକର । ମୁଁ ଆବେଗର ତାଡ଼ନାରେ ତାହା କହିଛି । ଆମର ଶକ୍ତି କେତେ ତାହାର ପରିଚୟ ଦେବାକୁ ବାକି ଅଛି; କିନ୍ତୁ ତୁମେ ନିଜ ବୀରତ୍ୱରେ ନିଜର ପୂର୍ବଜଙ୍କୁ କୃତକୃତ୍ୟ କରିସାରିଛ । ମୋତେ କ୍ଷମାକର ।” ଏହା କହି ସେ ସ୍ନେହରେ ସାମନ୍ତଙ୍କୁ ପୁଣି ଆଲିଙ୍ଗନ କଲେ । ଭୀମଦେବଙ୍କର ଏହି ସ୍ପଷ୍ଟ ସ୍ୱୀକାରୋକ୍ତିରେ ଆନନ୍ଦ-ବିହ୍ୱଳିତ ହୋଇ ସାମନ୍ତ ନିଜ ସ୍ଥାନରେ ପୁନର୍ବାର ବସିପଡ଼ିଲେ ।

Image

 

ସାମନ୍ତଙ୍କ ପରାମର୍ଶ ସ୍ୱୀକୃତ

 

ଦାମୋଦର ମେହେତା କହିଲେ, “ବୀର ଚୌହାନ, ଆପଣ ଯାହା କହୁଛନ୍ତି, ମୁଁ ଠିକ୍‍ ସେଇଆ ମହାରାଜାଙ୍କୁ କହୁଥିଲି । ହମୀର୍‍କୁ ସମ୍ମୁଖ ଆକ୍ରମଣ କରି ଆମର କ୍ଷତି ଛଡ଼ା ଲାଭ ନାହିଁ-।”

“ମେହେତାଜୀ”, ସାମନ୍ତ ଦୁଃଖପୂର୍ଣ୍ଣ କଣ୍ଠରେ କହିଲେ, “ଏହି ପରାମର୍ଶ ଦେବାପାଇଁ ମୋତେ ମଧ୍ୟ କଷ୍ଟ ହେଉଛି । ମୋର ମଧ୍ୟ ମାନୀପରିବାରରେ ଜନ୍ମ । ସମ୍ମାନ ଯିବାପୂର୍ବରୁ ପ୍ରାଣ ଯିବା ମୁଁ ଶ୍ରେୟସ୍କର ମନେକରେ; କିନ୍ତୁ ଗତ ଛଅ ସପ୍ତାହ ଧରି ମୋର ଅନୁଭୂତିରୁ ଯାହା ଶିକ୍ଷା କରିଛି, ସେହି ଦୃଷ୍ଟିରୁ ଆପଣମାନଙ୍କ ପରି ସମ୍ମାନାସ୍ପଦ ବ୍ୟକ୍ତିମାନଙ୍କୁ ମୁଁ ଏହି ପରାମର୍ଶ ଦେବାକୁ ସାହାସ କରୁଛି ।”

ଭୀମଦେବ ତାଙ୍କୁ ଉତ୍ସାହିତ କରି କହିଲେ, “ଚୌହାନ୍‍ ! ନିଃସଙ୍କୋଚରେ ତୁମର ଯାହା ଇଚ୍ଛା ତାହା କହିପାର ।”

ସାମନ୍ତ ପୁଣି କହିଲେ, “ମହାରାଜ ! ହମୀର୍‍ର ସୈନ୍ୟବାହିନୀ ଗୋଟିଏ ସାଧାରଣ ସୈନ୍ୟବାହିନୀ ନୁହେଁ । ଏହା ଗୋଟିଏ ମହାସାଗର ସଦୃଶ ।

ଆପଣଙ୍କର ବୋଧହୁଏ ଅତିବେଶୀ ହେଲେ କୋଡ଼ିଏ ହଜାର ପଦାତିକ, ପାଞ୍ଚ ହଜାର ଅଶ୍ୱାରୋହୀ... ।”

ଭୀମଦେବ ସଂଶୋଧନ କରି କହିଲେ, “ଆଠ ହଜାର ।”

ସାମନ୍ତ–“ଆଠ ହଜାର । ଆପଣଙ୍କର ବୋଧହୁଏ ଅତି ବେଶୀ ହେଲେ ଦୁଇ ହଜାର ହାତୀ ଓ ଓଟ ଥିବେ । କିନ୍ତୁ ହମୀର୍‍ର ତିରିଶ ହଜାର ଅଶ୍ୱାରୋହୀ ଦଶହଜାର ହାତୀ ଓ ଅସଂଖ୍ୟ ପଦାତିକ ସୈନ୍ୟ ଅଛନ୍ତି । ମରୁଭୂମିରେ ବ୍ୟବହାର କରିବାପାଇଁ ପାଣି ଯୋଗାଇ ଦେବାକୁ ତା’ର ସୈନ୍ୟବାହିନୀ ସହିତ ଅତି କମରେ ତିରିଶ ହଜାର ଓଟ ଅଛନ୍ତି । ଦୁର୍ଗମାନଙ୍କର କାନ୍ଥ ଧ୍ୱଂସ କରିବାପାଇଁ ତା’ ନିକଟରେ ବିରାଟ ଯନ୍ତ୍ରମାନ ଅଛି । ତା’ ବିରୁଦ୍ଧରେ ଆମେ ଠିଆ ହୋଇପାରିବା ନାହିଁ । ନଗରକୋଟଠାରୁ ମାରଓ୍ୱାଡ଼୍‍ ପର୍ଯ୍ୟନ୍ତ ଯେଉଁ ଲକ୍ଷ ଲକ୍ଷ ରାଜପୁତ ତାକୁ ଅଲଗା ଅଲଗାଭାବେ ପ୍ରତିରୋଧ କଲେ, ତାହା ନ କରି ଯେବେ ସମସ୍ତେ ଏକାଠି ହୋଇ ପ୍ରତିରୋଧ କରିଥାନ୍ତେ, ତାହାହେଲେ ହୁଏତ କିଛି ଅନ୍ତତଃ ଆଖି ଦେଖିଲା ଭଳି ହୋଇଥାନ୍ତା ।” ଏହା କହି ସାମନ୍ତ କିଛି କ୍ଷଣ ନୀରବ ହେଲେ ।

ସେ ଯେପରି ଆଉ କହିବେ, ସେଥିପାଇଁ ଦାମୋଦର ମେହେତା ତାଙ୍କୁ ଉତ୍ସାହିତ କରି କହିଲେ, “ତା’ପରେ ?”

ସାମନ୍ତ–ଏହା କେବଳ ତା’ର ସୈନ୍ୟବାହିନୀର ବର୍ଣ୍ଣନା । ବ୍ୟକ୍ତି ହିସାବରେ ହମୀର୍‍ ଯେଉଁ ଧରଣର ଲୋକ ତାହା ଜାଣିବା ଉଚିତ । ଏଡ଼େ ବିରାଟ ସୈନ୍ୟବାହିନୀର ଚାଳକ ହିସାବରେ ତା’ର ସମକକ୍ଷ ଖୁବ୍‍ କମ୍‍ ଲୋକ ଅଛନ୍ତି । କିପରି ବନ୍ଧୁତା କରିବାକୁ ହୁଏ ଏବଂ ନୀଚ, ଭୀରୁ ଓ ଦୁର୍ବଳକୁ କିପରି ସାହସୀ ଯୋଦ୍ଧାରେ ପରିଣତ କରିବାକୁ ହୁଏ, ତାହା ତାକୁ ଭଲରୂପେ ଜଣା । କୌଶଳୀଭାବେ ତାହାର ସମକ୍ଷକ କେହି ନାହାନ୍ତି କହିଲେ ଚଳେ । ଏପରି ଲୋକ ସହିତ ଆପଣ କିଭଳି ଲଢ଼ିବେ ?

ଭୀମଦେବ-‘‘ତାହାହେଲେ ଆମେ କ’ଣ କରିବା ତୁମେ କୁହ । ଆମେ ମନ୍ଦିର ଓ ଗୋ-ବ୍ରାହ୍ମଣମାନଙ୍କର ରକ୍ଷାକର୍ତ୍ତା ହୋଇ ବିନା ପ୍ରତିରୋଧରେ ବିଦେଶୀ ଆକ୍ରମଣକାରୀକୁ ଆମ ରାଜ୍ୟ ଭିତରେ ଅଗ୍ରସର ହେବାପାଇଁ ଛାଡ଼ିଦେବୁ? ଆମ ନାରୀମାନେ ଧର୍ଷିତା ଓ ବ୍ରାହ୍ମଣମାନେ ଅତ୍ୟାଚାରିତ ହେବା କ’ଣ ଆମେ ଦେଖିବୁ ?’’

ଇଷ୍ଟଦେବତାଙ୍କୁ ରକ୍ଷା କରିବାପାଇଁ ନିଜ ଜୀବନ ଦେବା କ’ଣ ଆମର ଉଚିତ ନୁହେଁ ?

ସାମନ୍ତ–‘‘ମହାରାଜ ! ବିନା ପ୍ରତିରୋଧରେ ହମୀର୍‍କୁ ଛାଡ଼ିଦେବାପାଇଁ ମୁଁ କହୁନାହିଁ । ଆପଣଙ୍କୁ ବୁଦ୍ଧିମତ୍ତାର ସହିତ ପ୍ରତିରୋଧ କରିବାକୁ ହେବ, ଯେପରିକି ଆପଣ ପ୍ରଭାସ ସଙ୍ଗେ ପାଟଣକୁ ମଧ୍ୟ ରକ୍ଷା କରିପାରିବେ ।

ଭୀମଦେବ-‘‘କିନ୍ତୁ କିପରି ?’’

ସାମନ୍ତ–‘‘ବିନା ପ୍ରତିରୋଧରେ ହମୀର୍‍କୁ ସୌରାଷ୍ଟ୍ରରେ ପ୍ରବେଶ କରିବାକୁ ଛାଡ଼ି ଦିଆଯାଉ । ସେ ଭିତରକୁ ପ୍ରବେଶ କଲାପରେ ପଛରୁ ତାହା ଉପରେ ଆକ୍ରମଣ କରାଯାଉ ।’’

ଭୀମଦେବ–‘‘ମୁଁ ଏଥିରେ ଏକମତ । ହମୀର୍‍କୁ ମୁହାଁମୁହିଁ ପ୍ରତିରୋଧ କରିବାରେ ବିପଦ ଅଛି । ତୁମର ଏହି ମତକୁ ଗ୍ରହଣ କରୁଛି ।’’

ଦାମୋଦର ମେହେତା କହିଉଠିଲେ, “ମୁଁ କିନ୍ତୁ କହୁଥିଲି ପାଟଣରେ ହମୀର୍‍ ସହିତ ଯୁଦ୍ଧ କରିବାକୁ ହେବ ।”

ସାମନ୍ତ ଉତ୍ତର ଦେଇ କହିଲେ, “ସେ ବହୁ ସଂଖ୍ୟକ ଦୁର୍ଗ ଧ୍ୱଂସ କରିଛି । ଅଧିକା ଗୋଟିଏ ଦୁର୍ଗ ବା ତା’ ପକ୍ଷରେ କ’ଣ ?”

 

ଚିନ୍ତାମଗ୍ନ ଦାମୋଦର କହିଲେ, “ଆପଣ କହୁଥିବା ବିଷୟରେ ଯଥେଷ୍ଟ ସତ୍ୟତା ଅଛି-।”

 

ରତ୍ନାଦିତ୍ୟ ପଚାରିଲେ, “ତାହାହେଲେ ଆମେ କ’ଣ କରିବା ?”

 

ଭୀମଦେବ କହିଲେ, “ମୁଁ ଯେବେ ପାଟଣ ଛାଡ଼ି ଯାଇ ଜଙ୍ଗଲରେ ଲୁଚି ରହେ, ତେବେ ମୋର ସୁନାମ ଲୋପ ପାଇଯିବ ।”

 

ତ୍ରିଲୋଚନ ପାଲ ପରମାର କହିଲେ, “ଖାଲି ସେତିକ ନୁହେଁ, ଆପଣଙ୍କ ସୈନ୍ୟବାହିନୀର ନୈତିକତା ସମ୍ପୂର୍ଣ୍ଣରୂପେ ଲୋପ ପାଇଯିବ ।”

 

ଭୀମଦେବ କହିଲେ, “ଯାହା ପଛକେ ଘଟୁ, ମୁଁ ଏ ସ୍ଥାନ ଛାଡ଼ି ଯିବି ନାହିଁ । ଏହା ମୋର ପାଟଣ-ମୋ ପୂର୍ବପୁରୁଷମାନଙ୍କର ବାସସ୍ଥାନ । ମୁଁ ହମୀର୍‍କୁ ପରାସ୍ତ କରିବାରେ ସଫଳତା ଲାଭ କରେ ବା ନ କରେ, ତହିଁରେ କିଛି ଯାଏଆସେ ନାହିଁ । ଯୁଦ୍ଧକରି ଏହି ଦୁର୍ଗର ପ୍ରାଚୀର ତଳେ ଆତ୍ମୋତ୍ସର୍ଗ କରିବାକୁ ମୁଁ ବରଂ ଶ୍ରେୟସ୍କର ମନେକରେ ।”

 

ସାମନ୍ତ ଶୁଷ୍କ କଣ୍ଠରେ କହିଲେ, “କିନ୍ତୁ ପ୍ରଭୁ ସୋମନାଥଙ୍କୁ ରକ୍ଷା କରିବାର ଉପାୟ ଏହା ନୁହେଁ ।” ତାଙ୍କର ଦୃଢ଼ ସ୍ୱର ଠିକ୍‍ ଆଜ୍ଞା ପରି ମନେହେଲା ।’’

 

ଭୀମଦେବ-‘‘ତାହାହେଲେ ଆମେ କ’ଣ କରିବା ଉଚିତ ?’’

 

ଦାମୋଦର ମେହେତା କହିଲେ, “ଏକ ଭଲ ଉପାୟ ମୁଁ ଦେଖିପାରୁଛି । ହମୀର୍‍ ଏ ପର୍ଯ୍ୟନ୍ତ ସୈନ୍ୟବାହିନୀ ସହିତ ଲଢ଼େଇ କରି ଆସିଛି; କିନ୍ତୁ ମରୁଭୂମି ବା ନିର୍ଜ୍ଜନତା ସହିତ ଲଢ଼ିନାହିଁ-। ମୋ ବିଚାରରେ ଏହା ହେଉଛି ତା’ର ପ୍ରକୃତ ଶତ୍ରୁ, ଯାହା କି ତାକୁ ଆତଙ୍କିତ କରି ପରାଜିତ କରିଦେବ ।”

 

ଭୀମଦେବ–‘‘ଅର୍ଥାତ୍‍ ?’’

 

ଦାମୋଦର ମେହେତା–‘‘ତା’ର ଅର୍ଥ, ତାକୁ ପାଟଣକୁ ଆସିବାକୁ ଦିଆଯାଉ । ପାଟଣ ଦୁର୍ଗର ରାସ୍ତା ଖୋଲି ଦିଆଯାଉ । ଜନଶୂନ୍ୟ ପାଟଣରେ ସେ ମୁକ୍ତ ପବନ ବିରୁଦ୍ଧରେ ଲଢ଼ୁ ।’’

 

ସାମନ୍ତ ଉତ୍ସାହର ସହ କହିଲେ-‘‘ମେହେତାଜୀ, ମୁଁ ଠିକ୍‍ ଏଇଆ କହୁଥିଲି ।’’

 

ଭୀମଦେବ ବିରକ୍ତ ହୋଇ କହିଲେ , “ମୁଁ ତାହାହେଲେ କ’ଣ କରିବି-ଲୁଚିଯିବି ?”

 

ମେହେତା ହସି କହିଲେ,‘‘ନାଁ ମହାରାଜ ! ଆପଣ ସୈନ୍ୟବାହିନୀ ନେଇ ପ୍ରଭାସକୁ ଯାଆନ୍ତୁ । ଆମେ ଯେବେ ବିଜୟ ହାସଲ କରିବା ଚାହୁଁ ତାହା ହେଲେ ସୌରାଷ୍ଟ୍ରର ନିବିଡ଼ ଜଙ୍ଗଲ ଅତିକ୍ରମ କରିବା କେଡ଼େ କଷ୍ଟକର ସେ ବିଷୟରେ ହମୀର୍‍ର ଅଭିଜ୍ଞତା ହେଉ । ତା’ର ବ୍ୟବସ୍ଥା ହେବା ଦରକାର ।”

 

ରତ୍ନାଦିତ୍ୟ କହିଲେ, “ପ୍ରଭାସ ଦୁର୍ଗ ଅତ୍ୟନ୍ତ ସଂକୀର୍ଣ୍ଣ ।”

 

ସାମନ୍ତ–“ଏହା ଅବଶ୍ୟ ଛୋଟ; କିନ୍ତୁ ଆମେ ଏହାକୁ ବଡ଼ କରିପାରିବା । ସେଠାରେ ଆମକୁ ପ୍ରଭୁ ସୋମନାଥ ନିଜେ ରକ୍ଷା କରିବେ ଏବଂ ଗୁରୁଦେବ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ମାର୍ଗ ପ୍ରଦର୍ଶନ ମଧ୍ୟ କରିବେ । ସେଠାରେ ଯୁଦ୍ଧ କରୁଥିବା ପ୍ରତ୍ୟେକ ରାଜପୁତ ନିଜର ରାଜ୍ୟ ରକ୍ଷାପାଇଁ ଲଢ଼େଇ ନ କରି ନିଜର ଦେବତାଙ୍କ ରକ୍ଷାପାଇଁ ଲଢ଼ାଇ କରିବ । ସେମାନେ ଯେବେ ବିଜୟୀ ହୁଅନ୍ତି ତାହାହେଲେ ଗୌରବରେ ବଞ୍ଚି ରହିବେ, ମୃତ୍ୟୁ ଘଟିଲେ ସ୍ୱର୍ଗକୁ ଯିବେ । ଏହାଛଡ଼ା ସେମାନଙ୍କର ଅନ୍ୟ କୌଣସି କାମନା ରହିବ ନାହିଁ ।’’

 

ଭୀମଦେବଙ୍କର ଆଖି ଦୁଇଟିରେ ଆନନ୍ଦର ସଂକେତ ଖେଳିଉଠିଲା ଓ ସେ ନିଜର ନିଶ ମୋଡ଼ିଲେ । ସେ ପ୍ରସ୍ତାବଟିର ମର୍ମ ହୃଦୟଙ୍ଗମ କରିବାକୁ ବିଳମ୍ବ ହେଲା ନାହିଁ । ସେହି ମୁହୂର୍ତ୍ତରେ ସେ ତାଙ୍କ କଳ୍ପନାରେ ସମୁଦ୍ରଜଳରେ ସ୍ନାନ କରୁଥିବା ଗୋଟିଏ ଲାସ୍ୟମୟୀ କୋମଳାଙ୍ଗୀ ଯୁବତୀକୁ ଦେଖିପାରିଲେ । କ୍ଷଣକ ମଧ୍ୟରେ ସେ ଚିତ୍ର ପୁଣି ଉଭେଇଗଲା ।

 

ଭୀମଦେବ ଦୃଢ଼ ବିଶ୍ୱାସର ସହିତ କହିଲେ, “ହଁ, ମେହେତାଜୀ, ମୁଁ ପ୍ରଭୁ ସୋମନାଥଙ୍କ ସମ୍ମୁଖରେ ଯୁଦ୍ଧ କରିବି ଓ ଏଭଳି ବୀରତ୍ୱର ପରିଚୟ ଦେବି, ଯାହାକି ପୂର୍ବେ କେହି ଶୁଣିନଥିବେ କି ଦେଖିନଥିବେ । ଆମେ ଶତ୍ରୁକୁ ସମୁଦ୍ର ଭିତରକୁ ଠେଲିଦେବା ।”

 

ସାମନ୍ତ କହିଲେ, “ମେହେତାଜୀ, ଆପଣଙ୍କ ଯୋଜନା ଚମତ୍କାର ! ଆମର ଯାହାକିଛି ଅଛି, ଶେଷ ଉଦ୍ୟମରେ ଯେବେ ସେ ସମସ୍ତ ଉତ୍ସର୍ଗ କରୁ, ତାହାହେଲେ ଆମର ଯେଉଁ ସହସ୍ର ସହସ୍ର ଲୋକ ମୃତ୍ୟୁମୁଖରେ ପଡ଼ିଛନ୍ତି ତାହାର କିଞ୍ଚିତ୍‍ ପ୍ରତିଶୋଧ ଆମେ ନେଇପାରିବା । ମୁଁ କିନ୍ତୁ ଏହିଠାରେହିଁ ରହିବି ।”

 

ଦାମୋଦର ମେହେତା କହିଲେ-“ଚୌହାନ, ଆପଣଙ୍କୁ ଏଭଳିଭାବେ ମରିବାକୁ ଆମେ ଦେବୁନାହିଁ ।”

 

ସାମନ୍ତ–‘‘ହମୀର୍‍ ଯେ ପର୍ଯ୍ୟନ୍ତ ମୋର ଏଇ ଜନ୍ମମାଟିରେ ଅଛି, ସେ ପର୍ଯ୍ୟନ୍ତ ମୁଁ ମଧ୍ୟ ମରିବାକୁ ଚାହେଁନାହିଁ । ମୁଁ ମୋ ଉପାୟରେ ତା’ ସହିତ ଲଢ଼େଇ କରିବି ଓ ଆପଣମାନଙ୍କର ସହାୟକ ମଧ୍ୟ ହୋଇପାରିବି ।’’

 

ଭୀମଦେବ-‘‘ସାମନ୍ତ, ତୁମେ କିନ୍ତୁ ମୋ ପାଖେ ପାଖେ ରହିବ ।’’

 

ସାମନ୍ତ–‘‘ନାଁ ମହାରାଜ, ମୁଁ ପ୍ରଭାସ ଫେରିଯିବାକୁ ଚାହେଁ ନାହିଁ ।’’

 

ଦାମୋଦର ମେହେତା କହିଲେ, “ଉତ୍ତମ ଯୋଜନା । ପ୍ରଭାସରେ ଦରକାର ହେଉଥିବା ଜିନିଷମାନ ଖମ୍ବାତରୁ ସମୁଦ୍ରବାଟେ ଯେପରି ସେଠାକୁ ଯିବ ସେ ଦାୟିତ୍ୱ ମୁଁ ନେଉଛି । ପାଟଣକୁ ସଙ୍ଗେ ସଙ୍ଗେ ଖାଲି କରିଦେବାକୁ ହେବ ।”

 

ଭୀମଦେବ-‘‘କିନ୍ତୁ ବିମଳ ମୋ ସହିତ ରହିବ ତ ?’’

 

ବିମଳ–‘‘ନିଶ୍ଚୟ ମହାରାଜ !’’

 

ଭୀମଦେବ ଏହି ନିଷ୍ପତ୍ତିକୁ ସେ ଦିନ ସଂଧ୍ୟାବେଳୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଦେଲେ । ପ୍ରତ୍ୟେକ ଲୋକ ଯେପରି ସହର ଛାଡ଼ି ଚାଲିଯାନ୍ତି, ସେଥିପାଇଁ ତାଙ୍କ ଆଦେଶ ଜଣାଇଦେବାକୁ ଚାରିଆଡ଼କୁ ଘୋଡ଼ସବାର ସୈନ୍ୟ ପଠାଗଲା । ସେହିଦିନ ରାତିରେ ଶଗଡ଼ଗାଡ଼ିମାନଙ୍କରେ ବୋଝେଇ କରି ଖାଦ୍ୟଦ୍ରବ୍ୟ ପାଟଣରୁ ପ୍ରଭାସକୁ ପଠାଗଲା ଓ ଉଷାକାଳରେ ପାଟଣର ସୈନ୍ୟବାହିନୀ ପ୍ରଭାସ ଅଭିମୁଖେ ଗତିକଲେ ।

 

ସେଦିନ ମଧ୍ୟାହ୍ନରେ ଭୀମଦେବ ମଧ୍ୟ ପାଟଣ ଛାଡ଼ିଲେ । ସେତେବେଳକୁ ସେଠାରେ ରହିଥିଲେ କେବଳ ସାମନ୍ତ, ନନ୍ଦୀଦତ୍ତ ଓ ତାଙ୍କୁ ସାହାଯ୍ୟ କରିବା ନିମନ୍ତେ ପାଞ୍ଚସହ ଅଶ୍ୱାରୋହୀ । ଭୀମଦେବ ପାଟଣ ଛାଡ଼ିବାପୂର୍ବରୁ ସାମନ୍ତଙ୍କ ମନ ପରିବର୍ତ୍ତନ କରିବାପାଇଁ ଯତ୍ପରୋନାସ୍ତି ଚେଷ୍ଟା କରିଥିଲେ; କିନ୍ତୁ ସାମନ୍ତ ତାଙ୍କ ନିଷ୍ପତ୍ତିରେ ଅଟଳ ଥିଲେ । ଭୀମଦେବଙ୍କ ଶେଷ ସୈନ୍ୟଦଳ ପାଟଣ ଛାଡ଼ିବା ସମୟରେ ସାମନ୍ତ ଦୁର୍ଗର ସର୍ବୋଚ୍ଚ ଶିଖରକୁ ଯାଇ ଦିଗ୍‍ବଳୟ ଆଡ଼କୁ ଆଖି ବୁଲାଇ କହିଲେ, “ଆସ ! ମୁଁ ତୁମକୁ ଅପେକ୍ଷା କରିଛି ।”

Image

 

ପ୍ରଭାସରେ ଭୀମଦେବ

 

ନିଜର ସୈନ୍ୟସାମନ୍ତଙ୍କ ସହ ଭୀମଦେବ ପ୍ରଭାସ ଆସୁଥିବା ସମ୍ବାଦ ପ୍ରଚାରିତ ହେବା ଫଳରେ ଲୋକଙ୍କର ନୈତିକ ବଳ ଅତିଶୟ ବୃଦ୍ଧି ପାଇଲା । ନିଜ ପ୍ରଭୁଙ୍କର ବାହୁଛାୟାତଳେ ରହୁଥିବାରୁ ଲୋକଙ୍କ ମନରୁ ହମୀର୍‍ର ଆକ୍ରମଣ ଭୟ ଦୂର ହେଲା । ଯେଉଁ ପ୍ରଭୁ ସୋମନାଥ ନିଜର ତୃତୀୟ ନେତ୍ରରେ ତ୍ରିପୁରାସୁର ଭଳି ମହାରାକ୍ଷସକୁ ପୋଡ଼ି ପାଉଁଶ କରିଦେଇଥିଲେ, ଆକ୍ରମଣକାରୀ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ତାଙ୍କ ବିରୁଦ୍ଧରେ କ’ଣ ବା କରିପାରିବ ?

 

ବିଜୟୀ ବୀର ଭୀମଦେବଙ୍କୁ ଯଥୋଚିତରୂପେ ସ୍ୱାଗତ କରିବା ନିମିତ୍ତ ସହରର ସମସ୍ତେ ଆନନ୍ଦରେ ପାଗଳ ପ୍ରାୟ ପ୍ରସ୍ତୁତ ହେଲେ । ପ୍ରତ୍ୟେକ ଗଳିକନ୍ଦି ଓ ଘର ସୁସଜ୍ଜିତ ହେଲା । ପ୍ରତ୍ୟେକ ମନ୍ଦିରର ଚୂଡ଼ାରେ ନୂତନ ପତାକା ଉଡ଼ିବା ସଙ୍ଗେ ସଙ୍ଗେ ପ୍ରତି ରାସ୍ତାରେ ସଙ୍ଗୀତର ପ୍ରତିଧ୍ୱନି ଶୁଣାଗଲା । ମନ୍ଦିରମାନଙ୍କରେ ଲୋକେ ଆନନ୍ଦରେ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ପ୍ରତ୍ୟେକଙ୍କ ମନରେ ଗୋଟିଏ ଭାବ ଦେଖାଦେଲା ଯେ, ପରାକ୍ରମଶାଳୀ ଯୋଦ୍ଧା ଭୀମଦେବ ଯେ କି ଆକ୍ରମଣକାରୀର ଧ୍ୱଂସକର୍ତ୍ତା ଓ ସତ୍ୟର ପରିପାଳକ, ସେ ଆସିବେ ।

 

ଚୌଲା ଆନନ୍ଦ ମନରେ ପାଟଣ ରାସ୍ତାକୁ ଅନାଇ ରହିଲା । ପାଟଣର ଶାସକ ତଥା ପ୍ରଭୁ ରୁଦ୍ରଙ୍କର ଅବତାର ଭୀମଦେବ, ଯେ ତାକୁ ଅତି ଭୟଙ୍କର କାପାଳିକମାନଙ୍କ କବଳରୁ ରକ୍ଷା କରିଚନ୍ତି, ସେ ଆଜି ଆସୁଚନ୍ତି । ତା’ର ଉତ୍କଣ୍ଠାର ନିଦର୍ଶନ ଆଖି ଦୁଇଟିରୁ ଜଣାପଡ଼ିବା ସଙ୍ଗେ ସଙ୍ଗେ ତାର କୋମଳ ହୃଦୟ ସ୍ପନ୍ଦିତ ହେବାକୁ ଲାଗିଲା । ଭୀମଦେବ ତାକୁ ପାଣିରୁ ଉଠାଇଲାବେଳେ ସେ ନିଜକୁ ଭୁଲିଯାଇଥିଲା । ସେହି ଉଜ୍ଜ୍ୱଳ ଜହ୍ନରାତିରେ ସମୁଦ୍ରକୁ ସେ ଯାଇଥିଲା ଗାଧୋଇବାକୁ-ଉଲଗ୍ନ ଅବସ୍ଥାରେ । ସେତେବେଳେ ଭୟଙ୍କର ଆକୃତିବିଶିଷ୍ଟ କାପାଳିକକୁ ଦେଖି ତା’ ହୃଦୟରେ ଯେଉଁ ଆତଙ୍କ ଜାତ ହୋଇଥିଲା ତାହା ଏପର୍ଯ୍ୟନ୍ତ ମଧ୍ୟ ତା’ର ମନେଅଛି । ଚେତନା ଫେରିପାଇ ସେ ଦେଖିଥିଲା ଦୀପ୍ତିମନ୍ତ ଓ ଆକର୍ଷଣୀୟ ଚକ୍ଷୁବିଶିଷ୍ଟ ଜଣେ ବଳିଷ୍ଠ ସୁଶ୍ରୀ ଯୁବକଙ୍କୁ ।

 

କି ଅବିସ୍ମରଣୀୟ ରାତ୍ରି ! ପ୍ରଥମ ଯୌବନକାଳରେ ତା’ର ଏ ଯେଉଁ ଅଭିଜ୍ଞତା ହେଲା, ସେ ସ୍ମୃତି ଏବେ ମଧ୍ୟ ତାକୁ ଆନନ୍ଦ ଦେଉଛି । ତାହାର କଳ୍ପନା ଅତୀତର ସେହି ଘଟଣାକୁ ସଦ୍ୟଲବ୍ଧ ଅଭିଜ୍ଞତାରେ ପରିଣତ କଲା । ସେହି ଶକ୍ତିଶାଳୀ ବ୍ୟକ୍ତି ଆଜି ଆସୁଛନ୍ତି ଆସୁରିକ ପ୍ରକୃତିର ଆକ୍ରମଣକାରୀ କବଳରୁ ତାହାର ପ୍ରଭୁ ସୋମନାଥଙ୍କୁ ରକ୍ଷା କରିବାକୁ ।

 

ଚୌଲାର ଆଖି ଦୁଇଟି ସେହି ବୀର ଭୀମଦେବଙ୍କୁ ସ୍ୱାଗତ କରିବାପାଇଁ ଦିଗ୍‍ବଳୟ ଉପରେ ଉତ୍କଣ୍ଠାରେ ଲାଖି ରହିଲା । ତା’ର ହୃଦୟରେ ଦେଖାଦେଲା ଅବର୍ଣ୍ଣନୀୟ ଭାବ । ସମୁଦ୍ରରୁ ପ୍ରବାହିତ ହିଲ୍ଲୋଳରେ କମ୍ପିତ ହୋଇ ଉଠିଲା ତା’ର ପ୍ରତ୍ୟେକ ଅଙ୍ଗ-ପ୍ରତ୍ୟଙ୍ଗ । “ଏଇ ଆସୁଛନ୍ତି”-ଏଇ ଭାବନା ତା’ ସୁଗଠିତ ଶରୀରର ଶିରା-ପ୍ରଶିରାରେ ଖେଳିଯାଉଛି ।

 

ଗତ ଦୁଇଦିନ ଧରି ଆଶ୍ଚର୍ଯ୍ୟଜନକଭାବେ ତା’ ମାନସପଟରେ ପ୍ରଭୁ ସୋମନାଥଙ୍କ ମୂର୍ତ୍ତିର ଧାରଣା ବଦଳି ଯାଇଛି । ତାଙ୍କର କୁଞ୍ଚିତ କେଶ ଉପରେ ମୁକୁଟ ଓ ସେ ମୁକୁଟରେ ମୟୂରପୁଚ୍ଛ ଶୋଭାପାଉଥିବା ଧାରଣା ତା’ ମନକୁ ଆସୁଛି । ତାଙ୍କର କୃଷ୍ଣବର୍ଣ୍ଣ ମୁଖରେ ଦେଖାଦେଇଛି ସୌମ୍ୟ ତଥା ବୀରତ୍ୱର ବ୍ୟଞ୍ଜନା । ତାଙ୍କର ନିଶ କୁଞ୍ଚିତ ହେବା ସଙ୍ଗେ ସଙ୍ଗେ ଶ୍ମଶ୍ରୁ ହୋଇଛି ସୁସଂଯତ । ତାଙ୍କର ଶରୀରରେ ସୁବର୍ଣ୍ଣର ପୋଷାକ ଓ ସ୍କନ୍ଧରେ ଝୁଲିଛି ଧନୁଶର । ତ୍ରିଚକ୍ଷୁବିଶିଷ୍ଟ ପ୍ରଭୁ ଶମ୍ଭୁ ବର୍ତ୍ତମାନ ମହାଧନୁର୍ଦ୍ଧର ଭୀମଦେବ ଅବତାର ଗ୍ରହଣ କରିଛନ୍ତି । ତାଙ୍କ ବାହୁ ତଥା ବକ୍ଷ ଠିକ୍‍ ସେଦିନ ଜହ୍ନରାତିରେ ଯେପରି ଦେଖାଯାଉଥିଲା, ଠିକ୍‍ ସେହିପରି ଦେଖାଯାଉଛି । ତା’ର ସ୍ପନ୍ଦିତ ହୃଦୟକୁ ସ୍ଥିର କରିବାକୁ ଚୌଲା ଯେତେ ଚେଷ୍ଟାକରୁଥିଲେ ସୁଦ୍ଧା ତାହା ସ୍ଥିର ହୋଇପାରୁନାହିଁ ।

 

ଯେ ଯେଉଁଆଡ଼କୁ ଅନାଉଛି ଦେଲଓ୍ୱାର୍ଡରୁ ଲୋକମାନେ ଆସୁଥିବା ଏବଂ ପାଟଣରୁ ବଦଳଗାଡ଼ିରେ ଖାଦ୍ୟସାମଗ୍ରୀ ତଥା ଅନ୍ୟାନ୍ୟ ଆବଶ୍ୟକୀୟ ଦ୍ରବ୍ୟ ବୁହାହୋଇ ଆସୁଥିବା ଦେଖୁଛି-। ସେମାନଙ୍କ ପଛେ ପଛେ ବହୁସଂଖ୍ୟକ ଘୋଡ଼ସବାର ସୈନ୍ୟ ଧାଡ଼ିକେ ଚାରି ପାଞ୍ଚୋଟି ହୋଇ ଆସୁଛନ୍ତି ।

 

ସେ କ’ଣ କରୁଛି, ଅନୁଭବ କରିବା ପୂର୍ବରୁ ଚୌଲା ଆନନ୍ଦରେ ଚିତ୍କାର କରିଉଠିଲା । ନିଜେ ମହାରାଜ ଭୀମଦେବ ଗୋଟିଏ ସୁସଜ୍ଜିତ ଧଳା ଘୋଡ଼ାରେ ଚଢ଼ି ଘୋଟକବାହିନୀର ଚାଳକ ହୋଇଛନ୍ତି । ତାଙ୍କର ସୁବର୍ଣ୍ଣଖଚିତ ଜିନ୍‍ରୁ ସୂର୍ଯ୍ୟକିରଣ ପ୍ରତିଫଳିତ ହେଉଛି ଓ ସେହି ଜ୍ୟୋତିରୁ ଭୀମଦେବଙ୍କର ଘନକୃଷ୍ଣ ମୁଖ ଆହୁରି ଅଧିକ ଆକର୍ଷଣୀୟ ଦେଖାଯାଉଛି ।

 

ଅଶ୍ୱାରୋହୀମାନେ ନିକଟବର୍ତ୍ତୀ ହେବାରୁ ଚୌଲା ଭୀମଦେବଙ୍କୁ ସ୍ୱୟଂ ରୁଦ୍ରଭାବେ ଦେଖିବାକୁ ପାଇଲା । ତାଙ୍କଦ୍ୱାରା ପରିଚାଳିତ ଘୋଟକ ବାହିନୀ, ଗଜ ବାହିନୀ ଓ ପଦାତିକ ବାହିନୀ ଗୋଟିଏ ବିରାଟକାୟ ନଦୀ ପରି ସର୍ପିଳଗତିରେ ଆଗେଇ ଆସୁଥାଏ ।

 

ଚୌଲା ଯେଉଁଠି ଅଛି, ସେଠାରୁ ସେ କେବଳ ତଳ ଦୁର୍ଗର ପ୍ରାଚୀରକୁ ଦେଖୁଛି । ପାଟଣର ଶାସକଙ୍କୁ ସ୍ୱାଗତ କରିବାକୁ ଗୁରୁଦେବ ପ୍ରଭାସର ପ୍ରଧାନ ଫାଟକ ପାଖକୁ ଯାଇଛନ୍ତି । ସେଠାରୁ ସେ ମଧ୍ୟ ଦେଖାଯାଉଛନ୍ତି । ଆତ୍ମଶୁଦ୍ଧିପାଇଁ ଅଠରଦିନ ଧରି ଉପବାସ କରି କ୍ଷୀଣ ହୋଇଥିବା ଶିବରାଶି, ଅନ୍ୟ ବହୁସଂଖ୍ୟକ ଶିଷ୍ୟ ଏବଂ ନଗରବାସୀମାନେ ମଧ୍ୟ ତାଙ୍କ ସହ ସେଠାରେ ଠିଆ ହୋଇଛନ୍ତି ।

 

ମହାରାଜ ଭୀମଦେବ ଦୁର୍ଗ ପାଖରେ ପହଞ୍ଚିଲାକ୍ଷଣି ତାଙ୍କ ଆହ୍ୱାନରେ ତିରିଶ ହଜାର ଯୋଦ୍ଧାଙ୍କ ମୁହଁରୁ ହଠାତ୍‍ “ଜୟ ସୋମନାଥ” ଧ୍ୱନି ପ୍ରତିଧ୍ୱନିତ ହେଲା । ସମଗ୍ର ବାୟୁମଣ୍ତଳରେ ଏହା ବିଦ୍ୟୁତ୍‍ ସଞ୍ଚାରିତ କଲାପରି ଜଣାଗଲା । ଗୁରୁଦେବ, ତାଙ୍କ ଶିଷ୍ୟ ଓ ପ୍ରଭାସ ନଗରବାସୀମାନଙ୍କ ଭିତରେ ମଧ୍ୟ “ଜୟ ସୋମନାଥ” ଧ୍ୱନି ପ୍ରତିଧ୍ୱନିତ ହେଲା । ହଜାର ହଜାର ଦୁନ୍ଦୁଭିର ଶବ୍ଦ କିଛିକ୍ଷଣପୂର୍ବେ ବିରାଜୁଥିବା ନିସ୍ତବ୍‍ଧତାକୁ ଭଙ୍ଗକଲା ।

 

ଦୁର୍ଗରେ ପ୍ରବେଶ କରିବାପୂର୍ବରୁ ଭୀମଦେବ ଦେଉଳର ଶିଖର ଉପରକୁ ଅନାଇଲେ । ତାଙ୍କର ଆଖି ଦୁଇଟି ମୁହୂର୍ତ୍ତକପାଇଁ ଦେଉଳ ଶିଖରରେ ଉଦ୍ଦାମ ଗୌରବରେ ଉଡ଼ୁଥିବା ପତାକା ଉପରେ ନିବିଷ୍ଟ ରହିଲା । ତା’ପରେ ତାଙ୍କ ଦୃଷ୍ଟି ତଳ ଅଳିନ୍ଦ ଉପରେ ନିବଦ୍ଧ ହେଲା । ସେତିକିବେଳେ ତାଙ୍କ ଆଖି ସହ ଚୌଲା ଆଖିର ମୁହୂର୍ତ୍ତକ ମିଳନରେ ଚୌଲା ଲଜ୍ଜା ଓ ଆନନ୍ଦରେ ଆତ୍ମହରା ହୋଇପଡ଼ିଲା । ମାତ୍ର ଭୀମଦେବ ତାକୁ ଚିହ୍ନିପାରିଲେ ନାହିଁ ଏବଂ ଫାଟକ ନିକଟରେ ଠିଆହୋଇଥିବା ଗୁରୁଦେବଙ୍କ ଆଡ଼କୁ ସେ ଦୃଷ୍ଟିନିକ୍ଷେପ କଲେ । ଯେଉଁ ପାଟଣର ଶାସକ ତୁର୍କିର ଆକ୍ରମଣକାରୀମାନଙ୍କୁ ଧ୍ୱଂସ କରିବାକୁ ଆସିଛନ୍ତି, ତାଙ୍କ ସହ ସାମାନ୍ୟ ଦେବଦାସୀଭାବେ ତା’ ନିଜର ସ୍ଥିତି ଓ ପାର୍ଥକ୍ୟ ଅନୁଭବ କରି ତା’ର ହୃଦୟର ସ୍ପନ୍ଦନ ବନ୍ଦ ହୋଇଗଲା ପରି ଚୌଲା ଅନୁଭବ କଲା । ଆହତ ହରିଣୀ ପରି ସେ ଏକ ଚିତ୍କାର କଲା ଓ ଆଉ ପଛକୁ ନ ଅନାଇଁ ତଳ ପାହାଚ ଆଡ଼କୁ ଅଗ୍ରସର ହେଲା । ତା’ର ପ୍ରଭୁ ଶିବ ସ୍ୱୟଂ ଆବିର୍ଭୂତ ହେଲେ; ଅଥଚ ତାକୁ ସେ ଚିହ୍ନିପାରିଲେ ନାହିଁକି ଗ୍ରହଣ କଲେ ନାହିଁ, କିମ୍ବା ସେ ତାଙ୍କ ପାଇଁ ଉପଯୁକ୍ତ ବିବେଚିତ ହେଲା ନାହିଁ-

 

ଚୌଲା ଯେତେବେଳେ ଧଇଁସଇଁ ହୋଇ ତଳ ମହଲାକୁ ଆସିଲା, ସେ ଶୁଣିପାରିଲା ତା’ର ମା’ ଗଙ୍ଗା ଡାକୁଛି, “ଚୌଲା, ତୁ କୁଆଡ଼େ ଦଉଡ଼ୁଛୁ ?”

 

“ନା, ମା’, କେଉଁଠାକୁ ନୁହେଁ” ଏକା ନିଶ୍ୱାସରେ ସେ ଉତ୍ତର ଦେଲା । ଆଉ ଅଳ୍ପ କେତୋଟି ପାହାଚ ଅତିକ୍ରମ କରିବାପୂର୍ବରୁ ହଠାତ୍‍ ସେ ରହିଗଲା । ତା’ର ହୃଦୟ ଦ୍ରୁତଗତିରେ ସ୍ପନ୍ଦିତ ହେଲା । ସେ ଧାଇଁଯାଇ ତା’ର ମା’ ଗଙ୍ଗାକୁ କୁଣ୍ଢାଇ ପକାଇ କହିଲା, “ମା’, ଖୁବ୍‍ଶୀଘ୍ର ମଧ୍ୟାହ୍ନ ହେବ । ଆଜି କାହାର ପାଳି ପଡ଼ିବ ନାଚିବାକୁ ?”

 

ଗଙ୍ଗା-‘‘କାହିଁକି ? ମୁଁ ଭାବୁଛି କୁଣ୍ତଳାର ପାଳି ।’’

 

ଚୌଲା-‘‘ନା, ମା’, ମୁଁ ଆଜି ନାଚିବାକୁ ଚାହୁଁଛି । ବର୍ତ୍ତମାନ ପ୍ରକୃତ ସମୟ ।’’

 

ଗଙ୍ଗା-‘‘କିନ୍ତୁ ଏ ମଧ୍ୟାହ୍ନରେ ନାଚିପାରିବୁ ବୋଲି ତୁ କ’ଣ ଭାବୁଛୁ ?’’

 

ଚୌଲା-‘‘ମୁଁ କାହାକୁ ଖାତିର କରୁନାହିଁ-ମୁଁ ନିଶ୍ଚୟ ବର୍ତ୍ତମାନ ନାଚିବି ।’’

 

ଗଙ୍ଗା-‘‘ତୋ’ର ପାଳି ଆଜି ସନ୍ଧ୍ୟାବେଳେ ପଡ଼ିବ । ଏଥିରେ ତୁ ରାଜି ?’’

 

ଚୌଲା-‘‘ନା, ମୁଁ ବର୍ତ୍ତମାନ ନାଚିବି । ଏଥିରେ ତୁ ଏକମତ ନ ହେଲେ ମୁଁ ବରଂ ଆତ୍ମହତ୍ୟା କରିବି ।’’

 

ଗଙ୍ଗା-‘‘କିନ୍ତୁ କୁଣ୍ତଳା ଯେ ମର୍ମାହତ ହେବ ?’’

 

ଚୌଲା-‘‘ସେ କ୍ଷେତ୍ରରେ ତାକୁ ତୁ ଯେପରି ଇଚ୍ଛା ସନ୍ତୁଷ୍ଟ କର । କିନ୍ତୁ ମତେ ଅନୁଗ୍ରହ କରି ବାରଣ କରନା, ମୁଁ ନୃତ୍ୟ କରେ ।’’

 

ଚୌଲାର ଏପରି ଉତ୍ତେଜନାର ମର୍ମ ଜାଣିବାକୁ ଗଙ୍ଗାକୁ ବେଶୀ ସମୟ ଲାଗିଲା ନାହିଁ । ଚୌଲାର ବଡ଼ ବଡ଼ ଆଖି, ହୃଦୟର ଦ୍ରୁତ ସ୍ପନ୍ଦନ ଓ ଉତ୍କଣ୍ଠା ଜାଣିପାରି ଗଙ୍ଗା ଆଉ ତା’ ସହିତ ତର୍କ ନ କରି କହିଲା, “ତୁ ପ୍ରସ୍ତୁତ ରହ । ମୁଁ ଯାଉଛି ଏ ଖବର କୁଣ୍ତଳାକୁ କହିବି ।”

 

ଆନନ୍ଦବିଭୋରା ଚୌଲା ପ୍ରଭୁ ସୋମନାଥଙ୍କ ଆଗରେ ନୃତ୍ୟ ଆରମ୍ଭ କଲା । ସେ ଆଜି ତା’ର ଯୁଦ୍ଧାଭିମୁଖୀ ପ୍ରଭୁ ଶିବଙ୍କୁ ଉପାସନା କରୁଛି । ସେଥିପାଇଁ ତା’ର ନୃତ୍ୟ-ଚାତୁରୀରେ ସ୍ୱତନ୍ତ୍ରତା ଫୁଟିଉଠିଛି । ପାଦ ଦୁଇଟିର ଚାଳନାରେ ନୂତନତା ଓ ନୃତ୍ୟର ଶୈଳୀରେ ପ୍ରାକୃତିକତା ସୁସ୍ପଷ୍ଟ । ତା’ର ଆଖି ଦୁଇଟି ସବୁଦିନ ପରି ପ୍ରଭୁ ସୋମନାଥଙ୍କ ପ୍ରତିମୂର୍ତ୍ତି ଉପରେ ନିବିଷ୍ଟ ନ ରହି, ମନ୍ଦିରକୁ ଯାଇଥିବା ରାସ୍ତା ଉପରେ ଆଜି ନିବଦ୍ଧ ।

 

ସେ ନିଶ୍ଚିତଭାବେ ଜାଣିଥିଲା ଯେ ଭୀମଦେବ ନିଶ୍ଚୟ ପ୍ରଭୁଙ୍କୁ ଉପାସନା କରିବାକୁ ଆସିବେ ଓ ସେତେବେଳେ ନିଃସନ୍ଦେହରେ ତାକୁ ଚିହ୍ନିପାରିବେ । ସେ ତାଙ୍କରିପାଇଁ ହିଁ ନୃତ୍ୟ କରିବ-। ଅଳ୍ପ ସମୟ ପରେ ରାଜାଙ୍କ ଆଗମନସୂଚକ ବାଦ୍ୟନାଦ ଶୁଣାଯିବା ସଙ୍ଗେ ସଙ୍ଗେ ଲୋକମାନଙ୍କ କୋଳାହଳ ବଢ଼ିବାରେ ଲାଗିଲା । ପ୍ରଥମେ ଗୁରୁଦେବ ଓ ଭୀମଦେବ ଭିତର ଦୁର୍ଗର ଫାଟକବାଟେ ପ୍ରବେଶ କଲେ । ସେମାନଙ୍କ ପଛେ ପଛେ ରାଜନ୍ୟବୃନ୍ଦ, ମନ୍ତ୍ରିବୃନ୍ଦ ଓ ସେନାଧ୍ୟକ୍ଷମାନେ ମଧ୍ୟ ଆସୁଥିଲେ । ଚୌଲାର ହୃଦୟର ସ୍ପନ୍ଦନ ଦ୍ରୁତରୁ ଦ୍ରୁତତର ହେଲା । ତା’ର ପାଦରେ ଅସ୍ଥିରତା ପ୍ରକାଶ ପାଇଲା ଓ ଉତ୍ତେଜନାରେ କଣ୍ଠ ରୁଦ୍ଧ ହୋଇଗଲା ।

 

ଗୁରୁଦେବ ଓ ଭୀମଦେବ ଗୁରୁତ୍ୱପୂର୍ଣ୍ଣ କଥୋପକଥନରେ ରତି ରହି ମନ୍ଦିରରେ ପ୍ରବେଶ କଲେ । ଚୌଲା ଅତୀତରେ ଭୀମଦେବଙ୍କୁ ଯେପରି ଦେଖିଥିଲା-ଯେଉଁ ମୁଖ, ଯେଉଁ ଚକ୍ଷୁ ଓ ଚାଲିବାର ଭଙ୍ଗୀ-ଆଜି କିନ୍ତୁ ସେ ଦେଖୁଛି ସମ୍ପୂର୍ଣ୍ଣ ଭିନ୍ନ-ଗମ୍ଭୀର ମୁଖ, କଠୋର ଚକ୍ଷୁ ଓ ଦୃଢ଼ ଗତି । ଇଏତ ସେ ରାତ୍ରିର ଭୀମଦେବ ନୁହଁନ୍ତି-ଏ ଜଣେ ଅଜଣା ସୁଦକ୍ଷ ଯୋଦ୍ଧା; ଯିଏ ଚୌଲାକୁ ଜାଣନ୍ତି ନାହିଁ । ଚୌଲାର ପାଦ ଦୁଇଟି ନୃତ୍ୟରତ ଥିଲା ସିନା, ତା’ର ହୃଦୟ ନୀରବରେ ଅଶ୍ରୁ ବର୍ଷଣ କରୁଥିଲା ।

 

ଯେତେବେଳେ ଗଙ୍ଗ ସର୍ବଜ୍ଞ ଓ ଭୀମଦେବ ଏକତ୍ର ଦେଉଳର ଭିତର ମନ୍ଦିରକୁ ପ୍ରବେଶ କଲେ, ଚୌଲାର ଆଶାର ସୌଧ ଯେପରି ଧୂଳିସାତ୍‍ ହେଲା । ଭୀମଦେବଙ୍କ ଦୃଷ୍ଟି ମୁହୂର୍ତ୍ତକପାଇଁ ତା’ ଉପରେ ପଡ଼ିଲା ଏବଂ ସେହି ମୁହୂର୍ତ୍ତକ ମଧ୍ୟରେ ଚୌଲା ତାଙ୍କ ହୃଦୟର ସ୍ପନ୍ଦନ ଥରକ ପାଇଁ ସୁଦ୍ଧା ଅନୁଭବ କରିପାରିଲା ନାହିଁ । ଭୀମଦେବଙ୍କ ମନ ସେତେବେଳେ ଯୁଦ୍ଧ ପରିଚାଳନା ଚିନ୍ତାରେ ଭାରାକ୍ରାନ୍ତ ଥିବାରୁ ଚୌଲା ତାଙ୍କୁ ଜଣେ ଅପରିଚିତା ପରି ମନେହେଲା । ସେ ତାକୁ ଚିହ୍ନିବି ପାରିଲେ ନାହିଁ । ଭୀମଦେବଙ୍କର ଏପରି ବ୍ୟବହାରରେ ଚୌଲା ଦୁଃଖରେ ମ୍ରିୟମାଣ ହୋଇପଡ଼ିଥାଏ ।

 

ପ୍ରଚଳିତ ପ୍ରଥା ଅନୁସାରେ ଭୀମଦେବ ଓ ତାଙ୍କ ସହଚର ଶାସକଗଣ ସୋମନାଥଙ୍କର ଉପାସନା କଲେ । ରାଜହଂସର ମୃତ୍ୟୁକାଳୀନ ସ୍ୱର ପରି ନର୍ତ୍ତକୀ ଚୌଲା ଯେଉଁ କରୁଣ ଓ ହୃଦୟବିଦାରକ ସଙ୍ଗୀତର ମୂର୍ଚ୍ଛନା ସୃଷ୍ଟିକଲା, ତାହା ସେମାନଙ୍କ ପୂଜାପାଇଁ ପରିବେଶ ସୃଷ୍ଟି କଲା । ସେମାନେ ସମସ୍ତେ ଉପାସନା ମନ୍ଦିର ପରିତ୍ୟାଗ କରି ଆସିଲେ, ଏବଂ ଗୁରୁଦେବ ହାତ ଉଠାଇ ପୂର୍ଣ୍ଣ ନୀରବତାପାଇଁ ନିର୍ଦ୍ଦେଶ ଦେଲେ । ପ୍ରତ୍ୟେକେ ନୀରବ ହେଲେ; କେବଳ ପରମ୍ପରା ଅନୁସାରେ ନୃତ୍ୟ-ଗୀତ ଚାଲିଥାଏ । ଗାୟିକା ଆଡ଼କୁ ନ ଅନାଇ ଅତି ରୁକ୍ଷ କଣ୍ଠରେ ସଙ୍ଗୀତ ବନ୍ଦ କରିବାକୁ ଭୀମଦେବ ନିର୍ଦ୍ଦେଶ ଦେଲେ । ମୃତ୍ୟୁର ଅବ୍ୟବହିତ ପୂର୍ବରୁ ମଣିଷର କଣ୍ଠ ରୁଦ୍ଧ ହେଲାପରି ଚୌଲାର ନୃତ୍ୟ ଓ ଗୀତ ସହସା ବନ୍ଦ ହୋଇଗଲା ।

 

ଧୀର ଓ ମ୍ଳାନ ବଦନରେ ଗୁରୁଦେବ କହିଲେ, “ପ୍ରଭୁଙ୍କର ଭକ୍ତବୃନ୍ଦ, ପ୍ରଭୁ ସୋମନାଥ ଆମ୍ଭମାନଙ୍କୁ ପରୀକ୍ଷା କରିବାକୁ ଏ ସଂକଟ ସୃଷ୍ଟି କରିଛନ୍ତି । ଆଉ ଆଠ ଦଶ ଦିନ ଭିତରେ ଶତ୍ରୁ ଆସି ଦ୍ୱାରଦେଶରେ ପହଞ୍ଚିବ । ପ୍ରଭୁ ସୋମନାଥଙ୍କଠାରେ ମୋର ଯେଉଁ କର୍ତ୍ତୃତ୍ୱ ଥିଲା, ଏଣିକି ମୁଁ ତାହା ଭୀମଦେବ ମହାରାଜଙ୍କୁ ଅର୍ପଣ କଲି । ତୁମେମାନେ ପ୍ରତ୍ୟେକେ ଏଣିକି ତାଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବ । ସେ ସମ୍ପୂର୍ଣ୍ଣଭାବେ ପ୍ରଭୁ ସୋମନାଥଙ୍କ ପାଖରେ ନିୟୋଜିତ ଓ ତାହା ବଦଳରେ ସେ ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଛନ୍ତି ।”

 

ସର୍ବଜ୍ଞଙ୍କ ବକ୍ତବ୍ୟ ଶେଷ ହେବାପରେ ମଧ୍ୟ ସେଠାରେ ସମ୍ପୂର୍ଣ୍ଣ ନୀରବତା ବିରାଜୁ ଥିଲା-। ଏକ ବଡ଼ ଧରଣର ବିପଦ ଆସନ୍ନ ବୋଲି ପ୍ରଥମ ଥରପାଇଁ ସମସ୍ତେ ଗୁରୁତ୍ୱପୂର୍ଣ୍ଣଭାବେ ଉପଲବ୍ଧି କରୁଥିଲେ ।

 

ତତ୍‌ପରେ ଭୀମଦେବ ଗୁରୁଗମ୍ଭୀରଭାବେ କହିଲେ, “ପ୍ରଭୁ ସୋମନାଥଙ୍କ ଇଚ୍ଛାନୁସାରେ ମୁଁ ଗୋଟିଏ ଯନ୍ତ୍ର ପରି କାମ କରିବି । ଗୋଟିଏ ବଡ଼ ମାରାତ୍ମକ ଶତ୍ରୁ ବର୍ତ୍ତମାନ ଦ୍ୱାରଦେଶରେ ଉପସ୍ଥିତ ଏବଂ ତା’ର ଧ୍ୱଂସ କରିବାର କ୍ଷମତା ଅସୀମ । କେବଳ ଭଗବାନଙ୍କର ଆଶୀର୍ବାଦ ବଳରେ ଆମେ ତାକୁ ଜୟ କରିବା ।”

 

ସେ କିଛିକ୍ଷଣ ପାଇଁ ନୀରବ ରହିଲେ ଏବଂ ସମସ୍ତଙ୍କ ଆଡ଼କୁ ଦୃଷ୍ଟି ନିକ୍ଷେପ କଲେ । ଚୌଲାକୁ ପୂର୍ବରୁ ଯେପରି ଦେଖୁଥିଲେ, ଏଥର ଦେଖିବାରେ ସେପରି କିଛି ଆନନ୍ଦ ବା ଆବେଗ ନ ଥିଲା । ସେ ପୁନର୍ବାର ଆରମ୍ଭ କଲେ, “ଗତ ଦୁଇଦିନ ମଧ୍ୟରେ କେତୋଟି ଯୁଦ୍ଧ-ଜାହାଜ କାମ୍ବେରୁ ଆସି ପୋତାଶ୍ରୟରେ ଆଶ୍ରୟ ନେଇଥିବ । ତେଣୁ ସମସ୍ତ ଅଧିବାସୀ-ବ୍ରାହ୍ମଣ ହୁଅନ୍ତୁ, ନାରୀ ବା ପିଲା ହୁଅନ୍ତୁ-ସେମାନଙ୍କୁ ପ୍ରଭାସ ପରିତ୍ୟାଗ କରିବାକୁ ପଡ଼ିବ । ସେମାନେ ଇଚ୍ଛା କଲେ ସେମାନଙ୍କ ଜିନିଷପତ୍ର ସଙ୍ଗରେ ନେଇପାରନ୍ତି । କିନ୍ତୁ ସେମାନେ ସମସ୍ତ ଖାଦ୍ୟସାମଗ୍ରୀ ଛାଡ଼ିଦେଇଯିବେ । ସେମାନେ ପରିତ୍ୟାଗ କରି ଯାଉଥିବା ଘରମାନଙ୍କରେ ମୋର ସୈନ୍ୟମାନେ ରହିବେ ।”

 

ତା’ପରେ ସେ ତାଙ୍କର ମନ୍ତ୍ରୀଙ୍କ ଆଡ଼କୁ ଚାହିଁ ଆଦେଶ ଜାରି କରି କହିଲେ, “ବିମଳ, ଖୁବ୍‍ କମ୍‍ ସମୟ ମଧ୍ୟରେ ଯେପରି ନଗରରୁ ସାଧାରଣ ନାଗରିକମାନେ ଚାଲିଯିବେ ତାହା ଦେଖ”, ଏବଂ ଗୁରୁଦେବଙ୍କୁ ଅନୁନୟ କରି କହିଲେ, “ଆପଣ ଦୟାକରି ମନ୍ଦିରରେ ନୃତ୍ୟ-ଗୀତର ସମାରୋହ ବନ୍ଦ ରଖନ୍ତୁ । ସୋମନାଥଙ୍କ ଦୟାରୁ ହମୀର୍‍ ଏଠାରୁ ବିତାଡ଼ିତ ହେବା ପରେ ଏ ସମସ୍ତ ଉତ୍ସବ ମନ୍ଦିରରେ ପୁନର୍ବାର ପ୍ରଚଳିତ ହେବ ।”

 

ସମବେତ ଜନତା ଉପରେ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଦୃଷ୍ଟିନିକ୍ଷେପ କରି ଭୀମଦେବ ଗୁରୁଦେବ, ରାଜନ୍ୟମଣ୍ତଳୀ ଓ ମନ୍ତ୍ରୀମାନଙ୍କ ସହ ସେଠାରୁ ଚାଲିଗଲେ ।

Image

 

ଗୁରୁଦେବଙ୍କ ପ୍ରତିଜ୍ଞା

 

ଉପସ୍ଥିତ ଜନତା ମଧ୍ୟରୁ ପାଟି ଶୁଣାଗଲା । ଚୌଲା ତା’ ଆଖି ବନ୍ଦ କରି ବାତୁଳପ୍ରାୟ ଏକାନିଶ୍ୱାସକେ ତା’ର ଘରଆଡ଼କୁ ଦୌଡ଼ିଲା । ଅବଶ୍ୟମ୍ଭାବୀ ବିପଦରେ ଆତଙ୍କିତ ହୋଇ ତା’ ପ୍ରତି କାହାରି ଦୃଷ୍ଟି ନ ଥିଲା । ସେ ଘରେ ପହଞ୍ଚି, ଦେହରୁ ଶାଢ଼ି ଗହଣାମାନ ନ ଖୋଲି ବିଛଣାରେ ପଡ଼ି ଖୁବ୍‍ କାନ୍ଦିଲା । ତା’ର ପ୍ରଭୁ ଆସି ଚାଲିଯାଇଥିଲେ ସୁଦ୍ଧା ତାକୁ ଚିହ୍ନିପାରିଲେ ନାହିଁ । ସ୍ୱର୍ଗର ଦ୍ୱାରମାନ ଖୋଲିଥିଲେ ହେଁ, ସେ ଅନାଇବାପୂର୍ବରୁ ତାହା ବନ୍ଦ ହୋଇଯାଇଛି ।

 

ତାହାର ନାଚ ଓ ଗାନ ପ୍ରତି କେହି ଦୃଷ୍ଟି ଦେଇନାହାନ୍ତି ବୋଲି ଚୌଲାର ଧାରଣା ଅବଶ୍ୟ ଠିକ୍‍ ନୁହେଁ । ଅଠର ଦିନ ଧରି ଉପବାସ କରି ଦୁର୍ବଳ ହୋଇପଡ଼ିଥିଲେ ସୁଦ୍ଧା ଶିବରାଶିଙ୍କ ଦୃଷ୍ଟି ଚୌଲା ବ୍ୟତୀତ ଅନ୍ୟତ୍ର ଯାଇନଥିଲା । ଅନୁଗତ ଶିଷ୍ୟରୂପେ ସେ ବରାବର ଗୁରୁଙ୍କ କଥା ମାନିଆସିଛନ୍ତି । ପ୍ରକୃତ କଥା ଦେଖିବାକୁ ଗଲେ, ତାଙ୍କର ତାହାଛଡ଼ା ଅନ୍ୟ ଉପାୟ ନ ଥିଲା । ସେ ଯେବେ ତାହା କରିନଥାନ୍ତେ, ତେବେ ଗୁରୁଦେବ ତାଙ୍କୁ ମୁଖ୍ୟ ଶିଷ୍ୟ ପଦବୀରୁ ବଞ୍ଚିତ କରିଥାନ୍ତେ । କିନ୍ତୁ ଶିବରାଶିଙ୍କ ହୃଦୟରେ ପ୍ରବଳ ଝଞ୍ଜା ଦେଖାଦେଇଛି । ଗୁରୁଦେବ ତାଙ୍କର କ୍ଷମତା କାଢ଼ିନେଇ ତାଙ୍କୁ ଅପମାନିତ କରିଛନ୍ତି ।

 

ଗୁରୁଦେବ ଯେ ତ୍ରିପୁରସୁନ୍ଦରୀଙ୍କ ନୀତି ବନ୍ଦ କରି ଦେଇଛନ୍ତି ଏବଂ କେବଳ ଜଣେ ମନ୍ଦିର ନର୍ତ୍ତକୀର ଝିଅକୁ ସନ୍ତୁଷ୍ଟ କରିବା ନିମିତ୍ତ ତାହା କରିଛନ୍ତି; ଏହା ଅକ୍ଷମଣୀୟ । ଏଥିପାଇଁ ଯେବେ କାହାର ଅନୁତାପ କରିବା କଥା, ସେ ହେଉଛନ୍ତି ଗୁରୁଦେବ ନିଜେ । ତାଙ୍କର ପାପ ଯୋଗୁହିଁ ମହାମାୟା ମନ୍ଦିର ଧ୍ୱଂସ କରିବାପାଇଁ ଆକ୍ରମଣକାରୀଙ୍କୁ ପଠାଇଛନ୍ତି ।

 

ଶିବରାଶିଙ୍କ ଉପବାସ ଯେତେ ଅଧିକଦିନ ହେଉଥାଏ, ଘଟିଯାଇଥିବା ଘଟଣା ଉପରେ ମହାମାୟା ତ୍ରିପୁରସୁନ୍ଦରୀଙ୍କ ହାତ ସେ ସେତେ ଅଧିକ ମାତ୍ରାରେ ଦେଖିପାରୁଥାନ୍ତି । ହମୀର୍‍ର ବିଜୟ ସୁନିଶ୍ଚିତ ଏବଂ ଗୁରୁଦେବ ତାଙ୍କ ସ୍ଥାନରୁ ନିଶ୍ଚୟ ଯିବେ । ତାହା ପରେ ଶିବରାଶି ତାଙ୍କ ସ୍ଥାନ ଅଧିକାର କରି ହେବେ ସର୍ବଜ୍ଞ । ସୃଷ୍ଟିକର୍ତ୍ତା ମହାମାୟା ତ୍ରିପୁରସୁନ୍ଦରୀ ସବୁ ସହିପାରନ୍ତି; କିନ୍ତୁ ତାଙ୍କ ପ୍ରତି ହେଉଥିବା ଅସମ୍ମାନ ସେ କିପରି ସହ୍ୟ କରିପାରିବେ ?

 

ଶିବରାଶି ମହମାୟାଙ୍କ ଶକ୍ତି ବିଷୟରେ ଭାବୁଥିଲାବେଳେ, ଚୌଲା ବିଷୟ ତାଙ୍କ ମନକୁ ନ ଆସି ରହିପାରୁନଥାଏ । ସେଦିନ ସଂଧ୍ୟାବେଳେ ସେ ଚୌଲାର ଯେଉଁ ରୂପର ପୂଜା କରିଥିଲେ, ତାହା ଶୟନେ ବା ଜାଗରଣେ ଭୁଲିପାରୁ ନାହାନ୍ତି । ତାଙ୍କୁ ସ୍ୱପ୍ନରେ ସେହି ଦୃଶ୍ୟ ଦେଖାଯାଉଛି । ଦେବୀଙ୍କର ଯେଉଁ ବିଧି ସେ ଅପୂର୍ଣ୍ଣ ରଖି ଛାଡ଼ିଦେବାକୁ ବାଧ୍ୟ ହେଲେ, ତାହା ପୂର୍ଣ୍ଣ କରିବାର ସୁଯୋଗ ପାଇବାକୁ ତାଙ୍କ ମନରେ ଅତିଶୟ ଉତ୍କଣ୍ଠା ପ୍ରକାଶ ପାଉଛି । ସେହି ବିଧିବିଧାନ ପୂର୍ଣ୍ଣକରୁଥିବା ସେ ସ୍ୱପ୍ନରେ ବହୁବାର ଦେଖିଛନ୍ତି; କିନ୍ତୁ ନିଦ ଭାଙ୍ଗିଗଲାବେଳକୁ ତାଙ୍କ ମନରେ ଅତିଶୟ ବ୍ୟଥା ହେଉଛି । ତେଣୁ ହମୀର୍‍ର ଆସନ୍ନ ଆକ୍ରମଣ କଥା ଶୁଣି ତାଙ୍କ ମନରେ ଆନନ୍ଦ ଦେଖାଦେଲା । ସେ ଭାବିଲେ ସେହିଭଳି କିଛି ବିରାଟ ପରିବର୍ତ୍ତନ ନ ହେଲେ ମହାମାୟାଙ୍କର ପାରମ୍ପରିକ ପୂଜା ପଦ୍ଧତି ପୁନର୍ବାର ପ୍ରତିଷ୍ଠିତ ହେବାର ଆଶା ଖୁବ୍‍ କମ୍‍ ।

 

ଶିବରାଶି ଏହିପରି ଭାବୁଥିବା ସମୟରେ ଭୀମଦେବ ଆସି ପ୍ରଭାସରେ ପହଞ୍ଚିଲେ । ଗୁରୁଦେବ ଓ ଭୀମଦେବଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସେ କାନ ପାରି ଅଳ୍ପ ଅଳ୍ପ ଶୁଣିଛନ୍ତି । ପ୍ରତ୍ୟେକ ଲୋକକୁ ଖମ୍ବାତ (କାମ୍ବେ) ଯିବାକୁ ହେବ । ଯେବେ ଗୁରୁଦେବ ନ ଯାନ୍ତି ତାହାହେଲେ ଲୋକଙ୍କୁ ନେଇ ଖମ୍ବାତରେ ଲକୁଳେଶ ସମ୍ପ୍ରଦାୟ ପ୍ରତିଷ୍ଠା କରିବାର ଦାୟିତ୍ୱ ତାଙ୍କ ଉପରେ ପଡ଼ିବ-। ଯେଉଁମାନେ ଖମ୍ବାତ ଯିବେ ସେମାନଙ୍କ ମଧ୍ୟରେ ଯେ ଚୌଲା ଯିବ ଏ ବିଷୟରେ କୌଣସି ସନ୍ଦେହ ନାହିଁ । ଯେଉଁ କାଳରାତିରେ କାପାଳିକର ମୃତ୍ୟୁ ହେଲା, ସେତେବେଳେ ଭୀମଦେବ ଓ ଚୌଲାର ଦେଖା ସାକ୍ଷାତ୍‍ ହୋଇଥିବା କଥା ମଧ୍ୟ ସେ କିଛି କିଛି ଶୁଣିଛନ୍ତି... । କିନ୍ତୁ ବର୍ତ୍ତମାନ ଅବସ୍ଥା ପୂରାପୂରି ଅଲଗା । ଚୌଲା ସହିତ ଭୀମଦେବ ତ ଖମ୍ବାତ ଯିବେ ନାହିଁ !

 

ମନ୍ଦିରରେ ଭୀମଦେବ ଚୌଲାଆଡ଼କୁ ମୋଟେ ନ ଅନାଇଥିବାରୁ ଏବଂ ଏପରିକି ତାକୁ ଚିହ୍ନିପାରି ନ ଥିବାରୁ ଶିବରାଶି ଭାରି ଖୁସି । ଉପବାସ ଫଳରେ ଶିବରାଶିଙ୍କର କଳ୍ପନା ଶକ୍ତି ତୀକ୍ଷ୍‍ଣ ହୋଇଥିଲା । ଚୌଲାର ଗୀତ ଓ ନୃତ୍ୟ ତାହକୁ ଆହୁରି ତୀକ୍ଷ୍‍ଣତର କରିଛି । ଗୁରୁଦେବଙ୍କ ସମ୍ମତିକ୍ରମେ ଭୀମଦେବ ଯେତେବେଳେ ମନ୍ଦିରରେ ନୃତ୍ୟ ବନ୍ଦ କରାଇଦେଲେ, ତାହା ତାଙ୍କୁ ବିଶେଷ କଷ୍ଟ ଦେଇଥିଲା । ପ୍ରକୃତରେ ଦେଖିବାକୁ ଗଲେ ଗୁରୁଦେବ ନିଜର ପ୍ରାଧାନ୍ୟକୁ ଏପରି ଅପବ୍ୟବହାର କରୁଛନ୍ତି, ଯାହା ଫଳରେ କି ସେ ଆଉ ସମ୍ମାନଯୋଗ୍ୟ ନୁହଁନ୍ତି ।

 

ଗୁରୁଦେବ ଓ ଭୀମଦେବ ମନ୍ଦିରରୁ ବାହାରିଯିବା ସମୟରେ ଶିବରାଶି ମଧ୍ୟ ସେମାନଙ୍କ ସଙ୍ଗେ ସଙ୍ଗେ ଗଲେ । ମନ୍ଦିରର ସବା ତଳ ପାହାଚରେ ପହଞ୍ଚି ଗୁରୁଦେବ ତାଙ୍କଆଡ଼କୁ ଲକ୍ଷ୍ୟକରି କହିଲେ, “ଶିବରାଶି, ପ୍ରାୟଶ୍ଚିତ ଶେଷକର, ପାରଣା କର । ଏହି ଦାରୁଣ ବିପଦ ସମୟରେ ତୁମର ଏକମାତ୍ର କର୍ତ୍ତବ୍ୟ ପ୍ରଭାସର ଜନସାଧାରଣଙ୍କର ସେବା ।”

 

ଶିବରାଶି ହାତଯୋଡ଼ି ଓ ମୁଣ୍ତ ନୁଆଁଇ ସେଠାରୁ ଚାଲିଗଲେ । ଯେଉଁ ମହାମାୟାଙ୍କ ନୀତିରେ ବାଧା ପଡ଼ିଥିବାରୁ ପ୍ରାୟଶ୍ଚିତ୍ତସ୍ୱରୂପ ସେ ଏତେ କଷ୍ଟ ଭୋଗିଛନ୍ତି, ଉପବାସ ଭାଙ୍ଗିବାପୂର୍ବରୁ ତାଙ୍କୁ ଆରାଧନା କରିବା ଉଚିତ ବୋଲି ସେ ଭାବିଲେ । ଚୌଲା ପ୍ରତି ତାଙ୍କର ପାପ ଆସକ୍ତି ଥିବାରୁ ସେ ଯେ ପ୍ରାୟଶ୍ଚିତ କରୁଛନ୍ତି ଏହା ତାଙ୍କ ଧାରଣାର ବାହାରେ ।

 

ଶିବରାଶି ଯାଉ ଯାଉ ତାଙ୍କ ଗୋଡ଼ ଗଙ୍ଗାର ଘରଆଡ଼କୁ ପଡ଼ିଲା । ଦାଣ୍ତ କବାଟ ମେଲାଥିବାରୁ, ସେ ସିଧା ଭିତରକୁ ଗଲେ । ଚୌଲା ତଳେ ମୁହଁ ମାଡ଼ି ବିଛଣାରେ ନିଘୋଡ଼ ନିଦରେ ଶୋଇଥିବା ଦେଖି ସେ ଆଶ୍ଚର୍ଯ୍ୟ ହେଲେ । କିଛି ସମୟ ପର୍ଯ୍ୟନ୍ତ ତା’ର ସେଇ ସୁନ୍ଦର ଶରୀର ଉପରେ ତାଙ୍କର ଆଖି ଏକ ଲୟରେ ପଡ଼ିରହିଲା । ତାଙ୍କର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ଥରିଉଠିଲା ଓ ଆଖିରେ କାମନାଗ୍ନି ଜଳିଉଠିଲା । ଯେଉଁ ସୁନ୍ଦରୀର ଶରୀରରେ ମହାମାୟା ପ୍ରବେଶ କରିଛନ୍ତି, ତାକୁ ବିଧିମତେ ପୂଜା କରିବାକୁ ସେ ଇଛା କଲେ । ଗୁରୁଦେବ ଯେତେବେଳେ ନ ଥିବେ, ଏଥିପାଇଁ ସେ ଯଥେଷ୍ଟ ସୁଯୋଗ ପାଇବେ । ଆଉ ଅଳ୍ପଦିନେ ତାଙ୍କୁ ଧ୍ୱଂସ କରିବାପାଇଁ ଆସିବ ହମୀର୍‍ । ତେଣୁ ବୈଧାନିକ ପୂଜା-ପଦ୍ଧତିପାଇଁ ଡେରି ହେଲେ କିଛି କ୍ଷତି ନାହିଁ । ବର୍ତ୍ତମାନ ସେ କେବଳ ନିଜ ମନର ବୋଝ ହାଲୁକା କରିବାକୁ ଚାହୁଁଛନ୍ତି । ଚୌଲା ପାଦ ଉପରେ ତାଙ୍କର ଦୃଷ୍ଟି ପଡ଼ିଲା । ତାହା ଏକ କୋମଳ ଗୋଲାପଫୁଲ ପରି ଦିଶୁଥାଏ । ଏହି ପାଦରେ ସେ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଠିକ୍‍ କଲେ । ବହୁ କଷ୍ଟରେ ସେ ତାଙ୍କର ବାସନାକୁ ଚାପି ରଖି ମହାମାୟାଙ୍କ ଅବତାରର ପାଦଛୁଇଁ ଗୋଡ଼ତଳେ ପଡ଼ିଗଲେ । ଶିବରାଶିଙ୍କ ହାତର ସ୍ପର୍ଶରେ ଚୌଲାର ନିଦ ଭାଙ୍ଗିଗଲା ।

 

ଉପବାସରେ ବିକୃତ ଶିବରାଶିଙ୍କର ମୁଖ ଓ ବିକଟାଳ ଚକ୍ଷୁ ଦେଖି ସେ ଚମକି ପଡ଼ିଲା ଓ ପାଟିକରି ଉଠିଲା-ସତେ ଯେପରି ଏକ ରାକ୍ଷସ ତାକୁ ଧରିବାକୁ ବସିଛି । ଚୌଲା ସେଠାରୁ ଦୌଡ଼ି ପଳାଇଲା । ଶିବରାଶି ଆସ୍ତେ ଆସ୍ତେ ଉଠି ଠିଆହେଲେ । ତ୍ରିପୁରସୁନ୍ଦରୀ ତା’ର ପୂଜା କିପରି ଗ୍ରହଣ କରିବେ, ଏହି ଚିନ୍ତା କରି କରି ଶିବରାଶି ନିଜ ଘରକୁ ଫେରିଗଲେ ଏବଂ ସିଦ୍ଧେଶ୍ୱର ଓ ହରଦତ୍ତକୁ ଡକାଇ ପଠାଇ ସେ ଉପବାସ ଭଙ୍ଗକଲେ ।

 

ହରଦତ୍ତ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଲା । ତ୍ରିପୁରସୁନ୍ଦରୀଙ୍କ ନୀତିରେ ବ୍ୟାଘାତ ଘଟିଥିବାରୁ ସେ ବିଶେଷ ମର୍ମାହତ ହୋଇଥାଏ । ଗଙ୍ଗସର୍ବଜ୍ଞ ମନ୍ଦିରର ସର୍ବୋଚ୍ଚ ପୂଜକଭାବେ ଅଧିଷ୍ଠିତ ହେବାର ବହୁ ପୂର୍ବରୁ ପ୍ରାୟ ପଚାଶ ବର୍ଷ ଧରି ସେ ତ୍ରିପୁରସୁନ୍ଦରୀ ମନ୍ଦିରର ପୂଜକଭାବେ ରହିଆସିଛି । ସେ ବହୁତ ଉତ୍ସବ ଦେଖିଛି ଓ ବହୁ ଉତ୍ସବରେ ନିଜେ ମଧ୍ୟ ପୌରୋହିତ୍ୟ କରିଛି । ସେ ଜାଣିବାରେ ତା’ର ଜୀବନରେ ଏଇ ପ୍ରଥମ ଥରପାଇଁ ଦେବୀଙ୍କର ପୂଜା ବନ୍ଦ ହୋଇଛି । ସବୁଠାରୁ କ୍ଷୋଭର ବିଷୟ ଯେ, ତାକୁ ମହମାୟା ଠାକୁରାଣୀଙ୍କ ପୂଜାରୁ ମଧ୍ୟ ବଞ୍ଚିତ କରାଯାଇଛି । ତାହା ପକ୍ଷରେ ଏହା ଠିକ୍‍ ସୃଷ୍ଟି ରସାତଳକୁ ଗଲା ପରି ଏକ ବିପତ୍ତି । ଏକ ପାଗଳପରି ନିର୍ବାକ୍‍ ହୋଇ ସେ ମହାମାୟାଙ୍କ ମନ୍ଦିର ପାଖରେ ବୁଲୁଥାଏ ଓ ବେଳେବେଳେ କୌଣସି ଯାତ୍ରୀକୁ ଅନ୍ଧାରକୁ ନେଇଯାଇ ବାମମାର୍ଗୀ ପୂଜା କରାଏ ।

 

ହରଦତ୍ତକୁ ଦେଖି ଶିବରାଶି କହିଲେ, “ହରଦତ୍ତ, ପ୍ରବଳ ବିପଦ ମାଡ଼ିଆସୁଛି ।”

 

ହରଦତ୍ତ ବିସ୍ମୟ ପ୍ରକାଶ କରି ଉଚ୍ଚ ସ୍ୱରରେ କହିଲା, “ଏଁ !”

 

ଶିବରାଶି କହିଲେ, “ତୁମେ କ’ଣ ଭାବୁଛ ? ମୁଁ ଭାବୁଛି ଜଗଜ୍ଜନନୀ ମହାଶକ୍ତିଙ୍କର ଠିକ୍‍ ଠିକ୍‍ ପୂଜା ଆମେ କରିନଥିବାରୁ ବିରାଟ ବିପଦ ଆସନ୍ନପ୍ରାୟ ।”

 

ହରଦତ୍ତ–‘‘ଆପଣ ଠିକ୍‍ କହୁଛନ୍ତି ।’’

 

ଶିବରାଶି-‘‘ବାକି ଥିବା ପୂଜା ସମାପ୍ତ କରିବାକୁ ପଡ଼ିବ । ତା’ହେଲେ ଯାଇ କୃତ ପାପର ପ୍ରାୟଶ୍ଚିତ୍ତ ହେବ । ପ୍ରାୟଶ୍ଚିତ୍ତ ନ କଲେ ଆମେ ଏହି ବିପଦରୁ ରକ୍ଷା ପାଇବା ନାହିଁ ।”

 

ହରଦତ୍ତ ଏକମତ ହୋଇ କହିଲା, “ମହାମାୟାଙ୍କ କ୍ରୋଧରୁ କେହି ରକ୍ଷା ପାଇପାରିବେ ନାହିଁ ।”

 

ଶିବରାଶି-‘‘ମହମାୟାଙ୍କୁ ଆମେ ନିଶ୍ଚୟ ପୂଜା କରିବା । କାଲି ଆମମାନଙ୍କୁ ଖମ୍ବାତ ଯିବାକୁ ହେବ । ତୁମେ ମୋ ସଙ୍ଗରେ ନିଶ୍ଚୟ ଯିବ । ସେଠାରେ ଆମେମାନେ ମହାମାୟାଙ୍କୁ ପୂଜା କରିବା ।’’

 

ହରଦତ୍ତ–‘‘ହଁ, ଆପଣ ଯାହା କହିବେ ମୁଁ ତାହା କରିବି ।’’

 

ଶିବରାଶି-‘‘ଜାଣିଛ, ଆମ ସାଙ୍ଗରେ ଚୌଲା ମଧ୍ୟ ଯିବ ।’’

 

ହରଦତ୍ତ–‘‘ରାଶିଜୀ ! ମହାମାୟା ଯେବେ ବିରକ୍ତ ହୁଅନ୍ତି ତା’ ହେଲେ କ’ଣ ଯେ ହେବ ତାହା ସେ କେବଳ ଜାଣନ୍ତି; କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ, ଠାକୁରାଣୀଙ୍କ ପୂଜାରେ ଯେ ବାଧା ଦେବ ସେ ଦଣ୍ତ ନ ପାଇ ରହିପାରିବ ନାହିଁ ।’’

 

ଶିବରାଶି-‘‘ରାମ, ରାମ, ତୁମେ ଏଇଠି ଥାଅ-ମୁଁ ଆସୁଛି ।’’

 

ଏହା କହି ଶିବରାଶି ଏହି ବିପଦର ସମ୍ମୁଖୀନ ହେବାପାଇଁ ଏକ ଯୋଜନା ମନେ ମନେ ଠିକ୍‍ କରି ଗୁରୁଦେବଙ୍କ ସହିତ ସାକ୍ଷାତ୍‍ କରିବାକୁ ଗଲେ ।

 

ମନ୍ଦିରରେ ପହଞ୍ଚିବା ପର୍ଯ୍ୟନ୍ତ ଚୌଲା ଦୌଡ଼ୁଥାଏ । ଠାକୁରଙ୍କ ପୂଜାପାଇଁ ବେଲପତ୍ର ବାଛୁଥିବା ତା’ ମାଆ ପାଖକୁ ଯାଇ ସେ ବ୍ୟସ୍ତ କାତର ସ୍ୱରରେ କହିଲା, “ମାଆ, ମାଆ ! ସେ ତ ମୋ ପିଛା ଛାଡ଼ୁ ନାହିଁ ।”

 

ଗଙ୍ଗା-‘‘କିଏ, ଭୀମଦେବ ?’’

 

ଚୌଲା-‘‘କ’ଣ ବାଜେ କଥା କହୁଛୁ ମ ? ମୁଁ ତ ରାଶିଜୀ କଥା କହୁଛି ।’’

 

ଗଙ୍ଗା-‘‘ତୁ ପାଗଳୀ ହେଲୁଣି । ତୁ ଭୀମଦେବ ମହାରାଜାଙ୍କୁ ଦେଖିଛୁ ?’’

 

ଚୌଲା ଆଖିରେ ଲୁହ ଭରି କହିଲା, “ମାଆ, ମୋତେ ସେ କଥା ପଚାରେ ନା । ମୁଁ ଅଭାଗିନୀ । ମୋ ଭାଗ୍ୟରେ ସୁଖ ନାହିଁ ।” ଏହା କହି ସେ କାନ୍ଦିଉଠିଲା । ଗଙ୍ଗା ତାକୁ ବୁଝାଇବାକୁ ଚେଷ୍ଟା କଲା । ପୁଣି ଚୌଲା କହିଲା, “ମାଆ, କାଲି ଆମେ ଖମ୍ବାତ ଯାଉଛେ ନା ?”

 

ଗଙ୍ଗା-‘‘ସର୍ବଜ୍ଞ ଯାହା ଆଦେଶ ଦେବେ ।’’

 

ଚୌଲା-‘‘ଆମେ ପଚାରି ବୁଝିବା ନାହିଁ ?’’

 

ଗଙ୍ଗା-‘‘ତୁ ଏ ଜାଗା ଛାଡ଼ି ଯିବାକୁ କାହିଁକି ଏତେ ଉଚ୍ଛନ୍ନ ?’’

 

ଚୌଲା-“ପ୍ରଭୁ ଶମ୍ଭୁ ମୋତେ ଚାହାନ୍ତି ନାହିଁ । ମୋର ନାଚରେ ମୁଁ ତାଙ୍କୁ ଖୁସି କରାଇ ପାରିଲି ନାହିଁ । ତେଣୁ ମୋର ବଞ୍ଚିବା ବା ମରିବାରେ ତଫାତ୍‍ କ’ଣ ?” ଏହା କହି ସେ ପୁଣି କାନ୍ଦିଲା ।’’

 

ଗଙ୍ଗା ଚୌଲାର ହାତଧରି ଗୁରୁଦେବଙ୍କ ଘରଆଡ଼କୁ ନେଇ କହିଲା, “ଆ, ଯାଇ ବୁଝିବା-।”

 

ଗଙ୍ଗା ସର୍ବଜ୍ଞଙ୍କ ଘର ପାଖରେ ପହଞ୍ଚି ଗୁରୁଦେବ କାର୍ଯ୍ୟବ୍ୟସ୍ତ ଥିବା ଶୁଣିବାରୁ ତାଙ୍କ ଘର ଦୁଆର ମୁହଁରେ ବସିଲା ଓ ତା’ ପାଖରେ ବସିଲା ଚୌଲା । ସେମାନେ ଘର ଭିତରେ ଥିବା ଲୋକମାନଙ୍କୁ ଦେଖିପାରୁ ନ ଥିଲେ ସୁଦ୍ଧା ସେମାନଙ୍କର କଥାବାର୍ତ୍ତା ଶୁଣିପାରୁଥିଲେ ।

 

ଗୁରୁଦେବ କହୁଥିବା ସେମାନେ ଶୁଣିଲେ, “ଭୀମଦେବ ! ହମୀର୍‍ ଆସୁ । ପ୍ରଭୁ ସୋମନାଥଙ୍କ ଲିଙ୍ଗ ଏଠାରୁ ଅନ୍ୟ ସ୍ଥାନକୁ ନିଆଯିବ ନାହିଁ ।”

 

ଜୁନାଗଡ଼ର ରତ୍ନାଦିତ୍ୟ ପଚାରିଲେ, “କିନ୍ତୁ ଗୁରୁଦେବ, ଯେବେ ପ୍ରଭାସ ବିପଦଗ୍ରସ୍ତ ହୁଏ, ତାହାହେଲେ କ’ଣ ହେବ ?”

 

ଗୁରୁଦେବ-‘‘ଯେ ପର୍ଯ୍ୟନ୍ତ ପ୍ରଭୁଙ୍କର ଶକ୍ତି ଅଛି, ସେ ପର୍ଯ୍ୟନ୍ତ କୌଣସି ଅସୁର ଯେତେ ବଳବାନ୍‍ ହେଲେ ମଧ୍ୟ କୌଣସି କ୍ଷତି କରିପାରିବ ନାହିଁ । ମଣିଷ ବା କି କ୍ଷତି କରିପାରେ ?’’

 

ମନ୍ତ୍ରୀ ବିମଳ କହିଲେ-‘‘ହମୀର୍‍ ବହୁ ଦେବମନ୍ଦିର ଧ୍ୱଂସ କରିଛି । ଲୋକ କହୁଛନ୍ତି ଦେବମୂର୍ତ୍ତି ଭାଙ୍ଗିବା ହେଉଛି ତାର କାମ ।’’

 

ଗୁରୁଦେବ-‘‘ତୁମେମାନେ ବିଶ୍ୱାସ ହରାଇଛ । ପ୍ରଭୁଙ୍କୁ ଧ୍ୱଂସ କରିବାକୁ କିଏ ସାହସ କରିବ ? ମୋର ଦୃଢ଼ବିଶ୍ୱାସ ଅଛି-ପ୍ରଭୁ ହେଉଛନ୍ତି ଚିରନ୍ତନ ଓ ଅପରିବର୍ତ୍ତନୀୟ । ପ୍ରଭୁଙ୍କୁ ତାଙ୍କ ପୀଠରୁ ସ୍ଥାନାନ୍ତରିତ କରିବାର ଶକ୍ତି କାହାରି ନାହିଁ ।’’

 

ଭୀମଦେବ କହିଲେ-‘‘ଗୁରୁଦେବ ! ଏଭଳି କୁହନ୍ତୁ ନାହିଁ । ଆମର ବିଶ୍ୱାସ ଅକ୍ଷୁର୍ଣ୍ଣ ଅଛି-।’’

 

ଗୁରୁଦେବ-‘‘ତୁମେମାନେ କେବଳ ହମୀର୍‍ କଥା ଭାବୁଛ । ମୁଁ ତାହା ଭାବୁ ନାହିଁ । ପ୍ରଭୁଙ୍କର ଇଚ୍ଛା ନ ହେଲେ ଦୂବ ଘାସ ସୁଦ୍ଧା କଅଁଳି ପାରିବ ନାହିଁ । ପ୍ରଭୁଙ୍କୁ ଧ୍ୱଂସ କରିବାକୁ ହମୀର୍‍ କିଏ ?’’

 

ରତ୍ନାଦିତ୍ୟ-‘‘କିନ୍ତୁ ଗୁରୁଦେବ ! ଆମେ ତ ପାର୍ଥିବ ମନୁଷ୍ୟ; ତେଣୁ ଜୟ ପରାଜୟ ଉଭୟ କଥା ଆମେ ଭାବୁଛୁ ।’’

 

ଗୁରୁଦେବ-‘‘କେବଳ ଅଜ୍ଞମାନେ ଜୟ ପରାଜୟ କଥା ଭାବନ୍ତି । କିଏ ଜିଣିବ କିଏ ହାରିବ ତାହା ସ୍ଥିର କରନ୍ତି ମୋର ପ୍ରଭୁ ସୋମନାଥ ।’’

 

ରତ୍ନାଦିତ୍ୟ କହିଲେ-‘‘ଗୁରୁଦେବ, ଆମେମାନେ ମଧ୍ୟ ପ୍ରତିଜ୍ଞା କରିଛୁ ଯେ ପର୍ଯ୍ୟନ୍ତ ଆମର ଜୀବନ ଥିବ ସେ ପର୍ଯ୍ୟନ୍ତ ପ୍ରଭୁଙ୍କ ପୀଠସ୍ଥଳୀରୁ ଖଣ୍ତେ ସୁଦ୍ଧା ଇଟା ଏପାଖ ସେପାଖ କରିବାକୁ ଦେବୁ ନାହିଁ; କିନ୍ତୁ ଆମର ମୃତ୍ୟୁ ହେଲେ ହେବ କ’ଣ ?’’

 

ଗୁରୁଦେବ-‘‘କିଏ କାହାକୁ ରକ୍ଷା କରିବ? ରତ୍ନାଦିତ୍ୟ, ତୁମେ ଯାହା କହୁଛ ହୁଏତ ତାହା ଜ୍ଞାନଗର୍ଭକ ଓ ବିଚାରସମ୍ପନ୍ନ ମତ ହୋଇପାରେ ; କିନ୍ତୁ ମୋର ପ୍ରଭୁ ଏଇଠାରେ ରହିବେ । ତାଙ୍କୁ ସ୍ଥାନାନ୍ତର କରାଯାଇପାରିବ ନାହିଁ । ତୁମପରି ବୀର ଜୀବନ ଦେବାକୁ ପ୍ରସ୍ତୁତ ଥିବାବେଳେ ପରାଜୟ କଥା କାହିଁକି ଭାବୁଛ ? ଯୁଦ୍ଧ କରି ଜୟଲାଭ କର । ଭଗବାନ ତୁମ ପକ୍ଷରେ ଅଛନ୍ତି ।’’

 

ଭୀମଦେବ-‘‘ଯେ ପର୍ଯ୍ୟନ୍ତ ପ୍ରଭୁ ସୋମନାଥଙ୍କ ତ୍ରିଶୂଳ ଆମ ପକ୍ଷରେ ଅଛି, ଆମର ବିଜୟ ଯେ ନିଶ୍ଚିତ ଏ ବିଷୟରେ ମୁଁ ନିଃସନ୍ଦେହ; କିନ୍ତୁ ଯୁଦ୍ଧ ଆରମ୍ଭ ହେଲେ... ।’’

 

ତାଙ୍କ କଥା ନ ସରୁଣୁ ଗୁରୁଦେବ କହିଲେ, “ନା ବାପ, ସଂସାର ସୃଷ୍ଟିପୂର୍ବରୁ ପ୍ରଭୁଙ୍କର ଆବିର୍ଭାବ ହୋଇଥିଲା । ପ୍ରଳୟ କାଳରେ ମଧ୍ୟ ସେ ରହିବେ ।”

 

ଭୀମଦେବ-‘‘ତାହାହେଲେ ଆପଣ ଖମ୍ବାତ ଯାଆନ୍ତୁ । ପାଶୁପତ ସମ୍ପ୍ରଦାୟର ସ୍ଥିତି ଆପଣଙ୍କ ଉପରେ ନିର୍ଭର କରେ ।’’

 

ଗୁରୁଦେବ ଦୃଢ଼ ଅଥଚ ନରମ ସ୍ୱରରେ କହିଲେ,”ବତ୍ସ, ତୁମେ ମୋତେ କେବେ ବୁଝିବ-? ମୁଁ ଏହି ପଦବୀରେ ଆଗ୍ରହୀ ନୁହେଁ, ବା ଲକୁଳେଶ ସମ୍ପ୍ରଦାୟର ପୀଠରକ୍ଷକ ହେବାରେ ମୋର ସ୍ପୃହା ନାହିଁ । ମୁଁ କେବଳ ପ୍ରଭୁଙ୍କର ଦାସାନୁଦାସ । ଯେଉଁଠାରେ ସେ, ସେହିଠାରେ ମୁଁ । ତାଙ୍କ ଛଡ଼ା ମୋର ଜୀବନ ଅଛି ବୋଲି ମୁଁ କଳ୍ପନା କରିପାରେନାହିଁ ।”

ଭୀମଦେବ-‘‘କିନ୍ତୁ ଏ ସବୁ ଯୋଗୀ ଋଷିଙ୍କ କାମ ନୁହଁ; ଏହା ଆମର କାମ ।’’

ଗୁରୁଦେବ-‘‘ଭୀମଦେବ, ସଂସାରରେ ଏପରି କୌଣସି କାର୍ଯ୍ୟ ଅଛି ଯାହା ଭଗବତ୍‍ ଆଶ୍ରିତ ଲୋକମାନଙ୍କର ସୀମା ବାହାରେ ? ଯେଉଁଠାରେ ଭଗବତ୍‍ ସେବକ ତଥା ସାଧୁ ସନ୍ଥ ନାହାନ୍ତି, ସେଠାରେ ସତ୍ୟ ନାହିଁ ଏବଂ ଯେଉଁଠାରେ ସତ୍ୟ ନାହିଁ ସେଠାରେ ବିଜୟ ଲାଭ ହୋଇନପାରେ ।’’

ଭୀମଦେବ-‘‘କିନ୍ତୁ ଆପଣ ଜୀବିତ ରହିଲେ... ।’’

ଗଙ୍ଗସର୍ବଜ୍ଞ କହିଲେ, “ଏହି ଆଲୋଚନା ସ୍ଥଗିତ ରହୁ । ସାମନ୍ତ ମଧ୍ୟ ମୋତେ ଏହି କଥା କହୁଥିଲା; କିନ୍ତୁ ମୋ ମନ ମୁଁ ସ୍ଥିର କରିସାରିଛି । ପ୍ରଭୁ ସୋମନାଥ ଯେଉଁଠାରେ ରହିଛନ୍ତି, ମୁଁ ସେହିଠାରେ ରହିବି । ଶତ୍ରୁ କ’ଣ ଅନିଷ୍ଟ କରିବ କରୁ । ଶତ୍ରୁ ଓ ଦେବତା ମଧ୍ୟରେ ଯଦି କେହି ନ ରହନ୍ତି, ତାହାହେଲେ ମୁଁ ଏକା ରହିବି । ମୋଦ୍ୱାରା ଯେ କ’ଣ କରିବାକୁ ପ୍ରଭୁଙ୍କର ଇଚ୍ଛା, ତାହା କିଏ କହିପାରିବ ?’’

ସର୍ବଜ୍ଞଙ୍କ ଦୃଢ଼ ପ୍ରତିଜ୍ଞା ଶୁଣି ଗଙ୍ଗାର ଆଖି ଲୁହରେ ଭରିଗଲା । ଗୁରୁଦେବଙ୍କର ଅସାଧାରଣ ଦୃଢ଼ତା ଦେଖି ଭୀମଦେବ ଓ ଅନ୍ୟମାନେ ବିସ୍ମୟରେ ବାକ୍‍ଶୂନ୍ୟ ହୋଇଗଲେ ।

Image

 

ଭୀମଦେବ ସେନାପତି ହେଲେ

 

କିଛିକ୍ଷଣ ନୀରବ ରହିବା ପରେ ଗଙ୍ଗସର୍ବଜ୍ଞ ପୁଣି କହିଲେ, “ମୋର ସମସ୍ତ ଶିଷ୍ୟଙ୍କୁ ନେଇଯାଅ । ସେମାନେ ଲକୁଳେଶ ସମ୍ପ୍ରଦାୟର ସ୍ତମ୍ଭସ୍ୱରୂପ । ସେମାନଙ୍କର ଶିକ୍ଷା, ଦୀକ୍ଷା ଓ ସାଧୁତା ଅକ୍ଷୁର୍ଣ୍ଣ ରହିବା ଦରକାର । ଶିବରାଶି ! ତୁମେ ଏବଂ ଗଗନରାଶି ସମସ୍ତଙ୍କୁ ନେଇ ଖମ୍ବାତ ଯାଅ ।”

 

ଶିବରାଶି କହିଲେ, “ଗୁରୁଦେବ, ଆପଣଙ୍କର ଯାହା ଆଜ୍ଞା !” ଶିବରାଶିଙ୍କ ତଳକୁ ତାଙ୍କର ଅନ୍ୟତମ ମୁଖ୍ୟଶିଷ୍ୟ ଗଗନରାଶି କୌଣସି କଥା ନ କହି ହାତଯୋଡ଼ି ଏହି ଆଦେଶ ମାନିଲେ ।

 

ବିମଳ କହିଲେ-‘‘ବଣିକମାନଙ୍କୁ ମୁଁ ଆଜି ସନ୍ଧ୍ୟାରେ ପଠାଇଦେବି । କାଲି ସକାଳେ ବ୍ରାହ୍ମଣମାନେ ଯିବେ ।’’

 

ଗୁରୁଦେବ ଶିବରାଶିଙ୍କୁ ପୁଣି କହିଲେ, “ହଁ, ମୋତେ ସାହାଯ୍ୟ କରିବାପାଇଁ କାହାରି ଆବଶ୍ୟକତା ନାହିଁ ।”

 

ଶିବରାଶି ନିଜ ସ୍ୱରର ସ୍ୱାଭାବିକତା ରକ୍ଷା କରିବାକୁ ଚେଷ୍ଟା କରି କହିଲେ, “ଗୁରୁଦେବ, ଗଙ୍ଗା ଏବଂ ଅନ୍ୟ ନର୍ତ୍ତକୀମାନଙ୍କୁ ସାଙ୍ଗରେ ନେଇଯିବାକୁ ମୁଁ ଭାବୁଛି ।”

 

ଗୁରୁଦେବ-‘‘ହଁ, ନେଇଯାଅ । ସେମାନେ ଏଠାରେ ରହି କ’ଣ କରିବେ । ଯିବାକୁ ପ୍ରସ୍ତୁତ ହେବାପାଇଁ ଗଙ୍ଗାକୁ କହିଦିଅ ।’’

 

ଦୁଆର ମୁହଁରେ ଠିଆହୋଇ ଓ ନିଜ ଛାତିରେ ହାତଦେଇ ଗଙ୍ଗା କହିଉଠିଲା, “କୌଣସି ଅବସ୍ଥାରେ ଗଙ୍ଗା ଏହି ସ୍ଥାନ ଛାଡ଼ି ଯାଇପାରିବ ନାହିଁ ।” ଏକତ୍ର ହୋଇଥିବା ରାଜାମାନେ ବାକ୍‍ହୀନ ହୋଇ ଏହି ଦୃଶ୍ୟ ଦେଖୁଥାନ୍ତି । ସେ ପୁଣି କହିଲା, “ଗୁରୁଦେବ, ପ୍ରଭୁ ସୋମନାଥଙ୍କ ପାଦଦେଶରେ ଯେପରି ଆପଣଙ୍କ ସ୍ଥାନ, ସେହିପରି ଆପଣଙ୍କ ପାଦଦେଶରେ ମୋର ସ୍ଥାନ-ବୁଝିଲେ?”

 

ସର୍ବଜ୍ଞ ହସିଦେଇ କହିଲେ, “ଗଙ୍ଗା, ସ୍ତ୍ରୀଲୋକମାନଙ୍କ ପାଇଁ ଏହା ରହିବାର ଜାଗା ନୁହେଁ । ତୁମ୍ଭମାନଙ୍କୁ ଯିବାକୁହିଁ ହେବ ।”

 

ଗଙ୍ଗା ଗମ୍ଭୀର ହୋଇ କହିଲା, “ମୋର କର୍ତ୍ତବ୍ୟ କ’ଣ ତାହା ମୁଁ ଜାଣେ । ଆପଣଙ୍କର ଯେତେବେଳେ କର୍ତ୍ତବ୍ୟ ଅଛି, ଆମର କ’ଣ କିଛି କର୍ତ୍ତବ୍ୟ ନାହିଁ ବୋଲି ଆପଣ ଭାବୁଛନ୍ତି ?”

 

ରତ୍ନାଦିତ୍ୟ କହିଲେ, “ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀମାନଙ୍କପାଇଁ ଯବନ ଅଧିକ ଭୟାନକ ।”

 

ଗଙ୍ଗା-‘‘ମୋର ଜୀବନ ଗୁରୁଦେବଙ୍କ ଚରଣତଳେ । ମୃତ୍ୟୁବରଣ କରିବାକୁ ମୋର ନିଆଁକୁ ଡେଇଁବା ଦରକାର ନାହିଁ ।’’

 

ଗୁରୁଦେବ ଗଙ୍ଗାକୁ ଚାହିଁ ତା’ର ହୃଦୟର ପବିତ୍ରତା ହୃଦୟଙ୍ଗମ କଲେ । ସେ କହିଲେ, “ବିମଳ ! ଭଲକଥା, ସେ ଏଠାରେ ରହୁ । ଗଙ୍ଗା, ତୋ ପଛରେ କିଏ ଠିଆହୋଇଛି-ଚୌଲା ? ତାହାହେଲେ ତାକୁ ପଠେଇଦିଅ ।”

 

ଶିବରାଶି ଆଗ୍ରହରେ କହିଲେ-“ହଁ, ସେ ଯାଉ । ଏଠାରେ ଯୁବତୀ ସ୍ତ୍ରୀ ଲୋକମାନେ ରହିବା ଉଚିତ ନୁହେଁ ।”

 

ଗଙ୍ଗା ଏ ପ୍ରସ୍ତାବରେ ଏକମତ ହୋଇ ତା’ ଝିଅ ଆଡ଼କୁ ଅନାଇ କହିଲା, “ହଁ, ଚୌଲା ଯିବ ।”

 

ଚୌଲାର ମୁଖମଣ୍ତଳରେ ବିଚିତ୍ର ଭାବ । ସେ ସେଠାରେ ଠିଆହୋଇ ଓଠକୁ ଦବାଇ, ନିଜର ଉଜ୍ଜ୍ୱଳ ଆଖିରେ ସବୁ ଦେଖୁଥାଏ ଓ ନିଜର କୋମଳ ହାତକୁ ଗଳାରେ ଦବାଇ ରଖିଥାଏ, ଯେପରିକି ଅବରୁଦ୍ଧ ଶବ୍ଦକୁ ବାହାର କରିବାକୁ ଚେଷ୍ଟା କରୁଛି । ସେ ପ୍ରଥମେ ତା’ ମା’କୁ, ତା’ପରେ ଭୀମଦେବଙ୍କୁ ଓ ଶେଷରେ ରାଶିଙ୍କୁ ଅନାଇଲା ।

 

ଗଙ୍ଗସର୍ବଜ୍ଞ ହସିଦେଇ କହିଲେ, “ଚୌଲା, ତୁ ଯିବୁ ନାହିଁ ?”

 

ଚୌଲା ଅବସନ୍ନ ମନରେ-ସତେ ଯେପରି ତା’ର ରୁଦ୍ଧ କଣ୍ଠରୁ ଶବ୍ଦ ବାହାରୁଛି-ସେହିପରି କହିଲା, “ଆପଣମାନେ ସମସ୍ତେ ମିଶି ଶେଷରେ ମୋର ପ୍ରଭୁଙ୍କୁ ମୋ’ଠାରୁ ନେଇଗଲେ, ମୋର ନୃତ୍ୟ ବନ୍ଦ କଲେ । ଏପରି ଅବସ୍ଥାରେ ମୋର ବଞ୍ଚିବା ନିଷ୍ପ୍ରୟୋଜନ । ମୋତେ ଆପଣ ଜୀବନରେ ମାରିଦେଇ ପାରନ୍ତି ।” ଏହା କହି ସେ ପାଦେ ଆଗକୁ ଯିବା ପରେ ନିଜକୁ ସମ୍ଭାଳି ନ ପାରି ଅଜ୍ଞାନ ହୋଇ ତଳେ ପଡ଼ିଗଲା ।

 

ଏକ ଜ୍ୟୋତ୍ସ୍ନାଧୌତ ରାତ୍ରିରେ ଏହିପରି ଅଚେତ ଅବସ୍ଥାରେ ଭୀମଦେବ ଚୌଲାର ସୁନ୍ଦର ମୁଖ ଓ ଅଙ୍ଗଲତା ପ୍ରଥମେ ଦେଖିଥିଲେ । ସେହି ଦୃଶ୍ୟ ତାଙ୍କ ଚକ୍ଷୁରେ ଉଦ୍ଭାସିତ ହୋଇଉଠିଲା । ତାଙ୍କ ଛାତିରେ କମ୍ପନ ସୃଷ୍ଟି ହେଲା ଏବଂ କ’ଣ ହେଉଛି ତାହା ଅନ୍ୟକେହି ବୁଝିପାରିବାପୂର୍ବରୁ ଭୀମଦେବ ଉଠିପଡ଼ି ଚୌଲାକୁ ନିଜ ହାତରେ ତଳୁ ଉଠାଇନେଲେ । ମୁହୂର୍ତ୍ତକପାଇଁ ଆସନ୍ନ ଯୁଦ୍ଧ ଓ ଆକ୍ରମଣକାରୀର କଥା ସେ ଭୁଲିଗଲେ । ଚୌଲାକୁ ଟେକି ନେଇ ଅତି ଧୀରେ ତା’ ମା’ର କୋଳରେ ଶୁଆଇଦେଲେ ।

 

ଗଙ୍ଗସର୍ବଜ୍ଞ ହସିକରି କହିଲେ, “ଯେଉଁଠି ବିଶ୍ୱାସ ଅଛି, ସେଠି ଜୀବନ କଥା କେହି ଭାବନ୍ତି ନାହିଁ । ଯେଉଁମାନଙ୍କ ବିଶ୍ୱାସ ଅଛି, ସେମାନେ ପ୍ରଭାସରେ ରହନ୍ତୁ । ପ୍ରଭୁଙ୍କଠାରୁ ଭକ୍ତକୁ ଅଲଗା କରିବା ପାପ ।”

 

ଭୀମଦେବ ସାମାନ୍ୟ ବିରକ୍ତ ହୋଇ କହିଲେ, ‘ଭଲକଥା ! ମୁଁ ଭଲପାଇଁ ଯାହା କରିବାକୁ ଯାଉଛି, ନୀତିଦୃଷ୍ଟିରୁ ବୋଧହୁଏ ତାହାକୁ ବିରୋଧ କରାଯାଉଛି; କିନ୍ତୁ ଗୁରୁଦେବ, ମୋତେବି ତ ମୋର ନିୟମ ଅନୁସାରେ କାମ କରିବାକୁ ଦେବେ !”

 

ଗଙ୍ଗ ହସି ହସି କହିଲେ, “ହଁ–ହଁ, ମୁଁ ଆଉ କିଛି କହିବି ନାହିଁ । ମୋର ସମସ୍ତ ଅଧିକାର ତୁମକୁ ଦେଇଛି ।”

 

+

+

+

 

ଭୀମଦେବ ଯାହା କଳ୍ପନା କରିଥିଲେ, କାମ ସେତେ ସହଜ ନ ଥିଲା । ଦାମୋଦର ମେହେତା ଆଗରୁ ଆଠଟି ବୋଇତ ପଠେଇ ଦେଇଥିଲେ । ଛୋଟ ବୋଇତରେ ବେଶି ହେଲେ ପଚାଶ ଜଣ ଓ ବଡ଼ରେ ଦୁଇଶହ ଜଣ ଲୋକ ଯିବାର କଥା । ପ୍ରଭାସ ଛାଡ଼ିଯିବାକୁ ଯେତେ ଲୋକ ଥିଲେ, ସେମାନଙ୍କ ସଂଖ୍ୟା ଦଶରୁ ପନ୍ଦର ହଜାର । ତେଣୁ ଏତେ ଲୋକଙ୍କୁ ପଠାଇବାରେ ଯଥେଷ୍ଟ ଅସୁବିଧା ହେଲା । ତେବେ ଭୀମଦେବ ଅସୁବିଧାରେ ପଡ଼ି ଡରିଯିବା ଲୋକ ନ ଥିଲେ । ତେଣୁ ଆଗେ କେଉଁମାନେ ଯିବେ ଓ କେଉଁ ବାଟେ କେତେବେଳେ ଅନ୍ୟ ସମସ୍ତେ ଯିବେ, ତାହା ସ୍ଥିର କରିଦେଲେ । ସଂଧ୍ୟା ସୁଦ୍ଧା ବୋଇତ ସବୁ ଯିବାକୁ ପ୍ରସ୍ତୁତ ହୋଇଗଲା । ପ୍ରଥମ ଦଳରେ ଯେଉଁମାନେ ଯିବା କଥା ସେମାନେ ଗଲେ ।

 

ଜ୍ଞାତି ଓ ବନ୍ଧୁମାନଙ୍କଠାରୁ ବିଚ୍ଛିନ୍ନ ହେବା ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ ହୋଇଥିଲା । ଯାତ୍ରୀମାନେ ଭଗବାନଙ୍କ ନାମ ସ୍ମରଣ କରି ଥରି ଥରି ବୋଇତକୁ ଗଲେ । କେତେକ ବରାବର ଭଜନ କରୁଥାନ୍ତି, ଆଉ କେତେକ ହମୀର୍‍କୁ ଗାଳି ଦେଉଥାନ୍ତି । ଯେଉଁମାନଙ୍କର ସ୍ତ୍ରୀ ଓ ପିଲାମାନେ ଯାଉଥାନ୍ତି, ସେମାନେ ମନକୁ ଯେତେ ବୁଝାଉଥିଲେ ସୁଦ୍ଧା ମନ ବୁଝୁନଥାଏ । ଯାଉଥିବା ଲୋକମାନଙ୍କ ମଧ୍ୟରେ ଏପରି କେତେକ ଥିଲେ, ଯେଉଁମାନେ କି ପୁରୁଷାନୁକ୍ରମେ ପ୍ରଥମ ଥରପାଇଁ ପ୍ରଭାସ ଛାଡ଼ି ଯାଉଥାନ୍ତି । ଏହିସବୁ ଅସୁବିଧା ଓ ମାନବିକ ସମସ୍ୟାମାନ ବିମଳ ଗୋଟି ଗୋଟି କରି ବୁଝୁଥାନ୍ତି ।

 

ସବୁଠାରୁ ବଡ଼ ସମସ୍ୟା ଥିଲା ତିରିଶ ହଜାର ସୈନ୍ୟଙ୍କୁ ନିର୍ଦ୍ଦେଶ ଦେଇ ଚଳାଇବା । ଶିବରାଶି ଓ ମନ୍ଦିରର କୋଷାଧ୍ୟକ୍ଷ ଦୀପା ସାହାଯ୍ୟରେ ଭୀମଦେବ ନିଜେ ଏହି କାର୍ଯ୍ୟ ଦେଖୁଥାନ୍ତି । ଏଥିପାଇଁ ଘରୋଇ ବାସଗୃହ, ଧର୍ମଶାଳା ଓ ଛୋଟ ଛୋଟ ମନ୍ଦିରର ଅଗଣାମାନ ଦଖଲ କରାଗଲା । ପ୍ରଭାସରେ ଯାହା ଖାଦ୍ୟଦ୍ରବ୍ୟ ଥିଲା ଏବଂ ଅନ୍‍ହିଲ୍‍ଓ୍ୟାଡ୍‍ରୁ ଯାହାସବୁ ଆସୁଥାଏ, ତାହା ଦୀପାର ଦାୟିତ୍ୱରେ ରଖାଗଲା । ସହରର ବିଭିନ୍ନ ଅଞ୍ଚଳରେ ଖାଦ୍ୟ ବଣ୍ଟନ କେନ୍ଦ୍ରମାନ ଖୋଲାଗଲା ।

 

ଭୀମଦେବ ଦୁର୍ଗର ମରାମତି କାମରେ ମନୋନିବେଶ କଲେ । ପ୍ରଭାସ ଦୁର୍ଗ ଏବଂ ଏହାର ଗଡ଼ଖାଇ ଯେପରି ରହିବା କଥା, ସେପରି ଅବସ୍ଥାରେ ନାହିଁ ବୋଲି ତ୍ରିଲୋଚନ ପାଲ, ରତ୍ନାଦିତ୍ୟ ଓ ଭୀମଦେବ ତିନିହେଁ ଏକମତ ହୋଇଥିଲେ । ସମଗ୍ର ଅଞ୍ଚଳ ପରିଦର୍ଶନ କରି ଏହାର ଉନ୍ନତି ଓ ନିରାପତ୍ତାପାଇଁ କ’ଣ କରିବା ପ୍ରୟୋଜନ ତାହା ସେମାନେ ନିଷ୍ପତ୍ତି କଲେ । ଗଡ଼ ଏବଂ ଗଡ଼ଖାଇର ମରାମତି କାମରେ ନଗରର ସୈନ୍ୟଙ୍କୁ ନିଯୁକ୍ତ କରାଗଲା । ହମୀର୍‍ ବେଶି ଦୂରରେ ନ ଥିବାରୁ ପ୍ରତିମୁହୂର୍ତ୍ତ ସେମାନଙ୍କ ପାଇଁ ଥିଲା ମୂଲ୍ୟବାନ୍‍ ।

 

ଅଳ୍ପ ସମୟ ମଧ୍ୟରେ ପ୍ରଭାସ କର୍ମମୁଖର ହୋଇଉଠିଲା । ସମସ୍ତଙ୍କ ପାଇଁ ପ୍ରଧାନ ଉତ୍ସାହଦାତା ଥିଲେ ଭୀମଦେବ । ସେ ଚାଲିକରି ଅଥବା ଘୋଡ଼ାରେ ବସି ସେନାପତିମାନଙ୍କ ସହିତ ନଗରର ପ୍ରତି ଅଞ୍ଚଳକୁ ଯାଇ ଅନବରତ ନିର୍ଦ୍ଦେଶ ଦେଉଥାନ୍ତି । ତାଙ୍କ ଦୃଷ୍ଟି ଏପରି ତୀକ୍ଷ୍‍ଣ ଥିଲା ଯେ, କୌଣସି ବିଷୟ ସେ ନ ଦେଖି ରହୁନଥିଲେ । ଯେଉଁମାନେ ଆଦେଶ ଅମାନ୍ୟ କରୁଥିଲେ, ସେମାନେ ସାଙ୍ଗେ ସାଙ୍ଗେ ଦଣ୍ତ ପାଉଥିଲେ । ଜଣେ ସୈନ୍ୟ ଗଡ଼ଖାଇ ଖୋଳିବାକୁ ଧୃଷ୍ଟତା ପ୍ରକାଶ କରି ଅସ୍ୱୀକାର କରିଥିବାରୁ ତାକୁ ତାହାର ଡାହାଣ ହାତ ହରାଇବାକୁ ପଡ଼ିଥିଲା । ସର୍ବୋପରି ଜଣେ ଉପଯୁକ୍ତ ନେତା ପାଇ ପ୍ରଭାସବାସୀଙ୍କର ଆତ୍ମବିଶ୍ୱାସ ବଢ଼ିଗଲା ।

 

ଭୀମଦେବ ସମସ୍ତ କାମ ପରିଦର୍ଶନ କରିସାରି ବିଶ୍ରାମ ନେବାକୁ ଫେରିଲାବେଳକୁ ଅର୍ଦ୍ଧରାତ୍ର । ଯେଉଁ କାର୍ଯ୍ୟସବୁ ଚାଲିଛି, ରାତି ପାହିଲାବେଳକୁ ସେ ସମସ୍ତ ଶେଷ ହୋଇଯିବ ବୋଲି ନିଶ୍ଚିତ ହୋଇ ସେ ଶୟନକକ୍ଷରେ ପ୍ରବେଶ କଲେ । ମୁନିବଙ୍କ ଆବଶ୍ୟକତା ଅନୁମାନ କରି ଦେହଲଗା ଭୃତ୍ୟ ବୀର ଘରେ ପାଣି ଓ ଖାଇବା ଜିନିଷ ରଖି ଅପେକ୍ଷା କରିଥିଲା । ସେ ଥିଲା ଭୀମଦେବଙ୍କ ପକ୍ଷେ ଭୃତ୍ୟ, ବନ୍ଧୁ ଓ ମାତା । ଭୀମଦେବଙ୍କ ବାଲ୍ୟକାଳରେ ତାଙ୍କ ସାଙ୍ଗରେ ସେ ଖେଳିଛି ଓ କାଖକରି ବୁଲେଇଛି । ଭୀମଦେବ ବଡ଼ ହେବାପରେ ସେ ତାଙ୍କୁ ଧନୁଶର ମାରିବା ଓ ଖଣ୍ତା ଚଳାଇବା ଶିଖାଇଛି । ଭୀମଦେବ ଖାଇବାପୂର୍ବରୁ ତାଙ୍କ ଖାଇବା ଜିନିଷ ସେ ଚାଖି ପରୀକ୍ଷା କରେ । ସେ ରାତିରେ ତାଙ୍କ ଶୋଇବା ଘର ବାହାରେ ଖଣ୍ତା ଧରି ଶୁଏ । ତା’ର ସେବା ସହିତ ଭୀମଦେବ ଏଭଳି ପରିଚିତ ହୋଇଯାଇଥିଲେ ଯେ, ବୀର ରାତିରେ ତାଙ୍କୁ ଘଷି ନ ଦେଲେ ଭୀମଦେବ ଶୁଅନ୍ତି ନାହିଁ । ଭୀମଦେବ ଦିନ ଭିତରେ କରିଥିବା ସମସ୍ତ କାର୍ଯ୍ୟ ସଂକ୍ଷେପରେ କହି ନ ସାରିବା ପର୍ଯ୍ୟନ୍ତ ବୀର ମଧ୍ୟ ତାଙ୍କୁ ଛାଡ଼ି ଶୋଇବାକୁ ଯାଏ ନାହିଁ ।

 

ଆଜି ଭୀମଦେବ ସ୍ନାନ ଓ ଭୋଜନ ସାରିବାପରେ ବୀର ତାଙ୍କୁ କହିଲା, “ବାପୁ ! ଆପଣ ଟିକିଏ ଶୋଇବେ ଯାଆନ୍ତୁ । ବିଶ୍ରାମ ନ ନେଇ ଏପରି କଠିନ କାମ କଲେ ଆପଣ ପାରିଉଠିବେ ନାହିଁ ।”

 

ଭୀମଦେବ ଉତ୍ତର ଦେଲେ, “ହମୀର୍‍କୁ ଏ ରାଜ୍ୟରୁ ବିଦା ନ କରିବା ପର୍ଯ୍ୟନ୍ତ ମୁଁ ଶୋଇପାରିବି ନାହିଁ ।” ତାଙ୍କ ବକ୍ତବ୍ୟର ଗୁରୁତ୍ୱ ପ୍ରମାଣ କରିବାକୁ ଯାଇ ସେ ଅଣ୍ଟାରେ ଖଣ୍ତା ବାନ୍ଧିବା ଆରମ୍ଭ କଲେ ।

 

ବୀର-‘‘ବାପୁ ! ଆପଣ ଟିକିଏ ବିଶ୍ରାମ ନିଅନ୍ତୁ-କାଲି ରାତିରୁ ବିଶ୍ରାମ ନେଇନାହାନ୍ତି । ଏ ଯୁଦ୍ଧ ଦିନକରେ ଶେଷ ହେଉନାହିଁ ।”

 

ଭୀମଦେବ-“ବୀର, ଏହା ସାଧାରଣ ଯୁଦ୍ଧ ନୁହେଁ । ତୁ ମୋ ସାଙ୍ଗରେ ଯିବାକୁ ପ୍ରସ୍ତୁତ ହୁଅ ।”

 

ବୀର ପ୍ରସ୍ତୁତ ହେବା ସଙ୍ଗେ ସଙ୍ଗେ କହିଲା, “ଏତେ ଜରୁରୀ କାମ କ’ଣ ଅଛି ?”

 

ଭୀମଦେବ ତଳକୁ ଓହ୍ଲାଇବା ସଙ୍ଗେ ସଙ୍ଗେ କହିଲେ, “ତୁ ବୁଢ଼ା ହେଲୁଣି, କ’ଣ ବୁଝିବୁ ବୀର ! ମୁଁ ରହୁଥିବା ଘରର ସାମନା ଘରେ ଗୁରୁଦେବ କାଲିଠାରୁ ରହିବେ । ଆମକୁ ସାବଧାନରେ ରହିବାକୁ ପଡ଼ିବ ।”

 

ବୀର-‘‘ସେ ତାଙ୍କ ନିଜ ବାସସ୍ଥାନ ଛାଡ଼ି ଏଠାରେ କାହିଁକି ରହିବେ ?’’

 

ଭୀମଦେବ-‘‘କାହିଁକି ରହିବେ, କାଲି ଜାଣିବୁ । ତାଙ୍କର ବହୁଶିଷ୍ୟ କାଲି ପ୍ରଭାସ ଛାଡ଼ି ଚାଲିଯିବେ । ସେ ନିକଟରେ ରହିଲେ ସମୟ ଅସମୟରେ ତାଙ୍କ ସହିତ ପରାମର୍ଶ କରିବାକୁ ମୋର ସୁବିଧା ହେବ ।’’

 

ସେମାନେ ତଳକୁ ଆସିବାକ୍ଷଣି ମନ୍ଦିରର ପ୍ରବେଶ ଦ୍ୱାରରେ ଜଗିରହିଥିବା ସଶସ୍ତ୍ର ପ୍ରହରୀ ଭୀମଦେବଙ୍କୁ ଅଭିବାଦନ ଜଣାଇଲା ।

 

ଭୀମଦେବ ବୀରକୁ କହିଲେ, “ଦେବଧାମ ଆଜି ଏକ ସୈନ୍ୟଛାଉଣୀ ପରି ଦେଖାଗଲା-।”

Image

 

ଶିବରାଶିଙ୍କ ନିଷ୍ପତ୍ତି

 

ଭୀମଦେବ ଏବଂ ବୀର ପ୍ରଭୁ ସୋମନାଥଙ୍କ ପୂଜା ଶେଷ କରି ନର୍ତ୍ତକୀ-ବସ୍ତି ଆଡ଼କୁ ଗଲେ । ରାତି ଅଧ ହୋଇଯାଇଥିଲେ ସୁଦ୍ଧା ବହୁ ଘରେ ଲୋକେ ଚଳପ୍ରଚଳ ହେଉଥିଲେ । ବୋଧହୁଏ ପରଦିନ ସକାଳୁ ଅଧିକାଂଶ ନର୍ତ୍ତକୀ ଖମ୍ବାତ ଯିବାକୁ ଥିବାରୁ ସେମାନେ ସ୍ଥାନ ତ୍ୟାଗପାଇଁ ପ୍ରସ୍ତୁତ ହେଉଥିଲେ । ଅଳ୍ପ କେତେକ ନ ଯାଇ ପ୍ରଭାସରେ ରହିବାକୁ ଚାହୁଁଥିଲେ । ସେମାନଙ୍କୁ ରହିବା ନିମନ୍ତେ ଅନୁମତି ଦେବେକି ନାହିଁ, ମନ୍ତ୍ରୀ ବିମଳ କିଛି ନିଷ୍ପତ୍ତି କରିନଥାନ୍ତି ।

 

ଭୀମଦେବ ଗଙ୍ଗାର ଘର ଅଭିମୁଖେ ଗଲେ । ସାମନା ଦୁଆର ବନ୍ଦ ଥିଲେ ସୁଦ୍ଧା ଉପର ମହଲା ଘରେ ଜୁଳୁଜୁଳୁ ହୋଇ ଗୋଟିଏ ଦୀପ ଜଳୁଥିଲା । ଭୀମଦେବ ଦୁଆରେ ଧକ୍କା ମାରିବାରୁ ଗଙ୍ଗା ସାଙ୍ଗେ ସାଙ୍ଗେ ଉତ୍ତର ଦେଇ କହିଲା, “ଏତେବେଳେ କିଏ ?” ଭୀମଦେବ ବର୍ତ୍ତମାନ ପ୍ରଭାସର ସର୍ବେସର୍ବା ରୂପରେ ଠିଆ ହୋଇଥିଲେ । ତାଙ୍କର ଟିକିଏ ବି ସଂକୋଚ ନ ଥାଏ । ସେ କହିଲେ, “ମୁଁ ଭୀମଦେବ । ଚୌଲାର ଖବର କ’ଣ ?”

 

ବିଚଳିତା ଗଙ୍ଗା ତା’ ଅଜାଣତରେ କହିପକାଇଲା, “ମହାରାଜ ଭୀମଦେବ !” ସେ ଚୌଲାକୁ ଉଠାଇ ଓ ଏକ ଉଜ୍ଜ୍ୱଳ ପ୍ରଦୀପ ଜଳାଇ ଦୁଆର ଖୋଲି କହିଲା, “ସ୍ୱାଗତ, ମହାରାଜ !”

 

“ବୀର ! ଦୁଆରେ ଜଗିରହ” ବୋଲି କହି ଭୀମଦେବ ଗଙ୍ଗା ସହିତ ଉପରକୁ ଗଲେ ।

 

ଗଙ୍ଗା କହିଲା, “ଚୌଲା ଭଲ ଅଛି । ସେ ଟିକିଏ ଅତିମାତ୍ରାରେ ଅଭିମାନିନୀ । ସାମାନ୍ୟ କଥାରେ ସେ ଖୁବ୍‍ ବେଶି ବିଚଳିତ ହୋଇପଡ଼େ ଏବଂ ବିଚଳିତ ହେବା ସଙ୍ଗେ ସଙ୍ଗେ ଅଜ୍ଞାନ ହେଇପଡ଼େ । ସେ ଅଜ୍ଞାନ ହେଲେ ମୋର ହଇରାଣ ବଢ଼ିଯାଏ । ଆପଣ ଏଠାରେ ବସନ୍ତୁ-। ଚୌଲା ଲୁଗା ବଦଳାଇ ବର୍ତ୍ତମାନ ଆସିବ ।” ଏହା କହି ସେ ଭୀମଦେବଙ୍କୁ ବସିବାକୁ ଆସନ ଦେଲା ।

 

ଚୌଲା ତା’ କୋଠରିର ଅଧା ଆଉଜା କବାଟ ଫାଙ୍କରେ ଭୀମଦେବଙ୍କୁ ଦେଖୁଥିଲା ଓ ତା’ର ଛାତି ଉତ୍ତେଜନାରେ ଥରୁଥିଲା । ମନ୍ଦିରର ଦୁନ୍ଦୁଭି ତା’ର କାନରେ ପଡ଼ୁଥାଏ । ତା’ର ପ୍ରାର୍ଥନା ତା’ର ପ୍ରଭୁ ଶୁଣିପାରି ପାପୀ ଯବନକୁ ଧ୍ୱଂସ କରିବାକୁ ମନୁଷ୍ୟ ରୂପରେ ଆସିଛନ୍ତି-ଏହି କଥା ଭାବୁଥିବା ସମୟରେ ଚୌଲାର ଚପଳ ହାତ ଲୁଗା ବଦଳାଇବାରେ ବ୍ୟସ୍ତ ଥାଏ । ଚୌଲା ଲୁଗା ବଦଳାଇ ସାରିଲା; କିନ୍ତୁ ଭୀମଦେବଙ୍କ ଆଗକୁ ଯିବାକୁ ତା’ର ଗୋଡ଼ ଚଳିଳା ନାହିଁ ।

 

ଗଙ୍ଗା ଆଦରରେ ଡାକିଲା “ଚୌଲା, ଆ ନା ! ଚୌଲା ସାହସ ଧରି ଆସିବାକୁ ଚେଷ୍ଟା କଲା; କିନ୍ତୁ ଲଜ୍ଜାରେ ମୁଣ୍ତ ଟେକିପାରିଲା ନାହିଁ ।

 

ଗଙ୍ଗା ପୁଣି ‘ଆ’ ବୋଲି ଡାକିଲା । ଅପ୍‍ସରାର ଶୋଭା ଧରି ସେ ଆସିଲା । ତା’ର ଶୋଭା ଦେଖି ଭୀମଦେବ ସ୍ତମ୍ଭିତ ହୋଇଗଲେ । ଚୌଲା ତାଙ୍କ ଗୋଡ଼ ତଳେ ପଡ଼ି ପାଦଧୂଳି ନେଇ ମୁଣ୍ତରେ ମାରିଲା ।

 

ଭୀମଦେବ କହିଲେ, “ଚୌଲା, ସେଦିନ ଶତ୍ରୁକୁ ଧ୍ୱଂସ କରି ଫେରିବାକୁ ମୋତେ କହିଥିଲୁ । ମୁଁ ସେ କଥା ଭୁଲିନାହିଁ ।” ଚୌଲାର ଦୁଇଟିଯାକ ଆଖି ଭୀମଦେବଙ୍କ ଉପରେ ନିବଦ୍ଧ ରହିଥାଏ । ସେ ତାଙ୍କୁ ନୀରବରେ ବହୁ ଧନ୍ୟବାଦ ଦେଲା । ଭୀମଦେବ ପୁଣି କହିଲେ, “ମୁଁ ଭୁଲିନାହିଁ ଚୌଲା !”

 

ଚୌଲା କହିଲା, “ମହାରାଜ, ମନ୍ଦିରରେ ନୃତ୍ୟ ବନ୍ଦ କରିବାପାଇଁ ଆପଣ ଯେତେବେଳେ ହୁକୁମ୍‍ ଦେଲେ ସେତେବେଳେ ମୁଁ ନାଚୁଥିଲି ।” ଏହା କହି ସେ ତାଙ୍କୁ ଏପରି ଚାହିଁଲା ଯେପରି ଅଭିମାନରେ ତାଙ୍କୁ ତା’ ମନେ ମନେ ଗାଳି ଦେଉଛି ।

 

ଭୀମଦେବ ହସି ହସି କହିଲେ, “ମୁଁ ତୋତେ ଦେଖିପାରିଲି ନାହିଁ-ବଡ଼ ଦୁଃଖର ବିଷୟ । ସେତେବେଳେ ମୋ ମନରେ ଗୋଟିଏ ମାତ୍ର ଚିନ୍ତାଥିଲା-କିପରି ପ୍ରଭାସକୁ ରକ୍ଷା କରିବି । ବର୍ତ୍ତମାନ ମୁଁ ଜାଣିପାରୁଛି ଯେ ସେଭଳି ଆଦେଶ ଦେଇ ଭୁଲ କରିଛି । ପ୍ରତିଦିନ ଅଳ୍ପ ସମୟପାଇଁ ପୂଜା କରିବାକୁ ମୁଁ ତୋତେ ଅନୁମତି ଦେଇଛି । ଏହା କହିବାକୁ ମୁଁ ଆସିଥିଲି ।”

 

ଚୌଲା କହିଲା, “ସେ ଭୟଙ୍କର କାପାଳିକ କବଳରୁ ମୋତେ ରକ୍ଷାକରି ଆପଣ ମୋ ଜୀବନ ରକ୍ଷା କରିଛନ୍ତି । ସେଥିପାଇଁ ମୁଁ ଆପଣଙ୍କୁ କେଉଁ ଭାଷାରେ ଧନ୍ୟବାଦ ଦେବି ?”

 

ଭୀମଦେବ ଉତ୍ତର ଦେଲେ, “କ୍ଷତ୍ରୀୟ ଯେବେ ସ୍ତ୍ରୀ, ବ୍ରାହ୍ମଣ ଓ ଗୋଜାତିକୁ ରକ୍ଷା ନ କରେ, ତାହାହେଲେ ସେ ଆଉ କ’ଣ କରିବ ।”

 

ଚୌଲା ଭୀମଦେବଙ୍କୁ ଅନାଇଲା ସତେ ଯେପରି ତା’ ଆଖି କହୁଛି ‘ତାହାହେଲେ କ୍ଷତ୍ରିୟ ହୋଇଥିବାରୁ ଆପଣ ମୋତେ ରକ୍ଷାକଲେ’ ।

 

ଭୀମଦେବଙ୍କ ହୃଦୟ ବିହ୍ୱଳିତ ହୋଇଗଲା; କିନ୍ତୁ ସଙ୍ଗେ ସଙ୍ଗେ ସେ ହୃଦୟଙ୍ଗମ କଲେ ଦୁର୍ବଳତା ପ୍ରକାଶ କରିବାର ଏ ସମୟ ନୁହେଁ । ମନକୁ ଦୃଢ଼ କରି ଠିଆହୋଇଯାଇ କହିଲେ-“ମୋର ଯଥେଷ୍ଟ କାମ କରିବାକୁ ବାକି ଅଛି, ମୁଁ ଯାଉଛି ।”

 

ଗଙ୍ଗା ଠିଆ ହୋଇଯାଇ ଉତ୍ତର ଦେଲା, “ମହାରାଜ, ପୁନଃ ଦର୍ଶନ ଲାଭରେ ଆମକୁ ଭାଗ୍ୟବାନ୍‍ କରାନ୍ତୁ ।”

 

ଦେବୀର ସୌନ୍ଦର୍ଯ୍ୟକୁ ଲଜ୍ଜିତ କରୁଥିବା ଚୌଲାର ସେହି ସୌନ୍ଦର୍ଯ୍ୟକୁ ଭୁଲିବା ଭୀମଦେବଙ୍କ ପକ୍ଷରେ ଅସମ୍ଭବ ମନେହେଲା ।

 

ଭୀମଦେବ କହିଲେ, କାଲି ଏତେବେଳକୁ ପ୍ରଭାସରେ ଗୋଟିଏ ବି ସ୍ତ୍ରୀ ଲୋକ ନ ଥିବ-। ମୁଁ ଓ ଗୁରୁଦେବ ଯେଉଁଠାରେ ରହିବୁ, ସେଠାରେ ତୁମେ ଦୁହେଁ ରହିଲେ ଭଲ ହେବ । ଜାଣିରଖ, ଆମର ଭଲ ମନ୍ଦ ତୁମ ଦୁହିଁଙ୍କୁ ଦେଖିବାକୁ ପଡ଼ିବ ।”

 

ଗଙ୍ଗା ଖୁସି ହୋଇ କେବଳ କହିଲା, “ଆପଣ ଯାହା ହୁକୁମ୍‍ ଦେବେ ।”

 

ସତେ ଯେପରି ଦୁନିଆଟାଯାକ ତା’ ଚାରିପାଖରେ ନାଚୁଛି, ଚୌଲାକୁ ସେହିପରି ବୋଧହେଲା । ମା’ ଓ ଝିଅକୁ ନିଜ ପାଖକୁ ନେବାପାଇଁ ଆହୁରି ଅଧିକ କାରଣ ଦେବା ଦରକାର ବୋଲି ଭାବି ଭୀମଦେବ କହିଲେ, “କାଲି ସକାଳୁ ଇତର ନର୍ତ୍ତକୀମାନଙ୍କ ଘରେ ମୋର ସୈନ୍ୟ ରହିବେ ।” ଚୌଲାର ଆଖିରେ ମୃଦୁ ତିରସ୍କାର ଭାବ ଦେଖାଦେଲା-ଏଭଳି କାରଣ ଦେବାର ଆବଶ୍ୟକତା କ’ଣ ?

 

+

+

+

 

ରାତି ଅଧବେଳକୁ ଶିବରାଶି ସମ୍ପୂର୍ଣ୍ଣ କ୍ଳାନ୍ତ ହୋଇପଡ଼ିଥାନ୍ତି । ସେ ଉପବାସ ଭଙ୍ଗ କରିଛନ୍ତି ଓ ତାଙ୍କ ଉପରେ ଦିଆଯାଇଛି ଯଥେଷ୍ଟ କାର୍ଯ୍ୟର ଦାୟିତ୍ୱ । ଏ ସବୁ ଛଡ଼ା, ପ୍ରଭାସ ଛାଡ଼ି ସେ ଯିବେ କି ନାହିଁ, ଏ ଜଟିଳ ପ୍ରଶ୍ନର ସମାଧାନ ତାଙ୍କୁ କରିବାକୁ ପଡ଼ିବ । ଖରାବେଳ ପର୍ଯ୍ୟନ୍ତ ତାଙ୍କର ସମସ୍ୟା ବେଶ୍‍ ସରଳ ଥିଲା । ଖମ୍ବାତ୍‍ରେ ଗୁରୁଙ୍କ ଅନୁପସ୍ଥିତିରେ ଚୌଲା ଦେହରେ ପ୍ରବେଶ କରିଥିବା ଦେବୀ ତ୍ରିପୁରସୁନ୍ଦରୀଙ୍କ ଅସମ୍ପୂର୍ଣ୍ଣ ପୂଜା ସମ୍ପୂର୍ଣ୍ଣ କରିବା ଆଶାରେ ସେ ଆନନ୍ଦିତ ହୋଇଥିଲେ; କିନ୍ତୁ ପରେ ଅବସ୍ଥା ବଦଳିଗଲା । ଯେବେ ସେ ପ୍ରଭାସରେ ରହନ୍ତି ଏବଂ ତାଙ୍କର ଓ ଗୁରୁଦେବଙ୍କର ମୃତ୍ୟୁ ହୁଏ, ତାହାହେଲେ ପାଶୁପତ ସମ୍ପ୍ରଦାୟର ଘୋର ବିପର୍ଯ୍ୟୟ ଘଟିବ । ଯେବେ ଚୌଲା ପ୍ରଭାସରେ ରହି ତାଙ୍କୁ ଖମ୍ବାତ ଯିବାକୁ ପଡ଼େ, ତାହାହେଲେ ତ୍ରିପୁରସୁନ୍ଦରୀଙ୍କ ପୂଜା ଅପୂର୍ଣ୍ଣ ରହିଯିବ ଓ ଦେବୀ ଅପ୍ରସନ୍ନ ହେବେ ।

 

ଏହି ସମସ୍ୟା ଉପରେ ଭାବି ଭାବି ଶିବରାଶି ଦୁର୍ଗର ବାହାର ଦ୍ୱାର ପର୍ଯ୍ୟନ୍ତ ଆସିଲେ । ପ୍ରଭୁଙ୍କର ପବିତ୍ର ସ୍ଥାନରେ ଆଜି କୌଣସି ଭକ୍ତର ସମାବେଶ ନ ଥିଲା । କେବଳ ପ୍ରହରୀମାନେ ମନ୍ଦିର ଜଗିରହିଥିବା ଦେଖି ସେ ଦୁଃଖିତ ହେଲେ । ଯେବେ ସେ ମହାମାୟାଙ୍କର ପୂଜା ସମ୍ପୂର୍ଣ୍ଣ କରିପାରିବେ ତାହାହେଲେ ଆକ୍ରମଣକାରୀ ଧ୍ୱଂସ ହେବା ନିଶ୍ଚିତ; କିନ୍ତୁ ଏହା ସେ କରିବେ କିପରି-? ଏହି ଚିନ୍ତା ତାଙ୍କୁ ବ୍ୟଥିତ କଲା ।

 

ଭୀମଦେବ ଓ ବୀର ସେମାନଙ୍କ କୋଠରିକୁ ଯାଉଥିବା ଶିବରାଶି ଦେଖିପାରିଲେ । ଭୀମଦେବ ଯେ ଜଣେ ଶକ୍ତିଶାଳୀ ଓ ବୁଦ୍ଧିମାନ୍‍ ବ୍ୟକ୍ତି, ଏ ସମ୍ପର୍କରେ କୌଣସି ସନ୍ଦେହ ନାହିଁ । ଯେଉଁ ସୈନ୍ୟବାହିନୀ ଭୀମଦେବଙ୍କୁ ଅନ୍‍ହିଲ୍‍ଓ୍ୱାଡ୍‍ର ରାଜଗାଦି ପାଇବାରେ ସାହାଯ୍ୟ କରିଥିଲେ, ସେମାନଙ୍କୁ ସେ ମଧ୍ୟ ସାହାଯ୍ୟ କରିଥିଲେ । ଯେବେ ହମୀର୍‍ ପରାଜିତ ହୁଏ ଏବଂ ଭୀମଦେବ ଗୁଜୁରାତରେ ରାଜା ହୁଅନ୍ତି, ତାହାହେଲେ ତାଙ୍କୁ ସର୍ବଜ୍ଞ ପଦବୀ ଲାଭ କରିବାପାଇଁ ଯଥେଷ୍ଟ ସୁଯୋଗ ମିଳିବ ।

 

ଏହିପରି ଭାବୁ ଭାବୁ ସେ ଶୁଣିଲେ ଭାମଦେବ ବୀରକୁ କହୁଛନ୍ତି, “ବୀର, ଚୌଲା ଅଦ୍ଭୁତ ସୁନ୍ଦରୀ । ତାକୁ କାଲି ଦେଖିଲେ ତୁ ନିଜେ ବୁଝିପାରିବୁ ।”

 

ଚୌଲା ସୁନ୍ଦରୀ-ନିଶ୍ଚୟ ସୁନ୍ଦରୀ-ଏ ସାଂସାରିକ ଜୀବଟି ହୁଏତ ଜାଣେନା ଚୌଲା ତ୍ରିପୁରସୁନ୍ଦରୀଙ୍କର ଅଂଶବିଶେଷ ଓ ତ୍ରିପୁରସୁନ୍ଦରୀଙ୍କ ପୂଜା ଅସମ୍ପୂର୍ଣ୍ଣ ରହିଥିବା ଯୋଗୁ ଏହି ସବୁ ଗଣ୍ତଗୋଳ ଘଟୁଛି । ଭୀମଦେବଙ୍କ କଥାରେ ପ୍ରକାଶ ପାଉଥିବା ପ୍ରଣୟ ଆସକ୍ତି ଶିବରାଶିଙ୍କୁ ଭଲ ଲାଗିଲା ନାହିଁ । ବୀର ଚୌଲାକୁ କେଉଁଠାରେ ଓ କିପରି ଦେଖାକରିବ ? ଭୀମଦେବ ଆଜି ଖରାବେଳେ ଚୌଲାକୁ ଚିହ୍ନି ପାରିନଥିଲେ । ଏହା ଭିତରେ କ’ଣ ହେଲା, ଯାହାଫଳରେ କି ଚୌଲା ବିଷୟରେ ଭୀମଦେବ ଏପରି କଥାବାର୍ତ୍ତା କରୁଛନ୍ତି ! ତେବେ ଚୌଲା ଏବଂ ଭୀମଦେବଙ୍କର କ’ଣ ପୂର୍ବରୁ ଦେଖା ହୋଇଥିଲା ?

 

ଶିବରାଶିଙ୍କ ଦୃଷ୍ଟିରେ ଭୀମଦେବ ଯଥେଷ୍ଟ ତଳକୁ ଚାଲିଗଲେ । ଚୌଲା ଶରୀରରେ ପ୍ରବେଶ କରିଥିବା ଦେବୀ ମହାମାୟାଙ୍କୁ ଭୀମଦେବ ମଧ୍ୟ ଅପମାନିତ କରୁଥିବା ତାଙ୍କୁ ପରିଷ୍କାର ଜଣାଗଲା ।

 

ଭୀମଦେବ ଓ ବୀର ସେମାନଙ୍କ କୋଠରିକୁ ଗଲେ । ଆସନ୍ନ ଚିନ୍ତାରେ ଶିବରାଶି ଚୁପ୍‍ ହୋଇଗଲେ । ତାଙ୍କର ବଦ୍ଧ ଧାରଣା ଚୌଲା ଶରୀରରେ ପ୍ରବେଶ କରିଥିବା ଦେବୀ ମହାମାୟାଙ୍କୁ ସନ୍ତୁଷ୍ଟ ନ କରିବା ପର୍ଯ୍ୟନ୍ତ ଆସନ୍ନ ବିପଦରୁ ପ୍ରଭାସକୁ ରକ୍ଷାକରି ହେବନାହିଁ । ସେହି ବିପଦକୁ ପ୍ରତିରୋଧ କରିବାର ଏକମାତ୍ର ଉପାୟ ତାଙ୍କର ଭକ୍ତିପୂର୍ଣ୍ଣ ପୂଜା ଓ ପ୍ରାୟଶ୍ଚିତ । ଏ ପ୍ରଶ୍ନର ଉତ୍ତର ଶିବରାଶି ପାଇଛନ୍ତି । ତେଣୁ ସେ ଠିକ୍ କଲେ ତାଙ୍କୁ ପ୍ରଭାସରେ ରହିବାକୁ ପଡ଼ିବ ।

Image

 

Unknown

ଏକ ଆନନ୍ଦପୂର୍ଣ୍ଣ ମୁହୁର୍ତ୍ତ

 

ପୌଷ ପୂର୍ଣ୍ଣମୀ । ଗୁରୁବାର । ଗତ ଛଅଦିନ ହେବ ଚୌଲା ଆନନ୍ଦରେ ନାଚୁଛି । ତା’ ଦୃଷ୍ଟିରେ ପ୍ରଭୁ ସୋମନାଥଙ୍କର ରୁଦ୍ର ରୂପର ଅବତାର ଭୀମଦେବଙ୍କ କଥା ନ ଭାବି ତା’ର ଗୋଟିଏ ମୁହୂର୍ତ୍ତ ସୁଦ୍ଧା ଯାଉନାହିଁ । ତାଙ୍କରି କଥା ଭାବିବା ଓ ତାଙ୍କର ସେବା କରି ତାଙ୍କ ପାଖରେ ରହିବାହିଁ ତା ଜୀବନର ଏକମାତ୍ର ଉଦ୍ଦେଶ୍ୟ । ତ୍ରିପୁରାସୁର ସହିତ ଯୁଦ୍ଧ କରିବା ପାଇଁ ସେ ପ୍ରସ୍ତୁତ ହେଉଛନ୍ତି । ପ୍ରଭୁ ଶଙ୍କରଙ୍କର ଅର୍ଦ୍ଧାଙ୍ଗିନୀ ଉମା ରୂପରେ ସେ ତାଙ୍କର ସୁବିଧା ଅସୁବିଧା ଦେଖି ସେବା କରିବା ପାଇଁ ସେଠାରେ ଅଛି । ଅଭୂତପୂର୍ବ ଓ ଅପ୍ରତ୍ୟାଶିତ ଆନନ୍ଦ ସେ ଅନୁଭବ କରୁଛି ।

 

ଭିତର ଦୁର୍ଗର ଦୋମହଲାରେ ତିନିଧାଡ଼ି ଘର ଓ ତା’ ଚାରିପାଖରେ ଛାତ ବୁଲିଛି । ଗୋଟିଏ ଧାଡ଼ିରେ ରହନ୍ତି ଭୀମଦେବ, ମଝିରେ ଗୁରୁଦେବ ଏବଂ ତୃତୀୟଟିରେ ରହନ୍ତି ଗଙ୍ଗା, ଚୌଲା ଏବଂ ଅନ୍ୟ ଦୁଇଟି ନର୍ତ୍ତକୀ !

 

ବୀର ଛଡ଼ା ଅନ୍ୟ ସମସ୍ତେ ଅଧିକାଂଶ ସମୟ ନିଜ ନିଜ ଘର ବାହାରେ କଟାନ୍ତି । ଏହା ଫଳରେ ଚୌଲା ଗୁରୁଦେବଙ୍କ ମହଲାରୁ ଭୀମଦେବଙ୍କ ମହଲାକୁ ନିଃସଂକୋଚରେ ଯାଇ ନାଚେ ଓ ଗୀତ ଗାଏ । ଆନନ୍ଦ ମନରେ ମା’ ସହିତ କଥାବାର୍ତ୍ତା କରେ ଓ କେତେବେଳେ ଭୀମଦେବଙ୍କ ପିଲାଦିନ କଥା ବୀରଠାରୁ ଶୁଣେ । ପ୍ରତିଦିନ ରାତିରେ ସେ ଭୀମଦେବଙ୍କଠାରୁ ଦିନଟାଯାକର କାର୍ଯ୍ୟ ବିବରଣୀ ଶୁଣି ଗର୍ବ ଓ ଆନନ୍ଦ ଅନୁଭବ କରେ । ବେଳେବେଳେ ସେ ମନ୍ଦିରର ଚୂଡ଼ା ଆରୋହଣ କରି ଯୁଦ୍ଧପାଇଁ କରାଯାଉଥିବା ପ୍ରସ୍ତୁତିମାନ ଦେଖେ । ନୂତନ ଯୁଦ୍ଧଭୂମି, ଖୋଳା ହେଉଥିବା ଗଡ଼ଖାଇ, ତିଆରି ହୋଇଥିବା ତୋରଣ ଓ ସୁସଜ୍ଜିତ ସୈନ୍ୟମାନଙ୍କୁ ଦେଖି ଆନନ୍ଦ ଓ ଗର୍ବରେ ସେ ନାଚେ । ଯୋଦ୍ଧାମାନଙ୍କୁ ନେଇ ଭୀମଦେବ ନଗର ଦୁର୍ଗକୁ ଯାଉଥିବାର ସେ ଦୁଇ ତିନିଥର ଦେଖିଛି । ଉଚ୍ଚ ଏବଂ ହୃଷ୍ଟପୁଷ୍ଟ ଚେହେରା ବିଶିଷ୍ଟ ବୀର ଭୀମଦେବ ନିର୍ଦ୍ଦେଶ ଦେଉଥିବା ଏବଂ ଅନ୍ୟମାନେ ତାକୁ ସମ୍ମାନର ସହିତ କାର୍ଯ୍ୟକାରୀ କରୁଥିବା ଦେଖି ତାହାର ଛାତି ଆନନ୍ଦରେ ଫାଟିପଡ଼େ ।

 

ପ୍ରତିଦିନ ଅନ୍ତତଃ ଥରେ ସେ ପ୍ରଭୁ ସୋମନାଥଙ୍କ ଆଗରେ ନାଚେ । ଆଜିକାଲି ବେଶୀ ଯାତ୍ରୀ ମନ୍ଦିରକୁ ଆସୁନାହାନ୍ତି । କେବଳ ପୂଜକମାନଙ୍କ ଛଡ଼ା କ୍ୱଚିତ୍‍ ଅନ୍ୟକେହି ପୂଜା କରିବାକୁ ଆସୁଛନ୍ତି । ଅନେକ ସମୟରେ ଚୌଲା ଏବଂ ତା’ର ଦେବତା କେବଳହିଁ ରହିଥାନ୍ତି । ସେ ସମୟରେ ଚୌଲା ମନଇଚ୍ଛା ପ୍ରଭୁଙ୍କ ଆଗରେ ଗୀତ ଗାଏ ଏବଂ ଅତି ସ୍ନେହରେ କେତେକଥା କହେ ।

 

କିନ୍ତୁ ତା’ର ଏ ଅଖଣ୍ତ ଆନନ୍ଦ ଭିତରେ ମଧ୍ୟ ଗୋଟିଏ ବାଧା ଥାଏ । ବହୁଥର ଯେତେବେଳେ ସେ ଘର ଭିତରୁ ବାହାରକୁ ଯାଏ, ଶିବରାଶି, ହରଦତ୍ତ ବା ଅନ୍ୟକେହି ସାଧୁଙ୍କୁ ଭେଟେ ଓ ସେମାନେ ତାକୁ ଦେଖି ଭକ୍ତିରେ ପ୍ରଣାମ କରନ୍ତି । କିନ୍ତୁ ଯେତେଥର ଏପରି ଘଟଣା ଘଟେ, ପ୍ରତିଥର ସେ ଘରକୁ ଫେରିଆସେ ।

 

ସମୟ ଯେତିକି ବିତୁଥାଏ, ଭୀମଦେବ ସେତିକି ଅଧିକରୁ ଅଧିକ ମାତ୍ରାରେ ଯୁଦ୍ଧ ପ୍ରସ୍ତୁତିରେ ବ୍ୟସ୍ତ ରହୁଥାନ୍ତି । ବହୁ ସମୟରେ ଯୁଦ୍ଧ ଭୂମିରୁ ଫେରି ଦୁର୍ଗରେ ପହଞ୍ଚି ସ୍ନାନ ଭୋଜନ କଲାବେଳକୁ ରାତି ଅଧ ହୋଇଯାଇଥାଏ । ଚୌଲା ନିଜେ ତାଙ୍କୁ ଖାଇବାକୁ ଦେଲାବେଳେ ତାଙ୍କ ସାଙ୍ଗରେ କଥାବାର୍ତ୍ତା କରେ । ବେଳେ ବେଳେ ଭୋଜନ ପରେ ରତ୍ନାଦିତ୍ୟ, ପରମାର ଓ ଭୃଗୁ, କଚ୍ଛ (ଆଧୁନିକ ବ୍ରୋଚ୍‍) ଶାସକ ଚାଲୁକ୍ୟ ଆସିଲେ ସେମାନଙ୍କ ସହିତ ଛାତ ଉପରେ ବସି ଭୀମଦେବ ଯୁଦ୍ଧ କୌଶଳ ଆଲୋଚନା କରନ୍ତି । ଚୌଲା ଛାତ ଉପରେ ଲୁଚିରହି ଏହି ଆଲେଚନାମାନ ଶୁଣୁଥାଏ । ଭୀମଦେବ କଥାବାର୍ତ୍ତା ସାରି ତାଙ୍କ କୋଠରିକୁ ଶୋଇବାକୁ ଯିବାପରେ ସେ ତା’ର ମାଆ ପାଖକୁ ଯାଇ ଶୁଏ ।

 

ବୁଧବାର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ । ଭୀମଦେବ ରାତିରେ ଅନେକ ଡେରିରେ ଫେରି ଭୋଜନ ପରେ ଛାତ ଉପରେ ଏକାକୀ ବୁଲୁଛନ୍ତି । ସବୁଦିନ ପରି ଚୌଲା କିଛି ଦୂରରେ ଠିଆହେଇ ତାଙ୍କୁ ଅନାଉଥାଏ ।

 

ଭୀମଦେବ ଲମ୍ବା ଲମ୍ବା ପାହୁଣ୍ତ ପକାଇ ବୁଲୁଥାନ୍ତି ଓ ମୁଣ୍ତ ନୁଆଁଇ ଗଭୀର ଚିନ୍ତାରେ ନିମଗ୍ନ ଥାନ୍ତି । ଚୌଲା ତାଙ୍କ ସାଙ୍ଗରେ କଥାବାର୍ତ୍ତା କରିବାକୁ ଇଚ୍ଛା କରୁଥିଲେ ସୁଦ୍ଧା ତା’ର ସାହସ ହେଉନଥାଏ । ଭୀମଦେବ ତାଙ୍କ କୋଠରିକୁ ଯିବାବେଳକୁ କାଳେ ତାକୁ ଦେଖିଦେବେ, ସେଥିପାଇଁ ଚୌଲା ତରତର ହୋଇ ନିକଟସ୍ଥ ଏକ ଖୁଣ୍ଟ ଆଢ଼ୁଆଳରେ ଲୁଚିଯିବାକୁ ଚେଷ୍ଟାକଲା । ଭୀମଦେବ ପାଦଶବ୍ଦ ଶୁଣିପାରି ସାଙ୍ଗେ ସାଙ୍ଗେ ଖଣ୍ତା ବାହାର କରି ପାଟିକରି କହିଲେ, “କିଏ ସେଠି ?”

 

ଚୌଲା ଗୋଟିକଯାକ ଥରି ଥରି ଲୁଚିଥିବା ଜାଗାରୁ ବାହାରି କହିଲା, “ଆଜ୍ଞା, ମୁଁ ।”

 

ଭୀମଦେବଙ୍କ ଆଖି ଚମକି ଉଠିଲା । ଚନ୍ଦ୍ରିକାରେ ଅପୂର୍ବ ମାଦକତା ଭରିଥାଏ । ସେ କହିଲେ, “ଚୌଲା, ଏତେ ରାତିରେ ତୁ ଏଠି କାହିଁକି ?”

 

ଚୌଲାର ଛାତି ଥରିଉଠିଲା । ସେ କ୍ଷୀଣ ସ୍ୱରରେ କହିଲା, “ମହାରାଜ, କାଲି ଆପଣଙ୍କୁ ଶୀଘ୍ର ଉଠିବାକୁ ହେବ । ଆପଣ ଯାଇ ଶୋଇପଡ଼ନ୍ତୁ ।”

 

ଭୀମଦେବ ଅତି କ୍ଳାନ୍ତ ସ୍ୱରରେ କହିଲେ, “ଚୌଲା ! ମୋ ପକ୍ଷରେ ନିଦ୍ରା ଜାଗରଣ ଏକା କଥା ।”

 

ଚୌଲା ଚାରିଆଡ଼କୁ ଅନାଇଲା ଓ ତାଙ୍କ ନିକଟକୁ ଆସି କହିଲା, “ମହାରାଜ ! ମୁଁ ଆପଣଙ୍କ ଦାସୀ । ଆପଣଙ୍କ ହୃଦୟର କଷ୍ଟ ଲାଘବ କରିବା ଉଦ୍ଦେଶ୍ୟରେ ମୋ କଲାଭଳି କିଛି କାମ ଅଛିକି ?”

 

ଭୀମଦେବ ବିହ୍ୱଳିତ ହୋଇଗଲେ । ଚନ୍ଦ୍ରିକା ତଳେ ସେ ଚୌଲାର ଦରଫୁଟା ଓଠ ଓ ଆଶାପୂର୍ଣ୍ଣ ନୟନ ଦେଖୁଥାନ୍ତି । ଏହି ଅପ୍‍ସରାକୁ ଯେଉଁଦିନ ସେ ନିଜ ବାହୁରେ ଟେକିଥିଲେ ସେଦିନର ସ୍ମୃତି ତାଙ୍କ ମନରେ ଉଦ୍ଭାସିତ ହୋଇ ତାଙ୍କୁ ସତେଜ କରିବା ସଙ୍ଗେ ସଙ୍ଗେ ତାଙ୍କର ଧମନୀରେ ଉଷ୍ମରକ୍ତ ପ୍ରବାହିତ କଲା ।

 

ଭାବବିହ୍ୱଳିତ କଣ୍ଠରେ ଭୀମଦେବ କହିଲେ, “ଚୌଲା ! ତୋତେ ଦେଖିଲେ ମୋର ସମସ୍ତ ଅବସାଦ ଦୂର ହୋଇଯାଏ । ଯେବେ ତୋ କଥା ଠିକ୍‍ ହୁଏ ଏବଂ ମୁଁ ବିଜୟୀ ହୁଏ , ତା’ହେଲେ ତୋତେ ମୋ ସହିତ ଆସି ମୋର ଭାର ସବୁଦିନ ଲାଗି ଲାଘବ କରିବାକୁ ହେବ ।”

 

ଏହି କଥାରେ ଯାହା ଅପ୍ରକାଶ୍ୟ ରହିଲା ତାହାର ଅର୍ଥ ବୁଝି ଭାବବିହ୍ୱଳିତ କଣ୍ଠରେ ଚୌଲା କହିଲା, “ମହାରାଜ ! ଯୁଦ୍ଧ ସରିଗଲେ ଆପଣ ମତେ ଭୁଲିଯିବେ ।”

 

ଏହା ଶୁଣି ଭୀମଦେବ ଚୌଲାର ହାତକୁ ଧରି ବିହ୍ୱଳିତ ଆନନ୍ଦରେ ଉତ୍‍ଫୁଲ୍ଲ ହୋଇ ଉଚ୍ଚ ସ୍ୱରରେ କହିଲେ, “ତୋତେ ଭୁଲିବି ? ନା, କେବେ ନୁହେଁ ।” ଏହା କହି ସେ ଚୌଲାକୁ ନିଜ ପାଖକୁ ଟାଣିନେଇ ଚୁମ୍ବନ ଦେଲେ । ପରସ୍ପରର ଆଲିଙ୍ଗନ ଓ ଚୁମ୍ବନ ଭିତରେ କେତେ ସମୟ କଟିଗଲା, କାହାରି ନଜର ନାହିଁ । ଯେତେବେଳେ ସୋମାନେ ପରସ୍ପରଠାରୁ ଅଲଗା ହୁଅନ୍ତି ସେମାନଙ୍କର ମନହେଲା ଯେପରି ଜୀବନର ସର୍ବଶ୍ରେଷ୍ଠ ଆନନ୍ଦପୂର୍ଣ୍ଣ ସମୟ ମଧ୍ୟଦେଇ ସେମାନେ ଗତି କରିଛନ୍ତି । ଉଭୟେ ଏତେଦୂର ଭାବପ୍ରବଣ ହୋଇଯାଇଥାଆନ୍ତି ଯେ, ବହୁ ସମୟ ପର୍ଯ୍ୟନ୍ତ କାହାରି ମୁହଁରୁ ପଦେକଥା ସୁଦ୍ଧା ବାହାରିଲା ନାହିଁ ।

 

ନୀରବତା ଭାଙ୍ଗି ଚୌଲା ପ୍ରଥମେ କହିଲା, “ମହାରାଜ ! କ’ଣ କିଛି ନୂଆ ବିପଦ ଦେଖାଦେଇଛି ? ଆପଣ କାହିଁକି ଏପରି ଗମ୍ଭୀର ଦେଖାଯାଉଥିଲେ ?”

 

ଭୀମଦେବ-‘‘ଚୌଲା, ହମୀର୍‍ ଗୁଜୁରାତର ଯେଉଁ ଅଞ୍ଚଳ ଦେଇ ଆସୁଛି, ସେ ସବୁ ଅଞ୍ଚଳ ଧ୍ୱଂସ କରି ଆସୁଥିବାର ଖବର ଆଜି ମିଳିଛି । ଯେଉଁ ଗାଁ’ମାନ ଦେଇ ସେ ଆସୁଛି ସେ ଗାଁ’ମାନ ଲୁଣ୍ଠନ କରିବା ସଙ୍ଗେ ସଙ୍ଗେ ସ୍ତ୍ରୀଲୋକ ଓ ବ୍ରାହ୍ମଣମାନଙ୍କ ପ୍ରତି ଅକଥନୀୟ ଅତ୍ୟାଚାର କରୁଛି । ସେ ମୋ ଦେଶରେ ଅତ୍ୟାଚାର କରୁଥିବା ସମୟରେ ମୋତେ ଏଠାରେ ରହିବାକୁ ପଡ଼ୁଥିବାରୁ ଯେଉଁମାନଙ୍କୁ ରକ୍ଷା କରିବା ମୋର କର୍ତ୍ତବ୍ୟ, ସେମାନଙ୍କ ପାଇଁ ମୁଁ କିଛି କରିପାରୁନାହିଁ-।’’

 

ଚୌଲା–‘‘ସେ ଏଠାରେ କେବେ ପହଞ୍ଚିବ ବୋଲି ଆପଣ ଭାବୁଛନ୍ତି ?’’

 

ଭୀମଦେବ–‘‘ବୋଧହୁଏ କାଲି ବା ପରଦିନ ।’’

 

ଚୌଲା–୨୨ଭଲହେଲା-ବିପଦ ଯେତେଶୀଘ୍ର ଆସି ଚାଲିଯାଏ ସେତେ ଭଲ ।’’

 

ଭୀମଦେବ–‘‘ଚୌଲା, ସମସ୍ତଙ୍କର ଯେପରି ମଙ୍ଗଳ ହୁଏ ତାହା ଦେଖିବାପାଇଁ ପ୍ରଭୁ ସୋମନାଥ ଅଛନ୍ତି । ଏହା କହିବାକ୍ଷଣି ଭୀମଦେବଙ୍କ ସ୍ୱର ପୁଣି ଦୁଃଖପୂର୍ଣ୍ଣ ହୋଇଗଲା ।’’

 

ଚୌଲା–‘‘ମହାରାଜ, ରାତି ବହୁତ ହେଲାଣି । ଆପଣ ଯାଆନ୍ତୁ ଶୋଇବେ । ବିଶ୍ରାମ ନେଇ ଆପଣଙ୍କୁ ଶକ୍ତି ସଞ୍ଚୟ କରିବାକୁ ହେବ ।’’

 

“ସତକଥା”ବୋଲି କହି ଭୀମଦେବ ଯିବାପାଇଁ ଉଦ୍ୟତ ହେଲେ । ପୁଣିଥରେ ପଛକୁ ଚାହିଁ ଚୌଲା ନିକଟକୁ ଫେରିବାପାଇଁ ତାଙ୍କର ଲୋଭ ହେଲେ ସୁଦ୍ଧା ସେ ତାହା ସମ୍ବରଣ କରିନେଲେ । ଚୌଲା ଯେପରି ହଠାତ୍‍ ଆସିଥିଲା ସେହିପରି ଚାଲିଗଲା ।

 

ବୀର ଚାୱଡ଼ା କୌଣସି ପ୍ରକାର କଥା ନ କହି ବା ସେ ସେଠାରେ ଥିବାର ସେମାନଙ୍କୁ ନ ଜଣାଇ, ସବୁ ନୀରବରେ ଦେଖି ମନେ ମନେ ଖୁସିହୋଇ ହସୁଥାଏ ।

Image

 

ଅବରୋଧ ଆରମ୍ଭ ହେଲା

 

ଭୀମଦେବ ଶୋଇବାକୁ ଗଲେ; କିନ୍ତୁ ପ୍ରଥମେ ନିଦ ହେଲାନାହିଁ । ସେ କ୍ଳାନ୍ତ ହୋଇପଡ଼ିଥାନ୍ତି । କିଛି ସମୟ ପରେ ଶୋଇପଡ଼ିଲେ, କିନ୍ତୁ ନିଦ୍ରାର ସ୍ରୋତ ଭାଙ୍ଗି ଭାଙ୍ଗି ଯାଉଥାଏ-

ସେ ସ୍ୱପ୍ନରେ ଦେଖୁଥାନ୍ତି-‘‘ଦୁର୍ଗର ପ୍ରାଚୀରଗୁଡ଼ିକ ଉଚ୍ଚ ହୋଇଯାଇଛି । ବିରାଟକାୟ ରାକ୍ଷସମାନେ ଆସି ଗୋ ବ୍ରାହ୍ମଣଙ୍କୁ ହତ୍ୟା କରୁଛନ୍ତି । ପବିତ୍ର ପ୍ରଭାସ ନଗରର ଚାରିଆଡ଼େ ନିଆଁ ଜଳୁଛି ଏବଂ ସବୁ ଧ୍ୱଂସ ହୋଇ ଯାଉଥିଲେ ସୁଦ୍ଧା ସେ ଏଭଳି ଅସହାୟ ଅବସ୍ଥାରେ ପଡ଼ିଛନ୍ତି ଯାହା ଫଳରେ ତାଙ୍କ ହାତ ଗୋଡ଼ ଚଳୁନାହିଁ ।’’

ହଠାତ୍ ଜଣେ ଉଜ୍ଜ୍ୱଳମୟୀ ବାଳିକା କାହୁଁ ଆସି ତାଙ୍କ ପାଖରେ ଠିଆହୋଇ ତା’ର ଉଜ୍ଜ୍ୱଳ ଚକ୍ଷୁରେ ତିରସ୍କାର କରିବା ଭଙ୍ଗୀରେ ତାଙ୍କୁ ଚାହିଁ ରହିଲା ।...ବର୍ତ୍ତମାନ ଘୋଡ଼ାର ଶୋଭାଯାତ୍ରା ଚାଲିଛି ଏବଂ ଦ୍ରୁତ ବେଗରେ ଶର ବୃଷ୍ଟି ହେଉଛି । ତେବେସୁଦ୍ଧା ସେ କିଛି କରିନପାରି ବିଛଣାରେ ପଡ଼ି ରହିଛନ୍ତି ଓ ସେଇ ସୁନ୍ଦରୀ ଯୁବତୀଟି ତାଙ୍କ ପାଖରେ ଠିଆ ହୋଇ ସେହିପରି ତିରସ୍କାର କରିବା ଭଙ୍ଗିରେ ଚାହିଁରହିଛି ।

ଭୀମଦେବ ଶ୍ୱାସରୁଦ୍ଧ ହେବାଭଳି ଅନୁଭବ କରି ଉଠିପଡ଼ିଲେ । ଶଯ୍ୟାରୁ ଉଠି ନିଜକୁ ସଂଯତ କରି ସେହି ଅଭୁଲା ଚୁମ୍ବନର ସ୍ୱାଦ ଅନୁଭବ କରି ପୁଣି ଟିକିଏ ଶୋଇବାପାଇଁ କଡ଼ ଲେଉଟାଇଲେ ।

ସ୍ୱପ୍ନ ପୁଣି ତାଙ୍କୁ ଅସ୍ଥିର କଲା । ଏଥର ଗୋଟିଏ ନୂତନ ଦୃଶ୍ୟ ଦେଖାଗଲା । ଯୁବତୀଟି ନାଚୁଛି ଓ ସେ ଦଉଡ଼ୁଛନ୍ତି । ସେମାନଙ୍କ ଚାରିପାଖେ ହାତୀସବୁ ଏଣେ ତେଣେ ଲାଙ୍ଗୁଡ଼ ଟେକି ଦଉଡ଼ୁଛନ୍ତି ଏବଂ ଗୁରୁଦେବ ଗୀତ ବୋଲୁଛନ୍ତି । ହଠାତ୍‍ ଯୁବତୀଟି ତା’ର ନାଚ ବନ୍ଦକରି ଦଉଡ଼ିଲା । ସେ ମଧ୍ୟ ତା’ ପଛେ ପଛେ ଦୌଡ଼ି କିଛିଦୂର ଯିବା ପରେ କଳାମୁହାଁ ଏକ କାପାଳିକ ସଙ୍ଗେ ଦେଖାହେଲା । ଠିକ୍‍ ସେତିକିବେଳେ ଆକାଶରେ ଚନ୍ଦ୍ର ଦେଖାଦେବାରୁ ଅନ୍ଧାର ରାତି ଉଜ୍ଜ୍ୱଳ ହୋଇଗଲା ଏବଂ କାପାଳିକ ନଦୀକୁ ଡେଇଁ ପଡ଼ିଲା । ସେ ତାଙ୍କ ବାହୁରେ ଯୁବତୀଟିକୁ ଉଠାଇ ନେଲେ ଏବଂ ନାଚି ନାଚି ଓ ନାଗରା ବଜାଇ ସେ ଗୁରୁଦେବଙ୍କ ସମ୍ମୁଖକୁ ଆସିଲେ ।

ସୈନ୍ୟମାନଙ୍କୁ ନିଦରୁ ଉଠାଇବା ଉଦ୍ଦେଶ୍ୟରେ ବାଜୁଥିବା ନାଗରା ଶବ୍ଦରେ ତାଙ୍କର ଅସ୍ଥିର ନିଦ ଭାଙ୍ଗିଗଲା । ସେ ସଙ୍ଗେ ସଙ୍ଗେ ଉଠିପଡ଼ି ଗୋଡ଼ ହାତ ସିଧା କଲେ । ସାଧାରଣତଃ ସେ ଉଠିଲାବେଳକୁ ବୀର ତାଙ୍କ ପୋଷାକ ଓ ବର୍ମ ଧରି ବିଛଣା ପାଖେ ଠିଆ ହୋଇଥାଏ । ଆଜି ସେ ଉଠିଲାବେଳକୁ କେହି ନାହାନ୍ତି ।

ସେ ପାଟିକରି ବୀରକୁ ଡାକିଲେ; କିନ୍ତୁ ପାଖରେ କେଉଁଠାରେ ସେ ନ ଥିଲା । କୋଠରିର ସ୍ୱଳ୍ପାଲୋକରେ ସେ ଦେଖିଲେ ନିକଟରେ ଅନୁଚ୍ଚ ଏକ ବ୍ୟକ୍ତି ହାତରେ ତାଙ୍କ ପୋଷାକ ଧରି ଠିଆହୋଇଛି । ଏହା ଦେଖି ଭୀମଦେବ ଆଶ୍ଚର୍ଯ୍ୟ ହୋଇଗଲେ । ବୀର କୁଆଡ଼େ ଗଲା ? ତାହା ହେଲେ ଏ ପର୍ଯ୍ୟନ୍ତ କ’ଣ ସେ ସ୍ୱପ୍ନ ଦେଖୁଛନ୍ତି । ସେ ହାତ ବଢ଼ାଇ ତାଙ୍କ ପୋଷାକ ଧରି ଠିଆହୋଇଥିବା ବ୍ୟକ୍ତିର ହାତଟିକୁ ଧରିନେଲେ । ହାତଟି ତାଙ୍କୁ ଛୋଟ ଓ ଅତି କୋମଳ ବୋଧ ହେଲା । ଘରଟି ମୃଦୁ ମଧୁର ହସରେ ପୂରିଗଲା ।

ମହାରାଜ ଭୀମଦେବ ଅତ୍ୟନ୍ତ ଭାବବିହ୍ୱଳ ହୋଇଗଲେ । ସେ କୋମଳାଙ୍ଗୀର ଉଭୟ ହାତକୁ ଧରି ନିଜଆଡ଼କୁ ଟାଣିଲେ । ଏ ତ ଚୌଲାର ହାତ ! ଚୌଲା ତା’ର ମୁଣ୍ଡକୁ ଭୀମଦେବଙ୍କ ଛାତି ଉପରେ ଥୋଇ ତୁନି ତୁନି କହିଲା “ମୋର ପ୍ରଭୁ ଶମ୍ଭୁ !” ଘରର ଗୋଟିଏ କୋଣରେ ଅନ୍ଧକାରର ଅନ୍ତରାଳରେ ଥାଇ ବୀର ତା’ ହସକୁ ଅତି କଷ୍ଟରେ ଚାପିନେଲା ।

ତା’ପରେ ନିସ୍ତବ୍‌ଧତା......ନାଗରା ବାଜିବା ସଙ୍ଗେ ସଙ୍ଗେ ମହାରାଜ ଭୀମଦେବ ଘରୁ ବାହାରିଲେ । ସେ ଅତି ଅସାଧାରଣଭାବେ ଆନନ୍ଦିତ ଓ ଉତ୍ସାହିତ । ତାଙ୍କ ଆଖି ଦୁଇଟି ଏପରି ତେଜିୟାନ ଦିଶୁଛି ଯାହାକି କେବେ ଦେଖାଯାଇନଥିଲା । ଧମନୀରେ ରକ୍ତ ପ୍ରଖର ବେଗରେ ପ୍ରବାହିତ ହେଉଥାଏ । ଗୁରୁଦେବ, ରତ୍ନାଦିତ୍ୟ, ପରମାର, ଚାଲୁକ୍ୟ, କାମାଲଖାନୀ, ତାଙ୍କ ମନ୍ତ୍ରୀବର୍ଗ ତଥା ସେନାପତିମାନଙ୍କ ସହିତ କଥାବାର୍ତ୍ତା କରିବାର ସମୟ ଡେରି ହୋଇଗଲାଣି । ଚଞ୍ଚଳ ଗତିରେ ସେ ଦୁର୍ଗର ପାହାଚ ଚଢ଼ି ଉପରେ ଯାଇ ପହଞ୍ଚିଲେ । ସେ ଦିଗ୍‍ବଳୟକୁ ଚାହିଁ ଦେଖିଲେ ଅନ୍ଧକାର ଭେଦକରି ଲୋହିତ ବର୍ଣ୍ଣର ଅଗ୍ନିଶିଖା ଓ ଧୂଆଁ ଦେଖାଯାଉଛି । ହମୀର୍‍ ଆସୁଥିବାର ଏହା ହେଉଛି ପରିଷ୍କାର ଲକ୍ଷଣ ।

ଯୁଦ୍ଧ ଆସନ୍ନ, ଏହିକଥା ଭାବି ଭୀମଦେବ ମହାରାଜ ଖୁସି ହେଲେ । ଆନନ୍ଦରେ ସେ କହିଲେ, “ଶେଷକୁ ସେ ଆସିଲା । ରତ୍ନାଦିତ୍ୟ, ଶତ୍ରୁର ସମ୍ମୁଖୀନ ହେବାପାଇଁ ଆମ ସୈନ୍ୟବାହିନୀକୁ ଏବେ ପ୍ରସ୍ତୁତ କର ।’’

ଅନ୍ଧାର ଦୂରହୋଇ ଆଲୁଅ ହେବାପରେ ସେ ଦୁର୍ଗ ଉପରକୁ ଯାଇ ଦେଖିଲେ, ଜଙ୍ଗଲ ଆଡ଼ୁ କଳା ପିମ୍ପୁଡ଼ିର ଦଳପରି ଦେଖାଯାଉଥିବା ଛୋଟ ଛୋଟ ଦଳ ପ୍ରଭାସ ଦିଗକୁ ଆସୁଛନ୍ତି । ପ୍ରଥମେ ଦଳେ, ତା’ପରେ ଦୁଇଟି ଦଳ, ପରେ ଶହ ଶହ ଦଳ ଆସିଲେ । ସେମାନେ ନିକଟବର୍ତ୍ତୀ ହେବାପରେ ଉକ୍ତ ଦଳଗୁଡ଼ିକ ଯେ ମଣିଷଙ୍କ ଦଳ ଏହା ଜାଣିବାକୁ ବାକି ରହିଲା ନାହିଁ । କେତେକ ଘୋଡ଼ା ଉପରେ, କେତେକ ବଳଦ ଗାଡ଼ିରେ ଆସୁଛନ୍ତି ଏବଂ ପ୍ରଭାତର ସମୀରଣରେ ସେମାନଙ୍କ ଚିତ୍କାର ଦୁର୍ଗ ଦିଗକୁ ଭାସିଆସୁଛି ।

ରତ୍ନାଦିତ୍ୟ ପ୍ରଥମେ କହିଲେ-‘‘ମନେହେଉଛି ଏମାନେ ଦେଲୱାଡ଼ରୁ ଚାଲିଆସୁଥିବା ଆମର ଲୋକମାନେ ।’’

ଗୁରୁଦେବ ଗୁଣୁଗୁଣୁ କରି କହିଲେ, “ଭୋଳାନାଥ, ଲୋକଗୁଡ଼ାକ ମୃତ୍ୟୁ ମୁଖରେ ପଡ଼ିବେ ।”

 

ମନ୍ତ୍ରୀ ବିମଳ କହିଲେ, “ଏହି ଶରଣାର୍ଥୀମାନଙ୍କ ମଧ୍ୟରେ ଯଥେଷ୍ଟ ସଂଖ୍ୟକ ସ୍ତ୍ରୀ ଓ ପିଲା ଥିବା ସମ୍ଭବ ।”

 

ଗୁରୁଦେବ ପାଟିକରି କହିଲେ, “ଦେଖ, ଏହି ଲୋକମାନେ ବିଚରା ଚାଲୁ ଚାଲୁ କିପରି ପଡ଼ି ଯାଉଛନ୍ତି । ଶିବ ସେମାନଙ୍କୁ ରକ୍ଷାକରନ୍ତୁ ।”

 

ଭୀମଦେବ ଓଠ ଚିପି କହିଲେ, “ତାହାହେଲେ ଦେଲୱାଡ଼ାର ପତନ ହୋଇଗଲା ।” ତାଙ୍କ ସ୍ୱର ଅତ୍ୟନ୍ତ ଗମ୍ଭୀର ହୋଇଗଲା । ତାଙ୍କର ଆଖି ଲୋକ ସମୁଦ୍ର ଉପରୁ ଯାଇ ପଡ଼ିଲା ଦିଗ୍‍ବଳୟ ଉପରେ । ସେ ପୁଣି ପଛକୁ ଅନାଇଲେ ।

 

ମହାରାଜ କହିଲେ, “ବିମଳ ସମୁଦ୍ରକୁ ଯିବାପାଇଁ ଦ୍ୱାରମାନ ଖୋଲିଦିଅ । ଆମର ଯେତେ ନୌକା ଅଛି, ସେ ସବୁ ସମୁଦ୍ରର ଅପ୍ରଶସ୍ତ ପ୍ରଣାଳୀ ପାଖକୁ ପଠାଇଦିଅ । ବଞ୍ଚିକରି ଯେଉଁମାନେ ସମୁଦ୍ର କୂଳକୁ ଆସିବେ ସେମାନଙ୍କୁ ନେଇଆସ ।’’

 

ବୁଢ଼ା କାମାଲଖାନୀ କହିଲେ, “ଚାଲୁକ୍ୟରାଜ, ଏ ସମସ୍ତଙ୍କୁ ଦୁର୍ଗ ଭିତରକୁ କାହିଁକି ଆଣୁଛନ୍ତି ? ଆମର ଥିବା ଖାଦ୍ୟଦ୍ରବ୍ୟ ଖୁବ୍‍ ବେଶୀ ହେଲେ ଦୁଇମାସ ମାତ୍ର ଯିବ ।”

 

ଭୀମଦେବ କହିଲେ, “ଲଖାନୀ, ହମୀର୍‍ର ଆକ୍ରମଣ କ’ଣ ଦୁଇମାସ ରହିବ ବୋଲି ଭାବୁଛ ?” ତା’ପରେ ବିମଳକୁ ପଚାରିଲେ, ”ଆମର କେତୋଟି ବୋଇତ ଅଛି ?”

 

ବିମଳ–‘‘ମହାରାଜ, ତିନୋଟି ଅଛି ।’’

 

ଭୀମଦେବ-‘‘ଏଇ ବୋଇତମାନଙ୍କରେ ପ୍ରଥମେ ସ୍ତ୍ରୀ ଲୋକ ଓ ପିଲାମାନଙ୍କୁ ପଠାଇଦିଅ ।’’

 

ବିମଳ–‘‘ଯେ ଆଜ୍ଞା ମହାରାଜ ।’’

 

ଭୀମଦେବ-‘‘ରତ୍ନାଦିତ୍ୟ, ଯୁଦ୍ଧପାଇଁ ଏଥର ପ୍ରସ୍ତୁତ ହେବା । ଧନୁଶରଧାରୀଙ୍କୁ ପାଚେରି ଚାରିପାଖରେ ରଖ ।’’

 

ରତ୍ନାଦିତ୍ୟ ସମର ଦୁନ୍ଦୁଭି ବଜାଇଲେ । ତାହାର ପ୍ରତିଧ୍ୱନି ଚାରିଦିଗରେ ବ୍ୟାପିଗଲା । ଏତେବେଳକୁ ସୁର୍ଯ୍ୟ ଉଦୟ ହେଲେଣି । ସମଗ୍ର ପ୍ରଭାସ ଯୁଦ୍ଧ କରିବାପାଇଁ ପ୍ରସ୍ତୁତ ହୋଇଗଲା । ଆଦେଶ ପାଇଲାମାତ୍ରେ ସେମାନଙ୍କ ଧନୁଶର ଚାଳନା କରିବାପାଇଁ ସାତ ହଜାର ଧନୁର୍ଦ୍ଧର ଦୁର୍ଗର ପାଚେରି ଜଗି ରହିଲେ । ବହୁ ସ୍ଥାନରେ ସୈନ୍ୟମାନଙ୍କ ନିମନ୍ତେ ଅସ୍ତ୍ର ଶସ୍ତ୍ର ବୋଝେଇ ଓଟମାନ ଦୁର୍ଗ ଉପରକୁ ଚଢ଼ାଇ ଦିଆଗଲା ।

ଦୁଇଶହ ଉପରିସ୍ଥ ସାମରିକ କର୍ମଚାରୀ ଅସ୍ତ୍ର ଶସ୍ତ୍ର ସୁସଜ୍ଜିତ ହୋଇ ଘୋଡ଼ା ସହ ପ୍ରସ୍ତୁତ ହୋଇ ରହିଲେ । ସେନାପତିମାନେ ଦୂର ଦିଗ୍‍ବଳୟକୁ ଚାହିଁ ଅବସ୍ଥା ପର୍ଯ୍ୟବେକ୍ଷଣ କରୁଥାନ୍ତି ।

ଗଙ୍ଗା ଓ ଚୌଲା ମନ୍ଦିରର ଏକ ଗୁମ୍ବଜର ଅଳିନ୍ଦକୁ ଗଲେ । ଚାରିଆଡ଼େ ଅଗଣିତ ସୈନ୍ୟ, ଦଳପତି ଏବଂ ସେନାପତି ଦଳ ଦଳ ହୋଇ ଦଣ୍ଡାୟମାନ । ପ୍ରତ୍ୟେକ ଦଳର ଲୋକେ ଭିନ୍ନ ଭିନ୍ନ ରଙ୍ଗର ପୋଷାକ ପିନ୍ଧିଥାନ୍ତି । ତାହା ଦେଖି ଚୌଲା ବିହ୍ୱଳିତା ହୋଇ କହିଲା, “ମାଆ, ଆମ ଦୁର୍ଗ କିପରି ଚମତ୍କାର ଦିଶୁଛି ! ମାତ୍ର ସପ୍ତାହକ ମଧ୍ୟରେ ମହାରାଜ ଅଦ୍ଭୁତ କାର୍ଯ୍ୟ କରିପାରିଛନ୍ତି ।”

ମନ୍ଦିରର ଅନ୍ୟ ଏକ ଉଚ୍ଚ ଗୁମ୍ବଜର ଅଳିନ୍ଦରେ କେତେଜଣ ରାଜାଙ୍କ ସହ ଗୁରୁଦେବ ଠିଆହୋଇ ଏହି ଦୃଶ୍ୟ ଦେଖିବା ସଙ୍ଗେ ସଙ୍ଗେ ଯେଭଳିଭାବେ ସୈନ୍ୟ ସଜ୍ଜିତ କରାଯାଇଛି ସେଥିପାଇଁ ଭୀମଦେବଙ୍କର ଭୂୟସୀ ପ୍ରଶଂସା କରୁଥାନ୍ତି । ସୂର୍ଯ୍ୟକିରଣ ପଡ଼ି ସୁଦୃଢ଼ ଓ ଅଭେଦ୍ୟ ପ୍ରଭାସ ଚମକୁ ଥାଏ । ସୈନ୍ୟ ଚାଳନାରେ ବର୍ତ୍ତମାନ ମୁଖରିତ, ବିଶ୍ୱର ସର୍ବ ଶ୍ରେଷ୍ଠ ଶକ୍ତିଶାଳୀ ଦେବତା ସୋମନାଥଙ୍କ ମନ୍ଦିରର ସର୍ବୋଚ୍ଚ ଶିଖରରେ ଗୈରିକ ରଙ୍ଗର ପତାକା ଉଡ଼ି ଜନତାର ଭକ୍ତି ଆକର୍ଷଣ କରୁଥାଏ ।

ମହାରାଜ ଭୀମଦେବ ନିଜର ଶକ୍ତି ସମ୍ପର୍କରେ ଅବହିତ ଥାଇ ନିଜର ତରବାରି କୋଷୋନ୍ମୁକ୍ତ କରି “ପ୍ରଭୁ ସୋମନାଥଙ୍କର ଜୟ ହେଉ” ବୋଲି ଧ୍ୱନି କଲେ । ସେ ଧ୍ୱନି କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ତିରିଶ ହଜାର ସୈନ୍ୟ ମଧ୍ୟ “ପ୍ରଭୁ ସୋମନାଥଙ୍କ ଜୟ ହେଉ” ବୋଲି ପ୍ରତିଧ୍ୱନି କଲେ । ମାତ୍ର ଏହି ପ୍ରତିଧ୍ୱନି ଶେଷ ହେବାପୂର୍ବରୁ ମହାରାଜ ଭୀମଦେବ ବିସ୍ମୟରେ ଆଖି ତରାଟି ପାଟିକରି କହିଲେ, “ରତ୍ନାଦିତ୍ୟ, ସମୁଦ୍ର କୂଳରେ କ’ଣ ହେଉଛି ଦେଖ !”

ବହୁ ସଂଖ୍ୟାରେ ଅଶ୍ୱାରୋହୀ ଦ୍ରୁତ ବେଗରେ ସେପଟୁ ଦୁର୍ଗ ଆଡ଼କୁ ଆସୁଥାନ୍ତି । ପାରମାର ଅନ୍ୟଦିଗକୁ ତାଙ୍କ ଦୃଷ୍ଟି ଆକର୍ଷଣ କରି କହିଲେ, “ଏଣେ ଦେଖନ୍ତୁ !” ଆଉ ଗୋଟିଏ ଦଳ ଅଶ୍ୱାରୋହୀ ଶତ୍ରୁସୈନ୍ୟ ସେ ଦିଗରୁ ଦ୍ରୁତ ବେଗରେ ସମୁଦ୍ର କୂଳେ କୂଳେ ଦୁର୍ଗ ନିକଟକୁ ଆସୁଥାନ୍ତି ।

ଭୀମଦେବ କହିଲେ, “ତାହାହାଲେ ସେମାନେ ସମୁଦ୍ରକୁ ଆମର ରାସ୍ତା ବନ୍ଦ କରିଦେବା ପାଇଁ ଚାହୁଁଛନ୍ତି ।”

ପ୍ରଥମ ଦଳ ଠିକ୍‍ ଏକ ଯନ୍ତ୍ର ପରି ମାଡ଼ିଆସୁଥାନ୍ତି । ସେମାନଙ୍କ ରାସ୍ତାରେ କାଳମୁଖ କାପାଳିକମାନଙ୍କ ବାସସ୍ଥଳ ଶ୍ମଶାନ ଭୂମି ପଡ଼ିଲା । ସେହି କାପାଳିକମାନଙ୍କୁ ଦୁର୍ଗ ଭିତରେ ରହିବାକୁ ବା ଖମ୍ବାତ ଚାଲିଯିବାପାଇଁ ମଙ୍ଗେଇବାକୁ ଗୁରୁଦେବ ଚେଷ୍ଟା କରିଥିଲେ; କିନ୍ତୁ ସେମାନଙ୍କ ଅଦ୍ଭୁତ ତାନ୍ତ୍ରିକ ରୀତି ନୀତି ଯୋଗୁଁ ସେମାନଙ୍କ ମନରେ ଏଭଳି ଦୃଢ଼ ବିଶ୍ୱାସ ଥିଲା ଯେ କାପାଳିକମାନେ ଗୁରୁଦେବଙ୍କ ପରାମର୍ଶ ମାନିଲେ ନାହିଁ । ପୂର୍ବରୁ କେତେକ ଯୁଦ୍ଧରେ କେବେ କେହି ସେମାନଙ୍କୁ ଛୁଇଁ ନ ଥିଲେ; କିନ୍ତୁ ହମୀର୍‍ର ସୈନ୍ୟମାନେ ଇହ ବା ପରଲୋକରେ କାହାକୁ ଭୟ କରିବା ଜାଣିନଥିଲେ । ସେମାନେ କାପାଳିକମାନଙ୍କୁ ଭ୍ରୁକ୍ଷେପ କଲେ ନାହିଁ । ମାଳି ଘାସ କାଟିଲା ପରି ସେମାନେ ସେଇ କାଳମୁଖମାନଙ୍କୁ କାଟି ପକାଇଲେ । ଗୁରୁଦେବଙ୍କର ସେମାନଙ୍କ ପ୍ରତି କୌଣସି ସହାନୁଭୂତି ନ ଥିଲା । ସେ ଏକ ଦୀର୍ଘଶ୍ୱାସ ପକାଇ କହିଲେ, “ଭୋଳାନାଥ, ତୁମର ଇଚ୍ଛା ପୂର୍ଣ୍ଣ ହେଉ !”

ଭୀମଦେବ ଏକଲୟରେ ଦେଲୱାଡ଼ା ଆଡ଼କୁ ଅନାଇଥିଲେ । ସେ ଯାହା ଦେଖିଲେ ସେଥିରେ ସେ ସ୍ତବ୍ଧ ହୋଇଗଲେ । ବହୁ ସଂଖ୍ୟକ ଅଶ୍ୱାରୋହୀ ତଥାପି ଆସୁଥିବା ଦେଖି ସେ କହିଲେ, “ରତ୍ନାଦିତ୍ୟ ଓ ପାରମାର, ତୁମେ ଦୁହେଁ ସମୁଦ୍ର ପଥକୁ ଜଗ । ଦୁର୍ଗଆଡ଼କୁ ଆସୁଥିବା ଶତ୍ରୁର ଏହି ସୈନ୍ୟ ବାହିନୀ ବିଷୟ ମୁଁ ବୁଝୁଛି ।”

ଆବଶ୍ୟକ ବ୍ୟବସ୍ଥା କରିବାପାଇଁ ରତ୍ନାଦିତ୍ୟ ଓ ପାରମାର ସଙ୍ଗେ ସଙ୍ଗେ ଚାଲିଗଲେ । ହମୀର୍‍ର ସୈନ୍ୟବାହିନୀ ଦେଲୱାଡ଼ା ଜଙ୍ଗଲରୁ ଠିକ୍‍ ନଈବଢ଼ି ପରି ପ୍ରବଳ ବେଗରେ ମାଡ଼ି ଆସୁଥାନ୍ତି । ଅଶ୍ୱାରୋହୀ ଦଳମାନ ପାଞ୍ଚ ବା ପଚାଶ ନୁହଁନ୍ତି, ଅଗଣିତ ସଂଖ୍ୟାରେ ମାଡ଼ି ଆସୁଥାନ୍ତି-। ସେମାନେ ମୁଣ୍ଡରେ ଉଜ୍ଜ୍ୱଳ ଟୋପି ଓ ଚମଡ଼ାର ପୋଷାକ ପିନ୍ଧି ଏବଂ ବିରାଟ ଧନୁଶରମାନ ହାତରେ ଧରି ଆସୁଥାନ୍ତି । ସେମାନଙ୍କ ପଛରେ ବହୁ ଗଜାରୋହୀ ସୈନ୍ୟ ରହି ଏକ ଗତିଶୀଳ ଅପରାଜେୟ ଦୁର୍ଗ ଭଳି ଦେଖାଯାଉଥାଏ । ଏହି ଗଜମାନଙ୍କ ପଛରେ ଏଭଳି ବିରାଟ ଯନ୍ତ୍ରମାନ ଆସୁଥାଏ, ଯାହାକି ଭୀମଦେବ କେବେ ଦେଖିନଥିଲେ ବା କଳ୍ପନା କରିନଥିଲେ ।

ବିମଳ ଚୁପ୍‍ ଚୁପ୍‍ କରି କହିଲେ, ମହାରାଜ, ସାମନ୍ତ କହୁଥିବା କଥା ଠିକ୍‍ । ଏ ତ ଆକ୍ରମଣ କରିବାପାଇଁ ଆସୁଥିବା ସୈନ୍ୟବାହିନୀ ନୁହେଁ, ଗୋଟିଏ ଦେଶ ମାଡ଼ିଆସିବା ପରି ଲାଗୁଛି ।”

ଭୀମଦେବ କହିଲେ-‘‘କିନ୍ତୁ ପ୍ରଭୁ ଆମ ପାଖେ ପାଖେ ଅଛନ୍ତି ।’’

ଗୁରୁଦେବ ସ୍ନେହରେ ତାଙ୍କ ଉପରେ ହାତ ପକାଇ କହିଲେ, “ବତ୍ସ ଭୀମଦେବ, ଏହି ଯୁଦ୍ଧରେ ବୀରତ୍ୱର ପରାକାଷ୍ଠା ଦେଖାଇବାପାଇଁ ଭୋଳାନାଥ ତୁମକୁ ଯେଉଁ ସୁଯୋଗ ଦେଇଛନ୍ତି, ତାହାକୁ ଦେବତାମାନେ ମଧ୍ୟ ଈର୍ଷା କରିବେ ।”

ଭୀମଦେବ ଉତ୍ସାହରେ କହିଲେ-“ଗୁରୁଦେବ, ଆପଣ ଏଭଳି ଏକ ବିରାଟ ଯୁଦ୍ଧ ଦେଖିବେ, ଯାହାକି କୌଣସି ଦେବତା କି ମଣିଷ ଏ ପର୍ଯ୍ୟନ୍ତ ଦେଖିନାହାନ୍ତି ।” ଏହାପରେ ହମୀର୍‍ର ସୈନ୍ୟବାହିନୀ ଜଙ୍ଗଲ ଅତିକ୍ରମ କଲେ ଏବଂ ଦୁର୍ଗର ଚତୁଃପାର୍ଶ୍ୱରେ ଛାଇ ହୋଇଗଲେ । ସେମାନଙ୍କ ସମବେତ ଯୁଦ୍ଧ ହୁଙ୍କାର ‘ଆଲ୍ଲା ହୋ ଆକବର’ ଶବ୍ଦରେ ଗଗନ ପବନ ପ୍ରକମ୍ପିତ ହୋଇଗଲା ।

“ଗୁରୁଦେବ, ଆପଣ ଏହିଠାରେ ଅପେକ୍ଷା କରନ୍ତୁ” କହି ଭୀମଦେବ ଲଖାନୀ ଓ ବିମଳଙ୍କ ସହ ମନ୍ଦିର ଶିଖରରୁ ତଳକୁ ଓହ୍ଲାଇ ଆସି ଦୁର୍ଗର ପ୍ରଧାନ ଦ୍ୱାର ନିକଟକୁ ଗଲେ ।

ହମୀର୍‍ର ଅଶ୍ୱାରୋହୀମାନେ ଆସି ଖାଇର ଅପର ପାର୍ଶ୍ୱରେ ବ୍ୟୂହ ରଚି ଠିଆହେଲେ । ଶତ୍ରୁ ସୈନ୍ୟମାନେ ଦୁର୍ଗର ତିନି ପାଖରେ ଘେରିଯାଇ ନିର୍ଜୀବ ମୂର୍ତ୍ତିପରି ନିଜ ନିଜ ସ୍ଥାନରେ ଠିଆ ହୋଇଗଲେ ଓ ତୀରଧାରୀ ସୈନ୍ୟମାନେ ନିଜନିଜର ଧନୁଶର ପ୍ରସ୍ତୁତ କରି ରଖିଲେ ।

କେବଳ ସମୁଦ୍ର ପାଖଛଡ଼ା ଅନ୍ୟ ତିନିଦିଗରୁ ପ୍ରଭାସ ଶତ୍ରୁର ଘେର ଭିତରେ ରହିଲା । ହମୀର୍‍ର ସୈନ୍ୟବାହିନୀର ଯୁଦ୍ଧ ଧ୍ୱନି ‘ଆଲ୍ଲା ହୋ ଆକବର’ ସାଙ୍ଗକୁ ଭୀମଦେବଙ୍କ ସୈନ୍ୟବାହିନୀର ଆହ୍ୱାନ ‘ଜୟ ସୋମନାଥ’ ଶବ୍ଦରେ ଦିଗନ୍ତ ମୁଖରିତ ହେଲା ।

Image

 

ପୂଜକମାଙ୍କର ବିଦ୍ରୋହ

 

ଭୀମଦେବ ଦୁର୍ଗ ପ୍ରାଚୀରର ଗୋଟିଏ ସ୍ୱତନ୍ତ୍ର ସ୍ଥାନରେ ବସି ଶତ୍ରୁର ସୈନ୍ୟ ଚାଳନା ପର୍ଯ୍ୟବେକ୍ଷଣ କରୁଛନ୍ତି, ଠିକ୍‍ ଏହି ସମୟରେ ହମୀର୍‍ର ସୈନ୍ୟବାହିନୀ ସେମାନଙ୍କ ବ୍ୟୂହର କେନ୍ଦ୍ର ସ୍ଥଳରେ ପତାକା ସ୍ତମ୍ଭ ପୋତି ଶାଗୁଆ ବର୍ଣ୍ଣର ପତାକା ଉଡ଼ାଇଲେ ଓ ହଜାର ହଜାର ଲୋକ ହାତୀ ଧାଡ଼ି ପଛରେ ତମ୍ବୁ ପକାଇବା କାର୍ଯ୍ୟ ଆରମ୍ଭ କଲେ ।

 

ହାତୀମାନଙ୍କୁ ଆଡ଼େଇ ଗୋଟିଏ ରାସ୍ତା ବାହାର କରାଗଲା ଓ ସେହି ବାଟେ ହମୀର୍‍ର ସୈନ୍ୟମାନେ ସାମରିକ କାଇଦାରେ ଆସି ପତାକା ପାଖେ ଜଗି ରହିଲେ ଏବଂ ଅନ୍ୟପାଖରେ ଆଶ୍ୱାରୋହୀ ସୈନ୍ୟମାନେ ନିଜ ନିଜର ତରବାରି ବାହାର କରି ଜଗିଲା । ଏହି ମନୁଷ୍ୟ ଦୁର୍ଗ ଭିତରକୁ ଏକ କଳା ଘୋଡ଼ା ଉପରେ ବସି ଜଣେ ଶକ୍ତିଶାଳୀ ଅଶ୍ୱାରୋହୀର ନେତୃତ୍ୱରେ ପନ୍ଦର ଜଣ ଅଶ୍ୱାରୋହୀ ପ୍ରବେଶ କଲେ । ସେହି ବ୍ୟକ୍ତି ଜଣକ ଖୁବ୍‍ ହୃଷ୍ଟପୁଷ୍ଟ ଦେଖାଯାଉଥାଏ ଏବଂ ତା’ ମୁଣ୍ଡରେ ଗୋଟିଏ ବଡ଼ ସବୁଜ ପଗଡ଼ି ଥାଏ । ସାମନ୍ତର ବର୍ଣ୍ଣନା ଅକ୍ଷରେ ଅକ୍ଷରେ ସତ୍ୟ ଥିଲା-ଏହି ବ୍ୟକ୍ତି ନିଶ୍ଚୟ ଗଜନୀର ସୁଲତାନ ।

 

ଭୀମଦେବ କ୍ରୋଧରେ ଦାନ୍ତଚିପି ନିଜର ଧନୁ ଉଠାଇଲେ । ଗୁଜରାତର ଏହି ସର୍ବଶ୍ରେଷ୍ଠ ଧନୁର୍ଦ୍ଧରଙ୍କର ହସ୍ତ ଅଧୀର ହୋଇ ଉଠୁଥାଏ ।

 

ହମୀର୍‍ ବହୁ ସମୟ ପର୍ଯ୍ୟନ୍ତ ପ୍ରଭାସର ଚତୁର୍ଦ୍ଦିଗକୁ ନିରୀକ୍ଷଣ କରି ନିଜର ଦୁଇଜଣ କୁଶଳୀ ଧନୁର୍ଦ୍ଧାରୀଙ୍କୁ ଶର ମାରିବାକୁ ଆଦେଶ ଦେଲା । ଗୋଟିଏ ଶର ଗଡ଼ଖାଇ ପାଖରେ ପଡ଼ିଲା ଓ ଅନ୍ୟଟି ମଧ୍ୟ କିଛି ଦୂରରେ ପଡ଼ିଲା । ଶତ୍ରୁର ଏହି ବିଫଳତା ଦେଖି ରାଜପୁତ ସୈନ୍ୟମାନେ ହସିଲେ । ମାସୁଦ ଏହା ଦେଖି ଅଗ୍ରସର ହୋଇ ନିଜର ଧନୁ କାଢ଼ିଲା । ଭୀମଦେବ ମଧ୍ୟ ପ୍ରସ୍ତୁତ ଥିଲେ । ମୁହୂର୍ତ୍ତକ ମଧ୍ୟରେ ସେ ନିଜର ଧନୁ କାଢ଼ି ଓ ପୂରା ଦମରେ ତୀର ଟାଣି ଛାଡ଼ିଦେଲେ । ଦୁଇଜଣଙ୍କ ଶର ପରସ୍ପରକୁ ଅତିକ୍ରମ କରି ଚାଲିଗଲା ।

 

ମାସୁଦର ଶର ଦୁର୍ଗ କାନ୍ଥରେ ବାଜି ତଳେ ପଡ଼ିଗଲା । ମାତ୍ର ଭୀମଦେବଙ୍କ ଶର ମାସୁଦର ଗୋଡ଼ରେ ପଶି ଘୋଡ଼ାର ପେଟ ଫୁଟାଇ ଦେଲା । ଅଶ୍ୱ ଏବଂ ଅଶ୍ୱାରୋହୀ ତଳେ ପଡ଼ି ଧୂଳିରେ ଲୋଟିଲେ । ରାଜପୁତ ସୈନ୍ୟବାହିନୀ “ଜୟ ସୋମନାଥ” ଧ୍ୱନି ଦେଲେ ।

 

ଏହାପରେ ବହୁ ରାଜପୁତ ସୈନ୍ୟ ଶର ମାଇଲେ; କିନ୍ତୁ ତହିଁରୁ ଗୋଟିଏ ସୁଦ୍ଧା ହମୀର୍‍ ନିକଟରେ ପହଞ୍ଚିଲା ନାହିଁ ।

 

ସେଦିନ ଯୁଦ୍ଧ କରିବାକୁ ହମୀର୍‍ର ଇଚ୍ଛା ନ ଥିଲା । ସୈନ୍ୟବାହିନୀ ବିଶ୍ରାମ ନେବାକୁ ଯିବାପାଇଁ ଆଦେଶ ପାଇବା ପର୍ଯ୍ୟନ୍ତ ନୀରବରେ କିଛି ସମୟ ଠିଆହେଲେ ।

 

ଭୀମଦେବ ପ୍ରଥମେ ଶତ୍ରୁର ରକ୍ତ ବୁହାଇଥିବାରୁ ଏହି ଉତ୍ସବ ପାଳନ କରିବା ନିମନ୍ତେ ପ୍ରଭାସରେ ଆନନ୍ଦରେ ଘଣ୍ଟା ଧ୍ୱନି ହେଲା । ଉପରବେଳା ଖବର ମିଳିଲା ଯେ ହମୀର୍‍ ଲଢ଼େଇ କରିବାପାଇଁ ପ୍ରସ୍ତୁତ ହେଉଛି, ଯାହାକି ମାସ ମାସ ଧରି ଚାଲିବ । ଅଶ୍ୱାରୋହୀ ଓ ଧନୁଶରଧାରୀ ସୈନ୍ୟମାନଙ୍କ ଆଗରେ ତା’ର ସୈନ୍ୟମାନେ ମାଟିର ଗୋଟିଏ କାନ୍ଥ ପ୍ରସ୍ତୁତ କରିବାକୁ ଲାଗିଲେ ।

 

ରାଜପୁତ ସୈନ୍ୟମାନେ ଦୁର୍ଗ ପ୍ରାଚୀର ଉପରୁ ଏହା ଦେଖି ଆକ୍ରମଣକାରୀ ସୈନ୍ୟମାନଙ୍କୁ ଥଟ୍ଟା କରୁଥାନ୍ତି ।

 

+

+

+

 

ହରଦତ୍ତ ପ୍ରଭାସ ସହରଯାକ ପାଗଳ ପରି ବୁଲୁଥାଏ । ପଚାଶ ବର୍ଷ ମଧ୍ୟରେ ତ୍ରିପୁରସୁନ୍ଦରୀଙ୍କ ମନ୍ଦିର ପ୍ରଥମ ଥରପାଇଁ ବନ୍ଦ କରାଯାଇଛି । ସେ ଠାକୁରାଣୀଙ୍କ ପୂଜା କରିପାରୁନାହିଁ । ପୂଜା କରିବା ଅଧିକାର ମଧ୍ୟ ତା’ଠାରୁ କାଢ଼ି ନିଆଯାଇଛି । ଖାଲି ସେତିକି ନୁହେଁ, ଠାକୁରାଣୀଙ୍କୁ ଅର୍ପଣ କରାଯାଉଥିବା ପ୍ରପାନ ଓ ମାଂସ ଗୁରୁଦେବ ବନ୍ଦ କରିବା ସଙ୍ଗେ ସଙ୍ଗେ, ସେ ମନ୍ଦିରରେ ହେଉଥିବା ଯାତ୍ରା ପର୍ବ ମଧ୍ୟ ବନ୍ଦ କରିଛନ୍ତି । ସବୁଠାରୁ ବଡ଼ କଥା, ଗୁରୁଦେବ ତାଙ୍କ ଇଚ୍ଛାମତେ ଠାକୁରାଣୀଙ୍କ ପୂଜା କରୁଛନ୍ତି ।

 

ଠାକୁରାଣୀଙ୍କ ମନ୍ଦିରରେ ଆବହମାନ କାଳରୁ ଚଳି ଆସୁଥିବା ପ୍ରଥା ଅନୁସାରେ ପୂଜା ନ ହୋଇ ମନ୍ଦିର ବନ୍ଦ ହୋଇ ରହିଛି ଏବଂ ଠାକୁରାଣୀ କାରାବାସରେ ଅଛନ୍ତି । ତା’ର ଜୀବନର ସର୍ବଶ୍ରେଷ୍ଠ କାମ୍ୟକ୍ରିୟାରୁ ତାକୁ ବଞ୍ଚିତ କରାଯାଇଛି । ତେଣୁ ତା’ ପରଦିନଠାରୁ ସେ କ୍ରୋଧରେ ଦାନ୍ତ ଚୋବାଇ ତା’ର ଚିମୁଟା ହଲାଇ ଏଣେ ତେଣେ ବୁଲୁଥାଏ ।

 

ସୈନ୍ୟମାନେ ବହୁ ମନ୍ଦିର ଦଖଲ କରି ରହିଥିବାରୁ ସେ ଅତ୍ୟନ୍ତ କ୍ରୋଧାନ୍ୱିତ ହେଉଥାଏ । ପବିତ୍ର ପ୍ରଭାସ କ୍ଷେତ୍ରରେ ଏପରି ଅନୀତି ସେ ଏହାପୂର୍ବରୁ କେବେ ଦେଖିନଥିଲା । ତେଣୁ ଏ ସବୁ ହମୀର୍‍ ଧ୍ୱଂସ କରିବା ଅନିବାର୍ଯ୍ୟ-ଏହା ବୋଧହୁଏ ଦୈବୀ ଇଚ୍ଛା । ଗୁରୁଙ୍କର ପାପପାଇଁ ଠାକୁରାଣୀଙ୍କର ଏହା ହେଉଛି ଶାସ୍ତି । ଯୁଦ୍ଧରେ କିଏ ଜିଣୁ ବା ହାରୁ ତହିଁରେ ହରଦତ୍ତର ଆଉ ଆଗ୍ରହ ନାହିଁ । ତା’ର ମନ୍ଦିର ପୁନର୍ବାର ଖୋଲୁ ଏବଂ ସେ ଯେପରି ପୂଜା କରି ଆସୁଥିଲା ତାହା କରିବାର ସୁଯୋଗ ପାଉ, ଏହାହିଁ ତା’ର ଏକମାତ୍ର କାମନା ।

 

ସହରରେ ସେ ବହୁ ପୂଜକ ଦେଖିଛି ଯେଉଁମାନେ କି ପ୍ରଚଳିତ ବ୍ୟବସ୍ଥାରେ ତା’ପରି ଅସନ୍ତୁଷ୍ଟ । ଯାତ୍ରୀ ଆଉ ଆସୁନାହାନ୍ତି । ପୂର୍ବେ ଯେପରି ଭୋଗଭାଗ ହେଉଥିଲା, ତାହା ବାରଣ କରାଯାଇଛି । ପୂଜକମାନେ ନିଜ ନିଜ ମଧ୍ୟରେ ସେମାନଙ୍କର ଅଭିଯୋଗମାନ ଆଲୋଚନା କରି ସମସ୍ତ ଦୁର୍ଯୋଗପାଇଁ ଗୁରୁଦେବ ଦାୟୀ ବୋଲି ଠିକ୍ କଲେ ।

 

କେତେକ ପୂଜକ ସହ ହରଦତ୍ତ ସେମାନଙ୍କ ଆପତ୍ତି ଜଣାଇବାକୁ ସର୍ବଜ୍ଞଙ୍କ ଘରକୁ ଗଲା । ସେମାନେ ଭାବ ଓ ଭଙ୍ଗୀରେ ସର୍ବଜ୍ଞଙ୍କୁ ଯଥେଷ୍ଟ ସମ୍ମାନ ଦେଖାଉଥିଲେ ସୁଦ୍ଧା ସେମାନଙ୍କ ଭାଷା ତଥା ସ୍ୱରରେ ଧୃଷ୍ଟତାର ପ୍ରମାଣ ମିଳୁଥାଏ ।

 

ହରଦତ୍ତ ହାତରେ ଧରିଥିବା ଚିମୁଟାଟି ଜୋରରେ ହଲାଇ ହଲାଇ କହିଲା, ‘‘ଗୁରୁଦେବ, ଯେ ପର୍ଯ୍ୟନ୍ତ ମନ୍ଦିର ଦ୍ୱାର ପୁନର୍ବାର ନ ଖୋଲିଛି ସେ ପର୍ଯ୍ୟନ୍ତ ଯେଉଁ ବିପଦ ପଡ଼ିଛି, ତାହା ଶେଷ ହେବନାହିଁ । ଆବହମାନ କାଳରୁ ଏ ଦ୍ୱାର କେବେ ବନ୍ଦ ହୋଇନଥିଲା ।” ଏହା କହିଲାବେଳେ ତା’ର ଆଖି ଠିକ୍‍ ଏକ ପାଗଳ ପଶୁର ଆଖିପରି ଦିଶୁଥାଏ ।

 

ଗୁରୁଦେବ ଉତ୍ତର ଦେଲେ,‘‘ମନ୍ଦିର ତ ବନ୍ଦ ନାହିଁ ? ମୁଁ ତ ସବୁଦିନେ ପୂଜା କରୁଛି !”

 

ହରଦତ୍ତ–‘‘କିନ୍ତୁ ଆମ ଭଳି ଭକ୍ତମାନଙ୍କୁ ଦେବୀଦର୍ଶନ କରି ପୂଜା କରିବାପାଇଁ ଆପଣ ଛାଡ଼ୁ ନାହାନ୍ତି ।’’

 

ଗୁରୁଦେବ-‘‘ତୁମମାନଙ୍କ ପାପର ପ୍ରାୟଶ୍ଚିତ୍ତସ୍ୱରୂପ ମୁଁ ପୂଜା ବାରଣ କରିଛି ।’’

 

ହରଦତ୍ତ ଧମକାଇ କହିଲା-‘‘ଗୁରୁଦେବ, ଗତ ପଚାଶ ବର୍ଷ ଧରି ମୁଁ କରୁଥିବା କାର୍ଯ୍ୟକୁ କେହି ବାଧା ଦେଇନଥିଲେ । ଆପଣ ବାଧା ଦେବାରୁ ତା’ର ଫଳସ୍ୱରୂପ ହମୀର୍‍ ଆସି ପହଞ୍ଚିଛି । ଆବହମାନ କାଳରୁ ପ୍ରଚଳିତ ତାଙ୍କର ପୂଜା ଯେପରି ବନ୍ଦ କରାଯାଇଛି, ତାହା ମହାମାୟା କେବେହେଲେ ସହ୍ୟ କରିପାରିବେ ନାହିଁ ।’’

 

ଗଙ୍ଗସର୍ବଜ୍ଞ ଦୃଢ଼ତାର ସହିତ ଜବାବ୍‍ ଦେଲେ, ‘’ହରଦତ୍ତ, ଆମ ସମ୍ପ୍ରଦାୟର ପ୍ରତିଷ୍ଠାତା ଲକୁଳେଶ ଯେଭଳି ଭାବରେ ପୂଜା ପଦ୍ଧତିର ନିୟମ କରିଥିଲେ, ତାହା ସବୁ ମୁଁ ଭଲରକମ ଜାଣେ-। କୌଣସି ପ୍ରଚଳିତ ବିଧି ବନ୍ଦ ନାହିଁ-।’’

 

ହରଦତ୍ତ ପଚାରିଲା, ‘‘ତାହାହେଲେ ହମୀର୍‍ କାହିଁକି ଆସିଲା ?’’

 

‘‘ଦେବତାଙ୍କ ପୂଜା ନାମରେ ଆମ ମନ୍ଦିରମାନଙ୍କରେ ଯଥେଷ୍ଟ ଅନୀତି ପ୍ରବେଶ କରିଯାଇଛି । ସେଥିଲାଗି...’’

 

ଜଣେ ପୂଜକ କହିଲା, ‘‘ଠିକ୍‍କଥା, ହମୀର୍‍ ନ ଯିବା ପର୍ଯ୍ୟନ୍ତ ମନ୍ଦିର ଖୋଲା ହେବନାହିଁ-।’’

 

ଏହା ଶୁଣି କେତେକ ପୂଜକ ରାଗିଯାଇ କହିଲେ, “ତାହାହେଲେ ଦେବତାଙ୍କ ରାଗ ଆମ ଉପରେ ପଡ଼ିବ ।”

 

ଗୁରୁଦେବ ଧୀର ସ୍ଥିରଭାବେ ଜବାବ୍‍ ଦେଲେ, “ଯେବେ ମୋର କୌଣସି କାର୍ଯ୍ୟ ଯୋଗୁ ଦେବତା ବିରକ୍ତ ହୋଇଥାନ୍ତି, ତାହାହେଲେ ଅନ୍ୟ କାହାରିକୁ ଦଣ୍ଡ ନ ଦେଇ କେବଳ ମୋତେ ଦଣ୍ଡ ଦେବା ନିମନ୍ତେ ମୁଁ ପ୍ରଭୁ ସୋମନାଥଙ୍କୁ ପ୍ରାର୍ଥନା କରୁଛି ।”

 

ହରଦତ୍ତ ଗଙ୍ଗ ସର୍ବଜ୍ଞଙ୍କର ଆତ୍ମବିଶ୍ୱାସ ଦେଖି ବିରକ୍ତ ହୋଇ କହିଲା, “କିନ୍ତୁ ଏହିସବୁ ବିପତ୍ତି ଆମ ସମସ୍ତଙ୍କ ଉପରେ ପଡ଼ିବ ।” ଯେ କୌଣସି ମୁହୂର୍ତ୍ତରେ ସେ ଗୁରୁଦେବଙ୍କୁ ଆକ୍ରମଣ କରିବ, ତା’ର ଭାବଭଙ୍ଗୀରୁ ଏହା ଜଣାଯାଉଥାଏ ।

 

ଗୁରୁଦେବ ଶାନ୍ତ ସ୍ୱରରେ କହିଲେ, “କିନ୍ତୁ ମୋର କୌଣସି କାର୍ଯ୍ୟ ଯୋଗୁ ନୁହେଁ । ବହୁବର୍ଷ ଧରି ପାଶୁପତ ସମ୍ପ୍ରଦାୟର ଗୁରୁଭାବେ ମୋତେ ପ୍ରଭୁ ସୋମନାଥ ଦୟା କରିଛନ୍ତି । ମୁଁ କୌଣସି ଅନ୍ୟାୟ ବା କର୍ତ୍ତବ୍ୟ-ବିରୁଦ୍ଧ କାର୍ଯ୍ୟ କେବେ କରିନାହିଁ । ମୁଁ ପୁଣି ତୁମ ସମସ୍ତଙ୍କୁ କହି ଦେଉଛି, ମହାରାଜ ଭୀମଦେବ ହମୀର୍‍କୁ ତଡ଼ି ନ ଦେବା ପର୍ଯ୍ୟନ୍ତ ମହାମାୟାଙ୍କ ମନ୍ଦିର ବନ୍ଦ ରହିବ-!

 

ହରଦତ୍ତ କହିଲା, “ଆମର ଆଉ ଅଧିକା କିଛି କହିବାର ନାହିଁ । ଆମେ ତାହାହେଲେ ଆସୁଛୁ ।” ତା’ର କ୍ରୋଧ ଅଧିକରୁ ଅଧିକ ହେଉଥିବାରୁ କାଳେ ନିଜ ଉପରୁ ନିୟନ୍ତ୍ରଣ ହରାଇବ, ସେଥିପାଇଁ ତାହାପୂର୍ବରୁ ସେ ସେଠାରୁ ଚାଲିଯିବା ଶ୍ରେୟସ୍କର ବୋଲି ଭାବୁଥାଏ ।

 

ଗୁରୁଦେବ ଜବାବ୍‍ ଦେଲେ, “ତୁମେମାନେ ଯାଇପାର ।” ପୂଜକମାନେ କ୍ରୋଧରେ ଗୁରୁଦେବଙ୍କ ଆଡ଼କୁ ଚାହିଁ ଚାହିଁ ଚାଲିଗଲେ ।

 

ଗୁରୁଦେବ ଧ୍ୟାନ ଆରମ୍ଭ କରି ମନେ ମନେ ଭାବିଲେ, ‘‘ଭୀମଦେବ ଯେତେବେଳେ ସମସ୍ତଙ୍କୁ ଏଠାରୁ ପଠାଇଦେବା ପାଇଁ କହୁଥିଲେ, ପଠାଇ ଦେଇଥିଲେ ଭଲ ହୋଇଥାନ୍ତା । ବର୍ତ୍ତମାନ ଯାହା ହେଉପଛକେ ଆମକୁ ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିବ । ଏହାହିଁ ହେବ ପ୍ରଭୁ ସୋମନାଥଙ୍କ ଇଚ୍ଛା ।”

 

ଗଙ୍ଗସର୍ବଜ୍ଞଙ୍କ ନିକଟରୁ ଆସି ହରଦତ୍ତ ଏବଂ ଅନ୍ୟ ପୂଜକମାନେ ଶିବରାଶି ଯେଉଁଠାରେ ପ୍ରାୟଶ୍ଚିତ କରୁଥିଲେ ସେଠାକୁ ସିଧା ଗଲେ ।

 

ତାଙ୍କର ପ୍ରାୟଶ୍ଚିତ୍ତ ଯଥେଷ୍ଟ ହେଉନଥିବା ଯୋଗୁଁ ହମୀର୍‍ ଆସିଲା ବୋଲି ଶିବରାଶିଙ୍କର ବିଶ୍ୱାସ । ତାଙ୍କର ପ୍ରାୟଶ୍ଚିତ୍ତରେ ଯାହାକିଛି ଅଭାବ ରହିଯାଇଛି, ତାହା ଯେପରି ଶୀଘ୍ର ପୂରଣ ହୋଇଯାଏ ସେଥିପାଇଁ ସେ ବ୍ୟଗ୍ର ଥାନ୍ତି । ଏହି କାରଣରୁ ସେ ଆରାଧନାର ଏକ ନୂତନ ପନ୍ଥା ବାହାର କରିଥାନ୍ତି; ଯଦ୍ଦ୍ୱାରା କି ସର୍ବଶକ୍ତିର ଆଧାର ପାର୍ବତୀ ଏବଂ ସର୍ବ ମଙ୍ଗଳର ପ୍ରତୀକ-ପ୍ରଭୁ ସୋମନାଥଙ୍କ ନିକଟରେ ତାଙ୍କର ମନ ସ୍ଥିର ରହିପାରିବ ।

 

ଶିବରାଶି ଆସ୍ତେ ଆସ୍ତେ ନିଜର ଧ୍ୟାନ ଭଙ୍ଗ କରିବା ପର୍ଯ୍ୟନ୍ତ ହରଦତ୍ତ ଏବଂ ଅନ୍ୟ ପୂଜକମାନେ ଭକ୍ତି ସହକାରେ ତାଙ୍କ ନିକଟରେ ବସିଲେ । ଗୁରୁଦେବଙ୍କର ଆଧ୍ୟାତ୍ମିକ ଶକ୍ତି ତଥା ଅଗାଧ ପାଣ୍ଡିତ୍ୟ ବୁଝିବା ସେମାନଙ୍କ ପକ୍ଷେ କଷ୍ଟକର; କିନ୍ତୁ ରାଶିଜୀଙ୍କ ଚାଲିଚଳନ ଅନେକାଂଶରେ ସାଧାରଣ ସାଧୁଙ୍କ ପରି ହୋଇଥିବାରୁ ସେମାନେ ତାହା ଭଲରକମ ବୁଝିପାରୁଥିଲେ । ସେମାନଙ୍କ ଦୃଷ୍ଟିରେ ଗୁରୁଦେବ ଏକ ଦୁର୍ଗମ ପାହାଡ଼ସ୍ୱରୂପ ଏବଂ ରାଶିଜୀ ବୃକ୍ଷରାଜି ସୁଶୋଭିତ ସମତଳ ଭୂମିରେ ଅବସ୍ଥିତ ଗୋଟିଏ ପବିତ୍ର ମନ୍ଦିର । ଲକୁଳେଶ ସମ୍ପ୍ରଦାୟର ରୀତିନୀତି ତଥା ପ୍ରାୟଶ୍ଚିତ୍ତ ପଦ୍ଧତିରେ ରାଶିଜୀଙ୍କର ଯଥେଷ୍ଟ ଶ୍ରଦ୍ଧା ଅଛି । ତାହାଛଡ଼ା ପୂଜକମାନଙ୍କ ଆବଶ୍ୟକତା ତଥା ଅଭାବ ଅଭିଯୋଗ ସମ୍ପର୍କରେ ତାଙ୍କର ଭଲ ଜ୍ଞାନ ଥିଲା । ତେଣୁ ବିପଦ ସମୟରେ ତାଙ୍କ ନିକଟକୁ ଯିବାକୁ ପୂଜକମାନଙ୍କର କୌଣସି ସଙ୍କୋଚ ନ ଥିଲା ।

 

ଶିବରାଶି ଧ୍ୟାନରୁ ଉଠି ହରଦତ୍ତ ଓ ତାଙ୍କ ବନ୍ଧୁମାନଙ୍କୁ ସ୍ୱାଗତ କଲେ । ହରଦତ୍ତ ଉତ୍ତେଜିତ ସ୍ୱରରେ କହିଉଠିଲା, ‘‘ରାଶିଜୀ, ମହାମାୟାଙ୍କ ମନ୍ଦିରର ଦ୍ୱାର ଖୋଲା ନ ହେଲେ ଆମ୍ଭେମାନେ ଆତ୍ମହତ୍ୟା କରିବୁ । ଗୁରୁଦେବଙ୍କ ଅତ୍ୟାଚାର ଆଉ ଅଧିକ ସହ୍ୟ କରିପାରିବୁ ନାହିଁ-।”

 

ରାଶିଜୀ ଧୌର୍ଯ୍ୟର ସହିତ ଜବାବ ଦେଲେ, ‘‘ଗୁରୁଦେବଙ୍କ ଆଦେଶ ଆମକୁ ଅକ୍ଷରେ ଅକ୍ଷରେ ମାନିବାକୁ ହେବ ।”

 

ହରଦତ୍ତ ପଚାରିଲା, ‘‘ମହାମାୟାଙ୍କୁ ପୂଜା ନ କରି ଆମେମାନେ କିପରି ବଞ୍ଚିବୁ ?”

 

ଶିବରାଶି-‘‘ହରଦତ୍ତ, ତୁମେ ଏ ବିଷୟକୁ ଭୌତିକ ଦୃଷ୍ଟିରେ ଦେଖୁଛ । ଆଧ୍ୟାତ୍ମିକ ଦୃଷ୍ଟିରେ ମୋତେ ପରିଷ୍କାର ଜଣାଯାଉଛି ସେ ମନ୍ଦିରର ଦ୍ୱାର ବନ୍ଦ ହେବା ମୁହୂର୍ତ୍ତଠାରୁ ମହାମାୟା ତାଙ୍କ ଆସ୍ଥାନ ଛାଡ଼ି ବର୍ତ୍ତମାନ ଦୁର୍ଗ ଭିତରେ ରହୁଛନ୍ତି । ସେ ପ୍ରକୃତ ପୂଜକମାନଙ୍କୁ ଦର୍ଶନ ଦିଅନ୍ତି, ଏପରିକି ସେମାନଙ୍କୁ ମଣିଷ ଶରୀରରେ ଦେଖାଦିଅନ୍ତି ।

 

ହରଦତ୍ତ–‘‘କାହା ଶରୀରରେ ?’’

 

ଶିବରାଶି ଏହି ପ୍ରଶ୍ନର ସିଧା ଜବାବ ନ ଦେଇ କହିଲେ, “ପାର୍ଥିବ ସଂସାର ଲାଗି ଦେବୀ କେବଳ ମନ୍ଦିରର ଚାରିକାନ୍ଥ ଭିତରେ ରହନ୍ତି ।”

 

ହରଦତ୍ତ–‘‘ତାହାହେଲେ ହମୀର୍‍ କାହିଁକି ଆସିଲା ?’’

 

ଶିବରାଶି-‘‘ଏହି ପ୍ରଶ୍ନର ଯଥାର୍ଥ ଉତ୍ତର ପାଇବାପାଇଁ ଗତ ଦୁଇଦିନ ଧରି ମୁଁ ପ୍ରାୟଶ୍ଚିତ କରୁଛି ଏବଂ ବର୍ତ୍ତମାନ ପରିଷ୍କାରଭାବେ ଅବସ୍ଥା ଦେଖିପାରୁଛି ।’’

 

ହରଦତ୍ତ–‘‘କ’ଣ ଦେଖିପାରୁଛନ୍ତି ?’’

 

ଶିବରାଶି-‘‘ତାହା ଗୁପ୍ତ ବିଷୟ; କିନ୍ତୁ ମୁଁ ଏହାର ଠିକ୍‍ ସମାଧାନ କରିବି ବୋଲି ଆଶା କରେ ।’’

 

ଜଣେ ପୂଜକ ଜିଦ୍‍ କରି କହିଲା, “ଆମକୁ ତାହା କୁହନ୍ତୁ । ତାହାହେଲେ ଆମେ ବୁଝିପାରିବୁ ।”

 

ଶିବରାଶି-‘‘ମୁଁ ଠିକ୍‍ ସମୟରେ ତାହା କହିବି ।’’

 

ହରଦତ୍ତ ମଧ୍ୟ ଜିଦ୍‍ କରି କହିଲା, “ନା, ଆପଣ ବର୍ତ୍ତମାନ କୁହନ୍ତୁ ! ଆପଣ ଆମକୁ ନ କହିବା ପର୍ଯ୍ୟନ୍ତ ଆମେ ନ ଖାଇ ନ ପିଇ ଏହିଠାରେ ତ୍ରିପୁରସୁନ୍ଦରୀଙ୍କ ମନ୍ଦିର ଆଗରେ ବସିବୁ ।”

 

ଶୁବରାଶି-‘‘ତୁମମାନଙ୍କର କ’ଣ ମୋ ଉପରେ ବିଶ୍ୱାସ ନାହିଁ ? ତୁମେମାନେ କ’ଣ ଭାବୁଛ ଦେବୀ ମହାମାୟାଙ୍କର କେବଳ ତୁମେହିଁ ଭକ୍ତ ?’’

 

ହରଦତ୍ତ ବ୍ୟଙ୍ଗ ସ୍ୱରରେ କହିଲା, “ଆପଣ ତ ଗୁରୁଦେବଙ୍କର ଅନୁରକ୍ତ ଭକ୍ତ !”

 

ଶିବରାଶି-‘‘ସତ ! ମୁଁ ମହାମୟାଙ୍କର ତତୋଽଧିକ ଭକ୍ତ !

 

ହରଦତ୍ତ ପଚାରିଲେ, “ଆପଣ କ’ଣ ନିଶ୍ଚିତ ଯେ ଦେବୀ ମହାମାୟା ବର୍ତ୍ତମାନ ମନୁଷ୍ୟ ଶରୀରରେ ପ୍ରବେଶ କରିଛନ୍ତି ? କ’ଣ ଚୌଲାର ?’’

 

ଶିବରାଶି-‘‘ହଁ, ଯେବେ ତୁମମାନଙ୍କର ସନ୍ଦେହ ଅଛି, ସେ ରାତି ଅଧରେ ପ୍ରଭୁ ସୋମନାଥଙ୍କର ସମ୍ମୁଖରେ ନାଚିବା ବେଳେ ଦେଖିପାର ।’’

 

ହରଦତ୍ତ–‘‘ସତ ?’’

 

ଶିବରାଶି-‘‘ହଁ, ଏପରିକି ମହାମାୟାଙ୍କ ଆଗକୁ ଯିବାକୁ ମହାରାଜ ଭୀମଦେବ ମଧ୍ୟ ସାହସ କରନ୍ତି ନାହିଁ ।’’

 

ଜଣେ ପୂଜକ ବିନୀତ ସ୍ୱରରେ କହିଲା, ‘‘ରାଶିଜୀ, ଆମର ଆପଣଙ୍କ ଉପରେ ପୂରା ବିଶ୍ୱାସ । ହମୀର୍‍ କିପରି ବିତାଡ଼ିତ ହେବ ସେ କଥା ଆମକୁ ସ୍ପଷ୍ଟଭାବେ ବୁଝାଇଦିଅନ୍ତୁ । ଆପଣ ଯାହା କହୁଛନ୍ତି ତାହା ଅପେକ୍ଷା ଯଥେଷ୍ଟ ଅଧିକ ଜାଣନ୍ତି ।’’

 

ଶିବରାଶି-‘‘ସେଇଥିପାଇଁ ମୋ ଉପରେ ବିଶ୍ୱାସ ସ୍ଥାପନ କରିବାକୁ ମୁଁ ତୁମମାନଙ୍କୁ କହୁଛି ।’’

 

ପୂଜକ ଜଣକ ହାତଯୋଡ଼ି କହିଲା, ‘’ଏହାର ପ୍ରତିକାର କ’ଣ ତାହା ଆପଣ ହରଦତ୍ତଙ୍କୁ କହିଲେ ଆମେ ସନ୍ତୁଷ୍ଟ ହେବୁ । ଆପଣଙ୍କ ମନରେ କ’ଣ ଅଛି ତାହା ହୁଏତ ଆମେ ବୁଝିପାରିବୁନାହିଁ ବୋଲି ଆପଣ ଆମକୁ କହିବାକୁ ଚାହୁଁନାହାନ୍ତି !’’

 

ଶିବରାଶି-‘‘ଭଲ କଥା । ମୁଁ ହରଦତ୍ତକୁ କହିବି । ତୁମେମାନେ ବାହାରକୁ ଯାଇ ଚୁପ୍‍ଚାପ୍‍ ବସ । ମହମାୟା ସବୁ ଠିକ୍‍ କରିଦେବେ ।’’

 

ହରଦତ୍ତ ବ୍ୟତୀତ ସମସ୍ତେ ସଙ୍ଗେ ସଙ୍ଗେ ଘରୁ ଚାଲିଗଲେ ।

 

ହରଦତ୍ତ ପଚାରିଲେ,’’ଏହାର ପ୍ରତିକାର କ’ଣ ?’’

 

ଶିବରାଶି ହରଦତ୍ତଙ୍କ କାନରେ “ସେ ଦିନ ଯେଉଁଠାରେ ପୂଜା ଅଧା ଥିଲା ତାହା ଆମକୁ ପୂର୍ଣ୍ଣ କରିବାକୁ ହେବ’’ ବୋଲି ଚୁପ୍‍ ଚୁପ୍‍ କହିବାବେଳକୁ ଉଭୟଙ୍କ ଆଖିରୁ ଅଦ୍ଭୁତ ଜ୍ୟୋତି ପ୍ରକାଶ ପାଇଲା ।

Image

 

ଧର୍ମଦ୍ରୋହ

 

ଶତ୍ରୁର ପ୍ରଥମ ରକ୍ତ ବୁନ୍ଦା ବାହାର କରିଥିବାରୁ ମହାରାଜ ଭୀମଦେବ ଭାରି ଖୁସିଅଛନ୍ତି-। ସେ ଜଣେ ଭଲ ଲକ୍ଷ୍ୟଭେଦକାରୀ ବୋଲି ପ୍ରକାଶ କରୁଥିବା ଦମ୍ଭ ଆଜି ପ୍ରମାଣିତ ହୋଇଛି ।

ଶତ୍ରୁର ସୈନ୍ୟବାହିନୀ କାର୍ଯ୍ୟପନ୍ଥା ସ୍ଥିର କରିନପାରି ଦୁର୍ଗ ଆଗରେ ଛାଉଣୀ ପକାଇ ରହିଛନ୍ତି । କେବଳ ଅବରୋଧ କରିବା ଯେବେ ହମୀର୍‍ର ଉଦ୍ଦେଶ୍ୟ ହୋଇଥାଏ, ତାହାହେଲେ ମାସ ମାସ ଧରି ତାକୁ ଏହିପରି ରହିବାକୁ ପଡ଼ିବ । ସେ ଯେବେ ଆକ୍ରମଣ କରେ ତାହାହେଲେ ତାକୁ ସମ୍ମୁଖୀନ ହେବାପାଇଁ ଯଥେଷ୍ଟ ଉପାୟ ଅଛି । ଦୁର୍ଗ ପ୍ରାଙ୍ଗଣରେ ଭୀମଦେବ ଏ ପାଖରୁ ସେ ପାଖକୁ ପରିକ୍ରମା କରୁଥିବା ସମୟରେ ତାଙ୍କ ମନରେ କେବଳ ଏହିସବୁ କଥା ଆସୁଥାଏ । ସାଙ୍ଗରେ ଏକା ବୀର ଥାଏ ।

ଭୀମଦେବ ସମୁଦ୍ର ପଟର ଦ୍ୱାର ଦେଶରେ ପହଞ୍ଚି ଦେଖିଲେ ସେଠାରେ ରାଓ କମା ଲଖାନୀ ତାଙ୍କର ଏକ ଆଖିରେ ସମୁଦ୍ରକୁ ଅତି ତୀକ୍ଷ୍‍ଣଭାବେ ଲକ୍ଷ୍ୟ କରୁଛନ୍ତି । ସେ ଗମ୍ଭୀରଭାବେ ପଚାରିଲେ, “ରାଓ, କ’ଣ ଦେଖୁଛ ?”

ରାଓ–‘‘ଦୂରରେ କ’ଣ ହେଉଛି ଦେଖିଲେଣି ?’’

ମହାରାଜା ଦିଗ୍‍ବଳୟ ଆଡ଼କୁ ଅନାଇ କହିଲେ, “ସେ ଯେ କଳା ମେଘ ପରି ଦେଖାଯାଉଛି କ’ଣ ସେ ?”

ଲଖାନୀ–‘‘ସେସବୁ ବୋଇତ ।’’

ମହାରାଜ-‘‘ବୋଇତ ବୋଲି ମୁଁ ଭାବୁନାହିଁ ।’’

ଲଖାନୀ–‘‘ମୁଁ କଚ୍ଛର ଲୋକ । ପିଲାଦିନୁ ମୋର ଜୀବନ ସମୁଦ୍ରରେ କଟାଇଛି । ସେ ସବୁ ବୋଇତ ଆମଆଡ଼କୁ ଆସୁଛନ୍ତି । ସେଗୁଡ଼ିକ ଆସି ପହଞ୍ଚିଗଲେ ଆମ କଥା ସରିଯିବ ।’’

ମହାରାଜ-‘‘କାହିଁକି ?’’

ଲଖାନୀ–‘‘ସମୁଦ୍ର କୂଳସାରା ଦୁର୍ଗର ଦୁଇ ପାଖରେ ହମୀର୍‍ ତା’ର ଶକ୍ତିଶାଳୀ ଅଶ୍ୱାରୋହୀ ସୈନ୍ୟବାହିନୀ ଛାଉଣୀ କରି ରଖିଛି ଏବଂ ଆମ ବୋଇତଗୁଡ଼ିକ ଯେବେ ସେମାନେ ଅଧିକାର କରିନିଅନ୍ତି, ତାହାହେଲେ ସମୁଦ୍ରକୁ ଆମ ବାଟ ବନ୍ଦ ହୋଇଯିବ ।

 

ଭୀମଦେବ କହିଲେ, “ଆମକୁ ସମୁଦ୍ର ବାଟ ଖୋଲା ରଖିବାକୁ ତ ହେବ ? କ’ଣ କରିବା ?”

 

ଲଖାନୀ ତାଙ୍କର ଗୋଟିଏ ଆଖି ମିଞ୍ଜି ମିଞ୍ଜି କରି କହିଲେ ,‘‘ଗୋଟିଏ ଉପାୟ ଅଛି । ବୋଇତଗୁଡ଼ିକ ଯେପରି କୂଳକୁ ନ ଆସେ ତାହାର ବ୍ୟବସ୍ଥା କରିବାକୁ ହେବ ।”

 

ଭୀମଦେବ ପଚାରିଲେ, ‘‘ଆସୁଥିବା ବୋଇତ ସମ୍ପର୍କରେ କ’ଣ କରିବାକୁ ହେବ ? ଆମକୁ ଏପରି କେତେକ ଭଲ ସୈନ୍ୟ ସେଠାକୁ ପଠାଇବାକୁ ହେବ, ଯେଁଉମାନେ କି ଦରକାର ପଡ଼ିଲେ ଯୁଦ୍ଧ ମଧ୍ୟ କରିବେ ।’’

 

ଲଖାନୀ-‘‘ମହାରାଜ, ଏହାର ଅର୍ଥ ବୋଇତ ପାଖକୁ ଯିବାପାଇଁ ଅଧଯୋଜନ ପହଁରିବା-! ମୋର ଭୟ ହେଉଛି, ଏ ଧରଣର ଯୁଦ୍ଧ କଥା ଆପଣଙ୍କୁ ଜଣାନାହିଁ ।’’ ଜଣେ ଦକ୍ଷ ସୈନ୍ୟଭାବେ ଗର୍ବର ସହିତ ପୁଣି ଲଖାନୀ କହିଲେ, ‘‘ମୋର ସୈନ୍ୟବାହିନୀରେ ଅଳ୍ପ କେତେକ ଦକ୍ଷ ସୈନ୍ୟ ଅଛନ୍ତି; ଯେଉଁମାନେ କି ମିଶରରୁ ଚୀନ୍‍ ପର୍ଯ୍ୟନ୍ତ ସମୁଦ୍ରରେ ଯାଇଛନ୍ତି । ଏହି କାର୍ଯ୍ୟ କରିବାପାଇଁ ମୁଁ ସେମାନଙ୍କୁ ପ୍ରସ୍ତୁତ କରିବି ।’’

 

ଭୀମଦେବ–‘‘ସମୁଦ୍ରରେ କିପରି ଯୁଦ୍ଧ କରିବାକୁ ହେବ ତାହା କ’ଣ ସେମାନଙ୍କୁ ଜଣାଅଛି ?’’

 

ଲଖାନୀ–‘‘ପୁରୁଷାନୁକ୍ରମେ ସମୁଦ୍ରରେ ଯୁଦ୍ଧ କରିବା ଆମେ ଶିଖିଛୁ ।’’

 

ଭୀମଦେବ-‘‘ସେମାନଙ୍କ ସହିତ ସେନାପତିଭାବେ କିଏ ଯିବ ? ମୋ ପାଖରେ ଖମ୍ୱାତ୍‍ର କେତେଜଣ ଏହି ଯୁଦ୍ଧପାଇଁ ଉପଯୁକ୍ତ ସୈନିକ ଅଛନ୍ତି; କିନ୍ତୁ ସେମାନେ ସେତେ ଭଲ ନୁହଁନ୍ତି ।’’

 

ଲଖାନୀ ନିଜର ଆଖି ଗୋଟିକ ଟିକିଏ ବନ୍ଦ କରି ଉତ୍ତର ଦେଲେ, ‘‘ମୋର ପୁଅ ଥିଲେ ସେ ଏହି ଦାୟିତ୍ୱ ନେଇଥାନ୍ତା । ଭାବିବାର କିଛି ନାହିଁ । ଗଲା ଦୀପାବଳି ଦିନ ମୋତେ ଜମା ବାସ୍ତରୀ ବର୍ଷ ହୋଇଛି । ମୁଁ ବୁଢ଼ା ହୋଇଗଲିଣି ବୋଲି କହିବାକୁ କାହାର ସାହସ ଅଛି ?’’ ଏହା କହି ନିଜର ଦୁଇପାଟିର ବତିଶ ଦାନ୍ତ ଦେଖାଇ କହିଲେ , ‘‘ମୁଁ ମୁହୂର୍ତ୍ତକ ମଧ୍ୟରେ ଏତକ ବାଟ ପହଁରିଯିବି ।’’

 

ଭୀମଦେବ–‘‘ସାବାସ୍‍ ରାଓ ! ସାବାସ୍‍ !’’

 

ଲଖାନୀ–‘‘ମୁଁ ଯାଉଛି, ମୋ ଲୋକଙ୍କୁ ଖୋଜେ । ରାତି ହୋଇଗଲାଣି । ଦୁଇହଜାର ଧନୁଶରଧାରୀ ପ୍ରସ୍ତୁତ ରଖିବାକୁ ହେବ । ହମୀର୍‍ର ଶର ଆମ ପର୍ଯ୍ୟନ୍ତ ଆସିପାରିବ ନାହିଁ; କିନ୍ତୁ ଆମେ ସମୁଦ୍ର ଭିତରକୁ ଗଲାବେଳେ ସେ ଯେବେ ତା’ର ଅଶ୍ୱାରୋହୀମାନଙ୍କୁ ଆମ ପଛେ ପଛେ ପଠାଏ, ତାହାହେଲେ ଆମକୁ ହଇରାଣ ହେବାକୁ ପଡ଼ିବ । ସେହି ବିପଦରୁ ଆମକୁ ରକ୍ଷା କରିବା ଦାୟିତ୍ୱ ଆପଣଙ୍କର ।’’

 

ଭୀମଦେବ ଦୃଢ଼ବିଶ୍ୱାସର ସହିତ ଜବାବ ଦେଲେ, ‘‘ସେ ବିଷୟରେ ଭାବିବାର କିଛି ନାହିଁ । ଆବଶ୍ୟକ ବ୍ୟବସ୍ଥା କରିବା ନିମନ୍ତେ ମୁଁ ସଙ୍ଗେ ସଙ୍ଗେ ଯାଉଛି ।’’

 

ଭୀମଦେବଙ୍କର ଦୁଇ ହଜାର ସର୍ବୋତ୍କୃଷ୍ଟ ସୈନ୍ୟ ଅତ୍ୟନ୍ତ ଗୋପନରେ ସମୁଦ୍ରକୁ ଯିବା ରାସ୍ତା ନିକଟରେ ଠୁଳହେଲେ । ସୂର୍ଯ୍ୟାସ୍ତ ପରେ ଅନ୍ଧାର ହୋଇଯିବାରୁ ହମୀର୍‍ର ଛାଉଣୀରେ ନିଆଁ ଜଳୁଥିବା ଏବଂ ତା’ ଚାରିପାଖେ ସୈନ୍ୟମାନେ ବସି ନିଆଁ ପୁହାଁଉଥିବା ଦେଖାଗଲା । ଦୁର୍ଗ ଭିତରେ ରାତିରେ କୌଣସି ପ୍ରକାର ନିଆଁ ଜଳିବ ନାହିଁ ବା ଆଲୋକ ବାହାରକୁ ଦେଖାଦେବ ନାହିଁ ବୋଲି ଭୀମଦେବ ହୁକୁମ୍‍ ଦେଇଥାନ୍ତି ।

 

ଅନ୍ଧାର ହେବା ପରେ କାମାଲଖାନୀ ତାଙ୍କର ତିନିଶହ ସର୍ବୋତ୍କୃଷ୍ଟ ପହଁରାଳିଙ୍କୁ ସାଙ୍ଗରେ ଆଣି ଦୁର୍ଗର ଦ୍ୱାରଦେଶରେ ପହଞ୍ଚିଲେ । ସେତେବେଳକୁ ଭୀମଦେବ ଓ ମନ୍ତ୍ରୀ ବିମଳ ସେଠାରେ ଉପସ୍ଥିତ ରହିଥାନ୍ତି । ମହରାଜ ଓ ଲଖାନୀ ପରସ୍ପରକୁ ସ୍ନେହରେ ଆଲିଙ୍ଗନ କଲେ ।

 

ସାହସୀ ଲଖାନୀ ଅସ୍ତ୍ରରେ ପୂରାମାତ୍ରାରେ ସଜ୍ଜିତ ହୋଇଥାନ୍ତି ଏବଂ ଏକ ଛୁରିକା ତାଙ୍କ ଅଣ୍ଟାରେ ଝୁଲୁଥାଏ । ପ୍ରଭୁ ସୋମନାଥଙ୍କର ନାମ ଉଚ୍ଚାରଣ କରି ସେ ନୀରବରେ ପାଣି ଭିତରେ ପ୍ରବେଶ କଲେ । ତାହାପରେ ସତେ ଯେପରି ଗୋଟିଏ ବତକ କୂଳରେ ପହଞ୍ଚିବା ଭଲି ଜଣାଗଲା-। ଏହାଥିଲା କଚ୍ଛ ସୈନ୍ୟମାନଙ୍କର ପାଣିରେ ପଶିବାର ସଂକେତ । ପରେ ପରେ ସେ ମଧ୍ୟ ଅଦୃଶ୍ୟ ହୋଇଗଲା । ଗୋଟିଏ ପରେ ଗୋଟିଏ ଏପରି ତିନିଶହଯାକ ସମସ୍ତେ ଚୁପ୍‍ଚାପ୍‍ ପାଣି ଭିତରକୁ ଗଲେ ।

 

ଏହିସବୁ କାର୍ଯ୍ୟ ଏଭଳି କୌଶଳପୂର୍ଣ୍ଣ ଭାବରେ ହେଲା, ଯାହାଫଳରେ କି ଖାଇ ଆରପାଖରେ ଥିବା ହମୀର୍‍ର ସୈନ୍ୟମାନେ ଏହାର ଗନ୍ଧ ସୁଦ୍ଧା ଜାଣିଲେ ନାହିଁ । ଶେଷ କଚ୍ଛି ଯୋଦ୍ଧା ସମୁଦ୍ରକୁ ଯିବା ପରେ ଦୁର୍ଗ ଭିତରେ ନିଆଁ ଓ ଆଲୁଅ ଜଳିବାକୁ ଦିଆଗଲା ।

 

ଲଖାନୀ ଅତି କଷ୍ଟରେ କାର୍ଯ୍ୟ ହାତକୁ ନେଇଥିଲେ । ପ୍ରାୟ ଏକ କୋଶ ଦୂରତା ସମୁଦ୍ରରେ ଅନ୍ଧାର ରାତିରେ ପହଁରି ଓ ଆସୁଥିବା ବୋଇତ ପାଖରେ ପହଞ୍ଚି ସେଗୁଡ଼ିକ ଉପରକୁ ଉଠିବା ଅତି କଷ୍ଟକର । ଏହି ବୋଇତଗୁଡ଼ିକ ଖମ୍ବାତରୁ ଆସିଥିଲେ ସୁଦ୍ଧା ଏଗୁଡ଼ିକ କୌଣସି ବ୍ୟବସାୟୀଙ୍କର ବା ଶତ୍ରୁପକ୍ଷର, ତାହା ସେ ଠିକ୍‍ଭାବେ ଜାଣିନାହାନ୍ତି ।

 

ବହୁ ସମୟ ପର୍ଯ୍ୟନ୍ତ ଭୀମଦେବ ଅଧୀର ହୋଇ ସମୁଦ୍ର ଆଡ଼କୁ ଅନାଇ ରହିଲେ । କ’ଣ ହେଉଛି ତାହା ଜାଣିବାପାଇଁ ସେ ଅତ୍ୟନ୍ତ ଉଦ୍‍ବିଗ୍ନ ହୋଇଥାନ୍ତି । ବହୁଥର ତାଙ୍କ ମନରେ ନୈରାଶ୍ୟ ଦେଖାଗଲା । ଲଖାନୀ ତାଙ୍କ ଲକ୍ଷ୍ୟ ସ୍ଥାନରେ ପହଞ୍ଚିଥିବାର କୌଣସି ଲକ୍ଷଣ ସେ ଦେଖିବାକୁ ପାଇଲେ ନାହିଁ । ଗଭୀର ଦୁଃଖରେ ଭୀମଦେବ ଶୋଇବାକୁ ଯାଉଥାନ୍ତି । ଠିକ୍‍ ସେତିକିବେଳେ ସୁଦୂର ଦିଗ୍‍ବଳୟରେ ବହୁ ଆଲୋକମାଳ ଉଠୁଥିବା ଓ ପଡ଼ୁଥିବା ତାଙ୍କର ଦୃଷ୍ଟିଗୋଚର ହେଲା । ଏହାଦେଖି ଆନନ୍ଦଭରା ହୃଦୟରେ ଭୀମଦେବ କହିଲେ,’’ସାବାସ୍‍ କାମା ! ଖୁବ୍‍ କରିଛ !’’

ସଙ୍ଗେ ସଙ୍ଗେ ସମୁଦ୍ରକୂଳରେ ଥିବା ହମୀର୍‍ର ସୈନ୍ୟବାହିନୀ ଚଞ୍ଚଳ ହୋଇଉଠିଲେ । ରଣଦୁନ୍ଦୁଭି ବାଜିଉଠିଲା ଓ ଘୋଡ଼ାମାନଙ୍କ ଟାପୁଶବ୍ଦରେ ଚତୁର୍ଦ୍ଦିଗ କମ୍ପମାନ ହେଲା । ଦୁର୍ଗ ମଧ୍ୟରେ ଧନୁର୍ଦ୍ଧାରୀ ସୈନ୍ୟମାନେ ଆଦେଶ ପାଇ ଶର କ୍ଷେପଣ କରିବାକୁ ପ୍ରସ୍ତୁତ ହୋଇଉଠିଲେ । ଶେଷକୁ ଆଲୋକମାଳା ଅଦୃଶ୍ୟ ଦେଲା । କ୍ଷଣକ ପାଇଁ ହମୀର୍‍ର ଛାଉଣୀରେ ଦେଖାଦେଲା ନୀରବତା । ଆନନ୍ଦଭରା ହୃଦୟରେ ଭୀମଦେବ ନିଜ କୋଠରିକୁ ଗଲେ ।

 

+

+

+

 

ରାତି ପାହିବା ପରେ ଶିବରାଶି ସ୍ନାନ ସାରି ଓ ନିଜ ପୂଜା ଶେଷ କରି ପ୍ରଭୁ ସୋମନାଥଙ୍କୁ ଅର୍ଚ୍ଚନା କରିବା ଉଦ୍ଦେଶ୍ୟରେ ମନ୍ଦିରକୁ ଗଲେ ଓ ଅର୍ଚ୍ଚନା ଶେଷ କରି ଘରକୁ ଫେରି ସିଦ୍ଧେଶ୍ୱରଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇବାକୁ ବସିଲେ ।

 

ସେଦିନର ଆରାଧନା ଫଳରେ ତାଙ୍କର ପୁଞ୍ଜୀଭୂତ ବହୁ ଭୁଲ ଧାରଣା ଦୂର ହୋଇଗଲା-। ଦୁର୍ଗ ମଧ୍ୟରେ ଚୌଲା ରୂପରେ ଯେ ତ୍ରିପୁରସୁନ୍ଦରୀ ବୁଲୁଛନ୍ତି, ଏ ସମ୍ପର୍କରେ ତାଙ୍କର ଆଉ କୌଣସି ସନ୍ଦେହ ନାହିଁ । ତାହାଛଡ଼ା ଯେପର୍ଯ୍ୟନ୍ତ ଠାକୁରାଣୀଙ୍କର ବନ୍ଦ କରାଯାଇଥିବା ପୂଜା ପୂର୍ଣ୍ଣ ନ ହୋଇଛି, ସେ ପର୍ଯ୍ୟନ୍ତ ହମୀର୍‍କୁ ପରାସ୍ତ କରିବା ଅସମ୍ଭବ ଓ ଯୁଦ୍ଧ ଏହିପରି ଚାଲିବା ଅନିବାର୍ଯ୍ୟ ବୋଲି ତାଙ୍କର ଧାରଣା ହେଲା; କିନ୍ତୁ ଥରେ ମହାମାୟାଙ୍କ ପୂଜା ସମ୍ପୂର୍ଣ୍ଣ ହେଲେ ସେ ଚୌଲାର ଶରୀର ଛାଡ଼ିବା ନିଶ୍ଚିତ । ତାହାହେଲେ ଚିରାଚରିତ ପ୍ରଥା ଅନୁଯାୟୀ ଶିବରାଶି ଚୌଲାର ସର୍ବେସର୍ବା ହେବା ଅବଶ୍ୟମ୍ଭାବୀ । ଏହି ଘଟଣା ଯେ ନିଶ୍ଚୟ ଘଟିବ ଏହା ତାଙ୍କର ବଦ୍ଧ ଧାରଣା ହେଲା ।

 

ନିଜର ଇନ୍ଦ୍ରିୟ, କ୍ରୋଧ ଓ ଇଚ୍ଛାକୁ ସଂଯତ କରିଥିବା ସାଧୁ ପ୍ରକୃତିର ଲୋକପକ୍ଷରେ ଏହା କିଛି ବିଶେଷ ଗୁରୁତ୍ୱପୂର୍ଣ୍ଣ ନୁହେଁ । ତାଙ୍କ ଜୀବନଟାଯାକ ତ୍ୟାଗପୂତ ହୋଇ ଆସିଛି । ତ୍ରିପୁରସୁନ୍ଦରୀଙ୍କ ପୂଜା ପୂର୍ଣ୍ଣ କରିବାପାଇଁ ସେ ସବୁ ପ୍ରକାର ତ୍ୟାଗପାଇଁ ସବୁବେଳେ ପ୍ରସ୍ତୁତ ହୋଇ ଆସିଚନ୍ତି । ଏହାହିଁ ତାଙ୍କର ଶ୍ରେଷ୍ଠ କର୍ତ୍ତବ୍ୟ ।

 

ସେ ଆସ୍ତେ ଆସ୍ତେ ପ୍ରଭୁଙ୍କ ମନ୍ଦିରକୁ ଯାଇ ଖମ୍ବର ଆଢ଼ୁଆଳରେ ଲୁଚିକରି ବସିଲେ । ପ୍ରଭୁ ସୋମନାଥଙ୍କ ଆଗରେ ଗୋଟିଏ ଛୋଟ ତେଲଦୀପ ଜଳୁଥାଏ । କିଛିକ୍ଷଣ ପରେ ଭୀତତ୍ରସ୍ତଭାବେ ଚୌଲା ସେଠାରେ ଆସି ପହଞ୍ଚିଲା । ପ୍ରଭୁଙ୍କ ପାଦ ତଳେ ପଡ଼ି, ତାହାପରେ ତାଙ୍କ ସମ୍ମୁଖରେ ନାଚିଲା । ଶିବରାଶି ସେଠାରେ ବସିରହି ତାହାର ଶରୀରର ପ୍ରତ୍ୟେକ ଅଂଶର ସୌନ୍ଦର୍ଯ୍ୟରେ ନିଜକୁ ଭୁଲିଗଲେ । ସତେ, ଚୌଲା ଯେପରି ସୁନ୍ଦର ଦିଶୁଛି, ଏହା ତାହାର ନିଜର ସୌନ୍ଦର୍ଯ୍ୟ କେବେହେଲେ ନୁହେଁ । ଏହା ତ ଦେବୀ ମହାମାୟାଙ୍କ ସୌନ୍ଦର୍ଯ୍ୟ ! ଦେବୀଙ୍କର ସେହି ଅପୂର୍ଣ୍ଣ ପୂଜା କଥା ତାଙ୍କ ମନକୁ ଆସି ତାଙ୍କର ପ୍ରତ୍ୟେକ ପ୍ରତ୍ୟଙ୍ଗ ଥରିଉଠିଲା ।

 

ମହାମାୟାଙ୍କ ପୂଜା ଯେପରି ଶେଷ ହୁଏ, ସେଥିପାଇଁ ଶିବରାଶି ବଦ୍ଧପରିକର ହେଲେ । ନୃତ୍ୟ ଶେଷ ହେଲା । ସରଳ, ଭାବପୂର୍ଣ୍ଣ ଓ ବାଳିକାସୁଲଭ ଢଙ୍ଗରେ ଚୌଲା ପ୍ରଭୁ ସୋମନାଥଙ୍କୁ ଖୁସି କରିବାକୁ ଚେଷ୍ଟାକଲା । ଶିବରାଶି ସେହି ମୁହୂର୍ତ୍ତରେ ମହାମାୟାଙ୍କ ପୂଜା ସମ୍ପୂର୍ଣ୍ଣ କରିବାକୁ ପ୍ରଲୋଭିତ ହେଲେ । କିନ୍ତୁ ଆବଶ୍ୟକ ରୀତିନୀତି ବିନା ପୂଜା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ ବୋଲି ହୃଦୟଙ୍ଗମ କରି ସେ ନିଜକୁ ସଂଯତ କରିନେଲେ ।

 

ଚୌଲା ଆସ୍ତେ ଆସ୍ତେ ତା’ର ଘରକୁ ଫେରିଗଲା । ଶିବରାଶି ମଧ୍ୟ ତା’ ପଛେ ପଛେ ଗଲେ । ପୂଜା ସମ୍ପୂର୍ଣ୍ଣ କରିବାପାଇଁ ସେ ବଦ୍ଧପରିକର ହୋଇଥିବାରୁ କେଉଁଦିନ ଓ କିପରି ଭାବରେ ତାହା କରିବାକୁ ହେବ, ସେହି ବିଷୟ ତଙ୍କ ମନରେ ଖେଳୁଥାଏ । ଚୌଲା ପଛେ ପଛେ ସେ ଅନ୍ଧାରରେ ଯାଉଥିଲେ ସୁଦ୍ଧା ନୀରବରେ ତ୍ରିପୁରସୁନ୍ଦରୀଙ୍କର ପ୍ରତ୍ୟେକ ପୂଜା କରିଚାଲିଥାନ୍ତି ।

 

ଚୌଲା ଦ୍ରୁତଗତିରେ ଘରର ଛାତ ଉପରକୁ ଚାଲିଗଲା-ସତେ ଯେପରି ତା’ ଗୋଡ଼ରେ ଡେଣା ଲାଗିଛି । ମହାମାୟାଙ୍କ ପାଦରେ ଡେଣା ନ ଲାଗିଲେ ଆଉ ଲାଗିବ କେଉଁଠି ? ଚୌଲା ଭୀମଦେବଙ୍କ କୋଠରି ଆଡ଼କୁ ଗଲା । ଏହାଦେଖି ଶିବରାଶି ଆଶ୍ଚର୍ଯ୍ୟ ହୋଇଗଲେ । ସେ ତାହା ପଛେ ପଛେ କାନ୍ଥ ଆଢ଼ୁଆଳରେ ଗଲେ । ବିନା କାରଣରେ ଯେ ଦେବୀ ମହାମାୟା କୁଆଡ଼େ ଯିବେ ନାହିଁ, ଏହା ନିଶ୍ଚିତ କଥା । ଛାତ ଉପରେ ଅନ୍ଧାରରେ ଗୋଟିଏ ଲୋକ ଠିଆ ହୋଇଥିଲା । ସେ ହେଉଛନ୍ତି ଭୀମଦେବ । ତାଙ୍କ ଛଡ଼ା ଆଉ କାହାର ଏପରି ଆକଷର୍ଣୀୟ ଚେହେରା ହୋଇପାରେ ?

 

ଉତ୍କଣ୍ଠାରେ ଚୌଲା କହି ପକାଇଲା, “ମହାରାଜ, କେଉଁଠି ଆପଣ ?”

 

“ମୁଁ ଏଇଠାରେ ତୁମକୁ ଅପେକ୍ଷା କରିଛି” ବୋଲି ଜବାବ ଦେଲେ ଭୀମଦେବ । ଉଭୟେ ପରସ୍ପରକୁ ଆଲିଙ୍ଗନ କରି ଏକ ହୋଇଗଲେ । ନିଶ୍ଚଳ ଅନ୍ଧାରରେ ସେମାନଙ୍କ ମଧ୍ୟରେ ବିନିମୟ ହେଉଥିବା ଚୁମ୍ବନର ଶବ୍ଦ ପରିଷ୍କାର ଶୁଣାଗଲା ।

 

ରାଶିଜୀ ଏ ଦୃଶ୍ୟ ଦେଖି କ୍ରୋଧରେ ଜଳିଉଠିଲେ । ତାଙ୍କ ହୃଦୟ ବିଦୀର୍ଣ୍ଣ ହୋଇଗଲା ପରି ଲାଗିଲା । ତାଙ୍କର ମନେହେଲା, ତାଙ୍କ ଆଗରେ ଭୟଙ୍କର ପାପ ଘଟିଯାଉଛି । ଭୀମଦେବଙ୍କ ଓଷ୍ଠ ଜଗଜ୍ଜନନୀ ମହାମାୟାଙ୍କ ଓଷ୍ଠ ସ୍ପର୍ଶ କଲା !

 

ଏହା ଦୁବୃର୍ତ୍ତ ଚାଲୁକ୍ୟ ରାଜାର ମସ୍ତକରେ ଦେବାଧିଦେବଙ୍କର କୋପାଗ୍ନି ବୃଷ୍ଟି ହେଉ ବୋଲି କାମନା କରି ଭକ୍ତଶିରୋମଣି ଶିବରାଶି କିଛି ନ ଦେଖିଲା ପରି ନିଜ ଘରକୁ ଚାଲିଗଲେ । ଯେଉଁ ପାପୀ ମହାମାୟାଙ୍କୁ ଅଶୁଦ୍ଧ କରିଛି, ସେ ମୁହୂର୍ତ୍ତେ ସୁଦ୍ଧା ବଞ୍ଚିବା ଉଚିତ ନୁହେଁ ।

Image

 

କର୍ମତତ୍ପରତା

 

ପୂର୍ବ ଅଭ୍ୟାସବଶତଃ ଶିବରାଶିଙ୍କ ପାଦ ସ୍ୱତଃ ଗୁରୁଦେବଙ୍କ ଆବାସ ଆଡ଼କୁ ପଡ଼ିଲା । ଏକ ଭୟାବହ କାଣ୍ଡ ଘଟିଯାଇଛି । ଏହା ଫଳରେ ପ୍ରତ୍ୟେକ ଲୋକ ଉପରେ ଅଭିଶାପ ପଡ଼ିବ । ଏପରି ଅନ୍ୟାୟ କାର୍ଯ୍ୟ ପ୍ରଭୁ ସୋମନାଥଙ୍କର ପୁଣ୍ୟ ବିଜେସ୍ଥଳୀରେ ଘଟିପାରେ ବୋଲି ସେ କେବେ କଳ୍ପନା କରିନଥିଲେ । ଦରକାର ପଡ଼ିଲେ ଜୀବନ ଦେଇ ଏ ପାପ ଧୋଇବାକୁ ପଡ଼ିବ । ସେଥିପାଇଁ କଠୋର ପ୍ରାୟଶ୍ଚିତ୍ତ ଦରକାର । ଦେବୀ ମହାମାୟାଙ୍କ ପବିତ୍ରତା ଯେ କୌଣସିମତେ ଅକ୍ଷୁର୍ଣ୍ଣ ରଖିବା ନିତାନ୍ତ ଆବଶ୍ୟକ ।

 

ହଠାତ୍‍ ଶିବରାଶିଙ୍କ ପାଦ ଅଟକିଗଲା । ଗୁରୁଜୀଙ୍କ ପାଖକୁ ସେ କାହିଁକି ଯିବେ ? ସବୁ ଶୁଣି ସେ ହସିଦେବେ; ହୁଏତ ସେ କହିପାରନ୍ତି ଯେ ଚୌଲା ଜଣେ ସାଧାରଣ ନର୍ତ୍ତକୀ ବାଳିକା ଛଡ଼ା ଆଉ କିଛି ନୁହେଁ । ତାହାର ଶରୀରରେ ଦେବୀ ତ୍ରିପୁରସୁନ୍ଦରୀ ଥିବା ତାଙ୍କ ସାଂସାରିକ ଦୃଷ୍ଟିରେ ସେ ଦେଖିପାରିନାହାନ୍ତି । ଆବହମାନକାଳରୁ ଚଳିଆସୁଥିବା ଦେବୀଙ୍କର ପୂଜା ତାଙ୍କର ନିର୍ଦ୍ଦେଶରେ ବନ୍ଦ ହୋଇଛି ଓ ମନ୍ଦିର ଦ୍ୱାର ତାଙ୍କରି ଆଦେଶରେ ବନ୍ଦ ହୋଇଛି ।

 

ଶିବରାଶିଙ୍କ ଦୃଷ୍ଟିରେ ସର୍ବଜ୍ଞ ଯଥେଷ୍ଟ ନ୍ୟୂନ ହୋଇଯାଇଛନ୍ତି । ବର୍ଷବର୍ଷ ଧରି ଏକ ସାଧାରଣ ନର୍ତ୍ତକୀ ଗଙ୍ଗାକୁ ସ୍ତ୍ରୀ ଓ ତା’ର ଝିଅ ଚୌଲାକୁ ନିଜର ଝିଅଭାବରେ ନେଇ ସେ ଗୃହସ୍ଥ ପରି ଚଳିଆସୁଛନ୍ତି । ନିଜର କୃତଜ୍ଞତାର ନିଦର୍ଶନସ୍ୱରୂପ ଏବଂ ତାଙ୍କର ପାଣ୍ଡିତ୍ୟ ତଥା ପ୍ରଭୁ ସୋମନଥଙ୍କ ପ୍ରତି ଭକ୍ତି ଯୋଗୁଁ କେବଳ ଶିବରାଶି ସର୍ବଜ୍ଞଙ୍କୁ ଯଥେଷ୍ଟ ଭକ୍ତି କରୁଥିଲେ । ଯେଉଁ ବ୍ୟକ୍ତି ଧର୍ମଗ୍ରନ୍ଥକୁ ତଥା ପରମ୍ପରାକୁ ଅବଜ୍ଞା କରିପାରନ୍ତି, ତାଙ୍କୁ ଶିବରାଶି କିପରି ଭକ୍ତି ଦେଖାଇବେ-? ପ୍ରକୃତରେ କହିବାକୁ ଗଲେ ଗୁରୁ ଜଣେ ବୃଦ୍ଧ ଓ ଦୁର୍ବଳ ସାଧାରଣ ମନୁଷ୍ୟ ମାତ୍ର । ଶିବରାଶି ହିଁ ପ୍ରକୃତ ତପସ୍ୟା କରୁଛନ୍ତି ।

ଶିବରାଶି ଭାବୁଛନ୍ତି, ନିଜର ଆସନ ସୁଦୃଢ଼ କରିବା ଲକ୍ଷ୍ୟରେ ବୃଦ୍ଧ ଗଙ୍ଗସର୍ବଜ୍ଞ ଭୀମଦେବଙ୍କୁ ଗାଦିରେ ବସାଇଛନ୍ତି ଓ ସେହି ଉଦ୍ଦେଶ୍ୟ ଫଳବତୀ କରିବା ନିମନ୍ତେ ଭୀମଦେବଙ୍କୁ ଯାହାକିଛି ଇଚ୍ଛାନୁସାରେ କରିବାକୁ ଛାଡ଼ି ଦେଇଛନ୍ତି । ଏଭଳି ବ୍ୟକ୍ତିକୁ ସମ୍ମାନ ବା ଶ୍ରଦ୍ଧା ଅର୍ପଣ କରିବା ପାଶୁପତ ସମ୍ପ୍ରଦାୟ ପ୍ରତି ବିଶ୍ୱାସଘାତକତା କରିବା ସଙ୍ଗେ ସମାନ । ଏହି ଗୁରୁ-ଶିଷ୍ୟ ସମ୍ପର୍କ ତାଙ୍କୁ ଛିନ୍ନ କରିବାକୁ ପଡ଼ିବ । ଶିବରାଶି ଏହିକଥା ଭାବି, ଗୁରୁଦେବ ପିଲାଦିନେ ତାଙ୍କୁ ଦେଇଥିବା ରୁଦ୍ରାକ୍ଷମାଳାଟି ରାଗରେ କାଢ଼ି ଟାଣି ଛିଣ୍ଡାଇଦେଲେ । ବର୍ତ୍ତମାନ ପ୍ରଭୁ ଲକୁଳେଶଙ୍କ ବ୍ୟତୀତ ତାଙ୍କ ଗୁରୁ ଆଉ କେହି ନୁହଁନ୍ତି । ତାଙ୍କ ଛଡ଼ା ଆଉ କାହାରି ସର୍ବଶ୍ରେଷ୍ଠ ସ୍ଥାନ ପାଇବାର ଅଧିକାର ନାହିଁ । ଏବଠାରୁ ନିଜର ପ୍ରାୟଶ୍ଚିତ୍ତବଳରେ ପାଶୁପାତ ସମ୍ପ୍ରଦାୟକୁ ରକ୍ଷା କରିବା ହେବ ତାଙ୍କର ପରମ କର୍ତ୍ତବ୍ୟ ।

ସର୍ବଜ୍ଞଙ୍କ ସହିତ ଦେଖା ନ କରି ଶିବରାଶି ଫେରିଗଲେ । ତାଙ୍କର ମନ ସେ ସ୍ଥିର କରିନେଲେଣି । ନିଜର କମ୍ବଳଟି ଘୋଡ଼ାଇ ହୋଇ ସେ ଆସ୍ତେ ଆସ୍ତେ ପଛକୁ ଫେରିଗଲେ । ନିଆଁ ଚାରିପାଖେ ବସିଥିବା ସୈନ୍ୟମାନେ ତାଙ୍କୁ ଦୂରରୁ ଦେଖିଲେ । ତାଙ୍କର ଲମ୍ବ ବାଳ ଓ ଉଜ୍ଜ୍ୱଳ ଆଖିରେ ସେମାନେ ଏପରି ବିହ୍ୱଳ ହୋଇଗଲେ ଯେ, ପ୍ରଭୁ ସୋମନାଥ ନିଜେ ଯୁଦ୍ଧ ପ୍ରସ୍ତୁତି ଦେଖିବାପାଇଁ ଆସିଛନ୍ତି ବୋଲି ସେମାନେ ଭାବିଲେ । ତାଙ୍କର ଚେହେରା ଏପରି ଉଜ୍ଜ୍ୱଳ ଦେଖାଯାଉଥିଲା ଯେ, ଯେଉଁ ସୈନ୍ୟମାନଙ୍କୁ ହମୀର୍‍ର ବିରାଟ ସୈନ୍ୟବାହିନୀ ଚମକେଇ ପାରିନଥିଲା, ତାଙ୍କର ଚେହେରା ଦେଖି ସେମାନେ ଥରିବାକୁ ଲାଗିଲେ । କେତେକ ନିଜ ନିଜର କମ୍ବଳ ତଳେ ମୁହଁ ଲୁଚାଇଲେ ଓ ଅନ୍ୟମାନେ ଭକ୍ତିରେ ସାଷ୍ଟାଙ୍ଗ ପ୍ରଣିପାତ କଲେ । ଆଉ କେତେକ “ନମଃ ଶିବାୟ” ଧ୍ୱନି ଦେଇ ଭୟରେ ସ୍ୱାଗତ କଲେ । କୌଣସିଆଡ଼େ ଦୃଷ୍ଟି ନ ପକାଇ ଶିବରାଶି ଦୂରକୁ ଚାଲିଗଲେ ।

ଭୃଗୁ କଚ୍ଛ (ଆଧୁନିକ ବ୍ରୋଚ)ର ଶାସକ ଦଦ୍ଦା ଚାଲୁକ୍ୟ ସେତେବେଳକୁ ନିଜର ସୈନ୍ୟସାମନ୍ତଙ୍କ ସହ ଦୁର୍ଗ ଭିତରେ କରାଯାଇଥିବା ପ୍ରତିରକ୍ଷା ବ୍ୟବସ୍ଥାମାନ ବୁଲି ପରିଦର୍ଶନ କରୁଥିଲେ । ଏହି କାର୍ଯ୍ୟର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା ଏବଂ ସେ ନିଜର କର୍ତ୍ତବ୍ୟ ଗଭୀର ଆନ୍ତରିକତାର ସହ ସମ୍ପାଦନ କରୁଥିଲେ । ତାଙ୍କୁ ବୟସ ମାତ୍ର ୩୫ ବର୍ଷ । ଦଦ୍ଦା ଥିଲେ ଜଣେ ଖୁସ୍‍ ମିଞ୍ଜାସର ଲୋକ । ସେ ପାଟଣର ଶାସନକର୍ତ୍ତାଙ୍କ ଆଦେଶରେ କାର୍ଯ୍ୟ କରୁଥିଲେ ଏବଂ ନାମକୁମାତ୍ର ନିଜକୁ ଶାସକ ବୋଲାଉଥିଲେ । ହମୀର୍‍ର ଆକ୍ରମଣର ପ୍ରତିରୋଧ କରିବାପାଇଁ ନିଜର ସୈନ୍ୟବାହିନୀ ସହ ଆସି ଯୋଗଦେବାକୁ ଭୀମଦେବ ତାଙ୍କୁ କହିଥିଲେ । ନିଜର ରାଜପ୍ରାସାଦ ତଥା ନାରୀମାନଙ୍କର ସୁଖ-ସମ୍ଭୋଗ ତ୍ୟାଗକରି ଭୀମଦେବଙ୍କ କଥା ମାନିବା ଛଡ଼ା ଦଦ୍ଦାଙ୍କ ପକ୍ଷରେ ବିକଳ୍ପ ଉପାୟ ନଥିଲା ।

ଯେଉଁ ଦୁର୍ଗ ପ୍ରାଚୀରର ଦୁଇପାଖରେ ଦୁଇପକ୍ଷର ସୈନ୍ୟମାନେ ପରସ୍ପରର ସମ୍ମୁଖୀନ ହୋଇ ଠିଆହୋଇଛନ୍ତି, ସେହି ଦୁର୍ଗକୁ ଏହି ଶୀତଦିନିଆ ଅନ୍ଧାର ରାତିରେ ଜଗିବା ଦାୟିତ୍ୱ ଦଦ୍ଦାଙ୍କୁ ଦିଆଯାଇଥିଲା । ସେ ନିଜେ ଯେବେ ନିଜର କର୍ତ୍ତା ହୋଇଥାନ୍ତେ ତେବେ ସଙ୍ଗେ ସଙ୍ଗେ ତାଙ୍କ ରାଜଧାନୀକୁ ଚାଲିଯାଇଥାନ୍ତେ; କିନ୍ତୁ ସେ ଆଜି ଭୀମଦେବଙ୍କ କବଳରେ । ସେ ଭୀମଦେବଙ୍କୁ ଅତିମାତ୍ରାରେ ଭୟ କରୁଥିବାରୁ ଫେରି ଯାଇପାରୁନାହାନ୍ତି; ମାତ୍ର ରହିବାକୁ ଆଦୌ ଇଚ୍ଛା ନାହିଁ । ଯେତେବେଳେ ତାଙ୍କ ସାଆନ୍ତ ବାପାଙ୍କୁ ଭୀମଦେବଙ୍କ ସାଆନ୍ତ-ବାପା ଗାଦିରେ ବସାଇଥିଲେ, ବର୍ତ୍ତମାନର କଷ୍ଟ ବିଚାର କଲେ ତାହା ଗୋଟିଏ ଦୁଃସମୟ ଥିଲା ବୋଲି ତାଙ୍କର ଏବେ ମନେହେଲା ।

ଶିବରାଶି ତାଙ୍କ ଆଡ଼କୁ ଆସୁଥିବାର ସେ ଦୂରରୁ ଲକ୍ଷ୍ୟ କଲେ । ତାଙ୍କ ଛାତି ଥରିଉଠିଲା । ଏହା ପ୍ରଭୁ ସୋମନାଥଙ୍କ ଅନ୍ତର୍ନିହିତ ଶକ୍ତି ବୋଲି ସେ ପ୍ରଥମେ ଭାବିଲେ । ତା’ପରେ ଏହା କାଳଭୈରବ ବୋଲି ତାଙ୍କର ଧାରଣା ହେଲା । ପଳାଇଯିବା ପାଇଁ ତାଙ୍କର ଇଚ୍ଛା ହେଲା; କିନ୍ତୁ ଅନ୍ୟମାନଙ୍କ ନିକଟରେ ତାଙ୍କର ସମ୍ମାନ ବଜାୟ ରଖିବା ଦୃଷ୍ଟିରୁ ସେ ନିଜକୁ ସଂଯତ କଲେ ।

ଶିବରାଶି ନିକଟବର୍ତ୍ତୀ ହୋଇଯିବାରୁ ସେ ତାଙ୍କୁ ଚିହ୍ନିପାରିଲେ । ପ୍ରାୟ ତିନିବର୍ଷ ତଳେ ପୁଣ୍ୟତୋୟା ନର୍ମଦାରେ ସ୍ନାନ କରିବା ଉଦ୍ଦେଶ୍ୟରେ ରାଶିଜୀ ଭୃଗୁ କଚ୍ଛକୁ ତୀର୍ଥଯାତ୍ରା କରିଥିଲେ । ସେହି ସମୟରେ ଦଦ୍ଦା ବହୁଥର ରାଶିଜୀଙ୍କ ପାଦତଳେ ବସି ତାଙ୍କଠାରୁ ଧର୍ମୋପଦେଶମାନ ଶୁଣିଛନ୍ତି । ଗୁରୁ ରାଶିଜୀଙ୍କ ଆଶୀର୍ବାଦରୁ ତାଙ୍କ ସ୍ତ୍ରୀଙ୍କର ପ୍ରଥମେ ଗୋଟିଏ ପୁତ୍ର ସନ୍ତାନ ଜାତ ହୋଇ ପରେ ପରେ ପାଞ୍ଚଟି କନ୍ୟା ହେଲା । ଦଦ୍ଦା ଶିବରାଶିଙ୍କୁ ବର୍ତ୍ତମାନ ଦେଖି ତାଙ୍କ ପାଦତଳେ ସାଷ୍ଟାଙ୍କ ପ୍ରଣିପାତ କଲେ ଓ ଶିବରାଶି ମଧ୍ୟ ତାଙ୍କୁ ଆଶୀର୍ବାଦ କଲେ ।

ଦଦ୍ଦା ସୈନ୍ୟ ପରିଦର୍ଶନ କରୁଥବା ସମୟରେ ରାଶିଜୀ ଆସିଥିବାରୁ ତାଙ୍କ ମନରେ ଆନନ୍ଦ ଜାତ ହେଲା । ସେ ସ୍ନେହରେ ପଚାରିଲେ, “ରାଶିଜୀ, ଏହି ଦୁର୍ଦ୍ଦାନ୍ତ ଆକ୍ରମଣକାରୀ କବଳରୁ ଆମେ କେବେ ରକ୍ଷା ପାଇବୁ ବୋଲି ଆପଣ ଭାବୁଚନ୍ତି ?”

ଶିବରାଶି ଏ ପ୍ରଶ୍ନର କୌଣସି ଜବାବ ଦେଲେ ନାହିଁ । କିଛିକ୍ଷଣପାଇଁ ଉଭୟ ନୀରବରେ ଚାଲିଲେ । ଦଦ୍ଦା ପୁଣି ପଚାରିଲେ, “ଗୁରୁମହାରାଜ, ଏ ଯୁଦ୍ଧର ପରିଣତି କ’ଣ ହେବ ବୋଲି ଆପଣ ଭାବୁଛନ୍ତି ?”

ଶିବରାଶି ଏଥର ଦଦ୍ଦାଙ୍କ ଉପରେ ଦୃଷ୍ଟି ନିବଦ୍ଧ ରଖି କହିଲେ, “ପରିଣତି ?”

ଦଦ୍ଦା କହିଲେ, “ହଁ ରାଶିଜୀ ! ଭବିଷ୍ୟତ ଘଟଣା ଆପଣ ଜାଣିପାରନ୍ତି । କ’ଣ ହେବ ବୋଲି ଆପଣ ଭାବୁଛନ୍ତି ?”

ଦୂର ଦିଗ୍‌ବଳୟକୁ ଚାହିଁ ଶିବରାଶି କହିଲେ, “ଯେଉଁମାନେ ଦେବୀ ମହାମାୟାଙ୍କର ଅପମାନ କରିଛନ୍ତି, ସେମାନେ କୁକୁର ଭଳି ମରିବେ ।”

 

ଦଦ୍ଦା ଖୁସି ହୋଇ ପଚାରିଲେ, “ହମୀର୍‍ ?”

 

ଶିବରାଶି ହଁ କହିବେ ବୋଲି ଦଦ୍ଦା ଆଶା କରିଥିଲେ । ଶିବରାଶି କିଛିକ୍ଷଣ ନୀରବ ରହି ଦଦ୍ଦାଙ୍କୁ ରାଗରେ ଚାହିଁଲେ । ଦଦ୍ଦା ହାତଯୋଡ଼ି ଠିଆ ହେଲେ । ଶିବରାଶି ନରମ ସ୍ୱରରେ କିହିଲେ, “ନା, ଭୀମ !”

 

ସତେ ଯେପରି ବିଜୁଳି ଏକ ଶକ୍ତଧକ୍କା ମାରିଲା, ଦଦ୍ଦା ସେହିପରି ସ୍ତମ୍ଭୀଭୂତ ହୋଇଗଲେ ।

 

“ପ୍ରଭୁ ସୋମନାଥଙ୍କର ଅର୍ଦ୍ଧାଙ୍ଗିନୀ ତାଙ୍କୁ ଶାପ ଦେଇଛନ୍ତି” ବୋଲି କହି ଶିବରାଶି ସେଠାରୁ ଚଞ୍ଚଳ ଚଞ୍ଚଳ ଚାଲିଗଲେ । ଦଦ୍ଦା ବାକ୍‍ଶକ୍ତିହୀନ ହୋଇ ରାଶିଜୀଙ୍କ ପଛକୁ ଅନାଇ ରହିଲେ । ଚିନ୍ତା କରିବାକୁ ସେ ବେଶି ସମୟ ପାଇଲେ ନାହିଁ ।

 

+

+

+

 

ସୂର୍ଯ୍ୟୋଦୟ ହେବାର ଠିକ୍‍ ପୂର୍ବରୁ ହମୀର୍‍ର ଛାଉଣୀ କର୍ମମୁଖର ହୋଇଉଠିଲା । ଦଦ୍ଦା କମ୍ପିତ ହାତରେ ଉଚ୍ଚ ସ୍ୱରରେ ତା’ର ଶଙ୍ଖ ଧ୍ୱନି କରିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ଦ୍ୱାରର ଜଗୁଆଳମାନେ ସଂକେତ ପାଇ ସତର୍କ ଧ୍ୱନି କଲେ । ଭୀମଦେବ ପ୍ରସ୍ତୁତ ହେବାକୁ ଉଠି ବସିଲେ । ତାଙ୍କ ତକିଆ ଉପରେ ଆଶ୍ରିତ କମଳ ମୃଣାଳ ପରି କୋମଳ ହାତ ଦୁଇଟି ଆଡ଼କୁ ନ ଚାହିଁ, ସେ ବିଛଣାରୁ ଡେଇଁପଡ଼ି ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହେଲେ । ସେ ନିଜର ଶଙ୍ଖଧ୍ୱନି କରି ଦୁର୍ଗର ଫାଟକ ଦେଶକୁ ଗଲେ । ଠିକ୍‍ ସେହି ସମୟରେ ରାଓ ମଧ୍ୟ ଅସ୍ତ୍ରଶସ୍ତ୍ରରେ ପୂର୍ଣ୍ଣଭାବେ ସଜ୍ଜିତ ହୋଇ ଆସିଲେ ଏବଂ ଏହାର ଅଳ୍ପ ସମୟ ମଧ୍ୟରେ ପରମାର ତଥା ବିମଳ ମଧ୍ୟ ଆସି ପହଞ୍ଚିଲେ । ଦୁର୍ଗର ଦ୍ୱାରଦେଶର ଛାତରେ ଭୀମଦେବ ମହାରାଜା ନିଜର ଆସ୍ଥାନ ଗ୍ରହଣ କରିଥିବାରୁ ସମସ୍ତେ ସେହିଠାରେ ଆସି ପହଞ୍ଚିଲେ ।

 

ହମୀର୍‍ର ଛାଉଣୀ ଅତିମାତ୍ରାରେ ସକ୍ରିୟ ହୋଇଉଠିଲା । ଏକ ଅବୋଧ୍ୟ ଭାଷାରେ ଉଚ୍ଚ ସ୍ୱରରେ ହୁକମ୍‍ମାନ ଦିଆଗଲା । ଘୋଡ଼ାସବାର ସୈନ୍ୟମାନଙ୍କୁ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରାଗଲା । ଜଙ୍ଗଲ ପାଖ ଅଞ୍ଚଳରେ ଥିବା ହମୀର୍‍ର ତମ୍ବୁ ଆଲୋକିତ ହୋଇଗଲା । ଗୋଟିଏ ବିରାଟ ଯନ୍ତ୍ରପରି ହମୀର୍‍ର ସୈନ୍ୟମାନେ ନିଜ ନିଜର ସୁଦୃଢ଼ ଆସ୍ଥାନ ଜମାଇଲେ ।

 

ଭୀମଦେବ ତାଙ୍କ ପକ୍ଷରୁ ଯୁଦ୍ଧ ଆୟୋଜନ କରିବାପାଇଁ ମୁହୂର୍ତ୍ତେ ସୁଦ୍ଧା ସମୟ ନଷ୍ଟ କଲେ ନାହିଁ । ଏକ ଧାଡ଼ି ଧନୁର୍ଦ୍ଧାରୀ ସୈନ୍ୟ ହୁକୁମ୍‍ ପାଇବାମାତ୍ରେ ନିଜର ଶରକ୍ଷେପଣ କରିବା ନିମନ୍ତେ ପ୍ରସ୍ତୁତ ହୋଇ ଆଣ୍ଠେଇ ରହିଲେ । ତାଙ୍କ ପଛରେ ସେମାନଙ୍କୁ ରକ୍ଷା କରିବାପାଇଁ ଆଉ ଧାଡ଼ିଏ ସୈନ୍ୟ ପ୍ରସ୍ତୁତ ହୋଇ ରହିଲେ । ସେମାନଙ୍କ ପଛରେ ଆଉ ଧାଡ଼ିଏ ଅସ୍ତ୍ର ଶସ୍ତ୍ର ସଜ୍ଜିତ ରାଜପୁତ ସୈନ୍ୟ ରହିଲେ ।

 

ଠିକ୍‍ ଏହି ସମୟରେ ଆସି ପହଞ୍ଚିଲେ ଗୁରୁଦେବ । ତାଙ୍କୁ ଦେଖି ଭୀମଦେବ ପ୍ରଣିପାତ କରିବାରୁ, ସେ ଆଶୀର୍ବାଦ କଲେ । ତାହାପରେ ଏକତ୍ର ହୋଇଥିବା ଶାସକମାନଙ୍କ ମସ୍ତକରେ ଗୁରୁଦେବ ବିଜୟର ଟୀକା ଲଗାଇଲେ । ଠିକ୍‍ ଏହି ମୁହୂର୍ତ୍ତରେ “ଜୟ ସୋମନାଥ” ଧ୍ୱନିରେ ଗଗନ ପବନ ମୁଖରିତ ହେଲା । ଅଳ୍ପ ସମୟ ପରେ ରାତ୍ରିର ଅନ୍ଧକାର ପରିବର୍ତ୍ତେ ଉଜ୍ଜ୍ୱଳ ଦିବାଲୋକ ହେଲା ଏବଂ ଭୀମଦେବ ଚତୁର୍ଦ୍ଦିଗ ସ୍ପଷ୍ଟଭାବେ ଦେଖିପାରିଲେ । ହମୀର୍‍ର ସୈନ୍ୟବାହିନୀର ଚିତ୍ର ପୂରାପୂରି ବଦଳିଯାଇଛି ।

 

ଦୁର୍ଗର ତିନି ପାଖରେ ସୈନ୍ୟମାନେ ଧାଡ଼ି ବାନ୍ଧି ଏପରି ସଜ୍ଜିତ ହୋଇ ଠିଆ ହୋଇଥାଆନ୍ତି ଯେ ପ୍ରତ୍ୟେକ ସୈନ୍ୟର ଖଣ୍ତା ଦେଖାଯାଉଥାଏ । ପ୍ରତ୍ୟେକ ସୈନ୍ୟ ବିଚିତ୍ର ପ୍ରକାର ଢାଲ ଲଗାଇଥାନ୍ତି ।

 

ଏମାନଙ୍କ ପଛରେ ଚାରି-ଛ ଧାଡ଼ି ଧନୁଶରବାହିନୀ ଠିଆ ହୋଇଥାନ୍ତି । ସେମାନେ ମୋଟା ଚମଡ଼ାର ପୋଷାକ ପିନ୍ଧିଥାନ୍ତି । ସେମାନଙ୍କ ଲମ୍ବା ଲମ୍ବା ଦାଢ଼ି ସେମାନେ ପିନ୍ଧିଥିବା ପୋଷାକକୁ ଢାଙ୍କି ଦେଉଥିଲେ । ମୁଣ୍ଡରେ ଯେପରି କୌଣସିପ୍ରକାର ଆଘାତ ନ ବାଜେ, ସେଥିପାଇଁ ପଶୁ ଚମଡ଼ାରେ ତିଆରି ଟୋପିମାନ ଲଗାଇଥାନ୍ତି ।

 

ଗୋଟିଏ ହୁକୁମରେ ଭୀମଦେବଙ୍କ ସୈନ୍ୟଙ୍କୁ ଆକ୍ରମଣ କରିବାକୁ ଦଶ ହଜାର ଶତ୍ରୁର ଶର ଉଦ୍ୟତ ହୋଇ ରହିଥାଏ । ସେମାନଙ୍କର ଠିକ୍‍ ପଛରେ ଏକ ଜୀବନ୍ତ ଦୁର୍ଗ ପରି ହାତୀମାନେ ଠିଆ ହୋଇଥାନ୍ତି । ପ୍ରତ୍ୟେକ ହାତୀ ପଛରେ ତିନି ଚାରିଜଣ ଲେଖାଏଁ ଧନୁର୍ଦ୍ଧାରୀ ସୈନ୍ୟ ଠିଆ ହୋଇଥାନ୍ତି ଏବଂ ଦୁର୍ଗର ପ୍ରାଚୀର ଉପରକୁ ଯେପରି ଉଠିପାରିବେ, ସେଥିପାଇଁ ପ୍ରତ୍ୟେକ ପାଖରେ ଗୋଟିଏ ଲେଖାଏଁ ଦଉଡ଼ିର ଶିଡ଼ି ଥାଏ ।

 

ହମୀର୍‍ର ସୈନ୍ୟବାହିନୀରେ ଅଦ୍ଭୁତ ସଙ୍ଗଠନ ଓ ଶୃଙ୍ଖଳା । ରାଓ ଏବଂ ଭୀମଦେବ ଏହି ଶକ୍ତି ଓ ସଂଗଠନକୁ ପ୍ରଶଂସାସୂଚକ ଦୃଷ୍ଟିରେ ଦେଖୁଥାନ୍ତି । ରାଓ ଚୁପ୍‍ଚୁପ୍‍ କରି କହିଲେ, ‘‘ମହାରାଜ, ଯେବେ ଆମେ ଜିଣୁ ତେବେ ଭଗବାନଙ୍କ ଦୟାରୁହିଁ ଜିଣିବୁ ।”

 

“ଭଗବାନଙ୍କ ଦୟା ତଥା କ୍ଷତ୍ରିୟ କୂଳର ଦୃଢ଼ତା ହେତୁ” ମହାରାଜ ସଗର୍ବେ କହିଲେ । “ଆମ ପକ୍ଷରେ ସତ୍ୟ ଅଛି । ଆମର ପରାଜୟ କେବେ ହେବନାହିଁ ।” ଦୁର୍ଗ ଉପରୁ ତଳକୁ ଯାଉଥିବାବେଳେ ଗୁରୁଦେବ ହସି ହସି କହିଲେ, “ସତ୍ୟର ସବୁବେଳେ ଜୟ ହୁଏ ।”

 

କିଛିଦୂରରେ ଗୋଟିଏ ପ୍ରକାର ଅଦ୍ଭୁତ ଶବ୍ଦ କରି ବାଦ୍ୟ ବାଜି ଉଠିଲା । ସଙ୍ଗେ ସଙ୍ଗେ, ଅନ୍ୟମାନେ ମଧ୍ୟ ବାଦ୍ୟ ବଜାଇଲେ । ତମ୍ବୁରୁ ବାହାରୁଥିବା ହମୀର୍‍ ନିମନ୍ତେ ମୁସଲମାନ ସୈନ୍ୟମାନେ ରାସ୍ତା ପରିଷ୍କାର କରିଦେଲେ । ରଣଦୁନ୍ଦୁଭି ସହ ପଚାଶଟି ଘୋଡ଼ା ହମୀର୍‍ର ଦୁଇ ପାଖରେ ଆସ୍ତେ ଆସ୍ତେ ଚାଲିଲେ ଏବଂ ତାଙ୍କ ପଛରେ ପଚିଶ ତିରିଶ ଜଣ ଅଶ୍ୱାରୋହୀ ଚାଲିଲେ-

 

ବୃହତ୍‍କାୟ ହମୀର୍‍ ଗୋଟିଏ କଳାଘୋଡ଼ା ଉପରେ ବସିଥାଏ । ସେ ସବୁଜ ରଙ୍ଗର ପଗଡ଼ି ମୁଣ୍ଡରେ ବାନ୍ଧିଥାଏ । ତା’ର ଚାରି ପାଖରେ ଅଶ୍ୱାରୋହୀମାନେ ଅର୍ଦ୍ଧବୃତ୍ତ ଆକାରରେ ଧନୁଶର ସହ ପ୍ରସ୍ତୁତ ହୋଇ ରହିଥାନ୍ତି ।

 

ଭୀମଦେବ ତାଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଥିବା ଘୋଡ଼ା ଉପରେ ଡେଇଁ ବସିଗଲେ ଏବଂ ତାଙ୍କ ଚାରିପାଖରେ ଏକତ୍ର ହୋଇଥିବା ଯୋଦ୍ଧାମାନଙ୍କୁ ନିରୀକ୍ଷଣ କଲେ । ତାହାପରେ ସେ କହିଲେ, “ମୋ ନିଜର, ପାଟଣର ତଥା ପ୍ରଭୁ ସୋମନାଥଙ୍କର ସମ୍ମାନ ଆଜି ଆପଣମାନଙ୍କ ହାତରେ । ସାହସୀ ଯୋଦ୍ଧାଗଣ, ଆଜି ଆମ ଆଗରେ ସ୍ୱର୍ଗକୁ ବାଟ ପଡ଼ିଛି । ପ୍ରତ୍ୟେକ କ୍ଷତ୍ରିୟକୁ ଏକହଜାର କରି ଶତ୍ରୁ ସୈନ୍ୟ ନିହତ କରିବାକୁ ହେବ । ଯେ ପଛଘୁଞ୍ଚା ଦେବ ସେ କ୍ଷତ୍ରିୟ ନୁହେଁ ।” ଏହା ଶୁଣି ରାଓ ଓ ରତ୍ନାଦିତ୍ୟ ଅତିଶୟ ଭାବପ୍ରବଣ ହୋଇଗଲେ । ସେମାନେ ସେମାନଙ୍କ ଘୋଡ଼ା ଉପରକୁ ଉଠିଯାଇ ନିଜର ତରବାରି ବାହାର କରି “ଭୀମଦେବ ମହାରାଜାଙ୍କର ଜୟ ହେଉ” ବୋଲି ଧ୍ୱନି କରି ଉଠିଲେ । ଅନ୍ୟ ସୈନ୍ୟମାନେ ଏହି ଆହ୍ୱାନର ପ୍ରତିଧ୍ୱନି କଲେ । ଭୀମଦେବ ମହାରାଜ ସନ୍ତୋଷ ପ୍ରକାଶ କରି ଓ ନିଜ ତରବାରି ଉତ୍ତୋଳନ କରି ଅତି ଉଚ୍ଚ ସ୍ୱରରେ “ଜୟ ସୋମନାଥ” ବୋଲି ଧ୍ୱନି ଦେଲେ । ସମଗ୍ର ସୈନ୍ୟବାହିନୀର ମୁଖନିସୃତ “ଜୟ ସୋମନାଥ” ପ୍ରତିଧ୍ୱନି ଠିକ୍‍ ଏକ ବଜ୍ରନାଦ ପରି ହମୀର୍‍ର କାନରେ ବାଜିଲା ।

Image

 

ଶିବରାଶି ଗୁରୁଙ୍କୁ ଅମାନ୍ୟ କଲେ

 

ହମୀର୍‍ ନିଜର ଦାଢ଼ିରେ ହାତ ମାରି ଦୁର୍ଗ ଦିଗକୁ ଚାହିଁଲା । ତା’ର ପୃଥିବୀ ଦଖଲ କରିବା ଯୋଜନାରେ ସେ ଏହିଭଳି ବହୁଦୁର୍ଗ ଆକ୍ରମଣ କରିଛି; କିନ୍ତୁ କେବେହେଲେ ଏଭଳି ସୁରକ୍ଷିତ ଏକ ପୁଣ୍ୟଭୂମିର ସମ୍ମୁଖୀନ ହୋଇନଥିଲା । ସେ ବହୁ ଯୁଦ୍ଧରେ ଅକଥନୀୟ ଦୁଃଖକଷ୍ଟ ସହ୍ୟକରିଛି; କିନ୍ତୁ ଏଭଳି ଅଭିଜ୍ଞତା ତା’ର ପୂର୍ବରୁ କେବେହେଲେ ହୋଇନଥିଲା । ବର୍ତ୍ତମାନ ତା’ର ବିରାଟ ସୈନ୍ୟବାହିନୀ ଯୁଦ୍ଧ ଅପେକ୍ଷାରେ । ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବାକୁ ପ୍ରତିଜ୍ଞାବଦ୍ଧ ଗୋଟିଏ ଛୋଟ କ୍ଷତ୍ରିୟ ସୈନ୍ୟବାହିନୀ ତା’ର ସମ୍ମୁଖରେ ଏକତ୍ରିତ । ଏହି ଦୁର୍ଗକୁ ଆସିବା ବାଟରେ ସେ ନିଜ ତାରବାରିରେ ଯେପରି ହଜାର ହଜାର ରାଜପୁତ ନିପାତ କରିଛି ସେହିପରି ଏହି କ୍ଷୁଦ୍ର ସୈନ୍ୟବାହିନୀକୁ ଧ୍ୱଂସ କରିଦେବ, ଏ ସମ୍ପର୍କରେ ତା’ର ତିଳେହେଲେ ସନ୍ଦେହ ନ ଥାଏ । ତଥାପି ଏତେ ଲୋକଙ୍କର ନିପାତର ଯେ ସେ କାରଣ ହେବ, ଏହି ଚିନ୍ତାରେ ସେ କିଛିକ୍ଷଣ ଦୁଃଖିତ ହେଲା-

 

ସେ ଭାବିଲା, ଆଲ୍ଲା ତା’ର ସପକ୍ଷରେ ଥିବା ସତ୍ତ୍ୱେ ସେ କାହିଁକି ବିନା ରକ୍ତପାତରେ ବିଜୟୀ ନ ହେବ ? ଏହି ଚିନ୍ତା ହମୀର୍‍ ମନକୁ ଆସିଲା ସତ; କିନ୍ତୁ ସଙ୍ଗେ ସଙ୍ଗେ ଉଭେଇଗଲା । ସେ ଏପରି ଯଶ ଅର୍ଜନ କରିବାକୁ ଚାହେଁ ଯାହା ଅତୁଳନୀୟ ବୋଲି ଇତିହାସ ଲିପିବଦ୍ଧ କରିବ । ସୋମନାଥ ମନ୍ଦିରର ବିଜୟ ଓ ଲୁଣ୍ଠନ ଏହି ଯଶାବଳୀ ଭିତରେ ହେବ ସର୍ବଶ୍ରେଷ୍ଠ । ନିଜର ଅଭିଳଷିତ ଲକ୍ଷ୍ୟପୂରଣ ପଥରେ ପ୍ରତିବନ୍ଧକରୂପେ ଦଣ୍ଡାୟମାନ ହୋଇଛି ଏହି କ୍ଷୁଦ୍ର ସୈନ୍ୟବାହିନୀ-। ଏହି କାଫେରମାନଙ୍କୁ ଧ୍ୱଂସକରି ନିଜର ଯଶ ବଢ଼ାଇବା ତା’ ଭାଗ୍ୟରେ ଲେଖାଅଛି । ସେ “ଆଲ୍ଲା ହୋ ଆକବର” ଉଚ୍ଚାରଣ କରିବା ସଙ୍ଗେ ସଙ୍ଗେ ତା’ ଆଖି ଉଜ୍ଜ୍ୱଳ ହୋଇଗଲା ।

 

ବାଦ୍ୟକାରମାନେ ସେହି ସ୍ୱରର ପ୍ରତିଧ୍ୱନି ଦେଲେ । ସଙ୍ଗେ ସଙ୍ଗେ ମୁସଲମାନ ସୈନ୍ୟବାହିନୀର ପ୍ରତ୍ୟେକଙ୍କ କଣ୍ଠରୁ “ଆଲ୍ଲା ହୋ ଆକବର” ଧ୍ୱନି ଉଚ୍ଚାରିତ ହୋଇ ଗଗନ ପବନ ପ୍ରକମ୍ପିତ ହେବାକୁ ଲାଗିଲା । ପ୍ରତ୍ୟେକ ସୈନ୍ୟ ଦଳ ନିଜ ନିଜର ବାଜା ବଜାଇଲେ ଏବଂ ସମଗ୍ର ବାହିନୀ ବିଶାଳକାୟ ଏକ ଅଜଗର ସାପ ପରି ଆସ୍ତେ ଆସ୍ତେ ଆଗକୁ ଚାଲିଲା ।

 

ଭୀମଦେବ ଦୁର୍ଗର କେନ୍ଦ୍ର ଜଗତୀ ଉପରୁ ଏହି ବିରାଟ ସୈନ୍ୟବାହିନୀକୁ ଦେଖୁଥାନ୍ତି । ସେ ଦେଖିଲେ ଏକ ବିରାଟ କଚ୍ଛପୀବାହିନୀ ପିଠିରେ କାଠ ପଟାର ଆବରଣ ସହ ଅଗ୍ରଗତି କଲେ-। “ଅଶ୍ୱାରୋହୀଗଣ ନିକଟବର୍ତ୍ତୀ ହେଲେ ଶର ସନ୍ଧାନ କର । କଚ୍ଛପୀମାନଙ୍କୁ ଲକ୍ଷ୍ୟକରି ଶର ନଷ୍ଟ କର ନାହିଁ”-ଏହି ଆଦେଶ ଦେଇ ଭୀମଦେବ ଓହ୍ଲେଇ ପଡ଼ିଲେ ।

 

ତାହାପରେ ସେ ବୀରକୁ ଅନାଇ କହିଲେ; “ବିମଳ କେଉଁଠି ବୀର ? ବିମଳକୁ କହ ଶୀଘ୍ର ପଥର ସହ ସୈନ୍ୟ ଏଠାକୁ ପଠାଉ । ଏହି କଚ୍ଛପୀମାନେ ପାଣିକୁ ଓହ୍ଲାଇବା ସଙ୍ଗେ ସଙ୍ଗେ ସେମାନଙ୍କୁ ଆମେ ବୁଡ଼ାଇଦେବା ଦରକାର ।” ବୀର ଭୀମଦେବଙ୍କ ଘୋଡ଼ା ଚଢ଼ି ମନ୍ତ୍ରୀ ବିମଳକୁ ଖୋଜିବାକୁ ଚାଲିଗଲା ।

 

ଭୀମଦେବ ନିଜ ତୂଣୀରୁ ଶର କାଢ଼ି ତାଙ୍କ ଧନୁର୍ଦ୍ଧାରୀମାନଙ୍କୁ ହୁକୁମ୍‍ ଦେଲେ, “ମୁଁ ମୋର ତୀର ନିକ୍ଷେପ କରିବା ସଙ୍ଗେ ସଙ୍ଗେ ତୁମେମାନେ ନିଜ ନିଜର ତୀର ମାରିବ; କିନ୍ତୁ ଏ କଚ୍ଛପୀମାନଙ୍କୁ ବା ଅଶ୍ୱାରୋହୀମାନଙ୍କୁ ନୁହେଁ, ବରଂ ଘୋଡ଼ାମାନଙ୍କୁ ଲକ୍ଷ୍ୟକରି ମାରିବାକୁ ହେବ-।” କଚ୍ଛପୀମାନେ ହାତ ଓ ଗୋଡ଼ରେ ଭରାଦେଇ ଆଗକୁ ଚାଲିଲେ ଏବଂ ସେମାନଙ୍କ ପଛରେ ଚାଲିଲେ ଘୋଡ଼ା ଓ ହାତୀମାନେ । ଅଶ୍ୱାରୋହୀମାନେ ସେମାନଙ୍କ ତୀରର ଦୂରତା ଭିତରେ ପହଞ୍ଚିବାକ୍ଷଣି ଭୀମଦେବଙ୍କ ଧନୁର୍ଦ୍ଧାରୀମାନେ ତୀର ମାରି ସେମାନଙ୍କ ଘୋଡ଼ାଗୁଡ଼ିକୁ ଜଖମ କରିଦେଲେ । କଚ୍ଛପୀମାନେ ବର୍ତ୍ତମାନ ଠିଆହୋଇ ଦଉଡ଼ିଲେ । ଏକା ସମୟରେ ତିନି ଦିଗରୁ ଆକ୍ରମଣ ଚାଲିଲା ।

 

ଠିକ୍ ମୁହୂର୍ତ୍ତ ଦେଖି ଭୀମଦେବ ନିଜର ତୀର ମାରିଲେ । ତାଙ୍କର ନିର୍ଦ୍ଦେଶମତେ ତାଙ୍କ ପାଖେ ଥିବା ହଜାର ହଜାର ଧନୁର୍ଦ୍ଧାରୀ ଏକ ସଙ୍ଗେ ନିଜ ନିଜର ଶର ନିକ୍ଷେପ କଲେ । ଶତ୍ରୁ ପକ୍ଷର ଶହ ଶହ ଘୋଡ଼ା ଖଣ୍ଡିଆ ଖାବଡ଼ା ହୋଇ ତଳେ ପଡ଼ିଗଲେ ଏବଂ ଅନ୍ୟମାନେ ଏଣେ ତେଣେ ଦୌଡ଼ି ପଳାଇଲେ । ଭୀମଦେବଙ୍କର କେତେକ ଧନୁର୍ଦ୍ଧାରୀ ସୈନ୍ୟ ମଧ୍ୟ ଶତ୍ରୁର ଆକ୍ରମଣରେ କ୍ଷତବିକ୍ଷତ ହୋଇପଡ଼ିଲେ; କିନ୍ତୁ ତାଙ୍କର ଅନ୍ୟ ସୈନ୍ୟମାନେ ହମୀର୍‍ର ଅଶ୍ୱାରୋହୀଙ୍କ ସହିତ ଏଭଳି ଲଢ଼େଇ କଲେ, ଯାହା ଫଳରେ ସେମାନେ ନିଜ ନିଜ ଘୋଡ଼ାମାନଙ୍କୁ ଆପଣା ଆୟତ୍ତରେ ରଖିବା ଅସମ୍ଭବ ହୋଇପଡ଼ିଲା । ଏତେ ସଂଖ୍ୟାରେ ଘୋଡ଼ା ମରିପଡ଼ିଲେ ଯେ, ସେମାନଙ୍କୁ ଡେଇଁ ଆଗକୁ ଯିବା ହାତୀମାନଙ୍କ ପକ୍ଷରେ ଅସମ୍ଭବ ହୋଇପଡ଼ିଲା । ଅଶ୍ୱାରୋହୀମାନେ ଇତସ୍ତତଃ ହୋଇ ଶର ମାରିବେ କି ନାହିଁ ସ୍ଥିର କରିପାରିଲେ ନାହିଁ । ତେଣୁ ଅଶ୍ୱାରୋହୀ ଓ ହାତୀମାନଙ୍କ ବିନା ସାହାଯ୍ୟରେ କଚ୍ଛପୀ ଦଳ ଖାଇ ଆଡ଼କୁ ଅଗ୍ରସର ହେଲେ ।

 

ଯାହାସବୁ ଘଟିଯାଇଛି, ତାହା ଜାଣିଲାକ୍ଷଣି ହମୀର୍‍ ଗୋଟିକ ପରେ ଗୋଟିଏ ଏକାଧିକ ହୁକୁମ୍‍ ଦେଲା । କଚ୍ଛପୀ ସୈନ୍ୟମାନଙ୍କୁ ରକ୍ଷାକରିବା ନିମନ୍ତେ ନୂଆ ଅଶ୍ୱାରୋହୀ-ବାହିନୀମାନ ପଠାଗଲା । ଉଭୟ ପକ୍ଷରୁ ଶର ନିକ୍ଷେପ ଚାଲିଲା । ଭୀମଦେବ ଏବଂ ତାଙ୍କର ସୁଦକ୍ଷ ଧନୁର୍ଦ୍ଧାରୀମାନଙ୍କର ଗୋଟିଏ ସୁଦ୍ଧା ଶର ଲକ୍ଷ୍ୟହୀନ ହେଲାନାହିଁ । ଆହତ ଘୋଡ଼ାମାନଙ୍କ ଉପରେ ଚଢ଼ିଥିବା ସୈନ୍ୟମାନଙ୍କର ଅବସ୍ଥା ଅରକ୍ଷ ହୋଇପଡ଼ିବାରୁ ସେମାନେ ଗୁଜୁରାତ ଧନୁର୍ଦ୍ଧାରୀମାନଙ୍କ ଶରର ଶିକାର ହେଲେ । ଭୀମଦେବ ଏଭଳି ସଫଳତାର ସହିତ ସୈନ୍ୟମାନଙ୍କୁ ସଜାଇଥିଲେ ଯେ, ତାଙ୍କ ସୈନ୍ୟଙ୍କର ପ୍ରତ୍ୟେକ ଶର ଶତ୍ରୁ ପକ୍ଷର ଠିକ୍‍ ସ୍ଥାନରେ ଆଘାତ କଲା, ଏପରିକି ନିକଟସ୍ଥ ହାତୀମାନେ ମଧ୍ୟ ଏଥିରୁ ବାଦ୍‍ ପଡ଼ିନଥିଲେ । ଏତେବେଳକୁ କଚ୍ଛପୀ ସୈନ୍ୟମାନେ ଖାଇ ନିକଟରେ ଆସି ପହଞ୍ଚିଥିଲେ ଏବଂ ସେମାନଙ୍କର ତାଙ୍କ ପକ୍ଷର ହାତୀମାନଙ୍କ ମଧ୍ୟରେ ଦୂରତ୍ୱ କମିବା ସଙ୍ଗେ ସଙ୍ଗେ ହାତୀମାନଙ୍କ ଉପରେ ଚଢ଼ିବାପାଇଁ ଯଥେଷ୍ଟ ସଂଖ୍ୟକ ଶିଡ଼ି ଖଞ୍ଜା ହେଇଗଲା ।

 

ଏତେବେଳକୁ ହମୀର୍‍ଙ୍କର ସେନାପତିଗଣ ଅବସ୍ଥା ବୁଝି ସାରିଲେଣି । ହାତୀମାନଙ୍କ ନିକଟରେ ଥିବା ଶିଡ଼ିମାନ ଘୋଡ଼ାମାନଙ୍କ ନିକଟକୁ ନିଆଗଲା । ଆତ୍ମରକ୍ଷାକାରୀମାନଙ୍କ ପକ୍ଷରୁ ଶର ବର୍ଷଣ ହେଉଥିଲେ ସୁଦ୍ଧା, ସେଥିପ୍ରତି ଭ୍ରୂକ୍ଷେପ ନ କରି ଯଥେଷ୍ଟ ସଂଖ୍ୟକ ଅଶ୍ୱାରୋହୀ ଘୋଡ଼ା ଉପରେ ଚଢ଼ି କେତେକ ଶିଡ଼ି କଚ୍ଛପୀ ସୈନ୍ୟମାନଙ୍କ ନିକଟରେ ପହଞ୍ଚାଇଦେଲେ ।

 

ଭୀମଦେବ ପୁଣି ହୁକୁମ୍‍ ଦେଲେ, “ଏହି କଚ୍ଛପୀ ସୈନ୍ୟମାନଙ୍କୁ ମାରିବାରେ ତୁମମାନଙ୍କ ଶର ନଷ୍ଟ ନ କରି ଘୋଡ଼ାସବାର ଓ ଧନୁର୍ଦ୍ଧାରୀମାନଙ୍କ ସହିତ ଯୁଦ୍ଧ କରିବାପାଇଁ ରଖ-।”

 

ହମୀର୍‍ର ଅଶ୍ୱାରୋହୀଦଳ ନିକଟବର୍ତ୍ତୀ ହୋଇ ପାଟଣର କେତେକ ଧନୁର୍ଦ୍ଧାରୀଙ୍କୁ ମାରିପକାଇଲେ । ସେଥିପ୍ରତି ଭ୍ରୂକ୍ଷେପ ନ କରି ଭୀମଦେବ ମହାରାଜଙ୍କର ସମସ୍ତ ଧନୁର୍ଦ୍ଧାରୀ ସୈନ୍ୟ ପୂରାମାତ୍ରାରେ ଏହି ଯୁଦ୍ଧରେ ଝାସ ଦେଲେ । ଏହି ଶକ୍ତିଶାଳୀ ଯୋଦ୍ଧାମାନେ ନିଜର ଲକ୍ଷ୍ୟକୁ ଆଘାତ କରିବାରେ କେବେହେଲେ ବିଫଳ ହେଲେନାହିଁ । କଚ୍ଛପୀ ସୈନ୍ୟମାନେ ଏକ ହାତରେ ସେମାନଙ୍କ ପିଠିରେ ବନ୍ଧାହୋଇଥିବା ଢାଲ ଏବଂ ଅନ୍ୟ ହାତରେ ଶିଡ଼ି ଧରି ଖାଇରେ ଝାମ୍ପ ଦେଲେ ।

 

“ବିମଳ ! ବିମଳ !” ବୋଲି ଭୀମଦେବ ପାଟିକଲେ ।

 

“ମହାରାଜ, ମୁଁ ଏଇଠି ଅଛି ।” ବିମଳ ଉତ୍ତର ଦେଲେ ।

 

ମହାରାଜ ପଚାରିଲେ, “ପଥର ଆଣିଛ ?”

 

ବିମଳ– “ଆଣିଛି ଆଜ୍ଞା !”

 

ଭୀମଦେବ-“ତୁମ ଶରମାନ ଏହି କ୍ଷୁଦ୍ର ପ୍ରଣୀମାନଙ୍କୁ ମାରିବାରେ ନଷ୍ଟ କରନାହିଁ” -ଏହା କହି ଭୀମଦେବ ନିଜ ଧନୁକୁ ବୀର ହାତକୁ ବଢ଼ାଇ ଦେଇ ଖଣ୍ଡେ ବଡ଼ ପଥର ଉଠାଇ ଅପର ପକ୍ଷର ଜଣେ କଚ୍ଛପୀକୁ ଲକ୍ଷ୍ୟକରି ପକାଇଲେ । ପଥର ଆଘାତରେ ସେ ସୈନ୍ୟ ଚିତ୍କାର କରି ପାଣି ଭିତରେ ବୁଡ଼ିଗଲା ।

 

ଭୀମଦେବଙ୍କଠାରୁ ଏହି ସୂତ୍ର ପାଇ ତାଙ୍କର ସୈନ୍ୟମାନେ ଶତ୍ରୁ ପକ୍ଷର କଚ୍ଛପୀ ସୈନ୍ୟମାନଙ୍କୁ ଲକ୍ଷ୍ୟକରି ପଥର ବର୍ଷଣ କଲେ । ଏହି ଯୁଦ୍ଧ ବହୁ ସମୟ ଧରି ଚାଲିଲା ଏବଂ କଚ୍ଛପୀ ସୈନ୍ୟମାନଙ୍କ ପକ୍ଷରେ ଏହାର ସମ୍ମୁଖୀନ ହେବା ଅସମ୍ଭବ ହୋଇପଡ଼ିଲା । ଯେଉଁ କେତେକ ଏହି ପଥରମାଡ଼ରୁ ବଞ୍ଚିଗଲେ, ସେମାନେ ଦୁର୍ଗର ପାଚେରି ପାଖକୁ ଆସିବାରୁ ଶର ଆଘାତରୁ ରକ୍ଷା ପାଇପାରିଲେ ନାହିଁ ।

 

ଦୁର୍ଗ କାନ୍ଥ ପାଖେ ବହୁ ସଂଖ୍ୟକ ଶତ୍ରୁ ସୈନ୍ୟ ମୃତାହତ ହୋଇପଡ଼ିଲେ । ତଥାପି ଶର ବର୍ଷଣ ଚାଲିଥାଏ, ଏପରିକି ଅଳ୍ପ କେତେକ ସୈନ୍ୟ ସେମାନଙ୍କ ଶେଷ ନିଶ୍ୱାସ ଛାଡ଼ିବା ସମୟରେ ମଧ୍ୟ ପଥର ଖଣ୍ଡମାନ ନିକ୍ଷେପ କରି ଶତ୍ରୁ ପକ୍ଷର ସୈନ୍ୟ ଧ୍ୱଂସ କରୁଥାନ୍ତି ।

 

ଭୀମଦେବ ଯେପରିକି ସବୁଠାରେ ଥାନ୍ତି । କେତେବେଳେ ଚାଲି ଚାଲି, ଆଉ କେତେବେଳେ ବା ଘୋଡ଼ା ଉପରେ ଚଢ଼ି ଯାଉଥାନ୍ତି । ଶତ୍ରୁ ସୈନ୍ୟମାନଙ୍କୁ ଶର ଓ ପଥର ପକାଇ ପ୍ରତି ଆକ୍ରମଣ କରିବା ନିମନ୍ତେ ସେ ତାଙ୍କ ସୈନ୍ୟମାନଙ୍କୁ ହୁକୁମ୍‍ ଦେଇ ଉତ୍ସାହିତ କରୁଥାନ୍ତି ଓ ଉତ୍ସାହିତ କରିବାବେଳେ ସେ ପ୍ରତି ମୁହୂର୍ତ୍ତରେ “ଜୟ ସୋମନାଥ” ଧ୍ୱନି ଦେଉଥାନ୍ତି । ତାଙ୍କ ଗୈରିକ ପଗଡ଼ିକୁ ଲକ୍ଷ୍ୟକରି ଶତ୍ରୁସୈନ୍ୟ ପକ୍ଷରୁ ଶର ନିକ୍ଷେପ କରାଯାଉଥଲେ ସୁଦ୍ଧା ତାଙ୍କର କିଛି କ୍ଷତି ହୋଇନଥିଲା । ସେ ଏକ ଶକ୍ତ ବର୍ମ ଧାରଣ କରିଥିଲେ ଓ ଅଣ୍ଟାରେ ସୁନାର ପଟିରୁ ମୁକ୍ତା ଖଚିତ ତରବାରି ଝୁଲୁଥିଲା । ତାଙ୍କୁ ଅସ୍ତ୍ର ଶସ୍ତ୍ର ଯୋଗାଇବା ପାଇଁ ଛ’ଜଣ ସୈନ୍ୟ ଅସ୍ତ୍ର ଶସ୍ତ୍ର ସହିତ ତାଙ୍କ ପଛରେ ଥାନ୍ତି । ସେ ଠିକ୍‍ ଲକ୍ଷ୍ୟସ୍ଥାନକୁ ବରାବର ଶର ମାରୁଥାନ୍ତି । ଗୋଟିଏ ସୁଦ୍ଧା ଶର ଲକ୍ଷ୍ୟହୀନ ହେଉନଥାଏ ।

 

ମନ୍ଦିର ଉଚ୍ଚ ଜଗତୀ ଉପରୁ ଗଙ୍ଗା ଓ ଚୌଲା ପରସ୍ପର ହାତ ଧରାଧରି ହୋଇ ଗୈରିକ ପଗଡ଼ିଧାରୀ ବ୍ୟକ୍ତିଙ୍କର ଗତି ପ୍ରତି ତୀକ୍ଷ୍‍ଣ ଦୃଷ୍ଟି ରଖିଥାନ୍ତି । ସମୟ ସମୟରେ “ସେଠି ସେ ଯାଉଛନ୍ତି……ଓଃ ! ଓଃ !.....ଭଗବାନହିଁ ବଡ଼ଲୋକ ! ହେ ମୋର ନାଥ !” ଏହିପରି ବାକ୍ୟମାନ ସେମାନଙ୍କ ମୁଖରୁ ଅଜାଣତରେ ବାହାରି ପଡ଼ୁଥାଏ । ସେହି ପଗଡ଼ି ଦୃଷ୍ଟିର ଅନ୍ତରାଳକୁ ଚାଲିଯାଉଥିଲାବେଳେ ଚୌଲା ତା’ର ନିଜ ମୁହଁକୁ ମା’ର ବାହୁତଳେ ଲୁଚାଇ ରଖୁଥାଏ ଏବଂ ସେହି ପଗଡ଼ି ପୁଣି ତା’ର ଦୃଷ୍ଟିଗୋଚର ହେଲେ ତା’ର ହୃଦୟ ଆନନ୍ଦ ଉଲ୍ଲାସରେ ପୂରିଯାଇ ତା’ ପାଦ ଅଜାଣତରେ ନୀରବରେ ନୃତ୍ୟ କରୁଥାଏ । ଚୌଲାର ହୃଦୟ ଓ ଆଖି ସେହି ପଗଡ଼ି ଉପରେ ଲାଖି ରହିଥାଏ।

 

ଭୀମଦେବଙ୍କର ଏହି ଅଦ୍ଭୁତ ଯୁଦ୍ଧକୌଶଳ ଗୁରୁଦେବ ଲକ୍ଷ୍ୟ କରୁଥାନ୍ତି । ଚୌଲା ତାଙ୍କୁ ପ୍ରଣାମ କରି ପଚାରିଲା, “ଗୁରୁଦେବ ! ମହାରାଜ କ’ଣ ରୁଦ୍ରଙ୍କର ଅବତାର ନୁହଁନ୍ତି ?” ଗୁରୁଦେବ ହସି ହସି ଜବାବ ଦେଲେ, “ହଁ, ଝିଅ ! ଏଥିରେ କ’ଣ ସନ୍ଦେହ ଅଛି ?”

 

ତ୍ରିପୁରସୁନ୍ଦରୀଙ୍କୁ ପୂଜା କରିବାପାଇଁ ଗୁରୁଦେବ ତଳକୁ ଗଲେ । ତାଙ୍କର ହୃଦୟ ଆଜି ଆନନ୍ଦରେ ପୂରି ଯାଇଛି । ଭୀମଦେବଙ୍କ ସାହାସିକତା ସମ୍ପର୍କରେ ସେ ପୂର୍ବରୁ ଯଥେଷ୍ଟ ଶୁଣିଥିଲେ-ଆଜି ସେ ନିଜେ ତାହା ପ୍ରତ୍ୟକ୍ଷରେ ଦେଖିବାକୁ ପାଇଛନ୍ତି; କିନ୍ତୁ ଭୀମଦେବ ଯେ ଏଡ଼େ ସାହସୀ ସେ କେବେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିଲେ । ହମୀର୍‍ର ସୈନ୍ୟବାହିନୀର ଆକାର ଯେଡ଼େ ବଡ଼ ବୋଲି ସେ ଭାବିଥିଲେ, ତାହା ଅପେକ୍ଷା ଥିଲା ଯଥେଷ୍ଟ ବଡ଼ । ଅନ୍ୟ ପକ୍ଷରେ ଭୀମଦେବଙ୍କ ଶକ୍ତି ଯେତେ ବୋଲି ସେ ଭାବିଥିଲେ, କାର୍ଯ୍ୟକ୍ଷେତ୍ରରେ ତାହା ଯଥେଷ୍ଟ ଅଧିକ ବୋଲି ସେ ଦେଖିବାକୁ ପାଇଲେ ।

 

ପ୍ରଭୁ ଯେ ଏପର୍ଯ୍ୟନ୍ତ ସେମାନଙ୍କ ପଛେ ପଛେ ଅଛନ୍ତି ଏ ବିଷୟରେ ତାଙ୍କର କୌଣସି ସନ୍ଦେହ ରହିଲା ନାହିଁ ।

 

ଗୁରୁଦେବ ତ୍ରିପୁରସୁନ୍ଦରୀଙ୍କ ମନ୍ଦିରରେ ପହଞ୍ଚି କେହିଜଣେ ବାହାରୁ ତାଲା ଭାଙ୍ଗିଥିବା ଦେଖି ଅତ୍ୟନ୍ତ ମର୍ମାହତ ହେଲେ । ଏହା ହରଦତ୍ତର କୁକର୍ମବୋଲି ଭାବି ଅଧିକ ଅନୁସନ୍ଧାନ କରିବାପାଇଁ ସେ ଭିତରକୁ ଯାଇ ଦେଖନ୍ତି ଯେ, ଭିତର ଦ୍ୱାର ମଧ୍ୟ ଖୋଲା । କେହି ଜଣେ ଜାଣିଶୁଣି ତାଙ୍କ ହୁକୁମ୍‍ ଅମାନ୍ୟ କରିଥିବା ସେ ମନେକଲେ ।

 

ସେ ମନ୍ଦିର ଭିତରକୁ ଆସି ଦେଖନ୍ତି, ଶିବରାଶି ପ୍ରତିମା ଆଗରେ ଧ୍ୟାନମଗ୍ନ ରହିଛନ୍ତି । ତାଙ୍କ ପାଖରେ ଭୋଗ ଉଦ୍ଦେଶ୍ୟରେ ମାଂସ ଓ ମଦ୍ୟ ରଖାହୋଇଛି । ତାଙ୍କ ମୁଖ୍ୟ ଶିଷ୍ୟ ଏଭଳି ପ୍ରକାଶ୍ୟରେ ତାଙ୍କ ହୁକୁମ୍‍ ଅମାନ୍ୟ କରିଥିବାରୁ ଗୁରୁଦେବ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ତାଙ୍କର କଳ୍ପନାତୀତ । ଶିବରାଶି କ’ଣ ପାଗଳ ହେଇଗଲା ?

 

ଗୁରୁଦେବ ନୀରବ ରହିଲେ । କିଛି ସମୟ ପରେ ଶିବରାଶି ଆଖି ଖୋଲି ଗୁରୁଦେବଙ୍କୁ ଉଦ୍ଧତ ଭାବରେ ଚାହିଁଲେ । ସର୍ବଜ୍ଞ ଦୁଃଖିତ ହୋଇ କେବଳ ହସିଲେ । ଯେଉଁ ଲୋକ ତାଙ୍କ ହୁକୁମ୍‍ ଜୀବନ ସାରା ମାନିଆସିଛି, ତାହା ଉପରେ ସେ କିପରି ଏତେଶୀଘ୍ର ବିରକ୍ତ ହେବେ ? ଶିବରାଶିର ଏଭଳି ମତିଗତି ହୁଏତ ତା’ର ନିର୍ବୋଧତା ବା ମାନସିକ ବ୍ୟାଧିର ଲକ୍ଷଣ ହୋଇପାରେ; ହୁଏତ ଏଥିପାଇଁ ତାକୁ ଦୟା କରିବାକୁ ହେବ ବା କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ହେବ । ଏହିପରି ଭାବି ଗୁରୁଦେବ କେବଳ ନୀରବରେ ଚାହିଁରହିଲେ ।

 

ଶିବରାଶି ଗୁରୁଦେବଙ୍କୁ ବେଖାତିର ଭାବରେ କହିଲେ, “ଆପଣଙ୍କର କ’ଣ କହିବାକୁ ଅଛି କୁହନ୍ତୁ ।”

 

ଗୁରୁଦେବ–‘‘ମୋର କିଛି କହିବାର ନାହିଁ ।’’

 

ଶିବରାଶି–‘‘ଏହି ତାଲା ସବୁ ମୁଁ ଭାଙ୍ଗିଛି । ତ୍ରିପୁରସୁନ୍ଦରୀଙ୍କ ପୂଜା ମୁଁ କରିଛି ।’’

 

ଗୁରୁଦେବ ନରମ ସ୍ୱରରେ କହିଲେ, “ତୁମେ ଭଲ କରିଛ । ମୋତେ ଆଜି ଅସୁବିଧାରୁ ରକ୍ଷାକଲ ।”

 

ଗୁରୁଦେବଙ୍କର ଏହି ନରମ କଥା ଶିବରାଶିଙ୍କୁ ଅଧିକ ଉତ୍ତ୍ୟକ୍ତ କଲା ଏବଂ ସେ କହିଲେ, “କାଲିଠାରୁ ମୁଁ ଆପଣଙ୍କୁ ଗୁରୁରୂପେ ସ୍ୱୀକାର ନ କରିବାପାଇଁ ସ୍ଥିର କରିଛି ।”

 

ଗୁରୁଦେବ କହିଲେ, “ତୁମପରି ଲୋକର ଗୁରୁ ହେବାପାଇଁ ମୁଁ ଉପଯୁକ୍ତ ନୁହେଁ ବୋଲି ଗତ କେତେଦିନ ହେଲା ମୁଁ ଭାବୁଛି ।”

 

ଶିବରାଶି ଠିଆ ହୋଇପଡ଼ି କହିବାକୁ ଲାଗିଲେ, “ଆଜିଠାରୁ ପାଶୁପତ ସମ୍ପ୍ରଦାୟର ଗୁରୁ ପଦବୀ ମୁଁ ଲାଭ କରିଛି ।”

 

ଗୁରୁଦେବ କହିଲେ, “ନିଜର ବଳ ପ୍ରୟୋଗ କରି କେହି ଗୁରୁ ପଦବୀ ଲାଭ କରିପାରେନାହିଁ । ପରମ୍ପରା ତଥା ନିଜ ଯୋଗ୍ୟତାବଳରେ ତାହା ଲାଭ କରାଯାଏ ।”

 

ପଛରୁ ସିଦ୍ଧେଶ୍ୱର ଓ ହରଦତ୍ତ ଅନ୍ୟ ଦୁଇଜଣ ସାଧୁଙ୍କ ସହ ଆସି ପହଞ୍ଚିଲେ । ଗୁରୁଦେବ ଓ ଶିବରାଶିଙ୍କ ମଧ୍ୟରେ ହେଉଥବା କଥାବାର୍ତ୍ତା ସେମାନେ ଏକାଲୟରେ ଶୁଣୁଥିଲେ । ସେମାନଙ୍କୁ ଦେଖି ବେଶି ଉତ୍ସାହିତ ହୋଇ ଶିବରାଶି ଚିତ୍କାର କରି କହିବାକୁ ଲାଗିଲେ, “ଆପଣ ମୋର ଗୁରୁ ନୁହଁନ୍ତି । ସେହି ପଦ ଆପଣ ମୋତେ ଦିଅନ୍ତୁ, ତାହା ମଧ୍ୟ ମୁଁ ଚାହେଁ ନାହିଁ । ଆପଣଙ୍କର ଅଧୋଗତି ହୋଇଛି । ପାଶୁପାତ ସମ୍ପ୍ରଦାୟର ପାରମ୍ପରିକ ପ୍ରଥା ଆପଣ ଭାଙ୍ଗିଛନ୍ତି । ମହାମାୟାଙ୍କ ପୂଜା ଆପଣ ବନ୍ଦ କରିଛନ୍ତି ।”

 

ଗୁରୁଦେବ–‘‘ତା’ପରେ ?’’

 

ଶିବରାଶି-‘‘ଆପଣ ମହାମାୟାଙ୍କ ମନ୍ଦିର ବନ୍ଦ କରି ଦେବୀଙ୍କ ପୂଦା ବନ୍ଦ କରିଥିଲେ । ଯାହା ଶରୀରରେ ମହାମାୟା ଅବତାର କରିଛନ୍ତି, ତାକୁ ନିଜର ସ୍ୱାର୍ଥସାଧନ ନିମନ୍ତେ ଭୀମକୁ ଅର୍ପଣ କରିଛନ୍ତି ।’’

 

ଗୁରୁଦେବ–‘‘ଆଉ କ’ଣ କହିବାର ଅଛି ?’’

 

ଶିବରାଶି-‘‘ଆପଣଙ୍କ ସମ୍ମତିରେ ସେହି ପାପୀ ଦେବୀ ମହାମାୟା ତଥା ତାଙ୍କ ମନ୍ଦିରକୁ ଅପବିତ୍ର କରିଛି । ଆପଣଙ୍କ ପରି ଲୋକଙ୍କର ଦଣ୍ଡେ ସୁଦ୍ଧା ବଞ୍ଚିରହିବା ଉଚିତ ନୁହେଁ । ଗୁରୁଦେବଙ୍କ ନୀରବତା ଶିବରାଶିଙ୍କ କ୍ରୋଧ ବଢ଼ାଇ ଦେଲା । ପୁରାଣ ବର୍ଣ୍ଣିତ ଦୁର୍ବାସା ଶାପ ଦେଲାବେଳେ ଯେପରି କ୍ରୋଧରେ ପ୍ରଜ୍ଜ୍ୱଳିତ ହୋଇଥିଲେ, ତାଙ୍କର ଚେହେରା ଠିକ୍‍ ସେହିଭଳି ଦେଖାଗଲା ।’’

 

ଗୁରୁଦେବ କହିଲେ, “ବତ୍ସ ! ତୁ ଯେପରି ବ୍ୟବହାର କରୁଛୁ, ତାହା ପରିଷ୍କାର ସୂଚନା ଦେଉଛି ଯେ ମୋର ଦଣ୍ଡେ ସୁଦ୍ଧା ବଞ୍ଚିବାର ଅଧିକାର ନାହିଁ । କିନ୍ତୁ ଯେ ପର୍ଯ୍ୟନ୍ତ ମୁଁ ବଞ୍ଚିଛି, ସେ ପର୍ଯ୍ୟନ୍ତ ମୋର ସ୍ଥାନ ଅଧିକାର କରିବାକୁ ସ୍ୱର୍ଗରେ କିମ୍ୱା ମର୍ତ୍ତ୍ୟରେ କାହାରି କ୍ଷମତା ନାହିଁ ।”

 

ଶିବରାଶି କହିଲେ, “ବୃଦ୍ଧ, ତୁମେ ବହୁଦିନ ପୂର୍ବରୁ ଚିରକାଳ ପାଇଁ ଗୁରୁ ପଦବୀ ହରାଇ ବସିଲଣି ।”

 

ଗୁରୁଦେବ କହିଲେ, “ଯେଉଁ ମୁହୂର୍ତ୍ତରେ ମୁଁ ଗର୍ବ ଓ ଔଦ୍ଧତ୍ୟ ପ୍ରକାଶ କରିବି, ସେହି ମୁହୂର୍ତ୍ତରେ ଏହି ପଦବୀ ହରାଇବି ।”

 

ଶିବରାଶି ପୁଣି ପାଟିକରି କହିଲେ, “ଆପଣ ଏହି ପଦବୀ ହରାଇ ସାରିଛନ୍ତି । ସେହି ପଦକୁ ଯିବାର ଅଧିକାରୀ ମୁଁ । ଆପଣଙ୍କର ଦିନକାଳ ଶେଷ ହୋଇଗଲାଣି ।”

 

ଗୁରୁଦେବ କହିଲେ, “ନିର୍ବୋଧ, ମୁଁ ଯେବେ ଏହି ପଦ ହରାଇଥାଏ, ତା’ହେଲେ ତା’ର ପ୍ରକୃତ ଅଧିକାରୀ ତୁ ନୁହଁ; ଖମ୍ବାତରେ ବସିଥିବା ଗଗନ । ସେ ଯିବା ପୂର୍ବରୁ ଚାରିଜଣ ଶାସକଙ୍କ ସମ୍ମୁଖରେ ମୁଁ ତାହାକୁ ମୋର ଉତ୍ତରାଧିକାରୀଭାବେ ମନୋନୀତ କରିଛି । ତାକୁ ମଧ୍ୟ ପ୍ରଭୁ ଲକୁଳେଶଙ୍କ ଚନ୍ଦନ ଓ ଧନୁଶର ଦେଇଛି ।”

 

ତାହାହେଲେ ଏ ବୁଢ଼ା ତାଙ୍କୁ ଧୋକ୍‍କା ଦେଇଛି-ଶିବରାଶି ଅବାକ୍‍ ହୋଇଗଲେ । ବହୁ ସମୟ ପର୍ଯ୍ୟନ୍ତ ତାଙ୍କ ପାଟିରୁ ପଦେସୁଦ୍ଧା କଥା ବାହାରିଲା ନାହିଁ ।

 

ଗୁରୁଦେବ ପୁଣି କହିଲେ, “ଶିବରାଶି, ପାଶୁପତ ସମ୍ପ୍ରଦାୟର ଗୁରୁର ଆସ୍ଥାନହିଁ ସମଗ୍ର ବିଶ୍ୱର ଗୁରୁର ଆସ୍ଥାନ । ଯାହାର ସେହିପରି ଜ୍ଞାନ ଅଛି, ଯାହାର ଭକ୍ତି ତଥା ଯୋଗ୍ୟତା ଅଛି, ଯେ ବହୁଦିନ ଧରି ଆରାଧନା କରିବା ସଙ୍ଗେ ସଙ୍ଗେ ଭଗବତ୍‍ ଆଶ୍ରିତ, ସେହିହିଁ ଏ ପଦବୀ ପାଇବାକୁ ହକ୍‍ଦାର । ଔଦ୍ଧତ୍ୟ ବା କ୍ରୋଧ ସାହାଯ୍ୟରେ ଏହା ଲାଭ କରାଯାଇ ନ ପାରେ ।”

 

ଶିବରାଶି କହିଲେ, “ବୃଦ୍ଧ, ମୋତେ ତମର ପଦବୀ ଲୋଡ଼ା ନାହିଁ । ତମର ଭୀମଦେବ ମହାମାୟାଙ୍କ ଅସନ୍ତୋଷର ପାତ୍ର ହୋଇଛି । ମୃତ୍ୟୁ ତୁମ୍ଭମାନଙ୍କ ମୁଣ୍ଡ ଉପରେ ଘୂରିବୁଲୁଛି ।”

 

ଗୁରୁଦେବ କହିଲେ, “ହୋଇପାରେ ମୁଁ ମରିଯିବି । ସେପରି ଅବସ୍ଥାରେ ତୁମମାନଙ୍କ କବଳରୁ ପାଶୁପତ ସମ୍ପ୍ରଦାୟକୁ ଗଗନରାଶି ରକ୍ଷା କରିବ ।” ଏହା କହି ଗୁରୁଦେବ ଧୀର ପାଦରେ ତ୍ରିପୁରସୁନ୍ଦରୀଙ୍କ ମନ୍ଦିରରୁ ଚାଲିଗଲେ ।

 

ଗୁରୁଦେବ ସ୍ଥାନ ତ୍ୟାଗକରି ଚାଲିଗଲାବେଳେ ହରିଦତ୍ତ ତାଙ୍କ ଉପରେ ଲେଣ୍ତାଏ ଛେପ ପକାଇଦେଲା । ଗୁରୁଦେବ ତା’ଆଡ଼କୁ ଚାହିଁ ଅଳ୍ପ ହସି କହିଲେ, “ତୁ ଚାହୁଁଛୁ ମୁଁ ରାଗିଯାଏ । ନିର୍ବୋଧ, ତୁମର ଗୁରୁ ହୋଇ ତୁମପରି ନିର୍ବୋଧଙ୍କୁ ମୁଁ ଯେବେ କ୍ଷମା ନ କରିବି, ଆଉ କିଏ କରିବ-?” ଦୁର୍ମୁଖ ହରଦତ୍ତକୁ ଚାହିଁ ଦୁଃଖଭରା ହୃଦୟରେ ଗୁରୁଦେବ ସେଠାରୁ ଚାଲିଗଲେ । ମାତ୍ର ଏହାର କୌଣସି ପ୍ରଭାବ ହରଦତ୍ତ ଓ ଉପସ୍ଥିତ ଅନ୍ୟ ପୂଜକମାନଙ୍କ ଉପରେ ପଡ଼ିଲା ନାହିଁ । ସେମାନେ ସର୍ବଜ୍ଞଙ୍କୁ ପୂର୍ବପରି ଗାଳିଦେବାରେ ଲାଗିଥାନ୍ତି ।

Image

 

ଆକ୍ରମଣ

 

ଦୁର୍ଗର ଜୁନାଗଡ଼ ଦରଜା ପାଖରେ ଅବସ୍ଥା ଭୟଙ୍କର ହୋଇଉଠିଲା । ଭୀମଦେବଙ୍କ ନିର୍ଦ୍ଦେଶ ଅନୁଯାୟୀ ଆବୁର ଯୁବକ ପାରମାର ଶତ୍ରୁପକ୍ଷର ଅଶ୍ୱାରୋହୀମାନଙ୍କୁ ଆକ୍ରମଣ କରିବାରେ ମନୋନିବେଶ କରିଥାନ୍ତି । ଦୁର୍ଯୋଗକୁ ତାଙ୍କ ପାଖରେ ଅଳ୍ପସଂଖ୍ୟକ ସଶସ୍ତ୍ର ସୈନ୍ୟ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅନେକ ଶତ୍ରୁ ଶରରେ ଆହତ ହୋଇଥିଲେ । ଉପରୁ ଆକ୍ରମଣ କରି ଶତ୍ରୁ ସୈନ୍ୟମାନଙ୍କୁ କାବୁ କରିଦେବା ଭୀମଦେବଙ୍କ ଯୁଦ୍ଧକୌଶଳ ଏପର୍ଯ୍ୟନ୍ତ ସେ କାର୍ଯକାରୀ କରିନଥାନ୍ତି । ତେଣୁ ଶତ୍ରୁ ପକ୍ଷର ସୈନ୍ୟବାହିନୀ ସେମାନଙ୍କ ପରିକଳ୍ପନା ଅନୁସାରେ ଆଗକୁ ମାଡ଼ିଚାଲିଥାନ୍ତି । କଚ୍ଛପୀମାନେ ଗଡ଼ଖାଇରେ ପହଞ୍ଚୁଥାନ୍ତି । ଏଣେ ଶତ୍ରୁପକ୍ଷର ଅଶ୍ୱାରୋହୀବାହିନୀ ଦୁର୍ଗରକ୍ଷା କରୁଥିବା ଧନୁର୍ଦ୍ଧାରୀମାନଙ୍କୁ କର୍ମବ୍ୟସ୍ତ ରଖିଥାନ୍ତି । ହସ୍ତୀବାହିନୀର ସୈନ୍ୟମାନେ ଅଗ୍ରସର ହୋଇ କଚ୍ଛପୀମାନଙ୍କୁ ଶିଡ଼ି ଯୋଗାଇଦେଲେ । ଶକ୍ତିଶାଳୀ କଚ୍ଛପୀବାହିନୀଙ୍କଠାରୁ ଗଡ଼ ରକ୍ଷାକରିବା ଉଦ୍ୟମ ବ୍ୟର୍ଥତାରେ ପରିଣତ ହେବାକୁ ବସିଲା ।

 

ସୈନ୍ୟମାନଙ୍କୁ ବୀରତ୍ୱ ସହକାରେ ଲଢ଼େଇ କରିବାଲାଗି ଉତ୍ସାହିତ କରିବା ନିମନ୍ତେ ପାରମାର ଆପ୍ରାଣ ଚେଷ୍ଟା କରୁଥାନ୍ତି । ସେ ଏବଂ ତାଙ୍କ ସୈନ୍ୟମାନେ ବୀରତ୍ୱ ସହାକାରେ ଲଢ଼ୁଥାନ୍ତି । ଦୁର୍ଗରକ୍ଷା କରିବାକୁ ଯାଇ ବହୁ ସଂଖ୍ୟକ ସୈନ୍ୟ ପ୍ରାଣ ଦେଲେ । କିନ୍ତୁ ପାରମାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ କଚ୍ଛପୀବାହିନୀ ଗଡ଼ଖାଇ ପହଁରି ପାରହୋଇ ନିଶୁଣି ସାହାଯ୍ୟରେ ଦୁର୍ଗ ଉପରକୁ ଚଢ଼ିବାକୁ ଉଦ୍ୟତ ।

 

ଶତ୍ରୁର ଅଶ୍ୱାରୋହୀମାନଙ୍କ ଅଶ୍ୱମାନେ ପହଁରିବାରେ ଧୁରନ୍ଧର ହୋଇଥିବାରୁ ସେମାନେ କଚ୍ଛପୀବାହିନୀ ପଛେ ପଛେ ଗଡ଼ଖାଇକୁ ପଶି ଆସିଲେ । ହସ୍ତୀବାହିନୀର ଧନୁର୍ଦ୍ଧାରୀମାନେ ଗଡ଼ ରକ୍ଷାକରୁଥିବା ପାରମାରଙ୍କ ସୈନ୍ୟମାନଙ୍କୁ ଆକ୍ରମଣ କରି ସୋମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କଲେ ।

 

ସୌଭାଗ୍ୟବଶତଃ ଶତ୍ରୁ ପକ୍ଷର ବହୁ ସଂଖ୍ୟକ ସୈନ୍ୟ ଦୁର୍ଗର ପ୍ରଧାନ ଦରଜା ପାଖେ ବ୍ୟସ୍ତ ରହିଥିଲେ । ହମୀର୍‍ ଓ ତା’ର ସେନାପତିମାନଙ୍କର ଦୃଷ୍ଟି ସେହି ପ୍ରଧାନ ଦରଜା ଉପରେ କେନ୍ଦ୍ରୀଭୂତ ହୋଇଥାଏ । ତେଣୁ ଜୁନାଗଡ଼ ଦରଜା ପାଖେ ଆକ୍ରମଣକାରୀ ପାଇଁ ଯେଉଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା, ସେମାନେ ତା’ର ପୂର୍ଣ୍ଣ ସୁଯୋଗ ନେଇପାରି ନ ଥିଲେ ।

 

ଅଧିକ ସଂଖ୍ୟକ ସୈନ୍ୟ ସାହାଯ୍ୟ ନ ଆସିଲେ ମଧ୍ୟାହ୍ନ ପରେ ଅବସ୍ଥା କଷ୍ଟକର ହେବ ଜାଣି ଏହା ଭୀମଦେବଙ୍କୁ ଜଣାଇବା ନିମନ୍ତେ ପାରମାର ତାଙ୍କର ବିଶ୍ୱସ୍ତ ସେନାପତିଙ୍କୁ ସଙ୍ଗେ ସଙ୍ଗେ ମହାରାଜାଙ୍କ ନିକଟକୁ ପଠାଇଲେ । ସୌଭାଗ୍ୟକ୍ରମେ ଭୀମଦେବ ପାରମାରଙ୍କୁ ସାହାଯ୍ୟ ଦେଇପାରିବା ଅବସ୍ଥାରେ ଥିଲେ । କେନ୍ଦ୍ର ଦରଜାର ଅବସ୍ଥା ଦୃଢ଼ୀଭୂତ ହୋଇଥିବାରୁ ସେ ଦିଗରୁ ଆକ୍ରମଣର ଆଶଙ୍କା କମିଯାଇଥିଲା । ଶତ୍ରୁପକ୍ଷ ସେଠାରେ ଦୁର୍ଗକୁ ରକ୍ଷା କରୁଥିବା ସୈନ୍ୟବାହିନୀର ବିଶେଷ କିଛି କ୍ଷତି କରିପାରୁନାହିଁ । ପ୍ରାୟ ତିନିଶହ କଚ୍ଛପୀ ସେନା ନିଶୁଣି ସାହାଯ୍ୟରେ ଦୁର୍ଗର କାନ୍ଥ ଚଢ଼ିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସୋମାନଙ୍କ ମଧ୍ୟରୁ ଜଣେ ମଧ୍ୟ ଦୁର୍ଗ ପ୍ରାଚୀରରେ ନିଶୁଣି ଲଗାଇ ପାରିନାହିଁ । ନୂତନ ଅଶ୍ୱାରୋହୀ ତଥା କଚ୍ଛପୀବାହିନୀ ଆସିବା କମିଗଲାଣି ।

 

ମନ୍ତ୍ରୀ ବିମଳଙ୍କୁ କେନ୍ଦ୍ର ଦରଜାର ଅବସ୍ଥା ଦେଖିବାପାଇଁ ଦାୟିତ୍ୱ ଦେଇ ଭୀମଦେବ ନିଜେ ପାରମାରଙ୍କୁ ସାହାଯ୍ୟ କରିବାପାଇଁ ଜୁନାଗଡ଼ ଦରଜାକୁ ଗଲେ । ଶତ୍ରୁର ଅଜ୍ଞାତସାରରେ ତାଙ୍କର ସମସ୍ତ ଅଶ୍ୱାରୋହୀ ନିଜ ସାଙ୍ଗରେ ନେବାପାଇଁ ସେ ଠିକ୍‍ କଲେ । ଶତ୍ରୁକୁ ଅଧିକ ମାତ୍ରାରେ ପ୍ରତାରିତ କରିବା ଉଦ୍ଦେଶ୍ୟରେ ସେ ବିମଳଙ୍କ ମୁଣ୍ତରେ ନିଜେ ପିନ୍ଧିବାପରି ଏକ ଗୈରିକ ରଙ୍ଗର ପଗଡ଼ି ପିନ୍ଧାଇ ଦେଇଥିଲେ । ଦୁର୍ଗର ଦ୍ୱାରିକା ଦରଜାରେ ରତ୍ନାଦିତ୍ୟ ଚମତ୍କାର କାର୍ଯ୍ୟ କରିଛନ୍ତି । ନିଜର ନୈପୁଣ୍ୟ, ସାହସ ତଥା ତାଙ୍କ ସୈନ୍ୟବାହିନୀର ଅଦମ୍ୟ ଚେଷ୍ଟା ଫଳରେ ଶତ୍ରୁକୁ ଦୂରରେ ରଖିବା ଦିଗରେ ସେ ସଫଳ ହୋଇଛନ୍ତି । ଯୁଦ୍ଧର ଏହିପରି ଅବସ୍ଥାରେ ଭୀମଦେବ ତିନିଶହ ସୈନ୍ୟଙ୍କ ସହ ପାରମାରଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଯାତ୍ରାକଲେ ।

 

ସେତେବେଳକୁ ଜୁନାଗଡ଼ ଦରଜାର ଅବସ୍ଥା ଆସ୍ତେ ଆସ୍ତେ ଖରାପ ହେଉଥାଏ । ଶତ୍ରୁ ପକ୍ଷର ପ୍ରାୟ ପାଞ୍ଚଶହ ଅଶ୍ୱାରୋହୀ ମିଳିତଭାବରେ ଗଡ଼ଖାଇ ଭିତରକୁ ପଶି ଏକ ଭାସମାନ ବୋଇତରେ ପରିଣତ ହୋଇଥାନ୍ତି । କେତେକ କଚ୍ଛପୀ ଦୁର୍ଗ ପ୍ରାଚୀର ଚଢ଼ିବା ଉଦ୍ୟମରେ ସଫଳତା ଲାଭକରି ଦୁର୍ଗ କାନ୍ଥରେ ନିଶୁଣି ଲଗାଉଛନ୍ତି । ଶତ୍ରୁ ପକ୍ଷରୁ ଏଭଳି ଦ୍ରୁତ ଗତିରେ ଲକ୍ଷ୍ୟଭେଦୀ ଶରମାନ ଆସୁଛି ଯେ, ତାହା ବିରୁଦ୍ଧରେ ବିଶେଷ କିଛି କରିବା କଷ୍ଟକର ହୋଇଉଠୁଛି-। କଚ୍ଛପୀ ଏବଂ ଅଶ୍ୱାରୋହୀମାନେ ଆତ୍ମରକ୍ଷାକାରୀଙ୍କର ତୀବ୍ରଶର ନିକ୍ଷେପକୁ ଖାତିର ନ କରି କାଠ ପଟାରେ ଗଡ଼ଖାଇ ଉପରେ ଗୋଟିଏ ପୋଲ ତିଆରି କରିଦେଲେ । ଏହି ସମୟରେ କେତେକ ନୂତନ କଚ୍ଛପୀ ଆକ୍ରମଣରେ ଯୋଗଦେଇ ନିଶୁଣି ସାହାଯ୍ୟରେ ଦୁର୍ଗ ପ୍ରାଚୀର ଉପରକୁ ଚଢ଼ିବାକୁ ଉଦ୍ୟମ କଲେ । ଏହି ସଫଳତା ପରେ ଶତ୍ରୁ ଛାଉଣୀରେ ଆନନ୍ଦର କୋଳାହଳ ଖେିଳିଗଲା । କାରଣ ଖାଲି ଯେ କଚ୍ଛପୀମାନେ ଗଡ଼ଖାଇ ପାର ହୋଇଯାଇଛନ୍ତି ସେତିକି ନୁହେଁ, ତାହା ସଙ୍ଗେ ସଙ୍ଗେ ପଦାତିକ ଧନୁର୍ଦ୍ଧାରୀମାନେ ଦୁର୍ଗ ପ୍ରାଚୀର ଉପରେ ଥାଇ ଯୁଦ୍ଧ କରୁଥିବା ଭୀମଦେବଙ୍କ ସୈନ୍ୟମାନଙ୍କୁ ଆକ୍ରମଣ କରି ସେମାନଙ୍କୁ ବିଚଳିତ କରିପାରିଛନ୍ତି ।

 

ମାତ୍ର ପାରମାରଙ୍କ ବୀରତ୍ୱ ଥିଲା ଅଦ୍ଭୁତ । ଶତ୍ରୁଦ୍ୱାର ନିର୍ମିତ ପୋଲଟିକୁ ନଷ୍ଟ କରିବାକୁ ସେ ବହୁତ ଚେଷ୍ଟା କଲେ ଏବଂ ନିଜେ ଏକାକୀ ବହୁସଂଖ୍ୟକ କଚ୍ଛପୀଙ୍କୁ ହତ୍ୟା କଲେ । କିନ୍ତୁ ତାଙ୍କ ସୈନ୍ୟମାନେ ଦୁର୍ବଳ ହୋଇଯାଉଥିବାରୁ ସେ ଶତ୍ରୁ ଆକ୍ରମଣର ସମ୍ମୁଖୀନ ହୋଇପାରିଲେ ନାହିଁ । ପ୍ରତି ମୁହୂର୍ତ୍ତରେ ସେ ପଚାରୁଥାନ୍ତି, “ଭୀମଦେବ ମହାରାଜ କାହାନ୍ତି ?” ଭୀମଦେବ ସେଠାରେ ପହଞ୍ଚିବା ପର୍ଯ୍ୟନ୍ତ ଦୁର୍ଗର ସେହି ଦ୍ୱାରକୁ ରକ୍ଷା କରିବାପାଇଁ ପାରମାର ଦୃଢ଼ପ୍ରତିଜ୍ଞ ଥାନ୍ତି । ସେ ଶତ୍ରୁର ବହୁ ସଂଖ୍ୟକ କଚ୍ଛପୀ ଓ ଅଶ୍ୱାରେହୀ ସୈନ୍ୟଙ୍କୁ ମାରିଥିଲେ ସୁଦ୍ଧା ସେ ଯେତେ ମାରୁଥାନ୍ତି ତାଙ୍କ ସ୍ଥାନରେ ଚାରିଗୁଣ ଆସି ପହଞ୍ଚୁଥାନ୍ତି । ଶେଷକୁ ସେ ଏକ ସୁଦୃଢ଼ ଗଦା ହାତରେ ଧରି ପାଚେରି ଧାରରେ ଠିଆହେଲେ ଓ ପାଚେରି ଚଢ଼ିବାକୁ ଚେଷ୍ଟା କରୁଥିବା କଚ୍ଛପୀମାନଙ୍କୁ ଗଦାରେ ପିଟି ତଳକୁ ଖସାଇବାକୁ ଲାଗିଲେ ।

 

ପାରମାରଙ୍କ ଅଦ୍ଭୁତ ବୀରତ୍ୱରେ ଅନୁପ୍ରାଣିତ ହୋଇ ତାଙ୍କ ସୈନ୍ୟମାନେ ଅଧିକ ବୀରତ୍ୱ ଦେଖାଇବା ପାଇଁ ଚେଷ୍ଟା କଲେ । ଦ୍ୱାରର ସର୍ବୋଚ୍ଚ ସ୍ଥାନରେ ପଚିଶ ଜଣ ସଶସ୍ତ୍ର ସୈନ୍ୟ ତାଙ୍କୁ ଘେରି ଜଗିବାପାଇଁ ଠିଆହେଲେ । ପାରମାର ପ୍ରାଣମୂର୍ଚ୍ଛାରେ ଲଢ଼ୁଥାନ୍ତି । ପରାଜୟର ବହୁ ସୂଚନା ମିଳୁଥାଏ ।

 

ଏହି ସମୟରେ ଗୋଟିଏ ଖୁବ୍‍ ସବଳ କକେଶୀୟ ସୈନ୍ୟ ନିଜକୁ ସୁଦୃଢ଼ ପୋଷାକରେ ଆବୃତ କରି ନିଶୁଣିରେ ଚଢ଼ିବାକୁ ଆରମ୍ଭ କଲା । ସେ ଦୁର୍ଗ ଉପରକୁ କୁଦାମାରି ଚଢ଼ିଯିବାକୁ ଉଦ୍ୟମ କରୁଥିବା ଅବସ୍ଥାରେ ପାରମାର ତାହା ଉପରକୁ ଡେଇଁପଡ଼ି ତାକୁ ଦୁର୍ଗ ତଳକୁ ଗଡ଼ାଇଦେବାକୁ ଚେଷ୍ଟାକଲେ । ଏହି ପରିସ୍ଥିତିରେ ତାହା ପଛରେ ଆସୁଥିବା ତା’ର ତିନିଜଣ ସାହାଯ୍ୟକାରୀ କଚ୍ଛପୀ ସୈନ୍ୟ ତାକୁ ସାହାଯ୍ୟ କରିବାକୁ ଚେଷ୍ଟା କଲେ । ଠିକ୍‍ ଏହି ସମୟରେ ଶତ୍ରୁପକ୍ଷର ଗୋଟିଏ ଶର ଆସି ପାରମାରଙ୍କ କଣ୍ଠରେ ବିଦ୍ଧ ହୋଇଗଲା । ପାରମାର ଭୀମଦେବଙ୍କ ନାମ ଉଚ୍ଚାରଣ କରି ସେହି ପୃଥୁଳକାୟ କକେଶୀୟ ସୈନ୍ୟଟି ଉପରେ ମାଡ଼ିପଡ଼ିଲେ-। ଏହା ଫଳରେ ଆକ୍ରମଣକାରୀ କକେଶୀୟ ସୈନ୍ୟଟି ଓ ସେ ନିଜେ ପ୍ରାଚୀର ତଳକୁ ପେଲି ହୋଇଗଲେ ଓ ପରମୁହୂର୍ତ୍ତରେ ଉଭୟେ ଶୂନ୍ୟେ ଶୂନ୍ୟେ ଖସି ଖାଇରେ ପଡ଼ିଲେ । କଚ୍ଛପୀମାନଙ୍କ ନିଶୁଣି ମଧ୍ୟ ଦୁର୍ଗ ପାଚେରିରୁ ଖସି ପଡ଼ିଲା । ଦୁର୍ଗ ଉପରୁ ଧନୁର୍ଦ୍ଧାରୀମାନେ ଶର ମାରି କଚ୍ଛପୀମାନଙ୍କୁ ଶେଷ କଲେ । ପାରମାର ନିଜେ ଜୀବନକୁ ମୃତ୍ୟୁମୁଖରେ ଦେଇ ଜୁନାଗଡ଼ ଦ୍ୱାର ରକ୍ଷା କରିବାରେ ସଫଳ ହେଲେ ।

 

ପାରମାରଙ୍କ ଏ ଦୁର୍ଗତିରେ ତାଙ୍କ ସୈନ୍ୟମାନଙ୍କ ମଧ୍ୟରେ ହତାଶ ଭାବ ଖେଳିଗଲା । ଠିକ୍‍ ଏହି ମୁହୂର୍ତ୍ତରେ ଭୀମଦେବ ନିଜର ଧନୁର୍ଦ୍ଧାରୀମାନଙ୍କ ସହ ଆସି ସେଠାରେ ପହଞ୍ଚି କଚ୍ଛପୀମାନଙ୍କ ସହ ପାରମାର ତଳକୁ ପଡ଼ିଯାଉଥିବା ଦେଖିଲେ । ଭେଳା ଓ ଘୋଡ଼ାଗୁଡ଼ିକ ପାଣିରେ ଏକାଠି ପଡ଼ିଛନ୍ତି । ପାରମାର ଭୀମଦେବଙ୍କର ନିଜ ପୁଅ ଅପେକ୍ଷା ଅଧିକ ପ୍ରିୟ ଏବଂ ବନ୍ଧୁ ଅପେକ୍ଷା ଅଧିକ ବିଶ୍ୱାସୀ ଥିଲେ । ତାଙ୍କର ଆଦେଶକ୍ରମେ ପାରମାର ନିଜର ପିତା, ମାତା ଓ ନବ ବିବାହିତା ପତ୍ନୀଙ୍କୁ ଛାଡ଼ି ଯୁନ୍ଧରେ ଯୋଗ ଦେଇଥିଲେ । ଦୁର୍ଗ ପ୍ରାଚୀର ଉପରୁ ପତନ ସମୟରେ ତାଙ୍କ ମୁହଁରୁ “ଭୀମଦେବ” ବୋଲି ଏକମାତ୍ର ଶବ୍ଦ ବାହାରିଥିଲା । ପାଟଣ ତଥା ନିଜ ପରିବାରର ଦେବତାଙ୍କର ରକ୍ଷା ନିମନ୍ତେ ପାରମାର ପ୍ରାଣ ପ୍ରାୟଶ୍ଚିତ୍ତ କରିଥିଲେ ।

 

ଏ ପରିସ୍ଥିତିରେ ଭୀମଦେବ ମହାରାଜ ତାଙ୍କୁ ପ୍ରିୟ ବନ୍ଧୁ ଛଡ଼ା ଆଉ କିଛି ଭାବିପାରିଲେ ନାହିଁ । ଆହତ ପାରମାର ସିଂହପରି ଏକୁଟିଆ ଲଢ଼ୁଥିବା ଦୃଶ୍ୟ ସେ ନିଜ ଆଖିରେ ଦେଖିଛନ୍ତି । “ଧୈର୍ଯ୍ୟ ଧର ପାରମାର” ବୋଲି କହି ଭୀମଦେବ ଗଡ଼ଖାଇକୁ ଡେଇଁପଡ଼ିଲେ । ଏହି ଅଦ୍ଭୁତ ସାହସ ଓ ଆତ୍ମତ୍ୟାଗ ଦେଖି ପ୍ରତ୍ୟେକ ଲୋକ ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ । ନିଜ ପ୍ରଭୁଙ୍କର ସମ୍ମାନ ପାଇଁ ଲଢ଼ୁଥିବା ପାଟଣର ଧନୁର୍ଦ୍ଧାରୀମାନେ ମୃତ୍ୟୁକୁ ଭୟ କରନ୍ତି ନାହିଁ । ଭୀମଦେବଙ୍କ ପରେ ପରେ ପଚିଶ ଜଣ ଯାକ ଧନୁର୍ଦ୍ଧାରୀ ମଧ୍ୟ ଗୋଟିକ ପରେ ଗୋଟିଏ ଗଡ଼ଖାଇ ଭିତରକୁ ଡେଇଁପଡ଼ିଲେ । ପାଣି ଭିତରେ ପଡ଼ି ଯୁଦ୍ଧ କରୁଥିବା ରାଜା ଓ ସୈନ୍ୟମାନଙ୍କ ଶତ୍ରୁପକ୍ଷର ହସ୍ତୀବାହିନୀ ଓ ଧନୁର୍ଦ୍ଧାରୀମାନେ ଯେପରି କିଛି କ୍ଷତି କରି ନ ପାରନ୍ତି, ଦୁର୍ଗ ଉପରେ ଥିବା ଅନ୍ୟ ସୈନ୍ୟମାନେ ତାହାର ପ୍ରତିକାର କଲେ ।

 

ତଳେ ଗଡ଼ଖାଇ ଭିତରେ ପ୍ରବଳ ଯୁଦ୍ଧ ଚାଲିଲା । ପାରମାରଙ୍କୁ ହତ୍ୟା କରିବାପାଇଁ ଆଘାତ କରୁଥିବା ଶତ୍ରୁବାହିନୀର ଗୋଟିଏ ସୈନ୍ୟ ଉପରକୁ ଭୀମଦେବ ଡେଇଁପଡ଼ି ତାଙ୍କୁ ହତ୍ୟା କଲେ । ତାହାପରେ ପହଁରିବାକୁ ଚେଷ୍ଟା କରୁଥିବା ଏକ ଘୋଡ଼ା ଉପରେ ବସିଯାଇ ଭୀମଦେବ ପାଟିକରି କହିଲେ, “ପାରମାର, ଆସ, ପହଁରୁଥିବା ଗୋଟିଏ ଘୋଡ଼ା ଉପରେ ବସିଯାଇ ମୋ ପଛେ ପଛେ ଆସ ।” କିନ୍ତୁ ଆହତ ପାରମାରଙ୍କ ପକ୍ଷେ ଘୋଡ଼ା ଚଢ଼ିବା ସହଜ ହେଲା ନାହିଁ ।

 

ମୁସଲମାନ ସୈନ୍ୟମାନେ ଏ ଦୃଶ୍ୟ ଦେଖି ଆବା କାବା ହୋଇଗଲେ । ଦୁର୍ଗ ଉପରୁ ଡେଇଁଥିବା ଭୀମଦେବଙ୍କର ପ୍ରତ୍ୟେକଟି ସୈନ୍ୟ ଖାଇରେ ପଡ଼ି ଶତ୍ରୁ ସୈନ୍ୟ ସହିତ ପ୍ରବଳ ଯୁଦ୍ଧ କଲେ । ଶାଣିତ ତରବାରି ଚତୁର୍ଦ୍ଦିଗରେ ଝଲକୁଥାଏ । ଶତ୍ରୁର ବହୁସଂଖ୍ୟକ ସୈନ୍ୟ ଥିବା ସ୍ଥଳେ ପାଟଣର ମାତ୍ର ପଚିଶଟିରୁ ଅଧିକ ସୈନ୍ୟ ନ ଥିଲେ ।

 

ଏହି ସମୟରେ ରତ୍ନାଦିତ୍ୟ ଆସି ସେଠାରେ ପହଞ୍ଚି ଭୀମଦେବ ମହାରାଜାଙ୍କ ଅସାଧାରଣ ବୀରତ୍ୱ ଓ ସାହସ ଦେଖି ଉତ୍ସାହିତ ହେଲେ । ସେ ଜଣେ କୌଶଳୀ ଯୋଦ୍ଧା । ଯୁଦ୍ଧକ୍ଷେତ୍ରରେ ଅପ୍ରତ୍ୟାଶିତ ଆକ୍ରମଣ ଫଳରେ ଜୟ ଲାଭ ହୁଏ ବୋଲି ସେ ଭଲରୂପେ ଜାଣିଥିଲେ-। ସେ ଚତୁରତାର ସୀମା ଟପିଗଲେ ଏବଂ ନିଜର ସୈନ୍ୟମାନଙ୍କୁ ତାଙ୍କ ପଛେ ପଛେ ଆସିବାକୁ କହି ସେ ଯାଇ ହଠାତ୍‍ ଜୁନାଗଡ଼ ଦ୍ୱାର ଖୋଲିଦେଲେ । ସେ ଏହା କରୁଛନ୍ତି ବୋଲି କେହି ସୁଦ୍ଧା ଭାବି ନ ଥିଲେ ।

 

ଶରଜାଲର ଅନ୍ତରାଳରୁ ଧନୁର୍ଦ୍ଧାରୀମାନେ ତାଙ୍କୁ ଦେଖିପାରୁନଥିଲେ । ଯେଉଁ ଦଉଡ଼ିରେ ଡଙ୍ଗାମାନ ଖାଇକୂଳରେ ବନ୍ଧା ହୋଇଥିଲା ତାହା ରତ୍ନାଦିତ୍ୟ ଏବଂ ତାଙ୍କ ସୈନ୍ୟମାନେ ଖୋଲିଦେଇ ଡଙ୍ଗାରେ ବସିଥିବା ଶତ୍ରୁସୈନ୍ୟମାନଙ୍କୁ ମାରିଦେଲେ ବା ବୁଡ଼ାଇଦେଲେ । ତାହାପରେ ରତ୍ନାଦିତ୍ୟଙ୍କ ସୈନ୍ୟମାନେ ଭୀମଦେବ ଯୁଦ୍ଧ କରୁଥିବା ସ୍ଥାନରେ ପହଁରି ପହଁରି ଯାଇ ପହଞ୍ଚିଲେ । ରତ୍ନାଦିତ୍ୟ “ଜୟ ସୋମନାଥ” ଧ୍ୱନି କରିଉଠିବାରୁ ଭୀମଦେବ ସଙ୍ଗେ ସଙ୍ଗେ “ଜୟ ସୋମନାଥ” କହି ପ୍ରତ୍ୟୁତ୍ତର ଦେଲେ । ପାରମାର ମଧ୍ୟ କ୍ଷୀଣ ସ୍ୱରରେ “ଜୟ ସୋମନାଥ” ଉଚ୍ଚାରଣ କଲେ ।

 

କିଛି ସମୟ ପାଇଁ ପ୍ରବଳ ଯୁଦ୍ଧ ଚାଲିଲା । ରତ୍ନାଦିତ୍ୟ ଓ ତାଙ୍କ ସୈନ୍ୟମାନେ ଭୀମଦେବଙ୍କୁ ଦୁର୍ଗର ଦ୍ୱାରଦେଶକୁ ନେଇ ଆସିଥିଲେ । ପାରମାର ଏବଂ ଜୀବିତ ଥିବା ସତର ଜଣ ପାଟଣ ସୈନ୍ୟ ମଧ୍ୟ ଦୁର୍ଗ ଭିତରେ ପଶିଗଲେ । ଜୁନାଗଡ଼ ଦ୍ୱାର ଯେପରି ହଠାତ୍‍ ଖୋଲିଥିଲା, ସେହିପରି ହଠାତ୍‍ ବନ୍ଦ ହୋଇଗଲା ।

 

ଭୀମଦେବ ଆହତ ପାରମାରଙ୍କର ମୁଣ୍ତକୁ ତାଙ୍କ କୋଳ ଉପରେ ରଖି ପାଣି ପିଆଇଲେ । ପାରମାରଙ୍କର ଟିକିଏ ଚେତା ଆସିବାରୁ ସେ ଭୀମଦେବଙ୍କ ଉପରେ ଆଖି ରଖି “ଭୀମଦେବ ମହାରାଜ !” ବୋଲି କହିଉଠିଲେ ।

 

ଭୀମଦେବ ଆନନ୍ଦରେ ତାଙ୍କୁ କୁଣ୍ଢାଇପକାଇ ଲୋତକପୂର୍ଣ୍ଣ ଚକ୍ଷୁରେ କହିଲେ, “ପାରମାର ! ଆଜି ତୁମେ ଅମରତ୍ୱ ଲାଭ କରିଛ ।”

 

ପାରମାର କ୍ଷୀଣ ସ୍ୱରରେ କହିଲେ, “ଜୟ ସୋମନାଥ ! ମହାରାଜ, ମୋତେ ବିଦାୟ ଦିଅନ୍ତୁ !” ଏତିକି କହିବାକ୍ଷଣି ତାଙ୍କର ପ୍ରାଣବାୟୁ ଉଡ଼ିଗଲା ।

 

ଭୀମଦେବ ପାରମାରଙ୍କ ଛାତି ଉପରେ ମୁଣ୍ତ ରଖି ଶିଶୁପରି ଚିତ୍କାର କରି ଉଠିଲେ । ସର୍ବଜ୍ଞ ପଛରୁ ଆସି ତାଙ୍କ ହାତ ମହାରାଜାଙ୍କ ବାହୁ ଉପରେ ରଖି କହିଲେ, “ମହାରାଜ ! ନିଜର କର୍ତ୍ତବ୍ୟ କରୁ କରୁ ପାରମାରଙ୍କର ମୃତ୍ୟୁ ହୋଇଛି । ଆମର କର୍ତ୍ତବ୍ୟ କରିବାକୁ ଆହୁରି ବାକି ଅଛି । ଅପେକ୍ଷା କରନ୍ତୁ, ମୁଁ ଆପଣଙ୍କ କ୍ଷତସ୍ଥାନ ବାନ୍ଧିଦିଏ ।”

 

“ଗୁରୁଦେବ, ଆପଣ ଠିକ୍‍ କହୁଛନ୍ତି !” କହି ଭୀମଦେବ ଉଠିଲେ । ପାରାମାରଙ୍କ ମୃତ ଦେହକୁ ଗୁରୁଦେବଙ୍କ ଜିମା ଦେଇ ସେ ସିଧା ଦୁର୍ଗକାନ୍ଥ ନିକଟକୁ ଗଲେ ।

Image

 

Unknown

ଶିବରାଶିଙ୍କ ଗୁରୁ ଅବଜ୍ଞା

 

ବୀର ସହିତ କଥାବାର୍ତ୍ତା କରୁ କରୁ ଭୀମଦେବ ଅଳ୍ପ ସମୟ ମଧ୍ୟରେ ଅବସ୍ଥା ପର୍ଯ୍ୟବେକ୍ଷଣ କରିନେଲେ । ପ୍ରଧାନ ଦ୍ୱାରଦେଶରେ ଶତ୍ରୁର ପରାଜୟ ହୋଇଛି । ଶତ୍ରୁର ଗଜାରୋହୀ ଧନୁର୍ଦ୍ଧାରୀମାନେ ପଛଘୁଞ୍ଚା ଦେଇଥିଲେ ସୁଦ୍ଧା ଅଶ୍ୱାରୋହୀ-ଧନୁର୍ଦ୍ଧାରୀମାନେ ପ୍ରବଳ ଯୁଦ୍ଧ କରୁଛନ୍ତି । ଭୀମଦେବ ମନ୍ତ୍ରୀ ବିମଳଙ୍କ ସହିତ ଆଲୋଚନା କରିସାରି ଏବଂ ସେଠିକା ଦାୟିତ୍ୱ ତାଙ୍କୁ ଦେଇ ଦ୍ୱାରକା ଦ୍ୱାରକୁ ଗଲେ । ଏହି ଦ୍ୱାର ଆଗରେ ଗଡ଼ଖାଇ ସମୁଦ୍ରରେ ମିଶିଛି; ଫଳରେ ଏହି ଦ୍ୱାର ରକ୍ଷା କରିବା ଯଥେଷ୍ଟ ସହଜ ହୋଇଛି । ଏହିଠାରେ ଯୁଦ୍ଧ ପ୍ରାୟ ଶେଷ ହୋଇଯାଇଛି । ରତ୍ନାଦିତ୍ୟ ଚିନ୍ତାମଗ୍ନ ହୋଇ ଠିଆ ହୋଇଛନ୍ତି । ମହାରାଜ ଦଉଡ଼ିଯାଇ ତାଙ୍କୁ କୁଣ୍ଢାଇ ପକାଇ କହିଲେ, “ଧନ୍ୟ ରତ୍ନାଦିତ୍ୟ, ତୁମେ ଆଜି ମୋ ଜୀବନ ରକ୍ଷା କରିଛ ।”

ରତ୍ନାଦିତ୍ୟ ଉତ୍ତର ଦେଲେ, “ମୁଁ କ’ଣ ବଡ଼ କାମ କରିଛି ? ଆପଣଙ୍କୁ ରକ୍ଷାକରି ମୁଁ ମୋର କର୍ତ୍ତବ୍ୟ କରିଛି ମାତ୍ର ।”

ମହାରାଜ-‘‘ଦ୍ୱାର ଫିଟାଇ ଦେଇ ତୁମେ ଅପୂର୍ବ ସାହସ ଓ କୌଶଳର ପରିଚୟ ଦେଇଛ-। ତୁମ ବ୍ୟତୀତ ଅନ୍ୟ ଯେକୌଣସି ଲୋକ ସେ ପରିସ୍ଥିତିରେ ଇତସ୍ତତଃ ହୋଇଯାଇଥାନ୍ତା-।’’

ରତ୍ନାଦିତ୍ୟ ହସି ହସି କହିଲେ, “ତାହା ହୋଇପାରେ; କିନ୍ତୁ ଏତେବଡ଼ ଦୁର୍ଗ ପ୍ରାଚୀରରୁ ଖାଇକୁ ଡେଇଁବାକୁ ମୋର ଶକ୍ତି କାହିଁ ?” ଉଭୟ ସାହାସୀ ବନ୍ଧୁ ପରସ୍ପରକୁ ପୁଣି ଆଲିଙ୍ଗନ କଲେ-

ମହାରାଜ–‘‘ରତ୍ନାଦିତ୍ୟ, ଶତ୍ରୁ କାହିଁକି ଏତେ ଖେଳୁଛି ?’’

ରତ୍ନାଦିତ୍ୟ-‘‘ମୋତେ ମଧ୍ୟ ତାହା ଆଶ୍ଚର୍ଯ୍ୟ ଲାଗୁଛି । ମୁଁ ଭାବୁଛି, ସେମାନେ କୌଣସି କୌଶଳ କରିବାକୁ ଚେଷ୍ଟା କରୁଛନ୍ତି । ଅନ୍ଧକାର ହେବା ପୂର୍ବରୁ ଆମେ ଏହି ସ୍ଥାନରେ ଅଧିକ ସୈନ୍ୟ ରଖିବା ଉଚିତ । ଏହା କହିଲାବେଳେ ସେ ତାଙ୍କ ନିଶ ମୋଡ଼ୁଥାନ୍ତି ।’’

 

ମହାରାଜ–‘‘ମୁଁ ତୁମ ସହିତ ଏକମତ । ମୁଁ ସାଙ୍ଗେ ସାଙ୍ଗେ ଏଠାକୁ ଅଧିକ ସୈନ୍ୟ ପଠାଉଛି ।’’

 

ରତ୍ନାଦିତ୍ୟ-‘‘ମହାରାଜ ! ଆପଣ କ୍ଲାନ୍ତ ହୋଇଯାଇଥିବେ । ମୁଁ କ୍ଲାନ୍ତ ହୋଇନାହିଁ । ବର୍ତ୍ତମାନ ତ ସବୁ ଚୁପ୍‍ଚାପ୍‍ । ଆପଣ ଟିକିଏ ବିଶ୍ରାମ କାହିଁକି ନେଉନାହାନ୍ତି ? ରାତିକି ଆମ ଅବସ୍ଥା କ’ଣ ହେବ କିଏ କହିବ ?’’

 

ଭୀମଦେବ ମହାରାଜ ଉପରୁ ଆସି ଦେଖିଲେ, କେତେକ ସାଧୁ ସଂସ୍କାର କରିବାପାଇଁ ମୃତ ସୈନ୍ୟମାନଙ୍କ ଶବ ସଂଗ୍ରହ କରୁଛନ୍ତି । ଗୁରୁଦେବ ଆହତ ସୈନ୍ୟମାନଙ୍କର ସେବା-ଶୁଶ୍ରୂଷା କରିବାରେ ବ୍ୟସ୍ତ । ଭିତର ଦୁର୍ଗର ମନ୍ଦିରରେ ସେ ସେମାନଙ୍କ ରହିବାର ବ୍ୟବସ୍ଥା କରିଛନ୍ତି ।

 

ଯେଉଁ ମହାନ୍‍ ଗଙ୍ଗସର୍ବଜ୍ଞଙ୍କ ପାଦ ଶକ୍ତିଶାଳୀ ରାଜାମାନେ ଭକ୍ତିରେ ପୂଜା କରନ୍ତି, ସେ ଆଜି ସାଧାରଣ ଚିକିତ୍ସକଭାବେ ଆହତ ସୈନ୍ୟମାନଙ୍କର ସେବା-ଶୁଶ୍ରୂଷା କରୁଛନ୍ତି । ଲୋକମାନଙ୍କ ଖାଇବାର ଦାୟିତ୍ୱ ନେଇଛି ଦୀପ କୋଠରୀ ନିଜେ । ଏ ସବୁ କାର୍ଯ୍ୟ ଦେଖିସାରି ମହାରାଜା ଖୁସି ହୋଇ ଓ ସମସ୍ତଙ୍କୁ ଉତ୍ସାହ ଦେଇ ତାଙ୍କ କୋଠରୀକୁ ଗଲେ ।

 

ପ୍ରଧାନ ମନ୍ଦିର ନିକଟରେ ସେ ଯେତେବେଳେ ପହଞ୍ଚିଲେ ତାଙ୍କ ଆଗରେ ଠିଆ ହୋଇ ହରଦତ୍ତ ପାଟିକରି କହିଲା, “ମହାମାୟାଙ୍କର ଅପବିତ୍ରକାରୀ ! ତୁମ ମୁଣ୍ତ ଉପରେ ମୃତ୍ୟୁ ଝୁଲୁଛି ।’’ ଏହା ଶୁଣି ପ୍ରଥମେ ନିଜ ଖଣ୍ତା ବାହାର କରିବାକୁ ଭୀମଦେବ ଭାବିଲେ । କିନ୍ତୁ ସାଧୁ ପାଖରେ କୌଣସି ଅସ୍ତ୍ର ନ ଥିବା ଦେଖି ସେ ହସିଦେଲେ ଓ ହରଦତ୍ତକୁ ବାଟ ଭାଙ୍ଗି ଚାଲିଗଲେ ।

 

ଭୀମଦେବ ତାଙ୍କ କୋଠରୀରେ ପ୍ରବେଶ କରିବାବେଳେ ଉଲ୍ଲସିତ ଅନୁଭବ କରୁଥାନ୍ତି । ସତେ ଯେପରି କ’ଣ ଖୋଜୁଛନ୍ତି, ସେହିପରି ଚାରିଆଡ଼କୁ ଅନାଇଲେ । ଭୀମଦେବଙ୍କ ମନର କଥା ଜାଣିପାରି ବୀର ସଙ୍ଗେ ସଙ୍ଗେ କହିଲା, “ମହାରାଜ, ଏହି ପାଗଳୀ ଝିଅଟା-ଆପଣ ସେ ଛାତକୁ ଚାହାଁନ୍ତୁ । ଦିନଯାକ ସେ ସେଠାରେ ତା’ର ମା’ ପାଖରେ ଠିଆହୋଇ ଆପଣଙ୍କ କାର୍ଯ୍ୟ ଦେଖିଲାଗିଛି ।’’

 

ଭୀମଦେବ-‘‘ବୀର, ସାରା ଦୁନିଆ ଯେବେ ଏମିତି ପାଗଳ ହୁଅନ୍ତା ତେବେ କେତେ ଭଲ ହୁଅନ୍ତା ? ଥରେ ସେ ମୋ ପ୍ରତି ଆକୃଷ୍ଟ ହୋଇ ଯେପରି ଚାହିଁଥିଲା, ତାହା ମୁଁ ଭୁଲିପାରିବି ନାହିଁ ।’’

 

ବୀର–‘‘ସେ ଯାହାହେଉ, ଆପଣଙ୍କ ବ୍ୟତୀତ ଏବେ ତା’ ଆଖିଆଗରେ ଆଉ କେହି ଦିଶୁନାହାନ୍ତି ।’’

 

ମହାରାଜ ତାଙ୍କର ଅସ୍ତ୍ରଶସ୍ତ୍ର ଥୋଇ ସ୍ନାନ ଓ ଭୋଜନ ସାରି ଶୋଇବାକୁ ଗଲେ । ତାଙ୍କୁ ନିଦ ହେବା ପୂର୍ବରୁ ସେ ଏକ ପାଦଶବ୍ଦ ଶୁଣିବାକୁ ପାଇଲେ-ଠିକ୍‍ ଏକ ତ୍ରସ୍ତା ହରିଣୀ ପରି । ଆଖି ଫିଟାଇ ସେ ଚାହିଁଲେ-ଗୋଲାପୀ ଦୁଇଟି ପାଦ, ସୁକୋମଳ ଶରୀର, ଉନ୍ମୁକ୍ତ କେଶଦାମ ଭିତରେ ଲଜ୍ଜାବନତ ମୁଖ । ମଧୁର ସ୍ୱରରେ ସେ କହୁଛି, “ମାଆ, ମହାରାଜ ଆଜି ଚମତ୍କାର କାର୍ଯ୍ୟ କରିଛନ୍ତି-।’’ ଭୀମଦେବ ମନକୁ ମନ କହିଲେ, ‘ଶେଷ ଅଙ୍କ ଏବେବି ବାକି ଅଛି ।’

 

ଚୌଲା ମହାରାଜଙ୍କୁ ଦେଖିଲା । ତା’ର ମୁଖରେ ଲଜ୍ଜାର ରକ୍ତିମା ଦେଖାଦେଲା ଓ ପରିଧେୟ ସମ୍ଭାଳି ହସି ହସି ଲଜ୍ଜାବନତ ମୁଖରେ ତଳକୁ ଚାଲିଗଲା । କ୍ଲାନ୍ତ ଭୀମଦେବ ଆଖି ବନ୍ଦ କଲେ । ସେ ସ୍ୱପ୍ନରେ ତା’ର ସେହି ଗୋଲାପୀ ପାଦ, ସୁନ୍ଦର ସୁଢ଼ଳ ମୁଖ ଏବଂ ତାଙ୍କୁ ସ୍ୱାଗତ କରୁଥିବା ସେଇ ସୁନ୍ଦର ଆଖି ଦୁଇଟି ଦେଖିବାକୁ ପାଇଲେ ।

 

ମହାରାଜ ଦୁଇଘଡ଼ିମାତ୍ର ଶୋଇଛନ୍ତି କି ନାହିଁ, ଗୋଳମାଳ ଶବ୍ଦରେ ଉଠିପଡ଼ିଲେ ଓ ତାଙ୍କ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବାହାର ଛାତ ଉପରକୁ ଚାଲିଆସିଲେ । ଗୋଧୂଳି ସମୟ ହୋଇଗଲାଣି । ସୈନ୍ୟମାନେ ନାଚି ନାଚି, ଗୀତ ଗାଇ ଓ “ଜୟ ସୋମନାଥ’’ ଧ୍ୱନି ଦେଇ ବିଶ୍ରାମସ୍ଥାନକୁ ଯାଉଛନ୍ତି । ଆଗରେ ଗୁରୁଦେବ, ରତ୍ନାଦିତ୍ୟ ଏବଂ ଦଦ୍ଦା, ତାଙ୍କ ଚାରିପାଖେ ଆଲୋକଧାରୀମାନେ ଚାଲିଛନ୍ତି । ଭୀମଦେବଙ୍କୁ ଶୁଭ ଖବର ଦେବାଲାଗି ବିମଳ ସମସ୍ତଙ୍କ ଆଗରେ ଚାଲିଛନ୍ତି ।

 

ମହାରାଜ ହସି ହସି ପଚାରିଲେ, “ବିମଳ, କ’ଣ ହେଲା ?’’

 

ବିମଳ–‘‘ଶତ୍ରୁ ସୈନ୍ୟ ପଛକୁ ହଟିଯାଉଛନ୍ତି ।’’

 

ମହାରାଜ–‘‘ସତେ ନା ? ସେମାନେ କ’ଣ ଆଉ ଆକ୍ରମଣ କରୁନାହାନ୍ତି ?’’

 

ବିମଳ–‘‘ଆକ୍ରମଣ ? ତିନି ଦିଗରୁ ପ୍ରାୟ ଅଧ ମାଇଲ ପର୍ଯ୍ୟନ୍ତ ଶତ୍ରୁ ସୈନ୍ୟ ପଛକୁ ହଟିଗଲେଣି । ଆମର ବିଜୟ ।’’

 

ମହାରାଜା ଶୀଘ୍ର ଶୀଘ୍ର ପୋଷାକ ପିନ୍ଧି ପକାଇ ସୈନ୍ୟମାନଙ୍କର ସମ୍ୱର୍ଦ୍ଧନା ଗ୍ରହଣ କରିବାକୁ ତଳକୁ ଗଲେ । “ଭୀମଦେବ ମହାରାଜାଙ୍କର ଜୟ’’ ଧ୍ୱନି ଶୁଣାଗଲା । ମହାରାଜା ଗୁରୁଦେବଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି କହିଲେ, “ଗୁରୁଦେବ, ଆପଣଙ୍କର ଆଶୀର୍ବାଦହିଁ ଆମର ସମ୍ୱଳ ।’’

 

ଗୁରୁଦେବ-“ବତ୍ସ, ତୁମେ ଦୀର୍ଘଜୀବୀ ହୁଅ । ଆଜି ଆମେ ସମସ୍ତେ ପ୍ରଭୁ ଭୋଳାନାଥଙ୍କ ଆଶୀର୍ବାଦ ପାଇଁ ପ୍ରାର୍ଥନା କରିବା । ମୁଁ ତାଙ୍କର ଅକିଞ୍ଚନ ଭୃତ୍ୟ ମାତ୍ର; କିନ୍ତୁ ତୁମର ବୀରତ୍ୱ ଓ ଶୌର୍ଯ୍ୟ ଅମର ହେବ । ଠିକ୍‍ କାର୍ଯ୍ୟ କରିଛ । ଆସ ବତ୍ସ, ମୁଁ ଆଲିଙ୍ଗନ କରେ ।” ଗୁରୁଦେବ ମହାରାଜାଙ୍କୁ ଆଲିଙ୍ଗନ କରିବା ପରେ ରତ୍ନାଦିତ୍ୟ, ଦଦ୍ଦା ଏବଂ ତା’ପରେ ସେନାପତିମାନଙ୍କୁ ଆଲିଙ୍ଗନ କଲେ । ସମବେତ ସୈନ୍ୟ ଓ ସାଧାରଣ ଜନତା “ଜୟ ସୋମନାଥ” ଏବଂ “ଭୀମଦେବ ମହାରାଜାଙ୍କର ଜୟ” ଧ୍ୱନି ଦେଉଥାନ୍ତି । ସୈନ୍ୟମାନେ ଆନନ୍ଦରେ ନାଚି ଓ ଗୀତ ଗାଇ ବାଜା ବଜାଉଥାନ୍ତି ।

 

ଗୁରୁଦେବ କହିଲେ, “ମହାରାଜ, ସଂଧ୍ୟା ପ୍ରାର୍ଥନାର ସମୟ ହେଲାଣି । ଯେଉଁ ପ୍ରଭୁଙ୍କ କଲ୍ୟାଣ ଫଳରେ ଆମର ବିଜୟ ହୋଇଛି, ଚାଲନ୍ତୁ ତାଙ୍କୁ ପ୍ରାର୍ଥନା କରିବା ।”

 

ସମସ୍ତେ ଆନନ୍ଦରେ ହସି, ନାଚି ଓ ଚିତ୍କାର କରି ମନ୍ଦିରର ପ୍ରାର୍ଥନା ମଣ୍ତପକୁ ଗଲେ । ଗୁରୁଦେବ ସଂଧ୍ୟା-ପ୍ରାର୍ଥନା ଆରମ୍ଭ କଲେ । ଉପସ୍ଥିତ ଜନତା କ୍ଳାନ୍ତ ହୋଇଥିଲେ ସୁଦ୍ଧା ଆନନ୍ଦଭରା କଣ୍ଠରେ ତାହା ଗାନକଲେ ।

 

ପ୍ରାର୍ଥନା ଶେଷ ହେବା ପରେ ଗୁରୁଦେବ କହିଲେ, “ବନ୍ଧୁଗଣ, ଏଠାକୁ ପ୍ରଭୁଙ୍କ ରକ୍ଷା ନିମନ୍ତେ ଆସିଥିବା ଯୋଦ୍ଧାମାନଙ୍କୁ ମୁଁ ଆଶୀର୍ବାଦ କରୁଛି । ଆପଣମାନେ ଶହ ଶହ ବର୍ଷ ବଞ୍ଚି ଆମ ଧର୍ମର ଶତ୍ରୁମାନଙ୍କୁ ଧ୍ୱଂସ କରନ୍ତୁ । ଏହି କର୍ତ୍ତବ୍ୟ ପାଳନ କରି ମର୍ତ୍ତ୍ୟରେ ତଥା ସ୍ୱର୍ଗରେ ଆପଣଙ୍କ ଯଶ ବୃଦ୍ଧିପାଉ । ଆପଣମାନଙ୍କର ଏହି ଦୃଢ଼ତା ସବୁସମୟରେ ଅକ୍ଷୁର୍ଣ୍ଣ ରହିବ ବୋଲି ମୋର ଆଶା-। ଆପଣମାନଙ୍କର ଏହି କାର୍ଯ୍ୟ ଭବିଷ୍ୟତ ବଂଶଧରମାନଙ୍କୁ ଅନୁପ୍ରାଣିତ କରି ସେମାନଙ୍କୁ ଠିକ୍‍ ପଥରେ ଚଳାଉ । ମହାରାଜାଧିରାଜ, ପରମ ଭକ୍ତ ଶ୍ରୀ ଚାଲୁକ୍ୟ, ତୁମର ଶତାଧିକ ବର୍ଷ ପରମାୟୁ ହେଉ । ତାଙ୍କ ବକ୍ତବ୍ୟ ଶେଷ ହେବାକ୍ଷଣି ସମସ୍ତେ ପୂର୍ଣ୍ଣ ନୀରବ ହୋଇଗଲେ ।

 

ହଠାତ୍‍ କିଛି ଦୂରସ୍ଥ ଏକ ଅନ୍ଧାରୁଆ ଖୁଣ୍ଟ ଆଢ଼ୁଆଳରୁ କଦାକାର ଚେହେରାବିଶିଷ୍ଟ ଜଣେ ବ୍ୟକ୍ତି ବାହାରିଆସି ଗୁରୁଦେବଙ୍କଠାରୁ କିଛି ଦୂରରେ ଠିଆହେଲା-ମତେ ଯେପରି ପ୍ରଭୁ ରୁଦ୍ର ଦେଖାଦେଇଛନ୍ତି । ସେ ତା’ର ତ୍ରିଶୂଳଟି ଗୁରୁଦେବଙ୍କ ଆଡ଼କୁ ଦେଖାଇ ଆତଙ୍କଜନକ ସ୍ୱରରେ କହିଲା, “ତୁମେମାନେ ଆମ ଧର୍ମର ବିଶ୍ୱାସଘାତକ । ଗର୍ବରେ ତୁମେମାନେ ଯାହା କରିଯାଉଛ ତାହା ସମସ୍ତକୁ ବିନାଶ କରିବ । ମହାମାୟାଙ୍କର ଅପବିତ୍ରକାରୀ ଭୀମଦେବ, ତୁମେ ଓ ତୁମର ଗୁରୁ, ଯେଉଁମାନେ କି ଆମ ଧର୍ମ ନଷ୍ଟ କରିଛ; ଦୁହେଁଯାକ ଅଚିରେ ମୃତ୍ୟୁମୁଖରେ ପଡ଼ିବ । ଯେଉଁ ସ୍ଥାନରେ ତୁମେମାନେ ଏପରି ଅନ୍ୟାୟ କରିଛ, ସେଠାରେ ଶୃଗାଳ ବୁଲିବେ ଏବଂ ତୁମ ଶବଉପରେ ଶାଗୁଣା ଉଡ଼ିବେ ।” ଏ ଭୟାନକ ବିକଟାଳ ସ୍ୱର କ୍ଷଣକ ମଧ୍ୟରେ ନୀରବ ହେଲା । ସମବେତ ସୈନ୍ୟମାନେ ଏହି ଲୋକକୁ ହତ୍ୟା କରିବାପାଇଁ ନିଜ ନିଜର ଖଣ୍ତା ବାହାର କଲେ । ଭୀମଦେବ ତାଙ୍କ ତରବାରି ଓ ରତ୍ନାଦିତ୍ୟ ତାଙ୍କ କଟାରି ଉଞ୍ଚାଇଲେ । ଦଦ୍ଦା ନିଜ ହାତରେ ଆଖି ବନ୍ଦ କରି ଥରି ଥରି ବସିପଡ଼ିଲେ । ଗୁରୁଦେବ ଶାନ୍ତି ପ୍ରତିଷ୍ଠା କରିବା ପର୍ଯ୍ୟନ୍ତ କୋଳାହଳ ଲାଗିରହିଲା ।

 

ଗୁରୁଦେବ କହିଲେ, “ସାହସୀ ଯୋଦ୍ଧାବୃନ୍ଦ, ଯୁଦ୍ଧପାଇଁ ପ୍ରସ୍ତୁତିଜନିତ କ୍ଳାନ୍ତି ଏବଂ ପ୍ରାୟଶ୍ଚିତ୍ତର କଠୋରତାରେ ମୋର ଶିଷ୍ୟ ଶିବରାଶିଙ୍କର ମୁଣ୍ତ ଗୋଳାମାଳ ହୋଇଛି । ସେ ଯାହା କହିଲେ, ତାହା ଭୁଲିଯାଅ । କ୍ଷମା ଦେବାହିଁ ବୀରତ୍ୱର ପରିଚାୟକ ।” ଏହା କହିସାରି ଗୁରୁଦେବ ଶିବରାଶିଙ୍କ ଆଡ଼କୁ ଗଲେ । ଦୁଇଜଣଙ୍କର ଚିତ୍ର ଠିକ୍‍ ପରସ୍ପରର ବିପରୀତ ଦେଖାଯାଉଥାଏ । ଶିବରାଶି ଦୀର୍ଘ ଜଟା ଓ କମ୍ୱଳ ଆବୃତ । ସେ ଭୟାବହ ବେଶରେ ପ୍ରଳୟର ଅବତାର ରୁଦ୍ରଙ୍କ ପରି ଦେଖାଯାଉଥିଲେ । ଅନ୍ୟଦିଗରେ ଦୀର୍ଘ ଶୁଭ୍ର କେଶବିଶିଷ୍ଟ ଗୁରୁଦେବ ସତ୍ୟ, ଶିବ ଓ ସୁନ୍ଦରର ଅବତାର ପ୍ରଭୁ ଶମ୍ଭୁଙ୍କ ପରି ଦେଖାଯାଉଥାନ୍ତି । ଦୁଇଜଣଯାକ ତପସ୍ୱୀ-ଶିବରାଶି ତୀବ୍ର କ୍ରୋଧୀ, ଅନ୍ୟପକ୍ଷରେ ଗୁରୁଦେବ ଶାନ୍ତି ଓ ଦୟାର ପ୍ରତୀକ । ମୁହୂର୍ତ୍ତକପାଇଁ ଗୁରୁଦେବ ଓ ଶିଷ୍ୟ ପରସ୍ପରକୁ ଚାହିଁଲେ । ସତେ ଯେପରି ସ୍ନେହମୟୀ ମାଆ କହୁଛି, ସେହିପରି ସ୍ୱରରେ ଗୁରୁଦେବ କହିବାର ଶୁଣିଗଲା, “ଶିବରାଶି, ଯେ ନିଜକୁ ସଂଯତ କରିନପାରେ, ସେ ଆାତ୍ମଘାତୀ । ତୁମେ ଆସ । ନିଜ ଆୟତ୍ତରେ ତୁମେ ନାହିଁ । ତୁମେ ଅସୁସ୍ଥ ।”

 

ପଦେ ସୁଦ୍ଧା କଥା ନ କହି ଶିବରାଶି ତାଙ୍କ ଓଠ ଚିପି ମୁହଁ ବନ୍ଦ କଲେ । ସେ କହିବାକୁ ଚେଷ୍ଟାକରି ସୁଦ୍ଧା କିଛି କହିପାରିଲେ ନାହିଁ ।

 

ଗୁରୁଦେବ ସେହ୍ନଭରା କଣ୍ଠରେ ପୁଣି କହିଲେ, “ବତ୍ସ ! ଆସ !” ଶିବରାଶିଙ୍କ ହୃଦୟରୁ ସତେ ଯେପରି ଅଗ୍ନିଶିଖା ଉଠୁଥାଏ, ସେହିପରି ଜଣାଗଲା । ତାଙ୍କ କଣ୍ଠ ରୁଦ୍ଧ ଓ ଆଖି ଲାଲ । ଏହି ବୃଦ୍ଧଙ୍କୁ ଆଘାତ କରିବାକୁ ତାଙ୍କର ମନ ହେଲା; କିନ୍ତୁ ଏହି ଇଚ୍ଛାକୁ କାର୍ଯ୍ୟକାରୀ କରିବାପାଇଁ ହାତ ଉଠିଲା ନାହିଁ ।

 

ଏକ ଦୁଷ୍ଟ ସାପକୁ ପୋଷା ମନାଇଲାଭଳି ସ୍ୱରରେ ଗୁରୁଦେବ କହିଲେ, “ଆସ ବତ୍ସ ।” ଏହି ସ୍ୱରରେ ଦୃଢ଼ତା ଥିଲାପରି ଜଣାଯାଉଥିଲା ।

 

ତାଙ୍କ କଥା ଅମାନ୍ୟ କରିବାପାଇଁ ଶିବରାଶି ପୁଣି ଉଦ୍ୟମ କଲେ । କିନ୍ତୁ ବହୁବର୍ଷର ଅଭ୍ୟାସବଶତଃ ଗୁରୁଦେବଙ୍କ ଶାନ୍ତି ଓ ସ୍ନେହପୂର୍ଣ୍ଣ ବାଣୀକୁ ଅମାନ୍ୟ କରିବା ସମ୍ଭବପର ହେଲା ନାହିଁ । ସେ ଚାରିଆଡ଼କୁ ଅନାଇଲେ ଏବଂ ଚାରିପାଖରେ ଠିଆହୋଇଥିବା ସୈନ୍ୟମାନଙ୍କୁ ଚାହିଁ ଗୁରୁଦେବଙ୍କର ସମ୍ମୁଖୀନ ହେଲେ ।

 

ଗୁରୁଦେବ ଶିବରାଶିଙ୍କ କାନ୍ଧ ଉପରେ ହାତ ପକାଇ ଏଥର କ୍ଷୀଣ ସ୍ୱରରେ କହିଲେ, “ମୋ ସାଙ୍ଗରେ ଆସ ।” ଠିକ୍‍ ପୋଷା ମେଣ୍ଡାଟିଏ ପରି ଶିବରାଶି ଗୁରୁଦେବଙ୍କ ସାଙ୍ଗରେ ଗଲେ । ମୁହୂର୍ତ୍ତକ ମଧ୍ୟରେ ଉଭୟେ ଦୃଷ୍ଟିର ଅନ୍ତରାଳକୁ ଚାଲିଗଲେ ।

 

ଏହାପରେ ରତ୍ନାଦିତ୍ୟ “ଭୀମଦେବ ମହାରାଜାଙ୍କର ଜୟ ହେଉ” ଧ୍ୱନି କରି ସ୍ଥାନର ନୀରବତା ଭାଙ୍ଗିଲେ । ସମସ୍ତେ ଏକସମୟରେ କଥାବାର୍ତ୍ତା ବା ଜୟଧ୍ୱନି କରିବାକୁ ଲାଗିଲେ ।

 

ଭୀମଦେବ କହିଲେ, “ମୋର ପ୍ରିୟ ଯୋଦ୍ଧାଗଣ, ଆମେ ଖୁସି ହେଲେ ସୁଦ୍ଧା ନିଶ୍ଚିନ୍ତ ହେଲେ ଚଳିବ ନାହିଁ । ଆମର ଯେଉଁ ବୀର ଯୋଦ୍ଧାମାନେ ଜୀବନ ଦେଇଛନ୍ତି, ପ୍ରଥମେ ସେମାନଙ୍କର ଶବସଂସ୍କାର କରିବାକୁ ହେବ । ତା’ପରେ ଆପଣମାନେ ଭୋଜନ କରି ଓ ବିଶ୍ରାମ ନେଇ ପୁଣି ଅକ୍ଳାନ୍ତ ପରିଶ୍ରମ ପାଇଁ ପ୍ରସ୍ତୁତ ହେବାକୁ ହେବ । ଶତ୍ରୁର କ’ଣ ଅସତ୍‍ କଳ୍ପନା ଅଛି, ତାହା କିଏ କହିପାରିବ ?”

 

ମୃତ ସାଥୀମାନଙ୍କର ଶବ ସଂସ୍କାର କରିବା ଉଦ୍ଦେଶ୍ୟରେ ସୈନ୍ୟମାନେ ଦ୍ୱାରିକା ଦରଜାକୁ ଗଲେ । ବତ୍ରିଶଶହ ସୈନ୍ୟ ମରିଥିଲେ ଓ ପନ୍ଦରଶହ କ୍ଷତ ବିକ୍ଷତ ହୋଇଥିଲେ । ପ୍ରତ୍ୟେକ ଯୋଦ୍ଧା ଶତ୍ରୁପକ୍ଷର ପାଞ୍ଚ ସାତ ଜଣ ସୈନ୍ୟ ମାରିଥିବାରୁ ଗର୍ବ ଅନୁଭବ କରୁଥାନ୍ତି ।

 

ପରେ ସନ୍ଧ୍ୟାବେଳେ ମହାରାଜ ଭୀମଦେବ ଓ ରତ୍ନାଦିତ୍ୟ ଉଭୟେ ପୁଣି ଦୁର୍ଗ ପର୍ଯ୍ୟବେକ୍ଷଣ କରି ସମସ୍ତ ଆୟୋଜନ ଦେଖିଲେ । ପରଦିନ ପାଇଁ ସବୁ ବ୍ୟବସ୍ଥା ହେବା ପେରେ ସେମାନେ ନିଜ ନିଜ କକ୍ଷକୁ ବିଶ୍ରାମ ନେବାପାଇଁ ଗଲେ ।

 

ରତ୍ନାଦିତ୍ୟ କହିଲେ, “ମହାରାଜ, ଟିକିଏ ବିଶ୍ରାମ ନେଇସାରିବା ପରେ କାମରେ ହାଜର ହେବି । ହମୀର୍‍ ତା’ର ସୈନ୍ୟ ପଛକୁ ହଟାଇ ନେଉଛି । ଏଥିରେ କୌଣସି ଷଡ଼ଯନ୍ତ୍ର ଥିବାର ମୁଁ ସନ୍ଦେହ କରୁଛି ।”

 

ଭୀମଦେବ କହିଲେ, “ଉତ୍ତମ, ଦରକାର ହେଲେ ମୋତେ ଖବର ଦେବ ।”

Image

 

ଆନନ୍ଦର ମୁହୂର୍ତ୍ତ

 

ଭୀମଦେବ ଅତ୍ୟନ୍ତ ଆମନ୍ଦ ମନରେ ଶୟନକକ୍ଷକୁ ଫେରିଗଲେ-ସତେ ଯେପରି ସେ ଦିବ୍ୟ ସଙ୍ଗୀତର ନିଶାରେ ଝୁଲୁଛନ୍ତି । ସେ ଅସାଧାରଣ ବୀରତ୍ୱର ପରିଚୟ ଦେଇ ହମୀର୍‍ର ସୈନ୍ୟ ବାହିନୀକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି । ତାହା ଫଳରେ ସେ ନିଜ ସୈନ୍ୟବାହିନୀ ମଧ୍ୟରେ ଶ୍ରଦ୍ଧାର ପାତ୍ର ହେବା ସଙ୍ଗେ ସଙ୍ଗେ ମହାନ୍‍ କୀର୍ତ୍ତି ମଧ୍ୟ ଅର୍ଜିଛନ୍ତି । ମହାଭାରତର ବୀରମାନଙ୍କ ମଧ୍ୟରେ କୁନ୍ତୀଙ୍କ ପୁତ୍ର ଭୀମଙ୍କର ଯେଉଁ ସ୍ଥାନ ଥିଲା, ଭୀମଦେବଙ୍କ ନାମ ଯେ ତାଙ୍କ ସମସାମୟିକ ବୀର ରାଜାମାନଙ୍କ ମଧ୍ୟରେ ସେହି ପର୍ଯ୍ୟାୟରେ ରହିବ, ଏ ବିଷୟରେ କୌଣସି ସନ୍ଦେହ ନାହିଁ । ପ୍ରଭୁ ଭୋଳାନାଥ ତାଙ୍କୁ ଯେଉଁ ଶକ୍ତି ଦେଇଛନ୍ତି, ସେ ତାହାର ସଦ୍‍ବ୍ୟବହାର କରିଥିବାରୁ ସେ ନିଜ ପାଇଁ ସ୍ୱର୍ଗରେ ମଧ୍ୟ ସ୍ଥାନର ଅଧିକାରୀ ହୋଇଛନ୍ତି । ଶିଖରୀ ଶିଖରରୁ କଳକଳ ନାଦ କରି ତଳକୁ ବୋହି ଆସୁଥିବା ଜଳଧାର ପରି ସେହି ଲସ୍ୟମୟୀ ଯୁବତୀ ନର୍ତ୍ତକୀ, ତା’ର ପ୍ରତ୍ୟେକ ଅଙ୍ଗ-ପ୍ରତ୍ୟଙ୍ଗରେ ଚପଳତା ଘେନି ତାଙ୍କୁ ସ୍ୱାଗତ କରିବାପାଇଁ ବସିଥିବ ।

ତାଙ୍କର ଚିନ୍ତାରେ ହଠାତ୍‍ ସ୍ଥାନ ପାଇଲା ଚୌଲା । ସେ ଗୁରୁଦେବଙ୍କ ଝିଅରୂପେ ପରିଚିତା ଏବଂ ସେ ନିଜକୁ ପାର୍ବତୀବୋଲି ଭାବେ । ବିଚିତ୍ରମୟୀ ସେ ବାଳିକା । ତା’ର ମନ ଓ ଚିନ୍ତା ସତେ ଯେପରି ଆକାଶରେ ଖେଳି ବୁଲୁଛି; ସାଂସାରିକ ବିଷୟ ତାକୁ ସ୍ପର୍ଶ କରିନାହିଁ । ତା’ର ଦୃଷ୍ଟିରେ ଏ ଜୀବନ ଏକ ଦୀର୍ଘ ନୃତ୍ୟ । ସେ ଯେତେବେଳେ ମନ୍ଦିରରେ ନୃତ୍ୟ କରେ, ଅପୂର୍ବ ଆନନ୍ଦରେ ନିମଜ୍ଜିତ ହୋଇଯାଏ । ସମୁଦ୍ରର ଅସ୍ଥିର ଲହରୀମାଳା ଉପରେ ଯେପରି ଖଣ୍ତ ଖଣ୍ତ ଉଡ଼ନ୍ତା ମେଘ ସ୍ୱଳ୍ପ କ୍ଷଣସ୍ଥାୟୀ ଛାଇ ପକାଇ ଚାଲିଯାଏ, ଠିକ୍‍ ସେହିପରି ସଂକଟରାଶି ତା’ ଉପର ଦେଇ ଭାସି ଚାଲିଯାନ୍ତି । ତା’ର ହସ ଓ କାନ୍ଦ ଏବଂ ଆଶା ଓ ଆନନ୍ଦ ଭିତରେ ଏକମାତ୍ର ଆଶ୍ୱାସନା ଯେ, ଏହି ଦୁନିଆରେ ସେ ଜୀବନକୁ ଉପଭୋଗ କରୁଛି ।

ଭୀମଦେବଙ୍କର ଦୁଇଟି ରାଣୀ ଥିଲେ । ଉଭୟେ ସୁନ୍ଦରୀ, ବୁଦ୍ଧିମତୀ ତଥା ଅନୁଗତା । ତାଙ୍କର ଦାୟିତ୍ୱ ଭାରାକ୍ରାନ୍ତ ଜୀବନକୁ ସେମାନେ ହାଲୁକା ତଥା ସୁଖମୟ ଓ ଉପଭୋଗ୍ୟ କରିଥିଲେ । ବାକ୍ୟରେ ବା କାର୍ଯ୍ୟରେ ସେମାନେ କେବେହେଲେ ତାଙ୍କ କଥା ଅବଜ୍ଞା କରିନଥିଲେ-। କିନ୍ତୁ ଚୌଲାର ସ୍ପର୍ଶ ତାଙ୍କୁ କେବଳ ଆନନ୍ଦ ନ ଦେଇ ଅଧିକ କିଛି ଦେଇଛି । ତାଙ୍କ ଦୃଷ୍ଟିରେ ଏ ସଂସାର ସ୍ୱର୍ଣ୍ଣାଭ ହୋଇଉଠିଛି । ତାହା ସହିତ ସାଂସାରିକ ବା ପାରିବାରିକ ବିଷୟରେ ଅଥବା ରାଜ୍ୟ ଶାସନ ସଂକ୍ରାନ୍ତ ଗୁରୁତର ବିଷୟରେ କୌଣସି କଥାବାର୍ତ୍ତା କରିବାକୁ ସେ ସ୍ୱପ୍ନରେ ସୁଦ୍ଧା ଭାବନ୍ତି ନାହିଁ । ତାଙ୍କ ଦୃଷ୍ଟିରେ ସେ ଚନ୍ଦ୍ର ପରି ସ୍ନିଗ୍ଧ ଓ ଫୁଲ ପରି ସୁଗନ୍ଧମୟୀ ଏବଂ ତାହାର ନୃତ୍ୟ ସମୁଦ୍ରର ଲହରୀ ପରି ଛନ୍ଦୋମୟ । ତାହା ପାଖରେ ଥିଲାବେଳେ ସେ ଭାବନ୍ତି ଯେପରି ସେ ଫୁଲଭରା କାନନରେ ବୁଲୁଛନ୍ତି ବା ସମୁଦ୍ରରେ ଗତିହୀନ ଭାବରେ ଭାସୁଛନ୍ତି ବା ତୁଷାରପୂର୍ଣ୍ଣ ପର୍ବତ ପ୍ରାନ୍ତରେ ବିଚରଣ କରୁଛନ୍ତି । ଭୀମଦେବ ଚୌଲାର କଥା ଯେତେ ବେଶୀ ଭାବୁଥାନ୍ତି, ତାଙ୍କ ମନ ସେତିକି ବେଶୀ ଉତ୍ସାହିତ ହେବା ସଙ୍ଗେ ସଙ୍ଗେ ଶରୀରରେ ଶକ୍ତି ବଢ଼ୁଥିବା ଭଳି ଅନୁଭବ କରୁଥାନ୍ତି-

ଭୀମଦେବ ନିଜ କକ୍ଷରେ ପହଞ୍ଚିବାବେଳକୁ ଏହିସବୁ କଥା ଭାବୁଥିଲେ । ସେ ଅସ୍ତ୍ରଶସ୍ତ୍ର ରଖିଦେଇ ପାନାହାର ପରେ ଛାତ ଉପରେ କିଛି ସମୟ ବୁଲିବାକୁ ଗଲେ । ଚନ୍ଦ୍ର ଆକାଶରେ ଉଚ୍ଚକୁ ଉଠିଲେଣି । ଯୁଦ୍ଧର ସମସ୍ତ ଅସ୍ୱସ୍ତିକର କୋଳାହଳ ବନ୍ଦ ହୋଇଗଲାଣି । ସବୁ ଦିଗରେ ଶାନ୍ତି ବିରାଜୁଛି । ଚୌଲାର ପାଦଶବ୍ଦ ଶୁଣିବା ଅପେକ୍ଷାରେ ଅଧୀର ହୋଇ ଭୀମଦେବ ବହୁତ ସମୟ ବୁଲିଲେ ।

କିନ୍ତୁ ଚୌଲା ସେତେବେଳେ ଛାତର ଗୋଟିଏ ଅନ୍ଧାରିଆ କୋଣରେ ଲୁଚିରହି ପଲକହୀନ ଦୃଷ୍ଟିରେ ତାଙ୍କର ଗତିବିଧି ଲକ୍ଷ୍ୟ କରୁଥାଏ । ସୁତରାଂ ସେ ତା’ର ପଦଧ୍ୱନି କିପରି ବା ଶୁଣିପାରିବେ ?

ଆଜି ଦିନସାରା ଚୌଲାର ହୃଦୟ ଆନନ୍ଦରେ ନାଚୁଛି । ମନ୍ଦିରର ଉପର ଛାତ ତା’ ପକ୍ଷରେ ହୋଇଛି ସ୍ୱର୍ଗ । ତା’ର ଦୃଷ୍ଟିରେ ଭୀମଦେବ ଆଜି ଯୁଦ୍ଧରତ ପାଟଣର ଶାସକ ଭୀମଦେବ ନୁହଁନ୍ତି-ରାକ୍ଷସ ତ୍ରିପୁରାସୁର ସହିତ ଯୁଦ୍ଧରତ ନିଜେ ପ୍ରଭୁ ସୋମନାଥ । ବ୍ରହ୍ମା ଗଙ୍ଗ ସର୍ବଜ୍ଞଙ୍କ ରୂପରେ ଆସିଛନ୍ତି । ବିଷ୍ଣୁ ହେଉଛନ୍ତି ତାଙ୍କର ଧନୁ । ବେଦ ସବୁ ତାଙ୍କର ଶର ଓ ତାଙ୍କର ଆଭୂଷଣ ଧ୍ରୁବ ଏବଂ ଅନ୍ୟାନ୍ୟ ନକ୍ଷତ୍ରମାଳା । କଳ୍ପନା-ଚକ୍ଷୁରେ ସେ ଦେଖିଛି ଦେବତାଶ୍ରେଷ୍ଠ ଶିବ ସର୍ବତ୍ର ବୁଲି ବୁଲି ସଂସାରର ପ୍ରତ୍ୟେକ ଜୀବ ମଧ୍ୟରେ ଭୟ ସୃଷ୍ଟି କରୁଛନ୍ତି ଓ ଆକାଶରେ ଋଷିମାନେ ବିଚରଣ କରି ପ୍ରଭୁଙ୍କର ସ୍ତ୍ରୋତ୍ରମାନ ଗାଉଛନ୍ତି ।

 

ସେ ସମସ୍ତଙ୍କୁ ଚିହ୍ନିଥିଲା । ତା’ର ଦୃଷ୍ଟିରେ ବୀର ଚାଓଡ଼ା ପ୍ରଭୁଙ୍କର ବାହନ ନନ୍ଦୀ, ବିମଳ ମେହେତା ଗଣପତି ଓ ରତ୍ନାଦିତ୍ୟ ଦେବରାଜ ଇନ୍ଦ୍ର । ତାଙ୍କ ଚାରିପାଖରେ ଗଣମାନେ ବେଢ଼ି ପ୍ରଭୁଙ୍କର ବିଜୟ ଘୋଷଣା କରୁଛନ୍ତି ।

 

ଆକାଶରେ, ସତେ ଯେପରି ଶିବଙ୍କର ନୈସର୍ଗିକ ଅର୍ଦ୍ଧାଙ୍ଗିନୀ ହିମାଳୟ ଦୁହିତାରୂପରେ ସେ ନିଜେ, ପ୍ରଭୁଙ୍କର ଆଗମନକୁ ଅପେକ୍ଷା କରି ରହିଛି । ସେ ଖୁବ୍‍ଶୀଘ୍ର ଫେରିଆସିବେ, ତାକୁ ସାଙ୍ଗରେ ନେଇଯିବେ ଓ ଉଭୟେ ଜୀବନର ଜୟଯାତ୍ରା ଆରମ୍ଭ କରିବେ ।

 

ତା’ର ସମ୍ମୁଖରେ ତ୍ରିପୁରାସୁରର ସୈନ୍ୟବାହିନୀ ଠିଆ ହୋଇଛନ୍ତି । ନାଲିଦାଢ଼ିଆ, ପଗଡ଼ି ପିନ୍ଧିଥିବା ଅସୁରକୁ ସେ ଦେଖିଛି । ତା’ର ପ୍ରଭୁ ନିଜର ଅସ୍ତ୍ର ସାହାଯ୍ୟରେ ହଜାର ହଜାର ଅସୁର ମାରିଥିବା ସେ ଦେଖିଛି ।

 

ପ୍ରଭୁଙ୍କର କ୍ରୋଧ ମଧ୍ୟ ସେ ଦେଖିଛି । ଦୁର୍ଗ ରକ୍ଷା କରୁଥିବା ସମଗ୍ର ସୈନ୍ୟବାହିନୀ ତାଙ୍କୁ (ଭୀମଦେବଙ୍କୁ) ପୂଜା କରୁଥିବାର ସେ ଦେଖିଛି । ଶେଷରେ ତ୍ରିପୁରାସୁର ପରାଜିତ ହୋଇଛି-। ତାହାପରେ ଇନ୍ଦ୍ର ଓ ଅନ୍ୟାନ୍ୟ ଦେବତାମାନେ ତାଙ୍କ ବିଜୟରେ ଆନନ୍ଦ ଉଲ୍ଲାସ ପ୍ରକାଶ କରି ତାଙ୍କୁ ପୂଜା କରିବାକୁ ପରସ୍ପର ସହିତ ପ୍ରତିଯୋଗିତା କରିଛନ୍ତି ।

 

ଠିକ୍‍ ଏହି ସମୟରେ ତା’ର ଦେବତା ଆସି ସମ୍ମୁଖରେ ଠିଆହେବାର ସେ ଦେଖିଲା । ତାଙ୍କର ମୁଖମଣ୍ତଳରୁ ଅସଂଖ୍ୟ ସୂର୍ଯ୍ୟର ରଶ୍ମି ବିକିରିତ ହେଲାଭଳି ଦୀପ୍ତି ବାହାରୁଛି । ତାଙ୍କ ଆଖିରେ ଅଦ୍ଭୁତ ଜ୍ୟୋତି ଏବଂ ତାଙ୍କ ଆଭୂଷଣରେ ଅସାଧାରଣ ପ୍ରଭା । ତାଙ୍କ ଜଟାଗୁଚ୍ଛ ଅତ୍ୟନ୍ତ ଦୀପ୍ତିମୟ ଦିଶୁଛି । ଏହି ଚିତ୍ର କଳ୍ପନାରେ ଚୌଲା ଏପରି ନିମଗ୍ନ ହୋଇଯାଥାଏ ଯେ, ତାହାର ଅଜାଣତରେ ତା’ର ମୁହଁରୁ ଶିବ ପୁରାଣର ପଦମାନ ସ୍ୱତଃ ବାହାରୁଥାଏ । ସେ ଭାବୁଥାଏ, ବିଜୟୀ ପ୍ରଭୁ ତାକୁ ଆଲିଙ୍ଗନ କରିବାକୁ ଅପେକ୍ଷା କରି ରହିଛନ୍ତି ।

 

ଭୀମଦେବ ଅତିଶୟ ବ୍ୟସ୍ତ ହୋଇପଡ଼ିଲେ । ଚୌଲା ଏପର୍ଯ୍ୟନ୍ତ ଆସିନାହିଁ କାହିଁକି ? ସେ ଅସ୍ଥିର ହୋଇ ଦ୍ରୁତ ପଦଚାଳନା କଲେ ଓ ତା’ର ପଦଧ୍ୱନି ଶୁଣିବାପାଇଁ ମନଧ୍ୟାନ ଦେଇ କାନ ଡେରିଲେ ।

 

ଚୌଲା ମଧ୍ୟ ନିଜକୁ ଆଉ ବେଶି ସମୟ ସମ୍ଭାଳି ପାରିଲାନାହିଁ । ସେ ହସିଉଠିଲା । ଭୀମଦେବ ହସର ଶବ୍ଦ ଶୁଣି ଚୌଲା ଲୁଚିଥିବା ସ୍ଥାନକୁ ଗଲେ ଓ ତାକୁ ବାହାରକୁ ଉଠାଇ ଆଣି ତା’ର ହାତ ନିଜ ଛାତିରେ ଚାପିଧରିଲେ ।

“ଓଃ, ମରିଗଲି”–ଭୀମଦେବଙ୍କ ଆଲିଙ୍ଗନରେ ଚୌଲା ଛଳନା ପ୍ରକାଶ କରି ପାଟି କରିଉଠିଲା ।

ଭୀମଦେବ–“ମରିଗଲି ! କାହିଁକି ଏତେ ସମୟ ମୋତେ ଅପେକ୍ଷାରେ ରଖିଲ ?”

ଚୌଲା-‘‘ଆପଣଙ୍କର ଦୃଷ୍ଟି କେଉଁଠି ଥିଲା ? ଆପଣଙ୍କୁ ସ୍ୱାଗତ-ସମ୍ବର୍ଦ୍ଧନା ଜଣାଇବାପାଇଁ ମୁଁ ତ ବହୁ ସମୟଧରି ଅପେକ୍ଷା କରି ରହିଛି ।’’

ଭୀମଦେବ–‘‘ମିଛ କଥା । ତୁମକୁ ଚାହିଁ ଚାହିଁ ମୋ ଆଖି ଥକିଗଲାଣି ।’’

ଚୌଲା–“ମୋର ପ୍ରଭୁ ସୋମନାଥ ! ମୁହୂର୍ତ୍ତେ ଅପେକ୍ଷା କରନ୍ତୁ । ମୁଁ ଆପଣଙ୍କୁ ପୂଜା କରିବାପାଇଁ ଚନ୍ଦନ ଓ ଫୁଲ ଆଣିଛି । ତ୍ରିପୁରାସୁର ପରି ଦୁର୍ଦ୍ଧର୍ଷ ରାକ୍ଷସକୁ ପରାଜିତ କରିଥିବାରୁ ମୁଁ ଆପଣଙ୍କୁ ପୂଜା କରିବି ।” ଏହା କହି ସେ ଭୀମଦେବଙ୍କ ବାହୁବନ୍ଧନରୁ ମୁକ୍ତ ହୋଇ ଗୋଟିଏ ଫୁଲହାର ଆଣି ତାଙ୍କ ଗଳାରେ ଲମ୍ବାଇଦେଲା ।

ଭୀମଦେବ କହିଲେ, “ଚୌଲା ! ଏ ମାଳା କେବଳ ମୋ’ପାଇଁ ନୁହେଁ-ଏହା ଆମ ଦୁହିଁଙ୍କ ପାଇଁ ।” ଏହା କହି ସେ ଫୁଲହାରଟିକୁ କାଢ଼ି ଚୌଲା ଗଳାରେ ପିନ୍ଧାଇଦେଲେ । ଉଭୟେ ଆନନ୍ଦରେ ହସିଉଠିଲେ ।

ଚୌଲା କହିଲା, “ପ୍ରଭୁ ଆମ ଉପରେ ଖୁସି ହୋଇ ଆଶୀର୍ବାଦ କରନ୍ତୁ । ପାର୍ବତୀ ଓ ପରମେଶ୍ୱରଙ୍କ ପରି ଆମେ କ’ଣ ଆନନ୍ଦ ଲାଭ କରିପାରିବା ?” ଏହା କହି ସେ ପୁଣି ଭୀମଦେବଙ୍କ ଆଲିଙ୍ଗନ ଭିତରେ ଆତ୍ମଗୋପନ କଲା ।

ବିଚିତ୍ର ରାତି-ଚନ୍ଦ୍ରଙ୍କର ସ୍ନିଗ୍ଧ କିରଣ ଚାରିଆଡ଼େ ଖେଳି ବୁଲୁଛି । ତାଙ୍କ ପ୍ରଭୁଙ୍କ ନିକଟରେ ଶରଣ ପଶିବାକ୍ଷଣି ଚୌଲା ନିଜ ଆଖି ଦୁଇଟି ବନ୍ଦ କରିଦେଲା । ଜୀବନରେ ଏପରି ଆନନ୍ଦ ସେ କେବେହେଲେ ଅନୁଭବ କରିନାହିଁ । ନର୍ତ୍ତକୀକୁଳରେ ତା’ର ଜନ୍ମ । ନିଜର ଭକ୍ତି ବଳରେ ସେ ଆଜି ଏ ସୌଭାଗ୍ୟ ଲାଭ କରିଛି । ଚୌଲା ତା’ର ଉଭୟ ହାତ ଭୀମଦେବଙ୍କ ବେକରେ ଜଡ଼ାଇ ଓହଳି ପଡ଼ିଲା ଓ ନିର୍ବାକ୍‍ ହୋଇ ତାଙ୍କ ମୁଁହକୁ ଚାହିଁ ରହିଲା । ଭୀମଦେବ ଚୌଲାର ଅଭିପ୍ରାୟ ବୁଝିପାରି ତାକୁ ନିଜ ହାତରେ ଉଠାଇନେଇ ନିଜ କୋଠରିକୁ ଯାଇ ଦରଜା ବନ୍ଦ କରିଦେଲେ । ତରବାରି ହାତରେ ପାହାଚ ତଳେ ପ୍ରହରୀଭାବେ ଠିଆହୋଇଥିବା ବୀର ଚନ୍ଦ୍ରଙ୍କୁ ଚାହିଁ ହସୁଥାଏ ।

 

+

+

+

 

ରତ୍ନାଦିତ୍ୟଙ୍କ ଆଶଙ୍କା ଭିତ୍ତିହୀନ ନ ଥିଲା । ଭୀମଦେବ ଚାଲିଯିବାର କିଛି ସମୟ ପରେ ସେ ଗୋଟିଏ ଅଦ୍ଭୁତ ଶବ୍ଦ ଶୁଣିଲେ । ସମୁଦ୍ରକୂଳର ଏକ ସ୍ଥାନରୁ, ଯାହାକି ତାଙ୍କ ଦୃଷ୍ଟିର ଅନ୍ତରାଳରେ ଥିଲା, ସେହି ଦିଗରୁ ବହୁଲୋକ ସମୁଦ୍ର କୂଳରୁ କୁଦାମାରି ନୌକାରେ ଚଢ଼ି ଆସୁଥିବାର ଶବ୍ଦ ସେ ଶୁଣିଲେ ।

 

କ୍ଷୀଣ ଚନ୍ଦ୍ର-ଆଲୋକରେ ଦୂରରେ କ’ଣ ଘଟୁଛି ସେ ପରିଷ୍କାରଭାବେ ଦେଖିପାରୁ ନ ଥିଲେ । ଦୁର୍ଗର ବିଭିନ୍ନ ସ୍ଥାନରେ ଜଗିରହିଥିବା ତାଙ୍କ ଅଧିୀନସ୍ଥ ସେନାପତିମାନଙ୍କୁ ଖବର ଜଣାଇବାପାଇଁ ସଙ୍ଗେ ସଙ୍ଗେ ଲୋକ ପଠାଇଲେ । ଅଳ୍ପ ସମୟ ମଧ୍ୟରେ ହଜାର ହଜାର ଧନୁର୍ଦ୍ଧାରୀଙ୍କୁ ସେ ଏକାଠି କଲେ । ଦୂରରେ, ଯେଉଁଠାରେ ଶାନ୍ତ ଚନ୍ଦ୍ରକିରଣ ସମୁଦ୍ର ଉପରେ ବିଚ୍ଛୁରିତ ହେଉଛି ସେଠାରେ କେତେକ ମଣିଷ ଚଳାଚଳ ହେଉଥିବାର ଦେଖାଗଲା । ଗଡ଼ଖାଇ ସମୁଦ୍ର ସଙ୍ଗେ ମିଶିଥିବା ସ୍ଥାନରେ ଥିବା ଆମ୍ବତୋଟାରେ କେତେକ ଲୋକ ଏକତ୍ରିତ ହୋଇଥିବା ଭଳି ଜଣାଗଲା । ଏପରି ସମୟରେ କୌଣସି ଆକ୍ରମଣ ସମ୍ଭବପର ନୁହେଁ । ହମୀର୍‍ର ସୈନ୍ୟବାହିନୀ ମଧ୍ୟ ଗଡ଼ଖାଇଠାରୁ ବହୁ ଦୂରକୁ ପଛେଇ ଯାଇଛନ୍ତି । ଏଣୁ ଏସବୁ କାର୍ଯ୍ୟର ଉଦ୍ଦେଶ୍ୟ ଅନ୍ୟକିଛି ବୋଲି ରତ୍ନାଦିତ୍ୟ ଭାବିଲେ ।

 

ପ୍ରଭାସ ଦିଗକୁ ଲଖାନୀଙ୍କର ଗୋଟିଏ ବୋଇତ ଆସ୍ତେ ଆସ୍ତେ ଆସୁଥିବାର ଦେଖାଗଲା । ହୁଏତ ଆମ୍ବତୋଟାରେ ଏକତ୍ର ହୋଇଥିବା ଶତ୍ରୁସୈନ୍ୟମାନଙ୍କର ଉଦ୍ଦେଶ୍ୟ ଏହି ବୋଇତକୁ କୂଳକୁ ଆସିବାକୁ ନ ଦେବା ବା ହାତ କରିନେବା । ଏମାନେ ବି ମୁସଲମାନ ସୈନ୍ୟ ନ ହୋଇପାରନ୍ତି-ହୁଏତ ଭୀମଦେବଙ୍କ ସୈନ୍ୟମାନେ ଚନ୍ଦ୍ରକିରଣରେ ସମୁଦ୍ରରେ ପହଁରୁଛନ୍ତି । ଏହିପରି ନାନାପ୍ରକାର ଚିନ୍ତା ରତ୍ନାଦିତ୍ୟଙ୍କ ମନରେ ଦେଖାଦେଲା ।

 

ଆସୁଥିବା ବୋଇତକୁ ସଂକେତ ଦେଖାଇ ବା ପାଟିକରି ସତର୍କ କରିବା ତାଙ୍କ ପକ୍ଷରେ ବିଜ୍ଞତାର କାର୍ଯ୍ୟ ହେବ ନାହିଁ ବୋଲି ରତ୍ନାଦିତ୍ୟ ଠିକ୍‍ କଲେ । ସେ ଉପସ୍ଥିତ ଅବସ୍ଥା ସମ୍ପର୍କରେ କିଛି ସମୟ ଭାବି ଗୋଟିଏ ସାହାସିକ ରଣକୌଶଳର ନିଷ୍ପତ୍ତି କଲେ । ତାଙ୍କ ସୈନ୍ୟବାହିନୀରେ ଖାରା ଓ ନୀରା ନାମକ ଭେରାବଲର ଦୁଇଜଣ ବିଚକ୍ଷଣ ସନ୍ତରଣକାରୀ ଥିଲେ । ସେମାନେ ଅତି ଗୋପନରେ ବୋଇତ ପର୍ଯ୍ୟନ୍ତ ପହଁରିଯିବେ ଏବଂ ସେଠାରେ ପହଞ୍ଚି ସେଦିନ ଯାହାସବୁ ଘଟିଯାଇଛି ତାହା ବିଶଦଭାବେ ବୋଇତ ଚାଳକଙ୍କୁ ଜଣାଇ କୂଳକୁ ଆସିବାକୁ ଚେଷ୍ଟାକଲେ ଯେଉଁ ବିପଦର ସମ୍ମୁଖୀନ ହେବାକୁ ପଡ଼ିବ, ସେ ସମ୍ପର୍କରେ ସଚେତନ କରାଇଦେବେ ।

 

ଖାରା ଓ ନୀରା ସମୁଦ୍ର ଭିତରେ ପ୍ରାୟ ଏକ ହଜାର ହାତ ଯାଇଛନ୍ତି କି ନାହିଁ, ଆମ୍ବତୋଟାରେ ଯାହାସବୁ ଘଟୁଛି ତାହାର ପ୍ରକୃତ ଗୁରୁତ୍ୱ ରତ୍ନାଦିତ୍ୟ ବୁଝିପାରିଲେ । ସେ ଜାଣିପାରିଲେ ଶତ୍ରୁପକ୍ଷର ସୈନ୍ୟମାନେ ସମୁଦ୍ରର କୂଳେ କୂଳେ ବହୁତଗୁଡ଼ିଏ ଭେଳା ନୀରବରେ ଓ ବିଚକ୍ଷଣତାର ସହ ଆଣୁଛନ୍ତି । ଏ ବିପଦର କିପରି ସମ୍ମୁଖୀନ ହେବାକୁ ହେବ, ତାହା ରତ୍ନାଦିତ୍ୟ ଠିକ୍‍ କରିପାରିଲା ନାହିଁ । ସେ ଯେବେ ତାଙ୍କ ସୈନ୍ୟମାନଙ୍କୁ ନିର୍ଦ୍ଦେଶ ଦେବେ ସେଠାକୁ ଯାଇ ଭେଳାଗୁଡ଼ିକ ବୁଡ଼େଇ ଦେବାପାଇଁ, ତାହାହେଲେ ସେମାନେ ସେଠାରେ ପହଞ୍ଚିବା ପୂର୍ବରୁ ହୁଏତ ମୃତ୍ୟୁମୁଖରେ ପଡ଼ିବେ । ଯେବେ ସମୁଦ୍ରକୂଳରେ ଶତ୍ରୁ ସୈନ୍ୟମାନେ ଥିବା ଅବସ୍ଥାରେ ବୋଇତ ପହଞ୍ଚେ, ତାହାହେଲେ ବୋଇତଗୁଡ଼ିକ ବିପନ୍ନ ହେବ ଏବଂ ହୁଏତ ତାହା ଶତ୍ରୁ ସୈନ୍ୟଙ୍କ କବଳରେ ପଡ଼ିବ । ପ୍ରଭାସର ପ୍ରତିରକ୍ଷା ଦିଗରୁ ଏହା ମାରାତ୍ମକ ହୋଇପଡ଼ିବ । ସବୁ ବିଷୟ ଚିନ୍ତାକରି ଶତ୍ରୁ ସୈନ୍ୟ ଭେଳାଗୁଡ଼ିକୁ ଯେଉଁଠାକୁ ଆଣିବାକୁ ଚାହୁଁଛନ୍ତି, ସେଠାରେ ରଖି ଚାଲିଯିବା ପର୍ଯ୍ୟନ୍ତ ଅପେକ୍ଷା କରିବା ବିଜ୍ଞତାର କାର୍ଯ୍ୟ ହେବ ବୋଲି ରତ୍ନାଦିତ୍ୟ ନିଷ୍ପତ୍ତି କଲେ । କ୍ରମେ ଶତ୍ରୁସୈନ୍ୟ ଶହ ଶହ ଭେଳା ଏକାଠି କରି ଗୋଟିଏ ବିରାଟ ପୋଲ ତିଆରି କଲେ ଏବଂ ଗଡ଼ଖାଇ ମୁଁହରୁ ଅଳ୍ପ ଦୂରକୁ ଏପରି ଏକ ସ୍ଥାନକୁ ଆଣିଲେ ଯେଉଁଠାରେ କି ଭୀମଦେବଙ୍କ ସୈନ୍ୟବାହିନୀର ଧନୁର୍ଦ୍ଧାରୀମାନେ କିଛି କ୍ଷତି କରିପାରିବେ ନାହିଁ । ଯୁଦ୍ଧ ଆରମ୍ଭ ହେବା ସଙ୍ଗେ ସଙ୍ଗେ ପୋଲଟି ଗଡ଼ଖାଇରେ ଲଗାଇ ଦେବାକୁ ବୋଧେ ଶତ୍ରୁପକ୍ଷ ଚାହୁଁଥିଲା । ତାହା କରାଗଲେ ଶତ୍ରୁ ସୈନ୍ୟମାନଙ୍କ ପକ୍ଷରେ ଦୁର୍ଗ ପାଚେରୀ ଚଢ଼ିବା ସୁବିଧାଜନକ ହେବ । ତେଣୁ ଏହି ପୋଲକୁ କୌଣସି ପ୍ରକାରେ ବୁଡ଼ାଇ ଦେବାକୁ ହେବ । କିନ୍ତୁ ଏହି କାର୍ଯ୍ୟ କିପରି କରିବାକୁ ହେବ ତାହା ରତ୍ନାଦିତ୍ୟଙ୍କ ପକ୍ଷରେ ଚିନ୍ତାର ବିଷୟ ହେଲା । ପ୍ରଭାସ ଅଭିମୁଖେ ଆସୁଥିବା ବୋଇତ କୂଳଠାରୁ କିଛି ଦୂରରେ ରହିଗଲା । ଜୁଆର ଛାଡ଼ିଯିବାକୁ ଆରମ୍ଭ କଲାଣି । ଖାରା ଏବଂ ନୀରା ବୋଧହୁଏ ଠିକ୍‍ ସମୟରେ ଜାହାଜ ନିକଟରେ ପହଞ୍ଚି ତାହା ଯେପରି ଶତ୍ରୁ କବଳରେ ନ ପଡ଼େ, ସେଥିପାଇଁ ଆବଶ୍ୟକ କାର୍ଯ୍ୟ କରିବାରେ ସଫଳତା ଲାଭ କରିଛନ୍ତି ।

 

ହମୀର୍‍ର ସୈନ୍ୟମାନେ ଅସ୍ଥାୟୀ ପୋଲଟିକୁ ଠିକ୍‍ ସ୍ଥାନରେ ବାନ୍ଧିବାପାଇଁ ଚେଷ୍ଟା କରୁଥିବା ସମୟରେ ରତ୍ନାଦିତ୍ୟ ଦୂରରୁ ଗୋଟିଏ ପ୍ରକାର ଶବ୍ଦ ଶୁଣିଲେ । ଯେଉଁ ଦିଗରୁ ଏହି ଶବ୍ଦ ଆସୁଥିଲା ସେହିଆଡ଼କୁ ଚାହିଁ ସେ କିଛି ହେଖିପାରିଲେ ନାହିଁ । ଅଳ୍ପ ସମୟ ପରେ ଶବ୍ଦ ବନ୍ଦ ହୋଇଗଲା । ଶତ୍ରୁ ସୈନ୍ୟମାନେ ତାଙ୍କ କାର୍ଯ୍ୟ ଶେଷ କରି ଚାଲିଯିବା ପରେ ରତ୍ନାଦିତ୍ୟ ଏହି ପୋଲକୁ ନଷ୍ଟ କରିବାଭଳି ଅସମ୍ଭବ କାର୍ଯ୍ୟ କରିବା ନିମିତ୍ତ ନିଷ୍ପତ୍ତି କଲେ । ଭଲ ପହଁରା ଜାଣିଥିବା ତାଙ୍କର ପଚାଶଜଣ ସୈନ୍ୟଙ୍କୁ ଡକାଇ ଆଣି ଦୁର୍ଗପାଖରୁ ଗଡ଼ଖାଇରେ ପଶି ପୋଲଟିକୁ ବୁଡ଼ାଇ ଦେବାପାଇଁ ସେ ନିର୍ଦ୍ଦେଶ ଦେଲେ ।

 

ଏହି ସୈନ୍ୟମାନେ ଦଉଡ଼ି ସାହାଯ୍ୟରେ ଗଡ଼ଖାଇରେ ପଶିବା ପୂର୍ବରୁ ଗୋଟିଏ ଘଟଣା ଘଟିଲା, ଯାହାକି କେହି ହେଲେ ସୁଦ୍ଧା ଭାବି ନ ଥିଲେ । ସେମାନେ ଦେଖିଲେ ପୋଲଟି ଆପେ ଆପେ ଭାଙ୍ଗିଯାଇ ଭେଳାଗୁଡ଼ିକ ଅଲଗା ଅଲଗା ହୋଇଗଲା-ସତେ ଯେପରି କୌଣସି ଅଦୃଶ୍ୟ ଶକ୍ତି ସମୁଦ୍ରର ଭଟ୍ଟା ସହିତ ଏଗୁଡ଼ିକ ପରସ୍ପରଠାରୁ ବିଚ୍ଛିନ୍ନ କରିଦେଇଛି ।

 

ସେ ଜାଗ୍ରତ କି ସ୍ୱପ୍ନ ଦେଖୁଛନ୍ତି ଭାବି ରତ୍ନାଦିତ୍ୟ ତାଙ୍କ ଆଖି ମଳିଲେ । ଭେଳାଗୁଡ଼ିକ ଛିନ୍ନବିଚ୍ଛିନ୍ନ ହୋଇ ସମୁଦ୍ର ଭିତରକୁ ଚାଲିଯାଇ ଅଦୃଶ୍ୟ ହେବା ପରେ ଆମ୍ୱତୋଟାରୁ କୋଳାହଳ ଶୁଣାଗଲା । ରତ୍ନାଦିତ୍ୟ ହସି ହସି ମନେ ମନେ ଭାବିଲେ-ପ୍ରକୃତରେ ପ୍ରଭୁ ସୋମନାଥଙ୍କର ଆଶୀର୍ବାଦ ନ ଥିଲେ ଏଭଳି ଅଦ୍ଭୁତ ଘଟଣା ଘଟି ନ ଥାନ୍ତା ।

Image

 

ମର୍ମାହତ ସାମନ୍ତ ଚୌହାନ

 

ରତ୍ନାଦିତ୍ୟ ଦେଖିଲେ ଏହି ସମୟରେ ତିନିଜଣ ଲୋକ ପହଁରି ପହଁରି ଦୁର୍ଗର ଦ୍ୱାର ନିକଟରେ ପହଞ୍ଚିଲେ ଏବଂ ତା’ ଭିତରୁ ଜଣେ ଲୋକ ‘ବାପୁ’ ବୋଲି ଡାକ ଦେଲା । ଏହା ଖାରାର ସ୍ୱର । ସେ ଏବଂ ତା’ର ସାଥୀଦୁହିଁଙ୍କୁ ଗଡ଼ଖାଇର ପାଣି ଭିତରୁ ଉଦ୍ଧାର କରାଗଲା । ରତ୍ନାଦିତ୍ୟ ପଚାରିଲେ “ତୃତୀୟ ଲୋକଟି କିଏ ?’’

 

ତୃତୀୟ ଜଣକ ଉତ୍ତର ଦେଲା, “ଚିହ୍ନି ପାରିଲ ନାହିଁ; ମୁଁ ସାମନ୍ତ ଚୌହାନ ।’’ ରତ୍ନାଦିତ୍ୟ ସଙ୍ଗେ ସଙ୍ଗେ ତାଙ୍କର ସ୍ୱର ବାରିପାରି ହାର୍ଦ୍ଦିକ ସମ୍ୱର୍ଦ୍ଧନା କରି କହିଲେ, “ତୁମେ ଚୌହାନରାଜ ? ଏହି ଛିନ୍ନଭିନ୍ନ ପୋଲର ଦଉଡ଼ି ତୁମେ କାଟିଛ ?”

 

ସାମନ୍ତ ବିନମ୍ର ଭାବ ପ୍ରକାଶ କରି ଉତ୍ତର ଦେଲେ, “ହଁ, ଆଉ କ’ଣ କରାଯାଇପାରିଥାନ୍ତା ! ଆମେ ପହଁରି ପହଁରି ଦୁର୍ଗ ଦିଗକୁ ଆସୁଥିଲୁ । ଭେଳାଗୁଡ଼ିକୁ ଦେଖି ମୁଁ ତା’ର ଉଦ୍ଦେଶ୍ୟ ବୁଝିପାରିଲି । ଆପଣଙ୍କର ଦୁଇଜଣ ଲୋକ ଓ ମୁଁ ଭେଳା ପାଖକୁ ଯାଇ ଯେଉଁ ଦଉଡ଼ିରେ ସେଗୁଡ଼ିକ ବନ୍ଧା ହୋଇଥିଲା ତାକୁ କାଟିଦେଲୁ ।”

 

ରତ୍ନାଦିତ୍ୟ ଖୁସି ହୋଇ କହିଲେ, “ଚୌହାନ ! ତୁମେ ପ୍ରଭାସ ଦୁର୍ଗକୁ ରକ୍ଷା କରିଛ । ଶତ୍ରୁର ଏହି ନୂତନ କୌଶଳର କିପରି ସମ୍ମୁଖୀନ ହେବାକୁ ହେବ ତାହା ମୋର ଚିନ୍ତାର ବିଷୟ ହୋଇଥିଲା । ଠିକ୍‍ କାର୍ଯ୍ୟ କରିଛ ।”

 

ସାମନ୍ତ–‘‘ଆମ ସମସ୍ତଙ୍କର ଧନ୍ୟବାଦ ଆପଣଙ୍କର ପ୍ରାପ୍ୟ । ଆଜି ଯାହା ଘଟଣା ଘଟିଛି ତାହା ସବୁ ମୁଁ ଶୁଣିଛି । ମହାରାଜ ଭୀମଦେବ କାହାନ୍ତି ?’’

 

ରତ୍ନାଦିତ୍ୟ-‘‘ସେ ଆଜି ଯଥେଷ୍ଟ କ୍ଳାନ୍ତ ହୋଇଥିବାରୁ ବର୍ତ୍ତମାନ ବିଶ୍ରାମ ନେବାକୁ ଯାଇଛନ୍ତି । ମୁଁ ତାଙ୍କୁ ବ୍ୟସ୍ତ କରିବାକୁ ଚାହେଁ ନାହିଁ । ତମେ ଏଠାକୁ କିପରି ଆସିଲ ?’’

 

ସାମନ୍ତ–‘‘ରତ୍ନାଦିତ୍ୟ, ଆପଣମାନେ ପାଟଣ ଛାଡ଼ି ଯିବା ପରେ ଗୁରୁ ନନ୍ଦୀଦତ୍ତ ଓ ମୁଁ ଆପଣ ଛାଡ଼ି ଆସିଥିବା ତିନିଶହ ସୈନ୍ୟଙ୍କ ସହ ଆଖ ପାଖ ଜଙ୍ଗଲରେ ଲୁଚିକରି ରହିଲୁ । ହମୀର୍‍ ପାଟଣରେ ପହଞ୍ଚି ତାହା ଜନଶୂନ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ଏହାର ପ୍ରକୃତ ଅର୍ଥ ସେ ବୁଝିପାରିଲା ନାହିଁ । ଘୋଘାବାପାଙ୍କ ଭୂତକଥା ତା’ର ସୈନ୍ୟ-ବାହିନୀରେ ପ୍ରଚାର କରିବାରେ ମଧ୍ୟ ଆମେ ସାଫଲ୍ୟ ଲାଭ କଲୁ । ଏହା ମଧ୍ୟ ଯଥେଷ୍ଟ କାମ ଦେଲା । ହମୀର୍‍ ପାଟଣ ଛାଡ଼ି ସେଠାରୁ ସିଧା ସୋମନାଥ ଆସିଲା ।’’

 

ରତ୍ନାଦିତ୍ୟ–‘‘ତା’ପରେ ପାଟଣର ଅବସ୍ଥା କ’ଣ ହେଲା ?’’

 

ସାମନ୍ତ–‘‘ମହାରାଜାଙ୍କ ରାଜ୍ୟଚ୍ୟୁତ ଭାଇ ଦୁର୍ଲ୍ଲଭ ସେନ୍‍, ହମୀର୍‍ ପାଟଣ ଛାଡ଼ିବାବେଳେ ଆସି ପହଞ୍ଚିଲେ । ସେ ଆସି ଆତ୍ମସମର୍ପଣ କରିବାରୁ ହମୀର୍‍ ତାଙ୍କୁ ପାଟଣର ରାଜଗାଦିରେ ବସାଇ ଓ ତାଙ୍କ ଜିମା ପାଞ୍ଚଶହ ରାଜପୁତ ସୈନ୍ୟ ଦେଇ ତା’ (ହମୀର୍‍) ଫେରିବା ପର୍ଯ୍ୟନ୍ତ ପାଟଣର ଦାୟିତ୍ୱରେ ରହିବାକୁ ନିର୍ଦ୍ଦେଶ ଦେଲା ।

 

ରତ୍ନାଦିତ୍ୟ–‘‘ବୁଝିଲି ! ତା’ପରେ ?’’

 

ସାମନ୍ତ–‘‘ଆମ କାର୍ଯ୍ୟ ସହଜ ହେଲା । ରାଜଗାଦି ଲାଭ କରିବାରୁ ଦୁର୍ଲ୍ଲଭ ସେନ୍‍ ଖୁସି ହେଲେ । ଯେଉଁ ଦିନ ହମୀର୍‍ ପାଟଣ ଛାଡ଼ି ଆସିଲା, ଠିକ୍‍ ସେହିଦିନ ନନ୍ଦୀଦତ୍ତ ନାମକ ଜଣେ ବ୍ରାହ୍ମଣ ଘୋଘାବାପାଙ୍କ ଭୂତ ତାଙ୍କୁ ଡରାଇଛି ବୋଲି କହି ଦୁର୍ଲ୍ଲଭ ସେନ୍‍ଙ୍କ ନିକଟରେ ଆତ୍ମସମର୍ପଣ କଲେ । ପରଦିନ ଆଖ ପାଖ ଗାଁର ବହୁ ସଂଖ୍ୟକ ଲୋକ ଘୋଘାବାପାଙ୍କ ଭୂତ ଭୟରେ ପାଟଣରେ ଆସି ଆଶ୍ରୟ ନେଲେ । ଏହି ଭୂତ କଥାରେ ପାଟଣରେ ମହଜୁଦ ଥିବା ହମୀର୍‍ର ସୈନ୍ୟମାନେ ଏଭଳି ଭୟଭୀତ ହୋଇଗଲେ ଯେ, ଦୁର୍ଗର ଦ୍ୱାର ବନ୍ଦ କରିଦେବା ବିଜ୍ଞତାର କାର୍ଯ୍ୟ ବୋଲି ମହାରାଜ ଦୁର୍ଲ୍ଲଭ ସେନ୍‍ ଭାବିଲେ ।’’

 

ଏ ସବୁ ଶୁଣି ରତ୍ନାଦିତ୍ୟଙ୍କ କୌତୂହଳ ଅଧିକ ବଢ଼ିଲା । ତାହାପରେ କ’ଣ ହେଲା ଜାଣିବାକୁ ସେ ଚାହିଁଲେ ।

 

ସାମନ୍ତ–‘‘ତୃତୀୟ ଦିନ ରାତିରେ ବୁଢ଼ା ବ୍ରାହ୍ମଣ ନନ୍ଦୀବତ୍ତ ଭୂତ ବୁଲୁଥିବା ଦେଖିଥିବାର କହିଲେ । ଏହା ଶୁଣି ସୈନ୍ୟମାନେ ଅଧିକ ଭୟଭୀତ ହୋଇ ଯେଝା ଘରେ କବାଟ ଦେଇ ରହିଲେ-। ଦୁର୍ଗର ଦ୍ୱାର ପାଖରେ ଥିବା ଚାମଣ୍ତେଶ୍ୱର ମନ୍ଦିରରେ ନନ୍ଦୀଦତ୍ତ ଯଜ୍ଞ ଆରମ୍ଭ କଲେ । ଏହି ଯଜ୍ଞ ଦେଖିବା ନିମନ୍ତେ ଗ୍ରାମବାସୀମାନେ ସେଠାରେ ଏକତ୍ର ହେଲେ ।’’

 

ରତ୍ନାଦିତ୍ୟ–‘‘ତା’ପରେ କ’ଣ ହେଲା ?’’

 

ସାମନ୍ତ–‘‘ରାତି ଅଧରେ ଦୁର୍ଗର ପ୍ରଧାନ ଦ୍ୱାରରେ କେହି ଧକ୍କା ମାରୁଥିବାର ଶବ୍ଦ ଶୁଣାଗଲା ସତେ ଯେପରି ଘୋଘାବାପାଙ୍କ ଭୂତ ଦୁର୍ଗରେ ପ୍ରବେଶ କରିବାକୁ ଚାହୁଁଛି ! ଭୂତକୁ ଚାଲିଯିବା ପାଇଁ କହିବାକୁ କାହାରି ସାହାସ ହେଲା ନାହିଁ । ଦୁର୍ଗରକ୍ଷକ ଦ୍ୱାର ଖୋଲିଦେଲା ଏବଂ ନନ୍ଦୀଦତ୍ତ ଭୂତକୁ ସ୍ୱାଗତ କଲେ । ଘୋଘାବାପା ସହରଟା ଯାକ ଦଖଲ କରିଥିବାରୁ କେବଳ ମୃତ ଲୋକଙ୍କ ଛଡ଼ା ଦୁର୍ଗ ଭିତରେ ଆଉ କେହି ରହିପାରିବେ ନାହିଁ । ଗ୍ରାମବାସୀମାନେ ସୈନ୍ୟ ହୋଇଯାଇ ସହରରେ ଥିବା ମୁସଲମାନ ସୈନ୍ୟମାନଙ୍କୁ ମାରିଦେଲେ । ପ୍ରତିରୋଧ କରୁଥିବା ରାଜପୁତ ସୈନ୍ୟମାନଙ୍କୁ ମଧ୍ୟ ମାରିଦିଆଗଲା ।’’

 

ରତ୍ନାଦିତ୍ୟ–‘‘ଦୁର୍ଲ୍ଲଭ ସେନ୍‍ଙ୍କର କ’ଣ ହେଲା ?’’

 

ସାମନ୍ତ–‘‘ସେ ଘୋଘାବାପାଙ୍କ ପାଦତଳେ ପଡ଼ି ସମସ୍ତ ପ୍ରକାର ଶପଥ କରି କହିଲେ ଯେ, ପାଟଣରେ ରାଜତ୍ୱ କରିବାପାଇଁ ତାଙ୍କର ଥିବା ବାସନା ସେ ତ୍ୟାଗ କରିବେ । ସେ ଏବଂ ତାଙ୍କ ନିକଟତମ ବନ୍ଧୁମାନଙ୍କୁ ସହରରୁ ବିଦା କରିଦିଆଯିବାରୁ ସୋମାନେ ଆଖ ପାଖ ଜଙ୍ଗଲକୁ ଚାଲିଗଲେ ।’’

 

ରତ୍ନାଦିତ୍ୟ-‘‘ଠିକ୍‍ କରିଛ ଚୌହାନ, ଠିକ୍‍ କରିଛ ! ତା’ପରେ କ’ଣ ହେଲା ?’’

 

ସାମନ୍ତ–‘‘ମନ୍ତ୍ରୀ ମେହେତାଙ୍କ ଦାୟିତ୍ୱରେ ପାଟଣକୁ ଛାଡ଼ିଦିଆଗଲା ଓ ଭୀମଦେବ ମହାରାଜଙ୍କ ନାମରେ ମୁଁ ସୈନ୍ୟ ସଂଗ୍ରହ ଆରମ୍ଭ କଲି । ମେହେତାଜୀ ମଧ୍ୟ ଖମ୍ୱାତ୍‍ରୁ ସୈନ୍ୟସାମନ୍ତ ଆଣିଲେ । ଭୟରେ ଜଙ୍ଗଲକୁ ପଳାଇ ଯାଇ ଆଶ୍ରୟ ନେଇଥିବା ସୈନ୍ୟମାନେ ପାଟଣକୁ ଫେରିଲେ । ଆମ୍ଭେମାନେ ଉଜ୍ଜୟିନୀରୁ ମଧ୍ୟ ସାହାଯ୍ୟ ପାଇଲୁ । ହମୀର୍‍ର ସୈନ୍ୟମାନେ ପ୍ରଭାସକୁ ଆସିବା ପଛେ ପଛେ ସେମାନେ ସଙ୍ଗଠିତ ହେଲେ ।

 

ରତ୍ନାଦିତ୍ୟ–‘‘ଏହି ସୈନ୍ୟମାନଙ୍କୁ କିଏ ନେତୃତ୍ୱ ଦେଲା ?’’

 

ସାମନ୍ତ–‘‘ଦାମୋଦର ମେହେତା । ସେ ନେତୃତ୍ୱ ଦେବାକୁ ଅନିଚ୍ଛୁକ ଥିଲେ ସୁଦ୍ଧା ଶେଷକୁ ରାଜି ହେଲେ ।’’

 

ରତ୍ନାଦିତ୍ୟ–‘‘ତମେ କାହିଁକି ନେତୃତ୍ୱ ନେଲ ନାହିଁ ?’’

 

ସାମନ୍ତ–‘‘ମୋର ବାପା ଓ ବଡ଼ବାପା ହମୀର୍‍ ବିରୁଦ୍ଧରେ ଲଢ଼ିଥିଲେ । ମୋର ଲଢ଼ିବା ପାଳି ଏ ପର୍ଯ୍ୟନ୍ତ ପଡ଼ିନାହିଁ । ତେଣୁ ମୁଁ ଖମ୍ବାତ ଗଲି ।’’

 

ରତ୍ନାଦିତ୍ୟ ହସିକରି କହିଲେ, “ତା’ହେଲେ ବର୍ତ୍ତମାନ ଘୋଘାବାପା ଆସିଛନ୍ତି ?” ଏହା କହି ସେ କଥାବାର୍ତ୍ତା ଶେଷ କଲେ ।

 

ସାମନ୍ତ ଦୁଃଖପୂର୍ଣ୍ଣ ସ୍ୱରରେ କହିଲେ, “ଯେଉଁଠାରେ ସମ୍ମାନ ଓ ସାହସ ବିଦ୍ୟମାନ ସେଠାରେ ଘୋଘାବାପା ବରାବର ଉପସ୍ଥିତ । ଆପଣ ଚାହୁଁଥିବା ଜିନିଷମାନ ମୁଁ ଆଣିଛି ।” ସମୁଦ୍ରକୁ ଦେଖାଇ ସେ କହିଲେ “ସେଠାରେ ରାଓ କାମାଲଖାନୀଙ୍କ ସହିତ ମୋର ଦେଖାହୋଇଥିଲା । ମୁଁ ଏଠାକୁ ଆସିଲି ଓ ସେ ସେଠାରେ ରହିଲେ ।”

 

ରତ୍ନାଦିତ୍ୟ–‘‘ପ୍ରଭୁ ସୋମନାଥଙ୍କର ଆଶୀର୍ବାଦ ଆମ୍ଭମାନଙ୍କ ପ୍ରତି ଏ ପର୍ଯ୍ୟନ୍ତ ଅଛି । ଗୁଜୁରାତର ଯୋଦ୍ଧାମାନେ କ’ଣ କରିପାରନ୍ତି, ତାହା ବର୍ତ୍ତମାନ ଆମେ ହମୀର୍‍କୁ ଦେଖାଇ ପାରିବୁ-।’’

 

ସାମନ୍ତ–‘‘ମୋର ମହାରାଜାଙ୍କ ସହିତ ଅବିଳମ୍ୱେ ଦେଖାହେବା ଦରକାର, କାରଣ ସକାଳ ହେବା ପୂର୍ବରୁ ମୁଁ ଜାହାଜରେ ପହଞ୍ଚିବାକୁ ହେବ ।’’

 

ରତ୍ନାଦିତ୍ୟ ଓ ସାମନ୍ତ ପୁଣି ଥରେ ପରସ୍ପର ଆଲିଙ୍ଗନବଦ୍ଧ ହେଲେ ଏବଂ ତାଙ୍କୁ ମହାରାଜାଙ୍କର ରହିବା ସ୍ଥାନ ଦେଖାଇ ଦେବାପାଇଁ ରତ୍ନାଦିତ୍ୟ ଜଣେ ସୈନ୍ୟକୁ ନିର୍ଦ୍ଦେଶ ଦେଲେ ।

 

ଭିତର ଦୁର୍ଗକୁ ଯାଉଥିବା ସମୟରେ ଅଳ୍ପଦିନ ତଳେ ଯାହାସବୁ ଘଟିଥିଲା ତାହା ସାମନ୍ତଙ୍କର ମନକୁ ଆସିଲା । ଯେଉଁ ଖୁଣ୍ଟ ପାଖରେ ବସି ସେ କାନ୍ଦିଥିଲେ ତାହା ଆଖିରେ ପଡ଼ିଲା-। ନର୍ତ୍ତକୀ କୁଣ୍ତଳାର ଚେହେରା ଏବଂ ତାହା ସଙ୍ଗେ ସଙ୍ଗେ ତ୍ରିପୁରସୁନ୍ଦରୀ ମନ୍ଦିରରେ ଘଟିଥିବା ଘଟଣାମାନ ତାଙ୍କ ମାନସପଟରେ ଅଙ୍କିତ ହେଲା । ମହାମାୟାଙ୍କ ପୂଜା ଆରଧନା ପୁନର୍ବାର ପ୍ରତିଷ୍ଠିତ ହୋଇଥିବା ସେ ଦେଖିପାରିଲେ ଏବଂ ସେହି ଯୁବତୀ ନର୍ତ୍ତକୀ ଯେତେବେଳେ ପ୍ରଥମେ ମନ୍ଦିରରେ ପ୍ରବେଶ କଲା, ସେତେବେଳେ ତାହା ମନରେ ଯେଉଁ ଆନନ୍ଦ ଓ ଉତ୍ସାହ ଦେଖାଦେଇଥିଲା, ସେସବୁ ଗୋଟି ଗୋଟି ହୋଇ ମନେପଡ଼ିଲା । ତାଙ୍କ ନୀରସ ଜୀବନରେ ସେହି ଯୁବତୀର ପ୍ରଶାନ୍ତ ମୁଖମଣ୍ତଳର ସ୍ମୃତି ମରୁଭୂମିର ମରୁଦ୍ୱୀପ ପରି ଶାନ୍ତିପ୍ରଦ ମନେହେଲା ।

 

ତାଙ୍କ ଜୀବନର ଅମାଅନ୍ଧକାର ଏବଂ ଅଙ୍ଗେ ନିଭେଇଥିବା କଷ୍ଟଦାୟକ ସ୍ମୃତିରାଶି ମଧ୍ୟରେ ଆଶାର କିରଣ ଦେଇଥିଲା ସେହି ସୁନ୍ଦରୀ ଚୌଲାର ଶାନ୍ତମୂର୍ତ୍ତି । ଯେତେବେଳେ ସେ ଖମ୍ବାତରେ ପହଞ୍ଚି ଶୁଣିଲେ ଯେ ପ୍ରଭାସରୁ ମନ୍ଦିରର ନର୍ତ୍ତକୀମାନେ ସେଠାକୁ ଆସିଛନ୍ତି, ଚୌଲାକୁ ପୁଣିଥରେ ଦେଖିବାର ସୁଯୋଗ ପାଇବେ ଭାବି ତାଙ୍କ ମନରେ ମୁହୂର୍ତ୍ତକ ପାଇଁ ଆନନ୍ଦ ଜନ୍ମିଲା । କିନ୍ତୁ ପରେ ଗଗନରାଶିଙ୍କଠାରୁ ଶୁଣିଲେ ଯେ, ଗଙ୍ଗା ଏବଂ ଚୌଲା ଗୁରୁଦେବଙ୍କ ନିକଟରେ ପ୍ରଭାସରେ ଅଛନ୍ତି । ବର୍ତ୍ତମାନ ସେ ପ୍ରଭାସକୁ ଆସିଥିବାରୁ କାଳେ ଚୌଲାକୁ ଦେଖିପାରିବେ, ସେହି ଆଶାରେ ଗୁରୁଦେବଙ୍କ ଘରକୁ ଯିବାକୁ ବ୍ୟଗ୍ର ଥାନ୍ତି; କିନ୍ତୁ ମହାରାଜାଙ୍କ ସହିତ ଦେଖାକରି ତାଙ୍କୁ ଶେଷ ଖବର ଜଣାଇବା ହେଉଛି ତାଙ୍କର ପ୍ରଥମ କର୍ତ୍ତବ୍ୟ ।

 

ସାମନ୍ତଙ୍କ ସହିତ ଯାଇଥିବା ସୈନ୍ୟଟି ମହାରାଜାଙ୍କ ରହିବା ସ୍ଥାନ ଦେଖାଇଦେଲା; କିନ୍ତୁ ଦ୍ୱାର ଜଗି ରହିଥିବା ବୀର ଚାଓଡ଼ା ତାଙ୍କୁ ଭିତରକୁ ଯିବାକୁ ଦେଲାନାହିଁ ।

 

ସାମନ୍ତ ନିଜର ପରିଚୟ ଦେଇ କହିଲେ–‘‘ମୁଁ ସାମନ୍ତ ଚୌହାନ । ବୀର, ମହାରାଜା କ’ଣ ଚେଇଁଛନ୍ତି ?’’

 

ଏହା ଶୁଣି ବୀର ଅତ୍ୟନ୍ତ ବିସ୍ମୟରେ ଓ ଧୀର ସ୍ୱରରେ କହିଲା, “ବାପୁ ! ଆପଣ ?’’

 

ସାମନ୍ତ–‘‘ହଁ, ମୁଁ ବର୍ତ୍ତମାନ ସମୁଦ୍ରବାଟେ ଖମ୍ବାତରୁ ଆସୁଛି । ଜାହଜ ପାଖରୁ ମୁଁ ପହଁରି ପହଁରି ଆସିଛି । ମହାରାଜାଙ୍କୁ ଖବର ଦେବାକୁ ଚାହେଁ । ମୁଁ ସଙ୍ଗେ ସଙ୍ଗେ ଫେରିଯିବି । ମୋତେ ଭିତରକୁ ଛାଡ଼ ।

 

ବୀର ତାଙ୍କ ହାତ ଧରି କହିଲା, “ନାଁ, ଆପଣ ଭିତରକୁ ଯାଇପାରିବେ ନାହିଁ ।”

 

ସାମନ୍ତର ମୁହଁ ଗମ୍ଭୀର ହୋଇଗଲା । ସେ କହିଲେ, “ମୁଁ କ’ଣ କହିଲି ଶୁଣିଲ ନାହିଁ ? ମୋର ମହାରାଜାଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା ଅଛି ।”

 

ବୀର–‘‘ବାପୁ, ଆପଣ ଟିକିଏ ଅପେକ୍ଷା କରନ୍ତୁ । ମୁଁ ଭିତରକୁ ଯାଇ ଆପଣ ଆସିଥିବା ମହାରାଜାଙ୍କୁ କହିବି । ସେ ବର୍ତ୍ତମାନ ଏକୁଟିଆ ନାହାନ୍ତି ।’’

 

ସାମନ୍ତ–‘‘ଏ ସମୟରେ ତାଙ୍କ ପାଖରେ ପୁଣି କିଏ ଅଛି ?’’

 

ବୀରର ଉଚ୍ଚହାସ୍ୟ ସାମନ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ସେ କହିଲା, “ତାଙ୍କ ପାଖରେ ବର୍ତ୍ତମାନ ଯୁବତୀ ନର୍ତ୍ତକୀ ଚୌଲା ।”

 

ସାରା ସଂସାରଟା ନିଜ ଚାରିପଟେ ଭାଙ୍ଗିପଡ଼ିବା ପରି ସାମନ୍ତଙ୍କୁ ଲାଗିଲା । ସାମନ୍ତ ଅସ୍ଥିର ହୋଇ ଉଠିଲେ ଓ ପଡ଼ିଯିବା ଭୟରେ ନିଜକୁ ସମ୍ଭାଳିବାପାଇଁ କାନ୍ଥରେ ହାତ ଭରାଦେଲେ । ତାଙ୍କର ହୃଦୟ ଫାଟିପଡ଼ିବା ଭଳି ବୋଧ ହେଲା । ସେ ପାହାଚ ଉପରେ ବସିପଡ଼ିଲେ ।

 

ବୀର କହିଲା-‘‘ବାପୁ ! ଆପଣ ଏଇଠି ଅପେକ୍ଷା କରିଥାନ୍ତୁ । ମୁଁ ଆପଣଙ୍କ ଆସିବା ଖବର ମହାରାଜାଙ୍କୁ ଜଣାଇଦେବାକୁ ଯାଉଛି ।’’

 

ସତେ ଯେପରି ଜଣେ ମଲା ମଣିଷ କଥା କହୁଛି, ସେହିପରି ସ୍ୱରରେ ସାମନ୍ତ ଆସ୍ତେ ଆସ୍ତେ କହିଲେ, “ବୀର, ମହାରାଜ କେତେବେଳେ ବିଶ୍ରାମ ନେବାକୁ ଗଲେ ?”

 

ବୀର–‘‘ଅଳ୍ପ କ୍ଷଣ ହେଲା ଯାଇଛନ୍ତି ।’’

 

ରୁଦ୍ଧକଣ୍ଠରେ ସାମନ୍ତ କହିଲେ, “ସେ ବିଶ୍ରାମ ନିଅନ୍ତୁ- ସେ ବିଶ୍ରାମ ନିଅନ୍ତୁ !”

 

ସାମନ୍ତ କପାଳରେ ହାତଦେଇ କିଛିକ୍ଷଣ ବସିରହିଲେ । ବର୍ତ୍ତମାନ କାନ୍ଦିବା ମଧ୍ୟ ତାଙ୍କ ପାଖରେ ସମ୍ଭବ ନୁହେଁ । ତାଙ୍କର ସମସ୍ତ ଆଶା ଶେଷ ହୋଇଚି । ମୃତ୍ୟୁ ମଧ୍ୟ ଦୂରେଇ ଯାଇଛି । ପରିବାରହୀନ, ଭବିଷ୍ୟତ୍‍ ଶୂନ୍ୟ, ସାନ୍ତ୍ୱନା ତଥା ସହାୟ ଶୂନ୍ୟଭାବେ ଜୀବନ କାଟିବା ତାଙ୍କ ଭାଗ୍ୟରେ ଅଛି । ସେ ବଞ୍ଚିଥିଲେ ସୁଦ୍ଧା ମୃତ । ତାଙ୍କ ମୁହଁରେ ଦୁଃଖପୂର୍ଣ୍ଣ ହସ ଦେଖାଦେଲା । ପ୍ରଭୁ ସୋମନାଥ ତା’ ଲାଗି ଦୁନିଆରେ କିଛି ରଖି ନାହାଁନ୍ତି ।

 

ଉପରୁ ବୀର ଡାକିଲା, “ମହାରାଜ ଆପଣଙ୍କ ପାଇଁ ଅପେକ୍ଷା କରିଛନ୍ତି, ଚୌହାନରାଜ ! ଆସନ୍ତୁ ।”

 

ସାମନ୍ତ ଅତି କଷ୍ଟରେ ପାହାଚ ଉଠି ଉପରକୁ ଗଲେ । ତାଙ୍କୁ ସ୍ୱାଗତ କରିବାପାଇଁ ଶିଡ଼ିର ଶେଷ ପାହାଚରେ ଦଣ୍ତାୟମାନ ଭୀମଦେବ ହାତ ବଢ଼େଇ କହିଲେ, “ବୀର ସାମନ୍ତ, ଆସ ! କେଉଁଠୁ ଆସିଲ ?”

 

ସାମନ୍ତ ମହାରାଜ ଭୀମଦେବଙ୍କ ସହିତ ଏକ ନିର୍ଜୀବ ମୂର୍ତ୍ତିପରି ମିଳିତ ହେଲେ । ଚୌଲା ଘର ଭିତରୁ କହି କହି ଆସିଲା, “କିଏ ଚୌହାନ ?” ଚିରାଚରିତ ପ୍ରଥା ଅନୁଯାୟୀ ଭଉଣୀ ଯେପରି ଭାଇର ପଦ ସ୍ପର୍ଶ କରେ ଓ ତା’ପରେ ସେ ଆଙ୍ଗୁଳିକୁ ନିଜ ଆଖିରେ ଲଗାଏ, ଚୌଲା ସେହିପରି ରୀତିରେ ତାଙ୍କୁ ସ୍ୱାଗତ କଲା ।

 

କମ୍ପିତ ଚୌହାନ ଚୌଲାର ହସ୍ତ ସ୍ପର୍ଶ ସମ୍ଭାଳି ପାରିଲେ ନାହିଁ । ସାହସୀ ଭୀମଦେବଙ୍କ ରାଣୀ ହେବାପାଇଁ ଚୌଲା କିପରି ଯୋଗ୍ୟା, ତାହା ସେ କ୍ଷଣକେ ଦେଖିପାରିଲେ ଓ ସେମାନେ ପରସ୍ପର ପ୍ରତି ଆକୃଷ୍ଟ ହୋଇଥିବାର ଲକ୍ଷଣ ଉଭୟଙ୍କ ଆଖିରେ ଦେଖିଲେ ।

 

ସେ ଅତି କଷ୍ଟରେ ନିଜକୁ ସମ୍ଭାଳି ନେଇ ଦୁହିଁଙ୍କୁ ହାତଯୋଡ଼ି ସମ୍ବର୍ଦ୍ଧନା କରି କହିଲେ, “ମହାରାଜ, ଚୌଲା ! ଆପଣ ଉଭୟେ ଏକତ୍ରିତ ହେବା ଭାଗ୍ୟର ବିଷୟ ।”

 

ସାମନ୍ତ ଅନେକ ସମୟରେ କଳ୍ପନାରେ ଦେଖିଛନ୍ତି ଯେ ସେ ଘୋଘାବାପାଙ୍କର ଅପହୃତ ରାଜ୍ୟ ଫେରିପାଇଛନ୍ତି ଏବଂ ତାଙ୍କ ପାଖରେ ଅର୍ଦ୍ଧାଙ୍ଗିନୀରୂପେ ଚୌଲା ସିଂହାସନରେ ବସିଛି । ଚୌଲାକୁ ନମସ୍କାର କରିବା ସଙ୍ଗେ ସଙ୍ଗେ ଏହି ଭାବନା ତାଙ୍କ ମନକୁ ଆସିଲା; କିନ୍ତୁ ସେ ତତ୍‍କ୍ଷଣାତ୍‍ ଏହି ଚିନ୍ତା ମନରୁ ଦୂର କରିବାକୁ ଚେଷ୍ଟା କଲେ ।

 

ଭୀମଦେବ କହିଲେ, “ସାମନ୍ତ, ମୁଁ ଦେଖୁଛି ତୁମେ ଓ ଚୌଲା ଉଭୟେ ପରସ୍ପରକୁ ଜାଣିଛ !”

 

ସାମନ୍ତ ଉତ୍ତର ଦେଲେ, “ମହାରାଜ, ଏହି ସଂସାର ପଥରେ ମୁଁ ଏକାକୀ ବୁଲୁଛି ଏବଂ ମୋର ନିଃସଙ୍ଗ ଜୀବନରେ ସେ ମୋର ଅନୁରକ୍ତା ଭଗିନୀର ସ୍ଥାନ ଅଧିକାର କରିଛି । ସେ ସବୁଦିନ ପାଇଁ ସୁଖୀ ହେଉ ।” ତା’ପରେ ସେ ଚୌଲାକୁ ଲକ୍ଷ୍ୟକରି କହିଲେ, “ଆଚ୍ଛା ଭଉଣୀ ! ମୋର ମହାରାଜାଙ୍କ ସହିତ ଏକାନ୍ତରେ କିଛି କଥାବାର୍ତ୍ତା କରିବାକୁ ଅଛି । ଆମେ ଦୁହିଁଙ୍କୁ ଟିକିଏ ନିରୋଳାରେ କଥାବାର୍ତ୍ତା ହେବାକୁ ସୁଯୋଗ ଦେବ ?”

 

ଏହା ଶୁଣି ଚୌଲା ଘର ଭିତରକୁ ଚାଲିଗଲା । ସାମନ୍ତ ଭୀମଦେବଙ୍କୁ ଛାତର ଗୋଟିଏ କ’ଣକୁ ଡାକିନେଇ କହିଲେ-“ମହାରାଜ ! ମୋର ଆପଣଙ୍କ ସହିତ ଯଥେଷ୍ଟ କଥାବାର୍ତ୍ତା ହେବାକୁ ଥିଲେ ସୁଦ୍ଧା ସମୟ ଅଳ୍ପ । ମୁଁ ରତ୍ନାଦିତ୍ୟଙ୍କୁ ସବୁ ବିଷୟ କହିଛି ଏବଂ ସେ ତାହା ଆପଣଙ୍କୁ ଜଣାଇବେ । ପାଟଣରେ ଆପଣଙ୍କ ବାକ୍ୟ ବେଦବାକ୍ୟସ୍ୱରୂପ । ହମୀର୍‍ର ସୈନ୍ୟବାହିନୀ ପଛରେ ଦାମୋଦର ମେହେତା ଆପଣଙ୍କୁ ସାହାଯ୍ୟ କରିବାକୁ ସୈନ୍ୟ ନେଇ ଆସୁଛନ୍ତି । ମାରଓ୍ୱାଡ଼ ଏବଂ ଉଜ୍ଜୟିନୀର ସୈନ୍ୟମାନେ ମଧ୍ୟ ଏଠାରେ ଶୀଘ୍ର ପହଞ୍ଚିବେ । ଖମ୍ବାତରୁ ମୁଁ ଖାଦ୍ୟଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ରପୂର୍ଣ୍ଣ ଜାହାଜମାନ ଆଣି ଆସିଛି ।”

 

ଭୀମଦେବ–‘‘ଅଦ୍ଭୁତ କାର୍ଯ୍ୟ, ଅଦ୍ଭୁତ କାର୍ଯ୍ୟ ତୁମେ କରିଛ ସାମନ୍ତ ! ଶତ ଧନ୍ୟବାଦ !’’

 

ସାମନ୍ତ–‘‘ମୋତେ ସାଙ୍ଗେ ସାଙ୍ଗେ ଫେରିଯିବାକୁ ପଡ଼ିବ । ମୁଁ କାଲି ପୁଣି ଫେରିବି ।’’

 

ଭୀମଦେବ-‘‘ସାମନ୍ତ, ତୁମେ ମଣିଷ ନୁହଁ, ସାକ୍ଷାତ୍‍ ଦେବତା !’’

 

ସାମନ୍ତ–‘‘ଆପଣ ଠିକ୍‍ କହିଛନ୍ତି ବୋଲି ମୋର ବିଶ୍ୱାସ । ମୁଁ ମଣିଷ ନୁହେଁ । ମଣିଷ ହୋଇଥିଲେ ବହୁପୂର୍ବରୁ ମୁଁ ମରିଥାନ୍ତି; ଏତେ କଷ୍ଟ ଭୋଗ କରୁନଥାନ୍ତି ।’’

 

ଭୀମଦେବ–‘‘ଏପରି କଥା କୁହନା । ତୁମେ ମୋର ଡାହାଣ ହାତସ୍ୱରୂପ ।’’

 

ସାମନ୍ତ–“ଏବେ ଆପଣଙ୍କୁ କହିବାପାଇଁ ମୋର ଆଉ ଗୋଟିଏ ବିଷୟ ଅଛି ।” ଏହା କହିବା ସଙ୍ଗେ ସଙ୍ଗେ ସାମନ୍ତଙ୍କ ଗଳା କଠୋର ହେଲା । ଭୀମଦେବ ଟିକିଏ ଆଶ୍ଚର୍ଯ୍ୟ ହୋଇ ପଛକୁ ଘୁଞ୍ଚିଯାଇ ପଚାରିଲେ, “କ’ଣ କହିବାକୁ ଚାହଁ ?”

 

ସାମନ୍ତ ମୁହୂର୍ତ୍ତକ ମଧ୍ୟରେ ଉଗ୍ରରୂପ ଧାରଣ କରି କହିଲେ, “ଚୌଲା ପ୍ରତି ଆପଣଙ୍କ ଦୁର୍ବଳତା କ’ଣ ସାମୟିକ ? ସେ କ’ଣ କେବେଳ କେତେଟା ରାତି ଲାଗି ଆପଣଙ୍କ ନିକଟରେ ଖେଳୁଛି ?”

ସାମନ୍ତ ଏହି ପ୍ରଶ୍ନ ପଚାରିବାକ୍ଷଣି ଭୀମଦେବ ଇତସ୍ତତଃ ହୋଇ ପଚାରିଲେ, “ତୁମେ କାହିଁକି ଏପରି ପ୍ରଶ୍ନ କରୁଛ ?”

ସାମନ୍ତ–‘‘ମନ୍ଦିରର ନର୍ତ୍ତିକୀଭାବେ ତା’ର ଜନ୍ମ । ପାଟଣ ରାଜାଙ୍କ ପ୍ରାସାଦରେ ତାହାର ସ୍ଥାନ କଅଣ ?’’

ସାମନ୍ତଙ୍କ ପ୍ରଶ୍ନର ଉଦ୍ଦେଶ୍ୟ ବୁଝିପାରି ଭୀମଦେବ ହସି ହସି ଉତ୍ତର ଦେଲେ, “ସାମନ୍ତ, ତୁମର ଆଶଙ୍କା ବୃଥା । ଚୌଲା ମୋ ହୃଦୟରେ ଉଚ୍ଚତମ ସ୍ଥାନ ଅଧିକାର କରିଛି । ମୁଁ କେବେହେଲେ ତାକୁ ଭୁଲିପାରିବି ନାହିଁ ।”

ସାମନ୍ତ–“ସେ ଗୁରୁଦେବଙ୍କ ଝିଅ ଓ ମୋର ଧର୍ମଭଉଣୀ । ଆପଣ ପ୍ରକୃତରେ ଯଦି ତାକୁ ରାଣୀ କରିବା ଇଚ୍ଛା କରନ୍ତି, ତାହାହେଲେ ସେ ବିଷୟ ସଙ୍ଗେ ସଙ୍ଗେ ନିଷ୍ପତ୍ତି ହେବା ଦରକାର-।” ଏହା କହିବା ସଙ୍ଗେ ସଙ୍ଗେ ସାମନ୍ତ ଭୀମଦେବଙ୍କ ଛାତିକୁ ନିଜର ଛୁରି ଉଠାଇଲେ । ସେ ଭୀଷଣମୂର୍ତ୍ତି ଧାରଣ କରିଥାନ୍ତି ।

ଭୀମଦେବ ଉଚ୍ଚହାସ୍ୟ କରି କହିଲେ, “ଚୌଲା, ଏପରି ଏକ ଭାଇ ତୋ’ର ଅଛି ! ତୁ ଭାଗ୍ୟବତୀ ! କିଛି ବ୍ୟସ୍ତ ହୁଅ ନାହିଁ ସାମନ୍ତ । ମୁଁ ତାକୁ ଦେଖିବା ମୁହୂର୍ତ୍ତରୁ ମୋର ଭାବୀ ରାଣୀଭାବେ ଦେଖିଆସିଛି ।”

ଏହା ଶୁଣି ଛୁରିକା ତଳେ ପକାଇଦେଇ ସାମନ୍ତ କହିଲେ, “ମହାରାଜ, ମୋତେ କ୍ଷମା କରନ୍ତୁ ! ଆପଣଙ୍କୁ ସନ୍ଦେହ କରିବା ମୋର ଉଚିତ ନ ଥିଲା ।”

ଭୀମଦେବ କହିଉଠିଲେ, “ସେଥିପାଇଁ ଦୁଃଖିତ ହୁଅ ନାହିଁ । ତୁମେ ମୋର ଭାଇ ନୁହଁ, ମୋର ପତ୍ନୀର ଭାଇ । ଏହି ଯୁଦ୍ଧ ଶେଷ ହେବା ସଙ୍ଗେ ସଙ୍ଗେ ତୁମେ ହିଁ ଚୌଲାକୁ ମୋତେ ଅର୍ପଣ କରିବ ।”

ସାମନ୍ତଙ୍କର ମୁହଁ ଶୁଖିଗଲା ଏବଂ ସେ କହିଲେ, “ମହାରାଜ, ସେ ଆପଣଙ୍କର ପତ୍ନୀ ହୋଇସାରିଲେଣି । ପ୍ରଭୁ ସୋମନାଥଙ୍କ ଇଚ୍ଛା କ’ଣ ତାହା ତାଙ୍କୁ ହିଁ ଜଣା । କାଲି କ’ଣ ହେବ ତାହା ଭଗବାନ ହିଁ ଜାଣନ୍ତି ।”

ଭୀମଦେବ କିଛି ସମୟ ଚୁପ୍‍ ରହି ଚିନ୍ତାକରି କହିଲେ, “ସାମନ୍ତ, ତୁମେ ଠିକ୍‍ କଥା କହୁଛ । ବୀର, ତୁ ଯାଇ ରତ୍ନାଦିତ୍ୟ, ବିମଳ ଓ ଦଦ୍ଦାଙ୍କୁ ଗୁରୁଦେବଙ୍କ ଘରକୁ ଡାକିଆଣ । ଏହି ମୁହୂର୍ତ୍ତ ପରି ଶୁଭ ମୁହୂର୍ତ୍ତ ଆଉ ଆସିବ ନାହିଁ । ଚୌହାନ, ଚୌଲା ଏବଂ ମୁଁ ସିଧା ଗୁରୁଦେବଙ୍କ ପାଖକୁ ଯାଉଛୁ । ବିବାହ ବିଧାନ ସଙ୍ଗେ ସଙ୍ଗେ ସମ୍ପନ୍ନ ହେବ ।

 

+

+

+

 

ବିବାହ ଉତ୍ସବ ଶେଷ ହେଲା । ଗୁରୁଦେବ ନବ ଦମ୍ପତିକୁ ଆଶୀର୍ବାଦ କଲେ । ଏ ଦୃଶ୍ୟ ଦେଖି ଗଙ୍ଗାର ଆଖିରୁ ଆନନ୍ଦାଶ୍ରୁ ବହିବାରେ ଲାଗିଥାଏ । ସାମନ୍ତ ଠିଆ ହୋଇପଡ଼ି କହିଲେ, “ମହାରାଜ, ସିନ୍ଦୂରା ଫାଟିଆସୁଛି । ମୋତେ ବିଦାୟ ଦିଅନ୍ତୁ !”

 

ଭୀମଦେବ ଏବଂ ଚୌଲା ତାଙ୍କୁ ବିଦାୟ ଦେବାକୁ ଗୁରୁଦେବଙ୍କ ଘର ବାହାର ପର୍ଯ୍ୟନ୍ତ ଗଲେ । ଚୌଲା ଆନନ୍ଦାଶ୍ରୁପୂର୍ଣ୍ଣ ଆଖିରେ ଚାହିଁ କହିଲା, “ଭାଇ, ଭଗବାନ ତୁମକୁ ଶୀଘ୍ର ଫେରାଇ ଆଣନ୍ତୁ ।”

 

ସାମନ୍ତ କହିଲେ-“ଭଉଣୀ, ଯେବେ ମୁଁ ବଞ୍ଚିକରିଥାଏ, ତାହାହେଲେ ତୁ ଦିନେ ନା ଦିନେ ମୋ ହାତରେ ରାଖି ବାନ୍ଧିବାକୁ ଆସିବୁ । ଯେବେ ମୋର ମୃତ୍ୟୁ ହୁଏ, ତାହାହେଲେ... ମୋତେ ମନେକରିବୁ ।”

 

ସାମନ୍ତ ଆଉ ପଛକୁ ନ ଚାହିଁ ଦୁର୍ଗର ଦ୍ୱାରକା ଦ୍ୱାରଆଡ଼କୁ ଚାଲିଲେ ।

Image

 

ପ୍ରତିଶୋଧ ନେବାଲାଗି ଶିବରାଶିଙ୍କ ନିଷ୍ପତ୍ତି

 

ଶିବରାଶି ଗୁରୁଦେବଙ୍କ ସହିତ ନୀରବରେ ତାଙ୍କ ଘରକୁ ଗଲେ । ଯେତେବେଳେ ସର୍ବଜ୍ଞ ତାଙ୍କ ଆଗରେ ଠିଆହେଲେ, ସେ କଳ୍ପନା କରୁଥାନ୍ତି ସତେ ଯେପରି ଶିବଙ୍କର ସାକ୍ଷାତ୍‍ ଅବତାର ଓ ପାଶୁପତ ସମ୍ପ୍ରଦାୟର ପ୍ରତିଷ୍ଠାତା ଲକୁଳେଶ ନିଜେ ତାଙ୍କୁ ସାଙ୍ଗରେ ଯିବାପାଇଁ କହୁଛନ୍ତି । ଶିବରାଶି ଭାବିଲେ ତାଙ୍କ ତପସ୍ୟାପାଇଁ ସେ ପୁରସ୍କାର ପାଇଛନ୍ତି । ପାଶୁପତ ସମ୍ପ୍ରଦାୟର ପ୍ରତିଷ୍ଠାତା ନିଜେ ତାଙ୍କୁ ଏହି ପାପମୟ ସ୍ଥାନରୁ ନେବାପାଇଁ ଆସିଛନ୍ତି ଓ ଦେବୀ ମହାମାୟା ତ୍ରିପୁରସୁନ୍ଦରୀ ଆଗେ ଆଗେ ଆନନ୍ଦରେ ନାଚି ନାଚି ବାଟ କଢ଼ାଉଛନ୍ତି । ଚାରିଆଡ଼େ ଅନ୍ଧକାର ଘୋଟି ରହିଥିବା ସମୟରେ ତାଙ୍କ ଗୁରୁ ଏବଂ ପୂଜ୍ୟା ଦେବୀ ତାଙ୍କୁ ଅନ୍ଧକାରରୁ ଆଲୋକକୁ ନେଉଛନ୍ତି ।

 

ଗୁରୁଦେବ ଚାଲିଯିବା ପରେ ବହୁସମୟ ପର୍ଯ୍ୟନ୍ତ ଅନ୍ଧକାରକୁ ଚାହିଁ ରହି ଶିବରାଶି ସେହିଠାରେ ଠିଆ ହୋଇ ରହିଲେ । ସିଦ୍ଧେଶ୍ୱର ଆସି ତାଙ୍କୁ ଡାକିବାରେ ସେ ପ୍ରକୃତିସ୍ଥ ହେଲେ । କୋମଳ ଏବଂ ଉତ୍ସାହପୂର୍ଣ୍ଣ ସ୍ୱରରେ ଶିବରାଶି କହିଲେ, “ସିଦ୍ଧେଶ୍ୱର, ପ୍ରଭୁ ମୋତେ ଦେଖିବାକୁ ବର୍ତ୍ତମାନ ଆସିଥିଲେ ।”

 

ସିଦ୍ଧେଶ୍ୱର ଆଶ୍ଚର୍ଯ୍ୟ ହୋଇ କହିଲା, “ଆପଣ ପୁଣି ସର୍ବଜ୍ଞକୁ କ’ଣ ଦେବତା-ଦୃଷ୍ଟିରେ ଦେଖିଲେଣି ?”

 

ଶିବରାଶି–‘‘ନା, ନା, ପ୍ରଭୁ ଲକୁଳେଶ୍ୱର ନିଜେ ଏଠାକୁ ଆସିଥିଲେ ।’’

 

ସିଦ୍ଧେଶ୍ୱର–‘‘ପ୍ରଭୁ ଲକୁଳେଶ ?’’

 

ଶିବରାଶି–‘‘ହଁ, ବର୍ତ୍ତମାନ ଆସିଥିଲେ । ପ୍ରଭୁ ଶଙ୍କରଙ୍କ ରୂପରେ ସେ ମୋତେ ଦେଖାଦେଲେ ।’’

 

ଶିବରାଶି ପୁଣି ଭକ୍ତିଭରା କଣ୍ଠରେ କହିଲେ, “ପ୍ରଭୁ ନିଜେ କହିଲେ, ମନ୍ଦିରଟା ପାପରେ ପୂରିଗଲାଣି । ସେ ମୋତେ ଅନ୍ୟସ୍ଥାନକୁ ଚାଲିଯିବାକୁ କହିଲେ । ପାପ ବିମୁକ୍ତ ଏକ ସ୍ଥାନରେ ପ୍ରଭୁ ସୋମନାଥ ଏବଂ ମହାମାୟା ତ୍ରିପୁରସୁନ୍ଦରୀଙ୍କର ନୂତନ ମନ୍ଦିର ସ୍ଥାପନ କରି ଯେପରି ପରମ୍ପରାସିଦ୍ଧ ରୀତିରେ ପୂଜା କରାଯାଇ ଆସୁଥିଲା, ସେହିପରି ପୂଜା କରିବାକୁ ପ୍ରଭୁ କହିଛନ୍ତି ।”

 

ଶିବରାଶିଙ୍କର ଏଭଳି ବାଚାଳତାରେ ଟିକିଏ ବିସ୍ମିତ ହୋଇ ସିଦ୍ଧେଶ୍ୱର ତାଙ୍କ ଆଡ଼କୁ ଅନାଇଲା । ଗତ କିଛିଦିନ ମଧ୍ୟରେ ରାଶିଜୀଙ୍କ ବ୍ୟକ୍ତିତ୍ୱରେ ଦେଖାଦେଇଥିବା ଏହି ପରିବର୍ତ୍ତନ ସେ ବୁଝିପାରୁନଥାଏ । ଶିବରାଶି ବର୍ତ୍ତମାନ ପୂର୍ବଭଳି ଦୁର୍ବଳ ନୁହଁନ୍ତି ବା ଅନ୍ୟର କ୍ରୀଡ଼ା-ପୁତ୍ତଳିକା ନୁହଁନ୍ତି-। ତାଙ୍କଠାରେ ଏଭଳି ଆତ୍ମବିଶ୍ୱାସ ଦେଖାଦେଇଛି, ଯାହା କେବଳ ଦେବତାମାନଙ୍କଠାରେ ଦେଖାଯାଏ । ଯେଉଁଦିନୁ ଶିବରାଶି ସର୍ବଜ୍ଞକୁ ଆଉ ଗୁରୁରୂପେ ମାନିବେ ନାହିଁ ବୋଲି ନିଷ୍ପତ୍ତି କଲେ, ସେହିଦିନୁ ତାଙ୍କୁ ଗୁରୁଦେବ ପଦରେ ଅଭିଷିକ୍ତ କରିଥିବା ସିଦ୍ଧେଶ୍ୱର କହିଲା, “ଗୁରୁଦେବ, ହମୀର୍‍ର ବିରାଟ ସୈନ୍ୟବାହିନୀ ଦେଖିବା ଦିନୁଁ ଏଠାରେ ରହିବା ବିଜ୍ଞତାର କାର୍ଯ୍ୟ ନୁହେଁ ବୋଲି ମୁଁ ଭାବିଛି । ଆମେ ବର୍ତ୍ତମାନ ଯେବେ ଗୁରୁଦେବଙ୍କୁ-ନା, ଗଙ୍ଗସର୍ବଜ୍ଞଙ୍କୁ-ଅନୁରୋଧ କରିବା, ସେ ଆମର ଖମ୍ବାତ ଯିବାର ବ୍ୟବସ୍ଥା କରିଦେବେ । ରାଓ କାମା ତାଙ୍କ ବୋଇତ ସମୁଦ୍ରକୂଳରେ ଲଗାଇଛନ୍ତି । ସେ ଆମକୁ ନେଇଯିବେ ।”

 

ଉତ୍‌କ୍ଷିପ୍ତ ସିଂହପରି ଗର୍ଜିଉଠି ଶିବରାଶି କହିଲେ, “ସେହି ପାପୀଠାରୁ କୌଣସି ପ୍ରକାର ସାହାଯ୍ୟ ନେବା ଅପେକ୍ଷା ଏଠାରେ ରହିବା ଶ୍ରେୟସ୍କର ।”

 

ସିଦ୍ଧେଶ୍ୱର–‘‘ତାହାହେଲେ ଆମେ ଯିବା କିପରି ?’’

 

ଶିବରାଶି-‘‘ମୁଁ ପଳାଇଯିବାକୁ ଚାହେଁ ନାହିଁ । କେବଳ ପ୍ରଭୁ ଲକୁଳେଶଙ୍କ ଆଦେଶ କାର୍ଯ୍ୟକାରୀ କରିବାକୁ ଚାହେଁ । କ’ଣ କରିବା ଉଚିତ ସେ ବିଷୟରେ ମହାମାୟା ତ୍ରିପୁରସୁନ୍ଦରୀ ନିଶ୍ଚୟ ମୋତେ ନିର୍ଦ୍ଦେଶ ଦେବେ । ସେ ଯେଉଁଠାକୁ ଯିବେ ମୁଁ ତାଙ୍କ ସଙ୍ଗେ ସଙ୍ଗେ ଯିବି । ପାଶୁପତ ସମ୍ପ୍ରଦାୟକୁ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ରକ୍ଷାକରିବା ମୋର ପରମ କର୍ତ୍ତବ୍ୟ ହେବ । ମହାମାୟା ! ଜଗଜ୍ଜନନୀ !” ଏହା କହିସାରି ଶିବରାଶି ନିସ୍ପନ୍ଦ ହୋଇ ଠିଆହେଲେ ଏବଂ ଦୂର ଅନ୍ଧକାରକୁ ଅପଲକ ନୟନରେ ଚାହିଁ ରହିଲେ । ତାଙ୍କୁ ଜଣାଗଲା ଯେପରି ସେହି ଅନ୍ଧକାର ଭିତରୁ ଦେବୀ ତ୍ରିପୁରସୁନ୍ଦରୀ ତାଙ୍କୁ ଆନନ୍ଦରେ ଡାକୁଛନ୍ତି । ତାଙ୍କର ସୌନ୍ଦର୍ଯ୍ୟ ଅପୂର୍ବ । ପଦ୍ମଫୁଲ ତୁଲ୍ୟ ତାଙ୍କର ପାଦ ସେ ସୌନ୍ଦର୍ଯ୍ୟକୁ ଆହୁରି ବର୍ଦ୍ଧିତ କରୁଥାଏ । ମହାମାୟା ଦିବ୍ୟ ହସ ହସୁଥାନ୍ତି । ଅନ୍ତରର ସମସ୍ତ ଆବେଗ ଘେନି ଦେବୀ ହସିଉଠୁଥାନ୍ତି ।

 

ଶିବରାଶି କହିଲେ–‘‘ସିଦ୍ଧେଶ୍ୱର, ମୁଁ ଆଦେଶ ପାଇଛି । କ’ଣ ହେବାକୁ ଯାଉଛି ତାହା ମହାମାୟା ଜଣାଇଦେଲେଣି । ଏହି ଅପବିତ୍ର ସ୍ଥାନରୁ ଆସ ଚାଲିଯିବା ।’’

 

ସିଦ୍ଧେଶ୍ୱର–‘‘ଆମେ କିପରି ଯିବା ?’’

 

ଗୁରୁ ଶିବରାଶିଙ୍କ ମନରେ କ’ଣ ଅଛି ତାହା ବୁଝିବା ସିଦ୍ଧେଶ୍ୱର ପକ୍ଷରେ କଷ୍ଟକର ହେଲା ।

 

ନିଦ୍ରାତ୍ୟାଗ କରି ଉଠିଲାଭଳି ସଚେତ ହୋଇ ଶିବରାଶି ଅସ୍ଥିରଭାବେ ଚାରିଆଡ଼କୁ ଚାହିଁଲେ । ତାହାପରେ ପ୍ରକୃତିସ୍ଥ ହୋଇ କହିଲେ “ସିଦ୍ଧେଶ୍ୱର ତୁମେ ଯାଇ ଦଦ୍ଦା ଚାଲୁକ୍ୟକୁ ଆଣ-।”

 

ସିଦ୍ଧେଶ୍ୱର–‘‘ସେ ବର୍ତ୍ତମାନ ଜୁନାଗଡ଼ ଦ୍ୱାର ଜଗିଛନ୍ତି ।’’

 

ଶିବରାଶି–‘‘ମୁଁ ଜାଣେ; କିନ୍ତୁ ସେ ଶୀଘ୍ର ଏଠାକୁ ଆସିବା ମୋର ଆଜ୍ଞା ବୋଲି କୁହ ।’’

 

ଅନ୍ୟକିଛି ପ୍ରଶ୍ନ ନ ପଚାରି ସିଦ୍ଧେଶ୍ୱର ସିଧା ଚାଲିଗଲେ । କିଛି ସମୟ ପରେ ହରଦତ୍ତ ଏବଂ ଅନ୍ୟଜଣେ ସାଧୁ ଆସି ପହଞ୍ଚି ଶିବରାଶିଙ୍କୁ ସସମ୍ମାନେ ଅଭିବାଦନ ଜଣାଇ କହିଲେ, “ଗୁରୁଦେବ, ଆମ ସାଙ୍ଗରେ ଆସିବାକୁ ଆପଣ ପ୍ରସ୍ତୁତ ଅଛନ୍ତି ? ତ୍ରିପୁରସୁନ୍ଦରୀଙ୍କ ପୂଜା ନିମନ୍ତେ ସବୁ ଆୟୋଜନ ହୋଇଛି । କେବଳ ଆପଣଙ୍କୁ ଆମେ ଅପେକ୍ଷା କରିଛୁ । ଆପଣ ଆସିଲେ ଆମେ ଚୌଲାକୁ ଆଣିବୁ ।”

 

ଶିବରାଶି–‘‘ଚୌଲା, ମହାମାୟା ?’’

 

ହରଦତ୍ତ–‘‘ହଁ ।’’

 

ଶିବରାଶି-“ମୂର୍ଖ, ଅନ୍ଧ । ପୂଜା ସମ୍ପୂର୍ଣ୍ଣ କରି ଲାଭ କ’ଣ ?” ଶିବରାଶି ରାଗରେ ଦାନ୍ତ ଚିପି କହିଲେ । ସେ ପୁଣି କହିଲେ, “ବର୍ତ୍ତମାନ ଆମ୍ଭେମାନେ ଏହି ପାପପୂର୍ଣ୍ଣ ସ୍ଥାନ ପରିତ୍ୟାଗ କରି ଅନ୍ୟକୌଣସି ପବିତ୍ର ସ୍ଥାନରେ ତ୍ରିପୁରସୁନ୍ଦରୀଙ୍କ ପୂଜାର ବ୍ୟବସ୍ଥା କରିବା ଦରକାର । ତାହାହିଁ ହେଉଛି ପ୍ରଭୁ ଲକୁଳେଶଙ୍କର ଆଦେଶ ଏବଂ ତାହା କରିବାପାଇଁ ଦେବୀ ମହାମାୟା ନିଜେ ମୋତେ ନିର୍ଦ୍ଦେଶ ଦେଇଛନ୍ତି ।”

 

ହରଦତ୍ତ–‘‘ଆମେ ଯିବା କୁଆଡ଼େ ?’’

 

ଶିବରାଶି-‘‘ଏହି ଅପବିତ୍ର ସ୍ଥାନ ଛାଡ଼ି ଆମ୍ଭେମାନେ ସଙ୍ଗେ ସଙ୍ଗେ ଅନ୍ୟତ୍ର ଚାଲିଯିବା ଦରକାର । ତୁମେ ମୋ ସାଙ୍ଗରେ ଯିବ ? କାଲିକୁ ଯେଉଁମାନେ ଏଠାରେ ଥିବେ ସେମାନେ ସମସ୍ତେ ଭସ୍ମ ହେଇଯିବେ ।’’

 

ହରଦତ୍ତ–‘‘ଆମେ କିପରି ଯିବା ?’’

 

ଶିବରାଶି-‘‘ମହାମାୟା ବାଟ ଦେଖାଇବେ । ତୁମେମାନେ ଯିବାକୁ ପ୍ରସ୍ତୁତ ତ ?’’

 

ହରଦତ୍ତ–‘‘ହଁ ।’’

 

ଶିବରାଶି-‘‘ଭଲକଥା । ତୁମେମାନେ ଯାଇ ଚୌଲାକୁ ଆଣ; କିନ୍ତୁ ସାବଧାନ, ତୁମେ କ’ଣ କରୁଛ ତାହା ଯେପରି କେହି ନ ଜାଣନ୍ତି । ଆମେ ସଙ୍ଗେ ସଙ୍ଗେ ପ୍ରଭାସ ଛାଡ଼ି ଚାଲିଯିବା ।’’

 

ହରଦତ୍ତ ଏବଂ ତା’ର ସାଥୀ ଗୁରୁଙ୍କ ଆଦେଶ କାର୍ଯ୍ୟକାରୀ କରିବାପାଇଁ ସଙ୍ଗେ ସଙ୍ଗେ ବାହାରି ପଡ଼ିଲେ । ଗୁରୁଦେବ ରୁଦ୍ରଙ୍କ ପରି ଶକ୍ତିଶାଳୀ ଦେଖାଯାଉଥାନ୍ତି । ଶିବରାଶିଙ୍କ ଦୃଷ୍ଟି ଚୌଲାରୂପିଣୀ ତ୍ରିପୁରସୁନ୍ଦରୀଙ୍କ ଉପରେ ଥିଲା । ସତେ ଯେପରି ସେ ତାଙ୍କ ଆଗରେ ଠିଆ ହୋଇ ଏହି ପର୍ବତ ଓ ସମୁଦ୍ରର ଅପର ପାର୍ଶ୍ୱରେ ଥିବା ଦେଶକୁ ଦେଖାଇ ଦେଉଛନ୍ତି ଓ ସେଠାରେ ନୂଆ ତୀର୍ଥସ୍ଥାନ ପ୍ରତିଷ୍ଠା ହେବବୋଲି ଯେପରି କହୁଛନ୍ତି । କଳ୍ପନାରେ ସେ ଦେଖିଲେ ଧରିତ୍ରୀ ନୂତନ ବସ୍ତ୍ର ପରିଧାନ କଲା । ଯେଉଁ ସ୍ଥାନରେ ମହାମାୟାରୂପରେ ତ୍ରିପୁରସୁନ୍ଦରୀ ଠିଆ ହୋଇଥିଲେ, ସୂର୍ଯ୍ୟଙ୍କ କିରଣରେ ତାହା ସୁନେଲି ପାହାଡ଼ ଭଳି ଦେଖାଗଲା । ପାହାଡ଼ ତଳ ଉପତ୍ୟକାରେ ସେ ନିଜେ ଜଗତ୍‍ଗୁରୁଙ୍କ କାର୍ଯ୍ୟ କରୁଥିବା ପରି ତାଙ୍କୁ ଜଣାଗଲା ।

 

ସିଦ୍ଧେଶ୍ୱରର ଆଗମନକୁ ଶିବରାଶି ଉଦ୍‍ବିଗ୍ନଭାବେ ଅପେକ୍ଷା କରି ରହିଥିଲେ । ସେ ଫେରିଆସି କହିଲା, “ମୁଁ ଦଦ୍ଦା ଚାଲୁକ୍ୟଙ୍କୁ ପାଇଲିନାହିଁ । ସେ ସର୍ବଜ୍ଞଙ୍କ ପାଖକୁ ଯାଇଛନ୍ତି ।”

 

ଶିବରାଶି କହିଲେ-‘‘ତାହାହେଲେ ତୁମେ ଯାଇ ବାହାରେ ଅପେକ୍ଷା କର । ସେ ଫେରିଆସିଲେ ତାକୁ ଏଠାକୁ ଆଣ ।’’

 

କିଛି ସମୟ ପରେ ହରଦତ୍ତ ଏବଂ ତା’ର ସାଥୀ ଆସି ପହଞ୍ଚିଲେ । ଉଭୟେ ଅତ୍ୟନ୍ତ ଉତ୍ତେଜିତ ହୋଇଥାଆନ୍ତି । ସେମାନେ ଆସି କହିଲେ, “ଗୁରୁଦେବ, ଅତ୍ୟନ୍ତ ଭୟାବହ ଘଟଣା ଘଟିଛି !”

 

ଶିବରାଶି-‘‘ଏଁ ?’’

 

ହରଦତ୍ତ ଏବଂ ତା’ର ସାଥୀ କହିଲେ, “ଗୁରୁଦେବ, ଗଙ୍ଗ ସର୍ବଜ୍ଞ ଚୌଲାକୁ ଭୀମଦେବ ସହିତ ବିବାହ କରିଦେଇଛନ୍ତି ।”

 

ଶିବରାଶି ଗର୍ଜି ଉଠି ପଚାରିଲେ, “ତୁମେ ଠିକ୍‍ କହୁଛ ?”

 

ହରଦତ୍ତ–‘‘ସେମାନଙ୍କର ବିବାହ ବର୍ତ୍ତମାନ ସରିଲା । ମୁଁ ଛାତ ଉପରୁ ଦେଖୁଥିଲି ।’’

 

ଶିବରାଶିଙ୍କ ମୁହଁ କ୍ରୋଧରେ ଲାଲ ପଡ଼ିଗଲା ଓ ଆଖି ଦୁଇଟି ତରାଟି ହୋଇଗଲା । ଦୁଇହାତରେ ସେ ନିଜ ମୁଣ୍ତରୁ ବାଳ ଛିଣ୍ତାଇଲେ । ସେ ନିଜ ଉପରୁ ତାଙ୍କର ଆୟତ୍ତ ହରାଇ ବସିଲେ ଏବଂ ତାଙ୍କ ନିଜର ପ୍ରତିଷ୍ଠା ମଧ୍ୟ ଭୁଲିଗଲେ । ତ୍ରିପୁରସୁନ୍ଦରୀ ବର୍ତ୍ତମାନ ପାଟଣର ଭୀମଦେବଙ୍କର ବିବାହିତା ସ୍ତ୍ରୀ ! ଏହାର ପ୍ରତିଶୋଧ ନେବାପାଇଁ ସେ ପାଗଳ ହୋଇଗଲେ ।

 

ହରଦତ୍ତ ବାରମ୍ବାର ପଚାରି ଲାଗିଲେ, “ଗୁରୁଦେବ, ଆମେ କ’ଣ କରିବା ? ଆମେ ଅନ୍ୟ କେଉଁଠାକୁ ଯିବା କି ନାହିଁ ?”

 

ଶିବରାଶି ପୂର୍ବପରି କ୍ରୋଧରେ କହିଲେ-‘‘ଏହି ପାପୀମାନେ ଭସ୍ମ ନ ହେବା ପର୍ଯ୍ୟନ୍ତ ଆମେ କିପରି ଯିବା ? ତୁମେ ବର୍ତ୍ତମାନ ଯାଅ । ଦରକାର ହେଲେ ମୁଁ ଡକାଇବି । ସାଧୁ ଦୁଇଜଣ ଶିବରାଶିଙ୍କର କ୍ରୋଧ ଦେଖି ଡରିଯାଇ ସଙ୍ଗେ ସଙ୍ଗେ ଚାଲିଗଲେ ।’’

 

ଅଳ୍ପକ୍ଷଣ ପରେ ସିଦ୍ଧେଶ୍ୱର ଏବଂ ଦଦ୍ଦା ଚାଲୁକ୍ୟ ଆସି ପହଞ୍ଚିଲା । ଶିବରାଶିଙ୍କ କ୍ରୁଦ୍ଧମୂର୍ତ୍ତି ଦେଖି ଦଦ୍ଦା ଆଶ୍ଚର୍ଯ୍ୟ ହୋଇଗଲେ ।

 

ଶିବରାଶି କହିଲେ-‘‘ଦଦ୍ଦା, ମୋର ଗୋଟିଏ ଆଦେଶ ତୁମକୁ କାର୍ଯ୍ୟକାରୀ କରିବାକୁ ହେବ ।’’

 

ଦଦ୍ଦା-‘‘ନିଶ୍ଚୟ କରିବି !’’

 

ଶିବରାଶି-‘‘ସିଦ୍ଧେଶ୍ୱରକୁ ଯେ କୌଣସିମତେ ଏହି ଦୁର୍ଗରୁ ବାହାର କରିବା ନିମନ୍ତେ ତୁମକୁ ବ୍ୟବସ୍ଥା କରିବାକୁ ହେବ ।’’

 

ଗୁରୁଦେବଙ୍କ ମନର ଅଭିପ୍ରାୟ ବୁଝିବାକୁ ଅସମର୍ଥ ହୋଇ ଆଶ୍ଚର୍ଯ୍ୟାନ୍ୱିତଭାବେ ଦଦ୍ଦା ପଚାରିଲେ, “ଆପଣ ମୋତେ ପଠାଇବା ନିମନ୍ତେ କହୁଛନ୍ତି ?”

 

ଶିବରାଶି-‘‘ହଁ, ତୁମକୁ ।’’

 

ରାଶିଜୀଙ୍କ କ୍ରୋଧ ଦେଖି ପଦେ ସୁଦ୍ଧା ପ୍ରତିବାଦ କରିବାକୁ ଦଦ୍ଦାର ସାହସ ହେଲା ନାହିଁ-

 

ଦଦ୍ଦା କହିଲେ, “କିନ୍ତୁ ଗୁରୁଦେବ, ମୁଁ ଏହା କରିବି କିପରି ? ମହାରାଜ ଜାଣିଲେ ମୋର ପ୍ରାଣ ନେଇଯିବେ ।”

 

ଶିବରାଶି-‘‘ଦଦ୍ଦା ! ମୋର ଆଶୀର୍ବାଦଫଳରେ ତୋ’ର ପୁଅ ହୋଇଛି । ମୁଁ ଅଭିଶାପବଳରେ ତୋ’ର ସେ ପୁଅକୁ ନାଶ କରିପାରେ । ଜବାବ୍‍ ଦେ ।

 

ଦଦ୍ଦାଙ୍କ ମନରେ ଭୟ ଜାତହେଲା । ଏହି ଶକ୍ତିଶାଳୀ ସାଧୁଙ୍କ ଆଦେଶ ସେ କିପରି ବା ଅମାନ୍ୟ କରିବେ ? ସେ କହିଲେ, “ଭଲକଥା ! ତାଙ୍କୁ ଅଳ୍ପ ସମୟ ମଧ୍ୟରେ ଦ୍ୱାରକା ଦ୍ୱାରକୁ ପଠାଅ । ମୁଁ ବ୍ୟବସ୍ଥା କରିବି ।”

 

ସାମନ୍ତ ଯେପରିଭାବେ ଦୁର୍ଗରେ ପ୍ରବେଶ କରିଥିଲେ, ରତ୍ନାଦିତ୍ୟ ତାହା ଦଦ୍ଦାଙ୍କୁ କହିଥିଲେ । ସିଦ୍ଧେଶ୍ୱରଙ୍କୁ ସେହିଭଳି ବାହାରକୁ ପଠାଇଦେବେ ବୋଲି ସେ ଭାବିଲେ । ଆଉ ମୁହୂର୍ତ୍ତେ ଅପେକ୍ଷା ନ କରି ସେ ଚାଲିଗଲେ ।

 

ଶିବରାଶିଙ୍କ କଥା ଶୁଣି ସିଦ୍ଧେଶ୍ୱର କ’ଣ କରିବ ଠିକ୍‍ କରିନପାରି ଅତ୍ୟନ୍ତ ଭୀତ ହୋଇଗଲା; କିନ୍ତୁ ମୃତ୍ୟୁର ବିଭୀଷିକାପୂର୍ଣ୍ଣ ପ୍ରଭାସରୁ ପଳାଇଯିବାର ବାସନା ସେ ରୋକିପାରିଲା ନାହିଁ । ଖାରା ଓ ନୀରା ସମୁଦ୍ରରେ ସାମନ୍ତଙ୍କୁ ପାରି କରାଉଥାନ୍ତି । ଦଦ୍ଦା ଏବଂ ଅନ୍ୟ ଦୁଇଜଣ ନାବିକଙ୍କ ଛଡ଼ା ଆଉ କେହି ନାହାନ୍ତି । ଦଦ୍ଦା ଖାରାକୁ କହିଲେ, “ମହାରାଜାଙ୍କ ଇଚ୍ଛା, ଏହାକୁ ଚୌହାନଙ୍କ ସହିତ ଯିବାକୁ ଛାଡ଼ିଦିଅ ।” “ଆପଣଙ୍କର ଯେ ଇଚ୍ଛା”-ଏହା କହିବା ସଙ୍ଗେ ସଙ୍ଗେ ସେ ସିଦ୍ଧେଶ୍ୱରକୁ ଦଉଡ଼ି ସାହାଯ୍ୟରେ ସମୁଦ୍ର ଭିତରକୁ ଓହ୍ଲାଇଦେଲା ।

Image

 

ଦୁର୍ଗର ଦ୍ୱାରମାନଙ୍କରେ ଯୁଦ୍ଧ

 

ଦୁର୍ଗରେ ଥିବା ରାଜପୁତ ସୈନ୍ୟବାହିନୀ ଶତ୍ରୁର ସମ୍ମୁଖୀନ ହେବାକୁ ପ୍ରଭାତରୁ ପ୍ରସ୍ତୁତ ହୋଇଗଲେ । କିନ୍ତୁ ଯବନ ସୈନ୍ୟବାହିନୀର ଗତିବିଧିର କୌଣସି ସଂକେତ ମିଳି ନ ଥାଏ । ଦ୍ୱାରକା ଦ୍ୱାର ଓ ଜୁନାଗଡ଼ ଦ୍ୱାର ନିକଟରେ ଅଳ୍ପକେତକ ଶତ୍ରୁ ସୈନ୍ୟ ଥାଆନ୍ତି ଏବଂ ସେ ଦିଗରୁ କୌଣସି ବିପଦର ଆଶଙ୍କା କରାଯାଉ ନ ଥାଏ । ମୁଖ୍ୟତଃ ପ୍ରଧାନ ଦ୍ୱାର ସମ୍ମୁଖରେ ଶତ୍ରୁସୈନ୍ୟମାନେ ଠୁଳ ହୋଇଥାନ୍ତି । କିନ୍ତୁ ସେମାନଙ୍କର ଆକ୍ରମଣ କେଉଁ ଆକାର ଧାରଣ କରିବ, ତାହା ଜାଣିବା କଷ୍ଟକର ହୋଇଥାଏ । ଯେତେ ଅଧିକ ସଂଖ୍ୟକ ସୈନ୍ୟ ସମ୍ଭବ, ସମସ୍ତେ ପ୍ରଧାନ ଦ୍ୱାରରେ ଏକତ୍ର ହେବା ନିମନ୍ତେ ଭୀମଦେବ ହୁକୁମ୍‍ ଦେଲେ ।

 

ହମୀର୍‍ ପୂର୍ବଦିନ ପରି ସେ ଦିନର ଯୁଦ୍ଧ ଆଦେଶ ଦେବାପୂର୍ବରୁ ନିଜ ଛାଉଣୀରୁ ଆସି ସୈନ୍ୟବାହିନୀ ପରିଦର୍ଶନ କଲା । ବିଭିନ୍ନ ଯୁଦ୍ଧବାଦ୍ୟ ବଜାଇ ପରସ୍ପରଠାରୁ ଦୂରରେ ଥିବା ଦୁଇଟି ଅଶ୍ୱାରୋହୀବାହିନୀ ଗଡ଼ଖାଇ ଦିଗକୁ ଅଗ୍ରସର ହେଲେ । ତାହାର ଅନ୍ୟ ଏକ ଆଦେଶରେ ଶହ ଶହ ସୈନ୍ୟ ଛଅଟି ଲମ୍ବା କାଠକଡ଼ିରେ ତିଆରି ସୁଦୃଢ଼ ଏକ ପୋଲ ନେଇ ପ୍ରଧାନଦ୍ୱାର ସମ୍ମୁଖସ୍ଥ ଗଡ଼ଖାଇ ନିକଟକୁ ଗଲେ । ଏମାନଙ୍କ ସଙ୍ଗେ ବହୁ ସଂଖ୍ୟକ ବଢ଼େଇ ମଧ୍ୟ ନିଜର ଯନ୍ତ୍ରପାତି ସହ ଆସିଲେ । ସେମାନଙ୍କୁ ଶତ୍ରୁ ଆକ୍ରମଣରୁ ରକ୍ଷା କରିବାପାଇଁ ଅଶ୍ୱାରୋହୀମାନେ ଚାରିପଟେ ବେଢ଼ିଗଲେ । ଗଡ଼ଖାଇ ଉପରେ ଗୋଟିଏ ପୋଲ ତିଆରି କରିବା ଶତ୍ରୁର ଉଦ୍ଦେଶ୍ୟ ବୋଲି ଏଥିରୁ ବେଶ୍‍ ଜଣାଗଲା ।

 

ଭୀମଦେବଙ୍କ ଧନୁର୍ଦ୍ଧାରୀମାନଙ୍କ ମଧ୍ୟରୁ ଗୋଟିଏ ଦଳ ଅଶ୍ୱାରୋହୀମାନଙ୍କ ଉପରେ ଆକ୍ରମଣ କଲେ ଏବଂ ଆଉ ଗୋଟିଏ ଦଳ ଶତ୍ରୁସୈନ୍ୟ ଓ ବଢ଼େଇମାନଙ୍କୁ ଇତସ୍ତତଃ କରିବା ନିମିତ୍ତ ପାରୁପର୍ଯ୍ୟନ୍ତ ଚେଷ୍ଟା କଲେ । ସମଗ୍ର ଅଞ୍ଚଳ “ଜୟ ସୋମନାଥ” ଓ “ଆଲ୍ଲା ହୋ ଆକବର” ଧ୍ୱନିରେ ମୁଖରିତ ହୋଇଉଠିଲା ।

 

ଶତ୍ରୁ ପକ୍ଷର ଏହି ଆକ୍ରମଣ ସାମାନ୍ୟ ଧରଣର ନ ଥିଲା । ଯେଉଁ ସୈନ୍ୟ ମରୁଥାନ୍ତି ବା ଆହତ ହେଉଥାନ୍ତି, ସଙ୍ଗେ ସଙ୍ଗେ ଅନ୍ୟମାନେ ସେମାନଙ୍କ ସ୍ଥାନ ଗ୍ରହଣ କରୁଥାନ୍ତି । ରାଜପୁତ ସୈନ୍ୟବାହିନୀର ଶରରେ ସେମାନଙ୍କର ଯଥେଷ୍ଟ କ୍ଷତି ଘଟିଲା । ତଥାପି ମୃତ ସୈନ୍ୟମାନଙ୍କ ସ୍ଥାନରେ ଅଧିକରୁ ଅଧିକ ସୈନ୍ୟ ଅଣାଯାଉଥିଲା ।

 

କେନ୍ଦ୍ର ଦ୍ୱାରରେ ଶତ୍ରୁର ଏହି ଆକ୍ରମଣକୁ ନିଷ୍ଫଳ କରିଦେବାପାଇଁ ମହାରାଜା ଭୀମଦେବ ଓ ରତ୍ନାଦିତ୍ୟ ଆଉ ଗୋଟିଏ ରଣକୌଶଳ ଚିନ୍ତା କଲେ । ସେ ହାତୀମାନଙ୍କ ସାହାଯ୍ୟରେ ଢିମା ପଥରମାନ ଅଣାଇ ଦ୍ୱାର ପାଖରେ ଜମା କଲେ । ଦ୍ୱାରମାନଙ୍କରେ ଆକ୍ରମଣ କରିବାପାଇଁ ଚେଷ୍ଟାକରୁଥିବା ସୈନ୍ୟମାନେ ପଥର ମାଡ଼ରେ ମରି ଶୋଇଲେ । ଉଭୟ ପକ୍ଷର ତୀର-ବର୍ଷା ଠିକ୍‍ ଏକ ଛତା ଆକାର ଧାରଣ କଲା । ତା’ ତଳେ ହମୀର୍‍ର ସୈନ୍ୟବାହିନୀ ପକ୍ଷରୁ ପୋଲ ତିଆରି କରିବା ନିମନ୍ତେ ଏବଂ ଭୀମଦେବଙ୍କ ସୈନ୍ୟମାନଙ୍କ ପକ୍ଷରୁ ତାହା ଧ୍ୱଂସ କରିବା ନିମିତ୍ତ ପ୍ରାଣପଣେ ଉଦ୍ୟମ ଚାଲିଲା । ଏହି ଉଦ୍ୟମରେ ଶହ ଶହ ସଂଖ୍ୟାରେ ରାଜପୁତ ତଥା ମୁସଲମାନ ସୈନ୍ୟ ମୃତ୍ୟୁମୁଖରେ ପଡ଼ିଲେ ।

 

ହମୀର୍‍ର ଏହି ପ୍ରାଣମୂର୍ଚ୍ଛା ଉଦ୍ୟମରେ କେତେ ସୈନ୍ୟ ବା ପଶୁ ନଷ୍ଟ ହେଲେ ତା’ର ସେଥିପ୍ରତି ଭ୍ରୂକ୍ଷେପ ନ ଥାଏ । ଗଡ଼ଖାଇରେ ଓ ତାହା କୂଳରେ ଗଦା ଗଦା ଶବ ଦେଖିବାକୁ ମିଳିଲା-। ଭୀମଦେବଙ୍କ ସୈନ୍ୟମାନଙ୍କର ପ୍ରଚଣ୍ଡ ଆକ୍ରମଣ ସତ୍ତ୍ୱେ ଦ୍ୱିପ୍ରହର ସୁଦ୍ଧା ହମୀର୍‍ର ସୈନ୍ୟମାନେ ପୋଲ ତିଆରି କାର୍ଯ୍ୟ ଶେଷକରି ଲୁହା ଜଞ୍ଜିର ସାହାଯ୍ୟରେ ତାହାକୁ ଦୁର୍ଗର ଦ୍ୱାର ସହିତ ଯୋଗ କରିଦେଲେ । ଦ୍ୱାରର ଭିତର ପଟେ ପଥର ଢିମାମାନ ଏପରି ପ୍ରଚୁରଭାବେ ଜମା ହୋଇଥିଲା ଯେ, ଯେତେ ଚେଷ୍ଟାକଲେ ମଧ୍ୟ ତାହା ହଲିବ ନାହିଁ ବା ସ୍ଥାନାନ୍ତରିତ ହୋଇପାରିବ ନାହିଁ । ନିକଟବବର୍ତ୍ତୀ ଘର, ବାରଣ୍ଡା ଓ ମନ୍ଦିରମାନଙ୍କରୁ ପଥର ସଂଗ୍ରହ କରାଯାଇ ଦ୍ୱାରଦେଶରେ ଜମା କରାଯାଇଥିଲା । ଉଭୟ ପକ୍ଷରୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରାଯାଉଥାଏ ।

 

ଏହି ସମୟରେ ହମୀର୍‍ର ଛଅଟି ହାତୀ ଶୁଣ୍ଢରେ ଗୋଟିଏ ବିରାଟ କାଠଗଡ଼ ଉଠାଇ ଆଣି କେନ୍ଦ୍ର ଦରଜାରେ ଆଘାତ କଲେ । କିନ୍ତୁ ଯେତେ ଆଘାତ ଲାଗିଲେ ସୁଦ୍ଧା ଦ୍ୱାର ଭାଙ୍ଗିଲା ନାହିଁ । ରାଜପୁତ ସୈନ୍ୟମାନେ ଆନନ୍ଦରେ “ଜୟ ସୋମନାଥ” ଧ୍ୱନି କଲେ ।

 

ମାତ୍ର ମହାରାଜ ଭୀମଦେବ ଚିନ୍ତିତ ହୋଇପଡ଼ିଲେ । ଏହି ଦ୍ୱାର କେତେ ସମୟ ପର୍ଯ୍ୟନ୍ତ ଏଭଳି ଆକ୍ରମଣର ସମ୍ମୁଖୀନ ହୋଇପାରିବ ? ଲୁହା ସାଞ୍ଜୁରେ ଆଚ୍ଛାଦିତ ହୋଇଥିବା ଶତ୍ରୁର ବଳବାନ ହାତୀମାନଙ୍କୁ କିଭଳି ନଷ୍ଟ କରାଯାଇପାରିବ; ଏହାହିଁ ହେଲା ବର୍ତ୍ତମାନର ମୁଖ୍ୟ ପ୍ରଶ୍ନ । ମହାରାଜ ଏବଂ ରତ୍ନାଦିତ୍ୟ ପରସ୍ପର ସହିତ ପରାମର୍ଶ କଲେ । ନିଶ୍ଚିତ ପରାଜୟ ସ୍ଥାନରେ ବିଜୟ ଲାଭ କରିବା ନିମିତ୍ତ ଯେ କୌଣସି ପ୍ରକାରେ ଯୁଦ୍ଧକୌଶଳ ଉଦ୍ଭାବନ କରିବାକୁ ହେବ ।

 

ଶହ ଶହ ସଂଖ୍ୟାରେ ସୈନ୍ୟ ତଥା ରତ୍ନାଦିତ୍ୟ ନିଜେ ପ୍ରାଣବଳି ଦେବାକୁ ପ୍ରସ୍ତୁତ ଥିଲେ ସୁଦ୍ଧା, ଗୁରୁଦେବ ସେମାନଙ୍କୁ ବାରଣ କଲେ । ଯୁଦ୍ଧର ଏହା ଦ୍ୱିତୀୟ ଦିନମାତ୍ର । ଏତେଶୀଘ୍ର ନିଜର ଜୀବନକୁ କାହିଁକି ବିପନ୍ନ କରିବେ ?

 

ଦ୍ୱାରକୁ ଧକ୍କା ଦେଉଥିବା ହାତୀମାନଙ୍କ ମଧ୍ୟରୁ ଗୋଟିଏ ଆହତ ହେବାପରେ, ତାହା ପରିବର୍ତ୍ତେ ଆଉ ଗୋଟିଏ ହାତୀ ଆସିଲା । ତାହାପରେ ଆଉ ଯୋଡ଼ିଏ ହାତୀ । ଆଠଟି ଦନ୍ତାବଳ ଦ୍ୱାର ଖୋଲିବାକୁ ଚେଷ୍ଟା କଲେ । ହାତୀମାନଙ୍କର ଅତିଶୟ ଗୁରୁ ଭାରରେ ପୋଲ ଥରିଉଠିଲା । ଏହି ଧକ୍କାରେ ଦ୍ୱାର ଯଥେଷ୍ଟ ଆଘାତ ପାଇଲା । ହାତୀମାନଙ୍କ ଶରୀର ସାଞ୍ଜୁରେ ଏପରି ସୁରକ୍ଷିତ ହୋଇଥିଲା ଯେ, ରାଜପୁତ ସୈନ୍ୟବାହିନୀର ଶର ସେମାନଙ୍କର ଟିକିଏ ହେଲେ କ୍ଷତି କରିପାରିଲା ନାହିଁ ।

 

କିନ୍ତୁ ଦୁର୍ଗଦ୍ୱାର ଏହି ପ୍ରବଳ ଆକ୍ରମଣ ସମ୍ଭାଳି ନେଲା । ହମୀର୍‍ର ହାତୀମାନେ ପଛଘୁଞ୍ଚା ଦେଲେ । ଉଭୟ ପକ୍ଷରୁ ଶହ ଶହ ସଂଖ୍ୟାରେ ସୈନ୍ୟ ଅନବରତ କ୍ଷତ-ବିକ୍ଷତ ହେଉଥାନ୍ତି ବା ମରୁଥାନ୍ତି । ରତ୍ନାଦିତ୍ୟ ଓ ମନ୍ତ୍ରୀ ବିମଳ ଉଭୟେ ମଧ୍ୟ କ୍ଷତବିକ୍ଷତ ହେଲେ । ହୁଏତ ପ୍ରଭୁ ସୋମନାଥଙ୍କ କୃପାରୁ ମହାରାଜାଙ୍କର କ୍ଷତି ହୋଇନଥାଏ ।

 

ତୃତୀୟ ଥର ପାଇଁ ଦୁଇଟି ଆହତ ହାତୀଙ୍କ ସ୍ଥାନରେ ଦୁଇଟି ସୁସ୍ଥ ହାତୀ ଆସି ପହଞ୍ଚିଲେ । ଆଠଗୋଟି ହାତୀ ସେମାନଙ୍କ ଶୁଣ୍ଢ ସାହାଯ୍ୟରେ କାଠଗଣ୍ଡି ନେଇ ପ୍ରଧାନ ଦ୍ୱାର ଦିଗକୁ ଗଲେ । ପ୍ରଥମ ହାତୀଟି ପୋଲ ଉପରେ ଗୋଡ଼ ଦେଇଛି କି ନାହିଁ, ଦୁର୍ଗ ଉପରୁ ଏକ ବିରାଟ ଶବ୍ଦ ଶୁଣାଗଲା । ତେଲ ଓ ଗନ୍ଧକରେ ତିଆରି ଜଳନ୍ତା ଅଗ୍ନିପିଣ୍ଡୁଳାମାନ ହାତୀମାନଙ୍କ ଉପରେ ବୃଷ୍ଟିହେଲା ।

 

ଗନ୍ଧକର ଗନ୍ଧ ବାରି ଓ ନିଆଁ ଦେଖି ଆଗରେ ଥିବା ହାତୀଟି ଚମକି ପଡ଼ିଲା । ତା’ ପଛରେ ଥିବା ହାତୀଟି ସେହି ଅନୁପାତରେ ପଛେଇ ପାରିଲା ନାହିଁ । ଏହି ସଂଘର୍ଷ ଫଳରେ ଆଗ ହାତୀ ନିଜକୁ ସମ୍ଭାଳିନପାରି ପଡ଼ିଗଲା ।

 

ଏହି ଗୋଳମାଳର ସୁଯୋଗ ନେଇ ପଚାଶ ଜଣ ସୈନ୍ୟ ମଶାଲ ଧରି ଦୁର୍ଗରୁ ପୋଲ ଉପରକୁ ଡେଇଁଲେ । ପୋଲ ଉପରେ ଉଭୟ ପକ୍ଷ ମଧ୍ୟରେ ଭୀଷଣ ଯୁଦ୍ଧ ଲାଗିଗଲା । ହାତୀମାନେ ଏହି ନୂତନ ଆକ୍ରମଣରେ ଭୀତତ୍ରସ୍ତ ହୋଇ ପଛେଇଗଲେ । ପଛରେ ଥବା ସୈନ୍ୟମାନେ ଆଗରେ କ’ଣ ହେଉଛି ବୁଝିନପାରି ଅଗ୍ରସର ହେବାରୁ ଅବସ୍ଥା ଅଧିକ ଜଟିଳ ହେଲା-। ଉଭୟ ପକ୍ଷରୁ ଶରବର୍ଷଣ ଚାଲିଲା ଏବଂ କ’ଣ ହେଉଛି ତାହା କେହି ବୁଝିପାରିଲେ ନାହିଁ-। ରାଜପୁତ ସ୍ୱେଚ୍ଛାସେବକମାନେ ଲୁହା ଜଞ୍ଜିର କାଟି ଦେଇ ପୋଲରେ ନିଆଁ ଲଗାଇଦେଲେ-। ବହୁ ସମୟ ପର୍ଯ୍ୟନ୍ତ ଭୀଷଣ ଯୁଦ୍ଧ ଚାଲିଲା । ଭୀମଦେବ ଶତ୍ରୁ ପକ୍ଷର ବହୁ ଲୋକଙ୍କୁ ମାରିଲେ ଓ କ୍ଷତବିକ୍ଷତ କଲେ । ରତ୍ନାଦିତ୍ୟଙ୍କର ବାଣ ମଧ୍ୟ ଅବ୍ୟର୍ଥ କାମ କଲା । ମନ୍ତ୍ରୀ ବିମଳ ପ୍ରତି ଶରରେ ଶତ୍ରୁର ସୈନ୍ୟ କ୍ଷୟ କଲେ ।

 

ହମୀର୍‍ ପୋଲ ଉପରକୁ ପୁଣି ନୂତନ ସୈନ୍ୟ ପଠାଇଲା । ଦୁର୍ଗ ଉପରୁ ପୁଣି ପଚାଶ ଜଣ ସୈନ୍ୟ ପୂର୍ବଭଳି ଡେଇଁପଡ଼ିଲେ । ଦଳ ଦଳ ଆହତ ଓ ମୃତ ସୈନ୍ୟର ସ୍ତୂପରେ ସ୍ଥାନଟି ପୂରିଗଲା । ଶବରେ ଗଡ଼ଖାଇ ମଧ୍ୟ ପୂରିଗଲା । କିଛିକ୍ଷଣ ପାଇଁ ଉଭୟ ସୈନ୍ୟବାହିନୀର ଦଶା ସୂତାଖିଅରେ ଝୁଲିଲା ।

 

ହଠାତ୍‍ ଅବସ୍ଥା ପରିଷ୍କାର ହୋଇଗଲା । ପୋଲ ମଝିରେ ନିଆଁ ଜଳି ଉଠିଲା । ଯେଉଁ ଜଞ୍ଜିରଟି ପୋଲକୁ ଦ୍ୱାର ସହିତ ସଂଯୋଗ କରିଥିଲା, ତାହା ଛିଣ୍ଡିଯିବାରୁ ପୋଲଟି ଛାଏଁ ଛାଏଁ ପାଣିରେ ପଡ଼ି ବୁଡ଼ିଗଲା । ଦୁର୍ଗ ଉପରୁ ଭୀମଦେବ ଆନନ୍ଦରେ “ଜୟ ସୋମନାଥ” ଧ୍ୱନି କଲେ । ହଜାର ହଜାର ସୈନ୍ୟ ଏହି ବିଜୟସୂଚକ ଧ୍ୱନିର ପ୍ରତିଧ୍ୱନି ଦେଲେ ।

Image

 

ବିଶ୍ୱାସଘାତକତାର ସୂତ୍ରପାତ

 

ଶିବରାଶି ଖୁବ୍‍ ଭୋରରୁ ଗଣପତି ମନ୍ଦିରରେ ପ୍ରବେଶ କଲେ । ତାଙ୍କ ମନ ପ୍ରଭୁ ଶଙ୍କରଙ୍କଠାରେ ନାହିଁ ବା ଗଣପତିଙ୍କଠାରେ ନାହିଁ । ସମ୍ମୁଖରେ କାନ୍ଥ ପାଖରେ ଥବା ଖଣ୍ଡିଏ ପଥର ଉପରେ ତାଙ୍କ ମନ ଆବଦ୍ଧ ଥିଲା । କଳ୍ପନା ଚକ୍ଷୁରେ ସେ ଦେଖୁଥାନ୍ତି-ପ୍ରଭାସ ଧ୍ୱଂସ ହୋଇଯାଉଛି-ବିଶ୍ୱସ୍ତ ଶିଷ୍ୟ ସିଦ୍ଧେଶ୍ୱର, ଯେ କି ଦିନେ ତାଙ୍କର ଉତ୍ତରାଧିକାରୀ ହେବାର କଥା, ସେ ସମୁଦ୍ରରେ ଝାସ ଦେଇ ପ୍ରବଳ ଲହରୀରେ ପହଁରୁଛି-ହମୀର୍‍ର ସୈନ୍ୟବାହିନୀର ଜଣେ ସେନାପତି ସହିତ ଦେଖା କରିବାରୁ ତାକୁ ହମୀର୍‍ ନିକଟକୁ ନିଆଯାଉଛି । ସେ ଏହାସବୁ କଳ୍ପନା କରି କିଞ୍ଚିତ୍‍ ଆନନ୍ଦ ଅନୁଭବ କଲେ । ଶିବରାଶି ଆହୁରି ମଧ୍ୟ କଳ୍ପନା କଲେ ଯେ ଦୂତ ଭାବରେ ସିଦ୍ଧେଶ୍ୱର ସଦମ୍ଭେ ହମୀର୍‍ ସହିତ ଦେଖାକରୁଛି-ମହାନ୍‍ ଋଷି ଶିବରାଶିଙ୍କ ପ୍ରତିନିଧିଙ୍କର ପାଦ ହମୀର୍‍ ଛୁଉଁଛି-ସିଦ୍ଧେଶ୍ୱର ପ୍ରତିଶ୍ରୁତି ଚାହୁଁଛି-ହମୀର୍‍ ଶେଷରେ ତାକୁ ପ୍ରତିଶ୍ରୁତି ଦେଇଛି । ତାହା ଫଳରେ ସଙ୍କଟେଶ୍ୱର ମହାଦେବଙ୍କ ମନ୍ଦିର ନିକଟରେ ଦୁର୍ଗ ଭିତରକୁ ପଡ଼ିଥିବା ଗୁପ୍ତ ରାସ୍ତାଟି ସିଦ୍ଧେଶ୍ୱର ହମୀର୍‍କୁ ବତାଇ ଦେଇଛି । ଏହିସବୁ କଳ୍ପନା କରି ଶିବରାଶି ଖୁବ୍‍ ଜୋରରେ ହସିଉଠିଲେ ଏବଂ ଭୀମଦେବ ଓ ତାଙ୍କ ଗୁରୁଦେବଙ୍କର ଅପରିଣାମଦର୍ଶିତା ବିଷୟ ଭାବିଲେ ।

 

ଗତ ସପ୍ତାହରେ ଉକ୍ତ ରାସ୍ତାବାଟେ ଯେପରି ବାହାରୁ କେହି ନ ଆସନ୍ତି, ସେଥିପାଇଁ ଏହାର ଦ୍ୱାର ବନ୍ଦ କରି ଦିଆଯାଇଥିଲା । ଗୁରୁଦେବ ଶିବରାଶିଙ୍କୁ ନିଜର ଉତ୍ତରାଧିକାରୀଭାବେ ବାଛିଥିବାରୁ ତାଙ୍କୁ ଯେ ଏହି ଗୁପ୍ତରାସ୍ତା କଥା କହିଛନ୍ତି, ସେ କଥା ଗୁରୁଦେବ ଭୁଲିଯାଇଥିଲେ । ଏହି ରାସ୍ତା କଥା କେବଳ ଗଙ୍ଗସର୍ବଜ୍ଞଙ୍କୁ ଏବଂ ତାଙ୍କୁ ଜଣାଥିଲା । ଗଙ୍ଗ ସେହି ରାସ୍ତା ବନ୍ଦ କରିଥିଲେ ସୁଦ୍ଧା ଶିବରାଶି ଏହାକୁ ଖୋଲିବେ । ଗଙ୍ଗ ପାଶୁପତ ସମ୍ପ୍ରଦାୟକୁ ନଷ୍ଟ କରୁଥିବା ବେଳେ ଶିବରାଶି ଏହାକୁ ରକ୍ଷା କରିବେ । ଶିବରାଶି ଅଟ୍ଟହାସ୍ୟ କଲେ ଓ ନିଜ ହସରେ ନିଜେ ଚମକି ପଡ଼ିଲେ । ସେହି ଗୁପ୍ତ ରାସ୍ତାବାଟେ ହମୀର୍‍ ଧ୍ୱଂସକାରୀ କାଳଭୈରବରୂପେ ଆସି ପ୍ରଭାସକୁ ଧ୍ୱଂସ କରିବ ।

 

ଉଦ୍ଧତଭାବେ ସେ ନିଜର ଶକ୍ତି ବିଷୟରେ କଳ୍ପନା କଲେ ଯେ ସେହି ଭଣ୍ଡ ଗୁରୁଦେବ ଏବଂ ଚୌଲାକୁ ଅପହରଣ କରିଥିବା ନିର୍ବୋଧ ଭୀମଦେବ ସମେତ ସମସ୍ତ ସୈନ୍ୟବାହିନୀର ଜୀବନନାଟିକା ଆଜି ତାଙ୍କ ହାତ ମୁଠାରେ । ଦୁଇଟି ଅଙ୍ଗୁଳିରେ ଚିପି ପୋକକୁ ଯେପରି ସହଜରେ ମାରିଦିଆଯାଇପାରେ, ସେହିପରି ସେ ଏହି ମଣିଷ ଦୁଇଟିକୁ ମୁହୂର୍ତ୍ତକ ମଧ୍ୟରେ ଧ୍ୱଂସ କରିଦେବେ-

 

ପ୍ରତି ମୁହୂର୍ତ୍ତରେ ତାଙ୍କର ଅଧୀରତା ବଢ଼ୁଥାଏ । ଯଦି ସିଦ୍ଧେଶ୍ୱର ବୁଡ଼ିଯାଏ ? ଯଦି ସେ ଗଙ୍ଗସର୍ବଜ୍ଞଙ୍କ ପାଖକୁ ଯାଇ ସବୁ ଘଟଣା କହିଦିଏ ? ତାହାହେଲେ ମଧ୍ୟ ଏହାର ସମାପ୍ତି ଘଟିବ ନାହିଁ । ଯେବେ ହମୀର୍‍ ଆଜି ନ ଆସେ, ତାହାହେଲେ ସେ ଏକାକୀ ତା’ପାଇଁ ରାସ୍ତା ଠିକ୍‍ କରିଦେବେ । ପ୍ରଭୁ ସୋମନାଥଙ୍କ ପରି ସେ ପୃଥିବୀକୁ ଧ୍ୱଂସ କରିବାକୁ ପ୍ରସ୍ତୁତ । ତାଙ୍କର ତୃତୀୟ ଆଖି ଖୋଲିବ...ପ୍ରଭାସ ଧ୍ୱଂସ ହେବ । ଚୌଲାକୁ ଅପହରଣ କରିଥିବା ଭୀମଦେବର ଚିତାଭସ୍ମ ମଧ୍ୟ ଦେଖିବା କଷ୍ଟକର ହେବ । ସେ ଅବଶେଷରେ ଚୌଲାକୁ ପାଇବେ ।

 

ଶିବରାଶିଙ୍କର ଅତୃପ୍ତ କାମନା ପୂରଣ କରିବା ଚିନ୍ତାରେ ଏହିସବୁ କଥା ଗୋଟିକ ପରେ ଗୋଟିଏ ମନକୁ ଆସିଲା । କିନ୍ତୁ “ଜୟ ସୋମନାଥ” ଧ୍ୱନିରେ ସେ ଚିନ୍ତା ବାଧା ପାଇବାରୁ ତାଙ୍କର କ୍ରୋଧ ଶତଗୁଣ ବଢ଼ିଗଲା । ଦିନ ଦ୍ୱିପ୍ରହର ଗଡ଼ିଗଲା । ସୂର୍ଯ୍ୟାସ୍ତ ନିକଟ ହେଲା । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମ୍ବାଦ ମିଳିନାହିଁ । ଶିବରାଶି ହଠାତ୍‍ ସେ ବସିଥିବା ସ୍ଥାନରେ ତଳୁ କେହି ଧକ୍କା ଦେଉଥିବା ଶବ୍ଦ ଶୁଣିଲେ । ଯେଉଁ ପଥର ଉପରେ ତାଙ୍କର ଦୃଷ୍ଟି ନିବଦ୍ଧ ଥିଲା, ସେଠାକୁ ସେ ଗଲେ-। ତାହାର ଚାରିପାଖ ମାଟି ଖୋଳି ପଥର ଖଣ୍ଡି ଉଠାଇବାକୁ ଚେଷ୍ଟାକଲେ, ମାତ୍ର ତାହା ଉଠାଇ ପାରିଲେ ନାହିଁ । ମତ୍ତ ଦାନବ ପରି ଈର୍ଷା ଓ ଆନନ୍ଦରେ ସେ ନାଚିଗଲେ । ଭୀମ, ଚୌଲା ଏବଂ ଗଙ୍ଗ ଅବଶେଷରେ ଭସ୍ମରେ ପରିଣତ ହେବେ ।

ପଥରରେ କେହି ଜଣେ ତଳୁ ଧକ୍କା ମାରୁଛି । ଏକ, ଦୁଇ, ତିନି...ପଞ୍ଚମ ଧକ୍କାରେ ଭାରି ପଥରଟି ଉଠିଗଲା । ଶିବରାଶି ଆନନ୍ଦରେ ପାଟି କଲେ । ସେହି ଗଳି ରାସ୍ତାରୁ ସିଦ୍ଧେଶ୍ୱରର ମୁଣ୍ଡଟି ଦେଖାଦେଲା । ବର୍ତ୍ତମାନ ସିଦ୍ଧେଶ୍ୱରର ଚେହେରା ମହାନ୍‍ ଗୁରୁଙ୍କର ଦୂତର ଚେହେରା ପରି ନ ଥିଲା । ତାହାର ଦେହଯାକ କାଦୁଅ ଲଟପଟ ଏବଂ ମୁଣ୍ଡରେ ବାଳ ଇତସ୍ତତଃ ହୋଇପଡ଼ିଥାଏ । ସେ ଭୟରେ ଥରି ଥରି ଆସିଲା । ତା’ର ଅଣ୍ଟାରେ ବନ୍ଧାହୋଇଥିବା ଲୁହା ଜଞ୍ଜିରକୁ ତା’ ପଛରେ ଆସୁଥିବା ଗୋଟିକ ପରେ ଗୋଟିଏ କରି ବାରଜଣ ସୈନ୍ୟ ଧରିଥିଲେ ।

ଶିବରାଶି ଏହି ଶିଷ୍ୟକୁ ଆଲିଙ୍ଗନ କରିବାକୁ ଉତ୍କଣ୍ଠାର ସହ ଉଦ୍ୟତ ହେଲେ । କିନ୍ତୁ ସିଦ୍ଧେଶ୍ୱର ପଛକୁ ହଟିଯାଇ ଦାନ୍ତ ରଗଡ଼ି କହିଲା, “ଧୂର୍ତ୍ତ, ବଦମାସ୍‍, ତୋ’ପାଇଁ ମୁଁ କ’ଣ କଲି ?” ଶତ୍ରୁ ହାତରେ ଦଣ୍ଡ ପାଇ କ୍ଷୁଧାର୍ତ୍ତ ଓ କ୍ଳାନ୍ତ ସିଦ୍ଧେଶ୍ୱର ବେହୋସ ହୋଇପଡ଼ିଲା । ଶିବରାଶି ଘୃଣାରେ ତାକୁ ଚାହିଁଲେ । ତାଙ୍କର ଏପରି ଭୀରୁ ଶିଷ୍ୟର ଆବଶ୍ୟକତା ନ ଥିଲା ।

କୋଠରୀ ଭିତରକୁ ବାରଜଣଯାକ ଶତ୍ରୁ ସୈନ୍ୟ ପଶି ଆସିଲେ । ତାହା ଭିତରୁ କେବଳ ଜଣେ ମୁସଲମାନ ଏବଂ ଅନ୍ୟମାନେ ହିନ୍ଦୁ । ଏହି କାର୍ଯ୍ୟ କାଫେର୍‍ମାନେ କରିବା ଶ୍ରେୟସ୍କର ବୋଲି ହମୀର୍‍ ଠିକ୍‍ କରିଥାଏ ।

ରୁକ୍ଷଭାବେ ଜଣେ ପଚାରିଲା, “ତୁମେ ଶିବରାଶି ?” ଶିବରାଶି ଆଶ୍ଚର୍ଯ୍ୟ ହୋଇ ତାହାର ଅପମାନଜନକ ପ୍ରଶ୍ନ ଶୁଣି ତାହା ଆଡ଼କୁ ଚାହିଁଲେ । ଆଉଜଣେ ସୈନ୍ୟ ତାଙ୍କୁ ପେଲିଦେଇ କହିଲା, “ଚାଲ୍‍ ! ଆମ ଆଗରେ ଚାଲ୍‍ ! ଜୁନାଗଡ଼ ଦ୍ୱାରକୁ ରାସ୍ତା ଦେଖା ।”

 

ଶିବରାଶି ରାଗରେ ଉତ୍ୟକ୍ତ ହୋଇ ଉଠୁଥିଲେ ସୁଦ୍ଧା ନୀରବ ରହି ଚିନ୍ତିତ ମନରେ ଆଗକୁ ଚାଲିଲେ । ଶେଷକୁ ଭୀମଦେବ, ଚୌଲା ଏବଂ ଗଙ୍ଗଙ୍କ ସହିତ ଦେଖାହେବ ଏବଂ ସଂଧ୍ୟା ପୂର୍ବରୁ ପ୍ରଭାସ ଜଳିପୋଡ଼ି ପାଉଁଶରେ ପରିଣତ ହେବ ।

Image

 

ବିଶ୍ୱାସଘାତକ

 

ମନ୍ଦିର ଛାତ ଉପରୁ ଗୁରୁଦେବ, ଗଙ୍ଗା ଏବଂ ଚୌଲା ଆଗ୍ରହ ସହକାରେ ଦେବତା ଓ ରାକ୍ଷସମାନଙ୍କ ମଧ୍ୟରେ ହେଉଥିବା ଯୁଦ୍ଧ ଦେଖୁଥାନ୍ତି । ଚୌଲା ନିଜର ଆନନ୍ଦ ସମ୍ବରଣ କରିପାରୁନଥାଏ । ସେ ପ୍ରଭୁ ସୋମନାଥଙ୍କର ଅର୍ଦ୍ଧାଙ୍ଗିନୀ ପାର୍ବତୀ ଏବଂ ପ୍ରଭୁ ସୋମନାଥଙ୍କ ଅବତାର ଭୀମଦେବଙ୍କ ରାଣୀ ।

 

ତା’ର ପ୍ରଭୁ ଆଜି ରାକ୍ଷସ ସହ ଯୁଦ୍ଧ କରୁଛନ୍ତି । ସେ ସନ୍ଧ୍ୟାବେଳକୁ ଫେରିବା ସମୟରେ ଚୌଲା କୁଙ୍କୁମ ଓ ପୁଷ୍ପ ହସ୍ତରେ ତାଙ୍କୁ ସ୍ୱାଗତ କରିବାର ପରିକଳ୍ପନା କରିଛି । ଗୁରୁଦେବ ମନେ ମନେ ଶିବକବଚ ପାଠକରି ସେମାନଙ୍କୁ ରକ୍ଷା କରିବା ଲାଗି ପ୍ରଭୁ ଶମ୍ଭୁଙ୍କୁ ପ୍ରାର୍ଥନା କରୁଛନ୍ତି । ଗଙ୍ଗାର ଆନନ୍ଦ ଆଜି ପୂର୍ଣ୍ଣତା ଲାଭ କରିଛି । ତା’ ପାଖରେ ଗୁରୁଦେବ ଏବଂ ଚୌଲା ଉଭୟେ ଥିବା ସଙ୍ଗେ ସଙ୍ଗେ ଚୌଲାର ବିବାହ ହୋଇଯାଇଥିବାରୁ ତାହାର ଆଉ କିଛି ଚିନ୍ତା ନାହିଁ ।

 

ଗଡ଼ଖାଇ ଉପରେ ଶତ୍ରୁ କାଠପୋଲ ଭାଙ୍ଗିଯିବା ସଙ୍ଗେ ସଙ୍ଗେ ରାଜପୁତ ସୈନ୍ୟ-ବାହିନୀରେ ଆନନ୍ଦର କୋଳାହଳ ଦେଖାଦେଲା । ପ୍ରଧାନ ଦ୍ୱାର ନିକଟରେ ସମସ୍ତେ ବିଜୟ ଉନ୍ମାଦନାରେ ନାଚିବାକୁ ଆରମ୍ଭ କଲେ । ହମୀର୍‍ର ସୈନ୍ୟବାହିନୀ ମଧ୍ୟରେ ନୈରାଶ୍ୟ ଦେଖାଦେଲା । ଗୋଟିଏ ନୂତନ ପୋଲ ତିଆରି କରିବା ନିମନ୍ତେ ଅଧିକ ହାତୀ ଖୋଜିବା ଉଦ୍ଦେଶ୍ୟରେ ସେମାନେ ଇତସ୍ତତଃ ଦଉଡ଼ାଦଉଡ଼ି କଲେ । ଆକ୍ରମଣର ସମ୍ମୁଖୀନ ହୋଇ ଆତ୍ମରକ୍ଷା କରୁଥିବା ସୈନ୍ୟବାହିନୀ ପକ୍ଷେ ଏହା ଏକ ବିରାଟ ବିଜୟ । ଗୁରୁଦେବ ହଠାତ୍‍ ଜୁନାଗଡ଼ ଦ୍ୱାର ଆଡ଼କୁ ଆଖି ପକାଇ “ସେ ପାଗଳ ସେଠି କ’ଣ କରୁଛି” ବୋଲି କହି ସେଆଡ଼େ ଦୌଡ଼ିଲେ । ଶିବରାଶି ସେଠାରେ ଦଦ୍ଦା ଚାଲୁକ୍ୟଙ୍କ ସହିତ କଥାବାର୍ତ୍ତା ହେଉଥିବା ସେ ଦେଖିଲେ । ହଠାତ୍‍ କୌଣସି ଅଘଟଣ ଘଟିଥିଲେ ସୁଦ୍ଧା, କ’ଣ ହୋଇଛି ତାହା ସେ ଜାଣି ନାହାନ୍ତି ଓ ବୁଝିପାରୁ ନାହାନ୍ତି । ଅବିଳମ୍ବେ ଏ ଘଟଣାର ପ୍ରଭାବ ପଡ଼ିଲା । ଜୁନାଗଡ଼ ଦ୍ୱାର ସମ୍ମୁଖରେ ଓ ଗଡ଼ଖାଇ ସେ ପାଖରେ ଥିବା ହମୀର୍‍ର ସୈନ୍ୟମାନେ ହଠାତ୍‍ ସକ୍ରିୟ ହୋଇଉଠିଲେ । ବାଦ୍ୟ ଓ ତୂରୀ ବାଜି ଉଠିଲା । ସେ ପର୍ଯ୍ୟନ୍ତ ଅଦୃଶ୍ୟ ଥିବା ହମୀର୍‍ ହଠାତ୍‍ ଆସି ପହଞ୍ଚିଗଲା ।

 

ଶିବରାଶିଙ୍କ ସହିତ ଅଯଥା ଯୁକ୍ତି କରିବାରେ ଦଦ୍ଦାଙ୍କର ମୂଲ୍ୟବାନ୍‍ ସମୟ ନଷ୍ଟ ହେଲା-। ସେ ସତର୍କତା ସୂଚକ ସଂକେତ ଦେଇପାରିଲେ ନାହିଁ । ହମୀର୍‍ର ସୈନ୍ୟମାନେ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିବା ଦୂରରୁ ଦେଖି ଭୀମଦେବ ସଙ୍ଗେ ସଙ୍ଗେ ଜୁନାଗଡ଼ ଦ୍ୱାରକୁ ଗଲେ । ରତ୍ନାଦିତ୍ୟ ଶଙ୍ଖ ବଜାଇଲେ । ବିମଳ ଶଙ୍ଖ ବଜାଇବା ସଙ୍ଗେ ସଙ୍ଗେ ସବୁ ଅଞ୍ଚଳରୁ ଧନୁର୍ଦ୍ଧାରୀମାନଙ୍କୁ ଜୁନାଗଡ଼ ଦ୍ୱାରକୁ ପଠାଗଲା ।

 

ଚୌଲା ଭୟରେ ପାଟିକରି ଉଠିଲା, “ମାଆ, ହଠାତ୍‍ ଏ କ’ଣ ହେଲା ? ଗଙ୍ଗା ଭୟରେ ତାକୁ କୁଣ୍ଢାଇ ଧରିଲା । ଗୁରୁଦେବ ଏଭଳିଭାବେ ଦୌଡ଼ୁଥାନ୍ତି ଯାହାକି ତାଙ୍କ ବୟସର ଲୋକ ପକ୍ଷେ କ୍ୱଚିତ୍‍ ସମ୍ଭବ ।

 

ତଳକୁ ଅନାଇ ଚୌଲା ପାଟିକରି କହିଲା, “ମାଆ, ଦେଖ, ଜୁନାଗଡ଼ ଦ୍ୱାରରେ ପ୍ରବଳ ଯୁଦ୍ଧ ଚାଲିଛି । ଦେଖ, କଚ୍ଛପୀମାନେ ଗଡ଼ଖାଇ ଭିତରେ ପଶିଗଲେଣି । ମହାରାଜା ଏପର୍ଯ୍ୟନ୍ତ ଆସି ନାହାନ୍ତି ।”

 

ଗଡ଼ଖାଇ ଭିତରେ ବହୁ ସଂଖ୍ୟକ କଚ୍ଛପୀ ପହଁରୁଥାନ୍ତି । ଅପର ପାର୍ଶ୍ୱରୁ ଧନୁର୍ଦ୍ଧାରୀମାନେ ନିଜକୁ ରକ୍ଷା କରିବାପାଇଁ ଶର ନିକ୍ଷେପ କରୁଥାନ୍ତି । ଦଦ୍ଦାଙ୍କ ସୈନ୍ୟସଂଖ୍ୟା ଅଳ୍ପ ଥିଲେ ସୁଦ୍ଧା ସେମାନେ ଅତି ସାହସର ସହିତ ଯୁଦ୍ଧ କରୁଥାନ୍ତି । ଅପର ପକ୍ଷରେ ଅପରିମିତ ସୈନ୍ୟ-। ଦଦ୍ଦାଙ୍କର ସୈନ୍ୟ ସଂଖ୍ୟା ମଧ୍ୟ ଖୁବ୍‍ ଶୀଘ୍ର ଶୀଘ୍ର କମୁଥିଲା । ତାହାଛଡ଼ା ଦଦ୍ଦା ଶିବରାଶିଙ୍କ କବଳରୁ ମୁକ୍ତି ଲାଭ କରି ଅନ୍ୟମାନଙ୍କୁ ସତର୍କ କରାଇ ଦେବା ସମୟକୁ ଯଥେଷ୍ଟ ବିଳମ୍ବ ହୋଇ ଯାଇଥିଲା ।

 

ଭୀମଦେବ, ରତ୍ନାଦିତ୍ୟ ଓ ବିମଳ ସେମାନଙ୍କ ସୈନ୍ୟ ସହ ଆସି ପହଞ୍ଚିଗଲେ । ଦଦ୍ଦା ନିଜ ଭୁଲ ବୁଝିପାରି ନୈରାଶ୍ୟ ଓ କ୍ରୋଧରେ ମୁଣ୍ଡ ବାଳ ଛିଣ୍ଡାଇବାକୁ ଲାଗିଲେ । ନିଜର ଧନୁଶର ଉଠାଇବାକୁ ମଧ୍ୟ ତାଙ୍କର ଶକ୍ତି ନ ଥିଲା ।

 

ଚୌଲା ଆନନ୍ଦରେ ତାଳିମାରି ପାଟିକରି କହିଲା, “ମାଆ, ମହାରାଜ ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଗଲେଣି ।”

 

ଭୀମଦେବଙ୍କ ଧନୁର୍ଦ୍ଧାରୀମାନେ ଶର ନିକ୍ଷେପ କରିବା ଆରମ୍ଭ କଲେ । ଶତ୍ରୁପକ୍ଷର ପ୍ରାୟ ପାଞ୍ଚହଜାର ସୈନ୍ୟ ଗଡ଼ଖାଇରେ ପ୍ରବେଶ କଲେ ଏବଂ ସେମାନଙ୍କ ପଛେପଛେ ଏକ କଳା ଘୋଡ଼ାରେ ଚଢ଼ି ହମୀର୍‍ ନିଜେ ମଧ୍ୟ ପ୍ରବେଶ କଲା । ଆକ୍ରମଣକାରୀମାନେ ଚାରିଆଡ଼ୁ ଜୁନାଗଡ଼ ଦ୍ୱାର ଉପରେ ଆକ୍ରମଣ କରୁଥାନ୍ତି ।

 

ରାଜପୁତ ସୈନ୍ୟମାନେ ଯୁଦ୍ଧ ସ୍ଥାନରେ ପହଞ୍ଚିଗଲେ । ଭୀମଦେବ ଦଦ୍ଦାଙ୍କ ବେକ ଧରି “ବିଶ୍ୱାସଘାତକ” ବୋଲି ପାଟିକରି ତାଙ୍କୁ ଗଡ଼ଖାଇ ଭିତରକୁ ପକାଇଦେଲେ । ରତ୍ନାଦିତ୍ୟଙ୍କ ସୈନ୍ୟମାନେ ବିଧିବଦ୍ଧଭାବେ ଶତ୍ରୁର ପ୍ରତିରୋଧ କଲେ । ମନ୍ତ୍ରୀ ବିମଳ ବହୁ ସଂଖ୍ୟକ ପଥର ଯୋଗାଇଦେବା ବ୍ୟବସ୍ଥା କଲେ । ଉଭୟ ପକ୍ଷରୁ “ଜୟ ସୋମନାଥ” ଓ “ଆଲ୍ଲା ହୋ ଆକବର” ଧ୍ୱନିରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଲା । ଏ ଯୁଦ୍ଧ ଦେଖି ଚୌଲା ଆତଙ୍କିତ ହୋଇଉଠିଲା ।

 

ଅକସ୍ମାତ୍‍ କୁହୁକ କଲା ଭଳି ଜୁନାଗଡ଼ ଦ୍ୱାରର କବାଟ ଖୋଲିଗଲା । ଦୁର୍ଗ ଉପରେ ଯୁଦ୍ଧ କରୁଥିବା ରାଜପୁତ ସୈନ୍ୟମାନେ ଅବସ୍ଥା କଅଣ ବୁଝିପାରିଲେ ନାହିଁ । କଚ୍ଛପୀମାନେ ସୁସଜ୍ଜିତ ସୈନ୍ୟବାହିନୀରେ ନିଜକୁ ପରିଣତ କରି ଦୁର୍ଗର ଖୋଲା ଦ୍ୱାରବାଟେ ପ୍ରଭାସ ଦୁର୍ଗରେ ପ୍ରବେଶ କଲେ । ହମୀର୍‍ ଓ ତା’ର ସୈନ୍ୟମାନେ ହାତୀମାନଙ୍କୁ ଗଡ଼ଖାଇରେ ପୂରାଇଦେଲେ ।

 

ମହାରାଜ ପାଟିକରି କହିଲେ, “ଭିତର ଦୁର୍ଗକୁ ରକ୍ଷାକର ବିମଳ ! କିଛି ସୈନ୍ୟ ନେଇ ଭିତର ଦୁର୍ଗକୁ ରକ୍ଷାକର ।”

 

ମାଡ଼ିଆସୁଥିବା ଶତ୍ରୁ ସୈନ୍ୟମାନଙ୍କୁ ଅଟକାଇବା ପାଇଁ ସେ ଆଗେଇ ଗଲେ । ହଜାର ହଜାର ରାଜପୁତ ସୈନ୍ୟଙ୍କ ମୁହଁରୁ “ଭିତର ଦୁର୍ଗକୁ ରକ୍ଷାକର” ଧ୍ୱନି ଶୁଣାଗଲା । ରତ୍ନାଦିତ୍ୟ “ଜୟ ସୋମନାଥ” ଧ୍ୱନି ଦେଇ ଦୁର୍ଗ ଉପରୁ ଡେଇଁପଡ଼ିଲେ ଏବଂ ବହୁସଂଖ୍ୟକ ରାଜପୁତ ସୈନ୍ୟ ତାଙ୍କ ପଛେ ପଛେ ଲମ୍ଫ ଦେଲେ ।

 

ଜୁନାଗଡ଼ ଦ୍ୱାର ସମ୍ମୁଖରେ ସୈନ୍ୟମାନଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ଚାଲିଲା । ତରବାରି ସହ ତରବାରି, କୁନ୍ତ ସହ କୁନ୍ତ ଓ ମଲ୍ଲ ଯୁଦ୍ଧ । ଗୁଜୁରାତର ଯୋଦ୍ଧାମାନେ ଏପରି ବୀରତ୍ୱ ପ୍ରଦର୍ଶନ କଲେ, ଯାହାକି କେବେ ଦେଖାନଥିଲା । ରତ୍ନାଦିତ୍ୟ ଯୁଦ୍ଧରେ ପାଗଳ ହେଲେ । କେତେକ ସମୟ ପାଇଁ ସେ ମୁସଲମାନ ସୈନ୍ୟମାନଙ୍କୁ ପଛକୁ ହଟାଇଦେବାରେ ସକ୍ଷମ ହେଲେ ।

 

ଅଳ୍ପକ୍ଷଣ ପରେ ହମୀର୍‍ ନିଜେ ମଧ୍ୟ-ଏସିଆର ଭୟଙ୍କର ଆଶ୍ୱାରୋହୀମାନଙ୍କ ସହ ସେଠାରେ ପହଞ୍ଚିଗଲା । ସମଗ୍ର ମୁସଲମାନ ସୈନ୍ୟବାହିନୀ ଏଭଳି ଭୟଙ୍କର ଯୁଦ୍ଧରେ ଉନ୍ମତ୍ତ ହେଲା ଯେ, ସେମାନଙ୍କର ଅଗ୍ରଗତି ବନ୍ଦ କରିହେଲା ନାହିଁ । ଗୋଟିଏ ପାଖରେ ରତ୍ନାଦିତ୍ୟ ଓ ଅନ୍ୟ ପାଖରେ ଭୀମଦେବ ମହାରାଜ ସିଂହପରି ଯୁଦ୍ଧ କଲେ । ଭୀମଦେବ ଏବଂ ତାଙ୍କ ସୈନ୍ୟମାନେ ତଳେ ଠିଆହୋଇ ଯୁଦ୍ଧ କରୁଥାନ୍ତି; ମାତ୍ର ଶତ୍ରୁପକ୍ଷର ସୈନ୍ୟମାନେ ଘୋଡ଼ା ଉପରୁ ଆକ୍ରମଣ କରୁଥାନ୍ତି ।

 

ଚୌଲା ନିଶ୍ଚେଷ୍ଟ ଓ ନିର୍ବାକ୍‍ ହୋଇଯାଇ ତା’ ମା’ର ବାହୁରେ ଆଶ୍ରୟ ନେଇଥାଏ । ସେ ଗୁରୁଦେବଙ୍କୁ ତଳେ ଆଉ ଦେଖିପାରିଲା ନାହିଁ । ପ୍ରଭୁ ଶଙ୍କରଙ୍କୁ ପ୍ରାର୍ଥନା କରିବା ଛଡ଼ା ତା’ପକ୍ଷରେ ଆଉ କି ଉପାୟ ଅଛି ?

 

ଜୁନାଗଡ଼ ଦ୍ୱାରରେ ପ୍ରାଣମୂର୍ଚ୍ଛା ଯୁଦ୍ଧ କରିବାପାଇଁ ନିଷ୍ପତ୍ତି କରିବା ସଙ୍ଗେ ସଙ୍ଗେ ଭିତର ଦୁର୍ଗର ଫାଟକ ବନ୍ଦ କରିଦେବାପାଇଁ ଭୀମଦେବ ବିମଳଙ୍କୁ ଆଦେଶ ଦେଇଥିଲେ । ପାଖ ଦ୍ୱାରବାଟେ ଦୁର୍ଗରୁ ବାହାରିଯାଇ ବନ୍ଦରରୁ ବୋଇତରେ ପଳେଇଯିବା ବ୍ୟବସ୍ଥା କରିବାପାଇଁ ବିମଳ ଭୀମଦେବଙ୍କୁ ପ୍ରସ୍ତାବ ଦେଲେ । ଭୀମଦେବ ଗର୍ଜିଉଠି କହିଲେ, “ବିମଳ, କେମିତି ମରିବାକୁ ହୁଏ ମୁଁ ଜାଣେ । କିନ୍ତୁ ମୁଁ ପଛଘୁଞ୍ଚା ଦେଇପାରିବି ନାହିଁ ।”

 

ବିମଳ କହିଲେ-‘‘କିନ୍ତୁ ପାଟଣ ?’’

 

ଭୀମଦେବ ହୁକୁମ୍‍ ଦେଲେ, “ଶୀଘ୍ର ଯାଅ, ସୋମନାଥଙ୍କ ବିଗ୍ରହ ରକ୍ଷାକର ।” ମନ୍ତ୍ରୀ ବିମଳଙ୍କ ପକ୍ଷେ ତାଙ୍କ ଆଦେଶ ମାନିବା ଛଡ଼ା ଅନ୍ୟକୌଣସି ପନ୍ଥା ନ ଥିଲା । ଯେତେ ପାରନ୍ତି ସେତେ ସୈନ୍ୟ ସଙ୍ଗରେ ନେଇ ସେ ଗଲେ ଏବଂ ଯିବା ପରେ ପରେ ଦୁର୍ଗର ଦ୍ୱାର ବନ୍ଦ କରିଦେଲେ ।

 

ରତ୍ନାଦିତ୍ୟ ଓ ଭୀମଦେବ ଅତି ଅଦ୍ଭୁତ ବୀରତ୍ୱର ପରିଚୟ ଦେଲେ । ଶତ୍ରୁର ଖଣ୍ଡାଚୋଟରେ ରତ୍ନାଦିତ୍ୟଙ୍କ ଡାହାଣ ବାହୁଟି କଟିଗଲା । ଜଣେ ସୈନ୍ୟ ସାହାଯ୍ୟରେ ସେ ଘୋଡ଼ା ଉପରେ ଚଢ଼ି ବାମହାତରେ ତରବାରି ଧରି ଯୁଦ୍ଧ କଲେ । ରକ୍ତହୀନତାଜନିତ କ୍ଳାନ୍ତି ଅନୁଭବ କରି ସୁଦ୍ଧା, ତାଙ୍କର ଦୃଷ୍ଟିଶକ୍ତି ଥିବା ପର୍ଯ୍ୟନ୍ତ, ସେ ବହୁସଂଖ୍ୟକ ମୁସଲମାନ ସୈନ୍ୟଙ୍କୁ ହତ୍ୟା କଲେ । ଶେଷକୁ ସେ ଏକ ଶରର ଆଘାତରେ ଭୂପତିତ ହେଲେ । ସେ ଆଉ ଉଠି ପାରିଲେ ନାହିଁ ।

 

+

+

+

 

ତାଙ୍କ ଶିଷ୍ୟ ଏ ମହାବିପର୍ଯ୍ୟୟର କାରଣ ବୋଲି ଜାଣିପାରି ଗଙ୍ଗସର୍ବଜ୍ଞ ଶିବରାଶିକୁ ଖୋଜିଲେ । ପୂର୍ବଦିନ ସଂଧ୍ୟାରେ ସେ ପାଗଳଙ୍କ ପରି ବ୍ୟବହାର କରିଥିଲା । ଆଜି ସକାଳଯାକ ସେ ଏକାକୀ ଗଣପତି ମନ୍ଦିରରେ ରହିଥିଲେ ସୁଦ୍ଧା ବର୍ତ୍ତମାନ ଦଦ୍ଦା ସହିତ କଥାବାର୍ତ୍ତା କରୁଥିଲା । ଏଥିରୁ ପରିଷ୍କାର ଜଣାପଡ଼ିଗଲା ଯେ, ଏ ଆତ୍ମଘାତୀ କାର୍ଯ୍ୟ ଶିବରାଶିର ।

 

ଗଙ୍ଗସର୍ବଜ୍ଞ ଜୁନାଗଡ଼ ଦ୍ୱାରରେ ପହଞ୍ଚିଲାବେଳକୁ ଶିବରାଶି ଚାଲିଯାଉଥିବା ଏବଂ ଦୁର୍ଗର ଦ୍ୱାର ଖୋଲିଯିବା ସେ ଦେଖିଥିଲେ । ଏହା ଦେଖି ଶେଷ ସମୟ ଆସନ୍ନ ବୋଲି ସେ ବୁଝିନେଲେ । ସେ ଇତସ୍ତତଃ ହୋଇ ଚାରିଆଡ଼କୁ ଅନାଇ ମନକୁମନ କହିବାକୁ ଲାଗିଲେ, “ଭୋଳାନାଥ, ଏହି କ’ଣ ଶେଷ ? କାହିଁକି ଏହା କଲ ପ୍ରଭୁ ?’’ ସେ ସଙ୍ଗେ ସଙ୍ଗେ ଫେରିଲେ । ଗଙ୍ଗା ଓ ଚୌଲା ଯେପରି ମୁସଲମାନ ହାତରେ ନ ପଡ଼ନ୍ତି, ତାହା ଦେଖିବା ତାଙ୍କର ପ୍ରଧାନ କାର୍ଯ୍ୟ-। ସୋମାନଙ୍କର ଉପଯୁକ୍ତ ସ୍ଥାନ ଦେବତା ପାଖରେ । ସେ ଏକ ସଂକୀର୍ଣ୍ଣ ରାସ୍ତାରେ ସୈନ୍ୟମାନଙ୍କର ଦୃଷ୍ଟିକୁ ଏଡ଼ାଇ ଆସ୍ତେ ଆସ୍ତେ ଭିତର ଦୁର୍ଗର ଦ୍ୱାର ନିକଟକୁ ଗଲେ ।

 

ପ୍ରଭୁଙ୍କ ଇଚ୍ଛା ଜାଣିବା ନିମନ୍ତେ ସେ ନିରର୍ଥକ ଚେଷ୍ଟା କଲେ । ତାଙ୍କ ହୃଦୟରେ ଥିଲା ଦୈନ୍ୟଭାବ । ମଣିଷର ଚେଷ୍ଟା ନିରର୍ଥକ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ହେଲା । ଚାଳିଶ ବର୍ଷଧରି ସେ ପ୍ରଭାସ କ୍ଷେତ୍ରର ପରିଚାଳନା କରିବା ସଙ୍ଗେ ସଙ୍ଗେ ପାଶୁପତ ସମ୍ପ୍ରଦାୟର ଧର୍ମ ପ୍ରଚାର କରି ସମଗ୍ର ଭାରତକୁ ପ୍ରଭୁ ଶଙ୍କରଙ୍କର ଅନୁଗତ କରିପାରିଥିଲେ । ମୁହୂର୍ତ୍ତକ ମଧ୍ୟରେ ଏ ସମସ୍ତ ଧୂଳିସାତ୍‍ ହୋଇଗଲା ।

 

ଭଗବାନଙ୍କ ଉପରେ ତାଙ୍କର ବିଶ୍ୱାସ ଇତସ୍ତତଃ ହେବାକୁ ଲାଗିଲା । କିନ୍ତୁ ପ୍ରଭୁଙ୍କ ପ୍ରତି ତାଙ୍କର ପ୍ରଗାଢ଼ ଭକ୍ତି ତାଙ୍କୁ ସ୍ଖଳନରୁ ନିବୃତ୍ତ କଲା । ତାଙ୍କ ପକ୍ଷରେ ଏପରି ସନ୍ଦେହ କରିବା ଉଚିତ ନୁହେଁ । ପ୍ରଭୁଙ୍କର ଇଚ୍ଛା ପୂର୍ଣ୍ଣ ହେଉ ।

 

ଯେଉଁଠାରେ ଚରିତ୍ରହୀନତାକୁ ପ୍ରଶ୍ରୟ ଦିଆଯାଉଥିଲା ତ୍ରିପୁରସୁନ୍ଦରୀଙ୍କର ପୂଜା ନାମରେ, ଭୈରବୀଙ୍କ ପୂଜା ନାମରେ ଭୟଙ୍କର କୁକର୍ମମାନ କରାଯାଉଥିଲା, ତାଙ୍କ ପରି ଧାର୍ମିକ ବ୍ୟକ୍ତି ଅବସ୍ଥାକୁ ଠିକ୍‍ କରିବାପାଇଁ ଦୀର୍ଘ ଦିନ ଉଦ୍ୟମ କରି ଯେଉଁଠାରେ ବିଫଳ ହୋଇଛନ୍ତି ଏବଂ ଯେଉଁଠାରେ ଉତ୍ତରାଧିକାରିତ୍ୱ ଦାବି କରି ଶିବରାଶି ସମସ୍ତ ପ୍ରକାର ଅନ୍ୟାୟ କାର୍ଯ୍ୟ କରିଛି, ସେହି ଅପବିତ୍ର ଭୂମି ତିଷ୍ଠି ରହିବାର କୌଣସି ଯଥାର୍ଥତା ନାହିଁ । ଯାହା ଘଟୁ ନା କାହିଁକି, ତାହା ପ୍ରଭୁ ଶଙ୍କରଙ୍କର ଇଚ୍ଛା-ଏହା ଗଙ୍ଗସର୍ବଜ୍ଞ ଶେଷକୁ ବୁଝିପାରିଲେ । ପ୍ରଭାସର ପତନ ସଙ୍ଗେ ସଙ୍ଗେ ସମସ୍ତ ପ୍ରକାର ଅନୀତିର ଅବସାନ ହେବ ଏବଂ ଯେଉଁମାନେ ସେହି ଅନୀତି ପାଇଁ ଦାୟୀ, ସେମାନଙ୍କର ମଧ୍ୟ ବିନାଶ ହେବ । ତା’ପରେ ପ୍ରଭୁଙ୍କ ସେବା ପୂଜା ନୂଆକରି ଶୁଦ୍ଧ-ପୂତଭାବେ ଆରମ୍ଭ ହେବ । ଏହି ଅନୀତିମାନ ହେଉଥିବା ସେ ନିଜ ଆଖିରେ ଦେଖିଥିଲେ ସୁଦ୍ଧା ରୋକିପାରି ନାହାନ୍ତି । ସେଥିପାଇଁ ପ୍ରଭୁ ଶଙ୍କର ତାଙ୍କୁ ଡାକି ନେବାକୁ ଚାହୁଁଛନ୍ତି । ଆଉ ଅଳ୍ପ ସମୟର କଥା ।

 

ସେ ପାଟିକରି କହିଉଠିଲେ, “ପ୍ରଭୁ, ଏହି ଯବନମାନଙ୍କ ହାତରେ ଆପଣ କ’ଣ ଧ୍ୱଂସ ହେବେ ? ଆପଣଙ୍କର ଯେଉଁ ତୃତୀୟ ନୟନ ତ୍ରିପୁରାସୁର ପରି ଅସୁରକୁ ଧ୍ୱଂସ କରିଥିଲା, ତାହା କାହିଁକି ବନ୍ଦ କରିଛନ୍ତି ? ଆମେ କ’ଣ ଏହି ସାମାନ୍ୟ ଦୟାର ପାତ୍ର ନୋହୁଁ ।”

Image

 

Unknown

ଦେବସ୍ଥାନରେ ବିଷାଦର ଛାୟା

 

ଗଙ୍ଗସର୍ବଜ୍ଞ ପହଞ୍ଚିଲାବେଳକୁ ଭିତର ଦୁର୍ଗର ଦ୍ୱାର ବନ୍ଦ ହୋଇଯାଇଥିଲା । ପ୍ରଭୁଙ୍କର ଶେଷ ଦର୍ଶନରୁ ସେ କ’ଣ ବଞ୍ଚିତ ହେବେ ? ଦ୍ୱାର ନିକଟର ଏକ ଉଚ୍ଚ ସ୍ଥାନରେ ସେ ବସିପଡ଼ିଲେ ଅର୍ଦ୍ଧମୁଦ୍ରିତ ଚକ୍ଷୁରେ । ଜଣେ ଆହତ ବ୍ୟକ୍ତି କ୍ଷୀଣ ସ୍ୱରରେ ପାଣି ମାଗୁଥିବା ସେ ଶୁଣିପାରିଲେ । ସର୍ବଜ୍ଞ ଦେଖିଲେ, ଦୀପ କୋଠାରୀ ମୃତ ପ୍ରାୟ । ସେ ପାଟିକରି କହିଲେ “ଦୀପ କୋଠାରୀ ?”

 

ଦୀପ କୋଠାରୀ କହିଲା, “ଗୁରୁଦେବ ! ମୁଁ ଭାଗ୍ୟବାନ...ମୋର ଏହି ଶେଷ ସମୟରେ ଆପଣଙ୍କ ଦର୍ଶନ ପାଇଲି । ମୋତ ଟୋପେ ପାଣି ଦିଅନ୍ତୁ ।”

 

ଗୁରୁଦେବ କହିଲେ, “ଅପେକ୍ଷା କର, ମୁଁ ପାଣି ଆଣୁଛି ।” ଗୁରୁଦେବ ତା’ ପାଟିରେ କିଛି ପାଣି ଦେଇ ସେ କେଉଁଠାରେ ଏପରି ଆହତ ହେଲା ବୋଲି ପଚାରିଲେ ।

 

କୋଠାରୀ ଯନ୍ତ୍ରଣାକାତର ସ୍ୱରରେ କହିଲା, “ଯେତେବେଳେ ପୋଲ ଉପରେ ଯୁଦ୍ଧ ଚାଲିଥାଏ, ମୁଁ ଭିତରେ ଥାଇ ବଡ଼ ବଡ଼ ପଥରମାନ ଉପରକୁ ଆଣୁଥିଲି । ସୈନ୍ୟମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହେଲାଣି କି ନାହିଁ, ଦେଖିବାକୁ ଆସିବା ସମୟରେ ଗଣପତି ମନ୍ଦିରରୁ ରାଶିଜୀ କେତେକ ଶତ୍ରୁ ସୈନ୍ୟଙ୍କ ସହିତ ଆସୁଥିବା ଦେଖିଲି । ସେମାନେ କିଏ ବୋଲି ପଚାରିବାରୁ, ସୋମାନଙ୍କ ଭିତରୁ ଜଣେ ମୋତେ ଛୁରା ଭୁସି ରାସ୍ତାକୁ ପେଲିଦେଲା । ମୁଁ ବଞ୍ଚିବି ନାହିଁ ଗୁରୁଦେବ-! କିନ୍ତୁ ମୃତ୍ୟୁ ମଧ୍ୟ ଚଞ୍ଚଳ ଆସୁନାହିଁ ।”

 

ଗୁରୁଦେବ-‘‘କୋଠାରୀ, ପ୍ରଭୁ ଶଙ୍କର ଆମ ଉପରେ ପ୍ରସନ୍ନ ନୁହଁନ୍ତି ।’’

 

କୋଠାରୀ-‘‘ଭୀମଦେବ ମହାରାଜ କେଉଁଠି ?’’

 

ଗୁରୁଦେବ-‘‘ତାହା କେହି ଜାଣନ୍ତି ନାହିଁ । ଯଦି ତାଙ୍କର ମୃତ୍ୟୁ ନ ହୋଇଥାଏ, କେଉଁଠାରେ ଯୁଦ୍ଧ କରୁଥିବେ । ଭଗବାନଙ୍କ ଇଚ୍ଛା ପୂର୍ଣ୍ଣ ହେବ ।’’

 

କୋଠାରୀ-‘‘ଏସବୁ କାହିଁକି ହେଲା ଗୁରୁଦେବ ?’’

 

ଗୁରୁଦେବ କୋଠାରୀକୁ ଧୀରେ କହିଲେ, “ଭୋଳାନାଥଙ୍କ ଇଚ୍ଛାକୁ ମାନିଯିବା ଦରକାର-। ପୃଥିବୀ ବର୍ତ୍ତମାନ ଧ୍ୱଂସାଭିମୁଖୀ ।”

 

ଗୁରୁଦେବଙ୍କ କୋଳରେ ମଥା ରଖି କୋଠାରୀ ଶେଷନିଶ୍ୱାସ ତ୍ୟାଗ କଲା । ଗୁରୁଦେବ ଦୁଃଖମନରେ ସେ ସ୍ଥାନ ଛାଡ଼ି ଚାଲିଗଲେ । ମୁସଲମାନ ସୈନ୍ୟମାନେ ଦୁର୍ଗ ଭିତରକୁ ଆସିବାକୁ କିପରି ସମର୍ଥ ହେଲେ, ତାହା ସେ ବର୍ତ୍ତମାନ ବୁଝିପାରିଲେ । ମାରୁତି ମଣ୍ତପ ତଳେ ଯାଇଥିବା ସୁଡ଼ଙ୍ଗ କଥା ତାଙ୍କର ମନେପଡ଼ିଲା । ସେ ଭାବିଲେ ଶିବରାଶି ଯେବେ ସେହି ବାଟେ ମୁସଲମାନ ସୈନ୍ୟମାନଙ୍କୁ ଆସିବାପାଇଁ ବାଟ ଦେଖାଇଦେଲା, ତେବେ ସେ ନିଜେ କାହିଁକି ଭିତର ଦୁର୍ଗକୁ ସେହି ବାଟେ ନ ଗଲା ? ସେ ଦ୍ରୁତବେଗରେ ମନ୍ଦିର ଅଗଣାକୁ ଯାଇ ଦେଖିନ୍ତି ତ ସେଠାରେ ଭୀଷଣ ଯୁଦ୍ଧ ଲାଗିଛି । ହମୀର୍‍ର ଅଶ୍ୱାରୋହୀ ସୈନ୍ୟବାହିନୀର ଚିତ୍କାରରେ ଆକାଶ ଫାଟିପଡ଼ୁଥାଏ ଏବଂ ଗୁଜୁରାତ ସୈନ୍ୟବାହିନୀ ସୋମାନଙ୍କୁ ଭୀଷଣଭାବେ ପ୍ରତିରୋଧ କରୁଥାନ୍ତି । ଗଣପତି ମନ୍ଦିରର ଛାତ ଉପରେ ବିରାଟ ପଥରଖଣ୍ତମାନ ଜମା କରି ସୈନ୍ୟମାନେ ନିଜକୁ ରକ୍ଷାକରିବା ଲାଗି ଏକ ପ୍ରାଚୀର ତିଆରି କରିଥାନ୍ତି ଓ ତା’ ପଛରୁ ଶର ମାରି ଶତ୍ରୁପକ୍ଷ ସୈନ୍ୟଙ୍କୁ ଧ୍ୱଂସ କରୁଥାନ୍ତି । ଏହି ଅଳ୍ପସଂଖ୍ୟକ ଗୁଜରାତୀ ସୈନ୍ୟମାନଙ୍କର ବୀରତ୍ୱ ତଥା ଯୁଦ୍ଧନିପୁଣତା ଯୋଗୁ ହମୀର୍‍ର ସୈନ୍ୟମାନେ ଭିତର ଦୁର୍ଗ ମଧ୍ୟରେ ପ୍ରବେଶ କରିପାରିନଥାନ୍ତି । ଠିକ୍‍ ଏହି ସମୟରେ ଅନ୍ୟ ଏକ ଦିଗରୁ ତୂରୀ ବାଜିଉଠିଲା ଏବଂ ସଙ୍ଗେ ସଙ୍ଗେ ମୁସଲମାନ ଅଶ୍ୱାରୋହୀ ସୈନ୍ୟମାନେ ସେହି ଦିଗକୁ ଚାଲିଲେ । ଗୁରୁଦେବ ଗଣପତି ମନ୍ଦିର ଅତିକ୍ରମ କରିବାପରେ ତାଙ୍କୁ କେହି ଜଣେ ଡାକୁଥିବାର ଶୁଣିଲେ । ସେ ଆଶ୍ଚର୍ଯ୍ୟ ହୋଇ ସେ ଆଡ଼କୁ ଚାହିଁଲେ ।

 

ଗୁରୁଦେବ ପଚାରିଲେ, “କିଏ ? ବୀର ଚାଓଡ଼ା ?” ସଙ୍ଗେ ସଙ୍ଗେ ଦ୍ୱାର ଫିଟିଗଲା ଏବଂ ଗୁରୁଦେବଙ୍କୁ ଭିତରକୁ ନିଆଗଲା । ବୀର କାନ୍ଦୁ ଥିଲା ।

 

ସେ କାନ୍ଦି କାନ୍ଦି କହିଲା, “ଗୁରୁଦେବ ! ମହାରାଜ ଭୀମଦେବ ଆଉ ନାହାନ୍ତି ।”

 

ଗୁରୁଦେବ-‘‘କ’ଣ ହେଲା କୁହନା ବୀର !’’

 

ବୀର-“ସେ ସିଂହ ବିକ୍ରମରେ ଲଢ଼ୁଥିଲେ ଏବଂ ଶହ ଶହ ମୁସଲମାନ ସୈନ୍ୟଙ୍କୁ ମାରିଥିଲେ ସୁଦ୍ଧା ଶେଷରେ ...।” ସେ ଆଉ କହିପାରିଲା ନାହିଁ । କୋହ ଉଠି ତା’ର କଣ୍ଠ ରୁଦ୍ଧ ହୋଇଗଲା ।

 

ଗୁରୁଦେବ ନିଜକୁ ସମ୍ଭାଳି ନେଇ କହିଲେ, “ଭୋଳାନାଥଙ୍କର ଯାହା ଇଚ୍ଛା ତାହାହିଁ ହେବ । ମହାରାଜାଙ୍କର ଶବ କାହିଁ?”

 

ବୀର-“ତାଙ୍କ ସହିତ ଆମେ ସାତଜଣ ଥିଲୁ । ମହାରାଜାଙ୍କର ମୃତ୍ୟୁ ହୋଇଛି ବୋଲି ଜାଣିଥିଲେ ଆମ ସୈନ୍ୟମାନେ ଭାଙ୍ଗିପଡ଼ିଥାନ୍ତେ । ତେଣୁ ତାଙ୍କ ଶବକୁ ଏଠାକୁ ନେଇଆସିଛୁ । ତା’ ଛଡ଼ା ମୁସଲମାନ ସୈନ୍ୟମାନେ ଯେପରି ଭିତର ଦୁର୍ଗରେ ପ୍ରବେଶ ନ କରନ୍ତି, ପ୍ରାଣପଣ ତାହାର ପ୍ରତିରୋଧ କରୁଛୁ । ଆମ ସାତଜଣଙ୍କ ମୃତ୍ୟୁ ନ ହେବା ପର୍ଯ୍ୟନ୍ତ ମନ୍ଦିରର ପତନ ହେବ ନାହିଁ ଏବଂ ତାହା ପରେ କାହାର କେଉଁ ଶବ ସେ ସମ୍ପର୍କରେ ଭାବିବାର କିଛି ନ ଥିବ ।” ଏହା କହି ବୀର ବୁକୁଫଟା ଦୁଃଖରେ କାନ୍ଦିଲାଗିଲା ।

 

ଗୁରୁଦେବ କହିଲେ, “ବୀର, ମହାରାଜାଙ୍କର ଶବ ଆମର ନୁହେଁ, ଏହା ପ୍ରକୃତରେ ଚୌଲାର । ମୁଁ ତାକୁ ଭିତରକୁ ନିଏ ।”

 

ବୀର–‘‘କିନ୍ତୁ ନେବେ କିପରି ?’’

 

ଗୁରୁଦେବ–‘‘ଯନ୍ଦି ଏହି କୋଣରେ ହାତେ ଖୋଳିପାରିବୁ ତେବେ ଗୋଟିଏ ସୁଡ଼ଙ୍ଗ ମିଳିବ ଓ ସେଇ ବାଟେ ଭିତର ଦୁର୍ଗକୁ ଯାଇହେବ ।”

 

“ଅପେକ୍ଷା କରନ୍ତୁ” କହି ବୀର ତାହାର ସାଥୀମାନଙ୍କୁ ଶତ୍ରୁର ପ୍ରତିରୋଧ ଅବ୍ୟାହତ ରଖିବାକୁ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ସେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିଲା । ତା’ପରେ ଗୁରୁଦେବଙ୍କୁ ସାହାଯ୍ୟ କରିବାକୁ ଗଲା । ଅଳ୍ପ ସମୟ ମଧ୍ୟରେ ସୁଡ଼ଙ୍ଗ ବାଟଟି ଖୋଲିଗଲା । ତାହାପରେ ଗୁରୁଦେବ ପଚାରିଲେ, “ବୀର, ତୁ ଏଠାରେ ରହିବୁ ?”

 

ବୀର କହିଲା, “ହଁ, ମୋର ମୁନିବ ଯେତେବେଳେ ଚାଲିଗଲେ ମୋର ଆଉ କ’ଣ କହିବାର ଅଛି ? ଯେତେଶୀଘ୍ର ପାରେ ମୁଁ ମଧ୍ୟ ଚାଲିଯିବାକୁ ଚାହେଁ ।” ଏହା କହି ସେ ଗୁରୁଦେବ ଓ ଭୀମଦେବଙ୍କ ଶବକୁ ସାଷ୍ଟାଙ୍ଗ ପ୍ରଣାମ କଲା ଏବଂ ଆଖି ପୋଛି ପୋଛି ଛାତ ଉପରକୁ ଚାଲିଗଲା-

ସୁଡ଼ଙ୍ଗ ରାସ୍ତାଟି ଗୁରୁଦେବଙ୍କୁ ଭଲ ରକମ ଜଣାଥିଲା । ଭୀମଦେବଙ୍କ ଦେହକୁ ଏକାକୀ କାନ୍ଧରେ ଧରି ସେ ଆସ୍ତେ ଆସ୍ତେ ସୁଡ଼ଙ୍ଗରେ ପ୍ରବେଶ କଲେ । ଭୀମଦେବଙ୍କ ଶରୀରର ଓଜନରେ ଟଳମଳ ଅବସ୍ଥାରେ ପାହାଚ ଓହ୍ଲାଇ ଶେଷରେ ଗଣପତି ମନ୍ଦିରରେ ପହଞ୍ଚିଲେ । ସୁଡ଼ଙ୍ଗର ଅପର ମୁହଁ ଖୋଲାଥିଲା ।

ସେ ନିଜର କ୍ଲାନ୍ତି ଦୂର କରିବାକୁ ସାମାନ୍ୟ କେତେ ମୁହୂର୍ତ୍ତମାତ୍ର ବସିପଡ଼ି ମହାରାଜାଙ୍କର ଦେହ ପରୀକ୍ଷା କରିବାକୁ ଆରମ୍ଭ କଲେ । ଶରୀରର ବହୁ ସ୍ଥାନରେ ଆଘାତ ଲାଗିଥିଲେ ସୁଦ୍ଧା, ତାଙ୍କ ନାଡ଼ି ଚାଲୁଥାଏ । ସେ ଭୀମଦେବଙ୍କ ପିନ୍ଧିଥିବା ବସ୍ତ୍ର ଚିରି ଆଘାତପ୍ରାପ୍ତ ଜାଗାମାନଙ୍କରେ ବାନ୍ଧିଦେଲେ । ତା’ପରେ ତାଙ୍କୁ ନେବାପାଇଁ ଉଠାଇଲେ । ଯିବା ପୂର୍ବରୁ ସେ ଦେଖିଲେ ଯେ ଗୁଜରାତର ବୀରମାନେ ପ୍ରାଣମୂର୍ଚ୍ଛା ଲଢ଼େଇ କରୁଛନ୍ତି । କି ସାହସ, କି କର୍ତ୍ତବ୍ୟପରାୟଣତା ଓ ଆତ୍ମସମ୍ମାନଜ୍ଞାନ ! ଏହାଦେଖି ସେହି ଧ୍ୱଂସର ମୁହୂର୍ତ୍ତରେ ମଧ୍ୟ ସର୍ବଜ୍ଞ ଗର୍ବ ଅନୁଭବ କଲେ ।

ଠିକ୍‍ ପର ମୁହୂର୍ତ୍ତରେ ସେ ଶୁଣିଲେ ଏକ ଉଦ୍ଦାମ ହସ । ତାଙ୍କ ଆଗରେ ଶିବରାଶି । “ହେଲା, ହା, ହା, ହା...ତୁମେମାନେ କୁକୁର ପରି ମରିବ ବୋଲି ମୁଁ କହିନଥିଲି ?” ଶିବରାଶି ପୁଣି ଅଟ୍ଟହାସ୍ୟ କଲା ।’’

“ରାଶି ! ଯେଉଁଠାରେ ତୁମେ ମଣିଷ ହୋଇଥିଲ, ଯେଉଁଠାରେ ନିଜେ ଶିକ୍ଷା ପାଇଥିଲ, ଯେଉଁଠାରେ ବେଦାଧ୍ୟୟନ କରିଥଲ, ଯେଉଁଠାରେ ତୁମେ ଇଶ୍ୱରଙ୍କୁ ପୂଜା କରିଥଲ, ସେହି ପବିତ୍ର ଦେବମନ୍ଦିରକୁ ମ୍ଳେଚ୍ଛକୁ ଡାକି ଆଣିଲ ? ତୁମର ବନ୍ଧୁ ଏବଂ ଗୁରୁଙ୍କୁ ହତ୍ୟା କଲ ? ନିଜର ଦେବତାଙ୍କୁ ଅପବିତ୍ର କଲ ? ଯେଉଁ ସ୍ଥାନକୁ ତୁମେ ଅପବିତ୍ର କରିଛ, ତାହାକୁ ଭୋଳାନାଥ ଧ୍ୱଂସ କରିବାକୁ ଚାହାନ୍ତି ବୋଲି ମୁଁ ଭଲଭାବେ ବୁଝିପାରୁଛି ।” ଏହା କହି ସର୍ବଜ୍ଞ ଭୀମଦେବଙ୍କ ଦେହକୁ ବହନ କରି ଆଗେଇ ଗଲେ ।

 

ଗୁରୁଦେବ ଭିତର ଦୁର୍ଗରେ ପହଞ୍ଚିଲାକ୍ଷଣି ତାଙ୍କ ମନରେ ପୁଣି ଅଦ୍ଭୁତ ସାହସ ଦେଖାଦେଲା । ଏହି ପରିଚିତ ମନ୍ଦିରରେ ତାଙ୍କର ଦୁର୍ବଳତା ଓ ଦୈନ୍ୟ ଉଭେଇଗଲା । ସେ ଚାଳିଶ ବର୍ଷ ଧରି ଏହି ପୀଠରୁ ନିର୍ବିବାଦରେ ପାଶୁପାତ ସମ୍ପ୍ରଦାୟର ଲୋକମାନଙ୍କ ଉପରେ ଆଧ୍ୟାତ୍ମିକ ପ୍ରଭୁତ୍ୱ ବିସ୍ତାର କରିଆସିଥିଲେ । ଏହି ପୀଠରେ ସେ ବହୁ ଛୋଟ ବଡ଼ ଶାସକଙ୍କର ଅର୍ଘ୍ୟ ଓ ଶ୍ରଦ୍ଧାଞ୍ଜଳି ଗ୍ରହଣ କରିଛନ୍ତି । ଖ୍ରୀଷ୍ଟ-ଜଗତର ଧର୍ମଗୁରୁ ପୋପ୍‍ ଖ୍ରୀଷ୍ଟିଆନ୍‍ ଜଗତରେ ଯେଉଁ ଆସନ ଲାଭ କରିଛନ୍ତି, ସେ ତାଙ୍କ ଶିକ୍ଷା ଏବଂ ଭକ୍ତି ଯୋଗୁ ଭାରତବର୍ଷରେ ସେହି ଆସନ ଲାଭ କରିଥିଲେ-। ପ୍ରଭୁ ଲକୁଳେଶଙ୍କ ଦାୟାଦରୂପେ ସେ ବିଶ୍ୱକୁ ମୋକ୍ଷ ଲାଭ କରିବାର ଉପାୟ ଶିକ୍ଷା ଦେଇଥିଲେ-

 

ଗୁରୁଦେବ ଆସୁଥିବାର ଗଙ୍ଗା ଦେଖିଲା । ଭୟରେ ଥରି ଥରି ଗଙ୍ଗା ଓ ଚୌଲା ଉଭୟେ ତାଙ୍କ ନିକଟକୁ ଗଲେ । ଭୀମଦେବଙ୍କ ଅଚେତ ଶରୀର ଦେଖି ତାଙ୍କର ମୃତ୍ୟୁ ହୋଇଥିବା ବିଶ୍ୱାସ କରି ଚୌଲା ତାଙ୍କ ଦେହ ଉପରେ ମୁଣ୍ତ ରଖି ଉଚ୍ଚ ସ୍ୱରରେ କାନ୍ଦିଉଠିଲା । ଗୁରୁଦେବ ଏକ ଦୀର୍ଘନିଶ୍ୱାସ ନେଇ ଶାନ୍ତ ଓ ସ୍ଥିତ-ପ୍ରଜ୍ଞ ହୋଇ ସିଧା ଠିଆହେଲେ । କହିଲେ, “ଚୌଲା, ଭଗବାନ ଚାହାନ୍ତି ନାହିଁ; ତେଣୁ ଆମ ଇଚ୍ଛା ଅନ୍ୟଥାରେ ପରିଣତ ହୋଇଛି । ତୁ କାନ୍ଦନା ମା’, ନିଜକୁ ପ୍ରସ୍ତୁତ କର । ଅତିଶୀଘ୍ର ଦୁର୍ଗର ପତନ ହେବ ଏବଂ ମୁସଲମାନମାନେ ଏହାକୁ ଦଖଲ କରିଯିବେ । ବର୍ତ୍ତମାନ ତୁ ଚୌଲା ନୁହଁ ପାଟଣର ରାଣୀ । ତୋ’ର ଜୀବିତାବସ୍ଥାରେ ଯେପରି କୌଣସି ମ୍ଳେଛ ତୋତେ ନ ଛୁଅଁନ୍ତି ସେଥିପାଇଁ ସତୀବ୍ରତ ପାଳନ କରିବା ତୋ’ର ବର୍ତ୍ତମାନ କର୍ତ୍ତବ୍ୟ ।”

 

ଚୌଲା ଲୋତକାପ୍ଳୁତ ଚକ୍ଷୁରେ ଚାହିଁଲା । ଭୀମଦେବ ଚାଲିଯାଇଛନ୍ତି ଏବଂ ତାଙ୍କ ଯିବା ସଙ୍ଗେ ସଙ୍ଗେ ତା’ ଜୀବନର ଆଲୋକ ମଧ୍ୟ ଲିଭିଯାଇଛି । ସେ ପଚାରିଲା, “ମହାରାଜାଙ୍କ ଦେହାନ୍ତ କେତେବେଳେ ହେଲା ?”

 

ଗୁରୁଦେବ କହିଲେ-“ତାଙ୍କ ଶରୀରରେ ଏପର୍ଯ୍ୟନ୍ତ ମଧ୍ୟ ଜୀବନର ଅବଶେଷ ଅଛି । ତୋ’ର ବ୍ୟବସ୍ଥା କରିସାରିବା ପରେ, ସେ ବଞ୍ଚିପାରିବେ କି ନାହିଁ ତାହା ମୁଁ ଦେଖିବି । ଗଙ୍ଗା, ଚଞ୍ଚଳ ପ୍ରସ୍ତୁତ କର-ଅଗ୍ନିରେ ଝାସ ଦେବାପାଇଁ ଚୌଲାକୁ ପ୍ରସ୍ତୁତ କର । ଚିତାଲାଗି ମୁଁ କାଠ ସଂଗ୍ରହ କରୁଛି । ପରବର୍ତ୍ତୀ ଜଗତରେ ସୁଖୀ ହେବା ବୋଧେ ତା’ ଭାଗ୍ୟରେ ଅଛି । ତା’ଛଡ଼ା, ଗଙ୍ଗା ! ତୁ ନିଜେ ମଧ୍ୟ ମୃତ୍ୟୁପାଇଁ ପ୍ରସ୍ତୁତ ହୋଇଯା-ଯେପରି ମୁସଲମାନମାନଙ୍କ ହାତରେ ନ ପଡ଼ୁ ।”

 

ଗଙ୍ଗା କହିଲା, “ଗୁରୁଦେବ, ମୋର ମରିବାପାଇଁ କୌଣସି ଚିତାର ଦରକାର ନାହିଁ । ମୋ’ପାଇଁ ଚିନ୍ତା କରନ୍ତୁ ନାହିଁ ।”

 

ପ୍ରାଣଭୟରେ ଲୁଚିଥିବା କେତେକ ସାଧୁଙ୍କୁ ଯାଇ ଚିତାପାଇଁ କାଠ ଆଣିବାକୁ ଗୁରୁଦେବ ଆଦେଶ ଦେଲେ । ତା’ପରେ ସେ ନିଜ ହାତରେ ଚିତା ତିଆରି କଲେ । ଗଙ୍ଗା ଚୌଲା ମୁଣ୍ତରେ କୁଙ୍କୁମ ଓ ଚନ୍ଦନର ଚିତା ଦେଲା ।

 

ଚୌଲା ଯନ୍ତ୍ରଚାଳିତ ପରି ଗୁରୁଦେବଙ୍କ ଆଜ୍ଞା ପାଳନ କରୁଥାଏ । ସେ ପ୍ରଭୁ ସୋମନାଥଙ୍କ ନିକଟକୁ ଯାଇ ତାଙ୍କ ଆଗରେ ପ୍ରଣତି କଲା । ତା’ପରେ ଭୀମଦେବ ଅଚେତ ଅବସ୍ଥାରେ ପଡ଼ିଥିବା ସ୍ଥାନକୁ ଆସିଲା । ଭୀମଦେବଙ୍କ କପାଳରୁ ନିର୍ଗତ ରକ୍ତରେ ଆର୍ଦ୍ର ତାଙ୍କ କେଶରାଶିରେ ସେ ହାତ ବୁଲାଇଲା ଓ ତାଙ୍କ ମୁଖକୁ ଚାହିଁଲା । ତା’ର ଶରୀର ମୃତ ପ୍ରାୟ । ତା’ ମୁଖରେ କୌଣସି ଭାବପ୍ରବଣତା ବା ଆଖିରେ କୌଣସି ଦୀପ୍ତି ନ ଥାଏ । ସେ ପ୍ରଥମେ ଭୀମଦେବଙ୍କ ଚରଣ ଛୁଇଁ ତା’ପରେ ମା’ ଗଙ୍ଗା ଓ ଗୁରୁଦେବଙ୍କୁ ପ୍ରଣାମ କଲା । ଗୁରୁଦେବ ଶାନ୍ତ ନିର୍ବେଦ ହୋଇଯାଇଥାନ୍ତି । ସେ ଚିତାରେ ଅଗ୍ନି ସଂଯୋଗ କଲେ ।

 

ଠିକ୍‍ ଏତିକିବେଳେ ମନ୍ତ୍ରୀ ବିମଳ ଅଣନିଶ୍ୱାସୀ ହୋଇ ଦୌଡ଼ି ଆସି ପହଞ୍ଚିଲେ ।

Image

 

ତ୍ରିବାର ପବିତ୍ର ମୂର୍ତ୍ତି

 

ମନ୍ତ୍ରୀ ବିମଳ ମଧ୍ୟ ଆହତ ହୋଇଥିଲେ । ସେ ଗୁରୁଦେବଙ୍କ ପାଖେ ପହଞ୍ଚିଯାଇ ଊର୍ଦ୍ଧ୍ୱ ଶ୍ୱାସରେ କହିଲେ, “ଗୁରୁଦେବ ! ଆପଣ ଏଠାରୁ ଚାଲିଯିବା ଦରକାର । ଯେ କୌଣସି ମୁହୂର୍ତ୍ତରେ ଭିତର ଦୁର୍ଗର ପତନ ହେବ । ତା’ପରେ ଶତ୍ରୁ ହାତରେ ପଡ଼ିବାକୁ ବେଶୀ ଡେରି ଲାଗିବ ନାହିଁ ।”

 

ଗୁରୁଦେବ କହିଲେ, “ମୁଁ ଜାଣେ ବିମଳ ! ଚୌଲାକୁ ସତୀ କରିସାରିବା ପରେ ମୁଁ ହମୀର୍‍ ସହିତ ଦେଖା କରିବାକୁ ପ୍ରସ୍ତୁତ ହେବି ।”

 

ବିମଳ–“ସର୍ବନାଶ ! ମହାରାଜ... ମୃତ ?” ଭୀମଦେବ ତଳେ ପଡ଼ିଥିବା ଦେଖି ବିମଳ ସ୍ତମ୍ଭିତ ହୋଇଗଲେ ।

 

ଗୁରୁଦେବ-“ନା, ସେ ଜୀବିତ ଅଛନ୍ତି । କିନ୍ତୁ ଯେ କୌଣସି ମୁହୂର୍ତ୍ତରେ ତାଙ୍କର ମୃତ୍ୟୁ ହୋଇପାରେ ।’’

 

ବିମଳ ତାଙ୍କର ଦୁଇ ଓଠ ଚାପିଧରିଲେ । କିନ୍ତୁ ଏହା କାନ୍ଦିବାର ସମୟ ନୁହେଁ ବୋଲି, ସେ ମଧ୍ୟ ବୁଝଲେ ।

 

ବିମଳ ନିବେଦନ କଲେ-“କିନ୍ତୁ ଗୁରୁଦେବ, ଆପଣ ଚାଲିଯାନ୍ତୁ !”

 

ଗୁରୁଦେବ ଶାନ୍ତଭାବରେ କହିଲେ-“ଯେଉଁଠାରେ ଭୋଳାନାଥ ମୋର ସ୍ଥାନ ସେହିଠାରେ ବୋଲି ତୁମକୁ ଆଗରୁ କହିଛି ନା ?”

 

ବିମଳ ଆଶ୍ଚର୍ଯ୍ୟରେ ଗୁରୁଦେବଙ୍କୁ ଚାହିଁଲେ । ତତ୍ପରେ ତଳକୁ ମୁହଁ ପୋତି ଭୀମଦେବଙ୍କ ପାଦ ଉପରେ ନିଜର ମୁଣ୍ତ ରଖିଲେ ।

 

ଠିକ୍‍ ଏତିକିବେଳେ ସାମନ୍ତ ମଧ୍ୟ ସେଠାରେ ଦୌଡ଼ି ଦୌଡ଼ି ଆସି ପହଞ୍ଚିଲେ । ତାଙ୍କୁ ଦେଖି ଗୁରୁଦେବ କହିଲେ, “ବାପା ସାମନ୍ତ ! ଏ ବିପଦ ସମୟରେ ତୁ କେଉଁଠୁ ଆସିଲୁ ?”

 

ସାମନ୍ତ ଉତ୍ତର ଦେଲେ, “ପ୍ରଭାସର ପତନ ହୋଇଛି ବୋଲି ମୋର ସନ୍ଦେହ ହେବାରୁ ମୁଁ ଦୌଡ଼ି ଦୌଡ଼ି ଆସିଛି । ମୋ ସହିତ ଆପଣମାନଙ୍କୁ ଯିବାକୁ ହେବ । ସମୁଦ୍ର ରାସ୍ତା ଏପର୍ଯ୍ୟନ୍ତ ଖୋଲାଅଛି ଏବଂ ଆମକୁ ନେବାପାଇଁ ଗୋଟିଏ ନୌକା ମଧ୍ୟ ଅପେକ୍ଷା କରି ରହିଛି । ଚଞ୍ଚଳ ଚାଲନ୍ତୁ ।”

 

ଗୁରୁଦେବ କହିଲେ-“ବତ୍ସ ! ତୋ’ର ବୀରତ୍ୱ ଅଦ୍ୱିତୀୟ ! ଚୌଲା, ତୁ ବଞ୍ଚିବା ବୋଧେ ପ୍ରଭୁ ଶମ୍ଭୁଙ୍କର ଇଚ୍ଛା । ତୁ ସାମନ୍ତ ସହିତ ଯା । ସାମନ୍ତ ! ମହାରାଜାଙ୍କୁ ମଧ୍ୟ ସଙ୍ଗରେ ନେ । ଯେବେ ସେ ବଞ୍ଚନ୍ତି, ତାହାହେଲେ ସେ ପ୍ରଭୁଙ୍କୁ ପ୍ରଭାସରେ ପୁଣି ସ୍ଥାପନ କରିବେ ।”

 

ସାମନ୍ତ–‘‘ଠିକ୍‍, ଚଞ୍ଚଳ ଚାଲନ୍ତୁ ! ଆଉ ବିମଳ ତୁମେ ?’’

 

ବିମଳ–‘‘ମୋ ସ୍ଥାନ ଦୁର୍ଗ ଭିତରେ ।’’

 

ସାମନ୍ତ–‘‘ନା, ଭୀମଦେବ ଯେଉଁଠାରେ, ତୁମ ସ୍ଥାନ ସେହିଠାରେ । ଏପରିକି ତାଙ୍କର ଯେବେ ମୃତ୍ୟୁ ହୁଏ, ତାହାହେଲେ ସେ ମରିଛନ୍ତି ବୋଲି ମଧ୍ୟ କେହି ଜାଣିବା ଉଚିତ ନୁହେଁ । ତାଙ୍କ ନାମରେ ଆମେ ହମୀର୍‍କୁ ଧ୍ୱଂସ କରବାକୁ ହେବ । ତାଙ୍କ ବିନା ଗୁଜରାତର ଶକ୍ତି ଭାଙ୍ଗିପଡ଼ିବ । ମୋ ସହିତ ଆସ ।’’

 

ଗୁରୁଦେବ ସମର୍ଥନ କରି କହିଲେ, “ବିମଳ, ସାମନ୍ତ ଠିକ୍‍ କଥା କହୁଛି । ଯେ ପର୍ଯ୍ୟନ୍ତ ମହାରାଜ ଏବଂ ତୁମେ ଜୀବିତ, ସେ ପର୍ଯ୍ୟନ୍ତ ଗୁଜୁରାତ ଧ୍ୱଂସ ସ୍ତୂପରୁ ମଧ୍ୟ ପୁଣି ଜିଇଁ ଉଠିବ । ତୁମେହିଁ ହମୀର୍‍ ସହିତ ପ୍ରକୃତ ସମର କରିପାରିବ । ଯାଅ !”

 

“କିନ୍ତୁ”... ଅନିଚ୍ଛା ପ୍ରକାଶସୂଚକ ସ୍ୱରରେ କହିଲେ ବିମଳ ।

 

ଗୁରୁଦେବ–‘‘କୌଣସି କିନ୍ତୁ ନାହିଁ; ଏହା ମୋର ଆଜ୍ଞା । ତୁମକୁ ଯିବାକୁହିଁ ହେବ ।’’

 

ବିମଳ–‘‘କିନ୍ତୁ...ଗୁରୁଦେବ...ଆପଣ ?’’

 

ଗୁରୁଦେବ–‘‘ମୋ ବିଷୟ ଭାବ ନାହିଁ । ଅଯଥା ସମୟ ନଷ୍ଟ କରନାହିଁ । ମୁଁ ଏହିଠାରେ ପ୍ରଭୁଙ୍କ ପାଦତଳେ ରହିବି ।’’

 

ସଙ୍ଗେ ସଙ୍ଗେ ସାମନ୍ତ ଓ ବିମଳ ଭୀମଦେବଙ୍କ ଦେହକୁ ଉଠାଇ ନେଇ ଚୌଲା ସହିତ ପାର୍ଶ୍ୱଦ୍ୱାର ବାଟେ ଚାଲିଗଲେ ।

 

ଏତେବେଳେ ଗଙ୍ଗା କହିଲା, “ଗୁରୁଦେବ, ଆପଣ ସବୁରି ବ୍ୟବସ୍ଥା କଲେ; ଆଉ ମୋ ବ୍ୟବସ୍ଥା ?”

 

ସର୍ବଜ୍ଞ–‘‘ତୋ ବ୍ୟବସ୍ଥା ପୁଣି କ’ଣ ?”

 

ଗଙ୍ଗା ତାଙ୍କ ପାଦତଳେ ପଡ଼ି କହିଲା, “ଆପଣ ମୋର ଜୀବନ, ମୋର ଗୁରୁ ଏବଂ ମୋର ପ୍ରଭୁ । ଆପଣଙ୍କ ପାଦତଳେହିଁ ଏପର୍ଯ୍ୟନ୍ତ ମୁଁ ରହିଆସିଛି । ଏହିଠାରେ ମରିବାକୁ ମୁଁ ଚାହେଁ-।”

 

ହଠାତ୍‍ ସବୁ ଦିଗରୁ ଆକାଶ ବିଦୀର୍ଣ୍ଣ କଲାଭଳି “ଆଲ୍ଲା ହୋ ଆକବର” ଧ୍ୱନି ଶୁଣାଗଲା-

 

ଗଙ୍ଗା କହିଲା, “ସମୟ ନଷ୍ଟ କରିବାକୁ ଆଉ ସୁଯୋଗ ନାହିଁ । ମୋର ଗୋଟିଏ ଅନୁରୋଧ ଅଛି । ଆପଣ ଏପର୍ଯ୍ୟନ୍ତ ନିଜ ହାତରେ କାହାକୁ ମାରିନାହାନ୍ତି । କିନ୍ତୁ ମୁଁ ଯେବେ ନିଜ ହାତରେ ମରିନପାରେ, ତାହାହେଲେ ଆପଣଙ୍କୁ ମତେ ମାରିବାକୁ ପଡ଼ିବ ।”

 

ସର୍ବଜ୍ଞଙ୍କ ଆବେଗ ଉଛୁଳି ଉଠିଲା । ଗଙ୍ଗା ମୁହଁରେ ସେ ଦେଖିଲେ ସ୍ୱର୍ଗୀୟ ଭକ୍ତି ଏବଂ ଆନୁଗତ୍ୟ । ସେ ନଇଁପଡ଼ି ସ୍ନେହରେ ଗଙ୍ଗା ମୁଣ୍ତରେ ହାତ ଦେଇ କଲ୍ୟାଣ କରି କହିଲେ, “ଗଙ୍ଗା, ତୋ’ର କୈଳାସପ୍ରାପ୍ତି ହେଉ ।”

 

ବାହାରୁ ଭୀଷଣ ଶବ୍ଦ ଶୁଣାଗଲା । ଶତ୍ରୁ ମନ୍ଦିରର ଦ୍ୱାରରେ ଆସି ପହଞ୍ଚିଲାଣି । “ଆଲ୍ଲା ହୋ ଆକବର” ଧ୍ୱନି ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇଉଠିଲା । ଗଙ୍ଗା ତା’ ମୁଣ୍ତରୁ ସୁନାର କଙ୍କତିକା ଆଣି ତା’ର ତୀକ୍ଷଣ ଦାନ୍ତ ନିଜ ଗଳାରେ ଦାବି ଦେଲା । ତା’ ମୁହଁରୁ ଏକ ବିକଟ ଚିତ୍କାର ବାହାରିବା ପରେ ପ୍ରାଣପକ୍ଷୀ ଉଡ଼ିଗଲା ।

 

ପରବର୍ତ୍ତୀ କେତେ ସମୟ ପର୍ଯ୍ୟନ୍ତ ପ୍ରଭାସରେ ଧ୍ୱଂସର ତାଣ୍ତବଲୀଳା ଚାଲିଳା । କେହି ପ୍ରାୟ ଜୀବିତ ରହିଲେ ନାହିଁ । ପ୍ରତ୍ୟକ ଘର ଲୁଣ୍ଠିତ ହେଲା । ବହୁ ସଂଖ୍ୟକ ଘର ଜାଳି ପୋଡ଼ି ଦିଆଗଲା । କିନ୍ତୁ ହମୀର୍‍ର ଆଦେଶ ଅନୁଯାୟୀ ଭିତର ଦୁର୍ଗରେ କେହି ପ୍ରବେଶ କଲେ ନାହିଁ । ସଂଧ୍ୟାବେଳେ ହମୀର୍‍ ନିଜେ ଭିତରକୁ ଗଲା ଏବଂ ଅବଶିଷ୍ଟ ରାଜପୁତମାନେ ତା’ର ତରବାରିର ଶିକାର ହେଲେ । ଭିତରଦୁର୍ଗର ମଣ୍ତପ ଦ୍ୱାର ଭାଙ୍ଗିଦେବାକୁ ହମୀର୍‍ ଆଦେଶ ଦେଲା । କାମ ଅବଶ୍ୟ କଷ୍ଟକର । ଦ୍ୱାରରେ ଥିବା ଜଞ୍ଜିର ଛିଣ୍ତାଇ ଦିଆଗଲା ।

 

ଜଣେ ସାଧୁ ତା’ର ବାଟ ବନ୍ଦ କରି ଦଣ୍ତାୟମାନ ରହିଥିବା ଦେଖି ହମୀର୍‍ ଆଶ୍ଚର୍ଯ୍ୟ ହୋଇଗଲା । ଦୁଇ ହାତ ମେଲି ଶିବରାଶିଦ୍ୱାରା ଜଗିଥାନ୍ତି । ଶିବରାଶି ଉଚ୍ଚ ସ୍ୱରରେ କହିଲେ, “ହମୀର୍‍, ଅପେକ୍ଷା କର । ମୁଁ ତୁମକୁ ଏଠାକୁ ଆଣିଛି ।” ଜଣେ ନିରସ୍ତ୍ର ସାଧୁ ତା’ର ଜୀବନର ସର୍ବଶ୍ରେଷ୍ଠ ଆକାଙ୍‍କ୍ଷା ଏବଂ ତା’ ମଧ୍ୟରେ ପଥରୋଧ କରି ଠିଆ ହୋଇଛି । ହମୀର୍‍ ତାଚ୍ଛଲ୍ୟରେ ହସି ଉଠିଲା ।

 

“ତିଳକ, ଏ କ’ଣ କହୁଛି ?” ହମୀର୍‍ ପଚାରିଲା ।

 

ତିଳକ ଶିବରାଶିଙ୍କର ବକ୍ତବ୍ୟକୁ ଅନୁବାଦ କରି କହିଲା, “ଜାହାଁପନା ! ସେ କହୁଛି, ଆମ ଲୋକମାନଙ୍କୁ ସେ ସୁଡ଼ଙ୍ଗପଥ ଦେଖାଇ ଦେଇଥିବାରୁ ତା’ର ଦେବତା ଓ ତା’ ନିଜର କୌଣସି କ୍ଷତି ହେବ ନାହିଁ ବୋଲି ତାକୁ ଜବାବ୍‍ ଦିଆଯାଇଥିଲା । ଆପଣ ଯେତେ ପରିମାଣର ଅର୍ଥ ଚାହିଁବେ ସେ ତାହା ଦେବାକୁ ପ୍ରସ୍ତୁତ ଅଛି ।”

 

ହମୀର୍‍ ଅଟ୍ଟହାସ୍ୟ କରି କହିଲା, “କାଫେର୍‍, ମହମ୍ମଦ ମୂର୍ତ୍ତି ବିକେ ନାହିଁ-ସେ ମୂର୍ତ୍ତି ଭାଙ୍ଗେ ।” ତରବାରିରେ ଶିବରାଶିକୁ ଆଘାତ କରି ସେ ମନ୍ଦିରକୁ ପଶିଲା ।

 

ହମୀର୍‍ର ସୈନ୍ୟମାନେ ଏ ଘଟଣା ଦେଖି ହମୀର୍‍ ସହିତ ହସରେ ଯୋଗଦେଲେ ଓ ଭୂପତିତ ଶିବରାଶିର ଦେହକୁ ତାଚ୍ଛଲ୍ୟରେ ଥରେ ଚାହିଁଦେଇ ଆଗକୁ ଚାଲିଲେ ।

 

ହମୀର୍‍ ମନ୍ଦିର ଭିତରେ ପ୍ରବେଶ କରି ଯାହା ଦେଖିଲା ସେଥିରେ ତା’ର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । କୌଣସି ମଣିଷ ନ ଥିଲେ ସୁଦ୍ଧା ମଣ୍ତପରେ ସର୍ବତ୍ର ଦୀପ ଜଳୁଛି ଏବଂ ଖମ୍ୱମାନଙ୍କରେ ଥିବା ହୀରା ନୀଳା ଝଲସି ଉଠୁଛି । ହମୀର୍‍ ଅନେକ ମନ୍ଦିର ନଷ୍ଟ କରିଛି; କିନ୍ତୁ ଏପରି ଆଶ୍ଚର୍ଯ୍ୟଜନକ ଦୃଶ୍ୟ କେବେ ଦେଖିନାହିଁ ।

 

ଏହି ଚମତ୍କାର ଦୃଶ୍ୟରେ ସେ ମୁହୂର୍ତ୍ତକ ପାଇଁ ସ୍ତମ୍ଭୀଭୂତ ହୋଇଗଲା । ଅବଶେଷରେ ଗୁରୁଦେବ ଗଙ୍ଗସର୍ବଜ୍ଞଙ୍କ ଉପରେ ତା’ର ଆଖି ପଡ଼ିଲା । ଯେଉଁ ପ୍ରଭାସ ତୀର୍ଥ ହଜାର ହଜାର ବୀର ରାଜପୁତଙ୍କ ତ୍ୟାଗରେ ପବିତ୍ର ହୋଇଥିଲା, ଯେଉଁ ଅପୂର୍ବ ମନ୍ଦିର ଶତାବ୍ଦୀ-ଶତାବ୍ଦୀ-ବ୍ୟାପୀ କେତେ ଝଡ଼-ଝଞ୍ଜାର ସମ୍ମୁଖୀନ ହୋଇ ରହିଆସିଥିଲା, ସେହି ମନ୍ଦିରରେ ଗୁରୁଦେବ ଏକାକୀ ପ୍ରଭୁଙ୍କ ଆରାଧନା କରୁଥାନ୍ତି । ସଂସାର ଧ୍ୱଂସ ହୋଇଯାଇପାରେ କିନ୍ତୁ ତାଙ୍କ ପାଇଁ ତାଙ୍କର ପ୍ରଭୁହିଁ ସବୁ କିଛି ।

ଏହି ବୃଦ୍ଧଙ୍କର ଶକ୍ତିଶାଳୀ ବ୍ୟାକ୍ତିତ୍ୱରେ ହମୀର୍‍ ପ୍ରଭାବିତ ନ ହୋଇ ରହିପାରିଲା ନାହିଁ-। ହମୀର୍‍ ନୀରବରେ ଠିଆ ହୋଇ ଦେଖୁଥାଏ ।

ପୂଜା ଶେଷ ହେବାପରେ ଗୁରୁଦେବ ଦୀପଟି ତଳକୁ ରଖିଲେ; ତା’ପରେ ସେ ମଣ୍ତପ ରାସ୍ତାରେ ଦୃଢ଼ଭାବରେ ଠିଆହେଲେ ।

ହମୀର୍‍ କ୍ରୋଧରେ ଅଧର କାମୁଡ଼ି କହିଲା, “ବୁଢ଼ା, ଉଠ ।” ତା’ର ହାତର ନିର୍ଦ୍ଦେଶରୁ ଗୁରୁଦେବ ତା’ର କହିବା କଥା ବୁଝିପାରିଲେ ।

ଗୁରୁଦେବ ନିଜ ସ୍ଥାନରୁ ତିଳହେଁ ନ ଘୁଞ୍ଚି କହିଲେ, “ମ୍ଳେଚ୍ଛ, ମୋ ପ୍ରଭୁ ଭୋଳାନାଥ ଏବଂ ମୁଁ ସର୍ବଦା ଏକ ସ୍ଥାନରେ । ପ୍ରଳୟ କାଳରେ ମଧ୍ୟ ଏକ ହୋଇ ରହିଥିବୁ ।” ଗୁରୁଦେବ ତାଚ୍ଛଲ୍ୟରେ ହସିଲେ ।

ହମୀର୍‍ କୌଣସି ବିଷୟ ଆଲୋଚନା କରିବା ଅବସ୍ଥାରେ ନ ଥିଲା । ତରବାରିର ଏକ ପ୍ରହାରରେ ସେ ଗୁରୁଦେବଙ୍କ ମୁଣ୍ଡକୁ ଶରୀରରୁ ଛିନ୍ନ କରିଦେଲା

ହମୀର୍‍ କୁଦିପଡ଼ି ମଣ୍ତପ ମଧ୍ୟକୁ ଦୀର୍ଘ ନିଶ୍ୱାସ ଛାଡ଼ିଲା । ତା’ପରେ ପାଖରେ ଥିବା ସୈନ୍ୟଠାରୁ ଗୋଟିଏ ଗଦା ନେଇ ଓ ତାହାକୁ ବୁଲାଇ ଶିବଲିଙ୍ଗ ଉପରେ ସମସ୍ତ ଶକ୍ତି ସହ ପ୍ରହାର କଲା ।

ପରମ୍ପରା କ୍ରମେ ପୂଜା ପାଉଥିବା ଶିବଲିଙ୍ଗ ତିନିଖଣ୍ତ ହୋଇଗଲେ ।

+

+

+

 

ଆକାଶରେ ଆସ୍ତେ ଆସ୍ତେ ଚନ୍ଦ୍ର ଉଠିଲେଣି । ରାତି ଅଧରୁ ବେଶୀ ହେଲାଣି । ପ୍ରଭାସରେ ପଡ଼ିଥିବା ଶବମାନଙ୍କ ଉପରେ ଶାଗୁଣା ବେଢ଼ିଛନ୍ତି । ଆହତ ଲୋକଙ୍କର ଆର୍ତ୍ତନାଦ ଏକ ଭୟାବହ ଦୃଶ୍ୟ ସୃଷ୍ଚି କରୁଥାଏ । ପ୍ରଭାସ ଶବ ଗନ୍ଧରେ ଭରି ଯାଇଥାଏ ।

 

ମୃତ ଓ ଆହତ ବ୍ୟକ୍ତିଙ୍କ ସ୍ତୂପ ଭିତରୁ ଦୀର୍ଘ କେଶ ବିଶିଷ୍ଟ ଜଣେ ଲୋକ ଉଠିଲା । ତା’ର ଚାଲିବାର ଠିକଣା ନ ଥାଏ । ତାକୁ କିଛି ଦେଖାଯାଉନଥାଏ । ଶବ ଉପର ଦେଇ ସେ ପଡ଼ି ଉଠି ମନ୍ଦିରର ମଣ୍ତପରେ ପ୍ରବେଶ କଲା । ଅନ୍ଧକାରରେ ମୂର୍ତ୍ତି ଖୋଜିଲା । କିନ୍ତୁ ପାଇଲା ନାହିଁ । ବଡ଼ ବଡ଼ ଆଖି କରି ଚାରିଆଡ଼େ ଚାହିଁଲା । ଶେଷରେ ତା’ ହାତରେ ଶିବଲିଙ୍ଗର ଭଙ୍ଗା ଅଂଶ ଖଣ୍ତେ ପଡ଼ିଲା ।

 

ସେ ବାହାରକୁ ପଳାଇ ଆସିଲା । ହଠାତ୍‍ ତା’ର ପାଦରେ କ’ଣ ବାଜିଲା । ତାହାକୁ ଉଠାଇ କ’ଣ ଜାଣିବାପାଇଁ ଚନ୍ଦ୍ର କିରଣରେ ଦେଖିବାକୁ ଚେଷ୍ଟାକଲା । ଗୁରୁଙ୍କର ସେହି ଚକ୍ଷୁ, ମୁହଁ ଶୁଭ୍ର ଦାଢ଼ି ଚିହ୍ନିପାରିଲା । “ଓଃ” କହି ସେ ଚିତ୍କାର କରି ଉଠିଲା । ହାତରେ ଧରିଥିବା ମୁଣ୍ତକୁ ପକାଇ ଦେଇ ଦୁଇ ହାତରେ ନିଜ ଆଖିକୁ ବୁଜି ଧରିଲା ।

 

ତା’ପରେ ସେ ଦରବୁଜା ଆଖିରେ ଉପରକୁ ଅନାଇଲା । ସେ କଳ୍ପନାରେ ଦେଖିଲା, ମଣି ମାଣିକ୍ୟ ଖଚିତ ମଣ୍ତପରେ ବସି ଗୁରୁଦେବ ପୂଜା କରୁଛନ୍ତି । ତା’ପରେ ସେ ପ୍ରକୃତିସ୍ଥ ହୋଇ ଆଖି ଖୋଲି ଚାରିଆଡ଼କୁ ଚାହିଁଲା ଓ ବିକଳରେ କାନ୍ଦିଉଠିଲା । ସେ ଦୁଇ ହାତରେ ଗୋଟିଏ ଶିଳାସ୍ତମ୍ଭକୁ କୁଣ୍ତାଇ ଧରି ନିଜ ମୁଣ୍ତ ପିଟିବାରେ ଲାଗିଲା ।

 

ସେ ଭୂପତିତ ହେଲା ।

 

ତା’ର ଶବ ଉପରେ ମଧ୍ୟ ଶାଗୁଣା ବେଢ଼ିଗଲେ ।

Image

 

ଭ୍ରାନ୍ତ ଧାରଣା ଦୂର ହେଲା

 

ସାମନ୍ତ ଏବଂ ମନ୍ତ୍ରୀ ବିମଳ ଖାରା ଓ ନିରା ସାହାଯ୍ୟରେ ଚେତନାହୀନ ଭୀମଦେବ ଓ ଚୌଲାକୁ ସେମାନଙ୍କୁ ନେବାକୁ ଅପେକ୍ଷା କରି ରହିଥିବା ବୋଇତ ନିକଟକୁ ଆଣିଲେ । ଭୀମଦେବଙ୍କ ଦେହରେ ବହୁ ସ୍ଥାନରେ କ୍ଷତ ହେଇଥିଲା । କିନ୍ତୁ ଭଲଭାବରେ ଦେଖିବାରୁ କୌଣସି କ୍ଷତ ଜୀବନକୁ ବିପନ୍ନ କରିବା ଭଳି ଗୁରୁତର ମନେହେଲା ନାହିଁ । ଏହା ଦେଖି ସମସ୍ତେ ଆଶ୍ୱସ୍ତ ହେଲେ ।

 

ରାଓ କାମାଲଖାନୀ, ସାମନ୍ତ ଏବଂ ବିମଳ ତିନିଜଣଯାକ ସବୁ ଦିଗରୁ ଅବସ୍ଥା ଆଲୋଚନା କଲେ । ନିଷ୍ପତ୍ତି ହେଲା, ମହାରାଜ ଭୀମଦେବ ଜୀବିତ ଥାଇ ହମୀର୍‍ ସହିତ ଯୁଦ୍ଧ ଚାଲୁ ରଖିଛନ୍ତି ବୋଲି ଲୋକଙ୍କୁ ଜଣାଇ ଦିଆନଗଲେ ପାଟଣର ସାମରିକ ଶକ୍ତି ଉପରେ ବିଶେଷ ଆଞ୍ଚ ଆସିବ । ହୁଏତ ଏହାବି ନଷ୍ଟ ହୋଇଯାଇପାରେ । ମହାରାଜ କୁଶଳରେ ରହି ଯୁଦ୍ଧ ଚାଲୁ ରଖିଛନ୍ତି ବୋଲି ଲୋକଙ୍କ ମନରେ ନିଃସନ୍ଦେହ ଧାରଣା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଓ କାମା ଭୀମଦେବଙ୍କୁ ଗୁପ୍ତରେ ନେଇଯିବାପାଇଁ ସ୍ଥିର ହେଲା । ଏହା ମଧ୍ୟରେ ସାମନ୍ତ ଓ ବିମଳ ଖମ୍ବାତକୁ ଯାଇ ଚୌଲାକୁ ସେଠାରେ ଛାଡ଼ିବେ ଓ ଦାମୋଦର ମେହେତାଙ୍କ ନିକଟକୁ ଯାଇ ହମୀର୍‍ ସହ ଯୁଦ୍ଧ ଚାଲୁ ରଖିବାରେ ସାହାଯ୍ୟ କରିବେ ।

 

ଚୌଲା ପ୍ରଭାସ ଛାଡ଼ିବା ଦିନଠାରୁ ଅଦ୍ଭୁତ ବ୍ୟବହାର କରୁଥାଏ । ତା’ର ଚାରିପାଖରେ ଘଟିଯାଉଥିବା ଘଟଣାମାନ ସେ କିଛି ଜାଣିପାରୁ ନ ଥାଏ । ସେ ଯେଉଁଠି ବସିଛି ତ ବସିଛ । ଚାଲିଲାବେଳେ ଯନ୍ତ୍ରଚାଳିତ ଭଳି ଚାଲୁଛି । ସମୟେ ସମୟେ ଏକ ନିର୍ଜୀବ ପ୍ରାଣୀପରି ଭୀମଦେବଙ୍କ ପାଖରେ ଚୁପ୍‍ଚାପ୍‍ ବସିଛି ।

 

ସେ ନିର୍ଜୀବ ପରି ବ୍ୟବହାର କରୁଥିଲେ ମଧ୍ୟ କେବଳ ପ୍ରଭୁ ସୋମନାଥଙ୍କ କଥା ପଡ଼ିଲେ ସେ ଆଗ୍ରହ ପ୍ରକାଶ କରି ସେଆଡ଼କୁ ମନଦେଉଛି । ସାମନ୍ତ ଛଡ଼ା ଅନ୍ୟକେହି ତା’ପାଖରେ ରହିଲେ ତାକୁ ଭଲ ଲାଗୁନାହିଁ । ତାକୁ ଖମ୍ବାତ ଯିବାକୁ କୁହାଯିବାରୁ ସେ କୌଣସି ଆପତ୍ତି କଲା ନାହିଁ କିମ୍ବା ଭୀମଦେବଙ୍କୁ କଚ୍ଛର କାନ୍ତାକୋଟକୁ ନିଆଯିବ ବୋଲି କୁହାଯିବାରୁ କିଛି ମତ ପ୍ରକାଶ କଲା ନାହିଁ ।

 

ଅଶ୍ରୁବିହୀନା ଓ କେବଳ ହା-ହୁତାଶମୟୀ ଚୌଲାକୁ ଖମ୍ବାତ ରାଜପ୍ରାସାଦରେ ରଖାଗଲା । ଭୀମଦେବ ମହାରାଜାଙ୍କ ରାଣୀଙ୍କର ଯେଉଁ ରାଜକୀୟ ଆଡ଼ମ୍ବର ଓ ସମ୍ମାନ ପ୍ରାପ୍ୟ, ସେ ସବୁ ତାକୁ ଦିଆଗଲା । ତେବେ ସୁଦ୍ଧା ସେ କୌଣସିଥିରେ ଆଗ୍ରହ ପ୍ରକାଶ କଲା ନାହିଁ । ଯେତେବେଳେ ସେ ମନକୁମନ “ମୋ ପ୍ରଭୁ”, “ମୋର ଭୋଳାନାଥ” ବୋଲି ଗୁଣୁ ଗୁଣୁ ହୁଏ, ସେତିକିବେଳେ କେବଳ ତାହା ମୁଖରେ କିଛି ଭାବ ପ୍ରକାଶର ଚିହ୍ନ ଦେଖାଦିଏ ।

 

ଗଗନରାଶି ତାକୁ ଦେଖିବାକୁ ଆସିବାବେଳେ ମୁହୂର୍ତ୍ତକ ଲାଗି ତାହାର ଆଖି ଉଜ୍ଜ୍ୱଳ ହୋଇଗଲା । ଗଗନରାଶି ଗୁରୁଦେବଙ୍କର ଜୀବନାବସାନ କଥା ଚୌଲାକୁ କହିଲେ ଏବଂ ତାହା ଶୁଣି ସେ ଦୁଃଖରେ ଭାଙ୍ଗିପଡ଼ି କାନ୍ଦିଉଠିଲା ।

 

ଚୌଲା ସାଧାରଣତଃ କଥା କହେ ନାହିଁ କି କାନ୍ଦେ ନାହିଁ । କେବଳ ଦିଗ୍‍ବଳୟକୁ ଏକ ଲୟରେ ଚାହିଁରହି ବସିଥାଏ ।

 

ସାମନ୍ତ ଓ ବିମଳ ତାହାଠାରୁ ବିଦାୟ ନେବାକୁ ଆସିବାରୁ ସେ ନୀରବରେ ସେମାନଙ୍କୁ ବିଦାୟ ଦେଲା । ଗଗନରାଶି ପ୍ରତି ଦୁଇ ତିନି ଦିନରେ ଥରେ ଚୌଲା ନିକଟକୁ ଆସୁଥିଲେ ଓ ତାହା ସହିତ କଥାବାର୍ତ୍ତା କଲାବେଳେ ତାଙ୍କର ମନେହୁଏ ଯେପରି ବର୍ତ୍ତମାନ ସେ ଦିବାସ୍ୱପ୍ନରୁ ଉଠିଛି ।

 

ପାଶୁପାତ ସମ୍ପ୍ରଦାୟର କେନ୍ଦ୍ର ଖମ୍ବାତରେ ସ୍ଥାପନ କରିବେ ଏବଂ ସେଠାରେ ପ୍ରଭୁ ସୋମନାଥଙ୍କ ମନ୍ଦିର ନିର୍ମାଣ କରିବେ ବୋଲି ଦିନେ ଗଗନରାଶି ଚୌଲାକୁ କହିଲେ । ଏହା ଶୁଣି ଚୌଲାର ମୁହଁ କ୍ରୋଧରେ ଲାଲ ହୋଇ ଉଠିଲା ଏବଂ ସେ ପ୍ରତିବାଦ କରି କହିଲା, “ଗଗନରାଶି ! ମୋର ଭୋଳାନାଥ ପ୍ରଭାସରେ ଅଛନ୍ତି । ଭୋଳାନାଥ ତ ଦୁଇ ନୁହଁନ୍ତି !” ଏହି ପ୍ରସ୍ତାବ ପ୍ରତି ଚୌଲାର ପ୍ରତିକ୍ରିୟା ଦେଖି ଗଗନରାଶି ବିସ୍ମିତ ହୋଇଗଲେ ଓ ସେହିଦିନଠାରୁ ସେ ବିଷୟ ଆଉ କେବେ ଉତ୍‍ଥାପନ କଲେ ନାହିଁ ।

 

ଆଉଥରେ ଗଗନରାଶି ନର୍ତ୍ତକୀ ବାଳିକାମାନଙ୍କ ବିଷୟରେ କଥାବାର୍ତ୍ତା କରିବାରେ ଚୌଲା ପଚାରିଲା, “ରାଶିଜୀ, ମୁଁ ଯେଭଳି ଲୁଗାପଟା ଓ ଗହଣା ପିନ୍ଧୁଥିଲି ତାହା ଏଠାରେ ମିଳିବ-?”

 

ଗଗନରାଶି ଉତ୍ତର ଦେଲେ, “ନିଶ୍ଚୟ ମିଳିବ ।” ତା’ ପରଦିନ ଚୌଲା ନିକଟରେ ସୁନ୍ଦର ସୁନ୍ଦର ବସ୍ତ୍ର ଓ ମୁକ୍ତା ପଥରବସା ଅଳଙ୍କାର ଆସି ପହଞ୍ଚିବାରୁ ସେ ଖୁବ୍‍ ଖୁସି ହେଲା । ପ୍ରଥମ ଥର ପାଇଁ ରାଣୀ ଖୁସି ହେବା ଦେଖି ପ୍ରାସାଦର ଭୃତ୍ୟମାନେ ଆନନ୍ଦ ଅନୁଭବ କଲେ । କିନ୍ତୁ ଚୌଲାର ଏହି ଆନନ୍ଦ କ୍ଷଣକ ଲାଗି । ପରବର୍ତ୍ତୀ କିଛିଦିନ ପର୍ଯ୍ୟନ୍ତ ଚୌଲା କାହାରି ସହିତ କିଛି କଥାବାର୍ତ୍ତା ନ କରି ଏକଲୟରେ ଏକ ନିର୍ଜୀବ ମୂର୍ତ୍ତି ପରି ସମୁଦ୍ରକୁ ଚାହିଁ ରହିଥାଏ । ସନ୍ଧ୍ୟାହେଲେ ବସ୍ତ୍ର ଓ ଅଳଙ୍କାର ବାହାର କରେ ଏବଂ ପଲଙ୍କ ଉପରେ ବିଛାଇ ଦେଖେ । ଯେପରି ସେ କାହାକୁ ଅପେକ୍ଷା କରୁଛି-ସେହିପରି ରାତିଅଧ ପର୍ଯ୍ୟନ୍ତ ବସି ରହେ । ତାହାପରେ ଠିଆ ହୋଇଯାଇ ଏକ ଦୀର୍ଘ ନିଶ୍ୱାସ ନେଇ ସେଗୁଡ଼ିକୁ ସଜାଡ଼ି ବନ୍ଦ କରି ରଖେ । ଠିକ୍‍ ନିୟମ ଅନୁସାରେ ଏପରି କିଛିଦିନ ଚାଲିଲା ।

 

ପ୍ରାସାଦର ଭୃତ୍ୟମାନଙ୍କ ମଧ୍ୟରେ ଏହା ଅଦ୍ଭୁତ ଆଗ୍ରହ ସୃଷ୍ଟି କରି ଆଲୋଚନାର ବିଷୟ ହୋଇପଡ଼ିଲା । କାଳେ ଚୌଲା ମନରେ କୌଣସି ପରିବର୍ତ୍ତନ ଆସିପାରେ, ସେହି ଆଶାରେ ଗଗନରାଶି ଏବଂ ଭୃତ୍ୟମାନେ ପ୍ରତିଦିନ ନୂତନ ପ୍ରସଙ୍ଗରେ କଥାବାର୍ତ୍ତା କରିବାକୁ ଚେଷ୍ଟା କରୁଥାନ୍ତି-। ହମୀର୍‍ର ସୈନ୍ୟବାହିନୀର ଆଗ୍ରହ ଓ ଉତ୍ସାହ ନଷ୍ଟ ହୋଇଗଲାଣି-ତା’ର ସୈନ୍ୟମାନେ ନିଜ ଘରକୁ ଫେରିଯିବାପାଇଁ ବ୍ୟାକୁଳ ହେଲେଣି-ହମୀର୍‍ ପାଟଣକୁ ପୁନର୍ବାର ଦଖଲ କରି ସେଠାରେ ସ୍ଥାୟୀଭାବେ ନିଜ ଆସ୍ଥାନ ଜମାଇବାକୁ ଠିକ୍‍ କରିଛି; କିନ୍ତୁ ସୈନ୍ୟବାହିନୀ କାଳେ ବିଦ୍ରୋହ କରିଦେବେ ଏହି ଦ୍ୱନ୍ଦ୍ୱରେ ପଡ଼ି କ’ଣ କରିବ ତାହା ସେ ସ୍ଥିର କରିପାରୁନାହିଁ-ସେ ଫେରିଯିବାକୁ ବସିଲାଣି-ଇତ୍ୟାଦି କେତେ ପ୍ରସଙ୍ଗ ଉତ୍‍ଥାପନ କରି ଚୌଲାକୁ କଥୋପକଥନ ପାଇଁ ଆକୃଷ୍ଟ କରିବାକୁ ଚେଷ୍ଟା କରାଗଲା ।

 

ଯେତେ ପ୍ରକାର ଜନରବ ଶୁଣାଯାଉଥାଏ ତାହା ମଧ୍ୟ ସେମାନେ ଚୌଲାକୁ ଜଣାନ୍ତି । ସାମନ୍ତକୁ ପ୍ରଭୁ ସୋମନାଥ ଅଦ୍ଭୁତ ଶକ୍ତି ଦେଇଛନ୍ତି ବୋଲି ବିଶ୍ୱାସ କରାଯାଉଛି-ସେ ଦେଶର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ବୁଲୁଛି । ଘୋଘାବାପାଙ୍କର ବୀରତ୍ୱ କାହାଣୀ ଦେଶର ଚାରିଆଡ଼େ ପ୍ରଚାରିତ ହୋଇଛି; ତେଣୁ ସେ ଯେଉଁଠାକୁ ଯାଉଛି ସେଠାରେ ଲୋକଙ୍କ ମଧ୍ୟରେ ଅଦ୍ଭୁତ ଉତ୍ସାହ ସୃଷ୍ଟି ହେଉଛି-ପ୍ରଭୁ ସୋମନାଥଙ୍କ କୃପାରୁ ସାମନ୍ତକୁ ଦିନ ବା ରାତି, ଭୋକ ବା କ୍ଲାନ୍ତି ଜଣାପଡ଼ୁନାହିଁ-ତାଙ୍କର ଏକମାତ୍ର ଲକ୍ଷ୍ୟ ହମୀର୍‍କୁ ଧ୍ୱଂସ କରିବା-ଏହିପରି ଲୋକମୁଖରେ ପ୍ରଚାରିତ କଥାମାନ ଚୌଲା କାନରେ ପକାଗଲା ।

 

ତାହାପରେ କେତେଗୁଡ଼ିଏ ଘଟଣା ଘଟିଲା, ଯାହାଫଳରେ କି ପ୍ରତି ଗୁଜରାତୀ ପ୍ରାଣରେ ନୂତନ ଭାବରେ ଆଗ୍ରହ, ଉତ୍ସାହ ଓ ଆଶା ଦେଖାଦେଲା । ଉଜ୍ଜୟିନୀ ଓ ମାରୱାଡ୍‍ର ସୈନ୍ୟବାହିନୀ ସାହାଯ୍ୟ ଦେବାକୁ ଆସି ପହଞ୍ଚିଲେ । ସାମନ୍ତ ନିଜେ ଚୌହାନମାନଙ୍କୁ ଅନୁପ୍ରାଣିତ କରି ସାଙ୍ଗରେ ଆଣିଥିଲେ । ଅନ୍ୟ ରାଜପୁତ ଶାସକମାନେ ମଧ୍ୟ ଗୁଜରାତକୁ ପୂର୍ଣ୍ଣପ୍ରାଣରେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଲେ । ଏହା ଫଳରେ ପାଟଣଠାରୁ ନଳକଣ୍ଟା ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଗୁଜୁରାତ ବା ତାହାର ମିତ୍ର ସୈନ୍ୟବାହିନୀ ପୁନର୍ବାର ଦଖଲ କରିନେଲେ ।

 

ଏସବୁ କଥା ଶୁଣି ମଧ୍ୟ ଚୌଲାର କୌଣସି ଆଗ୍ରହ ପ୍ରକାଶ ପାଇଲା ନାହିଁ । ଯେ ତା’ ପାଖକୁ ଯାଉଥିଲା ଚୌଲା ତାକୁ ଆବାକାବା ହୋଇ ଚାହିଁ, ଆଗନ୍ତୁକର କଥା ଶୁଣୁଥିଲା । କଥା ସରିବା ପରେ ପରେ ସେ ଏକ ଦୀର୍ଘ ନିଶ୍ୱାସ ମାରି ଏକଲୟରେ ସମୁଦ୍ର ଆଡ଼କୁ ପୁଣି ଚାହିଁ ରହୁଥିଲା ।

 

ଏହିପରିଭାବେ ଦୁଇମାସ ବିତିଗଲା । ଦିନେ ଚୌଲା ଖାଇସାରିବା ପରେ ବାନ୍ତି କଲା । ପରବର୍ତ୍ତୀ ପନ୍ଦର ଦିନ ପର୍ଯ୍ୟନ୍ତ ଏହିପରି ବାନ୍ତି ହେଲା । ଅନ୍ତଃସତ୍ତ୍ୱା ହୋଇଥିବା ଅନୁଭବ କରିବାର ପରମୁହୂର୍ତ୍ତରେ ସେ ଚିତ୍କାର କରି ଅଜ୍ଞାନ ହୋଇ ପଡ଼ିଗଲା ।

 

ଜ୍ଞାନ ଆସିବା ପରେ ଚୌଲାର ଆଖିରୁ ଅନବରତ ଲୁହ ଝରିଲା । ସେ ଏବେ ବୁଝିଲା ଯେ ସେ ପାର୍ବତୀ ନୁହେଁ, କି ଭୀମଦେବ ପ୍ରଭୁ ସୋମନାଥ ନୁହଁନ୍ତି । ସେ ତା’ର ପ୍ରକୃତ ପ୍ରଭୁଙ୍କୁ ବିବାହ କରିନାହିଁ । ସାମୟିକ ଚାଞ୍ଚଲ୍ୟର ବଶବର୍ତ୍ତୀ ହୋଇ ସେ ନିଜ ପ୍ରଭୁଙ୍କ ପ୍ରତି ବିଶ୍ୱାସଘାତକତା କରିଛି ଓ ଜଣେ ସାମାନ୍ୟ ମନୁଷ୍ୟକୁ ବିବାହ କରି ଏବେ ସନ୍ତାନର ମାଆ ହେବାକୁ ଯାଉଛି ।

 

ନିଜର ଏହି ଭୁଲ କାର୍ଯ୍ୟ ଯୋଗୁ ଅନୁତପ୍ତା ହୋଇ ଚୌଲାର ଆଖିରୁ ଅନବରତ ଲୁହ ବହିବାକୁ ଲାଗିଲା । ଯେଉଁ ରାତିରେ ସେ ତା’ର ଜୀବନର ସର୍ବଶ୍ରେଷ୍ଠ ସୁଖ ପାଇଛି ବୋଲି ଅନୁଭବ କରିଥିଲା, ସେହି ରାତିର କଥା ତା’ର ମନକୁ ବାରମ୍ବାର ଆସିଲା । ସେ ଭ୍ରଷ୍ଟା, ସେ ନିଜକୁ ପ୍ରଭୁଙ୍କୁ ଉତ୍ସର୍ଗ କରିଥିଲେ ସୁଦ୍ଧା, ଛାର ଏକ ମନୁଷ୍ୟକୁ ପୁନର୍ବାର ଦେହ ଉତ୍ସର୍ଗ କରି ସବୁଠାରୁ ହୀନ ପ୍ରାଣୀରେ ପରିଣତ ହୋଇଛି ଓ ସେହି ଅସତ୍‍ କାର୍ଯ୍ୟର କଳଙ୍କ ସେ ନିଜ ଶରୀରରେ ଧରି ରଖିଛି । ଏହି ଚିନ୍ତାରେ ଚୌଲା ଅତ୍ୟନ୍ତ ବ୍ୟଥିତ ହେଲା ।

 

ସେ ଯେପରି ସବୁବେଳେ ସମୁଦ୍ର ଦେଖିପାରିବ ସେହି ଉଦ୍ଦେଶ୍ୟରେ ସମୁଦ୍ର ଦିଶୁଥିବା ଖିଡ଼ିକି ପାଖରେ ନିଜର ବିଛଣା ଆଣି ପକାଇଥାଏ । ପ୍ରତିଦିନ ସନ୍ଧ୍ୟାବେଳେ ଦାସୀମାନଙ୍କଠାରୁ ନର୍ତ୍ତକୀର ବେଶଭୂଷା ଆଣି ଦେଖେ ଓ ରାତି ଅଧ ପରେ ସେ ସବୁକୁ ପୁନର୍ବାର ସଜାଇ ରଖିଦିଏ ।

 

+

+

+

 

ପ୍ରଭାସର ଯୁଦ୍ଧକ୍ଷେତ୍ରର ଅବସ୍ଥା କ୍ରମେ ବଦଳିଲା । ପ୍ରତିଦିନ ଉତ୍ସାହଜନକ ସମ୍ବାଦମାନ ଶୁଣାଗଲା । କିନ୍ତୁ ଏସବୁ କୌଣସି ଘଟଣାରେ ଚୌଲା ଆଗ୍ରହ ପ୍ରକାଶ କଲା ନାହିଁ ।

 

ହିନ୍ଦୁ ଶାସକମାନଙ୍କର ସୈନ୍ୟବାହିନୀ ଅଗ୍ରଗତି କରିବାକୁ ଲାଗିଲେ; ଫଳରେ ହମୀର୍‍ କଚ୍ଛ ବାଟ ଦେଇ ଗଜନୀକୁ ଫେରିଯିବାକୁ ମନସ୍ଥ କଲା । ପ୍ରଭାସ କ୍ଷେତ୍ର ଧ୍ୱଂସକରି ଓ ପ୍ରଭୁ ସୋମନାଥଙ୍କ ମୂର୍ତ୍ତି ସେ ଭାଙ୍ଗି ଜୀବନର ଲକ୍ଷ୍ୟ ହାସଲ କରିଥିଲେ ସୁଦ୍ଧା, ପ୍ରକୃତରେ ତା’ର କ’ଣ ଲାଭ ହୋଇଛି ? ଉଚ୍ଚ ଆଶା ପୋଷଣ କରି ସେ ଅଭିଯାନ ଚଳାଇଥିଲା; କିନ୍ତୁ ତାହା ନିଷ୍ଫଳ ମନେହେଉଛି । ଭୀମଦେବ ଓ ରାଓ କାମାଲଖାନୀଙ୍କ ନେତୃତ୍ୱରେ ହିନ୍ଦୁ ସୈନ୍ୟମାନେ ତା’ ପଛରେ ଲାଗିଛନ୍ତି ଓ ସେ ପଳାଇଯାଉଛି ।

 

ଦୀପାବଳୀ ଆସିବା ସଙ୍ଗେ ସଙ୍ଗେ ସେ ସମୟର ସର୍ବଶ୍ରେଷ୍ଠ ସମ୍ବାଦ ଆସି ପହଞ୍ଚିଲା-ମହାରାଜ ହମୀର୍‍କୁ କଚ୍ଛ ବାଟେ ବିତାଡ଼ିତ କରି ବିଜୟୀ ହୋଇ ପାଟଣ ଫେରୁଛନ୍ତି ।

 

ସବୁ ଅଞ୍ଚଳର ଲୋକେ ଆନନ୍ଦ ପ୍ରକାଶ କରିବାପାଇଁ ଖମ୍ବାତରେ ଆସି ଠୁଳ ହେଲେ । ପ୍ରତି ଘରେ ଦୀପ ଜଳିବା ସଙ୍ଗେ ସଙ୍ଗେ ପ୍ରାସାଦରେ ବିଜୟସୂଚକ ନାଗରା ବାଜିଲା । ସମଗ୍ର ସହରରେ “ଭୀମଦେବ ମହାରାଜାଙ୍କ ଜୟ” ଧ୍ୱନି ଶୁଣାଗଲା । ଗ୍ରାମ୍ୟଲୋକେ ତାଙ୍କର ନୂଆ ଚୌଲା ରାଣୀକୁ ଦେଖିବାକୁ ଧାଇଁଲେ । କିନ୍ତୁ ଏ ସବୁ ସତ୍ତ୍ୱେ ଚୌଲା ମନରେ କୌଣସି ଆଗ୍ରହ ପ୍ରକାଶ ପାଇଲା ନାହିଁ ।

 

ତା’ର ଗର୍ଭସ୍ଥ ସନ୍ତାନ ଦିନକୁ ଦିନ ବଢ଼ିଲା ଓ ଗର୍ଭ ଉଚ୍ଚ ଦିଶିଲା । ଦିନ ଯେତିକି ଗଡ଼ୁଥାଏ ଚୌଲାର ଦୁଃଖ ସେହି ପରିମାଣରେ ବଢ଼ୁଥାଏ; କାରଣ ତା’ର ଆରାଧ୍ୟ ଦେବତାଙ୍କଠାରୁ ସେ କ୍ରମେ ଅଧିକରୁ ଅଧିକ ଦୂରେଇ ଯାଉଥିବା କଥା ଏହା ସ୍ମରଣ କରାଇ ଦେଉଥାଏ । ଅନବରତ କାନ୍ଦିବା ଫଳରେ ତା’ ଆଖି ଲାଲ ପଡ଼ିଯାଉଥାଏ ଓ ଗଗନରାଶିଙ୍କ ଔଷଧ କୌଣସି କାମ ଦିଏ ନାହିଁ ।

 

ବିଜୟୀ ଯୋଦ୍ଧାଙ୍କର ନୂତନ ରାଣୀଭାବେ ଚୌଲାପ୍ରତି ଲୋକଙ୍କର ସମ୍ମାନ ଦିନକୁ ଦିନ ବଢ଼ିବାକୁ ଲାଗିଲା । ରାଜପ୍ରାସାଦ ନୂତନ ଭାବରେ ସଜ୍ଜିତ ହେଲା ଏବଂ ଏହି କାର୍ଯ୍ୟରେ କର୍ମଚାରୀମାନେ ଅନବରତ କାର୍ଯ୍ୟରତ ରହିଲେ । ନାଚ ଗୀତ ସାହାଯ୍ୟରେ ଚୌଲାର ମନକୁ ଖୁସି କରିବାକୁ ଚେଷ୍ଟା କରାଯାଉଥିଲେ ସୁଦ୍ଧା ତାହାର ମନ ଉପରେ ଏ ସବୁର କୌଣସି ପ୍ରଭାବ ପଡ଼ୁନଥିଲା । ତାହାର କୌଣସିଥିରେ ଆଗ୍ରହ ନ ଥାଏ ବା କୌଣସି ଆମୋଦ ତାହାର ଲୁହ ଶୁଖାଇ ପାରୁନଥାଏ ।

 

ଭୀମଦେବ ପାଟଣରେ ପହଞ୍ଚିବା ପରେ ସମଗ୍ର ଦେଶର ଶାସକ ଗୋଷ୍ଠୀ ତାଙ୍କୁ ଅଭିନନ୍ଦିତ କଲେ । ବହୁ ଶାସକ ସ୍ୱେଚ୍ଛାରେ ତାଙ୍କର ଆନୁଗତ୍ୟ ଗ୍ରହଣ କଲେ ଓ ସମଗ୍ର ଦେଶର ଯୋଦ୍ଧାବୃନ୍ଦ ତାଙ୍କର ପ୍ରଶଂସା ଗାନ କଲେ । ପାଟଣ ଦୁର୍ଗର ପୁନର୍ଗଠନ କାର୍ଯ୍ୟ ଆରମ୍ଭ ହେଲା । ସୋମନାଥଙ୍କ ମନ୍ଦିର ପୁନର୍ବାର ନିର୍ମାଣ କରାଇ ତହିଁରେ ପ୍ରଭୁଙ୍କର ଲିଙ୍ଗ ସ୍ଥାପନ କରିବାପାଇଁ ମହାରାଜ ଆଦେଶ ଦେଲେ । ଗଗନରାଶିଙ୍କୁ ନୂତନ ଗୁରୁ ପଦରେ ଅଭିଷିକ୍ତ କରାଯାଇ ମନ୍ଦିର କାର୍ଯ୍ୟ ସମ୍ପନ୍ନ କରିବା ଦାୟିତ୍ୱ ତାଙ୍କୁ ଦିଆଗଲା । ନୂତନ ଗୁରୁଦେବ ତତ୍ପରେ ପ୍ରଭାସ ଯାତ୍ରା କଲେ-

 

ଏହି ଶେଷ ସମ୍ବାଦ ପାଇ ଚୌଲାର ମନରେ ଆନନ୍ଦ ସଞ୍ଚାରିତ ହେଲା । ସେ ତା’ ବିଛଣାରେ ଉଠି ବସିଲା ଓ ତା’ର ଆଖିରେ ପୂର୍ବର ଜ୍ୟୋତି ପୁନର୍ବାର ଦେଖାଦେଲା ।

 

ଗଗନରାଶି ପ୍ରଭାସ ଯିବାପୂର୍ବରୁ ଚୌଲା ତାଙ୍କୁ ପଚାରିଲା, “ନୂତନ ମନ୍ଦିର ତିଆରି କରି ପ୍ରଭୁଙ୍କ ଲିଙ୍ଗ ସ୍ଥାପନ କରିବାକୁ କେତେ ସମୟ ଲାଗିବ ?”

 

ଗଗନରାଶି-‘‘ପ୍ରାୟ ଏକବର୍ଷ ।’’

 

ଚୌଲା-‘‘ତାହାହେଲେ ମୁଁ ଏତକ ଦିନ ବଞ୍ଚି ରହିବି । ପ୍ରଭୁ, ସେ ପର୍ଯ୍ୟନ୍ତ ମୋତେ ବଞ୍ଚିବାକୁ ଦିଅ ! ମୋ ଜୀବନ ତୁମ ପାଖରେ ଅର୍ପଣ କଲି ।” ଏହି ସାମାନ୍ୟ କଥାବାର୍ତ୍ତା ତାହା ପକ୍ଷରେ ଯଥେଷ୍ଟ ଥିଲା । ସେ ପୁଣି ଅଚେତ ହୋଇ ପଡ଼ିଗଲା ।

Image

 

ନିଃସଙ୍ଗ ହୃଦୟ

 

ପରଦିନଠାରୁ ଚୌଲା ଚେଷ୍ଟାକରି ଉଠାବସା କଲା । ତାହାର ଚକ୍ଷୁ ଦୁଇଟିର ପୂର୍ବ ଜ୍ୟୋତି କେତେକ ପରିମାଣରେ ଫେରିଆସିଲା । ସେ ବର୍ତ୍ତମାନ ମରିବାକୁ ଚାହେଁ ନାହିଁ; କିଛିଦିନ ଲାଗି ସେ ଅନ୍ତତଃ ବଞ୍ଚିବ ।

ସମୁଦ୍ର ଦେଖିବାପାଇଁ ସେ ପୂର୍ବେ ଯେଉଁ ଖିଡ଼ିକି ନିକଟରେ ବସୁଥିଲା ପୁଣିଥରେ ସେହିଠାରେ ବସିଲା । ତା’ର ଦାସୀକୁ ବସ୍ତ୍ର ଭୂଷଣ ଆଣିବାକୁ ଆଉ ନ କହି ସେ ନିଜେ ଆଣିବାକୁ ଲାଗିଲା ।

ଗର୍ଭର ସମୟ ପୂରିଆସିଲାଣି । ମହାରାଜ ଭୀମଦେବ ରାଣୀ ଚୌଲାଙ୍କୁ ଦେଖିବା ନିମନ୍ତେ ଶୀଘ୍ର ଆସିବେବୋଲି ଜନରବ ଶୁଣାଗଲା । ଦେଶସାରା ତାଙ୍କର ଯଶଗାନ ହେଉଛି ଏବଂ ସମଗ୍ର ଗୁଜୁରାତ ତାଙ୍କ ପ୍ରଶଂସାରେ ପାଗଳ ହୋଇଯାଇଛି । ସମସ୍ତେ ତାଙ୍କର ସ୍ତୁତିଗାନ କରୁଛନ୍ତି । ସେ ହମୀର୍‍କୁ ତଡ଼ିଦେଇ ଗୁଜୁରାତକୁ ମହାନ୍ କରି ତୋଳିଛନ୍ତି । ପାଟଣା ଓ ପ୍ରଭାସ ଉଭୟ ସହର ନିର୍ମିତ ହେଉଛି । ତାଙ୍କର ବୀରତ୍ୱ କେବଳ ଯୁଦ୍ଧ-ଦେବତା କାର୍ତ୍ତିକେୟଙ୍କ ବୀରତ୍ୱ ସହିତ ତୁଳନା କରାଯାଇପାରେ । ସୂର୍ଯ୍ୟଙ୍କ କିରଣ ପରି ତାଙ୍କର ସୁଖ୍ୟାତି ଚାରିଆଡ଼େ ପ୍ରସାର ଲାଭ କରିଛି । ଋଷି ଓ ଦେବତାମାନେ ମଧ୍ୟ ତାଙ୍କର ପ୍ରଶଂସା ଗାନ କରୁଛନ୍ତି ।

ଭୀମଦେବ ଚୌଲାକୁ ଦେଖିବା ନିମନ୍ତେ ତାଙ୍କ ବଡ଼ରାଣୀ ଉଦୟମତୀଙ୍କ ସହିତ ଖମ୍ବାତକୁ ଆସିବେ । ସେଥିପାଇଁ ପ୍ରତ୍ୟେକ ଘର ସୁସଜ୍ଜିତ ହୋଇଛି ଏବଂ ପ୍ରତ୍ୟକ ଗଳିକନ୍ଦିରେ ବିଜୟ ଦୁନ୍ଦୁଭି ବାଜିଉଠୁଛି । ରାଜପ୍ରାସାଦ ଜୀବନ୍ତ ହୋଇ ଉଠିଛି । ଗୁଜରାତର ଚଳନ୍ତି ପ୍ରଭୁ ତଥା ଯବନର ଧ୍ୱଂସକାରୀ ମହାନ୍‍ ଯୋଦ୍ଧା ଭୀମଦେବଙ୍କୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ପ୍ରତି ସ୍ଥାନରେ ବିଜୟୀ ଯୋଦ୍ଧାମାନେ ଏକତ୍ର ହୋଇଛନ୍ତି ।

ଭୀମଦେବ ଖମ୍ବାତରେ ପହଞ୍ଚିବାର ପୂର୍ବ ରାତିରେ ଚୌଲା ବିଶେଷ ଅସ୍ୱସ୍ତି ବୋଧ କଲା । ସ୍ୱପ୍ନରେ ସେ ଦେଖିଲା ପ୍ରଭାସ ତୀର୍ଥ ଓ ପୂଜାରତ ସମ୍ମାନାସ୍ପଦ ବୃଦ୍ଧ ଗୁରୁଦେବଙ୍କୁ, ତାହାର ମାଆ ଗଙ୍ଗା ମନ୍ଦିର ନର୍ତ୍ତକୀମାନଙ୍କୁ ଆଦେଶ ଦେଉଛି ଏବଂ ସେ ନିଜେ ସେହି ଶୁକ୍ଳ ଏକାଦଶୀ ଦିନ ଯେଉଁ ଅବିସ୍ମରଣୀୟ ନୃତ୍ୟ କରିଥିଲା, ସେହିପରି ନୃତ୍ୟ କରୁଛି ।

ସେହି ସ୍ୱପ୍ନରେ ଚୌଲା ପ୍ରଭୁଙ୍କ ସହିତ ନିଜର ସମ୍ପର୍କ ପୁନର୍ବାର ପ୍ରତିଷ୍ଠା କଲା । ସେ ତାଙ୍କର ଦାସୀଭାବରେ ମନ୍ଦିରର ପାହାଚ ଉପରେ ବସି ପ୍ରଭୁଙ୍କର ଭଜନ ଗାନ କରି ବେଲପତ୍ରରେ ତାଙ୍କୁ ପୂଜାକଲା ଓ ଶେଷରେ ତାଙ୍କର କୃପାଲାଭ କରି ତାଙ୍କ ଗଳାରେ ନିଜର ବାହୁଛନ୍ଦି ରାତି କଟାଇଲା ।

ଚୌଲାର ନିଦ୍ରା ହଠାତ୍‍ ଭାଙ୍ଗିଗଲା; କିନ୍ତୁ ସ୍ୱପ୍ନର ଯଥେଷ୍ଟ ପ୍ରଭାବ ତା’ ଉପରେ ପଡ଼ିଲା-। ତା’ର ଶିରା-ପ୍ରଶିରାରେ ରକ୍ତ କ୍ଷିପ୍ର ଗତିରେ ପ୍ରବାହିତ ହେବାକୁ ଲାଗିଲା । ତା’ର ମନରେ ପୁନରାୟ ପୂର୍ବବତ୍‍ ଆଗ୍ରହ ଓ ଉତ୍ସାହ ଖେଳିଗଲା । ପ୍ରଭୁଙ୍କୁ ଦେଖିବାକୁ ତା’ର ଯେଉଁ ଅଦମ୍ୟ ଆକାଙ୍‌କ୍ଷା ତାହା ତା’ର ନିଦ ଭାଙ୍ଗିଦେଲା । ପ୍ରଭୁଙ୍କୁ ଦେଖିବାକୁ ଉଦ୍‌ବିଗ୍ନା ହୋଇ ଉଷାର ସ୍ୱାଗତସୂଚକ ମଧୁର ସଙ୍ଗୀତ ସେ ଏକଲୟରେ ଶୁଣିବାକୁ ଲାଗିଲା । ତା’ର ନୟନରେ ପୂର୍ବର ଜ୍ୟୋତି ଦେଖାଦେଲା । ସେ ଦାସୀମାନଙ୍କୁ ଡାକି ସେମାନଙ୍କ ସାହାଯ୍ୟରେ ନିଜକୁ ସଜାଇଲା ।

ପ୍ରାୟ ଦ୍ୱିପ୍ରହର ସମୟରେ ପାଞ୍ଚଶତ ଯୋଦ୍ଧାଙ୍କ ସହିତ ଭୀମଦେବ ଖମ୍ବାତରେ ପହଞ୍ଚିଲେ । ସହରର ପ୍ରତ୍ୟେକ ନାଗରିକ ଉତ୍ତମ ପୋଷାକ ପରିଧାନ କରି ବିଜେତାଙ୍କୁ କୁଙ୍କୁମ ଦେଇ ସ୍ୱାଗତ କରିବା ନିମନ୍ତେ ଏକତ୍ର ହେଲେ । ଦାସୀମାନେ ଅନେକ ଚେଷ୍ଟାକରି ଚୌଲା ରାଣୀଙ୍କୁ ମୂଲ୍ୟବାନ୍‍ ବେଶଭୂଷା ପିନ୍ଧାଇ, ପ୍ରାସାଦ ଛାତରେ ହୀରା-ନୀଳାଖଚିତ ଆସନରେ ଆଣି ବସାଇଲେ । ଚୌଲା ଏବେ ମଧ୍ୟ ରୁଗ୍‍ଣ ଓ ଦୁର୍ବଳ ଦେଖାଯାଉଥାଏ । ସେ ତା’ର ଦୃଷ୍ଟିକୁ ରାଜପଥ ଉପରେ ରଖିଥାଏ ସତ, କିନ୍ତୁ ତା’ର ମାନସ ଦୃଷ୍ଟି ତ୍ରିପୁରାସୁର ବିଜୟ ଲାଗି ଯୁଦ୍ଧ କରୁଥିବା ଶଙ୍କରଙ୍କୁ ଖୋଜୁଥାଏ । ତା’ର ଶୁଷ୍କ କପୋଳରେ ରକ୍ତିମା ଦେଖାଦେଲା ଓ ଶ୍ୱାସ ପ୍ରଖର ହେଲା ।

ଦୁର୍ଗର ପ୍ରଧାନ ଦ୍ୱାରରେ ଭୀମଦେବ ମହାରାଜଙ୍କୁ ଆଡ଼ମ୍ବର ସହକାରେ ସମ୍ବର୍ଦ୍ଧନା କରାଗଲା । ପ୍ରଥମେ ଅଶ୍ୱାରୋହୀ ସୈନ୍ୟବାହିନୀ ଆସିଲେ । ତାହାପରେ ବାଦ୍ୟ ସହ ବିଭିନ୍ନ ରଙ୍ଗର ବେଶରେ ଉଷ୍ଟ୍ରାରୋହୀମାନେ ଆସିଲେ । ସେମାନଙ୍କ ପଛରେ ଗୋଟିଏ ସୁସଜ୍ଜିତ ହାତୀ ଉପରେ ହୀରା-ନୀଳାଖଚିତ ହାଉଦାରେ ବସି ଆସୁଥାନ୍ତି ଭୀମଦେବ ମହାରାଜ । ଶରୀରରେ ସୂକ୍ଷ୍ମ ସୂଚୀକାର୍ଯ୍ୟପୂର୍ଣ୍ଣ ଓ ବହୁ ରତ୍ନଖଚିତ ଲମ୍ବ ପୋଷାକ ଏବଂ ସ୍କନ୍ଧରେ ଝୁଲୁଥାଏ ମ୍ଳେଚ୍ଛ ପ୍ରାଣରେ ଆତଙ୍କ ସୃଷ୍ଟିକାରୀ ତାଙ୍କର ଧନୁ । କର୍ଣ୍ଣରେ କୁଣ୍ଡଳ ଏବଂ କପାଳରେ ଶୁଭସୂଚକ ବାସନ୍ତୀ ଚିହ୍ନ । ମସ୍ତକର ମୁକୁଟ ନାନା ମଣି-ମୁକ୍ତାରେ ବିମଣ୍ଡିତ ହୋଇ ମଧ୍ୟାହ୍ନ ସୂର୍ଯ୍ୟରଶ୍ମିରେ ଦର୍ଶକମାନଙ୍କର ଆଖି ଝଲସାଇ ଦେଉଥାଏ । “ଆମର ଭୀମଦେବ ମହାରାଜ, ଆମର ରକ୍ଷାକର୍ତ୍ତା” ଏହି ବିଚାରରେ ଜନତାର ହୃଦୟ ଗର୍ବରେ ଫାଟି ପଡ଼ୁଥାଏ ।

ହାତୀର ହାଉଦା ଉପରେ ଆସୀନ ଗୁଜରାତର କର୍ତ୍ତାଙ୍କୁ ଚୌଲା ଦେଖିଲା । ପବନରେ ଆନ୍ଦୋଳିତ ତାଙ୍କର ଘନ କେଶ ଭିତରେ ସୁନ୍ଦର ଓ ତେଜିୟାନ୍‍ ମୁଖ ଘେନି ଇନ୍ଦ୍ରଙ୍କ ଭଳି ସେ ଚିର ତରୁଣ ଦେଖାଯାଉଥାନ୍ତି ।

ଚୌଲା ତାଙ୍କ ଆଖିରେ ଲକ୍ଷ୍ୟ କରୁଥିଲା ବିଜେତାର ଗର୍ବ ଓ ଓଠରେ ଶାସକ ସୁଲଭ ହସ । ଭୀମଦେବଙ୍କୁ ଥରେ ଦେଖିଦେବା ପରେ ଚୌଲାର ତାଙ୍କଠାରେ ଆଉ ଆଗ୍ରହ ରହିଲା ନାହିଁ-। ତା’ ଆଖିରେ ପୁଣି ବିଷାଦଭାବ ଦେଖାଦେଲା ଏବଂ ଓଠ ଥରିବାକୁ ଲାଗିଲା । ସେ “ମାଆ’’ ବୋଲି ପାଟିକରି ଉଠି ଦୁଇ ହାତରେ ମୁହଁକୁ ଆଚ୍ଛାଦିତ କରିଦେଲା । ତା’ର ସମସ୍ତ ଶରୀର ଥରିଉଠିବାରୁ ସେ ନିଜକୁ ସଂଯତ କରିପାରିଲା ନାହିଁ ।

ଶୋଭାଯାତ୍ରା ପ୍ରାସାଦ ଦ୍ଵାରରେ ପହଞ୍ଚିବାକ୍ଷଣି ଭୀମଦେବ ମହାରାଜ ହାତୀ ଉପରୁ ଓହ୍ଲାଇ ପାଗଳ ପ୍ରେମିକ ପରି ନିଜର ପ୍ରେମିକାଙ୍କ ସହିତ ଦେଖାକରିବାକୁ ରାଣୀହଂସପୁରକୁ ସିଧା ଚାଲିଗଲେ । ସେ ପ୍ରାସାଦ ଭିତର ଦେଇ ଯିବା ରାସ୍ତାର ଦୁଇ ପାର୍ଶ୍ୱରେ ପ୍ରାସାଦବାସୀମାନେ ଠିଆହୋଇ ତାଙ୍କୁ ସମ୍ମାନ ଦେଖାଇ ନତମସ୍ତକ ହେଉଥାନ୍ତି ।

ଭୀମଦେବ ଚୌଲାର ପଲଙ୍କ ପାଖକୁ ଯାଇ ଆଦରରେ “ଚୌଲା, ଚୌଲା’’ ବୋଲି ଡାକିଲେ । ତାଙ୍କ ସମ୍ୱୋଧନର ଉତ୍ତରରେ ଚୌଲା ଭୀତତ୍ରସ୍ତ ଆଖିରେ ନିଜର ସ୍ୱାମୀଙ୍କୁ ଅନାଇ ମୃଦୁସ୍ୱରରେ “ମହାରାଜ’’ ବୋଲି ପ୍ରତିସମ୍ୱୋଧନ କଲା ।

 

ମହାରାଜ କହିଲେ, “ତମର କ’ଣ ହୋଇଛି ? ତମ ଦେହ ଯେ ଖରାପ ହୋଇଛି, ମୁଁ ବା କିପରି ଜାଣିବି ? ତମେ ଶୀଘ୍ର ଭଲ ହୋଇଯିବ । ତୁମ ସ୍ୱାସ୍ଥ୍ୟ ଭଲ ଥିଲେ ମୁଁ ତୁମକୁ ପାଟଣ ନେଇଯାଇଥାନ୍ତି । କିନ୍ତୁ ମୁଁ ବର୍ତ୍ତମାନ ଯାହା ଦେଖୁଛି, ତୁମେ ଏତେବାଟ ଯାଇପାରିବ ନାହିଁ । ମନେପଡ଼ୁଛି ଚୌଲା, ଗତବର୍ଷ କିପରି ବିଚିତ୍ର ଥିଲା ! ଆମର ଯେତେବେଳେ ବିବାହ ହେଲା, ସେ ଦୁର୍ଯୋଗର ସମୟ କଥା ମନେଅଛି ? ବର୍ତ୍ତମାନ ଆମେ ସୁଖୀ । ମୁଁ ହମୀର୍‍କୁ ବିତାଡ଼ିତ କରିଦେଇଛି ଚୌଲା ! ତୁମେ ଜାଣ, ବର୍ତ୍ତମାନ ସଫାଳଦକ୍ଷ, ମାରଓ୍ୱାଡ଼ ଆଉ ସ୍ଥାନକର ଶାସକବର୍ଗ ମୋର ଅଧୀନତା ସ୍ୱୀକାର କରିଛନ୍ତି । ପାଟଣ ଗୋଟିଏ ସୁନ୍ଦର ସହରରେ ପରିଣତ ହେବ ଏବଂ ତହିଁରେ ମୁଁ ଗୋଟିଏ ସୁନ୍ଦର ପ୍ରାସାଦ ନିର୍ମାଣ କରିବି, ଯାହା କି ତୁମର ପସନ୍ଦଯୋଗ୍ୟ ହେବ । ମୁଁ ବିଭିନ୍ନ ଦେଶରୁ ଭଲ ଭଲ ବସନ-ଭୂଷଣ ତୁମପାଇଁ ମଗାଇଛି ।’’

 

ଆନନ୍ଦମିଶ୍ରିତ ଉତ୍କଣ୍ଠାରେ ଭୀମଦେବ ମହାରାଜ କହିଚାଲିଥାନ୍ତି । ଚୌଲା ଏକଲୟରେ ତାଙ୍କ ମୁହଁକୁ ଅନାଇ ଜଳସ୍ରୋତ ପରି ଅବାରିତରୂପେ ବାହାରୁଥିବା କଥା ଶୁଣୁଥାଏ ।

 

ମହାରାଜ ପୁଣି କହିଲେ, “ଚୌଲା, ପନ୍ଦରଦିନ ଭିତରେ ତୁମେ ମାଆ ହେବ । ଯେବେ ପୁତ୍ର ସନ୍ତାନ ହୁଏ, ତେବେ ଅତି ଆନନ୍ଦର କଥା ହେବ । ମୋର ଶେଷଇଚ୍ଛା ପୂର୍ଣ୍ଣ ହେବ । ତା’ପରେ ତୁମେ ନିଶ୍ଚୟ ପାଟଣ ଆସିବ । ମୁଁ ନିଜେ ତୁମକୁ ନେବାକୁ ଆସିବି, ନଚେତ ବିମଳ ଆସିବ । ବିମଳ ତୁମକୁ ଖୁବ୍‍ ଶ୍ରଦ୍ଧା କରେ । ହୁଏତ ମୁଁ ନିଜେ ଆସିନପାରେ; କାରଣ ମାଳବର ଭୋଜରାଜା ଗୋଳମାଳ କରୁଥିବାରୁ ମୋତେ ମାଳବ ଆକ୍ରମଣ କରିବାକୁ ପଡ଼ିପାରେ । ତାକୁ ଉଚିତ ଶିକ୍ଷା ଦେବାକୁ ପଡ଼ିବ ।’’

 

ପ୍ରେମ-ପାଗଳ ଭୀମଦେବ, ତାଙ୍କ ବକ୍ତବ୍ୟର ପ୍ରତ୍ୟେକ ଶବ୍ଦ ଯେ ତାଙ୍କର ପ୍ରେମିକାକୁ ଆଘାତ ଦେଉଥିଲା ତାହା ବୁଝିପାରୁନଥିଲେ । ସେ କହୁ କହୁ ଏପରି ଭାବପ୍ରବଣ ହୋଇଗଲେ ଯେ, ଘୁଞ୍ଚି ଘୁଞ୍ଚି ଯାଇ ଚୌଲାର ନିକଟବର୍ତ୍ତୀ ହୋଇ ଓ ତା’ ମୁଖକୁ ଟେକିଧରି ଏକ ଗାଢ଼ ଚୁମ୍ୱନ ଦେଲେ ।

 

ଏ ଚୁମ୍ୱନ ଚୌଲାକୁ ଅସହ୍ୟ ବୋଧହେଲା-ସତେ ଯେପରି ପୃଥିବୀଟା ଫାଟି ପଡ଼ୁଛି ! ତାହା ପକ୍ଷରେ ଭୀମଦେବଙ୍କ ମୁଖ, ତାଙ୍କ ଶରୀରର ସୁଗନ୍ଧ, ତାଙ୍କ ସୁବାସିତ ଶ୍ମଶ୍ରୁର ସୂକ୍ଷ୍ମ ସ୍ପର୍ଶ ଏବଂ ଆଖିର ଦୀପ୍ତି, ସତେ ଯେପରି କୌଣସି ଏକ ଘୃଣ୍ୟ ଅଜଣା ଲୋକର ଭଳି ମନେହେଲା । ସେ ତାର ଆଖି ବନ୍ଦ କରିଦେଲା । ତା’ର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ଅସ୍ଥିର ହେଇଉଠିଲା । ସେ ନୀରବରେ ପ୍ରାର୍ଥନା କଲା, “ପ୍ରଭୁ ସୋମନାଥ, ତୁମେ ମୋତେ ଛାଡ଼ିଦେଲ ? ତୁମେ ମୋତେ କାହିଁକି ଭୁଲିଗଲ ?’’

 

ରାଣୀ ଚୌଲା ସହ କଥାବାର୍ତ୍ତା କରିବାଲାଗି ଭୀମଦେବଙ୍କ ପ୍ରବଳ ଉତ୍କଣ୍ଠା ବଢ଼ିଲା । ସେ କହିଚାଲିଲେ, “ଚୌଲା ! ତୁମେ ଜାଣିଛ, କାଲି ସାମନ୍ତ ଚୌହାନ ଏଠାକୁ ଆସିବ ? ଅତି ଅଦ୍ଭୁତ ଲୋକ ! ସେ ମୋ ସାଙ୍ଗରେ ରାଜଗହଣରେ ଆସିବା ପରିବର୍ତ୍ତେ ରାତିରେ ଏକାକୀ ଆସିବାକୁ ପସନ୍ଦ କଲା । କିନ୍ତୁ ଚୌଲା, ଗୋଟିଏ କଥା କହିବି ତୁମେ କାହାକୁ କହିବ ନାହିଁ । ହମୀର୍‍ ଯେବେ ଏ ଦେଶ ଛାଡ଼ି ପଳାଇଯାଇଥାଏ ସେ ମୋ ଯୋଗୁଁ ଯାଇନାହିଁ, ଯାଇଛି ସାମନ୍ତ ଯୋଗୁଁ । ସେ ଦିନରାତି ପ୍ରାଣପାତ ପରିଶ୍ରମ କରି, ପ୍ରତି ରାଜ୍ୟକୁ ଯାଇ ମୋତେ ସାହାଯ୍ୟ କରିବାକୁ ଶାସକମାନଙ୍କୁ ପ୍ରବର୍ତ୍ତାଇଛି । ଦାମୋଦର ମେହେତା ତା’ର ପ୍ରଶଂସା ଗାନରେ ଶତମୁଖ । ଯେବେ ସାମନ୍ତ ଆମକୁ ସାହାଯ୍ୟ କରିନଥାନ୍ତା, ତା’ ହେଲେ ପାଟଣରେ ଆମେ କେବେଠାରୁ ଶେଷ ହୋଇଯାଇଥାନ୍ତେ ।’’

 

‘‘ପ୍ରିୟେ ଚୌଲା, ସାମନ୍ତ ଯୋଗୁଁହିଁ ଆମେ ଦୁହେଁ ଆଜି ଜୀବନରେ ଅଛେ । ସେହି ସଙ୍କଟାଚ୍ଛନ୍ନ ମୁହୂର୍ତ୍ତରେ ସେ ଯେବେ ପ୍ରଭାସରେ ପହଞ୍ଚିନଥାନ୍ତା, ତାହାହେଲେ ଆମକୁ ଏଠାକୁ କିଏ ଆଣିଥାନ୍ତା ? ତେବେ, ସେ ମଧ୍ୟ ନିର୍ବୋଧ ବୋଲି ମୁଁ କହିବି । ତାହାକୁ ସୌରାଷ୍ଟ୍ରର ଦଣ୍ତନାୟକଭାବେ ନିଯୁକ୍ତ କରିବାକୁ ମୁଁ କହିଥିଲି । ଗୋଟିଏ ରାଜ୍ୟ ମଧ୍ୟ ମୁଁ ତାକୁ ଯାଚିଥିଲି । ସେ କିନ୍ତୁ ଏସବୁ ପ୍ରସ୍ତାବ ଦୃଢ଼ଭାବେ ପ୍ରତ୍ୟାଖ୍ୟାନ କଲା । କହିଲା, ‘ମୁଁ ମୋର କର୍ତ୍ତବ୍ୟ ଶେଷ କରିଛି । ମୁଁ ଏଣିକି ଘୋଘାଗଡ଼ ଫେରିଯିବି ।’ ମାତ୍ର ଘୋଘାଗଡ଼ରେ କ’ଣ ଅଛି ? ସବୁ ସରିଛି । ମୁଁ ତାକୁ ତୁମ ପାଖକୁ ପଠାଇବି । ତୁମେ ଚେଷ୍ଟାକରି ତାକୁ ରାଜି କରାଅ । ସେ ଯଦି ଆମ ପାଖରେ ରହେ, ତାହାହେଲେ ଗୁଜୁରାତର ଗୌରବ ଯଥେଷ୍ଟ ବୃଦ୍ଧି ପାଇବ ।’’

 

ଯେଉଁ ପ୍ରଶ୍ନ ପଚାରିବାକୁ ଚୌଲା ବହୁ ସମୟରୁ ଚାହୁଁଥିଲେ ସୁଦ୍ଧା ପଚାରିବାକୁ ସାହସ କରୁନଥିଲା, ଶେଷକୁ ସାହସ କରି ସେହି ପ୍ରଶ୍ନଟି ପଚାରିଲା-“ମହାରାଜ ! ପ୍ରଭାସର ପୁନର୍ଗଠନ କାର୍ଯ୍ୟ କେବେ ଶେଷ ହେବ ?’’

 

ମହାରାଜ କହିଲେ–‘‘ପ୍ରାୟ ଆଠମାସ ଭିତରେ ।’’

 

ଚୌଲା–‘‘ମୁଁ ଏଥିରୁ ମୁକ୍ତ ହେଲେ ସେଠାକୁ ଯିବି ?’’

 

ମହାରାଜ–‘‘ଅସମ୍ଭବ ! ତୁମେ ପାଟଣ ଆସିବ ନାହିଁ ? କିଛିଦିନ ସେଠାରେ ଆନନ୍ଦରେ ରହିବା ।’’

 

ଚୌଲା–‘‘କିନ୍ତୁ ମୋର ହୃଦୟ ପ୍ରଭାସରେ । ସେଠାରେ ମୋର ପ୍ରଭୁ ସୋମନାଥଙ୍କୁ ପୂଜା କରିବି ।’’

 

ମହାରାଜ-‘‘ମୁଁ ପ୍ରଭୁଙ୍କ ପାଇଁ ଗୋଟିଏ ସୁନ୍ଦର ମନ୍ଦିର ତିଆରି କରୁଛି । ଆମେ ପାଟଣରୁ ଯାଇ ସେଠାରେ ପ୍ରଭୁଙ୍କର ନୂତନ ମୂର୍ତ୍ତି ସ୍ଥାପନ କରିବା ।’’

 

ଚୌଲା ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ ପଚାରିଲା–ନୂଆ ମୂର୍ତ୍ତି ? ଆଉ ପ୍ରଭୁଙ୍କ ମୂର୍ତ୍ତି ?

 

ମହାରାଜ-‘‘ତୁମେ ଜାଣନା ? ସେ ମୂର୍ତ୍ତିପରା ହମୀର୍‍ ଭାଙ୍ଗିଦେଇଛି ! ମୂର୍ତ୍ତିର ଭଗ୍ନଖଣ୍ତମାନ ସେ ଗଜନୀକୁ ନେଇଯାଇଛି ।’’

 

ଏହାଶୁଣି ଚୌଲାର ହଠାତ୍‍ ପରିବର୍ତ୍ତନ ଘଟିଲା । ଏକ ପୋଷା ଜୀବ ପରି ସେ ଚାରିଆଡ଼କୁ ବ୍ୟାକୁଳ ହୋଇ ଅନାଇଲା । ମହାରାଜ ଚୌଲାର ଏପରି ଅବସ୍ଥା ଦେଖି ବିଚଳିତ ହୋଇ ଦାସୀମାନଙ୍କୁ ପାଟିକରି ଡାକିଲେ । ସେମାନେ ପହଞ୍ଚିବାବେଳକୁ ଚୌଲା ସଂଜ୍ଞାହୀନା ହୋଇଯାଇଥିଲା ।

 

ପରଦିନ ସାମନ୍ତ ଚୌଲାକୁ ଦେଖିବାକୁ ଆସିଲେ । ତାଙ୍କର ଶରୀର ଶୁଷ୍କ, କ୍ଷୀଣ ଓ ଚର୍ମ କଠିନ ହୋଇଯାଇଥିଲା । ଦେହସାରା ନାନା ସ୍ଥାନରେ କ୍ଷତଚିହ୍ନ । ଦୀର୍ଘଦିନଧରି ଦାରୁଣ ଚିନ୍ତାକୁଳ ରହି ମୁଖରେ ସୌନ୍ଦର୍ଯ୍ୟ ବୋଲି ଆଉକିଛି ନ ଥିଲା । ସାମନ୍ତ ଘର ଭିତରେ ପଶି କିଛି ସମୟ ପାଇଁ ନିଶ୍ଚଳ ହୋଇ ଚୌଲାକୁ ଚାହିଁରହିଲେ ।

 

କିଛି ଦୂରରେ ରହି, “ମହାଦେବୀ, ନମସ୍କାର !’’ କହି ସାମନ୍ତ ଚୌଲାକୁ ବିନୀତଭାବେ ପ୍ରମାଣ କଲେ ।

 

ଚୌଲାର ଆଖିରୁ ଲୁହଧାର ବହିଯାଉଥାଏ । ସେ ଅତି କଷ୍ଟରେ କହିଲା, “ଚୌହାନ, ତୁମେ ମଧ୍ୟ...’’

 

ସାମନ୍ତ କହିଲେ–‘‘କାହିଁକି, କ’ଣ ହେଲା ?’’

 

ଚୌଲା ବିବ୍ରତ ହୋଇ ଉତ୍ତର ଦେଲା, ନା, “କିଛି ନୁହେଁ ! ବୀର ଚୌହାନ, ତୁମେ ମଧ୍ୟ ଚୌଲା ନାମକୁ ଭୁଲିଗଲ ?’’

 

ସାମନ୍ତଙ୍କ ମୁହଁରେ ଏବେ ସରଳତା ଫୁଟିଉଠିଲା । ସେ ଚୌଲା ନିକଟକୁ ଆସି ଦୁଇହାତ ଯୋଡ଼ି କହିଲେ, “ମୁଁ ତୋତେ କିପରି ଭୁଲିବି ଭଉଣୀ ? କିନ୍ତୁ ଆମର ଗତଥରର ଦେଖା-ସାକ୍ଷାତ୍‍ ପରଠାରୁ ସମଗ୍ର ପୃଥିବୀ ପରିବର୍ତ୍ତିତ ହୋଇଯାଇଛି । ମୁଁ କ’ଣ କରିବି ?’’

 

ଚୌଲା ବିକଳ ହୋଇ କାନ୍ଦି କାନ୍ଦି କହିଲା, “ଭାଇ ସାମନ୍ତ, ଯାହା କରିଛ, ଠିକ୍‍ କରିଛ । ପ୍ରଭାସ ଧ୍ୱଂସ ହୋଇଛି । ମୋ ମା’ ଗଙ୍ଗା ଯାଇଛି, ଗୁରୁଦେବଙ୍କର ମଧ୍ୟ ମୃତ୍ୟୁ ହୋଇଛି । ପ୍ରଭୁ ସୋମନାଥଙ୍କର ମୂର୍ତ୍ତି ଖଣ୍ତ ଖଣ୍ତ ହୋଇ ଭଙ୍ଗା ହୋଇଛି । ଭଗବାନଙ୍କର ଦାସୀ ମୁଁ ... ମୁଁ ଏବେବି ବଞ୍ଚିରହିଛି !’’

 

ଚୌଲାର ଅକୃତ୍ରିମ ଦୁଃଖ ସାମନ୍ତଙ୍କ ହୃଦୟକୁ ସ୍ପର୍ଶ କଲା । ସେ ଧୀରେ କହିଲେ, “ମୁଁ ସବୁ ବୁଝିଛି, ଚୌଲା ! ମୋର ମଧ୍ୟ ଯାହାକିଛି ଥିଲା ସବୁ ଯାଇଛି । ମୋର ସମଗ୍ର ପରିବାର ଏବଂ ଶେଷରେ ଗୁରୁଦେବ-ସମସ୍ତେ ଯାଇଛନ୍ତି... କେହି ଆଉ ନାହାନ୍ତି ।’’

 

ଯେଉଁମାନେ ଦୁଃଖ ଭୋଗ କରିଛନ୍ତି, କେବଳ ସେମାନଙ୍କ ପକ୍ଷରେ ଦୁଃଖର କଷାଘାତ ଅନୁମାନ କରିବା ସମ୍ଭବ । ସାମନ୍ତ ଏବଂ ଚୌଲା ପରସ୍ପରର ଦୁଃଖ ଭଲଭାବେ ବୁଝିଛନ୍ତି ।

 

ଚୌଲା କାନ୍ଦି କାନ୍ଦି କହିଲା, “ଭାଇ ସାମନ୍ତ, ତୁମେ ମଧ୍ୟ ମୋତେ ଛାଡ଼ି ଚାଲିଯିବ ?’’

 

ସାମନ୍ତ କହିଲେ–‘‘ମୋର ଏଠାରେ ଆଉ କି ଆବଶ୍ୟକତା ଅଛି ? ଘୋଘାବାପା ଏବଂ ଗୁରୁଦେବଙ୍କ ସମୟର ପୁରୁଣା ଲୋକ ମୁଁ । ମୋ ଚାରିପାଖରେ ଯେଉଁ ନୂଆ ସଂସାର ଦେଖୁଛି, ତହିଁରେ ମୁଁ ଜଣେ ବାହାରର ଅଜଣା ଲୋକ ମାତ୍ର; ମୋତେ କେହି ବୁଝିପାରୁନାହାନ୍ତି ।’’

 

ଚୌଲା–‘‘ଚୌହାନ, ମୁଁ ମଧ୍ୟ ଏ ସଂସାରର ନୁହେଁ । ଥରେ ପୂର୍ବଜନ୍ମରେ ତମ କପାଳରେ ବିଜୟର ଟିକା ଦେବାକୁ ମୋତେ କହିଥିଲ । ତା’ ବଦଳରେ ମୋତେ ଗୋଟିଏ ଭିକ୍ଷା ଦେଇପାରିବ ?’’

 

ଚୌହାନ-‘‘ନିଶ୍ଚୟ ଭଉଣୀ, ଦେବି ! କ’ଣ କହ ?’’

 

ଚୌଲା–‘‘ପ୍ରଭାସ କ୍ଷେତ୍ରରେ ମୋ ପ୍ରଭୁଙ୍କର ପୁନଃପ୍ରତିଷ୍ଠା ପର୍ଯ୍ୟନ୍ତ ତୁମେ ଏଠାରେ ରହିବ–ଅବଶ୍ୟ ମୁଁ ଯେବେ ବଞ୍ଚିଥାଏ ।’’

 

ସୋମନାଥଙ୍କ ମନ୍ଦିରରେ ଯେଉଁଦିନ ସାମନ୍ତଙ୍କ ମୁଣ୍ତରେ ଚୌଲା ବିଜୟର ଟିକା ଦେଇଥିଲା ଏବଂ ସେହି ରାତିରେ ସେ ଉଭୟଙ୍କର ଯେଉଁ ମଧୁର ବାକ୍ୟାଳାପ ହୋଇଥିଲା, ତାହା ସାମନ୍ତଙ୍କ ମନେପଡ଼ିଲା । ପରେ ଭାଇରୂପେ କିପରି ସେ ଚୌଲାକୁ ଭୀମଦେବଙ୍କ ସହିତ ବିବାହ ଦେଇଥିଲେ, ତାହା ମଧ୍ୟ ମନେପଡ଼ିଲା ।

 

ସାମନ୍ତ କହିଲେ–‘‘ମୁଁ ରହିବି, ଚୌଲା ! ତତେ କଥା ଦେଲି ।’’

 

ଚୌଲା ଆନନ୍ଦରେ କହିଲା–‘‘ଯୁଗ ଯୁଗ ବଞ୍ଚିରହ ଭାଇ !’’

 

ଚୌଲାର ମୁହଁରେ ମନ୍ଦହାସ ଦେଖାଦେଲା । ଯେଉଁ ସାମନ୍ତ ମାସ ମାସ ଧରି ଶାନ୍ତି ଓ ଆନନ୍ଦ କ’ଣ ଜାଣିନଥିଲେ, ଚୌଲାର ଆନନ୍ଦ ଦେଖି ତାଙ୍କ ମୁହଁରେ ମଧ୍ୟ ହସ ପ୍ରତିଫଳିତ ହେଲା । ସଂସାରରେ ନିଜକୁ ଏକାକୀ ବୋଲି ଅନୁଭବ କରୁଥିବା ଦୁଇଜଣ ସେମାନଙ୍କ ଦୁଃଖର ଲାଘବ ହୋଇଛି ବୋଲି ହୃଦୟଙ୍ଗମ କଲେ ।

Image

 

ଧ୍ୱଂସ ଭିତରୁ

 

ମାସକ ପରେ ଚୌଲା ଦେବୀଙ୍କର ଗୋଟିଏ ପୁତ୍ରସନ୍ତାନ ଜନ୍ମ ହେଲା-ଭୀମଦେବଙ୍କ ରାଜଗାଦିର ଭାବୀ ଉତ୍ତରାଧିକାରୀ । ଖମ୍ବାତ, ପାଟଣ ଏବଂ ସମଗ୍ର ଗୁଜୁରାତରେ ବିପୁଳ ଆନନ୍ଦର ଲହରୀ ଖେଳିଗଲା । ମହାରାଜା ନବଜାତ ପୁତ୍ରକୁ ଦେଖିବାକୁ ସିଧା ଖମ୍ବାତକୁ ଆସିଲେ ଓ ପୁତ୍ରକୁ ସ୍ନେହ କରିବା ସଙ୍ଗେ ସଙ୍ଗେ ଯେଉଁମାନେ ଚୌଲାର ସେବା କରିଥିଲେ, ସେମାନଙ୍କୁ ବହୁତ ଉପହାର ଦେଲେ । ଚୌଲା ତାଙ୍କର ସର୍ବାଧିକ ପ୍ରିୟ ସ୍ତ୍ରୀ ଓ ରାଣୀ । ତା’ର ଗର୍ଭରୁ ଜାତ ହୋଇଛି ଯୁବରାଜ । ଭୀମଦେବଙ୍କ ଆନନ୍ଦର ସୀମା ରହିଲା ନାହିଁ ।

 

କିନ୍ତୁ ବିସ୍ମୟର କଥା, ପୁତ୍ର ଜନ୍ମ ହେବାପରେ ଚୌଲା ପୁଅକୁ ଦେଖିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିନଥିଲା । ସେ ଯେତେବେଳେ ଶିଶୁକୁ ଦେଖିଲା, ତା’ର ହୃଦୟ କମ୍ପି ଉଠିଲା । ଠିକ୍‍ ଭୀମଦେବଙ୍କ ପରି ପ୍ରଶସ୍ତ ବକ୍ଷ ଓ ବଡ଼ ବଡ଼ ଆଖି । ତା’ର କଳ୍ପନାଚକ୍ଷୁରେ ସେ ଦେଖିଲା ଠିକ୍‍ ସେହି ରୂପ; କିନ୍ତୁ ଅଧିକ ପ୍ରଶସ୍ତ ଓ ଅଧିକ ବିଶାଳ । ସେ ନିଜକୁ ଦିନେ ଦେବଦେବ ମହାଦେବଙ୍କଠାରେ ଉତ୍ସର୍ଗ କରିଥିଲା; କିନ୍ତୁ ତା’ର ଅଧଃପତନ ହୋଇଛି ଓ ସେହି ପତନର ନିଦର୍ଶନ ଏହି ସନ୍ତାନ ।

 

ଦୁଇମାସ ପରେ ମନ୍ତ୍ରୀ ବିମଳ ଆସିଲେ ଚୌଲାକୁ ପାଟଣ ନେବାକୁ । ତା’ର ଆଉ ସେଠାକୁ ନ ଯିବା ପାଇଁ କୌଣସି ଯୁକ୍ତିଯୁକ୍ତ କାରଣ ନ ଥିଲା; ତେଣୁ ସେ ଯିବାପାଇଁ ପ୍ରସ୍ତୁତ ହେଲା-। ପାଲିଙ୍କିରେ ବସାଇ ରାଣୀଙ୍କୁ ନିଆଗଲା । ରାଜଧାନୀ ପାଟଣରେ ପହଞ୍ଚିବା ପରେ ରାଜପ୍ରାସାଦରେ ରାଣୀଙ୍କ ପାଇଁ ନିର୍ମିତ ସ୍ୱତନ୍ତ୍ର ପ୍ରକୋଷ୍ଠରେ ତାକୁ ରଖାଗଲା । ରାଜା ଭୀମଦେବଙ୍କର ଅନ୍ୟତମା ଅର୍ଦ୍ଧାଙ୍ଗିନୀ ରୂପବତୀ ରାଣୀ ଉଦୟମତୀ ତାକୁ ଦେଖିବାକୁ ଆସିଲେ । ଚୌଲାର ପ୍ରତ୍ୟେକ ସୁବିଧା ଅସୁବିଧା ପ୍ରତି ଦୃଷ୍ଟି ଦେଇ ତା’ର ସମସ୍ତ ଇଚ୍ଛା ପୂରଣ କରିବା ନିମନ୍ତେ ପ୍ରତ୍ୟେକେ ତତ୍ପର ରହିଲେ । ଚୌଲାର ସ୍ୱାସ୍ଥ୍ୟରେ କ୍ରମେ କ୍ରମେ ଉନ୍ନତି ହେଲା ସତ; କିନ୍ତୁ ରାଜଧାନୀର ଏହି ଆଡ଼ମ୍ୱରପୂର୍ଣ୍ଣ ଜୀବନ ତାକୁ ଖମ୍ବାତ ଜୀବନ ଅପେକ୍ଷା ମଧ୍ୟ ଅଧିକ ଅସ୍ୱସ୍ତିକର ବୋଧହେଲା ।

 

ସେଠାରେ ଆଉ କିଛି ନ ଥାଉ ପଛକେ, ଥିଲା ସମୁଦ୍ର ଓ ସୁଦୂର ଦିଗ୍‍ବଳୟ, ଯାହା ଦେଖି ସେ ତା’ର ପ୍ରଭୁଙ୍କର ବାସସ୍ଥଳୀ ପ୍ରଭାସର କଳ୍ପନା କରି କିଛି ସାନ୍ତ୍ୱନା ପାଉଥିଲା । ତା’ର ସେବାପାଇଁ ସେଠାରେ ଏତେ ଅଧିକ ସଂଖ୍ୟକ ଦାସଦାସୀ ନ ଥିଲେ ସତ୍ୟ; କିନ୍ତୁ ଆଉ ଜଣେ ମହାରାଣୀ ମଧ୍ୟ ନ ଥିଲେ । ରାଜପ୍ରାସାଦରେ ସେ ଥିଲା ଏକମାତ୍ର ରାଣୀ । ପାଟଣରେ ପହଞ୍ଚିବାର ପ୍ରଥମ ଦିନରୁ ସମସ୍ତେ ତାକୁ ଯଥୋଚିତ ସମ୍ମାନ ଦେଖାଉଥିଲେ ସୁଦ୍ଧା ସେ ସେଥିରେ ଆନ୍ତରିକତାର ଅଭାବ ଅନୁଭବ କରୁଥିଲା ଓ ତା’ର ଜନ୍ମ ଉଚ୍ଚକୁଳରେ ନୁହେଁ ବୋଲି ସମସ୍ତଙ୍କ ମନରେ ଧାରଣା ଥିବା କଥା ସେ ବୁଝିପାରୁଥିଲା । ତଥାପି ଏଥିପାଇଁ ସେ କାହାକୁ ଦୋଷୀ ଭାବୁ ନ ଥିଲା -କାରଣ ତା’ର ମନ କହୁଥିଲା ଯେ ସେମାନଙ୍କର ଧାରଣା ଭୁଲ ନୁହେଁ । ସେ ରାଜକନ୍ୟା ନୁହେଁ ବା ରାଜପୁତ ରମଣୀ ନୁହେଁ-ମନ୍ଦିରର ଜଣେ ନର୍ତ୍ତକୀ ମାତ୍ର । ତେବେ ସେହି ରାଜପ୍ରସାଦରେ ରାଣୀଭାବେ ରହିବାର ତା’ର କି ଅଧିକାର ଅଛି ? ଏହିସବୁ ଭାବନା ଚୌଲାର ମନରେ ସ୍ଥାନ ପାଇ ହୃଦୟକୁ ଅସ୍ଥିର କଲା ।

 

ଭୀମଦେବ ଚୌଲାର ଆଗମନକୁ ଚାତକ ପରି ଚାହିଁ ରହିଥିଲେ । ସେ ସେଦିନର ରାଜକାର୍ଯ୍ୟ ଶୀଘ୍ର ଶୀଘ୍ର ଶେଷ କରିଦେଲେ । ତାଙ୍କର ପ୍ରତ୍ୟେକ ରୋମରେ ପୁଲକ ପୂରିଥାଏ । ସେହି ଭୟାବହ ଅଥଚ ଆନନ୍ଦଦାୟକ ରାତ୍ରିରେ, ସ୍ମିଗ୍ଧ ଚନ୍ଦ୍ରକିରଣ ତଳେ ଯେଉଁ ଛୋଟ କୋଠରିର ଅପ୍ରଶସ୍ତ ବିଛଣାରେ ସେ ଓ ଚୌଲା ଏକତ୍ର ହୋଇଥିଲେ, ସେ କଥା ତାଙ୍କ କଳ୍ପନାକୁ ଆସିଲା । ସେହି ରାତ୍ରିରେ ତାଙ୍କର ସାମନ୍ତ ସହିତ ଯେଉଁ କଥାବାର୍ତ୍ତା ହୋଇ ତାହା ପରେ ପରେ ତାଙ୍କର ବିବାହ ହେଲା, ତାହା ସେ ସ୍ମରଣ କଲେ । ଏହି ବିରାଟ ଘଟଣାର କେନ୍ଦ୍ର ଥିଲା ଚୌଲା ।

 

ଭୀମଦେବ ଅତୀତର ଏହିପରି ମଧୁର ସ୍ମୃତିବିଜଡ଼ିତ କେତେକ ଘଟଣା ଭାବି ଭାବି ରାଣୀ ଚୌଲାର ଶୟନକକ୍ଷରେ ପ୍ରବେଶ କରି ଦେଖିଲେ, ଚୌଲା ବସି ତା’ର ନତ୍ତର୍କୀ ପୋଷାକରେ ମୋତି ଲଗାଉଛି ।

 

ମହାରାଜ ବିସ୍ମୟରେ ପଚାରିଲେ-‘‘ଚୌଲା, ଏ କ’ଣ କରୁଛ ?’’

 

ଚୌଲା ଉପରକୁ ଅନାଇ ଏବଂ ମହାରାଜାଙ୍କୁ ଏକଲୟରେ ଚାହିଁ ଉତ୍ତର ଦେଲା, “ମୋ ଲୁଗାରେ ମୁକ୍ତା ଲଗାଉଛି ।”

 

ମହାରାଜ-‘‘ତମେ...କାହିଁକି ? ଆଉ ଦାସୀମାନେ ? ଆଉ ଏ ସବୁ ପୋଷାକ...?’’

 

ଚୌଲା-‘‘ଏହା ମୋର ନର୍ତ୍ତକୀର ଭୂଷଣ । ଦାସୀମାନେ ଛୁଇଁଲେ ଏହା ଅପବିତ୍ର ହୋଇଯିବ ।’’

 

ମହାରାଜ ହସିକିରି କହିଲେ, “ଓଃ ! ମୁ ଶୁଣିଲି ତୁମେ ପ୍ରତିଦିନ ନୂଆ ପୋଷାକ ତିଆରି କରି ପିନ୍ଧ । ଏ କ’ଣ ସେଇ...?” ଚୌଲା ସମ୍ମତି ଜଣାଇଲା ।

 

ମହାରାଜ କହିଲେ-‘‘କିନ୍ତୁ ତୁମେ ତ ପାଟଣର ରାଣୀ ! ତୁମର ଏ ନର୍ତ୍ତକୀର ବେଶ ଦରକାର କ’ଣ ?’’

 

ଚୌଲା ଉଠିପଡ଼ିଲା ଓ ତା’ର ମୁହଁ ଫିକା ପଡ଼ିଗଲା-“ମହାରାଜ, ମୁଁ ଥିଲି ଭଗବାନଙ୍କୁ ସମର୍ପିତା ନର୍ତ୍ତକୀ ଏବଂ ମୁଁ ସବୁଦିନେ ତାହାହିଁ ରହିବି ।”-କହୁ କହୁ ତା’ର ଓଠ ଥରିଉଠୁଥିଲା ।

 

ଅଯଥା କଳହ କରି ସୁନ୍ଦର ସନ୍ଧ୍ୟାଟି ନଷ୍ଟ କରିବା ଭୀମଦେବଙ୍କର ଇଚ୍ଛା ନ ଥିଲା । ତେଣୁ ସେ ସଙ୍ଗେ ସଙ୍ଗେ ଉତ୍ତର ଦେଲେ, “ଚୌଲା ! ମୋର ଭୁଲ ହୋଇଛି । ଏହି ମନ୍ଦିର-ନର୍ତ୍ତକୀ ମୋର ରାଜସିଂହାସନର ସୌନ୍ଦର୍ଯ୍ୟ ଓ ସମ୍ମାନ ବଢ଼ାଇଛି । ମୋ ପାଖକୁ ଆସ ।” ଏହା କହି ଭୀମଦେବ ଟିକିଏ ଘୁଞ୍ଚିଯାଇ ଓ ହାତ ବଢ଼ାଇ ଚୌଲାକୁ ତାଙ୍କ ନିକଟକୁ ଆଣିବାକୁ ଚେଷ୍ଟା କଲେ ।

 

ମହାରାଜ ପ୍ରେମାସକ୍ତ ହୋଇ ତା’ ଆଡ଼କୁ ଆସୁଥିବା ଲକ୍ଷ୍ୟକରି ଚୌଲା ତାଙ୍କୁ କ୍ରୋଧପୂର୍ଣ୍ଣ ଦୃଷ୍ଟିରେ ଚାହିଁଲା । ମହାରାଜାଙ୍କ ହସ୍ତ ତା’ର ଶରୀର ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ତା’ର ମୁଖର ଭାବ ପରିବର୍ତ୍ତିତ ହୋଇଗଲା । ସେହି ହାତ ତାକୁ ସର୍ପତୁଲ୍ୟ ମନେହେଲା ଓ ତା’ର ଲୋମ ଟାଙ୍କୁରି ଉଠିଲା । ସେ ବାରଣ କରିବା ଭଙ୍ଗିରେ ତା’ର ଦୁଇ ହାତ ହଲାଇ ଚିତ୍କାର କରି ଉଠିଲା, “ନାଁ, ନାଁ ।”

 

କ’ଣ-ହେଲା ବୁଝିନପାରି ଭୀମଦେବ ପଚାରି ଉଠିଲେ, “କ’ଣ ହେଲା ଚୌଲା ?”

 

ଚୌଲା ତା’ର ମନର କଥା ପ୍ରକାଶ କରି କହିଲା, “ନାଁ, ଆପଣ ମୋତେ ଛୁଅନ୍ତୁ ନାହିଁ-।”

 

ଚୌଲାର ଏପରି ବ୍ୟବହାରର କାରଣ କିଛି ବୁଝିନପାରି ବିସ୍ମିତ ହୋଇ ଭୀମଦେବ ପଚାରିଲେ, “କ’ଣ ହେଲା ? କାହିଁକି ?”

 

ଚୌଲା ହାତଯୋଡ଼ି ଅଶ୍ରୁଭରା ଆଖିରେ ଓ ରୁଦ୍ଧ ଗଳାରେ କହିଲା, “ମହାରାଜ ! ନା ନା, ଆଜି ରାତିରେ ନୁହେଁ-ଅନ୍ତତଃ ଏତକ ଅନୁଗ୍ରହ କରନ୍ତୁ ।”

 

ମହାରାଜା ପଚାରିଲେ-“କାହିଁକି, ଆଜି ତୁମର କ’ଣ ହୋଇଛି ?”

 

“ପ୍ରଭୁ ସୋମନାଥ... ।” ଏତିକି ମାତ୍ର କହି ଚୌଲା ଆଉ କିଛି କହିପାରିଲା ନାହିଁ ଏବଂ ତା’ର ଆଖିରୁ ଲୁହ ଗଡ଼ିବାକୁ ଲାଗିଲା ।

 

ମହାରାଜା ପୁଣି ପଚାରିଲେ-“ତୁମେ କ’ଣ କିଛି ପ୍ରତିଜ୍ଞା କରିଛ ?”

 

ମହାରାଜାଙ୍କର ଏହି ପ୍ରଶ୍ନର ସୁଯୋଗ ନେଇ ଚୌଲା କହିଲା, “ହଁ, ଯେ ପର୍ଯ୍ୟନ୍ତ ପ୍ରଭୁ ସୋମନାଥଙ୍କର ମୂର୍ତ୍ତି ସ୍ଥାପିତ ହୋଇନାହିଁ ...”

 

ଭୀମଦେବ ହସି ହସି ଉତ୍ତର ଦେଲେ, “ଓଃ, ବୁଝିଲି ! ତୁମେ କାହିଁକି ପ୍ରତିଜ୍ଞା କଲ ଚୌଲା ? ମୋ କଥା ଟିକିଏ ଭାବିଲ ନାହିଁ ? ମୋତେ ଟିକିଏ ପଚାରିଲ ନାହିଁ ?”

 

ଚୌଲା ନିଜର ଭାବାବେଗ ସମ୍ଭାଳି ନ ପାରି କାନ୍ଦି କାନ୍ଦି କହିଲା, “ମହାରାଜ, ପ୍ରଭୁ ସୋମନାଥଙ୍କ ମନ୍ଦିରରେ ଆମର ମିଳନ ହୋଇଥିଲା । ତାଙ୍କର ମୂର୍ତ୍ତି ବିଖଣ୍ତିତ ହୋଇଛି....”

 

ମହାରାଜା କହିଲେ-“ଚୌଲା ! ନିଜକୁ ଆଉ କଷ୍ଟ ଦିଅନା । ଅପେକ୍ଷା କର । ମୁଁ ଗୋଟିଏ ଅତୀବ ସୁନ୍ଦର ଏବଂ ବିଚିତ୍ର ମନ୍ଦିର ନିର୍ମାଣ କରିବି । ତହିଁରେ ପ୍ରଭୁଙ୍କର ଏପରି ମନୋରମ ମୂର୍ତ୍ତି ସ୍ଥାପନ କରିବି ଯାହା ଦେଖି ତୁମେ ନିଶ୍ଚୟ ପ୍ରସନ୍ନ ହେବ । ଏହି ଉତ୍ସବକୁ ଦେଶର ଚାରିଆଡ଼ୁ ରାଜାମାନଙ୍କୁ ନିମନ୍ତ୍ରଣ କରିବି ।”

 

ଚୌଲା-‘‘ଏହି ଉତ୍ସବ କେବେ ହବ ?’’

 

ଭୀମଦେବ-‘‘ମନ୍ଦିର ତିଆରି ପୂରାପୂରି ସରିଲେ ତ ।’’

 

ଚୌଲା-‘‘ମହାରାଜ ! ମୋତେ ସେଠାକୁ ପଠାନ୍ତୁ । ମୁଁ ସେହି କାର୍ଯ୍ୟରେ ଲାଗିପଡ଼ିବି ।’’

 

ଭୀମଦେବ-‘‘ତୁମେ ଯିବ ?’’

 

ଚୌଲା ଉତ୍କଣ୍ଠିତ ଭାବରେ କହିଲା, “ହଁ, ମୁଁ ମନ୍ଦିର-ନର୍ତ୍ତକୀ ।”

 

ଭୀମଦେବ-‘‘ପାଗଳୀ ! ତୁମେ ଯେ ଗୁଜୁରାତର ରାଣୀ ! ଏ ପର୍ଯ୍ୟନ୍ତ ନିଜକୁ ସେହି ନର୍ତ୍ତକୀବୋଲି ଭାବୁଛ ?’’

 

ଭୀମଦେବ କୌତୁକରେ ଏହା କହିଥିଲେ ସୁଦ୍ଧା ଚୌଲାଠାରେ ଅଦ୍ଭୁତ ପ୍ରତିକ୍ରିୟା ହେଲା-। ସତେ ଯେପରି ସର୍ବସମକ୍ଷରେ ତାକୁ କିଏ ପାଦୁକାରେ ପ୍ରହାର କରିଛି ସେ ସେହିପରି ଅପମାନିତ ତଥା ମର୍ମାହତ ହୋଇ କହିଲା, “ନା, ମୋତେ ଦୟାକରି ପ୍ରଭାସକୁ ପଠାଇଦିଅନ୍ତୁ ।”

 

ଭୀମଦେବ ବ୍ୟସ୍ତ ହୋଇ କହିଲେ-“କିନ୍ତୁ ଚୌଲା, ତୁମେ ଚାଲିଗଲେ ମୋତେ ଏକା ରହିବାକୁ କିପରି ଭଲ ଲାଗିବ ?”

 

ଚୌଲା ଉଦ୍‌ବିଗ୍ନ ହୋଇ ହାତଯୋଡ଼ି କହିଲା, “ଆପଣ ମୋ ପ୍ରତିଜ୍ଞା କଥା ଭାବନ୍ତୁ ।”

 

ଭୀମଦେବ ଚୌଲା ପ୍ରତି ସମ୍ପୂର୍ଣ୍ଣ ଆସକ୍ତ ଥିଲେ । ତେଣୁ ତାଙ୍କର ଏହି ଶିରୀକ୍ଷ-କୋମଳାଙ୍ଗୀ ନବୀନାର ଇଚ୍ଛା ପୂର୍ଣ୍ଣ ନ କରିବା ତାଙ୍କ ପକ୍ଷରେ ସମ୍ଭବ ହେଲାନାହିଁ । ଉଦାର ଭାବରେ ସେ କହିଲେ, “ପ୍ରିୟେ ! ତୁମର କଥା ମୁଁ କିପରି ନ ରଖିବି ! ଯାଅ, ତୁମର ପ୍ରତିଜ୍ଞା ପୂରଣ କର । ସେଦିନ ଶତ୍ରୁ ଉପରେ ବିଜୟଲାଭ ପରେ ଆମର ମିଳନ ହୋଇଥିଲା । ଏହି ଦେଶର ସମସ୍ତ ଶାସକଙ୍କ ଉପସ୍ଥିତିରେ ଯେଉଁଦିନ ପ୍ରଭୁ ସୋମନାଥଙ୍କ ମୂର୍ତ୍ତି ପ୍ରତିଷ୍ଠା ହେବ, ସେଦିନ ପୁଣି ହେବ ଆମର ପୁନର୍ମିଳନ । ଏତେଦିନର ବିଚ୍ଛେଦ ସେଦିନ ପୂର୍ଣ୍ଣ ହେବ ।”

 

ଚୌଲା ନଇଁପଡ଼ି ଭୀମଦେବଙ୍କ ଚରଣ ଛୁଇଁ କହିଲା, “ମହାରାଜ, ଆପଣଙ୍କର ଦୟା ଅସୀମ । ଆପଣ ଯେତେ ଦୟା ଦେଖାଇଛନ୍ତି ତାହା ମୁଁ କିପରି ଶୁଝିବି ? ଉତ୍‍କ୍ଷିପ୍ତ ସମୁଦ୍ରର ତରଙ୍ଗ କୂଳରେ ଫିଙ୍ଗି ଦେଇଯାଇଥିବା ଗୋଟିଏ ବାଲିଗରଡ଼ା ଛଡ଼ା ମୁଁ ଆଉକିଛି ନୁହେଁ ।” ତା’ର ଆଖିରେ ଲୁହ ପୂରିରହିଥିଲେ ସୁଦ୍ଧା ସେ ନିଜକୁ ସମ୍ଭାଳି ନେଲା ।

 

ସୋମନାଥଙ୍କ ମନ୍ଦିରର ପୁନର୍ନିର୍ମାଣ କାର୍ଯ୍ୟ ନିଜେ ଦେଖିବାପାଇଁ ଭୀମଦେବ ମହାରାଜାଙ୍କ ପ୍ରିୟତମା ମହାରାଣୀ ପ୍ରଭାସ ଗଲେ । ତାଙ୍କ ସାଙ୍ଗରେ ବହୁ ସଂଖ୍ୟକ ଦାସଦାସୀ ମଧ୍ୟ ଯାତ୍ରା କଲେ । ତାଙ୍କର ଶିଶୁପୁତ୍ର କ୍ଷେମରାଜଙ୍କର ଯତ୍ନ ନେବାପାଇଁ ସାଙ୍ଗରେ ରାଜବୈଦ୍ୟଙ୍କୁ ପଠାଗଲା । ଅଧାବାଟ ପର୍ଯ୍ୟନ୍ତ ନିଜେ ଭୀମଦେବ ମହାରାଜା ତାଙ୍କ ସାଙ୍ଗରେ ଗଲେ । ପ୍ରଭୁ ସୋମନାଥଙ୍କର ପରମଭକ୍ତ ଦାମୋଦର ମେହେତାଙ୍କୁ ପ୍ରଭାସ ପର୍ଯ୍ୟନ୍ତ ତାଙ୍କ ସହିତ ପଠାଗଲା । ମନ୍ଦିର ନିର୍ମାଣକାର୍ଯ୍ୟ ଶୀଘ୍ର ଶେଷ କରିବାପାଇଁ ଏହି ପରମଭକ୍ତ ବ୍ରାହ୍ମଣ ମନ୍ତ୍ରୀଙ୍କର ମଧ୍ୟ ପ୍ରବଳ ବ୍ୟଗ୍ରତା ଥିଲା ।

 

ପ୍ରଭାସ ଯାତ୍ରା କରିବା ସମୟରେ ଚୌଲା ମନରେ ଖୁବ୍‍ ଆଗ୍ରହ ଓ ଉତ୍ସାହ ଥିଲେ ସୁଦ୍ଧା ତାହା ବେଶିଦିନ ରହିପାରିଲା ନାହିଁ । ପ୍ରଭାସରେ ପହଞ୍ଚି ସେ ଦେଖିଲା ଗୋଟିଏ ବିରାଟ ନୂତନ ଦୁର୍ଗ ନିର୍ମିତ ହେଉଛି । ନୂତନ ରାସ୍ତାମାନ ତିଆରି ହେଉଛି, କୂଅମାନ ଖୋଳା ହେଉଛି ଓ ନୂତନ ବଜାରମାନ ଗଢ଼ିଉଠୁଛି । ସର୍ବାଧୁନିକ ପ୍ରଣାଳୀରେ ମନ୍ଦିରମାନ ଗଢ଼ାଯାଉଛି । ଗଗନରାଶିଙ୍କ ଆଶ୍ରମ-ଆଶ୍ରମ ନୁହେଁ ବରଂ ପ୍ରାସାଦ ପରି ତିଆରି ହେଉଛି । ପାଟଣର ରାଜପ୍ରାସାଦ ଛାଞ୍ଚରେ ଛୋଟ ଏକ ରାଜମହଲ ତିଆରି ହେଉଛି ଓ ଯେଉଁଠାରେ ପୂର୍ବେ ମନ୍ଦିର-ନର୍ତ୍ତକୀମାନଙ୍କର ବସ୍ତି ଥିଲା, ସେଠାରେ ବ୍ରାହ୍ମଣମାନଙ୍କ ପାଇଁ ଘର ନିର୍ମିତ ହୋଇଛି ।

 

ପ୍ରଭୁ ସୋମନାଥଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ଯଥେଷ୍ଟ ଅଗ୍ରଗତି କରିଛି । ଏହାର ବିରାଟ ଶିଖର ତିଆରି ହୋଇଛି ପୂର୍ବ ଅପେକ୍ଷା ସ୍ୱତନ୍ତ୍ର ଢାଞ୍ଚାରେ । ଯେଉଁ ଛାତରେ ବସି ଚୌଲା ନାନାପ୍ରକାର ଚିନ୍ତାରେ ବିଭୋର ରହି ଆନନ୍ଦ ଅନୁଭବ କରୁଥିଲା, ସେସବୁ ଆଉ ସେପରି ତିଆରି ହେଉ ନାହିଁ ।

 

ନୂତନ ଶିଳ୍ପୀମାନେ ଏହି ସୁନ୍ଦର ମନ୍ଦିର ଓ ନଗର ଗଢ଼ୁଥିଲେ ସୁଦ୍ଧା, ପ୍ରଭୁ ସୋମନାଥଙ୍କର ପୀଠ ପୂର୍ବେ ଯେପରି ଥିବା ଦେଖିଛି ତାହା ଆଉ ସେପରି ହେଉନାହିଁ । ତା’ ନିଜ ପାଇଁ ଯେଉଁ ନୂତନ ପ୍ରାସାଦ ନିର୍ମିତ ହୋଇଥିଲା ଚୌଲା ତହିଁରେ ପ୍ରବେଶ କଲାକ୍ଷଣି ପ୍ରାସାଦର ଅପରିଚିତ ବାତାବରଣରେ ଏକ ବନ୍ଦିଶାଳାରେ ପ୍ରବେଶ କଲା ଭଳି ତାକୁ ମନେହେଲା । ସେ ନିଜକୁ ଅତ୍ୟନ୍ତ ଦୁଃଖିନୀ ଓ ଏକାକିନୀ ମନେକଲା । ଧରିତ୍ରୀକୁ କୁହୁଡ଼ି ଆଚ୍ଛନ୍ନ କଲାଭଳି ତା’ର ହୃଦୟ ବେଦନାଚ୍ଛନ୍ନ ହୋଇଥାଏ । ପ୍ରଭାସରେ ତା’ର କାର୍ଯ୍ୟ ତଥା ଚିନ୍ତାକୁ ତା’ର ଏହି ମାନସିକ ଦୁଃଖ ସବୁବେଳେ ପ୍ରଭାବିତ କରୁଥିଲା । ମନୁଷ୍ୟ ଜନ୍ମର ଅପୂର୍ଣ୍ଣ କାମନାକୁ ପୂରଣ କରିବାକୁ ବ୍ୟାକୁଳ ଏକ ପ୍ରେତପରି ଚୌଲା ମହାରାଣୀର ମର୍ଯ୍ୟାଦା ଛାଡ଼ି ପ୍ରଭାସ ଦୁର୍ଗର ପଥରଗଦା, ଅସମ୍ପୂର୍ଣ୍ଣ କାନ୍ଥ, କାରିଗର ଓ ଶ୍ରମିକମାନଙ୍କ ଭିତରେ ବୁଲିଲାଗିଲା ।

 

ଏହି ଅପରିଚିତ ଓ ନୂତନ ନିର୍ମିତ କୋଠାବାଡ଼ିର ଦୃଶ୍ୟ ଦେଖି ଦେଖି ସେ ତା’ର ନିଜ ହୃଦୟରେ ଅଙ୍କିତ ହୋଇଥିବା ପୂର୍ବଚିତ୍ରର ସ୍ମୃତି ମନେପକାଇବାକୁ ଚେଷ୍ଟାକଲା । ଏହିଠାରେ ସେ ପିଲାଦିନେ ଖେଳିଥିଲା । ତା’ର ନୃତ୍ୟରେ ଭୁଲ ହେଲେ ତା’ର ମା’ ଗଙ୍ଗା ସେଠାରେ ତାକୁ ଦଣ୍ତ ଦେଉଥିଲା । ଏଇଠି ସେ ତାଳ ଅନୁସାରେ ନାଚିଥିଲା ଓ ଗୁରୁଦେବ ତାକୁ ନାଚ ଶିଖାଇ ଦେଇଥିଲେ । ସେଠାରେ ସେ କୁଣ୍ତଳା ସହିତ ଝଗଡ଼ା କରିଥିଲା; ଯେଉଁଠି ଦୀପସ୍ତମ୍ଭମାନ ତିଆରି ହେଉଛି ସେଠାରେ ଭୀମଦେବଙ୍କ ସହିତ ତା’ର ପ୍ରଥମ ସାକ୍ଷାତ୍‍ ହୋଇଥିଲା ।

 

ପୂର୍ବେ ତ୍ରିପୁରସୁନ୍ଦରୀଙ୍କର ମନ୍ଦିର ଛୋଟ ଥିଲା ଓ ତା’ର ଚାରିପାଖରେ ପାଚେରି ଥିଲା । ବର୍ତ୍ତମାନ ସେହି ସ୍ଥାନରେ ମହାମାୟାଙ୍କର ଗୋଟିଏ ବିରାଟ ମନ୍ଦିର ତିଆରି ହୋଇଛି । ବାହାର ଦୁର୍ଗର ଖୋଲା ସ୍ଥାନରେ ଯେଉଁଠି ଗଗନରାଶି ଓ ତାଙ୍କ ଶିଷ୍ୟମାନଙ୍କ ପାଇଁ ମଠ ତିଆରି ହେଉଛି, ଠିକ୍ ସେହି ସ୍ଥାନରେ ଆଗେ ଥିବା ଗୃହର ଛାତ ଉପରେ ସେ ଭଗବାନ ସୋମନାଥଙ୍କୁ ବରଣମାଳା ଦେଉଛି ଭାବି ନିଜକୁ ପାଟଣର ମହାରାଜାଙ୍କୁ ସମର୍ପଣ କରିଥିଲା ।

 

ଯେଉଁ ଗର୍ଭ-ଗୃହରେ ପ୍ରଭୁ ସୋମନାଥଙ୍କର ବିଗ୍ରହ ପ୍ରତିଷ୍ଠା ହେବା କଥା ଶେଷକୁ ସେଠାକୁ ଆସି ଚୌଲା ଭାବପ୍ରବଣା ହୋଇ ଅଚେତ ହୋଇପଡ଼ିଲା । ଇଟା, ପଥର ତାକୁ ଦେଖାଯାଉନଥାଏ । ଯେଉଁ ବିରାଟ ମନ୍ଦିର ଅଗଣାରେ ତାକୁ ସତୀ କରିବାପାଇଁ ତା’ର ମା’ ଓ ଗୁରୁଦେବ ଚିତା ଲଗାଉଥିଲେ, ତାହା ତା’ର ଭାବନାକୁ ଆସିଲା ।

 

ମନ୍ଦିରର ଭିତର ବେଢ଼ା ତିଆରି ଚାଲିଛି । ଚୌଲା ଦେଖିଲା ଯେଉଁ ସ୍ଥାନରେ ତା’ର ନାଥ ପ୍ରଭୁ ସୋମନାଥଙ୍କର ମୂର୍ତ୍ତି ଏକସମୟରେ ବିରାଜମାନ ଥିଲା, ସେ ସ୍ଥାନ ଖାଲି ପଡ଼ିଛି । ସୃଷ୍ଟିର ପ୍ରାରମ୍ଭରେ ବ୍ରହ୍ମା ଓ ବିଷ୍ଣୁଙ୍କ ମଧ୍ୟରେ ସଂଘଟିତ ଯୁଦ୍ଧର ଅବସାନକର୍ତ୍ତା ପ୍ରଭୁ ସୋମନାଥ ସେଠାରେ ନାହାନ୍ତି । ପ୍ରଳୟକାଳୀନ ଏ ପୃଥିବୀରେ ସେ ଯେପରି ଏକମାତ୍ର ପ୍ରାଣୀ ! ନିଃସହାୟ ହୃଦୟରେ ଚୌଲା ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲା ।

Image

 

“ଆଜି ରାତି, ହିଁ, ଆଜି ରାତି”

 

ସୂର୍ଯ୍ୟ ଉଦିତ ହୋଇ ଅସ୍ତ ହୁଅନ୍ତି । ପଥର ଉପରେ ପଥର ଖଞ୍ଜା ହୋଇ ମନ୍ଦିର ଓ ଘରମାନ ଦିନକୁ ଦିନ ଉଚ୍ଚ ହେଲା । ହାଟ ବଜାରରେ ଲୋକଗହଳ ହୋଇ ସେସବୁ ଧୀରେ ଧୀରେ ଜୀବନ୍ତ ହୋଇଉଠିଲା । କିନ୍ତୁ ଏ ସବୁ ସତ୍ତ୍ୱେ ଚୌଲା ଏକ ପ୍ରେତରାଜ୍ୟରେ ଥିବା ଭଳି ମନେକରୁଥାଏ । ସେ ଭାବୁଥାଏ, ତାହାର ଚତୁଃପାର୍ଶ୍ୱର କୌଣସି ଜିନିଷ ବାସ୍ତବ ନୁହେଁ; କୌଣସି ଲୋକ ବା କୋଠାବାଡ଼ି ନିଜର ନୁହେଁ । ଏହି ପ୍ରଭାସ, ପ୍ରଭୁଙ୍କ ପୀଠସ୍ଥଳୀ ପୂର୍ବର ପ୍ରଭାସ ନୁହେଁ-ଗୁରୁଦେବ ନାହାନ୍ତି... ବର୍ତ୍ତମାନର ଗୁରୁ ସର୍ବଜ୍ଞ ଗଗନରାଶି ରେଶମ ବସ୍ତ୍ର ଆଚ୍ଛାଦିତ ଏକ ସାଧୁ ଛଡ଼ା ଆଉ କିଛି ନୁହଁନ୍ତି ।

 

ଚୌଲାର କଳ୍ପନା-ଜଗତରେ ସୋମନାଥଙ୍କ ମନ୍ଦିରରେ ଘଣ୍ଟା ବାଜୁଥଲା-ଗୁରୁଦେବ ଗଙ୍ଗସର୍ବଜ୍ଞ ଆରାଧନା କରୁଥିଲେ–ମା’ ଗଙ୍ଗା ନର୍ତ୍ତକୀମାନଙ୍କୁ ନୃତ୍ୟ ଓ ଗୀତ ଶିଖାଉଥିଲା- ପ୍ରଭୁ ସୋମନାଥଙ୍କୁ ଖୁସି କରିବାପାଇଁ ସେ ଗୀତ ଗାଇ ନାଚିବା ସଙ୍ଗେ ସଙ୍ଗେ ତାଙ୍କୁ ବେଲପତ୍ରରେ ପୂଜା କରୁଥିଲେ । ସେହି ଜଗତରେ ତା’ର ଅନ୍ତର ଉତ୍‍ଫୁଲ୍ଲ ହୋଇ ନାଚି ଉଠୁଥିଲା ।

 

କିନ୍ତୁ ଏହି ନୂତନ ଜଗତରେ ଚୌଲା ଯନ୍ତ୍ରଭଳି ଖାଏ, ଶୁଏ ଓ ବୁଲେ । ହୀରା-ନୀଳା-ଖଚିତ ଶିଳ୍ପନୈପୁଣ୍ୟଭରା ନର୍ତ୍ତକୀର ସୂକ୍ଷ୍ମବସ୍ତ୍ର ଯେତେବେଳେ ସେ ପରିଧାନ କରେ, କେବଳ ସେତିକିବେଳେହିଁ ସେ କିଞ୍ଚିତ୍‍ ଆନନ୍ଦ ଅନୁଭବ କରେ; ଏହାଛଡ଼ା ଆଉ କୌଣସି ବିଷୟରେ ତା’ର ଆଗ୍ରହ ନ ଥାଏ ।

 

ଚୌଲାର ଏପରି ମାନସିକ ଅବସ୍ଥା ଦେଖି କିଛିଦିନ ପରେ ଦାସୀମାନେ ମଧ୍ୟ ତା’ର କୌଣସି ବିଶେଷ ଯତ୍ନ ନେଲେ ନାହିଁ । ତା’ର ମୁଣ୍ତ ଖରାପ ହୋଇଛି କି କ’ଣ, ସେମାନେ କିଛି ବୁଝିପାରୁନଥିଲେ ଓ ତାକୁ ମନେ ମନେ ଭୟ କରୁଥିଲେ-ସେ ଯେପରି ଏକ ବିଚିତ୍ର ଓ ଭୟଙ୍କର ଜୀବ ।

 

ସଂଧ୍ୟାବେଳେ ପ୍ରଭୁଙ୍କର ପୂଜା ସମୟ ହୋଇଗଲେ ଚୌଲା ତା’ର ଚାରିପାଖକୁ ଚାହେଁ । ତାହାପରେ ସେ ଦିନଯାକ ପରିଶ୍ରମ କରି ତିଆରି କରିଥିବା ନର୍ତ୍ତକୀର ପରିଧାନ ତଳେ ବିଛେଇ ବହୁ ସମୟ ଧରି ତାକୁ ଚାହିଁରହେ ଓ କ’ଣ ଭାବିଲାଗେ । ଏହି ସୁନ୍ଦର ଆଭରଣ ପିନ୍ଧି ସେ କେବେ ତା’ର ପ୍ରେମିକଙ୍କୁ ସନ୍ତୁଷ୍ଟ କରିବ, ଏହି ଚିନ୍ତା ଯେପରି କରୁଥାଏ । ଯେଉଁ ଶୁକ୍ଳ ଏକାଦଶୀ ଦିନ ସେ ପ୍ରଥମ କରି ପ୍ରଭୁ ସୋମନାଥଙ୍କ ନିକଟରେ ନାଚିଥିଲା ଏବଂ ଦେବତା ତାକୁ ଆପଣାର କରିଥିଲେ, ସେହି ଅଭୁଲା ସ୍ମୃତି ତା’ ମନକୁ ଆସେ । ସତେ କ’ଣ ଆଉ ଏପରି ଦିନ ଆସିବ, ଯେଉଁ ଦିନ ଗଙ୍ଗସର୍ବଜ୍ଞ ତାକୁ ପ୍ରଭୁଙ୍କଠାରେ ସମର୍ପଣ କରିଦେବେ ?

 

କେବେ କେବେ ଦୂରରୁ ଏକସମୟରେ ଶଙ୍ଖଧ୍ୱନି ସହ ବଳଦ ବେକର ଘଣ୍ଟିଶବ୍ଦ ଶୁଣାଗଲେ ତା’ ହୃଦୟ ଆନନ୍ଦରେ ନାଚି ଉଠେ । ପ୍ରେମିକର ଅପେକ୍ଷାରେ ଥିବା ଏକ ବାଳିକା ପରି ସେ ଖିଡ଼ିକିରେ ଉଙ୍କିମାରି ଦେଖେ । ମାତ୍ର ପରେ ତା’ର କଳ୍ପନାରେ ଅବାସ୍ତବତା ଅନୁଭବ କରି ସେ ଭଗ୍ନ-ହୃଦୟରେ ବସି କାନ୍ଦେ । “ନା, ନା, ସେ ଫେରିବେ ନାହିଁ ! ମୋ ପ୍ରଭୁ ମୋ ପାଖକୁ ଆସିବେ ନାହିଁ !” ଏହି ନୈରାଶ୍ୟପୂର୍ଣ୍ଣ ବାକ୍ୟ କହି କହି ଚୌଲା ତଳେ ଲୋଟି ମୁଣ୍ତରୁ ବାଳ ଛିଣ୍ତାଏ । ସେ ଅପବିତ୍ର ହୋଇଯାଇଛି । ସେ ତା’ର ପ୍ରକୃତ ପ୍ରେମିକଙ୍କୁ ଭୁଲି ଛାର ମଣିଷର ସ୍ତ୍ରୀରେ ପରିଣତ ହୋଇଛି । ତା’ର ପ୍ରଭୁ ତା’ ଉପରେ ରାଗିଛନ୍ତି । ସେ କେବେହେଲେ ତାହା ପାଖକୁ ଆସିବେ ନାହିଁ ବା ତାକୁ କ୍ଷମା ଦେବେ ନାହିଁ । ସେ ନିରାଶ ହୁଏ । ସମୟେ ସମୟେ ସେ ଅଚେତ ହୋଇଯାଏ । ଏହାହିଁ ଥିଲା ଚୌଲାର ଦୈନନ୍ଦିନ ଜୀବନ ।

ଚୌଲା ଯେତେବେଳେ ତା’ର ଶିଶୁପୁତ୍ର ଯୁବରାଜ କ୍ଷେମରାଜକୁ କୋଳକୁ ନିଏ, ସେତେବେଳେ ତା’ର ପୁରୁଣା ଅଶୁଖା ଘା’ରେ କିଏ ଲୁଣ ଛିଟା ଲଗାଇଲାଭଳି ତାକୁ ଲାଗେ । ଦିନକୁ ଦିନ ଏହି ଶିଶୁ ଭୀମଦେବଙ୍କ ପରି ଅଧିକରୁ ଅଧିକ ଦେଖାଯିବାରେ ଲାଗିଥାଏ ।

ଦିନପରେ ଦିନ ଏହିପରି ବିତିଗଲା । ଚୌଲା ସେହି ମୁହୂର୍ତ୍ତକୁ ଚାହିଁ ବସିଥାଏ, ଯେତେବେଳେ ତା’ର ପ୍ରଭୁ ତା’ ନିକଟକୁ ଫେରିଆସିବେ ଓ ତାକୁ କ୍ଷମାକରି ତାଙ୍କ ନିକଟକୁ ନେଇଯିବେ । କିନ୍ତୁ ମାସ ପରେ ମାସ ବିତିଗଲା ସିନା, ସେ ଶୁଭମୁହୂର୍ତ୍ତ ଆସିଲା ନାହିଁ । ତାହାର ଧୈର୍ଯ୍ୟ ଶେଷ ହୋଇ ଆସିଲା । ପ୍ରତିଦିନ ସେ ତା’ର ଆଭରଣମାନ ବିଛାଇ ବସେ । କେଉଁ ମୁହୂର୍ତ୍ତରେ ତା’ର ପ୍ରଭୁ ଆସି ପହଞ୍ଚିବେ ପରା ? କିନ୍ତୁ କାହାନ୍ତି ପ୍ରଭୁ ? ତା’ର ଆଶା ଆଶାରେହିଁ ରହେ ।

ତାହାପରେ ଚାନ୍ଦ୍ରମାନ ବର୍ଷର ଶେଷ ମାସ ଆଶ୍ୱିନ ଆସିଲା । ସେହି ମାସର ପୂର୍ଣ୍ଣିମାଦିନ ନୂତନ ମନ୍ଦିରରେ ପ୍ରଭୁ ସୋମନାଥଙ୍କ ମୂର୍ତ୍ତି ପ୍ରତିଷ୍ଠା କରିବାପାଇଁ ସ୍ଥିର କରାଗଲା । ଦେଶର ଚାରିଆଡ଼ୁ ରାଜାମାନଙ୍କୁ ଏହି ଉତ୍ସବରେ ଯୋଗଦେବାପାଇଁ ନିମନ୍ତ୍ରଣ କରାଗଲା । ବିଭିନ୍ନ ରାଜ୍ୟରୁ ଶାସକମାନେ ପ୍ରଭାସ କ୍ଷେତ୍ରରେ ଆସି ପହଞ୍ଚିବାକୁ ଆରମ୍ଭ କଲେ । ପ୍ରଭାସ ତୀର୍ଥର ରାସ୍ତାମାନଙ୍କର ଜନଗହଳି ବଢ଼ିବାକୁ ଲାଗିଲା ଓ ତାହା ଜୀବନ୍ତରୂପ ଧାରଣ କଲା । ବ୍ୟବସାୟୀଙ୍କ ବିପଣୀମାନଙ୍କରେ ଅଧିକ ପରିମାଣରେ କିଣାବିକା ହେଲା । ପ୍ରତି ବ୍ରାହ୍ମଣ ଘରୁ ମନ୍ତ୍ରପାଠ ଧ୍ୱନି ଶୁଣାଗଲା । ଦେଶର ଚାରିଆଡ଼ୁ ଭକ୍ତମାନେ ଦଳ ଦଳ ହୋଇ ପ୍ରଭାସକୁ ଆସିଲେ ।

ଲକୁଳେଶ ସମ୍ପ୍ରଦାୟର ପ୍ରଧାନ ଆଚାର୍ଯ୍ୟ ଗଗନସର୍ବଜ୍ଞଙ୍କ ପୌରୋହିତ୍ୟରେ ମହାରୁଦ୍ର ଯଜ୍ଞ ଆରମ୍ଭ ହେଲା । ଶଙ୍ଖ ଓ ମାଦଳ ବାଜିବା ସଙ୍ଗେ ସଙ୍ଗେ ପ୍ରଭାସ ଦୁର୍ଗର ଶିଖରଦେଶରେ ପତାକା ଉଡ଼ିଲା । ଶତ୍ରୁ ବିତାଡ଼ନକାରୀ ମହାକୀର୍ତ୍ତିବାନ୍‍ ଭୀମଦେବଙ୍କ ଉଦ୍ୟମ ଫଳରେ ପ୍ରଭାସ ପୂର୍ବାପେକ୍ଷା ଅଧିକ ମହାନ୍‍ ତୀର୍ଥକ୍ଷେତ୍ରରେ ପରିଣତ ହେଲା ।

ଚୌଲା ନିଜ ପ୍ରାସାଦର ଛାତ ଉପରେ ଠିଆହୋଇ ଦୂର ସମୁଦ୍ରର ଉତ୍ତାଳ ଲହରୀମାଳା ଆଡ଼କୁ ଅନାଉଥାଏ । ଚାରିଆଡ଼ୁ ଶୁଣାଯାଉଥିବା “ଜୟ ସୋମନାଥ” ଧ୍ୱନି ତାହା ପକ୍ଷରେ ଆନନ୍ଦଦାୟକ ହେଲା । ତା’ର ଅତୀତର ଦିବାସ୍ୱପ୍ନମାନ ବର୍ତ୍ତମାନ ବାସ୍ତବରେ ପରିଣତ ହେଉଥିବାପରି ତାକୁ ଜଣାଗଲା ।

 

ସାମନ୍ତ, ରାଜନ୍ୟମଣ୍ତଳୀ, ମନ୍ତ୍ରୀଗଣ ତଥା ବାଦକଗୋଷ୍ଠୀଙ୍କ ସହ ଶୋଭାଯାତ୍ରାରେ ଆସି ପହଞ୍ଚିଲେ ଭୀମଦେବ ମହାରାଜା । ସମଗ୍ର ପ୍ରଭାସ ତୀର୍ଥ ତାଙ୍କୁ ଆନନ୍ଦରେ ସ୍ୱାଗତ କଲା । ମହାବିଜେତାଙ୍କୁ ଯେଭଳି ଅଭ୍ୟର୍ଥନା କରାଯିବା କଥା ଗୁରୁ ଗଗନସର୍ବଜ୍ଞ ତାଙ୍କୁ ସେହିଭଳି ସ୍ୱାଗତ କଲେ । ଚାଲୁକ୍ୟବଂଶର ମୁଖ୍ୟ ଭୀମଦେବ ମୁକ୍ତହସ୍ତରେ ଦାନ ବିତରଣ କଲେ; କିନ୍ତୁ ଚୌଲାର କଳ୍ପନା ଏପର୍ଯ୍ୟନ୍ତ ସ୍ୱପ୍ନରେହିଁ ରହିଥାଏ ।

 

ପ୍ରଭାସର ରାଜପ୍ରାସାଦରେ ବସି ଭୀମଦେବଙ୍କ ଛାତି ଗର୍ବରେ ଫୁଲି ଉଠୁଥାଏ । ଆଜି ତାଙ୍କର ଗୌରବ ଉନ୍ନତିର ଚରମ ସୀମାରେ ପହଞ୍ଚିଛି । ଅତୁଳନୀୟ ବୀରତ୍ୱ ଦେଖାଇ ସେ ମ୍ଳେଚ୍ଛ ସଂହାର କରିଥିବାରୁ କବିମାନେ ତାଙ୍କ ଯଶ ଗାଉଛନ୍ତି । ସମୁଦ୍ରର ବେଳାଭୂମିରେ ଠିକ୍‍ ଏକ ମୁକ୍ତାଭଳି ଗଢ଼ିଉଠିଥିବା ମନ୍ଦିର ଯୋଗୁ ସେମାନେ ତାଙ୍କ ଦେବଭକ୍ତିର ମଧ୍ୟ ଭୂୟସୀ ପ୍ରଶଂସା କରୁଛନ୍ତି ।

 

ଏହା ମହାନ୍ ମନ୍ଦିରକୁ ସତ୍ୟଯୁଗରେ ସୋମ ପ୍ରତିଷ୍ଠା କରିଥିଲେ । ତ୍ରେତୟା ଯୁଗରେ ରାବଣ ଏବଂ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଏହାକୁ ପୁଣି ନିର୍ମାଣ କରିଥିଲେ । ବର୍ତ୍ତମାନ କଳିଯୁଗରେ ଚାଲୁକ୍ୟବଂଶର ଏହି ମହାନ୍ ବୀର ଏହାକୁ ପୁଣି ତିଆରି କରିଛନ୍ତି ।

 

ଭୀମଦେବ ମହାରାଜା ନିଜର କୃତିତ୍ୱପାଇଁ ଗର୍ବ ଅନୁଭବ କରି ହୀରା-ନୀଳା-ଖଚିତ ମହାର୍ଘ ପୋଷାକ ପିନ୍ଧି ରାଣୀ ମହଲକୁ ଗଲେ । ଅଳ୍ପକ୍ଷଣ ପରେ ପ୍ରଭୁ ସୋମନାଥଙ୍କର ମୂର୍ତ୍ତି ପ୍ରତିଷ୍ଠା ହେବା ପରେ ପରେ ତାଙ୍କର ପ୍ରେୟସୀ ଚୌଲାର ପ୍ରତିଜ୍ଞା ପୂରଣ ହେବ, ଏହି ଆନନ୍ଦଦାୟକ ଭାବନା ଘେନି ସେ ଚୌଲା ପାଖରେ ପହଞ୍ଚିଲେ । କିନ୍ତୁ ତାଙ୍କ ପ୍ରେୟସୀର ରୂପରେ ଜଣେ ନିର୍ଜୀବ ନାରୀର ଆକୃତି-ପ୍ରକୃତି ଦେଖି ସେ ବିସ୍ମିତ ହେଲେ ।

 

ଚେଷ୍ଟାକରି ହସି ଭୀମଦେବ କହିଲେ, “ଚୌଲା, ଆଜି ଆମ ଜୀବନର ସର୍ବଶ୍ରେଷ୍ଠ ଦିନ-। ପ୍ରଭୁ ସୋମନାଥଙ୍କର ମୂର୍ତ୍ତି ମୁଁ ଆଜି ପୁନଃପ୍ରତିଷ୍ଠା କରିବି । ସମଗ୍ର ଭାରତ ମୋର ଜୟଗାନ କରିବ । ଚନ୍ଦ୍ରଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିବା ଏହି ପୁରାତନ ମନ୍ଦିର ମୁଁ ଆଜି ପୁନଃପ୍ରତିଷ୍ଠା କରିବି ।”

 

ଚୌଲା ଦୁଃଖପୂର୍ଣ୍ଣ କଣ୍ଠରେ, କ୍ଷୀଣ ସ୍ୱରରେ କହିଲା, “ମହାରାଜ, ମୁଁ ମଧ୍ୟ ଏହି ମୁହୂର୍ତ୍ତଟିକୁ ଅପେକ୍ଷା କରି ରହିଛି । ପ୍ରଭୁ ସୋମନାଥ ତାଙ୍କର ପୀଠରେ ପୁନର୍ବାର ପ୍ରତିଷ୍ଠିତ ହୋଇ ତାଙ୍କର ପୂଜା ଆରମ୍ଭ ହେବା ସଙ୍ଗେ ସଙ୍ଗେ ଠାକୁରଙ୍କ ସମ୍ମୁଖରେ ନୃତ୍ୟକରି ମୁଁ ଜୀବନର ସର୍ବଶ୍ରେଷ୍ଠ ଆନନ୍ଦ ଲାଭ କରିବି ।”

 

ଭୀମଦେବ ଏହି ପ୍ରସ୍ତାବ ଶୁଣି ଆଶ୍ଚର୍ଯ୍ୟ ତଥା ମର୍ମାହତ ହୋଇ କହିଲେ, “ନୃତ୍ୟ ! ତୁମେ ବୋଧହୁଏ ଭୁଲିଯାଉଛ ଯେ, ତୁମେ ପାଟଣର ରାଣୀ ! ତୁମେ କାହିଁକି ନୃତ୍ୟ କରିବ ?”

 

ଭୀମଦେବଙ୍କ କଥା ଶୁଣି ଚୌଲାର ଆଖିରେ ଭୟର ସଂକେତ ଦେଖାଦେଲା । ମହାରାଜା ଖମ୍ବାତ ଯାଇ ଚୌଲାର ଯେଉଁ ଭୟାତୁର ଆଖି ଦେଖିଥିଲେ, ପୁଣି ତାହା ଦେଖି ସେ ମଧ୍ୟ ବିଚଳିତ ହେଲେ ।

 

ଭୀମଦେବଙ୍କର ଯଥେଷ୍ଟ କାର୍ଯ୍ୟ କରିବାକୁ ବାକି ଥିଲା । ମୂର୍ତ୍ତି ପ୍ରତିଷ୍ଠା ମୁହୂର୍ତ୍ତ ଆଗତପ୍ରାୟ । ତାଙ୍କ ମନରେ ଯେଉଁ ଆନନ୍ଦ ଦେଖାଦେଇଛି ତହିଁରେ ବାଧା ସୃଷ୍ଟି ହୋଇ ନିରୁତ୍ସାହିତ ହେବା ଭଳି କୌଣସି ଘଟଣା ଘଟିବା ସେ ଚାହାନ୍ତି ନାହିଁ । ନିଜର ଆଗ୍ରହ ଓ ଉତ୍ସାହକୁ ଅକ୍ଷୁର୍ଣ୍ଣ ରଖିବା ଉଦ୍ଦେଶ୍ୟରେ ସେ ଉଚ୍ଚହାସ୍ୟ କରି କହିଲେ, “ଚୌଲା, ଅପେକ୍ଷା କର ! ଏଭଳି ତରତର ହୋଇ କିଛି ଲାଭ ନାହିଁ । ଆଜି ରାତିରେ ତୁମର ପ୍ରତିଜ୍ଞା ପୂରଣ ହେବାପରେ ମୁଁ ତୁମକୁ ସ୍ୱାଗତ କରିବାକୁ ଆସିବି । ପୂର୍ବର ସେଇ ଅଭୁଲା ରାତିପରି ଶେଯ ସଜାଇ ରଖ, ଚୌଲା !” ନିଜ ହୃଦୟରେ ଦେଖାଦେଇଥିବା କ୍ଷୋଭକୁ ଲୁଚାଇବା ଉଦ୍ଦେଶ୍ୟରେ ସେ ପୁଣି ହସିଲେ ।

 

ଅସହ୍ୟ ବେଦନାରୁ ରକ୍ଷାପାଇବା ଲାଗି ଚୌଲା ନିଜର ଗଳା ଚାପି ଧରିଲା । ସେ ମାନସିକ ଯନ୍ତ୍ରଣାରେ ଅଥୟ ହୋଇ ଚିତ୍କାର କଲା, “ଆଜି ରାତି, ହଁ, ଆଜି ରାତି ।” କିନ୍ତୁ ଭୀମଦେବ ଏହି କଥାର ତାତ୍ପର୍ଯ୍ୟ ବୁଝିପାରିଲେ ନାହିଁ ।

Image

 

ଶେଷ ନୃତ୍ୟ

 

ସୂର୍ଯ୍ୟ ଅସ୍ତପ୍ରାୟ । ଚୌଲା ଓ ସାମନ୍ତ ପରସ୍ପର ମୁହାଁମୁହିଁ ହୋଇ ଅନ୍ଦରମହଲରେ ବସିଛନ୍ତି । ଉଭୟେ ବାହାରର ଦୃଶ୍ୟ ଦେଖୁଥାନ୍ତି ।

 

ଚୌଲା ତା’ର ମନକଥା ସାମନ୍ତଙ୍କୁ କହୁଥାଏ । ସେ କ୍ଷୀଣ ସ୍ୱରରେ କହିଲା, “ନାନାପ୍ରକାର ଦୁଃଖ ଓ ଆଶଙ୍କାରେ ମୋର ହୃଦୟ ବିଦୀର୍ଣ୍ଣ ହେଉଛି । ନାନାପ୍ରକାର ଶବ୍ଦ ମୋ କାନକୁ ଶୁଭୁଛି । ଆଜି ସକାଳୁ ମାଆ ଓ ଗୁରୁଦେବ ମୋ ସହିତ କଥାବାର୍ତ୍ତା ହେଉଛନ୍ତି । ମୋର ପ୍ରଭୁ ମୋତେ ଅନାଥ କରିବେ ନାହିଁ ବୋଲି ସେମାନେ ମୋତେ ବାରମ୍ବାର ଜଣାଇ ଦେଉଛନ୍ତି । ମୁଁ ଯେପରିଭାବେ ଅଛି ସେହିପରିଭାବେ ମୋର ଦେବତା ମୋତେ ନେଇଯିବେ । ମୁଁ ଏକ ନିରୀହା ବାଳିକା ମାତ୍ର । ମୋର ଭୋଳାନାଥ ମୋତେ ଭୁଲିନାହାନ୍ତି କି ଭୁଲିବେ ନାହିଁ । ସେ ଜାଣନ୍ତି ଯେ ମୁଁ ତାଙ୍କର-ତାଙ୍କ ପାଦର ରେଣୁମାତ୍ର । ମୁଁ ଯେତେ ଅପବିତ୍ର ହେଲେ ବି ତାଙ୍କର । ଭାଇ ଚୌହାନ, ଆଜି ଗୋଟିଏ ନୂତନ ଆଶା ମୋର ହୃଦୟକୁ ଆଲୋଡ଼ିତ କରୁଛି । ଆଜି ସକାଳୁ ନନ୍ଦୀ ବେକର ଘଣ୍ଟି-ଶବ୍ଦ ମୋତେ ଶୁଭୁଛି । ସେ ଆଜି ମୋତେ କ୍ଷମା ଦେଇ ତାଙ୍କ ପାଖକୁ ନେଇଯିବେ ।”

 

ଚୌଲାର ଆଖିରୁ ଲୁହ ଗଡ଼ିଚାଲିଥାଏ ଏବଂ ସେହି ଅବସ୍ଥାରେ ସେ କହୁଥାଏ, “ପ୍ରଭୁ ମୋତେ ଅନାଦର କଲାଭଳି ମୁଁ କୌଣସି ଦୋଷ କରିନାହିଁ । ଭାଇ,ଦୟାର ଅବତାର ସେ-ମୁଁ ଗୋଟିଏ ଛାର ପ୍ରାଣୀ ମାତ୍ର । ସେ ଯେବେ ମୋତେ ଦୟା ନ କରିବେ, ଆଉ ଦୟା କରିବ କିଏ ?”

 

ଚୌହାନ କହିଲେ, “ଚୌଲା, ମୁଁ ମଧ୍ୟ ମୋ ଆଖି ଆଗରେ ମୋର ସେହି ପ୍ରିୟ ଘୋଘାଗଡ଼ ଦେଖିପାରୁଛି ।”

 

ଚୌଲା କହିଲା,”ବୀର ଚୌହାନ, ମୋତେ ସାହାଯ୍ୟ କଲେ ମୁଁ ଇହଲୋକ ଓ ପରଲୋକରେ ତୁମ ନିକଟରେ ଗଭୀର କୃତଜ୍ଞ ରହିବି ।”

 

ଚୌଲା ନୈରାଶ୍ୟରେ ଆଖିରୁ ଲୁହ ଗଡ଼ାଉଥିବା ସାମନ୍ତ ନୀରବରେ ଦେଖୁଥାନ୍ତି । କିଛିକ୍ଷଣ ପରେ ସାମନ୍ତଙ୍କ ମୁହଁରୁ ବିଷାଦର ରେଖା ଦୂର ହୋଇଗଲା । ତାହା ପରିବର୍ତ୍ତେ ଦେଖାଦେଲା ତାଙ୍କ ମୁଣ୍ତରେ ବିଜୟ ଟିକା ଲଗାଇବାକୁ ଆସିଥିବା ସେହି କିଶୋରୀ ନର୍ତ୍ତକୀର ସୁନ୍ଦର ଓ କୋମଳ ମୁଖମଣ୍ତଳ । ସେ ବିଜୟ ହାସଲ କରିଛି, ଦେଶକୁ ରକ୍ଷା କରିଛି; କିନ୍ତୁ ସେଥି ସଙ୍ଗେ ସଙ୍ଗେ ନିଜର ସମସ୍ତ ଚାଲିଯାଇଛି । ଯାହାର ପ୍ରେରଣାରେ ସେ ଏହି ଅସାଧ୍ୟ ସାଧନ କରିପାରିଛି ସେ ବର୍ତ୍ତମାନ ତାକୁ ସାହାଯ୍ୟ ମାଗୁଛି । ତାହା ସେ କିପରି ଅସ୍ୱୀକାର କରିପାରିବ ?

 

ସାମନ୍ତ ଭାବିଚାଲିଥାନ୍ତି-ଏହି ଦୁନିଆରେ ଆଜି ସେ ଏକା । ତା’ର ଜୀବନରେ ପ୍ରେରଣାର ପ୍ରଧାନ ଉତ୍ସ ଥିଲା ଚୌଲା ପ୍ରତି ପ୍ରେମ । ତେବେ ସେ ଅନ୍ୟ ଲୋକଙ୍କ ପ୍ରତି କାହିଁକି ଭ୍ରୂକ୍ଷେପ କରିବ । ମାନ-ସମ୍ମାନରେ ତା’ର ଅଛି କ’ଣ ? ଭୀମଦେବ ବା ତା’ର କ’ଣ ? ଯଶ, ସମ୍ପଦ ଓ ସିଂହାସନରେ ତା’ର ବା କି ପ୍ରୟୋଜନ ଅଛି ? ସେ ମରୁଭୂମିରେ ବାଲିକଣା ମାତ୍ର । ସୋମନାଥଙ୍କ ଦୟାରୁ ସେ ତା’ ରାଜ୍ୟ ଧ୍ୱଂସକାରୀ ବିଦେଶୀ ଆକ୍ରମଣକାରୀ ସଙ୍ଗେ ଯୁଦ୍ଧ କରିବାରେ ତାଙ୍କର ଆୟୁଧ ହୋଇଥିଲା । ପ୍ରଭୁ ସୋମନାଥ ଏବେ ପୁନର୍ବାର ନିଜ ପୀଠରେ ପ୍ରତିଷ୍ଠିତ ହୋଇଛନ୍ତି । ତା’ର କାର୍ଯ୍ୟ ଶେଷ ହୋଇଛି । ସେ ପୂର୍ବେ ଯାହା ଥିଲା, ସେହି ବାଲିକଣାରେ ପରିଣତ ହୋଇଛି । ତା’ର ଓଟମାନେ ପ୍ରସ୍ତୁତ ହୋଇ ରହିଛନ୍ତି । ସଂଧ୍ୟାର ପୂଜା ପରେ ପରେ ସେ ମରୁଭୂମି ଅଭିମୁଖେ ଯାତ୍ରା କରିବ । ତା’ର ପୂର୍ବପୁରୁଷମାନେ ଯେଉଁ ରାସ୍ତାରେ ଯାଇଥିଲେ ସେଇ ରାସ୍ତାରେ ସେ ଯିବ । ତେବେ ଏପରି ଅବସ୍ଥାରେ ଚୌଲାର ଅନୁରୋଧ ସେ କାହିଁକି ରକ୍ଷା ନ କରିବ ?

ସାମନ୍ତ ନିଜର ମନ ସ୍ଥିର କରିନେଇ ଉଠି ଠିଆ ହୋଇପଡ଼ିଲେ ଓ ନିଜର ଅଣ୍ଟା କଷିନେଲେ । ”ଭଉଣୀ ଚୌଲା !” ସାମନ୍ତଙ୍କ ସ୍ୱରରେ ତାଙ୍କର ସାରା ଜୀବନର ପ୍ରେମ ପରିସ୍ଫୁଟ ହେଉଥାଏ, “ମୁଁ ତୋ’ର ଦାସ । ଯାହା କହିବୁ ତା’ କରିବି । ଆଜି ସଂଧ୍ୟା ଆରତିବେଳେ ଉପସ୍ଥିତ ଥିବି ।”

ଚୌଲାର ମୁହଁରେ ଆନନ୍ଦ ଦେଖାଦେଲା । ସେ କହିଲା,”ଚୌହାନ, ମୁଁ ପ୍ରସ୍ତୁତ ଥିବି ।”

ସଂଧ୍ୟା ପୂଜା ସମୟ ଆଗତ ପ୍ରାୟ । ଭିତର ମନ୍ଦିର ସମ୍ମୁଖସ୍ଥ ସଭାମଣ୍ତପରେ ହଜାର ହଜାର ପ୍ରଦୀପ ଜଳୁଛି ଓ ତାହାର ଆଲେକ ହୀରା-ନୀଳା-ଖଚିତ ଶହ ଶହ ଖୁଣ୍ଟରେ ପ୍ରତିଫଳିତ ହେଉଛି ।

ମନ୍ଦିରର ବେଢ଼ା ପୂର୍ବପେକ୍ଷା ଅଧିକ ସୁନ୍ଦର ଦେଖାଯାଉଛି । ପୂର୍ବ ବେଢ଼ା ଅପେକ୍ଷା ଏହା ପ୍ରଶସ୍ତତର ହୋଇଥିବାରୁ ବାହାର ବେଢ଼ାରୁ ପ୍ରଭୁ ଶଙ୍କରଙ୍କୁ ଭଲରୂପେ ଦେଖିହେଉଛି । ଦେବତାଙ୍କ ମୂର୍ତ୍ତି ପୂର୍ବାପେକ୍ଷା ଆହୁରି ଅଧିକ ସୁନ୍ଦର ଦେଖାଯାଉଛନ୍ତି । ଶିବଲିଙ୍ଗଙ୍କ ଉପରେ ସୁବର୍ଣ୍ଣ ଅଭିଷେକ ପାତ୍ରରୁ ବିନ୍ଦୁ ବିନ୍ଦୁ ହୋଇ ଜଳ ପଡ଼ୁଛି । ବେଢ଼ାର ଚତୁଃପାର୍ଶ୍ୱରେ ସ୍ୱର୍ଣ୍ଣପ୍ରଦୀପମାନ ଜଳି ଚତୁର୍ଦ୍ଦିଗକୁ ଝଲସାଇ ଦେଉଛି ।

ସଭାମଣ୍ତପରେ ନିମନ୍ତ୍ରିତ ଶାସକବର୍ଗଙ୍କ ପାଇଁ ବସିବା ସ୍ଥାନ ନିରୂପଣ କରାଯାଇଛି । ପ୍ରବେଶଦ୍ୱାରର ଡାହାଣରେ ବେଢ଼ାପାଖକୁ ବସିଛନ୍ତି ଭୀମଦେବ ମହାରାଜା । ତାଙ୍କ ପାର୍ଶ୍ୱରେ ତାଙ୍କ ଧଳା ନିଶକୁ ଯୁବକସୁଲଭ ଢଙ୍ଗରେ ମୋଡ଼ି ଝାଲୋରର ଶାସକ ବାକ୍‍ପତିରାଜ ବସିଛନ୍ତି । ତାଙ୍କ ପାଖକୁ ବସିଛନ୍ତି ବହୁ ଯୁଦ୍ଧରେ ନିଜ ବୀରତ୍ୱର ପରିଚୟ ଦେଇଥିବା ସଫାଳଦକ୍ଷର ଶାସକ ବଳଦେବ ଚୌହାନ, ଆବୁର ଦୁଧିରାଜ ଏବଂ ସ୍ଥାନକର ମୁକୁନ୍ଦଦେବ । ସେମାନଙ୍କ ପଛରେ ବସିଛନ୍ତି କଚ୍ଛ ଓ ସୌରାଷ୍ଟ୍ରର ଶାସକବର୍ଗ ଏବଂ ଉଚ୍ଚପଦସ୍ଥ ରାଜକର୍ମଚାରୀବୃନ୍ଦ ।

ହମୀର୍‍କୁ ବିତାଡ଼ିତ କରିବାକୁ ଯାଇ ରାଜନ୍ୟବର୍ଗ ଯେଉଁ ତ୍ୟାଗ ସ୍ୱୀକାର କରିଛନ୍ତି ସେଥିପାଇଁ ଆଜି ସେମାନେ ପୁରସ୍କୃତ ହେଉଛନ୍ତି । ସେମାନେ ଶତ୍ରୁ ସହ ଯୁଦ୍ଧ କରି ବହୁ ଦୁଃଖକଷ୍ଟ ସହ୍ୟ କରିଛନ୍ତି । ଆଜି ଦେବଦେବ ତାଙ୍କ ନିଜ ମନ୍ଦିରରେ ପୁନଃପ୍ରତିଷ୍ଠିତ ହେବାକୁ ଯାଉଛନ୍ତି । ତେଣୁ ଅତୀତର ଦୁଃଖ ସ୍ମୃତି ଆଜି ସୁଖଦ ହୋଇପାରିଛି ।

ଶଙ୍ଖ ବାଜିବା ସଙ୍ଗେ ସଙ୍ଗେ ସମସ୍ତେ ଦଣ୍ତାୟମାନ ହେଲେ । ଗଗନ ସର୍ବଜ୍ଞ କଠାଉ ମାଡ଼ି ପ୍ରବେଶ କଲେ । ନିଜ ଶରୀରକୁ ସେ ବ୍ୟାଘ୍ର ଚର୍ମାବୃତ କରିଛନ୍ତି ଓ ଲମ୍ବା କଳା ଦାଢ଼ି ଉପରେ ଧୀରେ ହସ୍ତ ଚଳନ କରି ସେ ତାଙ୍କ ପୂର୍ବବର୍ତ୍ତୀ ଗୁରୁଦେବଙ୍କ ଚାଲିଚଳଣ ଓ ବାକ୍ୟାଳାପର ଯଥେଷ୍ଟ ସାମଞ୍ଜସ୍ୟ ରକ୍ଷାକରିଛନ୍ତି । ସେ ପୂଜା କରିବାପାଇଁ ଗମ୍ଭୀରା ଭିତରକୁ ଯିବା ସମୟରେ ତାଙ୍କୁ ପ୍ରଣାମ କରୁଥିବା ଭକ୍ତମାନଙ୍କୁ ହସି ହସି “ନମଃ ଶିବାୟ” କହି କହି ଚାଲିଥାନ୍ତି ।

ପ୍ରଭୁ ଶଙ୍କରଙ୍କ ପୂଜାପାଇଁ କାଶ୍ମୀରର ଶାସକ ଦେଇଥିବା ମଣି-ମୁକ୍ତା ଖଚିତ ଆରତିଦାନି ଗଗନ ସର୍ବଜ୍ଞ ହାତରେ ଉଠାଇଲେ । ସମବେତ ଭକ୍ତମଣ୍ତଳୀ ଠିଆହୋଇ ମିଳିତ କଣ୍ଠରେ ସନ୍ଧ୍ୟା ପ୍ରାର୍ଥନା ଗାନ କଲେ ।

 

ପ୍ରାର୍ଥନା ଗାନ ଶେଷ ହେବା ସଙ୍ଗେ ସଙ୍ଗେ ଗଗନ ସର୍ବଜ୍ଞ “ଜୟ ସୋମନାଥ” ଧ୍ୱନି ଦେଲେ । ଉପସ୍ଥିତ ରାଜନ୍ୟ ଓ ସଜ୍ଜନମଣ୍ତଳୀ ଏବଂ ମନ୍ଦିରର ବାହାରେ ସମବେତ ଜନତା ସମସ୍ୱରରେ “ଜୟ ସୋମନାଥ” ଧ୍ୱନି କଲେ । ପ୍ରତ୍ୟେକ ଦିଗରୁ ଏହାର ପ୍ରତିଧ୍ୱନି ଶୁଣାଗଲା । ମନେହେଲା ଯେପରି ସମଗ୍ର ପ୍ରଭାସ ଗୋଟିଏ ବିରାଟ ମନ୍ଦିରରେ ପରିଣତ ହୋଇଛି ।

 

ନୀରବତା ଫେରିବା ପରେ ଗଗନ ସର୍ବଜ୍ଞ ବସିପଡ଼ି ନିର୍ଦ୍ଦେଶ ଦେଲେ “ପାରମ୍ପରିକ ନୃତ୍ୟ ଆରମ୍ଭ ହେଉ ।” ଉପସ୍ଥିତ ଭକ୍ତମାନେ “ନୃତ୍ୟ ଆରମ୍ଭ କରାଯାଉ” ବୋଲି ପରସ୍ପରକୁ କୁହାକୁହି ହେଲେ । କେହି ଜଣେ ପାଟିକରି କହିଲେ, “ନର୍ତ୍ତକୀ ପ୍ରସ୍ତୁତ ନାହାନ୍ତି ଓ ବାଦ୍ୟକାର ବି ନାହାନ୍ତି ।”

 

କିଛି ସମୟ ଅତୀତ ହେଲା । ରାଜନ୍ୟମଣ୍ତଳୀ ଆଶ୍ଚର୍ଯ୍ୟ ହୋଇ ପରସ୍ପରକୁ ଚାହିଁଲେ । ଗଗନସର୍ବଜ୍ଞଙ୍କ କପାଳରେ ବିରକ୍ତିର ଚିହ୍ନ ଦେଖାଦେଲା ।

 

ହଠାତ୍ ନର୍ତ୍ତକୀ ପାଦର ମୃଦୁ ଗୁଞ୍ଜନ ଏବଂ ତାହା ପଛରେ ବାଦ୍ୟକାରମାନଙ୍କର ପଦଶବ୍ଦ ଶୁଣାଗଲା । ପାର୍ଶ୍ୱଦ୍ୱାର ଦେଇ ନର୍ତ୍ତକୀ ନୃତ୍ୟମଣ୍ତପରେ ପ୍ରବେଶ କଲା । ମଣି ମୁକ୍ତା ଓ ମୁଲ୍ୟବାନ୍ ପଥରଖଚିତ ଆଭରଣର ତେଜରେ ନୃତ୍ୟମଣ୍ତପ ସମୁଜ୍ଜ୍ୱଳ ହୋଇଉଠିଲା । ଯେପରି ଚାଲିବାକୁ କଷ୍ଟ ହେଉଛି, ସେହିପରି ଧୀରେ ଧୀରେ ସେ ଆସିଲା । ସୁନାଜରିର ସୂକ୍ଷ୍ମ କାରୁକାର୍ଯ୍ୟମଣ୍ତିତ ବସ୍ତ୍ରରେ ନିଜର ମୁଖକୁ ସେ ସମ୍ପୂର୍ଣ୍ଣରୂପେ ଘୋଡ଼ାଇଥିଲା ।

ଗଗନସର୍ବଜ୍ଞ ପୁଣି କହିଲେ, “ନୃତ୍ୟ ଆରମ୍ଭ ହେଉ ।”

ତାହାପରେ ନର୍ତ୍ତକୀର ପାଦ ଦୃଢ଼ତାର ସହିତ ପଡ଼ିବାକୁ ଲାଗିଲା । ଅଳ୍ପକ୍ଷଣ ପରେ ସଙ୍ଗୀତର ମୂର୍ଚ୍ଛନା ଚଞ୍ଚଳ ହେବା ଫଳରେ ତାହା ସହିତ ତାଳର ସମତା ରଖି ନର୍ତ୍ତକୀ ତା’ର ପଦଚାଳନା ମଧ୍ୟ ଚଞ୍ଚଳ କଲା । ପୁରାଣବର୍ଣ୍ଣିତ ପାର୍ବତୀଙ୍କ ଶିବ ଆରାଧନା ସଙ୍ଗୀତ ଗାୟକମାନେ ଗାନ କଲେ । ନର୍ତ୍ତକୀ ସେମାନଙ୍କ ସହିତ ସ୍ୱର ମିଳାଇ ଗୀତ ଗାଉଥିଲେ ସୁଦ୍ଧା ଆସ୍ତେ ଆସ୍ତେ କମ୍ପିତ ସ୍ୱରରେ ଗାଉଥିବାରୁ କାହାକୁ ଶୁଭୁନଥାଏ ।

କ୍ରମେ ସଙ୍ଗୀତର ମୂର୍ଚ୍ଛନା ସହିତ ନୃତ୍ୟର ଗତି ମଧ୍ୟ ବୃଦ୍ଧି ପାଇବାକୁ ଲାଗିଲା । ନର୍ତ୍ତକୀ ନାଚି ନାଚି ତା’ର ହସ୍ତମୁଦ୍ରାରେ ଫୁଲ ତୋଳିବା, ମାଳ ତିଆରି କରିବା ଓ ପ୍ରଭୁଙ୍କୁ ବେଲପତ୍ରରେ ମଣ୍ତନ କରିବା ଦେଖାଉଥାଏ ।

ନର୍ତ୍ତକୀ ଦ୍ରୁତ ପଦରେ ନାଚି ନାଚି ନିଜେ ପୂଜା କରିବାପାଇଁ ଗମ୍ଭୀରାର ଦ୍ୱାରଦେଶକୁ ଗଲା । ସେ ଦୁଇହାତ ଯୋଡ଼ି ମୁଣ୍ତ ନୁଆଇଁ ଦେବତାଙ୍କ ଆଗରେ ସାଷ୍ଟାଙ୍ଗ ପ୍ରଣିପାତ ହେଲା ଓ ହସ୍ତର ମୁଦ୍ରାଚାଳନା କରି ପ୍ରଭୁଙ୍କର ପୂଜା କରିବାକୁ ଲାଗିଲା ।

ଉପସ୍ଥିତ ରାଜନ୍ୟମଣ୍ତଳୀ ମଧ୍ୟରେ ନର୍ତ୍ତକୀର ମୁଖଦର୍ଶନ ପାଇଁ ବ୍ୟଗ୍ରତା ପ୍ରକାଶ ପାଇଲା । ସହଚରୀ ବାଳିକାମାନେ ଗୀତ ଗାଇବା ବନ୍ଦ କଲେ । କି ପ୍ରକାର ଅଦ୍ଭୁତ ନୃତ୍ୟ ହେଉଛି ତାହା ସୋମାନେ ବୁଝିପାରିଲେ ନାହିଁ । କେବଳ ମୃଦଙ୍ଗ ବାଜୁଥାଏ । ତାହାର ତାଳ ସଙ୍ଗରେ କେବଳ ନର୍ତ୍ତକୀର ନୂପୁରହିଁ ତାଳ ଦେଉଥାଏ । କ୍ରମେ ନୃତ୍ୟ ଏତେ ଅଦ୍ଭୁତ ହୋଇଉଠିଲା ଯେ ଦର୍ଶକମଣ୍ତଳୀ ନିଜ ନିଜର ଅସ୍ତିତ୍ୱ ଭୁଲିଯାଇ ମନ୍ତ୍ରମୁଗ୍ଧ ଭଳି ବୋଧକଲେ । ନର୍ତ୍ତକୀର ପଦଚାଳନାର ଦୃଢ଼ତାରେ ସମସ୍ତେ ସ୍ତମ୍ଭୀଭୂତ ହୋଇଯାଇଥାନ୍ତି ।

ନର୍ତ୍ତକୀ ନୃତ୍ୟରେ ପୂଜା କରିବାରେ ଲାଗିଥାଏ । ନିଜର ଭାବଭଙ୍ଗୀରେ ପ୍ରଭୁ ଶିବଙ୍କୁ ସେ ବାରମ୍ୱାର ଆରାଧନା କରୁଥାଏ । ତା’ର ସୁଠାମ ଶରୀରରେ ପ୍ରକାଶ ପାଉଥାଏ ଅପୂର୍ବ ତେଜ ତଥା ଲାଳିତ୍ୟ ।

ନର୍ତ୍ତକୀ ଯେଉଁପରି ଭାବ-ପ୍ରଣୋଦିତ ହୋଇ କ୍ଷୀଣ ସ୍ୱରରେ ବେଦନାଭରା ସଙ୍ଗୀତ ଗାଇଲା, ତାହାର ନୂପୁର ସେହି ଗୀତର ସ୍ୱର ଗାଇବାକୁ ଲାଗିଲା । ସଙ୍ଗୀତରେ ସେ ପ୍ରଭୁ ଶଙ୍କରଙ୍କୁ ଆପଣାର କରି ହସାଇ କ୍ଷମା ଯାଚଜ୍ଞା କରୁଥାଏ । ଦେବତା ପ୍ରାର୍ଥନା ଶୁଣୁନଥାନ୍ତି । ତେଣୁ ସେ ନିରାଶ ହୋଇ ତା’ର ପାଦ ଫେରାଇ ଆଣୁଥାଏ ।

ଭୀମଦେବ ତାଙ୍କ ଆସନରେ ଦୃଢ଼ ହୋଇ ବସିଥାନ୍ତି ଓ ତାଙ୍କର ପରିଚିତ ବୋଲି ମନେହେଉଥିବା ଏହି ଅଦ୍ଭୁତ କ୍ଷୀଣାଙ୍ଗୀ ନର୍ତ୍ତକୀ ବାଳିକାଟିକୁ ବିସ୍ଫାରିତ ନେତ୍ରରେ ଦେଖୁଥାନ୍ତି । ଗଗନ ସର୍ବଜ୍ଞ ଏହି ନୃତ୍ୟ ପସନ୍ଦ କରୁଥିବାର ଲକ୍ଷଣ ତାଙ୍କ ଭାବରୁ ଜଣାଯାଉଥିଲା ।

ପ୍ରଭୁ ଶଙ୍କରଙ୍କୁ ସନ୍ତୁଷ୍ଟ କରିବା ପ୍ରୟାସରେ ନର୍ତ୍ତକୀ ତା’ର ନୃତ୍ୟ କରି ଚାଲିଥାଏ । ସେ ପୁଣି ଗୋଟିଏ ନୂତନ ଉଦ୍ୟମ କଲା । ତା’ର ନୃତ୍ୟ ସଙ୍ଗେ ସଙ୍ଗେ ନିଜ ହୃଦୟର ବେଦନା ପ୍ରକାଶ ପାଇଲା । ତା’ ନୂପୁରରୁ କ୍ରନ୍ଦନର ଶବ୍ଦ ଶୁଣାଗଲା । ଏହି ଶବ୍ଦ ବାଦ୍ୟଯନ୍ତ୍ରରୁ ଆସୁଛି କି ନର୍ତ୍ତକୀର କଣ୍ଠସ୍ୱରରୁ ଆସୁଛି ତାହା କେହି ବୁଝିପାରୁନଥାନ୍ତି । ଦର୍ଶକମାନଙ୍କ ହୃଦୟ ମଧ୍ୟ କାନ୍ଦିଉଠିଲା ।

ନର୍ତ୍ତକୀ ଗମ୍ଭୀରାର ଦ୍ୱାରଦେଶକୁ ଆସିଲା । ଶିବଙ୍କୁ ତୁଷ୍ଟ କରିବାପାଇଁ ଏହା ତା’ର ଶେଷ ଉଦ୍ୟମ । ଅତିଶୟ ନୈରାଶ୍ୟରେ ସେ ତଳେ ମୁଣ୍ତ ପିଟିଲା । ପ୍ରଭୁ ଶଙ୍କରଙ୍କ ନିକଟରେ ସତେ ଯେପରି ସେ ତା’ର ସର୍ବସ୍ୱ ଅର୍ପଣ କରିଦେଉଛି ।

ନୃତ୍ୟର ମୂର୍ଚ୍ଛନା ଶିଥିଳ ହୋଇଗଲା । ସଙ୍ଗୀତ-ଝଙ୍କାର ମୃଦୁ ହୋଇ ବନ୍ଦ ହୋଇଗଲା ।

ତା’ପରେ ନର୍ତ୍ତକୀ ହଠାତ୍ ଉଠିପଡ଼ିଲା । ତା’ର ଅଙ୍ଗ-ପ୍ରତ୍ୟଙ୍ଗର ଚାଳନା, ନୃତ୍ୟ ଓ ଭକ୍ତି ଦେଖି ସତେ ଯେପରି ପ୍ରଭୁ ଶିବ ତାହା ଉପରେ ସନ୍ତୁଷ୍ଟ ହୋଇଛନ୍ତି, ସେହିପରି ଜଣାଗଲା । ସେ ଆନନ୍ଦରେ ନାଚିବାକୁ ଲାଗିଲା । ତା’ର ଭାବଭଙ୍ଗୀ ତଥା ଦ୍ରୁତ ପଦଚାଳନା ଦେଖି ତା’ର ବିଜୟ ହୋଇଛି ବୋଲି ମନେହେଲା । ସଙ୍ଗୀତ ପୁଣି ଆରମ୍ଭ ହେଲା । ଉପସ୍ଥିତ ଦର୍ଶକମଣ୍ତଳୀ ସମ୍ପୂର୍ଣ୍ଣ ନୀରବରେ ପ୍ରତ୍ୟେକ ଅବସ୍ଥା ଲକ୍ଷ୍ୟ କରୁଥାନ୍ତି ।

ନର୍ତ୍ତକୀ ତା’ର ବିଜୟ ନୃତ୍ୟ ଆରମ୍ଭ କଲା । ଅକସ୍ମାତ ତା’ର ମୁଖମଣ୍ତଳରୁ ଓଢ଼ଣାଟି ଖସିପଡ଼ିଲା । ମ୍ଳାନ ଅଥଚ ସୁନ୍ଦର ମୁଖମଣ୍ତଳରେ ଆନନ୍ଦର ଚିହ୍ନ ଫୁଟିଉଠିବା ସଙ୍ଗେ ସଙ୍ଗେ ଆଖି ଦୁଇଟି ଉଜ୍ଜ୍ୱଳ ହୋଇଉଠିଲା ।

ଏହି ନୃତ୍ୟ ଶେଷହେବାପୂର୍ବରୁ ନର୍ତ୍ତକୀ ଗମ୍ଭୀରା ଆଡ଼କୁ ଦୌଡ଼ିଗଲା ଏବଂ ସିଂହାସନରେ ମୁଣ୍ତ ପିଟିଦେଲା ।

ମୃଦଙ୍ଗର ଶବ୍ଦ ବନ୍ଦ ହୋଇଗଲା । ନୂପୁରର ଧ୍ୱନି ମଧ୍ୟ ବନ୍ଦହେଲା ।

ନର୍ତ୍ତକୀ ତାଙ୍କ ପ୍ରିୟ ରାଣୀ ଚୌଲାବୋଲି ଜାଣିପାରି ଭୀମଦେବ କ୍ରୋଧଜର୍ଜରିତ ହୋଇଉଠିଲେ । ନିଜ ବଂଶର ସମ୍ମାନ ରକ୍ଷାପାଇଁ ସେ ଖୋଳରୁ ଖଣ୍ତା ବାହାର କରିବାକୁ ଉଦ୍ୟତ ହେଲେ । ଗଗନସର୍ବଜ୍ଞ ଠିଆ ହୋଇ ହାତ ଉଠାଇ ତାହା ବନ୍ଦ କରିବାକୁ ସଂକେତ ଦେଲେ ଏବଂ ନର୍ତ୍ତକୀ ନିକଟକୁ ଦୌଡ଼ିଗଲେ ।

ଦେଖାଗଲା ଏହି ଶୁଭ ମୁହୂର୍ତ୍ତରେ ପ୍ରଭୁ ସୋମନାଥଙ୍କ ସମ୍ମୁଖରେ ଚୌଲା ତା’ର ଜୀବନର ସର୍ବଶ୍ରେଷ୍ଠ ତ୍ୟାଗ କରିସାରିଛି ।

ଅଖଣ୍ତ ନୀରବତା ମଧ୍ୟରେ ଶୁଣାଗଲା ଏକ ସମ୍ମିଳିତ ଦୀର୍ଘନିଶ୍ୱାସର ଶବ୍ଦ । ଏତିକିବେଳେ ଜଣେ କ୍ଷୀଣକାୟ ଯୋଦ୍ଧା ସମସ୍ତଙ୍କୁ ଧସାଇ ଅନ୍ଧକାରରେ ଅନ୍ତର୍ଦ୍ଧାନ ହୋଇଯିବା ଦେଖାଗଲା ।

Image